15.11.20    Avyakt Bapdada     Odia Murli     18.01.87     Om Shanti     Madhuban


କର୍ମାତୀତ ସ୍ଥିତିର ଲକ୍ଷଣ


ଆଜି ଅବ୍ୟକ୍ତ ବାପଦାଦା ନିଜର ଅବ୍ୟକ୍ତ ସ୍ଥିତି ଭବର ବରଦାନୀ ପିଲାମାନଙ୍କ ସହିତ ବା ଅବ୍ୟକ୍ତ ଫରିସ୍ତା ମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ଏହିଭଳି ଅବ୍ୟକ୍ତ ମିଳନ ସାରା କଳ୍ପରେ କେବଳ ବର୍ତ୍ତମାନ ଏହି ସଂଗମଯୁଗରେ ଥରକ ପାଇଁ ହିଁ ହୋଇଥାଏ । ନିରାକାର ଶିବବାବା ମଧ୍ୟ ଅବ୍ୟକ୍ତ ବ୍ରହ୍ମାବାବାଙ୍କ ଦ୍ୱାରା ମିଳନ କରିଥାନ୍ତି । ନିରାକାର ପିତାଙ୍କୁ ଏହିଭଳି ଫରିସ୍ତାମାନଙ୍କର ସଭା ମଧ୍ୟ ବହୁତ ପ୍ରିୟ ଅଟେ, ସେଥିପାଇଁ ନିଜର ଧାମକୁ ଛାଡି ଆକାରୀ ବା ସାକାରୀ ଦୁନିଆକୁ ମିଳନ କରିବା ପାଇଁ ଆସିଛନ୍ତି । ଫରିସ୍ତା ପିଲାମାନଙ୍କର ସ୍ନେହର ଆକର୍ଷଣରେ ବାବାଙ୍କୁ ମଧ୍ୟ ରୂପ ପରିବର୍ତ୍ତନ କରି, ବେଶ ପରିବର୍ତ୍ତନ କରି ପିଲାମାନଙ୍କର ସଂସାରକୁ ଆସିବାକୁ ହିଁ ପଡୁଛି । ଏହି ସଂଗମଯୁଗ ବାବା ଏବଂ ପିଲାମାନଙ୍କର ଅତି ପ୍ରିୟ ଏବଂ ଅତି ଭିନ୍ନ ସଂସାର ଅଟେ । ତେବେ ସ୍ନେହ ହିଁ ସବୁଠାରୁ ବଡ ଆକର୍ଷଣକାରୀ ଶକ୍ତି ଯାହାକି ଶରୀରଠାରୁ ମୁକ୍ତ, ବନ୍ଧନମୁକ୍ତ ପରମଆତ୍ମାଙ୍କୁ ମଧ୍ୟ ବନ୍ଧନରେ ବାନ୍ଧି ଦେଉଛି । ଅଶରୀରୀଙ୍କୁ ମଧ୍ୟ ଉଧାର ନେଇଥିବା ଶରୀରଧାରୀ କରିଦେଉଛି । ଏହା ହିଁ ହେଉଛି ପିଲାମାନଙ୍କର ସ୍ନେହର ପ୍ରତ୍ୟକ୍ଷ ପ୍ରମାଣ ।

ଆଜିର ଦିନରେ ଚାରିଆଡୁ ଆସିଥିବା ଅନେକ ପିଲାମାନଙ୍କର ସ୍ନେହଭରା ନଦୀର ଧାର ଗୁଡିକ ସ୍ନେହର ସାଗରଙ୍କ ସହିତ ସମାହିତ ହେବାର ଦିନ । ପିଲାମାନେ କହୁଛନ୍ତି - ଆମେ ବାପଦାଦାଙ୍କ ସହିତ ମିଶିବା ପାଇଁ ଆସିଛୁ । ତେବେ ପିଲାମାନେ ବାବାଙ୍କ ସହିତ ମିଶିବା ପାଇଁ ଆସିଛନ୍ତି ନା, ବାବା ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି? ନା, ଉଭୟ ପରସ୍ପର ସହିତ ମିଶିବା ପାଇଁ ମଧୁବନକୁ ଆସିଛନ୍ତି? ପିଲାମାନେ ତ ସ୍ନେହର ସାଗରରେ ସ୍ନାନ କରିବା ପାଇଁ ଆସିଛନ୍ତି କିନ୍ତୁ ବାବା ହଜାର ହଜାର ଗଙ୍ଗାମାନଙ୍କରେ ବୁଡ ପକାଇବା ପାଇଁ ଆସିଛନ୍ତି, ସେଥିପାଇଁ ଗଙ୍ଗାସାଗରର ମିଳନକୁ ବିଚିତ୍ର ମିଳନ କୁହାଯାଏ । ପିଲାମାନେ ସ୍ନେହର ସାଗରରେ ସମାହିତ ହୋଇ ସାଗର ସମାନ ହୋଇଯାଉଛନ୍ତି । ଆଜିର ଦିନକୁ ବାବାଙ୍କ ସମାନ ହେବାର ସ୍ମୃତି ଦିବସ ତଥା ସମର୍ଥୀ ଦିବସ କୁହାଯାଉଛି, କାରଣ? ଆଜିର ଦିନ ବ୍ରହ୍ମାବାବାଙ୍କର ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ଅର୍ଥାତ୍ ପିତାଙ୍କ ସମାନ ହେବାର ସ୍ମୃତି ଦିବସ ଅଟେ । ବ୍ରହ୍ମା ସନ୍ତାନ ଅଟନ୍ତି ଏବଂ ପିତା ମଧ୍ୟ ଅଟନ୍ତି, କାହିଁକି ନା ବ୍ରହ୍ମା ଶିବବାବାଙ୍କର ସନ୍ତାନ ଏବଂ ପିଲାମାନଙ୍କର ପିତା । ଆଜିର ଦିନରେ ବ୍ରହ୍ମାବାବା ସନ୍ତାନ ରୂପରେ ଜଣେ ସୁପୁତ୍ର ସନ୍ତାନ ହେବାର, ସ୍ନେହର ସ୍ୱରୂପ ହେବାର ପ୍ରମାଣ ଦେଇଛନ୍ତି, ସମାନ ହେବାର ପ୍ରମାଣ ଦେଇଛନ୍ତି, ଅତିପ୍ରିୟ ହେବା ସହିତ ଅତି ଭିନ୍ନ ହେବାର ମଧ୍ୟ ପ୍ରମାଣ ଦେଇଛନ୍ତି, ବାବାଙ୍କ ସମାନ କର୍ମାତୀତ ଅର୍ଥାତ୍ କର୍ମର ବନ୍ଧନଠାରୁ ମୁକ୍ତ ସ୍ୱତନ୍ତ୍ର ହେବାର ପ୍ରମାଣ ଦେଇଛନ୍ତି, ସାରା କଳ୍ପର କର୍ମର ହିସାବ-କିତାବରୁ ମୁକ୍ତ ହେବାର ପ୍ରମାଣ ଦେଇଛନ୍ତି, କେବଳ ସ୍ନେହ ଏବଂ ସେବାର ବନ୍ଧନ ବ୍ୟତୀତ ଅନ୍ୟ କୌଣସି ବନ୍ଧନ ନାହିଁ । ସେବାକ୍ଷେତ୍ରରେ ମଧ୍ୟ ସେବାର ବନ୍ଧନରେ ବାନ୍ଧି ହେଉଥିବା ସେବାଧାରୀ ନୁହେଁ, କାହିଁକି ନା ସେବାରେ କେହି କେହି ବନ୍ଧନମୁକ୍ତ ହୋଇ ସେବା କରୁଛନ୍ତି ଆଉ କେହି ବନ୍ଧନଯୁକ୍ତ ହୋଇ ସେବା କରୁଛନ୍ତି । ଏମିତି ତ ବ୍ରହ୍ମାବାବା ମଧ୍ୟ ସେବାଧାରୀ ଅଟନ୍ତି କିନ୍ତୁ ସେବା ଦ୍ୱାରା କୌଣସି ନା କୌଣସି ବ୍ୟକ୍ତିଗତ ରାଜକୀୟ ଅର୍ଥାତ୍ ସୁକ୍ଷ୍ମ ଇଚ୍ଛା ମଧ୍ୟ ସେବାର ହିସାବ-କିତାବର ବନ୍ଧନରେ ବାନ୍ଧି ଦେଇଥାଏ କିନ୍ତୁ ସଚ୍ଚା ସେବାଧାରୀ ଏହିଭଳି ହିସାବ-କିତାବରୁ ମଧ୍ୟ ମୁକ୍ତ ଅଟନ୍ତି । ଏହାକୁ ହିଁ କର୍ମାତୀତ ସ୍ଥିତି କୁହାଯାଏ । ଯେପରି ଦେହର ବନ୍ଧନ, ଦେହର ସମ୍ବନ୍ଧର ବନ୍ଧନ, ଆତ୍ମାକୁ ବନ୍ଧନରେ ବାନ୍ଧି ଦେଇଥାଏ ସେହିପରି ସେବାରେ ସ୍ୱାର୍ଥର ଇଚ୍ଛା ରଖିବା ମଧ୍ୟ ଏକ ବନ୍ଧନ ଅଟେ ଯାହାକି କର୍ମାତୀତ ହେବାରେ ବିଘ୍ନ ପକାଇଥାଏ । ତେବେ କର୍ମାତୀତ ହେବା ଅର୍ଥାତ୍ ଏହିଭଳି ରାଜକୀୟ ହିସାବ-କିତାବରୁ ମଧ୍ୟ ମୁକ୍ତ ହେବା ।

