17.11.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କର ଗଳାର ହାର ହେବା ପାଇଁ ଜ୍ଞାନ-ଯୋଗର ରେସ୍ ଅର୍ଥାତ୍ ଦୌଡ କର । ତୁମର କର୍ତ୍ତବ୍ୟ ହେଉଛି
ସାରା ଦୁନିଆକୁ ବାବାଙ୍କର ପରିଚୟ ଦେବା ।”
ପ୍ରଶ୍ନ:-
ସଦା ସର୍ବଦା
କେଉଁ ନିଶାରେ ରହିଲେ ବେମାରୀ ମଧ୍ୟ ଧୀରେ ଧୀରେ ଠିକ୍ ହୋଇଯିବ?
ଉତ୍ତର:-
ଜ୍ଞାନ ଏବଂ ଯୋଗର ନିଶାରେ ରୁହ, ଏହି ପୁରୁଣା ଶରୀରର ଚିନ୍ତା କର ନାହିଁ । ଯେତେ ଯେତେ ଶରୀର
ପ୍ରତି ବୁଦ୍ଧିଯିବ, ଅଧିକ ଲୋଭ ରଖିବ ସେତେ ଅଧିକ ବେମାରୀ ବଢି ଚାଲିବ । ତେବେ ଏହି ଶରୀରକୁ
ସଜାଇବା, ପାଉଡର, କ୍ରିମ୍ ଆଦି ଲଗାଇବା - ଏ ସବୁ ହେଲା ବ୍ୟର୍ଥ ଶୃଙ୍ଗାର, ତୁମକୁ ତ ନିଜକୁ
ଜ୍ଞାନ ଯୋଗରେ ସଜାଇବାକୁ ହେବ । ଏହା ହିଁ ତୁମର ପ୍ରକୃତ ସୌନ୍ଦର୍ଯ୍ୟ ।
ଗୀତ:-
ଯୋ ପିୟା କେ
ସାଥ ହୈ......
ଓମ୍ ଶାନ୍ତି ।
ଯିଏ ପିତାଙ୍କ
ସାଥୀରେ ଅଛନ୍ତି... ତେବେ ଦୁନିଆରେ ଅନେକ ପିତା ଅଛନ୍ତି କିନ୍ତୁ ସମସ୍ତ ପିତାମାନଙ୍କର ପିତା
ମଧ୍ୟ ଜଣେ ଯିଏକି ସୃଷ୍ଟିର ରଚୟିତା ଅଟନ୍ତି । ସିଏ ହିଁ ଜ୍ଞାନର ସାଗର ଅଟନ୍ତି । ଏକଥା ନିଶ୍ଚିତ
ଭାବରେ ବୁଝିବାକୁ ହେବ ଯେ ଜ୍ଞାନର ସାଗର ହେଉଛନ୍ତି ପରମପିତା ପରମାତ୍ମା ଏବଂ ଏହି ଜ୍ଞାନ ଦ୍ୱାରା
ସମସ୍ତଙ୍କର ସଦ୍ଗତି ହୋଇଥାଏ । ମନୁଷ୍ୟମାନଙ୍କର ସଦ୍ଗତି ମଧ୍ୟ ସେତେବେଳେ ହେବ ଯେତେବେଳେ କି
ସତ୍ୟଯୁଗର ସ୍ଥାପନା ହେବ । ବାବାଙ୍କୁ ହିଁ ସଦ୍ଗତିଦାତା କୁହାଯାଏ । ଯେତେବେଳେ ସଂଗମଯୁଗର ସମୟ
ଆସିବ ସେତେବେଳେ ତ ଜ୍ଞାନର ସାଗର ବାବା ଆସି ଦୁର୍ଗତିରୁ ସଦ୍ଗତିକୁ ନେବେ । ସବୁଠାରୁ ପ୍ରାଚୀନ
ହେଲା ଭାରତ ଭୂମି । ଭାରତବାସୀମାନଙ୍କର ହିଁ ୮୪ ଜନ୍ମର ଗାୟନ ରହିଛି । ଯେଉଁମାନେ ଏଠାକୁ ପ୍ରଥମେ
ପ୍ରଥମେ ଆସିଥିବେ ନିଶ୍ଚିତ ଭାବରେ ସେମାନେ ୮୪ ଜନ୍ମ ନେଇଥିବେ । ଯଦି ଦେବତାମାନଙ୍କର ୮୪ ଜନ୍ମ
କୁହାଯିବ ତେବେ ନିଶ୍ଚିତ ବ୍ରାହ୍ମଣମାନଙ୍କର ମଧ୍ୟ ୮୪ ଜନ୍ମ ହେବ । ଯେଉଁମାନେ ମୁଖ୍ୟ
ସେହିମାନଙ୍କର ହିଁ ନାମ ରହିଥାଏ । ଏକଥାକୁ କେହି ବି ଜାଣିନାହାଁନ୍ତି । ବାବା ନିଶ୍ଚିତ ଭାବରେ
ବ୍ରହ୍ମାଙ୍କ ଦ୍ୱାରା ହିଁ ସୃଷ୍ଟି ରଚନା କରିଥା’ନ୍ତି । ପ୍ରଥମେ ପ୍ରଥମେ ସୂକ୍ଷ୍ମଲୋକର ରଚନା
କରିଥା’ନ୍ତି ପରେ ପୁଣି ସ୍ଥୂଳଲୋକ । ଏହି କଥା କେବଳ ତୁମେମାନେ ହିଁ ଜାଣିଛ ଯେ ସୂକ୍ଷ୍ମଲୋକ
କେଉଁଠି ଏବଂ ସ୍ଥୂଳଲୋକ କେଉଁଠି? ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ - ଏହାକୁ ତିନିଲୋକ
