19.06.22    Avyakt Bapdada     Odia Murli    06.04.91     Om Shanti     Madhuban


କର୍ମାତୀତ ସ୍ଥିତିର ଲକ୍ଷଣ


ପିଲାମାନେ କର୍ମାତୀତ ସ୍ଥିତିର ନିକଟବର୍ତ୍ତୀ ହେବାରେ ଲାଗିଛନ୍ତି । କର୍ମ ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି, କିନ୍ତୁ କର୍ମାତୀତର ଅର୍ଥ ହେଲା କର୍ମର କୌଣସି ପ୍ରକାରର ବନ୍ଧନର ସ୍ପର୍ଶଠାରୁ ମୁକ୍ତ । ଏବେ ଏହିଭଳି ଅନୁଭବର ବୃଦ୍ଧି ହେବା ଦରକାର । ଯେପରି ମୁଁ ଆତ୍ମା ଏହି ଶରୀର ଦ୍ୱାରା କର୍ମ କରିଲି, ଏହିଭଳି ନିଆରା ପଣିଆ ତୁମମାନଙ୍କ ଭିତରେ ମଧ୍ୟ ରହୁ । କାର୍ଯ୍ୟକୁ ସ୍ପର୍ଶ କରିବାର ମଧ୍ୟ ଅନୁଭବ ନ ରହୁ ଏବଂ କାର୍ଯ୍ୟ କରିବା ପରେ ପରିଣାମ ଯାହା ହେଲା, ସେହି ଫଳକୁ ପ୍ରାପ୍ତ କରିବାରେ ମଧ୍ୟ ନିଆରା ପଣିଆ ରହୁ ଅର୍ଥାତ୍ ତାଠାରୁ ମଧ୍ୟ ମୁକ୍ତ ଅବସ୍ଥାର ଅନୁଭବ ହେଉ । କର୍ମର ଫଳ ଅର୍ଥାତ୍ ଯାହା ବି ପରିଣାମ ହେଲା ତାହା ମଧ୍ୟ ତୁମକୁ ସ୍ପର୍ଶ ନ କରୁ । ସମ୍ପୂର୍ଣ୍ଣ ନିଆରା ପଣିଆର ଅନୁଭବ ହୋଇଚାଲୁ । ଯେପରି ଅନ୍ୟ କେହି କରାଇଛି, ମୁଁ କରିଛି । ଆଉ କେହି ମୋ ଦ୍ୱାରା କରାଇ ନେଲେ ଏବଂ ମୁଁ ନିମିତ୍ତ ହୋଇ କରିଲି । କିନ୍ତୁ ନିମିତ୍ତ ହେବାରେ ମଧ୍ୟ ନିଆରା ପଣିଆ । ଏହିଭଳି କର୍ମାତୀତ ସ୍ଥିତିର ବୃଦ୍ଧି ହେବାର ଅନୁଭବ ହେଉଛି?

ମହାରଥୀମାନଙ୍କର ସ୍ଥିତି ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ, ଏହା ସ୍ପଷ୍ଟ ଅନୁଭବ ହେଉଛି ନା । ଯେପରି ବ୍ରହ୍ମାବାବା ସ୍ପଷ୍ଟ ଥିଲେ, ସେହିଭଳି ତୁମେ ନିମିତ୍ତ ଆତ୍ମାମାନେ ମଧ୍ୟ ସାକାର ରୂପରେ କ୍ରମାନ୍ୱୟରେ ସ୍ପଷ୍ଟ ହୋଇଚାଲିଛି । ତେବେ କର୍ମାତୀତର ଅର୍ଥ ହେଲା ନ୍ୟାରା ଏବଂ ପ୍ୟାରା ଅର୍ଥାତ୍ ସ୍ୱତନ୍ତ୍ର । କର୍ମ ତ ଅନ୍ୟମାନେ ମଧ୍ୟ କରୁଛନ୍ତି ଏବଂ ତୁମେମାନେ ମଧ୍ୟ କରୁଛ କିନ୍ତୁ ତୁମମାନଙ୍କର କର୍ମ କରିବାରେ ଅନ୍ତର ରହିଛି । ସ୍ଥିତିରେ ମଧ୍ୟ ଅନ୍ତର ରହିଛି । ଯାହା କିଛି ବିତିଗଲା ତାପରେ ପୁନର୍ବାର ନିଆରା ସ୍ଥିତିର ଅନୁଭବ କର । କର୍ମ କରିବା ପରେ ଏଭଳି ଅନୁଭବ କର ଯେପରି କିଛି କରି ହିଁ ନାହିଁ । ନିର୍ଦ୍ଦେଶକର୍ତ୍ତା ନିର୍ଦ୍ଦେଶ ଦେଇ କରାଇନେଲେ । ଏହିଭଳି ସ୍ଥିତିର ଅନୁଭବ କରିବାକୁ ଲାଗିବ । ନିଜ ଭିତରେ ହାଲୁକା ପଣିଆର ଅନୁଭବ ହେବ । କର୍ମ କରୁଥିଲେ ମଧ୍ୟ ଶାରୀରିକ ଏବଂ ମାନସିକ ରୂପରେ ହାଲୁକା ସ୍ଥିତିର ଅନୁଭବ ହେବ । କର୍ମର ଫଳ ମନକୁ ଆକର୍ଷିତ କରିନେଉଥିବ, ଏଭଳି ସ୍ଥିତି ଅଛି କି? ଯେତେଯେତେ କାର୍ଯ୍ୟ ବଢିଚାଲିଥିବ ସେହି ଅନୁସାରେ ହାଲୁକା ସ୍ଥିତି ମଧ୍ୟ ବଢିଚାଲିଥିବ । କର୍ମ ନିଜ ଆଡକୁ ଆକର୍ଷିତ କରିବ ନାହିଁ ବରଂ ମାଲିକ ହୋଇ ନିର୍ଦ୍ଦେଶକର୍ତ୍ତା ମୋ ଦ୍ୱାରା କର୍ମ କରାଉଛନ୍ତି ଏବଂ ମୁଁ ନିମିତ୍ତ କର୍ମକର୍ତ୍ତା ହୋଇ କରୁଛି ।

