12.09.21    Avyakt Bapdada     Odia Murli     19.03.88     Om Shanti     Madhuban


ଯୋଗରେ ମନୋରଞ୍ଚନର ଅନୁଭବ କରିବାର ଉପାୟ


ଆଜି ବିଧାତା, ବରଦାତା ବାପଦାଦା ନିଜର ମାଷ୍ଟର ବିଧାତା ବରଦାତା ପିଲାମାନଙ୍କୁ ଦେଖୁଛନ୍ତି । ତୁମେ ପ୍ରତ୍ୟେକ ସନ୍ତାନ ବିଧାତା ମଧ୍ୟ ଅଟ ଏବଂ ବରଦାତା ମଧ୍ୟ ଅଟ । ଏହା ସହିତ ବାପଦାଦା ଦେଖୁଥିଲେ ଯେ ପିଲାମାନଙ୍କର ପଦ ମଧ୍ୟ କେତେ ମହାନ ଅଟେ! ଏହି ସଂଗମଯୁଗର ବ୍ରାହ୍ମଣ ଜୀବନର କେତେ ମହତ୍ତ୍ୱ ରହିଛି! ତେବେ ବିଧାତା ଏବଂ ବରଦାତା ହେବା ସହିତ ବିଧି-ବିଧାତା ମଧ୍ୟ ତୁମେ ବ୍ରାହ୍ମଣମାନେ ହିଁ ଅଟ । ତୁମମାନଙ୍କର ପ୍ରତ୍ୟେକ ବିଧି ସତ୍ୟଯୁଗକୁ କିପରି ପରିବର୍ତ୍ତିତ ହୋଇଯାଉଛି - ତାହା ପୂର୍ବରୁ ମଧ୍ୟ ଶୁଣାଇ ଦେଇଛୁ । ତେଣୁ ଏହି ସମୟର ପ୍ରତ୍ୟେକ କର୍ମର ବିଧି ଭବିଷ୍ୟତରେ ଅର୍ଥାତ୍ ସତ୍ୟଯୁଗରେ ତ ନିଶ୍ଚିତ ଚାଲିବ କିନ୍ତୁ ଦ୍ୱାପରଯୁଗ ଆରମ୍ଭ ହେବା ପରେ ମଧ୍ୟ ଏହି ସମୟର ଶ୍ରେଷ୍ଠ କର୍ମ ଗୁଡିକର ବିଧି ଭକ୍ତିମାର୍ଗର ବିଧିରେ ପରିଣତ ହୋଇଯାଉଛି । ତେଣୁ ପୂଜ୍ୟ ରୂପରେ ମଧ୍ୟ ଏହି ସମୟର ବିଧି ଜୀବନର ଶ୍ରେଷ୍ଠ ବିଧାନ ରୂପରେ ଚାଲୁଛି ଏବଂ ପୂଜାରୀ ମାର୍ଗ ଅର୍ଥାତ୍ ଭକ୍ତିମାର୍ଗରେ ମଧ୍ୟ ତୁମମାନଙ୍କର ପ୍ରତ୍ୟେକ ବିଧି ନୀତି ବା ରୀତି ରୂପରେ ପ୍ରଚଳିତ ହୋଇ ଆସୁଛି । ତେଣୁ ତୁମେମାନେ ବିଧାତା, ବରଦାତା ହେବା ସହିତ ବିଧି-ବିଧାତା ମଧ୍ୟ ଅଟ ।

ତୁମମାନଙ୍କର ମୂଳ ସିଦ୍ଧାନ୍ତ ସିଦ୍ଧି ପ୍ରାପ୍ତ ହେବାର ଆଧାର ହୋଇଯାଉଛି । ଯେପରି ମୂଳ ସିଦ୍ଧାନ୍ତ ହେଲା ସମସ୍ତଙ୍କର ପିତା କେବଳ ଜଣେ ହିଁ ଅଟନ୍ତି ବା ପରମପିତା ଏକ କିନ୍ତୁ ଧର୍ମ ଆତ୍ମା, ମହାନ ଆତ୍ମା ଅନେକ । ଏହି ମୂଳ ସିଦ୍ଧାନ୍ତ ଦ୍ୱାରା ଅଧା କଳ୍ପ ପର୍ଯ୍ୟନ୍ତ ତୁମେ ଶ୍ରେଷ୍ଠ ଆତ୍ମାମାନଙ୍କୁ ଏକମାତ୍ର ବାବାଙ୍କ ଦ୍ୱାରା ପ୍ରାପ୍ତ ହେଉଥିବା ସମ୍ପତ୍ତି ମଧ୍ୟ ସିଦ୍ଧି ରୂପରେ ହିଁ ପ୍ରାପ୍ତ ହେଉଛି । ତେଣୁ ପ୍ରାରବ୍ଧ ପ୍ରାପ୍ତ କରିବା ଅର୍ଥ ସିଦ୍ଧି ସ୍ୱରୂପ ହେବା । କାହିଁକି ନା ପିତା କେବଳ ଜଣେ ଅଟନ୍ତି, ବାକି ସମସ୍ତେ ମହାନ ଆତ୍ମା ବା ଧର୍ମାତ୍ମା ଅଟନ୍ତି, ପିତା ନୁହଁନ୍ତି, ସମସ୍ତେ ଭାଇ-ଭାଇ ଅଟନ୍ତି । ସମ୍ପତ୍ତି କେବଳ ପିତାଙ୍କ ଠାରୁ ହିଁ ମିଳିଥାଏ, ଭାଇଠାରୁ ଭାଇକୁ ସମ୍ପତ୍ତି ମିଳିନଥାଏ । ତେଣୁ ଏହି ମୂଳ ସିଦ୍ଧାନ୍ତ ଦ୍ୱାରା ଅଧାକଳ୍ପ ପର୍ଯ୍ୟନ୍ତ ତୁମମାନଙ୍କୁ ସିଦ୍ଧି ପ୍ରାପ୍ତ ହେଉଛି ଏବଂ ଭକ୍ତିମାର୍ଗରେ ମଧ୍ୟ ଗଡ ଇଜ୍ ୱାନ ଅର୍ଥାତ୍ ଈଶ୍ୱର ଏକ ଅଟନ୍ତି - ଏହି ସିଦ୍ଧାନ୍ତ ସିଦ୍ଧି ପ୍ରାପ୍ତ କରିବାର ଆଧାର ହୋଇଯାଉଛି । ଭକ୍ତି କରିବାର ପ୍ରାରମ୍ଭିକ ଆଧାର ମଧ୍ୟ ଏକମାତ୍ର ଶିବବାବାଙ୍କର ପ୍ରତୀକ ଶିବ ଲିଙ୍ଗ ରୂପରେ ଆରମ୍ଭ ହେଉଛି । ଯାହାକୁ କୁହାଯାଏ ଅବ୍ୟଭିଚାରୀ ଭକ୍ତି । ତେଣୁ ଭକ୍ତିମାର୍ଗରେ ମଧ୍ୟ ଏହି ଗୋଟିଏ ସିଦ୍ଧାନ୍ତ ଦ୍ୱାରା ହିଁ ସିଦ୍ଧି ପ୍ରାପ୍ତ ହେଉଛି, ତାହା ହେଲା - ସମସ୍ତଙ୍କର ପିତା ଜଣେ । ଏହିଭଳି ଯାହା ସବୁ ତୁମମାନଙ୍କର ମୂଳ ମନ୍ତ୍ର ସିଦ୍ଧାନ୍ତ ରହିଛି, ସେହି ଗୋଟିଏ ଗୋଟିଏ ସିଦ୍ଧାନ୍ତ ଦ୍ୱାରା ସିଦ୍ଧି ପ୍ରାପ୍ତ ହୋଇ ଚାଲିଛି । ଯେପରି ଏହି ବ୍ରାହ୍ମଣ ଜୀବନର ମୂଳ ସିଦ୍ଧାନ୍ତ ପବିତ୍ରତା ଅଟେ । ଏହି ପବିତ୍ରତାର ସିଦ୍ଧାନ୍ତ ଦ୍ୱାରା ତୁମ ଭଳି ଆତ୍ମାମାନଙ୍କୁ ସିଦ୍ଧି ସ୍ୱରୂପ ରୂପରେ ଭବିଷ୍ୟତରେ ଆଲୋକର ମୁକୁଟ ସର୍ବଦା ପ୍ରାପ୍ତ ହେଉଛି ଯାହାର ସ୍ମାରକୀ ଭାବରେ ଦେବୀ-ଦେବତାମାନଙ୍କୁ ଦୁଇ ମୁକୁଟଧାରୀ ରୂପରେ ଦେଖାଇଛନ୍ତି ଏବଂ ଭକ୍ତିରେ ମଧ୍ୟ ଯେତେବେଳେ ବି ଯଥାର୍ଥ ରୂପରେ ଏବଂ ଆନ୍ତରିକତା ପୂର୍ବକ ଭକ୍ତି କରୁଛନ୍ତି ପବିତ୍ରତାର ସିଦ୍ଧାନ୍ତକୁ ମୂଳ ଆଧାର ମନେ କରୁଛନ୍ତି ଏବଂ ଭାବୁଛନ୍ତି ପବିତ୍ରତା ବିନା ଭକ୍ତିରେ ସିଦ୍ଧି ପ୍ରାପ୍ତ ହୋଇପାରିବ ନାହିଁ । ଯଦିଓ ଖୁବ୍ କମ୍ ସମୟ ପାଇଁ ପବିତ୍ରତାକୁ ଧାରଣ କରିଥାନ୍ତି ଅର୍ଥାତ୍ ଯେତିକି ସମୟ ଭକ୍ତି କରନ୍ତି ସେତିକି ସମୟ ପବିତ୍ର ରହିଥାନ୍ତି କିନ୍ତୁ ପବିତ୍ରତା ହିଁ ସିଦ୍ଧିର ଆଧାର ଏହି ସିଦ୍ଧାନ୍ତକୁ ନିଶ୍ଚିତ ଭାବରେ ଗ୍ରହଣ କରିଥାନ୍ତି । ସେହି ହିସାବରେ ଜ୍ଞାନର ପ୍ରତ୍ୟେକ ସିଦ୍ଧାନ୍ତ ବା ଧାରଣାର ମୂଳ ସିଦ୍ଧାନ୍ତକୁ ବୁଦ୍ଧିରେ ବିଚାର କର ଯେ ପ୍ରତ୍ୟେକ ସିଦ୍ଧାନ୍ତ କିପରି ଭାବରେ ସିଦ୍ଧିର ଆଧାର ହୋଇଯାଉଛି? ତେଣୁ ଏହା ଉପରେ ମନନ କରିବାର କାର୍ଯ୍ୟ ତୁମମାନଙ୍କୁ ଦିଆଯାଉଛି । ଯେପରି ଏହି ଦୃଷ୍ଟାନ୍ତ ଶୁଣିଲ, ସେହି ହିସାବରେ ବିଚାର କରିବ ।

ତେଣୁ ତୁମେମାନେ ବିଧି ବିଧାତା ମଧ୍ୟ ହେଉଛ ଏବଂ ସିଦ୍ଧି ଦାତା ମଧ୍ୟ ହେଉଛ । ସେଥିପାଇଁ ଆଜି ପର୍ଯ୍ୟନ୍ତ ମଧ୍ୟ ଯେଉଁ ଭକ୍ତଙ୍କୁ ଯେଉଁଭଳି ସିଦ୍ଧି ଦରକାର ସେମାନେ ସେହି ଅନୁସାରେ ଭିନ୍ନ ଭିନ୍ନ ଦେବତାମାନଙ୍କୁ ପୂଜା କରୁଛନ୍ତି । ତେଣୁ ସିଦ୍ଧି ଦାତା ପିତାଙ୍କ ଦ୍ୱାରା ତୁମେମାନେ ମଧ୍ୟ ସିଦ୍ଧି ଦାତା ହେଉଛ - ଏହିଭଳି ନିଜକୁ ଭାବୁଛ ନା । ଯେଉଁମାନଙ୍କୁ ସବୁ ପ୍ରକାରର ସିଦ୍ଧି ମିଳିଯାଇଛି ସେହିମାନେ ହିଁ ଅନ୍ୟମାନଙ୍କୁ ସିଦ୍ଧି ପ୍ରାପ୍ତ କରାଇବାର ନିମିତ୍ତ ହୋଇ ପାରିବେ । ସିଦ୍ଧି କୌଣସି ଖରାପ ଜିନିଷ ନୁହେଁ କାହିଁକି ନା ଏହା ରିଦ୍ଧି-ସିଦ୍ଧି ନୁହେଁ । ରିଦ୍ଧି-ସିଦ୍ଧି ଅର୍ଥାତ୍ ତନ୍ତ୍ର-ମନ୍ତ୍ର ଅଳ୍ପ କାଳ ପାଇଁ ପ୍ରଭାବଶାଳୀ ହୋଇଥାଏ କିନ୍ତୁ ଏହା ତୁମର ଯଥାର୍ଥ ବିଧି ଦ୍ୱାରା ସିଦ୍ଧି ଏବଂ ଈଶ୍ୱରୀୟ ବିଧି ଦ୍ୱାରା ଯେଉଁ ସିଦ୍ଧି ପ୍ରାପ୍ତ ହୋଇଥାଏ ତାକୁ କୁହାଯାଏ ଈଶ୍ୱରୀୟ ସିଦ୍ଧି । ଯେପରି ଈଶ୍ୱର ଅବିନାଶୀ ଅଟନ୍ତି ସେହିପରି ଈଶ୍ୱରୀୟ ବିଧି ଦ୍ୱାରା ଈଶ୍ୱରୀୟ ସିଦ୍ଧି ମଧ୍ୟ ଅବିନାଶୀ ଅଟେ । ରିଦ୍ଧି-ସିଦ୍ଧି ଦେଖାଉଥିବା ବ୍ୟକ୍ତି ନିଜେ ମଧ୍ୟ ଅଳ୍ପଜ୍ଞ ଅଟେ ସେଥିପାଇଁ ତାର ସିଦ୍ଧି ମଧ୍ୟ ଅଳ୍ପକାଳ ପାଇଁ କାର୍ଯ୍ୟ କରିଥାଏ, କିନ୍ତୁ ତୁମମାନଙ୍କର ସିଦ୍ଧି ଶ୍ରେଷ୍ଠ ସିଦ୍ଧାନ୍ତର ବିଧି ଆଧାରିତ ଅଟେ । ସେଥିପାଇଁ ଅଧାକଳ୍ପ ତୁମେ ନିଜେ ସିଦ୍ଧି ସ୍ୱରୂପ ହେଉଛ ଏବଂ ଆଉ ଅଧାକଳ୍ପ ତୁମମାନଙ୍କର ସିଦ୍ଧାନ୍ତ ଅର୍ଥାତ୍ ଶ୍ରେଷ୍ଠ ଧାରଣାର ବିଧି ଦ୍ୱାରା ଭକ୍ତ ଆତ୍ମାମାନେ ଯଥା ଶକ୍ତି ତଥା ଫଳର ପ୍ରାପ୍ତି ବା ସିଦ୍ଧିର ପ୍ରାପ୍ତି କରିଆସୁଛନ୍ତି । କାହିଁକି ନା ଭକ୍ତିର ଶକ୍ତି ମଧ୍ୟ ସମୟ ଅନୁସାରେ କମୀ କମୀ ଆସୁଛି । ସତ୍ତ୍ୱପ୍ରଧାନ ଭକ୍ତିର ଶକ୍ତି ଆଜିକାଲିର ଭକ୍ତି ତୁଳନାରେ ଭକ୍ତ ଆତ୍ମାମାନଙ୍କୁ ଅଧିକ ସିଦ୍ଧିର ଅନୁଭୂତି କରାଇଥାଏ । ବର୍ତ୍ତମାନ ସମୟରେ ଭକ୍ତି ତମୋପ୍ରଧାନ ହୋଇଥିବା କାରଣରୁ ଏଥିରେ ନା ଯଥାର୍ଥ ସିଦ୍ଧାନ୍ତ ଅଛି, ନା ଯଥାର୍ଥ ସିଦ୍ଧି ଅଛି ।

ତେଣୁ ତୁମମାନଙ୍କ ଭିତରେ ସେତିକି ନିଶା ରହୁଛି ଯେ ମୁଁ କିଏ? ସର୍ବଦା ନିଜର ଏହି ଶ୍ରେଷ୍ଠ ସ୍ୱମାନର ଆସନ ଉପରେ ସ୍ଥିତ ରହୁଛ? ଏହା କେତେ ଉଚ୍ଚ ଆସନ ଅଟେ! ଯେତେବେଳେ ଏହିଭଳି ସ୍ଥିତି ରୂପକ ଆସନ ଉପରେ ସ୍ଥିର ଭାବରେ ବସିଯିବ ସେତେବେଳେ ଆଉ ବାରମ୍ବାର ଅସ୍ଥିର ହେବ ନାହିଁ । ଏହା ହିଁ ତୁମମାନଙ୍କର ପୋଜିସନ ଅର୍ଥାତ୍ ପଦବୀ ଅଟେ । ତେବେ ଏହା କେତେ ଉଚ୍ଚ ପଦବୀ ବିଧି-ବିଧାତା, ସିଦ୍ଧି-ଦାତା । ଯେତେବେଳେ ତୁମେମାନେ ଏହି ପଦବୀ ରୂପୀ ଆସନ ଉପରେ ସ୍ଥିତ ହୋଇଯିବ ସେତେବେଳେ ମାୟା ଆଉ ଅପୋଜିସନ୍ କରିବ ନାହିଁ, ଅର୍ଥାତ୍ ବିଘ୍ନ ପକାଇବ ନାହିଁ, ତୁମେମାନେ ସର୍ବଦା ସୁରକ୍ଷିତ ରହିବ । ତେଣୁ ବାରମ୍ବାର ହଲଚଲ୍ ହେବାର କାରଣ ମଧ୍ୟ ଏହା ହିଁ ଅଟେ ଯାହାକି ନିଜର ଶ୍ରେଷ୍ଠ ସ୍ଥିତି ରୂପକ ଆସନରୁ ଓହ୍ଲାଇ ସାଧାରଣ ସ୍ଥିତିର ଆସନକୁ ଆସିଯାଉଛ । ତେବେ ଯୋଗ କରିବା ବା ସେବା କରିବା ଯେପରି ଏକ ସାଧାରଣ ଦିନଚର୍ଯ୍ୟା ହୋଇଯାଇଛି କିନ୍ତୁ ଯୋଗରେ ବସିବା ସମୟରେ ନିଜର କୌଣସି ନା କୌଣସି ଶ୍ରେଷ୍ଠ ସ୍ୱମାନ ରୂପକ ଆସନ ଉପରେ ବସିଯାଅ । କେବଳ ଏତିକିରେ ସନ୍ତୁଷ୍ଟ ହୋଇଯାଅ ନାହିଁ ଯେ ବିଛଣାରୁ ଉଠି ଯୋଗ ରୂମରେ ବା ବାବାଙ୍କ କୋଠରୀରେ ବସିଯାଇଛ ବା ସାରା ଦିନ ଭିତରେ ଯେବେ ଇଚ୍ଛା ସେବେ ଯାଇ ବସିଯାଉଛି, କିନ୍ତୁ ଶରୀରକୁ ଯେପରି ଗୋଟିଏ ଯୋଗ୍ୟ ସ୍ଥାନରେ ବସାଉଛ ସେହିପରି ବୁଦ୍ଧିକୁ ମଧ୍ୟ ପ୍ରଥମେ ଶ୍ରେଷ୍ଠ ସ୍ଥିତି ରୂପକ ସ୍ଥାନ ଦିଅ । ପ୍ରଥମେ ଚେକ୍ କର ଯେ ବୁଦ୍ଧିକୁ ଠିକ୍ ସ୍ଥାନ ଦେଇଛି? ତେବେ ଶ୍ରେଷ୍ଠ ସ୍ଥିତି ରୂପକ ଆସନ ଉପରେ ବସିବା ଦ୍ୱାରା ଈଶ୍ୱରୀୟ ନିଶା ଆପେ ଆପେ ଚଢିଯିବ । ଆଜିକାଲି ତ ଆସନର ନିଶା ଲାଗିଯାଉଛି ବୋଲି କହୁଛନ୍ତି ନା! ତୁମେମାନେ ତ ଶ୍ରେଷ୍ଠ ସ୍ଥିତି ରୂପକ ଆସନ ଉପରେ ବସିଛ । କେବେ ମାଷ୍ଟର ବୀଜ ରୂପ ସ୍ଥିତିର ଆସନ ଉପରେ, କେବେ ଅବ୍ୟକ୍ତ ଫରିସ୍ତା ସ୍ଥିତିର ଆସନ ଉପରେ, କେବେ ବିଶ୍ୱ କଲ୍ୟାଣକାରୀ ସ୍ଥିତି ରୂପୀ ଆସନ ଉପରେ - ଏହିଭଳି ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ସ୍ଥିତି ରୂପୀ ଆସନ ଉପରେ ବିରାଜମାନ ହୋଇଯାଅ ।

ଯଦି କେହି ନିଜର ସିଟ୍ ଉପରେ ସେଟ୍ ହୋଇ ନ ପାରିବ ତେବେ ହଲ୍‌ଚଲ୍ କରିବ ନା - କେବେ ଏମିତି କରିବ, କେବେ ସେମିତି କରିବ! ତେବେ ତୁମର ବୁଦ୍ଧି ମଧ୍ୟ ସେତେବେଳେ ହଲ୍‌ଚଲ୍ କରିଥାଏ ଯେତେବେଳେ ସେ ନିଜର ସ୍ଥିତି ରୂପୀ ଆସନ ଉପରେ ଠିକ୍ ଭାବରେ ସ୍ଥିତ ହୋଇନଥାଏ । ତୁମେମାନେ ତ ଜାଣିଛ ନା ଯେ ଆମେ ଏହିସବୁ ସ୍ୱମାନର ଅଧିକାରୀ ଅଟୁ । ଯଦି ଏବେ ପଚରାଯିବ ଯେ ତୁମେ କିଏ, ତେବେ ବହୁତ ଲମ୍ବା ଲିଷ୍ଟ ହୋଇଯିବ । କିନ୍ତୁ ନିଜକୁ ଯାହା ଜାଣିଛ, ସବୁ ସମୟରେ ନିଜକୁ ସେହିଭଳି ମନେ କର । କେବଳ ଜାଣ ନାହିଁ କିନ୍ତୁ ମାନି କରିଚାଲ । କାହିଁକି ନା ଜାଣିବା ଦ୍ୱାରା ସୂକ୍ଷ୍ମ ରୂପରେ ଖୁସି ତ ରହିବ - ହଁ, ମୁଁ ଏହା ଅଟେ, କିନ୍ତୁ ମାନିବା ଦ୍ୱାରା ଶକ୍ତି ଆସିବ ଏବଂ ମାନି କରି ଚାଲିବା ଦ୍ୱାରା ନିଶା ଚଢିବ । ଯେପରି କେହି ବି ଉଚ୍ଚପଦାଧିକାରୀ ଯେତେବେଳେ ନିଜର ଆସନ ଉପରେ ବସିଥାଏ ସେତେବେଳେ ତାକୁ ଖୁସି ତ ମିଳିଥାଏ କିନ୍ତୁ ସେଥିରେ କୌଣସି ଶକ୍ତି ନଥାଏ । ତେଣୁ ଯାହା ଜାଣିଛ ନିଜକୁ ସେହିଭଳି ମନେ କରିଚାଲ ଏବଂ ବାରମ୍ବାର ନିଜକୁ ପଚାର, ଚେକ କର ଯେ ମୁଁ ଆସନ ଉପରେ ସ୍ଥିତ ଅଛି, ନା ସାଧାରଣ ସ୍ଥିତିରେ ରହି ତଳକୁ ଆସିଯାଇଛି? ଯେଉଁମାନେ ଅନ୍ୟମାନଙ୍କୁ ସିଦ୍ଧି ପ୍ରଦାନ କରୁଛନ୍ତି, ସେମାନେ ନିଜେ ପ୍ରତ୍ୟେକ ସଂକଳ୍ପରେ, ପ୍ରତ୍ୟେକ କର୍ମରେ ସିଦ୍ଧି ସ୍ୱରୂପ ନିଶ୍ଚିତ ହୋଇଥିବେ, ଦାତା ମଧ୍ୟ ହୋଇଥିବେ । ସିଦ୍ଧିଦାତା ଆତ୍ମାମାନେ କେବେହେଲେ ଏକଥା ଭାବି ମଧ୍ୟ ପାରିବେ ନାହିଁ ଯେ ଯେତିକି ପୁରୁଷାର୍ଥ କରୁଛୁ ବା ମେହନତ କରୁଛୁ ସେହି ଅନୁସାରେ ସିଦ୍ଧି ବା ସଫଳତା ମିଳୁ ନାହିଁ ବା ଯେତିକି ଯୋଗର ଅଭ୍ୟାସ କରୁଛୁ ସେହି ଅନୁସାରେ ସିଦ୍ଧିର ଅନୁଭୂତି ହେଉନାହିଁ । ଏହା ଦ୍ୱାରା ପ୍ରମାଣିତ ହୋଇଯାଉଛି ଯେ ନିଜର ଶ୍ରେଷ୍ଠ ସ୍ଥିତି ରୂପକ ଆସନ ଉପରେ ସ୍ଥିତ ହେବାର ବିଧି ଯଥାର୍ଥ ନୁହେଁ ।

