12.01.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେ କଲ୍ୟାଣକାରୀ ବାବାଙ୍କର ସନ୍ତାନମାନଙ୍କ କର୍ତ୍ତବ୍ୟ ହେଲା ସମସ୍ତଙ୍କର କଲ୍ୟାଣ କରିବା, ସମସ୍ତଙ୍କୁ ବାବାଙ୍କର ସ୍ମୃତି ଦେବା ଏବଂ ଜ୍ଞାନଦାନ କରିବା ।

ପ୍ରଶ୍ନ:-
ବାବା କେଉଁମାନଙ୍କୁ ମହାରଥୀ କହୁଛନ୍ତି ? ସେମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ଯେଉଁମାନେ ନିଜେ ଭଲ ଭାବରେ ପଢନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ପଢାନ୍ତି, ଯାହାଙ୍କ ଉପରେ ସବୁବେଳେ ବୃହସ୍ପତିର ଦଶା ରହିଛି, ଯେଉଁମାନେ ସବୁବେଳେ ନିଜର ତଥା ସମସ୍ତଙ୍କର ଉନ୍ନତିର ଚିନ୍ତା କରୁଥାଆନ୍ତି, ଯେଉଁମାନେ ଯଜ୍ଞ ସେବାରେ କଠୋର ପରିଶ୍ରମ କରିଥାଆନ୍ତି, ଯେଉଁମାନେ ବାବାଙ୍କର କର୍ତ୍ତବ୍ୟରେ ସହଯୋଗୀ ହୋଇଥାନ୍ତି ସେହିମାନେ ହେଲେ ମହାରଥୀ । ଏହିଭଳି ମହାରଥୀ ପିଲାମାନଙ୍କୁ ହିଁ ବାବା କହୁଛନ୍ତିଏମାନେ ହେଲେ ମୋର ସୁପୁତ୍ର ସନ୍ତାନ ।

