20.11.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସର୍ବଦା
ସୁସ୍ଥ ଏବଂ ସର୍ବଦା ସମ୍ପତ୍ତିବାନ ହେବାପାଇଁ ତୁମେମାନେ ଏବେ ନିଜର ଶରୀର-ମନ-ଧନ ସବୁକିଛି
ପ୍ରତ୍ୟକ୍ଷରେ ବାବାଙ୍କୁ ଅର୍ପଣ କରିଦିଅ, କେବଳ ବର୍ତ୍ତମାନ ସମୟରେ ହିଁ ଏହି ବେହଦର ଇନ୍ସିଓରେନ୍ସ
(ବୀମା) ହେଉଛି ।”
ପ୍ରଶ୍ନ:-
ପରସ୍ପର ମଧ୍ୟରେ
ଜଣେ ଅନ୍ୟଜଣଙ୍କୁ କେଉଁ କଥା ସ୍ମରଣ କରାଇ ଉନ୍ନତିକୁ ପ୍ରାପ୍ତ କରିବାକୁ ହେବ?
ଉତ୍ତର:-
ଜଣେ ଅନ୍ୟଜଣଙ୍କୁ ଏହି କଥା ସ୍ମରଣ କରାଇଦିଅ ଯେ ଏବେ ନାଟକ ଶେଷ ହେବାକୁ ଯାଉଛି, ଆମକୁ ଘରକୁ
ଯିବାକୁ ହେବ । ଅନେକ ଥର ଆମେ ଏହି ଅଭିନୟ କରିଛୁ, ଏବେ ୮୪ ଜନ୍ମ ଶେଷ ହେବାକୁ ଯାଉଛି, ଏହି ଶରୀର
ରୂପୀ ବସ୍ତ୍ରକୁ ତ୍ୟାଗ କରି ଘରକୁ ଯିବାକୁ ହେବ । ଏହା ହିଁ ହେଉଛି ତୁମ ଆତ୍ମିକ ସମାଜ ସେବକ
ମାନଙ୍କର ପ୍ରକୃତ ସେବା । ତୁମେ ଆତ୍ମିକ ସମାଜ ସେବୀମାନେ ସମସ୍ତଙ୍କୁ ଏହି ସନ୍ଦେଶ ଦେଇଚାଲ ଯେ
ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି ବାବାଙ୍କୁ ଏବଂ ନିଜର ଘରକୁ ମନେ ପକାଅ ।
ଗୀତ:-
ଛୋଡ ଭି ଦେ
ଆକାଶ ସିଂହାସନ....
ଓମ୍ ଶାନ୍ତି ।
ଯେଉଁଠାରେ ଗୀତା
ପାଠଶାଳା ସବୁ ରହିଛି ପ୍ରାୟତଃ ସେଠାରେ ଏହି ଗୀତ ଗାଇଥା’ନ୍ତି । ଗୀତା ଶୁଣାଇବା ପୂର୍ବରୁ ପ୍ରଥମେ
ଏହି ଶ୍ଲୋକ ଉଚ୍ଚାରଣ କରିଥା’ନ୍ତି । କିନ୍ତୁ ସେମାନେ ଜାଣିନାହାଁନ୍ତି ଯେ କାହାକୁ ଡାକୁଛନ୍ତି ।
ଏହି ସମୟରେ ହିଁ ଧର୍ମର ଗ୍ଲାନୀ ହୋଇଛି । ପ୍ରଥମେ ହେଲା ପ୍ରାର୍ଥନା, ଯେଉଁଥିରେ ଡାକୁଛନ୍ତି ହେ
ପ୍ରଭୁ ଏଠାକୁ ଆସି ଆମକୁ ପୁନର୍ବାର ଗୀତା ଜ୍ଞାନ ଶୁଣାଅ କାହିଁକି ନା ବର୍ତ୍ତମାନ ଦୁନିଆରେ ପାପ
ବହୁତ ବଢିଗଲାଣି । ତେଣୁ ବାବା ଆମର ପ୍ରାର୍ଥନାକୁ ସ୍ୱୀକାର କରି କହିଛନ୍ତି ହଁ, ଯେତେବେଳେ
ଭାରତବାସୀ ପାପାତ୍ମା, ଦୁଃଖୀ ହୋଇଯା’ନ୍ତି ଧର୍ମର ଗ୍ଳାନୀ ହୋଇଯାଏ ସେତେବେଳେ ମୁଁ ଆସିଥାଏ ।
କିନ୍ତୁ ନିଜର ରୂପକୁ ପରିବର୍ତ୍ତନ କରି ମନୁଷ୍ୟ ଶରୀରରେ ଆସିବାକୁ ପଡିଥାଏ । ଏମିତି ତ ସବୁ ଆତ୍ମା
ରୂପ ବଦଳାଇଥା’ନ୍ତି । ତୁମେ ଆତ୍ମାମାନେ ମଧ୍ୟ ପ୍ରକୃତରେ ନିରାକାରୀ ଅଟ, ପୁଣି ଏଠାକୁ ଆସି
ସାକାର ରୂପ ଧାରଣ କରି ମନୁଷ୍ୟ ହେଉଛ । ବର୍ତ୍ତମାନ ମନୁଷ୍ୟ ବହୁତ ପାପାତ୍ମା, ପତିତ ହୋଇଯାଇଛନ୍ତି
ତେଣୁ ମୋତେ ମଧ୍ୟ ମନୁଷ୍ୟ ରୂପ ଧାରଣ କରିବାକୁ ପଡୁଛି । ଯେପରି ପିଲାମାନେ ନିରାକାରରୁ ସାକାର
ରୂପ ଧାରଣ କରୁଛନ୍ତି ସେହିପରି ମୋତେ ମଧ୍ୟ ଏଠାକୁ ରୂପ ଧାରଣ କରି ଆସିବାକୁ ପଡୁଛି । ଏହି ପତିତ
ଦୁନିଆରେ ତ ଶ୍ରୀକୃଷ୍ଣ ଆସିପାରିବେ ନାହିଁ । ସିଏ ତ ସ୍ୱର୍ଗର ମାଲିକ ଥିଲେ । କହିଥା’ନ୍ତି
ଶ୍ରୀକୃଷ୍ଣ ହିଁ ଗୀତା ଶୁଣାଇଥିଲେ କିନ୍ତୁ ଶ୍ରୀକୃଷ୍ଣ ତ ପତିତ ଦୁନିଆକୁ ଆସନ୍ତି ନାହିଁ ।
ତାଙ୍କର ନାମ, ରୂପ, ଦେଶ, କାଳ, କାର୍ଯ୍ୟ ସବୁକିଛି ଅଲଗା । ଏହି କଥା ବାବା ବୁଝାଉଛନ୍ତି ।
କୃଷ୍ଣଙ୍କର ତ ନିଜର ମାତା-ପିତା ଅଛନ୍ତି, ସିଏ ତ ତାଙ୍କ ମାଆଙ୍କ ଗର୍ଭରୁ ନିଜର ରୂପ ରଚନା
କରିଛନ୍ତି । କିନ୍ତୁ ମୁଁ ତ ଗର୍ଭରେ ପ୍ରବେଶ କରୁ ନାହିଁ । ମୋତେ ତ ଆସିବାକୁ ରଥ (ଶରୀର) ନିହାତି
ଆବଶ୍ୟକ । ମୁଁ ବ୍ରହ୍ମାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ହିଁ ପ୍ରବେଶ କରିଥାଏ । ସତ୍ୟଯୁଗର
ପ୍ରଥମ ରାଜକୁମାର ତ ଶ୍ରୀକୃଷ୍ଣ ଅଟନ୍ତି । ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ହେଉଛି ଏହି ୮୪ତମ
ଜନ୍ମ । ତେବେ ମୁଁ ଏହାଙ୍କ ଶରୀରରେ ହିଁ ଆସିଥାଏ । ଇଏ ନିଜର ଜନ୍ମକୁ ଜାଣି ନାହାଁନ୍ତି ।
ଶ୍ରୀକୃଷ୍ଣ ତ ଏପରି କହିପାରିବେ ନାହିଁ ଯେ ମୁଁ ନିଜର ଜନ୍ମକୁ ଜାଣି ନାହିଁ । ଭଗବାନ କହୁଛନ୍ତି
ଯେ ଯାହାଙ୍କ ଶରୀରରେ ମୁଁ ପ୍ରବେଶ କରିଛି ସିଏ ମଧ୍ୟ ନିଜର ଜନ୍ମକୁ ଜାଣି ନ ଥିଲେ । ମୁଁ ଜାଣିଛି,
ଶ୍ରୀକୃଷ୍ଣ ତ ସତ୍ୟଯୁଗ ରାଜଧାନୀର ମାଲିକ ଅଟନ୍ତି । ସତ୍ୟଯୁଗରେ ସୂର୍ଯ୍ୟବଂଶୀଙ୍କ ରାଜତ୍ୱ ଚାଲେ,
ଯାହାକୁ ବିଷ୍ଣୁପୁରୀ କୁହାଯାଏ । ବିଷ୍ଣୁ କୁହାଯାଏ ଲକ୍ଷ୍ମୀ-ନାରାୟଣଙ୍କୁ । କେଉଁଠି ବି ଭାଷଣ
କର କିନ୍ତୁ ଏତିକି ରେକର୍ଡ ହିଁ ଯଥେଷ୍ଟ କାହିଁକି ନା ଏହାର ଗାୟନ ଭାରତବାସୀ ନିଜେ ହିଁ କରିଛନ୍ତି
। ଯେତେବେଳେ ଆଦି ସନାତନ ଦେବୀ ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଏ, ସେତେବେଳେ ପୁଣି ମୁଁ ଏଠାକୁ
ଆସି ଗୀତା ଶୁଣାଇଥାଏ । ସେହି ଧର୍ମ ପୁଣି ଥରେ ସ୍ଥାପନ କରିବାକୁ ହେବ । ସେହି ଧର୍ମର ମନୁଷ୍ୟ ତ
କେହି ହିଁ ନାହାଁନ୍ତି, ତେବେ ପୁଣି ଗୀତାର ଜ୍ଞାନ କେଉଁଠାରୁ ଆସିଲା? ବାବା ବୁଝାଉଛନ୍ତି ଯେ
ସତ୍ୟଯୁଗ-ତ୍ରେତା ଯୁଗରେ କୌଣସି ଶାସ୍ତ୍ର ଆଦି ନ ଥାଏ । ଏସବୁ ହେଉଛି ଭକ୍ତିମାର୍ଗର ସାମଗ୍ରୀ ।
ଏହି ଭକ୍ତି ଦ୍ୱାରା ମୋ ସହିତ କେହି ବି ମିଶିପାରିବେ ନାହିଁ । ମୋତେ ତ ଏଠାକୁ ଆସିବାକୁ ପଡିଥାଏ,
ଏଠାକୁ ଆସି ସମସ୍ତଙ୍କୁ ସଦ୍ଗତି ଭାୟା ଗତି ଦେଇଥାଏ । ସମସ୍ତଙ୍କୁ ଘରକୁ ଫେରିବାକୁ ହେବ ।
ଗତି(ଶାନ୍ତିଧାମକୁ) ଯାଇ ପୁଣି ସ୍ୱର୍ଗକୁ ଆସିବାକୁ ହେବ । ମୁକ୍ତିକୁ ଯାଇ ପୁଣି ଜୀବନମୁକ୍ତିରେ
ଆସିବାକୁ ହେବ । ବାବା କହୁଛନ୍ତି ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପାଇପାରିବ । ଗାୟନ ମଧ୍ୟ ରହିଛି
ଗୃହସ୍ଥ ବ୍ୟବହାର ମଧ୍ୟରେ ରହି ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ଅର୍ଥାତ୍ ଦୁଃଖରୁ ମୁକ୍ତ ହେବା ।
ସନ୍ନ୍ୟାସୀମାନେ ତ ଜୀବନମୁକ୍ତି ପଦ ପ୍ରାପ୍ତ କରାଇପାରିବେ ନାହିଁ । ସେମାନେ ତ ଜୀବନମୁକ୍ତିକୁ
ମାନି ନ ଥାନ୍ତି । ଏହି ସନ୍ନ୍ୟାସୀମାନଙ୍କର ଧର୍ମ ତ ସତ୍ୟଯୁଗରେ ନଥାଏ । ତାହା ତ ପରେ ହୋଇଥାଏ ।
ଇସ୍ଲାମୀ, ବୌଦ୍ଧୀ ଧର୍ମ ସବୁ ସତ୍ୟଯୁଗରେ ନ ଥାଏ । ବର୍ତ୍ତମାନ ସବୁ ଧର୍ମ ଅଛି କିନ୍ତୁ ଦେବୀ
ଦେବତା ଧର୍ମ ନାହିଁ । ଏମାନେ ସବୁ ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି । ନିଜର ଧର୍ମ ବିଷୟରେ କିଛି ବି
ଜାଣି ନାହାଁନ୍ତି । କେହି ବି ନିଜକୁ ଦେବତା ଧର୍ମର ବୋଲି ମାନୁ ହିଁ ନାହାଁନ୍ତି । ଜୟ ହିନ୍ଦ୍
ବୋଲି କହିଥାନ୍ତି କିନ୍ତୁ ସେ ତ ପିତା ନୁହଁନ୍ତି । ଭାରତର ଜୟ ଏବଂ ଭାରତର କ୍ଷୟ ଅର୍ଥାତ୍ ପରାଜୟ
କେବେ ହେଉଛି ଏହି କଥାକୁ କେହି ଜାଣିନାହଁନ୍ତି । ଭାରତର ଜୟ ସେତେବେଳେ ହୋଇଥାଏ ଯେତେବେଳେ କି
ଭାରତକୁ ନିଜର ରାଜ୍ୟ-ଭାଗ୍ୟ ମିଳିଥାଏ ଏବଂ ପୁରୁଣା ଦୁନିଆର ବିନାଶ ହୋଇଥାଏ । ରାବଣ ହିଁ କ୍ଷୟ
କରିଥାଏ । ରାମ ବିଜୟୀ କରାଇଥା’ନ୍ତି । କିନ୍ତୁ “ଜୟ ଭାରତ” କହିବା ଠିକ୍ କିନ୍ତୁ ଜୟ ହିନ୍ଦ ନୁହେଁ
। ଶବ୍ଦକୁ ବଦଳାଇ ଦେଇଛନ୍ତି । ଗୀତାରେ ବହୁତ ସୁନ୍ଦର ସୁନ୍ଦର ଉଲ୍ଲେଖ ରହିଛି ।
ଉଚ୍ଚରୁ ଉଚ୍ଚ ହେଉଛନ୍ତି
ଭଗବାନ, କହୁଛନ୍ତି ଯେ ମୋର କେହି ମାତା-ପିତା ନାହାଁନ୍ତି । ମୋତେ ନିଜେ ହିଁ ନିଜର ରୂପ ସୃଷ୍ଟି
କରିବାକୁ ପଡିଥାଏ । ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଥାଏ । କୃଷ୍ଣ ତ ମାତାଙ୍କ ଗର୍ଭରୁ ଜନ୍ମ
ନେଉଛନ୍ତି । ମୁଁ ତ ରଚୟିତା ଅଟେ । ଡ୍ରାମା ଅନୁସାରେ ଭକ୍ତିମାର୍ଗ ପାଇଁ ଏହି ଶାସ୍ତ୍ର ସବୁ ରଚନା
କରାଯାଇଛି । ଏହି ଗୀତା, ଭାଗବତ ଆଦି ସବୁ ଦେବୀ ଦେବତା ଧର୍ମ ଉପରେ ହିଁ ଆଧାରିତ । ଯେତେବେଳେ କି
ବାବା ଏହି ଦେବୀ ଦେବତା ଧର୍ମର ସ୍ଥାପନା କରିଥିଲେ କିନ୍ତୁ ତାହା ମଧ୍ୟ ଅତୀତ ହୋଇଯାଇଛି ପୁଣି
ଭବିଷ୍ୟତରେ ଆସିବ । ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ, ଅତୀତ-ବର୍ତ୍ତମାନ ଏବଂ ଭବିଷ୍ୟତ ବୋଲି
କୁହାଯାଉଛି । ଏଠାରେ ଆଦି-ମଧ୍ୟ-ଅନ୍ତର ପ୍ରକୃତ ଅର୍ଥ ସମ୍ପୂର୍ଣ୍ଣ ଅଲଗା । ଯାହା ଅତୀତ ହୋଇଯାଇଛି
ତାହା ପୁଣି ବର୍ତ୍ତମାନ ହେଉଅଛି । ଯାହା ଅତୀତର କାହାଣୀ ଶୁଣାଉଛନ୍ତି ତାହାର ଭବିଷ୍ୟତରେ ପୁଣି
