14.02.21    Avyakt Bapdada     Odia Murli     02.11.87     Om Shanti     Madhuban


ସ୍ୱପରିବର୍ତ୍ତନର ଆଧାର-ସଚ୍ଚା ଆନ୍ତରିକ ହୃଦବୋଧ


ଆଜି ବିଶ୍ୱ ପରିବର୍ତ୍ତକ, ବିଶ୍ୱ କଲ୍ୟାଣକାରୀ ବାପଦାଦା ନିଜର ସ୍ନେହୀ, ସହଯୋଗୀ, ବିଶ୍ୱ ପରିବର୍ତ୍ତକ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ନିଜ ନିଜର ପରିବର୍ତ୍ତନ ଆଧାରରେ ବିଶ୍ୱକୁ ପରିବର୍ତ୍ତନ କରିବାର ସେବାରେ ଲାଗିପଡିଛନ୍ତି । ସମସ୍ତଙ୍କ ମନ ଭିତରେ ଗୋଟିଏ ହିଁ ଉମଙ୍ଗ-ଉତ୍ସାହ ରହିଛି ଯେ ଏହି ବିଶ୍ୱକୁ ପରିବର୍ତ୍ତନ କରିବାକୁ ହିଁ ହେବ ଏବଂ ନିଶ୍ଚୟ ମଧ୍ୟ ଅଛି ଯେ ପରିବର୍ତ୍ତନ ନିଶ୍ଚିତ ହେବ ଅଥବା ଏପରି ମଧ୍ୟ କହିପାରିବା ଯେ ପରିବର୍ତ୍ତନ ତ ହୋଇ ସାରିଛି । କେବଳ ନିମିତ୍ତ ମାତ୍ର ବାପଦାଦାଙ୍କର ସହଯୋଗୀ ହୋଇ, ସହଜଯୋଗୀ ହୋଇ ନିଜର ବର୍ତ୍ତମାନକୁ ଏବଂ ଭବିଷ୍ୟତକୁ ଶ୍ରେଷ୍ଠ କରୁଛନ୍ତି ।

ଆଜି ବାପଦାଦା ଚାରିଆଡର ନିମିତ୍ତ ହୋଇଥିବା ବିଶ୍ୱ-ପରିବର୍ତ୍ତକ ପିଲାମାନଙ୍କୁ ଦେଖିବା ସହିତ ଗୋଟିଏ ବିଶେଷ କଥାକୁ ମଧ୍ୟ ଦେଖୁଥିଲେ - ଏମିତି ତ ସମସ୍ତେ ଗୋଟିଏ କାର୍ଯ୍ୟ ପାଇଁ ନିମିତ୍ତ ଅଟନ୍ତି, ଲକ୍ଷ୍ୟ ମଧ୍ୟ ସମସ୍ତଙ୍କର ସ୍ୱପରିବର୍ତ୍ତନ ଏବଂ ବିଶ୍ୱ ପରିବର୍ତ୍ତନ ହିଁ ଅଟେ କିନ୍ତୁ ସ୍ୱ-ପରିବର୍ତ୍ତନ ବା ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ନିମିତ୍ତ ହୋଇଥିଲେ ମଧ୍ୟ କ୍ରମାନ୍ୱୟରେ କାହିଁକି ରହୁଛନ୍ତି? କେହି କେହି ସନ୍ତାନ ତ ନିଜର ସ୍ୱ-ପରିବର୍ତ୍ତନ ବହୁତ ସହଜରେ ଏବଂ ଖୁବ୍ ଶୀଘ୍ର କରିଦେଉଛନ୍ତି ଆଉ କେହି କେହି ଏବେ ଏବେ ପରିବର୍ତ୍ତନର ସଂକଳ୍ପ କରିବେ କିନ୍ତୁ ନିଜର ସଂସ୍କାର ବା ମାୟା ଏବଂ ପ୍ରକୃତି ଦ୍ୱାରା ଆସୁଥିବା ପରିସ୍ଥିତି ଗୁଡିକ ବା ବ୍ରାହ୍ମଣ ପରିବାର ଦ୍ୱାରା ଚୁକ୍ତ ହେଉଥିବା ହିସାବ-କିତାବ ସେମାନଙ୍କର ଶ୍ରେଷ୍ଠ ପରିବର୍ତ୍ତନର ଉମଙ୍ଗ-ଉତ୍ସାହକୁ ଦୁର୍ବଳ କରି ଦେଉଛି ଏବଂ ଆଉ କେହି କେହି ତ ପରିବର୍ତ୍ତନ କରିବା ପାଇଁ ସାହସ କରିବାରେ ହିଁ ଦୁର୍ବଳ ଅଟନ୍ତି । ତେଣୁ ଯେଉଁଠାରେ ସାହସ ନାହିଁ ସେଠାରେ ଉମଂଗ-ଉତ୍ସାହ ମଧ୍ୟ ନାହିଁ ଏବଂ ସ୍ୱ-ପରିବର୍ତ୍ତନ ବିନା ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ମଧ୍ୟ ମନ ପସନ୍ଦିଆ ସଫଳତା ମିଳୁ ନାହିଁ କାହିଁକି ନା ଏହି ଅଲୌକିକ ଈଶ୍ୱରୀୟ ସେବାରେ ଏକା ସମୟରେ ତିନି ପ୍ରକାରର ସେବା ଦ୍ୱାରା ହିଁ ସିଦ୍ଧି ମିଳିଥାଏ । ତେବେ ଏକା ସମୟରେ ହେଉଥିବା ସେହି ତିନି ପ୍ରକାରର ସେବା କଣ? ଗୋଟିଏ ହେଲା - ବୃତ୍ତି ଦ୍ୱାରା ଦ୍ୱିତୀୟରେ - ଭାଇବ୍ରେସନ ଅର୍ଥାତ୍ ଶୁଦ୍ଧ ସଂକଳ୍ପର ତରଙ୍ଗ ଦ୍ୱାରା ତୃତୀୟରେ - ବାଣୀ ଦ୍ୱାରା । ତେଣୁ ଏହି ତିନି ପ୍ରକାରର ସେବା ନିମିତ୍ତ, ନିର୍ମାଣ ଏବଂ ନିଃସ୍ୱାର୍ଥପରତା ଆଧାରରେ ହିଁ ଶକ୍ତିଶାଳୀ ହୋଇଥାଏ, ତେବେ ଯାଇ ମନ ପସନ୍ଦିଆ ସଫଳତା ମିଳିଥାଏ । ନଚେତ୍ ସେବା ତ ହେଉଛି, ସେବାର ସଫଳତା ଆଧାରରେ ନିଜକୁ ବା ଅନ୍ୟମାନଙ୍କୁ କିଛି ସମୟ ପାଇଁ ଖୁସି ମଧ୍ୟ କରିଦେଉଛ କିନ୍ତୁ ମନ ପସନ୍ଦିଆ ସଫଳତା ଯେପରି ବାପଦାଦା ଚାହୁଁଛନ୍ତି ସେପରି ହେଉନାହିଁ । ବାପଦାଦା ମଧ୍ୟ ପିଲାମାନଙ୍କର ଖୁସିରେ ଖୁସି ହୋଇ ଯାଉଛନ୍ତି କିନ୍ତୁ ଦିଲାରାମ ବାବାଙ୍କ ଦିଲ୍‌ରେ ଅର୍ଥାତ୍ ମନ ଭିତରେ ଯଥା ଶକ୍ତି ହିସାବରେ ଫଳାଫଳ ମିଳିଲା ବୋଲି ଛାପ ରହିଯାଉଛି । ସାବାସ୍ ସାବାସ୍‌! ତ ନିଶ୍ଚିତ କହିବେ କାହିଁକି ନା ବାବାଙ୍କର ସବୁ ପିଲାଙ୍କର ଉପରେ ବରଦାନର ଦୃଷ୍ଟି ତ ସର୍ବଦା ରହୁଛି ଯେ ଏହି ସନ୍ତାନମାନେ ଆଜି ନୁହେଁ ତ କାଲି ସିଦ୍ଧି ସ୍ୱରୂପ ନିଶ୍ଚିତ ହେବେ । କିନ୍ତୁ ସିଏ ବରଦାତା ସାଥୀରେ ଶିକ୍ଷକ ମଧ୍ୟ ଅଟନ୍ତି ସେଥିପାଇଁ ଭବିଷ୍ୟତରେ ଅଧିକ ଭଲ କରିବା ପାଇଁ ସାବଧାନ ମଧ୍ୟ କରାଉଛନ୍ତି ।

