12.11.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଯାହା ପଢାଉଛନ୍ତି ତାକୁ ଭଲ ଭାବରେ ପଢ ତେବେ ୨୧ ଜନ୍ମ ପାଇଁ ରୋଜଗାର କରିବାର ରାସ୍ତା ମିଳିଯିବ, ସଦାକାଳ ପାଇଁ ସୁଖୀ ହୋଇଯିବ ।

ପ୍ରଶ୍ନ:-
ତୁମମାନଙ୍କର ଅତିନ୍ଦ୍ରିୟ ସୁଖର ଗାୟନ କାହିଁକି ରହିଛି ?

ଉତ୍ତର:-
କାହିଁକି ନା ତୁମେ ସନ୍ତାନମାନେ ହିଁ ବର୍ତ୍ତମାନ ବାବାଙ୍କୁ ଜାଣୁଛ, ତୁମେମାନେ ହିଁ ବାବାଙ୍କ ଦ୍ୱାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣୁଛ । ତୁମେମାନେ ଏବେ ସଂଗମଯୁଗରେ ବେହଦ ଅର୍ଥାତ୍ ବିଶ୍ୱର ପରିବର୍ତ୍ତନ ସମୟରେ ଛିଡା ହୋଇଛ, ଜାଣିଛ ଯେ ଆମେ ଏହି ଲୁଣପାଣି ଅର୍ଥାତ୍ ନର୍କ ଦୁନିଆରୁ ଅମୃତ ଭଳି ମିଠାପାଣି ଅର୍ଥାତ୍ ସ୍ୱର୍ଗ ଦୁନିଆକୁ ଯାଉଛୁ । ଆମକୁ ସ୍ୱୟଂ ଭଗବାନ ପାଠ ପଢାଉଛନ୍ତି, ଏହିଭଳି ଖୁସି ବ୍ରାହ୍ମଣମାନଙ୍କୁ ହିଁ ମିଳୁଛି ସେଥିପାଇଁ ତୁମର ହିଁ ଅତିନ୍ଦ୍ରିୟ ସୁଖର ଗାୟନ ରହିଛି ।

ଓମ୍ ଶାନ୍ତି ।
ବେହଦର ବାବା ବେହଦର ସନ୍ତାନମାନଙ୍କୁ ବୁଝାଉଛନ୍ତି ଅର୍ଥାତ୍ ନିଜର ମତ ଦେଉଛନ୍ତି । ଏକଥା ତ ନିଶ୍ଚିତ ବୁଝୁଛ ଯେ ଆମେମାନେ ଜୀବାତ୍ମା ଅଟୁ । କିନ୍ତୁ ନିଜକୁ ତ ଆତ୍ମ ନିଶ୍ଚୟ କରିବାକୁ ହେବ ନା । ଆମେ କୌଣସି ନୂଆ ସ୍କୁଲରେ ପଢୁନାହୁଁ । ପ୍ରତି ୫ ହଜାର ବର୍ଷରେ ଥରେ ଏହି ସ୍କୁଲରେ ପାଠ ପଢି ଆସିଛୁ । ବାବା ପଚାରୁଛନ୍ତି ଯେ ଆଗରୁ କେବେ ପାଠ ପଢିବାକୁ ଆସିଥିଲ ? ତେବେ ସମସ୍ତେ କହୁଛନ୍ତି ଆମେ ପ୍ରତି ୫ ହଜାର ବର୍ଷ ପରେ ଏଠାକୁ ପଢିବାକୁ ଆସୁଛୁ । ପୁରୁଷୋତ୍ତମ ସଂଗମଯୁଗରେ ବାବାଙ୍କ ପାଖକୁ ଆସୁଛୁ । ଏକଥା ତ ମନେ ଥିବ, ନା ଏହା ମଧ୍ୟ ଭୁଲିଯାଉଛ ? ଛାତ୍ରମାନଙ୍କୁ ନିଜର ସ୍କୁଲ ତ ନିଶ୍ଚିତ ମନେ ପଡିବ ନା । ଲକ୍ଷ୍ୟ-ଉଦ୍ଦେଶ୍ୟ ତ ଗୋଟିଏ । ଯେଉଁମାନେ ବି ସନ୍ତାନ ହେଉଛନ୍ତି, ତେବେ ଦୁଇ ଦିନର ସନ୍ତାନ ହୁଅନ୍ତୁ ଅଥବା ପୁରୁଣା ହୁଅନ୍ତୁ କିନ୍ତୁ ଲକ୍ଷ୍ୟ ତ ଗୋଟିଏ । ଏଥିରେ କାହାର କିଛି ବି କ୍ଷତି ହୋଇପାରିବ ନାହିଁ । ପାଠପଢା ଦ୍ୱାରା ରୋଜଗାର ହୋଇଥାଏ । ସେମାନେ ମଧ୍ୟ ଗ୍ରନ୍ଥକୁ ପଢି ଶୁଣାଉଛନ୍ତି ତା ଦ୍ୱାରା ମଧ୍ୟ ତାଙ୍କର ରୋଜଗାର ହେଉଛି । ଶରୀର ନିର୍ବାହ ନିମନ୍ତେ ରୋଜଗାର ହୋଇଯାଉଛି । ସାଧୁମାନେ ଗୋଟିଏ ଦୁଇଟି ଶାସ୍ତ୍ର ବସି ଶୁଣାଇଦେଲେ ତେବେ ରୋଜଗାର ହୋଇଗଲା । ଏସବୁ ହେଲା ରୋଜଗାରର ବାଟ । ପ୍ରତ୍ୟେକ କଥାରେ ଅର୍ଥର ଆବଶ୍ୟକତା ରହିଛି ନା । ଯଦି ପଇସା ଅଛି, ତେବେ ଯେକୌଣସି ସ୍ଥାନକୁ ଭ୍ରମଣରେ ଯାଇପାରିବ । ତୁମେମାନେ ଜାଣିଛ ବାବା ଆମକୁ ବହୁତ ଭଲ ପାଠ ପଢାଉଛନ୍ତି ଯାହା ଦ୍ୱାରା ୨୧ ଜନ୍ମର ରୋଜଗାର ମିଳୁଛି । ଏହି ରୋଜଗାର ଦ୍ୱାରା ଆମେ ସଦା ସୁଖୀ ହୋଇଯିବା, କେବେ ରୋଗୀ ହେବା ନାହିଁ, ସଦା ଅମର ରହିବା । ଏହିପରି ନିଶ୍ଚୟ କରିବାକୁ ହୁଏ । ଏହିପରି ନିଶ୍ଚୟ ରଖିଲେ ତୁମକୁ ଆନନ୍ଦ ମିଳିବ । ନଚେତ୍ କୌଣସି ନା କୌଣସି କଥାରେ ବିଘ୍ନ ଅନୁଭବ କରିବ । ଭିତରେ ଭିତରେ ସ୍ମରଣ କରିବା ଉଚିତ୍ ଯେ ମୁଁ ବେହଦର ବାବାଙ୍କ ନିକଟରେ ପାଠ ପଢୁଛି । ଭଗବାନୁବାଚ ଏହା ତ ଗୀତା ଜ୍ଞାନ ଅଟେ । ଗୀତାର ମଧ୍ୟ ଯୁଗ ଆସିଥାଏ ନା । କେବଳ ଭୁଲିଯାଇଛନ୍ତି ଏହା ହେଉଛି ପଞ୍ଚମଯୁଗ । ଏହି ସଂଗମଯୁଗ ବହୁତ ଛୋଟ । ବାସ୍ତବରେ ଚତୁର୍ଥାଂଶ ମଧ୍ୟ କୁହାଯିବ ନାହିଁ । ଏଥିରେ ଶତକଡା ଲଗାଇପାରିବ । ତାହା ମଧ୍ୟ ବାବା ଆଗକୁ ବତାଇବେ । କିଛି ତ ବାବାଙ୍କୁ ଶୁଣାଇବାର ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ନା । ତୁମ ସମସ୍ତ ଆତ୍ମାମାନଙ୍କ ଭିତରେ ଅଭିନୟ ମଧ୍ୟ ନିଧାର୍ଯ୍ୟ ହୋଇ ରହିଛି, ଯାହାକି ପୁନରାବୃତ୍ତି ହେଉଛି । ତୁମେ ଯାହା କିଛି ବି ଶିଖୁଛ ତାହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ନା । ଏହି ପୁନରାବୃତ୍ତିର ରହସ୍ୟକୁ ତୁମମାନେ ଜାଣିଛ । ପାଦେ ପାଦେରେ ପାର୍ଟ ବଦଳି ଚାଲିଛି । ଗୋଟିଏ ସେକେଣ୍ଡ ଅନ୍ୟ ସେକେଣ୍ଡ ସହିତ ସମାନ ହୋଇପାରିବ ନାହିଁ । ଡ୍ରାମା ଟିକ୍ ଟିକ୍ ହୋଇ ଚାଲୁଛି ଅର୍ଥାତ୍ ଉଙ୍କୁଣୀ ସଦୃଶ ଧୀରେ ଧୀରେ ଚାଲୁଛି । ଗୋଟିଏ ଟିକ୍ ହେଲା ଅର୍ଥାତ୍ ଗୋଟିଏ ସେକେଣ୍ଡ ବିତିଗଲା । ଏବେ ତୁମେମାନେ ବେହଦରେ ଛିଡା ହୋଇଛ ଅର୍ଥାତ୍ ସୃଷ୍ଟିଚକ୍ରର ସଂଗମରେ ଉପସ୍ଥିତ ଅଛ । ଅନ୍ୟ କୌଣସି ମନୁଷ୍ୟ ସଂଗମଯୁଗକୁ ଜାଣି ନାହାଁନ୍ତି । କାହାକୁ ମଧ୍ୟ ବେହଦ ଅର୍ଥାତ୍ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଜଣା ନାହିଁ । ଏବେ ତୁମକୁ ଭବିଷ୍ୟତ ବିଷୟରେ ମଧ୍ୟ ଜଣା ଅଛି । ଆମେ ଏବେ ନୂଆ ଦୁନିଆକୁ ଯାଉଛୁ । ଏହା ସଂଗମଯୁଗ ଅଟେ, ଯାହାକୁ ଅତିକ୍ରମ କରିବାକୁ ହେବ । ଯେପରି ଦୁଇଟି ସମୁଦ୍ର ସଂଯୋଗ କରୁଥିବା ଲୁଣିପାଣିର ଜଳପଥ ଅଛି ନା । ସେହିପରି ଏହା ହେଉଛି ମିଠା ମିଠା ଅମୃତର ଜଳପଥ । ତାହା ହେଉଛି ବିଷର ସାଗର । ଏବେ ତୁମେ ବିଷ ସାଗରରୁ କ୍ଷୀର ସାଗରକୁ ଯାଉଛ । ଏସବୁ ହେଲା ଅବିନାଶୀ କଥା । ଦୁନିଆରେ ଏ ସମ୍ବନ୍ଧରେ ଦୁନିଆର ମନୁଷ୍ୟମାନଙ୍କୁ କିଛି ବି ଜଣା ନାହିଁ । ଏସବୁ ନୂଆ କଥା ଅଟେ ନା । ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ, ଭଗବାନ କାହାକୁ କୁହାଯାଏ । ସେ କଣ ଅଭିନୟ କରୁଛନ୍ତି । ଭାଷଣର ବିଷୟ ବସ୍ତୁରେ ମଧ୍ୟ କହୁଛ, ଆସନ୍ତୁ ଆମେ ଆପଣମାନଙ୍କୁ ପରମପିତା ପରମାତ୍ମାଙ୍କର ଜୀବନ କାହାଣୀ ଶୁଣାଇବୁ । ଏମିତି ବି ସନ୍ତାନମାନେ ନିଜ ପିତାଙ୍କର ଜୀବନ କାହାଣୀକୁ ଶୁଣାଇଥାନ୍ତି । ଏହା ତ ସାଧାରଣ କଥା । ଇଏ ତ ପୁଣି ପିତାଙ୍କର ପିତା ଅଟନ୍ତି ନା । ତୁମମାନଙ୍କ ଭିତରେ ମଧ୍ୟ ତାଙ୍କୁ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛନ୍ତି । ଏବେ ତୁମକୁ ଯଥାର୍ଥ ଭାବରେ ବାବାଙ୍କର ପରିଚୟ ଦେବାକୁ ହେବ । ତୁମକୁ ମଧ୍ୟ ବାବା ନିଜର ପରିଚୟ ଦେଇଛନ୍ତି ସେଥିପାଇଁ ତ ତୁମେ ବୁଝାଇ ପାରୁଛ ଆଉ ତ କେହି ବେହଦର ବାବାଙ୍କୁ ଜାଣିପାରିବେ ନାହିଁ । ତୁମେମାନେ ମଧ୍ୟ ସଂଗମଯୁଗରେ ହିଁ ତାଙ୍କୁ ଜାଣୁଛ । ମନୁଷ୍ୟ ମାତ୍ରକେ ଦେବତା ହୁଅନ୍ତୁ ଅଥବା ଶୁଦ୍ର ହୁଅନ୍ତୁ, ପାପ ଆତ୍ମା ହୁଅନ୍ତୁ ଅଥବା ପୁଣ୍ୟ ଆତ୍ମା ହୁଅନ୍ତୁ କେହି ବି ଜାଣି ନାହାଁନ୍ତି, କେବଳ ତୁମେ ବ୍ରାହ୍ମଣମାନେ ଯିଏକି ସଂଗମଯୁଗରେ ଅଛ, ତୁମେମାନେ ହିଁ ଜାଣୁଛ । ତେଣୁ ତୁମେମାନେ କେତେ ଖୁସି ହେବା ଦରକାର । ସେଥିପାଇଁ ତ ଗାୟନ ରହିଛି ଅତିନ୍ଦ୍ରିୟ ସୁଖ କଣ ଯଦି ଜାଣିବାକୁ ଚାହୁଁଛ ତେଣୁ ଗୋପ ଗୋପୀମାନଙ୍କୁ ପଚାର ।

ବାବା ପିତା ମଧ୍ୟ ଅଟନ୍ତି ତ ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଅଟନ୍ତି, ସୁପ୍ରିମ ଶବ୍ଦ ତ ନିଶ୍ଚୟ ଲେଖିବାକୁ ହେବ । କିନ୍ତୁ କେବେ-କେବେ ପିଲାମାନେ ଭୁଲିଯାଉଛନ୍ତି । ଏହିସବୁ କଥା ପିଲାମାନଙ୍କ ବୁଦ୍ଧିରେ ରହିବା ଦରକାର । ଶିବବାବାଙ୍କର ମହିମାରେ ଏହି ଶବ୍ଦ ନିଶ୍ଚିତ ଲେଖିବା ଉଚିତ୍ । ତୁମମାନଙ୍କ ବ୍ୟତୀତ ଆଉ କେହି ତାଙ୍କୁ ଜାଣି ହିଁ ନାହାଁନ୍ତି । କେବଳ ତୁମେମାନେ ହିଁ ବୁଝାଇ ପାରିବ, ତେବେ ତୁମର ବିଜୟ ହେଲା ନା । ତୁମେମାନେ ଜାଣିଛ ବେହଦର ବାବା ସମସ୍ତଙ୍କର ଶିକ୍ଷକ, ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ଅସୀମ ସୁଖ, ଅସୀମ ଜ୍ଞାନର ଦାତା ଅଟନ୍ତି । ତଥାପି ମଧ୍ୟ ଏପରି ବାବାଙ୍କୁ ଭୁଲିଯାଉଛ । ଦେଖ, ମାୟା କେତେ ଶକ୍ତିଶାଳୀ । ଈଶ୍ୱରଙ୍କୁ ତ ସର୍ବଶକ୍ତିମାନ କହୁଛନ୍ତି କିନ୍ତୁ ମାୟା ମଧ୍ୟ କମ୍ ନୁହେଁ । ତୁମେ ପିଲାମାନେ ଏବେ ଠିକ୍ ଭାବରେ ଜାଣୁଛ ତାର ନାମ ହିଁ ହେଉଛି ରାବଣ । ରାମ ରାଜ୍ୟ ଏବଂ ରାବଣରାଜ୍ୟ । ଏହା ଉପରେ ମଧ୍ୟ ଠିକ୍ ଭାବେ ବୁଝାଇବାକୁ ହେବ । ଯଦି ରାମ ରାଜ୍ୟ ଅଛି ତେବେ ନିଶ୍ଚିତ ରାବଣ ରାଜ୍ୟ ମଧ୍ୟ ଥିବ । ସବୁବେଳେ ତ ରାମରାଜ୍ୟ ହୋଇପାରିବ ନାହିଁ । ରାମରାଜ୍ୟ ଅଥବା ଶ୍ରୀକୃଷ୍ଣଙ୍କର ରାଜ୍ୟ କିଏ ସ୍ଥାପନ କରୁଛନ୍ତି, ଏକଥା ବେହଦର ବାବା ବସି ବୁଝାଉଛନ୍ତି । ତୁମକୁ ଭାରତ ଭୂମିର ବହୁତ ମହିମା କରିବା ଉଚିତ୍ । ଭାରତ ସତ୍ୟଖଣ୍ଡ ଥିଲା, କେତେ ମହିମାର ଅଧିକାରୀ ଥିଲା । ତେବେ ଏଭଳି ରାଜ୍ୟର ସ୍ଥାପନା କର୍ତ୍ତା କେବଳ ବାବା ହିଁ ଅଟନ୍ତି । ତୁମମାନଙ୍କର ବାବାଙ୍କ ସହିତ କେତେ ସ୍ନେହ ରହିଛି । ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତ ବୁଦ୍ଧିରେ ରହିଛି । ଏକଥା ମଧ୍ୟ ଜାଣିଛ ଯେ, ଆମମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ ପଢାର ନିଶା ମଧ୍ୟ ରହିବା ଦରକାର । ଚରିତ୍ର ପ୍ରତି ଧ୍ୟାନ ମଧ୍ୟ ରହିବା ଉଚିତ୍ । ବିବେକ କହୁଛି ଏବେ ଏହି ଈଶ୍ୱରୀୟ ପାଠପଢା ଚାଲୁଛି ତେଣୁ ଗୋଟିଏ ଦିନ ମଧ୍ୟ ମିସ୍ ଅର୍ଥାତ୍ ଅନୁପସ୍ଥିତ ହେବା ଉଚିତ୍ ନୁହେଁ ଏବଂ ଶିକ୍ଷକ ଆସିଯିବା ପରେ ମଧ୍ୟ ପହଞ୍ଚିବା ଉଚିତ୍ ନୁହେଁ । ଶିକ୍ଷକ ଆସିବା ପରେ କ୍ଳାସକୁ ଆସିବା ଇଏ ମଧ୍ୟ ଶିକ୍ଷକଙ୍କ ପ୍ରତି ଏକ ପ୍ରକାରର ଅପମାନ ଅଟେ । ସ୍କୁଲରେ ମଧ୍ୟ ଛାତ୍ରମାନେ ଡେରିରେ ଆସିଲେ ତାଙ୍କୁ ଶିକ୍ଷକମାନେ ବାହାରେ ଛିଡା କରିଦେଇଥାନ୍ତି । ବାବା ନିଜର ପିଲା ଦିନର ଉଦାହରଣ ହେଉଛନ୍ତି । ଆମର ଶିକ୍ଷକମାନେ ତ ବହୁତ କଠୋର ଥିଲେ, ଭିତରକୁ ଆସିବାକୁ ମଧ୍ୟ ଦେଉନଥିଲେ । ଏଠାରେ ତ ବହୁତ ଅଛନ୍ତି ଯେଉଁମାନେ ଡେରିରେ ଆସୁଛନ୍ତି । ସେବା କରୁଥିବା ସୁପୁତ୍ର ସନ୍ତାନମାନେ ତ ନିଶ୍ଚିତ ବାବାଙ୍କର ପ୍ରିୟ ହେବେ । ଏବେ ତୁମେମାନେ ଜାଣୁଛ ଯେ ଆଦି ସନାତନ ଦେବୀ-ଦେବତା