19.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ସାକାର
ଶରୀରକୁ ମନେ ପକାଇବା ମଧ୍ୟ ଭୂତ ଅଭିମାନୀ ହେବା, କାହିଁକି ନା ଏହି ଶରୀର ପାଞ୍ଚ ଭୂତରେ ନିର୍ମିତ,
ତୁମକୁ ତ ଦେହୀ-ଅଭିମାନୀ ହୋଇ ଏକମାତ୍ର ବିଦେହୀ ବାବାଙ୍କୁ ମନେ ପକାଇବାକୁ ହେବ । ”
ପ୍ରଶ୍ନ:-
ସବୁଠାରୁ ଉତ୍ତମ
କାର୍ଯ୍ୟ କ’ଣ, ଯାହାକି ବାବା ହିଁ କରୁଛନ୍ତି?
ଉତ୍ତର:-
ସାରା ତମଃପ୍ରଧାନ ସୃଷ୍ଟିକୁ ସତ୍ତ୍ୱପ୍ରଧାନ, ସଦା ସୁଖୀ କରିଦେବା ଏହା ହିଁ ସବୁଠାରୁ ଉତ୍ତମ
କାର୍ଯ୍ୟ, ଯାହାକି ବାବା ହିଁ କରୁଛନ୍ତି । ଏହି ଉଚ୍ଚ କର୍ତ୍ତବ୍ୟ କାରଣରୁ ତାଙ୍କର
ସ୍ମାରକୀଗୁଡିକୁ ମଧ୍ୟ ବହୁତ ଉଚ୍ଚ-ଉଚ୍ଚ ନିର୍ମାଣ କରାଯାଇଛି ।
ପ୍ରଶ୍ନ:-
କେଉଁ ଦୁଇଟି
ଶବ୍ଦରେ ସାରା ଡ୍ରାମାର ରହସ୍ୟ ଆସିଯାଉଛି?
ଉତ୍ତର:-
ପୂଜ୍ୟ ଏବଂ ପୂଜାରୀ, ଯେତେବେଳେ ତୁମେମାନେ ପୂଜ୍ୟ ହେଉଛ ସେତେବେଳେ ପୁରୁଷୋତ୍ତମ ଅଛ, ତା’ପରେ
ପୁଣି ମଧ୍ୟମ ଏବଂ କନିଷ୍ଠ ହେଉଛ । ମାୟା ପୂଜ୍ୟରୁ ପୂଜାରୀ କରିଦେଉଛି ।
ଗୀତ:-
ମେହଫିଲ ମେଁ ଜଲ
ଉଠି ଶମା...
ଓମ୍ ଶାନ୍ତି ।
ଭଗବାନ ବସି
ପିଲାମାନଙ୍କୁ ବୁଝାଉଛନ୍ତି ଯେ, ମନୁଷ୍ୟକୁ ଭଗବାନ କୁହାଯାଇ ପାରିବ ନାହିଁ । ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କର ମଧ୍ୟ ଚିତ୍ର ଅଛି ତେବେ ସେମାନଙ୍କୁ ମଧ୍ୟ ଭଗବାନ କୁହାଯାଇପାରିବ ନାହିଁ । ପରମପିତା
ପରାମାତ୍ମାଙ୍କର ନିବାସ ସ୍ଥାନ, ତା’ଠାରୁ ମଧ୍ୟ ଉଚ୍ଚ ସ୍ଥାନରେ ଅଟେ । ତାଙ୍କୁ ହିଁ ପ୍ରଭୁ,
ଈଶ୍ୱର, ଭଗବାନ ବୋଲି କହିଥା’ନ୍ତି । ମନୁଷ୍ୟମାନେ ଯେତେବେଳେ ଡାକୁଛନ୍ତି ସେତେବେଳେ ତାଙ୍କୁ
କୌଣସି ପ୍ରକାରର ଆକାର ବା ସାକାର ମୂର୍ତ୍ତି ଦେଖାଯାଇନଥାଏ, ସେଥିପାଇଁ ଯେକୌଣସି ମନୁଷ୍ୟର ଆକାରକୁ
ଭଗବାନ ବୋଲି କହିଦେଉଛନ୍ତି । ସନ୍ନ୍ୟାସୀମାନଙ୍କୁ ମଧ୍ୟ ଭଗବାନ ବୋଲି କହିଦେଉଛନ୍ତି, ସେଥିପାଇଁ
ଭଗବାନ ନିଜେ ଆସି ବୁଝାଉଛନ୍ତି - ମନୁଷ୍ୟକୁ ଭଗବାନ ବୋଲି କୁହାଯାଇପାରିବ ନାହିଁ । ନିରାକାର
ଭଗବାନଙ୍କୁ ତ ବହୁତ ସ୍ମରଣ କରୁଛନ୍ତି । ଯେଉଁମାନେ ଗୁରୁ କରିନାହାଁନ୍ତି, ଯେଉଁମାନେ ଛୋଟ ପିଲା
ସେମାନଙ୍କୁ ମଧ୍ୟ ଶିଖାଯାଏ ଯେ, ପରମାତ୍ମାଙ୍କୁ ମନେ ପକାଅ, କିନ୍ତୁ କେଉଁ ପରମାତ୍ମାଙ୍କୁ ମନେ
ପକାଇବେ - ସେକଥା କୁହାଯାଇନଥାଏ । ତେଣୁ ସେମାନଙ୍କର ବୁଦ୍ଧିରେ କୌଣସି ବି ଚିତ୍ର ରହି ନ ଥାଏ ।
କେବଳ ଦୁଃଖ ସମୟରେ ହେ ପ୍ରଭୁ ବୋଲି କହିଦେଉଛନ୍ତି । କିନ୍ତୁ କୌଣସି ଗୁରୁ ବା ଦେବତା ଆଦିଙ୍କର
ଚିତ୍ର ସେମାନଙ୍କର ସମ୍ମୁଖକୁ ଆସିନଥାଏ । ଯଦିଓ ବହୁତ ଗୁରୁ କରିଛନ୍ତି କିନ୍ତୁ ଯେତେବେଳେ ହେ
ଭଗବାନ କହୁଛନ୍ତି, ସେତେବେଳେ ତାଙ୍କର ଗୁରୁ ମନେ ପଡିବେ ନାହିଁ । ଯଦି ଗୁରୁଙ୍କୁ ୟାଦ କରିବେ ଏବଂ
ଭଗବାନ ବୋଲି କହିବେ ତେବେ ସିଏ ତ ଜନ୍ମ-ମରଣ ଚକ୍ରରେ ଆସିଲାବାଲା ହୋଇଗଲେ! ଏହାର ଅର୍ଥ ଇଏ ୫
ତତ୍ତ୍ୱରେ ତିଆରି ହୋଇଥିବା ଶରୀରକୁ ମନେ ପକାଉଛନ୍ତି । ଯାହାକୁ ପାଞ୍ଚ ଭୂତ ବୋଲି କୁହାଯାଏ ।
ଆତ୍ମାକୁ ଭୂତ କୁହାଯାଏ ନାହିଁ । ତେବେ ଶରୀରକୁ ପୂଜା କରିବା ଅର୍ଥ ଭୂତ ପୂଜା କରିବା ।
ବୁଦ୍ଧିଯୋଗ ଶରୀର ଆଡକୁ ଚାଲିଗଲା । ଯଦି କୌଣସି ମନୁଷ୍ୟକୁ ଭଗବାନ ବୋଲି ଭାବୁଛନ୍ତି ତା’ ଅର୍ଥ
ନୁହେଁ ଯେ, ସେମାନେ ତାଙ୍କ ଭିତରେ ଥିବା ଆତ୍ମାକୁ ସ୍ମରଣ କରୁଛନ୍ତି । ନାଁ । ଆତ୍ମା ତ
ଉଭୟଙ୍କଠାରେ ଅଛି । ଯିଏ ମନେ ପକାଉଛନ୍ତି ତାଙ୍କ ଭିତରେ ମଧ୍ୟ ଅଛି ଏବଂ ଯାହାକୁ ମନେ ପକାଉଛନ୍ତି
ତାଙ୍କ ଭିତରେ ମଧ୍ୟ ଅଛି । ଏମାନେ ତ ପରମାତ୍ମାଙ୍କୁ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । କିନ୍ତୁ
ପରମାତ୍ମାଙ୍କୁ ତ ପାପ ଆତ୍ମା କୁହାଯିବ ନାହିଁ । ବାସ୍ତବରେ ଯେତେବେଳେ ପରମାତ୍ମା ନାମ ବୁଦ୍ଧିରେ
ଆସିଥାଏ ସେତେବେଳେ ବୁଦ୍ଧି ନିରାକାର ଆଡକୁ ଚାଲିଯାଇଥାଏ । ନିରାକାର ବାବାଙ୍କୁ ନିରାକାର ଆତ୍ମା
ମନେପକାଇଥାଏ । ତାକୁ ଦେହୀ-ଅଭିମାନୀ ଅବସ୍ଥା କୁହାଯିବ । ସାକାର ଶରୀରକୁ ଯେଉଁମାନେ
ମନେପକାଉଛନ୍ତି ସେମାନେ ଯେପରି ଭୂତ ଅଭିମାନୀ ଅଟନ୍ତି । ତେଣୁ ଭୂତ, ଭୂତକୁ ମନେପକାଉଛି
କାହିଁକିନା ନିଜକୁ ଆତ୍ମା ଭାବିବା ବଦଳରେ ନିଜକୁ ୫ ଭୂତର ଶରୀର ବୋଲି ଭାବୁଛନ୍ତି । ନାମ ମଧ୍ୟ
ଶରୀର ଉପରେ ରଖାଯାଇଥାଏ । ତେଣୁ ଏମାନେ ନିଜକୁ ୫ ତତ୍ତ୍ୱର ଭୂତ ବୋଲି ଭାବୁଛନ୍ତି ଏବଂ ଶରୀରକୁ
ହିଁ ମନେ ପକାଉଛନ୍ତି । ଦେହୀ-ଅଭିମାନୀ ତ’ କେହି ହେଉନାହାନ୍ତି । ଯଦି ନିଜକୁ ନିରାକାର ଆତ୍ମା
ଭାବିବ ତେବେ ନିରାକାର ପରମାତ୍ମାଙ୍କୁ ମଧ୍ୟ ସ୍ମରଣ କରିବାକୁ ପଡିବ । ସବୁ ଆତ୍ମାମାନଙ୍କର
ସମ୍ବନ୍ଧ ପ୍ରଥମେ ପ୍ରଥମେ ପରମାତ୍ମାଙ୍କ ସହିତ ହେଉଛି । ଆତ୍ମା ଦୁଃଖ ସମୟରେ ପରମାତ୍ମାଙ୍କୁ ହିଁ
ସ୍ମରଣ କରିଥାଏ, କାହିଁକିନା ଆତ୍ମାର ତାଙ୍କ ସହିତ ସମ୍ବନ୍ଧ ରହିଛି । ସିଏ ଆତ୍ମାମାନଙ୍କୁ ସମସ୍ତ
ପ୍ରକାରର ଦୁଃଖରୁ ମୁକ୍ତ କରୁଛନ୍ତି । ତାଙ୍କୁ ଶମା ଅର୍ଥାତ୍ ଜ୍ୟୋତି ବୋଲି ମଧ୍ୟ କୁହାଯାଏ ।
ତେବେ ଏଠାରେ କୌଣସି ଜ୍ୟୋତି ଆଦିର କଥା ନାହିଁ । ସିଏ ତ’ ପରମପିତା ପରମାତ୍ମା ଅଟନ୍ତି । ଶମା
କହିଲେ ମନୁଷ୍ୟ ପୁଣି ଜ୍ୟୋତି ବୋଲି ଭାବିନେଉଛନ୍ତି । ଏକଥା ତ’ ବାବା ନିଜେ ବୁଝାଉଛନ୍ତି - ମୁଁ
