15/03/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ଅବ୍ୟକ୍ତ ବାପଦାଦା” ପୁନରାବୃତ୍ତି: ୧୧.୧୨.୮୫ ମଧୁବନ


"ସଚ୍ଚା ସେବାଧାରୀର ଲକ୍ଷଣ”

ଆଜି ସ୍ନେହର ସାଗର ବାପଦାଦା ସମସ୍ତ ସ୍ନେହୀ ସନ୍ତାନମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ଭିତରେ ତିନି ପ୍ରକାରର ବିଶେଷତାକୁ ଦେଖୁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ତିନୋଟିଯାକ ବିଶେଷତାରେ କେତେ ପରିମାଣରେ ସମ୍ପନ୍ନ । ସେହି ତିନୋଟି ବିଶେଷତା ହେଲା — ସ୍ନେହ, ସହଯୋଗ ଅର୍ଥାତ୍ ସହଜଯୋଗ ଏବଂ ଶକ୍ତି ସ୍ୱରୂପ ଅର୍ଥାତ୍ ଚଳପ୍ରଚଳ କରୁଥିବା ଚୈତନ୍ୟ ଲାଇଟ୍ ହାଉସ୍ ଏବଂ ମାଇଟ୍ ହାଉସ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର । ପ୍ରତ୍ୟେକ ସଂକଳ୍ପ, ବାଣୀ ବା କର୍ମ ଦ୍ୱାରା ଏହି ତିନୋଟିଯାକ ସ୍ୱରୂପ ପ୍ରତ୍ୟକ୍ଷ ଭାବରେ ସମସ୍ତଙ୍କୁ ଅନୁଭବ ହେଉ । କେବଳ ନିଜକୁ ନୁହେଁ କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ ଏହି ତିନୋଟି ଯାକ ବିଶେଷତା ଅନୁଭବ ହେଉ । ଯେପରି ବାବା ସ୍ନେହର ମାଷ୍ଟର ସାଗର ଅଟନ୍ତି ସେହିପରି ମାଷ୍ଟର ସାଗର ପିଲାମାନଙ୍କ ସମ୍ମୁଖକୁ ଯିଏ ବି ଜ୍ଞାନୀ ବା ଅଜ୍ଞାନୀ ଆତ୍ମା ଆସିଯାଆନ୍ତୁ କିନ୍ତୁ ଅନୁଭବ କରନ୍ତୁ ଯେ ସ୍ନେହର ସାଗରଙ୍କର ସ୍ନେହର ତରଙ୍ଗ ସ୍ନେହର ଅନୁଭୂତି କରାଉଛି । ଯେପରି ଲୌକିକ ବା ପ୍ରାକୃତିକ ସାଗର କୁଳକୁ ଯିଏବି ଯିବେ ଶୀତଳତା ଏବଂ ଶାନ୍ତିର ଅନୁଭୂତି ସ୍ୱତଃ ଭାବରେ କରିପାରିବେ, ସେହିପରି ମାଷ୍ଟର ସ୍ନେହର ସାଗର ପିଲାମାନଙ୍କ ଦ୍ୱାରା ଆତ୍ମିକ ସ୍ନେହର ଅନୁଭୂତି ଏଭଳି କରନ୍ତୁ ଯାହା ଦ୍ୱାରା ଆତ୍ମାମାନେ ଅନୁଭବ କରିବେ ଯେ ପ୍ରକୃତ ସ୍ନେହର ପ୍ରାପ୍ତି କରିବା ସ୍ଥାନରେ ପହଞ୍ଚି ଯାଇଛି । ଏହିଭଳି ଆତ୍ମିକ ସ୍ନେହର ଅନୁଭୂତି ତଥା ଆତ୍ମିକ ସୁଗନ୍ଧ ବାୟୁମଣ୍ଡଳରେ ଅନୁଭବ ହେଉ । ଆମେ ବାବାଙ୍କର ସ୍ନେହୀ ସନ୍ତାନ, ଏହି କଥା ତ ସମସ୍ତେ କହୁଛ କିନ୍ତୁ ବାବା ମଧ୍ୟ ଜାଣିଛନ୍ତି ଯେ ବାବାଙ୍କ ପ୍ରତି ମଧ୍ୟ ସମସ୍ତଙ୍କର ସ୍ନେହ ରହିଛି, କିନ୍ତୁ ବର୍ତ୍ତମାନ ସାରା ବିଶ୍ୱରେ ସ୍ନେହର