18.10.20    Avyakt Bapdada     Odia Murli     07.04.86     Om Shanti     Madhuban


ତପସ୍ୱୀ ମୂରତ, ତ୍ୟାଗ ମୂରତ ବିଧାତା ହିଁ ବିଶ୍ୱ-ରାଜ୍ୟ ଅଧିକାରୀ


ଆଜି ଆତ୍ମିକ ଜ୍ୟୋତି ସ୍ୱରୂପ ପରମାତ୍ମା ନିଜର ଆତ୍ମା ରୂପୀ ପତଙ୍ଗମାନଙ୍କୁ ଦେଖୁଛନ୍ତି । ସମସ୍ତ ଆତ୍ମିକ ପତଙ୍ଗମାନେ ପରମଜ୍ୟୋତି ସହିତ ମିଳନ କରିବା ପାଇଁ ଚାରିଆଡୁ ଆସି ପହଞ୍ଚି ଗଲେଣି । ଏହି ଆତ୍ମିକ ପତଙ୍ଗମାନଙ୍କର ପ୍ରେମକୁ କେବଳ ଆତ୍ମିକ ଜ୍ୟୋତି ଏବଂ ଆତ୍ମିକ ପତଙ୍ଗମାନେ ହିଁ ଜାଣିଛନ୍ତି । ବାପଦାଦା ଜାଣିଛନ୍ତି ଯେ ସବୁ ପିଲାଙ୍କର ହାର୍ଦ୍ଦିକ ସ୍ନେହର ଆକର୍ଷଣ ପରସ୍ପରକୁ ଆକର୍ଷିତ କରି ଏହି ମେଳାକୁ ନେଇ ଆସିଛି । ଏହି ଅଲୌକିକ ମେଳାକୁ ଅଲୌକିକ ପିଲାମାନେ ଜାଣିଛନ୍ତି ଏବଂ ତାଙ୍କର ପିତା ଜାଣିଛନ୍ତି । ଦୁନିଆ ପାଇଁ ଏହି ମେଳା ଗୁପ୍ତ ଅଟେ । ଯଦି କାହାକୁ କହିବ ଯେ ଆମେ ଆତ୍ମିକ ମେଳାକୁ ଯାଉଛୁ ତେବେ ସିଏ କଣ ବୁଝିବ ? ଏହି ମେଳା ସଦାକାଳ ପାଇଁ ମାଲାମାଲ ଅର୍ଥାତ୍ ଭରପୁର କରିବାର ମେଳା । ଏହି ପରମାତ୍ମ ମେଳା ସର୍ବପ୍ରାପ୍ତି ସ୍ୱରୂପ କରାଇବାର ମେଳା । ବାପଦାଦା ଆଜି ସବୁ ପିଲାଙ୍କର ହୃଦୟର ଉମଙ୍ଗ-ଉତ୍ସାହକୁ ଦେଖୁଛନ୍ତି । ପ୍ରତ୍ୟେକଙ୍କ ମନ ଭିତରେ ସ୍ନେହର ସାଗର ବାବାଙ୍କର ସ୍ନେହର ଲହଡି ଉଠିବାରେ ଲାଗିଛି । ଏହି କଥାକୁ ବାପଦାଦା ଜାଣିଛନ୍ତି ଏବଂ ଦେଖୁଛନ୍ତି ମଧ୍ୟ । ପିଲାମାନଙ୍କର ଲଗନ ହିଁ ସେମାନଙ୍କୁ ବିଘ୍ନ-ବିନାଶକ କରି ମଧୁବନ ନିବାସୀ କରିଦେଇଛି । ସମସ୍ତଙ୍କର ସମସ୍ତ କଥା ସ୍ନେହ ସାଗରରେ ସମାପ୍ତ ହୋଇଯାଇଛି । ସମସ୍ତେ ଏଭରରେଡି ଅର୍ଥାତ୍ ସଦାପ୍ରସ୍ତୁତ ରହିବାର ପୂର୍ବାଭ୍ୟାସ କରି ଦେଖାଇଛନ୍ତି । ଏବେ ସମସ୍ତେ ଏଭରରେଡି ହୋଇଯାଇଛ ନା । ଏହି ମିଠା ଡ୍ରାମାର ମିଠା ପାର୍ଟକୁ ଦେଖି, ବାପଦାଦା ଏବଂ ବ୍ରାହ୍ମଣ ପିଲାମାନେ ହର୍ଷିତ ହେଉଛନ୍ତି । ସ୍ନେହ ଥିବା କାରଣରୁ ସବୁ କଥା ସହଜ ମଧ୍ୟ ଲାଗୁଛି ଏବଂ ପ୍ରିୟ ମଧ୍ୟ ଲାଗୁଛି । ଡ୍ରାମା ଯେପରି ବି ତିଆରି ହୋଇଛି ତାକୁ ବାଃ ବାଃ ବୋଲି କହିବା । ତେବେ କେତେ ଥର ଏହିଭଳି ଦୌଡି ଦୌଡି ଆସିଛ ? ଟ୍ରେନ୍ରେ ଆସିଛି ନା ଡେଣା ଦ୍ୱାରା ଉଡି ଉଡି ଆସିଛ ? ଏହାକୁ ହିଁ କୁହାଯାଏ ଯେଉଁଠି ମନ ଲାଗିଥିବ ସେଠାରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯିବ । ତେବେ ସ୍ନେହର ସ୍ୱରୂପ ତ ଦେଖାଇଲ ଏବେ ଆଗକୁ ଆଉ କଣ କରିବ ? ଆଜି ପର୍ଯ୍ୟନ୍ତ ଯାହା ସବୁ ହୋଇଯାଇଛି ତାହା ଶ୍ରେଷ୍ଠ ଅଟେ ଏବଂ ସର୍ବଦା ଶ୍ରେଷ୍ଠ ହୋଇ ରହିବ ।

