18.11.23          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ତୁମମାନଙ୍କୁ ମନୁଷ୍ୟକୁ ଦେବତା କରିବାର ସେବା ପାଇଁ ବହୁତ ବହୁତ ସଉକ ରହିବା ଦରକାର, କିନ୍ତୁ ଏହି ସେବା କରିବାକୁ ହେଲେ ପ୍ରଥମେ ନିଜ ଭିତରେ ଜ୍ଞାନର ଶ୍ରେଷ୍ଠ ଧାରଣା ହେବା ଦରକାର ।”

ପ୍ରଶ୍ନ:-
ଆତ୍ମା ମଇଳା କିପରି ହେଉଛି ଏବଂ ଆତ୍ମାରେ କେଉଁ ପ୍ରକାରର ମଇଳା ଲାଗୁଛି?

ଉତ୍ତର:-
ମିତ୍ର ସମ୍ବନ୍ଧୀମାନଙ୍କର ସ୍ମୃତି ଆସିବା ଦ୍ୱାରା ହିଁ ଆତ୍ମା ମଇଳା ଅର୍ଥାତ୍ ଅପବିତ୍ର ହୋଇଥାଏ । ତେବେ ପ୍ରଥମ ନମ୍ବରର ମଇଳା ହେଉଛି ଦେହ-ଅଭିମାନ, ତା’ପରେ ଲୋଭ ମୋହର ମଇଳା ଲାଗିଥାଏ, ଏହି ବିକାରର ମଇଳା ଆତ୍ମାରେ ହିଁ ଲାଗିଥାଏ । ତା’ପରେ ବାବାଙ୍କର ସ୍ମୃତି ଭୁଲି ହୋଇଯାଏ ଏବଂ ସେବା ମଧ୍ୟ କରିପାରନ୍ତି ନାହିଁ ।

ଗୀତ:-
ତୁହ୍ମାରେ ବୁଲାନେ କୋ ଜୀ ଚାହତା ହୈ....

ଓମ୍ ଶାନ୍ତି ।
ଏହା ବହୁତ ସୁନ୍ଦର ଗୀତ । ପିଲାମାନେ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ଯେ, ଆମେ ଆପଣଙ୍କଠାରୁ ଏହି ଜ୍ଞାନ ଶୁଣିବା ପରେ ଅନ୍ୟମାନଙ୍କୁ ଶୁଣାଇବାକୁ ଇଚ୍ଛା ହେଉଛି । ପିଲାମାନେ ତ ବାବାଙ୍କ ସ୍ମୃତିରେ ରହୁଛନ୍ତି, ଏହା ମଧ୍ୟ ନିଶ୍ଚିତ ଯେ କେହି କେହି ତାଙ୍କ ସ୍ମୃତିରେ ରହୁଥିବେ ଏବଂ ତାଙ୍କ ସହିତ ମିଶିଥିବେ ମଧ୍ୟ । କୁହାଯାଏ ଯେ, ଏହି ସମ୍ପତ୍ତି କୋଟିକରୁ କେହି ଜଣେ ଆସି ନେଇଥା’ନ୍ତି । ଏବେ ତ ତୁମମାନଙ୍କର ବୁଦ୍ଧି ବହୁତ ବିଶାଳ ହୋଇଯାଇଛି । ନିଶ୍ଚିତ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବାବା ରାଜଯୋଗ ଶିଖାଇବା ପାଇଁ ଆସିଥିବେ । ପ୍ରଥମେ-ପ୍ରଥମେ ଏକଥା ବୁଝାଇବାକୁ ହେବ ଯେ, ଆମକୁ ଜ୍ଞାନ କିଏ ଶୁଣାଇଥିଲେ? କାହିଁକି ନା ଏହି କଥାରେ ହିଁ ବଡ ଭୁଲ୍ କରିଦେଇଛନ୍ତି । ବାବା ବୁଝାଉଛନ୍ତି - ସର୍ବ ଶାସ୍ତ୍ରମୟୀ ଶିରୋମଣୀ ଗୀତା ହେଉଛି ଭାରତବାସୀମାନଙ୍କର ଶାସ୍ତ୍ର । ମନୁଷ୍ୟ କେବଳ ଏହି କଥାକୁ ଭୁଲିଯାଇଛନ୍ତି ଯେ ସର୍ବ ଶାସ୍ତ୍ରମୟୀ ଗୀତା କିଏ ଗାୟନ କରିଥିଲେ ଏବଂ ତା’ ଦ୍ୱାରା କେଉଁ ଧର୍ମର ସ୍ଥାପନା ହୋଇଥିଲା? ଗାୟନ ମଧ୍ୟ କରୁଛନ୍ତି - ହେ ଭଗବାନ୍‌, ଆପଣ ଆସନ୍ତୁ । ଭଗବାନ୍ ତ ନୂଆ ପବିତ୍ର ଦୁନିଆର ରଚନା କରିବା ପାଇଁ ନିଶ୍ଚିତ ଆସିଥା’ନ୍ତି । ସିଏ ସାରା ଦୁନିଆର ପିତା ଅଟନ୍ତି ନା । ଭକ୍ତମାନେ ମଧ୍ୟ ଗାୟନ କରୁଛନ୍ତି - କହୁଛନ୍ତି ଆପଣ ଆସି ଆମକୁ ସୁଖ ଅଥବା ଶାନ୍ତି ଦିଅନ୍ତୁ । ସୁଖ ଏବଂ ଶାନ୍ତି ହେଉଛି ଦୁଇଟି ଜିନିଷ । ସତ୍ୟଯୁଗରେ ଦେବତାମାନେ ନିଶ୍ଚିତ ସୁଖରେ ରହିବେ ଏବଂ ଅନ୍ୟସବୁ ଆତ୍ମାମାନେ ଶାନ୍ତି ଦେଶରେ ରହିବେ । ଏହି ପରିଚୟ ସମସ୍ତଙ୍କୁ ଦେବାକୁ ହେବ ଯେ, ନୂଆ ଦୁନିଆରେ ନୂଆ ଭାରତ, ରାମରାଜ୍ୟ ଥିଲା । ସେଠାରେ ସୁଖ ଥିଲା, ସେଥିପାଇଁ ତ ରାମରାଜ୍ୟର ଏତେ ମହିମା ରହିଛି । ସତ୍ୟଯୁଗକୁ ରାମରାଜ୍ୟ କୁହାଯାଉଛି ଏବଂ ଏହି କଳିଯୁଗକୁ ରାବଣ ରାଜ୍ୟ କୁହାଯାଉଛି କାହିଁକି ନା ଏଠାରେ ଦୁଃଖ ରହିଛି । ସେଠାରେ ସୁଖ ରହିଛି, ବାବା ନିଜେ ଆସି ସୁଖ ଦେଉଛନ୍ତି । ବାକି ଅନ୍ୟ ସବୁ ଆତ୍ମାମାନଙ୍କୁ ଶାନ୍ତିଧାମରେ ଶାନ୍ତି ମିଳିଯାଉଛି । ତେବେ ଶାନ୍ତି ଏବଂ ସୁଖର ଦାତା ତ ବାବା ଅଟନ୍ତି ନା । ଏଠାରେ ଦୁଃଖ ଏବଂ ଅଶାନ୍ତି ରହିଛି । ତେଣୁ ବୁଦ୍ଧିରେ ଏହି ଜ୍ଞାନର ଚିନ୍ତନ ମନ୍ଥନ କରିବା ଦରକାର । ଏଥିରେ ଅବସ୍ଥା ବହୁତ ଭଲ ରହିବା ଦରକାର । ଏମିତି ତ ଛୋଟ ପିଲାମାନଙ୍କୁ ମଧ୍ୟ ଏହି ଜ୍ଞାନ ବୁଝାଯାଉଛି କିନ୍ତୁ ସେମାନେ ଏହାର ଅର୍ଥକୁ ତ ବୁଝାଇ ପାରିବେ ନାହିଁ କାରଣ ଏଥିପାଇଁ ଦୃଢ ଧାରଣା ରହିବା ଦରକାର ଯାହାକି କେହି ବି କିଛି ପ୍ରଶ୍ନ ପଚାରିଲେ ତାଙ୍କୁ ବୁଝାଇପାରୁଥିବେ । ଏଥିପାଇଁ ନିଜର ସ୍ଥିତି ଭଲ ରହିବା ଦରକାର । ଅନେକ ପିଲା କେବେ ଦେହ-ଅଭିମାନରେ ତ କେବେ କ୍ରୋଧ, ମୋହର ବନ୍ଧନରେ ବୁଡି ରହୁଛନ୍ତି । ଏକଥା ମଧ୍ୟ ଲେଖୁଛନ୍ତି ବାବା - ଆଜି ମୁଁ କ୍ରୋଧର ବଶବର୍ତ୍ତୀ ହୋଇଗଲି, ଆଜି ଲୋଭର ବଶବର୍ତ୍ତୀ ହୋଇ ତଳକୁ ଖସିଗଲି । ଯଦି ନିଜର ସ୍ଥିତି ଶକ୍ତିଶାଳୀ ଥିବ ତେବେ ତଳକୁ ଖସିବାର କଥା ହିଁ ରହିବ ନାହିଁ । ମନୁଷ୍ୟରୁ ଦେବତା କରାଇବାର ସେବା କରିବା ପାଇଁ କେତେକ ସନ୍ତାନଙ୍କର ବହୁତ ସଉକ ରହିଥାଏ । ଏହି ଗୀତ ମଧ୍ୟ ବହୁତ ସୁନ୍ଦର ଭାବେ ରଚନା କରିଛନ୍ତି - ବାବା, ଆପଣ ଆସିଲେ ଆମେ ବହୁତ ସୁଖି ହୋଇଯିବୁ । ତେବେ ବାବାଙ୍କୁ ତ ନିଶ୍ଚିତ ଆସିବାକୁ ହେବ । ନଚେତ୍ ଏହି ପତିତ ସୃଷ୍ଟିକୁ ପବିତ୍ର କିଏ କରିବେ? କୃଷ୍ଣ ତ ଦେହଧାରୀ ଅଟନ୍ତି । କୃଷ୍ଣ ବା ବ୍ରହ୍ମା, ବିଷ୍ଣୁ, ଶଙ୍କର ତ କରିପାରିବେ ନାହିଁ । ଗାୟନ ମଧ୍ୟ କରୁଛନ୍ତି - ହେ ପତିତ ପାବନ ଆସ, ତେବେ ତାଙ୍କୁ ପଚାରିବା ଦରକାର ଯେ, ଏହି ଗୀତ ତୁମେ କାହା ପାଇଁ ଗାୟନ କରୁଛ? ପତିତପାବନ କିଏ ଏବଂ ସିଏ କେବେ ଆସିବେ? ପତିତ-ପାବନ ହେଉଛନ୍ତି ନିରାକାର ପରମପିତା ପରମାତ୍ମା । ତୁମେମାନେ ତାଙ୍କୁ ଡାକୁଛ ତେବେ ଏହା ନିଶ୍ଚିତ ପତିତ ଦୁନିଆ ଅଟେ । ପାବନ ଅର୍ଥାତ୍ ପବିତ୍ର ଦୁନିଆ ସତ୍ୟଯୁଗକୁ କୁହାଯାଏ । ତେବେ ଏହି କଳିଯୁଗୀ ପତିତ ଦୁନିଆକୁ ପାବନ କିଏ କରିବେ? ଗୀତାରେ ମଧ୍ୟ ଉଲ୍ଲେଖ ରହିଛି ଯେ, ବାସ୍ତବରେ ଭଗବାନ ହିଁ ରାଜଯୋଗ ଶିଖାଇଛନ୍ତି । କାମ ମହାଶତ୍ରୁ ଅଟେ? ଏକଥା କିଏ କହିଲେ ଯେ ମୁଁ ସର୍ବବ୍ୟାପୀ ଅଟେ? ଏ କଥା କେଉଁ ଶାସ୍ତ୍ରରେ ଲେଖା ହୋଇଛି? ପତିତ-ପାବନ କାହାକୁ କୁହାଯାଉଛି? ତେବେ କ’ଣ ପତିତ ପାବନୀ ଗଙ୍ଗା ନା ଆଉ କିଏ? ଗାନ୍ଧିଜୀ ମଧ୍ୟ କହୁଥିଲେ - ହେ ପତିତ-ପାବନ ଆସ, ଗଙ୍ଗା ନଦୀ ତ ଆରମ୍ଭରୁ ଅଛି । ତାହା ତ କୌଣସି ନୂଆ ନୁହେଁ । ଗଙ୍ଗା ନଦୀକୁ ତ ଅବିନାଶୀ କୁହାଯିବ, କେବଳ ତତ୍ତ୍ୱଗୁଡିକ ତମଃଗୁଣୀ ହୋଇଯିବା କାରଣରୁ ସେମାନଙ୍କ ଭିତରେ ଚଞ୍ଚଳତା ଆସିଯାଉଛି । ନିଜର ଗତିପଥ ମଧ୍ୟ ବଦଳାଇ ଦେଉଛନ୍ତି ଯାହା ଦ୍ୱାରା ବନ୍ୟା ହେଉଛି । ସତ୍ୟଯୁଗରେ ତ ସବୁ କିଛି ଠିକ୍ ଭାବରେ ଚାଲିଥାଏ । ବର୍ଷା ମଧ୍ୟ କମ୍ ବେଶୀ ହୋଇ ନ ଥାଏ । ସେଠାରେ କୌଣସି ଦୁଃଖର କଥା ହିଁ ନାହିଁ । ତେଣୁ ବୁଦ୍ଧିରେ ରହିବା ଦରକାର ଯେ, ପତିତ ପାବନ ଶିବବାବା ହିଁ ଅଟନ୍ତି । ଯେତେବେଳେ ପତିତପାବନଙ୍କୁ ମନେପକାଇଥା’ନ୍ତି ସେତେବେଳେ ହେ ଭଗବାନ, ହେ ବାବା ବୋଲି କହିଥା’ନ୍ତି । ତେବେ ଏକଥା କିଏ କହିଲା? ଆତ୍ମା କହିଲା । ତୁମେମାନେ ଜାଣିଛ - ପତିତ ପାବନ ଶିବବାବା ଆସିଛନ୍ତି । ଏହା ସହିତ ନିରାକାର ଶବ୍ଦକୁ ମଧ୍ୟ ଯୋଡି କରି ଲେଖିବା ଦରକାର । ନଚେତ୍ ସାକାରଙ୍କୁ ଶିବବାବା ବୋଲି ଭାବିଦେଉଛନ୍ତି । ଆତ୍ମା ବର୍ତ୍ତମାନ ପତିତ ହୋଇଯାଇଛି, ତେଣୁ ଏପରି କହିପାରିବ ନାହିଁ ଯେ, ସମସ୍ତେ ଈଶ୍ୱର ଅଟନ୍ତି । ମୁଁ ହିଁ ବ୍ରହ୍ମ ଅଥବା ମୁଁ ହିଁ ଶିବ । କଥା ତ ଗୋଟିଏ । କିନ୍ତୁ ରଚନାର ମାଲିକ ତ ଏକମାତ୍ର ରଚୟିତା ହିଁ ଅଟନ୍ତି । ଯଦିଓ ମନୁଷ୍ୟ ଆହୁରି କେତେ ଲମ୍ବା ଚଉଡା ଅର୍ଥ ବାହାର କରିବେ କିନ୍ତୁ ଆମର ଜ୍ଞାନ ତ ଗୋଟିଏ ସେକେଣ୍ଡର । ଆମକୁ ଗୋଟିଏ ସେକେଣ୍ଡରେ ବାବାଙ୍କର ସମ୍ପତ୍ତି ମିଳିଯାଉଛି । ବାବାଙ୍କର ସମ୍ପତ୍ତି ହେଉଛି ସ୍ୱର୍ଗର ରାଜତ୍ୱ । ତାକୁ ହିଁ ଜୀବନମୁକ୍ତି କୁହାଯାଏ । ଏଠାରେ ହେଉଛି ଜୀବନ ବନ୍ଧନ । ତେଣୁ ସମସ୍ତଙ୍କୁ ବୁଝାଇବା ଦରକାର - ଯେତେବେଳେ ବାବା ଆସିବେ ସେତେବେଳେ ଆମକୁ ସ୍ୱର୍ଗର ମୁକ୍ତି-ଜୀବନମୁକ୍ତିର ସମ୍ପତ୍ତି ଦେବେ । ସେଥିପାଇଁ ଲେଖୁଛନ୍ତି - ମୁକ୍ତି-ଜୀବନମୁକ୍ତି ଦାତା ଦେଉଛନ୍ତି - ଜଣେ । ଏହା ମଧ୍ୟ ବୁଝାଇବାକୁ ହେବ । ସତ୍ୟଯୁଗରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ହିଁ ଥାଏ । ସେଠାରେ ଦୁଃଖର ନାମ ହିଁ ନଥାଏ । ତାହା ହେଉଛି ସୁଖଧାମ । ସେଠାରେ ସୂର୍ଯ୍ୟବଂଶୀମାନେ ରାଜତ୍ୱ କରିଥା’ନ୍ତି । ତା’ପରେ ତ୍ରେତାଯୁଗରେ ଚନ୍ଦ୍ରବଂଶୀଙ୍କର ରାଜ୍ୟ । ପୁଣି ଦ୍ୱାପରରେ ଇସ୍‌ଲାମୀ, ବୌଦ୍ଧିମାନେ ଆସିବେ । ଡ୍ରାମାରେ ସମସ୍ତଙ୍କର ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି । ଗୋଟିଏ ଛୋଟ ବିନ୍ଦୁ ସ୍ୱରୂପ ଆତ୍ମାରେ ଏବଂ ପରମାତ୍ମାଙ୍କଠାରେ କେତେ ଅଭିନୟ ଭରି ହୋଇ ରହିଛି । ଶିବଙ୍କ ଚିତ୍ରରେ ମଧ୍ୟ ଏକଥା ଲେଖିବାକୁ ପଡୁଛି ଯେ, ମୁଁ ଜ୍ୟୋର୍ତିଲିଙ୍ଗ ଭଳି ବଡ ନୁହେଁ । ମୁଁ ତ ତାରକା ସଦୃଶ । ଆତ୍ମା ମଧ୍ୟ ତାରକା ସଦୃଶ ଗାୟନ ମଧ୍ୟ କରୁଛନ୍ତି ଭ୍ରୃକୁଟୀ କେ ବିଚ୍ ମେଁ ଚମକତା ହେ ଅଜବ ସିତାରା..... ତେବେ ତାହା ଆତ୍ମା ହିଁ ଅଟେ । ମୁଁ ପରମପିତା ପରମାତ୍ମା ଅଟେ । କିନ୍ତୁ ମୁଁ ସର୍ବୋଚ୍ଚ, ପତିତ ପାବନ । ମୋର ଗୁଣ ସବୁଠାରୁ ଅଲଗା । ତେଣୁ ମୋର ଗୁଣ ମଧ୍ୟ ଚିତ୍ରରେ ଲେଖିବା ଦରକାର । ଗୋଟିଏ ପାର୍ଶ୍ଵରେ ଶିବଙ୍କର ମହିମା, ଅନ୍ୟ ପାର୍ଶ୍ଵରେ ଶ୍ରୀକୃଷ୍ଣଙ୍କର ମହିମା ସ୍ପଷ୍ଟ ଭାବରେ ଲେଖିବା ଦରକାର । ଯାହାଦ୍ୱାରା ମନୁଷ୍ୟମାନେ ତାକୁ ପଢି ଭଲ ଭାବରେ ବୁଝିପାରିବେ । ସ୍ୱର୍ଗ ଏବଂ ନର୍କକୁ ଅର୍ଥାତ୍ ସୁଖ ଏବଂ ଦୁଃଖକୁ ଚାହେଁ କୃଷ୍ଣଙ୍କର ଦିନ ଏବଂ ରାତି କୁହ, ଚାହେଁ ବ୍ରହ୍ମାଙ୍କର କୁହ । ସୁଖ ଏବଂ ଦୁଃଖର ଚକ୍ର ଚାଲୁଛି - ଏହା ତ ତୁମେମାନେ ଜାଣିଛ । ସୂର୍ଯ୍ୟବଂଶ ହେଉଛି ୧୬ କଳା, ଚନ୍ଦ୍ରବଂଶ ହେଉଛି ୧୪ କଳା । ତାହା ହେଉଛି ସମ୍ପୂର୍ଣ୍ଣ ସତ୍ତ୍ୱପ୍ରଧାନ ଏବଂ ଏହା ହେଉଛି ସତ୍ତ୍ୱ । ସୂର୍ଯ୍ୟବଂଶୀ ହିଁ ପୁଣି ଚନ୍ଦ୍ରବଂଶୀ ହେଉଛନ୍ତି । ଯେତେବେଳେ ସୂର୍ଯ୍ୟବଂଶୀ ତ୍ରେତାଯୁଗକୁ ଆସିବେ ସେତେବେଳେ ନିଶ୍ଚିତ ଚନ୍ଦ୍ରବଂଶୀ କୂଳରେ ଜନ୍ମ ନେବେ । ଯଦିଓ ଏମାନେ ରାଜପଦ ନେଉଛନ୍ତି କିନ୍ତୁ ତାଙ୍କୁ ଚନ୍ଦ୍ରବଂଶୀ କୁହାଯିବ । ତେଣୁ ଏହି କଥାଗୁଡିକୁ ବୁଦ୍ଧିରେ ବହୁତ ଭଲ ଭାବରେ ଧାରଣ କରିବାକୁ ହେବ । ଯିଏ ଯେତେ ବାବାଙ୍କ ସ୍ମୃତିରେ ରହିବେ, ଦେହୀ-ଅଭିମାନୀ ହେବେ ସେତେ ଧାରଣା ଭଲ ହେବ ଏବଂ ସେବା ମଧ୍ୟ ଭଲ ଭାବରେ କରିବେ । ଅନ୍ୟମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇବେ ଯେ, ଆମେ ଏପରି ବସୁଛୁ, ଏପରି ଧାରଣା କରୁଛୁ, ଏପରି ବୁଝାଉଛୁ, ଅନ୍ୟମାନଙ୍କୁ ବୁଝାଇବା ପାଇଁ ଏପରି ଏପରି ବିଚାର ସାଗର