ସୁଗନ୍ଧ ଖେଳାଇବାକୁ ହେବ, ପ୍ରତ୍ୟେକ ଆତ୍ମାକୁ ଏହି ସୁଗନ୍ଧର ଅନୁଭବ କରାଇବାକୁ ହେବ । ପ୍ରତ୍ୟେକ ଆତ୍ମା ଏହିଭଳି ବର୍ଣ୍ଣନା କରନ୍ତୁ ଯେ ଇଏ ଜଣେ ଶ୍ରେଷ୍ଠ ଆତ୍ମା ଅଟନ୍ତି । କେବଳ ବାବାଙ୍କର ସ୍ନେହୀ ନୁହଁନ୍ତି କିନ୍ତୁ ସମସ୍ତଙ୍କର ସଦାକାଳର ସ୍ନେହୀ ଅଟନ୍ତି । ଏହି ଦୁଇଟି ଅନୁଭୂତି ଯେତେବେଳେ ସମସ୍ତଙ୍କୁ ଏବଂ ସବୁବେଳ ପାଇଁ ହେବାକୁ ଲାଗିବ ସେତେବେଳେ କୁହାଯିବ ମାଷ୍ଟର ସ୍ନେହର ସାଗର । ଆଜିର ଦୁନିଆ ପ୍ରକୃତ ଆତ୍ମିକ ସ୍ନେହର ଭୋକିଲା ଅଟେ । ସ୍ୱାର୍ଥୀ ସ୍ନେହକୁ ଦେଖି ଦେଖି ସେହି ସ୍ନେହରୁ ମନ ଛାଡି ଗଲାଣି ସେଥିପାଇଁ ପ୍ରକୃତ ଆତ୍ମିକ ସ୍ନେହର କ୍ଷଣିକ ଅନୁଭୂତିକୁ ମଧ୍ୟ ଜୀବନର ସାହାରା ମନେ କରୁଛନ୍ତି ।

ବାପଦାଦା ଦେଖୁଥିଲେ ଯେ ସ୍ନେହର ବିଶେଷତାକୁ ଅନ୍ୟ ଆତ୍ମାମାନଙ୍କ ପ୍ରତି କର୍ମରେ ବା ସେବାକ୍ଷେତ୍ରରେ କାର୍ଯ୍ୟକାରୀ କରିବାରେ ପିଲାମାନେ କେତେ ପରିମାଣରେ ସଫଳତା ପ୍ରାପ୍ତ କରିପାରିଛନ୍ତି ? ଏଥିରେ ମନେ ମନେ ନିଜ ଉପରେ ଖୁସି ହୋଇଯାଉନାହଁ ତ ? ମୁଁ ତ ବହୁତ ସ୍ନେହୀ । ଯଦି ମୋର ସ୍ନେହ ନଥା’ନ୍ତା ତେବେ ବାବାଙ୍କର ସନ୍ତାନ କିପରି ହୋଇଥା’ନ୍ତି ବା ବ୍ରାହ୍ମଣ ଜୀବନରେ କିପରି ଆଗକୁ ବଢିପାରନ୍ତି! ନିଜ ମନ ଭିତରେ ଏଥିରେ ସମସ୍ତେ ସନ୍ତୁଷ୍ଟ ଅଛ, ଏକଥା ବାପଦାଦା ମଧ୍ୟ ଜାଣନ୍ତି ଏବଂ ନିଜେ ନିଜ ହିସାବରେ ସନ୍ତୁଷ୍ଟ ଅଛ ଏକଥା ମଧ୍ୟ ଠିକ୍ ଅଛି କିନ୍ତୁ ତୁମେମାନେ ତ ବାବାଙ୍କ ସାଥୀରେ ସେବାଧାରୀ ମଧ୍ୟ ଅଟ । ସେବା କରିବା ପାଇଁ ହିଁ ଏହି ଶରୀର, ମନ ଏବଂ ଧନ ତୁମମାନଙ୍କୁ ନିମିତ୍ତ ରୂପରେ ବାବା ଦେଇଛନ୍ତି । ତେବେ ସେବାଧାରୀର କର୍ତ୍ତବ୍ୟ କ’ଣ ? ନିଜର ପ୍ରତ୍ୟେକ ବିଶେଷତାକୁ ସେବାରେ ବିନିଯୋଗ କରିବା । ଯଦି ତୁମର କୌଣସି ବିଶେଷତା ସେବାରେ ଲାଗିପାରୁ ନାହିଁ ତେବେ ସେହି ବିଶେଷତା କେବେହେଲେ ବୃଦ୍ଧି ପାଇ ପାରିବ ନାହିଁ, ଯେତିକି ଥିବ ସେତିକିରେ ହିଁ ରହିବ । ସେଥିପାଇଁ କେହି କେହି ପିଲା ଏଭଳି ମଧ୍ୟ ଅନୁଭବ କରୁଛନ୍ତି ଯେ ବାବାଙ୍କର ସନ୍ତାନ ତ ହୋଇଗଲି, ପ୍ରତିଦିନ ପାଠପଢିବା ପାଇଁ ମଧ୍ୟ ଆସୁଛି, ପୁରୁଷାର୍ଥ ମଧ୍ୟ କରୁଛ, ନିୟମ-ମର୍ଯ୍ୟାଦାକୁ ମଧ୍ୟ ପାଳନ କରୁଛି କିନ୍ତୁ ପୁରୁଷାର୍ଥରେ ଯେଉଁଭଳି ବୃଦ୍ଧି ହେବା ଦରକାର ତାହା ଅନୁଭବ ହେଉନାହିଁ । ଜ୍ଞାନମାର୍ଗରେ ତ ଚାଲୁଛୁ କିନ୍ତୁ ଆଗକୁ ବଢିପାରୁ ନାହିଁ, ଏହାର କାରଣ କ’ଣ ? ନିଜର ବିଶେଷତା ଗୁଡିକୁ ସେବାରେ ଲଗାଉ ନାହିଁ । କେବଳ କାହାକୁ ଜ୍ଞାନ ବୁଝାଇ ଦେବା ବା ସାପ୍ତାହିକ କୋର୍ସ କରାଇଦେବା, ପର୍ଯ୍ୟାପ୍ତ ନୁହେଁ । ଶୁଣାଇବାର ପରମ୍ପରା ତ ଦ୍ୱାପରଯୁଗଠାରୁ ପ୍ରଚଳିତ ହୋଇଆସୁଛି କିନ୍ତୁ ଏହି ବ୍ରାହ୍ମଣ ଜୀବନର ବିଶେଷତା ହେଲା — ଶୁଣାଇବା ଅର୍ଥାତ୍ କିଛି ଦେବା । ଭକ୍ତିମାର୍ଗରେ ଶୁଣାଇବାର ଅର୍ଥ ହେଲା କିଛି ନା କିଛି ନେବା ଏବଂ ବର୍ତ୍ତମାନର ଶୁଣାଇବାର ଅର୍ଥ କିଛି ନା କିଛି ଦେବା । ତୁମେମାନେ ତ ଦାତାଙ୍କର ସନ୍ତାନ ବା ସାଗର ପିତାଙ୍କର ସନ୍ତାନ ଅଟ ସେଥିପାଇଁ ଯିଏବି ତୁମମାନଙ୍କ ସମ୍ପର୍କରେ ଆସନ୍ତୁ ସେମାନେ ଅନୁଭବ କରନ୍ତୁ ଯେ କିଛି ନା କିଛି ସାଥୀରେ ନେଇ ଯାଉଛନ୍ତି । କେବଳ ଜ୍ଞାନ ଶୁଣି ଯାଉ ନାହାଁନ୍ତି କିନ୍ତୁ ଜ୍ଞାନ ରୂପକ ଧନରେ, ସ୍ନେହ ରୂପକ ଧନରେ ବା ଯୋଗବଳ ରୂପକ ଧନରେ ବା ଅନେକ ପ୍ରକାରର ଶକ୍ତି ରୂପକ ଧନରେ ଅଥବା ସହଯୋଗର ଧନରେ ନିଜର ହାତ ଅର୍ଥାତ୍ ବୁଦ୍ଧିକୁ ଭରପୁର କରି ଯାଉଛନ୍ତି । ଏହାକୁ କୁହାଯାଏ ସଚ୍ଚା ସେବା ବା ପ୍ରକୃତ ସେବା । ଗୋଟିଏ ସେକେଣ୍ଡର ଦୃଷ୍ଟି ଦ୍ୱାରା ବା ଦୁଇପଦ କଥା ଦ୍ୱାରା ନିଜର ଶକ୍ତିଶାଳୀ ସଂକଳ୍ପର ତରଙ୍ଗ ଦ୍ୱାରା, ସମ୍ବନ୍ଧ-ସମ୍ପର୍କ ଦ୍ୱାରା ଦାତା ହୋଇ ଦେବାକୁ ହିଁ ହେବ । ଏହିଭଳି ସେବାଧାରୀ ହିଁ ପ୍ରକୃତ ସେବାଧାରୀ । ଏହିଭଳି ଦାତାମାନେ ସଦାସର୍ବଦା ଏହି ଅନୁଭବ କରିଥା’ନ୍ତି ଯେ ପ୍ରତି ମୁହୂର୍ତ୍ତରେ ଆମେ ବୃଦ୍ଧିକୁ ପ୍ରାପ୍ତ କରୁଛୁ ବା ଉନ୍ନତି ପ୍ରାପ୍ତ କରୁଛୁ । ନଚେତ୍ ଏଭଳି ମନେ କରନ୍ତି ଯେ ପଛକୁ ତ ଯାଉନାହୁଁ କିନ୍ତୁ ଯେଉଁ ଅନୁସାରେ ଆଗକୁ ବଢିବା କଥା ସେତିକି ବଢିପାରୁ ନାହିୁଁ ସେଥିପାଇଁ ଏବେ ଦାତା ହୁଅ ଏବଂ ଅନୁଭବ କରାଅ । ସେହିଭଳି ସହଯୋଗୀ ବା ସହଜଯୋଗୀ କେବଳ ନିଜ ପ୍ରତି ଅଟ ନା ଅନ୍ୟମାନଙ୍କୁ ମଧ୍ୟ ତୁମର ସହଯୋଗର ଉମଙ୍ଗ-ଉତ୍ସାହର ତରଙ୍ଗ ଅର୍ଥାତ୍ ପ୍ରେରଣା ସହଯୋଗୀ କରିଦେଉଛି ? ତୁମର ସହଯୋଗର ବିଶେଷତା ସମସ୍ତଙ୍କୁ ଏଭଳି ଅନୁଭବ ହେଉ ଯେ ଇଏ ମୋର ସହଯୋଗୀ ଅଟନ୍ତି । କୌଣସି ବି ଦୁର୍ବଳ ପରିସ୍ଥିତି ସମୟରେ ଇଏ ନିଜର ସହଯୋଗ ଦ୍ୱାରା ଆଗକୁ ବଢିବାର ସାହାରା ଦେଇପାରିବେ । ଏହିଭଳି ତୁମର ସହଯୋଗର ବିଶେଷତାର ଅନୁଭବ ସମସ୍ତେ ତୁମମାନଙ୍କଠାରୁ କରୁଥାଆନ୍ତୁ । ତେବେ କୁହାଯିବ ବିଶେଷତାକୁ ସେବାରେ ଲଗାଇଲ । ବାବାଙ୍କର ସହଯୋଗୀ ତ ନିଶ୍ଚିତ ଅଟ କିନ୍ତୁ ବାବା ତ ବିଶ୍ୱର ସହଯୋଗୀ ଅଟନ୍ତି ତେଣୁ ପିଲାମାନଙ୍କ ପ୍ରତି ମଧ୍ୟ ସମସ୍ତଙ୍କ ମନ ଭିତରୁ ଏହିଭଳି ଅନୁଭବର ବାଣୀ ବାହାରୁ ଯେ ଇଏ ମଧ୍ୟ ବାବାଙ୍କ ଭଳି ସମସ୍ତଙ୍କର ସହଯୋଗୀ ଅଟନ୍ତି । କିନ୍ତୁ ବ୍ୟକ୍ତିଗତ ଭାବରେ ପରସ୍ପରର ସହଯୋଗୀ ହେବାର ନାହିଁ କାରଣ ତାହା ସ୍ୱାର୍ଥଜନିତ ସହଯୋଗ ହୋଇଯିବ ବା ବିନାଶୀ ପ୍ରାପ୍ତିର ସହଯୋଗ ହୋଇଯିବ କିନ୍ତୁ ସଚ୍ଚା ସହଯୋଗୀ ଅବିନାଶୀ ପ୍ରାପ୍ତି କରାଇବାରେ ସହଯୋଗୀ ହୋଇଥା’ନ୍ତି । ତେବେ ତୁମମାନଙ୍କର ଉପାଧି କ’ଣ ? ବିଶ୍ୱ କଲ୍ୟାଣକାରୀ ନା କେବଳ ନିଜର ସେଣ୍ଟରର କଲ୍ୟାଣକାରୀ ? ଦେଶର କଲ୍ୟାଣକାରୀ ନା କେବଳ କ୍ଲାସର ବିଦ୍ୟାର୍ଥୀମାନଙ୍କର କଲ୍ୟାଣକାରୀ ନା ? କେବଳ ନିଜର ସେଣ୍ଟରର କଲ୍ୟାଣକାରୀ ? ଦେଶର ବା ବିଶ୍ୱର ମାଳିକ ହେବ, ନା କେବଳ ନିଜର ମହଲର ମାଲିକ ହେବ ? ଯେଉଁମାନେ କେବଳ ନିଜର ସେବାକେନ୍ଦ୍ରର ସେବା କରିବାରେ ସୀମିତ ରହିବେ ଭବିଷ୍ୟତରେ ସେମାନେ କେବଳ ନିଜର ମହଲର ମାଲିକ ହେବେ । କିନ୍ତୁ ତୁମେମାନେ ତ ବେହଦର ପିତାଙ୍କଠାରୁ ବେହଦର ସମ୍ପତ୍ତି ଅର୍ଥାତ୍ ବିଶାଳ ବିଶ୍ୱର ସମ୍ପତ୍ତି ନେଉଛ, ସୀମିତ ସମ୍ପତ୍ତି ନେଉନାହଁ । ତେଣୁ ସମସ୍ତଙ୍କ ପ୍ରତି ସହଯୋଗର ବିଶେଷତାକୁ କାର୍ଯ୍ୟରେ ଲଗାଇବାକୁ ହିଁ ସହଯୋଗୀ ଆତ୍ମା କୁହାଯିବ । ଏହି ବିଧି ଅନୁସାରେ ଶକ୍ତିଶାଳୀ ଆତ୍ମା ନିଜର ସର୍ବଶକ୍ତିକୁ କେବଳ ନିଜ ପ୍ରତି ନୁହେଁ କିନ୍ତୁ ସମସ୍ତଙ୍କ ପ୍ରତି ସେବାରେ ଲଗାଇବେ । ଯଦି କାହା ଭିତରେ ସହନ କରିବାର ଶକ୍ତି ନାହିଁ କିନ୍ତୁ ତୁମ ନିକଟରେ ଅଛି ତେବେ ଅନ୍ୟକୁ ଏହି ଶକ୍ତି ପ୍ରଦାନ କରିବା — ଏହାକୁ କୁହାଯିବ ଶକ୍ତିକୁ ସେବାରେ ଲଗାଇବା । କେବଳ ଏଭଳି ଭାବ ନାହିଁ ଯେ ମୁଁ ତ ସର୍ବଦା ସହନଶୀଳ ସ୍ଥିତିରେ ରହୁଛି, କିନ୍ତୁ ତୁମର ସହନଶୀଳତା ଗୁଣର ଲାଇଟ୍ ମାଇଟ୍ ଅନ୍ୟମାନଙ୍କ ନିକଟରେ ପହଞ୍ଚିବା ଉଚିତ୍ । କାରଣ କୌଣସି ବି ବତୀଘରର ଆଲୋକ କେବଳ ନିଜ ପାଇଁ ହୋଇନଥାଏ କିନ୍ତୁ ଅନ୍ୟମାନଙ୍କୁ ଆଲୋକ ପ୍ରଦାନ କରିବା ବା ରାସ୍ତା ଦେଖାଇବା ପାଇଁ ଥାଏ । ଏହିଭଳି ଶକ୍ତିରୂପ ଅର୍ଥାତ୍ ଲାଇଟ୍ହାଉସ୍, ମାଇଟ୍ହାଉସ୍ ହୋଇ ଅନ୍ୟମାନଙ୍କୁ ତାହାର ଲାଭର ଅନୁଭବ କରାଅ । ସେମାନେ ଏଭଳି ଅନୁଭବ କରନ୍ତୁ ଯେ ନିର୍ବଳତା ରୂପକ ଅନ୍ଧକାର ଭିତରୁ ଆମେ ଶକ୍ତିର ଆଲୋକ ମଧ୍ୟକୁ ଆସିଯାଇଛୁ ବା ଏଭଳି ମନେ କରନ୍ତୁ ଯେ ଏହି ଆତ୍ମା ନିଜର ଶକ୍ତି ଦ୍ୱାରା ମୋତେ ମଧ୍ୟ ଶକ୍ତିଶାଳୀ କରିବା ପାଇଁ ସହଯୋଗୀ ହେଉଛନ୍ତି । ତେବେ ତୁମେମାନେ ନିଜେ ନିମିତ୍ତ ହୋଇ ସେମାନଙ୍କର ସମ୍ପର୍କ ବାବାଙ୍କ ସହିତ ଯୋଡିବ । ଏପରି ନୁହେଁ ଯେ ସହଯୋଗ ଦେଇ ସେମାନଙ୍କୁ ନିଜ ଭିତରେ ହିଁ ବାନ୍ଧି ରଖିବ । ମୁଁ ଏମାନଙ୍କୁ ବାବାଙ୍କ ଦ୍ୱାରା ପ୍ରାପ୍ତ ସମ୍ପତ୍ତି ହିଁ ଦାନ କରୁଛି — ଏହିଭଳି ସ୍ମୃତି ଏବଂ ସମର୍ଥୀ ଆଧାରରେ ବିଶେଷତାକୁ ସେବାରେ ଲଗାଅ । ଏହା ହିଁ ହେଉଛି ପ୍ରକୃତ ସେବାଧାରୀର ଲକ୍ଷଣ । ପ୍ରତ୍ୟେକ କର୍ମରେ ତାଙ୍କ ଦ୍ୱାରା ବାବା ହିଁ ଦେଖାଯାଉଥିବେ । ସେମାନଙ୍କର ପ୍ରତ୍ୟେକ ବଚନ ବାବାଙ୍କର ସ୍ମୃତିକୁ ଉଜ୍ଜୀବିତ କରୁଥିବ ଏବଂ ପ୍ରତ୍ୟେକ ବିଶେଷତା ଦାତାଙ୍କ ଆଡକୁ ଇଙ୍ଗିତ କରୁଥିବ । ତାଙ୍କ ଭିତରେ ସର୍ବଦା ବାବା ହିଁ ଦେଖାଯାଉଥିବେ । ଆତ୍ମାମାନେ ତୁମକୁ ନଦେଖି ସବୁବେଳେ ବାବାଙ୍କୁ ହିଁ ଦେଖିବେ । ଯଦି ସେମାନେ ଭାବିବେ ଯେ ଇଏ ମୋର ସହଯୋଗୀ ଅଟନ୍ତି ତେବେ ଏହା ପ୍ରକୃତ ସେବାଧାରୀର ଲକ୍ଷଣ ନୁହେଁ, ତେଣୁ ଏଭଳି କେବେ ବି ସଂକଳ୍ପରେ ମଧ୍ୟ ଭାବିବ ନାହିଁ ଯେ ମୋର ବିଶେଷତା କାରଣରୁ ଏମାନେ ମଧ୍ୟ ମୋର ବହୁତ ସହଯୋଗୀ ଅଟନ୍ତି । ତେଣୁ ସହଯୋଗୀକୁ ସହଯୋଗ ଦେବା ମୋର କର୍ତ୍ତବ୍ୟ । ଯଦି ଏହିଭଳି ବାବାଙ୍କୁ ନ ଦେଖି ତୁମକୁ ଦେଖିଲେ ତେବେ ଏହା ସେବା ହେଲା ନାହିଁ । ଏହା ତ ଦ୍ୱାପରଯୁଗୀ ଗୁରୁମାନଙ୍କ ଭଳି ଈଶ୍ୱରଙ୍କ ଠାରୁ ବିମୁଖ କରିବା ହେଲା । ତେଣୁ ଏହା ସେବା ହେଲା ନାହିଁ କିନ୍ତୁ ବାବାଙ୍କୁ ଭୁଲାଇବା ହେଲା । ଏହାକୁ ତଳକୁ ଖସାଇବା କୁହାଯିବ, ଉପରକୁ ଉଠାଇବା କୁହାଯିବ ନାହିଁ । ଏହା କୌଣସି ପୂଣ୍ୟ କର୍ମ ନୁହେଁ ବରଂ ପାପ କର୍ମ ଅଟେ କାରଣ ଏଠାରେ ବାବା ନାହାଁନ୍ତି ତେଣୁ ନିଶ୍ଚିତ ପାପ ଅଛି । ତେଣୁ ସଚ୍ଚା ସେବାଧାରୀ ସମସ୍ତଙ୍କର ସମ୍ବନ୍ଧ ସତ୍ୟ ପିତାଙ୍କ ସହିତ ହିଁ ଯୋଡିବେ ।

