20.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବନ୍ଧନମୁକ୍ତ ହୋଇ ସେବାରେ ତତ୍ପର ରୁହ, କାହିଁକି ନା ଏହି ସେବା ଦ୍ୱାରା ବହୁତ ବଡ ପ୍ରାପ୍ତି ହେଉଛି, ୨୧ ଜନ୍ମ ପାଇଁ ତୁମେ ବୈକୁଣ୍ଠର ମାଲିକ ହୋଇଯାଉଛ ।

ପ୍ରଶ୍ନ:-
ପ୍ରତ୍ୟେକ ସନ୍ତାନ କେଉଁ ଅଭ୍ୟାସ ରଖିବା ଦରକାର ?

ଉତ୍ତର:-
ମୁରଲୀର ପଏଣ୍ଟ ଉପରେ ବୁଝାଇବାର ଅଭ୍ୟାସ । ବ୍ରାହ୍ମଣୀ ଅର୍ଥାତ୍ ଟୀଚର ଭଉଣୀ ଯଦି କୌଣସି ଆଡେ ସେବା କରିବା ପାଇଁ ଚାଲିଯାଉଛନ୍ତି ତେବେ ତୁମେମାନେ ପରସ୍ପର ମିଶି କ୍ଲାସ କରିବା ଦରକାର । ଯଦି ମୁରଲୀ ଶୁଣାଇବା ନ ଶିଖିବ ତେବେ ଅନ୍ୟମାନଙ୍କୁ ନିଜ ସମାନ କିପରି କରିବ! ତେଣୁ ସେଣ୍ଟରରେ ବ୍ରାହ୍ମଣୀ ନଥିଲେ ବ୍ୟସ୍ତ ହୁଅ ନାହିଁ । ପାଠପଢା ତ ବହୁତ ସହଜ, ତେଣୁ ମିଳିମିଶି କ୍ଲାସ କରୁଥାଅ, ଏହିଭଳି ଅଭ୍ୟାସ ମଧ୍ୟ ରହିବା ଉଚିତ୍ ।

ଗୀତ:-
ମୁଖଡା ଦେଖଲେ ପ୍ରାଣୀ...

ଓମ୍ ଶାନ୍ତି ।
ପିଲାମାନେ ଯେବେ ଶୁଣୁଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କରି ବସ ଏବଂ ମନ ମଧ୍ୟରେ ଏହି ନିଶ୍ଚୟ ରହୁ ଯେ ପିତା ପରମାତ୍ମା ଆମକୁ ଜ୍ଞାନ ଶୁଣାଉଛନ୍ତି । ଏହି ଉପଦେଶ ଅଥବା ମତ ଏକ ବାବା ହିଁ ଦେଇଥାନ୍ତି । ତାଙ୍କର ମତକୁ ହିଁ ଶ୍ରୀମତ ବୋଲି କୁହାଯାଉଛି । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠରୁ ଶ୍ରେଷ୍ଠ । ସେ ହେଲେ ବେହଦର ପିତା, ଯାହାଙ୍କୁ ସର୍ବୋଚ୍ଚ ଭଗବାନ କୁହାଯାଇଛି । ବହୁତ ମନୁଷ୍ୟ ଅଛନ୍ତି ଯେଉଁମାନେ ପରମାତ୍ମାଙ୍କୁ ପିତା ବୋଲି ଭାବନ୍ତି ନାହିଁ । ଯଦିଓ ଶିବଙ୍କର ଭକ୍ତି କରନ୍ତି, ବହୁତ ସ୍ନେହରେ ମନେ ପକାଇଥାନ୍ତି ପରନ୍ତୁ ମନୁଷ୍ୟମାନେ କହି ଦେଇଛନ୍ତି ଯେ ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି, ତେବେ ସେମାନେ କାହା ସହିତ ସ୍ନେହ ରଖିବେ ସେଥିପାଇଁ ବାବାଙ୍କଠାରୁ ବିପରୀତ ବୁଦ୍ଧି ହୋଇ ଯାଇଛନ୍ତି । ଭକ୍ତିରେ ଯେବେ କୌଣସି ଦୁଃଖ କିମ୍ବା ରୋଗ ଆଦି ହୋଇଥାଏ ତ ସ୍ନେହ ଦେଖାଇଥାନ୍ତି । କହିଥାନ୍ତି ଯେ ଭଗବାନ ରକ୍ଷା କର । ପିଲାମାନେ ଜାଣିଛନ୍ତି ଯେ ଗୀତା ଶ୍ରୀମତ ଭଗବାନଙ୍କର ମୁଖ ଦ୍ୱାରା ଗାୟନ ହୋଇଛି । ଆଉ କୌଣସି ଏଭଳି ଶାସ୍ତ୍ର ନାହିଁ ଯେଉଁଥିରେ ଭଗବାନ ନିଜେ ରାଜଯୋଗ ଶିଖାଇଛନ୍ତି କିମ୍ବା ଶ୍ରୀମତ ଦେଇଛନ୍ତି । ଭାରତରେ ଏକମାତ୍ର ଗୀତାର ହିଁ ପ୍ରଭାବ ବହୁତ ରହିଛି । ଏକମାତ୍ର ଗୀତା ହିଁ ଭଗବାନଙ୍କ ଦ୍ୱାରା ଗାୟନ ହୋଇଥାଏ, ଭଗବାନ କହିବା ମାତ୍ରେ ଏକ ନିରାକାରଙ୍କ ଆଡକୁ ହିଁ ଦୃଷ୍ଟି ଚାଲିଯାଇଥାଏ ଏବଂ ଅଙ୍ଗୁଳୀରେ ମଧ୍ୟ ଉପରକୁ ଇଙ୍ଗିତ କରିଥାନ୍ତି । କୃଷ୍ଣଙ୍କ ପାଇଁ ଏପରି କେବେହେଲେ କହିବେ ନାହିଁ କାହିଁକି ନା ସେ ତ ଦେହଧାରୀ ଅଟନ୍ତି ନା । ତୁମେ ଏବେ ତାଙ୍କ ସାଥିରେ ରହିଥିବା ସମ୍ବନ୍ଧକୁ ଜାଣିସାରିଛ । ତେଣୁ କୁହାଯାଉଛି ବାବାଙ୍କୁ ୟାଦ କର, ତାଙ୍କ ପ୍ରତି ସ୍ନେହ ରଖ । ଆତ୍ମା ନିଜ ପିତାଙ୍କୁ ମନେ ପକାଇଥାଏ । ଏବେ ସ୍ୱୟଂ ଭଗବାନ ପିଲାମାନଙ୍କୁ ପଢାଉଛନ୍ତି । ତେଣୁ ଏହି ନିଶା ସ୍ଥାୟୀ ଏବଂ ଅତ୍ୟଧିକ ମଧ୍ୟ ରହିବା ଦରକାର । ଏପରି ନୁହେଁ ଯେ ବ୍ରାହ୍ମଣୀ ସାମ୍ନାରେ ଥିଲେ ନିଶା ଚଢିବ, ବ୍ରାହ୍ମଣୀ ନାହାଁନ୍ତି ତ ନିଶା ଉଡିଯିବ । ବାସ୍ ବ୍ରାହ୍ମଣୀ ବ୍ୟତୀତ ଆମେ କ୍ଲାସ୍ କରିପାରିବୁ ନାହିଁ । କେତେକ ସେବା କେନ୍ଦ୍ର ପାଇଁ ବାବା ବୁଝାଇଥାନ୍ତି ଯେ କେଉଁଠାରେ ୫/୬ ମାସରେ ମଧ୍ୟ ଯଦି ବ୍ରାହ୍ମଣୀ ଚାଲିଯାଆନ୍ତି ତେବେ ପରସ୍ପର ସହିତ ମିଶି ସେବାକେନ୍ଦ୍ରକୁ ସମ୍ଭାଳିଥାନ୍ତି କାହିଁକି ନା ପାଠପଢା ତ ସହଜ ଅଟେ । କେହି ତ ପୁଣି ବ୍ରାହ୍ମଣୀ ବ୍ୟତୀତ ଯେପରି ଅନ୍ଧ, ଛୋଟା ହୋଇ ଯାଆନ୍ତି । ବ୍ରାହ୍ମଣୀ ଚାଲିଗଲେ ସେବାକେନ୍ଦ୍ରକୁ ଯିବା ଛାଡିଦିଅନ୍ତି । ଆରେ ସେହିଭଳି ବହୁତ ଅଛନ୍ତି କଣ କ୍ଲାସ୍ କରି ପାରିବ ନାହିଁ । ଗୁରୁ ବାହାରକୁ ଚାଲିଗଲେ ଶିଷ୍ୟମାନେ ପୁଣି ପଛରେ ସମ୍ଭାଳିଥାନ୍ତି ନା । ପିଲାମାନଙ୍କୁ ସେବା କରିବାର ଅଛି । ଛାତ୍ରମାନଙ୍କ ମଧ୍ୟରେ ବି କ୍ରମାନ୍ୱୟରେ ଥାଆନ୍ତି । ବାପଦାଦା ଜାଣିଥାନ୍ତି ଯେ କେଉଁ ସ୍ଥାନକୁ ଫାଷ୍ଟକ୍ଲାସ୍ ସନ୍ତାନମାନଙ୍କୁ ପଠାଯିବ । ପିଲାମାନେ ଏତେ ବର୍ଷ ଶିଖିଲେ, କିଛି ତ ଧାରଣା ହୋଇଥିବ ଯାହା ଦ୍ୱାରା ପରସ୍ପର ମଧ୍ୟରେ ମିଶି କରି ସେବାକେନ୍ଦ୍ରକୁ ଚଳାଇ ପାରିବ । ମୁରଲୀ ତ ମିଳୁଛି । ପଏଣ୍ଟସ୍ର ଆଧାର ଅନୁସାରେ ହିଁ ବୁଝାଉଛନ୍ତି । ଶୁଣିବାର ଅଭ୍ୟାସ ହୋଇଯାଇଛି କିନ୍ତୁ ଶୁଣାଇବାର ଅଭ୍ୟାସ ହୋଇପାରୁ ନାହିଁ । ଯେବେ ଯୋଗଯୁକ୍ତ ରହିବ ତେବେ ଧାରଣା ମଧ୍ୟ ହେବ ଏବଂ ଶୁଣାଇପାରିବ । ସେବାକେନ୍ଦ୍ରରେ ଏଭଳି ତ କେହି ହେବା ଦରକାର ଯିଏ କହିବେ ଆଚ୍ଛା, ବ୍ରାହ୍ମଣୀ ଯାଉଛନ୍ତି ତ ଯାଆନ୍ତୁ ଆମେ ସେବାକେନ୍ଦ୍ରକୁ ସମ୍ଭାଳିବୁ । ବାବା ବ୍ରାହ୍ମଣୀକୁ ଅନ୍ୟ ଭଲ ସେବାକେନ୍ଦ୍ରକୁ ପଠାଇଛନ୍ତି ସେବା କରିବା ପାଇଁ । ବ୍ରାହ୍ମଣୀଙ୍କ ବିନା ବିଚଳିତ ହେବା ଉଚିତ୍ ନୁହେଁ । ବ୍ରାହ୍ମଣୀଙ୍କ ପରି ସେବାଧାରୀ ହେବ ନାହିଁ ତ ଅନ୍ୟକୁ ନିଜ ସମାନ କିପରି ଗଢିବ, ପ୍ରଜା କିପରି ତିଆରି କରିବ । ମୁରଲୀ ତ ସମସ୍ତଙ୍କୁ ମିଳୁଛି । ପିଲାମାନଙ୍କୁ ଖୁସୀ ରହିବା ଦରକାର ଯେ ମୁଁ ଗଦି ଉପରେ ବସି ବୁଝାଇବି । ଅଭ୍ୟାସ କଲେ ସେବାଧାରୀ ହୋଇପାରିବ । ବାବା ପଚାରୁଛନ୍ତି ସେବାଧାରୀ ହୋଇଛ ? ତେବେ କେହି ମଧ୍ୟ ବାହାରୁ ନାହାଁନ୍ତି । ସେବା ପାଇଁ ଅଫିସର ଛୁଟି ନେବା ଦରକାର । ଯେଉଁଠାରୁ ବି ସେବା ପାଇଁ ଡାକରା ଆସୁ ସେଠାକୁ ଛୁଟି ନେଇ ଚାଲିଯିବା ଦରକାର । ଯିଏ ବନ୍ଧନମୁକ୍ତ ସନ୍ତାନ ଅଟନ୍ତି ସେ ଏଭଳି ସେବା କରିପାରିବେ । ସେ ସରକାରଙ୍କ ଠାରୁ ଏହି ସରକାରଙ୍କର ରୋଜଗାର ବହୁତ ଉଚ୍ଚ ଅଟେ । ଭଗବାନ ପଢାଉଛନ୍ତି, ଯଦ୍ୱାରା ତୁମେ ୨୧ ଜନ୍ମ ପାଇଁ ବୈକୁଣ୍ଠର ମାଲିକ ହେଉଛ । କେତେ ଶ୍ରେଷ୍ଠ ରୋଜଗାର ଅଟେ, ବିନାଶୀ ରୋଜଗାରରୁ କଣ ମିଳିବ ? କେବଳ ଅଳ୍ପକାଳ ପାଇଁ ସୁଖ ମିଳିବ । ଏଠାରେ ତ ବିଶ୍ୱର ମାଲିକ ହେଉଛ । ଯାହାଙ୍କର ପକ୍କା ନିଶ୍ଚୟ ଅଛି ସେ ତ କହିବେ ଯେ ମୁଁ ଏହି ସେବାରେ ଲାଗିଯିବି । ପରନ୍ତୁ ସମ୍ପୂର୍ଣ୍ଣ ନିଶ୍ଚୟ ହେବା ଦରକାର । ନିଜକୁ ଦେଖିବାକୁ ହେବ ଯେ ମୁଁ କାହାକୁ ବୁଝାଇ ପାରୁଛି । ବହୁତ ସହଜ ଅଟେ । କଳିଯୁଗ ଶେଷରେ ଏତେ କୋଟି ମନୁଷ୍ୟ ଅଛନ୍ତି, ସତ୍ୟଯୁଗରେ ନିଶ୍ଚିତ କମ୍ ମନୁଷ୍ୟ ହେବେ । ତାହାର ସ୍ଥାପନା ପାଇଁ ନିଶ୍ଚିତ ବାବା ସଂଗମଯୁଗରେ ହିଁ ଆସିବେ । ପୁରୁଣା ଦୁନିଆର ବିନାଶ ହେବ । ମହାଭାରତ ଲଢେଇ ମଧ୍ୟ ପ୍ରସିଦ୍ଧ ଅଟେ । ଏହା ସେତେବେଳେ ଲାଗିଥାଏ ଯେତେବେଳେ ଭଗବାନ ଆସି ସତ୍ୟଯୁଗ ପାଇଁ ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରିଥାନ୍ତି । କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରାଇଥାନ୍ତି । କହିଥାନ୍ତି ଯେ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡି ମୋତେ ମନେ ପକାଅ ତେବେ ପାପ କଟିଯିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବା ଏହା ହିଁ କଷ୍ଟକର କଥା ଅଟେ । ଯୋଗର ଅର୍ଥ ଜଣେ ବି ମନୁଷ୍ୟ ଜାଣନ୍ତି ନାହିଁ ।

ବାବା ବୁଝାଉଛନ୍ତି ଯେ ଭକ୍ତିମାର୍ଗର କଥା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଭକ୍ତିମାର୍ଗ ତ ରହିବ । ଖେଳ ତିଆରି ହୋଇଛି ଜ୍ଞାନ, ଭକ୍ତି, ବୈରାଗ୍ୟ । ବୈରାଗ୍ୟ ମଧ୍ୟ ଦୁଇ ପ୍ରକାରର ହୋଇଥାଏ, ଗୋଟିଏ ହେଲା ହଦର ବୈରାଗ୍ୟ, ଅନ୍ୟଟି ହେଲା ଏହି ବେହଦର ବୈରାଗ୍ୟ । ଏବେ ତୁମେ ପିଲାମାନେ ସମଗ୍ର ପୁରୁଣା ଦୁନିଆକୁ ଭୁଲିବାର ପୁରୁଷାର୍ଥ କରୁଛ କାହିଁକି ନା ତୁମେ ଜାଣୁଛ ଯେ ଆମେ ଏବେ ଶିବାଳୟ ପବିତ୍ର ଦୁନିଆକୁ ଯାଉଛୁ । ତୁମେ ସବୁ ବ୍ରହ୍ମାକୁମାର-କୁମାରୀମାନେ ଭାଇ ଭଉଣୀ ଅଟ । ତେଣୁ ତୁମର ବିକାରୀ ଦୃଷ୍ଟି ହୋଇପାରିବ ନାହିଁ । ଆଜିକାଲି ତ ସଭିଙ୍କର ଦୃଷ୍ଟି ବିକାରୀ ହୋଇଯାଇଛି । ତମୋପ୍ରଧାନ ଅଟନ୍ତି ନା । ଏହାର ନାମ ଅଟେ ନର୍କ ପରନ୍ତୁ ନିଜକୁ କେହି ନର୍କବାସୀ ଭାବୁ ନାହାଁନ୍ତି । ନିଜର ପରିଚୟ ତ ଜଣା ନାହିଁ ତେଣୁ କହିଦେଇଥାନ୍ତି ସ୍ୱର୍ଗ-ନର୍କ ଏହିଠାରେ ଅଛି । ମନରେ ଯାହା ଆସିଲା ତାହା କହିଦିଅନ୍ତି । ଏହା କୌଣସି ସ୍ୱର୍ଗ ନୁହେଁ । ସ୍ୱର୍ଗରେ ତ ରାଜଧାନୀ ଥିଲା । ଧାର୍ମିକ, ସତ୍ୟବାଦୀ ଥିଲେ । କେତେ ଶକ୍ତି ଥିଲା । ଏବେ ପୁଣି ତୁମେ ପୁରୁଷାର୍ଥ କରୁଛ । ତେଣୁ ବିଶ୍ୱର ମାଲିକ ହୋଇଯିବ । ଏଠାକୁ ତୁମେ ଆସିଛ ବିଶ୍ୱର ମାଲିକ ହେବା ପାଇଁ । ସ୍ୱର୍ଗର ରଚୟିତା ଯାହାଙ୍କୁ ଶିବ ପରମାତ୍ମା କୁହାଯାଉଛି, ସେ ତୁମକୁ ପଢାଉଛନ୍ତି । ପିଲାମାନଙ୍କ ଭିତରେ କେତେ ନିଶା ରହିବା ଦରକାର । ଏହା ବିଲ୍କୁଲ୍ ସହଜ ଜ୍ଞାନ ଅଟେ । ତୁମମାନଙ୍କ ଭିତରେ ଯାହା ବି ପୁରୁଣା ଅଭ୍ୟାସ ଅଛି ତାକୁ ତ୍ୟାଗ କରିଦେବା ଉଚିତ୍ । ଈର୍ଷାର ଅଭ୍ୟାସ ମଧ୍ୟ ବହୁତ କ୍ଷତି କରିଥାଏ । ତୁମର ସମ୍ପୂର୍ଣ୍ଣ ଆଧାର ମୁରଲୀ ଅଟେ, ତୁମେ କାହାକୁ ମଧ୍ୟ ମୁରଲୀ ଉପରେ ବୁଝାଇପାରିବ । ପରନ୍ତୁ ଭିତରେ ଇର୍ଷା ରହୁଛି ଯେ ଇଏ କଣ ବ୍ରାହ୍ମଣୀ, ଇଏ କଣ ଜାଣିଛନ୍ତି । ବାସ୍ ଦ୍ୱିତୀୟ ଦିନ ଆସିବେ ହିଁ ନାହିଁ । ଏଭଳି ପୁରୁଣା ଅଭ୍ୟାସ ରହିଛି, ଯେଉଁ କାରଣରୁ ଅପସେବା ମଧ୍ୟ ହୋଇଥାଏ । ଜ୍ଞାନ ତ ବହୁତ ସହଜ ଅଟେ । କୁମାରୀମାନଙ୍କର ତ କୌଣସି ଧନ୍ଦା ଆଦି ନାହିଁ । ତାଙ୍କୁ ପଚରାଯାଉଛି ଯେ ଦୁନିଆର ଭୌତିକ ପାଠପଢା ଭଲ ନା ଏହି ଆତ୍ମିକ ପାଠପଢା ଭଲ ? ତେବେ କହିଥାନ୍ତି ଯେ ଏହି ପାଠପଢା ବହୁତ ଭଲ ଅଟେ । କନ୍ୟାମାନେ କହିଥାନ୍ତି ବାବା ଏବେ ମୁଁ ସେ ପାଠ ପଢିବି ନାହିଁ । ମନ ଲାଗୁନାହିଁ । ଲୌକିକ ବାପା ଜ୍ଞାନ ମାର୍ଗରେ ନଥିଲେ କନ୍ୟାମାନେ ମାଡ ଖାଇଥାନ୍ତି । ପୁଣି କେତେକ କନ୍ୟା ଦୁର୍ବଳ ମଧ୍ୟ ଥାଆନ୍ତି । ବୁଝାଇବା ଦରକାର ନା ଏହି ପାଠପଢା ଦ୍ୱାରା ମୁଁ ମହାରାଣୀ ହେବି । ସେ ପାଠପଢାରେ କଣ ପାଇପଇସାର ଚାକିରୀ କରିବି । ଏହି ପାଠ ତ ଭବିଷ୍ୟତ ୨୧ ଜନ୍ମ ପାଇଁ ସ୍ୱର୍ଗର ମାଲିକ କରାଉଛି । ପ୍ରଜା ମଧ୍ୟ ସ୍ୱର୍ଗବାସୀ ତ ହେଉଛନ୍ତି ନା । ଏବେ ସବୁ ନର୍କବାସୀ ହୋଇଯାଇଛନ୍ତି ।