ପୁନରାବୃତ୍ତି ହେବ । ମନୁଷ୍ୟ କିନ୍ତୁ ଏହି କଥାକୁ ଜାଣିନାହାଁନ୍ତି । ଯାହା ଅତୀତ ହୋଇଯାଇଛି
ତାହାର କାହାଣୀ ବାବା ବର୍ତ୍ତମାନ ଶୁଣାଉଛନ୍ତି ପୁଣି ତାହାର ଭବିଷ୍ୟତରେ ପୁନରାବୃତ୍ତି ହେବ । ଏହା
ବହୁତ ବୁଝିବାର କଥା ସେଥିପାଇଁ ବହୁତ ସ୍ୱଚ୍ଛ ବୁଦ୍ଧି ଆବଶ୍ୟକ । ତୁମ ପିଲାମାନଙ୍କୁ କେଉଁଠାକୁ
ବି ଡାକନ୍ତୁ ଯାଇ ଭାଷଣ କରିବାକୁ ହେବ । ପୁତ୍ର ପିତାର ପ୍ରତ୍ୟକ୍ଷତା କରିଥାଏ । ପିଲାମାନଙ୍କୁ
ହିଁ ପିତାଙ୍କର ପରିଚୟ ଦେବାକୁ ହେବ । ପିତା ତ ନିହାତି ଆବଶ୍ୟକ, ନ ହେଲେ ସମ୍ପତ୍ତି କିପରି
ମିଳିବ । ତୁମେ ତ ସବୁଠାରୁ ଉଚ୍ଚ ଅଟ ତଥାପି ତୁମକୁ ନାମୀଗ୍ରାମୀ ବ୍ୟକ୍ତିମାନଙ୍କୁ ସମ୍ମାନ
ଦେବାକୁ ପଡୁଛି । ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ସମସ୍ତେ ଈଶ୍ୱର ପିତାଙ୍କୁ
ଡାକିଥା’ନ୍ତି, ପ୍ରାର୍ଥନା କରିଥା’ନ୍ତି ଯେ, ହେ - ଈଶ୍ୱର ପିତା ଆସ । କିନ୍ତୁ ସେ କିଏ ଏହି କଥା
କେହି ଜାଣିନାହାଁନ୍ତି । ତୁମକୁ ଶିବବାବାଙ୍କର, ଶ୍ରୀକୃଷ୍ଣଙ୍କର ଏବଂ ଭାରତର ମହିମା କରିବାର ଅଛି
। ଭାରତ ଶିବାଳୟ ସ୍ୱର୍ଗ ଥିଲା । ୫ ହଜାର ବର୍ଷ ପୂର୍ବରୁ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା ।
ତାହାକୁ କିଏ ସ୍ଥାପନ କରିଥିଲେ? ନିଶ୍ଚିତ ଉଚ୍ଚରୁ ଉଚ୍ଚ ଭଗବାନ ହିଁ ସ୍ଥାପନ କରିଥିଲେ ନା ।
ଉଚ୍ଚରୁ ଉଚ୍ଚ ନିରକାର ପରମପିତା ପରମାତ୍ମା ଅଟନ୍ତି, ଯାହାଙ୍କର ଶିବାୟ ନମଃ ବୋଲି ଗାୟନ କରାଯାଏ
। ଶିବ ଜୟନ୍ତୀ ଭାରତବାସୀମାନେ ହିଁ ପାଳନ କରିଥା’ନ୍ତି । କିନ୍ତୁ ଶିବବାବା କେବେ ଆସିଥିଲେ କେହି
ଜାଣିନାହାଁନ୍ତି । ତେବେ ନିଶ୍ଚିତ ସ୍ୱର୍ଗ ପୂର୍ବରୁ ସଂଗମଯୁଗରେ ହିଁ ଆସିଥିବେ । ବାବା କହୁଛନ୍ତି
ମୁଁ କଳ୍ପ-କଳ୍ପର ସଂଗମଯୁଗରେ ହିଁ ଆସିଥାଏ କିନ୍ତୁ ସବୁ ଯୁଗରେ ନୁହେଁ । ଯଦି ସବୁ ଯୁଗରେ
ଆସୁଛନ୍ତି ବୋଲି କହୁଛନ୍ତି ତେବେ ୪ ଅବତାର ହେବା ଦରକାର ନା । କିନ୍ତୁ ସେମାନେ ତ କେତେଗୁଡିଏ
ଅବତାର ଦେଖାଇ ଦେଇଛନ୍ତି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଏକମାତ୍ର ବାବା ଯିଏକି ସ୍ୱର୍ଗର ରଚନା
କରୁଛନ୍ତି । ଭାରତ ହିଁ ସ୍ୱର୍ଗ ଥିଲା, ନିର୍ବିକାରୀ ଦୁନିଆ ଥିଲା । ପୁଣି ତୁମେ ଏହି ପ୍ରଶ୍ନ
ପଚାରିପାରିବ ନାହିଁ ଯେ ସେଠାରେ ସନ୍ତାନ କିପରି ଜନ୍ମ ହେବ । ସେଠାରେ ଯେଉଁ ନୀତି-ପ୍ରଥା ଥିବ
ତାହା ହିଁ ଚାଲିବ । ତୁମେ କାହିଁକି ଚିନ୍ତା କରୁଛ । ପ୍ରଥମେ ତୁମେ ବାବାଙ୍କୁ ତ ଜାଣ । ସେଠାରେ