ପରମାତ୍ମା ଅଟେ, ମୋର ନାମ ଶିବ । ଶିବଙ୍କୁ ରୁଦ୍ର ବୋଲି ମଧ୍ୟ କହିଥା’ନ୍ତି । ସେହି
ନିରାକାରଙ୍କର ଅନେକ ନାମ ରହିଛି ଆଉ କାହାର ଏତେ ନାମ ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର
ଗୋଟିଏ ହିଁ ନାମ ଅଛି । ଯେଉଁମାନେ ବି ଦେହଧାରୀ ଅଛନ୍ତି ସେମାନଙ୍କର ଗୋଟିଏ ନାମ ହିଁ ରହିଥାଏ ।
ଏକମାତ୍ର ଈଶ୍ୱରଙ୍କୁ ହିଁ ଅନେକ ନାମ ଦିଆଯାଇଥାଏ । ତାଙ୍କର ମହିମା ଅସରନ୍ତି । କିନ୍ତୁ
ମନୁଷ୍ୟମାନଙ୍କର ତ ଗୋଟିଏ ନାମ ନିଧାର୍ଯ୍ୟ ରହିଥାଏ । ଏବେ ତୁମମାନଙ୍କର ମରଜୀବା ଜନ୍ମ, ତେଣୁ
ତୁମର ଅନ୍ୟ ଏକ ନାମ ରଖାଯାଉଛି, ଯେପରି ପୁରୁଣା ସବୁକିଛି ଭୁଲି ହୋଇଯିବ । ତୁମେ ପରମପିତା
ପରମାତ୍ମାଙ୍କ ସମ୍ମୁଖରେ ବଞ୍ଚି ଥାଉ ଥାଉ ମୃତ୍ୟୁବରଣ କରୁଛ । ତେଣୁ ଏହା ତୁମର ମରଜୀବା ଜନ୍ମ ଅଟେ
। ତେବେ ତୁମମାନଙ୍କୁ ଜନ୍ମ ମଧ୍ୟ ନିଶ୍ଚିତ ମାତା-ପିତାଙ୍କ ପାଖରେ ହିଁ ନେବାକୁ ହୋଇଥାଏ । ଏହି
ଗୁହ୍ୟ କଥାକୁ ବାବା ବସି ବୁଝାଉଛନ୍ତି । ଦୁନିଆରେ ତ’ ଶିବଙ୍କୁ କେହି ଜାଣିନାହାନ୍ତି । ବ୍ରହ୍ମା,
ବିଷ୍ଣୁ, ଶଙ୍କରଙ୍କୁ ଜାଣିଛନ୍ତି । ସେଥିପାଇଁ ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତି ବୋଲି
ମଧ୍ୟ କହିଥା’ନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଏହି କଥା ମଧ୍ୟ କେବଳ ଶୁଣିଛନ୍ତି । କିନ୍ତୁ
କିପରି, ଏକଥା ଜାଣିନାହାଁନ୍ତି । ତେବେ ସୃଷ୍ଟିକର୍ତ୍ତା ତ’ ନିଶ୍ଚିତ ନୂଆ ଧର୍ମ, ନୂଆ ଦୁନିଆ
ରଚନା କରିବେ । ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ କୁଳର ହିଁ ରଚନା କରିବେ । ତୁମେ ବ୍ରାହ୍ମଣମାନେ
ବ୍ରହ୍ମାଙ୍କୁ ନୁହେଁ ପରମପିତା ପରମାତ୍ମାଙ୍କୁ ମନେ ପକାଉଛ, କାହିଁକିନା ବ୍ରହ୍ମାଙ୍କ ଦ୍ୱାରା
ତୁମେମାନେ ତାଙ୍କର ସନ୍ତାନ ହୋଇଛ । ଦୁନିଆର ଦେହ ଅଭିମାନୀ ବ୍ରାହ୍ମଣ, ନିଜକୁ ବ୍ରହ୍ମାଙ୍କର
ସନ୍ତାନ ଶିବଙ୍କର ନାତି-ନାତୁଣୀ ବୋଲି କହିବେ ନାହିଁ । ଶିବବାବା ଯାହାଙ୍କର ଜୟନ୍ତୀ ପାଳନ
କରୁଛନ୍ତି, ତାଙ୍କୁ ଜାଣି ନାହାଁନ୍ତି ତେଣୁ ତାଙ୍କ ପ୍ରତି ସମ୍ମାନ ମଧ୍ୟ ରହୁ ନାହିଁ । ତାଙ୍କ
ମନ୍ଦିରକୁ ମଧ୍ୟ ଯାଉଛନ୍ତି, ଜାଣୁଛନ୍ତି ଯେ ଇଏ ବ୍ରହ୍ମା, ବିଷ୍ଣୁ, ଶଙ୍କର ବା ଲକ୍ଷ୍ମୀ ନାରାୟଣ
ତ’ ନୁହଁନ୍ତି । ଇଏ ନିଶ୍ଚିତ ନିରାକାର ପରମାତ୍ମା ଅଟନ୍ତି । ଆଉ ସମସ୍ତ ଅଭିନେତାମାନଙ୍କର ନିଜ
ନିଜର ଅଭିନୟ ରହିଛି । ଯେଉଁମାନେ ପୁନର୍ଜନ୍ମ ନେଉଛନ୍ତି, ସେମାନଙ୍କର ମଧ୍ୟ ନିଜର ନାମ ରହିଛି ।
ଏକମାତ୍ର ପରମପିତା ପରମାତ୍ମା, ଯାହାଙ୍କର ବ୍ୟକ୍ତ ନାମ ରୂପ ନାହିଁ, କିନ୍ତୁ ମୁଢ଼ମତି ମନୁଷ୍ୟ
