16.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଅବିନାଶୀ ବାବା ଏହି ବିଶାଳ ସଭା ଅର୍ଥାତ୍ କଳିଯୁଗ ଦୁନିଆରେ ଗରିବ ପିଲାମାନଙ୍କୁ କୋଳକୁ ନେବା ପାଇଁ ଆସିଛନ୍ତି, ତାଙ୍କୁ ଦେବତାମାନଙ୍କର ଦୁନିଆରେ ଆସିବାର ଆବଶ୍ୟକତା ନାହିଁ ।

ପ୍ରଶ୍ନ:-
ପିଲାମାନେ କେଉଁ ଦିନଟିକୁ ବଡ ଧୂମ୍‌ଧାମ୍‌ରେ ପାଳନ କରିବା ଉଚିତ୍‌?

ଉତ୍ତର:-
ଯେଉଁ ଦିନ ମରଜୀବା ଜନ୍ମ ହେଲା ବା ବାବାଙ୍କ ପ୍ରତି ନିଶ୍ଚୟ ହେଲା ସେହି ଦିନକୁ ବଡ ଧୂମ୍‌ଧାମ୍‌ରେ ପାଳନ କରିବା ଉଚିତ୍ । ସେହି ଦିନ ହିଁ ତୁମ ପାଇଁ ଜନ୍ମାଷ୍ଟମୀ ଅଟେ । ଯଦି ନିଜର ମରଜୀବା ଜନ୍ମଦିନ ପାଳନ କରିବ ତେବେ ସ୍ମୃତି ରହିବ ଯେ ମୁଁ ପୁରୁଣା ଦୁନିଆଠାରୁ ଦୂରେଇଗଲି । ମୁଁ ବାବାଙ୍କର ହୋଇଗଲି ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହୋଇଗଲି ।

ଗୀତ:-
ମହଫିଲ ମେ ଜଲ ଉଠୀ ଶମା....

ଓମ୍ ଶାନ୍ତି ।
ଗୀତ, କବିତା, ଭଜନ, ବେଦ-ଶାସ୍ତ୍ର, ଉପନିଷଦ, ଦେବତାମାନଙ୍କର ମହିମା ଆଦି ତୁମେ ଭାରତବାସୀ ପିଲାମାନେ ବହୁତ ଦିନରୁ ଶୁଣି ଆସୁଛ । ଏବେ ତୁମକୁ ଜ୍ଞାନ ମିଳିଲା ଯେ ଏହି ସୃଷ୍ଟିର ଚକ୍ର କିପରି ଘୂରୁଛି । ଅତିତକୁ ମଧ୍ୟ ପିଲାମାନେ ଜାଣିଗଲେ । ବର୍ତ୍ତମାନ ଦୁନିଆର ଅବସ୍ଥା କଣ ତାହା ମଧ୍ୟ ଦେଖୁଛ ଏବଂ ବାସ୍ତବ ଜୀବନରେ ଅନୁଭବ କରୁଛ । ଆଉ ଯାହା କିଛି ଆଗକୁ ହେବାର ଅଛି - ତାହା ଏବେ ବାସ୍ତବରେ ଅନୁଭବ କରିନାହଁ । ଅତୀତରେ ଯାହା ହୋଇଯାଇଛି, ତାର ଅନୁଭବ କରିଛ ଏବଂ ବାବା ହିଁ ବୁଝାଇ ଦେଇଛନ୍ତି, ବାବାଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ । ଦୁନିଆରେ ତ ଅନେକ ମନୁଷ୍ୟ ଅଛନ୍ତି କିନ୍ତୁ ସେମାନେ କିଛି ହେଲେ ଜାଣିନାହାଁନ୍ତି । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ କିଛି ହେଲେ ଜାଣି ନାହାଁନ୍ତି । ଏବେ କଳିଯୁଗର ଅନ୍ତ ସମୟ ଅଟେ ଏକଥା ମଧ୍ୟ ମନୁଷ୍ୟ ଜାଣି ନାହାଁନ୍ତି । ହଁ ଆଗକୁ ଗଲେ ଅନ୍ତିମ ସମୟ ବିଷୟରେ ଜାଣିଯିବେ, ମୂଳକଥା ଜାଣିଯିବେ କିନ୍ତୁ ସାରା ଜ୍ଞାନକୁ ଜାଣିପାରିବେ ନାହିଁ । ଏଠାରେ ପଢୁଥିବା ବିଦ୍ୟାର୍ଥୀମାନେ ହିଁ ଜାଣିପାରିବେ । ଏହା ହେଉଛି ମନୁଷ୍ୟରୁ ରାଜାମାନଙ୍କର ରାଜା ହେବାର କଥା । ତାହା ମଧ୍ୟ ଆସୁରୀ ରାଜା ନୁହେଁ, ଦୈବୀ ରାଜା, ଯେଉଁମାନଙ୍କୁ ଆସୁରୀ ରାଜାମାନେ ପୂଜା କରୁଛନ୍ତି । ଏହିସବୁ କଥାକୁ ତୁମେ ପିଲାମାନେ ହିଁ ଜାଣୁଛ । ବିଦ୍ୱାନ, ଆଚାର୍ଯ୍ୟମାନେ ଟିକିଏ ହେଲେ ଜାଣିନାହାଁନ୍ତି । ଭଗବାନ ଯାହାଙ୍କୁ ମହାଜ୍ୟୋତି ବୋଲି କହି ଡାକୁଛନ୍ତି ତାଙ୍କୁ ଜାଣି ନାହାଁନ୍ତି । ଗୀତ ଗାଇଲାବାଲା ମଧ୍ୟ କିଛି ଜାଣି ନାହାଁନ୍ତି । କେବଳ ମହିମା ଗାନ କରୁଛନ୍ତି । ଭଗବାନ ମଧ୍ୟ କୌଣସି ସମୟରେ ଏହି ଦୁନିଆ ରୂପକ ମହାସଭାକୁ ଆସିଥିଲେ । ମହଫିଲ୍ ବା ମହାସଭା ଅର୍ଥାତ୍ ଯେଉଁଠି ବହୁତ ଲୋକ ଏକତ୍ରିତ ହୋଇଥାନ୍ତି । ମହାସଭାରେ ଖାଇବା-ପିଇବା ମଦ ଇତ୍ୟାଦି ମିଳିଥାଏ । ଏବେ ଏହି ମହାସଭାରେ ତୁମକୁ ବାବାଙ୍କଠାରୁ ଜ୍ଞାନ ରତ୍ନର ସମ୍ପତ୍ତି ମିଳୁଛି ଅଥବା ଏପରି କହିପାରିବା ଯେ ଆମକୁ ବାବାଙ୍କଠାରୁ ବୈକୁଣ୍ଠର ରାଜତ୍ୱ ମିଳୁଛି । ଏହି ସାରା ଦୁନିଆ ଭିତରେ କେବଳ ପିଲାମାନେ ହିଁ ବାବାଙ୍କୁ ଜାଣିଛନ୍ତି ଯେ ବାବା ଆମକୁ ଉପହାର ଦେବା ପାଇଁ ଆସିଛନ୍ତି । ବାବା ଆସି ଏହି ସଭାରେ କଣ ଦେଉଛନ୍ତି ଏବଂ ମନୁଷ୍ୟମାନେ ସଭାରେ ପରସ୍ପରକୁ କଣ ଦେଇଥାନ୍ତି, ଏଥିରେ ରାତି-ଦିନର ପ୍ରଭେଦ ରହିଛି । ତୁଳନାତ୍ମକ ରୂପେ ବାବା ଯେମିତି କି ହାଲୁଆ ଖୁଆଉଛନ୍ତି ଏବଂ ସେମାନେ ଶସ୍ତାରୁ ଶସ୍ତା ବସ୍ତୁ ଚଣା ଖୁଆଉଛନ୍ତି । ହାଲୁଆ ଏବଂ ଚଣା ଦୁଇଟିରେ କେତେ ତଫାତ୍ ରହିଛି । ଦୁନିଆର ପରସ୍ପରଙ୍କୁ ଚଣା ଖୁଆଉଛନ୍ତି । ଯଦି କେହି ରୋଜଗାର କରୁନଥାନ୍ତି ତେବେ ତାଙ୍କୁ କହନ୍ତି - ଇଏ ତ ଚଣା ଚୋବାଉଛି ।

ଏବେ ତୁମେ ପିଲାମାନେ ଜାଣିଛ ଯେ ଅବିନାଶୀ ପିତା ଆମକୁ ସ୍ୱର୍ଗ ରାଜତ୍ୱର ବରଦାନ ଦେଉଛନ୍ତି । ଶିବବାବା ଏହି ମହାସଭାରେ ଆସୁଛନ୍ତି ନା । ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି ନା, କିନ୍ତୁ ସିଏ ଆସି କଣ କରୁଛନ୍ତି - ଏହି କଥା କାହାକୁ ହେଲେ ଜଣା ନାହିଁ । ସିଏ ପିତା ଅଟନ୍ତି, ପିତା ତ ନିଶ୍ଚିତ କିଛି ଖୁଆଇ ଥାଆନ୍ତି, ଦେଇ ଥାଆନ୍ତି । ମାତା-ପିତା ଜୀବନର ପାଳନା ତ କରିଥାନ୍ତି ନା । ତୁମେମାନେ ମଧ୍ୟ ଜାଣିଛ ଯେ ସେହି ମାତା-ପିତା ଅର୍ଥାତ୍ ବାବା ଆସି ଜୀବନର ଦାୟୀତ୍ୱ ନେଉଛନ୍ତି । ପୋଷ୍ୟ କରୁଛନ୍ତି, ପିଲାମାନେ ମଧ୍ୟ କହୁଛନ୍ତି ବାବା ମୁଁ ଆପଣଙ୍କର ୧୦ ଦିନର ସନ୍ତାନ ଅର୍ଥାତ୍ ୧୦ ଦିନ ହେଲା ଆପଣଙ୍କର ହୋଇଛି । ତେବେ ବୁଝିବା ଦରକାର ଯେ ମୁଁ ଆପଣଙ୍କ ଠାରୁ ସ୍ୱର୍ଗର ରାଜ୍ୟ ଅଧିକାର ନେବା ପାଇଁ ଯୋଗ୍ୟ ହୋଇଛି । ଆପଣ ମୋତେ ସନ୍ତାନ ରୂପେ କୋଳାଗ୍ରତ କରିଛନ୍ତି ଅର୍ଥାତ୍ ପୋଷ୍ୟପୁତ୍ର କରିଛନ୍ତି । ଯଦି ବଞ୍ଚିଥିବା ବେଳେ କେହି କାହାର ପୋଷ୍ୟପୁତ୍ର ହୋଇଥାନ୍ତି ତେବେ ଅନ୍ଧ ଭାବରେ ତ ଯାଇନଥାନ୍ତି । ମା-ବାପା ମଧ୍ୟ ପିଲାକୁ ତାଙ୍କ କୋଳକୁ ଦେଇଥାନ୍ତି, ଜାଣିଥାନ୍ତି ଆମର ପିଲା ତାଙ୍କ ପାଖରେ ଅଧିକ ସୁଖୀ ହେବ ଏବଂ ଇଏ ଅଧିକ ସ୍ନେହରେ ତାର ଯତ୍ନ ନେବେ । ତୁମେମାନେ ମଧ୍ୟ ଲୌକିକ ପିତାଙ୍କର ସନ୍ତାନ ଏଠାରେ ଅବିନାଶୀ ପିତାଙ୍କର କୋଳକୁ ଆସିଛ । ଅନାଦି ଅବିନାଶୀ ପିତା କେତେ ଆଗ୍ରହର ସହିତ କୋଳକୁ ନେଉଛନ୍ତି । ପିଲାମାନେ ମଧ୍ୟ ଲେଖୁଛନ୍ତି ବାବା ମୁଁ ଆପଣଙ୍କର ହୋଇଗଲି । କେବଳ ଦୂରରୁ ରହି ତ କହିବେ ନାହିଁ । ପ୍ରାକ୍ଟିକାଲରେ ବା ପ୍ରକୃତରେ କୋଳକୁ ଆସିଥାନ୍ତି ତେଣୁ ସେହି ଦିନକୁ ଆନୁଷ୍ଠାନିକ ଭାବେ ପାଳନ ମଧ୍ୟ କରିଥାନ୍ତି । ଯେପରି ଜନ୍ମଦିନ ପାଳନ କରିଥାନ୍ତି ନା । ତେବେ ଏମାନେ ମଧ୍ୟ ସନ୍ତାନ ହେଉଛନ୍ତି, କହୁଛନ୍ତି ମୁଁ ଆପଣଙ୍କର ହୋଇଗଲି ତେଣୁ ୬-୭ ଦିନ ପରେ ନାମକରଣ ଦିବସ ମଧ୍ୟ ପାଳନ କରିବା ଉଚିତ୍ ନା । କିନ୍ତୁ କେହି ପାଳନ କରୁନାହାଁନ୍ତି । ନିଜର ଜନ୍ମାଷ୍ଟମୀକୁ ତ ବଡ ଧୂମଧାମରେ ପାଳନ କରିବା ଉଚିତ୍ । କିନ୍ତୁ ପାଳନ ହିଁ କରୁନାହାଁନ୍ତି । ଏହି ଜ୍ଞାନ ମଧ୍ୟ ନାହିଁ ଯେ ମୋତେ ଜୟନ୍ତୀ ପାଳନ କରିବାର ଅଛି । ୧୨ ମାସ ହେଲା ପରେ ପାଳନ କରୁଛନ୍ତି । ପ୍ରଥମରୁ ପାଳନ କଲ ନାହିଁ, ୧୨ ମାସ ପରେ କାହିଁକି ପାଳନ କରୁଛ । ଜ୍ଞାନ ହିଁ ନାହିଁ, କିମ୍ବା ନିଶ୍ଚୟ ମଧ୍ୟ ନଥିବ । ଥରେ ଯଦି ଜନ୍ମ ଦିନ ପାଳନ କରିଦେଲେ, ତେବେ ସିଏ ତ ଦୃଢ ହୋଇ ଗଲେ । ଜନ୍ମଦିନ ପାଳନ କରିବା ପରେ ଯଦି ବାବାଙ୍କ ହାତ ଛାଡି ଦେଲେ ଭାଗନ୍ତି ହୋଇଗଲେ ଅର୍ଥାତ୍ ପଳାଇଗଲେ, ତେବେ ବୁଝିବାକୁ ହେବ ଇଏ ମରିଗଲେ । ଜନ୍ମ ଦିନକୁ କେହି ତ ବହୁତ ଧୂମଧାମରେ ପାଳନ କରନ୍ତି, କେହି ଯଦି ଗରିବ ହୋଇଥାନ୍ତି ତେବେ ଚଣା-ଗୁଡ ମଧ୍ୟ ବାଣ୍ଟିପାରିବ । ଅଧିକ ଜାକଜମକ ନହେଉ । ପିଲାମାନେ ଭଲ ଭାବରେ ବୁଝିପାରୁ ନାହାଁନ୍ତି, ସେଥିପାଇଁ ଖୁସି ରହୁନାହିଁ । ଯଦି ଜନ୍ମ ଦିନ ପାଳନ କରନ୍ତେ, ତେବେ ଭଲ ଭାବରେ ମନେ ରହନ୍ତା, କିନ୍ତୁ ସେଭଳି ନିଶ୍ଚୟ ବୁଦ୍ଧି ନାହିଁ । ଆଜି ପୁଣି ବାବା ବୁଝାଉଛନ୍ତି, ଯିଏ-ଯିଏ ନୂଆ ସନ୍ତାନ ହୋଇଛନ୍ତି, ତାଙ୍କର ଯଦି ନିଶ୍ଚୟ ହେଉଛି ତେବେ ସେମାନେ ଜନ୍ମ ଦିନ ପାଳନ କରନ୍ତୁ । ଅମୁକ ଦିନ ମୋର ନିଶ୍ଚୟ ହେଲା, ଯେଉଁ ଦିନ ଠାରୁ ମୋ ପାଇଁ ଜନ୍ମାଷ୍ଟମୀ ଆରମ୍ଭ ହେଉଛି । ତେଣୁ ପୁତ୍ରକୁ ପିତା ଏବଂ ତାଙ୍କର ସମ୍ପତ୍ତି, ପୂରା ମନେ ରହିବା ଉଚିତ୍ । ପୁତ୍ର କେବେ ଭୁଲିଯାଏ କି ମୁଁ ଅମୁକଙ୍କର ସନ୍ତାନ ଅଟେ । କିନ୍ତୁ କେବଳ ଏହିଠାରେ ହିଁ କହୁଛନ୍ତି ଯେ ବାବା ଆପଣ ମୋର ମନେ ପଡୁ ନାହାଁନ୍ତି । ଅଜ୍ଞାନ ସମୟରେ ମଧ୍ୟ ଏପରି କେବେ କେହି କହିବେ ନାହିଁ । ମନେ ନ ପଡିବାର ପ୍ରଶ୍ନ ହିଁ ଉଠୁ ନାହିଁ । ତୁମେ ବାବାଙ୍କୁ ମନେ ପକାଉଛ, ବାବା ତ ସମସ୍ତଙ୍କୁ ହିଁ ମନେ ପକାଉଛନ୍ତି । ମୋର ସମସ୍ତ ସନ୍ତାନ କାମ ଅଗ୍ନିରେ ଜଳି-ଜଳି ଭସ୍ମ ହୋଇଯାଇଛନ୍ତି । ଏଭଳି ଆଉ କେହି ଗୁରୁ ଅଥବା ମହାତ୍ମା ଆଦି କହିବେ ନାହିଁ । ଏହା ତ ଭଗବାନଉବାଚ ହିଁ ଅଟେ ଯେ ସମସ୍ତେ ମୋର ସନ୍ତାନ ଅଟନ୍ତି । ଭଗବାନଙ୍କର ତ ସମସ୍ତେ ସନ୍ତାନ ଅଟନ୍ତି ନା । ସମସ୍ତ ଆତ୍ମା ପରମାତ୍ମା ପିତାଙ୍କର ସନ୍ତାନ ଅଟନ୍ତି । ବାବା ମଧ୍ୟ ଯେତେବେଳେ ଶରୀରରେ ଆସୁଛନ୍ତି ସେତେବେଳେ କହୁଛନ୍ତି - ଏହି ସବୁ ଆତ୍ମାମାନେ ମୋର ସନ୍ତାନ ଅଟନ୍ତି । କାମ-ଅଗ୍ନିରେ ବଶୀଭୂତ ହୋଇ ଭସ୍ମିଭୂତ ହୋଇ ପଡିଛନ୍ତି । ଭାରତବାସୀ କେତେ କଳିଯୁଗୀ ପତିତ ହୋଇ ଯାଇଛନ୍ତି । କାମ ଚିତାରେ ବସି ସମସ୍ତେ କଳା ହୋଇଯାଇଛନ୍ତି । ଯିଏ ପୂଜ୍ୟ ନମ୍ବର ୱାନ ଗୋରା ଥିଲେ, ସେ ହିଁ ଏବେ ପୂଜାରୀ କଳା ହୋଇ ଯାଇଛନ୍ତି । ସୁନ୍ଦରରୁ ଶ୍ୟାମ ହୋଇଯାଇଛନ୍ତି । ଏହି କାମ ଅଗ୍ନିର ବଶୀଭୂତ ଉପରେ ହେବା ଅର୍ଥାତ୍ ସାପ କବଳରେ ପଡିବା । ବୈକୁଣ୍ଠରେ ସାପ ଆଦି ନଥାନ୍ତି ଯାହାକି କାହାକୁ ଦଂଶନ କରିବ । ସେଠାରେ ଏଭଳି କଥା ହୋଇପାରିବ ନାହିଁ । ବାବା କହୁଛନ୍ତି ତୁମ ଭିତରେ ୫ ବିକାରର ପ୍ରବେଶତା ହେବା କାରଣରୁ ତୁମ୍ଭେମାନେ ଯେମିତି କଣ୍ଟା ହୋଇଯାଇଛ । ପିଲାମାନେ କହୁଛନ୍ତି ବାବା ଆମେ ମାନୁଛୁ ଯେ ଏହା କଣ୍ଟାର ଜଙ୍ଗଲ ଅଟେ । ପରସ୍ପରଙ୍କୁ ଦଂଶନ କରି ସମସ୍ତେ ଭସ୍ମୀଭୂତ ହୋଇଯାଇଛନ୍ତି । ଭଗବାନଉବାଚ - ଜ୍ଞାନ ସାଗରର ସନ୍ତାନମାନେ, ଯାହାଙ୍କୁ ମୁଁ କଳ୍ପ ପୂର୍ବରୁ ମଧ୍ୟ ଆସି ସ୍ୱଚ୍ଛ କରିଥିଲି ସେମାନେ ଏବେ ପତିତ କଳା ହୋଇଯାଇଛନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମେ ଗୋରାରୁ ଶ୍ୟାମଳ କିପରି ହେଉଛୁ । ସାରା ୮୪ ଜନ୍ମର ଇତିହାସ ଭୂଗୋଳ ସଂକ୍ଷିପ୍ତରେ ତୁମ ବୁଦ୍ଧିରେ ରହିଛି । ଏହି ସମୟରେ ତୁମ୍ଭେମାନେ ଜାଣିଛ ଯେ କେହି କେହି ୫-୬ ବର୍ଷ ବୟସରୁ ନିଜ ନିଜର ବୁଦ୍ଧି ମୁତାବକ ନିଜର ଜୀବନ କାହାଣୀକୁ ଜାଣିଥାନ୍ତି । ପ୍ରତ୍ୟେକ ନିଜର ଅତୀତ ଜୀବନ କାହାଣୀକୁ ମଧ୍ୟ ଜାଣିଛନ୍ତି ଯେ - ମୁଁ କଣ କଣ ମନ୍ଦ କାର୍ଯ୍ୟ କରିଛି । ବଡ ବଡ ଘଟଣା ତ କହିବାକୁ ପଡିଥାଏ - ମୁଁ କଣ କଣ ସବୁ ଭୁଲ୍ କରିଛି । ପୂର୍ବଜନ୍ମର କଥା ତ ଶୁଣାଇ ପାରିବ ନାହିଁ । ଜନ୍ମ ଜନ୍ମାନ୍ତରର ଜୀବନ କାହାଣୀକୁ କେହି କହିପାରିବେ ନାହିଁ । କିନ୍ତୁ ୮୪ ଜନ୍ମ କିପରି ନେଇଛ ତାହା ବାବା ଆସି ତୁମକୁ ବୁଝାଉଛନ୍ତି, ଯେଉଁମାନେ ପୂରା ୮୪ ଜନ୍ମ ନେଇଛନ୍ତି, ସେମାନଙ୍କର ହିଁ ସ୍ମୃତିରେ ଆସିବ । ଘରକୁ ଯିବା ପାଇଁ ମୁଁ ତୁମକୁ ମତ ଦେଉଛି, ସେଥିପାଇଁ ବାବା କହୁଛନ୍ତି ଏହି ଜ୍ଞାନ ସର୍ବଧର୍ମାବଲମ୍ବୀଙ୍କ ପାଇଁ ଉଦ୍ଧିଷ୍ଟ । ଯଦି ମୁକ୍ତିଧାମ ଘରକୁ ଯିବାକୁ ଚାହୁଁଛ ତେବେ ବାବା ହିଁ ନେଇ ପାରିବେ । ବାବାଙ୍କ ବ୍ୟତୀତ ଆଉ କେହି ହେଲେ ନିଜର ଘର ଶାନ୍ତିଧାମକୁ ନେଇ ଯାଇପାରିବେ ନାହିଁ । କାହାରି ପାଖରେ ଏହି ଜ୍ଞାନ ନାହିଁ ଯାହାକି ବାବାଙ୍କୁ ମନେ ପକାଇ ସେଠାରେ ପହଞ୍ଚି ଯିବେ । ପୁନର୍ଜନ୍ମ ତ ସମସ୍ତଙ୍କୁ ନେବାର ଅଛି । ବାବାଙ୍କ ବ୍ୟତୀତ କେହି ସାଥୀରେ ନେଇଯାଇ ପାରିବେ ନାହିଁ । ମୋକ୍ଷ ପାଇବାର ବିଚାର ଆସିବା ଉଚିତ୍ ନୁହେଁ କାରଣ ଏହା ତ ହୋଇପାରିବ ନାହିଁ । ଏହା ତ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ଏଥିରୁ କେହି ବାହାରି ଯାଇପାରିବେ ନାହିଁ । ଏକମାତ୍ର ବାବା ହିଁ ସମସ୍ତଙ୍କର ମୁକ୍ତିଦାତା, ପଥପ୍ରଦର୍ଶକ ଅଟନ୍ତି । ସିଏ ହିଁ ଆସି ଉପାୟ ବତାଉଛନ୍ତି ଯେ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ନହେଲେ ଦଣ୍ଡ ଭୋଗ କରିବାକୁ ପଡିବ । କେହି ଯଦି ପୁରୁଷାର୍ଥ କରୁ ନାହାଁନ୍ତି ତେବେ ଜଣାପଡୁଛି ଯେ ଇଏ ଏଠିକାର ଅର୍ଥାତ୍ ଏହି କୁଳର ନୁହଁନ୍ତି । ମୁକ୍ତି ଜୀବନମୁକ୍ତିର ରାସ୍ତା