ଅଧିକାଂଶ ସେବାଧାରୀ ତ ଗୀତା ପାଠଶାଳାର ନିମିତ୍ତିମାନେ ହିଁ ଆସିଛନ୍ତି । ତେବେ ସେବା କରିବା ଅର୍ଥ ଅନ୍ୟମାନଙ୍କୁ ମଧ୍ୟ ମୁକ୍ତ କରିବା । ତେଣୁ ଅନ୍ୟମାନଙ୍କୁ ମୁକ୍ତ କରିବାକୁ ଯାଇ ନିଜକୁ ବନ୍ଧନରେ ବାନ୍ଧି ଦେଉ ନାହିଁ ତ? ନଷ୍ଟୋମୋହା ହେବା ପରିବର୍ତ୍ତେ ଲୌକିକ ପିଲାମାନଙ୍କ ଠାରୁ ମୋହ ତ୍ୟାଗ କରି ବିଦ୍ୟାର୍ଥୀମାନଙ୍କ ସହିତ ମୋହ ରଖୁନାହିଁ ତ? ଇଏ ବହୁତ ଭଲ, ବହୁତ ଭଲ ଭାବି ମୋର ପଣିଆର ଇଚ୍ଛାର ବନ୍ଧନରେ ବାନ୍ଧି ହୋଇଯାଉ ନାହିଁ ତ? ସୁନାର ଜଞ୍ଜିର ଗୁଡିକ ତ ଭଲ ଲାଗୁ ନାହିଁ ନା? ତେବେ ଆଜିର ଦିନକୁ ହଦର ଅର୍ଥାତ୍ ସ୍ୱାର୍ଥର ବଶୀଭୂତ ହୋଇ ମୋର ମୋର ଭାବିବାଠାରୁ ମୁକ୍ତ ହେବାର ଅର୍ଥାତ୍ କର୍ମାତୀତ ହେବାର ଅବ୍ୟକ୍ତ ଦିବସ ରୂପରେ ପାଳନ କର । ଏହାକୁ ହିଁ ସ୍ନେହର ପ୍ରମାଣ ବୋଲି କୁହାଯାଏ । କର୍ମାତୀତ ହେବାର ଲକ୍ଷଣ ତ ସମସ୍ତଙ୍କର ବହୁତ ଭଲ ରହିଛି କିନ୍ତୁ ଏବେ ନିଜକୁ ଚେକ୍ କର ଆଜି ପର୍ଯ୍ୟନ୍ତ କେତେ ମାତ୍ରାରେ କର୍ମର ବନ୍ଧନଠାରୁ ମୁକ୍ତ ହୋଇଛ । ପ୍ରଥମ କଥା ହେଲା - ଲୌକିକ ଏବଂ ଅଲୌକିକ, କର୍ମ ଏବଂ ସମ୍ବନ୍ଧ ଉଭୟରେ ସ୍ୱାର୍ଥ ଭାବନାଠାରୁ ମୁକ୍ତ । ଦ୍ୱିତୀୟ କଥା ହେଲା - ପୂର୍ବ ଜନ୍ମମାନଙ୍କର କର୍ମର ହିସାବ-କିତାବ ବା ବର୍ତ୍ତମାନର ପୁରୁଷାର୍ଥରେ ନିଜର ଦୁର୍ବଳତା କାରଣରୁ କୌଣସି ପ୍ରକାରର ବ୍ୟର୍ଥ ସ୍ୱଭାବ-ସଂସ୍କାରର ବଶୀଭୂତ ହେବାଠାରୁ ମୁକ୍ତ ହୋଇଛି ତ? ଯଦି କେବେ ବି କୌଣସି ଦୁର୍ବଳ ସ୍ୱଭାବ-ସଂସ୍କାର ବା ପୂର୍ବଜନ୍ମର ସ୍ୱଭାବ-ସଂସ୍କାର ତୁମକୁ ବଶୀଭୂତ କରିଦେଉଛି ତେବେ ବନ୍ଧନଯୁକ୍ତ ଅଟ, ବନ୍ଧନମୁକ୍ତ ନୁହେଁ । ଏମିତି ଭାବ ନାହିଁ ଯେ ମୁଁ ତ ଚାହୁଁନଥିଲି କିନ୍ତୁ ମୋର ସ୍ୱଭାବ ବା ସଂସ୍କାର ମୋ ଦ୍ୱାରା କରାଇ ଦେଉଛି । ଏହା ମଧ୍ୟ ବନ୍ଧନ ମୁକ୍ତର ନୁହେଁ, ବନ୍ଧନଯୁକ୍ତର ଲକ୍ଷଣ ଅଟେ । ଆଉ ଗୋଟିଏ ଏକଥା ହେଲା - କୌଣସି ବି ସେବାର ବା ସଂଗଠନର ବା ପ୍ରକୃତିର ପରିସ୍ଥିତି ଯଦି ନିଜର ସ୍ୱସ୍ଥିତିକୁ ବା ଶ୍ରେଷ୍ଠ ସ୍ଥିତିକୁ ହଲ୍ଚଲ୍ କରୁଛି ତେବେ ଏହା ମଧ୍ୟ ବନ୍ଧନମୁକ୍ତ ସ୍ଥିତି ନୁହେଁ । ତେଣୁ ଏହିଭଳି ବନ୍ଧନଠାରୁ ମଧ୍ୟ ମୁକ୍ତ ହୁଅ ଏବଂ ତୃତୀୟ କଥା ହେଲା - ପୁରୁଣା ଦୁନିଆରେ, ପୁରୁଣା ଅନ୍ତିମ ଶରୀରରେ କୌଣସି ପ୍ରକାରର ରୋଗ-ବ୍ୟାଧି ଯଦି ନିଜର ଶ୍ରେଷ୍ଠ ସ୍ଥିତିକୁ ହଲଚଲ କରି ଦେଉଛି ତେବେ ଏହାଠାରୁ ମଧ୍ୟ ମୁକ୍ତ ହୁଅ । ଗୋଟିଏ କଥା ହେଲା - ରୋଗ ହେବା ଦ୍ୱିତୀୟ କଥା ହେଲା - ରୋଗ ଆତ୍ମାକୁ ହଲଚଲ୍ କରିବା । ତେବେ ଆସିବା କଥା ତ ସୁନିଶ୍ଚିତ ଅଟେ କିନ୍ତୁ ସେଥିରେ ନିଜର ସ୍ଥିତି ହଲଚଲ୍ ହେଉ - ଏହା ହେଉଛି ବନ୍ଧନଯୁକ୍ତ ହେବାର ଲକ୍ଷଣ । ସ୍ୱଚିନ୍ତନ, ଜ୍ଞାନ ଚିନ୍ତନ, ଶୁଭଚିନ୍ତକ ହେବାର ଚିନ୍ତନ ପରିବର୍ତ୍ତନ ହୋଇ ଶାରୀରୀକ ବ୍ୟାଧିର ଚିନ୍ତନ ଚାଲିବାଠାରୁ ମଧ୍ୟ ମୁକ୍ତ ହୁଅ, କାହିଁକି ନା ଅଧିକ ମାତ୍ରାରେ ପ୍ରକୃତିର ଚିନ୍ତନ କରିବା ମଧ୍ୟ ଚିନ୍ତା ରୂପରେ ପରିବର୍ତ୍ତିତ ହୋଇଯାଏ । ତେଣୁ ଏହାଠାରୁ ମୁକ୍ତ ହେବାକୁ ହିଁ କର୍ମାତୀତ ସ୍ଥିତି କୁହାଯାଏ । ତେବେ ଏହି ସବୁ ବନ୍ଧନ ଗୁଡିକୁ ତ୍ୟାଗ କରିବା ହିଁ କର୍ମାତୀତ ସ୍ଥିତିର ଚିହ୍ନ । ବ୍ରହ୍ମାବାବା ମଧ୍ୟ ଏହି ସବୁ ବନ୍ଧନଗୁଡିକରୁ ମୁକ୍ତ ହୋଇ କର୍ମାତୀତ ସ୍ଥିତିକୁ ପ୍ରାପ୍ତ କରିଛନ୍ତି । ତେଣୁ ଆଜିର ଦିବସ ବ୍ରହ୍ମାବାବାଙ୍କ ସମାନ କର୍ମାତୀତ ହେବାର ଦିବସ । ତେବେ ଆଜିର ଦିବସର ମହତ୍ୱକୁ ବୁଝିଲ ? ଆଚ୍ଛା!

