16.01.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଯେତେ-ଯେତେ ଅନ୍ୟମାନଙ୍କୁ ଜ୍ଞାନ ଶୁଣାଇବ ସେତେ ସେତେ ତୁମ ବୁଦ୍ଧିରେ ଜ୍ଞାନ ରିଫାଇନ୍ ବା ମାର୍ଜିତ ହୋଇ ଚାଲିବ, ସେଥିପାଇଁ ସେବା ନିଶ୍ଚିତ କରିବାକୁ ହେବ ।

ପ୍ରଶ୍ନ:-
ବାବାଙ୍କ ନିକଟରେ କେଉଁ ଦୁଇ ପ୍ରକାରର ସନ୍ତାନ ଅଛନ୍ତି ଏବଂ ସେମାନଙ୍କର ଭିତରେ ଅନ୍ତର କଣ?

ଉତ୍ତର:-
ବାବାଙ୍କ ନିକଟରେ ଗୋଟିଏ ହେଲେ ଲଗେ ବଚ୍ଚେ ଅର୍ଥାତ୍ ସଉତୁଣିଆ ସନ୍ତାନ ଏବଂ ଅନ୍ୟମାନେ ହେଲେ ସଗେ ବଚ୍ଚେ ଅର୍ଥାତ୍ ନିଜର ସନ୍ତାନ ବା ସୁପୁତ୍ର ସନ୍ତାନ । ସଉତୁଣିଆ ପିଲାମାନେ ମୁଖରେ କେବଳ ବାବା-ମମ୍ମା କହିଥାନ୍ତି କିନ୍ତୁ ଶ୍ରୀମତରେ ସମ୍ପୂର୍ଣ୍ଣ ରୂପରେ ଚାଲି ପାରନ୍ତି ନାହିଁ । ପୁରା ପୁରା ସର୍ମପଣ ହୋଇପାରନ୍ତି ନାହିଁ । ସୁପୁତ୍ର ସନ୍ତାନମାନେ ତ ଶରୀର ମନ-ଧନ ସହିତ ପୂର୍ଣ୍ଣ ରୂପରେ ସମର୍ପିତ ଅର୍ଥାତ୍ ଟ୍ରଷ୍ଟୀ ହୋଇଥାଆନ୍ତି । ପାଦେ ପାଦେ ଶ୍ରୀମତରେ ଚାଲିଥାନ୍ତି । ସଉତୁଣିଆ ପିଲାମାନେ ସେବା ନ କରିବା କାରଣରୁ ଚାଲୁ ଚାଲୁ ଖସି ପଡିଥାନ୍ତି । ସଂଶୟ ଆସିଯାଏ କିନ୍ତୁ ସୁପତ୍ରମାନେ ପୁରା ନିଶ୍ଚୟ ବୁଦ୍ଧି ହୋଇଥାନ୍ତି ।

ଗୀତ:-
ବଚପନ କେ ଦିନ ଭୁଲା ନ ଦେନା...

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି । କେଉଁ ବାବା? ବାସ୍ତବରେ ଦୁଇଜଣ ବାବା ଅଛନ୍ତି । ଜଣେ ହେଲେ ଆତ୍ମାର ପିତା, ଯାହାଙ୍କୁ ବାବା କୁହାଯାଏ, ଅନ୍ୟ ଜଣେ ଶରୀରଧାରୀ ଯାହାଙ୍କୁ ଦାଦା କୁହାଯାଉଛି । ଏକଥା ତ ସବୁ ସେଣ୍ଟରର ପିଲାମାନେ ଜାଣିଛନ୍ତି ଯେ, ଆମେ ବାପଦାଦାଙ୍କର ସନ୍ତାନ । ଆମର ଆତ୍ମାର ପିତା ଶିବବାବା ଅଟନ୍ତି । ସିଏ ସବୁ ଆତ୍ମାମାନଙ୍କର ପିତା ଏବଂ ବ୍ରହ୍ମା ଦାଦା ହେଲେ ସାରା ମନୁଷ୍ୟ ସୃ୍ଷ୍ଟିର ମୁଖ୍ୟ । ତୁମେ ଆସି ତାଙ୍କର ସନ୍ତାନ ହୋଇଛ । ସେମାନଙ୍କ ମଧ୍ୟରୁ କେହି ପକ୍କା ନିଜର, ପୁଣି କେହି ସାବତ ମଧ୍ୟ ଅଛନ୍ତି । ଉଭୟ ତ ମମ୍ମା ବାବା କହୁଛନ୍ତି କିନ୍ତୁ ସାବତ ସନ୍ତାନ ସମର୍ପଣ ହୋଇପାରିବେ ନାହିଁ । ଯେଉଁମାନେ ପୂରା-ପୁରା ସମର୍ପଣ ହେଉନାହାଁନ୍ତି ସେମାନଙ୍କୁ ଏତେ ଶକ୍ତି ମିଳୁ ନାହିଁ ଅର୍ଥାତ୍ ନିଜର ପିତାଙ୍କୁ ତନ-ମନ-ଧନର ଟ୍ରଷ୍ଟି କରିପାରି ନାହାଁନ୍ତି । ଶ୍ରେଷ୍ଠ ହେବା ପାଇଁ ତାଙ୍କର ଶ୍ରୀମତରେ ଚାଲୁ ନାହାଁନ୍ତି । ସୁପୁତ୍ର ସନ୍ତାନମାନଙ୍କୁ ସୂକ୍ଷ୍ମରେ ବହୁତ ସାହାଯ୍ୟ ମିଳିଥାଏ । କିନ୍ତୁ ଏମାନଙ୍କ ସଂଖ୍ୟା ବହୁତ କମ୍ । ଯଦିଓ ଏମାନେ ସୁପୁତ୍ର ସନ୍ତାନ କିନ୍ତୁ ଏବେ ବି ସେମାନଙ୍କୁ ପକ୍କା ବୋଲି କୁହାଯିବ ନାହିଁ ଯେପର୍ଯ୍ୟନ୍ତ ଫଳାଫଳ ନ ବାହାରିଛି । ଯଦିଓ ଏଠାରେ ରହୁଛନ୍ତି, ବହୁତ ଭଲ ସେବା ମଧ୍ୟ କରୁଛନ୍ତି ତଥାପି ତଳକୁ ଖସି ପଡୁଛନ୍ତି । ଏସବୁ ବୁଦ୍ଧି ଯୋଗର କଥା । ତେଣୁ ବାବାଙ୍କୁ ଭୁଲିବା ଉଚିତ୍ ନୁହେଁ । ବାବା ପିଲାମାନଙ୍କ ସହଯୋଗରେ ଏହି ଭାରତକୁ ସ୍ୱର୍ଗ କରୁଛନ୍ତି । ତେଣୁ ଶିବଶକ୍ତି ସେନାର ଗାୟନ ମଧ୍ୟ ରହିଛି । ତେଣୁ ପ୍ରତ୍ୟେକ ନିଜ ସହିତ କଥା ହେବା ଉଚିତ୍ - ବାସ୍ତବରେ ମୁଁ ଶିବବାବାଙ୍କର ପୋଷ୍ୟ ସନ୍ତାନ ଅଟେ! ବାବାଙ୍କଠାରୁ ଆମେ ସ୍ୱର୍ଗର ବର୍ସା ପାଉଛୁ । ଦ୍ୱାପରଯୁଗରୁ ଆରମ୍ଭ କରି ଆମେ ଯେଉଁ ଲୌକିକ ପିତାଙ୍କଠାରୁ ବର୍ସା ପାଇ ଆସିଛୁ ତାହା ତ କେବଳ ନର୍କର ବର୍ସା । ଯାହା ଦ୍ୱାରା ଦୁଃଖୀ ହୋଇ ଆସିଛୁ । ଭକ୍ତିମାର୍ଗରେ ତ ବହୁତ ଅନ୍ଧଶ୍ରଦ୍ଧା ରହିଛି । ଯେବେଠାରୁ ଭକ୍ତି ଆରମ୍ଭ ହୋଇଛି ସେବେଠାରୁ ଯେତେ ଯେତେ ବର୍ଷ ବିତିଚାଲିଛି ସେତେ ସେତେ ଆମେ କେବଳ ତଳକୁ ଖସିଆସିଛୁ । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ଥିଲା । ସମସ୍ତେ କେବଳ ଜଣଙ୍କର ହିଁ ପୂଜା କରୁଥିଲେ । ଏବେ ଅନେକଙ୍କର ପୂଜା କରୁଛନ୍ତି । କିନ୍ତୁ ଋଷି, ମୁନି, ସାଧୁ, ସନ୍ଥ ଆଦି ଜାଣିନାହାଁନ୍ତି ଯେ, ଭକ୍ତି କେବେଠାରୁ ଆରମ୍ଭ ହୁଏ । ଶାସ୍ତ୍ରରେ ମଧ୍ୟ ଲେଖା ଅଛି, ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତ୍ରି । ଯଦିଓ ବ୍ରହ୍ମା ସରସ୍ୱତୀ ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି କିନ୍ତୁ ନାମ ବ୍ରହ୍ମାଙ୍କର ଦେଇଛନ୍ତି । ବ୍ରହ୍ମାଙ୍କ ସାଥୀରେ ପିଲାମାନେ ମଧ୍ୟ ବହୁତ ଅଛନ୍ତି । ଲକ୍ଷ୍ମୀ-ନାରୟଣଙ୍କର ତ ଏତେ ସନ୍ତାନ ନଥିବେ । ପ୍ରଜାପିତା ବୋଲି ମଧ୍ୟ ତାଙ୍କୁ କହିପାରିବା ନାହିଁ । ଏବେ ନୂଆ ପ୍ରଜା ହେଉଛନ୍ତି । ବ୍ରାହ୍ମଣମାନଙ୍କର ହିଁ ନୂଆ ପ୍ରଜା ହୋଇଥାଏ । ବ୍ରାହ୍ମଣ ହିଁ ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି ଭାବୁଛନ୍ତି । ଦେବତାମାନେ ତ ଭାବିବେ ନାହିଁ । କାରଣ ସେମାନେ ଏହି ଚକ୍ର ବିଷୟରେ ଜାଣି ହିଁ ନାହାଁନ୍ତି ।

ଏବେ ତୁମେମାନେ ଜାଣିଛ ଯେ, ଆମେମାନେ ଶିବବାବାଙ୍କର ସନ୍ତାନ ହୋଇଛୁ । ସିଏ ହିଁ ଆମକୁ ୮୪ ଜନ୍ମର ଚକ୍ରକୁ ବୁଝାଇଛନ୍ତି । ତାଙ୍କର ସହଯୋଗ ଦ୍ୱାରା ଆମେ ଭାରତକୁ ପୁନର୍ବାର ଦୈବୀ ପବିତ୍ର ରାଜସ୍ଥାନ କରୁଛୁ । ଏହା ବହୁତ ବୁଝିବାର କଥା । କାହାକୁ ବୁଝାଇବା ପାଇଁ ମଧ୍ୟ ସାହସ ଦରକାର । ତୁମେମାନେ ଶିବଶକ୍ତି ପାଣ୍ଡବ ସେନା ଅଟ । ତୁମେମାନେ ପଣ୍ଡା ମଧ୍ୟ ଅଟ, କାହିଁକି ନା ସମସ୍ତଙ୍କୁ ରାସ୍ତା ବତାଉଛ । ତୁମମାନଙ୍କ ବ୍ୟତୀତ ଶାନ୍ତିଧାମ ଘରର ରାସ୍ତା କେହି ବତାଇପାରିବେ ନାହିଁ । ଅନ୍ୟ ପଣ୍ଡାମାନେ ତ ଅମରନାଥକୁ, ଅଥବା କୌଣସି ତୀର୍ଥକୁ ନେଇଯାଆନ୍ତି । ତୁମେ ବି.