ଏହିକଥାକୁ ବୁଝୁନାହାନ୍ତି । ଯଦି ପରମାତ୍ମାଙ୍କର ସ୍ମାରକୀ ଅଛି ତେବେ ସିଏ ନିଶ୍ଚିତ ଆସିଥିବେ,
ସ୍ୱର୍ଗ ରଚନା କରିଥିବେ । ନଚେତ୍ ସ୍ୱର୍ଗ କିଏ ରଚନା କରିବ! ଏବେ ପୁନର୍ବାର ଆସି ଏହି ରୁଦ୍ର
ଜ୍ଞାନ ଯଜ୍ଞ ରଚନା କରିଛନ୍ତି । ଏହାକୁ ଯଜ୍ଞ କୁହାଯାଉଛି କାହିଁକିନା ଏଥିରେ ସ୍ୱାହା ହେବାକୁ
ହୋଇଥାଏ । ଯଜ୍ଞ ତ’ ମନୁଷ୍ୟମାନେ ବହୁତ ରଚନା କରୁଛନ୍ତି । କିନ୍ତୁ ସେ ସବୁ ହେଲା ଭକ୍ତିମାର୍ଗର
ସ୍ଥୂଳ ଯଜ୍ଞ । ଏଠାରେ ପରମପିତା ପରମାତ୍ମା ସ୍ୱୟଂ ଆସି ଯଜ୍ଞ ରଚନା କରୁଛନ୍ତି । ପିଲାମାନଙ୍କୁ
ପଢାଉଛନ୍ତି । ଦୁନିଆରେ ଯେତେବେଳେ ଯଜ୍ଞ ରଚନା କରନ୍ତି ସେଥିରେ ମଧ୍ୟ ବ୍ରାହ୍ମଣମାନେ ଶାସ୍ତ୍ରର
ଆଦିର କଥା ଶୁଣାଇଥା’ନ୍ତି । ଏହି ବାବା ତ’ ଜ୍ଞାନର ସାଗର ଅଟନ୍ତି । କହୁଛନ୍ତି - ଏହି ଗୀତା,
ଭାଗବତ ଆଦି ଶାସ୍ତ୍ର ସବୁ ଭକ୍ତିମାର୍ଗର । ଏହି ଭୌତିକ ଯଜ୍ଞ ମଧ୍ୟ ଭକ୍ତିମାର୍ଗର ଅଟେ । ଏହା
ଭକ୍ତିମାର୍ଗର ହିଁ ସମୟ । ଯେତେବେଳେ କଳିଯୁଗର ଅନ୍ତିମ ସମୟ ଆସିବ ସେତେବେଳେ ଭକ୍ତିର ମଧ୍ୟ
ଅନ୍ତିମ ସମୟ ଆସିବ ଏବଂ ଭଗବାନ ମଧ୍ୟ ଆସି ମିଶିବେ କାହିଁକିନା ସିଏ ହିଁ ଭକ୍ତିର ଫଳ ଦିଅନ୍ତି ।
ତାଙ୍କୁ ଜ୍ଞାନ ସୂର୍ଯ୍ୟ ବୋଲି କୁହାଯାଇଥାଏ । ଜ୍ଞାନ ଚନ୍ଦ୍ରମା, ଜ୍ଞାନ ସୂର୍ଯ୍ୟ ଏବଂ ଜ୍ଞାନର
ଭାଗ୍ୟବାନ୍ ତାରକାମାନେ । ଜ୍ଞାନ ସୂର୍ଯ୍ୟ ତ’ ବାବା ଅଟନ୍ତି । ପୁଣି ମାତା ଜ୍ଞାନ ଚନ୍ଦ୍ରମା
ହେବା ଦରକାର । ସେଥିପାଇଁ ଯେଉଁ ଶରୀରରେ ବାବା ପ୍ରବେଶ କରିଛନ୍ତି ସିଏ ହେଲେ ଜ୍ଞାନ ଚନ୍ଦ୍ରମା
ମାତା ବାକି ସମସ୍ତେ ଭାଗ୍ୟବାନ୍ ତାରକା ଅଟନ୍ତି । ଏହି ହିସାବରେ ଜଗଦମ୍ବା ମଧ୍ୟ ଭାଗ୍ୟବାନ୍
ତାରକା ହୋଇଗଲେ, କାହିଁକିନା ସିଏ ମଧ୍ୟ ବାବାଙ୍କର ସନ୍ତାନ ହେଲେ ନା । ଯେପରି ତାରାମାନଙ୍କ ଭିତରେ
କେହି କେହି ବହୁତ ଉଜ୍ଜ୍ୱଳ ଦେଖାଯାଇଥା’ନ୍ତି, ସେହିପରି ଏଠାରେ ମଧ୍ୟ କ୍ରମାନୁସାରେ ରହିଛନ୍ତି ।
ସେମାନେ ହେଲେ ସ୍ଥୂଳ ଆକାଶର ସୂର୍ଯ୍ୟ ଚନ୍ଦ୍ର ଓ ତାରକା ଏବଂ ଏହା ହେଲା ଜ୍ଞାନର କଥା । ଯେପରି
ତାହା ପାଣିର ନଦୀ ସେହିପରି ଇଏ ହେଉଛନ୍ତି ଜ୍ଞାନର ନଦୀ, ଯାହାକି ଜ୍ଞାନର ସାଗରଙ୍କଠାରୁ
ବାହାରିଛନ୍ତି ।
ଏବେ ସମସ୍ତେ ଶିବଜୟନ୍ତୀ
ପାଳନ କରୁଛନ୍ତି, ତେବେ ନିଶ୍ଚିତ ସିଏ ସାରା ସୃଷ୍ଟିର ପିତା ଅଟନ୍ତି । ସିଏ ଆସି ନିଶ୍ଚିତ
ସ୍ୱର୍ଗ ରଚନା କରୁଥିବେ । ବାବା ଆସୁଛନ୍ତି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିବା ପାଇଁ,
ଯାହାକି ପ୍ରାୟ ଲୋପ ହୋଇଯାଇଛି । ସରକାର ମଧ୍ୟ କୌଣସି ଧର୍ମକୁ ମାନୁନାହାଁନ୍ତି । କହୁଛନ୍ତି ଆମର
