18.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ବେହଦର ନାଟକକୁ ସଦାସର୍ବଦା ସ୍ମୃତିରେ ରଖିଲେ ଅସରନ୍ତି ଖୁସି ମିଳିବ, ଏହି ନାଟକରେ ଯେଉଁମାନେ ବହୁତ ଭଲ ପୁରୁଷାର୍ଥୀ ଏବଂ ଅନନ୍ୟ ଅଟନ୍ତି, ସେମାନଙ୍କର ପୂଜା ମଧ୍ୟ ଅଧିକ ହୋଇଥାଏ ।

ପ୍ରଶ୍ନ:-
କେଉଁ ସ୍ମୃତି ଦୁନିଆର ସବୁ ଦୁଃଖରୁ ମୁକ୍ତ କରିଦିଏ ଏବଂ ସର୍ବଦା ହର୍ଷିତ ରହିବାର ଉପାୟ କଣ ?

ଉତ୍ତର:-
ସର୍ବଦା ସ୍ମୃତି ରହୁ ଯେ ଏବେ ଆମେ ଭବିଷ୍ୟତର ନୂଆ ଦୁନିଆକୁ ଯାଉଛୁ । ଭବିଷ୍ୟତରେ ମିଳିବାକୁ ଯାଉଥିବା ଖୁସିର ସ୍ମୃତିରେ ରହିବା ଦ୍ୱାରା ବର୍ତ୍ତମାନର ଦୁଃଖ ଭୁଲି ହୋଇଯିବ । ଏହି ବିଘ୍ନର ଦୁନିଆରେ ବିଘ୍ନ ତ ନିଶ୍ଚିତ ଆସିବ କିନ୍ତୁ ଯଦି ସ୍ମୃତିରେ ରହିବ ଯେ ଏହି ଦୁନିଆରେ ମୁଁ ଆଉ ଅଳ୍ପ ଦିନ ରହିବି ତେବେ ସର୍ବଦା ହର୍ଷିତ ରହିବ ।

ଗୀତ:-
ଜାଗ ସଜନିଆଁ ଜାଗ....

ଓମ୍ ଶାନ୍ତି ।
ଏହି ଗୀତ ବହୁତ ପ୍ରେରଣାଦାୟୀ ଅଟେ । ଗୀତ ଶୁଣିବା ଦ୍ୱାରା ହିଁ ଉପରୁ ଆରମ୍ଭ କରି ୮୪ ଜନ୍ମର ରହସ୍ୟ ବୁଦ୍ଧିରେ ଆସିଯାଉଛି । ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ତୁମେ ଯେତେବେଳେ ଉପରୁ ଆସୁଛ ତେବେ ଭାୟା ସୂକ୍ଷ୍ମଲୋକ ଦେଇ ଆସୁନାହଁ । ଏବେ ଭାୟା ସୂକ୍ଷ୍ମଲୋକ ହୋଇଯିବ । ସୂକ୍ଷ୍ମଲୋକ ବିଷୟରେ ବାବା ଏବେ ହିଁ ବୁଝାଉଛନ୍ତି । ସତ୍ୟଯୁଗ-ତ୍ରେତାରେ ଏହି ଜ୍ଞାନର କଥା ମଧ୍ୟ ରହିବ ନାହିଁ । ନା କୌଣସି ଚିତ୍ର ଆଦି ଅଛି । ଭକ୍ତିମାର୍ଗରେ ତ ଅସଂଖ୍ୟ ଚିତ୍ର ରହିଛି । ଦେବୀମାନଙ୍କର ପୂଜା ମଧ୍ୟ ବହୁତ ହେଉଛି । ଦୁର୍ଗା, କାଳୀ, ସରସ୍ୱତୀ ତ ଜଣେ ହିଁ ଅଟନ୍ତି କିନ୍ତୁ ଅନେକ ଗୁଡିଏ ନାମ ରଖିଦେଇଛନ୍ତି । ଯିଏ ଭଲ ପୁରୁଷାର୍ଥ କରୁଥିବେ, ଅନନ୍ୟ ହୋଇଥିବେ ତାଙ୍କର ପୂଜା ମଧ୍ୟ ଅଧିକ ହେବ । ତୁମେ ଜାଣିଛ ଆମେ ହିଁ ପୂଜ୍ୟରୁ ପୂଜାରୀ ହୋଇ ବାବାଙ୍କର ଏବଂ ନିଜର ପୂଜା କରୁଛୁ । ବ୍ରହ୍ମାବାବା ମଧ୍ୟ ନାରାୟଣଙ୍କର ପୂଜା କରୁଥିଲେ । ଏହା କେତେ ଆଶ୍ଚର୍ଯ୍ୟଜନକ ଖେଳ ଅଟେ । ନାଟକ ଦେଖିବା ଦ୍ୱାରା ଯେପରି ଖୁସି ମିଳିଥାଏ, ସେହିପରି ଏହା ମଧ୍ୟ ବେହଦର ନାଟକ, କିନ୍ତୁ ଏହାକୁ କେହି ବି ଜାଣିନାହାଁନ୍ତି । ତୁମ ବୁଦ୍ଧିରେ ଏବେ ସମସ୍ତ ଡ୍ରାମାର ରହସ୍ୟ ରହିଛି । ଏହି ଦୁନିଆରେ କେତେ ଅସରନ୍ତି ଦୁଃଖ ରହିଛି । ତୁମେ ଜାଣିଛ ଏବେ ବାକି ଅଳ୍ପ ସମୟ ଅଛି, ଆମେ ନୂଆ ଦୁନିଆକୁ ଯିବା । ଅର୍ନ୍ତମନରେ ଭବିଷ୍ୟତର ଖୁସି ରହିଲେ ତାହା ଏହି ଦୁଃଖକୁ ଭୁଲାଇ ଦେଇଥାଏ । ବାବାଙ୍କ ପାଖକୁ ଚିଠି ଲେଖୁଛନ୍ତି ବାବା ବହୁତ ବିଘ୍ନ ପଡୁଛି, କ୍ଷତି ହୋଇଯାଉଛି । ବାବା କହୁଛନ୍ତି କିଛି ମଧ୍ୟ ବିଘ୍ନ ଆସୁ, ଆଜି ଲକ୍ଷପତି ଅଛ, କାଲି ଦରିଦ୍ର ହୋଇଯାଉଛ । ତୁମକୁ ତ ଭବିଷ୍ୟତର ଖୁସିରେ ରହିବାର ଅଛି ନା । ଏହା ହେଉଛି ରାବଣର ଆସୁରୀ ଦୁନିଆ । ଚାଲୁ-ଚାଲୁ କୌଣସି ନା କୌଣସି ବିଘ୍ନ ପଡିବ । ଏହି ଦୁନିଆ ବାକି ଅଳ୍ପ ଦିନ ରହିଛି ପୁଣି ଆମେ ଅସରନ୍ତି ସୁଖର ଦୁନିଆକୁ ଯିବା । ବ୍ରହ୍ମାବାବା କହୁଛନ୍ତି ନା କାଲି ଶ୍ୟାମଳ ଥିଲି, ଗାଁର ପିଲା ଥିଲି, ଏବେ ବାବା ଆମକୁ ଜ୍ଞାନ ଦେଇ ଗୋରା କରୁଛନ୍ତି । ତୁମେ ଜାଣିଛ ବାବା ବୀଜରୂପ ଅଟନ୍ତି, ସତ୍ୟ ଓ ଚୈତନ୍ୟ ଅଟନ୍ତି । ତାଙ୍କୁ ସୁପ୍ରିମ ଆତ୍ମା କୁହାଯାଉଛି । ସେ ସର୍ବୋଚ୍ଚ ସ୍ଥାନର ନିବାସୀ ଅଟନ୍ତି, ପୁନର୍ଜନ୍ମ ରହିତ ଅଟନ୍ତି । ଆମେ ସମସ୍ତେ ଜନ୍ମ-ମରଣ ଚକ୍ରରେ ଆସୁଛେ ସେ ବିଶେଷ କର୍ତ୍ତବ୍ୟ ପାଇଁ ରହିଛନ୍ତି । ତାଙ୍କୁ ତ ଅନ୍ତ ସମୟରେ ଆସି ସମସ୍ତଙ୍କର ସଦ୍ଗତି କରିବାର ଅଛି । ତୁମେ ଭକ୍ତିମାର୍ଗରେ ଜନ୍ମ-ଜନ୍ମାନ୍ତର କହି ଆସିଛ ବାବା ଆପଣ ଆସିଲେ ଆମେ ଆପଣଙ୍କର ହିଁ ହୋଇଯିବୁ । ମୋର ତ ଏକମାତ୍ର ବାବା ଅଛନ୍ତି ଦ୍ୱିତୀୟ କେହି ନାହାଁନ୍ତି । ଆମେ ବାବାଙ୍କ ସାଥିରେ ହିଁ ଯିବୁ । ଏହା ହେଉଛି ଦୁଃଖର ଦୁନିଆ । ଭାରତ କେତେ ଗରୀବ ଅଟେ । ବାବା କହୁଛନ୍ତି ମୁଁ ଭାରତକୁ ହିଁ ସାହୁକାର କରାଇଥିଲି ପୁଣି ରାବଣ ନର୍କ କରିଦେଇଛି । ଏବେ ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ । ଗୃହସ୍ଥ ବ୍ୟବହାରରେ ମଧ୍ୟ ବହୁତ ରହୁଛନ୍ତି । ସମସ୍ତଙ୍କୁ ତ ଏଠାରେ ବସିଯିବାର ନାହିଁ । ଗୃହସ୍ଥ ବ୍ୟବହାରରେ ରୁହ, ବରଂ ରଙ୍ଗୀନ କପଡା ପିନ୍ଧ, କିଏ କହୁଛି ଧଳା କପଡା ପିନ୍ଧିବାକୁ । ବାବା କେବେ କାହାକୁ ଧଳା ପୋଷାକ ପିନ୍ଧିବାକୁ କହି ନାହାଁନ୍ତି । ତୁମକୁ ରଙ୍ଗୀନ ଭଲ ଲାଗୁ ନାହିଁ ତେଣୁ ଧଳା ବସ୍ତ୍ର ପିନ୍ଧୁଛ । ଯଦିଓ ଏଠାରେ ତୁମେ ଧଳା ବସ୍ତ୍ର ପିନ୍ଧି ରହୁଛ, କିନ୍ତୁ ଯେଉଁମାନେ ରଙ୍ଗୀନ ବସ୍ତ୍ର ପିନ୍ଧୁଛନ୍ତି, ରଂଗୀନ ଡ୍ରେସ୍ରେ ମଧ୍ୟ ଅନେକଙ୍କର କଲ୍ୟାଣ କରିପାରିବ । ମାତାମାନେ ନିଜର ପତିଙ୍କୁ ମଧ୍ୟ ବୁଝାଉଛନ୍ତି ଭଗବାନୁବାଚ ପବିତ୍ର ହେବାକୁ ପଡିବ । ଦେବତାମାନେ ପବିତ୍ର ଅଟନ୍ତି ସେଥିପାଇଁ ତାଙ୍କ ପାଖରେ ମୁଣ୍ଡ ନୁଆଁଉଛନ୍ତି । ପବିତ୍ର ହେବା ତ ଭଲ କଥା ଅଟେ ନା । ଏବେ ତୁମେ ଜାଣିଛ ସୃଷ୍ଟିର ଅନ୍ତ ହେବ । ଅଧିକ ଧନ କଣ କରିବା । ଆଜିକାଲି କେତେ ଡକାୟତି ହେଉଛି, କେତେ ଲାଞ୍ଚ ଆଦି ନେଉଛନ୍ତି । ବର୍ତ୍ତମାନ ସମୟ ନିମନ୍ତେ ଗାୟନ ରହିଛି କାହାର ମାଟି ତଳେ ଦବି ରହିଲା... ତାଙ୍କର ହିଁ ସଫଳ ହେବ, ଯିଏ ଭଗବାନଙ୍କ ନାମରେ ଖର୍ଚ୍ଚ କରିବେ.... ଭଗବାନ ତ ଏବେ ସମ୍ମୁଖରେ ଅଛନ୍ତି । ବୁଦ୍ଧିମାନ ସନ୍ତାନମାନେ ନିଜର ସବୁ କିଛି ଭଗବାନଙ୍କ ନାମରେ ସଫଳ କରୁଛନ୍ତି ।

ସବୁ ମନୁଷ୍ୟ ତ ନିଜେ ପତିତ ଓ ଦାନ ମଧ୍ୟ ପତିତମାନଙ୍କୁ ହିଁ କରୁଛନ୍ତି । ଏଠାରେ ତ ପୁଣ୍ୟ ଆତ୍ମାମାନଙ୍କର ଦାନ ଗ୍ରହଣ କରିବାକୁ ପଡିବ । ବ୍ରାହ୍ମଣମାନଙ୍କ ବିନା ଆଉ କାହା ସହିତ ପଇସା ଦେବା ନେବା କରିବାର ନାହିଁ । ତୁମେମାନେ ହେଉଛ ପୁଣ୍ୟ ଆତ୍ମା । ତୁମେ ପୁଣ୍ୟର କାମ ହିଁ କରୁଛ । ଏହି ଘର ଆଦି ତିଆରି ହେଉଛି, ସେଠାରେ ମଧ୍ୟ ତୁମେ ହିଁ ରହିବ । ପାପର ତ କୌଣସି କଥା ହିଁ ନାହିଁ । ଯାହା କିଛି ପଇସା ଅଛି ଭାରତକୁ ସ୍ୱର୍ଗ କରିବା ପାଇଁ ଖର୍ଚ୍ଚ କରୁଛନ୍ତି । ନିଜ ପେଟରୁ କାଟି ଦେଉଛନ୍ତି ଓ କହୁଛନ୍ତି ବାବା ଆମର ଗୋଟିଏ ଇଟା ମଧ୍ୟ ଏଥିରେ ଲଗାଇଦିଅ ତେବେ ସେଠାରେ ଆମକୁ ମହଲ ମିଳିଯିବ । ପିଲାମାନେ କେତେ ବୁଦ୍ଧିମାନ ଅଟନ୍ତି । ପଥର ବଦଳରେ ସୁନା ମିଳୁଛି । ବାକି ଅଳ୍ପ ସମୟ ହିଁ ଅଛି । ତୁମେ କେତେ ସେବା କରୁଛ । ପ୍ରଦର୍ଶନୀ ମେଳା ଇତ୍ୟାଦି ବଢିଚାଲିଛି । କେବଳ କନ୍ୟାମାନେ ଯୋଗ୍ୟ ହୋଇଯାଆନ୍ତୁ । କିନ୍ତୁ କନ୍ୟାମାନେ ବେହଦ ବାବାଙ୍କର ହେଉନାହାଁନ୍ତି, ମୋହ ମଧ୍ୟ ଛାଡୁନାହାଁନ୍ତି । ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି, ଏବେ ପୁନର୍ବାର ତୁମକୁ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତ କରୁଛି । ଯଦି ଶ୍ରୀମତକୁ ପାଳନ କରିବ ତେବେ ଉଚ୍ଚ ପଦ ପାଇବ ଏକଥା ଆଉ କେହି ବୁଝାଇପାରିବେ ନାହିଁ । ସାରା ସୃଷ୍ଟିର ଚକ୍ର ତୁମ ବୁଦ୍ଧିରେ ଅଛି ମୂଳବତନ, ସୂକ୍ଷ୍ମବତନ ଓ ସ୍ଥୂଳବତନ । ବାବା କହୁଛନ୍ତି ପିଲାମାନେ, ସ୍ୱଦର୍ଶନ ଚକ୍ରଧାରୀ ହୁଅ, ଅନ୍ୟମାନଙ୍କୁ ମଧ୍ୟ ବୁଝାଇଚାଲ । ଏହି ଧନ୍ଦା ଦେଖ କିପରି । ନିଜକୁ ମଧ୍ୟ ଧନବାନ୍ ସ୍ୱର୍ଗର ମାଲିକ ହେବାକୁ ପଡିବ, ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ବୁଦ୍ଧିରେ ଏହା ହିଁ ରହିବା ଉଚିତ୍ କାହାକୁ କିପରି ରାସ୍ତା ବତାଇବୁ ? ଡ୍ରାମା ଅନୁସାରେ ଯାହା ବିତିଗଲା ତାହା ହେଉଛି ଡ୍ରାମା । ସେକେଣ୍ଡ ପରେ ସେକେଣ୍ଡ ଯାହା ହୋଇ ଚାଲିଛି, ତାକୁ ଆମେ ସାକ୍ଷୀ ହୋଇ ଦେଖୁଛୁ । ପିଲାମାନଙ୍କୁ ବାବା ଦିବ୍ୟଦୃଷ୍ଟି ଦ୍ୱାରା ସାକ୍ଷାତ୍କାର ମଧ୍ୟ କରାଉଛନ୍ତି । ଆଗକୁ ଗଲେ ତୁମେ ବହୁତ ସାକ୍ଷାତ୍କାର କରିବ । ମନୁଷ୍ୟ ଦୁଃଖରେ ତ୍ରାହି-ତ୍ରାହି କରିବେ, ତୁମେ ଖୁସିରେ ତାଳି ବଜାଉଥିବ । ଆମେ ମନୁଷ୍ୟରୁ ଦେବତା ହେଉଛୁ ତେବେ ନିଶ୍ଚିତ ନୂଆ ଦୁନିଆ ଦରକାର । ସେଥିପାଇଁ ଏହି ବିନାଶ ଅପେକ୍ଷା କରି ରହିଛି । ଏହା ତ ଭଲ କଥା ଅଟେ ନା । ଲୋକମାନେ ଭାବୁଛନ୍ତି ପରସ୍ପର ସହିତ ଲଢେଇ ନ ହେଉ ଶାନ୍ତି ହୋଇଯାଉ । ବାସ୍ । କିନ୍ତୁ ଏହା ତ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଦୁଇଟି ମାଙ୍କଡ ଲଢିଲେ, ଲହୁଣୀ ମଝିରେ ତୃତୀୟ ଜଣଙ୍କୁ ମିଳିଗଲା । ତେଣୁ ଏବେ ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ସମସ୍ତଙ୍କୁ ରାସ୍ତା ବତାଅ । ତୁମର ରହିବା ଏବଂ ଖାଇବା ମଧ୍ୟ ସାଧାରଣ ହେବା ଉଚିତ୍ । କେବେ-କେବେ ପିଲାମାନଙ୍କୁ ଭଲ ଖାଇବା ପିଇବାକୁ ଦେଇ ଖୁସି ମଧ୍ୟ କରାଯାଏ । ଯେଉଁ ଭଣ୍ଡାରରୁ ଖାଉଛନ୍ତି କହୁଛନ୍ତି ବାବା ଏସବୁ ଆପଣଙ୍କର ଅଟେ । ବାବା କହୁଛନ୍ତି ନିମିତ୍ତ ହୋଇ ଗୃହସ୍ଥକୁ ସମ୍ଭାଳି ଚାଲ । ପିଲାମାନେ କହୁଛନ୍ତି ବାବା ସବୁ କିଛି ଆପଣଙ୍କର ଦାନ ଅଟେ । ଭକ୍ତିମାର୍ଗରେ କେବଳ କଥାକୁ ମାତ୍ର କହୁଥିଲ । ଏବେ ମୁଁ ତୁମକୁ କହୁଛି ନିମିତ୍ତ ହୁଅ । ଏବେ ମୁଁ ସମ୍ମୁଖରେ ଅଛି । ମୁଁ ମଧ୍ୟ ନିମିତ୍ତ ହୋଇ ପୁଣି ତୁମକୁ ନିମିତ୍ତ କରୁଛି । ଯାହା କିଛି କରୁଛ ବାବାଙ୍କୁ ପଚାରି କର । ବାବା ପ୍ରତ୍ୟେକ କଥାରେ ରାୟ ଦେବେ । ବାବା ଘର ତିଆରି କରିବୁ, ଏପରି କରିବୁ, ଏଭଳି ପଚାରିଲେ ବାବା କହିବେ କରିପାର । ବାକି ପାପ ଆତ୍ମାମାନଙ୍କୁ ପଇସା ପତ୍ର ଦିଅ ନାହିଁ । କନ୍ୟା ଯଦି ଜ୍ଞାନରେ ନ ଚାଲୁଛି, ବିବାହ କରିବାକୁ ଚାହୁଁଛି ତେବେ କଣ କରିପାରିବ । ବାବା