14.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଏବେ
ତୁମର କାୟା ଅର୍ଥାତ୍ ଶରୀର ବିଲକୁଲ୍ ପୁରୁଣା ହୋଇଯାଇଛି, ବାବା ଆସିଛନ୍ତି ତୁମର କାୟାକୁ
କଳ୍ପବୃକ୍ଷ ସମାନ ପବିତ୍ର କରିବା ପାଇଁ, ତୁମେ ଅଧାକଳ୍ପ ପାଇଁ ଅମର ହେଉଛ ।”
ପ୍ରଶ୍ନ:-
ଏହି ୱଣ୍ଡରଫୁଲ
ବା ଆଶ୍ଚର୍ଯ୍ୟଜନକ ନାଟକରେ କେଉଁ କଥାଟି ବହୁତ ବୁଝିବାର ଅଟେ?
ଉତ୍ତର:-
ଏହି ନାଟକରେ ଯିଏବି ଆକ୍ଟର ବା ପାର୍ଟଧାରୀମାନେ ଅଛନ୍ତି ତାଙ୍କର ଚିତ୍ର କେବଳ ଥରେ ମାତ୍ର ହିଁ
ଦେଖିପାରିବ, ପୁଣି ସେହି ଚିତ୍ର ୫ ହଜାର ବର୍ଷ ପରେ ଦେଖିବାକୁ ମିଳିବ । ୮୪ ଜନ୍ମର ୮୪ଟି ଚିତ୍ର
ହେବ କିନ୍ତୁ ସବୁ ଗୁଡିକ ଭିନ୍ନ ଭିନ୍ନ - ହେବ । କାହାର କର୍ମ କାହା ସହିତ ମିଶିପାରିବ ନାହିଁ ।
ଯିଏ ଯେଉଁ କର୍ମ କରୁଛି ସିଏ ପୁଣି ସେହି କର୍ମ ୫ ହଜାର ବର୍ଷ ପରେ କରିବ, ଏହି କଥାକୁ ବହୁତ ଭଲ
ଭାବରେ ବୁଝିବାର ଅଛି । ତୁମମାନଙ୍କର ବୁଦ୍ଧିର ତାଲା ବର୍ତ୍ତମାନ ଖୋଲିଛି । ତେଣୁ ତୁମେମାନେ ଏହି
ରହସ୍ୟକୁ ସମସ୍ତଙ୍କୁ ବୁଝାଇପାରିବ ।
ଗୀତ:-
ଭୋଲେନାଥ ସେ
ନିରାଲା...
ଓମ୍ ଶାନ୍ତି ।
ଭୋଳାନାଥ ସର୍ବଦା
ଶିବବାବାଙ୍କୁ ହିଁ କୁହାଯାଇଥାଏ, ଶଙ୍କରଙ୍କୁ ନୁହେଁ । ସିଏ ତ ବିନାଶ କରନ୍ତି କିନ୍ତୁ ଶିବବାବା
ସ୍ଥାପନା କରିଥାନ୍ତି । ତେବେ ସ୍ଥାପନା ତ ନିଶ୍ଚିତ ସ୍ୱର୍ଗର ହିଁ କରିବେ ଏବଂ ନର୍କର ବିନାଶ
କରିବେ । ଜ୍ଞାନସାଗର ଭୋଳାନାଥ ଶିବଙ୍କୁ ହିଁ କୁହାଯିବ । ଏବେ ତୁମେମାନେ ତ ଅନୁଭବୀ । ନିଶ୍ଚିତ
କଳ୍ପ ପୂର୍ବରୁ ମଧ୍ୟ ଶିବବାବା ଆସିଥିବେ ଏବଂ ଏବେ ମଧ୍ୟ ଆସିଛନ୍ତି । ତାଙ୍କୁ ନିଶ୍ଚିତ ଆସିବାକୁ
ହିଁ ହେବ କାହିଁକି ନା ମନୁଷ୍ୟ ସୃଷ୍ଟିକୁ ରଚନା କରିବାକୁ ହେବ । ସମସ୍ତଙ୍କୁ ଏହି ଡ୍ରାମାର
ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବତାଇବାକୁ ହେବ ସେଥିପାଇଁ ତାଙ୍କୁ ନିଶ୍ଚିତ ଭାବରେ ଏଠାକୁ ଆସିବାକୁ
ହିଁ ହେବ । ସୂକ୍ଷ୍ମଲୋକରେ ତ ଏସବୁ କଥା କହିବେ ନାହିଁ । ସୂକ୍ଷ୍ମଲୋକରେ ଭାଷା ଅଲଗା,
ବ୍ରହ୍ମଲୋକରେ ତ କୌଣସି ଭାଷା ହିଁ ନାହିଁ । ଏଠାରେ ତ ସମସ୍ତେ କଥାବାର୍ତ୍ତା କରୁଛନ୍ତି । ତେଣୁ
ଶିବବାବା ହିଁ ବିଗିଡିଯାଇଥିବା କଥାକୁ ସୁଧାରିଥାଆନ୍ତି । ଯେତେବେଳେ ସୃଷ୍ଟି ତମଃପ୍ରଧାନ ହୋଇଯାଏ
ସେତେବେଳେ ସମସ୍ତଙ୍କର ସଦ୍ଗତିଦାତା ଭଗବାନ କହୁଛନ୍ତି ଯେ, ମୋତେ ଆସିବାକୁ ପଡିଥାଏ । ଏଠାରେ
ତାଙ୍କର ସ୍ମାରକୀ ମଧ୍ୟ ରହିଛି । ଏହି ନାଟକରେ ଯେଉଁ ଯେଉଁ ମନୁଷ୍ୟମାନଙ୍କର ଚେହେରା ଅଛି ତାଙ୍କୁ
