13.01.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମ ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ ବାହାରିବା ଉଚିତ୍‌, ତୁମର ଚେହେରା ସର୍ବଦା ହର୍ଷିତ ରହିବା ଉଚିତ୍‌ ।

ପ୍ରଶ୍ନ:-
ଯେଉଁ ପିଲାମାନେ ବ୍ରାହ୍ମଣ ଜୀବନରେ ଜ୍ଞାନର ଧାରଣା କରିଛନ୍ତି ସେମାନଙ୍କର ଲକ୍ଷଣ କିପରି ହୋଇଥିବ?

ଉତ୍ତର:-
(୧) ସେମାନଙ୍କର ଚାଲି-ଚଲଣ ଦେବତାଙ୍କ ଭଳି ହୋଇଥିବ, ସେମାନେ ଦୈବୀଗୁଣର ଧାରଣା କରିଥିବେ (୨) ସେମାନଙ୍କର ଜ୍ଞାନର ବିଚାର ସାଗର ମନ୍ଥନ କରିବାର ଅଭ୍ୟାସ ଥିବ । ସେମାନେ କେବେହେଲେ ଆସୁରୀ କଥାର ଅର୍ଥାତ୍ କାଦୁଅକୁ ମନ୍ଥନ କରିବେ ନାହିଁ । (୩) ସେମାନଙ୍କ ଜୀବନରୁ ଗାଳିଦେବା ଏବଂ ଗ୍ଲାନୀ ଅର୍ଥାତ୍ ନିନ୍ଦା କରିବା ସମାପ୍ତ ହୋଇଯାଇଥାଏ । (୪) ସେମାନଙ୍କର ମୁଖମଣ୍ଡଳ ସର୍ବଦା ହର୍ଷିତ ଅବସ୍ଥାରେ ଥାଏ ।

ଓମ୍ ଶାନ୍ତି ।
ବାବା ଆସି ଜ୍ଞାନ ଏବଂ ଭକ୍ତି ସମ୍ବନ୍ଧରେ ବୁଝାଉଛନ୍ତି । ଏକଥା ତ ପିଲାମାନେ ବୁଝିଗଲେଣି ଯେ ଭକ୍ତି ଦ୍ୱାରା ସଦ୍‌ଗତି ହୋଇନଥାଏ ଏବଂ ସତ୍ୟଯୁଗରେ ଭକ୍ତି ନଥାଏ । ଜ୍ଞାନ ମଧ୍ୟ ସତ୍ୟଯୁଗରେ ମିଳେ ନାହିଁ । କୃଷ୍ଣ ନା ଭକ୍ତି କରିଥାନ୍ତି ନା ଜ୍ଞାନର ମୁରଲୀ ବଜାଇଥାନ୍ତି । ମୁରଲୀ ଅର୍ଥାତ୍ ଜ୍ଞାନଦେବା । ଗାୟନ ମଧ୍ୟ ରହିଛି ନା ମୁରଲୀରେ ଯାଦୁ ଥିଲା । ତେବେ ନିଶ୍ଚିତ କୌଣସି ଯାଦୁ ଥିବ ନା! କେବଳ ମୁରଲୀ ବଜାଇବା, ତାହା ତ ସାଧାରଣ ଫକୀର ମାନେ ମଧ୍ୟ ବଜାଉଛନ୍ତି । କିନ୍ତୁ ଏହି ମୁରଲୀରେ ଜ୍ଞାନର ଯାଦୁ ଅଛି । ଅଜ୍ଞାନକୁ ଯାଦୁ କୁହାଯିବ ନାହିଁ । ସେଥିପାଇଁ ମୁରଲୀକୁ ଯାଦୁ କୁହାଯାଏ । ଜ୍ଞାନ ଦ୍ୱାରା ହିଁ ମନୁଷ୍ୟରୁ ଦେବତା ହୋଇଥାନ୍ତି । ସତ୍ୟଯୁଗ (ସ୍ୱର୍ଗ) ଏହି ଜ୍ଞାନ ଦ୍ୱାରା ମିଳୁଥିବା ସମ୍ପତ୍ତି ଅଟେ । ସେଠାରେ ଭକ୍ତି ନଥାଏ । ଦ୍ୱାପର ଯୁଗଠାରୁ ଭକ୍ତି ଆରମ୍ଭ ହୁଏ ଯେତେବେଳେ କି ଦେବତାରୁ ମନୁଷ୍ୟ ହୋଇଯାନ୍ତି । ମନୁଷ୍ୟମାନଙ୍କୁ ବିକାରୀ, ଦେବତାଙ୍କୁ ନିର୍ବିକାରୀ କୁହାଯାଏ । ଦେବତାମାନଙ୍କର ସୃଷ୍ଟିକୁ ପବିତ୍ର ଦୁନିଆ କୁହାଯାଏ । ଏବେ ତୁମେମାନେ ଦେବତା ହେବାକୁ ଯାଉଛ । ଜ୍ଞାନ କାହାକୁ କୁହାଯାଏ? ପ୍ରଥମେ ନିଜର ବା ବାବାଙ୍କର ପରିଚୟ ଏବଂ ଦ୍ୱିତୀୟରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ଜ୍ଞାନ କୁହାଯାଏ । ଜ୍ଞାନ ଦ୍ୱାରା ସଦ୍‌ଗତି ହୋଇଥାଏ । ପୁଣି ଯେତେବେଳେ ଭକ୍ତି ଆରମ୍ଭ ହୁଏ ତାକୁ ଅବନତିର କଳା ଅର୍ଥାତ୍ ପତନର ସମୟ ବୋଲି କୁହାଯାଏ କାରଣ ଭକ୍ତିକୁ ରାତି ଏବଂ ଜ୍ଞାନକୁ ଦିନ କୁହାଯାଏ । ଏକଥା ତ ଯେ କେହି ବି ବୁଝିପାରିବେ କିନ୍ତୁ ଦୈବୀଗୁଣର ଧାରଣା ହୋଇ ପାରୁନାହିଁ । ଯଦି ଦୈବୀଗୁଣ ଅଛି ତେବେ ବୁଝିବାକୁ ହେବ ଯେ, ଜ୍ଞାନର ଧାରଣା ଅଛି । ଜ୍ଞାନକୁ ଧାରଣ କରୁଥିବା ଆତ୍ମାମାନଙ୍କର ଚାଲି-ଚଳଣ ଦେବତାଙ୍କ ଭଳି ହୋଇଥାଏ । କମ ଧାରଣା କରୁଥିବା ଆତ୍ମାମାନଙ୍କର ମିଶ୍ରିତ ଅର୍ଥାତ୍ କିଛି ଆସୁରୀ କିଛି ଦୈବୀ ଚଳଣି ହୋଇଥାଏ । ଯଦି ଜ୍ଞାନର ଧାରଣା ନାହିଁ ତେବେ ସେମାନେ ମୋର ସନ୍ତାନ ମଧ୍ୟ ନୁହଁନ୍ତି । ଲୋକମାନେ ବାବାଙ୍କର କେତେ ନିନ୍ଦା କରୁଛନ୍ତି । କିନ୍ତୁ ବ୍ରାହ୍ମଣ କୁଳକୁ ଆସିଗଲା ପରେ ଗାଳିଦେବା, ଗ୍ଲାନୀ କରିବା ବନ୍ଦ ହୋଇଯାଏ । ତୁମକୁ ଏବେ ଜ୍ଞାନ ମିଳୁଛି, ଯାହାର ବିଚାର ସାଗର ମନ୍ଥନ କରିଲେ ଅମୃତ ମିଳିଥାଏ । ଯଦି ଏହି ଜ୍ଞାନର ବିଚାର ସାଗର ମନ୍ଥନ ହେଉନାହିଁ ତେବେ ବୁଦ୍ଧିରେ କଣ ମନ୍ଥନ ହେଉଥିବ? ଆସୁରୀ ବିଚାର । ସେଥିରୁ ତ କାଦୁଅ ହିଁ ବାହାରିବ । ଏବେ ତୁମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟ । ତୁମେ ଜାଣିଛ ଆମେ ମନୁଷ୍ୟରୁ ଦେବତା ହେବାର ପାଠ ପଢୁଛୁ । ଯେଉଁ ପାଠ ଦେବତାମାନେ ପଢାଇ ପାରିବେ ନାହିଁ । ଦେବତାମାନଙ୍କୁ କେବେ ଜ୍ଞାନର ସାଗର କୁହାଯିବ ନାହିଁ । ଜ୍ଞାନର ସାଗର ତ ଜଣଙ୍କୁ ହିଁ କୁହାଯାଏ । ଦୈବୀଗୁଣ ମଧ୍ୟ ଜ୍ଞାନ ଦ୍ୱାରା ହିଁ ଧାରଣ ହୋଇଥାଏ । ଏହି ଜ୍ଞାନ ଯାହାକି ବର୍ତ୍ତମାନ ତୁମମାନଙ୍କୁ ମିଳୁଛି ତାହା ସତ୍ୟଯୁଗରେ ନଥାଏ କିନ୍ତୁ ଦେବତାମାନଙ୍କ ଭିତରେ ଦେବୀଗୁଣ ଥାଏ । ତୁମେମାନେ ସେମାନଙ୍କର ମହିମା ମଧ୍ୟ କରୁଛ ସର୍ବଗୁଣ ସମ୍ପନ୍ନ... ତେବେ ବର୍ତ୍ତମାନ ତୁମକୁ ସେହିଭଳି ହେବାକୁ ପଡିବ । ତେଣୁ ନିଜକୁ ପଚାରିବା ଦରକାର ଯେ, ମୋ ଭିତରେ ସବୁ ଦୈବୀଗୁଣ ଅଛି ନା କୌଣସି ଆସୁରୀ ଅବଗୁଣ ଅଛି? ଯଦି ଆସୁରୀ ଅବଗୁଣ ଅଛି ତେବେ ତାକୁ ବାହାର କରିଦେବା ଦରକାର, ତେବେ ଯାଇ ଦେବତା କୁହାଯିବ । ନଚେତ୍ କମ୍ ପଦ ପାଇବ ।