ବର୍ତ୍ତମାନର ସମୟ ଅନୁସାରେ ସର୍ବସ୍ନେହୀ, ସର୍ବଶ୍ରେଷ୍ଠ ପିଲାମାନଙ୍କଠାରୁ ବାପଦାଦା ଆଉ କଣ ଆଶା କରୁଛନ୍ତି ? ଏମିତି ତ ସାରା ସିଜିନ୍ ଅର୍ଥାତ୍ ମିଳନ ଋତୁରେ ସମୟ ଅନୁସାରେ ବାପଦାଦା ନିର୍ଦ୍ଦେଶ ଦେଇ ଚାଲିଛନ୍ତି । ବର୍ତ୍ତମାନ ସେହି ସବୁ ନିର୍ଦ୍ଦେଶଗୁଡିକୁ ପ୍ରତ୍ୟକ୍ଷ ରୂପରେ ଦେଖାଇବାର ସମୟ ଆସୁଛି । ସମସ୍ତେ ସ୍ନେହୀ ଆତ୍ମା ଅଟ, ସହଯୋଗୀ ଏବଂ ସେବାଧାରୀ ମଧ୍ୟ ଅଟ । ବର୍ତ୍ତମାନ ମହାତପସ୍ୱୀ ଆତ୍ମା ହୁଅ । ନିଜର ସଂଗଠିତ ସ୍ୱରୂପର ତପସ୍ୟାର ଆତ୍ମିକ ଜ୍ୱାଳା ଦ୍ୱାରା ସର୍ବ ଆତ୍ମାଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବାର ମହାନ କର୍ତ୍ତବ୍ୟ କରିବାର ଏହା ହିଁ ଉପଯୁକ୍ତ ସମୟ । ଯେପରି ଗୋଟିଏ ପଟେ ଅକାରଣେ ରକ୍ତପାତର ଖେଳ ଅଧିକ ଅଧିକ ବଢିଚାଲିଛି, ସର୍ବ ଆତ୍ମାମାନେ ନିଜକୁ ବେସାହରା ଅନୁଭବ କରୁଛନ୍ତି, ଏହିଭଳି ସମୟରେ ସବୁ ପ୍ରକାରର ସାହାରାର ଅନୁଭୂତି କରାଇବାର ନିମିତ୍ତ ତୁମେ ମହାତପସ୍ୱୀ ଆତ୍ମାମାନେ ହିଁ ଅଟ । ତୁମକୁ ନିଜର ତପସ୍ୱୀ ସ୍ୱରୂପ ଦ୍ୱାରା ଚାରିଆଡର ଆତ୍ମାମାନଙ୍କୁ ଆତ୍ମିକ ଶାନ୍ତିର ଅନୁଭୂତି କରାଇବାକୁ ହିଁ ହେବ । ସାରା ବିଶ୍ୱର ଆତ୍ମାମାନେ ପ୍ରକୃତି ଠାରୁ, ବାତାବରଣ ଠାରୁ, ମନୁଷ୍ୟ ଆତ୍ମାମାନଙ୍କଠାରୁ, ନିଜର ମାନସିକ ଦୁର୍ବଳତା ଗୁଡିକଠାରୁ, ଶରୀରଠାରୁ ଦୁଃଖୀ ହେଉଛନ୍ତି । ଏହିଭଳି ଆତ୍ମାମାନଙ୍କୁ ଯଦି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ସୁଖ-ଶାନ୍ତିର ଅନୁଭବ କରାଇ ପାରିବ ତେବେ ସେମାନେ ତୁମକୁ ଅନ୍ତରର ସହିତ ବାରମ୍ବାର ଧନ୍ୟବାଦ ଦେବେ । ତେଣୁ ବର୍ତ୍ତମାନ ସମୟରେ ସଂଗଠିତ ରୂପରେ ଜ୍ୱାଳା ସ୍ୱରୂପ ସ୍ଥିତିରେ ରହିବାର ଆବଶ୍ୟକତା ରହିଛି । ଏବେ ତୁମେ ବିଧାତାଙ୍କର ସନ୍ତାନମାନେ ନିଜର ବିଧାତା ସ୍ୱରୂପରେ ସ୍ଥିତ ରହି ପ୍ରତି ମୂହୁର୍ତ୍ତରେ ଦେଇଚାଲ । ଅଖଣ୍ଡ ରୂପରେ ଦାନ କରିଚାଲ । କାରଣ ଦୁନିଆରେ ରାଜକୀୟ ଭିକାରୀ ବହୁତ ଅଛନ୍ତି । କେବଳ ଧନର ଭିକାରୀ ହିଁ ଭିକାରୀ ନୁହଁନ୍ତି କିନ୍ତୁ ମନର ଭିକାରୀ ଅନେକ ପ୍ରକାରର ଅଛନ୍ତି । ଅପ୍ରାପ୍ତ ଆତ୍ମାମାନେ ପ୍ରାପ୍ତିର ଜଳ ବିନ୍ଦୁ ପାଇଁ ଅତି ତୃଷାର୍ତ୍ତ ଅବସ୍ଥାରେ ଅଛନ୍ତି, ସେଥିପାଇଁ ବର୍ତ୍ତମାନ ସଂଗଠିତ ରୂପରେ ବିଧାତା ପଣିଆର ବାତାବରଣ ସୃଷ୍ଟି କର । ଆଜି ପର୍ଯ୍ୟନ୍ତ ଯେଉଁ ସବୁ ସମ୍ପତ୍ତିକୁ ଜମା କରିଛ ସେଗୁଡିକୁ ମାଷ୍ଟର ବିଧାତା ହୋଇ ଯେତେ ବାଣ୍ଟି ଚାଲିବ ତାହା ସେତେ ଭରପୁର ହୋଇଚାଲିବ । ବହୁତ ଶୁଣିସାରିଲଣି, ଏବେ କରିବାର ସମୟ । ତପସ୍ୱୀ ମୂରତର ଅର୍ଥ ହେଲା ତପସ୍ୟା ଦ୍ୱାରା ଶାନ୍ତିର, ଶକ୍ତିର କିରଣ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେବାର ଅନୁଭବ ହେବ । କେବଳ ନିଜ ପାଇଁ ଯୋଗଯୁକ୍ତ ହୋଇ ଶକ୍ତି ନେବା ବା ମିଳନ କରିବା ଅଲଗା କଥା କିନ୍ତୁ ତପସ୍ୱୀ ସ୍ୱରୂପ ହେଉଛି ଅନ୍ୟମାନଙ୍କୁ ଦେବାର ସ୍ୱରୂପ । ଯେପରି ସୂର୍ଯ୍ୟ ସାରା ବିଶ୍ୱକୁ ଆଲୋକ ପ୍ରଦାନ କରିବା ସହିତ ଅନେକ ପ୍ରକାରର ବିନାଶୀ ପ୍ରାପ୍ତିର ଅନୁଭୂତି କରାଉଛି, ସେହିପରି ନିଜର ମହାନ ତପସ୍ୱୀ ସ୍ୱରୂପ ଦ୍ୱାରା ପ୍ରାପ୍ତିର କିରଣର ଅନୁଭୂତି କରାଅ । ସେଥିପାଇଁ ପ୍ରଥମେ ନିଜର ଜମା ଖାତାକୁ ବଢାଅ । ଏମିତି ନୁହେଁ ଯେ ଯୋଗ ଦ୍ୱାରା ବା ଜ୍ଞାନର ମନନ-ଚିନ୍ତନ ଦ୍ୱାରା ନିଜକୁ ଶ୍ରେଷ୍ଠ କରିଦେଇଛ ବା ମାୟାଜିତ୍ ବିଜୟୀ କରିଦେଇଛ କେବଳ ଏଥିରେ ଖୁସି ହୋଇଯାଅ ନାହିଁ । କିନ୍ତୁ ସର୍ବ ସମ୍ପତ୍ତିରେ ସାରା ଦିନ ଭିତରେ କେତେ ଜଣଙ୍କ ପ୍ରତି ବିଧାତା ହୋଇଛ । ସର୍ବ ସମ୍ପତ୍ତିକୁ ପ୍ରତ୍ୟେକ ଦିନ କାର୍ଯ୍ୟରେ ଲଗାଉଛ, ନା । କେବଳ ଜମାକୁ ଦେଖି ଖୁସି ହେଉଛ । ବର୍ତ୍ତମାନ ଏହି ଚାର୍ଟ ରଖ ଯେ ଖୁସିର ସମ୍ପତ୍ତି, ଶାନ୍ତିର ସମ୍ପତ୍ତି, ସର୍ବ ଶକ୍ତିର ସମ୍ପତ୍ତି, ଜ୍ଞାନର ସମ୍ପତ୍ତି, ଗୁଣର ସମ୍ପତ୍ତି, ସହଯୋଗ ଦେବାର ସମ୍ପତ୍ତିକୁ କେତେ ବାଣ୍ଟିଛି ଅର୍ଥାତ୍ କେତେ ବୃଦ୍ଧି କରିଛି, ଏହା ଦ୍ୱାରା ତୁମେ ଯେଉଁ ସାଧାରଣ ଚାର୍ଟ ରଖୁଛ ତାହା ଆପେ ଆପେ ଶ୍ରେଷ୍ଠ ହୋଇଯିବ । ପରଉପକାରୀ ହେବା ଦ୍ୱାରା ସ୍ୱଉପକାରୀ ଆପେ ଆପେ ହୋଇଯିବ । ବୁଝିପାରିଲ ଏବେ କେଉଁ ଚାର୍ଟ ରଖିବ ? ଏହିଭଳି ତପସ୍ୱୀ ସ୍ୱରୂପର ଚାର୍ଟ ରଖିବା ହିଁ ବିଶ୍ୱ କଲ୍ୟାଣକାରୀ ହେବା । ତେବେ ଆଜି ପର୍ଯ୍ୟନ୍ତ କେତେ ଜଣଙ୍କର କଲ୍ୟାଣ କରିଛି ? ନା କେବଳ ସ୍ୱକଲ୍ୟାଣରେ ହିଁ ସମୟ ବିତିଯାଉଛି ? ସ୍ୱକଲ୍ୟାଣ କରିବାରେ ତ ବହୁତ ସମୟ ବିତିଗଲାଣି, ଏବେ ବିଧାତା ହେବାର ସମୟ ଆସିଯାଇଛି ସେଥିପାଇଁ ବାପଦାଦା ପୁନର୍ବାର ସମୟର ସଂକେତ ଦେଉଛନ୍ତି । ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବିଧାତା ପଣିଆର ସ୍ଥିତିର ଅନୁଭବ କରି ନାହଁ ତେବେ ଅନେକ ଜନ୍ମ ପର୍ଯ୍ୟନ୍ତ ବିଶ୍ୱ ରାଜ୍ୟ ଅଧିକାରୀ ହେବାର ପଦ୍ମାପଦ୍ମ ଭାଗ୍ୟକୁ ପ୍ରାପ୍ତ କରିପାରିବ ନାହିଁ, କାହିଁକି ନା ବିଶ୍ୱ ମହାରାଜନ ବିଶ୍ୱର ମାତା-ପିତା ଅର୍ଥାତ୍ ବିଧାତା ଅଟନ୍ତି । ତେଣୁ ବର୍ତ୍ତମାନର ବିଧାତା ପଣିଆର ସଂସ୍କାର ଅନେକ ଜନ୍ମ ପର୍ଯ୍ୟନ୍ତ ପ୍ରାପ୍ତି କରାଇ ଚାଲିବ । ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କୌଣସି ନା କୌଣସି ରୂପରେ ନେବାର ସଂସ୍କାର ରହିଛି ଅର୍ଥାତ୍ ନାମ ପ୍ରାପ୍ତିର ନେବତା, ମାନ-ମର୍ଯ୍ୟାଦାର ନେବତା ବା କୌଣସି ପ୍ରକାରର ନେବତାର ସଂସ୍କାରକୁ ବିଧାତା ଆତ୍ମାମାନେ କେବେ ବି ନିଜ ଭିତରେ ସ୍ଥାନ ଦେବେ ନାହିଁ ।

ତପସ୍ୟା ସ୍ୱରୂପ ଅର୍ଥାତ୍ ନେବତା ସଂସ୍କାରର ତ୍ୟାଗ ମୂରତ । ଏହିଭଳି ବିନାଶୀ ନେବତାର ସଂସ୍କାର ତୁମକୁ ତ୍ୟାଗ ମୂରତ, ତପସ୍ୱୀ ମୂରତ ହେବା ପାଇଁ ଦେବ ନାହିଁ ସେଥିପାଇଁ ତପସ୍ୱୀ ମୂରତ ଅର୍ଥାତ୍ ବିନାଶୀ ଇଚ୍ଛା ମାତ୍ରର ଅବିଦ୍ୟା ସ୍ୱରୂପ ହୁଅ । ଯିଏ ନେବାର ସଂକଳ୍ପ କରେ ସେ ଅଳ୍ପକାଳ ପାଇଁ ନିଏ କିନ୍ତୁ ସଦାକାଳ ପାଇଁ ହରାଏ ସେଥିପାଇଁ ବାପଦାଦା ବାରମ୍ବାର ଏହି କଥା ଉପରେ ଧ୍ୟାନ ଆକର୍ଷଣ କରାଉଛନ୍ତି । ତେବେ ତପସ୍ୱୀ ହେବାରେ ଅଳ୍ପକାଳର ପ୍ରାପ୍ତିର ଇଚ୍ଛା ହିଁ ବିଶେଷ ବିଘ୍ନ ରୂପ ଅଟେ ସେଥିପାଇଁ ବର୍ତ୍ତମାନ ବିଶେଷ ତପସ୍ୟାର ଅଭ୍ୟାସ କରିବାକୁ ହେବ । ସମାନ ହେବାର ପ୍ରମାଣ ଏହିଭଳି ଦେବାକୁ ହେବ । ସ୍ନେହର ପ୍ରମାଣ ଦେଇଛ ତାହା ତ ଖୁସିର କଥା । କିନ୍ତୁ ବର୍ତ୍ତମାନ ତପସ୍ୱୀ ମୂରତ ହେବାର ପ୍ରମାଣ ଦିଅ । ବୁଝିଲ । ଭିନ୍ନ ଭିନ୍ନ ପ୍ରକାରର ସଂସ୍କାର ଥିଲେ ମଧ୍ୟ ବିଧାତା ପଣିଆର ସଂସ୍କାର ଅନ୍ୟ ସବୁ ସଂସ୍କାରକୁ ଲୁଚାଇ ଦେବ, ତେଣୁ ବର୍ତ୍ତମାନ ଏହି ସଂସ୍କାରକୁ ଜାଗ୍ରତ କର । ବୁଝିଲ । ଯେପରି ଦୌଡି ଦୌଡି ଆସି ମଧୁବନରେ ପହଞ୍ଚି ଯାଇଛ ସେହିପରି ତପସ୍ୱୀ ସ୍ଥିତିର ଲକ୍ଷ୍ୟରେ ପହଞ୍ଚିବା ପାଇଁ ଦୌଡ । ଆଚ୍ଛା ଆସିଛ ଭଲ କରିଛ । ସମସ୍ତେ ଏଭଳି ଦୌଡି ଦୌଡି ଆସିଛନ୍ତି ଯେମିତିକି ଏବେ ହିଁ ବିନାଶ ହୋଇଯିବ । ଯାହା ବି କରିଛ, ଯାହା ବି ହୋଇଛି ବାପଦାଦାଙ୍କୁ ଭଲ ଲାଗୁଛି କାରଣ ପିଲାମାନେ ବାବାଙ୍କୁ ଅତି ପ୍ରିୟ ଅଟନ୍ତି । ସମସ୍ତେ ଭାବିଲେ ଆମେ ତ ମଧୁବନକୁ ଯାଉଛୁ କିନ୍ତୁ ଅନ୍ୟମାନେ ମଧ୍ୟ ଆସୁଛନ୍ତି । ଏକଥା ଭାବିଲେ ନାହିଁ । ତେବେ ସଚ୍ଚା କୁମ୍ଭମେଳା ତ ଏହିଠାରେ ହିଁ ହୋଇଯାଇଛି । ସମସ୍ତେ ଅନ୍ତିମ ମିଳନ ବା ଅନ୍ତିମ ବୁଡ ପକାଇବା ପାଇଁ ଆସିଛନ୍ତି । ଏକଥା ଭାବିଛ କି ଯେ ଆମେ ତ ଏତେ ସଂଖ୍ୟାରେ ଯାଉଛୁ ତେବେ ମିଳନ କରିବାର ବିଧି କିପରି ହେବ! ଏଥିରେ ଯେପରି ଜ୍ଞାନ ଶୂନ୍ୟ ହୋଇଗଲ । ନା ସ୍ଥାନକୁ ଦେଖିଲ, ନା ରିଜର୍ଭେଶନ୍କୁ ଦେଖିଲ । ଏବେ ତ ଆଉ କେବେ ବି ଏଭଳି ବାହାନା କରିପାରିବ ନାହିଁ ଯେ ରିଜର୍ଭେଶନ ମିଳୁ ନାହିଁ । ଡ୍ରାମାରେ ଏହା ମଧ୍ୟ ଏକ ରିହର୍ସଲ ଅର୍ଥାତ୍ ପୂର୍ବାଭ୍ୟାସ ହୋଇଗଲା । କାରଣ ସଂଗମ ଯୁଗରେ ତ ନିଜର ରାଜ୍ୟ ନୁହେଁ । ସ୍ୱରାଜ୍ୟ ସିନା ଅଛି କିନ୍ତୁ ଧରଣୀ ଉପରେ ତ ରାଜ୍ୟ ନାହିଁ ନା, ନା ବାପଦାଦାଙ୍କର ମଧ୍ୟ ନିଜର ରଥ ଅଛି, ଅନ୍ୟର ରାଜ୍ୟ, ଅନ୍ୟର ଶରୀର ସେଥିପାଇଁ ସମୟ ଅନୁସାରେ ନୂଆ ବିଧିର ଆରମ୍ଭ କରିବା ପାଇଁ ଏହି ସିଜିନ୍ ନିମିତ୍ତ ହୋଇଗଲା । ଏଠାରେ ତ ପାଣିର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଚିନ୍ତା କରିବାକୁ ପଡୁଛି, ସେଠାରେ ତ ଝରଣାରେ ଗାଧୋଇବ । ଯେଉଁମାନେ ବି ଆସିଛ, ଯେତେ ଜଣ ବି ଆସିଛ, ବାପଦାଦା ପିଲାମାନଙ୍କର ସ୍ନେହର ପ୍ରତିଦାନ ସ୍ୱରୂପ ସ୍ନେହର ସହିତ ସ୍ୱାଗତ କରୁଛନ୍ତି ।