କୁହାଯାଏ । ଯଦି ବାବାଙ୍କୁ ତ୍ରିଲୋକିନାଥ ବୋଲି କୁହାଯାଉଛି ତେବେ ତାର ଅର୍ଥ ସୁନିଶ୍ଚିତ ରହିଛି
ନା । ତେବେ ତିନିଲୋକ ନିଶ୍ଚିତ ଭାବରେ ଥିବ । ବାସ୍ତବରେ ତ୍ରିଲୋକିନାଥ କେବଳ ବାବାଙ୍କୁ ଏବଂ
ତାଙ୍କ ସନ୍ତାନମାନଙ୍କୁ ହିଁ କୁହାଯାଇପାରିବ । କିନ୍ତୁ ଏଠାରେ ତ କେତେକଙ୍କର ନାମ ତ୍ରିଲୋକିନାଥ,
ଶିବ, ବ୍ରହ୍ମା, ବିଷ୍ଣୁ, ଶଙ୍କର ଇତ୍ୟାଦି ଏହିଭଳି ଭାରତବାସୀମାନେ ନିଜର ନାମ ରଖିଛନ୍ତି ।
ରାଧାକୃଷ୍ଣ, ଲକ୍ଷ୍ମୀ-ନାରାୟଣ ଇତ୍ୟାଦି ଡବଲ ନାମ ମଧ୍ୟ ରଖି ଦେଉଛନ୍ତି । କିନ୍ତୁ କେହି ଏକଥା
ଜାଣି ନାହାଁନ୍ତି ଯେ ରାଧା ଅଲଗା ଏବଂ କୃଷ୍ଣ ଅଲଗା । କୃଷ୍ଣ ଗୋଟିଏ ରାଜ୍ୟର ରାଜକୁମାର ଏବଂ ରାଧା
ଅନ୍ୟ ଗୋଟିଏ ରାଜ୍ୟର ରାଜକୁମାରୀ ଥିଲେ । ତୁମେମାନେ ମଧ୍ୟ ଏହି କଥା ଏବେ ଜାଣୁଛ । ଯେଉଁମାନେ
ବାବାଙ୍କର ବହୁତ ଉତ୍ତମ ସନ୍ତାନ ସେମାନଙ୍କ ବୁଦ୍ଧିରେ ବହୁତ ଭଲ ଭଲ ପଏଣ୍ଟ ଧାରଣ ହୋଇଥାଏ । ଯେପରି
କେହି କେହି ବୁଦ୍ଧିମାନ ଡାକ୍ତର ଥାଆନ୍ତି ସେମାନେ ବହୁତ ଭଲ ଭଲ ଔଷଧର ନାମ ମନେ ରଖିଥା’ନ୍ତି ।
ଠିକ୍ ସେହିଭଳି ଏଠାରେ ମଧ୍ୟ ବାବା ଦିନକୁ ଦିନ ବହୁତ ଭଲ ଭଲ ପଏଣ୍ଟ ଶୁଣାଉଛନ୍ତି । ଦିନକୁ ଦିନ
ବାବା ନୂଆ-ନୂଆ କଥା କହୁଛନ୍ତି । ଯେଉଁମାନଙ୍କର ବହୁତ ଭଲ ବୁଝାଇବାର ଅଭ୍ୟାସ ଥିବ ସେମାନେ ନୂଆ
ନୂଆ ପଏଣ୍ଟ ଧାରଣ କରୁଥିବେ । ଯଦି ଧାରଣା ନ କରିବ ତେବେ ମହାରଥୀମାନଙ୍କ ଧାଡିରେ ସ୍ଥାନ ଦିଆଯାଇ
ପାରିବ ନାହିଁ । ସବୁ କିଛି ବୁଦ୍ଧି ଉପରେ ନିର୍ଭର କରୁଛି ଏବଂ ଏଥିରେ ଭାଗ୍ୟର ମଧ୍ୟ ସମ୍ବନ୍ଧ
ରହିଛି । ଏହା ମଧ୍ୟ ଡ୍ରାମା ଉପରେ ନିର୍ଦ୍ଧାରିତ ଅଛି ନା । ଡ୍ରାମାକୁ ମଧ୍ୟ କେହି
ଜାଣିନାହାଁନ୍ତି । ଏକଥା ମଧ୍ୟ ଜାଣିଛନ୍ତି ଯେ ଆମେ ଏହି କର୍ମକ୍ଷେତ୍ରରେ ଅଭିନୟ କରୁଛୁ । କିନ୍ତୁ
ଯଦି ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିନାହାଁନ୍ତି ତେବେ କିଛି ବି ଜାଣିନାହାଁନ୍ତି । ତୁମମାନଙ୍କୁ
ତ ସବୁକିଛି ଜାଣିବାକୁ ହେବ ।
ତୁମେମାନେ ଜାଣିଗଲ ଯେ ବାବା ଆସିଛନ୍ତି, ତେଣୁ ତୁମର କର୍ତ୍ତବ୍ୟ ହେଲା ଅନ୍ୟମାନଙ୍କୁ ବାବାଙ୍କର
ପରିଚୟ ଦେବା । ସାରା ଦୁନିଆକୁ ଏହି ସନ୍ଦେଶ ଶୁଣାଇବା ତୁମର କର୍ତ୍ତବ୍ୟ । କେହି ଯେମିତି ନ
କୁହନ୍ତୁ ଯେ ବାବା ଆସିଥିଲେ, ଆମେ ଜାଣିପାରିଲୁ ନାହିଁ । ତୁମ ପାଖକୁ ଅନେକ ଆସିବେ । ପତ୍ରିକା
ଆଦି ବହୁତ ନେବେ । ତୁମେମାନେ ଆରମ୍ଭରେ ବହୁତ ସାକ୍ଷାତ୍କାର ମଧ୍ୟ କରିଛ । ଯୀଶୁଖ୍ରୀଷ୍ଟ ଏବଂ
ଇବ୍ରାହିମ୍ ଭାରତକୁ ଆସିଛନ୍ତି । ବାସ୍ତବରେ ଭାରତ ସମସ୍ତଙ୍କୁ ଆକର୍ଷିତ କରିଥାଆନ୍ତି । ପ୍ରକୃତରେ
ଭାରତ ହିଁ ହେଉଛି ବାବାଙ୍କର ଜନ୍ମସ୍ଥାନ । କିନ୍ତୁ ମନୁଷ୍ୟମାନେ ଜାଣିନାହାଁନ୍ତି ଯେ ଭାରତ ହିଁ
ଭଗବାନଙ୍କର ଜନ୍ମସ୍ଥାନ । ଯଦିଓ କହିଦେଉଛନ୍ତି ଯେ ଶିବ ପରମାତ୍ମା ଅଟନ୍ତି କିନ୍ତୁ ସମସ୍ତଙ୍କୁ
ପରମାତ୍ମା କହି ଦେବା ଦ୍ୱାରା ଅବିନାଶୀ ପିତାଙ୍କର ମହତ୍ତ୍ୱକୁ ଲୁପ୍ତ କରିଦେଇଛନ୍ତି । ଏବେ
ତୁମେମାନେ ବୁଝାଉଛ ଯେ ଭାରତ ଭୂମି ହେଉଛି ସବୁଠାରୁ ବଡ ତୀର୍ଥ ସ୍ଥାନ । ବାକି ଅନ୍ୟ ଯେଉଁ ସବୁ
ଧର୍ମପିତାମାନେ ଆସୁଛନ୍ତି, ସେମାନେ କେବଳ ନିଜ ନିଜର ଧର୍ମର ସ୍ଥାପନା କରୁଛନ୍ତି । ପୁଣି ତାଙ୍କ
ପଛରେ ଅନ୍ୟ ସବୁ ଧର୍ମସ୍ଥାପକ କର୍ତ୍ତାମାନେ ଆସୁଛନ୍ତି । ବର୍ତ୍ତମାନ ଅନ୍ତିମ ସମୟ ଅଟେ । ଚେଷ୍ଟା
କରୁଛନ୍ତି କିପରି ଘରକୁ ଫେରିବୁ । କିନ୍ତୁ ତୁମକୁ ଏଠାକୁ ଆଣିଛି କିଏ? ଖ୍ରୀଷ୍ଟ ଆସି
ଖ୍ରୀଷ୍ଟିୟାନ ଧର୍ମ ସ୍ଥାପନ କରିଲେ, ତାଙ୍କ ପଛରେ ତୁମେମାନେ ଆସିଲ । ଏବେ ସବୁ ଫେରିଯିବା ପାଇଁ
ବ୍ୟସ୍ତ ହୋଇଗଲେଣି । ଏକଥା ତୁମକୁ ବୁଝାଇବାକୁ ହେବ ଯେ ସମସ୍ତେ ନିଜ ନିଜର ଅଭିନୟ କରିବା ପାଇଁ
ଆସୁଛନ୍ତି । କିନ୍ତୁ ସମସ୍ତଙ୍କୁ ଏହି ସୃଷ୍ଟି ନାଟକରେ ଅଭିନୟ କରି କରି ଦୁଃଖ ଭୋଗ କରିବାକୁ ହିଁ
ହେବ । ପୁଣି ଦୁଃଖରୁ ଉଦ୍ଧାର କରି ସୁଖକୁ ନେଇଯିବା - ଏହା ତ କେବଳ ବାବାଙ୍କର ହିଁ କାମ । ଭାରତ
ହିଁ ବାବାଙ୍କର ଜନ୍ମସ୍ଥାନ । ଏହି ମହତ୍ତ୍ୱକୁ ତୁମମାନଙ୍କ ଭିତରେ ମଧ୍ୟ ଅନେକ ଜାଣିନାହାଁନ୍ତି ।
ବହୁତ କମ୍ ଅଛନ୍ତି ଯେଉଁମାନେ ଏହି ମହତ୍ତ୍ୱକୁ ଜାଣିଛନ୍ତି ଏବଂ ସେହି ନିଶାରେ ମଧ୍ୟ ରହୁଛନ୍ତି ।
ପ୍ରତିକଳ୍ପରେ ବାବା କେବଳ ଭାରତରେ ହିଁ ଆସିଥା’ନ୍ତି । ଏହି କଥା ସମସ୍ତଙ୍କୁ କୁହ । ସମସ୍ତଙ୍କୁ
ନିମନ୍ତ୍ରଣ ଦିଅ । ପ୍ରଥମେ ତ ଏହି ସେବା କରିବାକୁ ହେବ । ପତ୍ରିକା ପ୍ରସ୍ତୁତ କରିବାକୁ ପଡିବ ।
ନିମନ୍ତ୍ରଣ ସମସ୍ତଙ୍କୁ ଦେବାକୁ ହେବ । ରଚୟିତା ଏବଂ ରଚନାର ଜ୍ଞାନକୁ କେହି ବି ଜାଣି ନାହାଁନ୍ତି
। ସେବାଯୋଗ୍ୟ ହୋଇ ନିଜର ନାମକୁ ବିଖ୍ୟାତ କରିବାକୁ ହେବ । ଯେଉଁମାନେ ତୀକ୍ଷ୍ଣ ବୁଦ୍ଧି
ସମ୍ପନ୍ନ, ଯାହାଙ୍କର ବୁଦ୍ଧିରେ ଅନେକ ଜ୍ଞାନର ପଏଣ୍ଟ ରହିଥାଏ, ସମସ୍ତେ ତାଙ୍କୁ ସହଯୋଗ
ମାଗିଥା’ନ୍ତି । ତାଙ୍କର ନାମକୁ ଜପ କରିଥାଆନ୍ତି । ପ୍ରଥମେ ତ ଶିବବାବାଙ୍କର ନାମକୁ ଜପ
କରିଥା’ନ୍ତି ତା’ପରେ ପୁଣି ବ୍ରହ୍ମାବାବାଙ୍କର ନାମ, ତା’ପରେ ପିଲାମାନଙ୍କର ନାମ-ଜପ କରିଥା’ନ୍ତି