ଆଜିର ସଭା ହେଉଛି ବିଶେଷ ସେବାଧାରୀ ଅର୍ଥାତ୍ ପୂଣ୍ୟଆତ୍ମା ମାନଙ୍କର ସଭା । ଗୀତା ପାଠଶାଳା ଖୋଲିବା ଅର୍ଥ ପୁଣ୍ୟ ଆତ୍ମା ହେବା । ସବୁଠାରୁ ବଡ ବଡ ପୁଣ୍ୟ ହେଲା ପ୍ରତ୍ୟେକ ଆତ୍ମାକୁ ସଦାକାଳ ପାଇଁ ଅର୍ଥାତ୍ ଅନେକ ଜନ୍ମ ପାଇଁ ପାପରୁ ମୁକ୍ତ କରିଦେବା, ଏହା ହିଁ ହେଉଛି ପୁଣ୍ୟ କର୍ମ । ଗୀତା ପାଠଶାଳା ନାମ ତ ବହୁତ ଭଲ, ତେଣୁ ଗୀତା ପାଠଶାଳାର ବିଦ୍ୟାର୍ଥୀ ଅର୍ଥାତ୍ ନିଜେ ଗୀତାର ପାଠ ପଢୁଥିବା ଏବଂ ଅନ୍ୟମାନଙ୍କୁ ପଢାଉଥିବା ଆତ୍ମା । ତେବେ ଗୀତା ଜ୍ଞାନର ପ୍ରଥମ ପାଠ ହେଲା ଅଶରୀରୀ ଆତ୍ମା ହୁଅ ଏବଂ ଅନ୍ତିମ ପାଠ ହେଲା ନଷ୍ଟୋମୋହା ସ୍ମୃତି ସ୍ୱରୂପ ହୁଅ । ତେଣୁ ପ୍ରଥମ ପାଠ ହେଲା ବିଧି ଏବଂ ଅନ୍ତିମ ପାଠ ହେଲା ବିଧି ଦ୍ୱାରା ସିଦ୍ଧିକୁ ପ୍ରାପ୍ତ କରିବା । ତେବେ ଗୀତା ପାଠଶାଳାର ପିଲାମାନେ ସବୁ ସମୟରେ ଏହି ପାଠ ପଢୁଛନ୍ତି ନା କେବଳ ମୁରଲୀକୁ ପଢି ଶୁଣାଇ ଦେଉଛନ୍ତି । କାହିଁକି ନା ପ୍ରକୃତ ଗୀତା ପାଠଶାଳାର ବିଧି ହେଲା ପ୍ରଥମେ ନଜେ ପାଠ ପଢିବା ଅର୍ଥାତ୍ ସ୍ୱରୂପ ହେବା ତା ପରେ ଅନ୍ୟମାନଙ୍କୁ ନିମିତ୍ତ ହୋଇ ପଢାଇବ । ତେଣୁ ସବୁ ଗୀତା ପାଠଶାଳାର ପିଲାମାନେ ଏହି ବିଧିରେ ସେବା କରୁଛ? କାହିଁକି ନା ତୁମେମାନେ ହିଁ ଏହି ବିଶ୍ୱ ସମ୍ମୁଖରେ ପରମାତ୍ମ ଶିକ୍ଷାର ଦୃଷ୍ଟାନ୍ତ ଅଟ । ତେଣୁ ଦୃଷ୍ଟାନ୍ତ ସ୍ୱରୂପ ଆତ୍ମାମାନଙ୍କର ମଧ୍ୟ ମହତ୍ୱ ରହିଛି କାରଣ ସେମାନେ ଅନେକ ଆତ୍ମାଙ୍କୁ ସେହିଭଳି ହେବା ପାଇଁ ପ୍ରେରଣା ଦେଇଥାନ୍ତି । ତେଣୁ ଗୀତା ପାଠଶାଳାକୁ ଚଳାଉଥିବା ପିଲାମାନଙ୍କ ଉପରେ ବହୁତ ବଡ ଦାୟିତ୍ୱ ରହିଛି । ଯଦି ଟିକିଏ ବି ନିଜର ଦୃଷ୍ଟାନ୍ତ ସ୍ୱରୂପ ହେବାରେ ଦୁର୍ବଳତା ଦେଖାଇଲ ତେବେ ଅନେକ ଆତ୍ମାଙ୍କୁ ଭାଗ୍ୟ ଗଢିବା ପରିବର୍ତ୍ତେ ଭାଗ୍ୟରୁ ବଞ୍ଚିତ କରିବାର ନିମିତ୍ତ ହୋଇଯିବ କାହିଁକି ନା ସମସ୍ତେ ସାକାର ରୂପରେ ଦେଖିବାରେ ଏବଂ ଶୁଣିବାରେ, ତୁମେ ନିମିତ୍ତ ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି । ଯେହେତୁ ବାବା ଗୁପ୍ତ ଅଟନ୍ତି ସେଥିପାଇଁ ତୁମେମାନେ ଏଭଳି ଶ୍ରେଷ୍ଠ କର୍ମ କରି ଦେଖାଅ ଯାହାକି ତୁମମାନଙ୍କର ଶ୍ରେଷ୍ଠ କର୍ମକୁ ଦେଖି ଅନେକ ଆତ୍ମା ଶ୍ରେଷ୍ଠ କର୍ମ କରି ନିଜର ଭାଗ୍ୟର ରେଖାକୁ ଶ୍ରେଷ୍ଠ କରିପାରିବେ । ତେବେ ପ୍ରଥମେ ତ ନିଜକୁ ସର୍ବଦା ସାମ୍ପୁଲ ଅର୍ଥାତ୍ ଦୃଷ୍ଟାନ୍ତ ସ୍ୱରୂପ ମନେ କରିବା ଏବଂ ଦ୍ୱିତୀୟରେ ସର୍ବଦା ନିଜର ସିମ୍ବଲ ଅର୍ଥାତ୍ ପ୍ରତୀକକୁ ମନେ ରଖିବା । ତେଣୁ ଗୀତା ପାଠଶାଳା ବାଲାଙ୍କର ସିମ୍ବଲ କଣ ଜାଣିଛ? କମଳପୁଷ୍ପ । ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ କମଳପୁଷ୍ପ ସଦୃଶ ହୁଅ ଏବଂ ବାବାଙ୍କର ଶିକ୍ଷାକୁ ଜୀବନରେ ଧାରଣ କର । କାରଣ କମଳପୁଷ୍ପ ସଦୃଶ ହେବାର ଆଧାର ହେଲା ଜ୍ଞାନକୁ ଜୀବନରେ ଧାରଣ କରିବା । ଯଦି ଧାରଣା କରୁନାହଁ ତେବେ କମଳ ପୁଷ୍ପ ସମାନ ହୋଇପାରିବ ନାହିଁ, ସେଥିପାଇଁ ସାମ୍ପୁଲ ତ ଅଟ, ତା ସହିତ କମଳପୁଷ୍ପର ସିମ୍ବଲକୁ ସର୍ବଦା ବୁଦ୍ଧିରେ ରଖ । ସେବା କେତେ ବି ବୃଦ୍ଧି ପ୍ରାପ୍ତ କରୁ କିନ୍ତୁ ସେବା କରିବା ସହିତ ପ୍ରଥମେ ମୋର ପଣିଆର ଭାବନାଠାରୁ ମୁକ୍ତ ହୋଇ ତାପରେ ସେବାର ପ୍ରିୟ ହୁଅ । କେବଳ ସେବା ପ୍ରିୟ ହୁଅ ନାହିଁ, ପ୍ରଥମେ ମୁକ୍ତ ହୁଅ ତାପରେ ପ୍ରିୟ ହୁଅ କାହିଁକି ନା ସେବା ପ୍ରତି ସ୍ନେହ ରଖିବା ତ ଭଲ କଥା କିନ୍ତୁ ସ୍ନେହ ମୋହ ରୂପକୁ ପରିବର୍ତ୍ତିତ ନହେଉ, ଏହାକୁ ହିଁ କୁହାଯାଏ ପ୍ରଥମେ ମୁକ୍ତ ହେବା ତାପରେ ପ୍ରିୟ ହେବା । ସେବାର ନିମିତ୍ତ ହୋଇଛ - ଏହା ତ ବହୁତ ଭଲ କଥା, ପୁଣ୍ୟ ଆତ୍ମାର ଉପାଧି ତ ମିଳିଗଲା, ସେଥିପାଇଁ ଦେଖ ବିଶେଷ ଭାବରେ ନିମନ୍ତ୍ରଣ ଦିଆଯାଇଛି କାହିଁକି ନା ପୂଣ୍ୟର କାମ କରିଛ ନା । ଏବେ ଆଗକୁ, ପୂର୍ବରୁ ପଢାଯାଇଥିବା ସିଦ୍ଧି ପ୍ରାପ୍ତ କରିବାର ବିଧି ଅନୁସାରେ କର୍ମ କରି ସିଦ୍ଧି ସ୍ୱରୂପ ସ୍ଥିତି ଆଧାରରେ ବୃଦ୍ଧି ପ୍ରାପ୍ତ କରିଚାଲ । ବୁଝିଲ, ଆଗକୁ କଣ କରିବ? ଆଚ୍ଛା!

ସମସ୍ତେ ବିଶେଷ ଭାବରେ ଗୋଟିଏ କଥାକୁ ଅପେକ୍ଷା କରିଛନ୍ତି, ତାହା କଣ? ରେଜଲ୍ଟ ଅର୍ଥାତ୍ ଫଳାଫଳ ଶୁଣାଇବା? ତେବେ ବାବା ଶୁଣାଇବେ ନା, ତୁମେମାନେ ଶୁଣାଇବ? ବାପଦାଦା ପୂର୍ବରୁ କଣ କହିଥିଲେ? ରେଜଲ୍ଟ ଶୁଣାଇବେ, ନା ଶୁଣିବେ? ଡ୍ରାମା ଅନୁସାରେ ଯାହା ସବୁ ହେଲା ବା ପେଯରି ହେଲା, ତାକୁ ଭଲ ହିଁ କୁହାଯିବ । ଲକ୍ଷ୍ୟ ତ ସମସ୍ତେ ବହୁତ ଭଲ ରଖିଥିଲେ କିନ୍ତୁ କର୍ମ କରିବା ସମୟରେ ଲକ୍ଷଣ ଦେଖାଇବାରେ ଯଥାଶକ୍ତି ହୋଇଗଲେ । ତେବେ ପୁରୁଷାର୍ଥର କ୍ରମଅନୁସାରେ ସମସ୍ତେ ବହୁକାଳର ବନ୍ଧନମୁକ୍ତ ହେବାର ବରଦାନକୁ ମଧ୍ୟ ଧାରଣ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଯେଉଁ ସବୁ ବରଦାନକୁ ପ୍ରାପ୍ତ କରିଲ ସେହି ଅନୁସାରେ ବରଦାନୀ ମୂରତ ହୋଇ ବାବାଙ୍କ ସମାନ ବରଦାନ ଦାତା ହୋଇ ଚାଲିବ । ତେବେ ବର୍ତ୍ତମାନ ବାପଦାଦା କଣ ଚାହୁଁଛନ୍ତି? ବରଦାନ ତ ମିଳିଗଲା କିନ୍ତୁ ଏହି ବର୍ଷ ବହୁତ କାଳର ବନ୍ଧନମୁକ୍ତ ସ୍ଥିତି ଅର୍ଥାତ୍ ବାବାଙ୍କ ସମାନ କର୍ମାତୀତ ସ୍ଥିତିର ବିଶେଷ ଅଭ୍ୟାସ କରି ସାରା ଦୁନିଆକୁ ନିଜର ନିଆରା ପଣିଆର ଏବଂ ସମସ୍ତଙ୍କର ପ୍ରିୟ ହେବାର ଅନୁଭବ କରାଅ । ବର୍ତ୍ତମାନ କେବେ କେବେ ଅନୁଭବ କରିବାର ବିଧିକୁ ପରିବର୍ତ୍ତନ କରି ବହୁତ କାଳର ଅନୁଭୂତିର ପ୍ରତ୍ୟକ୍ଷ ପ୍ରମାଣ ସ୍ୱରୂପ ନିଜର ଅଚଳ, ଅଟଳ, ନିର୍ବିଘ୍ନ, ନିର୍ବନ୍ଧନ, ନିର୍ବିକଳ୍ପ, ନିବିକର୍ମ ଅର୍ଥାତ୍ ନିରାକାରୀ, ନିର୍ବିକାରୀ, ନିରହଂକାରୀ ସ୍ଥିତିକୁ ଦୁନିଆ ସମ୍ମୁଖରେ ପ୍ରତ୍ୟକ୍ଷ କର, ଏହାକୁ ହିଁ କୁହାଯାଏ ବାବାଙ୍କ ସମାନ ହେବା । ବୁଝିଲ!