ଓମ୍ ଶାନ୍ତି ।
ଏବେ ତୁମେମାନେ ଶିବଜୟନ୍ତୀ ପାଇଁ ପ୍ରସ୍ତୁତି କରୁଛ । କାର୍ଡ ଇତ୍ୟାଦି ଛପାଉଛ । ବାବା ତ ଏ ସମ୍ବନ୍ଧରେ ବହୁତ ଥର ବୁଝାଉଛନ୍ତି । ଏ ସବୁର ମୁଖ୍ୟ କଥା ଗୀତାରେ ରହିଛି । ମନୁଷ୍ୟମାନେ ରଚନା କରିଥିବା ଗୀତାକୁ ଅଧାକଳ୍ପ ହେବ ପଢି ପଢି ତଳକୁ ତଳକୁ ଖସିବାରେ ଲାଗିଲ । ଏକଥା ମଧ୍ୟ ତୁମେମାନେ ବୁଝିପାରୁଛ ଯେ ଅଧାକଳ୍ପ ହେଲା ଦିନ ଏବଂ ଅଧାକଳ୍ପ ରାତି । ଏବେ ବାବା ତୁମମାନଙ୍କୁ କେତେ ଟପିକ୍ (ବିଷୟ) ଦେଉଛନ୍ତି ତାଉପରେ ତୁମମାନଙ୍କୁ ଚିନ୍ତନ-ମନ୍ଥନ କରିବାକୁ ହେବ । ତୁମେମାନେ ଲେଖିପାରିବ ଯେ ଭାଇ ଓ ଭଉଣୀମାନେ ଏଠାକୁ ଆସି ବୁଝ କେବଳ ଗୋଟିଏ ଗୀତା ଶାସ୍ତ୍ର ହିଁ ହେଉଛି ଜ୍ଞାନମାର୍ଗର, ବାକି ସମସ୍ତ ଧର୍ମଶାସ୍ତ୍ର ହେଉଛି ଭକ୍ତିମାର୍ଗର । ଜ୍ଞାନମାର୍ଗର କେବଳ ଗୋଟିଏ ଶାସ୍ତ୍ର ଯାହାକୁ ପୁରୁଷୋତ୍ତମ ସଂଗମଯୁଗରେ ବେହଦର ପିତା ପରମପିତା ପରମାତ୍ମା ତ୍ରିମୂର୍ତ୍ତି ଶିବବାବା ହିଁ ଶୁଣାଇଥାନ୍ତି, ଅଥବା ଲେଖିବା ଦରକାର ବ୍ରହ୍ମାଙ୍କ ଦ୍ୱାରା ଶୁଣାଇଛନ୍ତି, ଯାହା ଦ୍ୱାରା ୨୧ ଜନ୍ମ ପାଇଁ ସଦଗତି ପ୍ରାପ୍ତ ହେଉଛି । ଏହି ଜ୍ଞାନ ମାର୍ଗର ଗୀତା ଦ୍ୱାରା ୨୧ ଜନ୍ମ ପାଇଁ ସମ୍ପତ୍ତି ମିଳୁଛି ପରେ ପୁଣି ୬୩ ଜନ୍ମ ଭକ୍ତିମାର୍ଗର ଗୀତା ପ୍ରଚଳିତ ହେବ ଯାହାକୁ ମନୁଷ୍ୟ ହିଁ ରଚନା କରିଛି । ବାବା ତ ରାଜଯୋଗର ଶିକ୍ଷା ଦେଇ ସମସ୍ତଙ୍କର ସଦଗତି କରିଦେଉଛନ୍ତି । ପୁଣି ସେଠାରେ ଗୀତା ଶୁଣିବାର ଆବଶ୍ୟକତା ହିଁ ରହିବ ନାହିଁ । ଏହି ଜ୍ଞାନମାର୍ଗର ଗୀତା ଦ୍ୱାରା ଦିନ ହୋଇଯାଉଛି । ଏହି ଗୀତା ଜ୍ଞାନ କେବଳ ଜ୍ଞାନର ସାଗର ବାବା ହିଁ ଶୁଣାଉଛନ୍ତି ଯାହା ଦ୍ୱାରା ୨୧ ଜନ୍ମ ପାଇଁ ଚଢତି କଳା ହୋଇଯାଉଛି କିନ୍ତୁ ମନୁଷ୍ୟ ଦ୍ୱାରା ରଚିତ ଗୀତା ଦ୍ୱାରା ଅବନତି ହୋଇଥାଏ । ଭକ୍ତିମାର୍ଗର ଗୀତା ଏବଂ ଜ୍ଞାନମାର୍ଗର ଗୀତା ଉପରେ ବିଚାର ସାଗର ମନ୍ଥନ କରିବା ଆବଶ୍ୟକ । ମୂଳକଥା ବା ମୁଖ୍ୟ କଥାକୁ ମନୁଷ୍ୟମାନେ ଜାଣିନାହାଁନ୍ତି । ତୁମେମାନେ ଲେଖୁଛ ତ୍ରିମୂର୍ତ୍ତି ଶିବଜୟନ୍ତୀ ତଥା ଶ୍ରୀମତ ଭଗବତ ଗୀତା ଜୟନ୍ତୀ ତଥା ସର୍ବ ଆତ୍ମାଙ୍କର ସଦଗତିର ଜୟନ୍ତୀ । ଏକଥା ମଧ୍ୟ ତୁମେ ଶୁଣାଇପାରିବ ଯେ ଶିବଜୟନ୍ତୀ ଦ୍ୱାରା ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ । ମୁଖ୍ୟ କଥା ଲେଖିବା ନିହାତି ଜରୁରୀ, ଯାହା ଉପରେ ସବୁକିଛି ନିର୍ଭର କରୁଛି । ତୁମେ ସମସ୍ତଙ୍କୁ କହିପାରିବ ଯେ ମନୁଷ୍ୟ କେବେ ବି ମନୁଷ୍ୟର ସଦଗତି କରିପାରିବ ନାହିଁ । ଭଗବାନଙ୍କୁ ସମସ୍ତଙ୍କର ସଦଗତି କରିବା ପାଇଁ ପୁରୁଷୋତ୍ତମ ସଂଗମଯୁଗରେ ଆସିବାକୁ ହୁଏ, ଯାହାକି ବର୍ତ୍ତମାନ ହିଁ କରୁଛନ୍ତି । ଏହି ୨/୩ଟି ପଏଣ୍ଟ ମୁଖ୍ୟ ଅଟେ । ଶିବଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତା ଏବଂ କୃଷ୍ଣଙ୍କର ଗୀତା ମଧ୍ୟରେ ଅନ୍ତର ତ ନିଶ୍ଚିତ ରହିଛି । ତିମୁର୍ତ୍ତି ଶିବ ପରମାତ୍ମାଙ୍କଠାରୁ ଏହି ସଂଗମଯୁଗରେ ଗୀତା ଶୁଣିବା ଦ୍ୱାରା ମନୁଷ୍ୟମାନଙ୍କର ସଦଗତି ହୋଇଥାଏ । ଏହିଭଳି ପଏଣ୍ଟ ଉପରେ ଯଦି କେହି ବିଚାର ସାଗର ମନ୍ଥନ କରିବ ଏବଂ ବୁଝାଇବ ତେବେ ଅନ୍ୟମାନଙ୍କ ଉପରେ ପ୍ରଭାବ ପଡିବ । ମନୁଷ୍ୟ, ମନୁଷ୍ୟର ସଦଗତି କେବେ ବି କରିପାରିବ ନାହିଁ । କେବଳ ତ୍ରିମୂର୍ତ୍ତି ପରମପିତା ପରମାତ୍ମା ଶିବ ହିଁ ଯିଏକି ଶିକ୍ଷକ ମଧ୍ୟ ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି ସିଏ ହିଁ ଏହି ପୁରୁଷୋତ୍ତମ ସଂଗମଯୁଗରେ ଆସି ସମସ୍ତଙ୍କର ସଦଗତି କରୁଛନ୍ତି । ନିମନ୍ତ୍ରଣ କାର୍ଡରେ ମଧ୍ୟ ଅଳ୍ପ କିଛି ଲେଖା ରହିବା ଦରକାର । ଉପରେ ଲେଖିଦେବା ଦରକାର ଯେ କଳିଯୁଗର କଉଡି ତୁଲ୍ୟ ପତିତ ମନୁଷ୍ୟରୁ ହୀରାତୁଲ୍ୟ ଦେବୀ ଦେବତା ହେବାର ଈଶ୍ୱରୀୟ ନିମନ୍ତ୍ରଣ । ଏହିଭଳି ଲେଖିଲେ ମନୁଷ୍ୟମାନେ ଖୁସି ହୋଇ ଆସିବେ ବୁଝିବା ପାଇଁ । ସଦଗତି ଦାତା ପରମପିତାଙ୍କର ଶିବଜୟନ୍ତୀ ପାଳନ ହେଉଛି । ଏହି କଥା ଏକଦମ୍ ସ୍ପଷ୍ଟ ଶବ୍ଦରେ ଲେଖା ରହିବା ଦରକାର । ମନୁଷ୍ୟମାନେ ଭକ୍ତିମାର୍ଗରେ କେତେ ଢେର ଶାସ୍ତ୍ର ପଢୁଛନ୍ତି । କେତେ ମୁଣ୍ଡ ପିଟୁଛନ୍ତି । ଏଠାରେ ତ ଗୋଟିଏ ସେକେଣ୍ଡରେ ବେହଦ ବାବାଙ୍କ ଦ୍ୱାରା ମୁକ୍ତି-ଜୀବନମୁକ୍ତି ମିଳୁଛି । ଯେତେବେଳେ ବାବାଙ୍କର ହୋଇ ତାଙ୍କଠାରୁ ଜ୍ଞାନ ନେଇ ଜ୍ଞାନକୁ ଜୀବନରେ ଧାରଣ କରିବ ତେବେ ତୁମକୁ ଜୀବନମୁକ୍ତି ଅବଶ୍ୟ ମିଳିବ । ପ୍ରଥମେ ମୁକ୍ତିକୁ ଯିବ ପୁଣି ଯେପରି ପୁରୁଷାର୍ଥ କରିଥିବ ସେହି ଅନୁସାରେ ଜୀବନମୁକ୍ତିକୁ ନିଶ୍ଚିତ ଆସିବ । ତୁମକୁ ଜୀବନମୁକ୍ତି ନିଶ୍ଚିତ ମିଳିବ ପୁଣି ତୁମେ ସେଠାରେ ଆରମ୍ଭରେ ଆସ କିମ୍ବା ଡେରିରେ ତାହା ତୁମର ପୁରୁଷାର୍ଥ ଉପରେ ନିର୍ଭର କରୁଛି । ପ୍ରଥମେ ଜୀବନମୁକ୍ତିରେ ଆସୁଛ ପରେ ପୁଣି ଜୀବନ ବନ୍ଧନରେ ଆସୁଛ । ଏହିଭଳି ମୁଖ୍ୟ ମୁଖ୍ୟ ପଏଣ୍ଟ ଯଦି ଧାରଣ କରିବ ତେବେ ମଧ୍ୟ ବହୁତ ସେବା କରିପାରିବ । ଯଦି ତୁମେ ବାବାଙ୍କୁ ଜାଣିଛ ତେବେ ଅନ୍ୟମାନଙ୍କୁ ମଧ୍ୟ ପରିଚୟ ଦିଅ । ଯଦି ଅନ୍ୟକୁ ପରିଚୟ ଦେଉନାହଁ ଅର୍ଥାତ୍ ତୁମ ଭିତରେ କିଛିବି ଜ୍ଞାନ ନାହିଁ । ବାବା ତ ଜ୍ଞାନ ଦେଇଛନ୍ତି କିନ୍ତୁ ତୁମର ଭାଗ୍ୟରେ ନାହିଁ । ଯେହେତୁ ତୁମେ କଲ୍ୟାଣକାରୀ ବାବାଙ୍କର ସନ୍ତାନ ହୋଇଛ ତେଣୁ ତୁମେ ସମସ୍ତଙ୍କର କଲ୍ୟାଣ କରିବା ଉଚିତ୍ । ନଚେତ୍ ବାବା ବୁଝିଯିବେ ଇଏ କେବଳ କଥାକୁ ମାତ୍ର କହୁଛି ଯେ ଆମେ ଶିବବାବାଙ୍କର ସନ୍ତାନ । କାହାର କଲ୍ୟାଣ ତ କରୁନାହାଁନ୍ତି । ଗରୀବ ହୁଅନ୍ତୁ ଅଥବା ସାହୁକାର ତୁମକୁ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । କିନ୍ତୁ ଏହି ଜ୍ଞାନକୁ ପ୍ରଥମେ ଗରୀବମାନେ ହିଁ ବୁଝିବେ କାରଣ ସେମାନଙ୍କ ନିକଟରେ ବହୁତ ସମୟ ଥାଏ । ଏହା ହିଁ ଡ୍ରାମାରେ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି । ଯଦି ଜଣେ ବି ସାହୁକାର ଏବେ ଆସିବେ ତେବେ ତାଙ୍କ ପଛରେ ଅନେକ ଆସିଯିବେ । ଏବେ ଯଦି ତୁମମାନଙ୍କର ମହିମାର ପ୍ରଚାର ହୋଇଯିବ ତେବେ ବହୁତ ଆସିବେ ।

ତୁମର ଏହା ହେଉଛି ଈଶ୍ୱରୀୟ ସମ୍ପ୍ରଦାୟ । ତୁମେମାନେ ଏବେ ନିଜର ତଥା ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରୁଛ । ଯିଏ ନିଜର ହିଁ କଲ୍ୟାଣ କରୁନାହିଁ ତେବେ ସିଏ ଅନ୍ୟର ମଧ୍ୟ କଲ୍ୟାଣ କରିପାରିବ ନାହିଁ । ବାବା ହେଉଛନ୍ତି କଲ୍ୟାଣକାରୀ, ସମସ୍ତଙ୍କର ସଦଗତିଦାତା । ତୁମେ ହେଉଛ ତାଙ୍କର ସହଯୋଗୀ । ତୁମେ ଜାଣିଛ ତାହା ହେଉଛି ଭକ୍ତିମାର୍ଗର ଦଶା । କିନ୍ତୁ ସଦଗତି ମାର୍ଗର କେବଳ ଗୋଟିଏ ଦଶା ଯିଏ ଭଲ ଭାବରେ ପଢିବ ଏବଂ ଅନ୍ୟମାନଙ୍କୁ ପଢାଇବ ତାଙ୍କଠାରେ ହିଁ ବୃହସ୍ପତିର ଦଶା ରହିବ ଏବଂ ସେମାନଙ୍କୁ ମହାରଥୀ କୁହାଯିବ । ତେବେ ନିଜକୁ ପଚାର ମୁଁ ମହାରଥୀ ଅଟେ ? ଅମୁକ ଅମୁକଙ୍କ ଭଳି ସେବା କରୁଛି ? ଯିଏ ପଦାତିକ ସିଏ କାହାକୁ ଜ୍ଞାନ ଶୁଣାଇପାରିବ ନାହିଁ । ଯଦି କାହାର କଲ୍ୟାଣ କରୁ ନାହଁ ତେବେ ନିଜକୁ କଲ୍ୟାଣକାରୀ ବାବାଙ୍କର ସନ୍ତାନ ବୋଲି କାହିଁକି କହୁଛ । ବାବା ତ ସମସ୍ତଙ୍କୁ ପୁରୁଷାର୍ଥ କରାଇବେ । ଏହି ଯଜ୍ଞ ସେବାରେ ନିଜର ହାଡକୁ ମଧ୍ୟ ସ୍ୱାହା କରିବା ଦରକାର । କିନ୍ତୁ କେବଳ ଖାଇବା ପିଇବା ଏବଂ ଶୋଇବା ତାକୁ କଣ ସେବା କୁହାଯିବ କି! ସେମାନେ ତ ସେଠାରେ ଯାଇ ପ୍ରଜାମାନଙ୍କର ଦାସ ଦାସୀ ହେବେ । କିନ୍ତୁ ବାବା ତ କହୁଛନ୍ତି ପୁରୁଷାର୍ଥ କରି ନରରୁ ନାରାୟଣ ହୁଅ । ସୁପୁତ୍ର ସନ୍ତାନମାନଙ୍କୁ ଦେଖି ବାବା ମଧ୍ୟ ଖୁସି ହେବେ । ଲୌକିକରେ ମଧ୍ୟ ଦେଖିଥାନ୍ତି ଯେ ଇଏ ତ ବହୁତ ଭଲ ପଦ ପାଇବାକୁ ଯାଉଛି ତେଣୁ ତାକୁ ଦେଖି ଖୁସି ହୋଇଥାନ୍ତି । ତେବେ ପାରଲୌକିକ ବାବା ମଧ୍ୟ ଏହି କଥା କହୁଛନ୍ତି । ବେହଦର ବାବା ମଧ୍ୟ କହୁଛନ୍ତି ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରିବା ପାଇଁ ଆସିଛି । ଏବେ ତୁମେମାନେ ମଧ୍ୟ ଅନ୍ୟମାନଙ୍କୁ ବିଶ୍ୱର ମାଲିକ କରାଅ । ବାକି କେବଳ ପେଟ ପୂଜା କରିଲେ କଣ ଲାଭ ହେବ । ସମସ୍ତଙ୍କୁ କେବଳ ଏହି କଥା କୁହ ଯେ ଶିବବବାଙ୍କୁ ମନେ ପକାଅ । ଭୋଜନ କରିବା ସମୟରେ ମଧ୍ୟ ପରସ୍ପରକୁ ବାବାଙ୍କର ସ୍ମୃତି ଦିଅ ତେବେ ସମସ୍ତେ କହିବେ ଯେ ଏମାନଙ୍କର ଶିବବାବାଙ୍କ ସହିତ ବହୁତ ପ୍ରୀତି ରହିଛି । ଏକଥା ତ ବହୁତ ସହଜ ଅଟେ ନା । ଏଥିରେ କଣ କଷ୍ଟ । ଯେତେବେଳେ ଅଭ୍ୟାସ ହୋଇଯିବ ସେତେବେଳେ ଭୋଜନ ମଧ୍ୟ କରୁଥିବ ଏବଂ ଶିବବାବାଙ୍କୁ ମଧ୍ୟ ମନେ ପକାଉଥିବ । ତେବେ ଦୈବୀଗୁଣ ମଧ୍ୟ ନିଶ୍ଚିତ ଭାବରେ ଧାରଣ କରିବାକୁ ହେବ । ଏବେ ତ ସମସ୍ତେ ଡାକୁଛନ୍ତି ହେ ପତିତ-ପାବନ ଆସ ତେବେ ନିଶ୍ଚିନ୍ତ ଭାବରେ ସମସ୍ତେ ପତିତ ଅଟନ୍ତି । ଶଙ୍କରାଚାର୍ଯ୍ୟ ମଧ୍ୟ ଶିବଙ୍କୁ ମନେ ପକାଇଥାନ୍ତି କାରଣ ସିଏ ହିଁ ପତିତ-ପାବନ ଅଟନ୍ତି ।