ତେବେ ଆତ୍ମାର ହାଲୁକା ସ୍ଥିତିର ଲକ୍ଷଣ ହେଲା - ଆତ୍ମାରେ ଯେଉଁ ତିନୋଟି ବିଶେଷ ଶକ୍ତି ରହିଛି, ମନ-ବୁଦ୍ଧି ଏବଂ ସଂସ୍କାର ଏହି ତିନୋଟିଯାକ ଦିନକୁ ଦିନ ହାଲୁକା ହୋଇ ଚାଲିଥିବେ । ସଂକଳ୍ପ ମଧ୍ୟ ତୁମକୁ ସମ୍ପୂର୍ଣ୍ଣ ହାଲୁକା ସ୍ଥିତିର ଅନୁଭବ କରାଇବ । ବୁଦ୍ଧିର ନିର୍ଣ୍ଣୟ ଶକ୍ତି ମଧ୍ୟ ଏଭଳି ନିର୍ଣ୍ଣୟ କରିବ ଯେପରି କିଛି କରି ହିଁ ନାହିଁ ଏବଂ ଅନ୍ୟ କୌଣସି ସଂସ୍କାର ନିଜ ଆଡକୁ ଆକର୍ଷିତ କରିବ ନାହିଁ । ଯେପରି ବାବାଙ୍କର ସଂସ୍କାର କାର୍ଯ୍ୟ କରୁଛି । ସେହିପରି ମନ-ବୁଦ୍ଧି-ସଂସ୍କାର ରୂପୀ ଯେଉଁ ତିନୋଟି ସୂକ୍ଷ୍ମ ଶକ୍ତି ରହିଛି ସେଥିରେ ହାଲୁକା ଅନୁଭବ କରିବ । ଆପେ ଆପେ ସମସ୍ତଙ୍କ ମନ ଭିତରୁ, ମୁଖରୁ ଏହି କଥା ବାହାରିବ - ଯେପରି ପିତା ସେହିପରି ତାଙ୍କର ସନ୍ତାନମାନେ, ସମସ୍ତଙ୍କ ଠାରୁ ଅଲଗା ଏବଂ ସମସ୍ତଙ୍କର ପ୍ରିୟ ଅଟନ୍ତି । କାହିଁକି ନା ସମୟ ଅନୁସାରେ ଦିନକୁ ଦିନ ବାହାରର ବାତାବରଣ ଅଧିକ ଅଧିକ ଭାରୀ ହୋଇ ଚାଲିବ । ତେବେ ବାହାରର ବାତାବରଣ ଯେତିକି ଭାରୀ ହେଉଥିବ ସେହି ଅନୁସାରେ ଅନନ୍ୟ ପିଲାମାନଙ୍କର ସଂକଳ୍ପ, କର୍ମ, ସମ୍ବନ୍ଧ ଇତ୍ୟାଦି ହାଲୁକା ହୋଇଚାଲିଥିବ ଏବଂ ଏହିଭଳି ହାଲୁକା ସ୍ଥିତି କାରଣରୁ ସାରା କାର୍ଯ୍ୟ ମଧ୍ୟ ହାଲୁକା ଭାବରେ ହୋଇଚାଲିବ । ଯେହେତୁ ବାୟୁମଣ୍ଡଳ ତମୋପ୍ରଧାନ ଅଟେ ତେଣୁ ମନୁଷ୍ୟମାନେ ଭିନ୍ନ ଭିନ୍ନ ପ୍ରକାରର ଭାରୀ ପଣିଆର ଅର୍ଥାତ୍ ସମସ୍ୟାର ଅନୁଭବ ମଧ୍ୟ କରିବେ । ପ୍ରକୃତିର ମଧ୍ୟ ଭାରୀପଣିଆ ଥିବ ଏବଂ ମନୁଷ୍ୟ ଆତ୍ମାମାନଙ୍କର ମନୋବୃତ୍ତିରେ ମଧ୍ୟ ଭାରୀ ପଣିଆ ଥିବ ସେଥିପାଇଁ ତୁମମାନଙ୍କର ହାଲୁକାସ୍ଥିତି ଅନ୍ୟମାନଙ୍କୁ ମଧ୍ୟ ହାଲୁକା କରିବ । ଆଚ୍ଛା, ସବୁ କିଛି ଠିକ୍ ଚାଲିଛି ନା । ସେବାର କାରବାରର ପ୍ରଭାବ ତୁମମାନଙ୍କର ଉପରେ ପଡୁନାହିଁ । କିନ୍ତୁ ତୁମମାନଙ୍କର ପ୍ରଭାବ କାରବାର ଉପରେ ପଡୁଛି, ଯାହା କିଛି ବି କରୁଛ ବା ଶୁଣୁଛ ସେଥିରେ ତୁମମାନଙ୍କର ହାଲୁକା ପଣିଆର ସ୍ଥିତିର ପ୍ରଭାବ କାର୍ଯ୍ୟ ବ୍ୟବହାର ଉପରେ ମଧ୍ୟ ପଡୁଛି, କିନ୍ତୁ କାର୍ଯ୍ୟର ହଲଚଲ୍ର ପ୍ରଭାବ ତୁମମାନଙ୍କ ଉପରକୁ ଆସୁନାହିଁ । ତୁମମାନଙ୍କର ଅଚଳ ସ୍ଥିତି କାର୍ଯ୍ୟକୁ ମଧ୍ୟ ଅଚଳ-ଅଟଳ କରିଦେଉଛି । ସବୁ ପ୍ରକାରରେ ଅସମ୍ଭବ କାର୍ଯ୍ୟ ସମ୍ଭବ ଏବଂ ସହଜ ହୋଇଚାଲିଛି ଏବଂ ଆଗକୁ ମଧ୍ୟ ହୋଇଚାଲିବ । ଆଚ୍ଛା!

୧୯-୬-୨୨ ପ୍ରାତଃ ମୁରଲୀ ଓମ୍ ଶାନ୍ତି ଅବ୍ୟକ୍ତ ବାପଦାଦା ପୁନରାବୃତ୍ତି:୧୦-୦୪-୯୧ ମଧୁବନ

ହୃଦୟ ସିଂହାସନର ଅଧିକାରୀ ଏବଂ ବିଶ୍ୱର ରାଜସିଂହାସନର ଅଧିକାରୀ ହେବା ପାଇଁ ସୁଖ ଦିଅ ଏବଂ ସୁଖ ନିଅ

ଆଜି ବିଶ୍ୱର ମାଲିକ, ନିଜର ବାଳକ ତଥା ମାଲିକ ପିଲାମାନଙ୍କୁ ଦେଖୁଛନ୍ତି । ସବୁ ପିଲାମାନେ ବର୍ତ୍ତମାନ ସମୟରେ ମଧ୍ୟ ନିଜ ଉପରେ ମାଲିକ ଅଟନ୍ତି ଏବଂ ଅନେକ ଜନ୍ମ ମଧ୍ୟ ବିଶ୍ୱର ମାଲିକ ହେଉଛନ୍ତି । ପରମାତ୍ମା ପିତାଙ୍କର ବାଳକ ଅର୍ଥାତ୍ ସନ୍ତାନମାନେ ହିଁ ମାଲିକ ହୋଇଯାଉଛନ୍ତି । ବ୍ରାହ୍ମଣ ଆତ୍ମା ଅର୍ଥାତ୍ ମାଲିକ ଆତ୍ମା । ବର୍ତ୍ତମାନ ସମୟରେ ସର୍ବ କର୍ମେନ୍ଦ୍ରିୟମାନଙ୍କର ମାଲିକ ଅଟ, ଅଧୀନ ନୁହେଁ । ଅଧିକାରୀ ଅର୍ଥାତ୍ ମାଲିକ । କର୍ମେନ୍ଦିୟମାନଙ୍କର ବଶୀଭୂତ ନୁହେଁ ସେଥିପାଇଁ ବାଳକ ହିସାବରେ ମାଲିକ ଅଟ । ବାଳକ ପଣିଆର ମଧ୍ୟ ଈଶ୍ୱରୀୟ ନିଶା ଅନୁଭବ କରୁଛ ଏବଂ ସ୍ୱରାଜ୍ୟର ମାଲିକ ପଣିଆର ନିଶା ମଧ୍ୟ ଅନୁଭବ କରୁଛ । ତେବେ ନିଶାର ଲକ୍ଷଣ ହେଲା ଅବିନାଶୀ ଆତ୍ମିକ ଖୁସି । ତେଣୁ ସର୍ବଦା ନିଜକୁ ସାରା ବିଶ୍ୱ ଭିତରେ ସୌଭାଗ୍ୟଶାଳୀ ଆତ୍ମା ବୋଲି ଭାବୁଛ? ବାଃ ମୋର ଶ୍ରେଷ୍ଠ ଭାଗ୍ୟ! ସର୍ବଦା ସୌଭାଗ୍ୟଶାଳୀ ମଧ୍ୟ ଅଟ ଏବଂ ସର୍ବଦା ଖୁସି ରୂପକ ଭୋଜନ ନିଜେ ମଧ୍ୟ ଖାଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁଆଉଛ । ତା ସହିତ ସର୍ବଦା ଖୁସିର ଝୁଲଣାରେ ଝୁଲିବାରେ ଲାଗିଛ । ଅନ୍ୟମାନଙ୍କୁ ମଧ୍ୟ ଖୁସି ରୂପକ ମହାଦାନ ଦେଇ ସୌଭାଗ୍ୟଶାଳୀ କରିଦେଉଛ । ଏହିଭଳି ଅମୂଲ୍ୟ ହୀରାତୁଲ୍ୟ ଜୀବନ ତିଆରି କରୁଛ । ତେବେ ହୀରା ତୁଲ୍ୟ ହୋଇଗଲଣି ନା ଏବେ ହେବ? ବ୍ରାହ୍ମଣ ଜୀବନର ଅର୍ଥ ହିଁ ହେଉଛି - ଖୁସିରେ ରହିବା, ଖୁସି ରୂପକ ଭୋଜନ ସ୍ୱୀକାର କରିବା ଏବଂ ଖୁସିର ଝୁଲଣାରେ ଝୁଲିବା । ଏହିଭଳି ବ୍ରାହ୍ମଣ ଅଟ ନା? ତେବେ ଖୁସିକୁ ଛାଡି ଦେଲେ ଆଉ ଜୀବନ କାହାକୁ କହିବା! ଖୁସି ହିଁ ଜୀବନ । ଖୁସି ନାହିଁ ତ ବ୍ରାହ୍ମଣ ଜୀବନ ମଧ୍ୟ ନାହିଁ । ଖୁସିରେ ରହିବା ହିଁ ବଞ୍ଚି ରହିବା ।

ଆଜି ବାପଦାଦା ସବୁ ପିଲାଙ୍କର ପୁଣ୍ୟର ଖାତାକୁ ଦେଖୁଥିଲେ କାହିଁକିନା ତୁମେ ସବୁ ପୁଣ୍ୟ ଆତ୍ମା ଅଟ । ଅନେକ ଜନ୍ମ ପାଇଁ ପୁଣ୍ୟର ଖାତା ଜମା କରୁଛ । ସାରା ଦିନ ଭିତରେ କେତେ ପୁଣ୍ୟ ଜମା କରିଛ ତାହା ନିଜେ ମଧ୍ୟ ଚେକ୍ କରିପାରିବ । ଗୋଟିଏ କଥା ହେଲା ଦାନ କରିବା ଆଉ ଗୋଟିଏ ହେଲା ପୁଣ୍ୟ କରିବା । ଦାନ ଠାରୁ ମଧ୍ୟ ଅଧିକ ମହତ୍ୱ ପୁଣ୍ୟର ରହିଛି । ପୁଣ୍ୟ କର୍ମ ନିସ୍ୱାର୍ଥ ସେବାଭାବଯୁକ୍ତ କର୍ମ ଅଟେ । ପୁଣ୍ୟ କର୍ମ ଦେଖାଇବା ପାଇଁ କରି ନଥାଆନ୍ତି ବରଂ ଆନ୍ତରିକତା ପୂର୍ବକ କରିଥାଆନ୍ତି । ଦାନ ଆନ୍ତରିକତା ପୂର୍ବକ ମଧ୍ୟ କରିଥାଆନ୍ତି ଏବଂ ଦେଖାଇବା ପାଇଁ ମଧ୍ୟ କରିଥାନ୍ତି । ପୁଣ୍ୟ କର୍ମର ଅର୍ଥ ହେଲା ଆବଶ୍ୟକତା ସମୟରେ କୌଣସି ଆତ୍ମାର ସହଯୋଗୀ ହେବା ଅର୍ଥାତ୍ କାମରେ ଆସିବା । ପୁଣ୍ୟକର୍ମ କରୁଥିବା ଆତ୍ମାକୁ ଅନେକ ଆତ୍ମାଙ୍କଠାରୁ ଆନ୍ତରିକ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କେବଳ ମୁଖ ଦ୍ୱାରା ଧନ୍ୟବାଦ ବା ଥ୍ୟାଙ୍କସ୍ କହିନଥାଆନ୍ତି କିନ୍ତୁ ଗୁପ୍ତ ରୀତିରେ ସେମାନଙ୍କର ପୁଣ୍ୟର ଖାତା ଜମା ହୋଇଥାଏ । ପୁଣ୍ୟ ଆତ୍ମା, ଅନ୍ୟ ଆତ୍ମାମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ସହିତ ପରମାତ୍ମାଙ୍କର ଆଶୀର୍ବାଦ ରୂପୀ ପ୍ରତ୍ୟକ୍ଷ ଫଳରେ ଭରପୁର ଥାଏ । ପୁଣ୍ୟ ଆତ୍ମାର ମନର ବୃତ୍ତି ଏବଂ ଦୃଷ୍ଟି ଅନ୍ୟମାନଙ୍କୁ ମଧ୍ୟ ଆଶୀର୍ବାଦର ଅନୁଭବ କରାଇଥାଏ । ପୁଣ୍ୟ ଆତ୍ମାର ଚେହେରାରେ ସର୍ବଦା ପ୍ରସନ୍ନତା ଏବଂ ସନ୍ତୁଷ୍ଟତାର ଚିହ୍ନ ଦେଖାଯାଉଥାଏ । ପୁଣ୍ୟ ଆତ୍ମା ସର୍ବଦା ପୁଣ୍ୟର ଫଳ ପ୍ରାପ୍ତ କରୁଥିବା କାରଣରୁ ଅଭିମାନ ଏବଂ ଅପମାନଠାରୁ ଉର୍ଦ୍ଧ୍ୱରେ ରହିଥାଏ, କାହିଁକି ନା ସେ ନିଜକୁ ସର୍ବଦା ଭରପୁର ସମ୍ରାଟ ଭଳି ଅନୁଭବ କରୁଥାଏ । ତେଣୁ ଅଭିମାନ ଏବଂ ଅପମାନଠାରୁ ଚିନ୍ତାଶୂନ୍ୟ ସମ୍ରାଟ ଭଳି ମୁକ୍ତ ରହିଥାଏ । ପୁଣ୍ୟ ଆତ୍ମା ପୁଣ୍ୟର ଶକ୍ତି ଦ୍ୱାରା ନିଜର ପ୍ରତ୍ୟେକ ସଂକଳ୍ପର, ପ୍ରତ୍ୟେକ ସମୟର ହଲଚଲ୍କୁ ତଥା ପ୍ରତ୍ୟେକ କର୍ମକୁ ସଫଳ କରି ଦେଇଥାଏ, ଯାହାଦ୍ୱାରା ପୁଣ୍ୟର ଖାତା ଜମା ହୋଇଥାଏ ଏବଂ ଜମା ହେବାର ଚିହ୍ନ ହେଲା ବ୍ୟର୍ଥର ସମାପ୍ତି । ଏହିଭଳି ପୁଣ୍ୟ ଆତ୍ମା ବିଶ୍ୱର ରାଜସିଂହାସନ ଅଧିକାରୀ ହୋଇଯାଏ । ତେଣୁ ନିଜର ଖାତାକୁ ଚେକ୍ କର ଯେ ଏହିଭଳି ପୁଣ୍ୟ ଆତ୍ମା କେତେ ପରିମାଣରେ ହେଲିଣି? ଯଦି ପଚରାଯିବ, ସମସ୍ତେ ପୁଣ୍ୟ ଆତ୍ମା ଅଟ? ତେବେ ସମସ୍ତେ ହାଁ ଜୀ କହିବ ନା । କାରଣ ପୁଣ୍ୟ ଆତ୍ମା ହିଁ ତ ଅଟ ନା । କିନ୍ତୁ କ୍ରମାନ୍ୱୟରେ ଅଛ, ନା ସମସ୍ତେ ନମ୍ବରୱାନ ଅଟ? କ୍ରମାନ୍ୱୟରେ ଅଛ ନା । ସତ୍ୟ-ତ୍ରେତାଯୁଗରେ ବିଶ୍ୱର ରାଜ୍ୟ ସିଂହାସନ ଉପରେ କେତେ ଜଣ ବସିବେ? ସମସ୍ତେ ଏକାଠି ବସିବେ କି? ତେଣୁ କ୍ରମାନ୍ୱୟରେ ଅଛ ନା । ତେବେ ଏଥିରେ କ୍ରମାନ୍ୱୟ କାହିଁକି ହେଉଛି - ଏହାର କାରଣ କଣ? ଗୋଟିଏ ବିଶେଷ କଥା ବାପଦାଦା ପିଲାମାନଙ୍କର ଚେକ୍ କରୁଥିଲେ ଏବଂ ସେହି କଥା ହିଁ ନମ୍ବରୱାନ ହେବାରେ ବାଧା ସୃଷ୍ଟି କରୁଛି । ବର୍ତ୍ତମାନ ତପସ୍ୟା ବର୍ଷରେ ସମସ୍ତଙ୍କର ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି, ନା କ୍ରମାନ୍ୱୟରେ ରହିବାକୁ ଚାହୁଁଛ? ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖିଛ ନା । ତୁମେମାନେ ଗୋଟିଏ ସ୍ଳୋଗାନ କହୁଛ ମଧ୍ୟ ଏବଂ ପୋଷ୍ଟରରେ ଲେଖି କାନ୍ଥରେ ଲଗାଉଛ ମଧ୍ୟ, ତାହା ହେଲା ସୁଖ ଦିଅ ଏବଂ ସୁଖ ନିଅ । ନା ଦୁଃଖ ଦିଅ, ନା ଦୁଃଖ ନିଅ । ଏହି ସ୍ଲୋଗାନରେ ପକ୍କା ରହିଛ? ତେବେ ବାପଦାଦା ଫଳାଫଳ କଣ ଦେଖିଲେ? ଦୁଃଖ ଦେବା ନାହିଁ - ଏଥିପ୍ରତି ଅଧିକାଂଶ ପିଲାଙ୍କର ଧ୍ୟାନ ରହିଛି, କିନ୍ତୁ ଅଧା ସ୍ଳୋଗାନ ତ ଠିକ୍ ଅଛି କାରଣ ଦୁଃଖ ଦେବା ସମୟରେ ଭାବୁଛନ୍ତି, ଦେବାର ନାହିଁ । କିନ୍ତୁ ନେବା ବେଳେ କହୁଛନ୍ତି ସେ ଦୁଃଖ ଦେଲା ସେଥିପାଇଁ ଏପରି ହେଲା । ଇଏ ଏମିତି କହିଲା, ସିଏ ସେମିତି କହିଲା ସେଥିପାଇଁ ଏହିଭଳି ହେଲା । ଏହିଭଳି ବିଚାର ଦେଉଛ ନା । ନିଜର ଓକିଲ ହୋଇ ମକଦ୍ଦମାରେ ଏହି କଥା କହୁଛ ନା । ତେଣୁ ଅଧା ସ୍ଳୋଗାନ ଉପରେ ତ ଠିକ୍ ଧ୍ୟାନ ରଖିଛ ଏବଂ ଆହୁରି ଅଧିକ ଧ୍ୟାନ ମଧ୍ୟ ଦେବା ଦରକାର । ପୁଣି ବି ଅଧା ସ୍ଳୋଗାନ ଉପରେ ଧ୍ୟାନ ଅଛି କିନ୍ତୁ ଆଉ ଅଧା ସ୍ଳୋଗାନ ଉପରେ ନାମକୁ ମାତ୍ର ଧ୍ୟାନ ଦେଉଛ । ସେ ତ ଦେଲା କିନ୍ତୁ ତୁମେ ନେଲ କାହିଁକି? କିଏ ତୁମକୁ କହିଲା ନେବା ପାଇଁ? କଣ ଦୁଃଖ ନେବା ପାଇଁ ବାବାଙ୍କଠାରୁ ଶ୍ରୀମତ ମିଳିଛି । ଦୁଃଖରେ ଅଣ୍ଟି ଭରିବାକୁ କହିଛନ୍ତି? ତେଣୁ ନା ଦୁଃଖ ଦିଅ, ନା ଦୁଃଖ ନିଅ, ତେବେ ଯାଇ ପୁଣ୍ୟ ଆତ୍ମା ହେବ, ତପସ୍ୱୀ ଆତ୍ମା ହେବ । ତପସ୍ୱୀ ଅର୍ଥାତ୍ ପରିବର୍ତ୍ତନ । ତେଣୁ ସେମାନଙ୍କର ଦୁଃଖକୁ ମଧ୍ୟ ତୁମେ ସୁଖ ରୂପରେ ସ୍ୱୀକାର କର, ପରିବର୍ତ୍ତନ କର ତେବେ କୁହାଯିବ ତପସ୍ୱୀ । ନିନ୍ଦାକୁ ପ୍ରଶଂସା ମନେ କର, ତେବେ କୁହାଯିବ ପୁଣ୍ୟ ଆତ୍ମା । ଜଗଦମ୍ବା ମା ସର୍ବଦା ସବୁ ପିଲାଙ୍କୁ ଏହି ଶିକ୍ଷା ପକ୍କା କରାଉଥିଲେ ଯେ ଗାଳି ଦେଉଥିବା ବା ଦୁଃଖ ଦେଉଥିବା ଆତ୍ମାକୁ ମଧ୍ୟ ନିଜର ଦୟାଶୀଳ ସ୍ୱରୂପରେ, ଦୟା ଦୃଷ୍ଟିରେ ଦେଖ, ନିନ୍ଦୁକ ଦୃଷ୍ଟିରେ ନୁହେଁ । ସେ ତୁମକୁ ଗାଳି ଦିଅନ୍ତୁ କିନ୍ତୁ ତୁମେ ଫୁଲ ଦିଅ, ତେବେ କୁହାଯିବ ପୂଣ୍ୟ ଆତ୍ମା । ନିନ୍ଦା କରୁଥିବା ଆତ୍ମାକୁ ଆନ୍ତରିକ ହିସାବରେ ଗଳାରେ ଲଗାଅ, ସ୍ଥୂଳରେ ଗଳାରେ ଲଗାଅ ନାହିଁ । ମନ ଭିତରେ ଗଳାରେ ଲଗାଅ । ତେଣୁ ପୁଣ୍ୟର ଖାତା ଜମା ହେବାରେ ଏହି କଥା ହିଁ ବିଘ୍ନ ରୂପ ହେଉଛି । ମୋତେ ଦୁଃଖ ନେବାର ମଧ୍ୟ ନାହିଁ । ଦେବାର ତ ଆଦୌ ନାହିଁ କିନ୍ତୁ ନେବାର ମଧ୍ୟ ନାହିଁ । ଯେବେକି ତାହା କୌଣସି ଭଲ ଜିନିଷ ନୁହେଁ ତେବେ ଅଳିଆ ଗୁଡିକୁ ନିଜ ଭିତରେ କାହିଁକି ଜମା କରୁଛ? ଦୁଃଖ ନେବାର ଅର୍ଥ ଅଳିଆ ଜମା ହେଲା, ତେଣୁ ଅଳିଆ ଗଦାରୁ କଣ ବାହାରିବ? ପାପର ଅଂଶ ରୂପୀ ଜୀବାଣୁ ହିଁ ବାହାରିବେ । ଏବେ ଆଉ ମୋଟା ରୂପରେ ପାପ ତ କରୁ ନାହଁ ନା । ଏବେ ପାପର କେବଳ ସୂକ୍ଷ୍ମ ଅଂଶ ହିଁ ରହିଛି, କିନ୍ତୁ ତାହା ମଧ୍ୟ ରହିବା ଉଚିତ୍ ନୁହେଁ । କେତେକ ପିଲା ବଡ ମିଠା ମିଠା କଥା ଶୁଣାଉଛନ୍ତି । ଯୋଗ ସମୟରେ ବାର୍ତ୍ତାଳାପ ତ ସମସ୍ତେ କରୁଛନ୍ତି ନା । ଗୋଟିଏ ସ୍ଳୋଗାନ ଏବେ ସମସ୍ତଙ୍କ ଭିତରେ ପକ୍କା ହୋଇଗଲାଣି - ଚାହୁଁ ତ ନଥିଲି କିନ୍ତୁ ହୋଇଗଲା.... । ଯଦି ତୁମେ ଚାହୁଁ ନାହଁ ତେବେ ଆଉ କିଏ ଚାହୁଁଛି? ଯାହାକି କହୁଛ ହୋଇଗଲା! ଆଉ କୌଣସି ଆତ୍ମା ଅଛି କି! ହେବା ଉଚିତ୍ ନୁହେଁ କିନ୍ତୁ ହୋଇଯାଉଛି - ଏକଥା କିଏ କହୁଛି? ତୁମେ କହୁଛ, ନା ଆଉ କେହି ଆତ୍ମା କହୁଛି? ତେଣୁ ଏହି ସବୁ କଥା ପାଇଁ ତପସ୍ୟାରେ ସିଦ୍ଧି ପ୍ରାପ୍ତ କରିପାରିବ ନାହିଁ । ଯାହା ହେବା ଉଚିତ୍ ନୁହେଁ, ଯାହା କରିବା ପାଇଁ ଚାହୁଁନାହଁ ତାହା ନ ହେବା, ନ କରିବା ହିଁ ପୁଣ୍ୟ ଆତ୍ମାର ଲକ୍ଷଣ । ବାପଦାଦାଙ୍କ ନିକଟକୁ ପ୍ରତିଦିନ ପିଲାମାନଙ୍କ ଠାରୁ ଏହିଭଳି ଅନେକ ନୂଆ ନୂଆ କାହାଣୀ ସବୁ ଆସୁଛି । କହିବା ସମୟରେ ଏତେ ଆକର୍ଷଣମୟ କରି ଶୁଣାଉଛନ୍ତି ଯାହାକି ତୁମେ ଶୁଣି ଚାଲିଥିବ । କେହି କେହି ତ ଲମ୍ବା କାହାଣୀ ଶୁଣାଇବାରେ ଅଭ୍ୟସ୍ତ ଅଟନ୍ତି, ଆଉ କେହି ଛୋଟ ଛୋଟ କାହାଣୀ ମଧ୍ୟ ଶୁଣାନ୍ତି । କିନ୍ତୁ କାହାଣୀ ବହୁତ ଶୁଣାଉଛନ୍ତି । ଆଜି ତ ଏହି ବର୍ଷର ମିଳନର ଅନ୍ତିମ ବୁଡ ଅଟେ ନା । ସମସ୍ତେ ବୁଡ ପକାଇବା ପାଇଁ ଆସିଛ ନା । ଭକ୍ତିମାର୍ଗରେ ଯେତେବେଳେ ବୁଡ ପକାଇଥାଆନ୍ତି ସେତେବେଳେ କୌଣସି ନା କୌଣସି ସଂକଳ୍ପ ନିଶ୍ଚିତ କରିଥାଆନ୍ତି, ଚାହେଁ କିଛି ସ୍ୱାହା କରିଥାଆନ୍ତି ଅର୍ଥାତ୍ ତ୍ୟାଗ କରିଥାଆନ୍ତି ବା କିଛି ସ୍ୱାର୍ଥ ରଖିଥାଆନ୍ତି ଅର୍ଥାତ୍ ମାଗିଥାଆନ୍ତି । ଦୁଇଟି ମଧ୍ୟରୁ କୌଣସି ଗୋଟିଏ କରିଥାଆନ୍ତି । ତେଣୁ ତପସ୍ୟା ବର୍ଷରେ ଏହି ସଂକଳ୍ପ କର ଯେ ସାରା ଦିନ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା, କର୍ମ ଦ୍ୱାରା ପୁଣ୍ୟ ଆତ୍ମା ହୋଇ ପୁଣ୍ୟର କର୍ମ କରିବି । ତେବେ ପୁଣ୍ୟର ଲକ୍ଷଣ ସବୁ ତ ଶୁଣାଇଲୁ ଏବଂ ପୁଣ୍ୟର ପ୍ରତ୍ୟକ୍ଷ ଫଳ ହେଲା ପ୍ରତ୍ୟେକ ଆତ୍ମାର ଆଶୀର୍ବାଦ । ତେଣୁ ପ୍ରତ୍ୟେକ ସଂକଳ୍ପରେ ପୁଣ୍ୟ ଜମା ହେଉଥିବ । ବାଣୀ ଦ୍ୱାରା ଆଶୀର୍ବାଦ ଜମା ହେଉଥିବ । ସମ୍ବନ୍ଧ-ସମ୍ପର୍କ ଦ୍ୱାରା ଆତ୍ମାମାନଙ୍କଠାରୁ ଆନ୍ତରିକ ସହଯୋଗ ରୂପୀ ଧନ୍ୟବାଦ ବାହାରୁଥିବ - ଏହାକୁ ହିଁ କୁହାଯାଏ ତପସ୍ୟା ଏବଂ ଏହିଭଳି ତପସ୍ୟା ହିଁ ବିଶ୍ୱ ପରିବର୍ତ୍ତନର ଆଧାର । ଏହିଭଳି ପରିଣାମ ଉପରେ ହିଁ ପୁରସ୍କାର ମିଳିବ । ତେଣୁ ଆଉ କୌଣସି କାହାଣୀ ଶୁଣାଇବ ନାହିଁ ଯେ ଏମିତି ହୋଇଗଲା, ସେମିତି ହୋଇଗଲା... । ଏମିତି ତ ପ୍ରଥମ ନମ୍ବର ପୁରସ୍କାର ସବୁ ଟୀଚରମାନେ ହିଁ ନେବା ଉଚିତ୍ ଏବଂ ତାଙ୍କ ସହିତ ମଧୁବନ ନିବାସୀମାନେ ମଧ୍ୟ ନେବା ଉଚିତ୍ କାହିଁକି ନା ମଧୁବନର ପ୍ରଭାବ, ନିମିତ୍ତ ଟୀଚରମାନଙ୍କର ସ୍ଥିତିର ପ୍ରଭାବ ଘର ଗୃହସ୍ଥରେ ଥିବା ଆତ୍ମାମାନଙ୍କ ନିକଟରେ ଏବଂ ସମସ୍ତ ଈଶ୍ୱରୀୟ ବିଦ୍ୟାର୍ଥୀମାନଙ୍କ ନିକଟରେ ସହଜରେ ପହଞ୍ଚିଥାଏ । ତେଣୁ ତୁମେ ସମସ୍ତେ ଆଗୁଆ ନମ୍ବରରେ ତ ନିଶ୍ଚିତ ଆସିବ । ଏବେ ଦେଖିବା କାହାର କାହାର ନାମ ପୁରସ୍କାର ପାଇବାରେ ଆସୁଛି? ଟୀଚରମାନଙ୍କର ନାମ ଆସୁଛି, ନା ମଧୁବନ ନିବାସୀଙ୍କର, ନା ଈଶ୍ୱରୀୟ ବିଦ୍ୟାର୍ଥୀ ମାନଙ୍କର । ଡବଲ ବିଦେଶୀମାନେ ମଧ୍ୟ ତୀବ୍ର ପୁରୁଷାର୍ଥ କରୁଛନ୍ତି । ବାପଦାଦାଙ୍କ ପାଖରେ ପୁରସ୍କାର ମଧ୍ୟ ବହୁତ ଅଛି, ଯେତେ ଇଚ୍ଛା ନେଇପାରିବ । ପୁରସ୍କାରର କମୀ ନାହିଁ । ଭଣ୍ଡାର ଭରପୁର ଅଛି । ଆଚ୍ଛା!

