22.01.23 Avyakt Bapdada Odia Murli 25.11.93 Om Shanti Madhuban
“ସହଜରେ ସିଦ୍ଧି
ପ୍ରାପ୍ତ କରିବା ପାଇଁ ଜ୍ଞାନ ସ୍ୱରୂପ ପ୍ରୟୋଗୀ ଆତ୍ମା ହୁଅ”
ଆଜି ଜ୍ଞାନଦାତା ବରଦାତା
ପିତା ନିଜର ଜ୍ଞାନୀ ତୁ ଆତ୍ମା, ସନ୍ତାନମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ଜ୍ଞାନ
ସ୍ୱରୂପ ଏବଂ ଯୋଗଯୁକ୍ତ କେତେ ପରିମାଣରେ ହେଲେଣି? କେବଳ ଜ୍ଞାନକୁ ଶୁଣିବାରେ ଏବଂ ଶୁଣାଇବାରେ
ନିମିତ୍ତ ହେଉଛନ୍ତି, ନା ଜ୍ଞାନର ସ୍ୱରୂପ ହେଲେଣି? ସମୟ ଅନୁସାରେ ଯୋଗ ଲଗାଇବାବାଲା ଅଟନ୍ତି, ନା
ସଦାଯୋଗୀ ଜୀବନ ଅର୍ଥାତ୍ ପ୍ରତ୍ୟେକ କର୍ମରେ ଯୋଗଯୁକ୍ତ, ଯୁକ୍ତିଯୁକ୍ତ ସ୍ୱତଃ ଏବଂ ସଦାକାଳର ଯୋଗୀ
ଅଟନ୍ତି? ଯେକୌଣସି ବ୍ରାହ୍ମଣ ଆତ୍ମାକୁ କେହି ଯଦି ପଚାରିବ ଯେ ତୁମେ ଜ୍ଞାନୀ ଏବଂ ଯୋଗୀ ଅଟ ତ,
ତେବେ କ’ଣ କହିବ? ସମସ୍ତେ ଜ୍ଞାନୀ-ଯୋଗୀ ଅଟ ନା? ତେବେ ଜ୍ଞାନ ସ୍ୱରୂପ ହେବା ଅର୍ଥାତ୍ ପ୍ରତ୍ୟେକ
ସଂକଳ୍ପ, ବାଣୀ ଏବଂ କର୍ମ ସମର୍ଥ ହୋଇଥିବ । ବ୍ୟର୍ଥ ସମାପ୍ତ ହୋଇଯାଇଥିବ କାହିଁକି ନା ଯେଉଁଠି
ସମର୍ଥ ସ୍ଥିତି ଅଛି ସେଠାରେ ବ୍ୟର୍ଥ ରହିପାରିବ ନାହିଁ । ଯେପରି ପ୍ରକାଶ ଏବଂ ଅନ୍ଧକାର ଏକାଠି
ରହିପାରିବେ ନାହିଁ । ତେବେ ଜ୍ଞାନକୁ ପ୍ରକାଶ ଏବଂ ବ୍ୟର୍ଥକୁ ଅନ୍ଧକାର କୁହାଯିବ । ବର୍ତ୍ତମାନ
ସମୟରେ ତୁମମାନଙ୍କୁ ବ୍ୟର୍ଥକୁ ସମାପ୍ତ କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ହେବ । ସବୁଠାରୁ
ମୁଖ୍ୟ କଥା ହେଲା ସଂକଳ୍ପ ରୂପୀ ବୀଜକୁ ସମର୍ଥ କରିବାକୁ ହେବ । ଯଦି ସଂକଳ୍ପ ରୂପୀ ବୀଜ ସମର୍ଥ
ଅଛି ତେବେ ବାଣୀ, କର୍ମ ତଥା ସମ୍ବନ୍ଧ ସହଜରେ ସମର୍ଥ ହୋଇଯିବ । ତେବେ ଜ୍ଞାନ ସ୍ୱରୂପ ଅର୍ଥାତ୍
ଯାହାର ସବୁ ସମୟ, ସବୁ ସଂକଳ୍ପ ଏବଂ ସବୁ ମୂହୁର୍ତ୍ତ ସମର୍ଥ ।
ଯୋଗୀ ଆତ୍ମା ତ ସମସ୍ତେ
ଅଟ କିନ୍ତୁ ପ୍ରତ୍ୟେକ ସଂକଳ୍ପ ସ୍ୱତଃ ହିଁ ଯୋଗଯୁକ୍ତ, ଯୁକ୍ତିଯୁକ୍ତ ହେଉଥିବ, କିନ୍ତୁ ଏଥିରେ
ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । ତେବେ ଏଭଳି କ୍ରମାନ୍ୱୟ କାହିଁକି ହେଉଛି? ଯେବେକି ବିଧାତା
ମଧ୍ୟ ଜଣେ, ବିଧି ମଧ୍ୟ ଗୋଟିଏ ପୁଣି ବି କ୍ରମାନ୍ୱୟ ଅର୍ଥାତ୍ କମ୍ ବେଶୀ ନମ୍ବର କାହିଁକି ହେଉଛି?