ଧର୍ମ ତ ଥିଲା ନା । ତେବେ ଏମାନଙ୍କର ଧର୍ମ କେବେ ସ୍ଥାପନ ହୋଇଥିଲା । ଏକଥା ଟିକିଏ ହେଲେ କାହାରି ବୁଦ୍ଧିରେ ନାହିଁ । ତୁମ ବୁଦ୍ଧିରୁ ମଧ୍ୟ ଏକଥା ଘଡି ଘଡି ଖସିଯାଉଛି । ତୁମେମାନେ ଏବେ ଦେବୀ-ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ । ଏହି ପାଠ କିଏ ପଢାଉଛନ୍ତି ? ନିଜେ ପରମପିତା ପରମାତ୍ମା । ତୁମେମାନେ ଜାଣିଛ ଏହା ଆମର ବ୍ରାହ୍ମଣ କୂଳ, ଏହା ଡିନାୟଷ୍ଟି ଅର୍ଥାତ୍ ରାଜବଂଶ ନୁହେଁ । ଏହା ସର୍ବୋତ୍ତମ ବ୍ରାହ୍ମଣ କୁଳ ଅଟେ । ବାବା ମଧ୍ୟ ସର୍ବୋତ୍ତମ ଅଟନ୍ତି ନା । ସିଏ ଉଚ୍ଚରୁ ଉଚ୍ଚ ଅଟନ୍ତି ତେଣୁ ତାଙ୍କର ଆମଦାନୀ ମଧ୍ୟ ନିଶ୍ଚିତ ଉଚ୍ଚ ହୋଇଥିବ ନା । ତାଙ୍କୁ ହିଁ ଶ୍ରୀ ଶ୍ରୀ କୁହାଯାଏ । ଯିଏକି ତୁମମାନଙ୍କୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି । ତୁମେମାନେ ଜାଣିଛ ଯେ, ଆମକୁ ଶ୍ରେଷ୍ଠ କିଏ କରୁଛନ୍ତି? ଏହି କଥାକୁ କେହି କିଛି ହେଲେ ବୁଝୁ ନାହାଁନ୍ତି । ତୁମେମାନେ କହୁଛ ବାବା ଆମର ପିତା ଅଟନ୍ତି, ଶିକ୍ଷକ ଏବଂ ସତଗୁରୁ ଅଟନ୍ତି ଯିଏକି ରାଜଯୋଗର ପାଠ ପଢାଉଛନ୍ତି । ଆମେ ହେଉଛୁ ଆତ୍ମା । ଆମ ଆତ୍ମାମାନଙ୍କୁ ବାବା ମନେ ପକାଇ ଦେଇଛନ୍ତି ଯେ, ତୁମେ ମୋର ସନ୍ତାନ ଅଟ । ତେଣୁ ଆମେ ପରସ୍ପର ଭାଇ-ଭାଇ ହେଲେ ନା । ବାବାଙ୍କୁ ସ୍ମରଣ ମଧ୍ୟ କରୁଛନ୍ତି । ଜାଣିଛନ୍ତି ସିଏ ନିରାକାର ବାବା ଅଟନ୍ତି ତେଣୁ ନିଶ୍ଚିତ ଆତ୍ମାକୁ ମଧ୍ୟ ନିରାକାର ହିଁ କୁହାଯିବ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରୁଛି ଏବଂ ଅଭିନୟ କରୁଛି । କିନ୍ତୁ ମନୁଷ୍ୟମାନେ ପୁଣି ଆତ୍ମା ବଦଳରେ ନିଜକୁ ଶରୀର ଭାବି ନେଉଛନ୍ତି । ମୁଁ ଜଣେ ଆତ୍ମା, ଏକଥା ଭୁଲିଯାଉଛନ୍ତି । ମୁଁ କେବେ ଭୁଲେ ନାହିଁ । ତୁମେ ଆତ୍ମାମାନେ ସମସ୍ତେ ହେଉଛ ଶାଳିଗ୍ରାମ । ମୁଁ ହେଉଛି ପରମପିତା ଅର୍ଥାତ୍ ପରମଆତ୍ମା । ତାଙ୍କର ଅନ୍ୟ କୌଣସି ନାମ ନାହିଁ । ପରମାତ୍ମାଙ୍କର ନାମ ହେଉଛି ଶିବ । ତୁମେମାନେ ମଧ୍ୟ ଆତ୍ମା କିନ୍ତୁ ତୁମେ ସବୁ ଶାଳିଗ୍ରାମ ଅଟ । ଶିବଙ୍କ ମନ୍ଦିରକୁ ଯାଉଛ, ସେଠାରେ ମଧ୍ୟ ବହୁତ ଶାଳିଗ୍ରାମ ରଖିଥାନ୍ତି । ଶିବଙ୍କ ସହିତ ଶାଳିଗ୍ରାମର ମଧ୍ୟ ପୂଜା କରିଥାନ୍ତି । ସେଥିପାଇଁ ବାବା ବୁଝାଇଛନ୍ତି ଯେ, ତୁମର ଆତ୍ମା ଏବଂ ଶରୀର ଉଭୟର ପୂଜା ହୁଏ । ମୋର ତ କେବଳ ଆତ୍ମାର ହିଁ ପୂଜା ହେଉଛି । ମୋର ଶରୀର ନାହିଁ । ତେଣୁ ତୁମେମାନେ କେତେ ଉଚ୍ଚ । ବାବାଙ୍କୁ ତ ଖୁସି ଲାଗୁଛି ନା । ବାପା ଗରୀବ ଥିଲେ ମଧ୍ୟ ପିଲାମାନେ ପାଠ ପଢି କେତେ ଉପରକୁ ଉଠି ଯାଉଛନ୍ତି । କଣରୁ କଣ ହୋଇଯାଉଛନ୍ତି । ବାବା ମଧ୍ୟ ଜାଣିଛନ୍ତି ତୁମେ କେତେ ଉଚ୍ଚ ଥିଲ । ଏବେ କିଭଳି ଅନାଥ ହୋଇଯାଇଛ । ବାବାଙ୍କୁ ହିଁ ଜାଣିନାହଁ । ଏବେ ତୁମେମାନେ ବାବାଙ୍କର ହେଉଛ ତେଣୁ ସାରା ବିଶ୍ୱର ମାଲିକ ହୋଇଯାଉଛ ।

ବାବା କହୁଛନ୍ତି ମୋତେ କହୁଛ ହେଭେନ୍‌ଲୀ ଗଡ ଫାଦର ଅର୍ଥାତ୍ ସ୍ୱର୍ଗୀୟ ଈଶ୍ୱର ପିତା । ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ, ଏବେ ସ୍ୱର୍ଗର ସ୍ଥାପନା ହେଉଛି । ସେଠାରେ କଣ କଣ ହେବ ଏକଥା ତୁମ ବ୍ୟତୀତ ଆଉ କାହା ବୁଦ୍ଧିରେ ନାହିଁ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ବିଶ୍ୱର ମାଲିକ ଥିଲୁ, ଏବେ ପୁଣି ହେବାକୁ ଯାଉଛୁ । ପ୍ରଜାମାନେ ମଧ୍ୟ କହିବେ ମୁଁ ମାଲିକ ଅଟେ । ଏକଥା ତୁମମାନଙ୍କର ବୁଦ୍ଧିରେ ଅଛି, ତେଣୁ ତୁମେମାନେ ଖୁସିରେ ରହିବା ଉଚିତ୍ । ଏକଥା ନିଜେ ଶୁଣି ପୁଣି ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ । ସେଥିପାଇଁ ସେଣ୍ଟର୍ସ ଅଥବା ମିୟ୍ୟୁଜିୟମ୍ ଖୋଲି ଚାଲିଛି । ଯାହା କଳ୍ପ ପୂର୍ବରୁ ହୋଇଥିଲା ତାହା ହୋଇ ଚାଲିବ । ମିୟ୍ୟୁଜିୟମ୍ ଅଥବା ସେଣ୍ଟର୍ସ ପାଇଁ ତୁମମାନଙ୍କୁ ବହୁତ ପ୍ରସ୍ତାବ ଦେବେ ଆଗକୁ ବହୁତ ବାହାରିବେ । ସମସ୍ତଙ୍କର ହାଡ ନରମ ହୋଇଯାଉଛି ଅର୍ଥାତ୍ ଅହଂକାର ତୁଟିଯାଉଛି । ଏବେ ତୁମେମାନେ ସାରା ଦୁନିଆର ହାଡକୁ ନରମ କରୁଛ ଅର୍ଥାତ୍ ସାରା ଦୁନିଆର ଅହଂକାରକୁ ତୁଟାଇ ଦେଉଛ । ତୁମମାନଙ୍କର ଯୋଗରେ କେତେ ଜବରଦସ୍ତ ଶକ୍ତି ରହିଛି । ବାବା କହୁଛନ୍ତି ତୁମଠାରେ ବହୁତ ଶକ୍ତି ଅଛି । ତୁମେ ଯୋଗଯୁକ୍ତ ହୋଇ ଭୋଜନ ତିଆରି କଲେ ଏବଂ ଖୁଆଇଲେ ସେମାନଙ୍କର ବୁଦ୍ଧି ଏହି ଆଡକୁ ଆକର୍ଷିତ ହେବ । ଭକ୍ତିମାର୍ଗରେ ତ ଗୁରୁମାନଙ୍କର ଅଇଁଠା ମଧ୍ୟ ଖାଇଥାନ୍ତି । ତୁମେମାନେ ଜାଣିଛ ଯେ ଭକ୍ତିମାର୍ଗର ବହୁତ ବିସ୍ତାର ରହିଛି, ଯାହାର ବର୍ଣ୍ଣନା କରାଯାଇ ପାରିବ ନାହିଁ । ଏହା ବୀଜ ଏବଂ ତାହା ବୃକ୍ଷ ଅଟେ । ବୀଜର ବର୍ଣ୍ଣନା କରାଯାଇ ପାରିବ । ବାକି କାହାକୁ ଯଦି କୁହାଯିବ ଯେ, ଗଛର