କୌଣସି ଧର୍ମ ନାହିଁ । ତାହା ତ’ ଠିକ୍ କଥା । ବାବା ମଧ୍ୟ କହୁଛନ୍ତି ଯେ, ଭାରତର ଆଦି ସନାତନ ଦେବୀ
ଦେବତା ଧର୍ମ ପ୍ରାୟଲୋପ ହୋଇଯାଇଛି । ଧର୍ମରେ ତ’ ଶକ୍ତି ରହିଥାଏ । ଭାରତବାସୀମାନେ ଯେତେବେଳେ
ନିଜର ଦୈବୀଧର୍ମରେ ଥିଲେ ସେତେବେଳେ ବହୁତ ସୁଖୀ ଥିଲେ । ସେତେବେଳେ ସାରା ବିଶ୍ୱରେ
ସର୍ବଶକ୍ତିମାନ ଅଧିକାରୀଙ୍କର ରାଜ୍ୟ ଥିଲା । ସେ ସମୟରେ ଉତ୍ତମ ପୁରୁଷ ମାନେ ରାଜ୍ୟ କରୁଥିଲେ ।
ଶ୍ରୀଲକ୍ଷ୍ମୀ-ନାରାୟଣଙ୍କୁ ହିଁ ପୁରୁଷୋତ୍ତମ ବୋଲି କୁହାଯାଏ । କ୍ରମାନୁସାରେ ଉଚ୍ଚ ନୀଚ୍ଚ ତ’
ନିଶ୍ଚିତ ରହିବେ । ସର୍ବୋତ୍ତମ ପୁରୁଷ, ଉତ୍ତମ ପୁରୁଷ, ମଧ୍ୟମ, କନିଷ୍ଠ ପୁରୁଷ ଏହିଭଳି
ରହିଥା’ନ୍ତି । ପ୍ରଥମେ ପ୍ରଥମେ ଯିଏ ସର୍ବୋତ୍ତମ ପୁରୁଷ ହେଉଛନ୍ତି ସେହିମାନେ ହିଁ ପୁଣି ମଧ୍ୟମ,
କନିଷ୍ଠ ହେଉଛନ୍ତି । ଲକ୍ଷ୍ମୀ ନାରାୟଣ ପୁରୁଷୋତ୍ତମ ଅଟନ୍ତି । ସବୁ ପୁରୁଷମାନଙ୍କ ମଧ୍ୟରେ
ଉତ୍ତମ । ପୁଣି ଯେତେବେଳେ ତଳକୁ ଖସୁଛନ୍ତି ସେତେବେଳେ ଦେବତାରୁ କ୍ଷତ୍ରିୟ, କ୍ଷତ୍ରିୟରୁ ପୁଣି
ବୈଶ୍ୟ, ଶୁଦ୍ର କନିଷ୍ଠ ହେଉଛନ୍ତି । ସୀତା ରାମଙ୍କୁ ମଧ୍ୟ ପୁରୁଷୋତ୍ତମ କୁହାଯିବ ନାହିଁ । ସବୁ
ରାଜାମାନଙ୍କର ରାଜା, ସର୍ବୋତ୍ତମ ପୁରୁଷୋତ୍ତମ ହେଉଛନ୍ତି ଲକ୍ଷ୍ମୀ-ନାରାୟଣ । ଏହି ସୃଷ୍ଟିର
ଚକ୍ର କିପରି ଚାଲୁଛି, ଏକଥା ଏବେ ତୁମମାନଙ୍କର ବୁଦ୍ଧିରେ ଅଛି । ପ୍ରଥମେ ପ୍ରଥମେ ଉତ୍ତମ ପୁଣି
ମଧ୍ୟମ, କନିଷ୍ଠ ହେଉଛନ୍ତି । ବର୍ତ୍ତମାନ ସମୟରେ ତ’ ସାରା ଦୁନିଆ ତମଃପ୍ରଧାନ ହୋଇଯାଇଛି, ଏହି
କଥା ବାବା ବୁଝାଉଛନ୍ତି ଯେ - ଯାହାଙ୍କର ତୁମେମାନେ ଏବେ ଜୟନ୍ତୀ ପାଳନ କରିବ, ତୁମେମାନେ
ସମସ୍ତଙ୍କୁ କହିପାରିବ ଯେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ପରମପିତା ପରମାତ୍ମା ଶିବ ଆସିଥିଲେ ।
ନଚେତ୍ ଶିବ ଜୟନ୍ତୀ କାହିଁକି ପାଳନ କରୁଛନ୍ତି! ତେବେ ନିଶ୍ଚିତ ଭାବରେ ପରମପିତା ପରମାତ୍ମା
ତୁମମାନଙ୍କ ପାଇଁ ଉପହାର ନେଇ ଆସିଥିବେ ଏବଂ ସର୍ବୋତ୍ତମ କାର୍ଯ୍ୟ ମଧ୍ୟ କରିଥିବେ । ବାବା ସାରା
ତମଃପ୍ରଧାନ ସୃଷ୍ଟିକୁ ସତ୍ତ୍ୱପ୍ରଧାନ ସର୍ବଦା ସୁଖୀ କରୁଛନ୍ତି । ସିଏ ଯେତେ ଉଚ୍ଚ ତାଙ୍କର ସେତେ
ଉଚ୍ଚ ସ୍ମାରକୀ ମଧ୍ୟ ଥିଲା, ଯେଉଁ ମନ୍ଦିରକୁ ଲୁଟ୍ କରି ନେଇଗଲେ । ମନୁଷ୍ୟ ଧନ ପାଇଁ ହିଁ ଚଢଉ
ବା ଆକ୍ରମଣ କରିଥା’ନ୍ତି । ବିଦେଶରୁ ମଧ୍ୟ ଧନ ପାଇଁ ଆସିଥିଲେ, ସେ ସମୟରେ ଭାରତରେ ବହୁତ ଧନ ଥିଲା
। କିନ୍ତୁ ମାୟା ରାବଣ ଏବେ ଭାରତକୁ ମୂଲ୍ୟହୀନ କରିଦେଇଛି । ବାବା ଆସି ପୁଣି ହୀରାତୁଲ୍ୟ