ଏବେ ବାବା କହୁଛନ୍ତି ଯେ ତୁମେ ସର୍ବଗୁଣ ସମ୍ପନ୍ନ ଥିଲ । ଏବେ ତୁମେମାନେ ହିଁ କେତେ ତମୋପ୍ରଧାନ ହୋଇଯାଇଛ । ସିଢିରୁ ଖସି ଆସିଛ । ଭାରତ ଯାହାକୁ ସୁନାର ଚଢେଇ କୁହାଯାଉଥିଲା, ଏବେ ତ ପଥରର ମୂଲ୍ୟ ବି ନାହିଁ । ଭାରତ ଶତ ପ୍ରତିଶତ ସାହୁକାର ଥିଲା । ଏବେ ୧୦୦ ପ୍ରତିଶତ ଗରୀବ ଅଟେ । ତୁମେ ଜାଣୁଛ ଯେ ଆମେ ବିଶ୍ୱର ମାଲିକ ପାରସନାଥ ଥିଲୁ । ପୁଣି ୮୪ ଜନ୍ମ ନେଇ ନେଇ ଏବେ ପଥରନାଥ ହୋଇଯାଇଛୁ । ସେମାନେ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି କିନ୍ତୁ ଗୁଣ ଅନୁଯାୟୀ ପାରସନାଥ ଏବଂ ପଥରନାଥ କୁହାଯାଇଥାଏ । ଗୀତ ମଧ୍ୟ ଶୁଣିଛ ନିଜ ଭିତରକୁ ଦେଖ ଆମେ କେତେ ପର୍ଯ୍ୟନ୍ତ ଯୋଗ୍ୟ ହୋଇଛୁ । ନାରଦର ଉଦାହରଣ ରହିଛି ନା । ଦିନକୁ ଦିନ ତଳକୁ ତଳ ଖସିଯାଉଛନ୍ତି । ତଳକୁ ଓହ୍ଲାଇ ଏକଦମ୍ ପଙ୍କରେ ଗଳା ପର୍ଯ୍ୟନ୍ତ ବୁଡିଯାଇଛନ୍ତି । ଏବେ ତୁମେ ବ୍ରାହ୍ମଣ ସମସ୍ତଙ୍କ ଚୁଟୀକୁ ଧରି ପଙ୍କ ଭିତରୁ ବାହାରକୁ ବାହାର କରୁଛ । ଉଦ୍ଧାର କରିବା ପାଇଁ ଆଉ କୌଣସି ଧରିବାର ଜାଗା ତ ନାହିଁ । ତେଣୁ ଚୁଟିକୁ ଧରିବା ସହଜ ଅଟେ । ପଙ୍କରୁ ବାହାର କରିବା ପାଇଁ ଚୁଟିକୁ ଧରିବାକୁ ପଡିଥାଏ । ପଙ୍କରେ ଏଭଳି ପୋତି ହୋଇ ଯାଇଛନ୍ତି ଯାହା ନ କହିବା ଭଲ । ଭକ୍ତିର ରାଜ୍ୟ ଅଟେ ନା । ଏବେ ତୁମେ କହୁଛ ଯେ ବାବା ମୁଁ କଳ୍ପ ପୂର୍ବେ ବି ଆପଣଙ୍କ ପାଖକୁ ଆସିଥିଲି ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବା ପାଇଁ । ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିର ଯଦିଓ ତିଆରି କରୁଛନ୍ତି ପରନ୍ତୁ ତାଙ୍କୁ ଏକଥା ଜଣା ନାହିଁ ଯେ ଇଏ ବିଶ୍ୱର ମାଲିକ କିପରି ହେଲେ । ଏବେ ତୁମେ କେତେ ହୁସିୟାର ହୋଇଛ । ତୁମେ ଜାଣୁଛ ଯେ ଏମାନେ ରାଜ୍ୟଭାଗ୍ୟ କିପରି ପାଇଲେ । ପୁଣି ୮୪ ଜନ୍ମ କିପରି ନେଲେ । ବିରଲା କେତେ ମନ୍ଦିର ତିଆରି କରୁଛନ୍ତି । ଯେପରି କଣ୍ଢେଇ ତିଆରି