ମନ୍ଥନ କରୁଛୁ । ପ୍ରତି ମୂହୁର୍ତ୍ତରେ ତାଙ୍କର ଏହିଭଳି ବିଚାର ସାଗର ମନ୍ଥନ ଚାଲୁଥିବ ଏବଂ ଯେଉଁମାନଙ୍କ ପାଖରେ ଜ୍ଞାନ ନାହିଁ ସେମାନଙ୍କର ଧାରଣା ହେବ ନାହିଁ । ଯଦି ଧାରଣା ହେଉଛି ତେବେ ସେବା ମଧ୍ୟ କରିବାକୁ ହେବ । ଏବେ ତ ସେବା ବହୁତ ବଢି ଚାଲିଛି । ଦିନକୁ ଦିନ ମହିମା ମଧ୍ୟ ବଢିଚାଲିବ । ପୁଣି ତୁମର ପ୍ରଦର୍ଶନୀକୁ ମଧ୍ୟ କେତେ ଆସିବେ । ତେଣୁ କେତେ ଚିତ୍ର ତିଆରି କରିବାକୁ ପଡିବ! ବହୁତ ବଡ ମଣ୍ଡପ ତିଆରି କରିବାକୁ ପଡିବ । ଏମିତି ତ ଏହି ଜ୍ଞାନକୁ ବୁଝାଇବା ପାଇଁ ଏକାନ୍ତର ଆବଶ୍ୟତକା ରହିଛି । ଆମର ମୁଖ୍ୟ ଚିତ୍ର ହେଉଛି କଳ୍ପବୃକ୍ଷ, ସୃଷ୍ଟିଚକ୍ର ଏବଂ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର । ରାଧା-କୃଷ୍ଣଙ୍କର ଚିତ୍ରରୁ ଏକଥା ବୁଝିପାରିବେ ନାହିଁ ଯେ, ଏମାନେ କିଏ? ଏବେ ତୁମେମାନେ ହିଁ ଜାଣୁଛ ଯେ, ଆମକୁ ଏବେ ବାବା ଏହିଭଳି ପବିତ୍ର କରୁଛନ୍ତି କିନ୍ତୁ ସମସ୍ତେ ତ ଏକାଭଳି ହେବେ ନାହିଁ । ଆତ୍ମା ତ ପବିତ୍ର ହେବ କିନ୍ତୁ ଜ୍ଞାନକୁ କ୍ରମାନୁସାରେ ଧାରଣ କରିବେ । ଯାହାର ଧାରଣା ହେଉନାହିଁ ବୁଝିବାକୁ ହେବ ଯେ, ଇଏ କମ୍ ପଦ ପାଇବେ ।

ଏବେ ତୁମର ବୁଦ୍ଧି କେତେ ତୀକ୍ଷ୍ମ ହୋଇଯାଇଛି । ଶ୍ରେଣୀରେ ତ ପ୍ରତ୍ୟେକେ କ୍ରମାନୁସାରେ ହିଁ ରହିଥା’ନ୍ତି । ସେଥିରେ କାହାର ବୁଦ୍ଧି ତୀକ୍ଷ୍ମ ହୋଇଥାଏ ତ ଆଉ କିଏ ଅବହେଳା କରିଥାନ୍ତି, ଏଥିରେ ମଧ୍ୟ କ୍ରମାନୁସାରେ ଥା’ନ୍ତି । ଯଦି କୌଣସି ଭଦ୍ର ବ୍ୟକ୍ତିଙ୍କୁ ଭଲ ବୁଝାଇଲାବାଲା ନ ମିଳିବେ ତେବେ ସିଏ ଭାବିବେ ଯେ ଏଠାରେ ତ କିଛି ହିଁ ନାହିଁ । ଏଥିପାଇଁ ପୁରୁଷାର୍ଥ କରାଯାଉଛି ଯେ ଏହିଭଳି ଭଦ୍ର ବ୍ୟକ୍ତିଙ୍କୁ ବୁଝାଇବା ପାଇଁ ଜ୍ଞାନୀ ସନ୍ତାନମାନଙ୍କୁ ସୁଯୋଗ ଦିଆଯିବା ଦରକାର । ସମସ୍ତେ ତ ଏକାଭଳି ଉତ୍ତୀର୍ଣ୍ଣ ହେବେ ନାହିଁ । ବାବାଙ୍କ ନିକଟରେ ଏହିଭଳି ବୁଝାଉଥିବା ସନ୍ତାନ ବହୁତ କମ ଅଛନ୍ତି । କଳ୍ପ କଳ୍ପ ଏହି ପାଠପଢାର ଫଳାଫଳ ମଧ୍ୟ ବାହାରୁଛି । ମୁଖ୍ୟ ୮ ଜଣ ସମ୍ପୂର୍ଣ୍ଣ ଭାବରେ ଉତ୍ତୀର୍ଣ୍ଣ ହୁଅନ୍ତି, ତା’ପରେ ୧୦୦, ତା’ପରେ ୧୬ ହଜାର, ତା’ପରେ ପ୍ରଜା । ସେଥିରେ ମଧ୍ୟ ସାହୁକାର, ଗରୀବ, ସବୁ ଥା’ନ୍ତି । ଜଣାପଡିଯାଏ ଯେ - ବର୍ତ୍ତମାନ ଇଏ କେତେ ପୁରୁଷାର୍ଥ କରୁଛନ୍ତି? କେଉଁ ପଦ ପାଇବାର ଯୋଗ୍ୟ ହୋଇଛନ୍ତି? ଶିକ୍ଷକଙ୍କୁ (ବାବାଙ୍କୁ) ତ ଜଣାପଡିଯାଏ । ନିମିତ୍ତ ଟିଚର୍ସ (ନିମିତ୍ତ ଭଉଣୀ ଭାଇ)ମାନେ ମଧ୍ୟ କ୍ରମାନୁସାରେ ଥା’ନ୍ତି । କେହି ନିମିତ୍ତ ଭଉଣୀ ଯଦି ଭଲ ହୋଇଥା’ନ୍ତି ତେବେ ତାଙ୍କ ଉପରେ ସମସ୍ତେ ଖୁସି ହୁଅନ୍ତି, କହିଥା’ନ୍ତି - ଇଏ ଭଲ ପଢାଉଛନ୍ତି ଏବଂ ସ୍ନେହ ମଧ୍ୟ କରୁଛନ୍ତି । ଛୋଟ ସେବାକେନ୍ଦ୍ରକୁ କେହି ବଡ ଟୀଚର ଅର୍ଥାତ୍ କେହି ବଡ ଭଉଣୀ ହିଁ ବଡ କରାଇବେ ନା । ତାଙ୍କୁ ବୁଦ୍ଧି ଦ୍ୱାରା କେତେ କାମ କରିବାକୁ ପଡିଥାଏ । ତେବେ ଜ୍ଞାନମାର୍ଗରେ ତ ଅତି ମିଠା ହେବାକୁ ପଡିବ । ମିଠା ସେତେବେଳେ ହୋଇପାରିବ, ଯେତେବେଳେ ଯୋଗଯୁକ୍ତ ହୋଇ ରହିବ ଏବଂ ଧାରଣା ମଧ୍ୟ ଭଲ ହୋଇଥିବ । ଅନେକ ଅଛନ୍ତି ଯେଉଁମାନେ ବହୁତ ଯୋଗଯୁକ୍ତ ହୋଇ ରହୁଛନ୍ତି । ବୁଝୁ ହିଁ ନାହାଁନ୍ତି ଯେ - ଗୃହସ୍ଥରେ ରହି ବାବାଙ୍କ ସହିତ ପୁରା ଯୋଗ ଲଗାଇବାକୁ ହେବ । ମାୟାର ତୋଫାନ ତ ନିଶ୍ଚିତ ଆସିବ । କାହାର ପୁରୁଣା ମିତ୍ର ସମ୍ବନ୍ଧୀ ମନେ ପଡିବେ ତ ଆଉ କାହାର ଆଉ କ’ଣ ମନେ ପଡୁଥିବ । ତେବେ ମିତ୍ର ସମ୍ବନ୍ଧୀମାନଙ୍କର ସ୍ମୃତି ହିଁ ଆତ୍ମାକୁ ପତିତ କରିଦେଉଛି । ପତିତ ହେବା କାରଣରୁ ବିଚଳିତ ହେଉଛନ୍ତି, କିନ୍ତୁ ଏଥିରେ ବିଚଳିତ ହେବା ଉଚିତ୍ ନୁହେଁ । ଏସବୁ ତ ମାୟା ନିଶ୍ଚିତ କରିବ, ମାୟାର ଆବର୍ଜନା ଆମ ଉପରେ ନିଶ୍ଚିତ ଲାଗିବ । ଯେପରି ହୋଲୀ ପର୍ବରେ ଅଳିଆ ଆବର୍ଜନାକୁ ଦହନ କରାଯାଏ ସେହିପରି ଯଦି ଆମେ ବାବାଙ୍କ ସ୍ମୃତିରେ ରହିବା ତେବେ କୌଣସି ଅଳିଆ ଆବର୍ଜନା ଆମ ଭିତରେ ରହିବ ନାହିଁ । ଯଦି ବାବାଙ୍କୁ ଭୁଲିଯିବ ତେବେ ପ୍ରଥମେ ଦେହ-ଅଭିମାନର ମଇଳା ଲାଗିବ । ତା’ପରେ ଲୋଭ ମୋହ ଆଦି ସବୁ ଆସିଯିବ । ତେଣୁ ନିଜ ପାଇଁ ପରିଶ୍ରମ କରିବାକୁ ହେବ, ରୋଜଗାର କରିବାକୁ ହେବ ଏବଂ ଅନ୍ୟମାନଙ୍କୁ ନିଜ ସମାନ କରାଇବାରେ ପରିଶ୍ରମ କରିବାକୁ ହେବ । ସେବାକେନ୍ଦ୍ର ଗୁଡିକରେ ବହୁତ ଭଲ ସେବା ହେଉଛି । କିନ୍ତୁ କେତେକ ଏଠାକୁ (ମଧୁବନକୁ) ଆସି କୁହନ୍ତି ଆମେ ଯାଇ ପ୍ରବନ୍ଧ କରିବୁ, ସେବାକେନ୍ଦ୍ର ଖୋଲିବୁ, କିନ୍ତୁ ଏଠାରୁ ଗଲା ପରେ ସବୁ ଭୁଲିଯା’ନ୍ତି । ବାବା ନିଜେ ମଧ୍ୟ କୁହନ୍ତି ତୁମେ ଏସବୁ କଥା ଭୁଲିଯିବ । ଯେପର୍ପ୍ୟନ୍ତ ଅନ୍ୟମାନଙ୍କୁ ବୁଝାଇବାର ଯୋଗ୍ୟ ହୋଇନାହଁ ସେ ପର୍ଯ୍ୟନ୍ତ ଏଠାରେ ଭଟ୍ଟୀରେ ବସିବାକୁ ପଡିବ । ଶିବବାବାଙ୍କର ତ ସମସ୍ତଙ୍କ ସହିତ ସ୍ନେହର ସମ୍ବନ୍ଧ ରହିଛି ନା । ସିଏ ଜାଣିପାରୁଛନ୍ତି ଯେ, ଅମୁକ କି ପ୍ରକାରର ସେବା କରୁଛନ୍ତି । ସ୍ଥୂଳ ସେବାର ପୁରସ୍କାର ତ ଅବଶ୍ୟ ମିଳିଥାଏ । ଯଦିଓ ବହୁତ କଠିନ ସେବା କରୁଛନ୍ତି, କିନ୍ତୁ ଚାରୋଟି ବିଷୟ ବସ୍ତୁ (ଜ୍ଞାନ, ଯୋଗ, ଧାରଣା, ସେବା) ରହିଛି ନା । ଦୁନିଆର ପାଠପଢାରେ ମଧ୍ୟ ବିଷୟବସ୍ତୁ ରହିଛି ଏବଂ ଏହି ଆତ୍ମିକ ପାଠପଢାରେ ମଧ୍ୟ ବିଷୟବସ୍ତୁ ଅଛି । ତେବେ ଏଥିରେ ପ୍ରଥମ ବିଷୟ ବସ୍ତୁ ହେଲା ଯୋଗ, ତା’ପରେ ପାଠପଢା । ବାକି ଆଉ ସବୁ ଗୁପ୍ତ । ଏହି ଡ୍ରାମାକୁ ମଧ୍ୟ ବୁଝିବାକୁ ହେବ । ଏ କଥା ମଧ୍ୟ କାହାକୁ ଜଣାନାହିଁ ଯେ, ପ୍ରତ୍ୟେକ ଯୁଗର ଆୟୁଷ ବାରଶହ ପଚାଶ ବର୍ଷ । ସତ୍ୟଯୁଗ କେତେ ସମୟ ଚାଲିଥିଲା, ସେଠାରେ କେଉଁ ଧର୍ମ ଥିଲା କାହା ବୁଦ୍ଧିରେ ଏହି ଜ୍ଞାନ ନାହିଁ ? ଏଠାରେ ସବୁଠାରୁ ଅଧିକ ଜନ୍ମ କାହାର ହେବା ଦରକାର? ବୌଦ୍ଧି, ଇସ୍‌ଲାମୀ ଆଦି ଏତେ ଜନ୍ମ ତ ନେବେ ନାହିଁ । ଶାସ୍ତ୍ରବାଦୀମାନଙ୍କୁ ପଚାରିବା ଦରକାର ଯେ, ତୁମେ ଭଗବାନୁବାଚ ବୋଲି କାହାକୁ କହୁଛ? ସର୍ବଶାସ୍ତ୍ରମୟୀ ଶିରୋମଣୀ ତ ଗୀତା ଅଟେ । ଭାରତରେ ପ୍ରଥମେ ପ୍ରଥମେ ଦେବୀ-ଦେବତା ଧର୍ମ ଥିଲା । ତେବେ ତାଙ୍କର ଶାସ୍ତ୍ର କେଉଁଟି? ଗୀତା କିଏ ଗାୟନ କରିଥିଲେ? କୃଷ୍ଣ ଭଗବାନୁବାଚ ତ ହୋଇପାରିବ ନାହିଁ । ସ୍ଥାପନା ଏବଂ ବିନାଶ କରାଇବା ତ ଭଗବାନଙ୍କର ହିଁ କାମ । କୃଷ୍ଣଙ୍କୁ ଭଗବାନ ବୋଲି କୁହାଯିବ ନାହିଁ । ତେବେ ସିଏ କେବେ ଆସିଲେ? ବର୍ତ୍ତମାନ ସିଏ କେଉଁ ରୂପରେ ଅଛନ୍ତି? ଶିବବାବାଙ୍କ ସହିତ କୃଷ୍ଣଙ୍କର ମହିମା ମଧ୍ୟ ନିଶ୍ଚିତ ଲେଖିବାକୁ ହେବ । ଶିବ ହେଉଛନ୍ତି ଗୀତାର ଭଗବାନ, ଶିବବାବାଙ୍କ ଦ୍ୱାରା ତାଙ୍କୁ ଶ୍ରୀକୃଷ୍ଣ ପଦ ମିଳିଲା । କୃଷ୍ଣଙ୍କର ୮୪ ଜନ୍ମ ମଧ୍ୟ ଦେଖାଉଛନ୍ତି । ପରେ ପୁଣି ବ୍ରହ୍ମାଙ୍କୁ ପୋଷ୍ୟ କରାଇଥିବାର ଚିତ୍ର ଦେଖାଇବାକୁ ହେବ । ତୁମମାନଙ୍କର ବୁଦ୍ଧିରେ ଯେପରି ୮୪ ଜନ୍ମର ମାଳା ସବୁବେଳେ ଜପ ଚାଲୁଛି । ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ୮୪ ଜନ୍ମ ନିଶ୍ଚିତ ଦେଖାଇବାକୁ ହେବ । ରାତ୍ରିରେ ବିଚାର ସାଗର ମନ୍ଥନ କରିବା ପାଇଁ ବୁଦ୍ଧିରେ ସବୁକିଛି ଖିଆଲ କରିବାକୁ ହୁଏ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଯାଉଛି । ସେଥିପାଇଁ ଆମକୁ କ’ଣ ଲେଖିବାକୁ ହେବ? ଜୀବନମୁକ୍ତିର ଅର୍ଥ ହିଁ ହେଉଛି ସ୍ୱର୍ଗକୁ ଯିବା । ତେବେ ଆମେ ସ୍ୱର୍ଗର ମାଲିକ ସେତେବେଳେ ହେବା ଯେତେବେଳେ ସ୍ୱର୍ଗର ରଚୟିତା ବାବା ଆସିବେ ଏବଂ ଆମେ ତାଙ୍କର ସନ୍ତାନ ହେବା । ସତ୍ୟଯୁଗ ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । କଳିଯୁଗ ହେଉଛି ପାପ ଆତ୍ମାମାନଙ୍କର ଦୁନିଆ । ତାହା ହେଉଛି