କେବଳ ଥରେ ମାତ୍ର ଦେଖିପାରିବ । ଏପରି ନୁହେଁ ଯେ, ଲକ୍ଷ୍ମୀ-ନାରାୟଣଙ୍କର ଚେହେରାକୁ ସତ୍ୟଯୁଗ
ବ୍ୟତୀତ କେବେ ବି କେଉଁଠି ବି ଦେଖିପାରିବ । ସେମାନେ ଯେତେବେଳେ ପୁନର୍ଜନ୍ମ ନେବେ ସେତେବେଳେ
ତାଙ୍କର ନାମ ରୂପ ଭିନ୍ନ ହୋଇଯିବ । ତେବେ ସେହି ଲକ୍ଷ୍ମୀ-ନାରାୟଣଙ୍କର ରୂପ ଥରେ ମାତ୍ର ଦେଖିବ
ପୁଣି ସେହି ଚେହେରା ୫ ହଜାର ବର୍ଷ ପରେ ହିଁ ଦେଖିବ । ଯେପରି ଗାନ୍ଧିଜୀଙ୍କର ଅବିକଳ ଚେହେରା ପୁଣି
୫ ହଜାର ବର୍ଷ ପରେ ଦେଖିବ । ଏହି ସୃଷ୍ଟିରେ ଅସଂଖ୍ୟ ମନୁଷ୍ୟ ଅଛନ୍ତି, ତୁମେ ଯେଉଁ ସବୁ
ମନୁଷ୍ୟମାନଙ୍କର ଚିତ୍ର ଏବେ ଦେଖୁଛ ତାହା ପୁଣି ୫ ହଜାର ବର୍ଷ ପରେ ହିଁ ଦେଖିବ । ୮୪ ଜନ୍ମରେ ୮୪
ଚିତ୍ର (ଚେହେରା) ହେବ ଏବଂ ସବୁ ଭିନ୍ନ-ଭିନ୍ନ ହେବ । କର୍ମ ମଧ୍ୟ କାହା ସହିତ ମିଶିପାରିବ ନାହିଁ
। ଯିଏ ଯେଉଁ କର୍ମ କରିଛନ୍ତି, ସେହି କର୍ମ ପୁଣି ୫ ହଜାର ବର୍ଷ ପରେ ପୁନର୍ବାର କରିବେ । ଏହା
ବହୁତ ବୁଝିବାର କଥା । ଏଠାରେ ବାବାଙ୍କର ଚିତ୍ର ମଧ୍ୟ ରହିଛି । ଆମେ ଜାଣୁଛୁ ଯେ ସର୍ବ ପ୍ରଥମେ
ସୃଷ୍ଟି ରଚନା କରିବାକୁ ସିଏ ଆସିଥିବେ । ତୁମର ବୁଦ୍ଧିର ତାଲା ଏବେ ଖୋଲିଯାଇଛି ସେଥିପାଇଁ
ତୁମେମାନେ ସବୁକିଛି ଜାଣୁଛ । ତୁମମାନଙ୍କୁ ଅନ୍ୟମାନଙ୍କର ମଧ୍ୟ ସେହିପରି ତାଲା ଖୋଲିବାକୁ ପଡିବ
। ନିରାକାର ବାବା ନିଶ୍ଚିତ ପରମଧାମରେ ରହୁଥିବେ । ଯେପରି ତୁମେମାନେ ମୋ ସାଥିରେ ରହୁଛ । ପ୍ରଥମେ
ଯେତେବେଳେ ମୁଁ ଆସୁଛି ସେତେବେଳେ ମୋ ସାଥିରେ ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ଥା’ନ୍ତି ।
ମନୁଷ୍ୟ ସୃଷ୍ଟି ତ ପୂର୍ବରୁ ହିଁ ଅଛି ପୁଣି ତାହା କିପରି ଧୀରେ ଧୀରେ ଓଲଟି ଯାଉଛି, ପୁନରାବୃତ୍ତି
ହେଉଛି । ତେବେ ପ୍ରଥମେ ପ୍ରଥମେ ସୂକ୍ଷ୍ମଲୋକ ରଚନା କରିବାକୁ ପଡିବ ତା’ପରେ ପୁଣି ଏହି
ସ୍ଥୂଳଲୋକରେ ଆସିବାକୁ ପଡିବ କାହିଁକି ନା ଯେଉଁ ମନୁଷ୍ୟମାନେ ଦେବତା ଥିଲେ, ସେମାନେ ଏବେ ଶୁଦ୍ର
ହୋଇ ଯାଇଛନ୍ତି । ସେମାନଙ୍କୁ ପୁଣି ବ୍ରାହ୍ମଣରୁ ଦେବତା ହେବାକୁ ପଡିବ । କଳ୍ପ ପୂର୍ବରୁ ମୁଁ
ଯେଉଁ ଜ୍ଞାନ ଦେଇଥିଲି ପୁଣି ତାହାର ହିଁ ପୁନରାବୃତ୍ତ କରିବି । ଏବେ ମୁଁ ରାଜଯୋଗ ଶିଖାଉଛି ।
ପୁଣି ଅଧାକଳ୍ପ ପରେ ଭକ୍ତି ଆରମ୍ଭ ହେବ । ବାବା ନିଜେ ଆସି ବୁଝାଉଛନ୍ତି ଯେ ପୁରୁଣା ସୃଷ୍ଟି ପୁଣି
ନୂଆ କିପରି ହେଉଛି । ଶେଷରୁ ପୁଣି ଆରମ୍ଭ କିପରି ହେଉଛି । ମନୁଷ୍ୟମାନେ ଜାଣୁଛନ୍ତି ଯେ ପରମାତ୍ମା
ଆସିଥିଲେ କିନ୍ତୁ କେବେ, କିପରି ଆସିଥିଲେ । ଆଦି-ମଧ୍ୟ-ଅନ୍ତର ରହସ୍ୟକୁ କିପରି ଖୋଲିଲେ, ଏକଥା
