14.11.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ମନୁଷ୍ୟରୁ ଦେବତା କରିବାର ସେବାରେ ବିଘ୍ନ ନିଶ୍ଚିତ ପଡିବ । ତୁମମାନଙ୍କୁ କଷ୍ଟ ସହନ କରି ମଧ୍ୟ ଏହି ସେବାରେ ତତ୍ପର ହୋଇ ରହିବାକୁ ହେବ, ଦୟାଶୀଳ ହେବାକୁ ପଡିବ ।

ପ୍ରଶ୍ନ:-
ଯେଉଁମାନଙ୍କର ଅନ୍ତିମ ଜନ୍ମର ସ୍ମୃତି ରହୁଛି ସେମାନଙ୍କର ଲକ୍ଷଣ କଣ ହୋଇଥିବ?

ଉତ୍ତର:-
ସେମାନଙ୍କ ବୁଦ୍ଧିରେ ରହିବ ଯେ ବର୍ତ୍ତମାନ ଆମକୁ ଏହି ପୁରୁଣା ଦୁନିଆରେ ଆଉ ଜନ୍ମ ନେବାର ନାହିଁ କିମ୍ବା କାହାକୁ ଜନ୍ମ ଦେବାର ନାହିଁ । ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ, ତେଣୁ ବର୍ତ୍ତମାନ ଏହାର ବୃଦ୍ଧି ହେବାର ଆବଶ୍ୟକତା ନାହିଁ, ଏହାର ବିନାଶ ହେବାର ଅଛି । ଆମେ ଏହି ପୁରୁଣା ବସ୍ତ୍ରକୁ ଅର୍ଥାତ୍ ଶରୀରକୁ ତ୍ୟାଗ କରି ନିଜ ଘରକୁ ଯିବା, କାରଣ ଏବେ ନାଟକ ଶେଷ ହେଲା ।

ଗୀତ:-
ନଇ ଉମର କୀ କଲିୟାଁ.....

ଓମ୍ ଶାନ୍ତି ।
ବାବା ଆସି ତୁମମାନଙ୍କୁ ବୁଝାଉଛନ୍ତି ଏବଂ କହୁଛନ୍ତି ତୁମମାନଙ୍କୁ ପ୍ରତ୍ୟେକଙ୍କର ଆତ୍ମ ରୂପୀ ଜ୍ୟୋତିକୁ ଜାଗ୍ରତ କରିବାକୁ ହେବ । ଏହି କଥା ତୁମ ବୁଦ୍ଧିରେ ଅଛି । ବାବାଙ୍କୁ ମଧ୍ୟ ବିଚାର ଆସୁଛି ଯେ ଦୁନିଆରେ ଯେତେ ବି ମନୁଷ୍ୟ ଅଛନ୍ତି ସେମାନଙ୍କୁ ମୁକ୍ତିର ରାସ୍ତା କିପରି ଦେଖାଇବି । ବାବା ପିଲାମାନଙ୍କର ସେବା କରିବା ପାଇଁ ଏବଂ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରିବା ପାଇଁ ହିଁ ଆସୁଛନ୍ତି । ମନୁଷ୍ୟମାନେ ବୁଝିପାରୁ ନାହାଁନ୍ତି ଯେ ଏହା ହେଉଛି ଦୁଃଖ ଦୁନିଆ ତେବେ ସୁଖର ସ୍ଥାନ ମଧ୍ୟ ନିଶ୍ଚିତ କେଉଁଠି ଥିବ, ଏକଥା ଜାଣିନାହାଁନ୍ତି । ଶାସ୍ତ୍ରରେ ସୁଖର ସ୍ଥାନକୁ ମଧ୍ୟ ଦୁଃଖର ସ୍ଥାନ କରିଦେଇଛନ୍ତି । କିନ୍ତୁ ବାବା ତ ହେଉଛନ୍ତି ଦୟାର ସାଗର । ମନୁଷ୍ୟମାନେ ତ ଏହା ବି ଜାଣିନାହାଁନ୍ତି ଯେ ସେମାନେ ଦୁଃଖୀ ଅଟନ୍ତି କାରଣ ସେମାନେ ନା ସୁଖକୁ ଜାଣିଛନ୍ତି ନା ସୁଖଦାତାଙ୍କୁ ଜାଣିଛନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ସୁଖ କାହାକୁ କୁହାଯାଏ ଏବଂ ଦୁଃଖ କାହାକୁ କୁହାଯାଏ - ଏହା ମଧ୍ୟ ମନୁଷ୍ୟମାନେ ଜାଣିନାହାଁନ୍ତି । ଈଶ୍ୱରଙ୍କ ପାଇଁ କହିଦେଉଛନ୍ତି ସିଏ ହିଁ ସୁଖ-ଦୁଃଖ ଦେଉଛନ୍ତି । ତେବେ ଏହା ତାଙ୍କ ଉପରେ କଳଙ୍କ ଲଗାଇବା ହେଲା ନା! ଈଶ୍ୱର, ଯାହାଙ୍କୁ ପିତା କୁହାଯାଏ, ତାଙ୍କୁ ଜାଣି ହିଁ ନାହାଁନ୍ତି । ବାବା କହୁଛନ୍ତି - ମୁଁ ପିଲାମାନଙ୍କୁ ସୁଖ ହିଁ ଦେଉଛି । ବର୍ତ୍ତମାନ ତୁମେମାନେ ଜାଣିଛ ଯେ ବାବା ପତିତମାନଙ୍କୁ ପବିତ୍ର କରିବା ପାଇଁ ଆସିଛନ୍ତି ଏବଂ କହୁଛନ୍ତି - ମୁଁ ସମସ୍ତଙ୍କୁ ନିଜ ଘର ଶାନ୍ତିଧାମକୁ ନେଇଯିବି । ସେହି ଶାନ୍ତିଧାମ ମଧ୍ୟ ପବିତ୍ର ଅଟେ । ସେଠାରେ କେହି ପତିତ ଆତ୍ମା ନଥାନ୍ତି । ସେହି ସ୍ଥାନକୁ କେହି ଜାଣି ହିଁ ନାହାଁନ୍ତି । କଥାରେ କୁହନ୍ତି ଅମୁକ ନିର୍ବାଣଧାମକୁ ଗଲା । କିନ୍ତୁ କିଛି ବି ବୁଝି ନାହାଁନ୍ତି । ବୁଦ୍ଧ ନିର୍ବାଣଧାମକୁ ଗଲେ, ତେବେ ନିଶ୍ଚିତ ସିଏ ସେଠାରେ ଆଗରୁ ଥିଲେ ତେଣୁ ସେଠାକୁ ହିଁ ଗଲେ । ଆଚ୍ଛା ସିଏ ତ ଗଲେ, ବାକି ଅନ୍ୟମାନେ କିପରି ଯିବେ? ସାଥୀରେ ତ କାହାକୁ ନେଲେ ନାହିଁ । ବାସ୍ତବରେ ସିଏ ଯାଇ ନାହାଁନ୍ତି ସେଥିପାଇଁ ସମସ୍ତେ ପତିତ ପାବନ ବାବାଙ୍କୁ ମନେ ପକାଉଛନ୍ତି । ତେବେ ପବିତ୍ର ଦୁନିଆ ଦୁଇଟି ରହିଛି - ଗୋଟିଏ ହେଲା ମୁକ୍ତିଧାମ ଏବଂ ଅନ୍ୟଟି ହେଲା ଜୀବନମୁକ୍ତିଧାମ ଅର୍ଥାତ୍ ଶିବପୁରୀ ଏବଂ ବିଷ୍ଣୁପୁରୀ । ଏହା ହେଉଛି ରାବଣ ପୁରୀ । ପରମପିତା ପରମାତ୍ମାଙ୍କୁ ରାମ ମଧ୍ୟ କୁହାଯାଏ । ରାମରାଜ୍ୟ କହିବା ଦ୍ୱାରା ବୁଦ୍ଧି ପରମାତ୍ମାଙ୍କ ଆଡକୁ ଚାଲିଯାଉଛି । ମନୁଷ୍ୟକୁ ତ କେହି ପରମାତ୍ମା ବୋଲି ମାନିବେ ନାହିଁ । ତେବେ ସେମାନଙ୍କ ପ୍ରତି ତୁମର ଦୟା ଆସୁଛି ଏବଂ ସେଥିପାଇଁ ତୁମକୁ କଷ୍ଟ ମଧ୍ୟ ସହନ କରିବାକୁ ପଡୁଛି ।

ବାବା କହୁଛନ୍ତି - ସ୍ନେହୀ ସନ୍ତାନମାନେ, ମନୁଷ୍ୟକୁ ଦେବତା କରିବାର ଏହି ଜ୍ଞାନ ଯଜ୍ଞରେ ବହୁତ ବିଘ୍ନ ପଡିବ । ଗୀତାର ଭଗବାନ ଗାଳି ଖାଇଥିଲେ ନା । ତାଙ୍କ ସହିତ ତୁମମାନଙ୍କୁ ମଧ୍ୟ ଗାଳି ଖାଇବାକୁ ପଡୁଛି । କହୁଛନ୍ତି ନା ଇଏ ବୋଧହୁଏ ଚତୁର୍ଥୀର ଚନ୍ଦ୍ରମା ଦେଖିଥିବେ । ଏସବୁ ହେଉଛି କାହାଣୀ । ଦୁନିଆରେ ତ କେତେ ଦୁର୍ଗନ୍ଧ ରହିଛି । ମନୁଷ୍ୟ କଣ-କଣ ସବୁ ଖାଉଛନ୍ତି, ପଶୁପକ୍ଷୀମାନଙ୍କୁ ମଧ୍ୟ ମାରି ଖାଉଛନ୍ତି । ବାବା ଆସି ଏ ସବୁରୁ ତୁମକୁ ମୁକ୍ତ କରୁଛନ୍ତି । ଦୁନିଆରେ କେତେ ଲଢେଇ ଝଗଡା କରୁଛନ୍ତି । ତୁମମାନଙ୍କ ପାଇଁ ତ ବାବା କେତେ ସହଜ କରିଦେଇଛନ୍ତି । ବାବା କହୁଛନ୍ତି - ଯଦି ତୁମେ କେବଳ ମୋତେ ମନେ ପକାଇବ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ତୁମମାନଙ୍କୁ ଏହି କଥା ସମସ୍ତଙ୍କୁ ବୁଝାଇବାକୁ ହେବ । ବାବା କହୁଛନ୍ତି ନିଜର ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ । ବାସ୍ତବରେ ତୁମେ ସେଠାକାର ନିବାସୀ ଅଟ । ସନ୍ନ୍ୟାସୀମାନେ ମଧ୍ୟ ସେଠାକୁ ଯିବା ପାଇଁ ରାସ୍ତା ଦେଖାଇଥାନ୍ତି । ଯଦି ଜଣେ ଏକା ଏକା ନିର୍ବାଣଧାମକୁ ଚାଲିଯିବ ତେବେ ଅନ୍ୟମାନଙ୍କୁ କିପରି ନେଇଯିବ? ତାଙ୍କୁ ପୁଣି କିଏ ସାଥୀରେ ନେବ? ଧରିନିଅ, ବୁଦ୍ଧଦେବ ନିର୍ବାଣଧାମକୁ ଗଲେ ତେବେ ଅନ୍ୟମାନଙ୍କୁ କିଏ ନେଇଯିବେ? ଧରିନିଅ ବୁଦ୍ଧ ନିର୍ବାଣଧାମକୁ ଗଲେ କିନ୍ତୁ ତାଙ୍କର ଅନୁଗାମୀମାନେ ତ ଏହିଠାରେ ହିଁ ଅଛନ୍ତି । ତେବେ ସିଏ ଆସି ଏମାନଙ୍କୁ ମଧ୍ୟ ନେଇଯିବା ଦରକାର ନା । ଗାୟନ ମଧ୍ୟ କରୁଛନ୍ତି ଯେଉଁମାନେ ଭଗବାନଙ୍କର ସନ୍ଦେଶବାହକ ସେମାନଙ୍କର ଆତ୍ମା ଏହିଠାରେ ହିଁ ଅଛି ଅର୍ଥାତ୍ କୌଣସି ନା କୌଣସି ଶରୀର ଧାରଣ କରି ଏଠାରେ ଅଛି । ତଥାପି ତାଙ୍କର ମହିମା ଗାୟନ କରୁଛନ୍ତି ନା । ଆଚ୍ଛା, ସିଏ ତ ଧର୍ମ ସ୍ଥାପନ କରି ଚାଲିଗଲେ ତାପରେ କଣ ହେଲା? ମୁକ୍ତିକୁ ଯିବା ପାଇଁ ମନୁଷ୍ୟ କେତେ ମେହନତ କରୁଛନ୍ତି । ସିଏ ତ ଜପ ତପ ଆଦି କିଛି ବି ଶିଖାଇ ନାହାଁନ୍ତି । ବାବା କହୁଛନ୍ତି - ମୁଁ ସମସ୍ତଙ୍କର ଗତି-ସଦ୍‌ଗତି କରିବା ପାଇଁ ଏବଂ ସମସ୍ତଙ୍କୁ ସାଥୀରେ ନେଇଯିବା ପାଇଁ ଆସିଛି । ସତ୍ୟଯୁଗ ହେଉଛି ଜୀବନମୁକ୍ତି । ସେଠାରେ ଗୋଟିଏ ହିଁ ଧର୍ମ ରହିବ । ବାକି ଅନ୍ୟ ଆତ୍ମାମାନଙ୍କୁ ଘରକୁ ନେଇଯିବି । ଏହା ମଧ୍ୟ ତୁମେମାନେ ଜାଣୁଛ ବାବା ହେଉଛନ୍ତି ଏହି ସୃଷ୍ଟି ରୂପୀ ବଗିଚାର ମାଲିକ, ଆମେ ସମସ୍ତେ ହେଲେ ମାଳୀ । ମମ୍ମା ବାବା ଏବଂ ପିଲାମାନେ ସମସ୍ତେ ମିଶି ବୀଜ ପୋତି ଚାଲିଛନ୍ତି । ଏଠାରେ ତ କଲମୀ ଲାଗୁଛି ତାକୁ ପୁଣି ମାୟାର ତୋଫାନ ମଧ୍ୟ ଲାଗୁଛି । ଅନେକ ପ୍ରକାରର ମାୟାର ତୋଫାନ ଆସୁଛି । ଏହା ହିଁ ହେଉଛି ମାୟାର ବିଘ୍ନ । ଯଦି ତୋଫାନ ଆସୁଛି ତେବେ ବାବାଙ୍କୁ ପଚାରିବା ଉଚିତ୍ - ବାବା ଏଥିପାଇଁ କଣ କରିବା ଦରକାର? ଶ୍ରୀମତ ତ ବାବା ଦେଉଛନ୍ତି । ତୋଫାନ ତ ନିଶ୍ଚୟ ଆସିବ । ପ୍ରଥମ ନମ୍ବର ତୋଫାନ ହେଉଛି ଦେହ ଅଭିମାନ । ଏକଥା କେହି ବୁଝିନାହାଁନ୍ତି ଯେ ମୁଁ ଆତ୍ମା ଅବିନାଶୀ ଏବଂ ଏହି ଶରୀର ବିନାଶୀ ଅଟେ । ବର୍ତ୍ତମାନ ଆମର ୮୪ ଜନ୍ମ ପୁରା ହେବାକୁ ଯାଉଛି । ଆତ୍ମା ହିଁ ପୁର୍ନଜନ୍ମ ନେଉଛି । ବାରମ୍ବାର ଗୋଟିଏ ଶରୀର ଛାଡି ଅନ୍ୟ ଗୋଟିଏ ଶରୀର ନେବା, ଏହା ଆତ୍ମାର ହିଁ କାମ । ଏବେ ବାବା କହୁଛନ୍ତି - ଏହା ତୁମର ଅନ୍ତିମ ଜନ୍ମ । ଏହି ଦୁନିଆରେ ତୁମକୁ ନା ଆଉ ଜନ୍ମ ନେବାର ଅଛି ନା କାହାକୁ ଜନ୍ମ ଦେବାର ଅଛି । ପୁଣି କେହି କେହି ପଚାରୁଛନ୍ତି ଏହି ସୃଷ୍ଟିର ବୃଦ୍ଧି କିପରି ହେବ? ଆରେ, ବର୍ତ୍ତମାନ ସମୟରେ ସୃଷ୍ଟିର ବୃଦ୍ଧି ଦରକାର ନାହିଁ । ଏବେ ତ ଭ୍ରଷ୍ଟାଚାରର ବୃଦ୍ଧି ହୋଇଚାଲିଛି । ଏହି ଭ୍ରଷ୍ଟାଚାରର ପ୍ରଥା ରାବଣ ଠାରୁ ହିଁ ଆରମ୍ଭ ହୋଇଛି । ଦୁନିଆକୁ ରାବଣ ହିଁ ଭ୍ରଷ୍ଟ୍ରାଚାରୀ କରିଦେଇଛି । ଶ୍ରେଷ୍ଠାଚାରୀ ରାମ (ବାବା) କରୁଛନ୍ତି । ଏଥିରେ ମଧ୍ୟ ତୁମକୁ କେତେ ପରିଶ୍ରମ କରିବାକୁ ପଡୁଛି କାରଣ ତୁମେ ବାରମ୍ବାର ଦେହ-ଅଭିମାନୀ ହୋଇଯାଉଛ । ଯଦି ଦେହ-ଅଭିମାନୀ ହେଉ ନାହଁ ତେବେ ନିଜକୁ ଆତ୍ମା ବୋଲି ଭାବ । ସତ୍ୟଯୁଗରେ ମଧ୍ୟ ନିଜକୁ ଆତ୍ମା ବୋଲି ଭାବି ଥାଆନ୍ତି ନା । ଜାଣିଯାଆନ୍ତି ଯେ ବର୍ତ୍ତମାନ ମୋର ଶରୀର ବୃଦ୍ଧ ହୋଇଗଲାଣି, ଏବେ ଏହି ଶରୀରକୁ ତ୍ୟାଗ କରି ନୂଆ ଶରୀର ନେବି । କିନ୍ତୁ ଏଠାରେ ତ କାହା ଭିତରେ ବି ଆତ୍ମ ଜ୍ଞାନ ନାହିଁ, ନିଜକୁ ଦେହ ମନେ କରୁଛନ୍ତି । ଏହି ଦୁନିଆରୁ ଯିବା ପାଇଁ ସେହିମାନଙ୍କର ହିଁ ଇଚ୍ଛା ହୁଏ ଯେଉଁମାନେ ଦୁଃଖୀ ହୋଇଥାନ୍ତି । ସତ୍ୟଯୁଗରେ ତ ସୁଖ ହିଁ ସୁଖ ରହିବ । ଆତ୍ମାର ଜ୍ଞାନ ମଧ୍ୟ ରହିବ ଯେ ଆମେ ଗୋଟିଏ ଶରୀର ଛାଡି ଅନ୍ୟ ଶରୀର ଧାରଣ କରୁଛୁ ସେଥିପାଇଁ କେହି ଦୁଃଖ କରନ୍ତି ନାହିଁ । ତାହା ହେଉଛି ସୁଖର ପ୍ରାରବ୍ଧ । ଏଠାରେ ତ ଆତ୍ମା ବୋଲି କହୁଛନ୍ତି, କିନ୍ତୁ କେହି କେହି ତ ଆତ୍ମା ହିଁ ପରମାତ୍ମା ବୋଲି କହିଦେଉଛନ୍ତି । ଆମେ ସମସ୍ତେ ଆତ୍ମା, ଏହି ଜ୍ଞାନ ତ ଅଛି ନା କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ଆମେ ଏହି ଅଭିନୟକୁ ଛାଡି ଫେରିଯାଇ ପାରିବା ନାହିଁ । ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନିଶ୍ଚିତ ନେବାକୁ ପଡିବ । ପୁନର୍ଜନ୍ମକୁ ତ ସମସ୍ତେ ମାନୁଛନ୍ତି । କର୍ମଭୋଗ ସମସ୍ତଙ୍କୁ ଭୋଗବିାକୁ ପଡୁଛି ନା । ମାୟାର ରାଜ୍ୟରେ ଯାହା ବି କର୍ମ କରୁଛ ତାହା ବିକର୍ମ ହିଁ ହେଉଛି, ତେଣୁ କର୍ମ ଭୋଗ ଭୋଗିବାକୁ ପଡୁଛି । କିନ୍ତୁ ସତ୍ୟଯୁଗରେ କର୍ମ ଏପରି ହୁଏ ନାହିଁ ଯାହାର କି ଫଳ ଭୋଗିବାକୁ ପଡିଥାଏ ।

ଏବେ ତୁମେ ଜାଣୁଛ ଯେ ଆମକୁ ଘରକୁ ଫେରିବାକୁ ହେବ କାରଣ ଏହି ଦୁନିଆ ବିନାଶ ହେବାର ଅଛି । ବୋମା ଗୁଡିକୁ ମଧ୍ୟ ପରୀକ୍ଷା କରୁଛନ୍ତି । ଯେତେବେଳେ ରାଗିଯିବେ ତାର ପ୍ରୟୋଗ କରିଦେବେ । ଏସବୁ ହେଉଛି ଶକ୍ତିଶାଳୀ ବୋମା । ଗାୟନ ମଧ୍ୟ ରହିଛି ୟୁରୋପବାସୀ ହେଲେ ଯାଦବ ସେନା । ଯଦିଓ ଆମେ ଅନ୍ୟ ସବୁ ଧର୍ମବଲମ୍ବୀମାନଙ୍କୁ ୟୁରୋପବାସୀ ହିଁ କହିବା, କାରଣ ଭାରତ ହେଉଛି ଗୋଟିଏ ପଟେ, ଅନ୍ୟ ସମସ୍ତେ ଆଉ ଗୋଟିଏ ପଟେ । ସେମାନଙ୍କର ନିଜ ଦେଶ ପ୍ରତି ସ୍ନେହ ତ ବହୁତ ରହିଛି । କିନ୍ତୁ ଡ୍ରାମାର ନିଧାର୍ଯ୍ୟ ତ ଏହିଭଳି, ସେଥିରେ କିଏ ବା କଣ କରିପାରିବ? ବର୍ତ୍ତମାନ ବାବା ତୁମମାନଙ୍କୁ ସବୁ ଶକ୍ତି ଦେଉଛନ୍ତି । କେବଳ ଯୋଗବଳ ଦ୍ୱାରା ତୁମେ ରାଜ୍ୟ ପ୍ରାପ୍ତ କରୁଛ, ତୁମକୁ ଆଉ କୌଣସି କଷ୍ଟ କରିବାକୁ ପଡୁନାହିଁ । ବାବା କହୁଛନ୍ତି କେବଳ ମୋତେ ହିଁ ମନେ ପକାଅ ଏବଂ ଦେହ ଅଭିମାନକୁ ତ୍ୟାଗ କର । କହୁଛନ୍ତି - ମୁଁ ରାମଙ୍କୁ ମନେ ପକାଉଛି, ମୁଁ ଶ୍ରୀକୃଷ୍ଣଙ୍କୁ ମନେ ପକାଉଛି । ତେବେ ସେମାନେ କଣ ନିଜକୁ ଆତ୍ମା ବୋଲି ଭାବୁଛନ୍ତି କି! ଯଦି ନିଜକୁ ଆତ୍ମା ବୋଲି ଭାବୁଛନ୍ତି ତେବେ ଆତ୍ମାର ପିତାଙ୍କୁ କାହିଁକି ମନେ ପକାଉନାହାଁନ୍ତି? ବାବା କହୁଛନ୍ତି ମୋତେ ମନେ ପକାଅ । ଜୀବାତ୍ମାମାନଙ୍କୁ କାହିଁକି ମନେ ପକାଉଛ? ତୁମକୁ ତ ଦେହୀ ଅଭିମାନୀ ହେବାକୁ ପଡିବ । ମୁଁ ଆତ୍ମା, ମୋର ପିତାଙ୍କୁ ମନେ ପକାଉଛି । ବାବା ଆଦେଶ ଦେଉଛନ୍ତି ଏବଂ କହୁଛନ୍ତି - ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ସ୍ୱର୍ଗର ସମ୍ପତ୍ତି ମଧ୍ୟ ମନେ ପଡିଯିବ । ବାବା ଏବଂ ସମ୍ପତ୍ତି ଅର୍ଥାତ୍ ମୁକ୍ତି ଏବଂ ଜୀବନମୁକ୍ତି । ଏଥିପାଇଁ ହିଁ ଲୋକମାନେ ଧକ୍କା ଖାଇ ଚାଲିଛନ୍ତି । ଯଜ୍ଞ, ଜପ, ତପ ଆଦି କରିଚାଲିଛନ୍ତି । ପୋପ୍‌ଙ୍କଠାରୁ ମଧ୍ୟ ଆଶୀର୍ବାଦ ନେବା ପାଇଁ ଯାଉଛନ୍ତି କିନ୍ତୁ ଏଠାରେ ବାବା କହୁଛନ୍ତି କେବଳ ଦେହ ଅଭିମାନକୁ ଛାଡ, ନିଜକୁ ଆତ୍ମା ନିଶ୍ଚୟ କର । ଏହି ନାଟକ ପୂରା ହେବାକୁ ଯାଉଛି, ଆମର ୮୪ ଜନ୍ମ ମଧ୍ୟ ପୂରା ହେବାକୁ ଯାଉଛି, ବର୍ତ୍ତମାନ ଆମ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ । ବାବା କେତେ ସହଜ ଭାବରେ ବୁଝାଉଛନ୍ତି । ଗୃହସ୍ଥରେ ରହି ମଧ୍ୟ ବୁଦ୍ଧିରେ ଏହି କଥାକୁ ଧାରଣ କର । ଯେମିତି ନାଟକ ପୂରା ହେବାକୁ ଯାଉଥିବା ସମୟରେ ଅଭିନେତା ମାନେ ଭାବନ୍ତି ଯେ ବାକି ଆଉ ୧୫ମିନିଟ୍ ଅଛି, ନାଟକ ସମାପ୍ତ ହୋଇଯିବ । ଅଭିନେତାମାନେ ଭାବନ୍ତି ଯେ ଏବେ ଏହି ବସ୍ତ୍ର ପରିବର୍ତ୍ତନ କରି ଘରକୁ ଯିବୁ । ସେହିଭଳି ବର୍ତ୍ତମାନ ସମସ୍ତଙ୍କୁ ନିଜ ଘର ପରମଧାମକୁ ଫେରିଯିବାକୁ ହେବ । ତେଣୁ ନିଜେ ନିଜ ସହିତ ଏହିଭଳି କଥା ହେବା ଉଚିତ୍ । ଆମେମାନେ କେତେ ସମୟ ସୁଖ-ଦୁଃଖର ଅଭିନୟ କରିଛୁ, ଏହା ଆମକୁ ଜଣାଅଛି । ବର୍ତ୍ତମାନ ବାବା କହୁଛନ୍ତି କେବଳ ମୋତେ ମନେପକାଅ । ଦୁନିଆରେ କଣ କଣ ସବୁ ହେଉଛି, ଏହାକୁ ଭୁଲିଯାଅ କାରଣ ଏହି ପୁରୁଣା ଦୁନିଆର ସବୁକିଛି ସମାପ୍ତ ହୋଇଯିବ । ଏବେ ଘରକୁ ଫେରିବାକୁ ହେବ । ଅଜ୍ଞାନୀ ମନୁଷ୍ୟ ଭାବୁଛନ୍ତି ଯେ କଳିଯୁଗ ଆହୁରି ୪୦ ହଜାର ବର୍ଷ ଚାଲିବ । ଏହାକୁ ହିଁ ଘୋର ଅନ୍ଧକାର କୁହାଯାଉଛି । କାରଣ ବାବାଙ୍କର ପରିଚୟ ଜାଣିନାହାଁନ୍ତି । ଜ୍ଞାନ ଅର୍ଥାତ୍ ବାବାଙ୍କର ପରିଚୟକୁ ଜାଣିବା, ଅଜ୍ଞାନ ଅର୍ଥାତ୍ ବାବାଙ୍କର ପରିଚୟକୁ ନ ଜାଣିବା ଅର୍ଥାତ୍ ଘୋର ଅନ୍ଧକାରରେ ରହିବା । ଏବେ ତୁମେମାନେ ପୁରୁଷାର୍ଥର କ୍ରମାନୁସାରେ ଜ୍ଞାନର ଆଲୋକରେ ଅଛ । ଅଜ୍ଞାନର ରାତ୍ରି ମଧ୍ୟ ଏବେ ଶେଷ ହେବାକୁ ଯାଉଛି ତେଣୁ ଆମେମାନେ ଘରକୁ ଯିବା । ଆଜି ହେଉଛି ବ୍ରହ୍ମାଙ୍କର ରାତି, କାଲି ହେବ ବ୍ରହ୍ମାଙ୍କର ଦିନ, ପରିବର୍ତ୍ତନ ହେବା ପାଇଁ ସମୟ ତ ଲାଗିବ ନା । ତୁମେ ଜାଣିଛ ଏବେ ଆମେ ମୃତ୍ୟୁଲୋକରେ ଅଛୁ, କାଲି ଅମରଲୋକକୁ ଯିବା କିନ୍ତୁ ପ୍ରଥମେ ତ ଘରକୁ ଯିବାକୁ ହେବ । ଏହିଭଳି ୮୪ ଜନ୍ମର ଚକ୍ର ଘୂରୁଛି ଯାହାକି କେବେ ବନ୍ଦ ହୁଏ ନାହିଁ । ବାବା କହୁଛନ୍ତି ତୁମେମାନେ ମୋ ସହିତ କେତେ ଥର ମିଶିଥିବ? ପିଲାମାନେ କହୁଛନ୍ତି ବାବା ଆମେ ଆପଣଙ୍କ ସହିତ ଅନେକ ଥର ମିଶିଛୁ । ବର୍ତ୍ତମାନ ତୁମର ୮୪ ଜନ୍ମର ଚକ୍ର ପୂରା ହେଉଛି, ତେବେ ଏହାର ଅର୍ଥ ସମସ୍ତଙ୍କର ମଧ୍ୟ ପୂରା ହୋଇଯିବ । ଏହାକୁ ହିଁ ଜ୍ଞାନ କୁହାଯାଏ । ତେବେ ଏହି ଜ୍ଞାନଦାତା ହେଉଛନ୍ତି ଜ୍ଞାନର ସାଗର, ପରମପିତା ପରମାତ୍ମା ପତିତ ପାବନ । ତୁମେ ଲୋକମାନଙ୍କୁ ପଚାରିବା ଦରକାର ଯେ ପତିତ ପାବନ କାହାକୁ କୁହାଯାଏ? ଭଗବାନ ତ ନିରାକାରଙ୍କୁ ହିଁ କୁହାଯାଉଛି, ତେବେ ପୁଣି ରଘୁପତି ରାଘବ ରାଜା ରାମ କାହିଁକି କହୁଛ? ଆତ୍ମାମାନଙ୍କର ପିତା ତ ସେହି ନିରାକାର ହିଁ ଅଟନ୍ତି । ଏହି କଥାକୁ ବଡ ଚତୁରତାର ସହିତ ବୁଝାଇବା ଦରକାର ।

ଦିନକୁ ଦିନ ତୁମମାନଙ୍କର ଉନ୍ନତି ହୋଇ ଚାଲିବ କାହିଁକି ନା ତୁମକୁ ଗୁହ୍ୟରୁ ଗୁହ୍ୟ ଜ୍ଞାନ ମିଳି ଚାଲିଛି । ତେବେ ପ୍ରଥମେ ଅଲଫ (ବାବା)ଙ୍କର ପରିଚୟ ଦେବାକୁ ହେବ । ମନୁଷ୍ୟ ଭଗବାନଙ୍କୁ ଭୁଲି ଅନାଥ, ଦୁଃଖୀ ହୋଇଯାଇଛନ୍ତି । କିନ୍ତୁ ତୁମେମାନେ ଜଣଙ୍କ (ବ୍ରହ୍ମାଙ୍କ) ମାଧ୍ୟମରେ ଆଉ ଜଣଙ୍କୁ (ପରମାତ୍ମାଙ୍କୁ) ଜାଣିବା ଦ୍ୱାରା ୨୧ ଜନ୍ମ ସୁଖୀ ହୋଇଯାଉଛ । ଏହା ହେଉଛି ଜ୍ଞାନ, ତାହା ହେଉଛି ଅଜ୍ଞାନ ଯେତେବେଳେ କି ପରମାତ୍ମାଙ୍କୁ ସର୍ବବ୍ୟାପୀ ବୋଲି କହି ଦେଉଛନ୍ତି । ଆରେ ସିଏ ତ ପିତା ଅଟନ୍ତି । ବାବା କହୁଛନ୍ତି ତୁମ ଭିତରେ ୫ ବିକାରର ଭୂତ ଅର୍ଥାତ୍ ରାବଣ ସର୍ବବ୍ୟାପୀ ଅଟେ । ଏହି କଥା ତୁମମାନଙ୍କୁ ବୁଝାଇବାକୁ ପଡୁଛି । ଆମେ ଈଶ୍ୱରଙ୍କ କୋଳରେ ଜନ୍ମ ନେଇଛୁ - ଏହି ନିଶା ସବୁବେଳେ ରହିବା ଦରକାର । ପୁଣି ଭବିଷ୍ୟତରେ ଆମେମାନେ ଦୈବୀ କୋଳକୁ ଯିବା । ସେଠାରେ ତ ସଦା ସର୍ବଦା ସୁଖ ହିଁ ସୁଖ ମିଳିବ । ଶିବବାବା ଆମକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ତେଣୁ ତାଙ୍କୁ ମନେ ପକାଇବାକୁ ହେବ । ଯଦି ନିଜର କଲ୍ୟାଣ କରିବା ସହିତ ଅନ୍ୟମାନଙ୍କର କଲ୍ୟାଣ କରିବ ତେବେ ରାଜ୍ୟ ପଦ ମିଳିବ । ଏହି କଥାକୁ ଭଲ ଭାବରେ ବୁଝିବା ଦରକାର । ଶିବବାବା ହେଉଛନ୍ତି ନିରାକାର ଏବଂ ଆମେ ଆତ୍ମାମାନେ ମଧ୍ୟ ନିରାକାର । ପରମଧାମରେ ଆମେ ଅଶରୀରୀ ଅବସ୍ଥାରେ ରହୁଥିଲେ । ବାବା ତ ସର୍ବଦା ଅଶରୀରୀ ଅଟନ୍ତି, ସିଏ କେବେହେଲେ ଶରୀର ରୂପୀ ବସ୍ତ୍ର ପରିଧାନ କରି ପୁନର୍ଜନ୍ମ ନେଉନାହାଁନ୍ତି, କିନ୍ତୁ କଳ୍ପରେ କେବଳ ଥରେ ମାତ୍ର ଅବତରଣ କରୁଛନ୍ତି । ପ୍ରଥମେ ପ୍ରଥମେ ବ୍ରାହ୍ମଣ ରଚନା କରି ସେମାନଙ୍କୁ ନିଜର ସନ୍ତାନ ରୂପରେ ସ୍ୱୀକାର କରୁଛନ୍ତି ଏବଂ ସେମାନଙ୍କର ନାମ ମଧ୍ୟ ବି.କେ.ରଖୁଛନ୍ତି । ଯଦି ବ୍ରହ୍ମା ନ ଥାନ୍ତେ ତେବେ ବ୍ରାହ୍ମଣ କେଉଁଠାରୁ ଆସିଥାନ୍ତେ? ତେଣୁ ଏହି ବ୍ରହ୍ମା ସିଏ ଯିଏକି ପୂରା ୮୪ ଜନ୍ମ ନେଉଛନ୍ତି, ଗୋରାରୁ ପୁଣି କଳା ହେଉଛନ୍ତି ଅର୍ଥାତ୍ ସୁନ୍ଦରରୁ ଶ୍ୟାମ ଏବଂ ଶ୍ୟାମରୁ ସୁନ୍ଦର ହେଉଛନ୍ତି । ତେବେ ଭାରତକୁ ମଧ୍ୟ ଶ୍ୟାମଳରୁ ସୁନ୍ଦର କୁହାଯିବ । ଶ୍ୟାମଳ ଅର୍ଥାତ୍ କଳିଯୁଗ, ସୁନ୍ଦର ଅର୍ଥାତ୍ ସତ୍ୟଯୁଗ । ଭାରତ ହିଁ କାମ ଅଗ୍ନିରେ ଜଳି କଳା ହୋଇଯାଉଛି ଏବଂ ସେହି ଭାରତ ପୁଣି ଜ୍ଞାନ ଅଗ୍ନିରେ ଜଳି ଗୋରା ହେଉଛି । ଭାରତ ପାଇଁ ହିଁ ପରିଶ୍ରମ କରିବାକୁ ପଡୁଛି କାରଣ ଭାରତବାସୀ ହିଁ ଅନ୍ୟ-ଅନ୍ୟ ଧର୍ମରେ ପରିବର୍ତ୍ତିତ ହୋଇଯାଇଛନ୍ତି । ଯୁରୋପୀୟ ଏବଂ ଭାରତୀୟଙ୍କ ମଧ୍ୟରେ ବିଶେଷ କୌଣସି ପାର୍ଥକ୍ୟ ଜଣାପଡେ ନାହିଁ । ଭାରତୀୟମାନେ ସେଠାକୁ ଯାଇ ବିବାହ କରୁଛନ୍ତି ତାପରେ ନିଜକୁ ଖ୍ରୀଷ୍ଟିୟାନ ବୋଲି କହୁଛନ୍ତି । ତେଣୁ ସେମାନଙ୍କର ସନ୍ତାନମାନେ ମଧ୍ୟ ସେହିଭଳି ଚେହେରାର ହୋଇଥାନ୍ତି । କେହି-କେହି ଆଫ୍ରିକାରେ ମଧ୍ୟ ବିବାହ କରୁଛନ୍ତି ।

ଏବେ ବାବା ଆମକୁ ସୃଷ୍ଟିଚକ୍ରକୁ ବୁଝିବାର ବିଶାଳ ବୁଦ୍ଧି ଦେଇଛନ୍ତି । ଏହା ମଧ୍ୟ ଉଲ୍ଲେଖ ଅଛି ଯେ ବିନାଶ କାଳରେ ବିପରୀତ ବୁଦ୍ଧି । ଯାଦବ ଏବଂ କୌରବମାନେ ଭଗବାନଙ୍କ ସହିତ ପ୍ରୀତି ରଖି ନ ଥିଲେ । ଯେଉଁମାନେ ପ୍ରୀତି ରଖିଥିଲେ ସେହିମାନଙ୍କର ବିଜୟ ହେଲା । ବିପରୀତ ବୁଦ୍ଧି କୁହାଯାଏ ଶତ୍ରୁକୁ । ବାବା କହୁଛନ୍ତି ବର୍ତ୍ତମାନ ସମୟରେ ସମସ୍ତେ ପରସ୍ପରର ଶତ୍ରୁ ଅଟନ୍ତି । ବାବାଙ୍କୁ ହିଁ ସର୍ବବ୍ୟାପୀ କହି ଗାଳି ଦେଉଛନ୍ତି ପୁଣି ତାଙ୍କୁ ଜନ୍ମ ମରଣ ରହିତ ବୋଲି ମଧ୍ୟ କହୁଛନ୍ତି । ତାଙ୍କର କୌଣସି ନାମ ରୂପ ନାହିଁ ଏକଥା ମଧ୍ୟ କହୁଛନ୍ତି । ହେ ଈଶ୍ୱର ପିତା ମଧ୍ୟ କହୁଛନ୍ତି । ତେବେ ଆତ୍ମା ଏବଂ ପରମାତ୍ମାଙ୍କର ସାକ୍ଷାତ୍‌କାର ମଧ୍ୟ ହୋଇଥାଏ । ଆତ୍ମା ଏବଂ ପରମାତ୍ମାଙ୍କ ରୂପରେ କୌଣସି ବି ପ୍ରଭେଦ ନଥାଏ । ବାକି ଶକ୍ତିରେ କମ ବେଶୀ ରହିଛି । ମନୁଷ୍ୟ ଯଦିଓ ମନୁଷ୍ୟ ଅଟନ୍ତି କିନ୍ତୁ ପଦବୀ ତ ଅଲଗା ଅଲଗା ହୋଇଥାଏ ନା । କେବଳ ବୁଦ୍ଧିର ଫରକ ଥାଏ । ଏବେ ଜ୍ଞାନର ସାଗର ବାବା ଆସି ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି ତେଣୁ ତୁମେ ତାଙ୍କୁ ମନେ ପକାଉଛ, କିନ୍ତୁ କର୍ମାତୀତ ଅବସ୍ଥା ତୁମର ଅନ୍ତିମ ସମୟରେ ହେବ ।

