15.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏବେ ତୁମେ ଅମରଲୋକର ଯାତ୍ରାରେ ଅଛ, ଏହା ତୁମର ବୁଦ୍ଧି ଦ୍ୱାରା ଆତ୍ମିକ ଯାତ୍ରା ଅଟେ, ଯାହାକୁ ତୁମେ ସତ୍ୟ ବ୍ରାହ୍ମଣମାନେ ହିଁ କରିପାରିବ ।

ପ୍ରଶ୍ନ:-
ନିଜେ ନିଜ ସହିତ ବା ପରସ୍ପର ମଧ୍ୟରେ କେଉଁ କଥାବାର୍ତ୍ତା ହେବା ହିଁ ଶୁଭ ସମ୍ମିଳନୀ ଅଟେ?

ଉତ୍ତର:-
ନିଜେ ନିଜ ସହିତ କଥାବାର୍ତ୍ତା କର ଯେ ମୁଁ ଆତ୍ମା ଏବେ ଏହି ପୁରୁଣା ଛି-ଛି, ପତିତ ଶରୀରକୁ ଛାଡି ଘରକୁ ଫେରିବି । ଏହି ଶରୀର କୌଣସି କାମର ନୁହେଁ, ଏବେ ତ ମୁଁ ବାବାଙ୍କ ସାଥୀରେ ଯିବି । ପରସ୍ପର ସହିତ ଯେତେବେଳେ ମିଶୁଛ ତେବେ ଏହି ବାର୍ତ୍ତାଳାପ କର ଯେ ସେବା କିପରି ବୃଦ୍ଧି ପାଇବ, ସମସ୍ତଙ୍କର କଲ୍ୟାଣ କିପରି ହେବ, ସମସ୍ତଙ୍କୁ କିପରି ରାସ୍ତା ବତାଇବା.... ଏହା ହିଁ ଶୁଭ ସମ୍ମିଳନୀ ଅଟେ ।

ଗୀତ:-
ଦିଲ୍ କା ସାହାରା ଟୁଟ ନ ଯାଏ....

ଓମ୍ ଶାନ୍ତି ।
ମିଠା-ମିଠା ରୁହାନୀ ସନ୍ତାନମାନେ, ସମସ୍ତ ସେବାକେନ୍ଦ୍ରର ବ୍ରହ୍ମାମୁଖ ବଂଶାବଳୀ ସର୍ବୋତ୍ତମ ବ୍ରାହ୍ମଣ କୁଳ ଭୂଷଣ ନିଜର କୁଳକୁ ଜାଣିଛନ୍ତି, ଯିଏ ଯେଉଁ କୁଳର ହୋଇଥାନ୍ତି, ସେମାନେ ନିଜର କୁଳକୁ ଜାଣିଥାନ୍ତି । କେହି ନୀଚ୍ଚ କୁଳର ହୋଇଥାନ୍ତୁ ବା କେହି ଉଚ୍ଚ କୁଳର ହୋଇଥାନ୍ତୁ, ପ୍ରତ୍ୟେକ ନିଜର କୁଳକୁ ଜାଣିଥାନ୍ତି ଏବଂ ଭାବନ୍ତି ଯେ ୟାଙ୍କର କୁଳ ବହୁତ ଭଲ । କୁଳ କୁହ ବା ଜାତି କୁହ, ଦୁନିଆରେ ତୁମ ସନ୍ତାନମାନଙ୍କ ବ୍ୟତୀତ ଆଉ କେହି ଜାଣିନାହାଁନ୍ତି ଯେ ବ୍ରାହ୍ମଣମାନଙ୍କର କୁଳ ହିଁ ସର୍ବୋତ୍ତମ ଅଟେ । ପ୍ରଥମ ନମ୍ବର କୁଳ ତୁମ ବ୍ରାହ୍ମଣମାନଙ୍କର ହିଁ କୁହାଯିବ । ବ୍ରାହ୍ମଣ କୁଳ ଅର୍ଥାତ୍ ଈଶ୍ୱରୀୟ କୁଳ । ପ୍ରଥମେ ହେଲା ନିରାକାରୀ କୁଳ ତାପରେ ସାକାରୀ ସୃଷ୍ଟିକୁ ଆସିଥାନ୍ତି । ସୂକ୍ଷ୍ମବତନରେ ତ କୁଳ ନଥାଏ । ସାକାରରେ ଉଚ୍ଚରୁ ଉଚ୍ଚ ହେଲା - ତୁମର ବ୍ରାହ୍ମଣମାନଙ୍କର କୁଳ । ତୁମେ ବ୍ରାହ୍ମଣମାନେ ପରସ୍ପର ଭାଇ ଭଉଣୀ ଅଟ । ଭାଇ-ଭଉଣୀ ହେବା କାରଣରୁ ତୁମେମାନେ ବିକାରରେ ଯାଇପାରିବ ନାହିଁ । ତୁମେ ଅନୁଭବ ଆଧାରରେ କହି ପାରିବ ଯେ ପବିତ୍ର ରହିବାର ଏହା ବହୁତ ଭଲ ଉପାୟ ଅଟେ । ପ୍ରତ୍ୟେକ କହୁଛନ୍ତି ଯେ ଆମେ ବ୍ରହ୍ମାକୁମାର-କୁମାରୀ ଅଟୁ । ଶିବବଂଶୀ ତ ସମସ୍ତେ ଅଟନ୍ତି ପୁଣି ଯେବେ ସାକାରରେ ଆସିଥାନ୍ତି ତେବେ ପ୍ରଜାପିତା ନାମ ହୋଇଥିବା କାରଣରୁ ଭାଇ-ଭଉଣୀ ହୋଇଯାଆନ୍ତି । ଯଦି ବ୍ରହ୍ମା ପ୍ରଜାପିତା ଅଟନ୍ତି ତେବେ ନିଶ୍ଚିତ ସେ ରଚୟିତା ଅଟନ୍ତି, ତୁମକୁ ପୋଷ୍ୟ ରୂପେ ଗ୍ରହଣ କରୁଛନ୍ତି । ତୁମେମାନେ ଗର୍ଭରୁ ଜନ୍ମ ନେଇନାହିଁ, ମୁଖ ବଂଶାବଳୀ ଅଟ । ତେବେ ମନୁଷ୍ୟ କୁଖ ବଂଶାବଳୀ ଏବଂ ମୁଖ ବଂଶାବଳୀର ଅର୍ଥ ମଧ୍ୟ ଜାଣିନାହାଁନ୍ତି । ମୁଖ ବଂଶାବଳୀ ଅର୍ଥାତ୍ ପୋଷ୍ୟ ସନ୍ତାନ । କୁଖ ବଂଶାବଳୀ ଅର୍ଥାତ୍ ଗର୍ଭରୁ ଜନ୍ମ ନେଇଥିବା ସନ୍ତାନ । ତୁମର ଏହି ଜନ୍ମ ଅଲୌକିକ ଅଟେ । ବର୍ତ୍ତମାନ ତୁମର ତିନିଜଣ ପିତା ଲୌକିକ, ଅଲୌକିକ, ପାରଲୌକିକ । ପ୍ରଜାପିତା ବ୍ରହ୍ମାଙ୍କୁ ଅଲୌକିକ ପିତା କୁହାଯାଉଛି । ଲୌକିକ ପିତା ତ ସମସ୍ତଙ୍କର ଅଛନ୍ତି । ତାହା ତ ସାଧାରଣ କଥା । ପାରଲୌକିକ ପିତା ମଧ୍ୟ ସମସ୍ତଙ୍କର ଅଛନ୍ତି । ଭକ୍ତିମାର୍ଗରେ ତ ହେ ଭଗବାନ, ହେ ପରମପିତା ସମସ୍ତେ କହିଥାନ୍ତି । କିନ୍ତୁ ଏହି ପ୍ରଜାପିତା ବ୍ରହ୍ମାଙ୍କୁ କେବେ କେହି ଡାକିନଥାନ୍ତି । ଏହି ବାବା ମଧ୍ୟ ତୁମ ବ୍ରାହ୍ମଣ ପିଲାମାନଙ୍କର ପିତା ଅଟନ୍ତି । ସେହି ଦୁଇଜଣ ପିତାଙ୍କୁ ତ ସମସ୍ତେ ଜାଣିଛନ୍ତି । କିନ୍ତୁ ବ୍ରହ୍ମାଙ୍କ ପାଇଁ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି କାରଣ ବ୍ରହ୍ମା ତ ସୂକ୍ଷ୍ମ ଦେବଲୋକରେ ଅଛନ୍ତି । ଏଠାରେ ବ୍ରହ୍ମାଙ୍କୁ କେବେ ଦେଖାନ୍ତି ନାହିଁ । ଚିତ୍ରରେ ମଧ୍ୟ ବ୍ରହ୍ମାଙ୍କୁ ଦାଢି ମୁଚ୍ଛ ବାଲା ଦେଖାଇଥାନ୍ତି ଅର୍ଥାତ୍ ପ୍ରଜାପିତା ବ୍ରହ୍ମା ଏହି ସୃଷ୍ଟିରେ ହିଁ ଅଛନ୍ତି । ସୂକ୍ଷ୍ମବତନରେ ତ ପ୍ରଜା ରଚନା କରିପାରିବେ ନାହିଁ । ଏକଥା ମଧ୍ୟ କାହାର ବୁଦ୍ଧିରେ ଆସୁନାହିଁ । ଏହି ସବୁ କଥା ବାବା ବୁଝାଉଛନ୍ତି । ଏହି ଆତ୍ମିକ ଯାତ୍ରାର ମଧ୍ୟ ଗାୟନ ରହିଛି । ଆତ୍ମିକ ଯାତ୍ରା ତାକୁ କୁହାଯିବ, ଯେଉଁ ଯାତ୍ରାରୁ ପୁଣି ଫେରି ଆସିବାର ନାହିଁ । ଅନ୍ୟ ଯାତ୍ରା ସବୁ ତ ଜନ୍ମ ଜନ୍ମାନ୍ତର କରି ଆସୁଛନ୍ତି ଏବଂ ଯାତ୍ରା କରି ଫେରି ଆସୁଛନ୍ତି । ତାହା ହେଲା ଶାରୀରିକ ଯାତ୍ରା, ଏହା ହେଉଛି ତୁମର ଆତ୍ମିକ ଯାତ୍ରା । ଏହି ଆତ୍ମିକ ଯାତ୍ରା କରି ତୁମେ ଆଉ ମୃତ୍ୟୁଲୋକକୁ ଫେରୁ ନାହଁ । ବାବା ତୁମକୁ ଅମରଲୋକର ଯାତ୍ରା ଶିଖାଉଛନ୍ତି । ସେମାନେ କାଶ୍ମୀର ଆଡେ ଥିବା ଅମରନାଥଙ୍କ ଯାତ୍ରାରେ ଯାଉଛନ୍ତି । ସିଏ ତ କୌଣସି ଅମରଲୋକ ନୁହେଁ । ଅମରଲୋକ ଗୋଟିଏ ହେଲା ଆତ୍ମାମାନଙ୍କର ଆଉ ଗୋଟିଏ ହେଲା ମନୁଷ୍ୟମାନଙ୍କର ଯାହାକୁ ସ୍ୱର୍ଗ ଅଥବା ଅମରଲୋକ କହିପାରିବ । ଆତ୍ମାମାନଙ୍କର ହେଲା ନିର୍ବାଣଧାମ । ଅମରଲୋକ ହେଲା ସତ୍ୟଯୁଗ ଏବଂ ମୃତ୍ୟୁଲୋକ ହେଲା କଳିଯୁଗ ଏବଂ ନିର୍ବାଣଧାମ ହେଲା ଶାନ୍ତିଲୋକ, ଯେଉଁଠି ଆତ୍ମାମାନେ ରହୁଛନ୍ତି । ବାବା କହୁଛନ୍ତି - ତୁମେ ଅମରପୁରୀର ଯାତ୍ରାରେ ଅଛ । ସ୍ଥୂଳ ତୀର୍ଥଯାତ୍ରା ପାଦରେ କରିବାକୁ ପଡିଥାଏ । ଏହା ହେଲା ଆତ୍ମିକ ଯାତ୍ରା, ଯାହାକୁ ଶିଖାଇଲାବାଲା ଏକମାତ୍ର ଆତ୍ମିକ ପିତା ଅଟନ୍ତି ଏବଂ ସେ ଥରେ ମାତ୍ର ଆସି ଶିଖାଉଛନ୍ତି । ତାହା ତ ଜନ୍ମ ଜନ୍ମାନ୍ତରର କଥା । ଏହା ହେଉଛି ମୃତ୍ୟୁଲୋକର ଶେଷ ସମୟର ଯାତ୍ରା । ଏକଥା ତୁମେ ବ୍ରାହ୍ମଣ କୁଳଭୂଷଣ ହିଁ ଜାଣିଛ । ଆତ୍ମିକ ଯାତ୍ରା ଅର୍ଥାତ୍ ତୁମେ ବାବାଙ୍କ ସ୍ମୃତିରେ ଅଛ । ଗାୟନ ମଧ୍ୟ ରହିଛି ଅନ୍ତ ମତି ସୋ ଗତି । ତୁମକୁ ବାବାଙ୍କର ଘର ହିଁ ସ୍ମୃତିରେ ଆସୁଛି । ଜାଣୁଛ ଯେ ଏବେ ନାଟକ ଶେଷ ହେବାକୁ ଯାଉଛି । ଏହା ପୁରୁଣା ଶରୀର, ପୁରୁଣା ବସ୍ତ୍ର ଅଟେ । ଆତ୍ମାରେ ଅବଗୁଣ ରୂପକ ଖାଦ ମିଶିବା ଦ୍ୱାରା ଶରୀରରେ ମଧ୍ୟ ଖାଦ ମିଶିଯାଉଛି । ଯେତେବେଳେ ଆତ୍ମା ପବିତ୍ର ହେଉଛି ସେତେବେଳେ ଶରୀର ମଧ୍ୟ ପବିତ୍ର ମିଳୁଛି । ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ । ସଂସାରର ମନୁଷ୍ୟ ତ କିଛି ଜାଣୁନାହାଁନ୍ତି । ତୁମେ ଦେଖୁଛ ଯେ କେହି କେହି ମଧ୍ୟ ବୁଝିଯାଉଛନ୍ତି । କାହାରି ବୁଦ୍ଧିରେ ଏହି ଜ୍ଞାନ ନାହିଁ । ଯିଏ ବୁଝିଥିବ ସିଏ ନିଶ୍ଚିତ ଅନ୍ୟ କାହାକୁ ବୁଝାଇବ । ମନୁଷ୍ୟ ଯେତେବେଳେ ତୀର୍ଥଯାତ୍ରାରେ ଯାଇଥାନ୍ତି ସେତେବେଳେ ପବିତ୍ର ରହିଥାନ୍ତି । ପୁଣି ଘରକୁ ଆସି ଅପବିତ୍ର ହୋଇଥାନ୍ତି । ମାସେ ଦୁଇମାସ ପବିତ୍ର ରହିଥାନ୍ତି । ତୀର୍ଥଯାତ୍ରା କରିବାର ମଧ୍ୟ ସମୟ ରହିଛି । ସବୁବେଳେ ତ ଯାତ୍ରା କରିବାକୁ ଯାଇପାରିବେ ନାହିଁ । ଶୀତ ବା ବର୍ଷା ସମୟରେ କେହି ଯାଇପାରିବେ ନାହିଁ । ତୁମ ଯାତ୍ରାରେ ତ ଥଣ୍ଡା ବା ଗରମର କୌଣସି ପ୍ରଭାବ ନାହିଁ । ବୁଦ୍ଧିରେ ନିଜେ ହିଁ ଜାଣିପାରିବ ଯେ ମୁଁ ବାବାଙ୍କ ଘରକୁ ବା ପରମଧାମକୁ ଯାଉଛି । ଯେତେ ଆମେ ମନେ ପକାଉଛୁ ସେତେ ଆମର ବିକର୍ମ ବିନାଶ ହେଉଛି । ବାବାଙ୍କ ଘରକୁ ଯାଇ ପୁଣି ଆମେ ନୂଆ ଦୁନିଆକୁ ଆସିବୁ । ଏହି କଥା ବାବା ହିଁ ବୁଝାଉଛନ୍ତି । ଏଠାରେ ମଧ୍ୟ ପିଲାମାନଙ୍କ ଭିତରେ କ୍ରମ ଅନୁସାରେ ଅଛନ୍ତି । ବାସ୍ତବରେ ଯାତ୍ରାକୁ ଭୁଲିବା ଉଚିତ୍ ନୁହେଁ କିନ୍ତୁ ମାୟା ଭୁଲାଇ ଦେଉଛି । ସେଥିପାଇଁ ଲେଖୁଛନ୍ତି ମଧ୍ୟ ବାବା ଆପଣଙ୍କର ସ୍ମୃତି ଭୁଲି ହୋଇଯାଉଛି । ଆରେ ସ୍ମୃତିର ଯାତ୍ରା-ଯାହା ଦ୍ୱାରା ତୁମେ ସଦା ସୁସ୍ଥ ସଦା ସମ୍ପତ୍ତିବାନ ହେଉଛ, ଏଭଳି ଔଷଧକୁ ତୁମେ ଭୁଲିଯାଉଛ । ସେମାନେ ଏକଥା ମଧ୍ୟ କହୁଛନ୍ତି ଯେ ବାବାଙ୍କୁ ମନେ ପକାଇବା ତ ବହୁତ ସହଜ । ନିଜ ସହିତ କଥାବାର୍ତ୍ତା କରିବାକୁ ପଡିଥାଏ ଯେ ମୁଁ ଆତ୍ମା ପ୍ରଥମେ ସତ୍ୱପ୍ରଧାନ ଥିଲି ଏବେ ତମୋପ୍ରଧାନ ହୋଇଯାଇଛି । ଏବେ ଶିବବାବା ଆମକୁ ତ ବହୁତ ଭଲ ଉପାୟ ବତାଉଛନ୍ତି, ପୁଣି ଆମକୁ ଅଭ୍ୟାସ କରିବାକୁ ହେବ । ଆଖି ବନ୍ଦ କରି ବିଚାର କରାଯାଏ ନାହିଁ । (ବାବା ପ୍ରାକ୍ଟିକାଲରେ କରି ଦେଖାଇଲେ) ଏହିଭଳି ନିଜ ସହିତ କଥାବାର୍ତ୍ତା କର ଯେ ଆମେ ସତ୍ୱପ୍ରଧାନ ଥିଲୁ, ଆମେ ହିଁ ରାଜ୍ୟ କରୁଥିଲୁ । ସେହି ଦୁନିଆ ସୁବର୍ଣ୍ଣଯୁଗ ଥିଲା । ପୁଣି ରୌପ୍ୟ, ତାମ୍ର ଏବଂ ଲୌହ ଯୁଗକୁ ଆସିଗଲୁ । ଏବେ ଲୌହଯୁଗ ଅର୍ଥାତ୍ କଳିଯୁଗର ଶେଷ ସମୟ ଅଟେ, ସେଥିପାଇଁ ବାବା ଆସିଯାଇଛନ୍ତି । ବାବା ଆମ ଆତ୍ମାମାନଙ୍କୁ କହୁଛନ୍ତି ଯେ ମୋତେ ମନେ ପକାଅ ଏବଂ ନିଜର ଘରକୁ ମନେ ପକାଅ, ଯେଉଁଠାରୁ ତୁମେମାନେ ଆସିଛ । ତେବେ ଅନ୍ତ ମତି ସୋ ଗତି ଅର୍ଥାତ୍ ଅନ୍ତିମ ସ୍ମୃତି ଅନୁସାରେ ପରବର୍ତ୍ତୀ ଗତି ହୋଇଯିବ । ତୁମକୁ ସେଠାକୁ ଯିବାକୁ ହେବ । ଏହି ଉପାୟ ବାବା ହିଁ ବତାଉଛନ୍ତି ଯେ ଅମୃତବେଳାରୁ ନିଜ ସହିତ କଥାବାର୍ତ୍ତା କର । ବାବା ଅଭିନୟ କରି ଦେଖାଉଛନ୍ତି ଯେ ମୁଁ ମଧ୍ୟ ସକାଳୁ ଉଠି ବିଚାର ସାଗର ମନ୍ଥନ କରୁଛି । ପ୍ରକୃତ ଆମଦାନୀ କରିବା ଦରକାର ନା । ଗାୟନ ଅଛି, ସୁବହ କା ସାଇଁ.... ତେବେ ସେହି ସାଇଁ ବା ଇଷ୍ଟଙ୍କୁ ମନେ ପକାଇବା ଦ୍ୱାରା ତୁମର ନୌକା ପାରି ହୋଇଯିବ । ବାବା ଯାହା କରୁଛନ୍ତି ଓ ଯେପରି କରୁଛନ୍ତି ତାହା ପିଲାମାନଙ୍କୁ ମଧ୍ୟ ବୁଝାଉଛନ୍ତି । ଏଥିରେ କୌଣସି ଗୋଳମାଳର କଥା ନାହିଁ । ଏହା ରୋଜଗାର କରିବାର ବହୁତ ଭଲ ଉପାୟ ଅଟେ । ଅଲଫ ଅର୍ଥାତ୍ ବାବାଙ୍କୁ ମନେ ପକାଇବା ଦ୍ୱାରା ବେ ଅର୍ଥାତ୍ ବାଦଶାହୀ ତ ମିଳି ହିଁ ଯିବ । ପିଲାମାନେ ଜାଣିଛନ୍ତି ଯେ ଆମେ ରାଜଯୋଗ ଶିକ୍ଷା କରୁଛୁ । ବାବା ବୀଜରୂପ, ଜ୍ଞାନର ସାଗର ଅଟନ୍ତି ତେଣୁ ଆମେମାନେ ମଧ୍ୟ ଏହି ବୃକ୍ଷକୁ ଭଲ ଭାବରେ ବୁଝିଯାଇଛୁ । ଏହା ମଧ୍ୟ ମୋଟା ରୂପର ଜ୍ଞାନ ଅଟେ । ଆରମ୍ଭରେ ବୃକ୍ଷ କିପରି ବୃଦ୍ଧିକୁ ପ୍ରାପ୍ତ ହୋଇଥାଏ, ତାପରେ କିପରି ଏହାର ଆୟୁଷ ଶେଷ ହୋଇଯାଏ, ଅନ୍ୟ ବୃକ୍ଷ ସବୁ ତ ତୋଫାନ ଇତ୍ୟାଦି ଦ୍ୱାରା ଉପୁଡି ଯାଇଥାଏ । କିନ୍ତୁ ଏହି ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷର ପ୍ରଥମ ମୂଳଦୁଆ ସଢି ଯାଇଛି ଅର୍ଥାତ୍ ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ପାଇଯାଉଛି । ଏହା ମଧ୍ୟ ହେବାର ଅଛି । ଏହା ଯେତେବେଳେ ଗୁପ୍ତ ହୋଇଯାଏ ସେତେବେଳେ କୁହାଯାଏ ଯେ ଗୋଟିଏ ଧର୍ମର ପୁନଃସ୍ଥାପନା ଏବଂ ଅନେକ ଧର୍ମର ବିନାଶ । ପ୍ରତି କଳ୍ପରେ ଏହି ଧର୍ମ ପ୍ରାୟଃ ଲୋପ ହୋଇଯାଏ । ଆତ୍ମାରେ ଯେତେବେଳେ ଖାଦ ମିଶିଯାଏ ତେବେ ଶରୀର ରୁପି ଗହଣା ମଧ୍ୟ ନକଲୀ ହୋଇଯାଏ । ପିଲାମାନେ ଜାଣୁଛନ୍ତି ଯେ ଆମ ଭିତରେ ଖାଦ ଥିଲା, ବର୍ତ୍ତମାନ ଯେବେକି ଆମେ ସ୍ୱଚ୍ଛ ହେବାକୁ ଯାଉଛୁ ତେଣୁ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଉଛୁ । ଦୁନିଆ ତ ଏବେ ତମୋପ୍ରଧାନ ଅଟେ । ପ୍ରଥମେ ସତ୍ୱପ୍ରଧାନ ସ୍ୱର୍ଗ ଥିଲା । ପିଲାମାନଙ୍କୁ ଅମୃତବେଳାରୁ ଉଠି ନିଜ ସହିତ କଥାବାର୍ତ୍ତା ବା ଆତ୍ମିକ ବାର୍ତ୍ତାଳାପ କରିବା ଉଚିତ୍ । ବିଚାର ସାଗର ମନ୍ଥନ କରିବା ଆବଶ୍ୟକ । ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ମଧ୍ୟ ପଡିବ ଯେ ଏହା ୮୪ ଜନ୍ମର ଚକ୍ର ଅଟେ । ୮୪ ଜନ୍ମ କିପରି ନେଉଛନ୍ତି, କିଏ ନେଉଛନ୍ତି । ନିଶ୍ଚିତ ଯେଉଁମାନେ ପ୍ରଥମେ ପ୍ରଥମେ ଆସିବେ ସେହିମାନେ ହିଁ ନେବେ । ବାବା ମଧ୍ୟ ୮୪ ଜନ୍ମର ଚକ୍ର ବିଷୟରେ ବୁଝାଉଛନ୍ତି । ବାବା କେଉଁଠାକୁ ଆସିଛନ୍ତି, ଏକଥା ମଧ୍ୟ ଜାଣିନାହାଁନ୍ତି । ବାବା ଆସି ନିଜ ନିଜର ପରିଚୟ ଦେଉଛନ୍ତି । କହୁଛନ୍ତି ଯେ ମୁଁ ତୁମକୁ ରାଜଯୋଗ ଶିଖାଉଛି, ମନମନାଭବ । ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ଏଭଳି ଜ୍ଞାନ କେହି ଦେଇପାରିବେ ନାହିଁ । ଯଦିଓ ଗୀତା ଆଦି ବହୁତ ଶୁଣାଉଛନ୍ତି । ସେଠାକୁ ମଧ୍ୟ ଲୋକମାନେ ବହୁତ ଯାଉଛନ୍ତି । କିନ୍ତୁ ଭଗବାନ କେବେ ତ ଆସିଥିବେ, ଜ୍ଞାନ ଶୁଣାଇଥିବେ । ତେଣୁ ପୁନର୍ବାର ଯେତେବେଳେ ଆସିବେ ତେବେ ତ ଜ୍ଞାନ ଶୁଣାଇବେ । ସେମାନେ ଗୀତା ଶାସ୍ତ୍ର ଧରି ଜ୍ଞାନ ଶୁଣାଉଛନ୍ତି । ଏଠାରେ ନିଜେ ଜ୍ଞାନର ସାଗର ଭଗବାନ ଅଛନ୍ତି । ୟାଙ୍କୁ କୌଣସି ଶାସ୍ତ୍ର ଆଦି ହାତରେ ଧରି ପଢିବାର ନାହିଁ, ଇଏ କାହାଠାରୁ ଶିକ୍ଷା କରୁନାହାଁନ୍ତି । କଳ୍ପ ପୂର୍ବରୁ ମଧ୍ୟ ଆସି ସଂଗମଯୁଗରେ ତୁମମାନଙ୍କୁ ଶିଖାଇଥିଲେ । ବାବା ହିଁ ଆସି ରାଜଯୋଗ ଶିଖାଉଛନ୍ତି । ଏହା ହେଉଛି ସ୍ମୃତିର ଯାତ୍ରା । ତୁମର ବୁଦ୍ଧି ହିଁ ଜାଣିଛି - କେବଳ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣଙ୍କ ବ୍ୟତୀତ ଏପରି କେହି ମନୁଷ୍ୟ ନଥିବେ ଯାହାଙ୍କ ପାଖରେ ଏହି ଜ୍ଞାନ ଥିବ । ସମସ୍ତଙ୍କ ଭିତରେ ସର୍ବବ୍ୟାପୀର ଜ୍ଞାନ ପରିପୂର୍ଣ୍ଣ ହୋଇ ରହିଛି । ଏକଥା କେହି ଜାଣି ନାହାଁନ୍ତି ଯେ ପରମାତ୍ମା ବିନ୍ଦୁ ଅଟନ୍ତି । ଜ୍ଞାନର ସାଗର ପତିତ ପାବନ ଅଟନ୍ତି । ସେମାନେ କେବଳ ତୁଚ୍ଛାଟାରେ ଗାୟନ କରିଚାଲିଛନ୍ତି । ଗୁରୁମାନେ ଯାହା ସବୁ ଶିଖାଇ ଦେଉଛନ୍ତି ତାକୁ ସତ୍‌-ସତ୍ କରିଚାଲିଛନ୍ତି । ଅର୍ଥ କିଛି ହେଲେ ଜାଣିନାହାଁନ୍ତି । ନା ତା ଉପରେ କେବେ ବିଚାର କରୁଛନ୍ତି ଯେ ଏହା ସତ୍ୟ କି ନୁହେଁ । ବାବା ବୁଝାଉଛନ୍ତି ଯେ ତୁମେ ପିଲାମାନଙ୍କୁ ଚାଲିବା-ବୁଲିବା ସମୟରେ ବାବାଙ୍କ ସ୍ମୃତିରେ ନିଶ୍ଚିତ ରହିବାକୁ ହେବ । ନଚେତ୍ ବିକର୍ମ ବିନାଶ ହୋଇପାରିବ ନାହିଁ । ଯାହା ବି କିଛି କର୍ମ କରୁଥାଅ କିନ୍ତୁ ବୁଦ୍ଧିରେ ବାବାଙ୍କର ସ୍ମୃତି ରହିଥାଉ । ଶ୍ରୀନାଥ ଦ୍ୱାର ଅର୍ଥାତ୍ ଶ୍ରୀନାଥଙ୍କ ମନ୍ଦିରରେ ଭୋଜନ ପ୍ରସ୍ତୁତ କରିବା ସମୟରେ ବୁଦ୍ଧିରେ ଶ୍ରୀନାଥଙ୍କର ସ୍ମୃତି ରହିଥାଏ ନା । ସେମାନେ ମନ୍ଦିରରେ ହିଁ ଅଛନ୍ତି । ଭାବିଥାନ୍ତି ଆମେ ଶ୍ରୀନାଥଙ୍କ ପାଇଁ ଭୋଜନ ପ୍ରସ୍ତୁତ କରୁଛୁ । ଭୋଜନ ତିଆରି କଲେ, ଭୋଗ ଲଗାଇଲେ ତାପରେ ଯାଇ ପରିବାରର ଲୋକ, ପିଲାମାନେ ମନେ ପଡିବେ । ସେଠାରେ ଭୋଜନ ଅର୍ଥାତ୍ ପ୍ରସାଦ ପ୍ରସ୍ତୁତ କଲାବେଳେ ମୁଖ ବନ୍ଦ କରିଥାନ୍ତି, କଥାବାର୍ତ୍ତା କରନ୍ତି ନାହିଁ । ମନ ଦ୍ୱାରା କୌଣସି ବିକର୍ମ ହୋଇନଥାଏ । ସେମାନେ ତ ଶ୍ରୀନାଥଙ୍କ ମନ୍ଦିରରେ ଅଛନ୍ତି । ଏଠାରେ ତୁମ୍ଭେମାନେ ଶିବବାବାଙ୍କ ପାଖରେ ଅଛ । ଏଠାରେ ମଧ୍ୟ ବାବା ଉପାୟ ବତାଇ ଚାଲିଛନ୍ତି । ପିଲାମାନେ କୌଣସି ବ୍ୟର୍ଥ କଥାବାର୍ତ୍ତା କର ନାହିଁ । ସବୁବେଳେ ବାବାଙ୍କ ସହିତ ମିଠା ମିଠା କଥାବାର୍ତ୍ତା କର । ଯେପରି ବାବା ସେପରି ସନ୍ତାନ । ବାବାଙ୍କର ସ୍ମୃତିରେ ରହିଛି ଯେ ଏହି ସୃଷ୍ଟି ରୂପକ ଚକ୍ର କିପରି ଘୂରୁଛି, ତେଣୁ ସେ ତୁମ୍ଭମାନଙ୍କୁ ଆସି ଶୁଣାଉଛନ୍ତି । ତୁମେ ପିଲାମାନେ ଜାଣିଛ ଯେ ଆମର ବାବା ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି, ଚୈତନ୍ୟ ଅଟନ୍ତି । ଏହା କେତେ ସହଜ କଥା । ତଥାପି ବୁଝିପାରୁ ନାହାଁନ୍ତି କାହିଁକି ନା ପଥରବୁଦ୍ଧି ଅଟନ୍ତି ନା । ଜଡ ବୃକ୍ଷର ମଞ୍ଜିକୁ ଆମେ ଚୈତନ୍ୟ ବୋଲି କହିବା ନାହିଁ । ବାବା ତ ଜ୍ଞାନର ସାଗର, ଚୈତନ୍ୟ ଅଟନ୍ତି । ସେହି ମଞ୍ଜି ତ ଅନେକ ପ୍ରକାରର ଅଛି । ଭଗବାନଙ୍କୁ କୁହାଯାଏ - ମନୁଷ୍ୟ ସୃଷ୍ଟିର ବୀଜ । ତେଣୁ ପିତା ହୋଇ ଗଲେ ନା । ଆତ୍ମାମାନଙ୍କର ପିତା ପରମାତ୍ମା ଅଟନ୍ତି ତେଣୁ ସବୁ ଆତ୍ମାମାନେ ପରସ୍ପର ଭାଇ ଭାଇ ହେଲେ । ବାବା ମଧ୍ୟ ସେହିଠାରେ ରହୁଛନ୍ତି, ଯେଉଁଠାରେ ତୁମେ ଆତ୍ମାମାନେ ନିବାସ କରୁଛ । ନିର୍ବାଣଧାମରେ ବାବା ଏବଂ ପିଲାମାନେ ରହିଥାନ୍ତି । ଏହି ସମୟରେ ତୁମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ ଏବଂ ଭଉଣୀ ଅଟ, ସେଥିପାଇଁ ଶିବବଂଶୀ ବ୍ରହ୍ମାକୁମାର-କୁମାରୀ ବୋଲାଉଛ । ଏକଥା ମଧ୍ୟ ତୁମକୁ ଲେଖିବାର ଅଛି