ତ ବୁଝାଉଛନ୍ତି ତୁମେ କାହିଁକି ଅପବିତ୍ର ହେଉଛ, କିନ୍ତୁ କାହାର ଭାଗ୍ୟରେ ନଥିଲେ ପତିତ ହୋଇଯାଉଛନ୍ତି । ଅନେକ ପ୍ରକାରର ଘଟଣା ହେଉଛି । ପବିତ୍ର ରହି ମଧ୍ୟ ମାୟାର ଥାପଡ ଲାଗିଯାଉଛି, ପତିତ ହୋଇ ଯାଉଛନ୍ତି । ଅନେକ ପ୍ରକାରର କ୍ଷତି ହେଉଛି । ମାୟା ବଡ ପ୍ରବଳ ଅଟେ । ତେଣୁ ସିଏ ମଧ୍ୟ କାମର ବଶିଭୂତ ହୋଇଯାଉଛନ୍ତି, ପୁଣି କୁହାଯାଉଛି ଡ୍ରାମାରେ ଯାହାଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି ହୋଇଛି କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । କିଛି ନୂଆ ନୁହେଁ । ଭଲ କାମ କରିବାରେ ମଧ୍ୟ ବିଘ୍ନ ପକାଉଛନ୍ତି, ଏହା ମଧ୍ୟ କିଛି ନୂଆ କଥା ନୁହେଁ । ଆମକୁ ତ ତନ-ମନ-ଧନ ଦ୍ୱାରା ଭାରତକୁ ନିଶ୍ଚିତ ସ୍ୱର୍ଗ କରିବାକୁ ପଡିବ । ସବୁ କିଛି ବାବାଙ୍କ ଉପରେ ସ୍ୱାହା କରିବୁ । ତୁମେମାନେ ଜାଣିଛ ଆମେ ଶ୍ରୀମତ ଅନୁସାରେ ଏହି ଭାରତର ରୁହାନୀ ସେବା କରୁଛୁ । ତୁମ ବୁଦ୍ଧିରେ ଅଛି ଯେ ଆମେ ନିଜର ରାଜ୍ୟ ପୁନର୍ବାର ସ୍ଥାପନ କରୁଛୁ । ବାବା କହୁଛନ୍ତି ତିନି ପାଦ ଭୁମି ଦେଇ ଏହି ରୁହାନୀ ଡାକ୍ତରଖାନା ସହିତ ବିଶ୍ୱବିଦ୍ୟାଳୟ ସ୍ଥାପନା କର । ଯାହା ଦ୍ୱାରା ମନୁଷ୍ୟ ସର୍ବଦା ସୁସ୍ଥ ଓ ଧନଶାଳୀ ହୋଇଯିବେ । ୩ ପାଦ ପୃଥିବୀ ମଧ୍ୟ କେହି ଦେଉନାହାଁନ୍ତି । କହୁଛନ୍ତି ବି.କେ.ମାନେ ଜାଦୁ କରିଦେବେ, ଭଉଣୀ-ଭାଇ କରିଦେବେ । ତୁମ ପାଇଁ ଡ୍ରାମାରେ ବହୁତ ଭଲ ଯୁକ୍ତି (ଉପାୟ) ରଖାଯାଇଛି । ଭଉଣୀ-ଭାଇ ହେଲେ କୁଦୃଷ୍ଟି ରହିପାରିବ ନାହିଁ । ଆଜିକାଲି ତ ଦୁନିଆ ଏତେ ବିକାରୀ ହୋଇଗଲାଣି, ସେ କଥା ନ କହିଲେ ଭଲ । ଯେପରି ବାବାଙ୍କୁ ଦୟା ଲାଗୁଛି, ସେହିପରି ତୁମକୁ ମଧ୍ୟ ଦୟା ଲାଗିବା ଦରକାର । ବାବା ଯେପରି ନର୍କକୁ ସ୍ୱର୍ଗ କରାଉଛନ୍ତି, ସେହିପରି ତୁମେ ଦୟାଶୀଳ ପିଲାମାନଙ୍କୁ ମଧ୍ୟ ବାବାଙ୍କର ସାହାଯ୍ୟକାରୀ ହେବାକୁ ପଡିବ । ପଇସା ଥିଲେ ଡାକ୍ତରଖାନା ସହିତ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କର । ଏଥିରେ ଅଧିକ ଖର୍ଚ୍ଚର ତ କୌଣସି କଥା ହିଁ ନାହିଁ । କେବଳ ଚିତ୍ର ରଖିଦିଅ । ଯିଏ କଳ୍ପ ପୂର୍ବରୁ ଜ୍ଞାନ ନେଇଥିବେ, ତାଙ୍କର ବୁଦ୍ଧିର ତାଲା ଖୋଲିଯିବ । ସେମାନେ ଆସିବାକୁ ଲାଗିବେ । କେତେ ପିଲା ଦୂର-ଦୂରରୁ ପଢିବା ପାଇଁ ଆସୁଛନ୍ତି । ବାବା ଏପରି ମଧ୍ୟ ଦେଖିଛନ୍ତି, ଗୋଟିଏ ଗାଁରୁ ରାତିରୁ ଆସିଥାନ୍ତି, ସକାଳୁ ସେଣ୍ଟରରେ ଆସି ଝୋଲି ଭରି ଅର୍ଥାତ୍ ଜ୍ଞାନ ଶୁଣି ଚାଲିଯାଆନ୍ତି । ଝୁଲା ମୁଣି ଏପରି ନ ହେଉ ଯେଉଁଥିରୁ ଜ୍ଞାନ ବହିଯିବ । ସେମାନେ ପୁଣି କେଉଁ ପଦ ପାଇବେ! ତୁମେ ତ ବହୁତ ଖୁସି ହେବା ଉଚିତ୍ । ବେହଦର ବାବା ଆମକୁ ପଢାଉଛନ୍ତି, ବେହଦର ବର୍ସା ଦେବା ପାଇଁ । କେତେ ସହଜ ଜ୍ଞାନ ଅଟେ । ବାବା ଜାଣିଛନ୍ତି ଯେଉଁମାନେ ବିଲ୍କୁଲ୍ ପଥରବୁଦ୍ଧି ଅଟନ୍ତି ତାଙ୍କୁ ପାରସବୁଦ୍ଧି କରିବାକୁ ହେବ । ବାବାଙ୍କୁ ତ ବହୁତ ଖୁସି ଲାଗୁଛି । ଏହା ଗୁପ୍ତ ଅଟେ ନା । ଜ୍ଞାନ ମଧ୍ୟ ଗୁପ୍ତ ଅଟେ । ମମ୍ମା-ବାବା ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ତେବେ ଆମେ କାହିଁକି କମ ପଦ ପାଇବୁ । ଆମେ ମଧ୍ୟ ସେବା କରିବୁ । ତେଣୁ ଏହି ନିଶା ରହିବା ଉଚିତ୍ । ଆମେ ଯୋଗବଳ ଦ୍ୱାରା ନିଜର ରାଜଧାନୀ ସ୍ଥାପନ କରୁଛୁ । ଏବେ ଆମେ ସ୍ୱର୍ଗର ମାଲିକ ହେବାକୁ ଯାଉଛୁ । ସେଠାରେ ପୁଣି ଏହି ଜ୍ଞାନ ରହିବ ନାହିଁ । ଏହି ଜ୍ଞାନ ବର୍ତ୍ତମାନ ପାଇଁ ଉଦ୍ଦିଷ୍ଟ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧିମାନ ହୋଇ ନିଜର ସବୁ କିଛି ଧନୀଙ୍କ ନାମରେ ଅର୍ଥାତ୍ ଈଶ୍ୱରୀୟ ସେବାରେ ସଫଳ କରିବାକୁ ହେବ । ପତିତମାନଙ୍କୁ କୌଣସି ପ୍ରକାରର ଦାନ କରିବାର ନାହିଁ । କେବଳ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କାହା ସହିତ ସମ୍ପର୍କ ରଖିବାର ନାହିଁ ।

(୨) ବୁଦ୍ଧି ରୂପକ ମୁଣୀରେ ଏପରି କୌଣସି ଛିଦ୍ର ନଥାଉ ଯାହା ଦ୍ୱାରା ସବୁ ଜ୍ଞାନ ବାହାରିଯାଉଥିବ । ବେହଦର ଅର୍ଥାତ୍ ଅବିନାଶୀ ବାବା ଆମକୁ ବେହଦର ବର୍ସା ଅର୍ଥାତ୍ ଅବିନାଶୀ ସମ୍ପତ୍ତି ଦେବା ପାଇଁ ପାଠ ପଢାଉଛନ୍ତି, ଏହି ଗୁପ୍ତ ଖୁସିରେ ରହିବାକୁ ହେବ । ବାବାଙ୍କ ସମାନ ଦୟାଶୀଳ ହେବାକୁ ପଡିବ ।

ବରଦାନ:-
ସମସ୍ତଙ୍କୁ ଉମଙ୍ଗ-ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ସଚ୍ଚା ସେବାଧାରୀ ହୁଅ ।