ତେବେ ଆଜି ବାପଦାଦା ବିଶ୍ୱ-ପରିବର୍ତ୍ତନ କାର୍ଯ୍ୟର ଏବଂ ବିଶ୍ୱ ପରିବର୍ତ୍ତକ ପିଲାମାନଙ୍କର ଫଳାଫଳକୁ ଦେଖୁଥିଲେ । ସଂଖ୍ୟାର ବୃଦ୍ଧି ମଧ୍ୟ ହେଉଛି, ଚାରିଆଡେ ସମାଚାର ମଧ୍ୟ ପ୍ରସାରିତ ହେବାରେ ଲାଗିଛି, ପ୍ରତ୍ୟକ୍ଷତାର ପରଦା ମଧ୍ୟ ଖୋଲିବା ଆରମ୍ଭ ହୋଇଗଲାଣି ସେଥିପାଇଁ ଚାରିଆଡର ଆତ୍ମାମାନଙ୍କ ଭିତରେ ଏବେ ଇଚ୍ଛା ମଧ୍ୟ ଉତ୍ପନ୍ନ ହେଉଛି ଯେ ନିକଟକୁ ଯାଇ ଦେଖିବୁ ଅର୍ଥାତ୍ ଶୁଣାଶୁଣି କଥା ବର୍ତ୍ତମାନ ଦେଖିବାର ଇଚ୍ଛାରେ ପରିବର୍ତ୍ତନ ହେଉଛି ଅର୍ଥାତ୍ ଏହିଭଳି ପରିବର୍ତ୍ତନ ହେବା ଆରମ୍ଭ ହୋଇଯାଇଛି । ପୁଣି ବି ଡ୍ରାମା ଅନୁସାରେ ଏବେ ପର୍ଯ୍ୟନ୍ତ ଯେଉଁ ସବୁ ପରିଣାମ ଦେଖାଯାଉଛି ତାହା ବାବା ଏବଂ ଅଳ୍ପ କିଛି ନିମିତ୍ତ ହୋଇଥିବା ଶ୍ରେଷ୍ଠ ଆତ୍ମାମାନଙ୍କର ଶକ୍ତିଶାଳୀ ପ୍ରଭାବର ହିଁ ପରିଣାମ ଅଟେ । ତେଣୁ ଅଧିକାଂଶ ବ୍ରାହ୍ମଣ ଆତ୍ମା ଯଦି ଏହି ବିଧି ଦ୍ୱାରା ସିଦ୍ଧି ପ୍ରାପ୍ତ କରି ନେବେ ତେବେ ବହୁତ ଶୀଘ୍ର ସବୁ ବ୍ରାହ୍ମଣମାନେ ସିଦ୍ଧି-ସ୍ୱରୂପ ଆତ୍ମା ରୂପରେ ପ୍ରତ୍ୟକ୍ଷ ହୋଇଯିବେ । ବାପଦାଦା ଦେଖୁଥିଲେ - ଦିଲ ପସନ୍ଦ ଅର୍ଥାତ୍ ନିଜର ମନ ପସନ୍ଦ, ଲୋକ-ପସନ୍ଦ ଅର୍ଥାତ୍ ଦୁନିଆକୁ ପସନ୍ଦ ଏବଂ ବାପ ପସନ୍ଦ ସଫଳତାର ଆଧାର ସ୍ୱ-ପରିବର୍ତ୍ତନରେ ଏବେ କମୀ ରହିଛି ଏବଂ ତାହା କାହିଁକି ରହିଛି? ଏହାର ମୂଳ ଆଧାର ଗୋଟିଏ ବିଶେଷ ଶକ୍ତିର କମୀ, ତାହା ହେଲା ହୃଦ୍‌ବୋଧ କରିବାର ଶକ୍ତି ।