ସମସ୍ତେ ମେଳାରେ ପହଞ୍ଚି ଯାଇଛନ୍ତି । ତେବେ ମେଳା ଭଲ ଲାଗିଲା ନା କୌଣସି ଅସୁବିଧା ହେଲା? ବର୍ଷା ମଧ୍ୟ ତୁମମାନଙ୍କୁ ସ୍ୱାଗତ ଜଣାଇଲା, ପ୍ରକୃତିର ମଧ୍ୟ ତୁମମାନଙ୍କ ପ୍ରତି ସ୍ନେହ ଅଛି । ବିଚଳିତ ହୋଇନାହଁ ତ? ଭଲ ବ୍ରହ୍ମାଭୋଜନ ତ ମିଳିଲା ନା । ୬୩ ଜନ୍ମ ତ ଧକ୍କା ଖାଇ ଖାଇ ଆସିଛ । ଏବେ ତ ଲକ୍ଷ୍ୟ ମିଳିଯାଇଛି ନା । ତିନି ପାଦ ଭୂମି ତ ମିଳିଛି ନା । ଏତେ ବଡ ଯେଉଁ ହଲ୍ ତିଆରି କରାଯାଇଛି ତାର ଶୋଭା ତ ବୃଦ୍ଧି କରିଛ ନା । ହଲ୍କୁ ସଫଳ କରିଛ ନା । କାହାକୁ ବି ଅସୁବିଧା ତ ହୋଇନାହିଁ ନା । କିନ୍ତୁ ଏଭଳି ମେଳା ସବୁବେଳେ କରିବାର ନାହିଁ । ରଚନା ଅର୍ଥାତ୍ ପିଲାମାନଙ୍କର ସଂଖ୍ୟା ବୃଦ୍ଧି ହେବା ସହିତ ସାଧନ - ସୁବିଧା ମଧ୍ୟ ତାଙ୍କ ସାଥୀରେ ହିଁ ଆସିଥାଏ । ଆଚ୍ଛା!