। ଭକ୍ତିମାର୍ଗରେ ପୁଣି ହାତରେ ମାଳା ଧରି ଜପ କରିଥା’ନ୍ତି । ଏବେ ତ ମୁଖରେ ନାମ ଜପ କରୁଛନ୍ତି
କି ଅମୁକ ବହୁତ ଭଲ ସେବାଧାରୀ, ନିରହଂକାରୀ, ବହୁତ ଭଲ ମିଠା ସ୍ୱଭାବର, ତାଙ୍କଠାରେ କୌଣସି
ଦେହ-ଅଭିମାନ ନାହିଁ । କଥିତ ଅଛି ନା - ମିଠ୍ରା ଘୁର୍ ତୋ ଘୁରାଏ ଅର୍ଥାତ୍ ତୁମେ ଯେତେ ମିଠା
ସ୍ୱଭାବର ହେବ ତୁମ ସହିତ ସମସ୍ତେ ସେତେ ମିଠା ବ୍ୟବହାର କରିବେ । ବାବା କହୁଛନ୍ତି ତୁମେ ଏବେ
ଦୁଃଖୀ ହୋଇଯାଇଛ । ଯଦି ମୋତେ ମନେ ପକାଇବ ତେବେ ମୁଁ ତୁମକୁ ସାହାଯ୍ୟ କରିବି । ଯଦି ତୁମେ ଘୃଣା
କରିବ ତେବେ ମୁଁ କ’ଣ କରିପାରିବି । ଇଏ ତ ଯେପରି ନିଜ ଉପରେ ଘୃଣା କରିବା ହୋଇଗଲା । ଯଦି ଏପରି
କରିବ ତେବେ ତୁମେ ସେଠାରେ ଭଲ ପଦ ପାଇପାରିବ ନାହିଁ । କେତେ ଅସରନ୍ତି ଧନ ମିଳୁଛି । ଯଦି କାହାକୁ
ବହୁତ ବଡ ଲଟେରୀ ମିଳିଯାଏ ତେବେ ସିଏ କେତେ ଖୁସି ହୋଇଥାଏ । ଲଟେରୀରେ ମଧ୍ୟ କେତେ ପ୍ରକାରର
ପୁରସ୍କାର ଥାଏ । ପ୍ରଥମ ପୁରସ୍କାର, ଦ୍ୱିତୀୟ ପୁରସ୍କାର, ତୃତୀୟ ପୁରସ୍କାର ଥାଏ ନା । ଠିକ୍
ସେହିଭଳି ଇଏ ମଧ୍ୟ ଈଶ୍ୱରୀୟ ରେସ୍ ଅର୍ଥାତ୍ ଦୌଡ । ଏଠାରେ ଜ୍ଞାନ ଏବଂ ଯୋଗବଳର ରେସ୍ ଚାଲିଛି ।
ଏହି ରେସ୍ରେ ଯିଏ ଆଗରେ ରହିବେ ସିଏ ହିଁ ବାବାଙ୍କର ଗଳାର ହାର ହୋଇପାରିବେ ଏବଂ ସତ୍ୟଯୁଗୀ
ରାଜ୍ୟ ସିଂହାସନର ନିକଟରେ ବସିବେ । ବାବା ତ ସରଳ ରୂପେ ବୁଝାଉଛନ୍ତି । ନିଜର ଘରର ଦାୟିତ୍ୱକୁ
ମଧ୍ୟ ବହନ କରିବାକୁ ହେବ କାରଣ ତୁମେମାନେ ହେଉଛ କର୍ମଯୋଗୀ । ଏଠାରେ କ୍ଲାସରେ ଗୋଟିଏ ଘଣ୍ଟା ପଢି
ପୁଣି ଘରକୁ ଯାଇ ତା’ଉପରେ ବିଚାର କର । ସ୍କୁଲର ବିଦ୍ୟାର୍ଥୀମାନେ ମଧ୍ୟ ଏହିଭଳି କରିଥା’ନ୍ତି ନା
। ସ୍କୁଲରେ ପାଠପଢି ପୁଣି ଘରେ ଯାଇ ସେହି ପାଠ ପଢିଥାଆନ୍ତି । ବାବା ମଧ୍ୟ କହୁଛନ୍ତି ଦିନକୁ
ଘଡିଏ ହେଉ ବା ଅଧଘଡି ହେଉ ଅଭ୍ୟାସ କରିବା ଉଚିତ୍ କାରଣ ଗୋଟିଏ ଦିନକୁ ୮ ଘଡିରେ ବିଭକ୍ତ କରାଯାଇଛି
। ସେଥିରୁ ମଧ୍ୟ ବାବା କହୁଛନ୍ତି ଏକ ଘଡି (ପ୍ରହର) ହେଉ ବା ଅଧାଘଡି ହେଉ - ଅଭ୍ୟାସ କରିବା ଉଚିତ୍
। ୧୫/୨୦ ମିନିଟ୍ ମଧ୍ୟ କ୍ଲାସରେ ବସି, ଜ୍ଞାନକୁ ଧାରଣ କରି ପୁଣି ନିଜ କର୍ମଧନ୍ଦାରେ ଲାଗିଯାଅ ।
ପୂର୍ବରୁ ତ ବାବା ଯୋଗ କରିବା ପାଇଁ ବସାଉଥିଲେ ଏବଂ କହୁଥିଲେ ବାବାଙ୍କୁ ସ୍ମରଣ କର, ସ୍ୱଦର୍ଶନ
ଚକ୍ର ଘୂରାଅ । ବାବାଙ୍କୁ ମନେ ପକାଇବାର ଶବ୍ଦ ତ ଥିଲା ନା । ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ
ପକାଇ ପକାଇ, ସ୍ୱଦର୍ଶନ ଚକ୍ର ଘୂରାଇ ଘୂରାଇ ଯେତେବେଳେ ନିଦ ଆସିବ ସେତେବେଳେ ଶୋଇଯିବ । ଏହିଭଳି
ଅଭ୍ୟାସ କଲେ ଅନ୍ତିମ ମତି ଅନୁସାରେ ତୁମକୁ ଗତି ଅର୍ଥାତ୍ ମୁକ୍ତି ମିଳିଯିବ । ପୁଣି ଯେତେବେଳେ
ସକାଳୁ ସକାଳୁ ଉଠିବ ତେବେ ସେହି ପଏଣ୍ଟ ମନେ ପଡିଯିବ । ଏହିଭଳି ଅଭ୍ୟାସ କରି କରି ତୁମେମାନେ
ନିଦ୍ରାଜିତ୍ ହୋଇଯିବ ।
ଯିଏ କରିବ ସିଏ ପାଇବ । ଯେଉଁମାନେ କରିଥା’ନ୍ତି ସେମାନଙ୍କର ଚାଲି ଚଳଣୀରୁ ଜଣାପଡିଯାଏ ।
ଯେଉଁମାନେ ଅଭ୍ୟାସ କରି ନ ଥାଆନ୍ତି ସେମାନଙ୍କର ଚାଲିଚଳଣୀ ଅଲଗା । ଜଣାପଡିଯାଏ ଏମାନେ ବିଚାର
ସାଗର ମନ୍ଥନ କରୁଛନ୍ତି, ଧାରଣା କରୁଛନ୍ତି । ତୁମମାନଙ୍କଠାରେ କୌଣସି ଲୋଭ ଇତ୍ୟାଦି ମଧ୍ୟ ରହିବା
ଉଚିତ୍ ନୁହେଁ । ଏହି ଶରୀର ତ ପୁରୁଣା, ତେବେ ଶରୀର ମଧ୍ୟ ଠିକ୍ ସେତେବେଳେ ରହିବ ଯେତେବେଳେ
ଜ୍ଞାନ ଏବଂ ଯୋଗର ଧାରଣା ଠକି୍ ରହିବ । ଯଦି ଧାରଣା ଠିକ୍ ନ ରହିବ ତେବେ ଶରୀର ଆହୁରି ଖରାପ
ହୋଇଯିବ । ନୂଆ ଶରୀର ତ ଭବିଷ୍ୟତରେ ମିଳିବ । ତେଣୁ ଆତ୍ମାକୁ ପବିତ୍ର କରିବାକୁ ହେବ । ବାକି ଏହି
ପୁରୁଣା ଶରୀରକୁ କେତେ ବି ପାଉଡର୍, ଲିପିଷ୍ଟିକ, ଇତ୍ୟାଦି ଲଗାଅ, କେତେ ବି ସଜାଅ, ହେଲେ ଏହା ତ
ପଇସାକର ବି ମୂଲ୍ୟ ନୁହେଁ । ତେଣୁ ନିଜକୁ ଏଭଳି ସଜାଇବା ବ୍ୟର୍ଥ ଅଟେ ।
ଏବେ ତୁମ ସମସ୍ତଙ୍କର ନିର୍ବନ୍ଧ ଶିବବାବାଙ୍କ ସଙ୍ଗରେ ହୋଇଛି । ଯେଉଁଦିନ ବିବାହ ହୁଏ ସେହିଦିନ
ପୁରୁଣା ବସ୍ତ୍ର ପିନ୍ଧନ୍ତି । ତୁମମାନଙ୍କୁ ମଧ୍ୟ ଏହି ପୁରୁଣା ଶରୀର ରୂପୀ ବସ୍ତ୍ରକୁ ସଜାଇବା
ଉଚିତ୍ ନୁହେଁ । ଜ୍ଞାନ ଏବଂ ଯୋଗ ଦ୍ୱାରା ଯେତେ ନିଜକୁ ସଜାଇବ ସେହି ଅନୁସାରେ ଭବିଷ୍ୟତରେ
ରାଜକୁମାର ରାଜକୁମାରୀ ହେବ । ଏହା ହେଉଛି ଜ୍ଞାନ ମାନ ସରୋବର । ଏଥିରେ ଜ୍ଞାନର ବୁଡ ପକାଉଥାଅ
ତେବେ ସ୍ୱର୍ଗର ପରୀ ହୋଇଯିବ । ପ୍ରଜାମାନଙ୍କୁ ତ ପରୀ କୁହାଯିବ ନାହିଁ । କୁହାଯାଇଛି,
ଶ୍ରୀକୃଷ୍ଣ କନ୍ୟାମାନଙ୍କୁ ହରଣ କରି ମହାରାଣୀ, ପାଟରାଣୀ କରି ରଖିଥିଲେ । ଏପରି ତ କୁହାଯାଉ ନାହିଁ
ଯେ ଅପହରଣ କରି ନେଇ ପ୍ରଜା କିମ୍ବା ଚଣ୍ଡାଳ ଇତ୍ୟାଦି କରିଦେଲେ । ମହାରାଜା, ମହାରାଣୀ କରିବା
ପାଇଁ ହିଁ ଅପହରଣ କରିଥିଲେ । ତେବେ ତୁମମାନଙ୍କୁ ମଧ୍ୟ ଏହିପରି ପୁରୁଷାର୍ଥ କରିବା ଆବଶ୍ୟକ ।
ଏଭଳି ନୁହେଁ କି ଯାହା ପଦ ମିଳିଲେ ଚଳିବ... ଏଠାରେ ମୁଖ୍ୟ କଥା ହେଲା ପାଠପଢା । ଏହା ପାଠଶାଳା
ଅଟେ ନା । ଗୀତା ପାଠଶାଳା ବହୁତ ଖୋଲାଯାଇଛି । ସେମାନେ କେବଳ ଗୀତା ଶୁଣାଇଥାନ୍ତି । ଗୀତାକୁ