ବାପଦାଦା ଦେଖିଲେ ଯେ ପିଲାମାନେ ଯୋଗୀ ତ ହୋଇଯାଇଛନ୍ତି କିନ୍ତୁ ପ୍ରୟୋଗୀ କମ୍ ହେଉଛନ୍ତି । ଯୋଗ
କରିବାରେ ଏବଂ କରାଇବାରେ ସମସ୍ତେ ବହୁତ ପ୍ରବୀଣ ଅଟନ୍ତି । ଏମିତି କେହି ଅଛନ୍ତି କି ଯିଏ କହିବ
ମୋତେ ଯୋଗ କରାଇବା ଜଣା ନାହିଁ? ତେଣୁ ଯୋଗ କରିବାରେ ଏବଂ କରାଇବାରେ ଯେପରି ଯୋଗ୍ୟ ଅଟ, ସେହିପରି
ପ୍ରୟୋଗ କରିବାରେ ମଧ୍ୟ ଯୋଗ୍ୟ ହେବାକୁ ପଡିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଯୋଗ୍ୟ କରିବାକୁ ପଡିବ -
ଏହାକୁ ହିଁ କୁହାଯାଏ ଯୋଗୀ ଜୀବନ ଅର୍ଥାତ୍ ଯୋଗଯୁକ୍ତ ଜୀବନ । ତେଣୁ ଏବେ ତୁମ ସମସ୍ତଙ୍କୁ
ପ୍ରୟୋଗୀ ଜୀବନର ଆବଶ୍ୟକତା ରହିଛି । ଯୋଗର ଯେଉଁ ପରିଭାଷାକୁ ବା ବିଶେଷତା ଗୁଡିକୁ ତୁମେମାନେ
ଜାଣିଛ ବା ବର୍ଣ୍ଣନା କରୁଛ ସେହି ସମସ୍ତ ବିଶେଷତା ଗୁଡିକ ପ୍ରୟୋଗରେ ଆସୁଛି ତ? ସର୍ବ ପ୍ରଥମେ
ନିଜେ ନିଜକୁ ଚେକ୍ କର ଯେ ନିଜର ସଂସ୍କାରକୁ ପରିବର୍ତ୍ତନ କରିବାରେ କେତେ ମାତ୍ରାରେ ପ୍ରୟୋଗୀ
ହୋଇପାରିଛ? କାହିଁକି ନା ତୁମ ସମସ୍ତଙ୍କର ଶ୍ରେଷ୍ଠ ସଂସ୍କାର ହିଁ ଶ୍ରେଷ୍ଠ ସଂସାର ରଚନା କରିବା
ମୂଳଦୁଆ । ଯଦି ମୂଳଦୁଆ ମଜବୁତ ଅଛି ତେବେ ଅନ୍ୟ ସବୁ କଥା ଆପେ ଆପେ ମଜବୁତ ହୋଇଯିବ । ତେବେ ଏହାକୁ
ଚେକ୍ କର ଯେ ନିଜର ସଂସ୍କାର ଯଥା ସମୟରେ କେଉଁଠି ଧୋକା ଦେଉ ନାହିଁ ତ? ତୁମର ଶ୍ରେଷ୍ଠ ସଂସ୍କାରକୁ
ପରିବର୍ତ୍ତନ କରୁଥିବା କେହି ବି ବ୍ୟକ୍ତି ହେଉ, ବସ୍ତୁ ହେଉ ବା ପରିସ୍ଥିତି ହେଉ କିନ୍ତୁ ଯୋଗର
ପ୍ରୟୋଗ କରୁଥିବା ଆତ୍ମାକୁ ଶ୍ରେଷ୍ଠରୁ ସାଧାରଣତାକୁ ଆଣିବା ତ ଦୂରର କଥା କିନ୍ତୁ ହଲଚଲ୍ ମଧ୍ୟ
କରିପାରିବ ନାହିଁ । ଏମିତି ନୁହେଁ ଯେ କଥା ହିଁ ସେହିପରି ଥିଲା, ବ୍ୟକ୍ତି ହିଁ ସେହିଭଳି ଥିଲା,
ବାତାବରଣ ମଧ୍ୟ ସେହିପରି ଥିଲା ସେଥିପାଇଁ ଶ୍ରେଷ୍ଠ ସଂସ୍କାରକୁ ପରିବର୍ତ୍ତନ କରି ସାଧାରଣ ବା
ବ୍ୟର୍ଥରେ ପରିଣତ କରିଦେଲି, ତେବେ କ’ଣ ଏହାକୁ ପ୍ରୟୋଗୀ ଆତ୍ମା ବୋଲି କହିବା? ଯଦି ସମୟ ଅନୁସାରେ
ଯୋଗର ଶକ୍ତି ଗୁଡିକର ପ୍ରୟୋଗ ହେଉଛି ତେବେ ଏହାକୁ କ’ଣ କୁହାଯିବ? ତେଣୁ ପ୍ରଥମେ ଏହି ମୂଳଦୁଆକୁ
ହିଁ ଦେଖ ଯେ ସମୟ ଅନୁସାରେ କେତେ ଦୂର ପ୍ରୟୋଗୀ ହୋଇଛୁ? ଯଦି ନିଜର ସଂସ୍କାରର ପରିବର୍ତ୍ତକ ହୋଇ
ନାହଁ ତେବେ ନୂତନ ସଂସାରର ପରିବର୍ତ୍ତକ କିପରି ହେବ?
ତେବେ ପ୍ରୟୋଗୀ ଆତ୍ମାର
ପ୍ରଥମ ଲକ୍ଷଣ ହେଲା ନିଜର ସଂସ୍କାର ଉପରେ ପ୍ରୟୋଗ କରିବାରେ ସଦା ବିଜୟୀ, ଦ୍ୱିତୀୟ ଲକ୍ଷଣ ହେଲା
ପ୍ରକୃତି ଦ୍ୱାରା ଆସୁଥିବା ପରିସ୍ଥିତି ଗୁଡିକ ଉପରେ ଯୋଗର ପ୍ରୟୋଗ ଦ୍ୱାରା ବିଜୟୀ । ସମୟ ସମୟରେ
ପ୍ରକୃତିର ହଲଚଲ ମଧ୍ୟ ଯୋଗୀ ଆତ୍ମାମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ତେବେ ଏହିଭଳି ସମୟରେ
ଯୋଗର ବିଧିର ପ୍ରୟୋଗ ହେଉଛି? କେବେ କେବେ ଯୋଗୀ ପୁରୁଷକୁ ବା ପୁରୁଷୋତ୍ତମ ଆତ୍ମାକୁ ପ୍ରକୃତି
ପ୍ରଭାବିତ କରୁ ନାହିଁ ତ? କାହିଁକି ନା ବ୍ରାହ୍ମଣ ଅର୍ଥାତ୍ ପୁରୁଷୋତ୍ତମ ଆତ୍ମା । ଏହି ପ୍ରକୃତି
ପୁରୁଷୋତ୍ତମ ଆତ୍ମାମାନଙ୍କର ଦାସୀ ଅଟେ । ଯଦି ମାଲିକ ଦାସର ପ୍ରଭାବରେ ପ୍ରଭାବିତ ହୋଇଯିବ ତେବେ
ତା’କୁ କ’ଣ କୁହାଯିବ? ଆଜିକାଲି ପୁରୁଷୋତ୍ତମ ଆତ୍ମାମାନଙ୍କୁ ଅନେକ ପ୍ରକୃତି ପ୍ରକାରର ସାଧନ
ଅର୍ଥାତ୍ ସୁବିଧା ଜନକ ଉପକରଣ ଗୁଡିକ ରୂପରେ ତଥା ସାଲଭେଶନ୍ ଅର୍ଥାତ୍ ଆବଶ୍ୟକ ମୁତାବକ
ସୁବ୍ୟବସ୍ଥା ପ୍ରାପ୍ତ କରିବା ରୂପରେ ପ୍ରଭାବିତ କରୁଛି । ସାଧନ ଏବଂ ସାଲଭେଶନର ଆଧାର ଉପରେ ଯୋଗୀ
ଜୀବନ ନିର୍ଭର କରୁଛି । ଯଦି କୌଣସି ସାଧନ ବା ସାଲଭେଶନ କମ୍ ଅଛି ତେବେ ଯୋଗଯୁକ୍ତ ସ୍ଥିତି ମଧ୍ୟ
କମ୍ ରହୁଛି - ଏହାକୁ ହିଁ କୁହାଯାଏ ପ୍ରଭାବିତ ହେବା । ଯୋଗୀ ବା ପ୍ରୟୋଗୀ ଆତ୍ମାର ସାଧନା ଆଧାରରେ
ସାଧନଗୁଡିକ ଆପେ ଆପେ ପ୍ରାପ୍ତ ହୋଇଥାଏ । ତେଣୁ ସାଧନ ଗୁଡିକ ସାଧନାର ଆଧାର ନ ହେଉ ବରଂ ସାଧନା
ଆପେ ଆପେ ସାଧନ ଗୁଡିକୁ ଆଧାର କରୁ, ତେବେ କୁହାଯିବ ପ୍ରୟୋଗୀ ଆତ୍ମା । ତେଣୁ ଚେକ୍ କର -
ସଂସ୍କାର ପରିବର୍ତ୍ତନରେ ବିଜୟୀ ଏବଂ ପ୍ରକୃତିର ପ୍ରଭାବ ଉପରେ ବିଜୟୀ କେତେ ପରିମାଣରେ ହେଲଣି?