ଅଧାକଳ୍ପ ହେବ ଭକ୍ତି କରିଆସିଛନ୍ତି ତାପରେ ଯାଇ ଭଗବାନ ଆସୁଛନ୍ତି, କିନ୍ତୁ କାହାକୁ ଏହାର ହିସାବ ଜଣା ନାହିଁ । ବାବା ବୁଝାଉଛନ୍ତି ଯଜ୍ଞ, ତପସ୍ୟା ଏବଂ ଦାନ କରିବା ଦ୍ୱାରା ମୁଁ ପ୍ରାପ୍ତ ହୁଏ ନାହିଁ । ଏହି କଥାରେ ଗୀତା ମଧ୍ୟ ଆସିଯାଉଛି । ଏହି ଶାସ୍ତ୍ର ଇତ୍ୟାଦି ପଢିଲେ କାହାକୁ ବି ସଦଗତି ପ୍ରାପ୍ତ ହୁଏ ନାହିଁ । ଗୀତା, ବେଦ, ଉପନିଷେଦ ଇତ୍ୟାଦି ସବୁ ହେଲା ଭକ୍ତିମାର୍ଗର ସାମଗ୍ରୀ । ବାବା ତ ସମସ୍ତଙ୍କୁ ସହଜ ରାଜଯୋଗ ଏବଂ ଜ୍ଞାନର ଶିକ୍ଷା ଦେଉଛନ୍ତି, ଯାହାଦ୍ୱାରା ରାଜତ୍ୱ ପ୍ରାପ୍ତ ହେଉଛି । ଏହାର ନାମ ହିଁ ହେଉଛି ରାଜଯୋଗ । ଏଥିରେ କୌଣସ ପୁସ୍ତକ ଇତ୍ୟାଦିର କଥା ହିଁ ନାହିଁ । ଶିକ୍ଷକ ଶିକ୍ଷା ଦେଇଥାନ୍ତି ପଦବୀ ପ୍ରାପ୍ତ କରାଇବା ପାଇଁ ତେଣୁ ପିତାଙ୍କୁ ଅନୁକରଣ କରିବା ଉଚିତ୍ ।