ଜାଣିନାହାଁନ୍ତି ।
ବାବା କହୁଛନ୍ତି -
ସମସ୍ତଙ୍କୁ ସଦ୍ଗତି ଦେବା ପାଇଁ ପୁନର୍ବାର ମୁଁ ତୁମ ସମ୍ମୁଖକୁ ଆସିଛି । ମାୟା ରାବଣ ସମସ୍ତଙ୍କର
ଭାଗ୍ୟକୁ ବିଗାଡି ଦେଇଛି ତେଣୁ ବିଗିଡିଯାଇଥିବା କଥାକୁ ନିଶ୍ଚିତ କେହି ସୁଧାରିବା ଦରକାର ନା ।
ବାବା କହୁଛନ୍ତି - ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ମୁଁ ବ୍ରହ୍ମାଙ୍କର ଶରୀରରେ ଆସିଥିଲି । ମନୁଷ୍ୟ
ସୃଷ୍ଟି ମଧ୍ୟ ନିଶ୍ଚିତ ଏହିଠାରେ ହିଁ ରଚନା କରିଛନ୍ତି । ଏଠାକୁ ଆସି ସୃଷ୍ଟିକୁ ବଦଳାଇ କାୟା
କଳ୍ପବୃକ୍ଷ ସମାନ କରୁଛନ୍ତି । ଏବେ ତୁମର ଶରୀର ବିଲ୍କୁଲ୍ ପୁରୁଣା ହୋଇଗଲାଣି, ବାବା ଏଭଳି ନୂଆ
କରି ଦେଉଛନ୍ତି ଯାହାକି ଅଧାକଳ୍ପ ପାଇଁ ତୁମେମାନେ ଅମର ହୋଇଯାଉଛ । ଯଦିଓ ଶରୀର ବଦଳାଉଛ କିନ୍ତୁ
ଖୁସିର ସହିତ । ଯେପରି ପୁରୁଣା ଶରୀର ଛାଡି ନୂଆ ନେଇଥା’ନ୍ତି । ସେଠାରେ ଏପରି କହିବେ ନାହିଁ ଯେ
ଅମୁକ ମରିଗଲା, ତାକୁ ମରିବା କୁହାଯିବ ନାହିଁ । ଯେପରି ଏହାକୁ ତୁମର ବଞ୍ଚି ଥାଉ ଥାଉ ମରିବା
କୁହାଯାଉଛି, ତେବେ କ’ଣ ତୁମେମାନେ ସତରେ ମରିଯାଇଛ କି । ତୁମେମାନେ ଶିବବାବାଙ୍କର ହୋଇଛ । ବାବା
କହୁଛନ୍ତି - ତୁମେମାନେ ମୋର ନୟନର ଜ୍ୟୋତି ରୂପକ ରତ୍ନ ଅଟ, ବହୁ ଦିନରୁ ଅଲଗା ହୋଇଥିବା ସନ୍ତାନ
ଅଟ । ଏକଥା ଶିବବାବା ବି କହୁଛନ୍ତି ତ ବ୍ରହ୍ମାବାବା ମଧ୍ୟ କହୁଛନ୍ତି । ସିଏ ନିରାକାରୀ ପିତା,
ଇଏ ସାକାରୀ ପିତା । ଏବେ ତୁମେମାନେ କହୁଛ ଯେ, ବାବା ଆପଣ ଆମର ସେହି ବାବା ଅଟନ୍ତି ନା । ଆମେମାନେ
ମଧ୍ୟ ଆପଣଙ୍କର ସେହି ସନ୍ତାନ ଯେଉଁମାନେ ପୁଣି ଥରେ ଆସି ଆପଣଙ୍କ ସହିତ ମିଶିଛୁ । ବାବା କହୁଛନ୍ତି
- ମୁଁ ଆସି ସ୍ୱର୍ଗ ସ୍ଥାପନ କରୁଛି । ରାଜତ୍ୱ ତ ନିଶ୍ଚିତ ଦରକାର ସେଥିପାଇଁ ମୁଁ ତୁମକୁ ରାଜଯୋଗ
ଶିଖାଉଛି । ପରେ ତ ତୁମମାନଙ୍କୁ ରାଜତ୍ୱ ମିଳିଯିବ ପୁଣି ଏହି ଜ୍ଞାନର ସେଠାରେ ଆବଶ୍ୟକତା ରହିବ
ନାହିଁ । ଏହି ଶାସ୍ତ୍ର ଆଦି ସବୁ ଭକ୍ତିରେ କାମରେ ଆସିଥାଏ, ସବୁବେଳେ ପଢନ୍ତି । ଯେପରି କେହି ବଡ
ଲୋକ ଇତିହାସ-ଭୂଗୋଳ ଲେଖିଯାଇଥା’ନ୍ତି, ତାକୁ ପୁଣି ଅନ୍ୟମାନେ ପଛରେ ପଢନ୍ତି । ସେହିଭଳି ଭକ୍ତିରେ
ମଧ୍ୟ ଅସରନ୍ତି ପୁସ୍ତକ ରହିଛି । ଯାହାକୁ ମନୁଷ୍ୟମାନେ ପଢି ଚାଲିଛନ୍ତି । ସ୍ୱର୍ଗରେ ତ କିଛି ବି
ରହିବ ନାହିଁ । ସେଠାରେ ତ ଗୋଟିଏ ହିଁ ଭାଷା ରହିବ । ବାବା କହୁଛନ୍ତି ଏବେ ମୁଁ ସୃଷ୍ଟିକୁ ନୂଆ
କରିବା ପାଇଁ ଆସିଛି । ପ୍ରଥମେ ନୂଆ ସୃଷ୍ଟି ଥିଲା, ଏବେ ପୁରୁଣା ହୋଇଯାଇଛି । ମୋର ସବୁ