ତୃତୀୟ ଲକ୍ଷଣ ହେଲା - ବିକାର ଗୁଡିକ ଉପରେ ବିଜୟୀ । ଯୋଗୀ ବା ପ୍ରୟୋଗୀ ଆତ୍ମା ନିକଟରେ ଏହି
ପାଞ୍ଚ ବିକାର ଯାହାକି ଅନ୍ୟମାନଙ୍କ ପାଇଁ ବିଷଧର ସାପ ସଦୃଶ ଅଟନ୍ତି କିନ୍ତୁ ତୁମେ ଯୋଗୀ ଏବଂ
ପ୍ରୟୋଗୀ ଆତ୍ମାମାନଙ୍କ ପାଇଁ ଏହି ସାପଗୁଡିକ ଗଳାର ମାଳା ହୋଇଯାଉଛନ୍ତି । ତୁମେ
ବ୍ରାହ୍ମଣମାନଙ୍କର ଏବଂ ବ୍ରହ୍ମାବାବାଙ୍କର ଅଶରୀରୀ ତପସ୍ୱୀ ଶଙ୍କର ସ୍ୱରୂପର ସ୍ମାରକୀକୁ ଏବେ
ମଧ୍ୟ ଭକ୍ତମାନେ ପୁଜା କରୁଛନ୍ତି ଏବଂ ଗାୟନ କରୁଛନ୍ତି । ଦ୍ୱିତୀୟ ସ୍ମାରକୀ - ଏହି ସାପଗୁଡିକ
ତୁମମାନଙ୍କ ଦ୍ୱାରା ଏଭଳି ଅଧୀନ ହୋଇଯାଉଛନ୍ତି ଯାହାକି ତୁମମାନଙ୍କ ପାଇଁ ଖୁସିରେ ନାଚିବାର
ଷ୍ଟେଜ ଅର୍ଥାତ୍ ନୃତ୍ୟ ମଣ୍ଡପ ହୋଇଯାଉଛନ୍ତି । ଯେତେବେଳେ ବିଜୟୀ ହୋଇଯାଉଛ, କ’ଣ ଅନୁଭବ କରୁଛ?
ସ୍ଥିତି କିପରି ରହୁଛି? ଖୁସିରେ ନାଚୁଛ ନା । ତେଣୁ ଏହି ସ୍ଥିତିକୁ ଭକ୍ତମାନେ ଷ୍ଟେଜ୍ ଅର୍ଥାତ୍
ମଣ୍ଡପ ବା ମଞ୍ଚ ରୂପରେ ଦେଖାଇଛନ୍ତି । ଏମିତି ବି ସ୍ଥିତିକୁ ଇଂରାଜୀରେ ଷ୍ଟେଜ ମଧ୍ୟ କୁହାଯାଏ ।
ଏହିଭଳି ବିକାର ଗୁଡିକ ଉପରେ ବିଜୟ ପ୍ରାପ୍ତ ହେଉ - ତେବେ କୁହାଯିବ ପ୍ରୟୋଗୀ ଆତ୍ମା । ତେଣୁ ଏହି
କଥା ଚେକ୍ କର ଯେ କେତେ ମାତ୍ରାରେ ପ୍ରୟୋଗୀ ହେଲଣି? ଯଦି ସମୟ ଅନୁସାରେ ଯୋଗର ପ୍ରୟୋଗ ହେଉ ନାହିଁ,
ଯୋଗର ବିଧି ଦ୍ୱାରା ସମୟ ଅନୁସାରେ ସିଦ୍ଧି ମିଳୁନାହିଁ ତେବେ ଏହାକୁ ଯଥାର୍ଥ ବିଧି କୁହାଯିବ କି?
ସମୟ ମଧ୍ୟ ବେଳେ ବେଳେ ସମୟ ସମୟରେ ତୀବ୍ର ଗତିରେ ଆଗକୁ ବଢିବାର ଅନୁଭବ କରାଉଛି । ଅନେକତା,
ଅଧର୍ମ, ତମଃପ୍ରଧାନତା ପ୍ରତ୍ୟେକ କ୍ଷେତ୍ରରେ ତୀବ୍ରଗତିରେ ବଢିଚାଲିଛି । ଏଭଳି ସମୟରେ
ତୁମମାନଙ୍କର ଯୋଗର ବିଧିରେ ବୃଦ୍ଧି ବା ବିଧି ଦ୍ୱାରା ସିଦ୍ଧି ପ୍ରାପ୍ତ କରିବାରେ ବୃଦ୍ଧି ତୀବ୍ର
ଗତିରେ ହେବା ଆବଶ୍ୟକ । ଏଥିରେ ନମ୍ବର ଆଗକୁ ବଢିବାର ଆଧାର ହେଲା ପ୍ରୟୋଗୀ ହେବାର ସହଜ ବିଧି ।
ତେବେ ବାପଦାଦା କ’ଣ ସବୁ ଦେଖିଲେ, ସମୟ ଅନୁସାରେ ଯୋଗର ପ୍ରୟୋଗ କରିବାରେ ତୀବ୍ର ଗତି ପରିବର୍ତ୍ତେ
ସାଧାରଣ ଗତି ରହିଛି । ଏବେ ଏହାକୁ ବଢାଅ । ତାହା ହେଲେ କ’ଣ ହେବ - ସିଦ୍ଧି ସ୍ୱରୂପର ଅନୁଭବ
କରିଚାଲିବ । ତୁମମାନଙ୍କର ଜଡ ଚିତ୍ର ଗୁଡିକ ଦ୍ୱାରା ମଧ୍ୟ ଭକ୍ତମାନେ ସିଦ୍ଧି ପ୍ରାପ୍ତ କରିବାର
ଅନୁଭବ କରୁଛନ୍ତି । ଯେହେତୁ ଚୈତନ୍ୟରେ ତୁମେମାନେ ସିଦ୍ଧି ସ୍ୱରୂପ ହୋଇଛ ସେଥିପାଇଁ ଏହିଭଳି
ସ୍ମାରକୀ ମଧ୍ୟ ପ୍ରଚଳିତ ହୋଇ ଆସୁଛି । ତୁମର ରିଦ୍ଧି-ସିଦ୍ଧିର ସିଦ୍ଧି ନୁହେଁ । ବିଧି ଦ୍ୱାରା
ସିଦ୍ଧି । ତେଣୁ ବୁଝିପାରିଲ କ’ଣ କରିବ? ସବୁ କିଛି ତ ରହିଛି କିନ୍ତୁ ସମୟ ଅନୁସାରେ ତାକୁ
ପ୍ରୟୋଗ କରିବା ଏବଂ ପ୍ରୟୋଗ ସଫଳ ହେବା - ଏହାକୁ କୁହାଯାଏ ଜ୍ଞାନ ସ୍ୱରୂପ ଆତ୍ମା । ଏହିଭଳି
ଜ୍ଞାନ ସ୍ୱରୂପ ଆତ୍ମାମାନେ ଅତି ସମୀପ ଏବଂ ଅତିପ୍ରିୟ ଅଟନ୍ତି । ଆଚ୍ଛା!
