12.06.22    Avyakt Bapdada     Odia Murli    03.04.91     Om Shanti     Madhuban


ସବୁ ପ୍ରକାରର ହଦ୍ରୁ ବାହାରି ଆସି ବେହଦ୍ର ବୈରାଗୀ ହୁଅ


ଆଜି ଗୋଟିଏ କଳ୍ପ ପରେ ପୁନର୍ବାର ମିଳନ କରିବା ପାଇଁ ସବୁ ପିଲା ସାକାରୀ ସ୍ୱୀଟ୍ ହୋମ୍ ମଧୁବନରେ ପହଞ୍ଚି ଯାଇଛନ୍ତି । ଏହି ସାକାର ଦୁନିଆର ସ୍ୱୀଟ୍ ହୋମ୍ ମଧୁବନ ହିଁ ଅଟେ । ଯେଉଁଠାରେ ବାବା ଏବଂ ତାଙ୍କର ପିଲାମାନଙ୍କର ଆତ୍ମିକ ମିଳନର ମେଳା ଲାଗୁଛି । ତେଣୁ ସମସ୍ତେ ଏହି ମିଳନ ମେଳାକୁ ହିଁ ଆସିଛ । ବାବା ଏବଂ ପିଲାମାନଙ୍କର ମିଳନ ମେଳା କେବଳ ଏହି ସଙ୍ଗମଯୁଗରେ ଏବଂ ମଧୁବନରେ ହିଁ ହୋଇଥାଏ, ସେଥିପାଇଁ ସମସ୍ତେ ଦୌଡ଼ି ଦୌଡ଼ି ଆସି ମଧୁବନରେ ପହଞ୍ଚି ଯାଇଛ । ମଧୁବନ ବାପଦାଦାଙ୍କ ସହିତ ସାକାର ରୂପରେ ମଧ୍ୟ ମିଳନ କରାଉଛି ଏବଂ ତା ସହିତ ସହଜ ଯୋଗ ଆଧାରରେ ଅବ୍ୟକ୍ତ ମିଳନ ମଧ୍ୟ କରାଉଛି । କାହିଁକିନା ମଧୁବନର ଧରଣୀକୁ ଆତ୍ମିକ ମିଳନର ଏବଂ ସାକାର ମିଳନର ଅନୁଭୂତି କରାଇବାର ବରଦାନ ମିଳିଛି । ବରଦାନୀ ଧରଣୀ ହୋଇଥିବା କାରଣରୁ ମିଳନର ଅନୁଭବ ମଧ୍ୟ ସହଜରେ କରିପାରୁଛ । ଅନ୍ୟ କୌଣସି ସ୍ଥାନରେ ଜ୍ଞାନ ସାଗର ଏବଂ ଜ୍ଞାନ ନଦୀମାନଙ୍କର ମିଳନ ମେଳା ହୋଇନଥାଏ । ସାଗର ସହିତ ନଦୀମାନଙ୍କର ମିଳନର ସ୍ଥାନ ଏହି ଗୋଟିଏ ହିଁ ଅଟେ । ଏହିଭଳି ମହାନ ବରଦାନୀ ଧରଣୀକୁ ଆସିଛ ବୋଲି ଭାବୁଛ?

ତପସ୍ୟା ବର୍ଷରେ ବିଶେଷ ଭାବରେ ଏହି କଳ୍ପରେ ପ୍ରଥମଥର ମିଶୁଥିବା ପିଲାମାନଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଛି । ତେଣୁ କେତେ ଭାଗ୍ୟବାନ ଅଟ! ତପସ୍ୟାର ଆରମ୍ଭରୁ ହିଁ ନୂଆ ନୂଆ ପିଲାମାନଙ୍କୁ ଅତିରିକ୍ତ ବଳ ମିଳିଗଲା । ତେଣୁ ଆରମ୍ଭ ଜୀବନର ଏହି ଅତିରିକ୍ତ ବଳ ଭବିଷ୍ୟତରେ ଆଗକୁ ବଢ଼ିବାରେ ସହଯୋଗୀ ହେବ, ସେଥିପାଇଁ ନୂଆ ପିଲାମାନଙ୍କୁ ଡ୍ରାମା ମଧ୍ୟ ଆଗକୁ ବଢ଼ିବାର ସହଯୋଗ ଦେଇଛି ଭବିଷ୍ୟତରେ ସେମାନେ ମଧ୍ୟ ଏଭଳି ଅଭିଯୋଗ କରିପାରିବେ ନାହିଁ ଯେ ଆମେ ତ ପଛରେ ଆସିଛୁ । ନା । ତେବେ ଏହି ତପସ୍ୟା ବର୍ଷକୁ ମଧ୍ୟ ବରଦାନ ମିଳିଛି । କାରଣ ତପସ୍ୟା ବର୍ଷରେ ବରଦାନୀ ଭୂମିକୁ ଆସିବାର ଅଧିକାର ମିଳିବା ବା ସୁଯୋଗ ମିଳିବା ଏହି ଭାଗ୍ୟ ମଧ୍ୟ କିଛି କମ୍ ନୁହେଁ! ତପସ୍ୟା ବର୍ଷର, ମଧୁବନ ଧରଣୀର ଏବଂ ନିଜର ସ୍ୱ ପୁରୁଷାର୍ଥର - ଏହି ତିନୋଟିଯାକ ବରଦାନ ବିଶେଷ କରି ତୁମେ ନୂଆ ନୂଆ ପିଲାମାନଙ୍କୁ ମିଳିଛି । ତେଣୁ କେତେ ଭାଗ୍ୟବାନ ହେଲ! ତେଣୁ ଏହି ଅବିନାଶୀ ଭାଗ୍ୟର ନିଶାକୁ ସର୍ବଦା ସାଥୀରେ ରଖିଥିବ । କେବଳ ଏହିଠାରେ ଥିବା ପର୍ଯ୍ୟନ୍ତ ନିଶା ରହିଥିବ, ତାହା ନୁହେଁ, ଯେହେତୁ ପିତା ମଧ୍ୟ ଅବିନାଶୀ, ତୁମେ ଶ୍ରେଷ୍ଠ ସନ୍ତାନମାନେ ମଧ୍ୟ ଅବିନାଶୀ ତେଣୁ ଭାଗ୍ୟ ମଧ୍ୟ ଅବିନାଶୀ ଅଟେ । ଏହି ଅବିନାଶୀ ଭାଗ୍ୟକୁ ଅବିନାଶୀ କରି ରଖ । ଏହା କେବଳ ଟିକିଏ ସହଜ ଧ୍ୟାନ ଦେବାର କଥା । ଚିନ୍ତାରେ ପଡ଼ିଗଲା ଭଳି ଧ୍ୟାନ ଦେବାର କଥା ନୁହେଁ । ଅତି ସହଜରେ ଧ୍ୟାନ ଦେଇପାରିବ, ଦେଖିବାକୁ ଗଲେ ଏଥିରେ ମୁଶ୍କିଲ୍ ବା କଣ ଅଛି? ବାବା ମୋର ବୋଲି ଜାଣିଗଲ ଏବଂ ସ୍ୱୀକାର ମଧ୍ୟ କରିନେଲ । ତେଣୁ ଯାହାକୁ ଜାଣିଗଲ, ମାନିଗଲ, ଅନୁଭବ କରିନେଲ, ଅଧିକାର ପ୍ରାପ୍ତ ହୋଇଗଲା, ତା ପରେ ଆଉ ମୁଶ୍କିଲ୍ କଣ ରହିଲା? କେବଳ ଏକମାତ୍ର ବାବା ମୋର - ଏହି ଅନୁଭବ ସଦାସର୍ବଦା ରହିବା ଦରକାର । ଏହା ହିଁ ହେଉଛି ସମ୍ପୂର୍ଣ୍ଣ ଜ୍ଞାନ ।

ଏକମାତ୍ର ବାବା ଶବ୍ଦରେ ହିଁ ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅନ୍ତର୍ନିହିତ କାରଣ ବାବା ବୀଜ ଅଟନ୍ତି ନା । ବୀଜ ମଧ୍ୟରେ ହିଁ ସାରା ବୃକ୍ଷ ସମାହିତ ହୋଇ ରହିଥାଏ ନା । ତେଣୁ ବିସ୍ତାରର କଥାଗୁଡିକ ଭୁଲି ହୋଇଯାଇପାରେ କିନ୍ତୁ ସାର ଏକମାତ୍ର ବାବା ଶବ୍ଦ ହିଁ ଅଟେ - ଏହି କଥା ମନେ ରହିବା କିଛି କଷ୍ଟକର କଥା ନୁହେଁ । ସବୁ ସମୟ ପାଇଁ ସହଜ ଅଟେ ନା! କେବେ ସହଜ, କେବେ ମୁଶ୍କିଲ୍ ନୁହେଁ । ବାବା ସବୁବେଳେ ମୋର ଅଟନ୍ତି, ନା କେବେ କେବେ ମୋର ଅଟନ୍ତି? ଯଦି ବାବା ସର୍ବଦା ମୋର ଅଟନ୍ତି ତେବେ ମନେ ପକାଇବା ମଧ୍ୟ ସର୍ବଦା ସହଜ ଅଟେ । କୌଣସି କଷ୍ଟକର କଥା ନୁହେଁ । ଯଦି ଭଗବାନ କହିଲେ ତୁମେମାନେ ମୋର ଏବଂ ତୁମେମାନେ ମଧ୍ୟ କହିଲ ଆପଣ ମୋର । ତେବେ ମୁଶକିଲ୍ କେଉଁଠି ରହିଲା? ସେଥିପାଇଁ ବିଶେଷ ନୂଆ ନୂଆ ସନ୍ତାନମାନେ ସର୍ବଦା ଆଗକୁ ଆଗକୁ ବଢିଚାଲ । ଏବେ ମଧ୍ୟ ଆଗକୁ ବଢିବାର ସୁଯୋଗ ଅଛି । ଏବେ ତ ଅନ୍ତିମ ସମୟର ବିଗୁ୍ଲ୍ ବାଜି ନାହିଁ, ସେଥିପାଇଁ ନିଜେ ମଧ୍ୟ ଉଡିଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡାଇଚାଲ । ଏହାର ବିଧି ହେଲା ୱେଷ୍ଟ ଅର୍ଥାତ୍ ବ୍ୟର୍ଥ ଖର୍ଚ୍ଚକୁ ସଞ୍ଚୟ କର । ସଞ୍ଚୟର ଖାତାକୁ ବା ଜମାଖାତାକୁ ବଢାଇଚାଲ, କାହିଁକି ନା ୬୩ ଜନ୍ମ ହେଲାଣି କିଛି ସଞ୍ଚୟ କରିନାହଁ ବରଂ ସବୁକିଛି ହରାଇଦେଇଛ । ସବୁ ପ୍ରକାରର ଜମା ଖାତାକୁ ବ୍ୟର୍ଥରେ ନଷ୍ଟ କରି କରି ସମାପ୍ତ କରିଦେଇଛ । ନିଃଶ୍ୱାସ ରୂପୀ ସମ୍ପତ୍ତି, ସଂକଳ୍ପ ରୂପୀ ସମ୍ପତ୍ତି, ସମୟ, ଗୁଣ, ଶକ୍ତି, ଜ୍ଞାନ ଇତ୍ୟାଦି ସର୍ବ ସମ୍ପତ୍ତି ହରାଇ ଦେଇଛ । କେତେ ଗୁଡିଏ ଜମା ଖାତାକୁ ଖାଲି କରିଦେଇଛ! ତେଣୁ ଏହି ସବୁ ଖାତା ଗୁଡିକୁ ଜମା କରିବାକୁ ହେବ । ଜମା ହେବାର ସମୟ ମଧ୍ୟ ଏବେ ଚାଲିଛି ଏବଂ ଜମା କରିବାର ସହଜ ବିଧି ମଧ୍ୟ ବାବାଙ୍କ ଦ୍ୱାରା ଏବେ ହିଁ ମିଳୁଛି । ବିନାଶୀ ସମ୍ପତ୍ତିକୁ ଖର୍ଚ୍ଚ କରିବା ଦ୍ୱାରା କମ୍ ହୋଇଯାଏ ଏବଂ ଶେଷ ମଧ୍ୟ ହୋଇଯାଏ କିନ୍ତୁ ଏହି ସବୁ ସମ୍ପତ୍ତିକୁ ଯେତେ ଯେତେ ନିଜ ପ୍ରତି ବା ଅନ୍ୟମାନଙ୍କ ପ୍ରତି ଶୁଭ ମନୋବୃତ୍ତି ରଖି କାର୍ଯ୍ୟରେ ଲଗାଇବ ସେତେ ବଢିଚାଲିବ, ଜମା ହୋଇଚାଲିବ । ତେଣୁ ଏଠାରେ ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇବା ହିଁ ଜମା କରିବାର ସହଜ ବିଧି । ସେଠାରେ ଯେପରି ଜମା କରିବାର ବିଧି ହେଲା ସାଇତି ରଖିବା, ଏଠାରେ ସେହିପରି କାର୍ଯ୍ୟରେ ଲଗାଇବା ହିଁ ଜମା କରିବା । ଏହିଭଳି ଫରକ ରହିଛି । ତେଣୁ ନିଜର ସମୟକୁ ନିଜ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି ହେଉ ଶୁଭକାର୍ଯ୍ୟରେ ଲଗାଅ ତେବେ ଜମା ହୋଇଚାଲିବ । ଜ୍ଞାନକୁ ମଧ୍ୟ କାର୍ଯ୍ୟରେ ଲଗାଅ । ସେହିଭଳି ସର୍ବଗୁଣକୁ, ଶକ୍ତିଗୁଡିକୁ ଯେତେ ଯେତେ କାର୍ଯ୍ୟରେ ଲଗାଇବ ତାହା ସେତେ ସେତେ ବଢି ଚାଲିବ । ଏଭଳି ଭାବିବ ନାହିଁ ଯେ ସେମାନେ ଯେପରି ଲକର୍ ଭିତରେ ରଖି ଦେଉଛନ୍ତି ଏବଂ ଭାବୁଛନ୍ତି ଆମ ପାଖରେ ବହୁତ ଜମା ଅଛି, ସେହିପରି ତୁମେ ମଧ୍ୟ ଭାବିବ ଯେ ମୋ ବୁଦ୍ଧିରେ ତ ବହୁତ ଜ୍ଞାନ ଅଛି, ମୋ ଭିତରେ ଗୁଣ ମଧ୍ୟ ବହୁତ ଅଛି, ଶକ୍ତି ମଧ୍ୟ ବହୁତ ଅଛି । ତେଣୁ ସେଗୁଡିକୁ ତାଲା ପକାଇ ରଖ ନାହିଁ, ବ୍ୟବହାର କର । ବୁଝିଲ, ଜମା କରିବାର ବିଧି କଣ? କାର୍ଯ୍ୟରେ ଲଗାଇବା । ଯଦି ନିଜ ପ୍ରତି ମଧ୍ୟ ବ୍ୟବହାର ନ କରିବ ତେବେ ପୁନର୍ବାର ହରାଇ ଦେବ । କେହି କେହି ପିଲା କହୁଛନ୍ତି ମୋ ପାଖରେ ସବୁ ପ୍ରକାରର ସମ୍ପତ୍ତି ବହୁତ ପରିମାଣରେ ଅଛି । କିନ୍ତୁ ବହୁତ ସମ୍ପତ୍ତି ଥିବାର ଲକ୍ଷଣ କଣ? ଯଦି ପାଖରେ ସମ୍ପତ୍ତି ଅଛି ଅର୍ଥାତ୍ ଜମା ଅଛି, ତେବେ ତାର ଚିହ୍ନ ହେଲା - ନିଜ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି ହେଉ ସମୟ ଅନୁସାରେ କାର୍ଯ୍ୟରେ ଲାଗୁଥିବ । ଯଦି ଆଦୌ କାମରେ ଲାଗୁନଥିବ କିନ୍ତୁ କହୁଥିବ ମୋ ପାଖରେ ବହୁତ ଜମା ଅଛି, ବହୁତ ଜମା ଅଛି, ତାର ମୂଲ୍ୟ କଣ! ତେବେ ଏହାକୁ ଯଥାର୍ଥ ଜମାର ବିଧି କୁହାଯିବ ନାହିଁ । ଯଦି ଯଥାର୍ଥ ବିଧି ଜଣାନଥିବ ତେବେ ସମୟ ଅନୁସାରେ ସମ୍ପୂର୍ଣ୍ଣତା ରୂପକ ସିଦ୍ଧି ମିଳିବ ନାହିଁ । ଧୋକା ମିଳିଯିବ ।

ତେଣୁ ସର୍ବଗୁଣକୁ, ସର୍ବଶକ୍ତିକୁ ଯଦି କାର୍ଯ୍ୟରେ ଲଗାଇବ ତେବେ ବଢିଚାଲିବ, ସେଥିପାଇଁ ସଞ୍ଚୟ କରିବାର ବିଧିକୁ ଏବଂ ଜମା କରିବାର ବିଧିକୁ ଆପଣାଅ, ତା ଦ୍ୱାରା ବ୍ୟର୍ଥର ଖାତା ସ୍ୱତଃ ଭାବରେ ପରିବର୍ତ୍ତନ ହୋଇ ସଫଳ ହୋଇଯିବ । ଯେପରି ଭକ୍ତିମାର୍ଗରେ ନିୟମ ଅଛି - ତୁମ ପାଖରେ ଯେତିକି ବି ସ୍ଥୂଳ ଧନ ଅଛି ତାକୁ ଯଦି ଦାନ କରିବ ବା ଭଲ କାମରେ ଲଗାଇ ସଫଳ କରିବ ତେବେ ତାହା ବଢିଚାଲିବ । ତେଣୁ ଭକ୍ତିମାର୍ଗରେ ମଧ୍ୟ ସଫଳ କରିବା ପାଇଁ କେତେ ଉମଙ୍ଗ-ଉତ୍ସାହ ବଢାଉଛନ୍ତି । ତୁମେମାନେ ମଧ୍ୟ ଏହି ତପସ୍ୟା ବର୍ଷରେ କେବଳ ଏତିକି ଚେକ୍ କର ନାହିଁ ଯେ ମୁଁ ବ୍ୟର୍ଥରେ କେତେ ହରାଇଲି, ତାହା ତ ନିଶ୍ଚିତ କରିବ କିନ୍ତୁ ଏକଥା ମଧ୍ୟ ଚେକ୍ କର ଯେ ସଫଳ କେତେ କରିଲି? ଯାହା ସବୁ ସମ୍ପତ୍ତି ତୁମ ପାଖରେ ଅଛି, ତାକୁ ଚେକ୍ କର । ଏହା ମୋର ଗୁଣ, ମୋର ଶକ୍ତି - ଏଭଳି ଭାବିବାର ଭୁଲ ସ୍ୱପ୍ନରେ ମଧ୍ୟ କରିବ ନାହିଁ କାରଣ ଏସବୁ ବାବାଙ୍କର ଦାନ । ତେଣୁ ପ୍ରଭୁଙ୍କର