ସର୍ବ ବାଳକ ତଥା ମାଲିକ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ପ୍ରତିପାଦରେ ପୁଣ୍ୟର ଖାତା ଜମା କରୁଥିବା ପୁଣ୍ୟ ଆତ୍ମାମାନଙ୍କୁ, ସର୍ବଦା ହୃଦୟ ସିଂହାସନର ଅଧିକାରୀ ତଥା ବିଶ୍ୱର ରାଜ୍ୟ ସିଂହାସନ ଅଧିକାରୀ ବିଶେଷ ଆତ୍ମାମାନଙ୍କୁ, ସର୍ବଦା ସୁଖ ଦେଉଥିବା ଏବଂ ସୁଖ ନେଉଥିବା ମାଷ୍ଟର ସୁଖର ସାଗର ଆତ୍ମାମାନଙ୍କୁ, ସର୍ବଦା ଖୁସିରେ ରହୁଥିବା ଏବଂ ଖୁସି ବାଣ୍ଟୁଥିବା ମାଷ୍ଟର ଦାତା ସନ୍ତାନମାନଙ୍କୁ ବାପଦାଦଙ୍କର ସ୍ନେହପୂର୍ଣ୍ଣ ଶୁଭେଚ୍ଛା ଏବଂ ନମସ୍ତେ ।

