20.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯଦି ଶିବବାବାଙ୍କ ପ୍ରତି ସମ୍ମାନ ଅଛି ତେବେ ତାଙ୍କ ଶ୍ରୀମତରେ ଚାଲ, ଶ୍ରୀମତରେ ଚାଲିବା ଅର୍ଥ ବାବାଙ୍କର ସମ୍ମାନ କରିବା ।

ପ୍ରଶ୍ନ:-
ପିଲାମାନେ ବାବାଙ୍କଠାରୁ ମଧ୍ୟ ବଡ ଜାଦୁକର ଅଟନ୍ତି କିପରି ?

ଉତ୍ତର:-
ସର୍ବୋଚ୍ଚ ବାବାଙ୍କୁ ନିଜର ସନ୍ତାନ କରିବା, ଶରୀର-ମନ-ଧନରେ ବାବାଙ୍କୁ ଉତ୍ତରାଧିକାରୀ କରି ତାଙ୍କ ଉପରେ ସମର୍ପଣ ହୋଇଯିବା ଏହା ହିଁ ପିଲାମାନଙ୍କର ଜାଦୁକରୀ ଅଟେ । ଯେଉଁମାନେ ବର୍ତ୍ତମାନ ଭଗବାନଙ୍କୁ ଉତ୍ତରାଧିକାରୀ କରୁଛନ୍ତି ସେମାନେ ୨୧ ଜନ୍ମ ପାଇଁ ବାବାଙ୍କର ସମ୍ପତ୍ତିର ଅଧିକାରୀ ହୋଇଯାଉଛନ୍ତି ।

ପ୍ରଶ୍ନ:-
ଟ୍ରିବ୍ୟୁନାଲ୍ (ଅଦାଲତ) କେଉଁ ପିଲାମାନଙ୍କ ପାଇଁ କରାଯାଏ ?

ଉତ୍ତର:-
ଯିଏ ଦାନ ଦେଇଥିବା ଜିନିଷକୁ ଫେରାଇ ନେବା ପାଇଁ ସଙ୍କଳ୍ପ କରନ୍ତି । ମାୟାର ଅଧିନ ହୋଇ ଅପସେବା କରନ୍ତି, ତାଙ୍କ ନିମନ୍ତେ କଚେରୀ କରାଯାଏ ।

ଓମ୍ ଶାନ୍ତି ।
ବିଚିତ୍ର ବାବା ବସି ବିଚିତ୍ର ସନ୍ତାନମାନଙ୍କୁ ବୁଝାଉଛନ୍ତି ଅର୍ଥାତ୍ ଦୂରଦେଶର ନିବାସୀ ଯାହାଙ୍କୁ ପରମପିତା ପରମାତ୍ମା କୁହାଯାଉଛି । ସିଏ ବହୁତ ବହୁତ ଦୂରଦେଶରୁ ଆସି ଏହି ଶରୀର ଦ୍ୱାରା ତୁମକୁ ଏହି ରାଜଯୋଗର ପାଠ ପଢାଉଛନ୍ତି । ତେବେ ଯେଉଁମାନେ ପାଠ ପଢନ୍ତି ସେମାନେ ପଢାଉଥିବା ଶିକ୍ଷକଙ୍କ ସହିତ ସ୍ୱତଃ ଯୋଗ ରଖିଥାନ୍ତି । ତାଙ୍କୁ କହିବାକୁ ପଡେ ନାହିଁ ଯେ ହେ ସନ୍ତାନମାନେ, ଶିକ୍ଷକଙ୍କ ସହିତ ଯୋଗ ରଖ ଅଥବା ତାଙ୍କୁ ମନେ ପକାଅ । କିନ୍ତୁ ଏଠାରେ ବାବା କହୁଛନ୍ତି ହେ ଆତ୍ମିକ ସନ୍ତାନମାନେ, ଇଏ ତୁମର ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି । ଏହାଙ୍କ ସହିତ ଯୋଗ ରଖ ଅର୍ଥାତ୍ ତାଙ୍କୁ ମନେ ପକାଅ । ଇଏ ହେଉଛନ୍ତି ବିଚିତ୍ର ବାବା । ତେଣୁ ତୁମେ ବାରମ୍ବାର ତାଙ୍କୁ ଭୁଲିଯାଉଛ ସେଥିପାଇଁ କହିବାକୁ ପଡୁଛି । ପାଠ ପଢାଉଥିବା ଶିକ୍ଷକଙ୍କୁ ମନେପକାଇଲେ ତୁମର ପାପ ଭସ୍ମ ହୋଇଯିବ । ନିୟମ ଏହା କହୁନାହିଁ ଯେ ଶିକ୍ଷକ କହିବେ ମୋତେ ଦେଖ, ଏଥିରେ ବହୁତ ଫାଇଦା ଅଛି । କିନ୍ତୁ ବାବା କହୁଛନ୍ତି କେବଳ ମୋତେ ମନେ ପକାଅ । ଏହି ଯୋଗ ଦ୍ୱାରା ହିଁ ତୁମର ପାପ କଟିବ, ଏହାକୁ କୁହାଯାଉଛି ଯୋଗର ଯାତ୍ରା । ଏବେ ବିଚିତ୍ର ବାବା ପିଲାମାନଙ୍କୁ ଦେଖୁଛନ୍ତି । ପିଲାମାନେ ମଧ୍ୟ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଉଛନ୍ତି । ତୁମେ ମଧ୍ୟ ବାରମ୍ବାର ଶରୀର ଧାରଣ କରୁଛ । ମୁଁ ତ ସାରା କଳ୍ପ ଶରୀର ଧାରଣ କରୁନାହିଁ, କେବଳ ଏହି ସଂଗମଯୁଗରେ ହିଁ ବହୁତ ଦୂରଦେଶରୁ ଆସୁଛି ତୁମକୁ ପାଠ ପଢାଇବା ପାଇଁ । ଏହି କଥାକୁ ଭଲ ଭାବରେ ମନେ ପକାଇବାକୁ ହେବ । ବାବା ଆମର ପିତା, ଶିକ୍ଷକ ଏବଂ ସତଗୁରୁ ଅଟନ୍ତି । ବିଚିତ୍ର ମଧ୍ୟ ଅଟନ୍ତି । ତାଙ୍କର ନିଜର ଶରୀର ନାହିଁ, ତେବେ ଆସୁଛନ୍ତି କିପରି ? କହୁଛନ୍ତି ମୋତେ ପ୍ରକୃତିର, ମୁଖର ଆଧାର ନେବାକୁ ପଡୁଛି । ମୁଁ ତ ବିଚିତ୍ର । ତୁମେ ସମସ୍ତେ ଚିତ୍ରଧାରୀ ଅଟ । ତେଣୁ ମୋତେ ନିଶ୍ଚୟ ରଥର ଆବଶ୍ୟକତା ରହିଛି । ଘୋଡା ଗାଡିରେ ତ ଆସିବେ ନାହିଁ ନା । ବାବା କହୁଛନ୍ତି ମୁଁ ଏହି ଶରୀରରେ ପ୍ରବେଶ କରୁଛି, ଯିଏକି ନମ୍ବରୱାନ ଅଟନ୍ତି, ସେ ପୁଣି ଲାଷ୍ଟ ନମ୍ବର ହୋଇଯାଉଛନ୍ତି । ଯିଏ ସତ୍ତ୍ୱପ୍ରଧାନ ଥିଲେ ସିଏ ପୁଣି ତମୋପ୍ରଧାନ ହେଉଛନ୍ତି । ତେଣୁ ତାଙ୍କୁ ହିଁ ପୁଣି ସତ୍ତ୍ୱପ୍ରଧାନ କରିବା ପାଇଁ ବାବା ପାଠ ପଢାଉଛନ୍ତି । ବୁଝାଉଛନ୍ତି ଯେ, ଏହି ରାବଣ ରାଜ୍ୟରେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରି ତୁମକୁ ଜଗତଜିତ୍ ହେବାକୁ ପଡିବ । ପିଲାମାନଙ୍କୁ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ ଆମକୁ ବିଚିତ୍ର ବାବା ପାଠ ପଢାଉଛନ୍ତି । ବାବାଙ୍କୁ ମନେ ନପକାଇଲେ ପାପ କିପରି ଭସ୍ମ ହେବ । ଏକଥା ମଧ୍ୟ ତୁମେ କେବଳ ଏହି ସଂଗମ ଯୁଗରେ ହିଁ ଶୁଣୁଛ । ଯାହା କିଛି ହେଉଛି ପୁଣି କଳ୍ପ ପରେ ତାହା ହିଁ ପୁନରାବୃତ୍ତି ହେବ । ବାବା କେତେ ସୁନ୍ଦର ବୁଝାଉଛନ୍ତି । ଏଥିରେ ବହୁତ ବିଶାଳ ବୁଦ୍ଧି ଆବଶ୍ୟକ । ଏହା କୌଣସି ସାଧୁ ସନ୍ଥ ଆଦିଙ୍କର ସତସଙ୍ଗ ନୁହେଁ । ତାଙ୍କୁ ପିତା ସହିତ ସନ୍ତାନ ମଧ୍ୟ କୁହାଯାଉଛି । ତୁମେ ଜାଣିଛ ଇଏ ଆମର ପିତା ସହିତ ସନ୍ତାନ ମଧ୍ୟ ଅଟନ୍ତି । ଆମେ ସବୁକିଛି ସମ୍ପତ୍ତି ଏହି ସନ୍ତାନଙ୍କୁ ଦେଇ ତାଙ୍କଠାରୁ ୨୧ ଜନ୍ମ ପାଇଁ ବର୍ସା ନେଉଛୁ । ଏବେ ଅଳିଆ ଆବର୍ଜନା ଅର୍ଥା୍ତ ମୂଲ୍ୟହୀନ ଜିନିଷ ସବୁ ଦେଇ ବାବାଙ୍କଠାରୁ ଆମେ ବିଶ୍ୱର ରାଜତ୍ୱ ନେଉଛୁ ।

ସମସ୍ତେ କହୁଛନ୍ତି ବାବା, ଆମେ ଭକ୍ତି ମାର୍ଗରେ କହିଥିଲୁ ଯେ ଯେତେବେଳେ ଆପଣ ଆସିବେ ସେତେବେଳେ ଆମେ ତନ-ମନ-ଧନ ସହିତ ସମର୍ପଣ ହେବୁ । ଲୌକିକ ପିତା ମଧ୍ୟ ସନ୍ତାନମାନଙ୍କ ଉପରେ ସମର୍ପଣ ହୋଇଥାନ୍ତି ନା । ଏଠାରେ ତୁମକୁ କିପରି ବିଚିତ୍ର ବାବା ମିଳିଛନ୍ତି, ତାଙ୍କୁ ମନେ ପକାଇଲେ ତୁମର ପାପ ଭସ୍ମ ହେବ ଏବଂ ତୁମେ ନିଜ ଘରକୁ ଚାଲିଯିବ । ଏହା କେତେ ଲମ୍ବା ଯାତ୍ରା । ବାବାଙ୍କୁ ଦେଖ କେଉଁଠିକୁ ଆସୁଛନ୍ତି! ପୁରୁଣା ରାବଣ ରାଜ୍ୟକୁ । କହୁଛନ୍ତି ମୋ ଭାଗ୍ୟରେ ପବିତ୍ର ଶରୀର ମିଳିବାର ନାହିଁ । ତେବେ ପତିତମାନଙ୍କୁ ପବିତ୍ର କରିବା ପାଇଁ କିପରି ଆସିବି । ମୋତେ ତ ପତିତ ଦୁନିଆରେ ହିଁ ଆସି ସମସ୍ତଙ୍କୁ ପବିତ୍ର କରିବାକୁ ପଡୁଛି । ତେଣୁ ଏପରି ଶିକ୍ଷକଙ୍କର ଖାତିରି ମଧ୍ୟ କରିବା ଉଚିତ୍ ନା । ଅନେକ ଅଛନ୍ତି ଯେଉଁମାନେ ଖାତିରି କରିବା ଜାଣି ହିଁ ନାହାଁନ୍ତି । ଏଭଳି ମଧ୍ୟ ଡ୍ରାମାରେ ହେବାର ଅଛି । ରାଜଧାନୀରେ ତ କ୍ରମାନ୍ୱୟରେ ସବୁ ପ୍ରକାରର ପଦ ଦରକାର ନା । ତେଣୁ ସବୁ ପ୍ରକାରର ପଦ ଏଠାରେ ହିଁ ହେଉଛି । କମ୍ ପଦ ପାଇଲାବାଲାଙ୍କର ଏପରି ଅବସ୍ଥା ହେବ ସେମାନେ ନା ପଢିବେ, ନା ବାବାଙ୍କ ସ୍ମୃତିରେ ରହିବେ । ଇଏ ବହୁତ ବିଚିତ୍ର ବାବା ଅଟନ୍ତି ନା । ଏହାଙ୍କର ଚଳଣୀ ମଧ୍ୟ ଅଲୌକିକ ଅଟେ । ତାଙ୍କ ସଦୃଶ ପାର୍ଟ ଅନ୍ୟ କାହାକୁ ମିଳିପାରିବ ନାହିଁ । ବାବା ଆସି ତୁମକୁ କେତେ ଉଚ୍ଚ ପାଠ ପଢାଉଛନ୍ତି, ତେଣୁ ପାଠପଢାର ସମ୍ମାନ ମଧ୍ୟ ରଖିବା ଉଚିତ୍ । ତାଙ୍କ ଶ୍ରୀମତରେ ଚାଲିବା ଦରକାର । କିନ୍ତୁ ମାୟା ଘଡି ଘଡି ଭୁଲାଇ ଦେଉଛି । ମାୟା ଏତେ ଶକ୍ତିଶାଳୀ ଯେ ଭଲ ଭଲ ସନ୍ତାନମାନଙ୍କୁ ମଧ୍ୟ ତଳେ ପକାଇ ଦେଉଛି । ବାବା ତୁମମାନଙ୍କୁ କେତେ ଧନବାନ୍ କରୁଛନ୍ତି କିନ୍ତୁ ମାୟା ଏକଦମ୍ ତୁମର ମୁହଁକୁ ବୁଲାଇ ଦେଉଛି । ତେଣୁ ମାୟାଠାରୁ ନିଜକୁ ବଞ୍ଚାଇବାକୁ ହେଲେ ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ପଡିବ । ବହୁତ ଭଲ ଭଲ ସନ୍ତାନମାନେ ମଧ୍ୟ ବାବାଙ୍କର ହୋଇ ପୁଣି ମାୟାର ହୋଇ ଯାଉଛନ୍ତି, ସେକଥା ନକହିଲେ ଭଲ, ପକ୍କା ଟ୍ରେଟର ଅର୍ଥାତ୍ ବିଶ୍ୱାସଘାତକ ହୋଇଯାଉଛନ୍ତି । ମାୟା ଏକଦମ୍ ନାକରୁ ଧରିନେଇଥାଏ । ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ରହିଛି ନା -- ଗଜକୁ ଗ୍ରାହ ଧରିଥିଲା । କିନ୍ତୁ ଏହାର ଅର୍ଥକୁ କେହି ବି ବୁଝୁନାହାଁନ୍ତି । ବାବା ପ୍ରତ୍ୟେକ କଥା ଭଲ ଭାବରେ ବୁଝାଉଛନ୍ତି । କେତେକ ସନ୍ତାନ ବୁଝୁଛନ୍ତି କିନ୍ତୁ ପୁରୁଷାର୍ଥର କ୍ରମାନୁସାରେ । କାହାକୁ ତ ସାମାନ୍ୟ ଧାରଣା ମଧ୍ୟ ହେଉନାହିଁ । ବହୁତ ଉଚ୍ଚ ପାଠପଢା ଅଟେ ନା । ତେଣୁ ଏହାକୁ ଧାରଣା କରିପାରୁ ନାହାଁନ୍ତି । ବାବା କହୁଛନ୍ତି ଏହାଙ୍କ ଭାଗ୍ୟରେ ରାଜ୍ୟ ଭାଗ୍ୟ ନାହିଁ । କେହି ଅରଖ, କେହି ସୁଗନ୍ଧଯୁକ୍ତ ଫୁଲ ଅଟନ୍ତି । ଏହା ଭେରାଇଟୀ ଫୁଲର ବଗିଚା ଅଟେ ନା । ଏପରି ମଧ୍ୟ ଦରକାର ନା । ରାଜଧାନୀରେ ତୁମକୁ ଚାକର ବାକର ମଧ୍ୟ ମିଳିବେ । ନଚେତ୍ ଚାକର ବାକର କିପରି ମିଳିବେ । ରାଜତ୍ୱ ଏହିଠାରେ ହିଁ ପ୍ରସ୍ତୁତ ହେଉଛି । ଚାକର, ବାକର, ଚଣ୍ଡାଳ ଆଦି ସବୁ ମିଳିବେ । ଏହା ରାଜଧାନୀ ସ୍ଥାପନ ହେଉଛି । ଆଶ୍ଚର୍ଯ୍ୟ ଅଟେ ନା । ବାବା ତୁମକୁ ଏତେ ଉଚ୍ଚ କରୁଛନ୍ତି ତେଣୁ ଏପରି ବାବାଙ୍କୁ ସ୍ମରଣ କରି ପ୍ରେମର ଅଶ୍ରୁ ବହିବା ଉଚିତ୍ ।

ତୁମେ ମାଳାର ଦାନ ହେଉଛ ନା । କହୁଛ ବାବା ଆପଣ କେତେ ବିଚିତ୍ର ଅଟନ୍ତି । କିପରି ଆସି ଆମ ପତିତମାନଙ୍କୁ ପବିତ୍ର କରାଇବା ପାଇଁ ପାଠ ପଢାଉଛନ୍ତି । ଭକ୍ତିମାର୍ଗରେ ଶିବଙ୍କର ପୂଜା କରୁଛନ୍ତି କିନ୍ତୁ ବୁଝୁ ନାହାନ୍ତି ଯେ ଇଏ ପତିତ ପାବନ ଅଟନ୍ତି ତଥାପି ଡାକୁଛନ୍ତି ହେ ପତିତ ପାବନ ଆସ, ଆସି ଆମକୁ ସର୍ବଗୁଣ ସମ୍ପନ୍ନ ଦେବୀ-ଦେବତା କର । ତେବେ ପିଲାମାନଙ୍କ ଆଜ୍ଞାକୁ ମଧ୍ୟ ବାବା ମାନୁଛନ୍ତି ଏବଂ ଯେବେ ଆସୁଛନ୍ତି କହୁଛନ୍ତି ଯେ ପିଲାମାନେ ପବିତ୍ର ହୁଅ । କିନ୍ତୁ ଏହା ପାଇଁ ହିଁ ସବୁ ହଙ୍ଗାମା ହେଉଛି । ବାବା କେତେ ୱାଣ୍ଡରଫୁଲ ଅଟନ୍ତି ନା । ପିଲାମାନଙ୍କୁ କହୁଛନ୍ତି ମୋତେ ମନେ ପକାଇଲେ ପାପ କଟିଯିବ । ବାବା ଜାଣିଛନ୍ତି ଯେ ମୁଁ ଆତ୍ମାମାନଙ୍କ ସହିତ କଥା ହେଉଛି । ସବୁକିଛି ଆତ୍ମା ହିଁ କରୁଛି, ବିକର୍ମ ମଧ୍ୟ ଆତ୍ମା ହିଁ କରୁଛି । ଆତ୍ମା ହିଁ ଶରୀର ଦ୍ୱାରା ସମସ୍ତ କର୍ମର ଫଳ ଭୋଗ କରୁଛି । ତୁମ ପାଇଁ ମଧ୍ୟ ଟ୍ରିବୁନାଲ୍ ଅର୍ଥାତ୍ ଅଦାଲତ ବସିବ । ଖାସ୍ ସେହିମାନଙ୍କ ପାଇଁ ଯିଏ ସେବା ଯୋଗ୍ୟ ହୋଇ ବିଶ୍ୱାସଘାତକ ହୋଇଯାଉଛନ୍ତି । ଏକଥା ବାବା ହିଁ ଜାଣିଛନ୍ତି, କିପରି ମାୟା ଗିଳି ଦେଉଛି । ତେଣୁ ସେମାନେ କହୁଛନ୍ତି, ବାବା ଆମେ ହାରିଗଲୁ, ମୁହଁ କଳା କରିଦେଲୁ... ଏବେ କ୍ଷମା କର । ତଳକୁ ଖସି ମାୟାର ହେଲ ପୁଣି କ୍ଷମା କଣ ପାଇଁ ମାଗୁଛ । ତାଙ୍କୁ ପୁଣି ବହୁତ ବହୁତ ମେହନତ କରିବାକୁ ପଡିବ । ଅନେକ ଅଛନ୍ତି ଯେଉଁମାନେ ମାୟାଠାରୁ ହାରିଯାଉଛନ୍ତି । ବାବା କହୁଛନ୍ତି ଏଠାରେ ବାବାଙ୍କ ପାଖରେ ସବୁ ବିକାରକୁ ଦାନ ଦେଇଯାଅ ପୁଣି କେବେ ଫେରାଇ ନେବ ନାହିଁ । ନଚେତ୍ ଖଲାସ୍ ହୋଇଯିବ । ହରିଶ୍ଚନ୍ଦ୍ରଙ୍କର ଉଦାହରଣ ରହିଛି ନା । ଦାନ ଦେଇ ପୁଣି ବହୁତ ଖବରଦାର ରହିବାକୁ ହେବ । ପୁଣି ଯଦି ଫେରାଇ ନେବ ତେବେ ଶହେଗୁଣା ଦଣ୍ଡ ଭୋଗ କରିବାକୁ ପଡିବ, ପୁଣି ବହୁତ ଛୋଟ ପଦ ପାଇବ । ପିଲାମାନେ ଜାଣିଛନ୍ତି ଏବେ ରାଜଧାନୀ ସ୍ଥାପନ ହେଉଛି । ଅନ୍ୟ ଧର୍ମର ଧର୍ମସ୍ଥାପକମାନେ ଯେଉଁ ଧର୍ମ ସ୍ଥାପନ କରୁଛନ୍ତି, ତାଙ୍କର ଆରମ୍ଭରୁ ରାଜତ୍ୱ ଚାଲୁନାହିଁ । ୫୦-୬୦ କୋଟି ହେବେ ତେବେ ଯାଇ ସେନାବାହିନୀ ହେବ । ଆରମ୍ଭରୁ ତ ଜଣେ ଦୁଇ ଜଣ ଆସୁଛନ୍ତି, ପୁଣି ବୃଦ୍ଧି ହେଉଛି । ତୁମେ ଜାଣିଛ ଯୀଶୁଖ୍ରୀଷ୍ଟ ମଧ୍ୟ କୌଣସି ନା କୌଣସି ବେଶରେ ଆସିବେ । ଅତି ସାଧାରଣ ରୂପରେ, ଯିଏ ପ୍ରଥମ ନମ୍ବରରେ ଥିଲେ ସିଏ ନିଶ୍ଚୟ ଲାଷ୍ଟ ନମ୍ବରରେ ଆସିବେ । ତେବେ ଖ୍ରୀଷ୍ଟିୟାନମାନେ ତୁରନ୍ତ କହିବେ ବାସ୍ତବରେ ଖ୍ରୀଷ୍ଟ ଏହି ସମୟରେ ଅତି ସାଧାରଣ ରୂପରେ ଅଛନ୍ତି । ଭାବୁଛନ୍ତି ପୁର୍ନଜନ୍ମ ତ ନେବାକୁ ହିଁ ହେବ । ତମୋପ୍ରଧାନ ତ ସମସ୍ତଙ୍କୁ ନିଶ୍ଚୟ ହେବାକୁ ପଡିବ । ବର୍ତ୍ତମାନ ସମଗ୍ର ଦୁନିଆ ତମୋପ୍ରଧାନ, ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଛି । ତେଣୁ ଏହି ପୁରୁଣା ଦୁନିଆର ବିନାଶ ନିଶ୍ଚୟ ହେବ । ଖ୍ରୀଷ୍ଟିୟାନମାନେ ମଧ୍ୟ କହନ୍ତି ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ପୁଣି ନିଶ୍ଚୟ ଏବେ ହେବ । କିନ୍ତୁ ଏକଥା ବୁଝାଇବ କିଏ । ବାବା କହୁଛନ୍ତି ବର୍ତ୍ତମାନ ସେହି ଅବସ୍ଥା ପିଲାମାନଙ୍କର ହୋଇନାହିଁ । ଘଡି ଘଡି ଲେଖୁଛନ୍ତି ଆମେ ଯୋଗରେ ରହିପାରୁ ନାହୁଁ । ପିଲାମାନଙ୍କର ଚାଲିଚଳଣିରୁ ବୁଝିଯାଉଛନ୍ତି । ବାବାଙ୍କୁ ସମାଚାର ଦେବାକୁ ମଧ୍ୟ ଡରୁଛନ୍ତି । ବାବା ତ ସନ୍ତାନମାନଙ୍କୁ କେତେ ସ୍ନେହ କରୁଛନ୍ତି । ସ୍ନେହରେ ନମସ୍କାର କରୁଛନ୍ତି । କିନ୍ତୁ ପିଲାମାନଙ୍କ ଭିତରେ ବହୁତ ଅହଂକାର ରହୁଛି । ଭଲ ଭଲ ସନ୍ତାନମାନଙ୍କୁ ମଧ୍ୟ ମାୟା ଭୁଲାଇ ଦେଉଛି । ବାବା ବୁଝିପାରୁଛନ୍ତି, କହୁଛନ୍ତି ମୁଁ ଜ୍ଞାନର ସାଗର ଅଟେ । ଜାନୀ ଜାନନହାର ଅର୍ଥାତ୍ ସର୍ବଜ୍ଞର ଅର୍ଥ ନୁହେଁ ଯେ ମୁଁ ସମସ୍ତଙ୍କର ଅନ୍ତରକୁ ଜାଣିଛି । ମୁଁ ଆସିଛି ପାଠ ପଢାଇବା ପାଇଁ, ଏମିତି ନୁହେଁ କି ସଂକଳ୍ପକୁ ଜାଣିବା ପାଇଁ । ମୁଁ କାହାକୁ ଅନୁଧ୍ୟାନ କରୁନାହିଁ । ଏହି ସାକାର ବ୍ରହ୍ମା ମଧ୍ୟ ଅନୁଧ୍ୟାନ କରୁନାହାଁନ୍ତି । ଏହାଙ୍କୁ ସବୁକିଛି ଭୁଲିବାକୁ ହେବ । ଅନୁଧ୍ୟାନ ପୁଣି କଣ କରିବେ । ତୁମେ ଏଠାକୁ ପଢିବା ପାଇଁ ଆସୁଛ । ଭକ୍ତିମାର୍ଗ ଅଲଗା । ତଳକୁ ଖସିବାର ଉପାୟ ମଧ୍ୟ ଦରକାର ନା । ଏହିସବୁ କଥା ପାଇଁ ତୁମକୁ ତଳକୁ ଖସିବାକୁ ପଡୁଛି । ଡ୍ରାମାର ଖେଳ ଏହିପରି ତିଆରି ହୋଇଛି । ଭକ୍ତିମାର୍ଗର ଶାସ୍ତ୍ର ପଢି ପଢି ତୁମେ ତଳକୁ ଖସି ତମୋପ୍ରଧାନ ହେଉଛ । ଏବେ ତୁମକୁ ଏହି ଛି ଛି ଦୁନିଆରେ ବିଲକୁଲ୍ ରହିବାର ନାହିଁ । କଳିଯୁଗରୁ ପୁଣି ସତ୍ୟଯୁଗକୁ ଆସିବ । ବର୍ତ୍ତମାନ ହେଉଛି