କଣ୍ଠସ୍ଥ କରାଇଥାନ୍ତି । ଯେ କୌଣସି ଗୋଟିଏ ଶ୍ଲୋକକୁ ନେଇ ଅଧଘଣ୍ଟା କିମ୍ବା ୪୫ ମିନିଟ୍
ପର୍ଯ୍ୟନ୍ତ ବୁଝାଇଥା’ନ୍ତି । କିନ୍ତୁ ଏସବୁ ଦ୍ୱାରା ତ କୌଣସି ଲାଭ ନାହିଁ । ଏଠାରେ ତ ବାବା ନିଜେ
ବସି ପାଠ ପଢାଉଛନ୍ତି, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ରହିଛି । କିନ୍ତୁ ଅନ୍ୟ କୌଣସି ବି
ବେଦ-ଶାସ୍ତ୍ର, ଜପ-ତପ ଇତ୍ୟାଦିରେ କୌଣସି ଲକ୍ଷ୍ୟ-ଉଦ୍ଦେଶ୍ୟ ତ ନାହିଁ । ବାସ୍, କେବଳ
ପୁରୁଷାର୍ଥ କରିଥାନ୍ତି । କିନ୍ତୁ ତାହାଦ୍ୱାରା କ’ଣ ମିଳିବ? ଯେତେବେଳେ ବହୁତ ଭକ୍ତି କରିବ
ସେତେବେଳେ ଯାଇ ଭଗବାନ ମିଳିବେ ତଥାପି ମଧ୍ୟ ରାତି ପରେ ଦିନ ତ ନିଶ୍ଚିତ ଆସିବ । ସବୁ କିଛି ସମୟ
ଅନୁସାରେ ହେବ ନା । କଳ୍ପର ଆୟୁଷ ମଧ୍ୟ କେହି କ’ଣ କେହି କ’ଣ କହୁଛନ୍ତି । ଯଦି ସେହି ବିଷୟରେ
ବୁଝାଇବ ତେବେ କହୁଛନ୍ତି ଶାସ୍ତ୍ର କିପରି ମିଛ ହେବ? ଭଗବାନ କ’ଣ କେବେ ମିଛ କହିବେ । ଏସବୁ କଥା
ବୁଝାଇବା ପାଇଁ କେବଳ ସାହସ ଦରକାର ।
ତୁମମାନଙ୍କୁ ଯୋଗବଳର ଆବଶ୍ୟକତା ରହିଛି । ଯୋଗବଳ ଦ୍ୱାରା ସମସ୍ତ କାର୍ଯ୍ୟ ସହଜ ହୋଇଯାଏ । ଯଦି
କୌଣସି କାର୍ଯ୍ୟ କରିପାରୁ ନାହଁ ତେବେ ଜାଣ ଯୋଗର ଶକ୍ତି ନାହିଁ । କେଉଁଠି କେଉଁଠି ବାବା ମଧ୍ୟ
ସାହାଯ୍ୟ କରିଥାନ୍ତି । ଡ୍ରାମାରେ ଯାହା ଅଛି ତାହାର ଅବିକଳ ପୁନରାବୃତ୍ତି ହେଉଛି । ଏହି କଥା
ମଧ୍ୟ ତୁମେମାନେ ବୁଝୁଛ ଅନ୍ୟ କେହି ଡ୍ରାମାକୁ ବୁଝିନାହାଁନ୍ତି । ଯଦି ଗୋଟିଏ ସେକେଣ୍ଡ ମଧ୍ୟ
ଅତିକ୍ରମ କରାଯାଉଛି, ସେଥିରେ ସୃଷ୍ଟି ରୂପି ଘଡି ଟିକ୍ ଟିକ୍ ହୋଇ ଆଗକୁ ବଢୁଛି । ଆମେମାନେ
ଶ୍ରୀମତ ଅନୁସାରେ ଅଭିନୟ କରୁଛେ । ଯଦି ଶ୍ରୀମତରେ ନ ଚାଲିବ ତେବେ ଶ୍ରେଷ୍ଠ କିପରି ହେବ । କିନ୍ତୁ
ସମସ୍ତେ ଏକାଭଳି ହୋଇପାରିବେ ନାହିଁ । ମନୁଷ୍ୟ ଭାବୁଛନ୍ତି ଆମେ ସମସ୍ତେ ମିଶି ଏକ ହୋଇଯିବୁ ।
କିନ୍ତୁ ଏକ ହେବାର ଅର୍ଥକୁ ବୁଝିନାହାଁନ୍ତି । କ’ଣ ଏକ ହୋଇଯିବେ? କ’ଣ ଏକ ପିତା ହୋଇଯିବା ଦରକାର
ନା, ଭାଇ ଭାଇ ଏକ ହୋଇଯିବା ଦରକାର? ଯଦି ଭାଇ କୁହାଯିବ ତେବେ ବି ଠିକ୍ ହେବ । ବାସ୍ତବରେ ଶ୍ରୀମତ
ଦ୍ୱାରା ହିଁ ଆମେମାନେ ଏକ ହୋଇପାରିବା । ତୁମେ ସମସ୍ତେ ଏକମତ ହୋଇ ଚାଲୁଛ । ତୁମର ପିତା, ଶିକ୍ଷକ
ଏବଂ ଗୁରୁ ଜଣେ ଅଟନ୍ତି । ଯେଉଁମାନେ ସମ୍ପୂର୍ଣ୍ଣ ଶ୍ରୀମତରେ ନ ଚାଲିବେ ସେମାନେ ଶ୍ରେଷ୍ଠ ମଧ୍ୟ
ହୋଇପାରିବେ ନାହିଁ । ଯଦି ବିଲକୁଲ୍ ଶ୍ରୀମତରେ ନ ଚାଲିବେ ତେବେ ଏହି ଜ୍ଞାନମାର୍ଗରେ ଆଉ