ବାପଦାଦାଙ୍କୁ କେବେ କେବେ ପିଲାମାନଙ୍କୁ ଦେଖି ହସ ଲାଗୁଛି ଯେ ଏମାନଙ୍କର ଲକ୍ଷ୍ୟ କ’ଣ ଏବଂ ଲକ୍ଷଣ କ’ଣ ? ବାବାଙ୍କ ନିକଟରେ ପହଞ୍ଚାଇବା ପରିବର୍ତ୍ତେ ନିଜ ଆଡକୁ ଆକର୍ଷିତ କରିଦେଉଛନ୍ତି । ଯେପରି ଅନ୍ୟ ସବୁ ଧର୍ମ ସ୍ଥାପକ ମାନଙ୍କ ପାଇଁ କହୁଛ ନା — ସେମାନେ ତାଙ୍କ କୁଳର ଆତ୍ମାମାନଙ୍କୁ ଉପରୁ ତଳକୁ ନେଇଆସନ୍ତି କିନ୍ତୁ ଉପରକୁ ନେଇପାରନ୍ତି ନାହିଁ । ସେହିଭଳି ଡିଭାଇନ୍ ଫାଦର ବା ଧର୍ମପିତା ହୁଅ ନାହିଁ । ବାପଦାଦା ଏହା ମଧ୍ୟ ଦେଖୁଥିଲେ ଯେ କେଉଁଠି କେଉଁଠି ପିଲାମାନେ ସିଧା ରାସ୍ତାରେ ଯିବା ପରିବର୍ତ୍ତେ ଅନେକ ଗଳି ରାସ୍ତାରେ ବାଟବଣା ହେଉଛନ୍ତି ଯାହା ଦ୍ୱାରା ରାସ୍ତା ବଦଳି ଯାଉଛି । ଚାଲିବାରେ ତ ଲାଗିଛନ୍ତି କିନ୍ତୁ ଲକ୍ଷ୍ୟ ନିକଟରେ ପହଞ୍ଚି ପାରୁ ନାହାଁନ୍ତି । ତେବେ ବୁଝିପାରିଲ — ସଚ୍ଚା ସେବାଧାରୀ କାହାକୁ କୁହାଯାଏ! ଏହି ତିନୋଟି ଶକ୍ତି ବା ବିଶେଷତାକୁ ବେହଦର ଦୃଷ୍ଟି ଦ୍ୱାରା, ବେହଦର ମନୋବୃତ୍ତି ଦ୍ୱାରା ସେବାରେ ଲଗାଅ । ଆଚ୍ଛା!

ସର୍ବଦା ଦାତାଙ୍କର ସନ୍ତାନ ହିସାବରେ ନିଜେ ଦାତା ହୋଇ ପ୍ରତ୍ୟେକ ଆତ୍ମାକୁ ଭରପୁର କରୁଥିବା, ନିଜର ପ୍ରତ୍ୟେକ ସମ୍ପତ୍ତିକୁ ସେବାରେ ଲଗାଇ ସବୁ ମୁହୂର୍ତ୍ତରେ ବୃଦ୍ଧି ପ୍ରାପ୍ତ କରୁଥିବା, ସର୍ବଦା ସବୁ କଥାକୁ ବାବାଙ୍କ ଦ୍ୱାରା ମିଳିଥିବା ପ୍ରଭୁଙ୍କର ଦାନ ମନେ କରି ଅନ୍ୟମାନଙ୍କୁ ପ୍ରଭୁ ପ୍ରସାଦ ବାଣ୍ଟୁଥିବା, ସର୍ବଦା ଜଣଙ୍କ ପ୍ରତି ଇଂଗିତ କରି ଏକରସ ଅର୍ଥାତ୍ ସ୍ଥିର ଚିତ୍ତ କରାଉଥିବା ସଦା ଏବଂ ସମସ୍ତଙ୍କର ସଚ୍ଚା ସେବାଧାରୀ ପିଲାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

କୁମାରୀମାନଙ୍କ ସହିତ ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ୍:-

