18.02.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏକମାତ୍ର ସୁଖଦାତା ବାବାଙ୍କୁ ହିଁ ମନେ ପକାଅ, ଏହି ସ୍ୱଳ୍ପ ସମୟ ମଧ୍ୟରେ ଯୋଗବଳ ଜମା କର ତେବେ ଶେଷ ସମୟରେ ବହୁତ କାମରେ ଆସିବ ।

ପ୍ରଶ୍ନ:-
ବେହଦର ବୈରାଗୀ ପିଲାମାନେ, ତୁମକୁ କେଉଁ ସ୍ମୃତି ସର୍ବଦା ରହିବା ଉଚିତ୍?

ଉତ୍ତର:-
ଏହା ଆମର ଛି-ଛି ଅର୍ଥାତ୍ ପତିତ ଶରୀର ଅଟେ, ଏହାକୁ ଛାଡି ଘରକୁ ଫେରିଯିବାକୁ ହେବ - ଏହି ସ୍ମୃତି ସଦା ସର୍ବଦା ରହିବା ଉଚିତ୍ । କେବଳ ବାବା ଏବଂ ତାଙ୍କର ସମ୍ପତ୍ତି ହିଁ ମନେ ରହୁ ଅନ୍ୟ କୌଣସି କଥା ମନେ ନ ପଡୁ । ଏହା ହିଁ ହେଉଛି ବେହଦର ବୈରାଗ୍ୟ । କର୍ମ କରି ମଧ୍ୟ ଯୋଗରେ ରହିବାର ଏଭଳି ପୁରୁଷାର୍ଥ କରିବାକୁ ହେବ ଯାହା ଦ୍ୱାରା ପାପର ବୋଝ ମୁଣ୍ଡ ଉପରୁ ଓହ୍ଲାଇଯିବ । ଆତ୍ମା ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ ।

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ପ୍ରତିଦିନ ବହୁତ ସହଜ ସହଜ କଥା ବୁଝାଉଛନ୍ତି । ଏହା ହେଉଛି ଈଶ୍ୱରୀୟ ପାଠଶାଳା । ନିଶ୍ଚିତ ଭାବରେ ଗୀତାରେ ମଧ୍ୟ ଭଗବାନଉବାଚ କୁହାଯାଇଛି । ସମସ୍ତଙ୍କର ଭଗବାନ ପିତା ଜଣେ ହିଁ ଅଟନ୍ତି । ସମସ୍ତେ ତ ଭଗବାନ ହୋଇପାରିବେ ନାହିଁ । ହଁ ସମସ୍ତେ ଜଣେ ପିତାଙ୍କର ସନ୍ତାନ ହୋଇପାରିବେ । ଏକଥା ନିଶ୍ଚୟ ବୁଦ୍ଧିରେ ଆସିବା ଦରକାର ଯେ ବାବା ହିଁ ସ୍ୱର୍ଗ ନୂଆ ଦୁନିଆର ସ୍ଥାପନାକାରୀ ଅଟନ୍ତି । ସେହି ବାବାଙ୍କଠାରୁ ଆମକୁ ସ୍ୱର୍ଗର ସମ୍ପତ୍ତି ନିଶ୍ଚିତ ମିଳିଥିବ । ଭାରତରେ ହିଁ ଶିବଜୟନ୍ତୀର ଗାୟନ ରହିଛି । କିନ୍ତୁ ଶିବଜୟନ୍ତୀ କିପରି ହେଉଛି ଏକଥା ତ ବାବା ହିଁ ଆସି ବୁଝାଉଛନ୍ତି । ବାବା ଆସିଥାନ୍ତି କଳ୍ପର ସଂଗମଯୁଗରେ ପିଲାମାନଙ୍କୁ ପୁନର୍ବାର ପତିତରୁ ପବିତ୍ର କରିବା ପାଇଁ ଅର୍ଥାତ୍ ସମ୍ପତ୍ତି ଦେବା ପାଇଁ । ଏହି ସମୟରେ ସମସ୍ତଙ୍କୁ ରାବଣର ଅଭିଶାପ ମିଳିଛି ସେଥିପାଇଁ ସମସ୍ତେ ଦୁଃଖୀ ଅଟନ୍ତି । ଏବେ କଳିଯୁଗୀ ପୁରୁଣା ଦୁନିଆ ରହିଛି । ଏକଥା ସର୍ବଦା ମନେ ରଖ ଯେ ଆମେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ଅଟୁ । ଯିଏବି ନିଜକୁ ବ୍ରହ୍ମାକୁମାର କୁମାରୀ ଭାବୁଛନ୍ତି ସେମାନଙ୍କୁ ନିଶ୍ଚିତ ଏହି କଥା ବୁଝିବା ଦରକାର ଯେ କଳ୍ପ କଳ୍ପ ଆମେ ବ୍ରହ୍ମାଙ୍କ ଦ୍ୱାରା ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଏତେ ସନ୍ତାନ ତ ଆଉ କାହାର ହୋଇପାରିବେ ନାହିଁ । ସିଏ ହେଲେ ସମସ୍ତଙ୍କର ପିତା । ବ୍ରହ୍ମା ମଧ୍ୟ ତାଙ୍କର ସନ୍ତାନ । ସମସ୍ତ ସନ୍ତାନଙ୍କୁ ସମ୍ପତ୍ତି ସେହି ପିତାଙ୍କଠାରୁ ହିଁ ମିଳୁଛି । ତାଙ୍କଠାରୁ ସତ୍ୟଯୁଗର ରାଜଧାନୀ ସମ୍ପତ୍ତି ରୂପରେ ମିଳୁଛି । ସେହି ଅବିନାଶୀ ପିତା ଯେହେତୁ ସ୍ୱର୍ଗର ରଚୟିତା ଅଟନ୍ତି ତେଣୁ ଆମକୁ ନିଶ୍ଚିତ ଭାବରେ ସ୍ୱର୍ଗର ରାଜ୍ୟପଦ ମିଳିବା ଦରକାର । କିନ୍ତୁ ଏକଥା ମଧ୍ୟ ସମସ୍ତେ ଭୁଲି ଯାଇଛନ୍ତି । ଆମକୁ ସ୍ୱର୍ଗର ରାଜ୍ୟଭାଗ୍ୟ ମିଳିଥିଲା । କିନ୍ତୁ ନିରାକାର ବାବା ରାଜ୍ୟଭାଗ୍ୟ ଦେବେ କିପରି, ନିଶ୍ଚିତ ବ୍ରହ୍ମାଙ୍କ ଦ୍ୱାରା ହିଁ ଦେବେ । ଭାରତରେ ଏହାଙ୍କର ରାଜ୍ୟ ଥିଲା । ଏବେ କଳ୍ପର ସଂଗମଯୁଗ ଅଟେ । ସଂଗମଯୁଗରେ ବ୍ରହ୍ମା ଉପସ୍ଥିତ ଥିବାରୁ ତ ବ୍ରହ୍ମାକୁମାର କୁମାରୀ ବୋଲି କୁହାଯାଉଛି । ଏଠାରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ । ସମସ୍ତେ ବ୍ରହ୍ମାଙ୍କର ମୁଖବଂଶୀ ବା ପୋଷ୍ୟ ସନ୍ତାନ ଅଟନ୍ତି । ଆମେ ବ୍ରହ୍ମାକୁମାର କୁମାରୀ ଅଟୁ । ବ୍ରହ୍ମା ଶିବବବାବାଙ୍କର ସନ୍ତାନ ଅଟନ୍ତି, ଆମକୁ ଶିବବାବାଙ୍କଠାରୁ ପୁନର୍ବାର ସ୍ୱର୍ଗର ବାଦଶାହୀ ମିଳୁଛି । ପୂର୍ବରୁ ମଧ୍ୟ ଏହି ସମ୍ପତ୍ତି ମିଳିଥିଲା ଯାହା ୫ ହଜାର ବର୍ଷ ହୋଇଗଲାଣି । ଆମେ ଦେବୀ-ଦେବତା ଧର୍ମର ଥିଲୁ । ଶେଷ ପର୍ଯ୍ୟନ୍ତ ମନୁଷ୍ୟ ସୃଷ୍ଟି ବୃଦ୍ଧି ହୋଇଚାଲିଛି । ଯେପରି ଯୀଶୁ ଖ୍ରୀଷ୍ଟ ଆସିଥିଲେ, ତେଣୁ ଖ୍ରୀଷ୍ଟିୟାନ ଧର୍ମ ଆଜି ପର୍ଯ୍ୟନ୍ତ ଅଛି । ବୃଦ୍ଧି ହୋଇଚାଲିଛି । ସେମାନେ ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଖ୍ରୀଷ୍ଟିୟାନ ହୋଇଛୁ । ଆଜିଠାରୁ ଦୁଇ ହଜାର ବର୍ଷ ପୂର୍ବରୁ ଖ୍ରୀଷ୍ଟ ଆସିଥିଲେ ଏବେ ବି ସେମାନଙ୍କ ସଂଖ୍ୟା ବୃଦ୍ଧି ହୋଇଚାଲିଛି । ପ୍ରଥମେ ପ୍ରଥମେ ସତ୍ୱପ୍ରଧାନ ପୁଣି ରଜୋ, ତମୋରେ ଆସିବାର ଅଛି । ତୁମେମାନେ ସତ୍ୟଯୁଗରେ ସତ୍ତ୍ୱପ୍ରଧାନ ଥିଲ ପୁଣି ରଜୋ, ତମୋରେ ଆସିଛ । ତମୋପ୍ରଧାନ ସୃଷ୍ଟିରୁ ପୁଣି ସତ୍ୱପ୍ରଧାନ ସ୍ପଷ୍ଟ ନିଶ୍ଚିତ ହୋଇଥାଏ । ନୂଆ ଦୁନିଆରେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ମୁଖ୍ୟ ଧର୍ମ ହେଲା ୪ଟି । ତୁମର ଧର୍ମ ଅଧାକଳ୍ପ ପର୍ଯ୍ୟନ୍ତ ରହିଥାଏ । ଏଠାରେ ମଧ୍ୟ ତୁମେ ସେହି ଧର୍ମର ଅଟ କିନ୍ତୁ ବିକାରୀ ହେବା କାରଣରୁ ତୁମେ ନିଜକୁ ଦେବୀ-ଦେବତା କହିପାରୁନାହଁ । ତୁମେମାନେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ କିନ୍ତୁ ବାମ ମାର୍ଗରେ ଯିବା କାରଣରୁ ତୁମେ ପତିତ ହୋଇଯାଇଛ, ସେଥିପାଇଁ ନିଜକୁ ହିନ୍ଦୁ କହିଦେଉଛ, ଏବେ ତୁମେ ବ୍ରାହ୍ମଣ ହୋଇଛ । ସର୍ବୋଚ୍ଚ ହେଲେ ଶିବବାବା । ତାଙ୍କ ତଳକୁ ତୁମେ ବ୍ରାହ୍ମଣମାନେ ରହିଛ । ତୁମେ ବ୍ରାହ୍ମଣମାନଙ୍କର ସର୍ବୋଚ୍ଚ ବର୍ଣ୍ଣ ଅଟେ । ବ୍ରହ୍ମାଙ୍କର ସନ୍ତାନ ହୋଇଛ କିନ୍ତୁ ସମ୍ପତ୍ତି ବ୍ରହ୍ମାଙ୍କଠାରୁ ମିଳୁନାହିଁ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି । ତୁମର ଆତ୍ମା ଏବେ ବାବାଙ୍କୁ ଜାଣିଯାଇଛି । ବାବା କହୁଛନ୍ତି ଯେ ମୋ ଦ୍ୱାରା ମୋତେ ଜାଣିଗଲେ ସାରା ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବୁଝିଯିବେ । ଏହି ଜ୍ଞାନ ମୋ ନିକଟରେ ହିଁ ଅଛି । ମୁଁ ଜ୍ଞାନର ସାଗର, ଆନନ୍ଦର ସାଗର, ପବିତ୍ରତାରର ସାଗର ଅଟେ । ୨୧ ଜନ୍ମ ତୁମେ ପବିତ୍ର ହେଉଛ ପୁଣି ବିଷୟ ସାଗରରେ ପଡିଯାଉଛ । ଏବେ ଜ୍ଞାନ ସାଗର ବାବା ତୁମକୁ ପତିତରୁ ପବିତ୍ର କରୁଛନ୍ତି । ଗଙ୍ଗାର ପାଣି କେବେ କାହାକୁ ପବିତ୍ର କରିପାରିବ ନାହିଁ । ସେଥିରେ ସ୍ନାନ କରିବାକୁ ଯାଉଛନ୍ତି କିନ୍ତୁ ଗଙ୍ଗା ପତିତ-ପାବନୀ ନୁହେଁ । ଏହିସବୁ ନଦୀମାନେ ତ ସତ୍ୟଯୁଗରେ ମଧ୍ୟ ରହିବେ ଏବଂ କଳିଯୁଗରେ ମଧ୍ୟ ଅଛନ୍ତି । ପାଣିରେ କୌଣସି ଫରକ ନାହିଁ । କହୁଛନ୍ତି ମଧ୍ୟ ସମସ୍ତଙ୍କର ସଦ୍‌ଗତି ଦାତା ଏକମାତ୍ର ରାମ ଅଟନ୍ତି । ସେ ହିଁ ଜ୍ଞାନର ସାଗର ପତିତ-ପାବନ ଅଟନ୍ତି । ବାବା ଆସି ଜ୍ଞାନ ବୁଝାଉଛନ୍ତି ଯାହାଦ୍ୱାରା ତୁମେ ସ୍ୱର୍ଗର ମାଲିକ ହେଉଛ । ସତ୍ୟ ତ୍ରେତା ଯୁଗରେ ଭକ୍ତି କିମ୍ବା ଶାସ୍ତ୍ର ଆଦି କିଛି ନଥାଏ । ତୁମେମାନେ ବାବାଙ୍କ ଠାରୁ ସଦା ସୁଖୀ ରହିବାର ସମ୍ପତ୍ତି ନେଉଛ । ଏମିତି ନୁହେଁ ଯେ ସେଠାରେ ତୁମକୁ ଗଙ୍ଗାସ୍ନାନ କରିବାକୁ ହେବ ବା କୌଣସି ତୀର୍ଥ ଆଦିକୁ ଯାତ୍ରା କରିବାକୁ ହେବ । ଏହା ହେଲା ତୁମର ଆତ୍ମିକ ଯାତ୍ରା ଯାହାକି କୌଣସି ମନୁଷ୍ୟ ଶିଖାଇ ପାରିବ ନାହିଁ । ଶିବବାବା ହେଲେ ସମସ୍ତ ଆତ୍ମାମାନଙ୍କର ପିତା, ଶରୀରଧାରୀ ପିତା ତ ଅନେକ ଅଛନ୍ତି । ଏହି କଥାକୁ ଭଲ ଭାବରେ ମନେ ରଖିନିଅ । ବାବା ମଧ୍ୟ ପଚାରୁଛନ୍ତି ଯେ ତୁମର କେତେ ଜଣ ପିତା ଅଛନ୍ତି ତେବେ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି ଯେ ବାବା ଏପରି କଣ ପଚାରୁଛନ୍ତି? ପିତା ତ ସମସ୍ତଙ୍କର ଜଣେ ହିଁ ଥାନ୍ତି । ଦୁଇ-ତିନି ଜଣ ପିତା କିପରି ହେବେ । ବାବା ବୁଝାଉଛନ୍ତି ଯେ ସେହି ପରମାତ୍ମାଙ୍କୁ ତୁମେ ଦୁଃଖରେ ମନେ ପକାଉଛ । ଦୁଃଖ ବେଳେ କହୁଛ ହେ ପରମପିତା ମୋତେ ଦୁଃଖରୁ ମୁକ୍ତ କର । ତେଣୁ ଦୁଇଜଣ ପିତା ହେଲେ ନା । ଜଣେ ଲୌକିକ ପିତା ଅନ୍ୟ ଜଣେ ହେଲେ ପାରଲୌକିକ ପିତା