ସର୍ବଦା ଯୋଗର ବିଧି
ଦ୍ୱାରା ଶ୍ରେଷ୍ଠ ସିଦ୍ଧିକୁ ଅନୁଭବ କରୁଥିବା, ସର୍ବଦା ସାଧାରଣ ସଂସ୍କାରକୁ ଶ୍ରେଷ୍ଠ ସଂସ୍କାରରେ
ପରିବର୍ତ୍ତନ କରୁଥିବା ସଂସ୍କାର ପରିବର୍ତ୍ତକ ଆତ୍ମାମାନଙ୍କୁ, ସର୍ବଦା ପ୍ରକୃତିଜିତ୍,
ବିକାରଗୁଡିକ ଉପରେ ଜିତ୍ ଅର୍ଥାତ୍ ବିଜୟ ପ୍ରାପ୍ତ କରୁଥିବା ବିଜୟୀ ଆତ୍ମାମାନଙ୍କୁ, ସର୍ବଦା
ପ୍ରୟୋଗର ଗତିକୁ ତୀବ୍ର ଅନୁଭବ କରୁଥିବା ଜ୍ଞାନସ୍ୱରୂପ, ଯୋଗଯୁକ୍ତ ଯୋଗୀ ଆତ୍ମାମାନଙ୍କୁ
ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
(୨୪ ନଭେମ୍ବର ଦିନ
ଦୁଇଜଣ କୁମାରୀଙ୍କର ସମର୍ପଣ ସମାରୋହ ପାଳନ ହେବା ପରେ ରାତି ୧୦ଟାରେ ଅଲରାଉଣ୍ଡର ଦାଦୀ ନିଜର
ପୁରୁଣା ଶରୀର ଛାଡି ବାପଦାଦାଙ୍କ କୋଳକୁ ଚାଲିଗଲେ, ୨୫ ତାରିଖ ଦୁଇ ପହର ସମୟରେ ତାଙ୍କର ଅନ୍ତିମ
ସଂସ୍କାର କରାଗଲା । ସଂଧ୍ୟା ସମୟରେ ମୁରଲୀ କ୍ଲାସ୍ ପରେ ଦାଦୀମାନଙ୍କ ସହିତ ସାକ୍ଷାତ୍ କରିବା
ସମୟରେ ବାପଦାଦା ଯେଉଁ ମହାବାକ୍ୟ ଉଚ୍ଚାରଣ କରିଛନ୍ତି ତାହା ଏହି ପ୍ରକାରର ଅଟେ)
ଖେଳ ଭିତରେ ଭିନ୍ନ
ଭିନ୍ନ ଖେଳ ସବୁ ଦେଖି ଚାଲିଛ । ସାକ୍ଷୀ ହୋଇ ଖେଳ ଦେଖିବାରେ ମଜା ଲାଗୁଛି ନା । ଚାହେଁ କୌଣସି
ଉତ୍ସବ ହେଉ ବା କେହି ଶରୀର ଛାଡି ଦେଉ ଉଭୟ ପରିସ୍ଥିତିରେ କ’ଣ ଅନୁଭବ ହେଉଛି? ଖେଳ ଭିତରେ ଆଉ
ଗୋଟିଏ ଖେଳ ଭଳି ଲାଗୁଛି ଏବଂ ଲାଗୁଛି ମଧ୍ୟ ଏପରି ଯେପରି ଗୋଟିଏ ଖେଳ ଚାଲିଛି ଏବଂ ସମୟ ଅନୁସାରେ
ସମାପ୍ତ ହୋଇଯାଉଛି । ସେହିପରି ଯାହା କିଛି ବି ହେଲା ତାହା ସହଜରେ ସମାପ୍ତ ହୋଇଗଲା । ସେଥିପାଇଁ
ଖେଳ ଭଳି ହିଁ ଲାଗୁଛି । ଏଠାରେ ପ୍ରତ୍ୟେକ ଆତ୍ମାର ନିଜସ୍ୱ ଭୂମିକା ରହିଛି । ସର୍ବ ଆତ୍ମାଙ୍କର
ଶୁଭଭାବନା, ବା ଅନେକ ଆତ୍ମାଙ୍କ ଠାରୁ ଶୁଭଭାବନା ପ୍ରାପ୍ତ ହେବା ମଧ୍ୟ ପ୍ରତ୍ୟେକ ଆତ୍ମାର
ଭାଗ୍ୟର ସିଦ୍ଧି ଅଟେ । ତେବେ ଯାହା ବି ହେଲା ସେଥିରେ କ’ଣ ଦେଖିଲ? ଖେଳ ଦେଖିଲ ନା ମୃତ୍ୟ ଦେଖିଲ?