ତେବେ କୌଣସି ବି ପରିବର୍ତ୍ତନର ସହଜ ଆଧାର ହେଲା ହୃଦ୍‌ବୋଧ କରିବାର ଶକ୍ତି । ଯେପର୍ଯ୍ୟନ୍ତ ହୃଦ୍‌ବୋଧ କରିବାର ଶକ୍ତି ଆସିନାହିଁ, ସେପର୍ଯ୍ୟନ୍ତ ଅନୁଭୂତି ହୋଇପାରିବ ନାହିଁ ଏବଂ ଯେପର୍ଯ୍ୟନ୍ତ ଅନୁଭୂତି ହୋଇ ନାହିଁ ସେପର୍ଯ୍ୟନ୍ତ ବ୍ରାହ୍ମଣ ଜୀବନର ବିଶେଷତାର ମୂଳଦୁଆ ମଜବୁତ୍ ନୁହେଁ, ତେଣୁ ଆଦି ସମୟରୁ ନିଜର ବ୍ରାହ୍ମଣ ଜୀବନକୁ ସମ୍ମୁଖକୁ ଆଣ । ପ୍ରଥମ ପରିବର୍ତ୍ତନ - ମୁଁ ଆତ୍ମା ଅଟେ, ବାବା ମୋର ଅଟନ୍ତି - ଏହି ପରିବର୍ତ୍ତନ କେଉଁ ଆଧାରରେ ହେଲା? ଯେତେବେଳେ ହୃଦ୍‌ବୋଧ ହେଲା ଯେ ହଁ ମୁଁ ଗୋଟିଏ ଆତ୍ମା, ଇଏ ମୋର ପିତା । ତେଣୁ ଆନ୍ତରିକ ହୃଦ୍‌ବୋଧ ହିଁ ଅନୁଭବ କରାଇଦିଏ, ତେବେ ଯାଇ ପରିବର୍ତ୍ତନ ହୁଏ । ତେଣୁ ଯେପର୍ଯ୍ୟନ୍ତ ହୃଦ୍‌ବୋଧ ହୋଇନାହିଁ ସେ ପର୍ଯ୍ୟନ୍ତ ସାଧାରଣ ଗତିରେ ଚାଲୁଥିବେ ଏବଂ ଯେଉଁ ମୂହୁର୍ତ୍ତରେ ହୃଦ୍‌ବୋଧ କରିବାର ଶକ୍ତି ଅନୁଭବୀ କରିଦିଏ ସେହି ମୂହୁର୍ତ୍ତରୁ ହିଁ ତୀବ୍ର ପୁରୁଷାର୍ଥୀ ହୋଇଯାଆନ୍ତି । ସେହିଭଳି ଯାହା ସବୁ ବିଶେଷ ପରିର୍ତ୍ତନର କଥା ରହିଛି - ଯେମିତିକି ରଚୟିତାଙ୍କ ବିଷୟରେ ବା ରଚନା ବିଷୟରେ, ଯେପର୍ଯ୍ୟନ୍ତ ପ୍ରତ୍ୟେକ କଥାକୁ ହୃଦ୍‌ବୋଧ କରି ନାହାଁନ୍ତି ଯେ - ହଁ, ଏହା ହିଁ ସେହି ସମୟ ଅଟେ, ସେହି ଯୋଗ ମଧ୍ୟ ଅଟେ, ମୁଁ ମଧ୍ୟ ସେହି ଶ୍ରେଷ୍ଠ ଆତ୍ମା ଅଟେ - ସେ ପର୍ଯ୍ୟନ୍ତ ଉମଙ୍ଗ-ଉତ୍ସାହ ପୂର୍ଣ୍ଣ ଚାଲି-ଚଳଣ ଦେଖାଯିବ ନାହିଁ । କାହାର କାହାର ବାୟୁମଣ୍ଡଳର ପ୍ରଭାବରେ ଅଳ୍ପ ସମୟ ପାଇଁ ପରିବର୍ତ୍ତନ ହୋଇଯିବ କିନ୍ତୁ ସଦାକାଳ ପାଇଁ ନୁହେଁ, କିନ୍ତୁ ହୃଦ୍‌ବୋଧ କରିବାର ଶକ୍ତି ସଦା କାଳ ପାଇଁ ସହଜରେ ପରିବର୍ତ୍ତନ କରିଦିଏ ।

