21.02.21    Avyakt Bapdada     Odia Murli     06.11.87     Om Shanti     Madhuban


ନିରନ୍ତର ସେବାଧାରୀ ହେବାର ଆଧାର - ଚାରି ପ୍ରକାରର ସେବା


ଆଜି ବିଶ୍ୱ କଲ୍ୟାଣୀକାରୀ, ବିଶ୍ୱ ସେବାଧାରୀ ପିତା ନିଜର ସମସ୍ତ ବିଶ୍ୱ-ସେବାଧାରୀ ଏବଂ ସହଯୋଗୀ ପିଲାମାନଙ୍କୁ ଦେଖୁଥିଲେ ଯେ ପ୍ରତ୍ୟେକ ସନ୍ତାନ ନିରନ୍ତର ସହଜଯୋଗୀ ହେବା ସହିତ ନିରନ୍ତର ସେବାଧାରୀ କେତେ ପରିମାଣରେ ହେଲେଣି? କାହିଁକି ନା ଯୋଗ ସହିତ ସେବାର ସନ୍ତୁଳନ ହିଁ ସର୍ବଦା ବ୍ରାହ୍ମଣ ଜୀବନରେ ବାପଦାଦା ଏବଂ ସର୍ବଶ୍ରେଷ୍ଠ ବ୍ରାହ୍ମଣ ପରିବାରର ଆତ୍ମାମାନଙ୍କ ଦ୍ୱାରା ଆଶୀର୍ବାଦ ପାଇବାର ପାତ୍ର କରିଦିଏ । କେବଳ ଏହି ସଂଗମଯୁଗରେ ହିଁ ବ୍ରାହ୍ମଣ ଜୀବନରେ ପରମାତ୍ମାଙ୍କର ଆଶୀର୍ବାଦ ଏବଂ ବ୍ରାହ୍ମଣ ପରିବାରର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ସେଥିପାଇଁ ଏହି ଛୋଟିଆ ଜୀବନରେ ସର୍ବପ୍ରାପ୍ତି ସହିତ ସଦାକାଳର ପ୍ରାପ୍ତି ମଧ୍ୟ ସହଜରେ ମିଳିଯାଇଥାଏ । ତେଣୁ ଏହି ସଂଗମଯୁଗକୁ ବିଶେଷ ଭାବରେ ଆଶୀର୍ବାଦ ପାଇବାର ଯୁଗ ମଧ୍ୟ କୁହାଯାଇପାରିବ ଏବଂ ମହାନ ଯୁଗ ମଧ୍ୟ କୁହାଯାଇପାରିବ । ସ୍ୱୟଂ ପରମାତ୍ମା ପିତା ପ୍ରତ୍ୟେକ ଶ୍ରେଷ୍ଠ କର୍ମ ଏବଂ ଶ୍ରେଷ୍ଠ ସଂକଳ୍ପ ଆଧାରରେ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନକୁ ସବୁ ସମୟରେ ଆନ୍ତିରକ ଆଶୀର୍ବାଦ ଦେଇ ଚାଲିଛନ୍ତି । ତେଣୁ ଏହି ବ୍ରାହ୍ମଣ ଜୀବନ ପରମାତ୍ମ-ଆଶୀର୍ବାଦର ପାଳନା ଦ୍ୱାରା ବୃଦ୍ଧି ପ୍ରାପ୍ତ କରୁଥିବା ଜୀବନ । ନିଜେ ଭୋଳାନାଥ ବାବା ସବୁ ପ୍ରକାରର ଆଶୀର୍ବାଦର ମୁଣି ଖୋଲା ହୃଦୟରେ ପିଲାମାନଙ୍କୁ ଦେଇ ଚାଲିଛନ୍ତି କିନ୍ତୁ ଏହି ସମସ୍ତ ଆଶୀର୍ବାଦକୁ ପ୍ରାପ୍ତ କରିବାର ଆଧାର ହେଲା ଯୋଗ ଏବଂ ସେବାର ସନ୍ତୁଳନ ରଖିବା ଅର୍ଥାତ୍ ମାନ ଗୁରୁତ୍ୱ ଦେବା । ଯଦି ନିରନ୍ତର ଯୋଗୀ ଅଟ ତେବେ ନିରନ୍ତର ସେବାଧାରୀ ମଧ୍ୟ ଅଟ । ତେବେ ସେବାର ମହତ୍ୱ ସର୍ବଦା ବୁଦ୍ଧିରେ ରହୁଛି ତ? କେହି କେହି ପିଲା ଭାବୁଛନ୍ତି - ଯେତେବେଳେ ସେବା କରିବା ପାଇଁ କୌଣସି ସୁଯୋଗ ମିଳୁଛି ବା କୌଣସି ସାଧନ ବା ସମୟ ମିଳୁଛି ସେତେବେଳେ ହିଁ ଆମେ ସେବା କରୁଛୁ, କିନ୍ତୁ ବାପଦାଦା ଯୋଗକୁ ଯେପରି ନିରନ୍ତର ଏବଂ ସହଜ ରୂପରେ ଅନୁଭବ କରାଉଛନ୍ତି ସେହିପରି ସେବା ମଧ୍ୟ ନିରନ୍ତର ଏବଂ ସହଜ ହୋଇପାରିବ । ତେବେ ଆଜି ବାପଦାଦା ସେବାଧାରୀ ପିଲାମାନଙ୍କର ସେବାର ଚାର୍ଟକୁ ଦେଖୁଥିଲେ । ଯେପର୍ଯ୍ୟନ୍ତ ନିରନ୍ତର ସେବାଧାରୀ ହୋଇନାହଁ ସେପର୍ଯ୍ୟନ୍ତ ସଦାକାଳର ଆଶୀର୍ବାଦର ଅନୁଭବୀ ହୋଇପାରିବ ନାହିଁ । ଯେପରି ସମୟ ଅନୁସାରେ ବା ସେବାର ସୁଯୋଗ ଅନୁସାରେ ବା କୌଣସି କାର୍ଯ୍ୟକ୍ରମ ଅନୁସାରେ ସେବା କରୁଛ, ସେହି ସମୟରେ ସେବାର ଫଳ ସ୍ୱରୂପ ବାବାଙ୍କର ବା ବ୍ରାହ୍ମଣ ପରିବାରର ଆଶୀର୍ବାଦ ଏବଂ ସଫଳତାକୁ ପ୍ରାପ୍ତ କରୁଛ କିନ୍ତୁ ସଦାକାଳ ପାଇଁ ନୁହେଁ, ସେଥିପାଇଁ କେବେ କେବେ ଆଶୀର୍ବାଦ ମିଳୁଥିବା କାରଣରୁ ସ୍ୱଉନ୍ନତି ମଧ୍ୟ କେତେବେଳେ ସହଜ ଅନୁଭବ କରୁଛ ଆଉ କେତେବେଳେ ମେହନତ କରିବା ପରେ ଯାଇ ସଫଳତାର ଅନୁଭବ କରୁଛ, କାହିଁକି ନା ନିରନ୍ତର ରୂପରେ ଯୋଗ ଏବଂ ସେବାର ସନ୍ତୁଳନ ରହୁ ନାହିଁ । ତେଣୁ ନିରନ୍ତର ସେବାଧାରୀ କିପରି ହୋଇପାରିବ, ଆଜି ସେହିଭଳି ସେବାର ମହତ୍ୱକୁ ଶୁଣାଉଛନ୍ତି ।

ତେବେ ସାରା ଦିନ ଭିତରେ ଭିନ୍ନ ଭିନ୍ନ ପ୍ରକାରର ସେବା କରିପାରିବ । ସେଥି ମଧ୍ୟରୁ ପ୍ରଥମେ ହେଲା ସ୍ୱ ର ସେବା ଅର୍ଥାତ୍ ନିଜର ସେବା ଅର୍ଥାତ୍ ନିଜକୁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ କରିବା ପାଇଁ ସର୍ବଦା ଧ୍ୟାନ ରଖିବା । ତୁମମାନଙ୍କର ପାଠପଢାର ଯାହା ସବୁ ମୁଖ୍ୟ ବିଷୟ ଗୁଡିକ ରହିଛି ସେହି ସବୁ ବିଷୟରେ ନିଜକୁ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରାଇବାକୁ ହେବ । ଏଥିରେ ଜ୍ଞାନ-ସ୍ୱରୂପ, ଯୋଗ-ସ୍ୱରୂପ, ଧାରଣା-ସ୍ୱରୂପ - ସବୁଥିରେ ସମ୍ପନ୍ନ ହେବାକୁ ପଡିବ, ତେଣୁ ଏହି ସ୍ୱ ସେବା ସର୍ବଦା ବୁଦ୍ଧିରେ ରହିବା ଉଚିତ୍ ଏବଂ ସ୍ୱସେବା ସ୍ୱତଃ ଭାବରେ ତୁମମାନଙ୍କର ସମ୍ପନ୍ନ ସ୍ୱରୂପ ଦ୍ୱାରା ସେବା କରାଇ ଚାଲିବ କିନ୍ତୁ ଏହାର ବିଧି ହେଲା - ଅଟେନ୍‌ସନ୍ ଏବଂ ଚେକିଂ ଅର୍ଥାତ୍ ନିଜ ଉପରେ ବାରମ୍ବାର ଧ୍ୟାନ ଦେବା ଏବଂ ପ୍ରତ୍ୟେକ ସଂକଳ୍ପ, ବାଣୀ ଏବଂ କର୍ମକୁ ଯାଞ୍ଚ କରିବା । ତେଣୁ ନିଜର ହିଁ ଚେକିଂ କରିବାକୁ ହେବ, ଅନ୍ୟମାନଙ୍କର ନୁହେଁ । ଦ୍ୱିତୀୟରେ ହେଲା - ବିଶ୍ୱ ସେବା ଯାହାକି ଭିନ୍ନ ଭିନ୍ନ ସାଧନ ଗୁଡିକ ଦ୍ୱାରା, ଭିନ୍ନ ଭିନ୍ନ ବିଧି ଦ୍ୱାରା, ବାଣୀ ଦ୍ୱାରା ବା ସମ୍ବନ୍ଧ-ସମ୍ପର୍କ ଦ୍ୱାରା ମଧ୍ୟ କରୁଛ । ଏହାକୁ ସମସ୍ତେ ଭଲ ଭାବରେ ଜାଣିଛ । ତୃତୀୟରେ ହେଲା - ଯଜ୍ଞ ସେବା ଯାହାକୁ ଶରୀର ଏବଂ ଧନ ଦ୍ୱାରା କରୁଛ । ଚତୁର୍ଥରେ ହେଲା - ମାନସିକ ସେବା । ନିଜର ଶୁଭଭାବନା, ଶ୍ରେଷ୍ଠ କାମନା, ଶ୍ରେଷ୍ଠ ବୃତ୍ତି ଏବଂ ଶ୍ରେଷ୍ଠ ବିଚାରର ତରଙ୍ଗ ଦ୍ୱାରା ଯେକୌଣସି ସ୍ଥାନରେ ରହି ଅନେକ ଆତ୍ମାମାନଙ୍କର ସେବା କରିପାରିବ । ଏହାର ବିଧି ହେଲା - ଲାଇଟ୍ ହାଉସ, ମାଇଟ୍ ହାଉସ ହେବା । ଲାଇଟ୍ ହାଉସ୍ ଗୋଟିଏ ସ୍ଥାନରେ ରହି ବହୁତ ଦୂର ପର୍ଯ୍ୟନ୍ତ ସେବା କରିଥାଏ । ସେହିଭଳି ତୁମେମାନେ ମଧ୍ୟ ଗୋଟିଏ ସ୍ଥାନରେ ରହି ଅନେକଙ୍କର ସେବା ଅର୍ଥେ ନିମିତ୍ତ ହୋଇପାରିବ । ଯଦି ସେତିକି ପରିମାଣରେ ଶକ୍ତି ରୂପକ ସମ୍ପତ୍ତି ଜମା ଥିବ ତେବେ ସହଜରେ କରିପାରିବ । ଏଥିରେ ସ୍ଥୂଳ ସାଧନ ବା ସୁଯୋଗ ବା ସମୟର କୌଣସି ସମସ୍ୟା ନାହିଁ । କେବଳ ଲାଇଟ୍ ଏବଂ ମାଇଟ୍‌ରେ ସମ୍ପନ୍ନ ହେବାର ଆବଶ୍ୟକତା ରହିଛି । ମନ ବୁଦ୍ଧି ସର୍ବଦା ବ୍ୟର୍ଥ ବିଚାର ଠାରୁ ମୁକ୍ତ ରହିବା ଦରକାର, ମନମନାଭବ ମନ୍ତ୍ରର ସହଜ ସ୍ୱରୂପ ହେବା ଦରକାର । ତେବେ ଏହି ଚାରି ପ୍ରକାରର ସେବା କଣ ତୁମକୁ ନିରନ୍ତର ସେବାଧାରୀ କରିପାରିବ ନାହିଁ? ତେଣୁ ଚାରୋଟି ଯାକ ସେବା ମଧ୍ୟରୁ କୌଣସି ନା କୌଣସି ସେବା ସବୁ ସମୟରେ କରୁଥାଅ ତେବେ ସହଜରେ ନିରନ୍ତର ସେବାଧାରୀ ହୋଇଯିବ ଏବଂ ନିରନ୍ତର ଭାବରେ ସେବାର ଉପସ୍ଥିତ ରହିବା କାରଣରୁ, ସର୍ବଦା ସେବାରେ ବ୍ୟସ୍ତ ରହିବା କାରଣରୁ ସହଜରେ ମାୟାଜିତ୍ ହୋଇଯିବ । ତେବେ ଚାରୋଟି ଯାକ ସେବା ମଧ୍ୟରୁ ଯେଉଁ ସମୟରେ ଯେଉଁ ସେବା କରିପାରିବ ତାହା କର କିନ୍ତୁ ଗୋଟିଏ ସେକେଣ୍ଡ ମଧ୍ୟ ସେବାରୁ ବଞ୍ଚିତ ହୋଇ ରୁହ ନାହିଁ । ୨୪ ଘଣ୍ଟାର ସେବାଧାରୀ ହେବାକୁ ପଡିବ । ୮ ଘଣ୍ଟା ପାଇଁ ଯୋଗୀ ବା ସେବାଧାରୀ ନୁହେଁ କିନ୍ତୁ ନିରନ୍ତର ସେବାଧାରୀ, ଏହା ସହଜ ଅଟେ ନା? ଯଦି ଅନ୍ୟ କିଛି ସେବା ନାହିଁ ତେବେ ସ୍ୱ ର ସେବା କରିବା ତ ଭଲ କଥା । ଯେତେବେଳେ ଯେଉଁ ସୁଯୋଗ ମିଳିବ ସେହି ସେବା କରିପାରିବ ।

କେତେକ ପିଲା ଶରୀର କାରଣରୁ ବା ସମୟ ନ ମିଳିବା କାରଣରୁ ଭାବୁଛନ୍ତି ଆମେ ତ ସେବା କରିପାରିବୁ ନାହିଁ, କିନ୍ତୁ ଯଦି ଚାରୋଟି ଯାକ ସେବା ମଧ୍ୟରୁ କୌଣସି ବି ସେବାରେ ବିଧିପୂର୍ବକ ସର୍ବଦା ବ୍ୟସ୍ତ ରହିବ ତେବେ ସେବାର ବିଷୟ ଉପରେ ନମ୍ବର ମିଳି ଚାଲିବ ଏବଂ ଏହି ଭଳି ମିଳିଥିବା ନମ୍ବର ସବୁ ଅନ୍ତିମ ଫଳାଫଳରେ ଜମା ହୋଇଯିବ । ଯେପରି ବାଣୀ ଦ୍ୱାରା ସେବା କରୁଥିବା ପିଲାମାନଙ୍କର ମାର୍କ ଜମା ହୋଇଥାଏ, ସେହିପରି ଯଜ୍ଞ ସେବା ବା ସ୍ୱର ସେବା ବା ମାନସିକ ସେବା ବା ସଂକଳ୍ପ ଦ୍ୱାରା ସେବାର ମଧ୍ୟ ସେତିକି ମହତ୍ୱ ରହିଛି, ଏଥିରେ ମଧ୍ୟ ସେତିକି ନମ୍ବର ଜମା ହୋଇପାରିବ । ତେବେ ସବୁ ପ୍ରକାରର ସେବାରେ ସମାନ ନମ୍ବର ମିଳିଥାଏ, କିନ୍ତୁ ଯେଉଁମାନେ ଚାରି ପ୍ରକାରର ସେବା କରିଥାନ୍ତି ସେମାନଙ୍କର ସେହି ଅନୁସାରେ ନମ୍ବର ଜମା ହୋଇଥାଏ ଏବଂ ଯେଉଁମାନେ ଗୋଟିଏ ବା ଦୁଇଟି ପ୍ରକାରର ସେବା କରନ୍ତି ସେମାନଙ୍କର ମଧ୍ୟ ସେହି ଅନୁସାରେ ନମ୍ବର ଜମା ହୋଇଥାଏ । ପୁଣି ବି ଯଦି ଚାରି ପ୍ରକାରର ସେବା କରିପାରୁ ନାହିଁ, ଦୁଇ ପ୍ରକାରର କରିପାରୁଛ ତେବେ ବି ନିରନ୍ତର ସେବାଧାରୀ ଅଟ । ତେଣୁ ନିରନ୍ତର ସେବା କରୁଥିବା କାରଣରୁ ନମ୍ବର ବଢିଯାଇଥାଏ, ସେଥିପାଇଁ କୁହାଯାଏ ବ୍ରାହ୍ମଣ ଜୀବନ ଅର୍ଥାତ୍ ନିରନ୍ତର ସେବାଧାରୀ ଏବଂ ସହଜଯୋଗୀ ଜୀବନ ।

ଯେପରି ଯୋଗ ଉପରେ ବିଶେଷ ଭାବରେ ଧ୍ୟାନ ଦେଉଛ ଯେ କିପରି ନିରନ୍ତର ରୂପରେ ଯୋଗ ଲାଗି ରହିଥାଉ, ସେହିପରି ସେବାରେ ମଧ୍ୟ ସର୍ବଦା ଗୋଟିଏ ପରେ ଗୋଟିଏ ସେବା ଲାଗି ରହିଥାଉ । ଯେପରି ଯୋଗରେ ମଧ୍ୟ ଭିନ୍ନ ଭିନ୍ନ ସ୍ଥିତିର ଅନୁଭବ କରୁଛ - କେତେବେଳେ ବୀଜରୂପ ସ୍ଥିତିର, କେତେବେଳେ ଫରିସ୍ତା ସ୍ୱରୂପର, କେତେବେଳେ ମନନ ଚିନ୍ତନର, କେତେବେଳେ ରୁହରିହାଣ ଅର୍ଥାତ୍ ବାବାଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରିବାର କିନ୍ତୁ ସ୍ଥିତି ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ନିରନ୍ତର ଯୋଗର ଚାର୍ଟରେ ହିସାବ କରୁଛ । ସେହିଭଳି ଭାବରେ ସେବାରେ ମଧ୍ୟ ଭିନ୍ନ ଭିନ୍ନ ରୂପରେ ସେବା ହେଉଥାଉ । କିନ୍ତୁ ସେବା ବିନା ଜୀବନ ନାହିଁ । ପ୍ରତି ନିଃଶ୍ୱାସରେ ଯୋଗ ଏବଂ ପ୍ରତି ନିଃଶ୍ୱାସରେ ସେବା ହେଉଥାଉ - ଏହାକୁ ହିଁ କୁହାଯାଏ ସନ୍ତୁଳନ ରଖିବା, ତେବେ ଯାଇ ସର୍ବଦା ଆଶୀର୍ବାଦ ପ୍ରାପ୍ତ କରିବାର ଅନୁଭବ କରିପାରିବ ଏବଂ ମନ ଭିତରୁ ସର୍ବଦା ସ୍ୱତଃ ହିଁ ଏହି ଶବ୍ଦ ବାହାରିବ ଯେ ମୁଁ ଆଶୀର୍ବାଦରେ ପାଳିତ ହେଉଛି ଏବଂ ଆଶୀର୍ବାଦ ଆଧାରରେ ଉଡିବାର କଳାର ଅନୁଭବରେ ଉଡୁଛି । ତେବେ ମେହନତ କରିବାରୁ ଏବଂ ଯୁଦ୍ଧ କରିବାରୁ ମୁକ୍ତ ହୋଇଯିବ । କଣ, କାହିଁକି, କିପରି - ଏହି ସବୁ ପ୍ରଶ୍ନ ଗୁଡିକରୁ ମୁକ୍ତ ହୋଇ ସର୍ବଦା ପ୍ରସନ୍ନ ରହିବ ଏବଂ ସଫଳତାକୁ ନିଜର ଜନ୍ମ ସିଦ୍ଧ ଅଧିକାର ରୂପରେ ଅନୁଭବ କରିଚାଲିବ । କିଏ ଜାଣେ କଣ ହେବ, ସଫଳତା ମିଳିବ କି ନ ମିଳିବ, କିଏ ଜାଣେ ମୁଁ ଆଗକୁ ଚାଲିପାରିବି କି ନାହିଁ - ଏହିଭଳି କିଏ ଜାଣେର ସଂକଳ୍ପ ପରିବର୍ତ୍ତନ ହେଲେ ଯାଇ ମାଷ୍ଟର ତ୍ରିକାଳଦର୍ଶୀ ସ୍ଥିତିର ଅନୁଭବ କରିବ । ମୋର ବିଜୟ ହୋଇ ସାରିଛି - ଏହିଭଳି ନିଶ୍ଚୟ ଏବଂ ନିଶା ସର୍ବଦା ଅନୁଭବ ହେବ । ଏହା ହିଁ ହେଉଛି ଆଶୀର୍ବାଦର ଚିହ୍ନ । ବୁଝିପାରିଲ?

ବ୍ରାହ୍ମଣ ଜୀବନରେ ଏବଂ ଏହି ମହାନ ଯୁଗରେ ବାପଦାଦାଙ୍କର ଅଧିକାରୀ ସନ୍ତାନ ହୋଇ ଯଦି ମେହନତ କରିବାକୁ ପଡୁଛି, ସର୍ବଦା ଯୁଦ୍ଧ କରିବାର ସ୍ଥିତିରେ ଜୀବନ ବିତାଇବାକୁ ପଡୁଛି ତେବେ ପିଲାମାନଙ୍କର ଏହିଭଳି ମେହନତ କରିବାର ଜୀବନ ବାପଦାଦାଙ୍କୁ ଅସହ୍ୟ ହେଉଛି ତେଣୁ ନିରନ୍ତର ଯୋଗୀ ଏବଂ ନିରନ୍ତର ସେବାଧାରୀ ହୁଅ । ବୁଝିଲ? ଆଚ୍ଛା!

ଏବେ ତ ପୁରୁଣା ପିଲାମାନଙ୍କର ଆଶା ପୂରଣ ହୋଇଗଲା ନା । ପାଣି ଯୋଗାଇବାର ସେବା କରୁଥିବା ପିଲାମାନଙ୍କୁ ସାବାଶି ଦିଆଯାଉଛି ଯେଉଁମାନେ କି ଅନେକ ପିଲାମାନଙ୍କର ଆଶାକୁ ପୂରଣ କରିବାରେ ରାତି-ଦିନ ସହଯୋଗୀ ହୋଇଛନ୍ତି, ନିଦ୍ରାଜିତ୍ ମଧ୍ୟ ହୋଇଯାଇଛନ୍ତି ଏବଂ ପ୍ରକୃତି ଜିତ୍ ମଧ୍ୟ ହୋଇଯାଇଛନ୍ତି । ତେଣୁ ମଧୁବନର ସେବାଧାରୀଙ୍କୁ ଚାହେଁ ଯୋଜନା ତିଆରି କରୁଥିବା ସେବାଧାରୀକୁ ହୁଅନ୍ତୁ ବା ପାଣି ପିଆଉଥିବା ସେବାଧାରୀ ହୁଅନ୍ତୁ ବା ଆରାମରେ ପାଛୋଟି ଆଣୁଥିବା ସେବାଧାରୀ ହୁଅନ୍ତୁ, ରହିବାର ବ୍ୟବସ୍ଥାରେ ଥିବା ବା ସମୟ ଅନୁସାରେ ଭୋଜନ ପ୍ରସ୍ତୁତ କରି ଯୋଗାଉଥିବା ସେବାଧାରୀ ହୁଅନ୍ତୁ - ଯେଉଁମାନେ ବି ଭିନ୍ନ ଭିନ୍ନ ସେବାର ନିମିତ୍ତ ଅଟନ୍ତି, ସମସ୍ତଙ୍କୁ ଧନ୍ୟବାଦ ଦିଅ । ବାପଦାଦା ତ ସମସ୍ତଙ୍କୁ ଧନ୍ୟବାଦ ଦେଇ ଚାଲିଛନ୍ତି । ଦୁନିଆ ପାଣି-ପାଣି କହି ଚିତ୍କାର କରୁଛି କିନ୍ତୁ ବାବାଙ୍କର ପିଲାମାନେ କେତେ ସହଜରେ ନିଜର କାର୍ଯ୍ୟ ଚଳାଇ ନେଉଛନ୍ତି! ବାପଦାଦା ସମସ୍ତ ସେବାଧାରୀ ପିଲାମାନଙ୍କର ସେବାକୁ ଦେଖୁଛନ୍ତି । କେତେ ଆରାମରେ ତୁମମାନଙ୍କୁ ସୁଯୋଗ ଦେବାରେ ମଧୁବନ ନିବାସୀ ପିଲାମାନେ ନିମିତ୍ତ ହୋଇଛନ୍ତି! ତୁମେମାନେ ମଧ୍ୟ ସହଯୋଗୀ ହୋଇଛ ନା, ଯେପରି ଏମାନେ ସହଯୋଗୀ ହେବା କାରଣରୁ ତୁମମାନଙ୍କୁ ଏହାର ଫଳ ମିଳୁଛି, ସେହିପରି ତୁମେମାନେ ମଧ୍ୟ ପ୍ରତ୍ୟେକ କାର୍ଯ୍ୟରେ ଯେପରି ସମୟ ସେହି ଅନୁସାରେ ଚାଲିବା ଦ୍ୱାରା ତୁମମାନଙ୍କର ସହଯୋଗର ଫଳ ମଧ୍ୟ ଅନ୍ୟ ବ୍ରାହ୍ମଣମାନଙ୍କୁ ମିଳିବ ।