ଅମୃତବେଳାରେ ବାବାଙ୍କୁ ସ୍ମରଣ କରି କରି ସୁଖ ପାଅ, ଯଦିଓ ପଛକେ ଶୋଇ ବି ରହିଥାଅ କିନ୍ତୁ ନିଦରେ ନୁହେଁ ନଚେତ୍ ଯିଦ୍ କରି ଯୋଗରେ ବସି ରହିବା ଦରକାର । ଏଥିପାଇଁ ପରିଶ୍ରମ କରିବାକୁ ହେବ । ବୈଦ୍ୟମାନେ ମଧ୍ୟ ଅମୃତବେଳାରେ ଖାଇବା ପାଇଁ ଔଷଧ ଦେଇଥାନ୍ତି ସେହିପରି ଏହା ମଧ୍ୟ ଏକ ଔଷଧ । ରଚୟିତା ପିତା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରି ପାଠ ପଢାଉଛନ୍ତି - ଏହି କଥା ସମସ୍ତଙ୍କୁ ବୁଝାଇବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବର୍ତ୍ତମାନ ଆମେ ଈଶ୍ୱରଙ୍କ କୋଳରେ ଜନ୍ମ ନେଇଛୁ ପୁଣି ଭବିଷ୍ୟତରେ ଦୈବୀ କୋଳକୁ ଯିବୁ - ଏହି ଆତ୍ମିକ ନିଶାରେ ରହିବାକୁ ହେବ । ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ ।

(୨) ଅମୃତବେଳାରେ ଉଠି ଜ୍ଞାନ ସାଗରଙ୍କ ଠାରୁ ମିଳିଥିବା ଜ୍ଞାନର ଚିନ୍ତନ କରିବାକୁ ହେବ । କେବଳ ଜଣଙ୍କର ଅବ୍ୟଭିଚାରୀ ସ୍ମୃତିରେ ରହିବାକୁ ହେବ । ଦେହ ଅଭିମାନକୁ ଛାଡି ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ ।

ବରଦାନ:-
ଅମୃତବେଳା ଠାରୁ ରାତ୍ରି ପର୍ଯ୍ୟନ୍ତ ଯୋଗର ବିଧି ଅନୁସାରେ ପ୍ରତ୍ୟେକ କର୍ମ କରୁଥିବା ସିଦ୍ଧିସ୍ୱରୂପ ଆତ୍ମା ହୁଅ ।

ଅମୃତବେଳାଠାରୁ ରାତ୍ରି ପର୍ଯ୍ୟନ୍ତ ଯାହା ବି କର୍ମ କରୁଛ ତାକୁ ଯୋଗର ବିଧିପୂର୍ବକ କର, ତାହାହେଲେ ପ୍ରତ୍ୟେକ କର୍ମରେ ସିଦ୍ଧି ପ୍ରାପ୍ତ ହେବ । ତେବେ ସବୁଠାରୁ ବଡରୁ ବଡ ସିଦ୍ଧି ହେଲା - ପ୍ରତ୍ୟକ୍ଷ ଫଳ ରୂପରେ ଅତିନ୍ଦ୍ରିୟ ସୁଖର ଅନୁଭୂତି ହେବା ଏବଂ ସର୍ବଦା ସୁଖର ଲହଡିରେ, ଖୁସିରେ ଲହଡିରେ ଖେଳିବା । ତେଣୁ ଏହି ସବୁ ପ୍ରତ୍ୟକ୍ଷଫଳ ମଧ୍ୟ ମିଳିବ ଏବଂ ଭବିଷ୍ୟତର ଫଳ ମଧ୍ୟ ମିଳିବ ଏବଂ ବର୍ତ୍ତମାନର ପ୍ରତ୍ୟକ୍ଷ ଫଳ ଭବିଷ୍ୟତର ଅନେକ ଜନ୍ମର ଫଳଠାରୁ ମଧ୍ୟ ଶ୍ରେଷ୍ଠ ଅଟେ । ଏବେ ଏବେ କରିଲ, ଏବେ ଏବେ ମିଳିଲା - ଏହାକୁ ହିଁ କୁହାଯାଏ ପ୍ରତ୍ୟକ୍ଷ ଫଳ ।

ସ୍ଲୋଗାନ:-
ଯଦି ନିଜକୁ ନିମିତ୍ତ ମନେ କରି ପ୍ରତ୍ୟେକ କର୍ମ କରିବ ତେବେ ସବୁଥିରୁ ମୁକ୍ତ ହେବା ସହିତ ପରମାତ୍ମାଙ୍କର ପ୍ରିୟ ହୋଇଯିବ, ମୁଁ ପଣିଆ ଆସିପାରିବ ନାହିଁ ।