କରୁଛନ୍ତି । କିନ୍ତୁ ଶିବବାବାଙ୍କୁ କେହି ବି ଜାଣିନାହାନ୍ତି । ତାଙ୍କୁ ସର୍ବବ୍ୟାପୀ ବୋଲି
କହିଦେଉଛନ୍ତି, ଏକଥା କହିବା ମଧ୍ୟ ଭୁଲ୍ । ଜୀବନରୂପୀ ନୌକାକୁ ପାରି କରୁଥିବା ସତ୍ଗୁରୁ ମଧ୍ୟ ଜଣେ
ଅଟନ୍ତି । କିନ୍ତୁ ବୁଡାଇଲାବାଲା ଅନେକ ଅଛନ୍ତି । ସମସ୍ତେ ବର୍ତ୍ତମାନ ବିକାର ରୂପୀ ସାଗରରେ ବୁଡି
ରହିଛନ୍ତି, ସେଥିପାଇଁ ତ’ କହୁଛନ୍ତି ଯେ, ଏହି ଅସାର ସଂସାର, ବିଷୟ ସାଗରରୁ ସେ ପାରିକୁ ନେଇଚାଲ,
ଯେଉଁଠାରେ କ୍ଷୀର ସାଗର ରହିଛି । ଗାୟନ ମଧ୍ୟ କରାଯାଏ ଯେ, ବିଷ୍ଣୁ କ୍ଷୀର ସାଗରରେ ରହୁଥିଲେ ।
ସ୍ୱର୍ଗକୁ କ୍ଷୀର ସାଗର କୁହାଯାଏ, ଯେଉଁଠାରେ ଲକ୍ଷ୍ମୀ ନାରାୟଣ ରାଜତ୍ୱ କରୁଥିଲେ । ବାକି ଏପରି
ନୁହେଁ ଯେ, ବିଷ୍ଣୁ କ୍ଷୀର ସାଗରରେ ବିଶ୍ରାମ କରୁଥିଲେ । କିନ୍ତୁ ଦୁନିଆର ମନୁଷ୍ୟମାନେ ତ ଗୋଟିଏ
ବଡ ପୋଖରୀ କରି ମଝିରେ ବିଷ୍ଣୁଙ୍କୁ ରଖିଥା’ନ୍ତି । ବିଷ୍ଣୁଙ୍କୁ ମଧ୍ୟ ବହୁତ ଲମ୍ବା ଚଉଡା କରି
ତିଆରି କରିଥା’ନ୍ତି । ବାସ୍ତବରେ ତ ଲକ୍ଷ୍ମୀ-ନାରାୟଣ ଏତେ ବଡ ନୁହଁନ୍ତି । ଅଧିକରୁ ଅଧିକ ୬ ଫୁଟ
ହେବେ । ପାଣ୍ଡବମାନଙ୍କର ମଧ୍ୟ ବହୁତ ବଡ ବଡ ମୂର୍ତ୍ତି ତିଆରି କରିଥା’ନ୍ତି । ରାବଣର କେତେ ବଡ
ବଡ ମୂର୍ତ୍ତି ତିଆରି କରୁଛନ୍ତି । ନାମ ବଡ, ତେଣୁ ଚିତ୍ର ମଧ୍ୟ ବଡ ତିଆରି କରୁଛନ୍ତି । ଯଦିଓ
ବାବାଙ୍କର ନାମ ବଡ କିନ୍ତୁ ତାଙ୍କର ଚିତ୍ର ଛୋଟ । ଏଠାରେ ବୁଝାଇବା ପାଇଁ ଏତେ ବଡ ରୂପ ଦେଇଛନ୍ତି
। ବାବା କହୁଛନ୍ତି - ମୋର ରୂପ ଏତେ ବଡ ନୁହେଁ । ଯେପରି ଆତ୍ମା ଛୋଟ ସେହିପରି ମୁଁ ପରମାତ୍ମା
ମଧ୍ୟ ତାରା ସଦୃଶ ଅଟେ । ସେଥିପାଇଁ ତାଙ୍କୁ ପରମ ଆତ୍ମା କୁହାଯାଏ, ସିଏ ସବୁଠାରୁ ଉଚ୍ଚ । ତାଙ୍କ
ପାଖରେ ହିଁ ସମସ୍ତ ଜ୍ଞାନ ଭରି ରହିଛି, ସେଥିପାଇଁ ତାଙ୍କର ମହିମାରେ ଗାୟନ କରାଯାଇଛି ଯେ, ସିଏ
ମନୁଷ୍ୟ ସୃଷ୍ଟିର ବୀଜରୂପ, ଜ୍ଞାନର ସାଗର, ଚୈତନ୍ୟ ଆତ୍ମା ଅଟନ୍ତି । କିନ୍ତୁ ସିଏ ସେତେବେଳେ
ଜ୍ଞାନ ଶୁଣାଇବେ ଯେତେବେଳେ କି କର୍ମେନ୍ଦ୍ରିୟର ଆଧାର ନେବେ । ଯେପରି ଛୋଟ ପିଲା ତା’ର ଛୋଟ
କର୍ମେନ୍ଦ୍ରିୟ ଦ୍ୱାରା କଥାବାର୍ତ୍ତା କରିପାରେ ନାହିଁ, ଯେତେବେଳେ ସିଏ ବଡ ହୁଏ ସେତେବେଳେ
ଶାସ୍ତ୍ର ଆଦି ଦେଖି ପୂର୍ବର ସଂସ୍କାର ଗୁଡିକର ସ୍ମୃତି ଆସିଯାଏ । ବାବା ପିଲାମାନଙ୍କୁ
ବୁଝାଉଛନ୍ତି - ମୁଁ ପୁନର୍ବାର ୫ ହଜାର ବର୍ଷ ପରେ ତୁମକୁ ସେହି ରାଜଯୋଗ ଶିଖାଇବାକୁ ଆସିଛି ।
କୃଷ୍ଣ କୌଣସି ରାଜଯୋଗ ଶିଖାଇନଥିଲେ । ସିଏ ତ’ ପ୍ରାରବ୍ଧ ଭୋଗ କରିଥିଲେ । ୮ ଜନ୍ମ ସୂର୍ଯ୍ୟବଂଶୀ,
୧୨ ଜନ୍ମ ଚନ୍ଦ୍ରବଂଶୀ ପୁଣି ୬୩ ଜନ୍ମ ବୈଶ୍ୟ, ଶୂଦ୍ରବଂଶୀ ହେଲେ । ଏବେ ସମସ୍ତଙ୍କର ଏହା ଅନ୍ତିମ