ଏବେ ତୁମେ ପିଲାମାନେ ଦେବୀଗୁଣ ଧାରଣ କରୁଛ । ଅନ୍ୟମାନଙ୍କୁ ବହୁତ ଭଲ ଭଲ କଥା ଶୁଣାଉଛ । ଏହାକୁ ହିଁ ପୁରୁଷୋତ୍ତମ ସଂଗମଯୁଗ କୁହାଯାଉଛି ଯେତେବେଳେ କି ତୁମେମାନେ ପୁରୁଷୋତ୍ତମ ହେଉଛ, ତେଣୁ ବାତାବରଣ ମଧ୍ୟ ବହୁତ ଭଲ ହେବା ଦରକାର । ମୁଖରୁ କୌଣସି ଛି-ଛି କଥା ଅର୍ଥାତ୍ ବିକାରୀ କଥା ବାହାରିବା ଉଚିତ୍ ନୁହେଁ । ନଚେତ୍ କୁହାଯିବ ଇଏ ବହୁତ ଛୋଟ ପଦ ପାଇବ । ତେବେ ସବୁକିଛି କଥାବାର୍ତ୍ତା ଏବଂ ବାତାବରଣରୁ ତୁରନ୍ତ ଜଣା ପଡିଯାଇଥାଏ । ତୁମର ଚେହେରା ସର୍ବଦା ହର୍ଷିତ ରହିବା ଉଚିତ୍ ନଚେତ୍ କୁହାଯିବ ୟାଙ୍କ ଭିତରେ ଜ୍ଞାନ ନାହିଁ । ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ ବାହାରୁଥାଉ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖ କେତେ ହର୍ଷିତମୁଖ । କାରଣ ଏମାନଙ୍କର ଆତ୍ମା ଏହି ଜ୍ଞାନ ରତ୍ନକୁ ସମ୍ପୂର୍ଣ୍ଣ ରୂପେ ଧାରଣ କରିଥିଲା । ତେଣୁ ତାଙ୍କ ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ ବାହାରିଥାଏ । ସେହି ଜ୍ଞାନ ରତ୍ନକୁ ଶୁଣିବା ଏବଂ ଶୁଣାଇବା ଦ୍ୱାରା କେତେ ଖୁସି ମଧ୍ୟ ମିଳିଥାଏ । ଜ୍ଞାନ ରତ୍ନ ଯାହାକି ଏବେ ତୁମକୁ ମିଳୁଛି ତାହା ପୁଣି ଭବିଷ୍ୟତରେ ହୀରା-ନୀଳାରେ ପରିଣତ ହୋଇଯିବ । ନବ ରତ୍ନର ମାଳା କୌଣସି ହୀରା-ନୀଳାର ନୁହେଁ ତାହା ଏହି ଜ୍ଞାନ ରତ୍ନର ହିଁ ମାଳା ଅଟେ । ଯାହାକୁ ମନୁଷ୍ୟମାନେ ସ୍ଥୂଳ ରତ୍ନ ମନେ କରି ମୁଦି ଇତ୍ୟାଦି ତିଆରି କରି ପିନ୍ଧିଥାନ୍ତି । ଏହି ଜ୍ଞାନ ରତ୍ନର ମାଳା ପୁରୁଷୋତ୍ତମ ସଂଗମଯୁଗରେ ହିଁ ତୁମମାନଙ୍କ ଗଳାରେ ପଡିଥାଏ । ଏହି ରତ୍ନ ହିଁ ତୁମକୁ ଭବିଷ୍ୟତ ୨୧ ଜନ୍ମ ପାଇଁ ମାଲାମାଲ କରି ଦେଇଥାଏ । ଯାହାକୁ ତୁମଠାରୁ କେହି ବି ଲୁଟି ନେଇପାରିବେ ନାହିଁ । ଏଠାରେ ଯଦି ତୁମେ କୌଣସି ହୀରା-ନୀଳାର ଅଳଙ୍କାର ପିନ୍ଧିବ ତେବେ ତୁରନ୍ତ ଲୁଟିନେଇଯିବେ । ତେବେ ନିଜକୁ ବହୁତ ବହୁତ ବୁଦ୍ଧିମାନ କରିବାକୁ ହେବ । ଆସୁରୀ ଅବଗୁଣକୁ ନିଜ ଭିତରୁ ବାହାର କରିବାକୁ ହେବ । ଆସୁରୀ ଅବଗୁଣ ଦ୍ୱାରା ଚେହେରା ହିଁ ପରିବର୍ତ୍ତନ ହୋଇଯାଏ । କ୍ରୋଧ ଆସିଲେ ମୁହଁ ଯେପରି ତମ୍ବାଭଳି ଲାଲ ହୋଇଯାଏ । କାମରେ ଆସକ୍ତ ମନୁଷ୍ୟ ତ କଳା ଅର୍ଥାତ୍ ପତିତ ହୋଇଯାନ୍ତି । ତେବେ ପିଲାମାନଙ୍କୁ ପ୍ରତ୍ୟେକ କଥାରେ ବିଚାର ସାଗର ମନ୍ଥନ କରିବା ଦରକାର । କାରଣ ଏହି ପାଠପଢା ହିଁ ବହୁତ ଧନ ଉପାର୍ଜନ କରାଇଥାଏ । ଦୁନିଆର ପାଠପଢାକୁ ରତ୍ନ କୁହାଯିବ ନାହିଁ । ହଁ, ସେହି ପାଠପଢି ଚାକିରିରେ ଉଚ୍ଚପଦ ପାଇଯାଇଥାନ୍ତି । ତେବେ ପାଠପଢା କାମରେ ଆସେ, ନୁହେଁ କି ପଇସା । ତେଣୁ ବିଦ୍ୟା ହିଁ ଧନ ଅଟେ । ତାହା ହେଲା