ଯେହେତୁ ଜ୍ଞାନ ବହୁତ ରମଣିକ ଅର୍ଥାତ୍ ମନୋରଞ୍ଜନକାରୀ ଅଟେ ତେଣୁ ମନୋରଞ୍ଜନର ଅନୁଭବ ଆପେ ଆପେ ଆଳସ୍ୟକୁ ତଡି ଦେଇଥାଏ । ଏକଥା ତ ବହୁତ ପିଲା କହିଥାନ୍ତି ନା - ଏମିତିରେ ନିଦ ଆସୁନଥିବ କିନ୍ତୁ ଯୋଗ କରିବା ପାଇଁ ବସିଲେ ନିଶ୍ଚିତ ନିଦ ଆସିଯିବ ତେବେ ଏଭଳି କାହିଁକି ହେଉଛି, ଏମିତି ନୁହେଁ ଯେ ବହୁତ ଥକିଯାଇଛ, କିନ୍ତୁ ରମଣିକ ଢଙ୍ଗରେ ବା ସ୍ୱାଭାବିକ ଭାବରେ ବୁଦ୍ଧିକୁ କୌଣସି ଶ୍ରେଷ୍ଠ ସ୍ଥିତି ରୂପକ ଆସନ ଉପରେ ସ୍ଥିତ କରୁ ନାହଁ । ତେଣୁ କେବଳ ଗୋଟିଏ ରୂପରେ ନୁହେଁ କିନ୍ତୁ ଭିନ୍ନ ଭିନ୍ନ ରୂପରେ ଅର୍ଥାତ୍ ଭିନ୍ନ ଭିନ୍ନ ସ୍ଥିତିରେ ସ୍ଥିତ କର । ଗୋଟିଏ ଜିନିଷକୁ ଯଦି ଭିନ୍ନ ଭିନ୍ନ ରୂପରେ ପରିବର୍ତ୍ତନ କରି ବ୍ୟବହାର କରାଯିବ ତେବେ ଖୁସି ଲାଗିବ । ଚାହେଁ ଯେତେ ବି ଭଲ ଜିନିଷ ହୋଇଥାଉ କିନ୍ତୁ ଯଦି ଗୋଟିଏ ଜିନିଷକୁ ବାରମ୍ବାର ଖାଇବାକୁ ପଡୁଥିବ ବା ଦେଖିବାକୁ ପଡୁଥିବ ତେବେ କିପରି ଲାଗିବ? ସେହିଭଳି ତୁମେମାନେ ମଧ୍ୟ ବୀଜରୂପ ଅବସ୍ଥାର ଅଭ୍ୟାସ କର କିନ୍ତୁ କେବେ ଲାଇଟ୍ ହାଉସ୍ ରୂପରେ, କେବେ ମାଇଟ୍ ହାଉସ୍ ରୂପରେ, କେବେ କଳ୍ପବୃକ୍ଷ ଉପରେ ବୃକ୍ଷର ବୀଜ ରୂପରେ, କେବେ ସୃଷ୍ଟିଚକ୍ର ଉପରେ ସର୍ବୋଚ୍ଚ ସ୍ଥାନରେ ଛିଡା ହୋଇ ସମସ୍ତଙ୍କୁ ଶକ୍ତି ଦିଅ । ଏହିଭଳି ବାବାଙ୍କଠାରୁ ଯେଉଁ ସବୁ ଭିନ୍ନ ଭିନ୍ନ ସ୍ୱମାନ ରୂପକ ଉପାଧି ଗୁଡିକ ମିଳିଛି ସେଗୁଡିକୁ ପ୍ରତିଦିନ ଅନୁଭବ କର । କେବେ ଜ୍ୟୋତି ରୂପକ ରତ୍ନ ହୋଇ ବାବାଙ୍କ ନୟନରେ ସମାହିତ ଅଟେ - ଏହି ସ୍ୱରୂପର ଅନୁଭୂତି କର । କେବେ ମସ୍ତକମଣୀର, କେବେ ହୃଦୟ ସିଂହାସନ ଅଧିକାରୀର - ଏହିଭଳି ଭିନ୍ନ ଭିନ୍ନ ସ୍ୱରୂପର ଅନୁଭବ କର । ତେବେ ଯୋଗରେ ମନୋରଞ୍ଜନର ଅର୍ଥାତ୍ ରମଣୀକତାର ଅନୁଭବ କରିବ । ବାପଦାଦା ପ୍ରତିଦିନ ମୁରଲୀରେ ପିଲାମାନଙ୍କୁ ଭିନ୍ନ ଭିନ୍ନ ସ୍ୱମାନ ରୂପୀ ଉପାଧି ଦେଉଛନ୍ତି, କାହିଁକି ଦେଉଛନ୍ତି? ତେଣୁ ସେହି ଆସନ ଗୁଡିକ ଉପରେ ସ୍ଥିତ ହୋଇଯାଅ ଏବଂ ମଝିରେ ମଝିରେ ଚେକ୍ କର । ପୂର୍ବରୁ ମଧ୍ୟ ଶୁଣାଇଥିଲି ଯେ ଏକଥା ତୁମେମାନେ ଭୁଲିଯାଉଛ, ୬ ଘଣ୍ଟା ପରେ ବା ୮ ଘଣ୍ଟା ପରେ ପୁଣି ମନେ ପଡୁଛି । ସେଥିପାଇଁ ଦୁଃଖୀ ହୋଇଯାଉଛ, ଭାବୁଛ ଅଧାଦିନ ତ ବିସ୍ମୃତିରେ ହିଁ ଚାଲିଗଲା! ତେଣୁ ଏହା ଯଦି ତୁମର ସ୍ୱାଭାବିକ ଭାବରେ ଅଭ୍ୟାସରେ ପଡିଯିବ ତେବେ ଯାଇ ବିଧି ବିଧାତା ବା ସିଦ୍ଧିଦାତା ହୋଇ ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ କରିପାରିବ । ବୁଝିଲ? ଆଚ୍ଛା!

ଆଜି ମଧୁବନ ନିବାସୀଙ୍କର ଦିନ । ଡବଲ ବିଦେଶୀମାନେ ନିଜର ମିଶିବାର ସମୟ ଭିତରୁ ଏମାନଙ୍କୁ ସୁଯୋଗ ଦେଉଛନ୍ତି କାହିଁକି ନା ମଧୁବନ ନିବାସୀମାନଙ୍କୁ ଦେଖି ଖୁସି ମିଳୁଛି ନା । ମଧୁବନ ନିବାସୀ କହୁଛନ୍ତି ଆମର ଆଉ ମହିମା କର ନାହିଁ, ବହୁତ ମହିମା ଶୁଣି ସାରିଲୁଣି । ତେବେ ମହିମା ଶୁଣି ଶୁଣି ହିଁ ମହାନ ହେଉଛନ୍ତି କାହିଁକି ନା ଏହି ମହିମା ହିଁ ଢାଲ ରୂପରେ କାର୍ଯ୍ୟ କରୁଛି । ଯେପରି ଯୁଦ୍ଧ ସମୟରେ ଢାଲ ହିଁ ସୁରକ୍ଷିତ ରଖିବାର ସାଧନ ହୋଇଥାଏ । ତେଣୁ ଏହି ମହିମା ମଧ୍ୟ ସ୍ମରଣ କରାଇ ଦେଉଛି ଯେ ଆମେ କେତେ ମହାନ! କାରଣ ମଧୁବନ କେବଳ ମଧୁବନ ନୁହେଁ କିନ୍ତୁ ବିଶ୍ୱ ରଙ୍ଗମଞ୍ଚ ମଧ୍ୟ ଅଟେ । ତେଣୁ ମଧୁବନରେ ରହିବା ଅର୍ଥ ବିଶ୍ୱ ରଙ୍ଗମଞ୍ଚ ଉପରେ ରହିବା । ତେବେ ଷ୍ଟେଜ୍ ଉପରେ ଅଭିନୟ କରୁଥିବା ବ୍ୟକ୍ତି କେତେ ସାବଧାନତା ପୂର୍ବକ ଅଭିନୟ କରିଥାଏ! ଅନ୍ୟ କୌଣସି ସ୍ଥାନରେ ଥିବା ସମୟରେ ଏତିକି ସାବଧାନତା ପୂର୍ବକ ରହିବାକୁ ପଡୁନଥିବ କିନ୍ତୁ ଯେତେବେଳେ ଷ୍ଟେଜ୍ ଉପରକୁ ଅର୍ଥାତ୍ ମଞ୍ଚ ଉପରକୁ ଆସିଯିବ ସେତେବେଳେ ସବୁ ସମୟରେ ସବୁ କର୍ମ ଉପରେ ସେତିକି ଧ୍ୟାନ ଦେବାକୁ ପଡିବ । ତେଣୁ ମଧୁବନ ହେଉଛି ବିଶ୍ୱର ଷ୍ଟେଜ୍‌, କାରଣ ଚାରିଆଡର ଆତ୍ମାମାନଙ୍କର ଦୃଷ୍ଟି ମଧୁବନ ଉପରେ ନିଶ୍ଚିତ ରହିଛି । ଏମିତି ବି ସମସ୍ତଙ୍କର ଦୃଷ୍ଟି ଷ୍ଟେଜ୍ ଉପରକୁ ଯାଇଥାଏ ନା! ତେଣୁ ମଧୁବନ ନିବାସୀମାନେ ସବୁ ସମୟରେ ବିଶ୍ୱର ଷ୍ଟେଜ୍ ଉପରେ ସ୍ଥିତ ରହୁଛନ୍ତି । ଏଥି ସହିତ ମଧୁବନ ଏକ ବିଚିତ୍ର ଗମ୍ଭୁଜ ମଧ୍ୟ ଅଟେ । ଅନ୍ୟ ଗମ୍ଭୁଜ ମାନଙ୍କରେ ଶବ୍ଦ ପ୍ରତିଧ୍ୱନୀତ ହୋଇ ପୁନର୍ବାର ନିଜ ପାଖକୁ ଫେରି ଆସିଥାଏ କିନ୍ତୁ ମଧୁବନ ଏଭଳି ବିଚିତ୍ର ଗମ୍ଭୁଜ ଯାହାର ଟିକିଏ ବି ଶବ୍ଦ ସାରା ବିଶ୍ୱ ପର୍ଯ୍ୟନ୍ତ ଚାଲିଯାଇଥାଏ । ଯେପରି ଆଜିକାଲି ପୁରୁଣା ସମୟର ସ୍ମାରକୀ ଭାବରେ ଏଭଳି କେତେକ ସ୍ଥାନ ରହିଛି ଯାହାର ଗୋଟିଏ କାନ୍ଥରେ ଯଦି ଟିକିଏ ହାତ ଲଗାଇ ଦେବ ବା ଟିକିଏ ଶବ୍ଦ କରିବ ତେବେ ଦଶଟି କାନ୍ଥରେ ସେହିଭଳି ଶବ୍ଦ ଶୁଣାଯିବ ଏବଂ ଏପରି ଶୁଭିବ ଯେପରି ତୁମ ନିକଟରେ ଥିବା କାନ୍ଥକୁ କେହି ହଲଚଲ୍ କରୁଛି ବା ଶବ୍ଦ ସୃଷ୍ଟି କରୁଛି । ତେବେ ମଧୁବନ ମଧ୍ୟ ଏଭଳି ଏକ ଗମ୍ଭୁଜ ଯାହାକି ମଧୁବନର ଶବ୍ଦ କେବଳ ମଧୁବନ ଭିତରେ ସୀମିତ ନରହି ଚାରିଆଡେ ବ୍ୟାପୀ ଯାଇଥାଏ ଏବଂ ଏଭଳି ବ୍ୟାପୀଯାଏ ଯାହାକି ମଧୁବନ ନିବାସୀମାନଙ୍କୁ ମଧ୍ୟ ଜଣା ନଥାଏ । କାରଣ ବିଚିତ୍ରତା ରହିଛି ନା, ସେଥିପାଇଁ ସବୁ କଥା ବାହାରେ ପହଞ୍ଚି ଯାଇଥାଏ । ସେଥିପାଇଁ କେବେ ବି ଏଭଳି ଭାବ ନାହିଁ ଯେ ମୁଁ ତ ଏହିଠାରେ ହିଁ କରିଛି, ବା କହିଛି ବା ଦେଖିଛି.... କିନ୍ତୁ ସାରା ବିଶ୍ୱ ପର୍ଯ୍ୟନ୍ତ ପବନ ବେଗରେ ସବୁ ସମାଚାର ପହଞ୍ଚି ଯାଇଥାଏ । କାହିଁକି ନା ସମସ୍ତଙ୍କ ନଜରରେ ଏବଂ ବୁଦ୍ଧିରେ ସର୍ବଦା ମଧୁବନ ଏବଂ ମଧୁବନର ବାପଦାଦା ହିଁ ଅଛନ୍ତି । ତେଣୁ ଯେହେତୁ ମଧୁବନର ବାବା ସର୍ବଦା ଦୃଷ୍ଟିରେ ଅଛନ୍ତି ତେଣୁ ମଧୁବନ ମଧ୍ୟ ଦୃଷ୍ଟିରେ ରହିବ ନା! ମଧୁବନରେ ତ କେବଳ ବାବା ଏକା ନାହାଁନ୍ତି, ପିଲାମାନେ ମଧ୍ୟ ଅଛନ୍ତି । ତେଣୁ ମଧୁବନ ନିବାସୀ ସ୍ୱତଃ ଭାବରେ ସମସ୍ତଙ୍କର ଦୃଷ୍ଟିକୁ ଆସିଯାଉଛନ୍ତି! ଯେକୌଣସି ବ୍ରାହ୍ମଣକୁ ପଚାର ଚାହେଁ ସେ ଯେତେ ବି ଦୂରରେ ରହୁଥାଉ କିନ୍ତୁ ତାର ମନ ଭିତରେ କେଉଁ କଥା ରହିଥାଏ? ମଧୁବନ ଏବଂ ମଧୁବନର ବାବା । ତେଣୁ ମଧୁବନ ନିବାସୀଙ୍କର ଏତିକି ମହତ୍ୱ ରହିଛି । ବୁଝିଲ? ଆଚ୍ଛା!

ସେବାର ଉମଙ୍ଗ-ଉତ୍ସାହରେ ରହୁଥିବା ଚାରିଆଡର ସବୁ ପିଲାମାନଙ୍କୁ, ସର୍ବଦା ଏକମାତ୍ର ପିତାଙ୍କର ସ୍ନେହରେ ସମାହିତ ହୋଇ ରହିଥିବା, ସର୍ବଦା ପ୍ରତ୍ୟେକ କର୍ମରେ ଶ୍ରେଷ୍ଠ ବିଧି ଦ୍ୱାରା ସିଦ୍ଧିକୁ ଅନୁଭବ କରୁଥିବା, ସର୍ବଦା ନିଜକୁ ବିଶ୍ୱର କଲ୍ୟାଣକାରୀ ରୂପରେ ଅନୁଭବ କରି ପ୍ରତ୍ୟେକ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା, ଶ୍ରେଷ୍ଠ କଲ୍ୟାଣର ଭାବନା ଏବଂ ଶ୍ରେଷ୍ଠ କାମନା ଦ୍ୱାରା ସେବାରେ ବ୍ୟସ୍ତ ରହୁଥିବା, ବାବାଙ୍କ ସମାନ ସର୍ବଦା ଅକ୍ଲାନ୍ତ ସେବା କରୁଥିବା ସେବାଧାରୀ ପିଲାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ବ୍ୟକ୍ତିଗତ ସାକ୍ଷାତ୍‌:- (୧) ନିଜକୁ କର୍ମଯୋଗୀ ତଥା ଶ୍ରେଷ୍ଠ ଆତ୍ମା ଅନୁଭବ କରୁଛ? କର୍ମଯୋଗୀ ଆତ୍ମା ସର୍ବଦା ନିଜର କର୍ମର ପ୍ରତ୍ୟକ୍ଷ ଫଳ ସ୍ୱତଃ ହିଁ ଅନୁଭବ କରିଥାଏ । ତେବେ ସେମାନଙ୍କର ଯୋଗଯୁକ୍ତ କର୍ମର ଫଳ ହେଲା - ଖୁସି ଏବଂ ଶକ୍ତି । ତେଣୁ କର୍ମଯୋଗୀ ଅର୍ଥାତ୍ ଖୁସି ଏବଂ ଶକ୍ତିକୁ ପ୍ରତ୍ୟକ୍ଷ ଫଳ ରୂପରେ ଅନୁଭବ କରୁଥିବା ଆତ୍ମା । ବାବା ମଧ୍ୟ ସର୍ବଦା ପିଲାମାନଙ୍କୁ ପ୍ରତ୍ୟକ୍ଷ ଫଳର ପ୍ରାପ୍ତି କରାଇ ଚାଲିଛନ୍ତି । ଏବେ ଏବେ କର୍ମ କରିଲ ଏବଂ ତୁରନ୍ତ ହିଁ ଖୁସି ଏବଂ ଶକ୍ତିର ଅନୁଭବ କରିଲ । ତେଣୁ ମୁଁ ଏହିଭଳି କର୍ମଯୋଗୀ ଆତ୍ମା ଅଟେ - ଏହି ସ୍ମୃତି ଆଧାରରେ ଆଗକୁ ବଢିଚାଲ ।