ବାପଦାଦା ମୁରୁକି ମୁରୁକି ହସୁଥିଲେ ଏବଂ ଭାବୁଥିଲେ - ସତ୍ୟଯୁଗରେ ଦୁଧର ନଦୀ ବହିବ କିନ୍ତୁ ସଂଗମଯୁଗରେ ପାଣି ମଧ୍ୟ ଘିଅ ଭଳି ମୂଲ୍ୟବାନ ହୋଇଯାଇଛି, ଘିଅର ନଦୀ ନଳ ଭିତରେ ଆସୁଛି । ପାଣି ଘିଅ ପାଲଟି ଯିବାରୁ ଅମୂଲ୍ୟ ହୋଇଯାଇଛି ତେଣୁ ଏହି କଥାକୁ ଅନେକ ଆତ୍ମାଙ୍କୁ ସୁଯୋଗ ଦେବାକୁ ହେବ । ପୁଣି ବି ଦେଖ ଦୁନିଆରେ ଏବଂ ତୁମମାନଙ୍କ ଭିତରେ ଅନ୍ତର ରହିଛି ନା । କେତେକ ସ୍ଥାନ ଏଭଳି ମଧ୍ୟ ଅସୁବିଧାରେ ଅଛି ଯାହାଠାରୁ ତୁମେମାନେ ବହୁତ ଆରାମରେ ଅଛ ଏବଂ ଅନୁଭବ ମଧ୍ୟ କରୁଛ, ସେଥିପାଇଁ ରହସ୍ୟକୁ ଜାଣି ସବୁ ପ୍ରକାରର ପରିସ୍ଥିତିରେ ସନ୍ତୁଷ୍ଟ ରହିବାର ଅଭ୍ୟାସକୁ ବଢାଇଚାଲ । ଆଚ୍ଛା!

ସମସ୍ତ ନିରନ୍ତର ଯୋଗୀ, ନିରନ୍ତର ସେବାଧାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସଦା ତ୍ରିକାଳଦର୍ଶୀ ହୋଇ ସଫଳତାର ଅଧିକାରକୁ ଅନୁଭବ କରୁଥିବା, ସଦା ପ୍ରସନ୍ନଚିତ୍ତ, ସନ୍ତୁଷ୍ଟ, ଶ୍ରେଷ୍ଠ ଆତ୍ମାମାନଙ୍କୁ, ପ୍ରତି ମୂହୁର୍ତ୍ତରେ ଆଶୀର୍ବାଦର ଅନୁଭବ କରୁଥିବା ପିଲାମାନଙ୍କୁ ବିଧାତା, ବରଦାତା ବାପଦାଦାଙ୍କର ସ୍ନେହପୂର୍ଣ୍ଣ ସ୍ମୃତି ସହିତ ନମସ୍ତେ ।

ଦାଦୀଜୀଙ୍କ ସହିତ:- ତୁମେ ସଂକଳ୍ପ କରିଲ ଏବଂ ତୁମର ଶ୍ରେଷ୍ଠ ସଂକଳ୍ପର ଫଳ ସମସ୍ତଙ୍କୁ ମିଳିଗଲା । କେତେ ଆଶୀର୍ବାଦର ମାଳା ମିଳିଗଲା! ଯେଉଁମାନେ ନିମିତ୍ତ ହୋଇଥାନ୍ତି, ବାବାଙ୍କ ସହିତ ସେମାନଙ୍କର ମଧ୍ୟ ଗୁଣଗାନ କରନ୍ତି ନା ସେଥିପାଇଁ ତ ବାବାଙ୍କ ସହିତ ପିଲାମାନଙ୍କର ମଧ୍ୟ ପୂଜା ହେଉଛି, ଏକୁଟିଆ ବାବାଙ୍କର ହେଉ ନାହିଁ । ସମସ୍ତଙ୍କୁ କେତେ ଖୁସି ମିଳୁଛି! ଏହି ଆଶୀର୍ବାଦର ମାଳା ସବୁ ଭକ୍ତିମାର୍ଗରେ ମାଳା ପିନ୍ଧିବାର ଅଧିକାରୀ କରିଦେଉଛି ।