ରହିପାରିବେ ନାହିଁ । ତେବେ ଦୌଡ ପ୍ରତିଯୋଗିତାରେ ସେହିମାନଙ୍କୁ ହିଁ ନିଆଯାଇଥାଏ ଯେଉଁମାନେ
ଯୋଗ୍ୟ ହୋଇଥା’ନ୍ତି । ଯେତେବେଳେ କୌଣସି ବଡ ପ୍ରତିଯୋଗିତା ହୁଏ ସେଥିପାଇଁ ବହୁତ ଭଲ ଭଲ ଘୋଡା
ମଧ୍ୟ ବାଛିଥା’ନ୍ତି କାରଣ ସେଠାରେ ବଡ ଲଟେରୀ ରଖିଥାନ୍ତି । ଏହା ମଧ୍ୟ ଘୋଡା ଦୌଡ ସଦୃଶ ଅଟେ ।
ହୁସେନଙ୍କର ଘୋଡା କହିଥାନ୍ତି ନା । ସେମାନେ ହୁସେନଙ୍କୁ ଘୋଡା ଉପରେ ବସି ଯୁଦ୍ଧ କରୁଥିବାର
ଦେଖାଇଛନ୍ତି । ଏବେ ତୁମେମାନେ ତ ଡବଲ ଅହିଂସକ ଅଟ । କାମ ବିକାର ହିଂସା ହେଉଛି ପ୍ରଥମ ନମ୍ବରର
ହିଂସା । ଏହି ହିଂସାକୁ କେହି ଜାଣି ନାହାଁନ୍ତି । ସନ୍ନ୍ୟାସୀମାନେ ମଧ୍ୟ ଏହି ହିଂସାକୁ
ଜାଣିନାହାଁନ୍ତି । କେବଳ ଏହାକୁ ବିକାର ବୋଲି କହିଥାନ୍ତି । ବାବା କହୁଛନ୍ତି କାମ ବିକାର
ମହାଶତ୍ରୁ ଅଟେ, ଏହି ମହାଶତ୍ରୁ ହିଁ ଆଦି-ମଧ୍ୟ-ଅନ୍ତ ତୁମକୁ ଦୁଃଖ ଦେଉଛି । ଏହି କଥାକୁ ତୁମକୁ
ସିଦ୍ଧ କରିବାର ଅଛି ଯେ ଏହା ହେଉଛି ପ୍ରବୃତ୍ତିମାର୍ଗର ରାଜଯୋଗ । ତୁମମାନଙ୍କର ହେଉଛି ହଠଯୋଗ ।
ତୁମେ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ହଠଯୋଗ ଶିଖୁଛ, ଆମେ ଶିବାଚାର୍ଯ୍ୟଙ୍କ ଦ୍ୱାରା ରାଜଯୋଗ ଶିଖୁଛୁ
। ଏହିଭଳି କଥା ସବୁ ସମୟ ଅନୁସାରେ ସମସ୍ତଙ୍କୁ ଶୁଣାଇବା ଦରକାର ।
କେହି ଯଦି ତୁମକୁ ପଚାରୁଛନ୍ତି ଯେ ଦେବତାମାନେ ୮୪ ଜନ୍ମ ନେଉଛନ୍ତି ତେବେ ଖ୍ରୀଷ୍ଟିୟାନମାନେ କେତେ
ଜନ୍ମ ନେଉଛନ୍ତି? ତେବେ ସେମାନଙ୍କୁ କୁହ, ଏହି କଥାର ହିସାବ ତୁମେ କର । ୫ ହଜାର ବର୍ଷରେ ୮୪
ଜନ୍ମ ହେଉଛି । ଯୀଶୁ ଖ୍ରୀଷ୍ଟଙ୍କୁ ଜନ୍ମ ନେବାର ୨ ହଜାର ବର୍ଷ ହେଲା । ହିସାବ କର ହାରାହାରି
କେତେ ଜନ୍ମ ହେଉଛି? ତେବେ ୩୦ କିମ୍ବା ୩୨ ଜନ୍ମ ହୋଇଥିବ । ଏହା ତ ବହୁତ ସ୍ପଷ୍ଟ କଥା । ଯେଉଁମାନେ
ବହୁତ ସୁଖ ପାଆନ୍ତି ସେମାନେ ଦୁଃଖ ମଧ୍ୟ ବହୁତ ପାଇଥାଆନ୍ତି । କିନ୍ତୁ ଏମାନଙ୍କୁ କମ୍ ସୁଖ କମ୍
ଦୁଃଖ ମିଳୁଛି । ହାରାହାରି କେତେ ଜନ୍ମ, ଏହାର ହିସାବ ବାହାର କରିବା ଦରକାର । ଯେଉଁମାନେ ପରେ
ଆସୁଛନ୍ତି ସେମାନେ ବହୁତ କମ୍ ଜନ୍ମ ନେଇଥା’ନ୍ତି । ବୁଦ୍ଧଦେବ ଏବଂ ଇବ୍ରାହିମଙ୍କର ମଧ୍ୟ ହିସାବ
ବାହାର କରିପାରିବ । ହିସାବରେ ଗୋଟିଏ କିମ୍ବା ଦୁଇ ଜନ୍ମର ଫରକ ହୋଇପାରେ । ତେବେ ଏସବୁର ବିଚାର
ସାଗର ମନ୍ଥନ କରିବା ଦରକାର । ଯଦି କେହି ପଚାରିବେ ତେବେ କ’ଣ ବୁଝାଇବ? ତେବେ କୁହ - ପ୍ରଥମେ
ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି ନା । ତୁମେ ବାବାଙ୍କୁ ତ ମନେ ପକାଅ । ଯେତେ ଜନ୍ମ ନେବାର