ତୁମେ ସମସ୍ତଙ୍କୁ କୁହ ଶିବବାବାଙ୍କୁ ମନେ ପକାଅ । ସିଏ ହେଉଛନ୍ତି ଆମ ସମସ୍ତ ଆତ୍ମାମାନଙ୍କ ପିତା । ଶିବବାବାଙ୍କୁ ମନେପକାଇଲେ ହିଁ ବିକର୍ମ ବିନାଶ ହେବ । ଏଭଳି ପରସ୍ପରକୁ ସାବଧାନ କରାଇ ଉନ୍ନତି କରିବାକୁ ହେବ । ଯେତେ ବାବାଙ୍କୁ ମନେ ପକାଇବେ ସେତେ ନିଜର ହିଁ କଲ୍ୟାଣ ହେବ । ତେବେ ତୁମେ ଏହି ଯୋଗର ଯାତ୍ରା ଦ୍ୱାରା ସମଗ୍ର ବିଶ୍ୱକୁ ପବିତ୍ର କରୁଛ । ଯୋଗଯୁକ୍ତ ହୋଇ ଭୋଜନ ପ୍ରସ୍ତୁତ କଲେ ସେଥିରେ ମଧ୍ୟ ଶକ୍ତି ଭରିଯିବ ସେଥିପାଇଁ ତୁମର ଏହି ବ୍ରହ୍ମାଭୋଜନର ମଧ୍ୟ ବହୁତ ମହିମା ରହିଛି । କିନ୍ତୁ ଭକ୍ତମାନେ ଭୋଗ ଲଗାଇବା ସମୟରେ ରାମ-ରାମ କହିଥାନ୍ତି । ରାମ ନାମର ଦାନ ମଧ୍ୟ କରିଥାନ୍ତି । କିନ୍ତୁ ତୁମମାନଙ୍କର ବୁଦ୍ଧିରେ ପ୍ରତି ମୂହୁର୍ତ୍ତରେ ବାବାଙ୍କର ହିଁ ସ୍ମୃତି ରହିବା ଆବଶ୍ୟକ । ସାରା ଦିନ ତୁମର ବୁଦ୍ଧିରେ କେବଳ ଜ୍ଞାନର କଥା ହିଁ ରହିଥିବା ଦରକାର । ବାବାଙ୍କଠାରେ ସାରା ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି ନା । ସବୁଠାରୁ ଉଚ୍ଚ ହେଲେ ଭଗବାନ ଯାହାଙ୍କୁ ତୁମେ ମନେ ପକାଉଛ ତେଣୁ ତୁମେ ଉଚ୍ଚପଦ ପାଉଛୁ । ତେବେ ପୁଣି ଅନ୍ୟ କାହାକୁ କାହିଁକି ମନେ ପକାଇବା । ବାବା କହୁଛନ୍ତି କେବଳ ମୋତେ ମନେ ପକାଅ ତେବେ ଅନ୍ୟ ସମସ୍ତଙ୍କୁ ଛାଡିବାକୁ ପଡିବ । ଏହାକୁ ହିଁ ଅବ୍ୟଭିଚାରୀ ଯୋଗ କୁହାଯିବ । ଯଦି ବାବାଙ୍କର ସ୍ମୃତି ନ ରହୁଛି ତେବେ ପଣତରେ ଗଣ୍ଠି ବାନ୍ଧଦିଅ । ତେବେ ନିଜର ଉନ୍ନତି ପାଇଁ, ଉଚ୍ଚ ପଦ ପ୍ରାପ୍ତି ପାଇଁ ପୁରୁଷାର୍ଥ ତ ନିଶ୍ଚିତ ଭାବରେ କରିବାକୁ ପଡିବ ନା । ଶିବବାବା ହିଁ ଆମକୁ ଶିକ୍ଷକ କରିଛନ୍ତି ନା । ତୁମେ ସମସ୍ତେ ପଣ୍ଡା ମଧ୍ୟ ଅଟ । ପଣ୍ଡାମାନଙ୍କର କାମ ହେଲା ରାସ୍ତା ଦେଖାଇବା । ଏତେ ସବୁ ଜ୍ଞାନ ପୂର୍ବରୁ କଣ ତୁମ ଭିତରେ ଥିଲା କି! ସମସ୍ତେ କହୁଛନ୍ତି ପୂର୍ବରୁ ତ ପାଇ ପଇସାକର ପାଠପଢା ଥିଲା । ତାହା ତ ନିଶ୍ଚିତ ହେବ । ଡ୍ରାମା ଅନୁସାରେ କଳ୍ପ ପୂର୍ବ ଭଳି ଏବେ ମଧ୍ୟ ପଢୁଛନ୍ତି । ଏହି କଳ୍ପ ପରେ ମଧ୍ୟ ପୁଣି ବି ଏହିଭଳି ପାଠ ପଢିବ । ଶେଷ ସମୟରେ ତୁମକୁ ସବୁ ସାକ୍ଷାତ୍କାର ହେବ । ସାକ୍ଷାତ୍କାର ହେବାପାଇଁ କୌଣସି ବିଳମ୍ବ ହେବ ନାହିଁ । ବ୍ରହ୍ମାବାବାଙ୍କୁ ବହୁତ ଜଲଦି ଜଲଦି ସାକ୍ଷାତ୍କାର ହୋଇଗଲା । ଅମୁକ-ଅମୁକ ରାଜା ହେବେ, ଏହିଭଳି ଡ୍ରେସ୍ ହେବ । ଆରମ୍ଭ ସମୟରେ ତୁମ ସମସ୍ତଙ୍କୁ ବହୁତ ସାକ୍ଷାତ୍କାର ହେଉଥିଲା, ପୁଣି ଶେଷ ସମୟରେ ମଧ୍ୟ ହେବ, ପୁଣି ସବୁକିଛି ମନେ ପଡିଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :

(୧) ଭୋଜନ କରିବା ସମୟରେ ପରସ୍ପରକୁ ବାବାଙ୍କର ସ୍ମୃତି ଦେବା ସହିତ ଯୋଗଯୁକ୍ତ ହୋଇ ଭୋଜନ ସ୍ୱୀକାର କରିବା ଉଚିତ୍ । ଏକମାତ୍ର ଶିବବାବାଙ୍କ ସହିତ ହିଁ ପ୍ରକୃତ ସ୍ନେହ ରଖିବା ଉଚିତ୍ ।

(୨) ଯଜ୍ଞ ସେବାରେ କଠିନ ପରିଶ୍ରମ କରିବାକୁ ହେବ । ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହୋଇ ରହିବାକୁ ହେବ ।

ବରଦାନ:-
ନିଶ୍ଚୟବୁଦ୍ଧି ହୋଇ ଦୁର୍ବଳ ସଂକଳ୍ପର ଜାଲକୁ ସମାପ୍ତ କରି ସଫଳତା ସମ୍ପନ୍ନ ହୁଅ ।

ଏବେ ପର୍ଯ୍ୟନ୍ତ ଅଧିକାଂଶ ସନ୍ତାନମାନେ ଦୁର୍ବଳ ବା ବ୍ୟର୍ଥ ସଂକଳ୍ପକୁ ନିଜେ ହିଁ ରଚନା କରୁଛନ୍ତି ଭାବୁଛନ୍ତି କିଏ ଜାଣେ ହୋଇପାରିବ କି ନାହିଁ, କଣ ହେବ.... ଏହିଭଳି ଦୁର୍ବଳ ସଂକଳ୍ପର ପାଚେରୀ ଠିଆ କରି ଦେଉଛନ୍ତି ସେଥିପାଇଁ ସଫଳତା ସେହି ପାଚେରୀ ଆଢୁଆଳ ଲୁଚିଯାଉଛି । ମାୟା ଏହିଭଳି ଦୁର୍ବଳ ସଂକଳ୍ପର ଜାଲ ବିଛାଇ ଦେଉଛି ଏବଂ ତୁମେମାନେ ସେହି ଜାଲରେ ଛନ୍ଦି ହୋଇଯାଉଛ । ସେଥିପାଇଁ ମୁଁ ନିଶ୍ଚୟବୁଦ୍ଧି ବିଜୟୀ ଆତ୍ମା ଅଟେ, ସଫଳତା ହେଉଛି ମୋର ଜନ୍ମସିଦ୍ଧ ଅଧିକାର--ଏହି ସ୍ମୃତି ଦ୍ୱାରା ଦୁର୍ବଳ ସଂକଳ୍ପକୁ ସମାପ୍ତ କରିଦିଅ ।

ସ୍ଲୋଗାନ:-
ତୃତୀୟ ନେତ୍ର ବା ଜ୍ୱାଳାମୁଖୀ ନେତ୍ର ଯଦି ଖୋଲା ରହିବ ତେବେ ମାୟା ଶକ୍ତିହୀନ ହୋଇଯିବ ।


ସମସ୍ତ ଗୋପ ଗୋପୀମାନଙ୍କ ପାଇଁ ମାତେଶ୍ୱରୀଜୀଙ୍କର ହସ୍ତଲିଖିତ ସ୍ନେହର ସୃତି ପତ୍ର (୧୯୬୧)

ସମସ୍ତ ଗୋପଗୋପୀ ମାନଙ୍କ ପ୍ରତି ବହୁତ ବହୁତ ୟାଦପ୍ୟାର

ପରବର୍ତ୍ତୀ ସମାଚାର ଏହିକି ଯେ ତୁମେ ସମସ୍ତେ ନିଜର ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସଦୃଶ ନିଜ ଜୀବନରେ ସଫଳତାକୁ ପ୍ରାପ୍ତ କରିବାରେ ଲାଗିଛ ନା! ସ୍ନେହୀ ଗୋପ (ଭାଇ)ମାନେ ତ ସେବାକୁ ଭଲ ଭାବରେ ଆଗକୁ ବଢାଇବାର ପୁରୁଷାର୍ଥରେ ଲାଗିପଡିଛନ୍ତି ନା । ଏହା ତ ବହୁତ ଭଲ କଥା । ଶେଷରେ ନିଜର ପରମପୂଜ୍ୟ ବାବାଙ୍କର ପରିଚୟ ତ ସମସ୍ତଙ୍କୁ ନିଶ୍ଚିତ ମିଳିବ । ଏକଥା ତ ଜାଣିଛ ଯେ, ଏହି ଶ୍ରେଷ୍ଠ ପ୍ରାପ୍ତିକୁ କୋଟିକରୁ କେହି ଜଣ ଜଣଙ୍କୁ ହିଁ ପ୍ରାପ୍ତ ହେବ । କିନ୍ତୁ ଏହିଭଳି ଫୁଲ ସଦୃଶ ଆତ୍ମାମାନେ ତ ନିଶ୍ଚିତ ବାହାରିବେ ନା । ଆଚ୍ଛା, ତେବେ ବହୁତ ତୀବ୍ରଗତିରେ ସେବାକୁ ବଢାଇବାରେ ଲାଗିଯାଅ । ଏହି ଅବିନାଶୀ ଜ୍ଞାନ ଧନ ତ ବହୁତ ଅମୂଲ୍ୟ ଏବଂ ଅସରନ୍ତି ଅଟେ, ଯାହାକି ବାବାଙ୍କ ଦ୍ୱାରା ସମସ୍ତଙ୍କୁ ପ୍ରାପ୍ତ ହେଉଛି । କେହି ଯଦି ଏହି ସମ୍ପତ୍ତିକୁ ପ୍ରାପ୍ତ କରିନିଏ, ତେବେ ଜନ୍ମଜନ୍ମାନ୍ତର ପାଇଁ ମାଲାମାଲ ହୋଇଯିବ, ଏହା ଏହିଭଳି ଅଦ୍ଭୂତ ଜିନିଷ ।

