13.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଏଠାରେ
ତୁମକୁ ସୁଖ-ଦୁଃଖ, ମାନ-ଅପମାନ... ସବୁ କିଛି ସହନ କରିବାର ଅଛି, ପୁରୁଣା ଦୁନିଆର ସୁଖରୁ
ବୁଦ୍ଧିକୁ ଫେରାଇ ଆଣିବାକୁ ହେବ, ନିଜ ମତରେ ଚାଲିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
ଦୈବୀ ଜନ୍ମଠାରୁ
ମଧ୍ୟ ଏହି ଜନ୍ମ ବହୁତ ଭଲ, କିପରି?
ଉତ୍ତର:-
ଏହି ଜନ୍ମରେ ତୁମେ ପିଲାମାନେ ଶିବବାବାଙ୍କର ଭଣ୍ଡାରରୁ ଖାଉଛ । ଏଠାରେ ତୁମେମାନେ ଅମାପ ରୋଜଗାର
କରୁଛ, ତୁମେମାନେ ବର୍ତ୍ତମାନ ବାବାଙ୍କର ଶରଣ ନେଇଛ । ଏହି ଜନ୍ମରେ ତୁମେମାନେ ବର୍ତ୍ତମାନର ଜନ୍ମ
ସହିତ ଭବିଷ୍ୟତର ଅନେକ ଜନ୍ମକୁ ସୁଖମୟ କରୁଛ । ସୁଦାମା ଭଳି ଦୁଇମୁଠା ଚାଉଳ ଦେଇ୨୧ ଜନ୍ମ ପାଇଁ
ରାଜତ୍ୱ ପ୍ରାପ୍ତି କରୁଛ ।
ଗୀତ:-
ଚାହେ ପାସ ହୋ
ଚାହେ ଦୂର ହୋ....
ଓମ୍ ଶାନ୍ତି ।
ଏହି ଗୀତର ଅର୍ଥ
କେତେ ସୁନ୍ଦର । ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି - ମୁଁ ଏହି ଶରୀରରେ ଥାଏ କିମ୍ବା ଦୂରରେ
ଥାଏ, ସମ୍ମୁଖରେ ତୁମମାନଙ୍କୁ ରାଜଯୋଗର ଶିକ୍ଷା ଦେଉଛି । ପ୍ରେରଣା ଦ୍ୱାରା ତ ଦେବି ନାହିଁ ନା ।
ଚାହେଁ ମୁଁ ନିକଟରେ ଥାଏ ବା ଦୂରରେ ଥାଏ - ସ୍ମରଣ ତ ତୁମକୁ ମୋତେ ହିଁ କରିବାକୁ ହେବ । ସମସ୍ତେ
ତ ଭଗବାନଙ୍କ ପାଖକୁ ଯିବା ପାଇଁ ହିଁ ଭକ୍ତି କରିଥାନ୍ତି । ବାବା ବସି ବୁଝାଉଛନ୍ତି - ହେ ଜୀବ
ଆତ୍ମାମାନେ, ଏହି ଶରୀରରେ ନିବାସ କରୁଥିବା ଆତ୍ମାମାନେ, ଏହିପରି ଆତ୍ମାମାନଙ୍କ ସହିତ ପରମପିତା
ପରମାତ୍ମା କଥା ହେଉଛନ୍ତି । ପରମାତ୍ମାଙ୍କୁ ଆତ୍ମାମାନଙ୍କ ସହିତ ନିଶ୍ଚିତ ମିଶିବାକୁ ହେବ ।
ସେଥିପାଇଁ ଜୀବ ଆତ୍ମାମାନେ ଭଗବାନଙ୍କୁ ମନେପକାଉଛନ୍ତି କାହିଁକି ନା ସମସ୍ତେ ଦୁଃଖୀ ହୋଇଯାଇଛନ୍ତି
। ସତ୍ୟଯୁଗରେ ତ କେହି ମନେ ପକାଉ ନାହାଁନ୍ତି । ଏବେ ତୁମେମାନେ ଜାଣୁଛ ଯେ ଆମେ ବହୁତ ପୁରୁଣା
ଭକ୍ତ ଅଟୁ । ଯେବେଠାରୁ ଆମକୁ ମାୟା ଗ୍ରାସ କରିଛି, ସେବେଠାରୁ ଭଗବାନଙ୍କୁ, ଶିବଙ୍କୁ ମନେ ପକାଇବା
ଆରମ୍ଭ ହୋଇଛି କାହିଁକି ନା ଶିବବାବା ଆମକୁ ସ୍ୱର୍ଗର ମାଲିକ କରିଥିଲେ, ତେଣୁ ତାଙ୍କର ସ୍ମାରକୀ
ତିଆରି କରି ଆମେମାନେ ଭକ୍ତି କରୁଛୁ । ଏବେ ତୁମେମାନେ ଜାଣୁଛ ଯେ, ବାବା ସମ୍ମୁଖକୁ ଆସିଛନ୍ତି
ଆମକୁ ଘରକୁ ନେଇଯିବା ପାଇଁ, କାହିଁକି ନା ଏବେ ଆମକୁ ବାବାଙ୍କ ପାଖକୁ ଯିବାକୁ ହେବ ।
ଯେପର୍ଯ୍ୟନ୍ତ ଏଠାରେ ଅଛୁ ସେପର୍ଯ୍ୟନ୍ତ ଏହି ପୁରୁଣା ଶରୀରକୁ, ପୁରୁଣା ଦୁନିଆକୁ ବୁଦ୍ଧିରୁ
ଭୁଲିବାକୁ ହେବ ଏବଂ ଯୋଗଯୁକ୍ତ ହୋଇ ମଧ୍ୟ ରହିବାକୁ ହେବ । ଏହି ଯୋଗ ଅଗ୍ନି ଦ୍ୱାରା ହିଁ ତୁମର
ପାପ ଭସ୍ମ ହେବ । କିନ୍ତୁ ଏଥିରେ ବହୁତ ପରିଶ୍ରମ କରିବାକୁ ହୋଇଥାଏ । ଏହା ଦ୍ୱାରା ତୁମକୁ ପଦ
ମଧ୍ୟ ଜବରଦସ୍ତ ମିଳିଥାଏ । ତୁମକୁ ବିଶ୍ୱର ମାଲିକ ହେବାକୁ ପଡିବ । ମନୁଷ୍ୟମାନେ କହୁଛନ୍ତି ଯେ
ବିଶ୍ୱର ମାଲିକ ତ ଶିବବାବା ଅଟନ୍ତି । କିନ୍ତୁ ନାଁ, ବିଶ୍ୱର ମାଲିକ ତ ମନୁଷ୍ୟମାନେ ହିଁ
ହେଉଛନ୍ତି । ବାବା ଆସି ପିଲାମାନଙ୍କୁ ବିଶ୍ୱର ମାଲିକ କରୁଛନ୍ତି । କହୁଛନ୍ତି ତୁମେମାନେ ହିଁ
ବିଶ୍ୱର ମାଲିକ ତ ଥିଲ, ପୁଣି ୮୪ ଜନ୍ମ ନେଇ ଏବେ କଉଡିର ମଧ୍ୟ ମାଲିକ ହୋଇ ନାହଁ । ତୁମର ପ୍ରଥମ
ଜନ୍ମ ଏବଂ ବର୍ତ୍ତମାନ ସମୟର ଅନ୍ତିମ ଜନ୍ମ ଭିତରେ ଦେଖ କେତେ ରାତି ଦିନର ଫରକ ରହିଛି । କିନ୍ତୁ
ଏକଥା ଯେପର୍ଯ୍ୟନ୍ତ ବାବା ଆସି ସାକ୍ଷାତ୍କାର ନ କରାଇଛନ୍ତି କାହାର ମନେ ପଡିବ ନାହିଁ । ଜ୍ଞାନ
ବୁଦ୍ଧି ଦ୍ୱାରା ମଧ୍ୟ ସାକ୍ଷାତ୍କାର ହୋଇଥାଏ । ଯେଉଁମାନେ ବୁଦ୍ଧିମାନ ସନ୍ତାନ, ପ୍ରତ୍ୟେକ ଦିନ
ବାବାଙ୍କୁ ସ୍ମରଣ କରୁଛନ୍ତି, ସେମାନଙ୍କୁ ବହୁତ ମଜା ଲାଗିବ । ଏଠାରେ ତୁମେ ସବୁ ନୂଆ କଥା ଶୁଣୁଛ
। ମନୁଷ୍ୟମାନେ ତ କିଛି ବି ଜାଣିନାହାଁନ୍ତି । ସେମାନେ କାହାଣୀ କହି ଚାଲିଛନ୍ତି ଏବଂ
ଦ୍ୱାର-ଦ୍ୱାର ଧକ୍କା ଖାଇ ଚାଲିଛନ୍ତି । ତୁମମାନଙ୍କୁ ତ ଏଣେ ତେଣେ ଘୂରି ବୁଲିବାରୁ ବାବା ମୁକ୍ତ
କରୁଛନ୍ତି । ବାବା କହୁଛନ୍ତି - ତୁମେ ଆତ୍ମା ଅଟ, କେବଳ ମୋତେ ମନେ ପକାଇ ଚାଲ । ତୁମମାନଙ୍କ
ବୁଦ୍ଧିରେ ଏହି କଥା ରହୁ ଯେ, ଆମ ଆତ୍ମାମାନଙ୍କୁ ବାବାଙ୍କ ପାଖକୁ ଯିବାକୁ ହେବ, ଏହି ସୃଷ୍ଟି
ଯେପରି ଆମ ପାଇଁ ଉଦ୍ଧିଷ୍ଟ ନୁହେଁ । ପୁରୁଣା ଦୁନିଆ ତ ଶେଷ ହୋଇଯିବ ପୁଣି ଆମେ ସ୍ୱର୍ଗକୁ ଯାଇ
ନୂଆ ମହଲ ତିଆରି କରିବୁ । ଦିନରାତି ତୁମ ବୁଦ୍ଧିରେ ଏହି କଥା ରହିବା ଦରକାର । ବାବା ନିଜର ଅନୁଭବ
ଶୁଣାଉଛନ୍ତି । ରାତ୍ରିରେ ଶୋଇବା ସମୟରେ ମୋର ଏହି ଖିଆଲ ଚାଲୁଛି । ଏହି ନାଟକ ବର୍ତ୍ତମାନ ଶେଷ
ହେବାକୁ ଯାଉଛି, ଏବେ ଏହି ପୁରୁଣା ଶରୀରକୁ ଛାଡିବାକୁ ହେବ । ହଁ ବିକର୍ମର ବୋଝ ବହୁତ ରହିଛି,
ସେଥିପାଇଁ ନିରନ୍ତର ବାବାଙ୍କୁ ମନେ ପକାଇବାକୁ ହେବ । ନିଜର ଅବସ୍ଥାକୁ ହୃଦୟ ରୂପୀ ଦର୍ପଣରେ
ଦେଖିବାକୁ ହେବ ଯେ - ମୋର ବୁଦ୍ଧି ସମସ୍ତଙ୍କଠାରୁ ହଟିଛି? କର୍ମଧନ୍ଦାରେ ରହି ମଧ୍ୟ ବୁଦ୍ଧି
ଦ୍ୱାରା କାମ କରିପାରିବ । ବାବାଙ୍କ ଉପରେ କେତେ ଦାୟିତ୍ୱ ରହିଛି ଏବଂ ତାଙ୍କର କେତେ ଢେର ସନ୍ତାନ
ଅଛନ୍ତି । ସେମାନଙ୍କର ପୁଣି ଖିଆଲ ରଖିବାକୁ ପଡୁଛି । ପିଲାମାନଙ୍କୁ ଶରଣ ମଧ୍ୟ ଦେବାକୁ ହେବ ।
ବହୁତ ଦୁଃଖୀ ହୋଇଯାଇଛନ୍ତି ନା । କେତେ ଗଣ୍ଡଗୋଳ ହେଉଛି କେତେ ଦୁଃଖୀ ହୋଇ ମରୁଛନ୍ତି । ଏବେ ସମୟ