ତେବେ ରେଜଲ୍ଟ ଅନୁସାରେ ପ୍ରଥମେ ନିଜେ ନିଜ ଉପରେ କେତେ ପରିମାଣରେ ସନ୍ତୁଷ୍ଟ ଅଛ? କାହିଁକି ନା ଗୋଟିଏ ହେଲା ନିଜର ସନ୍ତୁଷ୍ଟତା, ଦ୍ୱିତୀୟରେ ବ୍ରାହ୍ମଣ ପରିବାରର ସନ୍ତୁଷ୍ଟତା, ତୃତୀୟରେ ବାବାଙ୍କର ସନ୍ତୁଷ୍ଟତା । ଏହି ତିନୋଟି ଯାକରେ ଆହୁରି ଅଧିକ ନମ୍ବର ରଖିବାକୁ ହେବ । ସେଥିପାଇଁ ଏବେ ନିଜେ ସନ୍ତୁଷ୍ଟ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କର । ବାବାଙ୍କର ସନ୍ତୁଷ୍ଟମଣୀ ହୋଇ ସଦାସର୍ବଦା ଚମକୁଥାଅ । ବାପଦାଦା ଯେହେତୁ ପିଲାମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି ସେଥିପାଇଁ ପିଲାମାନଙ୍କର ଗୁପ୍ତ ରେକର୍ଡ ଶୁଣାଇ ଦେଉଛନ୍ତି । ପିଲାମାନେ ଭବିଷ୍ୟତରେ ଦେବତା ହେବାକୁ ଯାଉଛନ୍ତି, ସେଥିପାଇଁ ବାବା ପିଲାମାନଙ୍କର ସମ୍ପନ୍ନତାର ସ୍ଥିତିକୁ ସଦାସର୍ବଦା ଦେଖୁଛନ୍ତି । ଆଚ୍ଛା!