(୨) ବେହଦର ସେବା କରିବା ଦ୍ୱାରା ବେହଦର ଖୁସିର ଅନୁଭବ ଆପେ ଆପେ ହୋଇଥାଏ ନା! ବେହଦର ବାବା ତ ବେହଦର ଅର୍ଥାତ୍ ସାରା ବିଶ୍ୱର ଅଧିକାରୀ କରୁଛନ୍ତି । ବେହଦ ସେବାର ଫଳ ବେହଦର ରାଜ୍ୟଭାଗ୍ୟ ସ୍ୱତଃ ହିଁ ପ୍ରାପ୍ତ ହେଉଛି । ଯେତେବେଳେ ବେହଦର ସ୍ଥିତିରେ ସ୍ଥିତ ହୋଇ ସେବା କରୁଛ ସେତେବେଳେ ଯେଉଁ ଆତ୍ମାମାନଙ୍କର ସେବାର ନିମିତ୍ତ ହେଉଛ, ସେମାନଙ୍କର ଆଶୀର୍ବାଦ ସ୍ୱତଃ ଭାବରେ ଆତ୍ମାକୁ ଖୁସି ଏବଂ ଶକ୍ତିର ଅନୁଭୂତି କରାଉଛି । ଗୋଟିଏ ସ୍ଥାନରେ ବସି ଥିଲେ ମଧ୍ୟ ବେହଦ ସେବାର ଫଳ ମିଳିଯାଉଛି । ତେଣୁ ଏହିଭଳି ବେହଦର ନିଶାରେ ରହି ବେହଦର ପୁଣ୍ୟ ଜମା କରିବା ସହିତ ଆଗକୁ ବଢିଚାଲ ।

ବରଦାନ:-
ଗୋଟିଏ ସେକେଣ୍ଡରେ ଦେହ ରୂପକ ବସ୍ତ୍ରଠାରୁ ଅଲଗା ହୋଇ କର୍ମଭୋଗ ଉପରେ ବିଜୟ ପ୍ରାପ୍ତ କରୁଥିବା ସର୍ବଶକ୍ତି ସମ୍ପନ୍ନ ଆତ୍ମା ହୁଅ ।

ଯେତେବେଳେ କର୍ମଭୋଗ ଅର୍ଥାତ୍ ରୋଗ-ଯନ୍ତ୍ରଣାର ଅନୁଭବ ଖୁବ୍ ଜୋରରେ ହେଉଥାଏ, କର୍ମେନ୍ଦ୍ରିୟ ଗୁଡିକ କର୍ମଭୋଗର ବଶୀଭୂତ ହୋଇ ନିଜ ଆଡକୁ ଆକର୍ଷିତ କରୁଥାନ୍ତି ଅର୍ଥାତ୍ ଅତ୍ୟଧିକ ଯନ୍ତ୍ରଣାର ଅନୁଭବ ହେଉଥାଏ, ସେହିଭଳି ସମୟରେ କର୍ମଭୋଗକୁ କର୍ମଯୋଗରେ ପରିବର୍ତ୍ତନ କରୁଥିବା ଆତ୍ମାମାନେ, ନିଜେ ସାକ୍ଷୀ ହୋଇ କର୍ମଭୋଗର ଯନ୍ତ୍ରଣାକୁ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ଭୋଗ କରାଉଥିବା ଆତ୍ମାମାନେ ହିଁ ସର୍ବଶକ୍ତି ସମ୍ପନ୍ନ ଅଷ୍ଟରତ୍ନ ବା ବିଜୟୀ ବୋଲାଇଥାନ୍ତି । ଏଥିପାଇଁ ଦେହ ରୂପୀ ବସ୍ତ୍ରଠାରୁ ଅଲଗା ହେବାର ବହୁତ ସମୟର ଅଭ୍ୟାସ ରହିବା ଦରକାର । ଯଦି ଏହି ବସ୍ତ୍ର ଦୁନିଆର ବା ମାୟାର ଆକର୍ଷଣ ଦ୍ୱାରା ଟାଇଟ୍ ଅର୍ଥାତ୍ ଚିପି ହୋଇ ରହିନଥିବ ତେବେ ଯାଇ ସହଜରେ ଏହାଠାରୁ ମୁକ୍ତ ହୋଇପାରିବ ।

ସ୍ଲୋଗାନ:-
ସମସ୍ତଙ୍କଠାରୁ ସମ୍ମାନ ପ୍ରାପ୍ତ କରିବା ପାଇଁ ନିର୍ମାଣଚିତ୍ତ ହୁଅ, କାରଣ ନିର୍ମାଣତା ହିଁ ମହାନତାର ଲକ୍ଷଣ ଅଟେ ।