ସେବାଧାରୀ ଅର୍ଥାତ୍ ସମସ୍ତଙ୍କୁ ଉମଙ୍ଗ-ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ଆତ୍ମା । ଏବେ ସମୟ ବହୁତ କମ୍ ଅଛି ଏବଂ ଅଧିକରୁ ଅଧିକ ସଂଖ୍ୟାରେ ଆତ୍ମାମାନଙ୍କର ଆସିବାର ଅଛି । ତେଣୁ ଏତିକି ସଂଖ୍ୟାରେ ଖୁସି ହୋଇଯାଅ ନାହିଁ ବା ଭାବ ନାହିଁ ଯେ ବହୁତ ଆସିଗଲେଣି । ଏବେ ତ ସଂଖ୍ୟା ବହୁତ ବଢିବାର ଅଛି ସେଥିପାଇଁ ତୁମେମାନେ ବାବାଙ୍କଠାରୁ ଯେଉଁ ପାଳନା ନେଇଛ ତାର ପ୍ରତିଦାନ ଦିଅ । ଆସୁଥିବା ସମସ୍ତ ନିର୍ବଳ ଆତ୍ମାମାନଙ୍କର ସହଯୋଗୀ ହୋଇ ସେମାନଙ୍କୁ ସମର୍ଥ, ଅଚଳ, ଅଟଳ କରିଦିଅ ତେବେ କୁହାଯିବ ସଚ୍ଚା ସେବାଧାରୀ ।

ସ୍ଲୋଗାନ:-
ଯେତେବେଳେ, ଯେଉଁଠାରେ ଏବଂ ଯେପରି ଚାହଁ ସେହିପରି ଭାବରେ ଆତ୍ମାକୁ ସ୍ଥିତ କରିନେବା ହିଁ ଆତ୍ମିକ ଡ୍ରିଲ୍ ବା ବ୍ୟାୟାମ ଅଟେ ।


ମାତେଶ୍ୱରୀଙ୍କର ଅନମୋଲ ମହାବାକ୍ୟ :

(୧) ପରମାତ୍ମା ଗୁରୁ, ଶିକ୍ଷକ ଏବଂ ପିତାଙ୍କ ରୂପରେ ଭିନ୍ନ ଭିନ୍ନ ସମ୍ବନ୍ଧର ସମ୍ପତ୍ତି ପ୍ରାପ୍ତ କରାଇଥାନ୍ତି
ଦେଖ, ପରମାତ୍ମା ତିନି ରୂପରେ ସମ୍ପତ୍ତି ପ୍ରାପ୍ତ କରାଉଛନ୍ତି । ସିଏ ଆମର ପିତା, ଶିକ୍ଷକ ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି । ତେବେ ପିତାଙ୍କ ସହିତ ପିତାଙ୍କର ସମ୍ବନ୍ଧ, ଶିକ୍ଷକଙ୍କ ସହିତ ଶିକ୍ଷକଙ୍କର ସମ୍ବନ୍ଧ ଏବଂ ଗୁରୁଙ୍କ ସହିତ ଗୁରୁଙ୍କର ସମ୍ବନ୍ଧ । ଯଦି ବାବାଙ୍କୁ ଛାଡପତ୍ର ଦେଇ ଦେବ ତେବେ ସମ୍ପତ୍ତି କିପରି ମିଳିବ ? ଯେତେବେଳେ ପାସ୍ ହୋଇ ଶିକ୍ଷକଙ୍କଠାରୁ ସାର୍ଟିଫିକେଟ୍ ନେବ ତେବେ ଶିକ୍ଷକଙ୍କର ସଙ୍ଗ ମିଳିବ । ଯଦି ବାବାଙ୍କର ଆଜ୍ଞାକାରୀ, ବିଶ୍ୱସ୍ଥ ହୋଇ ତାଙ୍କ ଶ୍ରୀମତ ଅନୁସାରେ ନ ଚାଲିବ ତେବେ ଭବିଷ୍ୟତ ପ୍ରାରବ୍ଧ ଜମା ହୋଇପାରିବ ନାହିଁ । ପୁଣି ସମ୍ପୂର୍ଣ୍ଣ ସଦ୍ଗତିକୁ ମଧ୍ୟ ପ୍ରାପ୍ତ କରିପାରିବ ନାହିଁ ଏବଂ ବାବାଙ୍କଠାରୁ ପବିତ୍ରତାର ସମ୍ପତ୍ତି ମଧ୍ୟ ନେଇପାରିବ ନାହିଁ । ବାବା ପ୍ରତିଜ୍ଞା କରୁଛନ୍ତି ଏବଂ କହୁଛନ୍ତି ଯଦି ତୁମେ ବହୁତ ଭଲ ଭାବରେ ପୁରୁଷାର୍ଥ କରିବ ତେବେ ମୁଁ ତୁମକୁ ୧୦୦ ଗୁଣା ଫାଇଦା କରାଇ ଦେବି । କେବଳ ନାମକୁ ମାତ୍ର ନୁହେଁ କିନ୍ତୁ ତାଙ୍କ ସହିତ ଗଭୀର ସମ୍ବନ୍ଧରେ ମଧ୍ୟ ରହିବା ଆବଶ୍ୟକ । ଅର୍ଜ୍ଜୁନଙ୍କୁ ମଧ୍ୟ ହୁକୁମ କରିଥିଲେ, ସମସ୍ତଙ୍କୁ ମାର କିନ୍ତୁ ନିରନ୍ତର ମୋତେ ମନେ ପକାଅ । ପରମାତ୍ମା ତ ସମର୍ଥ ଅଟନ୍ତି । ସର୍ବଶକ୍ତିମାନ ଅଟନ୍ତି, ସିଏ ନିଜର ପ୍ରତିଜ୍ଞାକୁ ଅବଶ୍ୟ ରକ୍ଷା କରିବେ କିନ୍ତୁ ସେତେବେଳେ କରିବେ ଯେତେବେଳେ ତୁମେମାନେ ମଧ୍ୟ ତାଙ୍କ ସହିତ ସମ୍ବନ୍ଧ ରଖିବ । ଯଦି ଚାରିଆଡୁ ବୁଦ୍ଧିକୁ ସାଉଁଟି ଆଣି କେବଳ ପରମାତ୍ମାଙ୍କ ସହିତ ଯୋଡିବ ତେବେ ଯାଇ ସମ୍ପୂର୍ଣ୍ଣ ସମ୍ପତ୍ତି ପ୍ରାପ୍ତ ହେବ ।