ତେବେ ସମସ୍ତେ ସନ୍ତୁଷ୍ଟମଣୀ ଅଟ ନା? ପରିବାରର ବୃଦ୍ଧିକୁ ଦେଖି ଖୁସି ହେଉଥାଅ । ତୁମେମାନେ ତ ପାଣ୍ଡବ ଭବନଠାରୁ ଆବୁରୋଡ ପର୍ଯ୍ୟନ୍ତ ଧାଡି ଲାଗିବାକୁ ଅପେକ୍ଷା କରିଛ । ସେହି ହିସାବରେ ଏବେ ତ କେବଳ ଓମ ଶାନ୍ତି ଭବନର ହଲ ହିଁ ପୂରଣ ହୋଇଛି, ଏହାପରେ ଆଉ କଣ କରିବ? ଶୋଇବ ନା ଅଖଣ୍ଡ ଯୋଗ କରିବ? ଏଭଳି ସମୟ ମଧ୍ୟ ଆଗକୁ ଆସିବ ସେଥିପାଇଁ ବର୍ତ୍ତମାନ ଅଳ୍ପରେ ସନ୍ତୁଷ୍ଟ ହୋଇଯାଅ । ତିନି ପାଦ ବଦଳରେ ଯଦି ଗୋଟିଏ ପାଦ ପୃଥିବୀ ମିଳୁଛି ତେବେ ବି ସନ୍ତୁଷ୍ଟ ରୁହ । ପୂର୍ବରୁ ତ ଏମିତି ହେଉଥିଲା, ଏସବୁ ଭୁଲିଯାଅ । ପରିବାରର ବୃଦ୍ଧି ହେବାର ଖୁସି ପାଳନ କର । ଆକାଶ ଏବଂ ପୃଥିବୀ ତ ସମାପ୍ତ ହୋଇଯିବ ନାହିଁ ନା । ପାହାଡ ତ ବହୁତ ଅଛି । ଏହା ମଧ୍ୟ ହେବା ଉଚିତ୍, ଏହା ମଧ୍ୟ ମିଳିବା ଉଚିତ୍ ଏହିଭଳି ଭାବି ଭାବି କଥାକୁ ବଡ କରିଦେଉଛ । ତେଣୁ ଦାଦୀମାନେ ମଧ୍ୟ ଚିନ୍ତାରେ ପଡିଯାଉଛନ୍ତି - ଭାବୁଛନ୍ତି କଣ କରିବୁ, କିପରି କରିବୁ? ଏପରି ମଧ୍ୟ ଦିନ ଆସିବ ଯାହାକି ଦିନ ସମୟରେ, ଖରାରେ ମଧ୍ୟ ଶୋଇ ପଡିବ, ରାତିରେ ଚେଇଁବାକୁ ପଡିବ । ଦୁନିଆର ଲୋକମାନେ ତ ନିଆଁ ଜଳେଇ ଚାରିପାଖରେ ବସି ଯାଉଛନ୍ତି, ଗରମ ହୋଇଯାଉଛନ୍ତି । ସେହିପରି ତୁମେମାନେ ମଧ୍ୟ ଯୋଗର ଅଗ୍ନି ଜଳାଇ ବସିଯିବ । ଏକଥା ପସନ୍ଦ ଲାଗୁଛି ନା ଖଟ ଦରକାର ପଡିବ? ବସିବା ପାଇଁ ଚୌକି ଦରକାର ପଡିବ? ଏହି ସବୁ ପାହାଡ ଗୁଡିକର ଚଟାଣକୁ ଚେୟାର କରିଦେବ । ଯେତେବେଳ ପର୍ଯ୍ୟନ୍ତ ସାଧନଗୁଡିକ ମିଳୁଛି ତାର ସୁଖ ନିଅ, ଯେତେବେଳେ ନ ମିଳିବ ସେତେବେଳେ ପାହାଡକୁ ଚେୟାର କରି ବସିଯିବ । ପିଠିକୁ ଟିକିଏ ଆରାମ ଦରକାର ନା । ଆଉ ତ କିଛି ନୁହେଁ । ଯଦି ପାଞ୍ଚ ହଜାର ଭାଇ-ଭଉଣୀ ଆସିଯିବେ ତେବେ ଚେୟାର ତ ଉଠାଇ ଦେବାକୁ ପଡିବ ନା (ସେତେବେଳେ କେବଳ ଓମ୍ ଶାନ୍ତି ଭବନ ଥିଲା ଯାହାର ସର୍ବାଧିକ କ୍ଷମତା ତିନି ହଜାର) । ପୁଣି ଯେତେବେଳେ ଧାଡି ଲାଗିଯିବ ସେତେବେଳେ ତ ଖଟ ଗୁଡିକୁ ମଧ୍ୟ ଛାଡିବାକୁ ପଡିବ । ସେଥିପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଥାଅ । ଯଦି ଖଟ ମିଳୁଛି ତେବେ ବି ହାଁ ଜୀ କୁହ, ତଳେ ଶୋଇବାକୁ ମିଳୁଛି ତେବେ ବି ହାଁ ଜୀ କୁହ । ଏହିଭଳି ଅଭ୍ୟାସ ଆରମ୍ଭ ସମୟରେ ବହୁତ କରାଯାଇଛି । ୧୫-୧୫ ଦିନ ପର୍ଯ୍ୟନ୍ତ ଔଷଧ ଦୋକାନ ବନ୍ଦ ହୋଇଯାଏ । ଶ୍ୱାସ ରୋଗୀ ମଧ୍ୟ ବାଜରାରୁଟୀ ସହିତ ଘୋଳ ଦହୀ ପିଉଥିଲେ, କିନ୍ତୁ ରୋଗରେ ପଡୁନଥିଲେ, ବରଂ ସମସ୍ତେ ସୁସ୍ଥ ହୋଇଗଲେ । ତେବେ - ଏହିଭଳି ଅଭ୍ୟାସ ଆରମ୍ଭ ସମୟରେ କରି ଦେଖାଇଛନ୍ତି, ତେଣୁ ଶେଷ ସମୟରେ ମଧ୍ୟ ହେବ ନା । ନଚେତ୍ ବିଚାର କର ଶ୍ୱାସ ରୋଗୀକୁ ଯଦି ଦହୀ ଦିଆଯିବ ତେବେ ସେ ତ ଦେଖୁ ଦେଖୁ ବ୍ୟସ୍ତ ହୋଇ ପଡିବ । କିନ୍ତୁ ତା ସହିତ ଆଶୀର୍ବାଦ ରୂପୀ ଔଷଧ ମଧ୍ୟ ସାଥୀରେ ଥାଏ ସେଥିପାଇଁ ତାହା ଏକ ମନୋରଞ୍ଜନ ଭଳି ଅନୁଭବ ହୁଏ, ପରୀକ୍ଷା ଭଳି ଲାଗେ ନାହିଁ କିମ୍ବା କଷ୍ଟକର ଅନୁଭବ ହୁଏ ନାହିଁ । ତ୍ୟାଗ ଭଳି ଲାଗେ ନାହିଁ ବରଂ ପିକ୍ନିକ୍ ଭଳି ଲାଗେ । ତେଣୁ ସମସ୍ତେ ଏଥିପାଇଁ ପ୍ରସ୍ତୁତ ଅଛ ନା । ନା ଆବାସ-ନିବାସ ବ୍ୟବସ୍ଥାରେ ଥିବା ଭାଇ-ଭଉଣୀଙ୍କ ପାଖକୁ ତୁମ ଟୀଚର ଭଉଣୀ ଲିଷ୍ଟ ନେଇ ପହଞ୍ଚିଯିବେ? ଆମକୁ ଏତିକି ଜଣଙ୍କ ପାଇଁ ବ୍ୟବସ୍ଥା ଦରକାର, ସେଥିପାଇଁ ତ ଡକା ଯାଉନାହିଁ ନା । ସମୟ ଆସିଲେ ଏହି ସବୁ ସାଧନ ଗୁଡିକଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ଯିବାକୁ ପଡିବ, ଅର୍ଥାତ୍ ସାଧନାର ସିଦ୍ଧି ସ୍ୱରୂପ ସ୍ଥିତିର ଅନୁଭବ କରିବ, କାରଣ ତୁମେମାନେ ଆତ୍ମିକ ଫୌଜର ମଧ୍ୟ ଅଟ ନା । ଫୌଜୀ ମାନଙ୍କ ଭଳି ମଧ୍ୟ ପାର୍ଟ କରିବାକୁ ପଡିବ । ଏବେ ତ ସ୍ନେହୀ ପରିବାର ଭଳି, ଘର ଭଳି ଅନୁଭବ କରୁଛ କିନ୍ତୁ ସମୟ ଆସିଲେ ଆତ୍ମିକ ସେନା ହୋଇ ଯେଉଁଭଳି ସମୟ ଆସିବ ତାକୁ ସେହିଭଳି ସ୍ନେହପୂର୍ବକ ଅତିକ୍ରମ କରିବାକୁ ହେବ - ଏହା ମଧ୍ୟ ଫୈାଜୀମାନଙ୍କର ବିଶେଷତା ଅଟେ । ଆଚ୍ଛା!