ଦାଦି ମାନଙ୍କ ସହିତ - ବାପଦାଦା ଦେଖୁଥିଲେ ସବୁ ମହାରଥୀମାନେ ସମସ୍ତଙ୍କୁ ଶକ୍ତିଶାଳୀ କରିବା ପାଇଁ ଆନ୍ତରିକତା ପୂର୍ବକ ବହୁତ ଭଲ ସେବା କରିଛନ୍ତି । ସେଥିପାଇଁ ଧନ୍ୟବାଦ କଣ ବା ଦେବା କିନ୍ତୁ ପୁଣ୍ୟର ଖାତା ବହୁତ ଜମା ହୋଇଗଲା । ବହୁତ ବଡ ପୁଣ୍ୟ ଜମା ହେଲା । ବାପଦାଦା ମହାବୀର ପିଲାମାନଙ୍କର ସାହସ ଏବଂ ଉମଙ୍ଗ-ଉଲ୍ଲାସକୁ ଦେଖି ପଦ୍ମଗୁଣା ଠାରୁ ମଧ୍ୟ ଅଧିକ ହର୍ଷିତ ହେଉଛନ୍ତି । ସାହସ ମଧ୍ୟ ରଖିଛନ୍ତି ଏବଂ ସେମାନଙ୍କର ସଂଗଠନ ମଧ୍ୟ ସର୍ବଦା ସ୍ନେହର ସୂତ୍ରରେ ବାନ୍ଧି ହୋଇ ରହିଛି ସେଥିପାଇଁ ହିଁ ସଫଳତା ପ୍ରାପ୍ତ ହେଉଛି । ତେଣୁ ସଂଗଠନ ମଜବୁତ ଅଛି ନା! ଛୋଟିଆ ମାଳା ହେଲେ ମଧ୍ୟ ମଜବୁତ ଅଛି । ଯଦିଓ ଗଳାର ମାଳା ହୋଇପାରିବ ନାହିଁ କିନ୍ତୁ ହାତର କଙ୍କଣ ତ ହେବ ନା । ସେଥିପାଇଁ ଛୋଟିଆ ମାଳା ମଧ୍ୟ ପୂଜା ପାଉଛି । ବହୁତ ଭଲ ଭାବରେ ପ୍ରସ୍ତୁତ ହେଉଛି, ତାହା ମଧ୍ୟ ହୋଇଯିବ ଏବଂ ନିଶ୍ଚିତ ହେବ । ଶୁଣାଇଥିଲୁ ନା - ବଡ ମାଳାର ଦାନା ତ ପ୍ରସ୍ତୁତ ହୋଇସାରିଲେଣି କିନ୍ତୁ ଦାନା ସହିତ ଦାନା ମିଶିବାରେ ଟିକିଏ ଖାଲି ସ୍ଥାନ ରହିଯାଉଛି । ଛୋଟ ମାଳା କିନ୍ତୁ ଭଲ ଭାବରେ ପ୍ରସ୍ତୁତ ହୋଇଯାଇଛି । ଏହି ଛୋଟିଆ ମାଳା ପାଇଁ ହିଁ ସଫଳତା ସହଜରେ ମିଳିପାରୁଛି ଏବଂ ସଫଳତା ମଧ୍ୟ ସର୍ବଦା ମାଳାର ଦାନା ହେଉଥିବା ଆତ୍ମାମାନଙ୍କର ଗଳାରେ ପଡି ରହିଛି । ବିଜୟୀ ଆତ୍ମାର ତିଳକ ମଧ୍ୟ ଲାଗି ରହିଛି । ଏଥିପାଇଁ ବାପଦାଦା ଖୁସି ଅଛନ୍ତି, ପଦ୍ମଗୁଣା ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ତୁମେମାନେ ତ ନିମିତ୍ତ ଅଟ ନା । ବାବା ତ ନିର୍ଦ୍ଦେଶକର୍ତ୍ତା ଅଟନ୍ତି, କିନ୍ତୁ କର୍ମକର୍ତ୍ତା କିଏ? କରିବା ପାଇଁ ତୁମେମାନେ ହିଁ ନିମିତ୍ତ ଅଟ, ବାବା ତ ମେରୁଦଣ୍ଡ ସଦୃଶ ଅଟନ୍ତି ସେଥିପାଇଁ ବହୁତ ଭଲ ସ୍ନେହପୂର୍ଣ୍ଣ ସମ୍ବନ୍ଧ ମଧ୍ୟ ରଖିଛ ଏବଂ ପାଳନା ଦେବାର ପରମ୍ପରାକୁ ମଧ୍ୟ ବହୁତ ଭଲ ଭାବରେ ସମ୍ପାଦନ କରୁଛ, ଆଚ୍ଛା!