(୨) ସବୁ ମନୁଷ୍ୟ ଆତ୍ମାମାନେ ପୁନର୍ଜନ୍ମରେ ଆସିଥାନ୍ତି
ଦେଖ, ଯେଉଁମାନେ ବି ଧର୍ମସ୍ଥାପନା କରିବା ପାଇଁ ଆସିଥାନ୍ତି ସେମାନେ ପୁଣି ପୁର୍ନଜନ୍ମ ନେଇ ସେହି ଧର୍ମର ପାଳନା କରିବା ପାଇଁ ମଧ୍ୟ ଆସନ୍ତି । ସେମାନେ ନା ନିଜେ ମୁକ୍ତିକୁ ପ୍ରାପ୍ତ କରନ୍ତି ନା ଅନ୍ୟମାନଙ୍କୁ ମୁକ୍ତି ଦିଅନ୍ତି । ଯଦି ଏହିଭଳି ହୋଇ ଚାଲିବ ତେବେ ଯେଉଁମାନେ ମୁକ୍ତି ପାଇ ପାରନ୍ତି ନାହିଁ ସେହିମାନେ ହିଁ ଏବେ ସୃଷ୍ଟି ରହିଯିବେ । କିନ୍ତୁ ପାପାତ୍ମାମାନେ ଏଠାରେ ରହିଯିବେ ଏବଂ ପୁଣ୍ୟାତ୍ମାମାନେ ମୁକ୍ତିକୁ ପ୍ରାପ୍ତ କରିବେ ଏଭଳି ତ ହୋଇପାରିବ ନାହିଁ । ଯେପରି ସନ୍ନ୍ୟାସୀମାନେ ହେଲେ ନିର୍ବିକାରୀ, ଯଦି ସେମାନେ ମୁକ୍ତି ପାଇଯିବେ ଏବଂ ପାପାତ୍ମା ରହିଯିବେ, ତେବେ ତ ପୁଣି ନା ସନ୍ନ୍ୟାସୀମାନଙ୍କର ବୃଦ୍ଧି ହେବ ନା ସୃଷ୍ଟି ଏହିଭଳି ଚାଲିବ । ପୁଣ୍ୟ ଆତ୍ମାମାନେ ସେମାନଙ୍କର ପୁଣ୍ୟବଳରେ ସୃଷ୍ଟିକୁ ଅଟକାଇ ରଖିଛନ୍ତି ଏବଂ ନିଜର ପବିତ୍ରତାର ବଳ ଆଧାରରେ ସୃଷ୍ଟି ଆଗକୁ ଆଗକୁ ବଢିଚାଲିଛି । ନଚେତ୍ କାମ ଅଗ୍ନି ଦ୍ୱାରା ସୃଷ୍ଟି ଜଳିଯିବ । ତେଣୁ ସୃଷ୍ଟିର ନିୟମ ନାହିଁ ଯେ ମଝି ସମୟରେ କୌଣସି ଆତ୍ମା ମୁକ୍ତିକୁ ଚାଲିଯିବେ । ଯେପରି ବୃକ୍ଷର ଗୋଟିଏ ପତ୍ର ମଧ୍ୟ ବୀଜରେ ସମାହିତ ହୋଇପାରିବ ନାହିଁ । ବୃକ୍ଷ ବୃଦ୍ଧି ହୋଇ ପୁଣି ଜରାଜୀର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରିଥାଏ ପୁଣି ନୂଆ ବୃକ୍ଷ ସୃଷ୍ଟି ହୋଇଥାଏ । ସେଥିପାଇଁ ଯେଉଁମାନେ ବି ଧର୍ମ ସ୍ଥାପନା କରିବା ପାଇଁ ଆସନ୍ତି ସେମାନେ ପୁଣି ପାଳନା ମଧ୍ୟ ନିଶ୍ଚିତ କରିଥାନ୍ତି । କିନ୍ତୁ ଆମେ ଯାହାଙ୍କର ସାହାରା ନେଇଛୁ ସିଏ ଯେତେବେଳେ ଅନେକ ଧର୍ମର ବିନାଶ କରିବେ ସେତେବେଳେ ଗୋଟିଏ ଧର୍ମର ସ୍ଥାପନା ହେବ । ସିଏ ହିଁ ସ୍ଥାପନା, ବିନାଶ ଏବଂ ପାଳନା ତିନୋଟି କାର୍ଯ୍ୟ କରିଥାନ୍ତି । କିନ୍ତୁ ଅନ୍ୟ ଧର୍ମସ୍ଥାପକମାନେ କେବଳ ସ୍ଥାପନାର କାର୍ଯ୍ୟ କରନ୍ତି, ବିନାଶର କାର୍ଯ୍ୟ କରନ୍ତି ନାହିଁ । ବିନାଶର କାମ କରାଇବା ତାହା ତ ପରମାତ୍ମାଙ୍କ ହାତରେ ଅଛି, ସେଥିପାଇଁ ତାଙ୍କୁ ତ୍ରିମୂର୍ତ୍ତି ବୋଲି କହିଥାନ୍ତି ।