ସବୁ ପତ୍ରକୁ ଗଣତି କର ତେବେ କେହି ବି କରିପାରିବେ ନାହିଁ । ପତ୍ର ତ ଅସଂଖ୍ୟ ରହିଥାଏ । ବୀଜରେ ତ ପତ୍ରର ଲକ୍ଷଣ ଦେଖାଯାଇନଥାଏ । କେତେ ଆଶ୍ଚର୍ଯ୍ୟ ଅଟେ ନା । ଏହାକୁ ମଧ୍ୟ କୁଦରତ (ପ୍ରକୃତି) କୁହାଯିବ । କେତେ ୱାଣ୍ଡରଫୁଲ୍ ଜୀବଜନ୍ତୁ ଅଛନ୍ତି । ଅନେକ ପ୍ରକାରର କୀଟ ରହିଛନ୍ତି, କିପରି ଜନ୍ମ ହେଉଛନ୍ତି ? ଏହା ବହୁତ ବିଚିତ୍ର ଡ୍ରାମା ଅଟେ, ଏହାକୁ ହିଁ ପ୍ରକୃତି କୁହାଯାଉଛି । ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଖେଳ । ସତ୍ୟଯୁଗରେ କଣ କଣ ସବୁ ଦେଖିବ । ସେଠାରେ ସବୁ ନୂଆ ଜିନିଷ ହିଁ ଥିବ, ସବୁ କିଛି ନୂଆ ହେବ । ମୟୁର ପାଇଁ ତ ବାବା କହୁଛନ୍ତି ଏହାକୁ ଭାରତର ଜାତୀୟ ପକ୍ଷୀ କୁହାଯାଏ, କାହିଁକି ନା ଶ୍ରୀକୃଷ୍ଣଙ୍କର ମୁକୁଟରେ ମୟୁରର ପକ୍ଷୀ ଦେଖାନ୍ତି । ମୟୁର ଏବଂ ମୟୁରୀ ସୁନ୍ଦର ମଧ୍ୟ ଅଟନ୍ତି । ମୟୁରୀର ଗର୍ଭ ମଧ୍ୟ ଆଖିର ଲୁହ ଦ୍ୱାରା ହୋଇଥାଏ । ସେଥିପାଇଁ ଜାତୀୟ ପକ୍ଷୀ କୁହାଯାଏ । ଏପରି ସୁନ୍ଦର ପକ୍ଷୀ ବିଦେଶରେ ମଧ୍ୟ ଅଛନ୍ତି ।

ଏବେ ତୁମ ପିଲାମାନଙ୍କୁ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଯାଇଛି ଯାହାକି ଆଉ କେହି ଜାଣି ନାହାଁନ୍ତି । କୁହ, ଆମେ ତୁମକୁ ପରମପିତା ପରମାତ୍ମାଙ୍କର ଜୀବନକାହାଣୀ ବତାଉଛୁ । ଯେହେତୁ ସେ ରଚୟିତା ଅଟନ୍ତି ତେଣୁ ନିଶ୍ଚିତ ତାଙ୍କର ରଚନା ମଧ୍ୟ ଥିବେ । ତାଙ୍କର ଇତିହାସ-ଭୂଗୋଳକୁ ଆମେ ଜାଣିଛୁ । ଉଚ୍ଚରୁ ଉଚ୍ଚ ବେହଦ ବାବାଙ୍କର କଣ ପାର୍ଟ ରହିଛି ତାହା ଆମେ ଜାଣିଛୁ, ଦୁନିଆ ତ କିଛି ହେଲେ ଜାଣି ନାହିଁ । ଏହା ବହୁତ ଛି-ଛି ଦୁନିଆ ଅଟେ । ବର୍ତ୍ତମାନ ସମୟରେ ସୁନ୍ଦରତାରେ ମଧ୍ୟ ବିପଦ ରହିଛି । ଦେଖ ଝିଅମାନଙ୍କୁ କିପରି ଅପହରଣ କରି ନେଇ ଯାଉଛନ୍ତି । ତୁମେମାନଙ୍କୁ ତ ଏହି ବିକାରୀ ଦୁନିଆ ପ୍ରତି ଘୃଣା ଆସିବା ଉଚିତ୍ । ଏହା ଛି-ଛି ଦୁନିଆ ଏବଂ ଛି-ଛି ଶରୀର ଅଟେ । ଆମକୁ ତ ଏବେ ବାବାଙ୍କୁ ସ୍ମରଣ କରି ନିଜର ଆତ୍ମାକୁ ପବିତ୍ର କରିବାକୁ ହେବ । ଆମେ ସତ୍ତ୍ୱପ୍ରଧାନ ଥିଲେ ତେଣୁ ସୁଖୀ ଥିଲେ । ଏବେ ତମୋପ୍ରଧାନ ହୋଇଯାଇଛ ତେଣୁ ଦୁଃଖୀ ହୋଇଯାଇଛ, ପୁଣି ତୁମମାନଙ୍କୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏବେ ତୁମେମାନେ ଚାହୁଁଛ ଆମେ କିପରି ପତିତରୁ ପାବନ ହେବୁ । ଯଦିଓ ଗାୟନ କରୁଛନ୍ତି ପତିତ-ପାବନ କିନ୍ତୁ ନିଜ ପ୍ରତି ଟିକେ ହେଲେ ଘୃଣା ଆସୁନାହିଁ । ଏବେ ତୁମେମାନେ ଜାଣିଛ ଏହା ହେଉଛି ଛି-ଛି ଦୁନିଆ । ନୂଆ ଦୁନିଆରେ ଆମକୁ ଶରୀର ମଧ୍ୟ ଗୁଲ୍‌-ଗୁଲ୍ ଅର୍ଥାତ୍ ପବିତ୍ର ମିଳିବ । ଏବେ ଆମେମାନେ ଅମରପୁରୀର ମାଲିକ ହେବାକୁ ଯାଉଛୁ । ତେଣୁ ତୁମେମାନେ ସର୍ବଦା ଖୁସି ଏବଂ ହର୍ଷିତ ରହିବା ଉଚିତ୍ । ତୁମେମାନେ ବହୁତ ମଧୁର ସନ୍ତାନ ଅଟ । ବାବା ୫ ହଜାର ବର୍ଷ ପରେ ଆସି ପୁଣି ସେହି ସନ୍ତାନମାନଙ୍କ ସହିତ ମିଶୁଛନ୍ତି ତେଣୁ ନିଶ୍ଚୟ ଖୁସି ମିଳିବ ନା । ମୁଁ ପୁନର୍ବାର ସନ୍ତାନମାନଙ୍କ ସହିତ ମିଶିବା ପାଇଁ ଆସିଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ, ସେଥିପାଇଁ ପାଠପଢାର ନିଶା ମଧ୍ୟ ରହୁ ତା ସହିତ ନିଜର ଚରିତ୍ର ଉପରେ ମଧ୍ୟ ଧ୍ୟାନ ରହୁ । ଗୋଟିଏ ଦିନ ମଧ୍ୟ ପାଠପଢା ମିସ୍ କରିବାର ନାହିଁ । ଡେରୀରେ ଶ୍ରେଣୀକୁ ଆସି ଶିକ୍ଷକଙ୍କର ଅପମାନ କରିବାର ନାହିଁ ।

(୨) ଏହି ବିକାରୀ ଛି-ଛି ଦୁନିଆ ପ୍ରତି ଘୃଣା ଆସିବା ଉଚିତ୍ । ବାବାଙ୍କ ସ୍ମୃତି ଦ୍ୱାରା ନିଜର ଆତ୍ମାକୁ ପବିତ୍ର ସତ୍ତ୍ୱପ୍ରଧାନ କରିବାର ପୁରୁଷାର୍ଥ କରିବାକୁ ହେବ । ସର୍ବଦା ଖୁସି ଏବଂ ହର୍ଷିତ ମୁଖ ରହିବାକୁ ହେବ ।

ବରଦାନ:-
ଅନ୍ତବାହକ ଶରୀର ଅର୍ଥାତ୍ ନିଜର ସୂକ୍ଷ୍ମ ଶରୀର ଦ୍ୱାରା ସେବା କରୁଥିବା କର୍ମବନ୍ଧନମୁକ୍ତ ଡବଲ ଲାଇଟ୍ ହୁଅ ।

ଯେପରି ସ୍ଥୂଳ ଶରୀର ଦ୍ୱାରା ସାକାରୀ ଈଶ୍ୱରୀୟ ସେବାରେ ବ୍ୟସ୍ତ ରହୁଛ ସେହିପରି ନିଜର ଆକାରୀ ଅର୍ଥାତ୍ ସୂକ୍ଷ୍ମ ଶରୀର ଦ୍ୱାରା ଅନ୍ତବାହକ ସେବା ମଧ୍ୟ ଏକା ସାଥୀରେ କରିବାକୁ ହେବ । ଯେପରି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କାର୍ଯ୍ୟରେ ବୃଦ୍ଧି ହେଲା ସେହିପରି ବର୍ତ୍ତମାନ ତୁମମାନଙ୍କର ସୂକ୍ଷ୍ମ ଶରୀର ଦ୍ୱାରା, ଶିବ ଏବଂ ଶକ୍ତିମାନଙ୍କର ମିଳିତ ରୂପର ସାକ୍ଷାତ୍‌କାର ମାଧ୍ୟମରେ ସନ୍ଦେଶ ମିଳିବାର କାର୍ଯ୍ୟ ମଧ୍ୟ ହେବାକୁ ଯାଉଛି । କିନ୍ତୁ ଏହି ସେବା କରିବା ପାଇଁ କର୍ମ କରିବା ସମୟରେ ମଧ୍ୟ ସବୁ ପ୍ରକାରର କର୍ମବନ୍ଧନରୁ ମୁକ୍ତ ରହି ସର୍ବଦା ଡବଲ ଲାଇଟ୍ ସ୍ୱରୂପରେ ରୁହ ।

ସ୍ଲୋଗାନ:-
ନିଜର ସମ୍ମାନକୁ ତ୍ୟାଗ କରିବା ଦ୍ୱାରା ସମସ୍ତଙ୍କର ମାନନୀୟ ହେବାର ଭାଗ୍ୟ ପ୍ରାପ୍ତ ହୋଇଥାଏ ।