(ସତ୍ୟଯୁଗରେ) ଆତ୍ମାର ଜ୍ଞାନ ରହିଥାଏ । ପ୍ରତ୍ୟେକ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର
ନେଇଥାଏ । ସେଥିରେ କାନ୍ଦିବାର କଥା ହିଁ ନାହିଁ । ସେଠାରେ କେବେ ଅକାଳମୃତ୍ୟୁ ହୁଏ ନାହିଁ ।
ଖୁସୀ-ଖୁସୀରେ ଶରୀର ଛାଡିଥା’ନ୍ତି । ଏବେ ବାବା ବୁଝାଉଛନ୍ତି ଯେ ମୁଁ କିପରି ଶରୀର ପରିବର୍ତ୍ତନ
କରି ଆସୁଛି । କିନ୍ତୁ କୃଷ୍ଣଙ୍କ ପାଇଁ ଏପରି କୁହାଯାଇପାରିବ ନାହିଁ । ସିଏ ତ ଗର୍ଭରୁ ଜନ୍ମ
ନେଇଥା’ନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ହେଉଛନ୍ତି ସୂକ୍ଷ୍ମଲୋକ ନିବାସୀ । ପ୍ରଜାପିତା
ବ୍ରହ୍ମା ତ ଏଠାରେ ଆବଶ୍ୟକ । ଆମେ ସମସ୍ତେ ତାଙ୍କର ସନ୍ତାନ । ସେହି ନିରାକାର ପିତା ଅବିନାଶୀ
ଅଟନ୍ତି ଏବଂ ଆମେ ଆତ୍ମାମାନେ ମଧ୍ୟ ଅବିନାଶୀ । କିନ୍ତୁ ଆମକୁ ପୁନର୍ଜନ୍ମରେ ନିହାତି ଆସିବାକୁ
ହେବ । ଏହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । କହିଥା’ନ୍ତି ମଧ୍ୟ ପୁଣି ଥରେ ଆସି ଆମକୁ ଗୀତା
ଜ୍ଞାନ ଶୁଣାଅ । ତେବେ ସମସ୍ତେ ସୃଷ୍ଟି ଚକ୍ରରେ ଆସିବେ ନା, ଯିଏକି ପୂର୍ବରୁ ଆସିଥିଲେ । ବାବା
ମଧ୍ୟ ଏଠାକୁ ଆସିଥିଲେ ପୁଣି ଏବେ ଆସିଛନ୍ତି । କହୁଛନ୍ତି ମୁଁ ପୁଣି ଥରେ ଆସି ତୁମକୁ ଗୀତା
ଜ୍ଞାନ ଶୁଣାଉଛି । ଡାକୁଛନ୍ତି ମଧ୍ୟ ଯେ ହେ ପତିତ-ପାବନ ଆସ । ତେବେ ନିଶ୍ଚିତ ଏହା ପତିତ ଦୁନିଆ
ଅଟେ । ଏଠାରେ ସମସ୍ତେ ପତିତ ତେଣୁ ପାପକୁ ଧୋଇବା ପାଇଁ ଗଙ୍ଗାସ୍ନାନ ଆଦି କରୁଛନ୍ତି । ଏହି ଭାରତ
ହିଁ ସ୍ୱର୍ଗ ଥିଲା । ଏହା ହିଁ ଉଚ୍ଚରୁ ଉଚ୍ଚ ଅବିନାଶୀ ଭୂଖଣ୍ଡ ଏବଂ ସମସ୍ତଙ୍କର ତୀର୍ଥ ସ୍ଥାନ ।
ବର୍ତ୍ତମାନ ସମସ୍ତ ମନୁଷ୍ୟ ପତିତ ଅଟନ୍ତି । ଏକମାତ୍ର ବାବା ହିଁ ସମସ୍ତଙ୍କୁ ଜୀବନମୁକ୍ତି
ଦେଇଥା’ନ୍ତି । ତେବେ ଯିଏ ଯେତେ ବଡ ସେବା କରୁଛନ୍ତି ତାଙ୍କର ସେତେ ବଡ ମହିମା ଗାୟନ ହେବା
ନିଶ୍ଚିତ ଦରକାର । ଅବିନାଶୀ ପିତାଙ୍କର ଜନ୍ମସ୍ଥାନ ହେଉଛି ଭାରତ । ସେ ହିଁ ସମସ୍ତଙ୍କୁ ପାବନ
କରିଥା’ନ୍ତି । ବାବା ନିଜର ଜନ୍ମ ସ୍ଥାନକୁ ଛାଡି ଆଉ କେଉଁଠିକୁ ଯାଇପାରିବେ ନାହିଁ । ତେଣୁ ବାବା
ଆସି ବୁଝାଉଛନ୍ତି ସିଏ କିଭଳି ନିଜର ରୂପ ପରିବର୍ତ୍ତନ କରି ଏଠାକୁ ଆସୁଛନ୍ତି ।
ସବୁକିଛି ଧାରଣା ଉପରେ
ଆଧାରିତ । ଧାରଣା ଆଧାରରେ ହିଁ ତୁମ ପିଲାମାନଙ୍କର ପଦ ନିର୍ଭର କରୁଛି । ସମସ୍ତଙ୍କର ମୁରଲୀ
ଶୁଣାଇବାର ଶୈଳୀ ସମାନ ହୋଇ ନ ଥାଏ । ଯଦିଓ କାଠର ମୁରଲୀ ବି ବଜାନ୍ତୁ ତେବେ ବି ସମସ୍ତେ ଗୋଟିଏ
ପ୍ରକାରର ବଜାଇ ପାରି ନ ଥା’ନ୍ତି । ଡ୍ରାମାରେ ସମସ୍ତଙ୍କର ଅଭିନୟ ଅଲଗା ଅଲଗା । ଏତେ ଛୋଟ