ପାର୍ଟିମାନଙ୍କ ସହିତ ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ:-

(୧) ତୁମେ ଶ୍ରେଷ୍ଠ ଆତ୍ମାମାନେ ସମସ୍ତଙ୍କର ତୃଷା ନିବାରଣ କରୁଛ ନା? ତାହା ହେଉଛି ସ୍ଥୂଳ ଜଳ ଏବଂ ତୁମମାନଙ୍କ ନିକଟରେ ଜ୍ଞାନ ଅମୃତ ଅଛି । ସ୍ଥୂଳ ଜଳ ଅଳ୍ପ କାଳ ପାଇଁ ତୃଷା ନିବାରଣ କରି ତୃପ୍ତ ଆତ୍ମା କରିଦେଉଛି । ତେଣୁ ତୁମେମାନେ ମଧ୍ୟ ସର୍ବ ଆତ୍ମାଙ୍କୁ ଜ୍ଞାନ ଅମୃତ ଦ୍ୱାରା ତୃପ୍ତ କରିବାର ନିମିତ୍ତ ହୋଇଛ ନା । ଏହିଭଳି ଉତ୍ସାହ ସର୍ବଦା ରହୁଛି? କାହିଁକି ନା ତୃଷା ନିବାରଣ କରିବା ମହାନ ପୁଣ୍ୟ ଅଟେ । ତୃଷାର୍ତ୍ତର ତୃଷା ନିବାରଣକାରୀକୁ ପୁଣ୍ୟ ଆତ୍ମା କୁହାଯାଏ । ତୁମେମାନେ ମଧ୍ୟ ମହାନ ପୁଣ୍ୟ ଆତ୍ମା ହୋଇ ସମସ୍ତଙ୍କର ତୃଷା ନିବାରଣ କରୁଛ । ଯେପରି ତୃଷାର୍ତ୍ତ ମନୁଷ୍ୟ ଜଳ ବିହୁନେ ଛଟପଟ ହୋଇଥାଏ ନା! ସେହିଭଳି, ଜ୍ଞାନ ଅମୃତ ନ ମିଳିବା କାରଣରୁ ଆତ୍ମାମାନେ ଦୁଃଖ-ଅଶାନ୍ତିରେ ଛଟପଟ ହେଉଛନ୍ତି । ତେଣୁ ସେମାନଙ୍କୁ ଜ୍ଞାନର ଅମୃତ ପ୍ରଦାନ କରି ସେମାନଙ୍କର ତୃଷା ନିବାରଣ କରୁଥିବା ପୁଣ୍ୟ ଆତ୍ମା ଅଟ । ତେବେ ଅନେକ ଜନ୍ମ ପାଇଁ ପୁଣ୍ୟର ଖାତା ଜମା କରୁଛ ନା? ଏହି ଗୋଟିଏ ଜନ୍ମରେ ହିଁ ଅନେକ ଜନ୍ମ ପାଇଁ ପୁଣ୍ୟର ଖାତା ଜମା ହୋଇଥାଏ । ତେବେ ତୁମେ ସମସ୍ତେ ସେତିକି ଜମା କରି ସାରିଛ ନା? ଅନ୍ୟମାନଙ୍କୁ ବାଣ୍ଟିପାରିବା ଭଳି ମାଲାମାଲ ହୋଇଯାଇଛ? ନିଜ ପାଇଁ ମଧ୍ୟ ଜମା କରିଛ ଏବଂ ଅନ୍ୟମାନଙ୍କୁ ଦାନ କରୁଥିବା ଦାତା ମଧ୍ୟ ହୋଇଯାଇଛ । ତେଣୁ ସାରା ଦିନ ଭିତରେ ପୁଣ୍ୟାତ୍ମା ହୋଇ, ପୁଣ୍ୟର କାମ କରିଛି ନା କେବଳ ନିଜ ପାଇଁ ଖାଇ, ପିଇ, ମଉଜ କରିଛି? ସର୍ବଦା ଏହି କଥା ଚେକ୍ କର । ତେବେ ଜମା ରଖିଥିବା ବ୍ୟକ୍ତିକୁ ବୁଦ୍ଧିମାନ କୁହାଯାଏ କିନ୍ତୁ ଯିଏ ରୋଜଗାର କରି ସବୁ ଖାଇଦିଏ ତାଙ୍କୁ ବୁଦ୍ଧିମାନ କୁହାଯାଏ ନାହିଁ । ଯେପରି ଭୋଜନ କରିବା ପାଇଁ ସମୟ ବାହାର କରୁଛ କାରଣ ତାହା ଆବଶ୍ୟକ ଅଟେ, ସେହିପରି ଏହି ପୁଣ୍ୟର କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ଅଟେ । ତେଣୁ ସଦାକାଳ ପାଇଁ ପୁଣ୍ୟ ଆତ୍ମା ଅଟ, କେବେ କେବେ ପାଇଁ ନୁହେଁ । ସୁଯୋଗ ମିଳିଗଲେ କରିବା - ତାହା ନୁହେଁ । ସୁଯୋଗ ନେବାକୁ ପଡିବ । ସମୟ ମିଳିଲେ କରିବା - ନାଁ, ସମୟ ବାହାର କରିବାକୁ ପଡିବ, ତେବେ ଯାଇ ଜମା କରିପାରିବ । ବର୍ତ୍ତମାନ ସମୟରେ ଯେତେ ବି ଭାଗ୍ୟର ରେଖା ଲମ୍ବା କରିବାକୁ ଚାହିଁବ, କରିପାରିବ କାହିଁକି ନା ତୁମର ପିତା ହିଁ ଭାଗ୍ୟ ବିଧାତା ଏବଂ ବରଦାତା ଅଟନ୍ତି । ଶ୍ରେଷ୍ଠ ଜ୍ଞାନ ରୂପକ କଲମ ମଧ୍ୟ ବାବା ନିଜର ପିଲାମାନଙ୍କ ହାତରେ ଦେଇ ଦେଇଛନ୍ତି । ସେହି କଲମ ଦ୍ୱାରା ଭାଗ୍ୟର ରେଖାକୁ ଯେତେ ଲମ୍ବା କରିବାକୁ ଚାହିଁବ କରିପାରିବ । ଆଚ୍ଛା!

(୨) ସମସ୍ତେ ରାଜଋଷି ଅଟ ନା? ରାଜ ଅର୍ଥାତ୍ ଅଧିକାରୀ ଏବଂ ଋଷି ଅର୍ଥାତ୍ ତପସ୍ୱୀ । ତପସ୍ୟାର ବଳ ହିଁ ସହଜରେ ପରିବର୍ତ୍ତନ କରିବାର ଆଧାର । ପରମାତ୍ମ ଲଗନ ଦ୍ୱାରା ନିଜକୁ ଏବଂ ବିଶ୍ୱକୁ ସଦାକାଳ ପାଇଁ ନିର୍ବିଘ୍ନ କରିପାରିବ । ନିଜେ ନିର୍ବିଘ୍ନ ହେବା ଏବଂ ଅନ୍ୟମାନଙ୍କୁ କରିବା - ଏହି ସେବା କରୁଛ ନା । ଅନେକ ପ୍ରକାରର ବିଘ୍ନରୁ ସମସ୍ତଙ୍କୁ ମୁକ୍ତ କରୁଛ । ତେଣୁ ବାବାଙ୍କଠାରୁ ଜୀବନ ମୁକ୍ତିର ବରଦାନ ନେଇ ଅନ୍ୟମାନଙ୍କୁ ଦେଉଛ ନା । ନିର୍ବନ୍ଧନ ଅର୍ଥାତ୍ ଜୀବନମୁକ୍ତ ।