ଦାନକୁ ବା ପରମାତ୍ମ ଦାନକୁ ମୋର ବୋଲି ଭାବିବା ମହାପାପ ଅଟେ । କେବେକେବେ କେତେକ ପିଲା ସାଧାରଣ ଭାଷାରେ ଭାବନ୍ତି ବା କହିଦିଅନ୍ତି । ମୋର ଏହି ଗୁଣକୁ ବ୍ୟବହାର କରାଯାଉନାହିଁ, ମୋ ଭିତରେ ଏହି ଶକ୍ତି ଅଛି, ମୋର ବୁଦ୍ଧି ବହୁତ ଭଲ, ତାକୁ ବ୍ୟବହାର କରାଯାଉନାହିଁ । ତେବେ ଏହି ମୋର କେଉଁଠୁ ଆସିଲା? ଯଦି ମୋର ବୋଲି କହିଲ ତେବେ ମଇଳା ହେଲ । ଭକ୍ତି ମାର୍ଗରେ ମଧ୍ୟ ୬୩ ଜନ୍ମ ଧରି ଏହି ଶିକ୍ଷା ମିଳିଆସିଛି ଯେ ମୋର ବୋଲି ଭାବ ନାହିଁ, ତୋର ବୋଲି ଭାବ, ତଥାପି ମଧ୍ୟ ଭାବିଲ ନାହିଁ । ତେଣୁ ଜ୍ଞାନ ମାର୍ଗରେ ମଧ୍ୟ କହିବ ତୋର କିନ୍ତୁ ଭାବିବ ମୋର - ଏଭଳି ଠକେଇ ଚଳିବ ନାହିଁ, ସେଥିପାଇଁ ପ୍ରଭୁ ପ୍ରସାଦକୁ ନିଜର ବୋଲି ଭାବିବା - ଏହା ଅଭିମାନ ଅର୍ଥାତ୍ ଅହଙ୍କାର ମଧ୍ୟ ଅଟେ ଏବଂ ଭଗବାନଙ୍କୁ ଅପମାନ କରିବା ମଧ୍ୟ ଅଟେ । ତେଣୁ ବାବା-ବାବା ଶବ୍ଦକୁ କେବେ ବି ଭୁଲ ନାହିଁ । ବାବା ତ ଶକ୍ତି ଦେଇଛନ୍ତି, ବୁଦ୍ଧି ମଧ୍ୟ ଦେଇଛନ୍ତି, ବାବାଙ୍କର କାର୍ଯ୍ୟ, ବାବାଙ୍କର ସେଣ୍ଟର, ସବୁ ଜିନିଷ ବାବାଙ୍କର ହିଁ ଅଟେ । ଏପରି ଭାବ ନାହିଁ ଯେ ମୋର ସେଣ୍ଟର ମୁଁ ତିଆରି କରିଛି, ଆମର ଅଧିକାର ଅଛି, ଏହି ଆମର ଶବ୍ଦ କେଉଁଠୁ ଆସିଲା? କଣ ତୁମର ଅଟେ କି? କଣ ପୁରୁଣା ଗଣ୍ଠିଲି କିଛି ଲୁଚେଇ ରଖିଛ କି? କେତେକ ପିଲା ଏଭଳି ନିଶା ମଧ୍ୟ ଦେଖାଇଥାନ୍ତି, ମୁଁ ଏହି ସେଣ୍ଟର ବା ଘର ତିଆରି କରିଛି ତେଣୁ ମୋର ଅଧିକାର ଅଛି । କିନ୍ତୁ କାହାର ସେଣ୍ଟର ତିଆରି କରିଛ? ବାବାଙ୍କର ସେଣ୍ଟର ନା! ତେଣୁ ଯେତେବେଳେ ବାବାଙ୍କୁ ଅର୍ପଣ କରିଦେଲ ପୁଣି ତୁମର କେଉଁଠୁ ଆସିଲା? ଯେତେବେଳେ ବୁଦ୍ଧି ବଦଳି ଯାଉଛି ସେତେବେଳେ କହୁଛନ୍ତି - ମୋର । ଏହି ମୋର ମୋର ପଣିଆ ହିଁ ମଇଳା କରିଦେଉଛି, ଏବେ ପୁଣି ମଇଳା ହେବାକୁ ଚାହୁଁଛ କି? ଯେବେକି ବାବାଙ୍କର ହୋଇଯାଇଛ ତେବେ ବ୍ରାହ୍ମଣ ଜୀବନରେ ପ୍ରଥମେ ବାବାଙ୍କ ସହିତ କେଉଁ ପ୍ରତିଜ୍ଞା ରହିଛି? ନୂଆମାନେ ପ୍ରତିଜ୍ଞା କରିଛନ୍ତି, ନା କେବଳ ପୁରୁଣାମାନେ କରିଛନ୍ତି? ନୂଆମାନେ ମଧ୍ୟ ବର୍ତ୍ତମାନ ପୁରୁଣା ହୋଇ ଏଠାକୁ ଆସିଛନ୍ତି ନା? ନିଶ୍ଚୟ ବୁଦ୍ଧିର ଫର୍ମ ପୂରଣ କରି ଆସିଛ ନା? ତେଣୁ ସମସ୍ତଙ୍କର ପ୍ରଥମ ପ୍ରଥମ ପ୍ରତିଜ୍ଞା ହେଲା - ଶରୀର-ମନ-ଧନ ଏବଂ ବୁଦ୍ଧି ସବୁକିଛି ତୋର । ଏହିଭଳି ପ୍ରତିଜ୍ଞା ସମସ୍ତେ କରିଛ? ଯଦି ପ୍ରତିଜ୍ଞା କରିଛ ତେବେ ହାତ ଉଠାଅ । ଯେଉଁମାନେ ଭାବୁଛନ୍ତି ଅସୁବିଧା ପରିସ୍ଥିତି ପାଇଁ କିଛି ତ ରଖିବାକୁ ପଡ଼ିବ, ସବୁକିଛି ବାବାଙ୍କୁ କିପରି ଦେଇ ଦେବୁ? କିଛି ତ ଲୁଚେଇ ରଖିବାକୁ ହେବ ନା । ଯେଉଁମାନେ ଭାବୁଛନ୍ତି ଏହା ବୁଦ୍ଧିମାନର କାର୍ଯ୍ୟ, ସେମାନେ ହାତ ଉଠାଅ । ତେବେ କିଛି ଲୁଚେଇ ରଖିଛ କି? ଦେଖ, ପରେ ପୁଣି ଏପରି କହିବ ନାହିଁ ଯେ ଆମକୁ କିଏ ଦେଖୁଛି? ଏତେ ଭିଡ଼ରେ କିଏ ଦେଖିବ? କିନ୍ତୁ ବାବାଙ୍କ ପାଖରେ ତ ବହୁତ ସ୍ପଷ୍ଟ ଟି.ଭି. ଅଛି । ତାଠାରୁ ଲୁଚି ପାରିବ ନାହିଁ, ସେଥିପାଇଁ ଭାବି, ଚିନ୍ତି ଯଦି କିଛି ରଖିବାର ଅଛି ତେବେ ରଖି ନିଅ । ପାଣ୍ଡବମାନେ କଣ ଭାବୁଛ? କିଛି ରଖିବା ଦରକାର? ଭଲ ଭାବରେ ଚିନ୍ତା କର । ଯଦି କାହାର କିଛି ରଖିବାର ଅଛି ତେବେ ଏବେ ହାତ ଉଠାଇ ଦିଅ, ତାହା ହେଲେ ରକ୍ଷା ପାଇଯିବ । ନଚେତ୍ ଏହି ସମୟ, ଏହି ସଭା, ତୁମର ଏହିଭଳି ମୁଣ୍ଡ ହଲାଇ ସମ୍ମତି ଦେବା - ଏହିସବୁ ସାକ୍ଷାତ୍କାର ହେବ । ତେଣୁ କେବେ ବି ମୋର ପଣିଆ ରଖ ନାହିଁ । ଯଦି ବାବା ବୋଲି କହିଲ ତେବେ ସବୁ ପାପ ଚାଲିଗଲା । ବାବା ବୋଲି କହୁନାହଁ ତେଣୁ ପାପ ହୋଇଯାଉଛି । ପାପର ବଶୀଭୂତ ହେବା କାରଣରୁ ବୁଦ୍ଧି କାମ କରୁନାହିଁ । ଯେତେ ବୁଝାଇଲେ ବି କହିବେ, ନା - ଏହା ହିଁ ଠିକ୍ କଥା । ଏହା ତ ନିଶ୍ଚିତ ହେବ । ଏହା ତ କରିବାକୁ ହିଁ ପଡ଼ିବ । ସେଥିପାଇଁ ବାବାଙ୍କୁ ମଧ୍ୟ ଦୟା ଆସିଯାଉଛି, କାହିଁକିନା ପିଲାମାନେ ସେତେବେଳେ ପାପର ବଶୀଭୂତ ହୋଇଯାଆନ୍ତି । ବାପକୁ ଭୁଲିଯିବା କାରଣରୁ ପାପ ଆସିଯାଏ । ଏବଂ ପାପର ବଶୀଭୂତ ହୋଇଯିବା କାରଣରୁ ଯାହା ବି କହୁଥାନ୍ତି, ଯାହା ବି କରୁଥାନ୍ତି ତାହା ନିଜେ ମଧ୍ୟ ଜାଣିନଥାଆନ୍ତି ଯେ ମୁଁ କଣ କରୁଛି, କାହିଁକି ନା ପରବଶ ଅବସ୍ଥାରେ ଥାଆନ୍ତି । ତେଣୁ ସର୍ବଦା ଜ୍ଞାନର ଚେତନାରେ ରୁହ, ପାପର ନିଶାରେ ବା ଅହଂକାରରେ ରୁହ ନାହିଁ । ତେବେ ମଝିରେ ମଝିରେ ଏହିଭଳି ମାୟାର ଢେଉ ଆସିଥାଏ । ତେଣୁ ତୁମେ ନୂଆ ନୂଆ ପିଲାମାନେ ଏହି ସବୁ କଥାରୁ ଦୂରେଇ ରୁହ । ମୋର ମୋର ଭିତରକୁ ଯାଅ ନାହିଁ । ଯେତେବେଳେ ଟିକିଏ ପୁରୁଣା ହୋଇଯାଉଛନ୍ତି ସେତେବେଳେ ଏହି ସବୁ ମୋର ମୋର ର ମାୟା ମଧ୍ୟ ବହୁତ ଆସୁଛି । ମୋର ବିଚାର, ଯଦି ବୁଦ୍ଧି ହିଁ ମୋର ନୁହେଁ ତେବେ ମୋର ବିଚାର କେଉଁଠୁ ଆସିଲା? ତେଣୁ ବୁଝିପାରିଲ, ଜମା କରିବାର ବିଧି କଣ? ତେଣୁ କାର୍ଯ୍ୟରେ ଲଗାଇ ସଫଳ କର । ନିଜର ଈଶ୍ୱରୀୟ ସଂସ୍କାରକୁ ମଧ୍ୟ ସଫଳ କର, ତେବେ ବ୍ୟର୍ଥ ସଂସ୍କାର ଆପେ ଆପେ ଚାଲିଯିବ । ଯେହେତୁ ଈଶ୍ୱରୀୟ ସଂସ୍କାରକୁ କାର୍ଯ୍ୟରେ ଲଗାଉ ନାହଁ ତେଣୁ ତାହା ଲକର୍ ଭିତରେ ରହିଯାଉଛି ଏବଂ ପୁରୁଣା ସଂସ୍କାର କାର୍ଯ୍ୟ କରିଚାଲିଛି । କେତେକ ସନ୍ତାନଙ୍କର ବ୍ୟାଙ୍କରେ ବା ଆଲମାରୀରେ ରଖିବାର ମଧ୍ୟ ଅଭ୍ୟାସ ଥାଏ । ବହୁତ ଭଲ ଭଲ ଲୁଗାପଟା ଥିବ ବା ଟଙ୍କା-ପଇସା ମଧ୍ୟ ଥିବ ବା ଭଲ ଭଲ ଜିନିଷ ମଧ୍ୟ ଥିବ, ପୁଣି ବି ପୁରୁଣା ଜିନିଷକୁ ହିଁ ବ୍ୟବହାର କରୁଥିବେ । କାରଣ ପୁରୁଣା ଜିନିଷ ପ୍ରତି ସେମାନଙ୍କର ମୋହ ରହିଥାଏ ତେଣୁ ଆଲମାରୀର ଜିନିଷ ଆଲମାରୀରେ ହିଁ ରହିଯିବ କିନ୍ତୁ ସେ ପୁରୁଣା ଜିନିଷଗୁଡିକୁ ବ୍ୟବହାର କରି କରି ଚାଲିଯିବେ । କିନ୍ତୁ ତୁମେମାନେ ଏଭଳି କରିବ ନାହିଁ ଯାହାକି ପୁରୁଣା ସଂସ୍କାରକୁ ବ୍ୟବବହାର କରିଚାଲିଥିବ ଏବଂ ଈଶ୍ୱରୀୟ ସଂସ୍କାର ବୁଦ୍ଧିରୂପୀ ଲକର ଭିତରେ ହିଁ ରହିଯିବ । ନା, ତାକୁ କାର୍ଯ୍ୟରେ ଲଗାଅ, ସଫଳ କର । ତେଣୁ ଏହାର ଚାର୍ଟ ରଖ ଯେ ମୁଁ କେତେ ସଫଳ କରିଲି? ସଫଳ କରିବାର ଅର୍ଥ ହେଲା ବ୍ୟର୍ଥରୁ ବଞ୍ଚେଇବା ବା ବୃଦ୍ଧି କରିବା । ସଂକଳ୍ପ ଦ୍ୱାରା ସଫଳ କର, ବାଣୀ ଦ୍ୱାରା ମଧ୍ୟ ସଫଳ କର, ସମ୍ବନ୍ଧ ସମ୍ପର୍କ ଦ୍ୱାରା, କର୍ମ ଦ୍ୱାରା, ନିଜର ଶ୍ରେଷ୍ଠ ସଂଗ ଦ୍ୱାରା, ନିଜର ଅତି ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ମଧ୍ୟ ସଫଳ କର । ଏପରି ନୁହେଁ ଯେ ମୋର ମନୋବୃତ୍ତି ତ ସର୍ବଦା ଭଲ ହିଁ ରହୁଛି, କିନ୍ତୁ ସଫଳ କେତେ କରିଛି? ମୋର ସଂସ୍କାର ତ ଶାନ୍ତି ହିଁ ଅଟେ କିନ୍ତୁ ତାକୁ ସଫଳ କେତେ କରିଛି? କାର୍ଯ୍ୟରେ ଲଗାଉଛି ତ? ତେଣୁ ଏହିଭଳି ବିଧିକୁ ଆପଣାଇବା ଦ୍ୱାରା ସମ୍ପୂର୍ଣ୍ଣତା ରୂପୀ ସିଦ୍ଧିକୁ ସହଜରେ ଅନୁଭବ କରି ଚାଲିବ । ତେବେ ସଫଳ କରିବା ହିଁ ସଫଳତା ପ୍ରାପ୍ତ କରିବାର ଚାବୀକାଠି । ବୁଝିଲ, କଣ କରିବ? କେବଳ ନିଜକୁ ଦେଖି ଖୁସି ହୋଇଯାଅ ନାହିଁ - ମୁଁ ତ ବହୁତ ଗୁଣବାନ, ମୁଁ ବହୁତ ଭଲ ଭାଷଣ କରିପାରିବି, ମୁଁ ବହୁତ ଭଲ ଜ୍ଞାନୀ, ମୋର ଯୋଗ ମଧ୍ୟ ବହୁତ ଭଲ, ଯଦି ଭଲ ତେବେ ବ୍ୟବହାର କର ନା । ତାକୁ ସଫଳ କର । ତେଣୁ ସହଜ ବିଧି ହେଲା କାର୍ଯ୍ୟରେ ଲଗାଅ ଏବଂ ବଢାଅ । ବିନା ମେହନତରେ ହିଁ ବଢିଚାଲିବ ଯାହାକୁ ୨୧ ଜନ୍ମ ପର୍ଯ୍ୟନ୍ତ ଆରାମରେ ଖାଇବ । ସେଠାରେ ତ ମେହନତ ମଧ୍ୟ କରିବାକୁ ପଡିବ ନାହିଁ ।

ଏହି ସଭା କେତେ ବିଶାଳ (ଓମ୍ ଶାନ୍ତି ଭବନର ସଭାଗୃହ ପୂରଣ ହୋଇଯିବା କାରଣରୁ କେତେକ ପିଲାଙ୍କୁ ପାଣ୍ଡବ ଭବନର ମେଡିଟେଶନ୍ ହଲ୍ ଏବଂ ଛୋଟ ହଲ୍ରେ ବସିବା ପାଇଁ ପଡିଲା, କାରଣ ହଲ ଛୋଟ ପଡିଗଲା) ତୁମମାନଙ୍କର ସ୍ମାରକୀ ଶାସ୍ତ୍ରରେ ମଧ୍ୟ ଏହାର ଗାୟନ ରହିଛି - ପ୍ରଥମେ ଗୋଟିଏ ଗ୍ଳାସ୍ରେ ପାଣି ରଖିଲେ, ପୁଣି ଗ୍ଳାସ୍ରୁ ନେଇ କଳସୀରେ ରଖିଲେ, ପୁଣି ସେଥିରୁ ନେଇ ପୋଖରୀରେ, ତା ପରେ ନଦୀରେ, ଶେଷରେ ସେହିପାଣି କୁଆଡେ ଗଲା? ସାଗରକୁ ହିଁ ଗଲା । ତେବେ ଏହି ସଭା ମଧ୍ୟ ପ୍ରଥମେ ହିଷ୍ଟ୍ରି ହଲ୍ରେ ହେଉଥିଲା, ତା ପରେ ମେଡିଟେଶନ୍ ହଲ୍ରେ ହେଲା, ତାପରେ ଏବେ ଓମ୍ ଶାନ୍ତି ଭବନରେ ହେଉଛି, ଏହାପରେ ପୁଣି କେଉଁଠି ହେବ? କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସାକାର ମିଳନ ବ୍ୟତୀତ ଅବ୍ୟକ୍ତ ମିଳନ କରିପାରିବ ନାହିଁ! ଅବ୍ୟକ୍ତ ମିଳନ କରିବାର ଅଭ୍ୟାସ ମଧ୍ୟ ସମୟ ଅନୁସାରେ ନିଶ୍ଚିତ ବଢିବ ଏବଂ ଏହାକୁ ବଢାଇବାକୁ ହିଁ ହେବ । ଏବେ ତ ଦାଦୀମାନେ ଦୟାଶୀଳ ହୋଇ ତୁମେ ନୂଆ ନୂଆ ପିଲାମାନଙ୍କ ଉପରେ ବିଶେଷ ଦୟା କରିଛନ୍ତି । କିନ୍ତୁ ଅବ୍ୟକ୍ତ ଅନୁଭବକୁ ବଢାଇବା ହିଁ ସମୟ ଅନୁସାରେ କାର୍ଯ୍ୟରେ ଲାଗିବ । ଦେଖ, ନୂଆ ନୂଆ ପିଲାମାନଙ୍କ ପାଇଁ ହିଁ ବାପଦାଦା ବିଶେଷ ଭାବରେ ଏହିଭଳି ସାକାର ମିଳନର ପାର୍ଟ ଏବେ ପର୍ଯ୍ୟନ୍ତ କରି ଆସୁଛନ୍ତି, କିନ୍ତୁ ଏହା ମଧ୍ୟ ଆଉ କେତେ ଦିନ ଚାଲିବ?