ବିନାଶୀ ଧନ, ଏହା ହେଲା ଅବିନାଶୀ ଧନ । କିନ୍ତୁ ଉଭୟ ପାଠପଢା ହିଁ ଅଟେ । ଏବେ ତୁମେମାନେ ଜାଣୁଛ ବାବା ଆମକୁ ପାଠପଢାଇ ବିଶ୍ୱର ମାଲିକ କରିଦେଉଛନ୍ତି । ତାହା ତ ଗୋଟିଏ ଜନ୍ମ ପାଇଁ ଅଳ୍ପକାଳ କ୍ଷଣଭଙ୍ଗୁର ପାଠପଢା ଅଟେ । ଯାହାକି ପରବର୍ତ୍ତି ଜନ୍ମରେ ନୂଆ ଭାବରେ ପଢିବାକୁ ପଡିବ । ସେଠାରେ ଅର୍ଥାତ୍ ସ୍ୱର୍ଗରେ ଧନ ଉପାର୍ଜନ ପାଇଁ ପାଠପଢିବାର ଆବଶ୍ୟକତା ନାହିଁ । ସେଠାରେ ତ ବର୍ତ୍ତମାନର ପୁରୁଷାର୍ଥ ଅନୁସାରେ ପ୍ରଚୁର ଧନ ମିଳିଯାଏ ଏବଂ ତାହା ମଧ୍ୟ ଅବିନାଶୀ ହୋଇଯାଏ । ଦେବତାମାନଙ୍କ ପାଖରେ ଧନ ବହୁତ ଥିଲା, ଭକ୍ତିମାର୍ଗ ଅର୍ଥାତ୍ ରାବଣ ରାଜ୍ୟରେ ମଧ୍ୟ କେତେ ସମ୍ପତ୍ତି ଥିଲା, କେତେ ମନ୍ଦିର ସବୁ ତିଆରି କରିଛନ୍ତି । ପରେ ମୁସଲମାନମାନେ ଆସି ଧନ ସବୁ ଲୁଟିନେଲେ । ସେମାନେ କେତେ ଧନବାନ ଥିଲେ! ଆଜିକାଲିର ପାଠପଢା ଦ୍ୱାରା ଏତେ ଧନବାନ କେହି ହୋଇପାରିବେ ନାହିଁ । ତୁମେ ଜାଣିଛ ଯେ ଆମେ ଏବେ ଏତେ ଉଚ୍ଚ ପାଠ ପଢୁଛୁ ଯାହାଦ୍ୱାରା ଦେବୀ-ଦେବତା ହୋଇଯାଉଛୁ । ତେବେ ଏହି ପାଠପଢା ଦ୍ୱାରା ଦେଖ ମନୁଷ୍ୟ କଣ ହୋଇପାରୁଛି । ଗରିବରୁ ସାହୁକାର । ଏବେ ଭାରତ କେତେ ଗରିବ ହୋଇଯାଇଛି । ସାହୁକାରଙ୍କୁ ତ ଫୁରସତ୍ ହିଁ ନାହିଁ । ସେମାନଙ୍କୁ ତ ନିଜର ଅହଂକାର ରହିଥାଏ । ମୁଁ ଅମୁକ ଅଟେ । ଏଥିରେ ତ ଅହଂକାର ଇତ୍ୟାଦି ସମାପ୍ତ ହୋଇଯିବା ଦରକାର । ମୁଁ ଆତ୍ମା, ଆତ୍ମା ନିକଟରେ ତ ଧନ-ଦୌଲତ, ହୀରା-ନୀଳା ଆଦି କିଛି ବି ନାହିଁ । ବାବା ମଧ୍ୟ କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ । ଆତ୍ମା ଶରୀର ଛାଡିଦେଲେ ତାର ସାହୁକାରୀ ଧନୀପଣିଆ ସମାପ୍ତ ହୋଇଯାଏ । ସିଏ ପରବର୍ତ୍ତୀ ଜନ୍ମରେ ପୁଣି ନୂଆ ଭାବରେ ପାଠପଢି ରୋଜଗାର ଜମା କରିବ ନଚେତ୍ ପୂର୍ବ ଜନ୍ମରେ ଯଦି ଭଲ ଦାନ-ପୁଣ୍ୟ ଆଦି କରିଥିବ ତେବେ ଧନୀ ପରିବାରରେ ଜନ୍ମ ନେବ । ସେଥିପାଇଁ କୁହାଯାଏ ପୂର୍ବ ଜନ୍ମର କର୍ମର ଫଳ । ଯଦି ଜ୍ଞାନର ଦାନ କରିଥିବେ ବା କଲେଜ-ଧର୍ମଶାଳା ଆଦି ତିଆରି କରିଥିବେ ତେବେ ତାର ଫଳ ତ ପରବର୍ତ୍ତୀ ଜନ୍ମରେ ମିଳିଥାଏ କିନ୍ତୁ ତାହା ମଧ୍ୟ ଅଳ୍ପକାଳ ପାଇଁ ଏବଂ ଦାନପୁଣ୍ୟ ମଧ୍ୟ ଏହିଠାରେ ହିଁ କରାଯାଏ, ସତ୍ୟଯୁଗରେ ନୁହେଁ । ସତ୍ୟଯୁଗରେ କେବଳ ଭଲ କର୍ମ ହିଁ ହୋଇଥାଏ କାରଣ ବର୍ତ୍ତମାନ ସମୟର ପୁରୁଷାର୍ଥ ଦ୍ୱାରା ସମ୍ପତ୍ତି ମିଳିଥାଏ । ସେଠାରେ କାହା ଦ୍ୱାରା