ସେହିଭଳି ସ୍ୱ-ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ଯେ ପର୍ଯ୍ୟନ୍ତ ହୃଦ୍‌ବୋଧ କରିବାର ଶକ୍ତି ଆସିନାହିଁ ସେପର୍ଯ୍ୟନ୍ତ ସଦାକାଳ ପାଇଁ ପରିବର୍ତ୍ତନ ହୋଇପାରିବ ନାହିଁ । ଏଥିରେ ମଧ୍ୟ ବିଶେଷ ଭାବରେ ଦୁଇଟି କଥାର ହୃଦ୍‌ବୋଧ ହେବା ଆବଶ୍ୟକ । ଗୋଟିଏ ହେଲା - ନିଜର ଦୋଷ-ଦୁର୍ବଳତା ଗୁଡିକର ହୃଦ୍‌ବୋଧ ହେବା, ଦ୍ୱିତୀୟରେ - ଯେଉଁ ପରିସ୍ଥିତି ବା ବ୍ୟକ୍ତି ନିମିତ୍ତ ହେଉଛନ୍ତି ସେମାନଙ୍କର ଇଚ୍ଛା ଏବଂ ସେମାନଙ୍କର ମନର ଭାବନା ତଥା ସେହି ବ୍ୟକ୍ତିମାନଙ୍କର ଦୁର୍ବଳତା ବା ପରବଶ ସ୍ଥିତିର ହୃଦ୍‌ବୋଧ ହେବା । ପରିସ୍ଥିତି ରୂପୀ ପରୀକ୍ଷାର କାରଣକୁ ଜାଣି, ନିଜକୁ ଉତ୍ତୀର୍ଣ୍ଣ କରିବାର ଶ୍ରେଷ୍ଠ ସ୍ୱରୂପର ହୃଦ୍‌ବୋଧ ହେଉ ଯେ, ମୁଁ ଶ୍ରେଷ୍ଠ ଅଟେ, ସ୍ୱ ସ୍ଥିତି ଶ୍ରେଷ୍ଠ ଅଟେ ଏବଂ ପରିସ୍ଥିତି ମୋ ପାଇଁ ଏକ ପରୀକ୍ଷା ଅଟେ । ଏହିଭଳି ହୃଦ୍‌ବୋଧ ହେବା ଦ୍ୱାରା ସହଜରେ ପରିବର୍ତ୍ତନ ହୋଇଯିବ ଏବଂ ପରୀକ୍ଷାରେ ପାସ୍ ହୋଇଯିବ । ଅନ୍ୟମାନଙ୍କର ଇଚ୍ଛା ବା ଅନ୍ୟମାନଙ୍କର ସ୍ୱ-ଉନ୍ନତିର ହୃଦ୍‌ବୋଧ ହେବା ମଧ୍ୟ ନିଜର ସ୍ୱ-ଉନ୍ନତିର ଆଧାର ଅଟେ । ତେଣୁ ହୃଦ୍‌ବୋଧ କରିବାର ଶକ୍ତି ବିନା ସ୍ୱ-ପରିବର୍ତ୍ତନ ହୋଇପାରିବ ନାହିଁ । ଏଥିରେ ମଧ୍ୟ ଗୋଟିଏ ହେଲା ସଚ୍ଚା ଆନ୍ତରିକ ହୃଦ୍‌ବୋଧ ହେବା ଏବଂ ଆଉ ଗୋଟିଏ ହେଲା ଚତୁରତାଯୁକ୍ତ ହୃଦ୍‌ବୋଧ ହେବା, କାହିଁକି ନା ଜ୍ଞାନୀ ମଧ୍ୟ ବହୁତ ହୋଇଗଲାଣି, ତେଣୁ ସମୟକୁ ଦୃଷ୍ଟିରେ ରଖି ନିଜର କାର୍ଯ୍ୟକୁ ହାସଲ କରିବା ପାଇଁ ବା ନିଜର ନାମ ବିଖ୍ୟାତ କରିବା ପାଇଁ ସେହି ସମୟରେ ହୃଦ୍‌ବୋଧ ମଧ୍ୟ କରି ନେବେ କିନ୍ତୁ ସେଥିରେ ଶକ୍ତି ନଥାଏ ଯାହାକି ପରିବର୍ତ୍ତନ କରିପାରିବ । ତେବେ ସଚ୍ଚା ଆନ୍ତରିକ ହୃଦ୍‌ବୋଧ ଦିଲାରାମ ବାବାଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରାଇଥାଏ ଏବଂ ଚତୁରତାଯୁକ୍ତ ହୃଦ୍‌ବୋଧ ଅଳ୍ପ ସମୟ ପାଇଁ ଅନ୍ୟମାନଙ୍କୁ ମଧ୍ୟ ଖୁସି କରିଦିଏ ଏବଂ ନିଜକୁ ମଧ୍ୟ ଖୁସି କରିଦିଏ ।

ତୃତୀୟ ପ୍ରକାରର ହୃଦ୍‌ବୋଧ କରିବା - ମନ ଜାଣୁଛି ଯେ ଏହା ଠିକ୍ ନୁହେଁ, ବିବେକ ମଧ୍ୟ କହୁଛି ଏହା ଯଥାର୍ଥ ନୁହେଁ କିନ୍ତୁ ବାହ୍ୟ ରୂପରେ ନିଜକୁ ମହାରଥୀ ବୋଲି ପ୍ରମାଣିତ କରିବା ପାଇଁ, ନିଜର ନାମକୁ ଯେକୌଣସି ମତ୍ତେ ପରିବାର ଭିତରେ ଖରାପ ହେବାକୁ ନ ଦେବା କାରଣରୁ ନିଜ ବିବେକକୁ ହତ୍ୟା କରି ଚାଲିଥାନ୍ତି । ଏହିଭଳି ନିଜର ବିବେକକୁ ହତ୍ୟା କରିବା ମଧ୍ୟ ପାପ ଅଟେ । ଯେପରି ଆପଘାତ ବା ଜୀବଘାତ କରିବା ମହାପାପ ଅଟେ ସେହିପରି ଏହା ମଧ୍ୟ ପାପ ଖାତାରେ ଜମା ହୋଇଯାଉଛି, ସେଥିପାଇଁ ବାପଦାଦା ମଧ୍ୟ ମୁରୁକି ମୁରୁକି ହସୁଛନ୍ତି ଏବଂ ସେମାନଙ୍କର ମନର ଭାଷାକୁ ମଧ୍ୟ ଶୁଣାଇ ଦେଇଥାନ୍ତି । ତାହା ମଧ୍ୟ ବହୁତ ସୁ‌ନ୍ଦର ଅଟେ । ମୂଳକଥା ହେଲା - ଏହିଭଳି ହୃଦ୍‌ବୋଧ କରୁଥିବା ଆତ୍ମାମାନେ ଭାବନ୍ତି ଯେ କିଏ କଣ ଜାଣୁଛି କି! ଏମିତି ହିଁ ସବୁ କଥା ଚାଲୁଛି... କିନ୍ତୁ ବାବାଙ୍କୁ ତ ସବୁ ଆତ୍ମାଙ୍କର ହିସାବ ଜଣା । କେବଳ ମୁଖର ଭାଷା ଦ୍ୱାରା ଶୁଣିଲେ ଯାଇ ଜାଣିବେ, ତାହା ନୁହେଁ, କିନ୍ତୁ ସବୁ କିଛି ଜାଣି ମଧ୍ୟ ଅଜଣା ହୋଇ ଭୋଳାପଣିଆରେ, ଭୋଳାନାଥ ରୂପରେ ପିଲାମାନଙ୍କୁ ଚଲାଉଛନ୍ତି । ଯେବେକି ସବୁ କିଛି ଜାଣୁଛନ୍ତି, ପୁଣି ବି ଭୋଳା କାହିଁକି ହେଉଛନ୍ତି? କାହିଁକି ନା ବାବା ଦୟାର ସାଗର ଅଟନ୍ତି ଏବଂ ପାପ ଉପରେ ଆଉ ଅଧିକ ପାପ ନ ଚଢୁ, ସେଥିପାଇଁ ଏହିଭଳି ଦୟା ଦେଖାଉଛନ୍ତି । ବୁଝିଲ? ଏହିଭଳି ପିଲାମାନେ ପରମବୁଦ୍ଧିବାନ ବାବାଙ୍କ ସହିତ ଅଥବା ନିମିତ୍ତ ଆତ୍ମାମାନଙ୍କ ସହିତ ବହୁତ ଚତୁରତାର ସହିତ ବ୍ୟବହାର କରିଥାନ୍ତି, ସେଥିପାଇଁ ବାବା ଦୟାଳୁ ଭାବନା ରଖି ଭୋଳାନାଥ ହୋଇଯାଆନ୍ତି ।

