22.11.20    Avyakt Bapdada     Odia Murli     21.01.87     Om Shanti     Madhuban


ସ୍ୱରାଜ୍ୟ ଅଧିକାରୀ ହିଁ ବିଶ୍ୱରାଜ୍ୟ ଅଧିକାରୀ


ଆଜି ଭାଗ୍ୟ ବିଧାତା ପିତା ନିଜର ସର୍ବଶ୍ରେଷ୍ଠ ଭାଗ୍ୟବାନ ସନ୍ତାନମାନଙ୍କୁ ଦେଖୁଛନ୍ତି । ବାପଦାଦାଙ୍କ ସମ୍ମୁଖରେ ଏବେ ମଧ୍ୟ କେବଳ ଏହି ଗୋଟିଏ ସଂଗଠନ ନାହିଁ କିନ୍ତୁ ଚାରିଆଡର ଭାଗ୍ୟବାନ ପିଲାମାନେ ମଧ୍ୟ ସମ୍ମୁଖରେ ଅଛନ୍ତି । ଚାହେଁ ଦେଶ ଭିତରେ ବା ବିଦେଶରେ କେଉଁ କୋଣ ଅନୁକୋଣରେ ମଧ୍ୟ ଥାନ୍ତୁ କିନ୍ତୁ ବେହଦର ପିତା ଅର୍ଥାତ୍ ସାରା ବିଶ୍ୱର ପିତା ତାଙ୍କର ବେହଦର ପିଲାମାନଙ୍କୁ ଦେଖୁଛନ୍ତି । ଏହି ସାକାର ଦୁନିଆରେ ସ୍ଥାନର ସୀମା ଆସିଯାଉଛି କିନ୍ତୁ ବେହଦର ପିତାଙ୍କର ଦୃଷ୍ଟିରୂପି ସୃଷ୍ଟି ବେହଦ ଅଟେ ଅର୍ଥାତ୍ ସୀମାହୀନ ଅଟେ ବାବାଙ୍କ ଦୃଷ୍ଟିରେ ସର୍ବ ବ୍ରାହ୍ମଣ ଆତ୍ମାମାନଙ୍କର ସୃଷ୍ଟି ସମାହିତ ହୋଇ ରହିଛି । ତେଣୁ ଦୃଷ୍ଟି ରୂପୀ ସୃଷ୍ଟିରେ ସମସ୍ତେ ସମ୍ମୁଖରେ ଅଛନ୍ତି ଏବଂ ସମସ୍ତ ଭାଗ୍ୟବାନ୍ ପିଲାମାନଙ୍କୁ ଦେଖି ଭାଗ୍ୟବିଧାତା ଭଗବାନ ହର୍ଷିତ ହେଉଛନ୍ତି । ଯେପରି ପିଲାମାନେ ବାବାଙ୍କୁ ଦେଖି ହର୍ଷିତ ହେଉଛନ୍ତି, ବାବା ମଧ୍ୟ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ବେହଦର ପିତାଙ୍କୁ ନିଜର ପିଲାମାନଙ୍କୁ ଦେଖି ଆତ୍ମିକ ନିଶା ଆସିଯାଉଛି ଯେ ମୋର ଗୋଟିଏ ଗୋଟିଏ ସନ୍ତାନ ବିଶ୍ୱ ସମ୍ମୁଖରେ ବିଶେଷ ଆତ୍ମାମାନଙ୍କ ଲିଷ୍ଟରେ ଅଛନ୍ତି । ଚାହେଁ ୧୬ ହଜାର ମାଳାର ଶେଷ ଦାନା ମଧ୍ୟ ହୋଇଥାଉ, ପୁଣି ବି ବାବାଙ୍କ ସମ୍ମୁଖକୁ ଆସିବା ଦ୍ୱାରା, ବାବାଙ୍କର ସନ୍ତାନ ହେବା ଦ୍ୱାରା ବିଶ୍ୱ ସମ୍ମୁଖରେ ବିଶେଷ ଆତ୍ମା ହୋଇଯାଇଛି ସେଥିପାଇଁ ଚାହେଁ ଆଉ କିଛି ବି ଜ୍ଞାନର ବିସ୍ତାରକୁ ଜାଣିପାରୁ ନାହିଁ କିନ୍ତୁ ଯଦି ଏକମାତ୍ର ବାବାଙ୍କୁ ଅନ୍ତରର ସହିତ ମାନିଗଲା ଏବଂ ଅନ୍ତରର ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇଲା ତେବେ ବି ବିଶେଷ ଆତ୍ମା ହୋଇଗଲା, ଦୁନିଆ ସମ୍ମୁଖରେ ମହାନ ଆତ୍ମା ହୋଇଗଲା ଏବଂ ଗାୟନ ଯୋଗ୍ୟ ମଧ୍ୟ ହୋଇଗଲା । ଏତେ ଶ୍ରେଷ୍ଠ ଭାଗ୍ୟ ଏତେ ସହଜରେ ତୁମକୁ ପ୍ରାପ୍ତ ହେଉଛି, ବୁଝିପାରୁଛ? କାହିଁକି ନା ବାବା ଶବ୍ଦ ହିଁ ଚାବୀ କାଠି । କାହାର? ସର୍ବ ସମ୍ପତ୍ତିର ଏବଂ ଶ୍ରେଷ୍ଠ ଭାଗ୍ୟର । ଯଦି ଚାବୀ ମିଳିଗଲା ତେବେ ଭାଗ୍ୟରୂପୀ ସମ୍ପତ୍ତି ନିଶ୍ଚିତ ପ୍ରାପ୍ତ ହେବ । ତେଣୁ ସବୁ ମାତାମାନେ ବା ପାଣ୍ଡବମାନେ ଚାବୀ ପାଇବାର ଅଧିକାରୀ ହେଲଣି? ଚାବୀ ଲଗାଇବା ଜଣା ଅଛି ନା କେବେ କେବେ ଚାବୀ ଲାଗୁନାହିଁ? ଚାବୀ ଲଗାଇବାର ବିଧି ହେଲା ହୃଦୟର ସହିତ ଜାଣିବା ଏବଂ ମାନିବା । ଯଦି କେବଳ ମୁଖରେ କହୁଛ ତେବେ ଚାବୀ ଥିଲେ ମଧ୍ୟ ଲାଗିବ ନାହିଁ । ଯଦି ହୃଦୟର ସହିତ କହିଲ ତେବେ ସବୁ ଭଣ୍ଡାର ଖୋଲିଯିବ ଏବଂ ଭଣ୍ଡାର ଗୁଡିକ ମଧ୍ୟ ଅସରନ୍ତି ଅଟେ ନା । ଅସରନ୍ତି ଭଣ୍ଡାର ଥିବା କାରଣରୁ ଯେତେ ବି ସନ୍ତାନ ଅଛନ୍ତି ସମସ୍ତେ ଅଧିକାରୀ ଅଟନ୍ତି । ଖୋଲା ଭଣ୍ଡାର ଏବଂ ଭରପୁର ଭଣ୍ଡାର ରହିଛି । ଏମିତି ନୁହେଁ ଯେ ଯେଉଁମାନେ ପଛରେ ଆସିଛନ୍ତି ତାଙ୍କ ପାଇଁ ଭଣ୍ଡାର ସରିଯାଇଥିବ । ଆଜି ପର୍ଯ୍ୟନ୍ତ ଯେତିକି ଆସିଛନ୍ତି ଅର୍ଥାତ୍ ବାବାଙ୍କର ସନ୍ତାନ ହୋଇଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଯେତେ ହେବାକୁ ଅଛନ୍ତି, ସମସ୍ତଙ୍କଠାରୁ ସମ୍ପତ୍ତି ଅନେକ ଗୁଣା ଅଧିକ ଅଛି ସେଥିପାଇଁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ସୁବର୍ଣ୍ଣ ସୁଯୋଗ ଦେଉଛନ୍ତି ଯେ ଯାହାକୁ ଯେତେ ନେବାର ଅଛି ଖୋଲା ହୃଦୟରେ ନିଅ । ଦାତାଙ୍କ ନିକଟରେ କୌଣସି କମୀ ନାହିଁ କେବଳ ନେବାବାଲାଙ୍କର ସାହାସ ବା ପୁରୁଷାର୍ଥ ଉପରେ ନିର୍ଭର କରୁଛି । ସାରା କଳ୍ପରେ ଏଭଳି କେହି ପିତା ନଥିବେ ଯାହାଙ୍କର ଏତେଗୁଡିଏ ସନ୍ତାନ ଥିବେ ଏବଂ ସମସ୍ତେ ଏତେ ଭାଗ୍ୟବାନ ହୋଇଥିବେ! ସେଥିପାଇଁ କହିଲୁ ଯେ ଆତ୍ମିକ ବାପଦାଦାଙ୍କ ଭିତରେ ଆତ୍ମିକ ନିଶା ରହିଛି ।

ସମସ୍ତଙ୍କର ମଧୁବନକୁ ଆସିବାର, ମିଳନ କରିବାର ଆଶା ପୂରଣ ହେଲା । ଭକ୍ତିମାର୍ଗର ଯାତ୍ରାଠାରୁ ତ ପୁଣି ବି ମଧୁବନରେ ଆରାମରେ ବସିବାର, ରହିବାର ଜାଗା ତ ମିଳିଛି ନା । ମନ୍ଦିରମାନଙ୍କରେ ତ ଛିଡା ହୋଇ କେବଳ ଦର୍ଶନ କରିଥାନ୍ତି । ଏଠାରେ ଆରାମରେ ତ ବସିଛ ନା । ସେଠାରେ ତ ଯାଅ-ଯାଅ, ଚାଲ-ଚାଲ କୁହନ୍ତି କିନ୍ତୁ ଏଠାରେ ଆରାମରେ ବସ, ଆରାମରେ ଯୋଗ କର ଖୁସି ମଉଜ କର । ସଂଗମଯୁଗକୁ ତ ଖୁସି ମଉଜ କରିବା ପାଇଁ ହିଁ ଆସିଛ । ତେବେ ସବୁ ସମୟରେ ଖାଇବା-ପିଇବା କରି, ଚଲାବୁଲା କରି ଖୁସିର ଭଣ୍ଡାର ଜମା କରୁଛ? କେତେ ଜମା କରିଛ? ସେତିକି କରିଛ ତ ଯାହାକି ୨୧ ଜନ୍ମ ପର୍ଯ୍ୟନ୍ତ ଆରାମରେ ଖାଇପାରିବ? ମଧୁବନ ହେଉଛି ବିଶେଷ ଭାବରେ ସର୍ବ ସମ୍ପତ୍ତି ଜମା କରିବାର ସ୍ଥାନ କାହିଁକି ନା ଏଠାରେ କେବଳ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ-- ଏହାକୁ ସାକାର ରୂପରେ ମଧ୍ୟ ଅନୁଭବ କରୁଛ କିନ୍ତୁ ସେଠାରେ ଅର୍ଥାତ୍ ନିଜ ନିଜ ସ୍ଥାନରେ ବୁଦ୍ଧି ଦ୍ୱାରା ଅନୁଭବ କରୁଛ ଏଠାରେ ତ ପ୍ରତ୍ୟକ୍ଷ ରୂପରେ ସାକାର ଜୀବନରେ ମଧ୍ୟ କେବଳ ଏକମାତ୍ର ବାବା ଏବଂ ବ୍ରାହ୍ମଣ ପରିବାର ବ୍ୟତୀତ ଆଉ କେହି ଦୃଷ୍ଟିକୁ ଆସୁଛନ୍ତି କି? ଗୋଟିଏ ହିଁ ଲଗନ, ଗୋଟିଏ ହିଁ କଥା, ସମସ୍ତେ ଗୋଟିଏ ପରିବାରର ଏବଂ ଏକରସ ଅର୍ଥାତ୍ ଏକାଭଳି ସ୍ଥିତି, ଅନ୍ୟ କୌଣସି ରସ ହିଁ ନାହିଁ । ପାଠ ପଢିବା ଏବଂ ପାଠପଢା ଦ୍ୱାରା ଶକ୍ତିଶାଳୀ ହେବା, ମଧୁବନରେ କେବଳ ଏହି କାମ କରୁଛ ନା । କେତେ ସବୁ କ୍ଳାସ କରୁଛ? ତେଣୁ ଏଠାରେ ବିଶେଷ ଭାବରେ ଜମା କରିବାର ସୁଯୋଗ ମିଳୁଛି, ସେଥିପାଇଁ ତ ସମସ୍ତେ ଦୌଡି ଦୌଡି ଆସି ପହଞ୍ଚି ଯାଇଛନ୍ତି । ବାପଦାଦା ସମସ୍ତ ପିଲାମାନଙ୍କୁ ବିଶେଷ କରି ଏହି ସ୍ମୃତି ଦେଉଛନ୍ତି ଯେ ସର୍ବଦା ସ୍ୱରାଜ୍ୟ ଅଧିକାରୀ ସ୍ଥିତିରେ ଆଗକୁ ବଢିଚାଲ । ସ୍ୱରାଜ୍ୟ ଅଧିକାରୀ ହେବା ହିଁ ବିଶ୍ୱରାଜ୍ୟ ଅଧିକାରୀ ହେବାର ଲକ୍ଷଣ ।

କେତେକ ସନ୍ତାନ ଅମୃତବେଳାରେ ବାର୍ତ୍ତାଳାପ କରିବା ସମୟରେ ବାବାଙ୍କୁ ପଚାରୁଛନ୍ତି ଯେ ମୁଁ ଭବିଷ୍ୟତରେ କଣ ହେବି ରାଜା ହେବି ନା ପ୍ରଜା? ବାପଦାଦା ମଧ୍ୟ ପିଲାମାନଙ୍କୁ ଉତ୍ତର ଦେଉଛନ୍ତି ଯଦି ନିଜେ ନିଜକୁ ଗୋଟିଏ ଦିନ ମଧ୍ୟ ଚେକ୍ କରିବ ତେବେ ଜଣାପଡିଯିବ ଯେ ମୁଁ ରାଜା ହେବି, ନା ସାହୁକାର ପ୍ରଜା ହେବି, ନା ସାଧାରଣ ପ୍ରଜା ହେବି । ପ୍ରଥମେ ଅମୃତବେଳାରୁ ନିଜର ମୁଖ୍ୟ ତିନୋଟିଯାକ ରାଜ୍ୟ କାରବାରର ଅଧିକାରୀ, ସହଯୋଗୀ ଏବଂ ସାଥୀମାନଙ୍କୁ ଚେକ୍ କର । ସେମାନେ କିଏ? (୧) ମନ ଅର୍ଥାତ୍ ସଂକଳ୍ପ ଶକ୍ତି (୨) ବୁଦ୍ଧି ଅର୍ଥାତ୍ ନିର୍ଣ୍ଣୟ ଶକ୍ତି (୩) ପୂର୍ବର ବା ବର୍ତ୍ତମାନର ଶ୍ରେଷ୍ଠ ସଂସ୍କାର । ଏହି ତିନିଜଣ ଯାକ ତୁମର ବିଶେଷ କର୍ମଚାରୀ ଅଟନ୍ତି । ଯେପରି ଆଜିକାଲି ରାଜାଙ୍କ ସାଥୀରେ ମହାମନ୍ତ୍ରୀ ବା ବିଶେଷମନ୍ତ୍ରୀମାନେ ଅଛନ୍ତି, ସେମାନଙ୍କ ସହଯୋଗରେ ରାଜ୍ୟର କାରବାର ଚାଲିଛି । ସେହିପରି ତୁମେ ଚେକ୍ କର - ଏହି ତିନୋଟି ଯାକ ଶକ୍ତି ସ୍ୱ ଅର୍ଥାତ୍ ଆତ୍ମାର ଅଧିକାରରେ ଚାଲୁଛନ୍ତି ଅର୍ଥାତ୍ ନିୟନ୍ତ୍ରଣରେ ଅଛନ୍ତି? ଏହି ତିନିଟି ଶକ୍ତି ଉପରେ ସ୍ୱ ର ରାଜ୍ୟ ଅଛି? ନା, ଏମାନଙ୍କ ଅଧିକାରରେ ବା ନିୟନ୍ତ୍ରଣରେ ତୁମେ ଚାଲୁଛ? ମନ ତୁମକୁ ଚଲାଉଛି? ନା, ତୁମେ ମନକୁ ଚଲାଉଛ । ଯେତେବେଳେ ଚାହିଁବ ଯାହା ଚାହିଁବ ତୁମର ଅଧୀନରେ ଅଛି? ନା, ତୁମେ ସଂସ୍କାରର ଅଧୀନରେ ଅଛ? ରାଜ୍ୟ ଅର୍ଥାତ୍ ଅଧିକାର । ରାଜ୍ୟ ଅଧିକାରୀ ଯେଉଁ ଶକ୍ତିକୁ, ଯେଉଁ ସମୟରେ, ଯେଉଁ ଆଦେଶ ଦେବ ସେହି ଶକ୍ତି ସେହି ସମୟରେ ସେହି ଅନୁସାରେ କାର୍ଯ୍ୟ କରିବ, ଏମିତି ନୁହେଁ ଯେ ତୁମେ ଗୋଟିଏ କଥା କହୁଥିବ ସେ ଆଉ ଗୋଟିଏ କଥା କରୁଥିବ? କାହିଁକି ନା ନିରନ୍ତର ଯୋଗୀ ଅର୍ଥାତ୍ ସ୍ୱରାଜ୍ୟ ଅଧିକାରୀ ହେବାର ବିଶେଷ ଆଧାର ହିଁ ହେଉଛି