ବହୁତ ଖରାପ । ତେଣୁ ପିଲାମାନଙ୍କୁ ଶରଣ ଦେବା ପାଇଁ ଏହି ଘର ତିଆରି ହେଉଛି । ଏଠାରେ ତ ନିଜ
ପିଲାମାନେ ହିଁ ରହୁଛନ୍ତି । କୌଣସି ପ୍ରକାରର ଭୟ ନାହିଁ ପୁଣି ଯୋଗବଳ ମଧ୍ୟ ରହିଛି । ପିଲାମାନେ
ସାକ୍ଷାତ୍କାର ମଧ୍ୟ କରିଛନ୍ତି । ଯେଉଁମାନେ ବାବାଙ୍କୁ ଠିକ୍ ଭାବରେ ସ୍ମରଣ କରିଥାନ୍ତି, ବାବା
ସେମାନଙ୍କର ରକ୍ଷା କରନ୍ତି । ଶତ୍ରୁକୁ ଭୟଙ୍କର ରୂପ ଦେଖାଇ ତଡିଦିଅନ୍ତି । ଯେ ପର୍ଯ୍ୟନ୍ତ ଶରୀର
ଅଛି, ସେ ପର୍ଯ୍ୟନ୍ତ ତୁମକୁ ଯୋଗଯୁକ୍ତ ହୋଇ ରହିବାକୁ ହେବ । ନଚେତ୍ ଦଣ୍ଡ ଭୋଗ କରିବାକୁ ପଡିବ ।
ଯେପରି ବଡ ବଡ ଘରର ପିଲାମାନେ ଦଣ୍ଡ ପାଇଲେ ତାଙ୍କର ସମ୍ମାନ ହାନି ହୋଇଥାଏ । ସେହିପରି ତୁମକୁ
ମଧ୍ୟ ନିଜର ସମ୍ମାନ ହରାଇବାକୁ ପଡିବ । ପିଲାମାନଙ୍କ ପାଇଁ ତ ଆହୁରି କଠୋର ଦଣ୍ଡ ରହିଛି ।
କେହି-କେହି ଏପରି ବି ଅଛନ୍ତି ଯିଏକି କହୁଛନ୍ତି, ଏବେ ତ ଆମେ ମାୟାର ସୁଖ ନେଇଯାଉ, ପରେ ଯାହା
ହେବ ଦେଖାଯିବ । ଅନେକଙ୍କୁ ଏହି ପୁରୁଣା ଦୁନିଆର ସୁଖ ବହୁତ ମିଠା ଲାଗୁଛି । ଏଠାରେ ତ ସୁଖ-ଦୁଃଖ,
ମାନ-ଅପମାନ..... ସବୁ କିଛି ସହନ କରିବାକୁ ପଡିବ । ଯଦି ଉଚ୍ଚ ପ୍ରାପ୍ତି ଚାହୁଁଛ ତେବେ ବାବାଙ୍କୁ
ଅନୁକରଣ କରିବା ଦରକାର, ମାତାପିତାଙ୍କର ନିର୍ଦ୍ଦେଶ ଅନୁଯାୟୀ ଚାଲିବା ଦରକାର । ନିଜର ମତ ଅର୍ଥାତ୍
ରାବଣର ମତରେ ଚାଲିବା ଅର୍ଥାତ୍ ନିଜର ଭାଗ୍ୟରେ ଗାର ପକାଇବା ସହିତ ସମାନ । ବାବାଙ୍କୁ ଯଦି
ପଚାରିବ ତେବେ ବାବା ତୁରନ୍ତ କହିବେ ଯେ - ଏହା ଆସୁରୀ ମତ ଅଟେ । ଏହା ଶ୍ରୀମତ ନୁହେଁ । ତେଣୁ
ପାଦେ-ପାଦେ ଶ୍ରୀମତରେ ଚାଲିବା ଦରକାର । ଦେଖିବାକୁ ହେବ ଯେ, ଓଲଟା କାମ କରି ଆମେ ବାବାଙ୍କର
ନିନ୍ଦା କରୁନାହୁଁ ତ? ଯେତେବେଳେ ତୁମର ଏହିଭଳି ଲକ୍ଷଣ ହୋଇଯିବ ସେତେବେଳେ ତୁମେ ଦେବୀ-ଦେବତା
ହୋଇଯିବ । ଏପରି ନୁହେଁ ଯେ, ସେଠାରେ ସ୍ୱତଃ ସବୁ ଲକ୍ଷଣ ଆସିଯିବ । ଏଠାରେ ମଧ୍ୟ ତୁମର ଚଳଣି
ବହୁତ ମଧୁର ହେବା ଦରକାର । ଯଦି ଭାବୁଛ ଯେ, ଶିବବାବା ନୁହଁନ୍ତି, ବ୍ରହ୍ମାବାବା କହିଲେ ତେବେ
ତାହା ମଧ୍ୟ ଶିବବାବାଙ୍କର ଦାୟିତ୍ୱ ଅଟେ ନା । ଯଦି କୌଣସି କ୍ଷତି ମଧ୍ୟ ହୋଇଗଲା ତେବେ ଚିନ୍ତା
ନାହିଁ । ଯାହା ଡ୍ରାମାରେ ଥିଲା, ତୁମର କୌଣସି ଦୋଷ ନାହିଁ । ତୁମର ଅବସ୍ଥା ବହୁତ ଭଲ ହେବା
ଦରକାର । ଯଦିଓ ତୁମେ ଏଠାରେ ବସିଛ, କିନ୍ତୁ ତୁମର ବୁଦ୍ଧିରେ ଏ କଥା ରହୁ ଯେ, ଆମେ ବ୍ରହ୍ମାଣ୍ଡର
ମାଲିକ ଆମର ନିବାସ ସ୍ଥାନ ହେଲା ପରମଧାମ । ଏହିଭଳି ଭାବେ ଘରେ ରହି ମଧ୍ୟ, କର୍ମଧନ୍ଦା କରି ମଧ୍ୟ
ଉପରାମ ହୋଇଯିବ । ଯେପରି ସନ୍ନ୍ୟାସୀମାନେ ଗୃହସ୍ଥ ବ୍ୟବହାରରୁ ଉପରାମ ହୋଇଯା’ନ୍ତି । ତୁମେ ତ
