13/11/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ଏହା ହେଉଛି ଭୁଲ୍‌-ଭୁଲୈୟାର ଖେଳ, ତୁମେମାନେ ବାରମ୍ବାର ବାବାଙ୍କୁ ଭୁଲିଯାଉଛ, ଯଦି ନିଶ୍ଚୟବୁଦ୍ଧି ହୋଇଯିବ ତେବେ ଏହି ଖେଳରେ ବାନ୍ଧି ହେବ ନାହିଁ ।”

ପ୍ରଶ୍ନ:-

ବିନାଶର ସମୟ ନିକଟରେ ଉପସ୍ଥିତ ତେଣୁ ତୁମମାନଙ୍କର ଏବେ କର୍ତ୍ତବ୍ୟ କଣ ?

ଉତ୍ତର:-

ତୁମର କର୍ତ୍ତବ୍ୟ ହେଲା — ନିଜର ପାଠପଢାରେ ଭଲ ଭାବରେ ଲାଗିପଡିବା, ଅନ୍ୟ କୌଣସି କଥାରେ ଯିବାର ନାହିଁ । ବାବା ତୁମକୁ ନୟନରେ ବସାଇ, ଗଳାର ହାର କରି ସାଥିରେ ନେଇଯିବେ । ବାକି ତ ସମସ୍ତଙ୍କୁ ନିଜ-ନିଜର ହିସାବ-କିତାବ ଚୁକ୍ତ କରି ଯିବାକୁ ହେବ । ବାବା କେବଳ ଆସିଛନ୍ତି ସମସ୍ତଙ୍କୁ ନିଜ ସାଥିରେ ଘରକୁ ନେଇଯିବା ପାଇଁ ।

ଗୀତ:-

ଦୂର ଦେଶ କା ରହନେ ବାଲା...

ଓମ୍ ଶାନ୍ତି । ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି — ଖାସ ଭାରତ ଏବଂ ସାଧାରଣତଃ ସାରା ବିଶ୍ୱରେ ମନୁଷ୍ୟମାନେ ଶାନ୍ତି ଚାହୁଁଛନ୍ତି । ତେବେ ଏକଥା ବୁଝିବା ଦରକାର ଯେ — ନିଶ୍ଚିତ ଭାବରେ ବିଶ୍ୱର ମାଲିକ ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରିଥାନ୍ତି । ତେଣୁ ଈଶ୍ୱରୀୟ ପିତାଙ୍କୁ ହିଁ ଡାକିବା ଦରକାର ଯେ ଏଠାକୁ ଆସି ବିଶ୍ୱରେ ଶାନ୍ତି ଖେଳାଇ ଦିଅ । କିନ୍ତୁ କାହାକୁ ଡାକିବେ ଏକଥା ମଧ୍ୟ ବିଚରାଙ୍କୁ ଜଣା ନାହିଁ । ଏହା ସାରା ବିଶ୍ୱର କଥା ରହିଛି ନା । ସାରା ବିଶ୍ୱରେ ସମସ୍ତେ ଶାନ୍ତି ଚାହୁଁଛନ୍ତି । ବାସ୍ତବରେ ଶାନ୍ତିଧାମ ଅଲଗା, ଯେଉଁଠି ବାବା ଏବଂ ଆତ୍ମାମାନେ ରହୁଛନ୍ତି । ଏକଥା ମଧ୍ୟ ବେହଦର ବାବା ବୁଝାଉଛନ୍ତି । ବର୍ତ୍ତମାନ ଏହି ଦୁନିଆରେ ତ ଅନେକ ମନୁଷ୍ୟ ଅଛନ୍ତି ଏବଂ ଅନେକ ଧର୍ମ ମଧ୍ୟ ରହିଛି । କହୁଛନ୍ତି — ଗୋଟିଏ ଧର୍ମ ହୋଇଗଲେ ଶାନ୍ତି ହେବ । ତେବେ ସବୁ ଧର୍ମ ମିଶି ଏକ ତ ହୋଇପାରିବେ ନାହିଁ । ତ୍ରିମୂର୍ତ୍ତିର ମହିମା ମଧ୍ୟ ରହିଛି । ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ବହୁତ ରଖୁଛନ୍ତି । ଏକଥା ମଧ୍ୟ ଜାଣିଛନ୍ତି, ବ୍ରହ୍ମା ଦ୍ୱାରା ସ୍ଥାପନା, କାହାର? କେବଳ କଣ ଶାନ୍ତିର କି! ଶାନ୍ତି ଏବଂ ସୁଖ ଉଭୟର ସ୍ଥାପନା ହେଉଛି । ଏହି ଭାରତରେ ହିଁ ୫ ହଜାର ବର୍ଷ ପୂର୍ବେ ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ନିଶ୍ଚୟ ବାକି ସବୁ ଜୀବ ଆତ୍ମାମାନେ, ଜୀବକୁ ଛାଡି ନିଜର ଘରକୁ ଯାଇଥିବେ । ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ, ଗୋଟିଏ ଭାଷା ହେଉ । ଏବେ ତୁମେମାନେ ଜାଣୁଛ ଯେ — ବାବା ଶାନ୍ତି, ସୁଖ, ସମ୍ପତ୍ତିର ସ୍ଥାପନା କରୁଛନ୍ତି । ଗୋଟିଏ ରାଜ୍ୟ ନିଶ୍ଚିତ ଏହିଠାରେ ହିଁ ହେବ ନା । ଗୋଟିଏ ରାଜ୍ୟର ସ୍ଥାପନା ହେଉଛି— ଏହା କୌଣସି ନୂଆ କଥା ନୁହେଁ । ଅନେକ ଥର ଗୋଟିଏ ରାଜ୍ୟର ସ୍ଥାପନା ହୋଇଛି । ପରେ ପୁଣି ଅନେକ ଧର୍ମ ସବୁ ଆସିବା ଦ୍ୱାରା ସୃଷ୍ଟିରୂପି ବୃକ୍ଷ ବୃଦ୍ଧି ହୋଇଯାଉଛି ପୁଣି ବାବାଙ୍କୁ ଆସିବାକୁ ପଡୁଛି । ତେବେ ଆତ୍ମା ହିଁ ଶୁଣୁଛି, ପଢୁଛି, ଆତ୍ମାରେ ହିଁ ସବୁ ସଂସ୍କାର ରହିଛି । ମୁଁ ଆତ୍ମା ଭିନ୍ନ-ଭିନ୍ନ ଶରୀର ଧାରଣ କରେ । ପିଲାମାନଙ୍କର ଏହି ନିଶ୍ଚୟ ହେବାରେ ହିଁ ବହୁତ ପରିଶ୍ରମ ଲାଗୁଛି । କହୁଛନ୍ତି ବାବା ଆମେ ଘଡି ଘଡି ଆପଣଙ୍କୁ ଭୁଲିଯାଉଛୁ । ବାବା ବୁଝାଉଛନ୍ତି — ଏହା ଭୁଲ୍‌-ଭୁଲୈୟାର ଖେଳ । ଏଥିରେ ତୁମେ ଯେପରି ଫସିଯାଇଛ । ଜଣା ନାହିଁ ଆମେ ନିଜର ଘର ଅଥବା ରାଜଧାନୀକୁ କିପରି ଯିବୁ । ଏବେ ବାବା ବୁଝାଉଛନ୍ତି ଆଗରୁ କିଛି ଜାଣିନଥିଲ । ଆତ୍ମା କେତେ ପଥରବୁଦ୍ଧି ହୋଇଯାଉଛି । ପଥର ବୁଦ୍ଧି ଏବଂ ପାରସବୁଦ୍ଧିର ଗାୟନ ଭାରତରେ ହିଁ ରହିଛି । ପଥରବୁଦ୍ଧି ରାଜା ଏବଂ ପାରସବୁଦ୍ଧି ରାଜାମାନେ ଏହିଠାରେ ହିଁ ଅଛନ୍ତି । ପାରସନାଥଙ୍କ ମନ୍ଦିର ମଧ୍ୟ ରହିଛି । ଏବେ ତୁମେମାନେ ଜାଣୁଛ ଆମେ ଆତ୍ମାମାନେ ଅଭିନୟ କରିବା ପାଇଁ କେଉଁଠୁ ଆସିଛୁ । ଆଗରୁ କିଛି ହେଲେ ଜାଣିନଥିଲ । ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି । ବର୍ତ୍ତମାନ ସାରା ଦୁନିଆ ହିଁ କଣ୍ଟାର ଜଙ୍ଗଲ । ଫୁଲର ବଗିଚାରେ ନିଆଁ ଲାଗିଥିବାର କଥା କେବେ ଶୁଣିନଥିବ । ସର୍ବଦା ଜଙ୍ଗଲରେ ହିଁ ନିଆଁ ଲାଗିଥାଏ । ଏହା ମଧ୍ୟ ଜଙ୍ଗଲ ଅଟେ, ଏଥିରେ ନିଶ୍ଚୟ ନିଆଁ ଲାଗିବ । ସାରା ବିଶ୍ୱକୁ ନିଆଁ ଲାଗିଯିବ । ଏହି ସାରା ଦୁନିଆକୁ ଭଁଭୋର କୁହାଯାଉଛି । ଏବେ ତୁମେ ବାବାଙ୍କୁ ଜାଣିଯାଇଛ । ତାଙ୍କ ସମ୍ମୁଖରେ ବସିଛ । ତୁମେମାନେ ଯେଉଁ ଗାୟନ କରୁଥିଲ ତୁମ ସହିତ ବସିବୁ... । ବାସ୍ତବରେ ସେସବୁ ଏବେ ହେଉଛି । ଭଗବାନୁବାଚ ଅର୍ଥାତ୍ ଭଗବାନ ସ୍ୱୟଂ କହୁଛନ୍ତି ତେଣୁ ନିଶ୍ଚୟ ପଢିବ ନା । ଭଗବାନୁବାଚ ମଧ୍ୟ ସନ୍ତାନମାନଙ୍କ ପାଇଁ ହିଁ ହେବ ନା । ତୁମେମାନେ ଜାଣିଛ ନିଜେ ଭଗବାନ ପାଠ ପଢାଉଛନ୍ତି । ଭଗବାନ କିଏ ? ତେବେ ନିରାକାର ଶିବଙ୍କୁ ହିଁ ଭଗବାନ କୁହାଯିବ । ଭଗବାନ ଶିବଙ୍କର ପୂଜା ମଧ୍ୟ ଏହିଠାରେ ହିଁ ହେଉଛି । ସତ୍ୟଯୁଗରେ ପୂଜା ଆଦି ହୁଏ ନାହିଁ । ସେଠାରେ କେହି ଭଗବାନଙ୍କୁ ସ୍ମରଣ ମଧ୍ୟ କରନ୍ତି ନାହିଁ । ଭକ୍ତମାନଙ୍କୁ ସତ୍ୟଯୁଗୀ ରାଜଧାନୀର ଫଳ ମିଳୁଛି । ତୁମେମାନେ ଜାଣୁଛ ଆମେ ସବୁଠାରୁ ଅଧିକ ଭକ୍ତି କରିଛୁ ସେଥିପାଇଁ ଆମେମାନେ ହିଁ ପ୍ରଥମେ ପ୍ରଥମେ ବାବାଙ୍କ ପାଖକୁ ଆସିଛୁ । ପୁଣି ଆମେମାନେ ହିଁ ପ୍ରଥମେ ରାଜଧାନୀକୁ ଆସିବୁ । ତେଣୁ ପିଲାମାନଙ୍କୁ ନୂଆ ଦୁନିଆରେ ଉଚ୍ଚପଦ ପାଇବା ପାଇଁ ପୁରା ପୁରୁଷାର୍ଥ କରିବା ଉଚିତ୍ । ପିଲାମାନଙ୍କ ଇଛା ଅଛି ଯେ ଏବେ ଆମେ ତୁରନ୍ତ ନୂଆ ଘରକୁ ଯିବୁ । ଆରମ୍ଭରେ ନୂଆ ଘର ଥିବ ପରେ ପୁଣି ପୁରୁଣା ହୋଇଯିବ । ଘରେ ପିଲାମାନଙ୍କର ବୃଦ୍ଧି ହେବାକୁ ଲାଗିବ । ପୁତ୍ର, ପୌତ୍ର, ପର-ପୌତ୍ରମାନେ ପୁରୁଣା ଘରକୁ ଆସିବେ ନା । କହିବେ ଏହା ଆମର ଜେଜେ, ଅଣଜେଜେଙ୍କର ଘର । ପଛରେ ମଧ୍ୟ ବହୁତ ଆସିବେ ନା । ଯେତେ ଜୋରରେ ପୁରୁଷାର୍ଥ କରିବ ସେଇ ଅନୁସାରେ ପ୍ରଥମେ ନୂଆ ଘରେ ଆସିବ । ପୁରୁଷାର୍ଥର ବହୁତ ସହଜଯୁକ୍ତି ବାବା ବୁଝାଉଛନ୍ତି । ଭକ୍ତିରେ ମଧ୍ୟ ପୁରୁଷାର୍ଥ କରିଥାନ୍ତି ନା । ଯେଉଁମାନେ ବହୁତ ଭକ୍ତି କରନ୍ତି ସେମାନଙ୍କ ନାମ ପ୍ରସିଦ୍ଧ ହୋଇଥାଏ । କେତେକ ଭକ୍ତଙ୍କର ଷ୍ଟାମ୍ପ ମଧ୍ୟ ବାହାର କରିଥାନ୍ତି । ଜ୍ଞାନର ମାଳା ବିଷୟରେ ତ କାହାକୁ ହେଲେ ଜଣା ନାହିଁ । ପ୍ରଥମେ ଜ୍ଞାନ, ପରେ ଭକ୍ତି । ଏକଥା ତୁମ ବୁଦ୍ଧିରେ ଅଛି । ଅଧା ସମୟ ହେଉଛି ଜ୍ଞାନ-ସତ୍ୟଯୁଗ ତ୍ରେତାଯୁଗ । ଏବେ ତୁମେମାନେ ଜ୍ଞାନରେ ପରିପୂର୍ଣ୍ଣ ହୋଇଯାଇଛ । ଶିକ୍ଷକଙ୍କ ପାଖରେ ସର୍ବଦା ପୂର୍ଣ୍ଣ ଜ୍ଞାନ ରହିଥାଏ । ଛାତ୍ରମାନେ କ୍ରମଅନୁସାରେ ନମ୍ବର ରଖିଥାନ୍ତି । ଇଏ ହେଲେ ବେହଦର ଶିକ୍ଷକ । ତୁମେ ହେଲ ବେହଦର ଛାତ୍ର, ଛାତ୍ରମାନେ ତ କ୍ରମାନ୍ୱୟରେ ପାସ୍ ହେବେ । ଯେପରି କଳ୍ପ ପୂର୍ବରୁ ହୋଇଥିଲେ । ବାବା ବୁଝାଉଛନ୍ତି ତୁମେ ହିଁ ୮୪ ଜନ୍ମ ନେଇଛ । ୮୪ ଜନ୍ମରେ ୮୪ ଜଣ ଶିକ୍ଷକ ହୋଇଥାନ୍ତି । ପୁର୍ନଜନ୍ମ ତ ନିଶ୍ଚୟ ନେବାକୁ ହିଁ ହେବ । ପ୍ରଥମେ ଦୁନିଆ ସତ୍ତ୍ୱପ୍ରଧାନଥାଏ ପରେ ପୁଣି ପୁରୁଣା ତମୋପ୍ରଧାନ ଦୁନିଆ ହୋଇଯାଏ । ଯେଉଁଠାରେ ମନୁଷ୍ୟମାନେ ମଧ୍ୟ ତମୋପ୍ରଧାନ ହୋଇଥିବେ । ବୃକ୍ଷ ମଧ୍ୟ ପ୍ରଥମେ ନୂଆ ସତ୍ତ୍ୱପ୍ରଧାନ ହୋଇଥାଏ । ନୂଆ ପତ୍ର ବହୁତ ସୁନ୍ଦର ହୋଇଥାଏ । ତେବେ ଏହା ତ ବେହଦର ବୃକ୍ଷ ଅଟେ । ଏଥିରେ ଢେର ଧର୍ମ ରହିଛି । ତୁମ ବୁଦ୍ଧି ଏବେ ବେହଦ ଆଡକୁ ଯିବ । କେତେ ବଡ ବୃକ୍ଷ । ପ୍ରଥମେ ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ହେବ । ପୁଣି ଭିନ୍ନ ଭିନ୍ନ ଧର୍ମ ସବୁ ଆସିବ । ତୁମେ ହିଁ ୮୪ ଭିନ୍ନ-ଭିନ୍ନ ଜନ୍ମ ନେଇଛ । ତାହା ମଧ୍ୟ ଅବିନାଶୀ ଅଟେ । ତୁମେ ଜାଣିଛ କଳ୍ପ-କଳ୍ପ ଆମେ ୮୪ ଜନ୍ମର ଚକ୍ରରେ ଘୂରୁଛୁ । ୮୪ ଜନ୍ମର ଚକ୍ରରେ ଆମେ ହିଁ ଆସୁଛୁ । ୮୪ ଲକ୍ଷ ଜନ୍ମ କୌଣସି ମନୁଷ୍ୟର ଆତ୍ମା ନେଉ ନାହିଁ । ଏପରି ତ ଭିନ୍ନ-ଭିନ୍ନ ଜୀବଜନ୍ତୁ ଆଦି ଢେର ରହିଛନ୍ତି । ସେଗୁଡିକୁ କେହି ଗଣନା ମଧ୍ୟ କରିପାରିବେ ନାହିଁ । ମନୁଷ୍ୟର ଆତ୍ମା ୮୪ ଜନ୍ମ ନେଉଛି । ତେଣୁ ଏହି ଅଭିନୟ କରି କରି ଏକଦମ୍ ଯେପରି ହାଲିଆ ହୋଇଯାଇଛନ୍ତି । ଦୁଃଖୀ ହୋଇ ଯାଉଛନ୍ତି । ସିଡି ଓହ୍ଲାଇ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛନ୍ତି । ବାବା ପୁଣି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରୁଛନ୍ତି । ବାବା କହୁଛନ୍ତି — ମୁଁ ତମୋପ୍ରଧାନ ଶରୀର ଏବଂ ତମୋପ୍ରଧାନ ଦୁନିଆକୁ ଆସିଛି । ଏବେ ସମଗ୍ର ଦୁନିଆ ତମୋପ୍ରଧାନ ହୋଇଯାଇଛି । ମନୁଷ୍ୟ ଏପରି କହିଦେଉଛନ୍ତି — ସାରା ବିଶ୍ୱରେ କିପରି ଶାନ୍ତି ହେବ । ଜାଣୁ ନାହାଁନ୍ତି ଯେ ବିଶ୍ୱରେ ଶାନ୍ତି କେବେ ଥିଲା । ବାବା କହୁଛନ୍ତି ତୁମମାନଙ୍କ ଘରେ ଚିତ୍ର ଅଛି ନା । ଏମାନଙ୍କ ରାଜ୍ୟ ଥିବା ସମୟରେ ସାରା ବିଶ୍ୱରେ ଶାନ୍ତି ଥିଲା, ତାକୁ ସ୍ୱର୍ଗ କୁହାଯାଉଥିଲା । ନୂଆ ଦୁନିଆକୁ ହିଁ ହେଭେନ୍ ଗୋଲ୍‌ଡେନ୍ ଯୁଗ କୁହାଯାଉଥିଲା । ଏବେ ଏହି ପୁରୁଣା ଦୁନିଆ ବଦଳିଯିବ । ପୁଣି ସେହି ରାଜଧାନୀ ସ୍ଥାପନ ହେଉଛି । ବିଶ୍ୱରେ ଏମାନଙ୍କର ରାଜ୍ୟ ଥିଲା । ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ବହୁତ ମନୁଷ୍ୟ ଯାଇଥାନ୍ତି । ଏକଥା କଣ ବୁଦ୍ଧିରେ ଅଛି ଯେ ଏଇମାନେ ହିଁ ଭାରତର ମାଲିକ ଥିଲେ ଏମାନଙ୍କ ରାଜ୍ୟରେ ନିଶ୍ଚୟ ସୁଖ-ଶାନ୍ତି ଥିଲା । ଏହା ୫ ହଜାର ବର୍ଷର କଥା — ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା । ଅଧାକଳ୍ପ ପରେ ପୁଣି ପୁରୁଣା ଦୁନିଆ କୁହାଯାଉଛି ସେଥିପାଇଁ ବ୍ୟବସାୟୀମାନେ ତାଙ୍କ ଖାତାରେ ସ୍ୱସ୍ତିକା ଅଙ୍କନ କରିଥାନ୍ତି । ଏହାର ମଧ୍ୟ ଅର୍ଥ ରହିଛି ନା । ସେମାନେ ତ ଗଣେଷ ବୋଲି କହି ଦିଅନ୍ତି । ଗଣେଷଙ୍କୁ ପୁଣି ବିଘ୍ନ ବିନାଶକ ଦେବତା ଭାବିଥାନ୍ତି । ସ୍ୱସ୍ତିକାରେ ପୂରା ୪ ଭାଗ ରହିଥାଏ । ଏସବୁ ଭକ୍ତିମାର୍ଗ । ଏବେ ଦୀପାବଳୀ ପାଳନ କରୁଛନ୍ତି, ବାସ୍ତବରେ ଯୋଗର ଯାତ୍ରା ହିଁ ସତ୍ୟ-ସତ୍ୟ ଦୀପାବଳୀ ଅଟେ ଯାହା ଦ୍ୱାରା ଆତ୍ମାର ଜ୍ୟୋତି ୨୧ ଜନ୍ମ ପାଇଁ ଜାଗ୍ରତ ହୋଇଯାଉଛି । ବହୁତ ରୋଜଗାର ହେଉଛି । ତେଣୁ ତୁମେମାନେ ବହୁତ ଖୁସି ହେବା ଉଚିତ୍ । ଏବେ ନୁଆ ଦୁନିଆ ପାଇଁ ତୁମର ନୂଆ ଖାତା ଆରମ୍ଭ ହେଉଛି । ତୁମମାନଙ୍କୁ ୨୧ ଜନ୍ମର ଖାତା ଏବେ ଜମା କରିବାକୁ ହେବ । ଏବେ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ନିଜକୁ ଆତ୍ମା ଭାବି ଶୁଣୁଛ! ଆତ୍ମା ଭାବି ଶୁଣିଲେ ଖୁସି ମଧ୍ୟ ରହିବ । ବାବା ଆମମାନଙ୍କୁ ପାଠ ପଢାଉଛନ୍ତି । ଭଗବାନୁବାଚ ମଧ୍ୟ ରହିଛି ନା । ଭଗବାନ ଜଣେ ଅଟନ୍ତି । ତେବେ ନିଶ୍ଚିତ ଭାବରେ ସେ ଆସି ଶରୀର ନେଉଥିବେ, ସେଥିପାଇଁ ଭଗବାନୁବାଚ କୁହାଯାଯାଉଛି । ଏହା ମଧ୍ୟ କାହାକୁ ହେଲେ ଜଣା ନାହିଁ ତେଣୁ ନେତି-ନେତି କହି ଦେଉଛନ୍ତି । କହୁଛନ୍ତି ମଧ୍ୟ ସେ ପରମପିତା ପରମାତ୍ମା । ପୁଣି କହିଦେଉଛନ୍ତି — ଆମେ ଜାଣି ନାହୁଁ । କହୁଛନ୍ତି ମଧ୍ୟ ଶିବବାବା, ବ୍ରହ୍ମାଙ୍କୁ ମଧ୍ୟ ବାବା କହୁଛନ୍ତି । ବିଷ୍ଣୁଙ୍କୁ କେବେ ବାବା କହିବେ ନାହିଁ । ପ୍ରଜାପିତା କୁହାଯାଉଛି ତେଣୁ ବାବା ହେଲେ ନା । ତୁମେ ହେଉଛ ବି.କେ. କିନ୍ତୁ ପ୍ରଜାପିତା ନାଁ ନଥିବାରୁ କିଛି ବୁଝୁ ନାହାଁନ୍ତି । ଏତେ ଢେର ବି.କେ. ଅଛନ୍ତି ତେବେ ନିଶ୍ଚିତ ପ୍ରଜାପିତା ମଧ୍ୟ ଥିବେ ସେଥିପାଇଁ ପ୍ରଜାପିତା ଶବ୍ଦ ନିଶ୍ଚୟ ଲେଖ । ତେବେ ବୁଝିଯିବେ ଯେ, ପ୍ରଜାପିତା ତ ଆମର ହିଁ ବାବା ଅଟନ୍ତି । ନୂଆ ସୃଷ୍ଟି ନିଶ୍ଚିତ ପ୍ରଜାପିତାଙ୍କ ଦ୍ୱାରା ହିଁ ରଚନା କରାଯାଉଛି । ଆମେ ସମସ୍ତେ ଆତ୍ମା, ପରସ୍ପର ଭାଇ ଭାଇ ପୁଣି ଶରୀର ଧାରଣ କରି ଭାଇ-ଭଉଣୀ ହୋଇଯାଉଛୁ । ବାବାଙ୍କର ସନ୍ତାନ ତ ଅବିନାଶୀ ଅଟନ୍ତି ପୁଣି ସାକାରରେ ଭାଇ-ଭଉଣୀ ଦରକାର । ତେଣୁ ନାମ ରହିଛି ପ୍ରଜାପିତା ବ୍ରହ୍ମା । କିନ୍ତୁ ଆମେ ବ୍ରହ୍ମାଙ୍କୁ ସ୍ମରଣ କରୁନାହୁଁ । ସ୍ମରଣ ତ ଲୌକିକମାନଙ୍କୁ ଏବଂ ପାରଲୌକିକଙ୍କୁ କରିଥାନ୍ତି । ପ୍ରଜାପିତା ବ୍ରହ୍ମାଙ୍କୁ କେହି ସ୍ମରଣ କରନ୍ତି ନାହିଁ । ଦୁଃଖରେ ବାବାଙ୍କୁ ସ୍ମରଣ କରନ୍ତି, ବ୍ରହ୍ମାଙ୍କୁ ନୁହେଁ, କହନ୍ତି ହେ ଭଗବାନ । ହେ ବ୍ରହ୍ମା ବୋଲି କେବେହେଲେ କହନ୍ତି ନାହିଁ । ସୁଖରେ କାହାକୁ ବି ସ୍ମରଣ କରନ୍ତି ନାହିଁ । ସ୍ୱର୍ଗରେ ତ ସୁଖ ହିଁ ସୁଖ ରହିଛି । ଏକଥା ମଧ୍ୟ କାହାକୁ ହେଲେ ଜଣା ନାହିଁ । ତୁମେମାନେ ଜାଣୁଛ ବର୍ତ୍ତମାନ ୩ ଜଣ ପିତା ଅଛନ୍ତି । ଭକ୍ତିମାର୍ଗରେ ଲୌକିକ ଏବଂ ପାରଲୌକିକ ବାବାଙ୍କୁ ମନେ ପକାଇଥାନ୍ତି । ସତ୍ୟଯୁଗରେ କେବଳ ଲୌକିକ ପିତାଙ୍କୁ ମନେ ପକାଇଥାନ୍ତି । କିନ୍ତୁ ସଂଗମ ଯୁଗରେ ୩ ଜଣଙ୍କୁ ମନେ ପକାଇଥାନ୍ତି । ଲୌକିକ ପିତା ମଧ୍ୟ ଥାନ୍ତି କିନ୍ତୁ ଜାଣିଥାନ୍ତି ସେ ହେଉଛନ୍ତି ହଦର ପିତା । ତାଙ୍କଠାରୁ ହଦର ବର୍ସା ମିଳୁଛି । ଏବେ ଆମକୁ ବେହଦର ବାବା ମିଳିଛନ୍ତି ଯାହାଙ୍କଠାରୁ ବେହଦର ବର୍ସା ମିଳୁଛି । ଏସବୁ ବୁଦ୍ଧିର କଥା । ଏବେ ବେହଦର ବାବା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି ଆମମାନଙ୍କୁ ବେହଦର ସୁଖ ଦେବା ପାଇଁ । ତାଙ୍କର ହେଲେ ହିଁ ଆମେ ବେହଦର ବର୍ସା ପାଉଛୁ । ଏହା ଯେପରି ଦାଦାଙ୍କଠାରୁ ବର୍ସା ମିଳୁଛି — ବ୍ରହ୍ମା ଦ୍ୱାରା । ସେ କହୁଛନ୍ତି ମୁଁ ତୁମକୁ ବର୍ସା ଦେଉଛି । ମୁଁ ପାଠ ପଢାଉଛି । ମୋ ପାଖରେ ଜ୍ଞାନ ଅଛି । ବାକି ନା ମନୁଷ୍ୟଠାରେ ଜ୍ଞାନ ଅଛି ନା ଦେବତାମାନଙ୍କ ପାଖରେ ଜ୍ଞାନ ଅଛି । ଏହି ଜ୍ଞାନ କେବଳ ମୋ ପାଖରେ ଅଛି, ଯାହା ମୁଁ ତୁମମାନଙ୍କୁ ଦେଉଛି । ଏହା ହେଉଛି ଆତ୍ମିକ ଜ୍ଞାନ । ତୁମେ ଜାଣିଛ ଆତ୍ମାର ପିତା ଶିବବାବାଙ୍କ ଦ୍ୱାରା ଆମକୁ ଏହି ପଦ ମିଳୁଛି । ଏହିପରି ବିଚାର ସାଗର ମନ୍ଥନ କରିବା ଉଚିତ୍ । ଗାୟନ ମଧ୍ୟ ରହିଛି, ମନ କେ ଜିତେ୍ ଜିତ, ମନ ସେ ହାରେ ହାର... ବାସ୍ତବରେ କହିବା ଦରକାର — ମାୟା ଉପରେ ବିଜୟ, କାହିଁକି ନା ମନକୁ ଜିତି ହେବ ନାହିଁ । ମନୁଷ୍ୟ କହୁଛନ୍ତି ମନର ଶାନ୍ତି କିପରି ହେବ ? ବାବା କହୁଛନ୍ତି ଆତ୍ମା କିପରି କହିବ ଯେ, ମନର ଶାନ୍ତି ଦରକାର । ଆତ୍ମା ତ ହେଉଛି ଶାନ୍ତିଧାମର ବାସିନ୍ଦା । ଆତ୍ମା ଶରୀରକୁ ଆସିବା ପରେ କାର୍ଯ୍ୟ କରିବାରେ ଲାଗିଯାଏ । ବାବା କହୁଛନ୍ତି ତୁମେ ଏବେ ସ୍ୱଧର୍ମରେ ସ୍ଥିତ ହୁଅ, ନିଜକୁ ଆତ୍ମା ବୋଲି ଭାବ । ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି । ବାକି ଶାନ୍ତି କେଉଁଠି ଖୋଜିବ । ଏହା ଉପରେ ରାଣୀଙ୍କ ହାରର ଉଦାହରଣ ରହିଛି । ସନ୍ନ୍ୟାସୀମାନେ ଏହି ଦୃଷ୍ଟାନ୍ତ ଦେଇ ପୁଣି ନିଜେ ଜଙ୍ଗଲକୁ ଯାଇ ଶାନ୍ତି ଖୋଜିଥାନ୍ତି । ବାବା କହୁଛନ୍ତି ତୁମ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି । ଶାନ୍ତିଧାମ ତୁମର ଘର, ଯେଉଁଠାରୁ ତୁମେ ପାର୍ଟ କରିବାକୁ ଆସୁଛ । ଆତ୍ମାକୁ ଶରୀର ଦ୍ୱାରା କର୍ମ କରିବାକୁ ପଡୁଛି । ଶରୀରରୁ ଅଲଗା ହେଲେ ନିସ୍ତବ୍ଧ ହୋଇଯାଏ । ଆତ୍ମା ଯାଇ ଅନ୍ୟ ଏକ ଶରୀର ନେଇଥାଏ ତେବେ ଚିନ୍ତା କାହିଁକି ? କଣ ଆତ୍ମା ଫେରି ଆସିବ କି! କିନ୍ତୁ ମୋହ ବିଚଳିତ କରିଥାଏ । ସେଠାରେ ତୁମକୁ ମୋହ ବିଚଳିତ କରିବ ନାହିଁ । କାରଣ ସେଠାରେ ୫ ବିକାର ହିଁ ରହିବ ନାହିଁ । ରାବଣ ରାଜ୍ୟ ହିଁ ନାହିଁ । ତାହା ହେଲା ରାମରାଜ୍ୟ । ଯଦି ସବୁବେଳେ ରାବଣ ରାଜ୍ୟ ହେବ ତେବେ ମନୁଷ୍ୟମାନେ ଥକିଯିବେ । କେବେହେଲେ ସୁଖ ଦେଖିପାରିବେ ନାହିଁ । ଏବେ ତୁମେ ଆସ୍ତିକ ହୋଇଛ ଏବଂ ତ୍ରିକାଳଦର୍ଶୀ ମଧ୍ୟ ହୋଇଛ । ମନୁଷ୍ୟମାନେ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ସେଥିପାଇଁ ନାସ୍ତିକ ବୋଲି କୁହାଯାଉଛି ।