କରୁଛନ୍ତି । ସେମାନେ ଛୋଟ ଛୋଟ କଣ୍ଢେଇ କରନ୍ତି ଏମାନେ ପୁଣି ବଡ କଣ୍ଢେଇ ତିଆରି କରିଥାନ୍ତି । ଚିତ୍ର ତିଆରି କରି ପୂଜା କରନ୍ତି । ସେମାନଙ୍କର କର୍ତ୍ତବ୍ୟକୁ ନଜାଣିବା ତ ଯେପରି କଣ୍ଢେଇ ପୂଜା ଅଟେ ନା । ଏବେ ତୁମେ ଜାଣୁଛ ଯେ ବାବା ଆମକୁ କେତେ ସାହୁକାର କରିଥିଲେ ଏବେ କେତେ କଙ୍ଗାଳ ହୋଇଯାଇଛୁ । ଯିଏ ପୂଜ୍ୟ ଥିଲେ, ସେମାନେ ଏବେ ପୂଜାରୀ ହୋଇଯାଇଛନ୍ତି । ଭକ୍ତମାନେ ଭଗବାନଙ୍କ ପାଇଁ କହିଥାନ୍ତି ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ । ଆପଣ ହିଁ ସୁଖ ଦେଉଛନ୍ତି ଆପଣ ହିଁ ଦୁଃଖ ଦେଉଛନ୍ତି । ସବୁ କିଛି ଆପଣ ହିଁ କରୁଛନ୍ତି । ବାସ୍ ଏଥିରେ ହିଁ ମଜ୍ଜି ଯାଆନ୍ତି । କହିଥାନ୍ତି ଆତ୍ମା ନିର୍ଲେପ ଅଟେ, କିଛି ବି ଖାଅ ପିଅ ମୌଜ କର, ଶରୀରରେ ଲେପ ଛେପ ଲାଗିଥାଏ ଅର୍ଥାତ୍ ଅଶୁଦ୍ଧ ହୋଇଥାଏ ତାହା ଗଙ୍ଗାସ୍ନାନ କଲେ ଶୁଦ୍ଧ ହୋଇଯିବ । ଯାହା ଚାହୁଁଛ ତାହା ଖାଅ । କଣ-କଣ ଫେସନ ରହିଛି । ବାସ୍ ଯିଏ ଯେଉଁ ପରମ୍ପରା ତିଆରି କଲେ ସେହି ଧାରାରେ ଚାଲିଲେ । ଏବେ ବାବା ବୁଝାଉଛନ୍ତି ଯେ ବିଷୟ ସାଗରରୁ ଶିବାଳୟକୁ ଚାଲ । ସତ୍ୟଯୁଗକୁ କ୍ଷୀରର ସାଗର କୁହାଯାଏ । ଏହା ଅଟେ ବିଷୟ ସାଗର । ତୁମେ ଜାଣୁଛ ଯେ ଆମେ ୮୪ ଜନ୍ମ ନେଇ ପତିତ ହୋଇଛୁ, ତେବେ ତ ପତିତପାବନ ବାବାଙ୍କୁ ଡାକୁଛ । ଚିତ୍ର ଆଧାରରେ ଏଥିପାଇଁ ବୁଝାଯାଉଛି ଯେ ମନୁଷ୍ୟ ସହଜରେ ବୁଝିବେ । ସିଢି ଚିତ୍ରରେ ସମ୍ପୂର୍ଣ୍ଣ ୮୪ ଜନ୍ମର କାହାଣୀ ରହିଛି । ଏତେ ସହଜ କଥା ବି ଯଦି କାହାକୁ ବୁଝାଇ ପାରୁ ନାହାଁନ୍ତି । ତେବେ ବାବା ବୁଝିଯିବେ ଯେ ଭଲ ଭାବରେ ପଢୁ ନାହାଁନ୍ତି । ଉନ୍ନତି କରୁ ନାହାଁନ୍ତି ।