କେ.ମାନେ ତ ଏକଦମ୍ ସବୁଠାରୁ ଦୂର ପରମଧାମକୁ ନେଇଯାଉଛ ସେମାନେ ଶରୀରଧାରୀ ଗାଇଡ୍ ଧକ୍କା ଖୁଆଇଥାଆନ୍ତି । କିନ୍ତୁ ତୁମେମାନେ ସମସ୍ତଙ୍କୁ ବାବାଙ୍କ ପାଖକୁ ଶାନ୍ତିଧାମ ନେଇଯାଉଛ । ତେବେ ସର୍ବଦା ଏହି କଥା ମନେ ରଖିବାକୁ ପଡିବ ଆମେ ଭାରତକୁ ପୁନର୍ବାର ଦୈବୀ ରାଜସ୍ଥାନ କରୁଛୁ । ଏକଥା ତ କେହି ବି ମାନିଯିବେ । ଭାରତରେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ଭାରତ ସତ୍ୟଯୁଗରେ ବେହଦର ଦୈବୀ ପବିତ୍ର ରାଜସ୍ଥାନ ଥିଲା ପୁଣି ପବିତ୍ର କ୍ଷତ୍ରୀୟ ରାଜସ୍ଥାନ ହେଲା, ଏବେ ମାୟାର ପ୍ରବେଶତା ହୋଇଛି ତେଣୁ ଏହା ଆସୁରୀ ରାଜସ୍ଥାନ ହୋଇଯାଇଛି । ଏଠାରେ ମଧ୍ୟ ପ୍ରଥମେ ରାଜା ରାଣୀମାନେ ରାଜ୍ୟ କରୁଥିଲେ, କିନ୍ତୁ ସେମାନଙ୍କ ପାଖରେ ପବିତ୍ରତାର ମୁକୁଟ ନଥିଲା । ଦୈବୀ ରାଜସ୍ଥାନ ପରେ ଆସୁରୀ ପତିତ ରାଜସ୍ଥାନ ହୋଇଗଲା । ଏବେ ତ ପତିତ ପ୍ରଜାଙ୍କର ସ୍ଥାନ ହୋଇଯାଇଛି, ପଞ୍ଚାୟତ ରାଜସ୍ଥାନ ହୋଇଛି । ବାସ୍ତବରେ ଏହାକୁ ରାଜସ୍ଥାନ ବୋଲି କୁହାଯାଇପାରିବ ନାହିଁ କିନ୍ତୁ ମନୁଷ୍ୟ ଏହି ନାମ ରଖି ଦେଇଛନ୍ତି । ବାସ୍ତବରେ ବର୍ତ୍ତମାନ ସେହି ରାଜତ୍ୱ ତ ନାହିଁ । ଏହିଭଳି ହିଁ ଡ୍ରାମା ରଚନା କରାଯାଇଛି । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତୁମର ବହୁତ କାମରେ ଆସିବ । ତୁମକୁ ଏହି ଚିତ୍ର ଉପରେ ବୁଝାଇବାକୁ ହେବ ଯେ, ଭାରତ ଏହିଭଳି ଦ୍ୱିମୁକୁଟଧାରୀ ଥିଲା । ଏହା ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଏମାନେ ଛୋଟ ବେଳେ ରାଧା-କୃଷ୍ଣ ଥିଲେ, ପୁଣି ତ୍ରେତାରେ ରାମରାଜ୍ୟ ହେଲା, ଦ୍ୱାପରଯୁଗରେ ମାୟାର ପ୍ରବେଶତା ହେଲା । ଏହା ତ ବିଲ୍କୁଲ୍ ସହଜ କଥା ଅଟେ ନା । ଆମେ ଭାରତର ଇତିହାସ-ଭୂଗୋଳକୁ ସଂକ୍ଷିପ୍ତରେ ବୁଝାଉଛୁ । ଦ୍ୱାପରଯୁଗରେ ପୁଣି ପବିତ୍ର ରାଜା-ରାଣୀ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି ହେଲା । ଦେବତାମାନେ ସ୍ୱୟଂ ତ ବାମମାର୍ଗକୁ ଚାଲିଗଲେ । ପତିତ ହେବାକୁ ଲାଗିଲେ । ପୁଣି ଯେଉଁମାନେ ପବିତ୍ର ଦେବତା ଥିଲେ, ତାଙ୍କର ମନ୍ଦିର ତିଆରି କରି ପୂଜା କରିବା ଆରମ୍ଭ କଲେ । ପତିତମାନେ ହିଁ ପବିତ୍ରମାନଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇଥାନ୍ତି । ଯେତେବେଳ ଇଂରେଜ ସରକାରଙ୍କର ରାଜ୍ୟ ଥିଲା, ସେତେବେଳେ ରାଜା-ରାଣୀ ଥିଲେ । ଜମିଦାରମାନେ ମଧ୍ୟ ରାଜା-ରାଣୀଙ୍କର