ଯେ ତୁମେ ବ୍ରହ୍ମାକୁମାର କୁମାରୀମାନେ ଭାଇ ଭଉଣୀ ଅଟ । ଯଦି ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି ତେବେ ତୁମେମାନେ ମଧ୍ୟ ଭାଇ-ଭଉଣୀ ହିଁ ହେଲ ନା । କଳ୍ପ-କଳ୍ପ ଧରି ଏହିପରି ସୃଷ୍ଟି ରଚନା କରୁଛନ୍ତି । ଆଡପ୍ଟ (ପୋଷ୍ୟ) କରି ଚାଲିଛନ୍ତି । ମନୁଷ୍ୟକୁ ପ୍ରଜାପିତା ବ୍ରହ୍ମା କୁହାଯିବ ନାହିଁ । ଯଦିଓ ପିତା ବୋଲି କହୁଛନ୍ତି କିନ୍ତୁ ଶରୀରର ଜନ୍ମଦାତାଙ୍କୁ ଲୌକିକ ପିତା, ବ୍ରହ୍ମାଙ୍କୁ ପ୍ରଜାପିତା କୁହାଯିବ କାରଣ ବହୁତ ପ୍ରଜା ଅଛନ୍ତି ଅର୍ଥାତ୍ ଅନେକ ସନ୍ତାନ ଅଛନ୍ତି । ତେଣୁ ବେହଦର ଅବିନାଶୀ ପିତା ପିଲାମାନଙ୍କୁ ସବୁ କଥା ଆସି ବୁଝାଉଛନ୍ତି । ଏହି ଦୁନିଆ ସମ୍ପୂର୍ଣ୍ଣ ବିଗିଡିଯାଇଥିବା ଛି ଛି ଦୁନିଆ ଅଟେ । ଏବେ ତୁମକୁ ମୁଁ ବାଃ ବାଃ ର ଦୁନିଆକୁ ନେଇଯାଉଛି । ତୁମ ଭିତରେ ମଧ୍ୟ ବହୁତ ଅଛନ୍ତି ଯିଏକି ଏସବୁ ଭୁଲି ଯାଉଛନ୍ତି । ଯଦି ଏହି କଥା ମନେ ରହିବ ତେବେ ପିତା ମଧ୍ୟ ମନେ ରହିବେ ଏବଂ ଗୁରୁ ମଧ୍ୟ ମନେ ରହିବେ, ଏକଥା ମଧ୍ୟ ମନେ ରହିବ ଯେ ଘରକୁ ଫେରିବାକୁ ହେବ । ଆମେ ଏହି ପୁରୁଣା ଶରୀରକୁ ଛାଡି ଦେବା କାରଣ ଏହି ଶରୀର ଏବେ କୌଣସି କାମର ନୁହେଁ । ଆତ୍ମା ଏବେ ପବିତ୍ର ହେବାକୁ ଲାଗିଛି, ତେଣୁ ଶରୀର ମଧ୍ୟ ପବିତ୍ର ହେବ । ପରସ୍ପର ଭିତରେ ଏହିଭଳି କଥାବାର୍ତ୍ତା ହେବା ଦରକାର । ଏହାକୁ କୁହାଯାଏ - ଶୁଭ ସମ୍ମିଳନୀ, ଯେଉଁଥିରେ ଭଲ ଭଲ କଥା ରହିଥିବ । ସେବା କିପରି ବୃଦ୍ଧି ହେବ । ସମସ୍ତଙ୍କର କଲ୍ୟାଣ କିପରି କରିବା! ସେମାନଙ୍କର ତ ଛି ଛି - ସମ୍ମିଳନୀ ଅଟେ, ଗଳ୍ପ ଇତ୍ୟାଦି କଥା ଶୁଣାଇ ଚାଲିଥାନ୍ତି । ଏଠାରେ କୌଣସି ବ୍ୟର୍ଥ ଗଳ୍ପ ଆଦିର କଥା ନାହିଁ । ବାସ୍ତବ ସତ୍ୟ ସମ୍ମିଳନୀ ଏହାକୁ କୁହାଯାଉଛି । ତୁମକୁ ଏହି କାହାଣୀ ଶୁଣାଯାଉଛି ଯେ ଏହା କଳିଯୁଗ ଅଟେ । ସତ୍ୟଯୁଗକୁ ସ୍ୱର୍ଗ କୁହାଯାଏ । ଭାରତ ସ୍ୱର୍ଗ ଥିଲା, ଭାରତବାସୀ ହିଁ ୮୪ ଜନ୍ମ ଭୋଗ କରିଥାନ୍ତି । ଏବେ ଅନ୍ତିମ ଜନ୍ମରେ ଅଛନ୍ତି । ଏବେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ । ଏଥିରେ କୌଣସି ଗଙ୍ଗା ସ୍ନାନ ଆଦି କରିବାର ନାହିଁ । ଭଗବାନଉବାଚ - ମୁଁ ସମସ୍ତଙ୍କର ପିତା ଅଟେ, କୃଷ୍ଣ ସମସ୍ତଙ୍କର ପିତା ହୋଇପାରିବେ ନାହିଁ । ଗୋଟିଏ ଦୁଇଟି ସନ୍ତାନଙ୍କର ପିତା ତ ଶ୍ରୀନାରାୟଣ ଅଟନ୍ତି ଶ୍ରୀକୃଷ୍ଣ ନୁହଁନ୍ତି । ଶ୍ରୀକୃଷ୍ଣ ତ କୁମାର ଅଟନ୍ତି । ଏହି ପ୍ରଜାପିତା ବ୍ରହ୍ମାଙ୍କର ତ ବହୁତ ସନ୍ତାନ ଅଛନ୍ତି । କେଉଁଠି କୃଷ୍ଣ ଭଗବାନ ଉବାଚ, କେଉଁଠି ଶିବ ଭଗବାନ ଉବାଚ, କେତେ ବଡ ଭୁଲ କରିଦେଇଛନ୍ତି । ଯେଉଁଠି ବି ପ୍ରଦର୍ଶନୀ କର ତେବେ ମୁଖ୍ୟ କଥା ହେଲା ଯେ ଗୀତାର ଭଗବାନ ଇଏ ଶିବ ନା ସିଏ ଶ୍ରୀକୃଷ୍ଣ? ପ୍ରଥମେ ପ୍ରଥମେ ଏକଥା ବୁଝାଇବା ଆବଶ୍ୟକ ଯେ ଭଗବାନ ଶିବଙ୍କୁ କୁହାଯାଏ । ଏହି କଥାକୁ ବୁଦ୍ଧିରେ ଧାରଣ କରିବାକୁ ହେବ । ଏହା ଉପରେ ଅନୁସନ୍ଧାନ ହେବା ଦରକାର । ଗୀତାର ଭଗବାନ ଚିତ୍ର ମଧ୍ୟ ବହୁତ ବଡ ଓ ସ୍ଥାୟୀ ଭାବରେ ଲାଗିବା ଆବଶ୍ୟକ । ତଳେ ଲେଖି ଦେବା ଦରକାର ଯେ ବିଚାର କର ଏବଂ ଆସି ବୁଝ । ତାପରେ ସେମାନଙ୍କଠାରୁ ଲେଖାଇ ନେବା ସହିତ ଦସ୍ତଖତ ମଧ୍ୟ କରାଇ ନେବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପରସ୍ପର ଭିତରେ ଶୁଭ ସମ୍ମିଳନୀ କରି ସେବାର ବୃଦ୍ଧି କରିବାର ଯୋଜନା କରିବାକୁ ହେବ । ନିଜର ଏବଂ ସମସ୍ତଙ୍କର କଲ୍ୟାଣର ଉପାୟ ପ୍ରସ୍ତୁତ କରିବାକୁ ହେବ । କେବେହେଲେ ବି କୌଣସି ବ୍ୟର୍ଥ କଥାବାର୍ତ୍ତା କରିବାର ନାହିଁ ।

(୨) ଅମୃତବେଳାରୁ ଉଠି ନିଜ ସହିତ କଥାବାର୍ତ୍ତା କରିବାକୁ ହେବ, ବିଚାର ସାଗର ମନ୍ଥନ କରିବାକୁ ହେବ । ଭୋଜନ ପ୍ରସ୍ତୁତ କଲାବେଳେ ଏକମାତ୍ର ବାବାଙ୍କର ୟାଦରେ ରହିବାକୁ ହେବ । ମନୋବୃତ୍ତି ମଧ୍ୟ ବାହ୍ୟ ଚିନ୍ତନକୁ ନ ଯାଉ, ଏଥିପ୍ରତି ଧ୍ୟାନ ରଖିବାକୁ ହେବ ।

ବରଦାନ:-
ବିନାଶ ସମୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ଆକାରୀ ପ୍ରକାଶମୟ ରୂପଧାରୀ ହୁଅ ।

ବିନାଶ ସମୟର ପରୀକ୍ଷା ଗୁଡିକରେ ପାସ୍ ହେବା ପାଇଁ ବା ସବୁ ପ୍ରକାରର ପରିସ୍ଥିତି ଗୁଡିକୁ ସମ୍ମୁଖୀନ କରିବା ପାଇଁ ଆକାରୀ ପ୍ରକାଶମୟ ରୂପଧାରୀ ହୁଅ । ତୁମେମାନେ ଯେତେବେଳେ ଚାଲିବା ବୁଲିବା ସମୟରେ ଲାଇଟ୍ ହାଉସ୍ ଭଳି ହୋଇଯିବ ସେତେବେଳେ ତୁମମାନଙ୍କର ଏହି ରୂପ ଅର୍ଥାତ୍ ଶରୀର ଅନ୍ୟମାନଙ୍କୁ ଦେଖାଯିବ ନାହିଁ । ଯେପରି କୌଣସି ସ୍ୱତନ୍ତ୍ର ପାର୍ଟ କରିବା ସମୟରେ ସ୍ୱତନ୍ତ୍ର ବସ୍ତ୍ର ଧାରଣ କରିଥାଅ ଏବଂ କାର୍ଯ୍ୟ ସମାପ୍ତ ହେବା ମାତ୍ରେ ପୁନର୍ବାର ସେହି ବସ୍ତ୍ରକୁ ଓହ୍ଲାଇ ଦେଇଥାଅ, ସେହିପରି ଏହି ସ୍ଥୂଳ ଶରୀର ରୂପୀ ବସ୍ତ୍ରକୁ ମଧ୍ୟ ଗୋଟିଏ ସେକେଣ୍ଡରେ ଧାରଣ କର ଏବଂ ଗୋଟିଏ ସେକେଣ୍ଡରେ ଏହାଠାରୁ ଅଲଗା ହୋଇଯାଅ । ଯେତେବେଳେ ଏହି ଅଭ୍ୟାସ ପକ୍କା ହୋଇଯିବ ସେତେବେଳେ ଦେଖୁଥିବା ଆତ୍ମାମାନେ ଅନୁଭବ କରିବେ ଯେ ଏମାନେ ଲାଇଟ୍‌ର ବସ୍ତ୍ରଧାରୀ ଅଟନ୍ତି, ଲାଇଟ୍ ହିଁ ଏମାନଙ୍କର ଶୃଙ୍ଗାର ଅଟେ ।

ସ୍ଲୋଗାନ:-
ଯଦି ଉମଙ୍ଗ-ଉତ୍ସାହର ଡେଣା ସର୍ବଦା ସାଥୀରେ ରହିଥିବ ତେବେ ସବୁ କାର୍ଯ୍ୟରେ ସହଜରେ ସଫଳତା ମିଳିଯିବ ।