ଏବେ ବିଶେଷ ଅନ୍ତିମ ପରୀକ୍ଷାର ପ୍ରସ୍ତୁତି ପାଇଁ ସମୟ ଦିଆଯାଉଛି । ଅନ୍ତିମ ପରୀକ୍ଷା ପୂର୍ବରୁ ସମୟ ଦିଆଯାଏ । ଛୁଟୀ କରିଦିଅନ୍ତି ନା । ତେଣୁ ବାପଦାଦା ଅନେକ ରହସ୍ୟକୁ ଦୃଷ୍ଟିରେ ରଖି ଏହିଭଳି ବିଶେଷ ସମୟ ଦେଉଛନ୍ତି । କିଛି ରହସ୍ୟ ଗୁପ୍ତ ରହିଛି କିଛି ପ୍ରତ୍ୟକ୍ଷ ମଧ୍ୟ ହେଉଛି । କିନ୍ତୁ ସମସ୍ତଙ୍କୁ ବିଶେଷ ଭାବରେ ଏତିକି ଧ୍ୟାନ ଦେବାକୁ ହେବ ଯେ ସର୍ବଦା ବିନ୍ଦୁ ଲଗାଇବାକୁ ପଡିବ ଅର୍ଥାତ୍ ବିତିଯାଇଥିବା କଥାକୁ ବିନ୍ଦୁ ଲଗାଇବାକୁ ହେବ ଏବଂ ବିନ୍ଦୁ ସ୍ଥିତିରେ ସ୍ଥିତ ହୋଇ ରାଜ୍ୟ ଅଧିକାରୀ ହୋଇ କାର୍ଯ୍ୟ କରିବାକୁ ହେବ । ସର୍ବ ସମ୍ପତ୍ତିର ବିନ୍ଦୁକୁ ସମସ୍ତଙ୍କ ପ୍ରତି ବିଧାତା ରୂପରେ ସିନ୍ଧୁ ହୋଇ ଭରପୁର କରିବାକୁ ହେବ । ତେଣୁ ବିନ୍ଦୁ ଏବଂ ସିନ୍ଧୁ ଏହି ଦୁଇଟି କଥାକୁ ବିଶେଷ ଭାବରେ ସ୍ମୃତିରେ ରଖି ଶ୍ରେଷ୍ଠ ସାର୍ଟିଫିକେଟ୍ ନେବାକୁ ହେବ । ସର୍ବଦା ଶ୍ରେଷ୍ଠ ସଂକଳ୍ପର ସଫଳତା ଦ୍ୱାରା ଆଗକୁ ବଢି ଚାଲୁଥାଅ । ତେବେ ବିନ୍ଦୁ ହୁଅ, ସିନ୍ଦୁ ଅର୍ଥାତ୍ ସାଗର ସମାନ ହୁଅ ଏହା ହିଁ ବରଦାତା ପିତାଙ୍କର ସମସ୍ତ ସନ୍ତାନମାନଙ୍କ ପ୍ରତି ବରଦାନ । ବରଦାନ ନେବା ପାଇଁ ଧାଇଁ ଆସିଛ ନା । ତେଣୁ ବରଦାତାଙ୍କର ଏହି ବରଦାନକୁ ସର୍ବଦା ସ୍ମୃତିରେ ରଖିଥିବ । ଆଚ୍ଛା!