ତେବେ ବାପଦାଦାଙ୍କ ନିକଟରେ ପ୍ରତ୍ୟେକ ସନ୍ତାନର ପ୍ରତି ମୂହୁର୍ତ୍ତର ସଂକଳ୍ପ ଏବଂ କର୍ମର ହିସାବ ମଧ୍ୟ ସ୍ପଷ୍ଟ ରୂପରେ ରହୁଛି । ସମସ୍ତଙ୍କର ହୃଦୟକୁ ଜାଣିବାର ଆବଶ୍ୟକତା ନାହିଁ କିନ୍ତୁ ହୃଦୟର ପ୍ରତ୍ୟେକ ସ୍ପନ୍ଦନର ଚିତ୍ର ସ୍ପଷ୍ଟ ଭାବରେ ଦେଖାଯାଉଛି ସେଥିପାଇଁ କହୁଛନ୍ତି ଯେ ମୁଁ ସମସ୍ତଙ୍କ ଅନ୍ତରକୁ ଜାଣେ ନାହିଁ କାହିଁକି ନା ଜାଣିବାର ଆବଶ୍ୟକତା ହିଁ ନାହିଁ ଯେହେତୁ ସବୁ କିଛି ସ୍ପଷ୍ଟ ଦେଖି ହେଉଛି । ପ୍ରତି ମୂହୁର୍ତ୍ତରେ ହୃଦୟର ସ୍ପନ୍ଦନ ବା ମନର ସଂକଳ୍ପର ଚାର୍ଟ ବାପଦାଦାଙ୍କ ସମ୍ମୁଖରେ ରହିଛି ଏବଂ ଚାହିଁଲେ ଶୁଣାଇ ପାରିବେ ମଧ୍ୟ, ଏମିତି ନୁହେଁ ଯେ ଶୁଣାଇ ପାରିବେ ନାହିଁ । ତିଥି, ସ୍ଥାନ, ସମୟ ଏବଂ କଣ କଣ ସବୁ କରିଛ - ସବୁ କିଛି ଶୁଣାଇ ପାରିବେ । କିନ୍ତୁ ସବୁ ଜାଣି ମଧ୍ୟ ଅଜଣା ହୋଇ ରହୁଛନ୍ତି । ତେବେ ଆଜି ସାରା ଚାର୍ଟକୁ ଦେଖୁଥିଲେ ।