ଗୁଜୁରାଟ ଜୋନ୍କୁ ଏହି ବିଶେଷ ବରଦାନ ମିଳିଛି ଯାହାକି ସେବା କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାନ୍ତି । କୌଣସି ବାହାନା କରନ୍ତି ନାହିଁ - କଣ କରିବୁ, କେମିତି ଆସିବୁ, ରିଜର୍ଭେଶନ ତ ମିଳୁ ନାହିଁ । ତୁରନ୍ତ ପହଞ୍ଚି ଯାଆନ୍ତି । ପାଖରେ ରହିବାର ମଧ୍ୟ ଲାଭ ମଧ୍ୟ ନେଉଛନ୍ତି । ଗୁଜୁରାଟକୁ ଆଜ୍ଞାକାରୀ ହେବାର ବିଶେଷ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେଉଛି କାରଣ ସେବାରେ ମଧ୍ୟ ହାଁ ଜୀ କରୁଛନ୍ତି ନା । ପରିଶ୍ରମ ବାଲା ସେବା ସବୁବେଳେ ଗୁଜୁରାଟକୁ ହିଁ ଦେଇଥାନ୍ତି । ରୁଟୀ ବେଲିବାର ସେବା କିଏ କରନ୍ତି? ରହିବାର ପ୍ରବନ୍ଧ କରିବାର, ଦୌଡା ଧାଁ କରିବାର ସେବା ମଧ୍ୟ ଗୁଜୁରାଟ ହିଁ କରିଥାଏ । ବାପଦାଦା ସବୁ ଦେଖୁଛନ୍ତି । ଏମିତି ନୁହେଁ ଯେ ବାପଦାଦା କିଛି ଜାଣି ପାରୁ ନାହାଁନ୍ତି । ମେହନତ କରୁଥିବା ଆତ୍ମାମାନଙ୍କୁ ବିଶେଷ ଭାବରେ ମହବୁବ ଅର୍ଥାତ୍ ପ୍ରିୟତମ ପିତାଙ୍କର ମୋହବତ ଅର୍ଥାତ୍ ସ୍ନେହ ମିଳିଥାଏ । ତେଣୁ ନିକଟରେ ରହିବାର ଭାଗ୍ୟ ମିଳୁଛି ଏବଂ ଭାଗ୍ୟକୁ ଆଗକୁ ବଢାଇବାର ବିଧିକୁ ମଧ୍ୟ ଠିକ୍ ରଖିଛନ୍ତି କାରଣ ପ୍ରାପ୍ତ ହେଉଥିବା ଭାଗ୍ୟକୁ ବୃଦ୍ଧି କରିବାର ବିଧି ସମସ୍ତଙ୍କୁ ଜଣାନାହିଁ । କାହାକୁ କାହାକୁ ଭାଗ୍ୟ ତ ପ୍ରାପ୍ତ ହୋଇଯାଏ କିନ୍ତୁ ସେତିକିରେ ହିଁ ସୀମିତ ରହିଯାଏ, କାରଣ ବୁଦ୍ଧି କରିବା ଜଣା ନାହିଁ । କିନ୍ତୁ ଗୁଜୁରାଟକୁ ଭାଗ୍ୟ ମଧ୍ୟ ମିଳିଛି ଏବଂ ତାକୁ ବୃଦ୍ଧି କରିବା ମଧ୍ୟ ସେମାନଙ୍କୁ ମଧ୍ୟ ଜଣା ଅଛି । ସେଥିପାଇଁ ନିଜର ଭାଗ୍ୟକୁ ଆଗକୁ ଆଗକୁ ବଢାଇ ଚାଲିଛନ୍ତି, ଯାହାକୁ ଦେଖି ବାପଦାଦା ମଧ୍ୟ ଖୁସି ହେଉଛନ୍ତି । ତେବେ ବାବାଙ୍କର ବିଶେଷ ଆଶୀର୍ବାଦ ମିଳିବା ମଧ୍ୟ ଏକ ଭାଗ୍ୟର ପ୍ରତୀକ । ବୁଝିଲ ।?