ଗୋଟିଏ ପଟେ ସେହିଠାରେ ହିଁ ଅଲୌକିକ ସ୍ୱୟମ୍ବର ଦେଖିଲ ଏବଂ ଅନ୍ୟ ପଟେ ବସ୍ତ୍ର ପରିବର୍ତ୍ତନ
କରିବାର ଖେଳ ଦେଖିଲ । କିନ୍ତୁ ଦୁଇଟିଯାକ କେଉଁ ଭଳି ଲାଗିଲା? ଖେଳ ଭିତରେ ଖେଳ । କିଛି ଫରକ
ପଡୁଛି କି? ସ୍ଥିତିରେ ଫରକ ପଡୁଛି? ଅଲୌକିକ ସ୍ୱୟମ୍ବର ଦେଖିବାରେ ଏବଂ ଶରୀର ରୂପୀ ବସ୍ତ୍ର
ପରିବର୍ତ୍ତନ କରିବାର ଦେଖିବାରେ କିଛି ଫରକ ପଡିଲା? ବାୟୁମଣ୍ଡଳରେ କୌଣସି ପ୍ରକାରର ପରିବର୍ତ୍ତନ
ଦେଖିଲ ନା ନାହିଁ? ଯଦି ସାକ୍ଷୀ ହୋଇ ଖେଳକୁ ଦେଖିବ ତେବେ ଉଭୟ ନିଜ ନିଜ ବିଧି ହିସାବରେ ଠିକ୍
ଚାଲିଛି । ତାହା ହେଲେ ସହଜରେ ନଷ୍ଟୋମୋହା ହୋଇଯିବ । ଏହା ମଧ୍ୟ ବହୁତ କାଳର ଯୋଗ କରିବାର ବିଧିର
ସିଦ୍ଧି ଅଟେ । ତେବେ ନଷ୍ଟୋମୋହା ହୋଇ ସହଜରେ ମୃତ୍ୟୁବରଣ କରିବାର ଖେଳ ଦେଖିଲ । ଏହି ଖେଳର
ରହସ୍ୟ କ’ଣ ଦେଖିଲ? ଦେହର ସୃତିଠାରୁ ମଧ୍ୟ ଉପରାମ । ଚାହେଁ ରୋଗ-ବ୍ୟାଧି ଦ୍ୱାରା ହେଉ ବା ଯୋଗର
ବିଧି ଦ୍ୱାରା ହେଉ ଅନ୍ୟ କୌଣସି ବି ଆକର୍ଷଣ ଅନ୍ତିମ ସମୟରେ ଆକର୍ଷିତ ନ କରୁ । ଏହାକୁ କୁହାଯାଏ
ସହଜରେ ବସ୍ତ୍ର ପରିବର୍ତ୍ତନ କରିବା । ତେଣୁ ଏବେ କ’ଣ କରିବ? ନଷ୍ଟୋମୋହା ହୋଇଯାଅ, ସେଣ୍ଟର ମଧ୍ୟ
ମନେ ନପଡୁ । (ଟୀଚର ମାନଙ୍କ ଆଡକୁ ଚାହିଁ) ଏମିତି ନୁହେଁ ଯେ କୌଣସି ଜିଜ୍ଞାସୁ ଅର୍ଥାତ୍
ବିଦ୍ୟାର୍ଥୀ ମନେ ପଡୁଥିବ । ସେଣ୍ଟରର କୌଣସି ବସ୍ତୁ ମନେ ପଡୁଥିବ ବା କିଛି ଲୁଚେଇ ରଖିଥିବା
ଜିନିଷ ମନେ ପଡୁଥିବ... । ସମସ୍ତଙ୍କ ଠାରୁ ନିଆରା ଏବଂ ବାବାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ ।
ପୂର୍ବରୁ ହିଁ ସବୁ ପ୍ରକାରର ଆକର୍ଷଣଠାରୁ ମୁକ୍ତ ହୋଇଥିବା ଦରକାର । ତେଣୁ କୌଣସି ପ୍ରକାରର
ବିନାଶୀ ବ୍ୟକ୍ତି ବସ୍ତୁ ବା ବୈଭବକୁ ସାହାରା କର ନାହିଁ । କେବଳ ଲକ୍ଷ୍ୟ ସ୍ଥଳ ବ୍ୟତୀତ ଅନ୍ୟ
କାହା ପ୍ରତି କୌଣସି ପ୍ରକାରର ଆକର୍ଷଣ ନରହୁ । ଆଚ୍ଛା!
ନିର୍ମଳାଶାନ୍ତା
ଦାଦୀଙ୍କ ସହିତ ସାକ୍ଷାତ:-
ସଂଗଠନ ଭଲ ଲାଗୁଛି?
ତୁମେମାନେ ତ ସଂଗଠନର ବିଶେଷ ଶୋଭା ଅଟ । ତୁମମାନଙ୍କ ପ୍ରତି ସମସ୍ତଙ୍କର କେତେ ସ୍ନେହ ପୂର୍ଣ୍ଣ
ଦୃଷ୍ଟି ରହିଛି । ଯେତେ ଦିନ ପର୍ଯ୍ୟନ୍ତ ଯେତେ ସେବା ଏହି ଶରୀର ଦ୍ୱାରା ହୋଇପାରିବ ସେତିକି ତ
ନିଶ୍ଚିତ ହେବ । ଯେମିତି ବି ହେଉ ଶରୀର ନିଶ୍ଚିତ ଚାଲିବ । ଶରୀରକୁ ଚଲାଇବାର ଢଙ୍ଗ ଅର୍ଥାତ୍ ବିଧି
ଜାଣିଗଲଣି ନା ଏବଂ ଭଲ ଚାଲୁଛି ମଧ୍ୟ, କାହିଁକି ନା ବାବାଙ୍କର ତଥା ସମସ୍ତଙ୍କର ଆଶୀର୍ବାଦ ରହିଛି
। ଖୁସିରେ ରହିବାର ଅଛି ଏବଂ ଖୁସି ବାଣ୍ଟିବାର ଅଛି, ଆଉ କାମ କ’ଣ ଅଛି । ତୁମକୁ ଦେଖି ସମସ୍ତେ
କେତେ ଖୁସି ହେଉଛନ୍ତି, ତେଣୁ ଖୁସି ବାଣ୍ଟୁଛନ୍ତି ନା । ଖୁସି ରୂପକ ଭୋଜନ ଖାଉଛନ୍ତି ମଧ୍ୟ ଏବଂ
ବାଣ୍ଟୁଛନ୍ତି ମଧ୍ୟ । ତୁମେମାନେ ତ ଗୋଟିଏ ଗୋଟିଏ ଦର୍ଶନୀୟ ମୂର୍ତ୍ତି ଅଟ । ସମସ୍ତଙ୍କର ଦୃଷ୍ଟି
ନିମିତ୍ତ ଆତ୍ମାମାନଙ୍କ ଆଡକୁ ଯାଉଛି, ତେଣୁ ଦର୍ଶନୀୟ ମୂର୍ତ୍ତି ହୋଇଗଲ ନା । ଆଚ୍ଛା!