ଚାରିଆଡର ସମସ୍ତ ସ୍ନେହୀ, ସହଯୋଗୀ ପିଲାମାନଙ୍କୁ, ସର୍ବଦା ପିତାଙ୍କର ଆଜ୍ଞାକୁ ପାଳନ କରୁଥିବା ଆଜ୍ଞାକାରୀ ପିଲାମାନଙ୍କୁ, ସର୍ବଦା ଖୋଲା ହୃଦୟରେ ସମସ୍ତଙ୍କୁ ସର୍ବ ସମ୍ପତ୍ତି ବାଣ୍ଟୁଥିବା ମହାନ ପୂଣ୍ୟ ଆତ୍ମା ପିଲାମାନଙ୍କୁ, ସର୍ବଦା ବାପ ସମାନ ହେବାର ଉମଙ୍ଗ-ଉତ୍ସାହରେ ରହି ଉଡିବାର କଳାରେ ଉଡୁଥିବା ପିଲାମାନଙ୍କୁ ବିଧାତା, ବରଦାତା, ସର୍ବସମ୍ପତ୍ତିର ସିନ୍ଧୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ସ୍ମୃତି ଏବଂ ନମସ୍ତେ ।

ଅବ୍ୟକ୍ତ ବାପଦାଦାଙ୍କ ସହିତ ପାର୍ଟୀମାନଙ୍କର ସାକ୍ଷାତ:-

(୧) ନିଜକୁ ପଦ୍ମାପଦ୍ମ ଭାଗ୍ୟବାନ ଅନୁଭବ କରୁଛ! କାହିଁକି ନା ତୁମମାନଙ୍କର ପିତା ଦାତା ରୂପରେ ତୁମକୁ ଏତେ ଦେଉଛନ୍ତି ଯାହାକି ଗୋଟିଏ ଜନ୍ମ ତ ଭାଗ୍ୟବାନ ନିଶ୍ଚିତ ହେଉଛ କିନ୍ତୁ ଅନେକ ଜନ୍ମ ପର୍ଯ୍ୟନ୍ତ ଏହି ଅବିନାଶୀ ଭାଗ୍ୟକୁ ମଧ୍ୟ ଭୋଗ କରିଚାଲିବ । ଏଭଳି ଅବିନାଶୀ ଭାଗ୍ୟ ପାଇବ ବୋଲି କେବେ ସ୍ୱପ୍ନରେ ବି ଭାବିଥିଲ! ଅସମ୍ଭବ ଲାଗୁଥିଲା ନା ? କିନ୍ତୁ ଆଜି ସବୁ କିଛି ସମ୍ଭବ ହୋଇଯାଇଛି । ତେଣୁ ତୁମେମାନେ ଏହିଭଳି ଶ୍ରେଷ୍ଠ ଆତ୍ମା ଅଟ -- ଏହାର ଖୁସିକୁ ଅନୁଭବ କରିପାରୁଛ ? କେବେ ବି କୌଣସି ପରିସ୍ଥିତିରେ ତୁମର ଖୁସି ହଜିଯାଉ ନାହିଁ ତ ? କାହିଁକି ନା ବାବାଙ୍କ ଦ୍ୱାରା ତୁମମାନଙ୍କୁ ଖୁସିର ସମ୍ପତ୍ତି ପ୍ରତିଦିନ ମିଳିଚାଲିଛି, ତେଣୁ ଯେଉଁ ଜିନିଷ ପ୍ରତିଦିନ ମିଳିବ ତାହା ବଢିଚାଲିବ ନା! କେବେ ବି ଖୁସି କମ୍ ହୋଇପାରିବ ନାହିଁ କାହିଁକି ନା ସାଗର ପିତାଙ୍କ ଦ୍ୱାରା ମିଳିଚାଲିଛି ନା, ଅସରନ୍ତି ଅଟେ ନା! ତେଣୁ କେବେ ବି କୌଣସି କଥାର ଚିନ୍ତାରେ ରହିବାର ନାହିଁ, ଧନ-ସମ୍ପତ୍ତିର କଣ ହେବ, ପରିବାରର କଣ ହେବ ? ଏସବୁର ମଧ୍ୟ ଚିନ୍ତା ନ ରହୁ, ବିଲ୍କୁଲ୍ ନିଶ୍ଚିନ୍ତ ସ୍ଥିତି! ପୁରୁଣା ଦୁନିଆର କଣ ହେବ ? ପରିବର୍ତ୍ତନ ତ ହେବ ନା । ପୁରୁଣା ଦୁନିଆରେ କୌଣସି ଜିନିଷ କେତେ ବି ଶ୍ରେଷ୍ଠ ହୋଇଥାଉ କିନ୍ତୁ ସବୁ କିଛି ପୁରୁଣା ତ ଅଟେ ନା, ସେଥିପାଇଁ ତ ତୁମେମାନେ ନିଶ୍ଚିନ୍ତ ହୋଇଯାଇଛ । କିଏ ଜାଣେ ଆଜି ତ ଅଛୁ କାଲିକୁ ଥିବୁ କି ନଥିବୁ ଏଭଳି ଚିନ୍ତା ମଧ୍ୟ କରିବାର ନାହିଁ । ଯାହା ହେବ ଭଲ ହେବ । ଏବେ ବି ରାଜା ଅଛ, ଭବିଷ୍ୟତରେ ମଧ୍ୟ ରାଜା ହେବ । ଯେବେକି ସଦାକାଳ ପାଇଁ ରାଜା ହୋଇଯାଇଛ ତେଣୁ ନିଶ୍ଚିନ୍ତ ହୋଇଯାଇଛ । ଏଭଳି ରାଜତ୍ୱ ଯାହାକୁ କେହି ଛଡାଇ ନେଇପାରିବ ନାହିଁ । ବନ୍ଧୁକ ଦ୍ୱାରା ମଧ୍ୟ କେହି ଉଡାଇ ଦେଇପାରିବ ନାହିଁ । ଏହିଭଳି ଖୁସି ସର୍ବଦା ତୁମ ଭିତରେ ରହିଥାଉ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦେଉଥାଅ । ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି ଚିନ୍ତାମୁକ୍ତ ରାଜା କରିଦିଅ । ଆଚ୍ଛା!