ତେଣୁ ସ୍ୱ-ପରିବର୍ତ୍ତନ ତୀବ୍ରଗତିରେ ନହେବାର କାରଣ ହେଲା ସଚ୍ଚା ଆନ୍ତରିକ ହୃଦ୍‌ବୋଧର କମୀ । ତେବେ ହୃଦ୍‌ବୋଧ କରିବାର ଶକ୍ତି ବହୁତ ମିଠା ଅନୁଭବ ମଧ୍ୟ କରାଇପାରିବ । ଏହା ତ ଜାଣୁଛ ନା । କେତେବେଳେ ନିଜକୁ ବାବାଙ୍କର ନୂରେ ରତ୍ନ ଅର୍ଥାତ୍ ଜ୍ୟୋତି ରୂପୀ ରତ୍ନ ଅର୍ଥାତ୍ ନୟନରେ ସମାହିତ ହୋଇଥିବା ଶ୍ରେଷ୍ଠ ବିନ୍ଦୁ ରୂପରେ ଅନୁଭବ କର କାରଣ ନୟନରେ ତ କେବଳ ବିନ୍ଦୁ ହିଁ ସମାହିତ ହୋଇପାରିବ, ଶରୀର ତ ସମାହିତ ହୋଇ ପାରିବ ନାହିଁ । ଆଉ କେତେବେଳେ ନିଜକୁ ମସ୍ତକରେ ଚମକୁଥିବା ମସ୍ତକମଣୀ ବା ଚମକୁଥିବା ତାରକା ଅନୁଭବ କର, କେତେବେଳେ ନିଜକୁ ବ୍ରହ୍ମା ବାବାଙ୍କର ସହଯୋଗୀ ଭୂଜା ବା ସାକାରରେ ବ୍ରାହ୍ମଣ ରୂପରେ ଡାହାଣ ହାତ ରୂପରେ ଅନୁଭବ କର ବା ହୃଦ୍‌ବୋଦ କର । କେତେବେଳେ ଅବ୍ୟକ୍ତ ଫରିସ୍ତା ସ୍ୱରୂପରେ ଅନୁଭବ କର, ଏହିଭଳି ନିଜର ହୃଦ୍‌ବୋଧ କରିବାର ଶକ୍ତି ଆଧାରରେ ବହୁତ ବିଚିତ୍ର ଏବଂ ଅଲୌକିକ ଅନୁଭବ କରିଚାଲ । କେବଳ ଜ୍ଞାନ ହିସାବରେ ବର୍ଣ୍ଣନା କର ନାହିଁ, କିନ୍ତୁ ହୃଦ୍‌ବୋଧ କର । ଯଦି ଏହିଭଳି ନିଜର ହୃଦ୍‌ବୋଧ କରିବାର ଶକ୍ତିକୁ ବଢାଇ ଚାଲିବ ତେବେ ଅନ୍ୟ ପଟେ ଥିବା ଦୋଷ-ଦୁର୍ବଳତା ଗୁଡିକ ମଧ୍ୟ ଆପେ-ଆପେ ସ୍ପଷ୍ଟ ଭାବରେ ହୃଦ୍‌ବୋଧ ହେବ । କାରଣ ଶକ୍ତିଶାଳୀ ଦର୍ପଣ ଉପରେ ଥିବା ଛୋଟିଆ ଦାଗଟିଏ ମଧ୍ୟ ସ୍ପଷ୍ଟ ରୂପରେ ଦେଖାଯିବ ଏବଂ ତାକୁ ପରିବର୍ତ୍ତନ କରିପାରିବ । ତେବେ ବୁଝିପାରିଲ - ସ୍ୱ-ପରିବର୍ତ୍ତନର ଆଧାର ହୃଦ୍‌ବୋଧ କରିବାର ଶକ୍ତି । ତେଣୁ ଶକ୍ତିକୁ କାର୍ଯ୍ୟରେ ଲଗାଅ, କେବଳ ଗଣି ଗଣି ଖୁସି ହୋଇଯାଅ ନାହିଁ ଯେ ମୋ ଭିତରେ ଏହି ଏହି ଶକ୍ତି ସବୁ ଅଛି । କିନ୍ତୁ ସେଗୁଡିକୁ ନିଜ ପ୍ରତି, ସେବା ପ୍ରତି ଏବଂ ସମସ୍ତଙ୍କ ପ୍ରତି ସର୍ବଦା କାର୍ଯ୍ୟରେ ଲଗାଅ । ବୁଝିପାରିଲ? କେହି କେହି ପିଲା କହୁଛନ୍ତି କଣ ବାବା କେବଳ ଏହି କାମ କରୁଛନ୍ତି? କିନ୍ତୁ ବାବା ମଧ୍ୟ କଣ କରିବେ, ସାଥୀରେ ନେଇକରି ତ ଯିବାକୁ ହିଁ ହେବ । ଯେହେତୁ ସାଥୀରେ ନିଶ୍ଚିତ ନେଇ ଯିବାକୁ ହେବ ତେଣୁ ସାଥୀ ମଧ୍ୟ ସେହିଭଳି ହେବା ଦରକାର ନା ସେଥିପାଇଁ ଦେଖିବାରେ ଲାଗିଛନ୍ତି ଏବଂ ସମାଚାର ଶୁଣାଇ ଚାଲିଛନ୍ତି, ଯାହାକି ସାଥୀମାନେ ମୋ ସମାନ ହୋଇଯାଆନ୍ତୁ । ପଛରେ ଆସିବାବାଲାଙ୍କ ବିଷୟରେ ତ କୁହାଯାଉନାହିଁ କାରଣ ସେମାନେ ତ ଢେର ସଂଖ୍ୟାରେ ଥିବେ । କିନ୍ତୁ ସାଥୀମାନେ ତ ସମାନ ହେବା ଦରକାର ନା । ତେବେ ତୁମେମାନେ ସାଥୀ ଅଟ, ନା ବରଯାତ୍ରୀ ଅଟ? ବରଯାତ୍ରୀଙ୍କର ସଂଖ୍ୟା ତ ବହୁତ ଅଧିକ ଥିବ ସେଥିପାଇଁ ତ ଶିବଙ୍କର ବରଯାତ୍ରୀଙ୍କର ଗାୟନ ମଧ୍ୟ ରହିଛି । ତେବେ ବରଯାତ୍ରୀ ତ ଭିନ୍ନ ଭିନ୍ନ ରୂପରେ ରହିବେ କିନ୍ତୁ ସାଥୀମାନେ ତ ସମାନ ହେବା ଦରକାର ନା ଆଚ୍ଛା ।

ଏମାନେ ଈଷ୍ଟର୍ଣ୍ଣ ଜୋନ୍‌ର ଅଟନ୍ତି । ତେବେ ଇଷ୍ଟର୍ଣ୍ଣ ଜୋନ୍ କଣ କରୁଛି? ପ୍ରତ୍ୟକ୍ଷତାର ସୂର୍ଯ୍ୟକୁ କେଉଁଠାରୁ ଉଦୟ କରିବ? ବ୍ରହ୍ମାବାବାଙ୍କ ଭିତରେ ଶିବବାବାଙ୍କର ପ୍ରତ୍ୟକ୍ଷତା ବା ସାକ୍ଷାତ୍‌କାର ମଧ୍ୟ ସେହିଠାରେ (କଲିକତାରେ) ହୋଇଥିଲା । ସେକଥା ତ ଏବେ ପୁରୁଣା ହୋଇଗଲାଣି । କିନ୍ତୁ ଏବେ କଣ କରିବ? ପୁରୁଣା ଗଦ୍ଦୀ ମଧ୍ୟ ସେହିଠାରେ ଅଛି ଅର୍ଥାତ୍ ଦାଦା ଲେଖରାଜଙ୍କର ହୀରା ବ୍ୟବସାୟ ମଧ୍ୟ ସେହିଠାରେ ଥିଲା - ଏହା ମଧ୍ୟ ବହୁତ ଖୁସିର କଥା କିନ୍ତୁ ଏବେ କଣ କରିବ? ଏବେ କୌଣସି ନବୀନତାର ସୂର୍ଯ୍ୟ ଉଦୟ କର ଯାହାକି ସମସ୍ତଙ୍କ ମୁଖରୁ ବାହାରିବ ଯେ ଇଷ୍ଟର୍ଣ୍ଣ ଜୋନ୍‌ରୁ ଏହିଭଳି ନବୀନତାର ସୂର୍ଯ୍ୟ ଉଦୟ ହୋଇଛି । ଯେଉଁ କାର୍ଯ୍ୟ ଏ ପର୍ଯ୍ୟନ୍ତ କେହି କରିନାହାଁନ୍ତି ତାହା ଏବେ କରି ଦେଖାଅ । ଅନେକ ପ୍ରକାରର କାର୍ଯ୍ୟକ୍ରମ, ଉତ୍ସବ ବା ଆଲୋଚନା ଚକ୍ର ଇତ୍ୟାଦି ତ ବହୁତ କରିଲ, ବିଶିଷ୍ଟ ବ୍ୟକ୍ତିମାନଙ୍କର ସେବା ମଧ୍ୟ ବହୁତ କରିଲ, ଖବରକାଗଜରେ ମଧ୍ୟ ବାହାରିଲା - ଏସବୁ ତ ସମସ୍ତେ କରୁଛନ୍ତି କିନ୍ତୁ କିଛି ନା କିଛି ନବୀନତାର ଝଲକ ଦେଖାଅ । ବୁଝିପାରିଲ ।