ଅବ୍ୟକ୍ତ ବାପଦାଦାଙ୍କର
ବ୍ୟକ୍ତିଗତ ସାକ୍ଷାତ:- ବ୍ରାହ୍ମଣ ଜୀବନର ଆଧାର - ଯୋଗ ଏବଂ ସେବା
ଡ୍ରାମା ଅନୁସାରେ
ବ୍ରାହ୍ମଣ ଜୀବନରେ ସମସ୍ତଙ୍କୁ ସେବା କରିବାର ସୁଯୋଗ ମିଳିଛି । କାହିଁକି ନା ବ୍ରାହ୍ମଣ ଜୀବନର
ଆଧାର ହେଲା ଯୋଗ ଏବଂ ସେବା । ଯଦି ଯୋଗ ଏବଂ ସେବା ଦୁର୍ବଳ ହୋଇଯାଉଛି ତେବେ ଯେପରି ଶରୀରର ଆଧାର
ଦୁର୍ବଳ ହୋଇଗଲେ ତାକୁ ଔଷଧ ଦ୍ୱାରା ଠେଲି ଠେଲି ଚଲାଇଥାଆନ୍ତି ନା । ସେହିପରି ବ୍ରାହ୍ମଣ ଜୀବନରେ
ଯଦି ଯୋଗ ଏବଂ ସେବାର ଆଧାର ମଜ୍ବୁତ ନୁହେଁ ତେବେ ବ୍ରାହ୍ମଣ ଜୀବନ ମଧ୍ୟ କେବେ ତୀବ୍ରଗତିରେ
ଚାଲିବ, କେବେ ଢିଲା ଢାଲା ହୋଇ ଚାଲିବ, କେବେ ଧକ୍କା ଖାଇବା ଦ୍ୱାରା ଚାଲିବ । ଯଦି କୌଣସି ସହଯୋଗ
ମିଳିବ, କୌଣସି ସଂଗ ମିଳିବ, ସେହିଭଳି ପରିସ୍ଥିତି ମିଳିବ ତେବେ ଚାଲିବ ନଚେତ୍ ଢିଲା ହୋଇଯିବ
ସେଥିପାଇଁ ଯୋଗ ଏବଂ ସେବା ରୂପକ ବିଶେଷ ଆଧାର ସର୍ବଦା ଶକ୍ତିଶାଳୀ ହେବା ଦରକାର ଅର୍ଥାତ୍ ଉଭୟ
ଶକ୍ତିଶାଳୀ ହେବା ଦରକାର । ଯଦି ସେବା ବହୁତ କରୁଥିବ କିନ୍ତୁ ଯୋଗରେ ଦୁର୍ବଳ ଥିବ ବା ଯୋଗ ବହୁତ
ଭଲ କରୁଥିବ କିନ୍ତୁ ସେବାରେ ଦୁର୍ବଳ ଥିବ ତେବେ ମଧ୍ୟ ତୀବ୍ରଗତି ହୋଇପାରିବ ନାହିଁ । ତେଣୁ ଯୋଗ
ଏବଂ ସେବା ଉଭୟରେ ତୀବ୍ରଗତି ଆବଶ୍ୟକ ଏବଂ ଶକ୍ତିଶାଳୀ ମଧ୍ୟ ହେବା ଆବଶ୍ୟକ । ତେବେ ଏହି
ଦୁଇଟିଯାକ ଶକ୍ତିଶାଳୀ ଅଛି, ନା ଫରକ ରହୁଛି? କେବେ ସେବା ଅଧିକ ହୋଇଯାଉଛି, କେବେ ଯୋଗ ଅଧିକ
ହୋଇଯାଉଛି? କିନ୍ତୁ ଦୁଇଟି ଯାକ ଏକାଠି ହେବା ଉଚିତ୍ । ଯୋଗ ସହିତ ନିଃସ୍ୱାର୍ଥ ସେବା ।
ସ୍ୱାର୍ଥଯୁକ୍ତ ସେବା ନୁହେଁ, ଯଦି ନିଃସ୍ୱାର୍ଥ ସେବା କରୁଥିବ ତେବେ ମାୟାଜିତ୍ ହେବା ବହୁତ ସହଜ
। ପ୍ରତ୍ୟେକ କର୍ମରେ କର୍ମର ସମାପ୍ତି ପୂର୍ବରୁ ସର୍ବଦା ବିଜୟ ଦେଖାଯାଉଥିବ ଅର୍ଥାତ୍ ଏହିଭଳି
ଅଟଳ ନିଶ୍ଚୟର ଅନୁଭବ ହେଉଥିବ । ଯେପରି ବିଜୟ ତ ହୋଇ ସାରିଛି । ଯଦି ବ୍ରାହ୍ମଣ ଆତ୍ମାମାନଙ୍କର
ବିଜୟ ନହେବ ତେବେ ଆଉ କାହାର ହେବ? କ୍ଷତ୍ରିୟମାନଙ୍କର ହେବ କି? ବ୍ରାହ୍ମଣମାନଙ୍କର ତ ବିଜୟ ହେବ
ନା । ହେବ କି ନାହିଁ - ଏଭଳି ପ୍ରଶ୍ନ ମଧ୍ୟ ଉଠିବ ନାହିଁ । କରୁଛି ତ, ଚାଲୁଛି ତ, ଦେଖିବା, ହେବା
ତ ଉଚିତ୍, ହୋଇଯିବ ବୋଧ ହୁଏ..... ଏଭଳି ଶବ୍ଦ ମୁଖରେ ଆସିବ ନାହିଁ । କିଏ ଜାଣେ କ’ଣ ହେବ, ହେବ
କି ନାହିଁ - ଏସବୁ କ’ଣ ନିଶ୍ଚୟର ଭାଷା? ନିଶ୍ଚୟବୁଦ୍ଧି ବିଜୟୀ ବୋଲି ଗାୟନ ରହିଛି ନା? ଯେହେତୁ
ବାସ୍ତବିକ ରୂପରେ ବିଜୟ ହେଉଛି ସେଥିପାଇଁ ତ ଗାୟନ ହେଉଛି ନା । ତେବେ ନିଶ୍ଚୟ ବୁଦ୍ଧିର ଚିହ୍ନ
ହେଲା ସୁନିଶ୍ଚିତ ବିଜୟ । ଯେପରି କାହା ପାଖରେ ଯଦି କୌଣସି ଶକ୍ତି ଥିବ ଚାହେଁ ଧନର ଶକ୍ତି ହେଉ
ବା ବୁଦ୍ଧିର ଶକ୍ତି ହେଉ ବା ସମ୍ବନ୍ଧ-ସମ୍ପର୍କର ଶକ୍ତି ହେଉ, ତା’ ଭିତରେ ଏହି ନିଶ୍ଚୟ ରହିଥାଏ
ଯେ ଏହା କ’ଣ ବଡ କଥା, ଏହା ତ କିଛି ବି ନୁହେଁ । ସେହିପରି ତୁମ ପାଖରେ ତ ସର୍ବଶକ୍ତି ରହିଛି ।
ଧନର ଶକ୍ତି ମଧ୍ୟ ଅଛି, ନା ଧନର ଶକ୍ତି କେବଳ କୋଟିପତିମାନଙ୍କ ପାଖରେ ଅଛି? ସବୁଠାରୁ ବଡ ଧନ ହେଲା
ଅବିନାଶୀ ଧନ ଯାହାକି ସର୍ବଦା ସାଥୀରେ ଅଛି । ତେଣୁ ଧନର ଶକ୍ତି ମଧ୍ୟ ଅଛି, ବୁଦ୍ଧିର ଶକ୍ତି