ପିଲାମାନଙ୍କୁ ମାୟା ଜଳାଇ ପାଉଁଶ ଅର୍ଥାତ୍ ପତିତ କରିଦେଇଥିଲା । ସେଥିପାଇଁ ଶାସ୍ତ୍ରରେ
ଦେଖାଇଛନ୍ତି ସାଗରଙ୍କର ସନ୍ତାନ... ବାସ୍ତବରେ ସିଏ ଜ୍ଞାନର ସାଗର ଅଟନ୍ତି, ତୁମେମାନେ ତାଙ୍କର
ସନ୍ତାନ ଅଟ । ଯଦିଓ ପ୍ରକୃତରେ ସମସ୍ତେ ସନ୍ତାନ ଅଟନ୍ତି କିନ୍ତୁ ତୁମେମାନେ ଏବେ ବାସ୍ତବିକ ରୂପରେ
ଭଗବାନଙ୍କର ସନ୍ତାନ ହେଉଛ ଯାହାର ଗାୟନ ରହିଛି । ତୁମମାନଙ୍କ ପାଇଁ ହିଁ ବାବା ଆସୁଛନ୍ତି ।
କହୁଛନ୍ତି ମୁଁ ପୁନର୍ବାର ତୁମମାନଙ୍କୁ ସୁରଜିତ୍ କରିବା ପାଇଁ ଆସିଛି । ଯେଉଁମାନେ ବିଲକୁଲ କଳା,
ପଥରବୁଦ୍ଧି ହୋଇଯାଇଛନ୍ତି ସେମାନଙ୍କୁ ପୁଣି ଆସି ପାରସବୁଦ୍ଧି କରୁଛି । ତୁମେମାନେ ଜାଣିଛ ଯେ,
ଏହି ଜ୍ଞାନ ଦ୍ୱାରା ଆମେ କିପରି ପାରସବୁଦ୍ଧି ହେଉଛୁ । ଯେତେବେଳେ ତୁମେମାନେ ପାରସ ବୁଦ୍ଧି
ହୋଇଯିବ ସେତେବେଳେ ଏହି ଦୁନିଆ ମଧ୍ୟ ପଥରପୁରୀରୁ ପରିବର୍ତ୍ତନ ହୋଇ ପାରସପୁରୀ ହୋଇଯିବ, ଯେଉଁଥି
ପାଇଁ ବାବା ପୁରୁଷାର୍ଥ କରାଇ ଚାଲିଛନ୍ତି । ତେଣୁ ବାବାଙ୍କୁ ନିଶ୍ଚିତ ମନୁଷ୍ୟ ସୃଷ୍ଟି ରଚନା
କରିବା ପାଇଁ ଏଠାକୁ ଆସିବାକୁ ପଡିବ ନା । ବାବା ଯାହାଙ୍କ ଶରୀରରେ ଆସୁଛନ୍ତି, ତାଙ୍କ ଦ୍ୱାରା
ମୁଖ ବଂଶାବଳୀ ରଚନା କରୁଛନ୍ତି । ତେଣୁ ଇଏ ମାତା ହୋଇଗଲେ । ଏହା କେତେ ଗୁହ୍ୟ କଥା । କିନ୍ତୁ
ସିଏ ତ ପୁରୁଷ ଯାହାଙ୍କ ଶରୀରରେ ବାବା ଆସୁଛନ୍ତି ସିଏ ମାତା କିପରି ହେଲେ, ଏଥିରେ ନିଶ୍ଚିତ
ସମସ୍ତେ ଦ୍ୱନ୍ଦ୍ୱରେ ପଡିବେ ।
ତୁମେ ପ୍ରମାଣ କରି କହୁଛ
ଯେ, ଏହି ମାତପିତା, ବ୍ରହ୍ମା-ସରସ୍ୱତୀ ଉଭୟ କଳ୍ପବୃକ୍ଷ ତଳେ ବସିଛନ୍ତି, ରାଜଯୋଗ ଶିଖୁଛନ୍ତି
ତେବେ ନିଶ୍ଚତ ତାଙ୍କୁ ଗୁରୁ ଦରକାର । ବ୍ରହ୍ମା, ସରସ୍ୱତୀ ଏବଂ ପିଲାମାନଙ୍କୁ ସମସ୍ତଙ୍କୁ ରାଜଋଷି
କୁହାଯାଉଛି । ତେବେ ସମସ୍ତେ ରାଜପଦ ପାଇବା ପାଇଁ ଯୋଗ ଲଗାଉଛନ୍ତି । ବାବା ଆସି ରାଜଯୋଗ ଏବଂ
ଜ୍ଞାନ ଶିଖାଉଛନ୍ତି ଯାହା ଆଉ କେହି ବି ଶିଖାଇ ପାରିବେ ନାହିଁ । ନା ଆଉ କାହାର ରାଜଯୋଗ ଅଛି ।
ସେମାନେ ତ କେବଳ ଏତିକି କହିବେ ଯେ, ଯୋଗ ଶିଖ । ହଠଯୋଗ ତ ଅନେକ ପ୍ରକାରର ରହିଛି । ରାଜଯୋଗ କୌଣସି
ସନ୍ନ୍ୟାସୀ, ଉଦାସୀ ଶିଖାଇ ପାରିବେ ନାହିଁ । କେବଳ ଭଗବାନ ହିଁ ଆସି ରାଜଯୋଗ ଶିଖାଇଥା’ନ୍ତି ।
ବାବା କହୁଛନ୍ତି - ମୋତେ କଳ୍ପ କଳ୍ପ ଆସିବାକୁ ପଡିଥାଏ ଯେତେବେଳେ କି ନୂଆ ମନୁଷ୍ୟ ସୃଷ୍ଟିର ରଚନା
କରିବାକୁ ହୁଏ । ପ୍ରଳୟ ତ ହେଉନାହିଁ । ଯଦି ପ୍ରଳୟ ହୋଇଯିବ ତେବେ ମୁଁ କାହା ଶରୀରରେ ଆସିବି?