ସାରା ପୁରୁଣା ଦୁନିଆରୁ ଉପରାମ ହୋଇଯାଉଛ । ଦୁନିଆରେ ଥିବା ହଠଯୋଗ ସନ୍ନ୍ୟାସ ଏବଂ ଏଠାକାର
ସନ୍ନ୍ୟାସ ମଧ୍ୟରେ ରାତି ଦିନର ଫରକ ରହିଛି । ଏହି ରାଜଯୋଗ ତୁମକୁ ବାବା ଶିଖାଉଛନ୍ତି ।
ସନ୍ନ୍ୟାସୀମାନେ ଶିଖାଇ ପାରିବେ ନାହିଁ, କାହିଁକି ନା ମୁକ୍ତି-ଜୀବନମୁକ୍ତି ଦାତା କେବଳ ଜଣେ ହିଁ
ଅଟନ୍ତି । ବର୍ତ୍ତମାନ ସମସ୍ତଙ୍କର ମୁକ୍ତି ହେବାର ଅଛି କାହିଁକି ନା ସମସ୍ତେ ଘରକୁ ଯିବେ ।
ସାଧୁମାନେ ସାଧନା କରନ୍ତି ଆମେ କିପରି ଘରକୁ ଫେରିବୁ । ଏଠାରେ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି ।
କେହି-କେହି ପୁଣି କହୁଛନ୍ତି ଆମେ ଜ୍ୟୋତି ଜ୍ୟୋତିରେ ମିଶିଯିବୁ । ଏହିଭଳି ଅନେକ ମତ ରହିଛି ।
ବାବା ବୁଝାଇଛନ୍ତି,
ଏମିତି କେହି-କେହି ସନ୍ତାନ ଅଛନ୍ତି ଯେଉଁମାନଙ୍କର ପୁରୁଣା ସମ୍ବନ୍ଧୀ ମଧ୍ୟ ମନେ ପଡନ୍ତି । ଯଦି
କେହି ସେହି ଦୁନିଆର ସୁଖର ଆଶା ରଖିବ ତେବେ ତାଙ୍କର ପତନ ହେବ । ସିଏ ଏଠାରେ ଆଉ ରହିପାରିବେ ନାହିଁ
। ମାୟା ବହୁତ ଲୋଭ ଦେଖାଇଥାଏ । କଥାରେ ଅଛି “ଭଗବାନଙ୍କୁ ମନେ ପକାଅ ନହେଲେ ଛଞ୍ଚାଣ (ବାଜ ପକ୍ଷୀ)
ଆସିଯିବ” ଏହି ମାୟା ମଧ୍ୟ ବାଜ ପକ୍ଷୀ ସଦୃଶ ଆକ୍ରମଣ କରିଥାଏ । ବର୍ତ୍ତମାନ ବାବା ଆସିଛନ୍ତି, ଏବେ
ଯଦି ପୁରୁଷାର୍ଥ କରି ଉଚ୍ଚ ପଦ ନ ପାଇବ ତେବେ କଳ୍ପ-କଳ୍ପାନ୍ତର ମଧ୍ୟ ପାଇପାରିବ ନାହିଁ । ଏଠାରେ
ବାବାଙ୍କ ପାଖରେ ତ ତୁମର କୌଣସି ଦୁଃଖ ନାହିଁ, ତେଣୁ ତୁମେମାନେ ପୁରୁଣା ଦୁଃଖର ଦୁନିଆକୁ
ଭୁଲିଯିବା ଦରକାର ନା । ସାରାଦିନର ଚାର୍ଟକୁ ମଧ୍ୟ ଦେଖିବା ଦରକାର । ଆମେ କେତେ ସମୟ ବାବାଙ୍କୁ
ମନେ ପକାଇଲୁ? କାହାକୁ ଜୀବଦାନ ଦେଲୁ? ବାବା ତୁମମାନଙ୍କୁ ମଧ୍ୟ ଜୀବଦାନ ଦେଇଛନ୍ତି ନା ।
ସତ୍ୟଯୁଗରୁ ତ୍ରେତାଯୁଗ ପର୍ଯ୍ୟନ୍ତ ତୁମେମାନେ ଅମର ରହୁଛ । ଏଠାରେ କାହାର ମୃତ୍ୟୁ ହେଲେ କେତେ
କନ୍ଦାକଟା କରୁଛନ୍ତି । ସ୍ୱର୍ଗରେ କିନ୍ତୁ ଦୁଃଖର ନାମ ରହିବ ନାହିଁ । ଭାବିବେ ଯେ ପୁରୁଣା ଶରୀର
ଛାଡି ଆମେ ନୂଆ ନେବୁ । ଏହି ଉଦାହରଣ ମଧ୍ୟ ତୁମ ପାଇଁ ହିଁ ଅଟେ, ଆଉ କେହି ଏ ଉଦାହରଣ ଦେଇପାରିବେ
ନାହିଁ । ସେମାନେ କ’ଣ କେବେ ପୁରୁଣା ଶରୀରକୁ ଭୁଲିପାରୁଛନ୍ତି କି! ସେମାନେ କେବଳ ପଇସା ଏକାଠି
କରି ଚାଲିଛନ୍ତି । ଏଠାରେ ତୁମେମାନେ ଯାହା ବି ବାବାଙ୍କୁ ଦେଉଛ ତାହା କ’ଣ ବାବା ନିଜେ ଖାଉଛନ୍ତି
ନା ନିଜ ପାଖରେ ରଖୁଛନ୍ତି । ତା’ଦ୍ୱାରା ପିଲାମାନଙ୍କର ହିଁ ପାଳନା କରୁଛନ୍ତି, ସେଥିପାଇଁ ଏହା
ସଚ୍ଚା ସଚ୍ଚା ଶିବବାବାଙ୍କର ଭଣ୍ଡାରା ଅଟେ, ତେଣୁ ଏହି ଭଣ୍ଡାରରୁ ଯେଉଁମାନେ ଖାଉଛନ୍ତି ସେମାନେ
ଏଠାରେ ମଧ୍ୟ ସୁଖୀ ଏବଂ ଜନ୍ମ-ଜନ୍ମାନ୍ତର ମଧ୍ୟ ସୁଖରେ ରହୁଛନ୍ତି ।
ତୁମର ଏହି ଜନ୍ମ ବହୁତ
ଦୁର୍ଲଭ ଅଟେ । ଦେବତା ଜନ୍ମଠାରୁ ମଧ୍ୟ ତୁମେ ଏଠାରେ ସୁଖୀ, କାହିଁକି ନା ତୁମେମାନେ ବାବାଙ୍କର
ଶରଣରେ ଅଛ । ଏହିଠାରେ ହିଁ ତୁମେମାନେ ଅସରନ୍ତି ରୋଜଗାର କରୁଛ ଯାହାକି ପୁଣି ଜନ୍ମ-ଜନ୍ମାନ୍ତର
ଭୋଗ କରିବ । ସୁଦାମାଙ୍କୁ ମଧ୍ୟ ଦୁଇମୁଠା ଚାଉଳ ବଦଳରେ ମହଲ ମିଳିଗଲା । ଏହି ଜନ୍ମରେ ତୁମେମାନେ
ବର୍ତ୍ତମାନ ଜନ୍ମ ସହିତ ଭବିଷ୍ୟତର ଅନେକ ଜନ୍ମକୁ ସୁଖମୟ କରୁଛ, ସେଥିପାଇଁ ତୁମର ଏହି ଜନ୍ମ ବହୁତ
ଭଲ । କେହି-କେହି କହୁଛନ୍ତି ଜଲ୍ଦି ବିନାଶ ହେଲେ ଆମେ ସ୍ୱର୍ଗକୁ ଯିବୁ । କିନ୍ତୁ ଏବେ ତ ବହୁତ
ସମ୍ପତ୍ତି ବାବାଙ୍କଠାରୁ ନେବାକୁ ଅଛି । ଏବେ ତୁମର ରାଜଧାନୀର ସ୍ଥାପନା କେଉଁଠି ହୋଇଛି! ଜଲ୍ଦି
ବିନାଶ କିପରି କରାଇବେ! ପିଲାମାନେ ଏବେ ଯୋଗ୍ୟ କେଉଁଠି ହୋଇଛନ୍ତି! ଏବେ ତ ବାବା ପାଠ ପଢାଇବାକୁ
ଆସୁଛନ୍ତି । ବାବାଙ୍କର ସେବା ତ ଅପରମଅପାର ଅଟେ । ବାବାଙ୍କର ମହିମା ମଧ୍ୟ ଅପରମଅପାର ଅଟେ । ମୁଁ
ଯେତିକି ଉଚ୍ଚ, ସେତିକି ଉଚ୍ଚ ସେବା ମଧ୍ୟ କରୁଛି, ସେଥିପାଇଁ ତ ମୋର ସ୍ମାରକୀ ରହିଛି । ଏହା
ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କର ଗଦି ଅଟେ । ଯିଏ ଯେତିକି ପୁରୁଷାର୍ଥ କରନ୍ତି, ସିଏ ସେତିକି
ନିଜର ଭାଗ୍ୟ ଗଢନ୍ତି । ଏହା ହେଲା ଅବିନାଶୀ ଜ୍ଞାନ ରତ୍ନର ରୋଜଗାର, ଯାହାକି ସେଠାରେ ଅର୍ଥାତ୍
ସତ୍ୟଯୁଗରେ ଅସରନ୍ତି ଧନ ହୋଇଯାଉଛି ତେଣୁ ପିଲାମାନଙ୍କୁ ବହୁତ ଭଲ ପୁରୁଷାର୍ଥ କରିବାକୁ ହେବ ।
ବାବାଙ୍କୁ ଏଠାରେ ମଧ୍ୟ ମନେ ପକାଅ ଏବଂ ସେଠାରେ ମଧ୍ୟ ମନେ ପକାଅ । ସିଢିଚିତ୍ର ତ ଅଛି ନା ।
ନିଜର ହୃଦୟ ରୂପୀ ଦର୍ପଣରେ ଦେଖିବାକୁ ହେବ ଯେ, ମୁଁ ବାବାଙ୍କର କେତେ ସୁପୁତ୍ର ସନ୍ତାନ ହୋଇଛି ।
ଅନ୍ଧମାନଙ୍କୁ ରାସ୍ତା ଦେଖାଉଛି? ନିଜେ ନିଜ ସହିତ କଥା ହେବା ଦ୍ୱାରା ଖୁସି ମିଳିଥାଏ । ଯେପରି
ବ୍ରହ୍ମାବାବା ନିଜର ଅନୁଭବ ଶୁଣାଇଥା’ନ୍ତି ଯେ - ମୁଁ ଶୋଇଲାବେଳେ ମଧ୍ୟ ନିଜ ସହିତ କଥା ହୋଇଥାଏ
। ବାବା ଆପଣଙ୍କର କମାଲ ଅଟେ । ଭକ୍ତିମାର୍ଗରେ ପୁଣି ଆମେ ଆପଣଙ୍କୁ ଭୁଲିଯିବୁ । ଏତେ ବର୍ସା
ଆପଣଙ୍କଠାରୁ ପାଉଛୁ ପୁଣି ସତ୍ୟଯୁଗରେ ଏସବୁ ଭୁଲିଯିବୁ । ପୁଣି ଭକ୍ତିମାର୍ଗରେ ଆପଣଙ୍କର ସ୍ମାରକୀ
ତିଆରି କରିବୁ । କିନ୍ତୁ ଆମେ ଆପଣଙ୍କର କର୍ତ୍ତବ୍ୟକୁ ବିଲକୁଲ୍ ଭୁଲିଯାଉଛୁ । ଯେପରିକି ବୁଦ୍ଦୁ,
ଅଜ୍ଞାନୀ ହୋଇଯାଉଛୁ । ଏବେ ବାବା ଆମକୁ କେତେ ଜ୍ଞାନୀ କରୁଛନ୍ତି । ଏଥିରେ ରାତି-ଦିନର ଫରକ ରହିଛି
। ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ଏହା କ’ଣ ଜ୍ଞାନ ଅଟେ! ସୃଷ୍ଟି ଚକ୍ରର ଜ୍ଞାନ ରହିବା ଦରକାର ।
ଏବେ ଆମେ ୮୪ ଜନ୍ମର ଚକ୍ର ଶେଷ କରି ଘରକୁ ଯାଉଛୁ ପୁଣି ଆମକୁ ଜୀବନମୁକ୍ତିରେ ଆସିବାକୁ ହେବ । ଏହି
ଡ୍ରାମାରୁ କ’ଣ ଆମେ ବାହାରି ପାରିବା କି! ଆମେମାନେ ହିଁ ଜୀବନମୁକ୍ତିର ରାସ୍ତାର ପଥିକ ଅଟୁ ।
ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ରାତ୍ରି କ୍ଲାସ -
(୧୬-୧୨-୬୮)
ବାବା କାହାକୁ କନ୍ୟା
କହୁଛନ୍ତି, କାହାକୁ ପୁଣି ମାତା ବୋଲି କହୁଛନ୍ତି, ତେବେ ନିଶ୍ଚିତ କିଛି ଫରକ ଥିବ ନା ।
କାହାର-କାହାର ସେବାରୁ ବହୁତ ସୁଗନ୍ଧ ଆସିଥାଏ, ଆଉ କେହି ଯେପରି ଅରଖ ଫୁଲ ସଦୃଶ ଅଟନ୍ତି । ଏକଥା
ତ ବାବା ବୁଝାଇଛନ୍ତି ଯେ ତୁମେ ଯେପରି ମୋ ସାଥୀରେ ଆସିଛ । ବାବା ମଧ୍ୟ ବିଶ୍ୱକୁ ପବିତ୍ର କରିବା
ପାଇଁ ଉପରୁ ଆସିଛନ୍ତି । ଏହା ତୁମର ମଧ୍ୟ କର୍ତ୍ତବ୍ୟ ଅଟେ । ସେଠାରୁ ଯେଉଁମାନେ ପ୍ରଥମେ
ଆସୁଛନ୍ତି ସେମାନେ ପବିତ୍ର ଅଟନ୍ତି । ଯେଉଁ ନୂଆମାନେ ଆସୁଛନ୍ତି ସେମାନେ ନିଶ୍ଚିତ ସୁଗନ୍ଧ
ଦେଉଥିବେ । ତେବେ ଏହାକୁ ବଗିଚା ସହିତ ମଧ୍ୟ ତୁଳନା କରାଯାଉଛି । ଯେଭଳି ସେବା ସେହିଭଳି
ସୁଗନ୍ଧିତ ଫୁଲ ହୋଇଥା’ନ୍ତି । ନିଜର ବିବେକ କହୁଛି ଯେ ନିଜକୁ ଶିବବାବାଙ୍କର ସନ୍ତାନ କହିଲ
ଅର୍ଥାତ୍ ତାଙ୍କର ସମ୍ପତ୍ତିର ହକଦାର ହେଲ । ତେଣୁ ସେହି ସୁଗନ୍ଧ ଆସିବା ଦରକାର । ହକଦାର
ହୋଇଛନ୍ତି ସେଥିପାଇଁ ତ ସମସ୍ତଙ୍କୁ ନମସ୍କାର କରୁଛନ୍ତି । ତୁମେ ନିଃସନ୍ଦେହ ବିଶ୍ୱର ମାଲିକ
ହେଉଛ, କିନ୍ତୁ ପାଠପଢାରେ ଫରକ ତ ରହିଥାଏ ନା । ତାହା ତ ନିଶ୍ଚିତ ହେବ । ତେବେ ପିଲାମାନଙ୍କର
ନିଶ୍ଚୟ ହୋଇଯାଇଥାଏ ଯେ ଇଏ ଆମର ବାବା ଏବଂ ସୃଷ୍ଟିଚକ୍ର ମଧ୍ୟ ବୁଦ୍ଧିରେ ରହିଛି । ଏକଥା ବାବା
କହୁଛନ୍ତି - ମୁଁ ଅଧିକ କ’ଣ କହିବି । ବାବାଙ୍କ ବିନା ସ୍ୱଦର୍ଶନ ଚକ୍ରଧାରୀ କେହି ବି କରିପାରିବେ
ନାହିଁ । ତାହା ମଧ୍ୟ ଈଶାରା ଦ୍ୱାରା ହିଁ ହେଉଛନ୍ତି । ଯିଏ କଳ୍ପ ପୂର୍ବରୁ ହୋଇଥିଲେ ସେହିମାନେ
ହିଁ ହେଉଛନ୍ତି । ଢେର ସନ୍ତାନ ଏଠାକୁ ଆସୁଛନ୍ତି । ପବିତ୍ରତା ପାଇଁ କେତେ ଅତ୍ୟାଚାର ହେଉଛି ।
ଯାହାଙ୍କ ଦ୍ୱାରା ବାବା ଗୀତା ଶୁଣାଉଛନ୍ତି ତାଙ୍କୁ ମଧ୍ୟ କେତେ ଗାଳି ଦେଉଛନ୍ତି । ଶିବବାବାଙ୍କୁ
ମଧ୍ୟ ଗାଳି ଦେଉଛନ୍ତି । କଚ୍ଛ, ମଚ୍ଛ ଅବତାର କହିବା ମଧ୍ୟ ତ ଗାଳି ଅଟେ ନା । ବାବାଙ୍କୁ ନ
ଜାଣିବା କାରଣରୁ ବାବାଙ୍କ ଉପରେ, ତୁମ ଉପରେ କେତେ କଳଙ୍କ ଲଗାଉଛନ୍ତି । ପିଲାମାନେ ମଧ୍ୟ କେତେ
ପରିଶ୍ରମ କରୁଛନ୍ତି । ପାଠପଢି କେହି କେହି ସାହୁକାର ହୋଇଯାଉଛନ୍ତି, କେତେ ରୋଜଗାର କରୁଛନ୍ତି ।