ବାବାଙ୍କର ଘର ଅର୍ଥାତ୍ ନିଜ ଘର । ଆରାମରେ ଆସି ପହଞ୍ଚି ଯାଇଛ, କାରଣ ମନର ଆରାମ ମଧ୍ୟ ସ୍ଥୂଳ ଆରାମର ଅନୁଭୂତି କରାଇଦେଇଥାଏ । ଯଦି ମନରେ ଆରାମ ନଥିବ ତେବେ ସ୍ଥୂଳ ଆରାମର ସବୁ ପ୍ରକାରର ସାଧନ ଉପଲବ୍ଧ ଥିଲେ ମଧ୍ୟ ବେଆରାମ ଅନୁଭବ ହେବ । ଯେହେତୁ ଦିଲ୍‌କୁ ଆରାମ ମିଳୁଛି ଅର୍ଥାତ୍ ଦିଲ୍ ଭିତରେ ସର୍ବଦା ରାମ ସାଥୀରେ ଅଛନ୍ତି ସେଥିପାଇଁ ଯେକୌଣସି ପରିସ୍ଥିତିରେ ଆରାମର ଅନୁଭବ କରୁଛ । ତେବେ ଆରାମ ମିଳୁଛି, ନା ଯିବା ଆସିବା କରିବାରେ ବେଆରାମ ଲାଗୁଛି? ପୁଣି ବି ମିଠା ଡ୍ରାମାର ନିଧାର୍ଯ୍ୟ ବୋଲି ମନେ କର, କାରଣ ମେଳାର ତ ଅନୁଭବ କରୁଛ ନା । ବାବାଙ୍କ ସହିତ ମିଶିବା, ପରିବାର ସହିତ ମିଶିବା - ଏହିଭଳି ମେଳାର ଅନୁଭବ କରିବା ମଧ୍ୟ ମିଠା ଡ୍ରାମାର ନିଧାର୍ଯ୍ୟ ଅଟେ । ଆଚ୍ଛା!

ସମସ୍ତ ଶକ୍ତିଶାଳୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ପ୍ରତ୍ୟେକ ଶକ୍ତିକୁ ଯଥା ସମୟରେ କାର୍ଯ୍ୟକାରୀ କରୁଥିବା ସମସ୍ତ ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ସ୍ୱ-ପରିବର୍ତ୍ତନ ଆଧାରରେ ସେବାରେ ମନ ପସନ୍ଦିଆ ସଫଳତା ପ୍ରାପ୍ତ କରୁଥିବା ଦିଲ୍ ଖୁସ୍ ପିଲାମାନଙ୍କୁ, ସର୍ବଦା ଦିଲାରାମ ବାବାଙ୍କ ନିକଟରେ ସଚ୍ଚା ହୃଦୟରେ ସ୍ପଷ୍ଟ ରୂପରେ ରହୁଥିବା ସଫଳତା-ସ୍ୱରୂପ ଶ୍ରେଷ୍ଠ ଆତ୍ମାମାନଙ୍କୁ ଦିଲାରାମ ବାପଦାଦାଙ୍କର ଦିଲ୍‌ର ସହିତ ୟାଦପ୍ୟାର ଅର୍ଥାତ୍ ଆନ୍ତରିକ ସ୍ନେହ ସମ୍ପନ୍ନ ସ୍ମୃତି ଏବଂ ନମସ୍ତେ ।

ପାର୍ଟିମାନଙ୍କ ସହିତ ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ୍‌:-

ସର୍ବଦା ନିଜକୁ ବାପଦାଦାଙ୍କର ଛତ୍ରଛାୟା ତଳେ ରହୁଥିବା ବିଶେଷ ଆତ୍ମା ଅନୁଭବ କରୁଛ? ଯେଉଁଠାରେ ବାବାଙ୍କର ଛତ୍ରଛାୟା ରହିଛି ସେଠାରେ ସର୍ବଦା ମାୟାଠାରୁ ସୁରକ୍ଷିତ ରହିଥାନ୍ତି କାରଣ ଛତ୍ରଛାୟା ତଳକୁ ମାୟା ଆସିପାରିବ ନାହିଁ ତେଣୁ ଆପେ ଆପେ ମେହନତ କରିବାରୁ ମୁକ୍ତ ହୋଇଯିବ ଏବଂ ସର୍ବଦା ମଉଜରେ ହିଁ ରହିବ । କାରଣ ମେହନତ କରିବା ଦ୍ୱାରା ମଉଜର ଅନୁଭବ କରିପାରିବ ନାହିଁ । ଯେପରି ପିଲାମାନେ ପାଠ ପଢିବା ସମୟରେ ମେହନତ କରିଥାନ୍ତି ନା । ପରୀକ୍ଷା ସମୟରେ ତ ଅଧିକ ମେହନତ କରିବାକୁ ପଡେ, ତେଣୁ ସେତେବେଳେ କେହି ଖୁସି ମଉଜରେ ଖେଳନ୍ତି ନାହିଁ, କିନ୍ତୁ ଯେତେବେଳ ପରୀକ୍ଷା ସମାପ୍ତ ହୋଇଯାଏ, ମେହନତ କରିବା ସମାପ୍ତ ହୋଇଯାଏ, ସେତେବେଳେ ଖୁସି ମଉଜ କରନ୍ତି । ତେଣୁ ଯେଉଁଠି ମେହନତ ଅଛି ସେଠାରେ ମଉଜ ନାହିଁ ଏବଂ ଯେଉଁଠି ମଉଜ ଅଛି ସେଠାରେ ମେହନତ ନାହିଁ । ତେବେ ସର୍ବଦା ଛତ୍ରଛାୟା ତଳେ ରହିବା ଅର୍ଥ ମଉଜରେ ରହିବା କାହିଁକିନା ଏଠାରେ ଉଚ୍ଚରୁ ଉଚ୍ଚ ପାଠପଢା ପଢୁଛ କିନ୍ତୁ ଉଚ୍ଚ ପାଠପଢା ହୋଇଥିଲେ ମଧ୍ୟ ତୁମର ନିଶ୍ଚୟ ରହିଛି ଯେ ଆମେ ନିଶ୍ଚିତ ବିଜୟୀ ହେବୁ, ପାସ ମଧ୍ୟ ହୋଇସାରିଛୁ ସେଥିପାଇଁ ମଉଜରେ ରହୁଛ । ଏହା ତ କଳ୍ପ କଳ୍ପର ପାଠପଢା, କିଛି ନୂଆ କଥା ନୁହେଁ ତେଣୁ ସର୍ବଦା ଖୁସି-ମଉଜରେ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ମଉଜରେ ରହିବାର ସନ୍ଦେଶ ଦେଇଚାଲ, ସେବା କରିଚାଲ କାହିଁକି ନା ସେବାର ଫଳକୁ ବର୍ତ୍ତମାନ ଏବଂ ଭବିଷ୍ୟତ ଉଭୟ ସମୟରେ ପ୍ରାପ୍ତ କରିବ, ତେଣୁ ସେବା କରିଲେ ତ ଫଳ ମିଳିବ!