ତୁମେ ପିଲାମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ । ପ୍ରତ୍ୟେକଙ୍କର ବୁଝାଇବାର ବିଧି ଅଲଗା ଅଲଗା ଅଟେ । ତୁମେ ମଧ୍ୟ କହିପାରିବ - ଏହି ସମୟରେ ଦୁନିଆ ପତିତ ଅଟେ । କେତେ ଗଣ୍ଡଗୋଳ ଆଦି ହେଉଛି । ସତ୍ୟଯୁଗରେ ଏସବୁ ହେବ ନାହିଁ । ଏବେ କଳିଯୁଗ ଅଟେ । ଏହି କଥାକୁ ସବୁ ମନୁଷ୍ୟ ମାନିବେ । ସତ୍ୟଯୁଗ, ତ୍ରେତା... ଗୋଲଡେନ୍ ଏଜ୍‌, ସିଲଭର ଏଜ୍‌.... ଅନ୍ୟ ଅନ୍ୟ ଭାଷାରେ ମଧ୍ୟ କୌଣସି ନାମ ନିଶ୍ଚିତ କହୁଥିବେ । ଇଂରାଜୀ ଭାଷା ତ ସମସ୍ତେ ଜାଣିଛନ୍ତି । ଇଂରାଜୀ ଏବଂ ହିନ୍ଦୀ ଭାଷାର ଶବ୍ଦକୋଷ ମଧ୍ୟ ରହିଛି । ଇଂରେଜମାନେ ବହୁତ ସମୟ ରାଜ୍ୟ କରି ଯାଇଛନ୍ତି ତେଣୁ ସେମାନଙ୍କର ଇଂରାଜୀ ଭାଷା କାମରେ ଲାଗୁଛି ।

ମନୁଷ୍ୟ ଏହି ସମୟରେ ଏହି କଥାକୁ ତ ମାନୁଛନ୍ତି ଯେ ଆମ ଭିତରେ କୌଣସି ଗୁଣ ନାହିଁ, ବାବା ଆପଣ ଆସି ଦୟା କରନ୍ତୁ ପୁନର୍ବାର ଆମକୁ ପବିତ୍ର କରନ୍ତୁ, ଆମେ ପତିତ ହୋଇଯାଇଛୁ । ଏବେ ତୁମେ ପିଲାମାନେ ଜାଣୁଛ କେହି ଜଣେ ବି ପତିତ ଆତ୍ମା ଘରକୁ ଯାଇପାରିବେ ନାହିଁ । ସମସ୍ତଙ୍କୁ ସତ୍ତ୍ୱ, ରଜୋ, ତମୋ ଅବସ୍ଥାରେ ଆସିବାକୁ ହିଁ ହେବ । ଏବେ ବାବା ଏହି ପତିତ ମହାସଭାରେ ଆସିଛନ୍ତି, ଏହା କେତେ ବିଶାଳ ମହାସଭା । ମୁଁ ଦେବତାମାନଙ୍କର ସଭା ଅର୍ଥାତ୍ ନୂଆ ଦୁନିଆରେ କେବେ ଆସେ ହିଁ ନାହିଁ । ଯେଉଁଠି ଖିରୀ-ପୁରୀ, ଛତିଶ ପ୍ରକାରର ଭୋଜନ ମିଳୁଥିବ, ସେଠାକୁ ମୁଁ ଆସେ ହିଁ ନାହିଁ । ଯେଉଁଠାରେ ମୋର ପିଲାମାନଙ୍କୁ ରୁଟୀ ମଧ୍ୟ ମିଳୁ ନାହିଁ, ସେମାନଙ୍କ ପାଖକୁ ଆସି, ସେମାନଙ୍କୁ କୋଳକୁ ନେଇ, ସନ୍ତାନ ରୂପେ ଗ୍ରହଣ କରି ସମ୍ପତ୍ତି ଦେଇଥାଏ । ସାହୁକାରମାନଙ୍କୁ କୋଳକୁ ନେଇନଥାଏ, ସେମାନେ ତ ନିଜର ଅହଂକାରରେ ବୁଡି ରହିଥାନ୍ତି । ନିଜେ ହିଁ କହୁଛନ୍ତି ଆମ ପାଇଁ ତ ଏଇଠି ହିଁ ସ୍ୱର୍ଗ ପୁଣି ଯଦି କେହି ମରିଯାଉଛି ତେବେ କହୁଛନ୍ତି ସ୍ୱର୍ଗବାସୀ ହେଲା । ତେବେ ନିଶ୍ଚିତ ଏହା ନର୍କ ଅଟେ ନା । ଏକଥା ତୁମେମାନେ କାହିଁକି ବୁଝାଉନାହଁ । ଏବେ ପର୍ଯ୍ୟନ୍ତ ଖବରକାଗଜରେ ମଧ୍ୟ ଯୁକ୍ତିଯୁକ୍ତ ଭାବରେ କେହି ଲେଖିନାହାଁନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଆମକୁ ଡ୍ରାମା ପୁରୁଷାର୍ଥ କରାଉଛି, ଆମ୍ଭେମାନେ ଯେଉଁ ପୁରୁଷାର୍ଥ କରୁଛୁ - ତାହା ଡ୍ରାମାରେ ନିଧାର୍ଯ୍ୟ ଅଛି । ପୁରୁଷାର୍ଥ ମଧ୍ୟ ନିଶ୍ଚିତ କରିବାକୁ ହେବ । ଡ୍ରାମା କହି ଅଟକି ଯିବାର ନାହିଁ । ପ୍ରତ୍ୟେକ କଥାରେ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ । କର୍ମଯୋଗୀ ରାଜଯୋଗୀ ଅଟ ନା । ସେମାନେ ହେଲେ କର୍ମସନ୍ନ୍ୟାସୀ ହଠଯୋଗୀ । ତୁମେ ତ ସବୁ କିଛି କରୁଛ । ଘରେ ରହି, ପିଲାଛୁଆଙ୍କୁ ମଧ୍ୟ ସମ୍ଭାଳୁଛ । ସେମାନେ ତ ଘର ଦ୍ୱାର ଛାଡି ପଳାଇ ଯାଉଛନ୍ତି । ଘର ଗୃହସ୍ଥ ତାଙ୍କୁ ଭଲ ଲାଗେ ନାହିଁ । କିନ୍ତୁ ତାଙ୍କର ପବିତ୍ରତା ମଧ୍ୟ ଭାରତ ପାଇଁ ଆବଶ୍ୟକ । ତେଣୁ ଏହା ଭଲ କୁହାଯିବ । ଏବେ ତ ପବିତ୍ର ମଧ୍ୟ ରହୁନାହାଁନ୍ତି । ଏମିତି ନୁହେଁ ଯେ ସେମାନେ କୌଣସି ପବିତ୍ର ଦୁନିଆକୁ ଯାଇପାରିବେ । ବାବାଙ୍କ ବ୍ୟତୀତ ଆଉ କେହି ଘରକୁ ନେଇଯାଇ ପାରିବେ ନାହିଁ । ଏବେ ତୁମେ ଜାଣିଛ - ଶାନ୍ତିଧାମ ଆମର ଘର ଅଟେ । କିନ୍ତୁ ଯିବେ କିପରି? ବହୁତ ପାପ କରି ଦେଇଛନ୍ତି । ଈଶ୍ୱରଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି । ଏହା ଦ୍ୱାରା କାହାର ଇଜ୍ଜତ ହରାଉଛନ୍ତି? ଶିବବାବାଙ୍କର । କୁକୁର, ବିଲେଇ, ଅଣୁ ପରମାଣୁ ଭିତରେ ପରମାତ୍ମା ଅଛନ୍ତି ବୋଲି କହିଦେଉଛନ୍ତି । ତେବେ ମୁଁ କାହା ପାଖରେ ଅଭିଯୋଗ କରିବି! ବାବା କହୁଛନ୍ତି ମୁଁ ହିଁ ସମର୍ଥ ଅଟେ । ମୋ ସାଥୀରେ ଧର୍ମରାଜ ମଧ୍ୟ ଅଛନ୍ତି । ଏହା ସମସ୍ତଙ୍କ ପାଇଁ ବିନାଶର ସମୟ । ସମସ୍ତେ ଦଣ୍ଡ ଭୋଗ କରି ଘରକୁ ଫେରିଯିବେ । ଡ୍ରାମାର ସର୍ଜନା ହିଁ ସେହିଭଳି ଅଟେ । ଦଣ୍ଡ ନିଶ୍ଚିତ ଭୋଗ କରିବାକୁ ହେବ । ତାହା ତ ସାକ୍ଷାତ୍‌କାର ମଧ୍ୟ ହେବ । ଗର୍ଭଜେଲ୍‌ରେ ମଧ୍ୟ ସାକ୍ଷାତ୍‌କାର ହୋଇଥାଏ, ତୁମେ ଏହି ସବୁ ପାପ କର୍ମ କରିଛ, ପୁଣି ତାର ଦଣ୍ଡ ମଧ୍ୟ ମିଳିଥାଏ, ସେତେବେଳେ କହିଥାନ୍ତି - ଏହି ଜେଲ୍‌ରୁ ବାହାର କର । ମୁଁ ଆଉ କେବେ ଏପରି ପାପ କର୍ମ କରିବି ନାହିଁ । ବାବା ଏଠାରେ ସମ୍ମୁଖକୁ ଆସି ଏହି ସବୁ କଥା ତୁମକୁ ବୁଝାଉଛନ୍ତି । ଗର୍ଭରେ ଦଣ୍ଡ ଭୋଗ କରିଥାନ୍ତି । ତାହା ମଧ୍ୟ ଏକ ଜେଲ୍ ଅଟେ, ଦୁଃଖର ଅନୁଭୂତି ହୋଇଥାଏ । ସତ୍ୟଯୁଗରେ ଦୁଇଟିଯାକ ଜେଲ ନଥାଏ, ଯେଉଁଠି ଦଣ୍ଡ ଭୋଗିବାକୁ ପଡିବ ।