ଆତ୍ମାରେ କେତେ ଶ୍ରେଷ୍ଠ ଅଭିନୟ ଭରି ହୋଇ ରହିଛି । ପରମାତ୍ମା ମଧ୍ୟ କହୁଛନ୍ତି ଯେ ମୁଁ ବି ଜଣେ
ଅଭିନେତା ଅଟେ । ଯେତେବେଳେ ଧର୍ମର ଗ୍ଳାନି ହୋଇଥାଏ, ସେତେବେଳେ ମୁଁ ଆସିଥାଏ । ଭକ୍ତିମାର୍ଗରେ
ମଧ୍ୟ ମୁଁ ହିଁ ଭକ୍ତିର ଫଳ ଦେଇଥାଏ । ଈଶ୍ୱର ଅର୍ଥେ ଦାନପୁଣ୍ୟ କରିଥା’ନ୍ତି, ତେବେ ମୁଁ ହିଁ
ତା’ର ଫଳ ଦେଇଥାଏ । ସମସ୍ତେ ନିଜକୁ ଈଶ୍ୱରଙ୍କ ନିକଟରେ ବୀମା କରାଇଥା’ନ୍ତି କାରଣ ଜାଣିଥାନ୍ତି
ଯେ ଏହାର ଫଳ ନିଶ୍ଚିତ ଭାବରେ ପରବର୍ତ୍ତୀ ଜନ୍ମରେ ମିଳିବ । ତୁମେମାନେ ୨୧ ଜନ୍ମ ପାଇଁ ବୀମା
କରୁଛ । ଦୁନିଆରେ ତ ବିନାଶୀ ବୀମା କରିଥା’ନ୍ତି ଏବଂ ତାହା ମଧ୍ୟ ଅପ୍ରତ୍ୟକ୍ଷ ଭାବରେ କିନ୍ତୁ
ଏଠାରେ ତୁମେ ବେହଦର ବୀମା କରୁଛ, ଯାହାକି ପ୍ରତ୍ୟକ୍ଷ ରୂପରେ ମିଳୁଛି । ତୁମେମାନେ ନିଜର
ଶରୀର-ମନ-ଧନ ସହିତ ନିଜକୁ ମଧ୍ୟ ବୀମା କରିଛ ଯାହାଦ୍ୱାରା ଅସରନ୍ତି ଧନ ପାଇବ । ସଦା ସୁସ୍ଥ ଏବଂ
ସଦା ସମ୍ପତ୍ତିବାନ ହେବ । ତୁମେମାନେ ପ୍ରତ୍ୟକ୍ଷ ଭାବରେ ଈଶ୍ୱରଙ୍କୁ ଅର୍ପଣ କରୁଛ । ମନୁଷ୍ୟ
ଈଶ୍ୱରଙ୍କ ନିମନ୍ତେ ଦାନ କରିଥା’ନ୍ତି ଏବଂ ଜାଣିଥା’ନ୍ତି ଯେ ପରବର୍ତ୍ତୀ ଜନ୍ମରେ ଈଶ୍ୱର ଏହାର
ଫଳ ନିଶ୍ଚିତ ଦେବେ । କିନ୍ତୁ ସେ କିପରି ଦେଉଛନ୍ତି ତାହା ବୁଝିପାରୁ ନାହାଁନ୍ତି । ମନୁଷ୍ୟମାନେ
ଭାବୁଛନ୍ତି ଯାହା କିଛି ବି ମିଳୁଛି ସେ ସବୁ ଈଶ୍ୱର ଦେଉଛନ୍ତି । ଈଶ୍ୱର ସନ୍ତାନ ମଧ୍ୟ ଦେଉଛନ୍ତି,
ଆଚ୍ଛା, ଯଦି ଦେଇଛନ୍ତି ତେବେ ନିଶ୍ଚିତ ଭାବରେ ନେବେ ମଧ୍ୟ । ତୁମ ସମସ୍ତଙ୍କୁ ନିଶ୍ଚିତ ମରିବାକୁ
ପଡିବ । ସାଥିରେ ତ କିଛି ବି ଯିବ ନାହିଁ । ଏହି ଶରୀର ମଧ୍ୟ ବିନାଶ ହୋଇଯିବ ସେଥିପାଇଁ ଯାହା କିଛି
ବୀମା କରିବାର ଅଛି ଏବେ କରିନିଅ ତେବେ ୨୧ ଜନ୍ମ ପାଇଁ ତୁମର ଜମା ହୋଇଯିବ । ଏପରି ନୁହେଁ ଯେ
ସବୁକିଛି ଅର୍ପଣ କରିବା ପରେ ଆଉ କିଛି ସେବା କରିବ ନାହିଁ, ଏହିଠାରେ ହିଁ ଖାଇ ଶେଷ କରିବେ । ସେବା
ତ କରିବାକୁ ହେବ ନା । ତୁମ ପାଇଁ ପୁଣି ଖର୍ଚ୍ଚ ମଧ୍ୟ ହେଉଛି । ଅର୍ପଣ କରି ପୁଣି ଖାଇଦେଲ ତେବେ
କିଛି ମିଳିବ ନାହିଁ । ତୁମକୁ ସେତେବେଳେ ମିଳିବ ଯେତେବେଳେ ତୁମେ ସେବା କରିବ ତେବେ ଉଚ୍ଚ ପଦ
ମଧ୍ୟ ପାଇବ । ଯିଏ ଯେତେ ଅଧିକା ସେବା କରୁଛନ୍ତି, ତାଙ୍କୁ ସେତେ ଅଧିକା ପଦ ମିଳୁଛି । କମ୍ ସେବା
କଲେ କମ୍ ପଦ ମିଳିବ । ସରକାରୀ ସମାଜ ସେବୀ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । ସେମାନଙ୍କ ପାଖରେ
ମଧ୍ୟ ଜନବଳ ରହିଥାଏ । ଅନେକ ପ୍ରକାରର ସମାଜସେବୀ ଅଛନ୍ତି । ସେମାନେ ହେଉଛନ୍ତି ଶାରୀରିକ