ସମସ୍ତେ ରାଜି ଖୁସି ଅଛ, ସନ୍ତୁଷ୍ଟ ଅଛ? ବାହାରେ ରହିବାରେ ମଧ୍ୟ ସନ୍ତୁଷ୍ଟ ଅଛ? ଡ୍ରାମାରେ ଏଭଳି ମଧ୍ୟ ପାର୍ଟ ରହିଛି । ଯେବେକି କହୁଛ ସାରା ଆବୁ ପର୍ବତ ହିଁ ଆମର ହୋଇଯିବ ତେବେ ଏହା କିପରି ହେବ? ତେଣୁ ପ୍ରଥମେ ତୁମେମାନେ ଚରଣ ତ ରଖ । ତାପରେ ଏଠାରେ ଯେଉଁ ସବୁ ଧର୍ମଶାଳା ଗୁଡିକ ରହିଛି ତାହା ତୁମମାନଙ୍କର ହୋଇଯିବ । ଦେଖ, ବିଦେଶରେ ଏବେ ଏଭଳି ମଧ୍ୟ ହେବା ଆରମ୍ଭ ହେଲାଣି, ଯଦି କୌଣସି ଚର୍ଚ୍ଚ ଅର୍ଥାତ୍ ଗୀର୍ଜାଘର ସେତେ ଭଲ ଚାଲୁନାହିଁ ତେବେ ତାକୁ ବ୍ରହ୍ମାକୁମାରୀଙ୍କୁ ଦେଇ ଦେଉଛନ୍ତି । ସେହିଭଳି ଯେଉଁ ସବୁ ବଡ ସ୍ଥାନ ଅଛି କିନ୍ତୁ ତାକୁ ଚଳାଇ ପାରୁ ନାହାଁନ୍ତି ତେବେ ତୁମକୁ ଅଫର କରୁଛନ୍ତି ନା । ତେଣୁ ଭିନ୍ନ ଭିନ୍ନ ଜାଗାମାନଙ୍କରେ ଏବେ ବ୍ରାହ୍ମଣମାନଙ୍କର ଚରଣ ପଡୁଛି, ଏଥିରେ ମଧ୍ୟ ରହସ୍ୟ ଲୁଚି ରହିଛି । ଡ୍ରାମା ଅନୁସାରେ ବ୍ରାହ୍ମଣମାନଙ୍କୁ ସେଠାରେ ରହିବାର ପାର୍ଟ ମିଳିଛି । ତେଣୁ ଯେତେବେଳେ ସାରା ଆବୁ ତୁମମାନଙ୍କର ହୋଇଯିବ, ପୁଣି କଣ କରିବ? ଆପେ ଆପେ ଆସି ଅଫର କରିବେ, କହିବେ ଆପଣମାନେ ହିଁ ଏହାକୁ ସମ୍ଭାଳନ୍ତୁ । ଆମକୁ ମଧ୍ୟ ସମ୍ଭାଳ ଏବଂ ଆଶ୍ରମକୁ ମଧ୍ୟ ସମ୍ଭାଳ । ତେଣୁ ଯେଉଁ ସମୟରେ ଯେଉଁ ପାର୍ଟ ମିଳୁଛି ସେଥିରେ ସନ୍ତୁଷ୍ଟ ରହି ପାର୍ଟ କର । ଆଚ୍ଛା!

ଚାରିଆଡର ସମସ୍ତ ମିଳନ କରିବାର, ଜ୍ଞାନ ରତ୍ନକୁ ଧାରଣ କରିବାର ଚାତକ ସଦୃଶ ଆତ୍ମାମାନଙ୍କୁ, ଆକାର ରୂପରେ ବା ସାକାର ରୂପରେ ମିଳନ ମେଳା କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ସବୁ ପ୍ରକାରର ସମ୍ପତ୍ତିକୁ ସଫଳ କରି ସଫଳତା ସ୍ୱରୂପ ହେଉଥିବା ଆତ୍ମାମାନଙ୍କୁ, ସର୍ବଦା ମେରା ବାବା ଏବଂ କୌଣସି ବି ବିନାଶୀ ମୋର ପଣିଆକୁ ଅଂଶ ମାତ୍ରରେ ମଧ୍ୟ ରଖି ନଥିବା ଆତ୍ମାମାନଙ୍କୁ, ଏହିଭଳି ବେହଦର ବୈରାଗୀ ଆତ୍ମାମାନଙ୍କୁ, ସର୍ବଦା ସବୁ ସମୟରେ ଶ୍ରେଷ୍ଠ ବିଧି ଦ୍ୱାରା ସମ୍ପୂର୍ଣ୍ଣତାର ସିଦ୍ଧିକୁ ପ୍ରାପ୍ତ କରୁଥିବା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହପୂର୍ଣ୍ଣ ଶୁଭେଚ୍ଛା ଏବଂ ନମସ୍ତେ ।

ଦାଦିମାନଙ୍କ ସହିତ:- ସର୍ବଦା କୌଣସି ନା କୌଣସି ନୂଆ ଦୃଶ୍ୟ ଦେଖାଯିବା ଦରକାର ନା । ଏହା ମଧ୍ୟ ଡ୍ରାମାରେ ଏକ ନୂଆ ଦୃଶ୍ୟ ଥିଲା ଯାହାକି ପୁନରାବୃତ୍ତି ହୋଇଗଲା । ଏକଥା କଣ ଭାବିଥିଲ ଯେ ଏହି ହଲ ମଧ୍ୟ ଛୋଟ ହୋଇଯିବ? ତେବେ ସବୁବେଳେ ଗୋଟିଏ ଦୃଶ୍ୟ ତ ଭଲ ଲାଗେ ନାହିଁ । କେବେ କେବେ ହେଲେ ଦେଖିବାକୁ ଭଲ ଲାଗେ । ଏହା ମଧ୍ୟ ଏକ ଆଧ୍ୟାତ୍ମିକ ଶୋଭା । ଏହି ସବୁ ଆତ୍ମାମାନଙ୍କର ସଂକଳ୍ପ ମଧ୍ୟ ପୂରଣ ହେବାର ଥିଲା, ସେଥିପାଇଁ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଲା । ଏଠାରୁ ତ ଅନୁମତି ଦେଇଦେଲ - ଯଦି ଆସିବାକୁ ଚାହୁଁଛ ତେବେ ଆସିଯାଅ । ଆଗକୁ କଣ କରିବ? ଏବେ ତ ନୂଆ ପିଲାମାନଙ୍କର ସଂଖ୍ୟା ଆହୁରି ବଢିବ । ପୁରୁଣାମାନେ ତ ପୁରୁଣା ହୋଇଗଲେଣି । ଯେପରି ଉତ୍ସାହର ସହିତ ଆସିଛନ୍ତି ସେହି ଅନୁସାରେ ନିଜକୁ ସେଟ୍ ମଧ୍ୟ କରିଦେଇଛନ୍ତି, ବହୁତ ଭଲ କରିଛନ୍ତି । ସବୁ କିଛି ବିଶାଳରୁ ବିଶାଳ ନିଶ୍ଚିତ ହେବ । କମ୍ ହେବାର ତ ପ୍ରଶ୍ନ ଉଠୁ ନାହିଁ । ଯେବେକି ତୁମର ଉପାଧି ହେଉଛି ବିଶ୍ୱ କଲ୍ୟାଣକାରୀ ତେଣୁ ବିଶ୍ୱ ତୁଳନାରେ ଏତିକି ତ କିଛି ବି ନୁହେଁ । ତେଣୁ ସଂଖ୍ୟାର ବୃଦ୍ଧି ମଧ୍ୟ ହେବ ଏବଂ ମିଳନର ବିଧି ମଧ୍ୟ ନୂଆ ନୂଆ ହେବ । କିଛି ନା କିଛି ବିଧି ତ ହୋଇଚାଲିଥିବ । ଏବେ ତ ମନର ବୃତ୍ତି ଆହୁରି ଶକ୍ତିଶାଳୀ ହୋଇଯିବ । ଯେତେବେଳେ ତପସ୍ୟା ଦ୍ୱାରା ତୁମମାନଙ୍କର ମନୋବୃତ୍ତି ଶକ୍ତିଶାଳୀ ହୋଇଯିବ ସେତେବେଳେ ସ୍ୱତଃ ଭାବରେ ତୁମମାନଙ୍କର ମନୋବୃତ୍ତି ଆଧାରରେ ଅନ୍ୟ ଆତ୍ମାମାନଙ୍କର ମନୋବୃତ୍ତି ମଧ୍ୟ ବଦଳିଯିବ । ଆଚ୍ଛା!, ତୁମେମାନେ ସେବା କରି କରି ଥକିଯାଉନାହଁ ତ! ମଜାରେ ମଧ୍ୟ ଅଛ ଏବଂ ଏଠାରେ କେବଳ ମଜା ହିଁ ମଜା । ଆଚ୍ଛା!

ବରଦାନ:-
ଶ୍ରେଷ୍ଠ କର୍ମ ଦ୍ୱାରା ଆଶୀର୍ବାଦର ଷ୍ଟକ ଜମା କରୁଥିବା ଚୈତନ୍ୟ ଦର୍ଶନୀୟ ମୂର୍ତ୍ତି ହୁଅ ।

ଯାହାବି କର୍ମ କର ତା ଦ୍ୱାରା ଆଶୀର୍ବାଦ ନିଅ ଏବଂ ଆଶୀର୍ବାଦ ଦିଅ । ଶ୍ରେଷ୍ଠ କର୍ମ କରିବା ଦ୍ୱାରା ଆପେ ଆପେ ସମସ୍ତଙ୍କର ଆଶୀର୍ବାଦ ମିଳିଥାଏ । ସମସ୍ତଙ୍କ ମୁଖରୁ ବାହାରିଥାଏ ଯେ ଇଏ ତ ବହୁତ ଭଲ । ବାଃ! ୟାଙ୍କର କର୍ମ ହିଁ ସ୍ମାରକୀ ହୋଇଯାଉଛି । ତେଣୁ ଯେକୌଣସି କର୍ମ କର କିନ୍ତୁ ତା ଦ୍ୱାରା ଖୁସି ନିଅ ଏବଂ ଖୁସି ଦିଅ, ଆଶୀର୍ବାଦ ନିଅ ଏବଂ ଆଶୀର୍ବାଦ ଦିଅ । ଯଦି ଏବେ ସଂଗମଯୁଗରେ ଆଶୀର୍ବାଦ ଦେବ ଏବଂ ଆଶୀର୍ବାଦ ନେବ ତେବେ ତୁମର ଜଡଚିତ୍ର ଦ୍ୱାରା ମଧ୍ୟ ଆଶୀର୍ବାଦ ମିଳିଚାଲିବ ଏବଂ ବର୍ତ୍ତମାନ ମଧ୍ୟ ଚୈତନ୍ୟ ଦର୍ଶନୀୟମୂର୍ତ୍ତି ହୋଇଯିବ ।

ସ୍ଲୋଗାନ:-
ଯଦି ସର୍ବଦା ଉମଙ୍ଗ-ଉଲ୍ଲାସରେ ରହିବ ତେବେ ଆଳସ୍ୟ ସମାପ୍ତ ହୋଇଯିବ ।