ମଧ୍ୟ ଅଛି, ପୋଜିଶନ୍ ଅର୍ଥାତ୍ ଶ୍ରେଷ୍ଠ ପଦବୀର ଶକ୍ତି ମଧ୍ୟ ଅଛି । ଦୁନିଆରେ ଯେଉଁ ସବୁ
ଶକ୍ତିଗୁଡିକର ଗାୟନ ରହିଛି ସେଗୁଡିକୁ ସବୁ ତୁମ ପାଖରେ ଅଛି । ତେବେ ସବୁ ଶକ୍ତି ଅଛି ନା ପ୍ରାୟ
ଲୋପ ହୋଇଯାଇଛି? ତେଣୁ ଏଗୁଡିକୁ ପ୍ରତ୍ୟକ୍ଷ ରୂପରେ ଅନୁଭବ କର । ଏମିତି ନୁହେଁ ଯେ ହଁ, ମୁଁ ତ
ସର୍ବଶକ୍ତିମାନ୍ ପିତାଙ୍କର ସନ୍ତାନ କିନ୍ତୁ ଅନୁଭବ ହେଉ ନାହିଁ । ତେବେ ସମସ୍ତେ ଭରପୁର ଅଟ, ନା
କିଛି-କିଛି ଖାଲି ଅଛ? ସମୟ ଅନୁସାରେ ବିଧି ଦ୍ୱାର ସିଦ୍ଧି ପ୍ରାପ୍ତ ରହିବା ଦରକାର । ଏମିତି ନୁହେଁ
ଯେ ଯଥା ସମୟରେ ସିଦ୍ଧି ଅର୍ଥାତ୍ ସଫଳତା ମିଳୁ ନଥିବ କିନ୍ତୁ ଖାଲିଟାରେ ନିଶା ରହୁଥିବ ଯେ ମୋ
ଭିତରେ ବହୁତ ଶକ୍ତି ଅଛି । ତେଣୁ କେବେ ବି ନିଜର ଶକ୍ତିଗୁଡିକୁ ଭୁଲିଯାଅ ନାହିଁ, ସେଗୁଡିକୁ
ବ୍ୟବହାର କରିଚାଲୁଥାଅ । ଯଦି ଶକ୍ତିଗୁଡିକ ନିଜ ପ୍ରତି କାର୍ଯ୍ୟରେ ଲଗାଇବା ଜଣା ଥିବ ତେବେ
ଅନ୍ୟମାନଙ୍କ ପ୍ରତି ମଧ୍ୟ କାର୍ଯ୍ୟରେ ଲଗାଇପାରିବ । ପାଣ୍ଡବମାନଙ୍କ ଭିତରେ ଶକ୍ତି ଆସିଗଲାଣି,
ନା କେବେ କେବେ କ୍ରୋଧ ଆସିଯାଉଛି? ଅଳ୍ପ ଅଳ୍ପ କ୍ରୋଧ ଆସୁଛି କି? ଯଦି କେହି କ୍ରୋଧ କରିବ ବା
ଅପମାନିତ କରିବ ତେବେ କ୍ରୋଧ ଆସିବ? ତେବେ ଏହା ତ ଏପରି ହେଲା ଯେ ଯେପରିକି କ୍ରୋଧଠାରୁ ହାରିଗଲ ।
ମାତାମାନଙ୍କୁ ଅଳ୍ପ ଅଳ୍ପ ମୋହ ଆସୁଛି କି? ପାଣ୍ଡବମାନଙ୍କ ଭିତରେ ନିଜର ପ୍ରତ୍ୟେକ କଳ୍ପର ବିଜୟୀ
ପଣିଆର ଖୁସି ପ୍ରକଟ ହେବା ଦରକାର । ଯେତେବେଳେ ବି କେହି ଯଦି କୌଣସି ପାଣ୍ଡବକୁ ମନେ ପକାଇବ ତେବେ
ପାଣ୍ଡବ ଶବ୍ଦ ଭାବିବା ମାତ୍ରକେ ବିଜୟର ସ୍ମୃତି ସମ୍ମୁଖକୁ ଆସିଯିବ ନା । ପାଣ୍ଡବ ଅର୍ଥାତ୍ ବିଜୟୀ
। ପାଣ୍ଡବମାନଙ୍କର କାହାଣୀର ରହସ୍ୟ କ’ଣ? ବିଜୟ ଅଟେ ନା । ତେଣୁ ପ୍ରତ୍ୟେକ କଳ୍ପର ବିଜୟୀ । ଏହି
ନିଶା ସର୍ବଦା ଜାଗ୍ରତ ଅବସ୍ଥାରେ ରହିଥାଉ । ସୁପ୍ତ ଅବସ୍ଥାରେ ନୁହେଁ । ଆଚ୍ଛା!
ସମସ୍ତଙ୍କ ଦ୍ୱାରା
ସମ୍ମାନ ପ୍ରାପ୍ତ କରିବା ପାଇଁ ନିର୍ମାନ୍ ହୁଅ:-
ସମସ୍ତେ ନିଜକୁ କୋଟିକ
ଭିତରେ କେହି ଏବଂ କେହିଙ୍କ ଭିତରେ ମଧ୍ୟ କେହି ଶ୍ରେଷ୍ଠ ଆତ୍ମା ଅନୁଭବ କରୁଛ? ନା କୋଟିକ ଭିତରେ
କେହିର ଯେଉଁ ଗାୟନ ରହିଛି ତାହା କାହାର ଅଟେ? ନା ତୁମେମାନଙ୍କର ଅଟେ? ତେବେ ତୁମେ ପ୍ରତ୍ୟେକ
ଆତ୍ମାଙ୍କର କେତେ ମହତ୍ୱ ରହିଛି ଅର୍ଥାତ୍ ତୁମେ ପ୍ରତ୍ୟେକ ଆତ୍ମା ମହାନ ଅଟ । ତେବେ ଯିଏ ଯେତିକି
ମହାନ ହୋଇଥାଏ ତା’ର ଲକ୍ଷଣ ହେଲା ଯେତିକି ମହାନ ସେତିକି ନିର୍ମାନ ଅର୍ଥାତ୍ ନିରହଂକାରୀ ହୋଇଥିବ
କାହିଁକି ନା ସର୍ବଦା ଭରପୁର ଆତ୍ମା ଅଟେ । ଯେପରି ବୃକ୍ଷ ପାଇଁ ଗାୟନ ରହିଛି ଯେତିକି ଭରପୁର
ହୋଇଥିବ ସେତିକି ନଇଁ ପଡିଥିବ ଏବଂ ତା’ର ଏହି ନଇଁଯିବା ହିଁ ସେବା କରିଥାଏ । ଯେପରି ବୃକ୍ଷର ନଇଁ
ପଡିବା ସେବା କରିଥାଏ, ଯଦି ନଇଁ ନଥିବ ତେବେ ସେବା ହୋଇପାରିବ ନାହିଁ । ତେଣୁ ଗୋଟିଏ ପଟେ ମହାନତା,
ଆଉ ଗୋଟିଏ ପଟେ ନିର୍ମାନତା ଏବଂ ଯିଏ ନିର୍ମାନ ରହିଥାଏ ସେ ସମସ୍ତଙ୍କ ଦ୍ୱାରା ସମ୍ମାନ ପ୍ରାପ୍ତ
କରିଥାଏ । ତେଣୁ ନିଜେ ଯଦି ନିର୍ମାନ ହେବ ତେବେ ସମସ୍ତେ ତୁମକୁ ସମ୍ମାନ ଦେବେ । ଯେଉଁମାନେ
ଅଭିମାନରେ ରହିଥାଆନ୍ତି ତାଙ୍କୁ କେହି ସମ୍ମାନ ଦେଇନଥାଆନ୍ତି । ତାଙ୍କଠାରୁ ଦୂରେଇ ରହିବାକୁ