ଉପାଧି ନେଉଥିଲେ, ଏହାଦ୍ୱାରା ସେମାନଙ୍କୁ ଦରବାରରେ ବହୁତ ସମ୍ମାନ ମିଳୁଥିଲା । ଏବେ ତ କେହି ରାଜା ନାହାଁନ୍ତି । ପରେ ଯେତେବେଳେ ପରସ୍ପର ସହିତ ଲଢେଇ ହେଲା ସେତେବେଳେ ମୁସଲମାନ ଆଦି ଆସିଲେ । ଏବେ ତୁମେମାନେ ଜାଣୁଛ ଯେ ପୁନର୍ବାର କଳିଯୁଗର ଅନ୍ତିମ ସମୟ ପୁଣି ଆସିଯାଇଛି । ବିନାଶ ତୁମ ସମ୍ମୁଖରେ ଉପସ୍ଥିତ । ବାବା ପୁନର୍ବାର ତୁମକୁ ରାଜଯୋଗ ଶିଖାଉଛନ୍ତି । ସତ୍ୟଯୁଗ କିପରି ସ୍ଥାପନା ହେଉଛି, ଏକଥା ତ ତୁମେମାନେ ଜାଣିଛ । ପୁଣି ଏହି ଇତିହାସ-ଭୂଗୋଳ ଗୁପ୍ତ ହୋଇଯିବ । ପୁଣି ଭକ୍ତିମାର୍ଗରେ ଲୋକମାନେ ନିଜର ଗୀତା ରଚନା କରିଥାଆନ୍ତି, ଏହାଦ୍ୱାରା ବହୁତ ଫରକ ପଡିଯାଇଥାଏ । ଭକ୍ତି କରିବା ପାଇଁ ସେମାନଙ୍କୁ ଦେବୀ-ଦେବତା ଧର୍ମର ପୁସ୍ତକ ନିଶ୍ଚିତ ଦରକାର । ତେଣୁ ଡ୍ରାମା ଅନୁସାରେ ଗୀତା ରଚନା କରିଦେଇଛନ୍ତି । ଏପରି ନୁହେଁ ଯେ, ଭକ୍ତିମାର୍ଗର ଗୀତା ଦ୍ୱାରା କୌଣସି ରାଜତ୍ୱ ସ୍ଥାପନ କରିବେ କିମ୍ବା ନରରୁ ନାରାୟଣ ହେବେ । ବିଲ୍କୁଲ୍ ନୁହେଁ ।

ଏବେ ବାବା ବୁଝାଉଛନ୍ତି - ତୁମେମାନେ ହେଲ ଗୁପ୍ତ ସେନା । ବାବା ମଧ୍ୟ ଗୁପ୍ତ । ତୁମକୁ ମଧ୍ୟ ଗୁପ୍ତରେ ଯୋଗବଳ ଦ୍ୱାରା ରାଜତ୍ୱ ପ୍ରାପ୍ତ କରାଉଛନ୍ତି । ବାହୁବଳ ଦ୍ୱାରା ହଦର ରାଜତ୍ୱ ମିଳିଥାଏ । ଯୋଗବଳ ଦ୍ୱାରା ତୁମକୁ ବେହଦର ରାଜତ୍ୱ ମିଳୁଛି । ତୁମମାନଙ୍କ ମନରେ ଏହି ନିଶ୍ଚୟ ରହିଛି ଯେ, ଆମେ ଏବେ ଭାରତକୁ ଦୈବୀ ରାଜସ୍ଥାନ କରୁଛୁ । ଯେଉଁମାନେ ପରିଶ୍ରମ କରୁଛନ୍ତି, ତାଙ୍କର ପରିଶ୍ରମ କେବେ ଲୁଚି ରହିପାରିବ ନାହିଁ । ବିନାଶ ତ ନିଶ୍ଚିତ ହେବ । ଗୀତାରେ ମଧ୍ୟ ଏହି କଥା ରହିଛି । ପଚାରୁଛନ୍ତି ଯେ, ଏହି ସମୟର ପରିଶ୍ରମ ଅନୁସାରେ ଆମକୁ ଭବିଷ୍ୟତରେ କଣ ପଦ ମିଳିବ? ଏଠାରେ ମଧ୍ୟ ଯଦି କେହି ଶରୀର ଛାଡିଥାଏ ତେବେ ସଂକଳ୍ପ ଚାଲିଥାଏ ଯେ, ଇଏ କେଉଁ ପଦକୁ ପ୍ରାପ୍ତ କରିବେ । ତାହା ତ ବାବା ହିଁ ଜାଣିଥିବେ ଯେ, ଇଏ କିପରି ତନ-ମନ-ଧନ ସହିତ ସେବା କରିଛନ୍ତି! ଏକଥା ପିଲାମାନେ ଜାଣିପାରିବେ ନାହିଁ, ବାପଦାଦା ଜାଣିଛନ୍ତି ଏବଂ କହି ମଧ୍ୟ ପାରିବେ ଯେ, ତୁମେ ଏହି ପ୍ରକାରର ସେବା କରିଛ । ଜ୍ଞାନ ଧାରଣ କରିଛ ନା ନାହିଁ, କିନ୍ତୁ ସହଯୋଗ ତ ବହୁତ କରିଛ । ଯେପରି ମନୁଷ୍ୟମାନେ ଦାନ କରୁଛନ୍ତି, ଭାବୁଛନ୍ତି ଯେ, ଏହି ସଂସ୍ଥା ବହୁତ ଭଲ । ଭଲ କାର୍ଯ୍ୟ କରୁଛି । କିନ୍ତୁ ମୋ ପାଖରେ ପବିତ୍ର ରହିବାର ଶକ୍ତି ନାହିଁ । ମୁଁ ଯଜ୍ଞକୁ ସାହାଯ୍ୟ କରୁଛି । ତେବେ ତାର ପ୍ରତିଦାନରେ ମଧ୍ୟ ତାଙ୍କୁ କିଛି ମିଳିଥାଏ । ଯେପରି ଲୋକମାନେ ଅନ୍ୟମାନଙ୍କ ପାଇଁ କଲେଜ, ଡାକ୍ତରଖାନା ଆଦି ତିଆରି କରିଥାନ୍ତି । ଏକଥା କୁହନ୍ତି ନାହିଁ ଯେ, ମୁଁ ବେମାର ହେଲେ ଏହି ଡାକ୍ତରଖାନାକୁ ଯିବି । ଯାହା କିଛି କରନ୍ତି ସେସବୁ ଅନ୍ୟମାନଙ୍କ ପାଇଁ । ତେବେ ତାର ଫଳ ମଧ୍ୟ ମିଳିଥାଏ, ତାକୁ ଦାନ ବୋଲି କୁହାଯାଏ । କିନ୍ତୁ ଏଠାରେ କଣ ହେଉଛି । ଆଶୀର୍ବାଦ ଦେଉଛନ୍ତି ଯେ, ତୁମର ଏହି ଜନ୍ମ ଏବଂ ପରବର୍ତ୍ତୀ ଜନ୍ମ ସୁଖମୟ ହେଉ । ତୁମେ ସୁଖୀ ହୁଅ । ଲୋକ ଏବଂ ପରଲୋକ, ଏହା ତ ଏହି ସଂଗମଯୁଗର କଥା । ଏହା ମୃତ୍ୟୁଲୋକ ଏବଂ ଅମରଲୋକର ଜନ୍ମ, ତେଣୁ ଉଭୟ ସଫଳ ହେଉ । ବାସ୍ତବରେ ତୁମର ଏହି ଜନ୍ମ ସଫଳ ହେଉଛି, ପୁଣି କେହି ତନ ଦ୍ୱାରା କେହି ମନ ଦ୍ୱାରା ଏବଂ ଆଉ କେହି ଧନ ଦ୍ୱାରା ସେବା କରୁଛନ୍ତି । ଅନେକ ଅଛନ୍ତି ଯେଉଁମାନେ ଜ୍ଞାନରେ ଚାଲିପାରୁ ନାହାଁନ୍ତି, କହୁଛନ୍ତି, ବାବା ଆମ ପାଖରେ ଏତେ ଶକ୍ତି ନାହିଁ । ବାକି ଆମେ ସାହାଯ୍ୟ କରିପାରିବୁ । ତେବେ ବାବା କହିବେ ଯେ ତୁମେ ଏତେ ଧନବାନ୍ ହୋଇପାରିବ । ଯଦି ଆଉ କୌଣସି କଥା ଅଛି, ତେବେ ପଚାରପାରିବ । ଆମକୁ ବାବାଙ୍କୁ ଅନୁକରଣ କରିବାକୁ ହେବ । ତେଣୁ ତାଙ୍କୁ ପଚାରିବା ମଧ୍ୟ ଦରକାର ଯେ, ଏହି ଅବସ୍ଥାରେ ଆମେ କଣ କରିବୁ? ଆମକୁ ଶ୍ରୀମତ ବାବା ଦେଉଛନ୍ତି । ତାଙ୍କୁ ସବୁକିଛି ପଚାରିବାକୁ ହେବ, ଲୁଚାଇବା ଉଚିତ୍ ନୁହେଁ । ନଚେତ୍ ରୋଗ ବଢିଯିବ । ପାଦେ-ପାଦେ ଶ୍ରୀମତରେ ନ ଚାଲିଲେ ବହୁତ ବିଘ୍ନ ପଡିଯିବ । ବାବା କଣ ଦୂରରେ ଅଛନ୍ତି କି! ସମ୍ମୁଖକୁ ଆସି ତାଙ୍କୁ ପଚାରିବା ଦରକାର । ଏହିପରି ବାପଦାଦାଙ୍କ ପାଖକୁ ବାରମ୍ବାର ଆସିବା ଦରକାର । ବାସ୍ତବରେ ଏହିପରି ସବୁଠାରୁ ପ୍ରିୟ ବାବାଙ୍କ ସହିତ ତ ଏକତ୍ର ରହିବା ଦରକାର । ସାଜନଙ୍କ ପାଖରେ ଏକଦମ୍ ଚଟକିଯିବା ଦରକାର, ସିଏ ଶରୀରଧାରୀ ଏବଂ ଇଏ ଆତ୍ମିକ ପିତା ଅଟନ୍ତି । ତେଣୁ ଏଠାରେ ଚଟକିଯିବାର କୌଣସି କଥା ନାହିଁ, ଏଠାରେ ତ ସମସ୍ତଙ୍କୁ ରହିବାକୁ ଦେବେ ନାହିଁ । ଏହା ଏକ ଏଭଳି ଜିନିଷ, ବାସ୍ ସମ୍ମୁଖରେ ବସି ରୁହ, ଶୁଣି ଚାଲ । ତାଙ୍କ ଶ୍ରୀମତରେ ସର୍ବଦା ଚାଲୁଥାଅ । କିନ୍ତୁ ବାବା କହୁଛନ୍ତି - ଯେ ଏଠାରେ ତୁମମାନେ ରହିବା ଉଚିତ୍ ନୁହେଁ । ଗଙ୍ଗାନଦୀ ସଦୃଶ ହୁଅ, ନିଜ ନିଜର ସେବାସ୍ଥାନରେ ଯାଇ ସେବା କର । ପିଲାମାନଙ୍କର ସ୍ନେହ ଏପରି ହେବା ଦରକାର - ଯେପରି ମସ୍ତାନା (ମାତାଲ୍) ହୋଇଥାଏ । କିନ୍ତୁ ସେବା ତ କରିବାକୁ ହେବ । ନିଶ୍ଚୟ ବୁଦ୍ଧିମାନେ ତ ଏକଦମ୍ ଲାଖି ରହିଥାନ୍ତି । ପିଲାମାନେ ଲେଖୁଛନ୍ତି ଯେ ଅମୁକ ବହୁତ ଭଲ ନିଶ୍ଚୟବୁଦ୍ଧିବାଲା ଅଟେ । କିନ୍ତୁ ମୁଁ ଲେଖୁଛି ଯେ ସିଏ କିଛି ବି ବୁଝିନାହିଁ । ଯଦି ନିଶ୍ଚୟ ବୁଦ୍ଧି