ଏବେ ବାବା ବୁଝାଉଛନ୍ତି ଯେ ପିଲାମାନେ ମୋତେ ମନେ ପକାଇଲେ ଆତ୍ମାରେ ଥିବା ବିକାରର ଖାଦ ବାହାରିଯିବ । ତୁମର ଏହି କଥାକୁ ବହୁତ ଲୋକ ମାନିବେ । ଭଗବାନଙ୍କର ନାମ ତ ଅଛି । କେବଳ ଏତିକି ଭୁଲ୍ କରିଦେଇଛନ୍ତି ଯାହାକି କୃଷ୍ଣଙ୍କର ନାମ ଲେଖିଦେଇଛନ୍ତି । ଏବେ ବାବା ମଧ୍ୟ ପିଲାମାନଙ୍କୁ ବୁଝାଉଛନ୍ତି - ତୁମେ ଯାହା ସବୁ ଶୁଣୁଛ, ଏହାକୁ ଖବରକାଗଜରେ ଛପାଅ । ଶିବବାବା ଏହି ସମୟରେ ସମସ୍ତଙ୍କୁ କହୁଛନ୍ତି - ତୁମେ ୮୪ ଜନ୍ମ ଭୋଗ କରି ତମୋପ୍ରଧାନ ହୋଇଯାଇଛ । ଏବେ ପୁଣି ମୁଁ ତୁମକୁ ଶ୍ରୀମତ ଦେଉଛି - ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ ଏବଂ ତୁମେ ମୁକ୍ତି ଜୀବନମୁକ୍ତି ଧାମକୁ ଚାଲିଯିବ । ଏହା ବାବାଙ୍କର ଆଜ୍ଞା ଅଟେ - ମୋତେ ମନେ ପକାଅ ତେବେ ତୁମ ଭିତରୁ ଖାଦ ବାହାରିଯିବ । ଆଚ୍ଛା - ପିଲାମାନେ ଏହି କଥାକୁ କେତେ ଥର ବୁଝାଇଛି ଆଉ କେତେ ବୁଝାଇବି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପ୍ରତ୍ୟେକ କଥା ପାଇଁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ । ଡ୍ରାମା କହି ବସି ଯିବାର ନାହିଁ । କର୍ମଯୋଗୀ, ରାଜଯୋଗୀ ହେବାର ଅଛି, କର୍ମ ସନ୍ନ୍ୟାସୀ, ହଠଯୋଗୀ ନୁହେଁ ।

(୨) ଦଣ୍ଡଭୋଗ ନ କରି ବାବାଙ୍କ ସାଥୀରେ ଘରକୁ ଯିବା ପାଇଁ ବାବାଙ୍କ ସ୍ମୃତିରେ ରହି ଆତ୍ମାକୁ ସତ୍ୱପ୍ରଧାନ କରିବାକୁ ହେବ । ଶ୍ୟାମଳରୁ ଗୋରା ହେବାକୁ ପଡିବ ।

ବରଦାନ:-
ନିଜର ଶ୍ରେଷ୍ଠତା ଦ୍ୱାରା ନବୀନତାର ପତାକା ଉଡାଉଥିବା ଶକ୍ତିସ୍ୱରୂପ ହୁଅ ।

ବର୍ତ୍ତମାନର ସମୟ ଅନୁସାରେ ବା ସମୟର ସମୀପତା ଅନୁସାରେ ଯଦି ନିଜର ଶକ୍ତି ରୂପର ପ୍ରଭାବ ଅନ୍ୟମାନଙ୍କ ଉପରେ ପକାଇବ ତେବେ ଯାଇ ଅନ୍ତିମ ପ୍ରତ୍ୟକ୍ଷତାକୁ ସମୀପକୁ ଅର୍ଥାତ୍ ନିକଟକୁ ଆଣିପାରିବ । ଆଜି ପର୍ଯ୍ୟନ୍ତ ଯେପରି ନିଜର ସ୍ନେହ ଏବଂ ସହଯୋଗକୁ ପ୍ରତ୍ୟକ୍ଷ କରି ଆସିଛ ସେହିପରି ସେବା ରୂପକ ଦର୍ପଣରେ ଶକ୍ତି ସ୍ୱରୂପର ଅନୁଭବ କରାଅ । ଯେତେବେଳେ ନିଜର ଶ୍ରେଷ୍ଠତା ଦ୍ୱାରା ଶକ୍ତି ରୂପର ନବୀନତାର ପତାକା ଉଡାଇବ ସେତେବେଳେ ହିଁ ପ୍ରତ୍ୟକ୍ଷତା ହେବ । ତେଣୁ ନିଜର ଶକ୍ତି ସ୍ୱରୂପ ଦ୍ୱାରା ସର୍ବଶକ୍ତିମାନ୍ ପିତାଙ୍କର ସାକ୍ଷାତ୍‌କାର କରାଅ ।

ସ୍ଲୋଗାନ:-
ସଂକଳ୍ପ ଦ୍ୱାରା ଶକ୍ତିର ଦାନ ଏବଂ କର୍ମ ଦ୍ୱାରା ଗୁଣର ଦାନ ଦେବା ହିଁ ମହାଦାନ ଅଟେ ।