ଚେଷ୍ଟା କରନ୍ତି । ତେଣୁ ତୁମେମାନେ ମହାନ ଏବଂ ନିର୍ମାନ ଅଟ କିନ୍ତୁ ତା’ ଚିହ୍ନ ହେଲା ନିର୍ମାନ
ଆତ୍ମା ସମସ୍ତଙ୍କୁ ସୁଖ ଦେବ । ଯେଉଁଠାକୁ ବି ଯିବ, ଯାହା ବି କରିବ, ସମସ୍ତଙ୍କୁ ସୁଖ ହିଁ ଦେବ ।
ସେହି ଅନୁସାରେ ନିଜକୁ ଚେକ୍ କର ଯେ ମୁଁ କେତେ ମହାନ ଅଟେ? ଯିଏ ବି ତୁମ ସହିତ
ସମ୍ବନ୍ଧ-ସମ୍ପର୍କରେ ଆସିବେ ସେମାନେ ସୁଖର ଅନୁଭୂତି କରୁଥିବେ । ଏହିପରି ହେଉଛି ନା କେବେ କେବେ
ଦୁଃଖ ମଧ୍ୟ ଦେଇଦେଉଛ? ଯଦି ନିର୍ମାନତା କମ୍ ଥିବ ତେବେ ସୁଖ ମଧ୍ୟ ସର୍ବଦା ଦେଇପାରିବ ନାହିଁ ।
ତେଣୁ ସର୍ବଦା ସୁଖ ଦେଉଛ ଏବଂ ସୁଖ ନେଉଛ, ନା କେବେ କେବେ ଦୁଃଖ ମଧ୍ୟ ଦେଉଛ ଏବଂ ଦୁଃଖ ନେଉଛ? ଧରି
ନିଅ କାହାକୁ ଦୁଃଖ ଦେଉନାହଁ କିନ୍ତୁ ଦୁଃଖ ନେଉଛ କି? ଯଦି ଟିକିଏ ବି ଅନୁଭବ ହେଉଛି ତେବେ ଦୁଃଖ
ନେଲ ନା । ଯଦି କାହାର କୌଣସି କଥା ମନକୁ ବାଧିଲା ତେବେ କୁହାଯିବ ଦୁଃଖ ନେଲ । କିନ୍ତୁ କେହି
ଦେଉଥିବ କିନ୍ତୁ ତୁମେ ନେବ ନାହିଁ - ଏହା ତ ତୁମ ଉପରେ ନିର୍ଭର କରୁଛି ନା । ତେବେ ଯାହା ପାଖରେ
କେବଳ ଦୁଃଖ ହିଁ ଅଛି ସେ ଆଉ କ’ଣ ବା ଦେବ? ଦୁଃଖ ହିଁ ଦେବ ନା । କିନ୍ତୁ ତୁମର କାମ ହେଲା ସୁଖ
ଦେବା, ସୁଖ ନେବା । ଏମତି ନୁହେଁ ଯେ ଯଦି କେହି ଦୁଃଖ ଦେଉଛି ତେବେ କହିବ ମୁଁ କ’ଣ କରିବି? ମୁଁ
ତ ଦେଇନାହିଁ, କିନ୍ତୁ ସେ ମୋତେ ଦେଲା । ତେବେ ନିଜକୁ ଚେକ୍ କରିବାକୁ ହେବ ଯେ କ’ଣ ଦେବାର ଅଛି,
କ’ଣ ନେବାର ଅଛି । ନେବାରେ ମଧ୍ୟ ବୁଦ୍ଧିମାନ ହେବା ଦରକାର ନା । ସେଥିପାଇଁ ତ ବ୍ରାହ୍ମଣ
ଆତ୍ମାମାନଙ୍କ ପାଇଁ ଗାୟନ ରହିଛି ସୁଖର ସାଗରଙ୍କର ସନ୍ତାନ, ସୁଖ ସ୍ୱରୂପ, ଦୁଃଖ ଦେବ । ତେଣୁ
ତୁମେମାନେ ସୁଖ ସ୍ୱରୂପ, ସୁଖଦେବ ଅଟ । ଦୁଃଖର ଦୁନିଆକୁ ଛାଡି ଦେଇଛ, ଦୁରେଇ ଦେଇଛି, ନା ଏବେ
ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ପାଦ ଦୁଃଖଧାମରେ, ଗୋଟିଏ ପାଦ ସଂଗମଯୁଗରେ ଅଛି? ଏମିତି ତ ନୁହେଁ ନା
ବୁଦ୍ଧି କିଛି କିଛି ସେଠାରେ ମଧ୍ୟ ରହିଯାଇଛି? ଯଦିଓ ପାଦ ତ ନାହିଁ କିନ୍ତୁ ଟିକିଏ ଆଙ୍ଗୁଳି
ରହିଯାଇଛି କି? ଯେହେତୁ ଦୁଃଖଧାମକୁ ଛାଡିଦେଇ ଯାଇଛ ତେଣୁ ନା ଦୁଃଖ ନେବାର ଅଛି, ନା ଦେବାର ଅଛି
। ଆଚ୍ଛା!
ବରଦାନ:-
ଉଡିବାର କଳା
ଦ୍ୱାରା ବାବାଙ୍କ ସମାନ ଅଲରାଉଣ୍ଡ ଅର୍ଥାତ୍ ସବୁ ପ୍ରକାରର ପାର୍ଟ କରିବାବାଲା ଚକ୍ରବର୍ତ୍ତୀ ହୁଅ
।
ପେଯରି ବାବା ଅଲରାଉଣ୍ଡ
ପାର୍ଟଧାରୀ ଅଟନ୍ତି ଅର୍ଥାତ୍, ସାଙ୍ଗ ମଧ୍ୟ ହୋଇପାରିବେ ଏବଂ ପିତା ମଧ୍ୟ ହୋଇପାରିବେ । ସେହିପରି
ଉଡିବାର କଳାରେ ରହୁଥିବା ଆତ୍ମାମାନେ ଯେଉଁ ସମୟରେ ଯେଉଁ ସେବାର ଆବଶ୍ୟକତା ଥିବ ସେଥିରେ ଠିକ୍
ଭାବରେ ପାର୍ଟ କରିପାରିବେ । ଏହାକୁ ହିଁ କୁହାଯାଏ ଅଲରାଉଣ୍ଡ ଉଡନ୍ତା ପକ୍ଷୀ । ସେମାନେ ଏଭଳି
ନିର୍ବନ୍ଧନ ରହିଥାଆନ୍ତି ଯାହାକି ଯେଉଁଠାରେ ବି ସେବା ଥିବ ସେଠାରେ ପହଞ୍ଚି ଯିବେ । ସବୁ
ପ୍ରକାରର ସେବାରେ ସଫଳତା ମୁରତ ହେବେ । ସେହିମାନଙ୍କୁ ହିଁ କୁହାଯାଏ ଚକ୍ରବର୍ତ୍ତୀ ଅଲରାଉଣ୍ଡ
ପାର୍ଟଧାରୀ ।
ସ୍ଲୋଗାନ:-
ଯଦି ପରସ୍ପରର
ବିଶେଷତା ଗୁଡିକୁ ସ୍ମୃତିରେ ରଖି ବିଶ୍ୱସ୍ତ ହୋଇ ଚାଲିବ ତେବେ ସଂଗଠନ ଏକମତ ହୋଇଯିବ ।