ବରଦାନ:-
ଉତ୍ତମ ସଂକଳ୍ପ ରୂପୀ ବୀଜ ଦ୍ୱାରା ଉତ୍ତମ ଫଳ ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ ।

ସିଦ୍ଧି ସ୍ୱରୂପ ଆତ୍ମାମାନଙ୍କର ପ୍ରତ୍ୟେକ ସଂକଳ୍ପ ନିଜ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି ହେଉ, ସିଦ୍ଧି ପ୍ରାପ୍ତ କରିବା ଭଳି ହୋଇଥାଏ । ସେମାନଙ୍କୁ ପ୍ରତ୍ୟେକ କର୍ମରେ ସିଦ୍ଧି ପ୍ରାପ୍ତ ହୋଇଥାଏ । ସେମାନେ ଯେଉଁ କଥା କହିଥାଆନ୍ତି ତାହା ସିଦ୍ଧ ହୋଇଯାଏ ସେଥିପାଇଁ ତାଙ୍କର ବଚନକୁ ସତ୍ ବଚନ ବୋଲି କୁହାଯାଏ । ତେଣୁ ସିଦ୍ଧି ସ୍ୱରୂପ ଆତ୍ମାମାନଙ୍କର ପ୍ରତ୍ୟେକ ସଂକଳ୍ପ, ବାଣୀ ଏବଂ କର୍ମ ସିଦ୍ଧି ପ୍ରାପ୍ତ ହେବା ଭଳି ହୋଇଥାଏ, ବ୍ୟର୍ଥ ହୋଇନଥାଏ । ଯଦି ସଂକଳ୍ପ ରୂପୀ ବୀଜ ବହୁତ ଭଲ କିନ୍ତୁ ଫଳ ଭଲ ହେଉ ନାହିଁ ତେବେ ଦୃଢ ଧାରଣା ରୂପୀ ଧରଣୀ ଠିକ୍ ନାହିଁ କିମ୍ବା ସେଥିପ୍ରତି ଧ୍ୟାନ ଦେବାର ଯତ୍ନରେ କମୀ ରହିଛି ।

ସ୍ଲୋଗାନ:-
ଯଦି ଦୁଃଖର ଢେଉରୁ ମୁକ୍ତ ହେବାକୁ ଚାହୁଁଛ ତେବେ କର୍ମଯୋଗୀ ହୋଇ ପ୍ରତ୍ୟେକ କର୍ମ କର ।

ସୂଚନା:- ଆଜି ମାସର ତୃତୀୟ ରବିବାର ସମସ୍ତ ରାଜଯୋଗୀ ତପସ୍ୱୀ ଭାଇ ଭଉଣୀମାନେ ସଂଧ୍ୟା ୬ଟା ୩୦ ମି. ଠାରୁ ୭ଟା ୩୦ ମି. ପର୍ଯ୍ୟନ୍ତ ବିଶେଷ କରି ଯୋଗାଭ୍ୟାସ କରିବା ସମୟରେ ନିଜର ଆକାରୀ ଫରିସ୍ତା ସ୍ୱରୂପରେ ସ୍ଥିତ ହୋଇ ବିଶ୍ୱର ପରିକ୍ରମା କରିବା ସହିତ ପ୍ରକୃତି ତଥା ସର୍ବ ଆତ୍ମାମାନଙ୍କୁ ଲାଇଟ୍-ମାଇଟ୍ ଅର୍ଥାତ୍ ଶକ୍ତିଶାଳୀ କିରଣ ଦେବାର ସେବା କରିବା ହେବେ ।