ତୁମ ବ୍ରାହ୍ମଣଙ୍କର କର୍ତ୍ତବ୍ୟ ଅଟେ ଭ୍ରମରି ପରି କୀଟକୁ ଭୁଁ-ଭୁଁ କରି ନିଜ ସମାନ କରିବା ଏବଂ ତୁମର ପୁରୁଷାର୍ଥ ହେଲା ସର୍ପ ସମାନ ପୁରୁଣା ଶରୀର ଛାଡି ନୂଆ ନେବା । ତୁମେ ଜାଣୁଛ ଯେ ଏହା ପୁରୁଣା ସଢି ଯାଇଥିବା ଶରୀର ଅଟେ, ଏହାକୁ ଛାଡିବାର ଅଛି । ଏହି ଦୁନିଆ ମଧ୍ୟ ପୁରୁଣା ଅଟେ । ଶରୀର ବି ପୁରୁଣା ଅଟେ । ଏହାକୁ ଛାଡି ଏବେ ନୂଆ ଦୁନିଆକୁ ଯିବାକୁ ହେବ । ତୁମର ଏହି ପାଠପଢା ନୂଆ ଦୁନିଆ ସ୍ୱର୍ଗ ପାଇଁ ଅଟେ । ଏହି ପୁରୁଣା ଦୁନିଆ ସମାପ୍ତ ହୋଇଯିବ । ସାଗରର ଗୋଟିଏ ଲହଡିରେ ସମଗ୍ର ସଂସାର ଟଳମଳ ହୋଇଯିବ । ବିନାଶ ତ ହେବ ହିଁ ହେବ । ପ୍ରାକୃତିକ ବିପର୍ଯ୍ୟୟ କାହାକୁ ବି ଛାଡି ନଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜ ଭିତରେ ଥିବା ଈର୍ଷା ଆଦିର ପୁରୁଣା ଅଭ୍ୟାସଗୁଡିକୁ ଛାଡି ପରସ୍ପର ମଧ୍ୟରେ ବହୁତ ସ୍ନେହରେ ମିଳିମିଶି ରହିବାକୁ ହେବ । ଈର୍ଷାର ବଶୀଭୂତ ହୋଇ ପାଠ ପଢାକୁ ଛାଡିବାର ନାହିଁ ।

(୨) ଏହି ପୁରୁଣା ତମୋପ୍ରଧାନ ଶରୀରର ଅଭିମାନ ଛାଡି ଦେବାକୁ ହେବ । ଭ୍ରମରୀ ପରି ଜ୍ଞାନର ଭୂଁ-ଭୂଁ କରି କୀଟମାନଙ୍କୁ ନିଜ ଭଳି କରିବାର ସେବା କରିବାକୁ ହେବ । ଏହି ଆତ୍ମିକ ବ୍ୟବସାୟରେ ଲାଗିଯିବାକୁ ହେବ ।

ବରଦାନ:-
ସର୍ବଶକ୍ତିବାନ ପିତାଙ୍କଠାରୁ ପ୍ରାପ୍ତ କରିଥିବା ସତ୍ତା ଅର୍ଥାତ୍ କ୍ଷମତା ଆଧାରରେ ଆତ୍ମାମାନଙ୍କୁ ମାଲାମାଲ କରୁଥିବା ପୁଣ୍ୟଆତ୍ମା ହୁଅ ।

ଯେପରି ଦାନପୂଣ୍ୟ ଆଧାରରେ କ୍ଷମତାସୀନ ହୋଇଥିବା ସକାମୀ ରାଜାମାନଙ୍କ ଭିତରେ କ୍ଷମତାର ଶକ୍ତି ପୂର୍ଣ୍ଣ ରୂପରେ ଥିଲା, ଯେଉଁ ଶକ୍ତି ଆଧାରରେ ସେମାନେ ଯାହାକୁ ଯାହା ଚାହୁଁଥିଲେ କରିଦେଇ ପାରୁଥିଲେ । ସେହିଭଳି ତୁମେ ମହାଦାନୀ ପୂଣ୍ୟ ଆତ୍ମାମାନଙ୍କୁ ସିଧାସଳଖ ବାବାଙ୍କ ଦ୍ୱାରା, ପ୍ରକୃତିଜୀତ୍, ମାୟାଜୀତ୍ ହେବାର ବିଶେଷ କ୍ଷମତା ପ୍ରାପ୍ତ ହୋଇଛି । ତୁମେମାନେ ନିଜର ଶୁଦ୍ଧ ସଂକଳ୍ପ ଆଧାରରେ ଯେକୌଣସି ଆତ୍ମାର ସମ୍ବନ୍ଧ ବାବାଙ୍କ ସହିତ ଯୋଡି ତାକୁ ମାଲାମାଲ କରିଦେଇପାରିବ । କେବଳ ଏହି ସତ୍ତାକୁ ଯଥାର୍ଥ ଭାବରେ ବ୍ୟବହାର କର ।

ସ୍ଲୋଗାନ:-
ଯେତେବେଳେ ତୁମେମାନେ ସମ୍ପୂର୍ଣ୍ଣତାର ଉତ୍ସବ ପାଳନ କରିବ ସେତେବେଳେ ସମୟ, ପ୍ରକୃତି ଏବଂ ମାୟା ବିଦାୟ ନେବେ ।