ବର୍ତ୍ତମାନ ତୁମେ ଜାଣୁଛ ଏହି ଶାସ୍ତ୍ର ଆଦି ଯାହା ଅତୀତ ହୋଇଯାଇଛି, ଏସବୁ ହେଲା ଭକ୍ତି ମାର୍ଗ । ବର୍ତ୍ତମାନ ତୁମେ ଜ୍ଞାନ ମାର୍ଗରେ ଅଛ । ବାବା ତୁମମାନଙ୍କୁ କେତେ ସ୍ନେହର ସହିତ ନୟନ ଉପରେ ବସାଇ ନେଇଯାଉଛନ୍ତି । ଗଳାର ହାର କରି ସମସ୍ତଙ୍କୁ ନେଇଯାଉଛନ୍ତି । ସମସ୍ତେ ତାଙ୍କୁ ଡାକୁଛନ୍ତି । ଯେଉଁମାନେ କାମ ଚିତା ଉପରେ ବସି କଳା ହୋଇ ଯାଇଛନ୍ତି ତାଙ୍କୁ ଜ୍ଞାନ ଚିତା ଉପରେ ବସାଇ, ହିସାବ-କିତାବ ଚୁକ୍ତ କରାଇ ଘରକୁ ନେଇଯାଉଛନ୍ତି । ଏବେ ତୁମର କାମ ହେଉଛି ପାଠ ପଢିବା, ଅନ୍ୟମାନଙ୍କ କଥାରେ ଯିବା ଉଚିତ୍ ନୁହେଁ । କିପରି ମରିବୁ, କଣ ହେବ... ଏସବୁ କଥାରେ ଆମେ କାହିଁକି ଯିବୁ । ଏହା ତ ବିନାଶର ସମୟ, ସବୁ ହିସାବ-କିତାବ ଚୁକ୍ତ କରି ଘରକୁ ଚାଲିଯିବା । ଏହି ବେହଦ ଡ୍ରାମାର ରହସ୍ୟ କେବଳ ତୁମମାନଙ୍କ ବୁଦ୍ଧିରେ ଅଛି, ଏହି ରହସ୍ୟକୁ ଆଉ କେହିହେଲେ ଜାଣି ନାହାଁନ୍ତି । ପିଲାମାନେ ଜାଣିଛନ୍ତି ଆମେ ବାବାଙ୍କ ପାଖକୁ ବେହଦର ବର୍ସା ନେବା ପାଇଁ କଳ୍ପ-କଳ୍ପ ଆସୁଛୁ । ଆମେ ହେଉଛୁ ଜୀବଆତ୍ମା । ବାବା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସି ପ୍ରବେଶ କରିଛନ୍ତି । ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସୁଛି, ଏହାଙ୍କୁ ମଧ୍ୟ ବୁଝାଉଛି ଯେ ତୁମେ ନିଜର ଜନ୍ମକୁ ଜାଣି ନାହଁ । ଆଉ କେହି ଏପରି କହିପାରିବେ ନାହିଁ ଯେ ପିଲାମାନେ, ଦେହୀ-ଅଭିମାନୀ ହୁଅ, ବାବାଙ୍କୁ ମନେ ପକାଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ଯୋଗର ଯାତ୍ରାରେ ରହି ସଚ୍ଚା-ସଚ୍ଚା ଦୀପାବଳୀ ପ୍ରତିଦିନ ପାଳନ କରିବାକୁ ହେବ । ନିଜର ନୂଆ ଖାତା ୨୧ ଜନ୍ମ ପାଇଁ ଜମା କରିବାକୁ ହେବ ।