ବିକର୍ମ ହୁଏ ନାହିଁ କାରଣ ରାବଣ ହିଁ ନଥାଏ । ସେଠାରେ ଗରିବମାନଙ୍କ ଦ୍ୱାରା ମଧ୍ୟ ବିକର୍ମ ହୁଏ ନାହିଁ । ଏଠାରେ ତ ଧନୀଲୋକମାନେ ମଧ୍ୟ ବିକର୍ମ କରୁଛନ୍ତି । ସେଥିପାଇଁ ତ ବେମାରୀ ଆଦି ଦ୍ୱାରା ଦୁଃଖ ମିଳୁଛି । ସେଠାରେ କେହି ବିକାରରେ ଯାନ୍ତି ହିଁ ନାହିଁ, ବିକର୍ମ କିପରି ହେବ । ତେବେ ସବୁ କିଛି କର୍ମ ଉପରେ ନିର୍ଭର କରୁଛନ୍ତି । ଏହା ମାୟା ଅଥବା ରାବଣର ରାଜ୍ୟ ଅଟେ ତେଣୁ ମନୁଷ୍ୟମାନେ ବିକାରୀ ହୋଇ ଯାଇଥାନ୍ତି । ଏବେ ବାବା ଆସି ନିର୍ବିକାରୀ ହେବା ପାଇଁ ପାଠ ପଢାଉଛନ୍ତି । ବାବା ନିର୍ବିକାରୀ କରୁଛନ୍ତି ମାୟା ପୁଣି ବିକାରୀ କରିଦେଉଛି । ରାମବଂଶୀ ଏବଂ ରାବଣ ବଂଶୀଙ୍କର ଯୁଦ୍ଧ ହେଉଛି । ତୁମେମାନେ ବାବାଙ୍କର ସନ୍ତାନ ଅଟ ସେମାନେ ରାବଣର ସନ୍ତାନ ଅଟନ୍ତି । କେତେ ଭଲ ଭଲ ସନ୍ତାନମାନେ ମଧ୍ୟ ମାୟାଠାରୁ ହାରିଯାଉଛନ୍ତି । ମାୟା ବହୁତ ଶକ୍ତିଶାଳୀ ଅଟେ । ତଥାପି ମଧ୍ୟ ଆଶା ରଖାଯାଉଛି କାରଣ ଅଧମରୁ ଅଧମ ଅର୍ଥାତ୍ ବିଲକୁଲ୍ ପତିତମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ପଡିଥାଏ ନା । ବାବାଙ୍କୁ ତ ସାରା ବିଶ୍ୱର ଉଦ୍ଧାର କରିବାକୁ ପଡିଥାଏ । ଏଭଳି ବହୁତ ଅଛନ୍ତି ଯେଉଁମାନେ ତଳକୁ ଖସିପଡିଥାନ୍ତି, ଏହି ମାର୍ଗରେ ଚାଲୁ ଚାଲୁ କାମ ବିକାରର ଅଧୀନ ହୋଇଯାଇଥାନ୍ତି । ତେବେ ସେମାନେ ନିଜର ହିଁ କ୍ଷତି କରୁଛନ୍ତି, ଏକଦମ ଅଧମରୁ ଅଧମ ହୋଇଯାଉଛନ୍ତି । ଏହିଭଳି ଆତ୍ମାମାନଙ୍କର ମଧ୍ୟ ବାବା ଉଦ୍ଧାର କରୁଛନ୍ତି । ରାବଣ ରାଜ୍ୟରେ ତ ସମସ୍ତେ ଅଧମ, କିନ୍ତୁ ବାବା ଆସି ସମସ୍ତଙ୍କର ରକ୍ଷା କରୁଛନ୍ତି । ତଥାପି ମଧ୍ୟ ଯେଉଁମାନେ ଖସି ପଡୁଛନ୍ତି ସେମାନେ ବହୁତ ଅଧମ ହୋଇଯାଉଛନ୍ତି । ସେମାନେ ପୁଣି ଉପରକୁ ଉଠିପାରନ୍ତି ନାହିଁ । ତାଙ୍କର ଅଧମପଣିଆ ଅର୍ଥାତ୍ ବିକାରୀ କର୍ମ ଭିତରେ ଭିତରେ ମନକୁ ଘାରିଥାଏ । ଯେପରି ତୁମେମାନେ କହୁଛ ଯେ ଅନ୍ତକାଳେ ଜୋ ସ୍ତ୍ରୀ ସିମରେ.... ଅର୍ଥାତ୍ ଅନ୍ତିମ ସମୟରେ ଯିଏ କାମ ବିକାରର ଇଚ୍ଛା ରଖିଥାଏ ତାର ପରବର୍ତ୍ତୀ ଜନ୍ମ ମଧ୍ୟ ଅତି ବିକାରୀମାନଙ୍କ ପାଖରେ ହୋଇଥାଏ । ତାଙ୍କ ବୁଦ୍ଧିରେ ସେହି ଅଧମ ପଣିଆ ହିଁ ମନେ ପଡିଥାଏ । ତେବେ ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । କଳ୍ପ କଳ୍ପ ତୁମେମାନେ ହିଁ ଦେବତା ହେଉଛ । ଜୀବଜନ୍ତୁମାନେ ତ ହେବେ ନାହିଁ । ମନୁଷ୍ୟମାନେ ହିଁ ହୋଇଥାନ୍ତି, ତେଣୁ ବାବା ବୁଝାଉଛନ୍ତି ଏହି ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ନାକ କାନ ଅଛି ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି ନା, କିନ୍ତୁ ସେମାନେ ଦୈବୀଗୁଣଧାରୀ ଥିଲେ ମନୁଷ୍ୟ ସେଥିପାଇଁ ତାଙ୍କୁ ଦେବତା କୁହାଯାଉଛି । ଏମାନେ ଏଭଳି ସୁନ୍ଦର ଦେବତା କିପରି ହେଉଛନ୍ତି ଏବଂ କିପରି ତଳକୁ ଖସୁଛନ୍ତି, ଏହି ଚକ୍ର ବିଷୟରେ ତୁମକୁ ଜ୍ଞାନ ମିଳିଗଲା । ଯେଉଁମାନେ ବିଚାର ସାଗର ମନ୍ଥନ କରୁଥିବେ ସେମାନଙ୍କର ଧାରଣା ମଧ୍ୟ ବହୁତ ଭଲ ହୋଇଥିବ । ଯେଉଁମାନେ ବିଚାର ସାଗର ମନ୍ଥନ କରନ୍ତି ନାହିଁ ସେମାନେ ନିର୍ବୋଧ ଅଟନ୍ତି । ଯେଉଁମାନେ ମୁରଲୀ ଶୁଣାନ୍ତି ସେମାନଙ୍କ ବୁଦ୍ଧିରେ ବିଚାର ସାଗର ମନ୍ଥନ ଚାଲିଥାଏ । ଏହି ବିଷୟ ଉପରେ ଏହି କଥା ସବୁ ବୁଝାଇବି । ତାଙ୍କ ଭିତରେ ଆପେ ଆପେ ବିଚାର ସାଗର ମନ୍ଥନ ଚାଲିଥାଏ । ଅମୁକ-ଅମୁକ ବୁଝିବା ପାଇଁ ଆସିବେ ତେଣୁ ସେମାନଙ୍କୁ ବହୁତ ଉତ୍ସାହର ସହିତ ବୁଝାଇବି, ହୋଇପାରେ ସେମାନେ ବୁଝିଯାଇପାରନ୍ତି । ତେବେ ସବୁ କିଛି ତାଙ୍କ ଭାଗ୍ୟ ଉପରେ ନିର୍ଭର କରେ । କାହାର ତୁରନ୍ତ ନିଶ୍ଚୟ ହୋଇଯାଇଥାଏ ତ କାହାର ହୁଏ ନାହିଁ । ତଥାପି ଆଶା ରଖାଯାଏ । ଏବେ ବୁଝିନାହାଁନ୍ତି ସମୟ ଆସିଲେ ନିଶ୍ଚିତ ବୁଝିବେ । ଆଶା ରଖିବା ଦରକାର ନା । ଆଶା ରଖିବା ଅର୍ଥାତ୍ ସେବାର ସଉକ ଅଛି । ଏଥିରେ ଥକିଯିବାର ନାହିଁ । ଯଦିଓ କେହି-କେହି ଜ୍ଞାନକୁ ବୁଝିବା ପରେ ମଧ୍ୟ ଅଧମ ଅର୍ଥାତ୍ ବିକାରୀ ହୋଇଯାଇଛନ୍ତି କିନ୍ତୁ ପୁଣି ଯଦି ଆସୁଛନ୍ତି ତେବେ ନିଶ୍ଚିତ ତାଙ୍କୁ ଭିଜିଟିଂ ରୁମ ଅର୍ଥାତ୍ ବୈଠକ ଗୃହରେ ବସାଇବା ଉଚିତ୍ । ନୁହେଁ କି ଚାଲିଯିବାକୁ କହିବ ? ତାଙ୍କୁ ପଚାରିବା ଉଚିତ୍ ଯେ, ଏତେ ଦିନ ହେଲା କାହିଁକି ଆସୁନଥିଲ । ସେମାନେ କହିବେ ଯେ, ମାୟାଠାରୁ ହାରିଯାଇଥିଲି । ଏହିଭଳି ଅନେକ ପିଲା ଆସୁଛନ୍ତି । ସେମାନେ ଜାଣିଛନ୍ତି ଜ୍ଞାନ ବହୁତ ଭଲ କିନ୍ତୁ ମାୟା ମୋତେ ହରାଇଦେଲା । ଜ୍ଞାନର ସ୍ମୃତି ତ ରହିଥାଏ ନା । ଭକ୍ତିରେ ତ ହାରିବା ଏବଂ ଜିତିବାର କଥା ନଥାଏ । ତେବେ ଏହି ଜ୍ଞାନକୁ ଧାରଣା କରିବାକୁ ହେବ । ଏବେ ତୁମେ ବାବାଙ୍କ ଦ୍ୱାରା ସତ୍ୟ ଗୀତା ଶୁଣୁଛ ଯାହାଦ୍ୱାରା ଦେବତା ହୋଇଯାଉଛ । ଯେପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ ସେପର୍ଯ୍ୟନ୍ତ ଦେବତା ହୋଇପାରିବ ନାହିଁ । ଖ୍ରୀଷ୍ଟିୟାନ୍‌, ପାର୍ସୀ ଏବଂ ମୁସଲମାନ ଧର୍ମରେ ବ୍ରାହ୍ମଣ ନଥାନ୍ତି । ଏହି ସବୁ କଥାକୁ ଏବେ ତୁମେ ଜାଣୁଛ ।