ସଂଗମଯୁଗ । ଏହି ସବୁ କଥା ଧାରଣ କରିବାକୁ ହେବ । ବାବା ହିଁ ବୁଝାଉଛନ୍ତି ବାକି ସମଗ୍ର ଦୁନିଆର ମନୁଷ୍ୟମାନଙ୍କ ବୁଦ୍ଧିରେ ଗଡରେଜର ତାଲା ଲାଗିଛି । ତୁମେ ବୁଝୁଛ ଏମାନେ ଦୈବୀଗୁଣଧାରୀ ଥିଲେ ସେହିମାନେ ପୁଣି ଆସୁରୀ ଗୁଣଧାରୀ ହେଉଛନ୍ତି । ବାବା ବୁଝାଉଛନ୍ତି ଏବେ ଭକ୍ତିମାର୍ଗର କଥା ସବୁ ଭୁଲିଯାଅ । ଏବେ ମୁଁ ଯାହା ଶୁଣାଉଛି ତାକୁ ଶୁଣ, ହିଅର ନୋ ଇଭିଲ୍ (ଖରାପ କଥା ଶୁଣ ନାହିଁ)... । ଏବେ କେବଳ ମୋଠାରୁ ଶୁଣ । ଏବେ ମୁଁ ତୁମକୁ ଉଦ୍ଧାର କରିବାକୁ ଆସିଛି ।

ତୁମେ ହେଉଛ ଈଶ୍ୱରୀୟ ସମ୍ପ୍ରଦାୟର । ପ୍ରଜାପିତା ବ୍ରହ୍ମାଙ୍କର ମୁଖ କମଳ ଦ୍ୱାରା ତୁମେ ସୃଷ୍ଟି ହୋଇଛ ନା । ତୁମେ ସବୁ ତାଙ୍କର ପୋଷ୍ୟ ସନ୍ତାନ ଅଟ । ତାଙ୍କୁ ଆଦିଦେବ କୁହାଯାଉଛି । ମହାବୀର ମଧ୍ୟ କୁହାଯାଉଛି । ତୁମେ ମଧ୍ୟ ମହାବୀର ଅଟ ନା, ଯିଏକି ଯୋଗବଳ ଦ୍ୱାରା ମାୟା ଉପରେ ବିଜୟ ପ୍ରାପ୍ତ କରୁଛ । ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି । ଜ୍ଞାନ ସାଗର ବାବା ତୁମକୁ ଅବିନାଶୀ ଜ୍ଞାନ ରତ୍ନର ଥାଳି ଭରପୁର କରିଦେଉଛନ୍ତି । ତୁମକୁ ମାଲାମାଲ୍ କରିଦେଉଛନ୍ତି । ଯିଏ ଯେତେ ଜ୍ଞାନ ଧାରଣ କରିଥାନ୍ତି ସିଏ ସେତେ ଉଚ୍ଚ ପଦ ପାଇଥାନ୍ତି, କିନ୍ତୁ ଯିଏ ଜ୍ଞାନର ଧାରଣା କରନ୍ତି ନାହିଁ ସିଏ ନିଶ୍ଚୟ କମ୍ ପଦ ପାଇବେ । ବାବାଙ୍କଠାରୁ ତୁମେ କୁବେର ସମ୍ପତ୍ତି ପାଉଛ । ଆଲ୍ଲା ଅବଲଦୀନର କାହାଣୀ ମଧ୍ୟ ରହିଛି ନା । ତୁମେ ଜାଣିଛ ସେଠାରେ ଆମ ପାଇଁ କୌଣସି ଅପ୍ରାପ୍ତ ବସ୍ତୁ ରହିବ ନାହିଁ । ୨୧ ଜନ୍ମ ପାଇଁ ବାବା ବର୍ସା ଦେଇ ଦେଉଛନ୍ତି । ବେହଦର ବାବା ବେଦହର ବର୍ସା ଦେଉଛନ୍ତି । ସେଥିପାଇଁ ବିନାଶୀ ସମ୍ପତ୍ତି ମିଳିଥିଲେ ମଧ୍ୟ ବେହଦର ବାବାଙ୍କୁ ନିଶ୍ଚୟ ସ୍ମରଣ କରୁଛନ୍ତି ହେ ପରମାତ୍ମା ଦୟା କର, କୃପା କର । ଏକଥା କାହାକୁ ଜଣାନାହିଁ ଯେ ସେ କଣ ଦେଉଛନ୍ତି । ଏବେ ତୁମେ ବୁଝୁଛ ବାବା ତ ଆମକୁ ବିଶ୍ୱର ମାଲିକ କରୁଛନ୍ତି । ଚିତ୍ରରେ ମଧ୍ୟ ଅଛି ବ୍ରହ୍ମା ଦ୍ୱାରା ସ୍ଥାପନା, ଏବେ ବ୍ରହ୍ମା ସାଧାରଣ ରୂପରେ ତୁମ ସମ୍ମୁଖରେ ବସିଛନ୍ତି । ବାବା ତାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା କରୁଛନ୍ତି ତେଣୁ ନିଶ୍ଚୟ ତାଙ୍କୁ ହିଁ ମାଲିକ କରିବେ ନା । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଏକଥା ତୁମେ ଭଲ ଭାବରେ ବୁଝାଇପାରିବ ନାହିଁ । ଭକ୍ତିମାର୍ଗରେ ଶଙ୍କରଙ୍କ ଆଗକୁ ଯାଇ କହନ୍ତି ଝୋଲୀ ଭରିଦିଅ । ଆତ୍ମା କହୁଛି ମୁଁ ଏବେ କାଙ୍ଗାଳ ହୋଇଯାଇଛି । ମୋର ଝୋଲୀ ଅର୍ଥାତ୍ ଭାଗ୍ୟକୁ ଭରିଦିଅ । ମୋତେ ଏପରି କର । ଏବେ ତୁମେ ତୁମର ଝୁଲାମୁଣିକୁ ଭରିବାକୁ ଆସିଛ । କହୁଛନ୍ତି ଆମେ ନରରୁ ନାରାୟଣ ହେବାକୁ ଚାହୁଁଛୁ । ତେବେ ଏହି ପାଠପଢା ହିଁ ହେଉଛି ନରରୁ ନାରାୟଣ ହେବାର ପାଠପଢା । ଏହି ପୁରୁଣା ଦୁନିଆକୁ ଆସିବାର ମନ କାହାର ହେବ ? କିନ୍ତୁ ନୂଆ ଦୁନିଆକୁ ସମସ୍ତେ ତ ଆସିବେ ନାହିଁ । କେହି କେହି ୨୫ ଶତକଡା ପୁରୁଣାରେ ଆସିବେ । କିଛି କମ ତ ହେବ ନା । ସାମାନ୍ୟ କାହାକୁ ସନ୍ଦେଶ ଦେଲେ ମଧ୍ୟ ତୁମେ ସ୍ୱର୍ଗର ମାଲିକ ନିଶ୍ଚୟ ହେବ । ଏବେ ନର୍କର ମାଲିକ ମଧ୍ୟ ସମସ୍ତେ ହୋଇଛନ୍ତି ନା । ରାଜା, ରାଣୀ, ପ୍ରଜା ସମସ୍ତେ ନର୍କର ମାଲିକ ଅଟନ୍ତି । ସେଠାରେ ଦୁଇ ମୁକୁଟଧାରୀ ଥିଲ । ଏବେ ତାହା ନାହିଁ । ଆଜିକାଲି ଧର୍ମ ଆଦିକୁ କେହି ମାନୁ ନାହାଁନ୍ତି । ଦେବୀ ଦେବତା ଧର୍ମ ହିଁ ସମାପ୍ତ ହୋଇଯାଇଛି । କୁହାଯାଏ ରିଲିଜନ୍ ଇଜ୍ ମାଇଟ୍ (ଧର୍ମ ହିଁ ଶକ୍ତି), ଧର୍ମକୁ ନ ମାନିବା କାରଣରୁ ଶକ୍ତି ନାହିଁ । ବାବା ବୁଝାଉଛନ୍ତି ମଧୁର ସନ୍ତାନମାନେ, ତୁମେ ହିଁ ପୂଜ୍ୟରୁ ପୂଜାରୀ ହେଉଛ । ୮୪ ଜନ୍ମ ନେଉଛ ନା । ଆମେ ବ୍ରାହ୍ମଣ, ପୁଣି ଦେବତା ପୁଣି ଆମେ କ୍ଷତ୍ରୀୟ... ବୁଦ୍ଧିରେ ଏହି ସମସ୍ତ ଚକ୍ର ଆସୁଛି ନା । ଏହି ୮୪ ଜନ୍ମର ଚକ୍ର ଆମେ ଲଗାଇ ଚାଲିଛୁ ଏବେ ପୁଣି ଘରକୁ ଯିବାକୁ ହେବ । କିନ୍ତୁ ସେଠାକୁ କେହି ପତିତ ଯାଇପାରିବେ ନାହିଁ । ଆତ୍ମା ହିଁ ପତିତ ଅଥବା ପାବନ ହେଉଛି । ସୁନାରେ ଖାଦ ମିଶିଥାଏ, ଅଳଙ୍କାରରେ ମିଶିନଥାଏ । ଏହା ହେଉଛି ଜ୍ଞାନ ଅଗ୍ନି ଯେଉଁଥିରେ ସମସ୍ତ ଖାଦ ବାହାରିଯିବ ଏବଂ ତୁମେ ପକ୍କା ସୁନା ହୋଇଯିବ ପୁଣି ତୁମକୁ ଭଲ ଅଳଙ୍କାର ଅର୍ଥାତ୍ ଶରୀର ମିଳିବ । ଏବେ ଆତ୍ମା ପତିତ ହୋଇଯାଇଛି ତେଣୁ ପବିତ୍ରମାନଙ୍କ ସମ୍ମୁଖରେ ଅପବିତ୍ରମାନେ ନମସ୍କାର କରୁଛନ୍ତି । ଆତ୍ମା ତ ସବୁକିଛି କରୁଛି ନା । ଏବେ ବାବା ବୁଝାଉଛନ୍ତି ପିଲାମାନେ, କେବଳ ମୋତେ ମନେ ପକାଇଲେ ବେଡା ପାରି ହୋଇଯିବ । ପବିତ୍ର ହୋଇ ପବିତ୍ର ଦୁନିଆକୁ ଚାଲିଯିବ । ଏବେ ଯିଏ ଯେତେ ପୁରୁଷାର୍ଥ କରିପାରିବେ । ସମସ୍ତଙ୍କୁ ଏହି ପରିଚୟ ଦେଇଚାଲ । ସେ ହେଲେ ହଦର ପିତା ଇଏ ବେହଦର ପିତା । ସ୍ୱର୍ଗର ବର୍ସା ଦେବା ପାଇଁ ବାବା ସଂଗମରେ ହିଁ ଆସୁଛନ୍ତି । ତେଣୁ ଏପରି ବାବାଙ୍କୁ ନିରନ୍ତର ସ୍ମରଣ କରିବାକୁ ପଡିବ ନା । ଛାତ୍ର କେବେ କଣ ଶିକ୍ଷକଙ୍କୁ ଭୁଲିଥାନ୍ତି! କିନ୍ତୁ ଏଠାରେ ମାୟା ଭୁଲାଇ ଦେଉଛି । ତୁମମାନଙ୍କୁ ବହୁତ ସାବଧାନ ରହିବାକୁ ହେବ । ଏହା ଯୁଦ୍ଧଭୂମି ଅଟେ ନା । ବାବା କହୁଛନ୍ତି ଏବେ ବିକାରଗ୍ରସ୍ତ ହୁଅ ନାହିଁ, ଅପବିତ୍ର ହୁଅ ନାହିଁ । ଏବେ ତ ସ୍ୱର୍ଗକୁ ଯିବାକୁ ହେବ । ତେବେ ତୁମେ ପବିତ୍ର ହେଲେ ହିଁ ପବିତ୍ର ନୂଆ ଦୁନିଆର ମାଲିକ ହୋଇପାରିବ । ମୁଁ ତୁମକୁ ବିଶ୍ୱର ବାଦଶାହୀ ଦେଉଛି । କଣ କମ୍ କଥା କି । ସେଥିପାଇଁ କେବଳ ଏହି ଗୋଟିଏ ଜନ୍ମ ପବିତ୍ର ହୁଅ । ଯଦି ଏବେ ପବିତ୍ର ନହେବ ତେବେ ତଳକୁ ଖସିଯିବ । ବହୁତ ପ୍ରଲୋଭନ ରହିଛି । କାମ ଉପରେ ବିଜୟ ପ୍ରାପ୍ତ କଲେ ତୁମେ ସାରା ଜଗତର ମାଲିକ ହୋଇଯିବ । ତୁମେ ସ୍ପଷ୍ଟ ଭାବରେ କହିପାରିବ ଯେ ପରମପିତା ପରମାତ୍ମା ହିଁ ଜଗତଗୁରୁ ଅଟନ୍ତି ଯିଏ ସମଗ୍ର ଜଗତକୁ ସଦଗତି ଦେଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅବିନାଶୀ ଜ୍ଞାନରତ୍ନ ଦ୍ୱାରା ବୁଦ୍ଧିରୂପକ ଝୁଲାମୁଣିକୁ ଭରପୁର କରି ମାଲାମାଲ୍ ହେବାକୁ ପଡିବ । କୌଣସି ପ୍ରକାରର ଅହଂକାର ଦେଖାଇବା ଉଚିତ୍ ନୁହେଁ ।

(୨) ସେବା କରିବାର ଯୋଗ୍ୟ ହେବା ପରେ କେବେହେଲେ ବିଶ୍ୱାସଘାତକ ହୋଇ ଅପସେବା କରିବା ଉଚିତ୍ ନୁହେଁ । ଦାନ ଦେବା ପରେ ବହୁତ ବହୁତ ଖବରଦାର ରହିବାକୁ ହେବ, କେବେ ବି ଦାନ ଦେଇଥିବା ବସ୍ତୁକୁ ଫେରାଇ ନେବାର ବିଚାର ଆସିବା ଉଚିତ୍ ନୁହେଁ ।

ବରଦାନ:-
ବ୍ରାହ୍ମଣ ଜୀବନରେ ଏକବ୍ରତା ହେବାର ଶିକ୍ଷାକୁ ଧାରଣ କରି ଆତ୍ମିକ ରାଜକୀୟତାରେ ରହୁଥିବା ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ହୁଅ । ଏହି ବ୍ରାହ୍ମଣ ଜୀବନରେ ଏକବ୍ରତା ହେବାର ଶିକ୍ଷାକୁ ଦୃଢ ଭାବରେ ଗ୍ରହଣ କରି ପବିତ୍ରତା ରୂପକ ରାଜକୀୟତାକୁ ଧାରଣ କରିନିଅ ତେବେ ସାରା କଳ୍ପ ଏହି ଆତ୍ମିକ ରାଜକୀୟତା କାୟମ ରହିବ । ତୁମମାନଙ୍କର ଆତ୍ମିକ ରାଜକୀୟତା ଏବଂ ପବିତ୍ରତାର ଚମକ ପରମଧାମରେ ସର୍ବ ଆତ୍ମାମାନଙ୍କଠାରୁ ଶ୍ରେଷ୍ଠ ଅଟେ । ସୃଷ୍ଟିର ଆଦି କାଳରେ ଦେବତା ସ୍ୱରୂପରେ ତୁମମାନଙ୍କର ଏହି ବିଶେଷ ବ୍ୟକ୍ତିତ୍ୱ ଥିଲା, ପୁଣି ମଧ୍ୟ କାଳରେ ତୁମମାନଙ୍କର ଚିତ୍ର ବା ମୂର୍ତ୍ତି ଗୁଡିକର ବିଧିପୂର୍ବକ ପୂଜା ମଧ୍ୟ ହେଉଛି । ତେଣୁ ଏହି ସଂଗମ ଯୁଗରେ ବ୍ରାହ୍ମଣ ଜୀବନର ଆଧାର ହେଲା ପବିତ୍ରତା ରୂପୀ ରାଜକୀୟତା ସେଥିପାଇଁ ବ୍ରାହ୍ମଣ ଜୀବନରେ ବଞ୍ଚିଥିବା ପର୍ଯ୍ୟନ୍ତ ପବିତ୍ର ରହିବାକୁ ହିଁ ହେବ ।

ସ୍ଲୋଗାନ:-
ତୁମେ ସହନଶୀତଳତାର ଦେବୀ ଏବଂ ଦେବତା ହୋଇଯାଅ ତେବେ ଗାଳି ଦେଉଥିବା ଆତ୍ମାମାନେ ମଧ୍ୟ ତୁମକୁ ଗଳାରେ ଲଗାଇବେ ।