ଯେଉଁ ସ୍ନେହୀ ପିଲାମାନେ ଚାରିଆଡୁ ଆସି ଏଠାରେ ପହଞ୍ଚି ଯାଇଛନ୍ତି, ବାପଦାଦା ମଧ୍ୟ ଦେଶ ଭିତରୁ ହେଉ ବା ବିଦେଶରୁ ହେଉ ସମସ୍ତ ସ୍ନେହୀ ପିଲାମାନଙ୍କୁ ସ୍ନେହର ପ୍ରତିଦାନ ସ୍ୱରୂପ ସଦା ଅବିନାଶୀ ସ୍ନେହୀ ଭବର ବରଦାନ ଦେଉଛନ୍ତି । ସ୍ନେହ ଥିବା କାରଣରୁ ଯେପରି ଦୂର ଦୂରାନ୍ତରୁ ଦୌଡି ଦୌଡି ଆସି ନିକଟରେ ବା ସମ୍ମୁଖରେ ପହଞ୍ଚିଯାଇଛ, ଠିକ୍ ସେହିପରି ପୁରୁଷାର୍ଥରେ ମଧ୍ୟ ବିଶେଷ ଉଡିବାର କଳା ଦ୍ୱାରା ବାବାଙ୍କ ସମାନ ହୁଅ ଅର୍ଥାତ୍ ସର୍ବଦା ବାବାଙ୍କର ନିକଟରେ ରୁହ । ଯେପରି ଏଠାରେ ସମ୍ମୁଖରେ ଆସି ପହଞ୍ଚି ଯାଇଛ, ସେହିପରି ସର୍ବଦା ନିଜର ଉଡିବାର କଳା ଅର୍ଥାତ୍ ସ୍ଥିତି ଦ୍ୱାରା ବାବାଙ୍କର ନିକଟରେ ହିଁ ରହୁଥାଅ । ବୁଝିପାରିଲ, କଣ କରିବ? ତୁମମାନଙ୍କର ଏହିଭଳି ହୃଦଦୟର ସ୍ନେହ, ତୁମର ପହଞ୍ଚିବା ପୂର୍ବରୁ ହିଁ ଦିଲାରାମ ବାବାଙ୍କ ନିଟକରେ ପହଞ୍ଚି ଯାଉଛି । ଚାହେଁ ସମ୍ମୁଖରେ ଥାଅ କିମ୍ବା ସମ୍ମୁଖରେ ନଥିଲେ ମଧ୍ୟ ଶାରୀରୀକ ଦୃଷ୍ଟିରୁ ଦୂରରେ ଥିବା ଦେଶ-ବିଦେଶର ସବୁ ପିଲାମାନେ ମଧ୍ୟ ଅତି ନିକଟରେ ହିଁ ଅଛନ୍ତି ଅର୍ଥାତ୍ ବାପଦାଦାଙ୍କର ହୃଦୟରେ ଅଛନ୍ତି । ତେଣୁ ସବୁଠାରୁ ନିକଟବର୍ତ୍ତୀ ସ୍ଥାନ ହେଲା ଦିଲ୍ ଅର୍ଥାତ୍ ହୃଦୟ । ତେଣୁ ପିଲାମାନେ ବିଦେଶରେ ବା ଦେଶ ଭିତରେ ନାହାଁନ୍ତି କିନ୍ତୁ ହୃଦୟରେ ବସିଛନ୍ତି । ତେବେ ସମସ୍ତେ ନିକଟରେ ଅଛନ୍ତି ନା । ଏହିଭଳି ସମସ୍ତଙ୍କର ୟାଦପ୍ୟାର, ମିଠ ମିଠା ବାର୍ତ୍ତାଳାପ ସହିତ ଅଭିମାନ, ଉପହାର ସବୁ କିଛି ବାବାଙ୍କ ନିକଟରେ ପହଞ୍ଚି ଯାଇଛି । ବାପଦାଦା ମଧ୍ୟ ସ୍ନେହୀ ପିଲାମାନଙ୍କୁ ସର୍ବଦା ମେହନତରୁ ମୁକ୍ତ ହୋଇ ମୋହବତ୍ରେ ଅର୍ଥାତ୍ ସ୍ନେହରେ ମଗ୍ନ ରହିବାର ବରଦାନ ଦେଉଛନ୍ତି । ତେଣୁ ସମସ୍ତଙ୍କୁ ପ୍ରତିଦାନ ମିଳିଗଲା ନା । ଆଚ୍ଛା!

ଦେଶ ବିଦେଶର ସମସ୍ତ ସ୍ନେହୀ ଆତ୍ମାମାନଙ୍କୁ, ସର୍ବଦା ନିକଟରେ ରହୁଥିବା ଆତ୍ମାମାନଙ୍କୁ ସର୍ବଦା ବନ୍ଧନମୁକ୍ତ କର୍ମାତୀତ ସ୍ଥିତିର ବହୁତ କାଳର ଅନୁଭବ କରୁଥିବା ବିଶେଷ ଆତ୍ମାମାନଙ୍କୁ, ସମସ୍ତ ହୃଦୟ ସିଂହାସନ ଅଧିକାରୀ ସନ୍ତୁଷ୍ଟମଣୀ ଆତ୍ମାମାନଙ୍କୁ ବାପଦାଦାଙ୍କର ଅବ୍ୟକ୍ତି ସ୍ଥିତି ଭବର ବରଦାନ ସହିତ ୟାଦପ୍ୟାର, ଗୁଡ୍ ନାଇଟ୍ ଏବଂ ଗୁଡି ମର୍ଣ୍ଣିଂ ।

ରଦାନ:-
ପୁରୁଣା ଖାତାକୁ ସମାପ୍ତ କରି, ନୂଆ ସଂସ୍କାର ରୂପୀ ନୂଆ ବସ୍ତ୍ରକୁ ଧାରଣ କରୁଥିବା ବାବାଙ୍କ ସମାନ ସମ୍ପନ୍ନ ଆତ୍ମା ହୁଅ ।

ଯେପରି ବୀପାବଳୀ ଅମାବାସ୍ୟାରେ ନୂତନ ବସ୍ତ୍ର ପରିଧ୍ୟାନ କରିଥାନ୍ତି, ସେହିପର ତୁମେ ପିଲାମାନେ ଏହି ମରଜୀବା ଜନ୍ମରେ ବା ନୂଆ ଜନ୍ମରେ, ନୂଆ ସଂସ୍କାର ରୂପକ ବସ୍ତ୍ର ଧାରଣ କରି ନୂଆ ବର୍ଷ ପାଳନ କର । ନିଜର ଦୋଷ, ଦୁର୍ବଳତା, ନିର୍ବଳତା, କୋମଳତା ଇତ୍ୟାଦି ଯାହା ସବୁ ପୁରୁଣା ଖାତା ଅର୍ଥାତ୍ ସଂସ୍କାର ରହିଛି ସେଗୁଡିକୁ ସମାସ୍ତ କରି ସଚ୍ଚା ଦୀପାବଳୀ ପାଳନ କର । ଏହି ନୂଆ ଜନ୍ମରେ ଯଦି ନୂଆ ସଂସ୍କାର ଗୁଡିକୁ ଧାରଣ କରିନେବ ତେବେ ବାବାଙ୍କ ସମାନ ସମ୍ପନ୍ନ ହୋଇଯିବ ।

ସ୍ଲୋଗାନ:-
ଯଦି ଶୁଦ୍ଧ ସଂକଳ୍ପର ଭଣ୍ଡାର ଜମା ଥିବ ତେବେ ବ୍ୟର୍ଥ ସଂକଳ୍ପରେ ସମୟ ନଷ୍ଟ ହେବ ନାହିଁ ।


ସୂଚନା:- ଆଜି ମାସର ତୃତୀୟ ରବିବାର, ସମସ୍ତ ରାଜଯୋଗୀ ତପସ୍ୱୀ ଭାଇ-ଭଉଣୀମାନେ ସଂଧ୍ୟା ଘ ୬ଟା ୩୦ମି.ଠାରୁ ୭ଟା ୩୦ମି. ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ନିଜର ଶୁଭଭାବନାଯୁକ୍ତ ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ମାନସୀକ ସେବାରେ ମହାଦାନୀ ହୋଇ ସମସ୍ତଙ୍କୁ ନିର୍ଭୟତାର ବରଦାନ ଦେବାର ସେବା କରିବା ହେବେ ।