(୨) ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖି ପାଠପଢା ବ୍ୟତୀତ ଅନ୍ୟ କୌଣସି କଥାରେ ଯିବାର ନାହିଁ । ନିଜର ସବୁ ହିସାବ-କିତାବ ଚୁକ୍ତ କରିବାକୁ ହେବ ।

ବରଦାନ:-

ଲଗନର ଅଗ୍ନି ଦ୍ୱାରା ଗୋଟିଏ ଦୀପରୁ ଅନେକ ଦୀପ ଜଳାଉଥିବା ସଚ୍ଚା ସେବାଧାରୀ ହୁଅ ।

ଯେପରି ଦୀପାବଳୀ ଉତ୍ସବରେ ଗୋଟିଏ ଦୀପରୁ ଅନେକ ଦୀପ ଜଳାଇ ଦୀପାବଳୀ ପର୍ବ ପାଳନ କରିଥାଅ ସେହିପରି ଦୀପରେ ଥିବା ଅଗ୍ନି ଭଳି ତୁମମାନଙ୍କ ଭିତରେ ମଧ୍ୟ ଲଗନର ଅଗ୍ନି ରହିଛି । ଯଦି ଗୋଟିଏ ଗୋଟିଏ ଆତ୍ମାରୂପୀ ଦୀପମାନଙ୍କର ଏକମାତ୍ର ପରମାତ୍ମ ରୂପୀ ମହାଦୀପ ସହିତ ଲଗନ ଲାଗିଗଲା ତେବେ ଏହା ହିଁ ହେଉଛି ପ୍ରକୃତ ଦୀପାବଳୀ । ତେଣୁ ଏହିଭଳି ଗୋଟିଏ ଦୀପ ସହିତ ଲଗନର ଅଗ୍ନି ଜଳାଇ ଅଗ୍ନିରୂପ ଧାରଣ କରୁଥିବା ଆତ୍ମାମାନେ, ନିଜର ଆଲୋକ ଦ୍ୱାରା ଅଜ୍ଞାନତା ରୂପୀ ଅନ୍ଧକାରକୁ ସମାପ୍ତ କରୁଥିବା ଆତ୍ମାମାନେ ହିଁ ସଚ୍ଚା ସେବାଧାରୀ ଅଟନ୍ତି ।

ସ୍ଲୋଗାନ:-

ଏକବଳ, ଏକ ଭରସାର ପାଠକୁ ସର୍ବଦା ପକ୍କା କରିଥାଅ ତେବେ ମାୟାର ଜଳ ଭଉଁରୀରୁ ସହଜରେ ବାହାରି ଆସିପାରିବ ।

*** ଓମ୍ ଶାନ୍ତି ***