ତୁମେମାନେ ଜାଣିଛ, ଏବେ ଅଲଫ ଅର୍ଥାତ୍ ବାବାଙ୍କୁ ମନେ ପକାଇବାକୁ ହେବ । ସେହି ଅଲଫଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ସତ୍ୟଯୁଗୀ ରାଜତ୍ୱ ପ୍ରାପ୍ତି ହୋଇଥାଏ । ଯେତେବେଳେ ବି ତୁମକୁ କେହି ମୁସଲମାନ ଆଦି ମିଳିଯାଉଛନ୍ତି ତେବେ ତାଙ୍କୁ କୁହ ଅଲଫଙ୍କୁ ସ୍ମରଣ କର । ଅଲଫଙ୍କୁ ହିଁ ଉଚ୍ଚରୁ ଉଚ୍ଚ କୁହାଯାଏ । ଆଙ୍ଗୁଳି ଉପରକୁ କରି ଅଲଫଙ୍କ ଆଡକୁ ଇଙ୍ଗିତ କରିଥାନ୍ତି ନା । ଅଲଫ କେବଳ ଜଣେ ବୋଲି ମଧ୍ୟ କୁହାଯାଏ । ଭଗବାନ କେବଳ ସେହି ଜଣେ ହିଁ ଅଟନ୍ତି । ବାକି ତ ସମସ୍ତେ ହେଲେ ତାଙ୍କର ସନ୍ତାନ । ବାବା ତ ସର୍ବଦା ଅଲଫ ହିଁ ଅଟନ୍ତି । ସିଏ ସତ୍ୟଯୁଗରେ ରାଜତ୍ୱ କରନ୍ତି ନାହିଁ । ସିଏ ଜ୍ଞାନ ମଧ୍ୟ ଦେଇଥାନ୍ତି ଏବଂ ନିଜର ସନ୍ତାନ ମଧ୍ୟ କରିଥାନ୍ତି । ତେବେ ସଦା ସର୍ବଦା ଖୁସିରେ ରହିବା ଦରକାର ଯେ, ବାବା ଆମର କେତେ ସେବା କରୁଛନ୍ତି । ଆମକୁ ବିଶ୍ୱର ମାଲିକ କରୁଛନ୍ତି କିନ୍ତୁ ନିଜେ ସେହି ପବିତ୍ର ନୂଆ ଦୁନିଆରେ ଜନ୍ମ ନେଉ ନାହାଁନ୍ତି । ବାବା କହୁଛନ୍ତି ପବିତ୍ର ଦୁନିଆକୁ ମୋତେ କେହି ବି ଡାକନ୍ତି ନାହିଁ । ପତିତ ମନୁଷ୍ୟମାନେ ଏହି ପତିତ ଦୁନିଆକୁ ହିଁ ଡାକିଥାନ୍ତି । ପବିତ୍ର ଦୁନିଆକୁ ଆସି ସେ କଣ କରିବେ । ତାଙ୍କର ତ ନାମ ହିଁ ପତିତ-ପାବନ ଅଟେ । ତେଣୁ ପୁରୁଣା ଦୁନିଆକୁ ପବିତ୍ର କରିବା ତାଙ୍କର କର୍ତ୍ତବ୍ୟ । ବାବାଙ୍କର ନାମ ହେଲା ଶିବ ଏବଂ ପିଲାମାନଙ୍କୁ ଶାଳଗ୍ରାମ କୁହାଯାଏ । ସେମାନଙ୍କର ପୂଜା ହୋଇଥାଏ । ତାଙ୍କୁ ଶିବବାବା ବୋଲି କହି ସମସ୍ତେ ମନେ ପକାଇଥାନ୍ତି । ଆହୁରି ମଧ୍ୟ ବ୍ରହ୍ମାଙ୍କୁ ବାବା ବୋଲି କୁହାଯାଏ । ପ୍ରଜାପିତା ବ୍ରହ୍ମା ବୋଲି କହିଥାନ୍ତି କିନ୍ତୁ ତାଙ୍କୁ ଯଥାର୍ଥ ଭାବରେ କେହି ଜାଣିନାହାଁନ୍ତି, ବ୍ରହ୍ମା କାହାର ସନ୍ତାନ । ତୁମେ କହିବ ପରମପିତା ପରମାତ୍ମା ଶିବ ହିଁ ତାଙ୍କୁ ସନ୍ତାନ ରୂପରେ ଗ୍ରହଣ କରିଛନ୍ତି । ଇଏ (ବ୍ରହ୍ମା) ତ ଶରୀରଧାରୀ ଅଟନ୍ତି ନା । ସବୁ ଆତ୍ମା ଈଶ୍ୱରଙ୍କର ସନ୍ତାନ ଅଟନ୍ତି ନା । ସବୁ ଆତ୍ମାଙ୍କର ନିଜ ନିଜର ଶରୀର ଅଛି । ସର୍ବ ଆତ୍ମାମାନଙ୍କୁ ଅଲଗା ଅଲଗା ପାର୍ଟ ମିଳିଛି ଯେଉଁ ପାର୍ଟ ସମସ୍ତଙ୍କୁ ବଜାଇବାକୁ ହିଁ ହେବ । ଏହା ପରମ୍ପରାରୁ ଚାଲି ଆସିଛି । ଅନାଦି ଅର୍ଥାତ୍ ଯାହାର ଆଦି ଅନ୍ତ ନାହିଁ । ଲୋକମାନେ ଯେତେବେଳେ ଶୁଣୁଛନ୍ତି ଯେ ଦୁନିଆ ବିନାଶ ହେବାକୁ ଯାଉଛି ତେଣୁ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି, ପୁଣି ତିଆରି ହେବ କିପରି । ବାବା ବୁଝାଉଛନ୍ତି ଏହା ଅନାଦି ଅବିନାଶୀ ଅଟେ । କେବେ ତିଆରି ହୋଇଛି ଏକଥା ପଚରାଯାଇ ପାରିବ ନାହିଁ । ଶାସ୍ତ୍ରରେ ଯେଉଁଭଳି ଅତିରଞ୍ଜିତ କରି ଲେଖିଦେଇଛନ୍ତି ବାସ୍ତବରେ ସେହିଭଳି ପ୍ରଳୟ ଅର୍ଥାତ୍ ସମ୍ପୂର୍ଣ୍ଣ ଧ୍ୱଂସ କେବେ ବି ହୁଏ ନାହିଁ । ସତ୍ୟଯୁଗରେ ବହୁତ କମ ସଂଖ୍ୟକ ମନୁଷ୍ୟ ରହନ୍ତି ସେଥିପାଇଁ କହନ୍ତି ସମ୍ପୂର୍ଣ୍ଣ ପ୍ରଳୟ ହୋଇଥିଲା ବୋଲି କୁହାଯାଉଛି । ବାବାଙ୍କ ଭିତରେ ଯେଉଁ ଜ୍ଞାନ ଅଛି ତାହା ଏବେ ହିଁ ପ୍ରକଟ ହେଉଛି । ସେଥିପାଇଁ କୁହାଯାଏ ଯେ ସାରା ସାଗରକୁ କାଳି କରିଦେଲେ ମଧ୍ୟ ଜ୍ଞାନର ଅନ୍ତ ହୋଇପାରିବ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ହର୍ଷିତମୁଖ ଚେହେରା ଦ୍ୱାରା ବାବାଙ୍କର ନାମକୁ ବିଖ୍ୟାତ କରିବାକୁ ହେବ । ଜ୍ଞାନ ରତ୍ନକୁ ହିଁ ଶୁଣିବାକୁ ହେବ ଏବଂ ଶୁଣାଇବାକୁ ହେବ । ଗଳାରେ ସର୍ବଦା ଜ୍ଞାନ ରତ୍ନର ମାଳା ହିଁ ପଡିରହିଥାଉ । ଆସୁରୀ ଅବଗୁଣ ଗୁଡିକୁ ବାହାର କରିଦେବାକୁ ହେବ ।

(୨) ସେବାରେ କେବେ ହେଲେ ଥକିଯିବାର ନାହିଁ । ଅଶାବାଦୀ ହୋଇ ବଡ ଆଗ୍ରହର ସହିତ ସେବା କରିବାକୁ ହେବ । ବିଚାର ସାଗର ମନ୍ଥନ କରି ସର୍ବଦା ପ୍ରଫୁଲ୍ଲିତ ରହିବାକୁ ହେବ ।

ବରଦାନ:-
ସ୍ନେହର ପ୍ରତିଦାନରେ ସମାନତାର ଅନୁଭବ କରୁଥିବା ସର୍ବଶକ୍ତି ସମ୍ପନ୍ନ ହୁଅ ।

ଯେଉଁ ପିଲାମାନେ ବାବାଙ୍କର ସ୍ନେହରେ ସଦାସର୍ବଦା ବୁଡି ରହୁଛନ୍ତି ସେମାନଙ୍କୁ ସ୍ନେହର ପ୍ରତିଦାନ ସ୍ୱରୂପ ସମାନ ହେବାର ବରଦାନ ପ୍ରାପ୍ତ ହୋଇଯାଉଛି । ଯେଉଁମାନେ ସର୍ବଦା ସ୍ନେହଯୁକ୍ତ ଏବଂ ଯୋଗଯୁକ୍ତ ଅବସ୍ଥାରେ ରହିଥାନ୍ତି ସେମାନେ ସ୍ୱତଃ ଭାବରେ ସର୍ବଶକ୍ତି ସମ୍ପନ୍ନ ହୋଇଯାଆନ୍ତି । ଯଦି ସର୍ବଶକ୍ତି ସାଥୀରେ ରହିବ ତେବେ ବିଜୟ ମଧ୍ୟ ସୁନିଶ୍ଚିତ । ସର୍ବଶକ୍ତିବାନ ବାବା ମୋ ସାଥୀରେ ଅଛନ୍ତି - ଏହି ସ୍ମୃତିରେ ରହୁଥିବା ଆତ୍ମା କେବେହେଲେ କୌଣସି କଥାରେ ବିଚଳିତ ହୋଇପାରିବେ ନାହିଁ ।

ସ୍ଲୋଗାନ:-
ପୁରୁଷାର୍ଥୀ ଜୀବନରେ ଯେଉଁମାନେ ସର୍ବଦା ସନ୍ତୁଷ୍ଟ ଏବଂ ଖୁସିରେ ରହିଥାନ୍ତି ସେହିମାନେ ହିଁ ସୌଭାଗ୍ୟଶାଳୀ ଅଟନ୍ତି ।