ଯାହାଙ୍କର ମହିମା ମଧ୍ୟ ଗାନ କରୁଛନ୍ତି ଯେ ତୁମ ମାତ-ପିତା ହମ୍ ବାଲକ୍ ତେରେ... ତୁହ୍ମାରୀ କୃପା ସେ ସୁଖ ଘନେରେ । ଲୌକିକ ମା-ବାପାଙ୍କଠାରୁ ଅସରନ୍ତି ସୁଖ ମିଳିନଥାଏ, ଯେତେବେଳେ ଦୁଃଖ ପଡିଥାଏ ତେବେ ସେହି ପାରଲୌକିକ ପିତାଙ୍କୁ ସ୍ମରଣ କରିଥାନ୍ତି । ଏହି ବାବା ମଧ୍ୟ ଏହିଭଳି ପ୍ରଶ୍ନ ପଚାରିଥାନ୍ତି, ଆଉ କେହି ତ ଏଭଳି ପ୍ରଶ୍ନ ପଚାରି ପାରିବେ ନାହିଁ ।

ଭକ୍ତିମାର୍ଗରେ ତୁମେ କହୁଥିଲ ବାବା ଯେତେବେଳେ ଆପଣ ଆସିବେ ସେତେବେଳେ ଆପଣଙ୍କ ବ୍ୟତୀତ ଆଉ କାହାଠାରୁ କିଛି ଶୁଣିବି ନାହିଁ । ଆଉ ସମସ୍ତେ ତ ଦୁଃଖ ଦେଉଛନ୍ତି, ଆପଣ ହିଁ ସୁଖଦାତା ଅଟନ୍ତି । ତେଣୁ ବାବା ଆସି ମନେ ପକାଇ ଦେଉଛନ୍ତି ଯେ ତୁମେ କଣ କଣ ସବୁ କହିଥିଲ । ତୁମେ ଜାଣିଛ ଯେ ତୁମେମାନେ ହିଁ ବ୍ରହ୍ମାକୁମାରୀ ବୋଲାଉଛ । ମନୁଷ୍ୟଙ୍କର ବୁଦ୍ଧି ଏଭଳି ପଥର ସଦୃଶ ଅଟେ ଯାହାକି ଏକଥା ମଧ୍ୟ ବୁଝିପାରୁ ନାହାଁନ୍ତି ଯେ ବି.କେ. ଅର୍ଥାତ୍ ବ୍ରହ୍ମାକୁମାର-କୁମାରୀ କାହିଁକି କୁହାଯାଉଛି । ମମ୍ମା-ବାବା କିଏ? ଇଏ କୌଣସି ସାଧୁ-ସନ୍ଥ ତ ନୁହଁନ୍ତି । ସାଧୁ ଅଥବା ସନ୍ନ୍ୟାସୀଙ୍କୁ ଗୁରୁ କୁହାଯିବ କିନ୍ତୁ ମାତା-ପିତା ତ କୁହାଯିବ ନାହିଁ । ଏହି ପିତା ତ ଆସି ଦୈବୀ ଧର୍ମର ରାଜ୍ୟ ସ୍ଥାପନା କରୁଛନ୍ତି । ଯେଉଁଠି ଏହି ଲକ୍ଷ୍ମୀ-ନାରାୟଣ ରାଜା ରାଣୀ ହୋଇ ରାଜ୍ୟ କରୁଥିଲେ । ପ୍ରଥମେ ପବିତ୍ର ଥିଲେ ତାପରେ ଅପବିତ୍ର ହୋଇଯାଇଛନ୍ତି । ଯେଉଁମାନେ ପୂଜ୍ୟ ଥିଲେ ସେମାନେ ହିଁ ପୁଣି ୮୪ ଜନ୍ମ ନେଉଛନ୍ତି । ପ୍ରଥମେ ବେହଦ ବାବାଙ୍କଠାରୁ ୨୧ ଜନ୍ମ ପାଇଁ ସୁଖର ସମ୍ପତ୍ତି ମିଳିଥାଏ । କୁହାଯାଏ କୁମାରୀ ସିଏ ଯିଏ ୨୧ କୁଳର ଉଦ୍ଧାର କରେ । ଏହା ତୁମମାନଙ୍କ ପାଇଁ ଗାୟନ ଅଟେ । ତୁମେ କୁମାରୀ ଅଟ ଗୃହସ୍ଥି ନୁହେଁ । ଯଦିଓ ବୟସ୍କ ଅଟ ତଥାପି ମରଜୀବା ଜନ୍ମ ନେଇ ସମସ୍ତେ ବାବାଙ୍କର କୁମାର କୁମାରୀ ହୋଇଛ । ପ୍ରଜାପିତା ବ୍ରହ୍ମାଙ୍କର ଢେର ସନ୍ତାନ ଅଛନ୍ତି ଏବଂ ଆହୁରି ବୃଦ୍ଧି ହୋଇଚାଲିବେ । ତାପରେ ଏମାନେ ସମସ୍ତେ ଦେବତା ହେବେ । ଏହା ଶିବବାବାଙ୍କର ଯଜ୍ଞ ଅଟେ । ଏହାକୁ କୁହାଯାଉଛି ରାଜସ୍ୱ ଯଜ୍ଞ, ସ୍ୱରାଜ୍ୟ ପାଇବାର ଯଜ୍ଞ । ଆତ୍ମାମାନଙ୍କୁ ବାବାଙ୍କଠାରୁ ସ୍ୱର୍ଗରେ ରାଜ୍ୟ କରିବାର ସମ୍ପତ୍ତି ମିଳୁଛି । ଏହି ରାଜସ୍ୱ ଅଶ୍ୱମେଧ ଜ୍ଞାନ ଯଜ୍ଞରେ କଣ କରିବାକୁ ହେବ? ଶରୀର ସହିତ ଯାହା କିଛି ଅଛି ସେସବୁକୁ ସମର୍ପଣ କରିବାକୁ ହେବ ଅର୍ଥାତ୍ ସ୍ୱାହା କରିବାକୁ ହେବ । ଏହି ଯଜ୍ଞରୁ ତୁମେମାନେ ପୁନର୍ବାର ନିଜର ରାଜ୍ୟ ପ୍ରାପ୍ତି କରିବ । ବାବା ମନେ ପକାଇ ଦେଇଛନ୍ତି ଯେ ଭକ୍ତିମାର୍ଗରେ ତୁମେ ଗାୟନ କରୁଥିଲ ହେ ବାବା, ଆପଣ ଯେତେବେଳେ ଆସିବେ ସେତେବେଳେ ମୁଁ ତୁମ ନିକଟରେ ନିଜକୁ ସମର୍ପଣ କରିଦେବି ବା ଉତ୍ସର୍ଗ କରିଦେବି । ବର୍ତ୍ତମାନ ତୁମେ ସମସ୍ତେ ନିଜକୁ ବ୍ରହ୍ମାକୁମାର କୁମାରୀ ତ ଭାବୁଛ । ଘର ଗୃହସ୍ଥରେ ରହି ମଧ୍ୟ ପଦ୍ମ ଫୁଲ ଭଳି ପବିତ୍ର ରହିବାକୁ ହେବ । ସଦା ସର୍ବଦା ନିଜକୁ ଆତ୍ମା ମନେ କର । ଆମେ ବାବାଙ୍କର ସନ୍ତାନ । ତୁମେ ଆତ୍ମାମାନେ ପ୍ରେମିକା ଅଟ । ବାବା କହୁଛନ୍ତି ମୁଁ ହିଁ ଏକମାତ୍ର ପ୍ରେମିକ ଅଟେ । ତୁମେମାନେ ମୋତେ ଡାକି ଆସିଛ । ଯାହାଙ୍କୁ ପରମପିତା ପରମାତ୍ମା କୁହାଯାଉଛି, ଯିଏକି ନିରାକାର ଅଟନ୍ତି, ତୁମେମାନେ ତାଙ୍କର ଅଧାକଳ୍ପର ପ୍ରେମିକା ଅଟ । ଆତ୍ମା ମଧ୍ୟ ନିରାକାର ଅଟେ ଯିଏକି ଏହି ଶରୀର ଦ୍ୱାରା ଅଭିନୟ କରୁଛି । ଭକ୍ତିମାର୍ଗରେ ମଧ୍ୟ ତୁମକୁ ଅଭିନୟ କରିବାର ଅଛି । ଭକ୍ତିକୁ ହିଁ ରାତ୍ରି କୁହାଯାଏ । ରାତ୍ରିର ଅନ୍ଧକାର ମଧ୍ୟରେ ମନୁଷ୍ୟ ଧକ୍କା ଖାଇଥାନ୍ତି । ଦ୍ୱାପର ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ତୁମେମାନେ ଧକ୍କା ଖାଇ ଖାଇ ଆସିଛ । ବର୍ତ୍ତମାନ ସମୟରେ ତୁମେମାନେ ମହାଦୁଃଖୀ ହୋଇଯାଇଛ । ଏବେ ପୁରୁଣା ଦୁନିଆର ଶେଷ ସମୟ ଅଟେ । ଏହି ଟଙ୍କା ପଇସା ଆଦି ସବୁ କିଛି ମାଟିରେ ମିଶିଯିବ । ଯଦିଓ କେହି କୋଟିପତି ଅଟନ୍ତି, ରାଜା ଅଟନ୍ତି କିନ୍ତୁ ତାଙ୍କର ସନ୍ତାନ ଜନ୍ମ ହେବା ମାତ୍ରକେ ଭାବିବେ ଯେ ଏହି ଧନ ମୋର ସନ୍ତାନ ପାଇଁ ଅଟେ । ମୋର ପୁଅ ନାତିମାନେ ଭୋଗ କରିବେ । ବାବା କହୁଛନ୍ତି କେହି କିଛି ବି ଭୋଗ କରି ପାରିବେ ନାହିଁ । କାରଣ ଏହି ଦୁନିଆ ହିଁ ବିନାଶ ହେବାକୁ ଯାଉଛି । ବାକି ଆଉ ଅଳ୍ପ ସମୟ ରହିଛି । ବହୁତ ପ୍ରକାରର ବିଘ୍ନ ଆସିବ । ନିଜ ନିଜ ମଧ୍ୟରେ ଲଢେଇ କରିବେ । ଶେଷ ସମୟରେ ଏଭଳି ଲଢିବେ ଯଦ୍ୱାରା ରକ୍ତର ନଦୀ ବହିବ । ତୁମର ତ କାହା ସହିତ ଲଢେଇ ଝଗଡା କରିବାର ନାହିଁ । ତୁମେମାନେ ଯୋଗଯୁକ୍ତ ହୋଇ ରହୁଛ । ତୁମେ ଯଦି ଯୋଗଯୁକ୍ତ ଅବସ୍ଥାରେ ଥିବ ଏବଂ କେହି ତୁମ ସମ୍ମୁଖକୁ ଖରାପ ଉଦ୍ଦେଶ୍ୟ ନେଇ ଆସିବ ତେବେ ତାକୁ ଭୟଙ୍କର ରୂପର ସାକ୍ଷାତ୍‌କାର ହେବ ଯାହା ଦ୍ୱାରା ସିଏ ତୁରନ୍ତ ପଳାଇଯିବ । ତୁମେ ଶିବବାବାଙ୍କ ସହ ଯୋଗଯୁକ୍ତ ହେବା ଦ୍ୱାରା ସିଏ ଚାଲିଯିବ । ଯେଉଁମାନେ ମଜବୁତ୍ ସନ୍ତାନ ଅଟନ୍ତି, ସେମାନେ ଏହି ପୁରୁଷାର୍ଥରେ ସର୍ବଦା ରହୁଛନ୍ତି ଯେ ମୋର ତ କେବଳ ଏକମାତ୍ର ଶିବବାବା ଅନ୍ୟ କେହି ନାହାଁନ୍ତି । ତେବେ ବାବା