(୨) ସର୍ବଦା ନିଜକୁ ବାବାଙ୍କର ସ୍ମୃତି ରୂପକ ଛତ୍ରଛାୟା ତଳେ ରହୁଥିବା ଶ୍ରେଷ୍ଠ ଆତ୍ମା ଅନୁଭବ କରୁଛ ? ଏହି ସ୍ମୃତି ରୂପୀ ଛତ୍ରଛାୟା ସର୍ବ ବିଘ୍ନ ଗୁଡିକରୁ ସୁରକ୍ଷିତ କରିଦିଏ । କୌଣସି ପ୍ରକାରର ବିଘ୍ନ ଛତ୍ରଛାୟା ତଳେ ରହୁଥିବା ଆତ୍ମା ନିକଟକୁ ଆସିପାରିବ ନାହିଁ । ଛତ୍ରଛାୟା ତଳେ ରହୁଥିବା ଆତ୍ମା ନିଶ୍ଚିତ ଭାବରେ ବିଜୟୀ ହୋଇଯାଆନ୍ତି । ତେଣୁ ଏହିଭଳି ହୋଇଛ ? ଯଦି ସଂକଳ୍ପ ରୂପୀ ପାଦକୁ ମଧ୍ୟ ଛତ୍ରଛାୟା ତଳୁ ବାହାରକୁ ନେଇ ଆସିଲ ତେବେ ମାୟା ଆକ୍ରମଣ କରିଦେବ । ଯେକୌଣସି ପ୍ରକାରର ପରିସ୍ଥିତି ଆସୁ କିନ୍ତୁ ଛତ୍ରଛାୟା ତଳେ ରହୁଥିବା ଆତ୍ମା ପାଇଁ ଜଟୀଳରୁ ଜଟୀଳ ସମସ୍ୟା ମଧ୍ୟ ସହଜ ହୋଇଯିବ । ପାହାଡ ଭଳି କଥା ତୁଳା ଭଳି ଅନୁଭବ ହେବ । ଛତ୍ରଛାୟାର କରାମତି ଏହିଭଳି ଚମତ୍କାରୀ । ଯେବେକି ତୁମମାନଙ୍କୁ ଏହିଭଳି ଛତ୍ରଛାୟା ମିଳୁଛି ତେବେ କଣ କରିବା ଦରକାର । ଚାହେଁ କୌଣସି ପ୍ରକାରର ଅଳ୍ପକାଳର ଆକର୍ଷଣ ଆକର୍ଷିତ କରୁ କିନ୍ତୁ ବାହାରକୁ ବାହାରିବା ମାତ୍ରକେ ଆକ୍ରମଣର ଶିକାର ହୋଇଯିବ ତେଣୁ ଅଳ୍ପକାଳର ଆକର୍ଷଣକୁ ମଧ୍ୟ ଜାଣିଗଲଣି, ସେଥିପାଇଁ ଏହାଠାରୁ ସର୍ବଦା ଦୂରେଇ ରୁହ । ବିନାଶୀ ପ୍ରାପ୍ତିଗୁଡିକ ତ ଏହି ଗୋଟିଏ ଜନ୍ମରେ ସମାପ୍ତ ହୋଇଯିବ କିନ୍ତୁ ବେହଦର ଅବିନାଶୀ ପ୍ରାପ୍ତି ସର୍ବଦା ସାଥୀରେ ରହିବ । ତେଣୁ ବେହଦର ପ୍ରାପ୍ତି କରୁଥିବା ବା ଛତ୍ରଛାୟା ତଳେ ରହୁଥିବା ବିଶେଷ ଆତ୍ମା ଅଟ, ସାଧାରଣ ନୁହେଁ । ଏହି ସ୍ମୃତି ସଦକାଳ ପାଇଁ ଶକ୍ତିଶାଳୀ କରିଦେବ ।

ଯେଉଁମାନେ ଗେହ୍ଳା ସନ୍ତାନ ସେମାନେ ସବୁବେଳେ ଛତ୍ରଛାୟା ତଳେ ରହିଥାନ୍ତି । ବାବାଙ୍କର ସ୍ମୃତି ହିଁ ଛତ୍ରଛାୟା ଅଟେ । ଏହି ଛତ୍ରଛାୟା ତଳୁ ସଂକଳ୍ପ ରୂପୀ ପାଦକୁ ମଧ୍ୟ ବାହାରକୁ ବାହାର କରିବା ମାତ୍ରକେ ମାୟା ଆସିଯିବ । ଏହି ଛତ୍ରଛାୟା ମାୟାକୁ ସମ୍ମୁଖକୁ ଆସିବାକୁ ଦିଏ ନାହିଁ । ମାୟାର ଏତେ ଶକ୍ତି ନାହିଁ ଯାହାକି ଛତ୍ରଛାୟା ତଳକୁ ଆସିପାରିବ । ତେଣୁ ଛତ୍ରଛାୟା ତଳେ ରହୁଥିବା ଆତ୍ମାମାନେ ସର୍ବଦା ମାୟା ଉପରେ ବିଜୟୀ ହୋଇଯାଆନ୍ତି । ସନ୍ତାନ ହେବା ଅର୍ଥ ଛତ୍ରଛାୟା ତଳେ ରହିବା । ଏହା ମଧ୍ୟ ବାବାଙ୍କର ସ୍ନେହର ପ୍ରତୀକ ଯାହାକି ସର୍ବଦା ନିଜର ସନ୍ତାନମାନଙ୍କୁ ଛତ୍ରଛାୟା ତଳେ ରଖିଛନ୍ତି । ତେଣୁ ଏହି ବିଶେଷ ବରଦାନକୁ ସର୍ବଦା ମନେ ରଖିଥିବ ଯେ ଆମେ ବାବାଙ୍କର ଗେହ୍ଳା ହୋଇଯାଇଛୁ ଏବଂ ଛତ୍ରଛାୟା ମିଳିଯାଇଛି ତେବେ ଏହି ବରଦାନ ସର୍ବଦା ଆଗକୁ ଆଗକୁ ବଢାଇ ଚାଲିବ ।