କୁମାରୀମାନଙ୍କର ଏହି ସେନାବାହିନୀ କେଉଁ ସେବା କରିବ ? ସେନାବାହିନୀ ସର୍ବଦା ବିଜୟ ପ୍ରାପ୍ତ କରିଥାଏ । ସେନା ତ ବିଜୟ ପାପ୍ତ କରିବା ପାଇଁ ହିଁ ରହିଥା’ନ୍ତି । ଶତ୍ରୁ ସହିତ ଲଢେଇ କରିବା ପାଇଁ ହିଁ ସେନା ରଖିଥା’ନ୍ତି । ତେଣୁ ମାୟା ରୂପୀ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବା, ଏହା ହିଁ ହେଉଛି ତୁମମାନଙ୍କର କର୍ତ୍ତବ୍ୟ । ସର୍ବଦା ନିଜର ଏହି କର୍ତ୍ତବ୍ୟକୁ ଜାଣି ଶୀଘ୍ର ଶୀଘ୍ର ଆଗକୁ ବଢିଚାଲ କାହିଁକି ନା ସମୟ ଏବେ ତୀବ୍ର ବେଗରେ ଆଗକୁ ବଢି ଚାଲିଛି । ଯଦି ସମୟର ବେଗ ଅଧିକ ଥିବ କିନ୍ତୁ ନିଜର ପୁରୁଷାର୍ଥର ବେଗ ଦୁର୍ବଳ ଥିବ ତେବେ ଯଥା ସମୟରେ ପହଞ୍ଚି ପାରିବ ନାହିଁ, ସେଥିପାଇଁ ପୁରୁଷାର୍ଥର ବେଗକୁ ତୀବ୍ର କର । ଯେଉଁମାନେ ଏଥିରେ ଢିଲା ଥାଆନ୍ତି ସେମାନେ ନିଜେ ହିଁ ଶିକାର ହୋଇଯାଆନ୍ତି । କିନ୍ତୁ ଶକ୍ତିଶାଳୀ ଆତ୍ମା ସର୍ବଦା ବିଜୟୀ ହୋଇଥା’ନ୍ତି । ତେବେ ତୁମେ ସମସ୍ତେ ବିଜୟୀ ଅଟ ନା ?

ସର୍ବଦା ଏହି ଲକ୍ଷ୍ୟ ରଖ ଯେ ଯୋଗ୍ୟ ସେବାଧାରୀ ହୋଇ ସେବାକ୍ଷେତ୍ରରେ ସଦା ସର୍ବଦା ଆଗକୁ ଆଗକୁ ବଢି ଚାଲିବାକୁ ହେବ କାରଣ କୁମାରୀମାନଙ୍କର କୌଣସି ବନ୍ଧନ ନାହିଁ । ତେଣୁ ଯେତେ ସେବା କରିବାକୁ ଚାହିଁବ କରିପାରିବ । ସର୍ବଦା ନିଜକୁ ମୁଁ ବାବାଙ୍କର ହିଁ ଅଟେ ଏବଂ ବାବାଙ୍କ ପାଇଁ ହିଁ ଅଟେ — ଏହିଭଳି ମନେ କରି ଆଗକୁ ଆଗକୁ ବଢିଚାଲ । ଯେଉଁମାନେ ସେବାରେ ନିମିତ୍ତ ହୋଇଯାଆନ୍ତି ସେମାନଙ୍କୁ ଖୁସି ଏବଂ ଶକ୍ତିର ପ୍ରାପ୍ତି ଆପେ ଆପେ ହୋଇଥାଏ । ସେବାର ଭାଗ୍ୟ ମଧ୍ୟ କୋଟିକ ଭିତରେ କାହାକୁ କାହାକୁ ହିଁ ମିଳିଥାଏ । କୁମାରୀମାନେ ତ ସର୍ବଦା ପୂଜ୍ୟ ଆତ୍ମା ହିଁ ଅଟନ୍ତି । ତେଣୁ ନିଜର ପୂଜ୍ୟ ସ୍ୱରୂପକୁ ସ୍ମୃତିରେ ରଖି ପ୍ରତ୍ୟେକ କର୍ମ କର ଏବଂ ପ୍ରତ୍ୟେକ କର୍ମ କରିବା ପୂର୍ବରୁ ଚେକ୍ କର ଯେ ଏହି କାର୍ଯ୍ୟ ମୋଭଳି ପୂଜ୍ୟ ଆତ୍ମାର କରିବା ଭଳି ଅଟେ ତ ? ଯଦି ନୁହେଁ ତେବେ ପରିବର୍ତ୍ତନ କରି ଦିଅ । ପୂଜ୍ୟ ଆତ୍ମାମାନେ କେବେହେଲେ ସାଧାରଣ ହୋଇନଥା’ନ୍ତି କିନ୍ତୁ ମହାନ ହୋଇଥା’ନ୍ତି । ୧୦୦ ବ୍ରାହ୍ମଣଙ୍କଠାରୁ ଉତ୍ତମ ତୁମେ କୁମାରୀମାନେ ଅଟ ତେଣୁ ଜଣେ ଜଣେ କୁମାରୀଙ୍କୁ ୧୦୦ ଜଣ ଆତ୍ମାଙ୍କୁ ବାହାର କରିବାକୁ ହେବ ଅର୍ଥାତ୍ ସେମାନଙ୍କର ସେବା