ନିରାକାର ଆସି କ’ଣ କରିବେ? ବାବା ବୁଝାଉଛନ୍ତି - ସୃଷ୍ଟି ତ ପୂର୍ବରୁ ରହିଛି । ଭକ୍ତମାନେ ବି
ଅଛନ୍ତି, ଯେଉଁମାନେ କି ଭଗବାନଙ୍କୁ ଡାକୁଛନ୍ତି । ଏଥିରୁ ପ୍ରମାଣିତ ହେଉଛି ଯେ, ଏମାନେ ଭକ୍ତ
ଅଟନ୍ତି । ଭଗବାନଙ୍କୁ ସେତେବେଳେ ଆସିବାକୁ ହେବ ଯେତେବେଳେ ଭକ୍ତମାନେ ବହୁତ ଦୁଃଖୀ ହୋଇଯାଇଥିବେ
ଏବଂ ତାହା କଳିଯୁଗର ଅନ୍ତିମ ସମୟ ହୋଇଥିବ । ଏହି ରାବଣର ରାଜ୍ୟ ସମାପ୍ତ ହେବ, ସେଥିପାଇଁ ମୋତେ
ଆସିବାକୁ ପଡୁଛି । ବାସ୍ତବରେ ଏହି ସମୟରେ ସମସ୍ତେ ଦୁଃଖି ହୋଇଯାଇଛନ୍ତି । ଏହି ମହାବିନାଶର ଲଢେଇ
ମଧ୍ୟ ତୁମ ସମ୍ମୁଖରେ ଉପସ୍ଥିତ ।
ଏହା ଏକ ପାଠଶାଳା ଅଟେ ।
ଏଠାରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ରହିଛି । ତୁମେମାନେ ଜାଣିଛ ଯେ, ସତ୍ୟଯୁଗରେ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ପୁଣି ଗୋଟିଏ ମୁକୁଟଧାରୀ ରାଜାମାନଙ୍କର ରାଜ୍ୟ ଚାଲିଲା ପୁଣି
ଅନ୍ୟ ସବୁ ଧର୍ମର ବୃଦ୍ଧି ହେଲା ଏବଂ ନିଜର ରାଜତ୍ୱ ବଢାଇବା ପାଇଁ ଯୁଦ୍ଧ ମଧ୍ୟ ହେଲା । ଏକଥା
ମଧ୍ୟ ତୁମେମାନେ ଜାଣିଛ ଯେ, ଯାହା ବିତିଯାଇଛି ତାହାର ପୁଣି ପୁନରାବୃତ୍ତି ହେବ । ପୁଣି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଆରମ୍ଭ ହେବ । ବାବା ସାରା ବିଶ୍ୱର ଇତିହାସ-ଭୂଗୋଳର ରହସ୍ୟକୁ
ବୁଝାଉଛନ୍ତି । ଏସବୁ କଥାର ବିସ୍ତାରକୁ ଯିବାର ଆବଶ୍ୟକତା ନାହିଁ । ଏକଥା ଜାଣିଥା’ନ୍ତି ଯେ, ଆମେ
ସୂର୍ଯ୍ୟବଂଶୀ ତେବେ ନିଶ୍ଚିନ୍ତ ପୁନର୍ଜନ୍ମ ମଧ୍ୟ ସୂର୍ଯ୍ୟବଂଶୀରେ ହିଁ ନେବେ । କିନ୍ତୁ
ନାମ-ରୂପ ତ ବଦଳୁଥିବ । ମାତା-ପିତା ମଧ୍ୟ ଅଲଗା ମିଳିବେ, ତେଣୁ ଏହି ସମସ୍ତ ଡ୍ରାମା ବୁଦ୍ଧିରେ
ରଖିବାକୁ ହେବ । ବାବା କିପରି ଆସୁଛନ୍ତି ତାହା ମଧ୍ୟ ତୁମେମାନେ ଜାଣିଯାଇଛ । ମନୁଷ୍ୟମାନଙ୍କ
ବୁଦ୍ଧିରେ ସେହି ଗୀତାର ଜ୍ଞାନ ରହିଛି । ଆଗରୁ ଆମର ବୁଦ୍ଧିରେ ସେହି ପୁରୁଣା ଗୀତାର ଜ୍ଞାନ ଥିଲା
। ଏବେ ବାବା ବହୁତ ଗୁହ୍ୟ କଥା ଶୁଣାଉଛନ୍ତି ଯାହାକୁ ଶୁଣି-ଶୁଣି ସମସ୍ତ ରହସ୍ୟକୁ ବୁଝିଯାଇଛ ।
ମନୁଷ୍ୟମାନେ ମଧ୍ୟ କହୁଛନ୍ତି ଆଗରୁ ତୁମର ଜ୍ଞାନ ଅଲଗା ଥିଲା ଏବେ ବହୁତ ଭଲ ଲାଗୁଛି । ଏବେ
ବୁଝିଗଲେଣି ଯେ, କିପରି ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ହେବାକୁ ପଡିବ । ଏହା
ସମସ୍ତଙ୍କର ଅନ୍ତିମ ଜନ୍ମ । ତେଣୁ ସମସ୍ତଙ୍କୁ ମରିବାକୁ ପଡିବ । ନିଜେ ବେହଦର ବାବା କହୁଛନ୍ତି
ଯେ, ତୁମେମାନେ ପବିତ୍ର ହେବାର ପ୍ରତିଜ୍ଞା କର ତେବେ ୨୧ ଜନ୍ମର ମାଲିକ ହେବ । ଏଠାରେ କେହି
ପଦମପତି ହୋଇଥିଲେ ମଧ୍ୟ ବହୁତ ଦୁଃଖୀ ଅଟନ୍ତି । କାହାର ବି କାୟା କଳ୍ପତରୁ ନୁହେଁ । କିନ୍ତୁ
ତୁମର କାୟା କଳ୍ପତରୁ ସଦୃଶ ହେବ ଅର୍ଥାତ୍ ଆୟୁଷ ଲମ୍ବା ହେବ । ତୁମେ ୨୧ ଜନ୍ମ ମୃତୁବରଣ କରିବ
ନାହିଁ । ବାବା କହୁଛନ୍ତି - ଏଠାକୁ ସେହିମାନେ ଆସିବେ ଯେଉଁ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ କାମ
ଚିତାରେ ବସି ଶ୍ୟାମଳ ହୋଇଯାଇଛନ୍ତି । ସେଥିପାଇଁ କୃଷ୍ଣ ଏବଂ ନାରାୟଣ ସମସ୍ତଙ୍କୁ ଶ୍ୟାମଳ ରୂପରେ
ଦେଖାଇଛନ୍ତି । ଏବେ ତ ସମସ୍ତେ ଶ୍ୟାମଳ, କାମ ଚିତାରେ ବସି ଶ୍ୟାମଳ ହୋଇଯାଇଛନ୍ତି । ଏବେ
ତୁମମାନଙ୍କୁ କାମ ଚିତାରୁ ଓହ୍ଲାଇ ଜ୍ଞାନ ଚିତାରେ ବସିବାକୁ ହେବ । ବିଷର ହସ୍ତଗଣ୍ଠିକୁ
ପ୍ରତ୍ୟାଖ୍ୟାନ କରି ଜ୍ଞାନ ଅମୃତର ହସ୍ତଗଣ୍ଠି ବାନ୍ଧିବାକୁ ହେବ । ସେମାନଙ୍କୁ ଏଭଳି ବୁଝାଇବାକୁ
ହେବ ଯେପରି କହିବେ ଯେ, ତୁମେମାନେ ତ ଶୁଭକାର୍ଯ୍ୟ କରୁଛ । ଯେତେବେଳ ପର୍ଯ୍ୟନ୍ତ କୁମାର କୁମାରୀ
ଅଛନ୍ତି ସେମାନଙ୍କୁ ବିକାରୀ ବୋଲି କୁହାଯିବ ନାହିଁ । ବାବା କହୁଛନ୍ତି - ତୁମେମାନେ କେବେ ବି
ବିକାରର ବଶବର୍ତ୍ତୀ ହୁଅ ନାହିଁ । ଆଗକୁ ଗଲେ ଢେର ଆସିବେ, କହିବେ ଯେ ଏହା ବହୁତ ଭଲ ଜ୍ଞାନ, ଏହି
ଜ୍ଞାନ ଚିତା ଉପରେ ବସି ଆମେ ସ୍ୱର୍ଗର ମାଲିକ ହେବୁ । ପ୍ରାୟତଃ ବ୍ରାହ୍ମଣମାନେ ହିଁ ନିର୍ବନ୍ଧ
କରାଇଥା’ନ୍ତି । ରାଜାମାନଙ୍କ ପାଖରେ ମଧ୍ୟ ବ୍ରାହ୍ମଣ ରହିଥା’ନ୍ତି, ଯାହାଙ୍କୁ ରାଜଗୁରୁ ବୋଲି
କୁହାଯାଏ । ଆଜିକାଲି ତ ସନ୍ନ୍ୟାସୀମାନେ ମଧ୍ୟ ହାତଗଣ୍ଠି ବାନ୍ଧୁଛନ୍ତି । ତୁମେମାନେ ଯେତେବେଳେ
ଏହି ଜ୍ଞାନର କଥା ଶୁଣାଉଛ ସେତେବେଳେ ଲୋକମାନେ ବହୁତ ଖୁସି ହେଉଛନ୍ତି । ତୁରନ୍ତ ରାକ୍ଷୀ ମଧ୍ୟ
ବାନ୍ଧୁଛନ୍ତି । ପୁଣି ଘରେ ଝଗଡା ମଧ୍ୟ ହୋଇଥାଏ । କିଛି ତ ସହନ କରିବାକୁ ପଡିବ ନା ।
ତୁମେମାନେ ହେଲ ଗୁପ୍ତ