ଜନ୍ମ ଅଟେ । କୃଷ୍ଣଙ୍କର ଆତ୍ମା ମଧ୍ୟ ଏବେ ଏହି ଜ୍ଞାନ ଶୁଣୁଛି । ତୁମେମାନେ ମଧ୍ୟ ଶୁଣୁଛ । ଏହା
ହେଲା ସଙ୍ଗମଯୁଗୀ ବ୍ରାହ୍ମଣମାନଙ୍କର ବର୍ଣ୍ଣ । ପୁଣି ତୁମେ ବ୍ରାହ୍ମଣରୁ ଯାଇ ଦେବତା ହେବ ।
ବ୍ରାହ୍ମଣ ଧର୍ମ, ସୂର୍ଯ୍ୟବଂଶୀ ଦେବତା ଧର୍ମ ଏବଂ ଚନ୍ଦ୍ରବଂଶୀ କ୍ଷତ୍ରିୟ ଧର୍ମ, ଏହି ତିନିଟି
ଧର୍ମର ଧର୍ମସ୍ଥାପକ ଏକମାତ୍ର ପରମପିତା ପରମାତ୍ମା ହିଁ ଅଟନ୍ତି । ତେବେ ତିନୋଟିଯାକର ଶାସ୍ତ୍ର
ମଧ୍ୟ ଗୋଟିଏ ହେବା ଦରକାର । ଅଲଗା ଅଲଗା କୌଣସି ଶାସ୍ତ୍ର ନାହିଁ । ବ୍ରହ୍ମା ଯିଏକି ସମସ୍ତଙ୍କର
ପିତା ଅଟନ୍ତି ତାଙ୍କୁ ପ୍ରଜାପିତା ବୋଲି କୁହାଯାଏ । ତାଙ୍କର ମଧ୍ୟ କୌଣସି ଶାସ୍ତ୍ର ନାହିଁ ।
ଏକମାତ୍ର ଗୀତାରେ ହିଁ ଭଗବାନୁବାଚ ରହିଛି । ବ୍ରହ୍ମା ଭଗବାନୁବାଚ ନୁହେଁ । ଏହା ହେଲା ଶିବ
ଭଗବାନୁବାଚ ବ୍ରହ୍ମାଙ୍କ ଦ୍ୱାରା, ଯିଏକି ଶୂଦ୍ରମାନଙ୍କୁ ପରିବର୍ତ୍ତନ କରି ବ୍ରାହ୍ମଣ
କରିଥାଆନ୍ତି । ବ୍ରାହ୍ମଣମାନେ ହିଁ ଦେବତା ହେଉଛନ୍ତି, ଯେଉଁମାନେ ଫେଲ୍ ହୋଇଯାଉଛନ୍ତି, ସେମାନେ
କ୍ଷତ୍ରିୟ ହେଉଛନ୍ତି । ଯେଉଁଠାରେ ଦୁଇକଳା କମ୍ ଥାଏ । ବାବା କେତେ ଭଲ ଭାବରେ ବୁଝାଉଛନ୍ତି ।
ସର୍ବୋଚ୍ଚ ହେଉଛନ୍ତି ପରମପିତା ପରମାତ୍ମା ପୁଣି ବ୍ରହ୍ମା, ବିଷ୍ଣୁ, ଶଙ୍କର, ତାଙ୍କୁ ମଧ୍ୟ
ପୁରୁଷୋତ୍ତମ କୁହାଯିବ ନାହିଁ । ଯେଉଁମାନେ ପୁରୁଷୋତ୍ତମ ହେଉଛନ୍ତି ସେହିମାନେ ପୁଣି କନିଷ୍ଠ
ହେଉଛନ୍ତି । ମନୁଷ୍ୟମାନଙ୍କର ଭିତରେ ସର୍ବୋତ୍ତମ ହେଉଛନ୍ତି ଲକ୍ଷ୍ମୀ-ନାରାୟଣ, ଯାହାଙ୍କର
ମନ୍ଦିର ମଧ୍ୟ ରହିଛି । କିନ୍ତୁ ତାଙ୍କର ମହିମାକୁ କେହି ଜାଣିନାହାନ୍ତି । କେବଳ ପୂଜା କରି
ଚାଲିଛନ୍ତି । ଏବେ ତୁମେ ପୂଜାରୀରୁ ପୂଜ୍ୟ ହେଉଛ । ମାୟା ପୁଣି ତୁମକୁ ପୂଜାରୀ କରିଦେଉଛି ।
ଡ୍ରାମା ଏହିପରି ତିଆରି ହୋଇଛି । ଯେତେବେଳେ ନାଟକ ପୁରା ହୁଏ ସେତେବେଳେ ମୋତେ ଆସିବାକୁ ପଡିଥାଏ
। ପୁଣି ବୃଦ୍ଧି ହେବା ମଧ୍ୟ ଆପେ ଆପେ ବନ୍ଦ ହୋଇଯାଏ । ତୁମମାନଙ୍କୁ ଆସି ନିଜ ନିଜର ଅଭିନୟର
ପୁନରାବୃତ୍ତି କରିବାକୁ ହେବ । ଏହି କଥା ପରମପିତା ପରମାତ୍ମା ନିଜେ ବସି ବୁଝାଉଛନ୍ତି, ଯାହାଙ୍କର
ଜୟନ୍ତୀ ଭକ୍ତିମାର୍ଗରେ ପାଳନ କରିଥା’ନ୍ତି । ଏହିପରି ପାଳନ ମଧ୍ୟ କରି ଚାଲିବେ । ସ୍ୱର୍ଗରେ ତ’
କାହାର ଜୟନ୍ତୀ ପାଳନ କରନ୍ତି ନାହିଁ । କୃଷ୍ଣ, ରାମ ଆଦିଙ୍କର ମଧ୍ୟ ଜୟନ୍ତୀ ପାଳନ କରିବେ ନାହିଁ
। ସେମାନେ ତ’ ନିଜେ ସାକାର ରୂପରେ ଥିବେ । ଏମାନେ ତ’ ଏଠାକୁ ଆସିଥିଲେ, ସେଥିପାଇଁ ପାଳନ
କରୁଛନ୍ତି । ସେଠାରେ ସବୁ ବର୍ଷ କୃଷ୍ଣଙ୍କର ଜନ୍ମଦିନ ପାଳନ କରିବେ ନାହିଁ । ସେଠାରେ ତ’ ସମସ୍ତେ