ତୁମେ ସବୁ ଗୋପ-ଗୋପୀ (ଭାଇ-ଭଉଣୀ)ମାନେ ଅତିନ୍ଦ୍ରିୟ ସୁଖମୟ ଜୀବନର ଅନୁଭବ ଦ୍ୱାରା ନିଜର ଜୀବନ ଅତିବାହିତ କରିଚାଲ । ଦେଖ, ମୋର ଅତି ସ୍ନେହର ଗୋପ ଗୋପୀମାନେ ଏବେ ଏହି ବ୍ରାହ୍ଣଣ କୁଳର ବୃଦ୍ଧି ହେବାରେ ହିଁ ସମସ୍ତଙ୍କର କଲ୍ୟାଣ ରହିଛି । ତାହା ପରେ ପୁଣି ବ୍ରାହ୍ମଣରୁ ଦେବତା ତ ନିଶ୍ଚିତ ହେବେ । ଯେପରି କେହି କେହି ନିଜର ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ବ୍ରାହ୍ମଣବଂଶୀ ହୋଇ ଚାଲୁଛନ୍ତି ଅର୍ଥାତ୍ ଗୃହସ୍ଥରେ ରହି ମଧ୍ୟ ପବିତ୍ର ରହୁଛନ୍ତି ଏବଂ ସ୍ୱାମୀ-ସ୍ତ୍ରୀ ହୋଇ ମଧ୍ୟ ନିଜକୁ ଗୋଟିଏ ବାପାର ସନ୍ତାନ ମନେ କରି ପବିତ୍ର ଧାରଣାରେ ରହୁଛନ୍ତି । ବାକି ସମସ୍ତଙ୍କୁ ସେହି ପରମପିତାଙ୍କର ଆଜ୍ଞା ଅନୁସାରେ ତ ଚାଲିବାକୁ ହିଁ ହେବ, ଏହାକୁ ହିଁ ଶ୍ରୀମତ ଅନୁସାରେ ଚାଲିବା କୁହାଯାଏ ଏବଂ ଏହିଭଳି ଧାରଣାଯୁକ୍ତ ଆତ୍ମାମାନଙ୍କୁ ହିଁ ବ୍ରାହ୍ମଣ କୁଳବଂଶୀ କୁହାଯିବ । ଯେବେକି ସିଏ ହିଁ ପିତା, ଶିକ୍ଷକ, ସଦ୍ଗୁରୁ ହୋଇଛନ୍ତି ଏବଂ ଧମରାଜ ମଧ୍ୟ ଅଟନ୍ତି ତେବେ କାହିଁକି ଆମେ ତାଙ୍କର ଧର୍ମର ପୁତ୍ର ହୋଇ ନିଜର ପବିତ୍ରତାର ପୂର୍ଣ୍ଣ ଅଧିକାର ନ ନେବା । ଯାହା ଦ୍ୱାରା ହିଁ ଭବିଷ୍ୟତରେ ସୁଖ-ଶାନ୍ତିର ସମ୍ପୂର୍ଣ୍ଣ ଅଧିକାର ପ୍ରାରବ୍ଧ ରୂପରେ ମିଳିଯାଇଥାଏ ।

ତେବେ କୁହ, ମୋର ସ୍ନେହୀ ଗୋପ-ଗୋପୀମାନେ ଏହିଭଳି ସହଜ ରହସ୍ୟକୁ ତ ତୁମେମାନେ ବୁଝିଯାଇଛ ନା । ବଞ୍ଚି ଥାଉ ଥାଉ ମରିବା ଅର୍ଥାତ୍ ମରଜୀବା ହେବାପାଇଁ ଡରୁନାହିଁ ତ । ଆଜିର ଏହି ପତ୍ର (ଚିଠି)କୁ ପ୍ରତ୍ୟେକ ନିଜ ନିଜର ନାମ ସହିତ ସ୍ୱୀକାର କରିବ ଏବଂ ନିଜ ପାଇଁ ପତ୍ର ଭାବି ପଢିବ ବା ଶୁଣିବ ଏବଂ ଏହି ମାର ସ୍ନେହ ମଧ୍ୟ ପ୍ରତ୍ୟେକ ନିଜର ନାମ ସହିତ ସ୍ୱୀକାର କରିବ । ପ୍ରତ୍ୟେକ ଗୋପ-ଗୋପୀମାନଙ୍କ ପ୍ରତି ନାମ ସହିତ ଏହି ମାର ବହୁତ ବହୁତ ସ୍ନେହ । ଆଚ୍ଛା, ନିଜର ସୌଭାଗ୍ୟକୁ ଉଚ୍ଚ କରିବାର ପୁରୁଷାର୍ଥରେ ତୀବ୍ର ବେଗରେ ଲାଗିପଡିବା ହିଁ କଲ୍ୟାଣକାରୀ ହେବା । ଯେବେକି ଏବେ ଜଣାପଡିଗଲା ଯେ ସ୍ୱୟଂ ପରମପିତା ପରମାତ୍ମା ଏତେ ଉଚ୍ଚ ସମ୍ପତ୍ତିର ଅଧିକାରୀ କରିବା ପାଇଁ ଆସିଛନ୍ତି ତେଣୁ ସମ୍ପତ୍ତି ନିଶ୍ଚିତ ନେବାକୁ ହେବ । ଆଚ୍ଛା! ଛୁଟି ନେଉଛି । ଓମ୍ ଶାନ୍ତି ।


ବ୍ରହ୍ମାବାବା ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-
ଯେପରି ବ୍ରହ୍ମାବାବା ଅନେକ ମୋର ମୋରକୁ ଏକମାତ୍ର ମୋର ବାବା ଶବ୍ଦରେ ସମାହିତ କରିଦେଲେ । ମୋର ତ ଏକମାତ୍ର ବାବା ଆଉ କେହି ନାହିଁ... ଏହିଭଳି ବାବାଙ୍କୁ ଅନୁକରଣ କର । ଏହା ଦ୍ୱାରା ଏକାଗ୍ରତାର ଶକ୍ତି ବଢିବ । ପୁଣି ଯେଉଁଠାରେ ଚାହିଁବ, ଯେପରି ଚାହିଁବ, ଯେତେ ସମୟ ଚାହିଁବ, ସେତିକି ସମୟ ଏବଂ ସେହିଭଳି ମନ ଏକାଗ୍ର ହୋଇଯିବ । ଏହି ଏକାଗ୍ରତାର ଶକ୍ତି ଦ୍ୱାରା ହିଁ ସ୍ୱତଃ ଏକରସ ଫରିସ୍ତା ସ୍ୱରୂପର ଅନୁଭବ ହେବ ।