ଗୋଟିଏ-ଗୋଟିଏ ଅପରେସନ୍ ପାଇଁ ଦୁଇହଜାର, ଚାରିହଜାର ମିଳିଥାଏ । ଆଉ କେହି ତ ପୁଣି ନିଜ କୁଟୁମ୍ବର
ପାଳନା ମଧ୍ୟ କରିପାରିନଥା’ନ୍ତି । ତେବେ ତାଙ୍କର ଚିନ୍ତା ରହିଥାଏ ନା । ଆଉ କେହି ତ
ଜନ୍ମ-ଜନ୍ମାନ୍ତର ପାଇଁ ରାଜତ୍ୱ ନେଇଥା’ନ୍ତି । କେହି ପୁଣି ଜନ୍ମ ଜନ୍ମାନ୍ତର ପାଇଁ ଗରୀବ
ହୋଇଥା’ନ୍ତି । ବାବା କହୁଛନ୍ତି ମୁଁ ତୁମକୁ ବୁଦ୍ଧିମାନ କରୁଛି । ଏବେ ତୁମେ ସବୁ କଥାରେ ଡ୍ରାମା
ବୋଲି କହିବ । ଏଥିରେ ସମସ୍ତଙ୍କର ଅଭିନୟ ରହିଛି । ଯାହା ବିତିଗଲା ତାହା ଡ୍ରାମା । ଯାହା
ଡ୍ରାମାରେ ଅଛି ତାହା ହିଁ ହେଉଛି । ଡ୍ରାମା ଅନୁସାରେ ଯାହା କିଛି ହୋଇଥାଏ ସବୁ ଠିକ୍ । ଯେତେ ବି
ବୁଝାଅ, ତଥାପି ସେମାନେ ବୁଝୁନାହାଁନ୍ତି । ଏଥିରେ ଆଚରଣ ମଧ୍ୟ ଭଲ ହେବା ଦରକାର । ପ୍ରତ୍ୟେକ
ନିଜକୁ ଦେଖିବା ଦରକାର ଯେ, ଆମ ପାଖରେ କୌଣସି ପ୍ରକାରର ଦୁର୍ବଳତା ନାହିଁ ତ? ମାୟା ବହୁତ କଠୋର ।
ତାକୁ କୌଣସି ଉପାୟରେ ବାହାର କରିବାକୁ ପଡିବ । ସବୁ ଦୁର୍ବଳତା ଗୁଡିକ ବାହାର କରିବାକୁ ହେବ ।
ବାବା କହୁଛନ୍ତି ବନ୍ଧନରେ ଥିବା ମାତା-କନ୍ୟାମାନେ ସବୁଠାରୁ ଅଧିକ ଯୋଗଯୁକ୍ତ ହୋଇ ରହିଥା’ନ୍ତି ।
ସେହିମାନେ ହିଁ ଭଲ ପଦ ପାଇଥା’ନ୍ତି ଯେତେ ଅଧିକ ମାଡ ଖାଇଥାନ୍ତି ସେତେ ଅଧିକ ବାବାଙ୍କୁ ମନେ
ପକାଇଥାଆନ୍ତି । ସେମାନଙ୍କ ମୁଖରୁ ହାୟ ଶିବବାବା ବୋଲି ବାହାରିଥାଏ । ସେମାନେ ଜ୍ଞାନ ଆଧାରରେ
ଶିବବାବାଙ୍କୁ ମନେ ପକାଇଥାନ୍ତି । ସେମାନଙ୍କର ଚାର୍ଟ ମଧ୍ୟ ଭଲ ରହିଥାଏ । ଏହିପରି ଯିଏ ମାଡ ଖାଇ
ଆସିଥା’ନ୍ତି ସେମାନେ ସେବା ମଧ୍ୟ ଭଲ କରନ୍ତି । ନିଜର ଜୀବନକୁ ଉଚ୍ଚ କରିବା ପାଇଁ ଭଲ ସେବା
କରନ୍ତି । ସେବା ନ କଲେ ପଶ୍ଚାତାପ ହୋଇଥାଏ । ଇଚ୍ଛା ହୋଇଥାଏ ଆମେ ଯାଇ ସେବା କରିବୁ । ଯଦିଓ
ଜାଣିଥା’ନ୍ତି ଯେ, ଆମକୁ ସେଣ୍ଟର ଛାଡି ଯିବାକୁ ପଡୁଛି, କିନ୍ତୁ ପ୍ରଦର୍ଶନୀରେ ସେବା ବହୁତ
ହୋଇଥାଏ ତେଣୁ ସେଣ୍ଟରର ଚିନ୍ତା ନକରି ଯିବା ଦରକାର । ଆମେ ଯେତେ ଦାନ କରିବା ସେତେ ବଳ ମଧ୍ୟ
ମିଳିବ । ଦାନ ମଧ୍ୟ ନିଶ୍ଚିତ କରିବାକୁ ହେବ ନା । ଏହା ଅବିନାଶୀ ଜ୍ଞାନ ରତ୍ନ, ଯାହା ପାଖରେ ଥିବ
ସିଏ ହିଁ ଦାନ କରିବ । ପିଲାମାନଙ୍କର ଏବେ ସାରା ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ଜ୍ଞାନ ମନେ ପଡବା
ଦରକାର । ସାରା ଚକ୍ରକୁ ବୁଦ୍ଧିରେ ଘୂରାଇବା ଦରକାର । ବାବା ମଧ୍ୟ ଏହି ସୃଷ୍ଟିର ଆଦି, ମଧ୍ୟ,
ଅନ୍ତକୁ ଜାଣିଛନ୍ତି । ତେଣୁ ନିଶ୍ଚିତ ରୂପେ ସିଏ ଜ୍ଞାନର ସାଗର ଅଟନ୍ତି । ସୃଷ୍ଟିର ଚକ୍ରକୁ
ଜାଣିଛନ୍ତି । ଏହା ଦୁନିଆ ପାଇଁ ବିଲ୍କୁଲ୍ ନୂଆ ଜ୍ଞାନ, ଯାହା କେବେ ପୁରୁଣା ହୋଇନଥାଏ । ଏହା