ସର୍ବଦା ଖୁସିରେ ରହିବେ, ତେଣୁ ଜନ୍ମଦିନ କାହିଁକି ପାଳନ କରିବେ! ସେଠାରେ ପିଲାମାନଙ୍କର ନାମ ମାତା
ପିତା ହିଁ ରଖୁଥିବେ ନା । ଗୁରୁ ତ’ ସେଠାରେ ରହିବେ ନାହିଁ । ବାସ୍ତବରେ ଏହି କଥାର ଜ୍ଞାନ ଓ ଯୋଗ
ସହିତ କୌଣସି ସମ୍ପର୍କ ନାହିଁ । ବାକି ସେଠାରେ କ’ଣ ନୀତି ନିୟମ ଅଛି, ତାହା ପଚାରିବାକୁ ପଡିଥାଏ,
ଏମିତି ତ’ ବାବା କହିଦେବେ, ନହେଲେ ସେଠାରେ ଯେଉଁ କାଇଦା ଥିବ ତାହା ହିଁ ଚାଲିବ, ତୁମର ପଚାରିବାର
ଆବଶ୍ୟକତା ନାହିଁ । ପ୍ରଥମେ ତୁମେମାନେ ପରିଶ୍ରମ କରି ନିଜର ପଦ ତ’ ପ୍ରାପ୍ତ କରିନିଅ । ପ୍ରଥମେ
ଯୋଗ୍ୟ ତ’ ହୁଅ, ତା’ପରେ ପଚାରିବ । ଡ୍ରାମାରେ ତ’ କୌଣସି ନା କୌଣସି ନିୟମ ଥିବ ନା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜକୁ
ନିରାକାର ଆତ୍ମା ମନେ କରି ନିରାକାର ବାବାଙ୍କୁ ମନେ ପକାଇବାକୁ ହେବ, କୌଣସି ବି ଦେହଧାରୀଙ୍କୁ
ନୁହେଁ । ମରଜୀବା ହୋଇ ପୁରୁଣା କଥା ଗୁଡିକୁ ବୁଦ୍ଧିରୁ ଭୁଲିଯିବାକୁ ହେବ ।
(୨) ବାବାଙ୍କ ଦ୍ୱାରା
ସ୍ଥାପନା କରାଯାଇଥିବା ଯଜ୍ଞରେ ସମ୍ପୂର୍ଣ୍ଣ ସ୍ୱାହା ହେବାକୁ ପଡିବ । ଶୁଦ୍ରମାନଙ୍କୁ ବ୍ରାହ୍ମଣ
ଧର୍ମରେ ପରିବର୍ତ୍ତିତ କରିବା ପାଇଁ ସେବା କରିବାକୁ ହେବ ।
ବରଦାନ:-
ନିର୍ଦ୍ଧାରିତ
ଦିନଚର୍ଯ୍ୟା ଏବଂ ବାବାଙ୍କର ସଂଗ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟକୁ ସଠିକ୍ ଭାବରେ କରୁଥିବା
ବିଶ୍ୱକଲ୍ୟାଣକାରୀ ଆତ୍ମା ହୁଅ ।
ଦୁନିଆରେ ଯେଉଁ ବଶିଷ୍ଠ
ବ୍ୟକ୍ତିମାନେ ଅଛନ୍ତି ସେମାନଙ୍କର ଦିନଚର୍ଯ୍ୟା ପୂର୍ବରୁ ହିଁ ସେଟିଂଗ୍ ଅର୍ଥାତ୍ ନିର୍ଦ୍ଧାରିତ
ହୋଇ ରହିଥାଏ । କୌଣସି ବି କାର୍ଯ୍ୟ ସେତେବେଳେ ସଠିକ୍ ଭାବରେ ହୋଇଥାଏ, ଯେତେବେଳେ ଦିନଚର୍ଯ୍ୟା
ସଠିକ୍ ଭାବରେ ନିର୍ଦ୍ଧାରିତ ହୋଇଥାଏ, କାରଣ ଦିନଚର୍ଯ୍ୟାର ସେଟିଂଗ୍ ଦ୍ୱାରା ସମୟ ଏବଂ ଶକ୍ତି
ନଷ୍ଟ ହୋଇନଥାଏ, ତା’ଦ୍ୱାରା ଜଣେ ବ୍ୟକ୍ତି ଗୋଟିଏ ସମୟରେ ଦଶଟା କାର୍ଯ୍ୟ କରିପାରିଥାଏ । ତେଣୁ
ତୁମେ ବିଶ୍ୱକଲ୍ୟାଣକାରୀ ଦାୟିତ୍ୱ ସମ୍ପନ୍ନ ଆତ୍ମାମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ
କରିବା ପାଇଁ ନିଜର ଦିନଚର୍ଯ୍ୟାକୁ ନିର୍ଦ୍ଧାରିତ କର ଏବଂ ବାବାଙ୍କ ସହିତ ସର୍ବଦା ଯୁଗଳ ରୂପରେ
ରୁହ । ହଜାର ଭୁଜାବାଲା ତୁମ ସାଥୀରେ ଅଛନ୍ତି ତେଣୁ ଗୋଟିଏ କାର୍ଯ୍ୟ କରିବା ପରିବର୍ତ୍ତେ ହଜାରେ
କାର୍ଯ୍ୟ ସଠିକ୍ ଭାବରେ କରିପାରିବ ।
ସ୍ଲୋଗାନ:-
ସର୍ବ ଆତ୍ମାଙ୍କ
ପ୍ରତି ଶୁଦ୍ଧ ସଂକଳ୍ପ କରିବା ହିଁ ବରଦାନୀ ମୂରତ ହେବା ।