ହୋଇଛି କି ସ୍ୱର୍ଗର ମାଲିକ କରିଲାବାଲା ଆସିଯାଇଛନ୍ତି, ତେବେ ସିଏ ଗୋଟିଏ ସେକେଣ୍ଡ ମଧ୍ୟ ମିଶିବା ବିନା ରହିପାରିବ ନାହିଁ । ବହୁତ କନ୍ୟା ଅଛନ୍ତି ଯେଉଁମାନେ ଛଟପଟ ହେଉଛନ୍ତି । ତେଣୁ ଘରେ ବସି ସେମାନଙ୍କୁ ବ୍ରହ୍ମା ଏବଂ କୃଷ୍ଣଙ୍କର ସାକ୍ଷାତ୍କାର ହୋଇଥାଏ । ତେବେ ସେମାନଙ୍କର ନିଶ୍ଚୟ ହେବା ଦରକାର ଯେ, ବାବା ପରମଧାମରୁ ଆମକୁ ରାଜତ୍ୱ ଦେବାକୁ ଆସିଛନ୍ତି ତେଣୁ ସିଏ ଆସି ବାବାଙ୍କ ସହିତ ମିଶିବା ଦରକାର । ଏହିପରି ମଧ୍ୟ ବହୁତ ଆସୁଛନ୍ତି ପୁଣି ସେମାନଙ୍କୁ ବୁଝାଯାଏ ଯେ ଜ୍ଞାନ ଗଙ୍ଗା ହୁଅ । କାହିଁକି ନା ପ୍ରଜା ତ ବହୁତ ଦରକାର । ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି । ଏହି ଚିତ୍ର ସବୁ ଅନ୍ୟମାନଙ୍କୁ ବୁଝାଇବା ପାଇଁ ବହୁତ ଭଲ । ତୁମେମାନେ କାହାକୁ ହେଲେ ବି କହିପାରିବ ଯେ, ଆମେ ପୁନର୍ବାର ନିଜର ରାଜଧାନୀ ସ୍ଥାପନ କରୁଛୁ । ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ତେଣୁ ମୃତ୍ୟୁ ପୂର୍ବରୁ ବାବାଙ୍କଠାରୁ ବର୍ସା ନେବାକୁ ହେବ । ସମସ୍ତେ ଚାହୁଛଁନ୍ତି ଏକମାତ୍ର ସର୍ବଶକ୍ତିମାନଙ୍କର ଗଭମେଣ୍ଟ ହେଉ । ତେବେ ସମସ୍ତେ ମିଶି କଣ ଏକ ହୋଇପାରିବେ କି । ଗୋଟିଏ ରାଜ୍ୟ ନିଶ୍ଚିତ ଥିଲା, ଯାହାର ଗାୟନ ମଧ୍ୟ ରହିଛି । ସତ୍ୟଯୁଗର ନାମ ବହୁତ ପ୍ରସିଦ୍ଧ ଅଟେ । ଯାହାର ଏବେ ପୁଣି ସ୍ଥାପନା ହେଉଛି । କେହି-କେହି ଏକଥାକୁ ତୁରନ୍ତ ମାନିଯିବେ, ଆଉ ପୁଣି କେହି ମାନିବେ ନାହିଁ । ୫ ହଜାର ବର୍ଷ ପୂର୍ବରୁ ଲକ୍ଷ୍ମୀ-ନାରୟଣଙ୍କର ରାଜ୍ୟ ଥିଲା ପୁଣି ଅନ୍ୟ ରାଜାମାନଙ୍କର ରାଜ୍ୟ ହୋଇଗଲା । ରାଜାମାନେ ମଧ୍ୟ ଏବେ ପତିତ ହୋଇଗଲେଣି । ଏବେ ପୁଣି ପବିତ୍ର ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ । ତୁମପାଇଁ ତ ବୁଝାଇବା ବହୁତ ସହଜ । ଶିବବାବାଙ୍କର ଶ୍ରୀମତ ଆଧାରରେ ଏବଂ ତାଙ୍କର ସହଯୋଗ ଦ୍ୱାରା ଆମେ ଦୈବୀ ରାଜଧାନୀ ସ୍ଥାପନ କରୁଛୁ । ଆମକୁ ଶିବବାବାଙ୍କଠାରୁ ଶକ୍ତି ମଧ୍ୟ ମିଳୁଛି । ଏହି ନିଶା ରହିବା ଦରକାର । ତୁମେମାନେ ଯୋଦ୍ଧା ଅଟ । ମନ୍ଦିରକୁ ଯାଇ ମଧ୍ୟ ତୁମେମାନେ ବୁଝାଇପାରିବ । ସ୍ୱର୍ଗର ସ୍ଥାପନା ତ ନିଶ୍ଚିତ ରଚୟିତାଙ୍କ ଦ୍ୱାରା ହିଁ ହେବ ନା । ତୁମେମାନେ ଜାଣିଛ ଯେ, ବେହଦର ପିତା କେବଳ ଜଣେ । ତୁମମାନଙ୍କୁ ଜ୍ଞାନର ଶୃଙ୍ଗାର କରୁଛନ୍ତି । ରାଜଯୋଗ ଶିଖାଉଛନ୍ତି । ଯେଉଁମାନେ ଗୀତା ଶୁଣାଉଛନ୍ତି ସେମାନେ କେବେ ବି ରାଜଯୋଗ ଶିଖାଇପାରିବେ ନାହିଁ । ଏବେ ତୁମମାନଙ୍କ ବୁଦ୍ଧିରେ ଏହି ନିଶା ଚଢାଯାଉଛି । ବାବା ସ୍ୱର୍ଗର ସ୍ଥାପନ କରିବା ପାଇଁ ଆସିଛନ୍ତି । ସ୍ୱର୍ଗରେ ହିଁ ପାବନ ରାଜସ୍ଥାନ ରହିଛି । ମନୁଷ୍ୟମାନେ ତ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟକୁ ହିଁ ଭୁଲିଯାଇଛନ୍ତି । ଏବେ ବାବା ସମ୍ମୁଖରେ ବସି ବୁଝାଉଛନ୍ତି । ତୁମେମାନେ ଯେକୌଣସି ଗୀତା ପାଠଶାଳା ଆଦିକୁ ଯାଅ । ସେମାନେ କେବେ ବି ସାରା ଇତିହାସ-ଭୂଗୋଳ ଅଥବା ୮୪ ଜନ୍ମର ସମାଚାର ଶୁଣାଇ ପାରିବେ ନାହିଁ । ଯଦି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ସହିତ ରାଧା-କୃଷ୍ଣଙ୍କର ଚିତ୍ର ଥିବ ତେବେ ବୁଝାଇବାରେ ବହୁତ ସହଜ ହୋଇଯିବ । ଏହି ଚିତ୍ର ସଠିକ୍ ଅଟେ । ଏହାର ଲେଖା ମଧ୍ୟ ଭଲ ହେବା ଦରକାର । ତୁମ ବୁଦ୍ଧିରେ ସମସ୍ତ ଚକ୍ରର କଥା ମନେ ଅଛି । ତା ସହିତ ଯିଏ ଚକ୍ରର କଥା ବୁଝାଉଛନ୍ତି ସେ ମଧ୍ୟ ମନେ ଅଛନ୍ତି । କିନ୍ତୁ ନିରନ୍ତର ଯୋଗଯୁକ୍ତ ହୋଇ ରହିବାରେ ବହୁତ ମେହନତ ରହିଛି । ଯୋଗଯୁକ୍ତ ସ୍ଥିତି ଏପରି ପକ୍କା ହୋଇଯାଉ ଯେପରି ଅନ୍ତିମ ସମୟରେ କୌଣସି ବିକାରୀ କଥା ମନେ ନ ପଡୁ । ବାବାଙ୍କୁ କେବେ ଭୁଲିବା ଉଚିତ୍ ନୁହେଁ । ଛୋଟ ପିଲା ନିଜର ପିତାଙ୍କୁ ବହୁତ ମନେ ପକାଇଥାଏ ପୁଣି ପିଲା ବଡ ହେଲେ ଧନକୁ ମନେପକାଇଥାଏ । ତୁମକୁ ମଧ୍ୟ ଧନ ମିଳୁଛି । ଯାହାକୁ ଭଲ ଭାବେରେ ଧାରଣ କରି ପୁଣି ଦାନ କରିବା ଦରକାର । ସମ୍ପୂର୍ଣ୍ଣ ମହାଦାନୀ ହେବାକୁ ପଡିବ । ମୁଁ ସମ୍ମୁଖରେ ଆସି ରାଜଯୋଗ ଶିଖାଉଛି । ହଦର ଗୀତା ତ ତୁମେ ଜନ୍ମ ଜନ୍ମାନ୍ତର ପଢିଆସିଛ, କିନ୍ତୁ ସେଥିରୁ କିଛି ବି ପ୍ରାପ୍ତି ହେଲା ନାହିଁ । ଏଠାରେ ତ ତୁମମାନଙ୍କୁ ମୁଁ ନରରୁ ନାରାୟଣ ହେବାର ଶିକ୍ଷା ଦେଉଛି । ତାହା ହେଲା ଭକ୍ତିମାର୍ଗ । ଏଠାରେ ମଧ୍ୟ କୋଟିକରେ କେହି ଜଣେ ବାହାରିବେ ଯିଏକି ତୁମର ଦୈବୀ କୁଳର ହୋଇଥିବେ । ସେମାନେ ପୁଣି ଏଠାକୁ ବ୍ରାହ୍ମଣ ହେବାକୁ ନିଶ୍ଚିତ ଆସିବେ, ତେବେ ସେମାନେ ରାଜା-ରାଣୀ ହୁଅନ୍ତୁ ଅଥବା ପ୍ରଜା ହୁଅନ୍ତୁ । ସେମାନଙ୍କ ମଧ୍ୟରୁ କେହି କେହି ତ ଶୁଣୁଛନ୍ତି ଏବଂ ଅନ୍ୟକୁ କହୁଛନ୍ତି, ପୁଣି ପଳାଇ ଯାଉଛନ୍ତି । ଯେଉଁମାନେ ବାବାଙ୍କର ସନ୍ତାନ ହୋଇ ପୁଣି ଛାଡପତ୍ର ଦେଉଛନ୍ତି, ସେମାନଙ୍କୁ ବହୁତ ଦଣ୍ଡ ମିଳିବ । ଏହା ବହୁତ କଠୋର ସଜା ଅଟେ । ଏହି ସମୟରେ ଏପରି କେହି କହିପାରିବେ ନାହିଁ ଯେ, ମୁଁ ବାବାଙ୍କୁ ନିରନ୍ତର ମନେ ପକାଉଛି । ଯଦି କେହି ଏପରି କହୁଛନ୍ତି, ତେବେ ଚାର୍ଟ ଲେଖି ପଠାନ୍ତୁ ତେବେ ବାବା ବୁଝିଯିବେ । ଭାରତର ସେବାରେ ହିଁ ତନ-ମନ-ଧନ ଲଗାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସର୍ବଦା ପକେଟ୍ରେ ରହିବା ଉଚିତ୍ । ପିଲାମାନଙ୍କର ବହୁତ ନିଶା ରହିବା ଦରକାର ।