ନିର୍ବିକାରୀ ଦୁନିଆ । ସେଠାରେ ରାବଣର ରାଜ୍ୟ ହିଁ ନାହିଁ । ଯଦିଓ ସେଠାରେ ସମସ୍ତ ଜ୍ଞାନ ରହୁନାହିଁ କିନ୍ତୁ ଆମେ ଆତ୍ମା ଅଟୁ, ଏହି ଶରୀର ବୁଢା ହୋଇଗଲାଣି, ଏବେ ଏହାକୁ ଛାଡିବାକୁ ହେବ - ଏହି ଜ୍ଞାନ ତ ରହୁଛି ନା । ଏଠାରେ ତ ଆତ୍ମାର ଜ୍ଞାନ ମଧ୍ୟ କାହା ପାଖରେ ନାହିଁ । ବାବାଙ୍କଠାରୁ ଆମକୁ ଜୀବନମୁକ୍ତିର ସମ୍ପତ୍ତି ମିଳୁଛି ତେଣୁ ତାଙ୍କୁ ହିଁ ସ୍ମରଣ କରିବା ଦରକାର ନା । ବାବା ଆଦେଶ ଦେଉଛନ୍ତି ଯେ ମନମନାଭବ । ଗୀତାରେ ଏହି ମନମନାଭବ ଶବ୍ଦ କିଏ କହିଲେ? ମୋତେ ମନେ ପକାଅ ଏବଂ ବିଷ୍ଣୁପୁରୀକୁ ମନେପକାଅ -- ଏକଥା କିଏ କହି ପାରିବେ? କୃଷ୍ଣଙ୍କୁ ତ ପତିତ-ପାବନ କୁହାଯିବ ନାହିଁ । ୮୪ ଜନ୍ମର ରହସ୍ୟକୁ ମଧ୍ୟ କେହି ଜାଣିନାହାଁନ୍ତି । ତେଣୁ ତୁମମାନଙ୍କୁ ସମସ୍ତଙ୍କୁ ବୁଝାଇବାକୁ ହେବ । ନିର୍ଭୟ ହୋଇ ଚାରିଆଡେ ବୁଲି ସେବା କର । ଭଲେ ପୋଷାକ ବଦଳାଇ ସେବା କର ଏବଂ ତା’ ସହିତ ଚିତ୍ର ମଧ୍ୟ ସର୍ବଦା ନିଜ ପାଖରେ ରଖ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମିଠାବାବାଙ୍କ ସହିତ ପୂରା ଯୋଗ ଲଗାଇ ଅତି ମିଠା ହେବା ସହିତ ଦେହୀ-ଅଭିମାନୀ ହେବାକୁ ପଡିବ । ବିଚାର ସାଗର ମନ୍ଥନ କରି ପ୍ରଥମେ ନିଜେ ଧାରଣା କରିବାକୁ ହେବ, ତା’ପରେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ ।

(୨) ନିଜର ସ୍ଥିତିକୁ ଶକ୍ତିଶାଳୀ କରିବାକୁ ହେବ । ନିର୍ଭୟ ହେବାକୁ ପଡିବ ଏବଂ ମନୁଷ୍ୟଙ୍କୁ ଦେବତା କରିବା, ସେବାର ସଉକ ରଖିବାକୁ ହେବ ।

ବରଦାନ:-
ସର୍ବଦା ଖୁସି ରୂପକ ଖାଦ୍ୟ ଖାଉଥିବା ଏବଂ ଅନ୍ୟମାନଙ୍କୁ ଖୁଆଉଥିବା ଖୁସିବାସିଆ, ସୌଭାଗ୍ୟଶାଳୀ ଆତ୍ମା ହୁଅ ।

ତୁମମାନଙ୍କ ପାଖରେ ସଚ୍ଚା ଅବିନାଶୀ ଧନ ରହିଛି ସେଥିପାଇଁ ସବୁଠାରୁ ଧନୀ ତୁମେମାନେ ହିଁ ଅଟ । ଚାହେଁ ଶୁଖିଲା ରୁଟୀ ମଧ୍ୟ ଖାଉଛ କିନ୍ତୁ ଖୁସିରୂପକ ଖାଦ୍ୟ ସେହି ସୁଖିଲା ରୁଟୀରେ ମଧ୍ୟ ଭରି ରହିଛି, ସେଥିପାଇଁ ତା’ଠାରୁ ଭଲ ଖାଦ୍ୟ ଆଉ କିଛି ବି ନାହିଁ । ତେଣୁ ସବୁଠାରୁ ଭଲ ଖାଦ୍ୟ ଖାଇବାବାଲା, ସୁଖର ରୁଟୀ ଖାଇବାବାଲା ତୁମେମାନେ ହିଁ ଅଟ, ସେଥିପାଇଁ ସର୍ବଦା ଖୁସିବାସିଆ ସ୍ଥିତିରେ ରହୁଛ । ଏଭଳି ଖୁସିବାସିଆ ସ୍ଥିତିରେ ରୁହ ଯାହାକି ଅନ୍ୟମାନେ ମଧ୍ୟ ତୁମକୁ ଦେଖି ଖୁସି ହୋଇ ଯାଆନ୍ତୁ, ତେବେ କୁହାଯିବ ସୌଭାଗ୍ୟଶାଳୀ ଆତ୍ମା ।

ସ୍ଲୋଗାନ:-
ଜ୍ଞାନୀ ଆତ୍ମା ସିଏ ଯାହାଙ୍କର ଗୋଟିଏ ବି ସଂକଳ୍ପ ବା ବାଣୀ ବ୍ୟର୍ଥରେ ଯାଉ ନ ଥିବ ।