ସମାଜସେବୀ । ତୁମେ ହେଉଛ ଆତ୍ମିକ ସମାଜସେବୀ । ତୁମେ ପ୍ରତ୍ୟେକଙ୍କୁ ଏହାର ଯାତ୍ରୀ କରାଉଛ । ଏହା
ହେଉଛି ବାବାଙ୍କ ପାଖକୁ ଯିବାର ଆତ୍ମିକ ଯାତ୍ରା । ବାବା କହୁଛନ୍ତି ଦେହ ସହିତ ଦେହର ସବୁ
ସମ୍ବନ୍ଧୀ ଏବଂ ଗୁରୁ ଗୋସାଇଁ ଆଦିଙ୍କୁ ଛାଡିଦିଅ । ମୋତେ ମନେ ପକାଅ । ପରମପିତା ପରମାତ୍ମା
ନିରାକାର ଅଟନ୍ତି । ସାକାର ରୂପ ଧାରଣ କରି ବୁଝାଉଛନ୍ତି । କହୁଛନ୍ତି ମୁଁ ଏହାଙ୍କ ଶରୀରକୁ ଉଧାର
ନେଉଛି, ପ୍ରକୃତିର ଆଧାର ନେଉଛି । ତୁମେ ମଧ୍ୟ ଅଶରୀରୀ ହୋଇ ଆସିଥିଲ ଏବେ ପୁଣି ସମସ୍ତଙ୍କୁ ଘରକୁ
ଫେରିବାକୁ ହେବ । ସବୁ ଧର୍ମାବଲମ୍ବୀମାନଙ୍କୁ କହୁଛନ୍ତି ଯେ ମୃତ୍ୟୁ ଏବେ ସମ୍ମୁଖରେ ଠିଆ ହୋଇଛି
। ଯାଦବ, କୌରବ ସବୁ ବିନାଶ ହୋଇଯିବେ । ପୁଣି ପାଣ୍ଡବମାନେ ଯାଇ ରାଜତ୍ୱ କରିବେ । ଏହି ଗୀତା
ଅଧ୍ୟାୟର ଏବେ ପୁଣି ପୁନରାବୃତ୍ତି ହେଉଛି । ଏବେ ଏହି ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି ।
୮୪ ଜନ୍ମ ନେଇ ନେଇ ଏବେ ଏହା ପୁରୁଣା ହୋଇଯାଇଛି । ଏବେ ତୁମର ୮୪ ଜନ୍ମ ପୁରା ହେବାକୁ ଯାଉଛି ।
ନାଟକ ଶେଷ ହେବ । ପୁଣି ଘରକୁ ଯିବାକୁ ହେବ, ଏହି ପୁରୁଣା ଶରୀରକୁ ତ୍ୟାଗ କରିବାକୁ ହେବ ।
ତୁମେମାନେ ଜଣେ ଅନ୍ୟ ଜଣଙ୍କୁ ଏହା ସ୍ମରଣ କରାଇ ଦିଅ ଯେ ଏବେ ଘରକୁ ଫେରିବାକୁ ହେବ । ଅନେକ ଥର
ଏହି ୮୪ ଜନ୍ମର ଅଭିନୟ କରିସାରିଲଣି । ଏହି ନାଟକ ଅନାଦି ଅଟେ, ଯିଏ ଯେଉଁ ଧର୍ମର ହୋଇଥିବେ
ସେମାନଙ୍କୁ ନିଜ ନିଜ ବିଭାଗକୁ ଯିବାକୁ ହେବ । ଯେଉଁ ଦେବୀ-ଦେବତା ଧର୍ମ ଏବେ ପ୍ରାୟ ଲୋପ
ହୋଇଯାଇଛି, ତାହାର ଚାରା ଏବେ ଲାଗୁଛି । ଯେଉଁମାନେ ଫୁଲ ହୋଇଥିବେ ସେମାନେ ଆସିଯିବେ । ଏଠାକୁ
ବହୁତ ଭଲ ଭଲ ଫୁଲ (ସନ୍ତାନ) ମଧ୍ୟ ଆସିଥା’ନ୍ତି କିନ୍ତୁ ଯେତେବେଳେ ମାୟାର ତୋଫାନ ଲାଗୁଛି
ଖସିପଡୁଛନ୍ତି ପୁଣି ଯେତେବେଳେ ଜ୍ଞାନର ସଞ୍ଜିବନୀ ବୁଟୀ ମିଳିଯାଉଛି ସେତେବେଳେ ପୁଣି
ଉଠିଯାଇଥା’ନ୍ତି । ବାବା ମଧ୍ୟ କହୁଛନ୍ତି ତୁମେ ଶାସ୍ତ୍ର ଆଦି ତ ବହୁତ ପଢିଆସିଛ । ତେଣୁ
ନିଶ୍ଚିତ ଭାବରେ ଗୁରୁ ଆଦି ଥିବେ । ବାବା କହୁଛନ୍ତି ଗୁରୁମାନଙ୍କ ସହିତ ସମସ୍ତଙ୍କର ସଦ୍ଗତିଦାତା
କେବଳ ମୁଁ ହିଁ ଅଟେ । ଗୋଟିଏ ସେକେଣ୍ଡରେ ମୁକ୍ତି ଜୀବନମୁକ୍ତି ମିଳିଥାଏ । ରାଜା-ରାଣୀ ଅର୍ଥାତ୍
ପ୍ରବୃତ୍ତି ମାର୍ଗ ହୋଇଗଲା । ସେଠାରେ ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା । ଏବେ ସମ୍ପୂର୍ଣ୍ଣ
ଭାବରେ ବିକାରୀ ହୋଇଯାଇଛି । ସେଠାରେ ରାବଣ ରାଜ୍ୟ ନଥିଲା । ରାବଣର ରାଜ୍ୟ ଅଧାକଳ୍ପ ହେଲା ଆରମ୍ଭ
ହୋଇଛି । ଭାରତବାସୀମାନେ ହିଁ ରାବଣ ପାଖରେ ହାରିଯାଉଛନ୍ତି । ବାକି ଅନ୍ୟ ସବୁ ଧର୍ମର ଆତ୍ମାମାନେ
ନିଜ ନିଜର ସମୟାନୁସାରେ ସତ୍ତ୍ୱ-ରଜଃ-ତମଃ ଦେଇ ଗତି କରିଥା’ନ୍ତି । ପ୍ରଥମେ ସୁଖ ପରେ ଦୁଃଖରେ
ଆସିଥା’ନ୍ତି । ପ୍ରଥମେ ମୁକ୍ତି ପରେ ପୁଣି ରହିଛି ଜୀବନମୁକ୍ତି । ଏହି ସମୟରେ ସମସ୍ତେ
ତମଃପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଅଛନ୍ତି । ପ୍ରତ୍ୟେକ ଆତ୍ମା ଗୋଟିଏ ଶରୀର ଛାଡି ପୁଣି
ଆଉ ଗୋଟିଏ ନୂଆ ଶରୀର ନେଇଥାଏ । ବାବା କହୁଛନ୍ତି - ମୁଁ ତ ଜନ୍ମ-ମରଣର ଚକ୍ରରେ ଆସେ ନାହିଁ ।
ମୋର ତ କେିହ ପିତା ହୋଇପାରିବେ ନାହିଁ । ବାକି ଆଉ ସମସ୍ତଙ୍କର ପିତା ଅଛନ୍ତି । ଶ୍ରୀକୃଷ୍ଣଙ୍କର
ଜନ୍ମ ମଧ୍ୟ ମାଆଙ୍କ ଗର୍ଭରୁ ହେଉଛି । ଏହି ବ୍ରହ୍ମା ଯେତେବେଳେ ରାଜ୍ୟ ପ୍ରାପ୍ତ କରିବେ ସେତେବେଳେ
ଗର୍ଭରୁ ହିଁ ଜନ୍ମ ନେବେ । ଏହାଙ୍କୁ ହିଁ ପୁରୁଣାରୁ ନୂଆ ହେବାକୁ ପଡିବ । ଇଏ ୮୪ ଜନ୍ମର ବୃଦ୍ଧ
ଶରୀର । ଏହାର ରହସ୍ୟକୁ କ୍ୱଚିତ୍ କେହି କେହି ଯଥାର୍ଥ ଭାବରେ ବୁଝିପାରନ୍ତି ଏବଂ ସେମାନଙ୍କ ଭିତରେ
ନିଶା ଚଢିଥାଏ । ଏହା କସ୍ତୁରୀ ସଦୃଶ ଅତ୍ୟନ୍ତ ସୁଗନ୍ଧଯୁକ୍ତ ମଧୁର ଜ୍ଞାନ ଅଟେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆତ୍ମିକ
ସମାଜସେବୀ ହୋଇ ସମସ୍ତଙ୍କୁ ଆତ୍ମିକ ଯାତ୍ରା ଶିଖାଇବାକୁ ହେବ । ନିଜର ଦେବୀ-ଦେବତା ଧର୍ମର ଚାରା
ରୋପଣ କରିବାକୁ ହେବ ।
(୨) ନିଜର ସ୍ୱଚ୍ଛ
ବୁଦ୍ଧି ଦ୍ୱାରା ବାବାଙ୍କର ପ୍ରତ୍ୟକ୍ଷତା କରିବାକୁ ହେବ । ପ୍ରଥମେ ନିଜ ଭିତରେ ଧାରଣା କରି ପୁଣି
ଅନ୍ୟକୁ ଶୁଣାଇବାକୁ ହେବ ।
ବରଦାନ:-
ବାଣୀ ସାଥୀରେ
ମନ ଦ୍ୱାରା ମଧ୍ୟ ଶକ୍ତିଶାଳୀ ସେବା କରୁଥିବା ସହଜ ସଫଳତା ମୂରତ ହୁଅ ।
ଯେପରି ବାଣୀ ଦ୍ୱାରା
ସେବା କରିବାରେ ସର୍ବଦା ବ୍ୟସ୍ତ ରହିବାର ଅନୁଭବୀ ହୋଇଯାଇଛ, ସେହିପରି ସବୁ ସମୟରେ ବାଣୀ ସହିତ
ମାନସିକ ସେବା ମଧ୍ୟ ସ୍ୱତଃ ଭାବରେ ହେବା ଦରକାର । ମାନସୀକ ସେବାର ଅର୍ଥ ହେଲା ସବୁ ସମୟରେ ସବୁ
ଆତ୍ମାଙ୍କ ପ୍ରତି ସ୍ୱତଃ ହିଁ ଶୁଭଭାବନା ଏବଂ ଶୁଭକାମନାର ଶୁଦ୍ଧ ପ୍ରକମ୍ପନ ନିଜକୁ ତଥା
ଅନ୍ୟମାନଙ୍କୁ ଅନୁଭବ ହେଉଥିବ, ମନ ଭିତରୁ ସବୁ ସମୟରେ ସବୁ ଆତ୍ମାଙ୍କ ପ୍ରତି ଆଶୀର୍ବାଦ
ବାହାରୁଥିବ । ତେଣୁ ମାନସିକ ସେବା କରିବା ଦ୍ୱାରା ବାଣୀର ଶକ୍ତି ମଧ୍ୟ ସଞ୍ଚୟ ହେବ ଏବଂ ଏହିଭଳି
ଶକ୍ତିଶାଳୀ ସେବା ତୁମକୁ ସହଜରେ ସଫଳତା ମୂରତ କରିଦେବ ।
ସ୍ଲୋଗାନ:-
ନିଜର ପ୍ରତ୍ୟେକ
ଚାଲିଚଳନ ଦ୍ୱାରା ବାବାଙ୍କର ନାମକୁ ବିଖ୍ୟାତ କରୁଥିବା ଆତ୍ମାମାନେ ହିଁ ସଚ୍ଚା ସଚ୍ଚା ଈଶ୍ୱରୀୟ
ସେବାଧାରୀ ।