ଶିବ ଶକ୍ତି ସେନା । ତୁମ ପାଖରେ କୌଣସି ହତିଆର ନାହିଁ, ଦେବୀମାନଙ୍କ ପାଖରେ ବହୁତ ହତିଆର ଥିବାର
ଦେଖାଇଛନ୍ତି । ଏସବୁ ହେଲା ଜ୍ଞାନର କଥା । ଏଠାରେ ଯୋଗବଳର ହିଁ କଥା ରହିଛି । ତୁମେ ଯୋଗବଳ
ଦ୍ୱାରା ବିଶ୍ୱର ରାଜତ୍ୱ ନେଉଛ । ବାହୁବଳ ଦ୍ୱାରା ହଦର ରାଜତ୍ୱ ମିଳିଥାଏ । ବେହଦର ରାଜତ୍ୱ ତ
ବେହଦର ମାଲିକ ହିଁ ଦେବେ । ଏଥିରେ ଲଢେଇର କୌଣସି କଥା ନାହିଁ । ବାବା କହୁଛନ୍ତି ମୁଁ କିପରି ତୁମ
ଭିତରେ ଲଢେଇ କରାଇବି । ମୁଁ ତ ତୁମର ଲଢେଇ ଆଦିର ଝଗଡା ତୁଟାଇବାକୁ ଆସିଛି ପୁଣି ଏହାର ଚିହ୍ନ
ବର୍ଣ୍ଣ ମଧ୍ୟ ରହିବ ନାହିଁ, ସେଥିପାଇଁ ତ ପରମାତ୍ମାଙ୍କୁ ସମସ୍ତେ ମନେ ପକାଉଛନ୍ତି । କହୁଛନ୍ତି
ଯେ, ମୋର ସମ୍ମାନ ରଖ ତଥାପି ଯଦି ଜଣକଠାରେ ନିଶ୍ଚୟ ନାହିଁ ତେବେ ଅନ୍ୟମାନଙ୍କୁ ପାଖକୁ ମଧ୍ୟ
ଯାଉଛନ୍ତି । କହୁଛନ୍ତି - ଆମ ଭିତରେ ମଧ୍ୟ ଈଶ୍ୱର ଅଛନ୍ତି କିନ୍ତୁ ନିଜ ଉପରେ ମଧ୍ୟ ବିଶ୍ୱାସ
ରଖିପାରୁ ନାହାଁନ୍ତି, ଅନେକ ଗୁରୁ କରୁଛନ୍ତି । ଯଦି ତୁମ ଭିତରେ ଭଗବାନ ଅଛନ୍ତି ତେବେ ଗୁରୁ
କାହିଁକି କରୁଛ । ଏଠାକାର କଥା ହିଁ ଅଲଗା । ବାବା କହୁଛନ୍ତି - କଳ୍ପ ପୂର୍ବରୁ ମଧ୍ୟ ମୁଁ ଏହିଭଳି
ଆସିଥିଲି ଯେପରି ଏବେ ଆସିଛି । ଏବେ ତୁମେମାନେ ଜାଣୁଛ ଯେ, ରଚୟିତା ବାବା କିପରି ରଚନା କରୁଛନ୍ତି,
ଏହା ମଧ୍ୟ ଡ୍ରାମା ଅଟେ । ଯେପର୍ଯ୍ୟନ୍ତ ଏହି ଚକ୍ରକୁ ନ ଜାଣିଛ ସେପର୍ଯ୍ୟନ୍ତ କିପରି ଜାଣିବ ଯେ
ଆଗକୁ କ’ଣ ହେବ । କହୁଛନ୍ତି ଯେ ଏହା କର୍ମକ୍ଷେତ୍ର ଅଟେ । ଆମେ ନିରାକାରୀ ଦୁନିଆରୁ ଅଭିନୟ
କରିବାକୁ ଆସିଛୁ । ତେଣୁ ତୁମେମାନେ ଡ୍ରାମାର ସୃଷ୍ଟିକର୍ତ୍ତା, ନିର୍ଦ୍ଦେଶକଙ୍କ ବିଷୟରେ ଜାଣିବା
ଦରକାର । ଆମେ ସବୁ ଅଭିନେତା ଜାଣିଗଲୁଣି ଯେ, ଏହି ଡ୍ରାମା କିପରି ତିଆରି ହୋଇଛି, ଏହି ସୃଷ୍ଟି
କିପରି ବୃଦ୍ଧିକୁ ପାଉଛି । ଯେହେତୁ ଏବେ କଳିଯୁଗର ଅନ୍ତିମ ସମୟ, ତେଣୁ ନିଶ୍ଚିତ ସତ୍ୟଯୁଗର
ସ୍ଥାପନା ହେବା ଦରକାର । ଯିଏ ବ୍ରାହ୍ମଣ କୁଳର ହୋଇଥିବେ ସିଏ ଏହି ଚକ୍ରର ଜ୍ଞାନକୁ ଠିକ୍ ଭାବାରେ
ବୁଝିଯିବେ । ଇଏ ହେଲେ ପ୍ରଜାପିତା ତେଣୁ ନିଜର କୁଳକୁ ବଢାଇ ଚାଲିବେ । ବଢିବ ତ ନିଶ୍ଚିତ । କଳ୍ପ
ପୂର୍ବଭଳି ସମସ୍ତେ ପୁରୁଷାର୍ଥ କରୁଛନ୍ତି । ଆମେ ସବୁ ସାକ୍ଷୀ ହୋଇ ଦେଖୁଛୁ । ପ୍ରତ୍ୟେକ ନିଜର