ମନ ଏବଂ ବୁଦ୍ଧି । ତୁମର ମନ୍ତ୍ର ହିଁ ହେଉଛି ମନମନାଭବ । ଯୋଗକୁ ତ ବୁଦ୍ଧି ଯୋଗ ମଧ୍ୟ କୁହାଯାଏ । ଯଦି ଏହି ବିଶେଷ ଆଧାର ସ୍ତମ୍ଭ ନିଜର ଅଧିକାରରେ ନାହାଁନ୍ତି ବା କେବେ ଅଛନ୍ତି, କେବେ ନାହାଁନ୍ତି, ବା ଏବେ ଏବେ ଅଛନ୍ତି, ଏବେ ଏବେ ନାହାଁନ୍ତି ବା ତିନୋଟି ମଧ୍ୟରୁ ଯଦି ଗୋଟିଏ ଶକ୍ତି ମଧ୍ୟ କମ ଅଧିକାରରେ ଅଛି ତେବେ ସେହିଥିରୁ ଚେକ୍ କର ଯେ ମୁଁ ରାଜା ହେବି କି ପ୍ରଜା ହେବି? ବହୁତ କାଳର ରାଜ୍ୟ ଅଧିକାରୀ ହେବାର ସଂସ୍କାର ଭବିଷ୍ୟତରେ ବହୁତ କାଳ ପର୍ଯ୍ୟନ୍ତ ରାଜ୍ୟ ଅଧିକାରୀ କରିଦେବ । ଯଦି କେବେ ଅଧିକାରୀ କେବେ ବଶୀଭୂତ ହୋଇଯାଉଛ ତେବେ ଅଧାକଳ୍ପ ଅର୍ଥାତ୍ ପୁରା ରାଜ୍ୟ ଭାଗ୍ୟର ଅଧିକାର ପ୍ରାପ୍ତ କରିପାରିବ ନାହିଁ । ଅଧା ସମୟ ପରେ ତ୍ରେତାଯୁଗୀ ରାଜା ହୋଇପାରିବ, ସାରା ସମୟ ରାଜ୍ୟ ଅଧିକାରୀ ଅର୍ଥାତ୍ ରାଜ୍ୟ କରୁଥିବା ରାଜ ପରିବାରର ନିକଟ ସମ୍ବନ୍ଧରେ ରହିପାରିବ ନାହିଁ । ଯଦି ବାରମ୍ବାର ବଶୀଭୂତ ହୋଇଯାଉଛ ତେବେ ଅଧିକାରୀ ହେବାର ସଂସ୍କାର ନାହିଁ କିନ୍ତୁ ରାଜ୍ୟ ଅଧିକାରୀମାନଙ୍କର ରାଜ୍ୟରେ ରହିବ । ତେବେ ସେମାନେ କଣ ହେଲେ? ସେମାନେ ହେଲେ ପ୍ରଜା ଏବେ ବୁଝିପାରିଲ, ରାଜା କିଏ ହେବ, ପ୍ରଜା କିଏ ହେବ? ନିଜର ଦର୍ପଣରେ ନିଜର ଭାଗ୍ୟ ରୂପୀ ମୁଖକୁ ଦେଖ ଏହି ଜ୍ଞାନ ହିଁ ଦର୍ପଣ ଅଟେ । ତେଣୁ ସମସ୍ତଙ୍କ ନିକଟରେ ଦର୍ପଣ ଅଛି ନା । ଏବେ ନିଜର ଚେହେରାକୁ ଦେଖିପାରିବ ନା । ତେଣୁ ଏବେ ବହୁତ ସମୟର ଅଧିକାରୀ ହେବାର ଅଭ୍ୟାସ କର । ଏମିତି ନୁହେଁ ଯେ ଶେଷରେ ତ ନିଶ୍ଚିତ ହୋଇଯିବୁ । ଯଦି ଅନ୍ତିମ ସମୟରେ ଅଧିକାରୀ ହେବ ତେବେ କେବଳ ଶେଷ ଜନ୍ମଟି ହିଁ କିଛି ସମୟ ପାଇଁ ରାଜ୍ୟ କରିପାରିବ । କିନ୍ତୁ ଏହା ମଧ୍ୟ ମନେ ରଖ - ଯଦି ଏବେଠାରୁ ହିଁ ବହୁତ ସମୟର ଅଭ୍ୟାସ ନଥିବ ବା ଆରମ୍ଭ ସମୟରୁ ଅଭ୍ୟାସୀ ହୋଇ ନାହଁ, ଆଦି ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଶେଷ କାର୍ଯ୍ୟକର୍ତ୍ତାମାନେ ତୁମକୁ ନିଜର ଅଧିକାରରେ ଚଲାଉଛନ୍ତି ବା ସ୍ଥିତିକୁ ଟଳମଳ କରି ଆସୁଛନ୍ତି ଅର୍ଥାତ୍ ଧୋକା ଦେଇ ଆସୁଛନ୍ତି, ଦୁଃଖର ଅନୁଭବ କରାଇ ଚାଲିଛନ୍ତି ତେବେ ଅନ୍ତିମ ସମୟରେ ମଧ୍ୟ ଧୋକା ହିଁ ମିଳିବ । ଧୋକା ଅର୍ଥାତ୍ ଦୁଃଖର ଢେଉ ନିଶ୍ଚିତ ଆସିବ । ତେଣୁ ଅନ୍ତିମ ସମୟରେ ପଶ୍ଚାତାପ ରୂପୀ ଦୁଃଖର ଢେଉ ନିଶ୍ଚିତ ଆସିବ ସେଥିପାଇଁ ବାପଦାଦା ସବୁ ପିଲାଙ୍କୁ ପୁଣି ଥରେ ସ୍ମରଣ କରାଇଦେଉଛନ୍ତି ଯେ ରାଜା ହୁଅ ଏବଂ ନିଜର ବିଶେଷ ସହଯୋଗୀ କର୍ମଚାରୀ ବା ରାଜ୍ୟ କାରବାରୀ ସାଥୀମାନଙ୍କୁ ନିଜର ଅଧିକାରରେ ଚଲାଅ । ବୁଝିଲ?

ବାପଦାଦା ଦେଖୁଛନ୍ତି ଯେ କିଏ କିଏ କେତେ ସ୍ୱରାଜ୍ୟ ଅଧିକାରୀ ହୋଇଛନ୍ତି? ଆଚ୍ଛା! ତେବେ ସମସ୍ତେ କଣ ହେବା ପାଇଁ ଚାହୁଛଁ? ରାଜା ହେବାକୁ ଚାହୁଁଛ? ତେବେ ବର୍ତ୍ତମାନ ସମୟରେ ସ୍ୱରାଜ୍ୟ ଅଧିକାରୀ ଅଟ? ନା, କହୁଛ ଏବେ ହେଉଛୁ ବା ଭାବୁଛୁ ହୋଇଯିବୁ? ଯଦି କହୁଛ-ଭାବୁଛୁ ହୋଇଯିବୁ, ତେବେ ବାବା କହିବେ- ଆଚ୍ଛା, ରାଜ୍ୟ ଭାଗ୍ୟ ଦେବା କଥା ମଧ୍ୟ ସେତେବେଳେ ଭାବିବା । ତେଣୁ ଶୁଣାଇଲୁ ନା - ଏବେଠାରୁ ହିଁ ବହୁତ ସମୟର ସଂସ୍କାର ପଡିବା ଆବଶ୍ୟକ । ଏମିତି ତ ଆଉ ବହୁତ ସମୟ ମଧ୍ୟ ନାହିଁ, ବହୁତ ଅଳ୍ପ ସମୟ ଅଛି, ପୁଣି ବି ଏତିକି ସମୟର ଯଦି ଅଭ୍ୟାସ ନରହିବ ତେବେ ଶେଷ ସମୟରେ ଏପରି ଉଲୁଗୁଣା ଦେବ ନାହିଁ ଯେ - ମୁଁ ତ ଭାବିଥିଲି ଶେଷ ସମୟରେ ହିଁ ହୋଇଯିବି, ସେଥିପାଇଁ କୁହାଯାଉଛ- କେବେ ନୁହେଁ ଏବେ । କେବେ ହେବ ସେକଥା ନୁହେଁ, ଏବେ ହିଁ ହେବା ଦରକାର ଏବଂ ହେବାକୁ ହିଁ ପଡିବ । ନିଜ ଉପରେ ହିଁ ରାଜ୍ୟ କର, ନିଜର ସାଥୀମାନଙ୍କ ଉପରେ ରାଜ୍ୟ କରିବା ଆରମ୍ଭ କରି ଦିଅ ନାହିଁ । ଯେଉଁମାନଙ୍କର ସ୍ୱ ଉପରେ ରାଜ୍ୟ ରହିଛି, ତାଙ୍କ ନିକଟରେ ଏବେ ମଧ୍ୟ ସ୍ନେହ ଥିବା କାରଣରୁ ସମସ୍ତ ସାଥୀମାନେ ମଧ୍ୟ ଚାହେଁ ଲୌକିକ, ଚାହେଁ ଅଲୌକିକ, ସମସ୍ତେ ଜୀ ହଜୁର, ହାଁ ଜୀ କହିବା ସହିତ ସାଥୀ ହୋଇ ରହୁଥିବେ ଏବଂ ସ୍ନେହୀ ହେବା ସହିତ ସାଥୀ ହୋଇ ହାଁ ଜୀର ପାଠକୁ ବାସ୍ତବ ରୂପରେ ଦେଖାଉଥିବେ । ପେଯରି ପ୍ରଜା ରାଜାର ସହଯୋଗୀ ହୋଇଥାଏ, ସ୍ନେହୀ ହୋଇଥାଏ, ସେହିପରି ତୁମର ଏହି କର୍ମେନ୍ଦ୍ରିୟ ଗୁଡିକ, ବିଶେଷ ଶକ୍ତିଗୁଡିକ ସର୍ବଦା ତୁମର ସ୍ନେହୀ, ସହଯୋଗୀ ହୋଇ ରହିବେ ଏବଂ ଏହାର ପ୍ରଭାବ ସାକାର ରୂପରେ ତୁମର ସେବା ସାଥୀମାନଙ୍କ ଉପରେ ବା ଲୌକିକ ସାଥୀ-ସମ୍ବନ୍ଧୀମାନଙ୍କ ଉପରେ ମଧ୍ୟ ପଡିବ । ଦୈବୀ ପରିବାରରେ ଅଧିକାରୀ ହୋଇ ଅର୍ଡର ଚଲାଇବା - ଏସବୁ ଚଳିବ ନାହିଁ । ନିଜେ ନିଜର କର୍ମେନ୍ଦ୍ରିୟ ଗୁଡିକୁ ନିଜ ଆୟତ୍ତରେ ରଖ ତେବେ ସ୍ୱତଃ ଭାବରେ ତୁମେ ଆଦେଶ ଦେବା ପୂର୍ବରୁ ହିଁ ତୁମର ସମସ୍ତ ସାଥୀମାନେ ତୁମ କାର୍ଯ୍ୟରେ ସହଯୋଗୀ ହୋଇଯିବେ । ନିଜେ ନିଜେ ସହଯୋଗୀ ହୋଇଯିବେ, ଆଦେଶ ଦେବାର ଆବଶ୍ୟକତା ପଡିବ ନାହିଁ । ନିଜେ ହିଁ ନିଜର ସହଯୋଗ ଆପେ ଆପେ ଦେବେ କାହିଁକି ନା ତୁମେ ସ୍ୱରାଜ୍ୟ ଅଧିକାରୀ ଅଟ । ଯେପରି ରାଜା ଅର୍ଥାତ୍ ଦାତା, ତେବେ ଦାତାକୁ କେବେ କହିବାକୁ ପଡେ ନାହିଁ ଅର୍ଥାତ୍ ମାଗିବାକୁ ପଡେ ନାହିଁ । ତେଣୁ ଏହିଭଳି ସ୍ୱରାଜ୍ୟ ଅଧିକାରୀ ହୁଅ । ଆଚ୍ଛା! ଏହି ମେଳା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଥିଲା । ବାଃ ଡ୍ରାମା କହୁଛନ୍ତି ନା । ଅନ୍ୟମାନେ ତ କେତେବେଳେ ହାଏ ଡ୍ରାମା କହିବେ କେତେବେଳେ ବାଃ ଡ୍ରାମା କହିବେ, ତେବେ ତୁମେମାନେ କଣ କହୁଛ? ବାଃ ଡ୍ରାମା ବାଃ! ଯେତେବେଳେ କୌଣସି ପ୍ରାପ୍ତି ହୋଇଥାଏ ସେତେବେଳେ ପ୍ରାପ୍ତି ତୁଳନାରେ କୌଣସି କଥା କଷ୍ଟ ଲାଗେ ନାହିଁ । ସେହିପରି, ଯେବେକି ଏତେ ଶ୍ରେଷ୍ଠ ପରିବାର ସହିତ ମିଶିବାର ପ୍ରାପ୍ତି ହେଉଛି ତେବେ କୌଣସି ପ୍ରକାରର କଷ୍ଟ ଅନୁଭବ ହେବ ନାହିଁ । ତେବେ କୌଣସି ଅସୁବିଧା ଅନୁଭବ ହେଉଛି? ଖାଇବା ପାଇଁ ଅପେକ୍ଷା କରିବାକୁ ପଡୁଛି । ତେଣୁ ଖାଇବା ସମୟରେ ମଧ୍ୟ ପ୍ରଭୁଙ୍କ ଗୁଣ ଗାଅ, ଧାଡିରେ ଛିଡା ହେବା ସମୟରେ ମଧ୍ୟ ପ୍ରଭୁଙ୍କର ଗୁଣ ଗାଅ । କେବଳ ଏହି କାମ କର । ଏହା ମଧ୍ୟ ତୁମର ରିହର୍ସଲ୍ ହେଉଛି ଅର୍ଥାତ୍ ପୂର୍ବରୁ ଅଭ୍ୟାସ ହୋଇଯାଉଛି । ଏବେ ତ କିଛି ବି ହୋଇନାହିଁ । ଆଗକୁ ତ ଆହୁରି ବହୁତ ବୃଦ୍ଧି ହେବ ନା । ଏହିଭଳି ନିଜକୁ ଆଡଜଷ୍ଟ କରିବାର ଅଭ୍ୟାସ ପକାଇଦିଅ, ଯେପରି ସମୟ ସେହିପରି ନିଜେ ନିଜକୁ ଚଲାଇ ପାରୁଥିବ । ଏବେ ତଳେ ଶୋଇବାର ମଧ୍ୟ ଅଭ୍ୟାସ ହୋଇଗଲା ନା । ଏମିତି ନୁହେଁ ତ ଖଟ ମିଳିନାହିଁ ତେଣୁ ନିଦ ହେଉନାହିଁ? ତମ୍ବୁରେ ରହିବାର ମଧ୍ୟ ଅଭ୍ୟାସ ହୋଇଗଲା ନା । ଭଲ ଲାଗିଲା? ଥଣ୍ଡା ଲାଗୁନାହିଁ ତ? ଏବେ ସାରା ଆବୁରେ ତମ୍ବୁ ଲଗାଇଦେବା? ତମ୍ବୁରେ ଶୋଇବାକୁ ଭଲ ଲାଗିଲା, ନା ରୁମ୍ ଦରକାର? ମନେ ଅଛି, ପ୍ରଥମେ ପ୍ରଥମେ ଯେତେବେଳେ ପାକିସ୍ଥାନରେ ଥିଲ ସେତେବେଳେ ମହାରଥୀମାନଙ୍କୁ ହିଁ ତଳେ ଶୋଇବାକୁ ଦିଆଯାଉଥିଲା । ଯେଉଁମାନେ ନାମୀଗ୍ରାମୀ ମହାରଥୀ ଥିଲେ, ସେମାନଙ୍କୁ ହଲରେ ତଳେ ତିନିଫୁଟ ଜାଗାରେ ଶୋଇବାକୁ ଦିଆଯାଇଥିଲା । ଏବେ ଯେତେବେଳେ ବ୍ରାହ୍ମଣ ପରିବାରର ବୃଦ୍ଧି ହେଲା ସେତେବେଳେ ମଧ୍ୟ କେଉଁଠାରୁ ଆରମ୍ଭ କରିଥିଲ? ତମ୍ବୁରୁ ହିଁ ଆରମ୍ଭ କରିଛ ନା! ପ୍ରଥମେ ପ୍ରଥମେ ଯେଉଁମାନେ ବାହାରିଛନ୍ତି ସେମାନେ ମଧ୍ୟ ତମ୍ବୁରେ ହିଁ ରହୁଥିଲେ, ଏହିଭଳି ତମ୍ବୁରେ ଅର୍ଥାତ୍ ଟେଣ୍ଟରେ ରହିବାବାଲା ପିଲାମାନେ ସେଣ୍ଟ ହୋଇଗଲେ ଅର୍ଥାତ୍ ମହାତ୍ମା ହୋଇଗଲେ । ସାକାରରେ ପାର୍ଟ ଚାଲିଥିବା ସମୟରେ ମଧ୍ୟ ତମ୍ବୁରେ ରହୁଥିଲେ । ତେଣୁ ତୁମେମାନେ ମଧ୍ୟ ଅନୁଭବ କରିବ ନା । ତେଣୁ ସମସ୍ତେ ସବୁ ପ୍ରକାରରେ ଖୁସି ଅଛ? ଆଚ୍ଛା, ପୁଣି ଆଉ ୧୦ ହଜାର ପିଲାଙ୍କୁ ଡାକି ତମ୍ବୁରେ ରହିବାର ଅବସ୍ଥା କରିବା । ଏବେ ସମସ୍ତେ ସ୍ନାନ ଆଦିର ବ୍ୟବସ୍ଥା ବିଷୟରେ ଭାବୁଛ, ତାହା ମଧ୍ୟ ହୋଇଯିବ । ମନେ ଅଛି, ଯେତେବେଳେ ଏହି ହଲ ତିଆରି ହେଉଥିଲା ସେତେବେଳେ ସମସ୍ତେ କଣ କହୁଥିଲ? ଏତେଗୁଡିଏ ଗାଧୁଆ ଘର କଣ ହେବ? ଏହି ଲକ୍ଷ୍ୟରେ ହିଁ ତିଆରି କରାଯାଇଥିଲା । ଏବେ କମ୍ ପଡିଗଲା ନା । ଯେତେ ବି ତିଆରି କର ସେତେ କମ୍ ପଡିବ, ଏହା ତ ସୁନିଶ୍ଚିତ । କାହିଁକି ନା ଶେଷରେ ତ ବେହଦକୁ ହିଁ ଯିବାକୁ ପଡିବ ନା ଅର୍ଥାତ୍ କୌଣସି ସୀମା ରହିବ ନାହିଁ । ଆଚ୍ଛା!