ବିଦାୟ ସମୟରେ: -
ବାପଦାଦା ସବୁ ପିଲାଙ୍କୁ ନିଜ ସମାନ କରିବାର ଶୁଭଭାବନା ରଖି ଉଡାଇବାକୁ ଚାହୁଁଛନ୍ତି । ତେବେ ନିମିତ୍ତ ସେବାଧାରୀମାନେ ତ ବାବାଙ୍କ ସମାନ ନିଶ୍ଚିତ ହେବେ, ଯେମିତି ବି ହେଉ ସେମାନଙ୍କୁ ନିଜ ସମାନ କରିବାକୁ ହିଁ ହେବ, କାହିଁକି ନା ଯାହାକୁ ତାହାକୁ ତ ସାଥୀରେ ନେଇଯାଇ ପାରିବେ ନାହିଁ । ବାବାଙ୍କର ମଧ୍ୟ ସମ୍ମାନ ଅଛି ନା, ବାବା ନିଜେ ସମ୍ପନ୍ନ ଅଟନ୍ତି ତେଣୁ ତାଙ୍କର ସାଥୀ ଯଦି କେମ୍ପା-କୁଜା ହୋଇଥିବେ ତେବେ ସାଜିବ କି! ଯଦି କେମ୍ପା, କୁଜା ହୋଇଥିବେ ତେବେ ସେମାନେ ବରଯାତ୍ରୀ ହେବେ ସାଥୀ ହୋଇପାରିବେ ନାହିଁ, ସେଥିପାଇଁ ଶିବଙ୍କର ବରଯାତ୍ରୀଙ୍କୁ କଣା, କୁଜା, କେମ୍ପା ଦେଖାଇଥାଆନ୍ତି କାହିଁକି ନା କିଛି ଦୁର୍ବଳ ଆତ୍ମାମାନେ ଧର୍ମ ରାଜପୁରୀର ଦଣ୍ଡ ଭୋଗ କରି ଯୋଗ୍ୟ ହେବେ ଅର୍ଥାତ୍ ପବିତ୍ର ହେବେ । ଆଚ୍ଛା!

ରଦାନ:-
ସେବା କ୍ଷେତ୍ରରେ ସମାହିତ କରିବାର ଶକ୍ତି ଆଧାରରେ ସଫଳତା ମୂରତ ହେଉଥିବା ମାଷ୍ଟର ସାଗର ହୁଅ ।

ତୁମେମାନେ ଯେତେବେଳେ ସେବାକ୍ଷେତ୍ରକୁ ଆସୁଛ ସେତେବେଳେ ଅନେକ ପ୍ରକାରର କଥା ସମ୍ମୁଖକୁ ଆସୁଛି, ସେହିସବୁ କଥା ଗୁଡିକୁ ଯଦି ନିଜ ଭିତରେ ସମାହିତ କରି ଦେବ ତେବେ ସଫଳତା ମୂରତ ହୋଇଯିବ । ସମାହିତ କରିବାର ଅର୍ଥ ହେଲା ସଂକଳ୍ପ ରୂପରେ ମଧ୍ୟ କାହାର ବ୍ୟର୍ଥ କଥାବାର୍ତ୍ତାର ଏବଂ ବ୍ୟର୍ଥ ଭାବନାର ପ୍ରଭାବ ଆଶିଂକ ରୂପରେ ମଧ୍ୟ ମନ ଭିତରେ ନ ରହୁ । ଅକଲ୍ୟାଣକାରୀ ବାଣୀକୁ ନିଜର କଲ୍ୟାଣର ଭାବନା ଦ୍ୱାରା ଏଭଳି ପରିବର୍ତ୍ତନ କରିଦିଅ ଯେପରି କୌଣସି ଅକଲ୍ୟାଣର ବାଣୀ ଶୁଣି ନାହଁ ବା ମୁଖରୁ ବାହାରି ନାହିଁ । ଅବଗୁଣକୁ ସଦ୍‌ଗୁଣରେ, ନିନ୍ଦାକୁ ସ୍ତୁତିରେ ପରିବର୍ତ୍ତନ କରିଦିଅ - ତେବେ କୁହାଯିବ ମାଷ୍ଟର-ସାଗର ।

ସ୍ଲୋଗାନ:-
ବିସ୍ତାରକୁ ନ ଦେଖି ସାରକୁ ଦେଖୁଥିବା ବା ନିଜ ଭିତରେ ସମାହିତ କରୁଥିବା ଆତ୍ମା ହିଁ ତୀବ୍ର ପୁରୁଷାର୍ଥୀ ଅଟନ୍ତି ।