ସମାଜ ସେବୀମାନେ ତୁମମାନଙ୍କୁ ପଚାରୁଛନ୍ତି ଯେ, ତୁମେମାନେ ଭାରତର କେଉଁ ସେବା କରୁଛ? କୁହ, ଆମେ ନିଜର ତନ-ମନ-ଧନ ଦ୍ୱାରା ଭାରତକୁ ଦୈବୀ ରାଜସ୍ଥାନ କରୁଛୁ । ଏହିଭଳି ସେବା ଆଉ କେହି କରିପାରିବେ ନାହିଁ । ତୁମେ ଯେତେ-ଯେତେ ସେବା କରିବ ସେତେ ତୁମର ବୁଦ୍ଧି ସ୍ୱଚ୍ଛ ହୋଇଯିବ । ଏଭଳି ବି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଠିକ ଭାବରେ ବୁଝାଇପାରୁ ନାହାଁନ୍ତି, ତେବେ ଏହାଦ୍ୱାରା ବାବାଙ୍କର ନାମ ବଦନାମ ହୋଇଥାଏ । କାହା-କାହା ପାଖରେ କ୍ରୋଧର ଭୂତ ମଧ୍ୟ ରହିଛି, ତେବେ ଏହା ବିନାଶକାରୀ ହେଲା ନା । ତାଙ୍କୁ କହିବେ ଯେ ପ୍ରଥମେ ତୁମେ ନିଜର ମୁହଁକୁ ତ ଦେଖ । ତୁମେମାନେ ଲକ୍ଷ୍ମୀ ଅଥବା ନାରାୟଣଙ୍କୁ ବରଣ କରିବା ଯୋଗ୍ୟ ହୋଇଛ? ଏହିପରି ଯେଉଁମାନେ ନିଜର ସମ୍ମାନକୁ ହରାଉଛନ୍ତି, ସେମାନେ କି ପଦ ପାଇବେ! ସେମାନେ ପଦାତିକମାନଙ୍କ ଧାଡିରେ ଆସିଯିବେ । ତୁମେମାନେ ମଧ୍ୟ ସେନା ଅଟ ନା । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅବିନାଶୀ ଜ୍ଞାନ ରତ୍ନର ମହାଦାନୀ ହେବାକୁ ହେବ । ଶରୀର, ମନ, ଧନ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରିବାର ସେବା କରିବାକୁ ହେବ ।

(୨) କୌଣସି ବି ବିନାଶକାରୀ କାର୍ଯ୍ୟ କରିବା ଉଚିତ୍ ନୁହେଁ । ନିରନ୍ତର ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସରେ ରହିବା ଉଚିତ୍ ।

ବରଦାନ:-
ଏକରସ ଅର୍ଥାତ୍ ଏକାଭଳି ଏବଂ ନିରନ୍ତର ଖୁସିର ଅନୁଭୂତି ଦ୍ୱାରା ପ୍ରଥମ ନମ୍ବର ସ୍ଥାନର ଅଧିକାରୀ ହେଉଥିବା ଅସରନ୍ତି ସମ୍ପତ୍ତିରେ ସମ୍ପନ୍ନ ହୁଅ ।

ପ୍ରଥମ ନମ୍ବର ସ୍ଥାନ ଗ୍ରହଣ କରିବା ପାଇଁ ଏକାଭଳି ଏବଂ ନିରନ୍ତର ଖୁସିର ଅନୁଭୂତି କରିଚାଲ କୌଣସି ପ୍ରକାରର ଝାମିଲାରେ ପଡ ନାହିଁ କାରଣ ଝାମିଲା ଭିତରକୁ ପଶିବା ଦ୍ୱାରା ଖୁସିର ଝୁଲଣା ଢିଲା ହୋଇଯିବ ଯାହାଦ୍ୱାରା ତୁମେମାନେ ତୀବ୍ରବେଗରେ ଝୁଲିପାରିବ ନାହିଁ, ସେଥିପାଇଁ ସର୍ବଦା ଏକରସ ଏବଂ ନିରନ୍ତର ଖୁସିର ଝୁଲଣାରେ ଝୁଲୁଥାଅ । ବାପଦାଦାଙ୍କ ଦ୍ୱାରା ସବୁ ପିଲାଙ୍କୁ ଅବିନାଶୀ, ଅସରନ୍ତି ଏବଂ ଅସୀମିତ ସମ୍ପତ୍ତି ପାପ୍ତ ହେଉଛି । ତେଣୁ ସର୍ବଦା ସେହି ସବୁ ସମ୍ପତ୍ତିର ପ୍ରାପ୍ତିରେ ଏକରସ ଏବଂ ସମ୍ପନ୍ନ ରୁହ । ସଂଗମଯୁଗର ବିଶେଷତା ହେଉଛି ଅନୁଭବ କରିବା, ତେଣୁ ଏହି ଯୁଗର ବିଶେଷତାର ଲାଭ ଉଠାଅ ।

ସ୍ଲୋଗାନ:-
ଯଦି ମାନସିକ ଶକ୍ତିର ମହାଦାନୀ ହେବାକୁ ଚାହୁଁଛ ତେବେ ଆତ୍ମିକ ସ୍ଥିତିରେ ସଦାସର୍ବଦା ସ୍ଥିତ ହୋଇ ରୁହ ।