ସବୁ ଆଡୁ ପିଲାମାନେ ଆସି ପହଞ୍ଚି ଗଲେଣି । ତେବେ ଏହା ମଧ୍ୟ ଏହି ବିଶାଳ ହଲର ଶୃଙ୍ଗାର ହୋଇଗଲା । ତଳେ ମଧ୍ୟ ବସିଛନ୍ତି । ଭିନ୍ନ ଭିନ୍ନ ସ୍ଥାନରେ ମୁରଲୀ ଶୁଣୁଛନ୍ତି । ଏହିଭଳି ବୃଦ୍ଧି ହେବା ମଧ୍ୟ ସୌଭାଗ୍ୟର ପ୍ରତୀକ । ଏବେ ବୃଦ୍ଧି ତ ହେଲା କିନ୍ତୁ ସମସ୍ତଙ୍କୁ ବିଧିପୂର୍ବକ ମଧ୍ୟ ଚାଲିବାକୁ ହେବ । ଏମିତି ନୁହେଁ ଯେ ମଧୁବନକୁ ଆସିଗଲୁ, ବାବାଙ୍କୁ ମଧ୍ୟ ଦେଖିଲୁ, ମଧୁବନକୁ ମଧ୍ୟ ଦେଖିଲୁ, ଏବେ ଯେମିତି ଇଚ୍ଛା ସେମିତି ଚାଲିବୁ । ଏମିତି କେବେ ବି କରିବ ନାହିଁ କାହିଁକି ନା କେହି କେହି ପିଲା ଏମିତି ମଧ୍ୟ କରୁଛନ୍ତି - ଯେତେ ଦିନ ପର୍ଯ୍ୟନ୍ତ ମଧୁବନକୁ ଆସିବାକୁ ସୁଯୋଗ ମିଳିନାହିଁ, ସେତେଦିନ ପର୍ଯ୍ୟନ୍ତ ପକ୍କା ରହିଥାନ୍ତି, ପୁଣି ମଧୁବନକୁ ଆସିଯିବା ପରେ ବେରୁଆ ହୋଇଯାଆନ୍ତି । ତେଣୁ ଏହିଭଳି ବେପରୁଆ ହେବାର ନାହିଁ । ବ୍ରାହ୍ମଣର ଅର୍ଥ ହେଲା ବ୍ରାହ୍ମଣ ଜୀବନ, ଜୀବନର ଅର୍ଥ ହେଲା ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଥିବ ସେତେଦିନ ପର୍ଯ୍ୟନ୍ତ ଜୀବନ କୁହାଯିବ । ତେବେ ବ୍ରାହ୍ମଣ ଜୀବନ ତିଆରି କରିଛ ନା! କିଛି ସମୟ ପାଇଁ ବ୍ରାହ୍ମଣ ହୋଇଛ? ତେଣୁ ସର୍ବଦା ନିଜର ବ୍ରାହ୍ମଣ ଜୀବନର ବିଶେଷତା ଗୁଡିକୁ ସାଥୀରେ ରଖିଥାଅ କାହିଁକି ନା ବିଶେଷତାଗୁଡିକ ପାଇଁ ହିଁ ତୁମର ବର୍ତ୍ତମାନ ମଧ୍ୟ ଶ୍ରେଷ୍ଠ ହେଉଛି ଏବଂ ଭବିଷ୍ୟତ ମଧ୍ୟ ଶ୍ରେଷ୍ଠ ହୋଇଯିବ । ଆଚ୍ଛା! ଆଉ କଣ ବାକି ରହିଲା? ଟୋଲୀ । (ବରଦାନ) ବରଦାତାଙ୍କର ସନ୍ତାନମାନେ ତ ବରଦାନ ହିଁ ଅଟନ୍ତି । ଯେଉଁମାନେ ନିଜେ ହିଁ ବରଦାତାଙ୍କର ସନ୍ତାନ ସେମାନଙ୍କୁ ପ୍ରତିପାଦରେ ବରଦାତାଙ୍କଠାରୁ ବରଦାନ ଆପେ ଆପେ ପ୍ରାପ୍ତ ହୋଇ ଚାଲିଛି । ବରଦାନ ହିଁ ତୁମମାନଙ୍କର ପାଳନା । ବରଦାନର ପାଳନାରେ ହିଁ ପାଳିତ ହେଉଛ । ନଚେତ୍ ଭାବି ଦେଖ ଏତେ ଶ୍ରେଷ୍ଠ ପ୍ରାପ୍ତି ପାଇଁ ତୁମେ କଣ ମେହନତ କରିଛ? ବିନା ମେହନତରେ ଯେଉଁ ପ୍ରାପ୍ତି ହୋଇଥାଏ ତାକୁ ହିଁ ବରଦାନ କୁହାଯାଏ । ତେବେ ତୁମେମାନେ କଣ ମେହନତ କରିଛ? କିନ୍ତୁ ପ୍ରାପ୍ତି କେତେ ଶ୍ରେଷ୍ଠ! ଜନ୍ମ ଜନ୍ମ ପାଇଁ ପ୍ରାପ୍ତିର ଅଧିକାରୀ ହୋଇଗଲ । ତେଣୁ ପ୍ରତିପାଦରେ ବରଦାତାଙ୍କଠାରୁ ବରଦାନ ମିଳିଚାଲିଛି ଏବଂ ସଦାସର୍ବଦା ମିଳୁଥିବ । ଦୃଷ୍ଟି ଦ୍ୱାରା, ବାଣୀ ଦ୍ୱାରା, ସମ୍ବନ୍ଧ ଦ୍ୱାରା ବରଦାନ ହିଁ ବରଦାନ ।

ଏବେ ତ ଗୋଲଡେନ୍ ଜୁବଲୀ ବା ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତୁତି କରୁଛ । ଗୋଲଡେନ୍ ଜୁବଲୀ ଅର୍ଥାତ୍ ସର୍ବଦା ଗୋଲଡେନ୍ ସ୍ଥିତିରେ ସ୍ଥିତ ରହିବାର ଜୟନ୍ତୀ ପାଳନ କରୁଛ । ତେଣୁ ସର୍ବଦା ଖାଣ୍ଟିସୁନା ହୋଇ ରୁହ, ଟିକିଏ ବି ଖାଦ ମିଶିନଥିବ । ତେବେ କୁହାଯିବ ଗୋଲ୍ଡେନ୍ ଜୁବଲୀ ବା ସୁବର୍ଣ୍ଣ ଜୟନ୍ତୀ ପାଳନ କରିଲ । ତେଣୁ ଦୁନିଆ ସମ୍ମୁଖରେ ସୁବର୍ଣ୍ଣ ତୁଲ୍ୟ ସ୍ଥିତିରେ ସ୍ଥିତ ରହୁଥିବା ସଚ୍ଚା ସୁନା ଭଳି ପିଲାମାନେ ପ୍ରତ୍ୟକ୍ଷ ହୋଇଯାଆନ୍ତୁ, ସେଥିପାଇଁ ହିଁ ଏହିସବୁ ସେବାର ସାଧନଗୁଡିକୁ ପ୍ରସ୍ତୁତ କରଯାଉଛି, କାହିଁକି ନା ତୁମମାନଙ୍କର ଗୋଲଡେନ୍ ସ୍ଥିତି ହିଁ ଗୋଲଡେନ୍ ଏଜ୍ ଅର୍ଥାତ୍ ସୁବର୍ଣ୍ଣଯୁଗକୁ ଆଣିବ, ସ୍ୱର୍ଣ୍ଣିମ ସଂସାରକୁ ଆଣିବ, ଯାହାକୁ ସମସ୍ତେ ଇଚ୍ଛା କରୁଛନ୍ତି ଯେ ଏବେ ଦୁନିଆର କୌଣସି ପରିବର୍ତ୍ତନ ହେବା ଦରକାର । ତେଣୁ ତୁମେମାନେ ହିଁ ନିଜର ପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନ କରାଉଥିବା ବିଶେଷ ଆତ୍ମା ଅଟ, ତୁମମାନଙ୍କୁ ଦେଖି ଅନ୍ୟ ଆତ୍ମାମାନଙ୍କୁ ଏହି ନିଶ୍ଚୟ ଆସିଯାଉ ବା ଶୁଭ ଆଶା ସୃଷ୍ଟି ହେଉ ଯେ ପ୍ରକୃତରେ ସ୍ୱର୍ଣ୍ଣିମ ଦୁନିଆ ଆସିଲା କି ଆସିଲା! ସାମ୍ପୂଲକୁ ଦେଖି ନିଶ୍ଚୟ ହୋଇଥାଏ ନା - ହଁ, ଏହା ଭଲ ଜିନିଷ । ତେଣୁ ସୁବର୍ଣ୍ଣ ସଂସାରର ସାମ୍ପୁଲ ଅର୍ଥାତ୍ ନମୂନା ତୁମେମାନେ ହିଁ ଅଟ । ସୁବର୍ଣ୍ଣ ସ୍ଥିତିର ଅଧିକାରୀ ମଧ୍ୟ ଅଟ । ତେଣୁ ତୁମଭଳି ସାମ୍ପୁଲମାନଙ୍କୁ ଦେଖି ସେମାନଙ୍କୁ ନିଶ୍ଚୟ ହୋଇଯାଉ ଯେ - ଯେବେକି ସାମ୍ପୁଲ ପ୍ରସ୍ତୁତ ହୋଇସାରିଲାଣି ତେବେ ନିଶ୍ଚିତ ଭାବରେ ଏହିଭଳି ଦୁନିଆ ଖୁବ ଶୀଘ୍ର ଆସିବ । ଏହିଭଳି ସେବା ଗୋଲଡେନ୍ ଜୁବଲୀରେ କରିବ ନା । ତେଣୁ ନିରାଶାବାଦୀ ମାନଙ୍କୁ ଆଶାର କିରଣ ଦେଖାଇବାକୁ ହେବ । ଆଚ୍ଛା!

ସମସ୍ତ ସ୍ୱରାଜ୍ୟ ଅଧିକାରୀ, ବହୁତ କାଳର ଅଧିକାର ପ୍ରାପ୍ତ କରିବାର ଅଭ୍ୟାସୀ ଆତ୍ମାମାନଙ୍କୁ ସାରା ବିଶ୍ୱର ସମସ୍ତ ବିଶେଷ ଆତ୍ମାମାନଙ୍କୁ, ବରଦାତାଙ୍କର ବରଦାନରେ ପାଳିତ ହେଉଥିବା ସମସ୍ତ ଶ୍ରେଷ୍ଠ ଆତ୍ମାମାନଙ୍କୁ, ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ରଦାନ:-
ଭଟକୁଥିବା ଆତ୍ମାମାନଙ୍କୁ ଯଥାର୍ଥ ଲକ୍ଷ୍ୟସ୍ଥଳର ରାସ୍ତା ଦେଖାଉଥିବା ଚୈତନ୍ୟ ଲାଇ୍ଟ-ମାଇଟ୍ ହାଉସ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ହୁଅ ।

କୌଣସି ବି ଭଟକୁଥିବା ଆତ୍ମାକୁ ଯଥାର୍ଥ ଲକ୍ଷ୍ୟସ୍ଥଳର ରାସ୍ତା ଦେଖାଇବା ପାଇଁ ଚୈତନ୍ୟ ଲାଇଟ୍ ମାଇଟ୍ ହାଉସ୍ ହୁଅ । ଏଥିପାଇଁ ଦୁଇଟି କଥାକୁ ଧ୍ୟାନରେ ରଖ (୧) ପ୍ରତ୍ୟେକ ଆତ୍ମାର ଇଚ୍ଛାକୁ ପରଖିବା, ଯେପରି ଯୋଗ୍ୟ ଡାକ୍ତର ତାଙ୍କୁ କୁହାଯିବ ଯିଏ ନାଡି ଦେଖି ଜାଣିପାରନ୍ତି, ସେହିଭଳି ନିଜର ପରଖିବା ଶକ୍ତିକୁ ସର୍ବଦା ବ୍ୟବହାର କର । (୨) ସର୍ବଦା ନିଜ ପାଖରେ ସର୍ବ ସମ୍ପତ୍ତିର ଅନୁଭବକୁ କାୟମ ରଖ । ସର୍ବଦା ଏହି ଲକ୍ଷ୍ୟ ରଖ ଯେ କେବଳ ଶୁଣାଇବାର ନାହିଁ କିନ୍ତୁ ସର୍ବ ସମ୍ବନ୍ଧର, ସର୍ବଶକ୍ତିର ଅନୁଭବ କରାଇବାକୁ ହେବ ।

ସ୍ଲୋଗାନ:-
ଅନ୍ୟମାନଙ୍କୁ କରେକ୍ଶନ୍ କରିବା ଅର୍ଥାତ୍ ଦୋଷ ବାହାର କରିବା ପରିବର୍ତ୍ତେ ଏକମାତ୍ର ବାବାଙ୍କ ସହିତ ନିଜର କନେକ୍ଶନ୍କୁ ଠିକ୍ ରଖ ।