ବିଦାୟ ସମୟରେ:- ସମସ୍ତେ ଜାଗରଣ କରିଲ! ତୁମମାନଙ୍କର ଭକ୍ତମାନେ ଜାଗରଣ କରୁଛନ୍ତି ତେଣୁ ଭକ୍ତମାନଙ୍କୁ ଶିଖାଇବାବାଲା ତ ଇଷ୍ଟଦେବ, ଇଷ୍ଟଦେବୀମାନେ ହିଁ ଅଟନ୍ତି, ଯେତେବେଳେ ଇଷ୍ଟଦେବ ମାନେ ଏହି ସଂଗମ ଯୁଗରେ ଜାଗରଣ କରିବେ ତେବେ ଯାଇ ଭକ୍ତମାନେ କପୀ କରିବେ । ତେବେ ସମସ୍ତେ ଜାଗରଣ କରିଛ ଅର୍ଥାତ୍ ନିଜର ଜମା ଖାତାରେ ରୋଜଗାର ଜମା କରିଛ । ତେଣୁ ଆଜିର ରାତି ରୋଜଗାର କରିବାର ସିଜିନ୍ ସମୟର ରାତି ହୋଇଗଲା । (ବାପଦାଦା ସାରା ରାତି ପିଲାମାନଙ୍କ ସହିତ ମିଶୁଥିଲେ) ଯେପରି ରୋଜଗାର କରିବାର କୌଣସି ବିଶେଷ ସିଜିନ୍ ସମୟରେ ରାତିରେ ଜାଗ୍ରତ ରହି ମଧ୍ୟ ବ୍ୟବସାୟ କରିବାକୁ ପଡିଥାଏ । ତେଣୁ ଏହା ମଧ୍ୟ ତୁମ ପାଇଁ ରୋଜଗାର କରିବାର ସିଜିନ୍ ସେଥିପାଇଁ ଜାଗ୍ରତ ହେବା ଅର୍ଥାତ୍ ରୋଜଗାର କରିବା । ତେବେ ପ୍ରତ୍ୟେକ ନିଜ ନିଜର ଶକ୍ତି ଅନୁସାରେ ଜମା କରିଛ ଏବଂ ଏହି ଜମା କରିଥିବା ସମ୍ପତ୍ତିକୁ ବରଦାନୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ଦେଇ ଚାଲିବ ଏବଂ ନିଜେ ମଧ୍ୟ ଅନେକ ଜନ୍ମ ପର୍ଯ୍ୟନ୍ତ ଭୋଗ କରି ଚାଲିବ । ବର୍ତ୍ତମାନ ସବୁ ପିଲାମାନଙ୍କୁ ପରମାତ୍ମ ମିଳନ ମେଳାର ସୁବର୍ଣ୍ଣ ସୁଯୋଗ ନେଇଥିବାରୁ ବାପଦାଦା ସୁବର୍ଣ୍ଣ ସକାଳର ଅଭିନନ୍ଦନ ଦେଉଛନ୍ତି । ଏମିତି ତ ଏହା ସୁବର୍ଣ୍ଣଠାରୁ ମଧ୍ୟ ଶ୍ରେଷ୍ଠ ହୀରାତୁଲ୍ୟ ସକାଳ ଅଟେ । ନିଜେ ମଧ୍ୟ ହୀରାତୁଲ୍ୟ ଏବଂ ସକାଳ ମଧ୍ୟ ହୀରାତୁଲ୍ୟ ଏବଂ ଜମା ମଧ୍ୟ ହୀରା ହିଁ କରୁଛ, ତେଣୁ ସବୁ କିଛି ହୀରା ହିଁ ହୀରା ସେଥିପାଇଁ ବାପଦାଦା ହୀରାତୁଲ୍ୟ ସକାଳର ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା!

ରଦାନ:-
ନିଜର ସଂକଳ୍ପକୁ ମଧ୍ୟ ଚେକ୍ କରି ବ୍ୟର୍ଥର ଖାତାକୁ ସମାପ୍ତ କରୁଥିବା ଶ୍ରେଷ୍ଠ ସେବାଧାରୀ ହୁଅ ।

ଶ୍ରେଷ୍ଠ ସେବାଧାରୀ ତାଙ୍କୁ କୁହାଯିବ ଯାହାଙ୍କର ପ୍ରତ୍ୟେକ ସଂକଳ୍ପ ଶକ୍ତିଶାଳୀ ହୋଇଥିବା ଗୋଟିଏ ବି ସଂକଳ୍ପ ବ୍ୟର୍ଥରେ ଯାଉନଥିବ, କାହିଁକି ନା ସେବାଧାରୀ ଅର୍ଥାତ୍ ବିଶ୍ୱ ରଙ୍ଗମଞ୍ଚ ଉପରେ ଅଭିନୟ କରୁଥିବା ଅଭିନେତା । ସାରା ବିଶ୍ୱ ତୁମମାନଙ୍କର କର୍ମକୁ କପୀ କରୁଛି, ଯଦି ତୁମେ ଗୋଟିଏ ବି ସଂକଳ୍ପ ବ୍ୟର୍ଥ କରିଦେଲ ତେବେ କେବଳ ନିଜ ପ୍ରତି କରିଲ ନାହିଁ କିନ୍ତୁ ଅନେକ ଆତ୍ମାଙ୍କ ପାଇଁ ନିମିତ୍ତ ହୋଇଗଲ, ସେଥିପାଇଁ ବର୍ତ୍ତମାନ ବ୍ୟର୍ଥର ଖାତାକୁ ସମାପ୍ତ କରି ଶ୍ରେଷ୍ଠ ସେବାଧାରୀ ହୁଅ ।

ସ୍ଲୋଗାନ:-
ସେବାର ବାୟୁମଣ୍ଡଳ ସୃଷ୍ଟି କରିବା ସହିତ ବେହଦର ଅର୍ଥାତ୍ ଅବିନାଶୀ ବୈରାଗ୍ୟ ବୃତ୍ତିର ବାୟୁମଣ୍ଡଳ ସୃଷ୍ଟି କର ।


ସୂଚନା:- ଆଜି ମାସର ତୃତୀୟ ରବିବାର, ସମସ୍ତ ରାଜଯୋଗୀ ତପସ୍ୱୀ ଭାଇଭଉଣୀମାନେ ସଂଧ୍ୟା ଘ୬ଟା ୩୦ ମି. ଠାରୁ ଘ୭ଟା ୩୦ମି. ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ମାଷ୍ଟର ସର୍ବଶକ୍ତିମାନର ଶକ୍ତିଶାଳୀ ସ୍ୱରୂପରେ ସ୍ଥିତ ହୋଇ ପ୍ରକୃତି ସହିତ ସର୍ବଆତ୍ମାଙ୍କୁ ପବିତ୍ରତାର କିରଣ ପ୍ରଦାନ କରିବେ ଏବଂ ସତ୍ତ୍ୱପ୍ରଧାନ କରିବାର ସେବା କରିବେ ।