ବୁଝାଉଛନ୍ତି ଯେ ହାତେ କାମ, ହୃଦେ ରାମ ... ପିଲାମାନଙ୍କୁ ନିଜର ଘର ଗୃହସ୍ଥ ମଧ୍ୟ ସମ୍ମାଳିବାକୁ ହେବ । କିନ୍ତୁ ତୁମେ ଆତ୍ମାମାନେ ଯଦି ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ବାବାଙ୍କୁ ୟାଦ କରିବ ତେବେ ପାପର ବୋଝରୁ ମୁକ୍ତ ହୋଇଯିବ । କେବଳ ମୋତେ ମନେ ପକାଅ ତେବେ ତୁମେ ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ, କିନ୍ତୁ ପୁରୁଷାର୍ଥର କ୍ରମଅନୁସାରେ । ତାପରେ ତୁମେ ସମସ୍ତେ ଏହି ଶରୀରକୁ ତ୍ୟାଗ କରିଚାଲିଯିବ, ବାବା ସମସ୍ତ ଆତ୍ମାଙ୍କୁ ମଶା ସଦୃଶ ସାଥୀରେ ନେଇଯିବେ । ବାକି ସାରା ଦୁନିଆର ଆତ୍ମାକୁ ଦଣ୍ଡ ଭୋଗ କରିବାକୁ ହେବ । କେବଳ ଭାରତରେ ହିଁ ଅଳ୍ପ ମନୁଷ୍ୟ ରହିବେ । ସେଥିପାଇଁ ଏହି ମହାଭାରତ ଲଢେଇ ଲାଗିବାକୁ ଯାଉଛି । ଏଠାରେ ତ ପିଲାମାନଙ୍କର ବହୁତ ବୃଦ୍ଦି ହେବ । ପ୍ରଦର୍ଶନୀ, ପ୍ରୋଜେକ୍ଟର ଇତ୍ୟାଦି ଦ୍ୱାରା କେତେ ମନୁଷ୍ୟ ଶୁଣୁଛନ୍ତି । ସେମାନେ ସମସ୍ତେ ପ୍ରଜା ହୋଇ ଆସିବେ । ରାଜା ତ ଜଣେ ହେବେ ବାକି ସମସ୍ତେ ପ୍ରଜା ହେବେ । ମନ୍ତ୍ରୀ ମଧ୍ୟ ପ୍ରଜାଙ୍କ ତାଲିକାରେ ଆସିଯାଉଛି । ପ୍ରଜା ତ ଢେର ଥାନ୍ତି । ଗୋଟିଏ ରାଜାର ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଜାଥାନ୍ତି । ତେବେ ରାଜା-ରାଣୀ ହେବା ପାଇଁ ମେହନତ କରିବାକୁ ହେବ ନା ।

ବାବା କହୁଛନ୍ତି ସବୁ କିଛି କରି ନିରନ୍ତର ମୋତେ ମନେ ପକାଅ । ଯେପରି ପ୍ରେମିକା-ପ୍ରେମିକ ଥାନ୍ତି, ସେମାନଙ୍କର ଶାରୀରିକ ପ୍ରେମ ରହିଥାଏ । ତୁମେ ପିଲାମାନେ ବର୍ତ୍ତମାନ ସମୟରେ ପରମାତ୍ମାଙ୍କର ପ୍ରେମିକା ଅଟ । ତୁମର ପ୍ରେମିକ ଆସିଯାଇଛନ୍ତି । ତୁମକୁ ପାଠପଢାଉଛନ୍ତି । ପାଠ ପଢି-ପଢି ତୁମେ ଦେବତା ହୋଇଯିବ । ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ସର୍ବଦା ନିରୋଗୀ ମଧ୍ୟ ହୋଇଯିବ । ପୁଣି ୮୪ ଜନ୍ମର ଚକ୍ରକୁ ମଧ୍ୟ ମନେ ରଖିବାକୁ ହେବ । ସତ୍ୟଯୁଗରେ ଏତେ ଜନ୍ମ, ତ୍ରେତାରେ ଏତେ ଜନ୍ମ । ଆମେ ଦେବୀ-ଦେବତା ଧର୍ମର ଆତ୍ମା ହିଁ ସମ୍ପୂର୍ଣ୍ଣ ୮୪ ଜନ୍ମର ଚକ୍ର ଲଗାଇଛୁ । ଆଗକୁ ଗଲେ ତୁମମାନଙ୍କର ସଂଖ୍ୟା ବହୁତ ବୃଦ୍ଧି ହୋଇଯିବ ତୁମର ସେବାକେନ୍ଦ୍ର ହଜାର-ହଜାର ସଂଖ୍ୟାରେ ହୋଇଯିବ । ତୁମେ ଗଳି-ଗଳିରେ ବୁଝାଇଚାଲିବ ଯେ ଶିବବାବାଙ୍କୁ ଏବଂ ତାଙ୍କର ସମ୍ପତ୍ତି ସ୍ୱର୍ଗ ଦୁନିଆ କୁ ମନେ ପକାଅ । ଏବେ ଚାଲ ଘରକୁ ଫେରିଯିବା । ଏହା ତ ଛି-ଛି ଶରୀର ଅଟେ । ଏହିଭଳି ଚିନ୍ତା କରିବା ହିଁ ବେହଦର ବୈରାଗ୍ୟ । ସନ୍ନ୍ୟାସୀମାନେ ତ କେବଳ ନିଜର ଘର ଦ୍ୱାର ତ୍ୟାଗ କରିଦିଅନ୍ତି । ସେମାନେ ହେଲେ ହଠଯୋଗୀ । ସେମାନେ ରାଜଯୋଗ ଶିଖାଇପାରିବେ ନାହିଁ । କହୁଛନ୍ତି - ଏହି ଭକ୍ତି ମଧ୍ୟ ଅନାଦି ଅଟେ । ବାବା କହୁଛନ୍ତି ଏହି ଭକ୍ତି ତ ଦ୍ୱାପର ଯୁଗରୁ ଆରମ୍ଭ ହେଉଛି । ୮୪ ଟି ପୌଢି ଅର୍ଥାତ୍ ସିଢିର ଫଳି ଓହ୍ଲାଇଆସି ଏବେ ତୁମେ ତମୋପ୍ରଧାନ ହୋଇଯାଇଛ । ତୁମେମାନେ ହିଁ ଦେବୀ ଦେବତା ଥିଲ । ଖ୍ରୀଷ୍ଟିୟାନମାନେ କହିବେ ଆମେ ହିଁ ଖ୍ରୀଷ୍ଟିୟାନ ଥିଲୁ । ତୁମେ ଜାଣିଛ ଆମେ ସତ୍ୟଯୁଗରେ ଥିଲେ । ବାବା ଦେବୀ-ଦେବତା ଧର୍ମ ସ୍ଥାପନ କରିଥିଲେ । ସେଠାରେ ଯିଏ ଲକ୍ଷ୍ମୀ-ନାରାୟଣ ଥିଲେ ସେମାନେ ଏବେ ବ୍ରାହ୍ମଣ ହୋଇଛନ୍ତି । ସତ୍ୟଯୁଗରେ ଶାସନ ଦାୟିତ୍ୱରେ ଜଣେ ରାଜା-ରାଣୀ ଥିଲେ, ଗୋଟିଏ ଭାଷା ଥିଲା । ଏହାକୁ ମଧ୍ୟ ପିଲାମାନେ ସାକ୍ଷାତ୍‌କାର କରିଛନ୍ତି । ତୁମେ ସମସ୍ତେ ହେଲ ଆଦି ସନାତନ ଧର୍ମର । ତୁମେ ହିଁ ୮୪ ଜନ୍ମ ନେଉଛ । ଦୁନିଆର ମନୁଷ୍ୟ ଯାହା କହୁଛନ୍ତି ଯେ ଆତ୍ମା ନିର୍ଲେପ ଅଟେ ବା ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ତାହା ଭୁଲ କଥା । ସମସ୍ତଙ୍କ ମଧ୍ୟରେ ଆତ୍ମା ଅଛି, ପୁଣି କିପରି କହୁଛ ଆମ ଭିତରେ ପରମାତ୍ମା ଅଛନ୍ତି । ତେବେ ତ ସମସ୍ତେ ପିତା ହୋଇଗଲେ । କେତେ ତମୋପ୍ରଧାନ ହୋଇଯାଇଛନ୍ତି । ଆଗରୁ ଯାହାକିଛି ଶୁଣୁଥିଲେ ତାକୁ ମାନିଯାଉଥିଲେ । ଏବେ ବାବା ଆସି ସତ୍ୟ କଥା ଶୁଣାଇଛନ୍ତି । ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି ଯାହା ଦ୍ୱାରା ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣୁଛ । ଅମରକଥା ମଧ୍ୟ ଏହା ହିଁ ଅଟେ । ବାକି ସୂକ୍ଷ୍ମବତନରେ କୌଣସି କଥା ବା କାହାଣୀ ଆଦି ନାହିଁ । ଏହା ସବୁ ଭକ୍ତିମାର୍ଗରୂପୀ ବୃକ୍ଷର ଚାରା ଅଟେ । ତୁମେମାନେ ଅମର କଥା ଶୁଣୁଛ ଅମର ହେବା ପାଇଁ ସେଠାରେ ତୁମେ ଖୁସିରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ଧାରଣ କରିବ । ଏଠାରେ ଯଦି କେହି ମରିଯାଉଛନ୍ତି ତେବେ ବାଡେଇ କଚାଡି ହୋଇ କାନ୍ଦୁଛନ୍ତି । ସେଠାରେ ରୋଗ ବେମାରୀ ଆଦିନଥାଏ । ସର୍ବଦା ସୁସ୍ଥ ରହିଥାନ୍ତି । ଆୟୁଷ ମଧ୍ୟ ବହୁତ ଥାଏ । ସେଠାରେ ବିକାରୀ ସ୍ୱଭାବ ନଥାଏ । ବର୍ତ୍ତମାନ ଏହି କଥାକୁ ପକ୍କା କରିନିଅ ଯେ ଆମେ ୮୪ ଜନ୍ମର ଚକ୍ର ଶେଷ କରିଛୁ । ଏବେ ବାବା ଆମକୁ ସାଥିରେ ନେଇଯିବା ପାଇଁ ଆସିଛନ୍ତି । ପବିତ୍ର ହେବାର ଉପାୟ ମଧ୍ୟ ତୁମକୁ ଶୁଣାଉଛନ୍ତି । କେବଳ ମୋତେ ଏବଂ ମୋର ସମ୍ପତ୍ତି ସ୍ୱର୍ଗ ଦୁନିଆକୁ ମନେ ପକାଅ । ସତ୍ୟଯୁଗରେ ହେବ ୧୬ କଳା ସମ୍ପୂର୍ଣ୍ଣ ପୁଣି ଧୀରେ ଧୀରେ କଳା କମିଯିବ । ଏବେ ତୁମ ଭିତରେ କୌଣସି କଳା ନାହିଁ । ବାବା ହିଁ ଦୁଃଖରୁ ସୁଖକୁ ନେଇଯାଉଛନ୍ତି ସେଥିପାଇଁ ପୁଣି ମୁକ୍ତିଦାତା କୁହାଯାଉଛି । ସମସ୍ତଙ୍କୁ ନିଜ ସାଥୀରେ ନେଇଯାଉଛନ୍ତି । ତୁମମାନଙ୍କର ଗୁରୁ ତୁମକୁ କଣ ସାଥିରେ ନେଇଯିବେ? ସେଠାରେ ଗୁରୁ ଶରୀର ତ୍ୟାଗ କଲାପରେ ତାଙ୍କର ଚେଲା ତାଙ୍କ ଗଦିରେ ବସିଥାଏ ପୁଣି ଚେଲାମାନଙ୍କ ଭିତରେ ମଧ୍ୟ ବହୁତ ଗଣ୍ଡଗୋଳ ହୋଇଯାଏ । ପରସ୍ପର ଭିତରେ ଆସନ ପାଇଁ ଲଢେଇ ଝଗଡା କରିଦିଅନ୍ତି । ବାବା କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କୁ ସାଥୀରେ ନେଇଯିବି । ଯଦି ତୁମେ ସମ୍ପୂର୍ଣ୍ଣ ନ ହେବ ତେବେ ବହୁତ ଦଣ୍ଡ ଭୋଗ କରିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଏଠାରେ ତ ରାଜଧାନୀ ସ୍ଥାପନ ହେଉଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଯୋଗ କରିବାର ଏଭଳି ଅଭ୍ୟାସ କରିବା ଦରକାର ଯାହାକି ଖରାପ ବିଚାର ସମ୍ପନ୍ନ ବ୍ୟକ୍ତି ସମ୍ମୁଖକୁ ଆସିବା ମାତ୍ରେ ହିଁ ପରିବର୍ତ୍ତନ ହୋଇଯିବ । ମୋର ତ ଏକମାତ୍ର ଶିବବାବା ଅନ୍ୟ କେହି ନାହିଁ... ଏହି ପୁରୁଷାର୍ଥରେ ରହିବାକୁ ହେବ ।

(୨) ସ୍ୱରାଜ୍ୟ ପ୍ରାପ୍ତ କରିବା ପାଇଁ ଶରୀର ସହିତ ଯାହା କିଛି ସବୁ ଅଛି, ସେସବୁକୁ ସମର୍ପଣ କରିଦେବାକୁ ହେବ । ଯେତେବେଳେ ଏହି ରୁଦ୍ର ଯଜ୍ଞରେ ସବୁ କିଛି ସ୍ୱାହା କରିଦେବ ସେତେବେଳେ ଯାଇ ରାଜ୍ୟପଦ ମିଳିବ ।

ବରଦାନ:-
ଜ୍ଞାନବାନ ଆତ୍ମା ହୋଇ ଜ୍ଞାନ ସାଗର ଏବଂ ତାଙ୍କର ଜ୍ଞାନରେ ବୁଡି ରହୁଥିବା ସର୍ବପ୍ରାପ୍ତି ସ୍ୱରୂପ ହୁଅ ।

ଯେଉଁମାନେ ଜ୍ଞାନବାନ ଆତ୍ମା ସେମାନେ ସର୍ବଦା ଜ୍ଞାନ ସାଗର ବାବା ଏବଂ ତାଙ୍କର ଜ୍ଞାନ ଭିତରେ ହିଁ ବୁଡି ରହିଥାନ୍ତି । ସେମାନେ ସର୍ବ ପ୍ରାପ୍ତି ସ୍ୱରୂପ ହୋଇଥିବା କାରଣରୁ ଇଚ୍ଛା ମାତ୍ରର ଅବିଦ୍ୟା ସ୍ଥିତି ସ୍ୱତଃ ଭାବରେ ରହିଥାଏ । ତେଣୁ ଯେଉଁମାନେ ଅଂଶମାତ୍ରାରେ ମଧ୍ୟ କୌଣସି ପ୍ରକାରର ସ୍ୱଭାବ-ସଂସ୍କାର ଅଧୀନ ଅଟନ୍ତି, ନାମ-ମାନ-ମର୍ଯ୍ୟାଦା ପ୍ରାପ୍ତ କରିବାର ଇଚ୍ଛୁକ ଅଟନ୍ତି, କାହିଁକି କଣର ପ୍ରଶ୍ନ ଭିତରେ ରହି ସର୍ବଦା ଚିତ୍କାର କରୁଥାନ୍ତି, ଡାକ ଛାଡୁ ଥାନ୍ତି, ଭିତରେ ଗୋଟିଏ ରୂପ, ବାହାରେ ଆଉ ଗୋଟିଏ ରୂପ ଥାଏ - ସେମାନଙ୍କୁ ଜ୍ଞାନୀ ଆତ୍ମା କୁହାଯାଇପାରିବ ନାହିଁ ।

ସ୍ଲୋଗାନ:-
ଏହି ଜୀବନରେ ଅତିନ୍ଦ୍ରିୟ ସୁଖ ବା ଆନନ୍ଦର ଅନୁଭୂତି କରୁଥିବା ଆତ୍ମା ହିଁ ସହଜଯୋଗୀ ଅଟନ୍ତି ।