ଥିବ ନେବ । ପ୍ରଥମେ ବାବାଙ୍କ ଠାରୁ ସମ୍ପତ୍ତି ତ ନିଅ । ଏସବୁ କଥା ବହୁତ ଭଲ ଭାବରେ ବୁଝାଇବାକୁ
ହେବ । ଏହା ବହୁତ ମେହନତର କାମ । ପରିଶ୍ରମ କଲେ ହିଁ ସଫଳତା ମିଳିବ । ଏଥିରେ ବୁଦ୍ଧି ବିଶାଳ ହେବା
ଦରକାର । ବାବାଙ୍କର ସମ୍ପତ୍ତି ଏବଂ ବାବାଙ୍କଠାରେ ବହୁତ ସ୍ନେହ ରହିବା ଆବଶ୍ୟକ । କେହି କେହି ତ
ବାବାଙ୍କଠାରୁ ସମ୍ପତ୍ତି ନେଉନାହାଁନ୍ତି । ଆରେ, ଜ୍ଞାନ ରତ୍ନକୁ ତ ଧାରଣ କର । ତେବେ କହୁଛନ୍ତି
ଆମେ କ’ଣ କରିବୁ? ଆମେ କିଛି ବି ବୁଝିପାରୁନାହୁଁ । ଯଦି ଏତେ ବୁଝାଇବା ସତ୍ୱେ ନ ବୁଝିପାରୁଛ ତେବେ
ତାହା ହେଉଛି ତୁମର ଭାଗ୍ୟ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କାହାକୁ ବି
ଘୃଣା କରିବା ଉଚିତ୍ ନୁହେଁ । ସମସ୍ତଙ୍କୁ ମଧୁର ବ୍ୟବହାର କରିବା ଆବଶ୍ୟକ । ଜ୍ଞାନ-ଯୋଗର ଦୌଡ କରି
ବାବାଙ୍କ ଗଳାର ହାର ହୋଇଯିବା ଉଚିତ୍ ।
(୨) ନିଦ୍ରାଜିତ୍ ହୋଇ
ସକାଳୁ ସକାଳୁ ଉଠି ବାବାଙ୍କୁ ମନେ ପକାଇବାକୁ ହେବ । ସ୍ୱଦର୍ଶନ ଚକ୍ର ଘୁରାଇବାକୁ ହେବ । ଯାହା
ସବୁ ଶୁଣୁଛ ତା’ ଉପରେ ବିଚାର ସାଗର ମନ୍ଥନ କରିବାର ଅଭ୍ୟାସ କରିବାକୁ ହେବ ।
ବରଦାନ:-
ମନ-ବୁଦ୍ଧିକୁ
ଶ୍ରୀମତର ନିର୍ଦ୍ଦେଶ ଅନୁସାରେ ଶ୍ରେଷ୍ଠ ସ୍ଥିତିରେ ସ୍ଥିତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ହୁଅ
।
କେତେକ ପିଲା ଯେତେବେଳେ
ଯୋଗ କରିବା ପାଇଁ ବସୁଛନ୍ତି ସେତେବେଳେ ଆତ୍ମ-ଅଭିମାନୀ ହେବା ପରିବର୍ତ୍ତେ ସେବା ମନେ ପଡୁଛି,
କିନ୍ତୁ ଏଭଳି ହେବା ଉଚିତ୍ ନୁହେଁ, କାହିଁକି ନା ଅନ୍ତିମ ପରୀକ୍ଷା ସମୟରେ ଯଦି ଅଶରୀରୀ ହେବା
ପରିବର୍ତ୍ତେ ସେବା ମଧ୍ୟ ସଂକଳ୍ପ ଚାଲିବ ତେବେ ଗୋଟିଏ ସେକେଣ୍ଡର ପରୀକ୍ଷାରେ ଫେଲ୍ ହୋଇଯିବ ।
ସେହି ସମୟରେ କେବଳ ନିରାକାରୀ, ନିର୍ବିକାରୀ, ନିରହଂକାରୀ ସ୍ଥିତିରେ ସ୍ଥିତ ହେବା ସହିତ ଏକମାତ୍ର
ବାବାଙ୍କର ହିଁ ସ୍ମୃତି ରହିବା ଦରକାର - ଏହା ବ୍ୟତୀତ ଯେପରି ଅନ୍ୟ କିଛି ବି ସ୍ମୃତିରେ ନ ଆସେ ।
ସେବାର ସ୍ମୃତି ଆସିବା ଦ୍ୱାରା ତ ସାକାର ସ୍ଥିତିକୁ ଆସିଯାଉଛ । ସେଥିପାଇଁ ଏହିଭଳି ଅଭ୍ୟାସ କର
ଯେ ଯେଉଁ ସମୟରେ ଯେଉଁ ସ୍ଥିତିରେ ସ୍ଥିତି ହେବାକୁ ଚାହିଁବ, ହୋଇପାରୁଥିବ - ତେବେ କୁହାଯିବ
ମାଷ୍ଟର ସର୍ବଶକ୍ତିମାନ, ନିୟନ୍ତ୍ରଣ କରିବାର ଏବଂ ଶାସନ କରିବାର ଶକ୍ତିର ଅଧିକାରୀ ଆତ୍ମା ।
ସ୍ଲୋଗାନ:-
ଯେକୌଣସି
ପରିସ୍ଥିତିକୁ ସହଜରେ ଅତିକ୍ରମ କରିବାର ଆଧାର ହେଲା - ଏକ ବଳ, ଏକ ଭରସା ।