(୩) ପିଲାମାନଙ୍କର ସାହସ, ବାବାଙ୍କର ସହଯୋଗ । ପିଲାମାନଙ୍କର ସାହସ ଉପରେ ବାବାଙ୍କର ପଦ୍ମଗୁଣା ସହଯୋଗ ପ୍ରାପ୍ତ ହେଉଛି । ସବୁ ବୋଝ ତ ବାବାଙ୍କ ଉପରେ ଅଛି ତେଣୁ ତୁମେମାନେ ଟ୍ରଷ୍ଟୀ ହୋଇ ସର୍ବଦା ବାବାଙ୍କ ସ୍ମୃତିରେ ରହି ଆଗକୁ ଆଗକୁ ବଢିଚାଲ । ବାବାଙ୍କର ସ୍ମୃତି ହିଁ ଛତ୍ରଛାୟା ଅଟେ । ପୂର୍ବର ହିସାବ-କିତାବ ଶୂଳୀ ସଦୃଶ ଅଟେ କିନ୍ତୁ ବାବାଙ୍କର ସହଯୋଗ ଦ୍ୱାରା, ତାହା କଣ୍ଟା ହୋଇଯାଉଛି । ପରିସ୍ଥିତି ଗୁଡିକ ତ ନିଶ୍ଚିତ ଆସିବ କାରଣ ଏହିଠାରେ ହିଁ ସବୁ କିଛି ଚୁକ୍ତ କରିବାକୁ ହେବ, କିନ୍ତୁ ବାବାଙ୍କର ସହଯୋଗ ତାକୁ କଣ୍ଟା ଭଳି କରିଦେଉଛି, ବଡ କଥାକୁ ଛୋଟ କରିଦେଉଛି କାହିଁକି ନା ବଡ ବାବା ସାଥୀରେ ଅଛନ୍ତି । ତେଣୁ ସର୍ବଦା ଏହି ନିଶ୍ଚୟ ଆଧାରରେ ଆଗକୁ ବଢିଚାଲ । ପ୍ରତି ପାଦରେ, ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ପଣିଆର ସ୍ମୃତି ରହୁ । ଟ୍ରଷ୍ଟୀ ଅର୍ଥାତ୍ ସବୁ କିଛି ତୋର, ମୋରପଣିଆ ସମାପ୍ତ । ଗୃହସ୍ଥି ଅର୍ଥାତ୍ ମୋର । ଯଦି ତୋର କହିବ ତେବେ ବଡ କଥା ଛୋଟ ହୋଇଯିବ କିନ୍ତୁ ମୋର କହିଲେ ଛୋଟିଆ କଥା ମଧ୍ୟ ବଡ ହୋଇଯିବ । ତୋର ପଣିଆ ହାଲୁକା କରିଦିଏ ଏବଂ ମୋର ପଣିଆ ଭାରୀ କରିଦିଏ । ତେଣୁ ଯେତେବେଳେ ବି ଭାରୀ-ଭାରୀ ଅନୁଭବ କରୁଛ - ଚେକ୍ କର କେଉଁଠି ମୋର ପଣିଆ ନାହିଁ ତ! ମୋର କୁ ତୋର ରେ ପରିବର୍ତ୍ତନ କରିଦିଅ ତେବେ ସେହି ମୂହୁର୍ତ୍ତରେ ହିଁ ହାଲୁକା ହୋଇଯିବ, ଗୋଟିଏ ସେକେଣ୍ଡରେ ହିଁ ସାରା ବୋଝ ସମାପ୍ତ ହୋଇଯିବ । ଆଚ୍ଛା!

ରଦାନ:-
ସନ୍ତୁଷ୍ଟତା ରୂପୀ ବିଶେଷତା ବା ଶ୍ରେଷ୍ଠତା ଦ୍ୱାରା ସମସ୍ତଙ୍କର ଇଷ୍ଟ ହେଉଥିବା ବରଦାନୀ ମୂରତ ହୁଅ ।

ଯେଉଁମାନେ ସର୍ବଦା ନିଜ ଉପରେ ଏବଂ ସମସ୍ତଙ୍କ ଉପରେ ସନ୍ତୁଷ୍ଟ ରହିଥାନ୍ତି ସେହିମାନେ ହିଁ ଅନେକ ଆତ୍ମାଙ୍କର ଇଷ୍ଟ ବା ଅଷ୍ଟ ଦେବତା ହୋଇପାରିବେ । ସବୁଠାରୁ ବଡରୁ ବଡ ଗୁଣ କୁହ, ଦାନ କୁହ, ବିଶେଷତା ବା ଶ୍ରେଷ୍ଠତା କୁହ ତାହା ସନ୍ତୁଷ୍ଟତା ହିଁ ଅଟେ । ସନ୍ତୁଷ୍ଟ ଆତ୍ମାମାନେ ହିଁ ପ୍ରଭୁ ପ୍ରିୟ, ଲୋକ ପ୍ରିୟ ଏବଂ ସ୍ୱୟଂ ପ୍ରିୟ ହୋଇଥାନ୍ତି । ଏହିଭଳି ସନ୍ତୁଷ୍ଟ ଆତ୍ମାମାନେ ହିଁ ଭବିଷ୍ୟତରେ ବରଦାନୀ ରୂପରେ ପ୍ରସିଦ୍ଧ ହୋଇଯିବେ । ତେଣୁ ବର୍ତ୍ତମାନର ଅନ୍ତିମ ଘଡିରେ ମହାଦାନୀଠାରୁ ମଧ୍ୟ ଅଧିକ ବରଦାନୀ ସ୍ୱରୂପ ଦ୍ୱାରା ସେବା ହେବ ।

ସ୍ଲୋଗାନ:-
ବିଜୟୀ ରତ୍ନ ସିଏ ଯାହା ମସ୍ତକରେ ସର୍ବଦା ବିଜୟର ତିଳକ ଚମକୁଥାଏ ।