କରିବାକୁ ହେବ । ତେବେ କୁମାରୀମାନେ ସେବା କରିବାର କେଉଁଭଳି ଚମତ୍କାରୀ ଯୋଜନା କରିଛନ୍ତି ? ତୁମ ଦ୍ୱାରା ଯଦି କୌଣସି ଆତ୍ମାର କଲ୍ୟାଣ ହୋଇପାରିଲ ତେବେ ଏହାଠାରୁ ବଡ କଥା ଆଉ କ’ଣ ଅଛି ? ସର୍ବଦା ନିଜର ମନ ମଉଜ ଭିତରେ ରହୁଛ ନା । କେତେବେଳେ ଜ୍ଞାନର ମଉଜରେ, କେତେବେଳେ ଯୋଗର ମଉଜରେ, କେତେବେଳେ ପ୍ରେମର ମଉଜରେ, ଏହିଭଳି କେବଳ ମଉଜ ହିଁ ମଉଜ । କାରଣ ସଂଗମଯୁଗ ହିଁ ମଉଜରେ ରହିବାର ଯୁଗ । ଆଚ୍ଛା — କୁମାରୀମାନଙ୍କ ଉପରେ ସଦାସର୍ବଦା ବାପଦାଦାଙ୍କର ନଜର ରହିଥାଏ । କୁମାରୀମାନେ ନିଜକୁ କ’ଣ କରିବେ — ଏହା ତାଙ୍କ ଉପରେ ନିର୍ଭର କରେ କିନ୍ତୁ ବାପଦାଦା ତ ସମସ୍ତଙ୍କୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି । ତେଣୁ ତୁମ ଭିତରେ ସର୍ବଦା ବିଶ୍ୱର ମାଲିକ ହେବାର ଖୁସି ଏବଂ ନିଶା ରହୁ ଏବଂ ସର୍ବଦା ଅକ୍ଲାନ୍ତ ଭାବରେ ସେବାରେ ଆଗକୁ ବଢିଚାଲ । ଆଚ୍ଛା —

ବରଦାନ:-

କରନହାର ଅର୍ଥାତ୍ କର୍ମକର୍ତ୍ତା ଆତ୍ମା ଏବଂ କରାବନ୍ହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ବାବାଙ୍କର ସ୍ମୃତି ଦ୍ୱାରା ଆଲୋକର ମୁକୁଟଧାରୀ ହୁଅ ।

ମୁଁ ନିମିତ୍ତ ମାତ୍ର କର୍ମଯୋଗୀ ବା କର୍ମକର୍ତ୍ତା ଅଟେ ଏବଂ ନିର୍ଦ୍ଦେଶକର୍ତ୍ତା ବାବା ଅଟନ୍ତି — ଯଦି ଏହିଭଳି ସ୍ମୃତି ସ୍ୱତଃ ପ୍ରବୃତ୍ତ ଭାବରେ ରହୁଛି ତେବେ ସର୍ବଦା ଆଲୋକର ମୁକୁଟଧାରୀ ଅର୍ଥାତ୍ ପ୍ରଭାମଣ୍ଡଳଧାରୀ ବା ଚିନ୍ତାମୁକ୍ତ ରାଜା ହୋଇଯିବ । ବାସ୍ କେବଳ ବାବା ଏବଂ ମୁଁ, ତୃତୀୟ ବ୍ୟକ୍ତି କେହି ନାହାଁନ୍ତି । ଏହିଭଳି ଅନୁଭୂତି ସହଜରେ ଚିନ୍ତାମୁକ୍ତ ରାଜା କରିଦିଏ । ଯେଉଁମାନେ ଏହିଭଳି ରାଜା ହୋଇଯାଆନ୍ତି ସେମାନେ ମାୟାଜିତ୍, କର୍ମେନ୍ଦ୍ରିୟଜିତ୍ ଏବଂ ପ୍ରକୃତିଜିତ୍ ହୋଇଯାଆନ୍ତି କିନ୍ତୁ ଯଦି ଭୁଲ୍ରେ ମଧ୍ୟ କୌଣସି ପ୍ରକାରର ବ୍ୟର୍ଥ ଭାବନାର ବୋଝ ନିଜ ଉପରେ ଲଦି ଦେଉଛ ତେବେ ମୁକୁଟ ପରିବର୍ତ୍ତେ ଅନେକ ପ୍ରକାରର ଚିନ୍ତା ରୂପକ ବୋଝ ନିଜର ମୁଣ୍ଡ ଉପରକୁ ଆସିଯାଉଛି ।

ସ୍ଲୋଗାନ:-

ସବୁ ପ୍ରକାରର ବନ୍ଧନରୁ ମୁକ୍ତ ହେବା ପାଇଁ ଦୈହିକ ସମ୍ବନ୍ଧଠାରୁ ନଷ୍ଟୋମୋହା ହୁଅ ।


*** ଓମ୍ ଶାନ୍ତି ***