ଚେହେରାକୁ ଜ୍ଞାନ ରୂପକ ଦର୍ପଣରେ ଦେଖିବା ଉଚିତ୍ - ଯେ, ସତ୍ୟଯୁଗର ରାଜଧାନୀ ନେବା ପାଇଁ ଆମେ
କେତେ ଯୋଗ୍ୟ ହୋଇଛୁ? ଏହା କଳ୍ପ କଳ୍ପର ବାଜି ଅଟେ, ଯିଏ ଯେତେ ସେବା କରିପାରିବେ । ତୁମେମାନେ
ବେହଦର ଆତ୍ମିକ ସମାଜ ସେବକ ଅଟ । ତୁମେ ସୁପ୍ରିମ ଆତ୍ମାଙ୍କର ମତରେ ଚାଲୁଛ । ଏହିପରି ଭଲ-ଭଲ
ପଏଣ୍ଟସ୍କୁ ଧାରଣ କରିବାକୁ ହେବ । ବାବା ଆସି କାଳର ପଞ୍ଛାରୁ ମୁକ୍ତ କରୁଛନ୍ତି । ସେଠାରେ
ମୃତ୍ୟୁର ନାମ ମଧ୍ୟ ରହିବ ନାହିଁ । ଏହା ମୃତ୍ୟୁଲୋକ, ତାହା ଅମରଲୋକ ଅଟେ । ଏଠାରେ
ଆଦି-ମଧ୍ୟ-ଅନ୍ତ ଦୁଃଖ ରହିଛି, ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ
ନିରାକାରୀ ଏବଂ ସାକାରୀ ଉଭୟ ପିତାଙ୍କର ବିଚ୍ଛେଦୀ ନୂରେ ରତ୍ନ (ଜ୍ୟୋତିରୂପୀ ରତ୍ନ) ଅଟୁ । ଆମେ
ଜୀବିତ ଅବସ୍ଥାରେ ହିଁ ଶିବବାବାଙ୍କର ଉତ୍ତରାଧିକାରୀ ହୋଇଛୁ, ଏହି ନିଶାରେ ରହିବାକୁ ହେବ ।
(୨) ଯୋଗବଳ ଦ୍ୱାରା
ବିଶ୍ୱର ରାଜତ୍ୱ ନେବାର ଅଛି । ଯେହେତୁ ପବିତ୍ରତାର ରାକ୍ଷୀ ବାନ୍ଧିଛୁ ତେଣୁ ସହନ ମଧ୍ୟ କରିବାକୁ
ହେବ । କେବେହେଲେ ପତିତ ହେବା ଉଚିତ୍ ନୁହେଁ ।
ବରଦାନ:-
ସୁଖର ସାଗର
ବାବାଙ୍କ ସ୍ମୃତି ଦ୍ୱାରା ଦୁଃଖର ଦୁନିଆ ଭିତରେ ରହି ମଧ୍ୟ ସୁଖ ସ୍ୱରୂପ ହୁଅ ।
ଯଦି ସଦା-ସର୍ବଦା ସୁଖର
ସାଗର ବାବାଙ୍କର ସ୍ମୃତିରେ ରହିବ ତେବେ ତୁମେ ମଧ୍ୟ ସୁଖ ସ୍ୱରୂପ ହୋଇଯିବ । ଦୁନିଆରେ ଚାହେଁ ଯେତେ
ବି ଦୁଃଖ-ଅଶାନ୍ତିର ପ୍ରଭାବ ରହିଥାଉ କିନ୍ତୁ ତୁମେ ସର୍ବଦା ସେଥିରୁ ମୁକ୍ତ ଅଟ, ସୁଖର ସାଗରଙ୍କର
ସାଥୀରେ ରହୁଛ ସେଥିପାଇଁ ସଦା ସୁଖୀ ମଧ୍ୟ ଅଟ ଏବଂ ସୁଖର ଝୁଲଣାରେ ଝୁଲିବାରେ ଲାଗିଛ । ମାଷ୍ଟର
ସୁଖର ସାଗର ପିଲାମାନଙ୍କୁ ଦୁଃଖର ସଂକଳ୍ପ ମଧ୍ୟ ଆସିପାରିବ ନାହିଁ, କାହିଁକିନା ଦୁଃଖର ଦୁନିଆରୁ
ଦୂରେଇ ଯାଇ ସଂଗମଯୁଗରେ ପହଞ୍ଚି ଯାଇଛ । ଯେହେତୁ ପୁରୁଣା ଦୁନିଆଠାରୁ ତୁମର ସବୁ ପ୍ରକାରର ମୋହର
ରଶି ଅର୍ଥାତ୍ ବନ୍ଧନ ସମାପ୍ତ ହୋଇଯାଇଛି ତେଣୁ ସର୍ବଦା ସୁଖର ସାଗରର ଲହଡିରେ ଖେଳୁଥାଅ ।
ସ୍ଲୋଗାନ:-
ମନ ଏବଂ
ବୁଦ୍ଧିକୁ ଗୋଟିଏ ମାତ୍ର ଶକ୍ତିଶାଳୀ ସ୍ଥିତିରେ ସ୍ଥିତ କରିବା ହିଁ ଏକାନ୍ତବାସୀ ହେବା ।