ବହୁତ ବିଚିତ୍ର କଥା ଯାହାକି ଆମକୁ ହିଁ ବାବା ବତାଉଛନ୍ତି । କେହି କେତେ ବି ସାଧୁ ମହାତ୍ମା
ହୋଇଥାନ୍ତୁ ସିଢି ଚଢି ଉପରକୁ ତ ଯାଇନଥା’ନ୍ତି । ବାବାଙ୍କ ବ୍ୟତୀତ ମନୁଷ୍ୟ କାହାକୁ ମଧ୍ୟ
ଗତି-ସଦ୍ଗତି ଦେଇପାରିବେ ନାହିଁ । ନା ମନୁଷ୍ୟ, ନା ଦେବତା ଦେଇପାରିବେ । କେବଳ ଏକମାତ୍ର ବାବା
ହିଁ ଗତି-ସଦ୍ଗତି ଦେଇପାରିବେ । ଦିନକୁ ଦିନ ବୃଦ୍ଧି ମଧ୍ୟ ହେବାର ଅଛି । ବାବା କହିଥିଲେ ଯେ,
ପ୍ରଭାତ ଫେରୀ ସମୟରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର, ସିଢି ଟ୍ରାନ୍ସଲାଇଟ୍ର ଚିତ୍ର ମଧ୍ୟ
ରହିବା ଦରକାର । ବିଜୁଳିର ଏଭଳି କୌଣସି ବସ୍ତୁ ହେବା ଦରକାର ଯେଉଁଥିରୁ ଚମକ ଆସୁଥିବ । ତା’ ସହିତ
ତୁମେମାନେ ସ୍ଲୋଗାନ ମଧ୍ୟ ଦେଇଚାଲ । ସନ୍ନ୍ୟାସୀମାନେ ତ କେବେ ବି ରାଜଯୋଗ ଶିଖାଇ ପାରିବେ ନାହିଁ
। ରାଜଯୋଗ ପରମପିତା ପରମାତ୍ମା ହିଁ ଭାଗୀରଥଙ୍କ ଦ୍ୱାରା ଶିଖାଉଛନ୍ତି । ଏହିଭଳି ଏହିଭଳି ଆବାଜ
ତୁମେ ବହୁତ ଶୁଣିବ । ଆଚ୍ଛା! ମିଠା ମିଠା ସନ୍ତାନମାନଙ୍କୁ ଶୁଭରାତ୍ରୀ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ନାଟକ
ଏବେ ଶେଷ ହେବାକୁ ଯାଉଛି ସେଥିପାଇଁ ଏହି ପୁରୁଣା ଦୁନିଆଠାରୁ ଉପରାମ ବା ଅନାସକ୍ତ ରହିବାର ଅଛି ।
ଶ୍ରୀମତ ଆଧାରରେ ନିଜର ଭାଗ୍ୟକୁ ଉଚ୍ଚ କରିବାର ଅଛି । କେବେ ହେଲେ କୌଣସି ଓଲଟା କର୍ମ କରିବାର
ନାହିଁ ।
(୨) ଅବିନାଶୀ ଜ୍ଞାନ
ରତ୍ନର ରୋଜଗାର କରିବାର ଅଛି ଏବଂ କରାଇବାର ଅଛି । ଏକମାତ୍ର ବାବାଙ୍କର ସ୍ମୃତିରେ ରହି ସୁପୁତ୍ର
ସନ୍ତାନ ହୋଇ ଅନେକଙ୍କୁ ରାସ୍ତା ଦେଖାଇବାର ଅଛି ।
ବରଦାନ:-
ତ୍ୟାଗ ଏବଂ
ତପସ୍ୟାର ବାତାବରଣ ଦ୍ୱାରା ବିଘ୍ନ ବିନାଶକ ହେଉଥିବା ସଚ୍ଚା ସେବାଧାରୀ ହୁଅ ।
ଯେପରି ବାବାଙ୍କର
ସବୁଠାରୁ ବଡରୁ ବଡ ଉପାଧି ହେଲା ୱାଲର୍ଡ ସର୍ଭେଣ୍ଟ ଅର୍ଥାତ୍ ବିଶ୍ୱ ସେବାଧାରୀ । ସେହିପରି ତୁମେ
ପିଲାମାନେ ମଧ୍ୟ ବିଶ୍ୱ ସେବାଧାରୀ ଅଟ ଏବଂ ସେବାଧାରୀ ଅର୍ଥାତ୍ ତ୍ୟାଗୀ ଏବଂ ତପସ୍ୱୀ । ଯେଉଁଠି
ତ୍ୟାଗ ଏବଂ ତପସ୍ୟା ରହିଛି ସେଠାରେ ଭାଗ୍ୟ ମଧ୍ୟ ସେମାନଙ୍କ ସମ୍ମୁଖରେ ଦାସୀ ଭଳି ଉପସ୍ଥିତ
ରହିଥାଏ । ତେବେ ସେବାଧାରୀ ଆତ୍ମାମାନେ ସର୍ବଦା ଦେଲାବାଲା ହୋଇଥାଆନ୍ତି ନେଲାବାଲା ନୁହଁନ୍ତି,
ସେଥିପାଇଁ ସେମାନେ ସର୍ବଦା ନିର୍ବିଘ୍ନ ସ୍ଥିତିରେ ରହିଥାଆନ୍ତି । ତେଣୁ ନିଜକୁ ସେବାଧାରୀ ମନେ
କରି ତ୍ୟାଗ ଏବଂ ତପସ୍ୟାର ବାତାବରଣ ସୃଷ୍ଟି କରିବା ଦ୍ୱାରା ସର୍ବଦା ବିଘ୍ନ ବିନାଶକ ସ୍ଥିତିରେ
ରହିପାରିବ ।
ସ୍ଲୋଗାନ:-
ଯେକୌଣସି
ପରିସ୍ଥିତିକୁ ସମ୍ମୁଖୀନ କରିବାର ସାଧନ ହେଲା ସ୍ୱସ୍ଥିତିର ଶକ୍ତି ।