23.06.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଏଠିକାର କୋଟି-କୋଟି ବା ଅର୍ବ-ଖର୍ବ ସମ୍ପତ୍ତି ତୁମମାନଙ୍କର କାମରେ ଆସିବାର ନାହିଁ, ସବୁ କିଛି ମାଟିରେ ମିଶିଯିବ, ସେଥିପାଇଁ ତୁମେମାନେ ଏବେ ସତ୍ୟଯୁଗକୁ ଯିବା ପାଇଁ ସଚ୍ଚା ରୋଜଗାର କର ।

ପ୍ରଶ୍ନ:-
କେଉଁ ଗୋଟିଏ କଥା ଯୋଗୁଁ ତୁମେ ବ୍ରାହ୍ମଣମାନେ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ବୋଲି ବିବେଚିତ ହେଉଛ?

ଉତ୍ତର:-
ଆମେ ବ୍ରାହ୍ମଣମାନେ ବର୍ତ୍ତମାନ ସମସ୍ତଙ୍କର ଆତ୍ମିକ ସେବା କରୁଛୁ । ଆମେ ସବୁ ଆତ୍ମାମାନଙ୍କର ମିଳନ ପରମାତ୍ମା ପିତାଙ୍କ ସହିତ କରାଉଛୁ । ଏହିଭଳି ଜନସାଧାରଣଙ୍କର ସେବା ଦେବତାମାନେ କରିନଥାନ୍ତି । ସେଠାରେ ତ ଯେପରି ରାଜା-ରାଣୀ ସେହିପରି ପ୍ରଜା ଅଟନ୍ତି, ସେମାନେ ଏଠାରେ ଯେଉଁଭଳି ପୁରୁଷାର୍ଥ କରୁଛନ୍ତି ତାର ପ୍ରାରବ୍ଧ ଭୋଗ କରୁଛନ୍ତି । ସେମାନେ କୌଣସି ସେବା କରୁ ନାହାଁନ୍ତି ସେଥିପାଇଁ ତୁମେ ସେବାଧାରୀ ବ୍ରାହ୍ମଣମାନେ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ଅଟ ।

ଓମ୍ ଶାନ୍ତି ।
ଏଠାରେ କେଉଁମାନଙ୍କର ସଭା ଲାଗିଛି? ଜୀବ ଆତ୍ମା ଏବଂ ପରମାତ୍ମାଙ୍କର । ଯାହାଙ୍କର ଶରୀର ଅଛି ସେମାନଙ୍କୁ ଜୀବଆତ୍ମା କୁହାଯାଉଛି, ତେବେ ଏମାନେ ହେଲେ ମନୁଷ୍ୟ ଏବଂ ତାଙ୍କୁ ପରମାତ୍ମା ବୋଲି କହୁଛନ୍ତି । ଜୀବ ଆତ୍ମାମାନେ ଏବଂ ପରମାତ୍ମା ଅଲଗା ରହିଲେ ବହୁକାଳ... ଏହାକୁ ମଙ୍ଗଳ ମିଳନ ବୋଲି କୁହାଯାଇଥାଏ । ପିଲାମାନେ ଜାଣିଛନ୍ତି ଯେ ପରମପିତା ପରମାତ୍ମାଙ୍କୁ ଜୀବଆତ୍ମା ବୋଲି କୁହାଯିବ ନାହିଁ କାହିଁକି ନା ସିଏ ବ୍ରହ୍ମାଙ୍କ ଶରୀରକୁ ଧାର ନେଉଛନ୍ତି । ଏହି ଶରୀରର ଆଧାର ନେଉଛନ୍ତି । ପରମାତ୍ମା ନିଜେ ଆସି କହୁଛନ୍ତି ଯେ, ପିଲାମାନେ ମୋତେ ମଧ୍ୟ ଏହି ପ୍ରକୃତିର ଆଧାର ନେବାକୁ ପଡିଥାଏ । ମୁଁ ତ ଗର୍ଭରୁ ଜନ୍ମ ନେଉ ନାହିଁ । ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ତୁମମାନଙ୍କୁ ବୁଝାଉଛି । ତୁମ ଜୀବଆତ୍ମାମାନଙ୍କର ତ ନିଜ-ନିଜର ଶରୀର ରହିଛି । ମୋର ନିଜର ଶରୀର ନାହିଁ । ତେଣୁ ଏହା ଏକ ଅଲଗା ସଭା ହେଲା ନା । ଏହିପରି ନୁହେଁ ଯେ, ଏଠାରେ କୌଣସି ଗୁରୁ ଚେଲା ବା ଶିଷ୍ୟ ଅଛନ୍ତି । ନା । ଏହା ଏକ ସ୍କୁଲ ଅଟେ । ଏପରି ନୁହେଁ ଯେ ଗୁରୁଙ୍କ ପରେ ତାଙ୍କର ଶିଷ୍ୟ ସିଂହାସନର ଅଧିକାରୀ ହେବେ । ଏଠାରେ ସିଂହାସନର କୌଣସି କଥା ନାହିଁ । ପିଲାମାନଙ୍କର ନିଶ୍ଚୟ ଅଛି ଯେ, ଆମମାନଙ୍କୁ କିଏ ପାଠପଢାଉଛନ୍ତି । ନିଶ୍ଚୟ ବିନା ଏଠାକୁ କେହି ଆସିପାରିବେ ନାହିଁ । ଏହି ଜୀବଆତ୍ମାମାନଙ୍କର ବର୍ଣ୍ଣ ହେଉଛି ବ୍ରାହ୍ମଣ ବର୍ଣ୍ଣ କାହିଁକି ନା ବ୍ରହ୍ମାଙ୍କ ଦ୍ୱାରା ପରମପିତା ପରମାତ୍ମା ରଚନା ରଚୁଛନ୍ତି । ତୁମେମାନେ ଜାଣିଛ ଯେ, ଆମେ ବ୍ରାହ୍ମଣମାନେ ସର୍ବୋତ୍ତମ ଅଟୁ, ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ ଅଟୁ । ଦେବତାମାନେ କୌଣସି ସମାଜ ସେବା କରନ୍ତି ନାହିଁ । ସେଠାରେ ତ ଯଥା ରାଜାରାଣୀ ତଥା ପ୍ରଜା ରହିବେ, ଯିଏ ଯେଉଁଭଳି ପୁରୁଷାର୍ଥ କରିଥାନ୍ତି ସେହି ଅନୁସାରେ ନିଜର ପ୍ରାଲବ୍ଧ ଭୋଗ କରିଥାନ୍ତି । ସେଠାରେ ସେବା କେହି କରନ୍ତି ନାହିଁ । ବର୍ତ୍ତମାନ ବ୍ରାହ୍ମଣମାନେ ହିଁ ସେବା କରୁଛନ୍ତି । ପିଲାମାନେ ଜାଣିଛନ୍ତି ଯେ, ଆମେ ବେହଦର ବାବାଙ୍କଠାରୁ ପାଞ୍ଚ ହଜାର ବର୍ଷ ପୂର୍ବ ଭଳି ରାଜଯୋଗ ଶିଖୁଛୁ । ତେଣୁ ତୁମେମାନେ ତାଙ୍କର ସନ୍ତାନ ହୋଇଗଲ ନା । ଏଠାରେ ଚେଲା-ଚାମୁଣ୍ଡାର କୌଣସି କଥା ନାହିଁ । ବାବା ସବୁବେଳେ ସନ୍ତାନ, ସନ୍ତାନ କହି ବୁଝାଉଛନ୍ତି । ଏବେ ତୁମେମାନେ ଆତ୍ମ-ଅଭିମାନୀ ହୋଇଛ । ଆତ୍ମା ଅବିନାଶୀ, ଶରୀର ବିନାଶୀ । ଏହି ଶରୀରକୁ ବସ୍ତ୍ର ବୋଲି ମଧ୍ୟ କୁହଯାଇଥାଏ ଏବଂ ଏହା ବିକାରୀ ବସ୍ତ୍ର ଅଟେ କାହିଁକି ନା ଆତ୍ମା ଆସୁରୀ ମତ ଅନୁସାରେ ବିକାରର ବଶବର୍ତ୍ତୀ ହୋଇଯାଇଥାଏ । ତେଣୁ ପତିତ ହୋଇଯାଏ । ବିକାରରୁ ହିଁ ପତିତ ଏବଂ ପାବନ ଅକ୍ଷର ବାହାରିଛି । ବାବା କହୁଛନ୍ତି - ଏବେ ଅଧିକ ପତିତ ହୁଅ ନାହିଁ । ସମସ୍ତେ ରାବଣର ଜଞ୍ଜିରରେ ବାନ୍ଧି ହୋଇ ରହିଛନ୍ତି କାରଣ ଏହା ରାବଣ ରାଜ୍ୟ । ବାବା ତୁମମାନଙ୍କୁ ରାବଣର ରାଜ୍ୟରୁ ମୁକ୍ତ କରି ରାମରାଜ୍ୟକୁ ନେଇଯାଉଛନ୍ତି । ଈଶ୍ୱର ପିତା ହିଁ ମୁକ୍ତିଦାତା ଅଟନ୍ତି ଏବଂ ସିଏ କହୁଛନ୍ତି - ମୁଁ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ଶାନ୍ତିଧାମ ଘରକୁ ନେଇଯାଉଛି । ପିଲାମାନଙ୍କୁ ଶାନ୍ତିଧାମକୁ ପ୍ରଥମେ ଯିବାକୁ ହେବ ପୁଣି ଆରମ୍ଭରୁ ନିଜର ଅଭିନୟର ପୁନରାବୃତ୍ତି କରିବାକୁ ହେବ । ପ୍ରଥମେ-ପ୍ରଥମେ ଦେବତାମାନଙ୍କୁ ନିଜର ଅଭିନୟର ପୁନରାବୃତ୍ତି କରିବାକୁ ହେବ । ପ୍ରଥମେ ସେହିମାନେ ହିଁ ଥିଲେ । ଏବେ ପୁଣି ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । କଳିଯୁଗର ବିନାଶ ସମ୍ମୁଖରେ ଉପସ୍ଥିତ । ସମସ୍ତେ ବହୁତ ଅନ୍ଧକାର ଭିତରେ ରହିଛନ୍ତି । ଯଦିଓ ପଦ୍ମପତି, କରୋଡପତି ହୋଇଯାଇଛନ୍ତି । କିନ୍ତୁ ଏସବୁ ରାବଣର ଆଡମ୍ବର ଅଟେ, ଯେଉଁଥିରେ ସମସ୍ତେ ଲାଳାୟିତ ହୋଇଯାଇଛନ୍ତି । ବାବା ବୁଝାଉଛନ୍ତି - ଏସବୁ ମିଛ ରୋଜଗାର, ଯାହାକି ମାଟିରେ ମିଶିଯିବ । ସେମାନଙ୍କୁ କିଛି ବି ହାସିଲ ହେବାର ନାହିଁ । ତୁମେମାନେ ତ ଭବିଷ୍ୟତ ୨୧ ଜନ୍ମ ପାଇଁ ବାବାଙ୍କଠାରୁ ବର୍ସା ନେବାକୁ ଆସିଛ । ଏହା ହେଉଛି ସତ୍ୟ ରାଷ୍ଟ୍ରକୁ ଯିବା ପାଇଁ ସତ୍ୟ ରୋଜଗାର । ସମସ୍ତଙ୍କୁ ଘରକୁ ଯିବାକୁ ହିଁ ହେବ । କାରଣ ବର୍ତ୍ତମାନ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ବାବା କହୁଛନ୍ତି - ମୁଁ ସମସ୍ତଙ୍କର ସଦ୍ଗତି ଦାତା ସତଗୁରୁ ଅଟେ । ସାଧୁମାନଙ୍କର, ପତିତମାନଙ୍କର ସମସ୍ତଙ୍କର ଉଦ୍ଧାର ମୁଁ ହିଁ କରୁଛି । ଛୋଟ ପିଲାମାନଙ୍କୁ ମଧ୍ୟ ଶିଖାଯାଇଥାଏ ଯେ, ଶିବବାବାଙ୍କୁ ମନେ ପକାଅ । ବାକି ଅନ୍ୟ ସବୁ ଚିତ୍ର ଆଦି କାଢି ଦିଅ । ଏକମାତ୍ର ଶିବବାବା ଦ୍ୱିତୀୟ କେହି ନୁହେଁ ।

ତୁମେମାନେ ଜାଣିଛ - ଆମେ ବାବାଙ୍କଠାରୁ ପୁଣି ଥରେ ଅସରନ୍ତି ସୁଖର ସମ୍ପତ୍ତି ନେବା ପାଇଁ ଆସିଛୁ । ଲୌକିକ ପିତାଙ୍କଠାରୁ ବିନାଶୀ ସମ୍ପତ୍ତି ତ ତୁମେମାନେ ଜନ୍ମ-ଜନ୍ମାନ୍ତର ନେଇ ଆସିଛ, ରାବଣର ଆସୁରୀ ମତରେ ଅପବିତ୍ର ହୋଇ ଆସିଛ । ଲୋକମାନେ ଏହି କଥାକୁ ବୁଝୁନାହାଁନ୍ତି । ରାବଣକୁ ଜଳାଉଛନ୍ତି ତେଣୁ ସିଏ ଜଳି ଶେଷ ହୋଇଯିବା ଦରକାର ନା! ମନୁଷ୍ୟମାନଙ୍କୁ ଜଳାଇ ଦେଲା ପରେ ତାଙ୍କର ନାମ ରୂପ ସବୁ ସମାପ୍ତ ହୋଇଯାଇଥାଏ । କିନ୍ତୁ ରାବଣର ନାମ ରୂପ ତ ସମାପ୍ତ ହେଉ ନାହିଁ, ତାଙ୍କୁ ବାରମ୍ବାର ଜଳାଇ ଚାଲିଛନ୍ତି । ବାବା କହୁଛନ୍ତି - ଏହା ୫ ବିକାର ରୂପୀ ରାବଣ ଅଟେ । ତୁମର ୬୩ ଜନ୍ମର ଶତ୍ରୁ ଅଟେ । ସିଏ ଭାରତର ଶତ୍ରୁ ଅର୍ଥାତ୍ ଆମର ଶତ୍ରୁ ହେଲା ନା । ଯେବେଠାରୁ ତୁମେମାନେ ବାମମାର୍ଗରେ ଆସିଛ ସେବେଠାରୁ ରାବଣର ଜେଲ୍ରେ ରହିଛ । ବାସ୍ତବରେ ଅଧାକଳ୍ପରୁ ରାବଣ ରାଜ୍ୟ ଚାଲିଛି । ରାବଣ କେବେ ବି ଜଳୁ ନାହିଁ କି କେବେ ମରୁନାହିଁ । ଏବେ ତୁମେ ଜାଣୁଛ ଯେ, ରାବଣ ରାଜ୍ୟରେ ଆମେ ବହୁତ ଦୁଃଖୀ ହୋଇଯାଇଛୁ । ଏହା ସୁଖ ଏବଂ ଦୁଃଖର ଖେଳ ଅଟେ । ଗାୟନ ମଧ୍ୟ କରାଯାଇଥାଏ ଯେ, ମାୟାଠାରୁ ହାରିଲେ ହାରିବ, ପୁଣି ମାୟାଠାରୁ ଜିତିଲେ ଜିତିବ... ଏବେ ମାୟାଠାରୁ ବିଜୟୀ ହୋଇ ଆମେ ପୁଣି ଥରେ ରାମରାଜ୍ୟ ନେଉଛୁ । ରାମ ସୀତାଙ୍କର ରାଜ୍ୟ ତ ତ୍ରେତା ଯୁଗରେ ଥିଲା । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ । ସେଠାରେ ତ କେବଳ ଆଦି ସନାତନ ଦେବୀ-ଦେବତା ଧର୍ମ ହିଁ ଥିଲା । ତାକୁ ଈଶ୍ୱରୀୟ ରାଜ୍ୟ ବୋଲି ମଧ୍ୟ କୁହାଯିବ, ଯାହାକୁ କି ବାବା ସ୍ଥାପନ କରିଛନ୍ତି । ବାବାଙ୍କୁ କେବେ ସର୍ବବ୍ୟାପୀ ବୋଲି କୁହାଯିବ ନାହିଁ, କାହିଁକି ନା ସମସ୍ତେ ଭାଇ-ଭାଇ ଅଟନ୍ତି । ଆମର ପିତା ଜଣେ, ତେଣୁ ତୁମେ ସବୁ ପରସ୍ପର ମଧ୍ୟରେ ଭାଇ-ଭାଇ ଅଟ । ବାବା ବସି ଆତ୍ମାମାନଙ୍କୁ ପାଠପଢାଉଛନ୍ତି । ବାବାଙ୍କର ନିର୍ଦ୍ଦେଶ ହେଲା - ମୋତେ ମନେ ପକାଅ । ମୁଁ ଭକ୍ତିର ଫଳ ଦେବା ପାଇଁ ଆସିଛି । କାହାକୁ? ଯେଉଁମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭକ୍ତି କରିଛନ୍ତି । ପ୍ରଥମେ ପ୍ରଥମେ ତୁମେମାନେ ଏକମାତ୍ର ଶିବବାବାଙ୍କର ଭକ୍ତି କରୁଥିଲ । ସୋମନାଥଙ୍କର ମନ୍ଦିର କେତେ ବଡ । ତେଣୁ ବିଚାର କରିବା ଦରକାର ଯେ, ଆମେ କେତେ ସାହୁକାର ଥିଲୁ । ଏବେ ତୁମେମାନେ ଗରୀବ ମୂଲ୍ୟହୀନ ହୋଇଯାଇଛ । ଏବେ ତୁମର ୮୪ ଜନ୍ମର କଥା ମନେ ପଡୁଛି । ବର୍ତ୍ତମାନ ତୁମେ ଜାଣୁଛ ଯେ, ଆମେ କଣ ଥିଲୁ ପୁଣି କଣ ହୋଇଯାଇଛୁ ।

ବର୍ତ୍ତମାନ ତୁମର ସବୁକିଛି ମନେ ପଡୁଛି । ସ୍ମୃତିଲବ୍ଧା ଅକ୍ଷର ମଧ୍ୟ ବର୍ତ୍ତମାନ ସମୟର, ଏହାର ଅର୍ଥ ନୁହେଁ ଯେ, ଭଗବାନ ଆସି ସଂସ୍କୃତରେ ଗୀତା ଶୁଣାଇଥିଲେ । ଯଦି ସଂସ୍କୃତରେ ହୋଇଥାନ୍ତା ତେବେ ତୁମେମାନେ କିଛି ବି ବୁଝିପାରି ନଥାନ୍ତ । ତେଣୁ ହିନ୍ଦୀ ଭାଷା ହିଁ ମୁଖ୍ୟ ଅଟେ । ଯାହାକି ଏହି ବ୍ରହ୍ମାଙ୍କର ଭାଷା, ମୁଁ ସେହି ଭାଷାରେ ହିଁ ବୁଝାଉଛି । କଳ୍ପ କଳ୍ପ ମୁଁ ଏହି ଭାଷାରେ ହିଁ ବୁଝାଉଛି । ତୁମେ ଜାଣିଛ ଯେ, ଆମେ ବାପଦାଦାଙ୍କର ସମ୍ମୁଖରେ ବସିଛୁ । ଏହା ମମ୍ମା-ବାବା, ଭାଇ-ଭଉଣୀମାନଙ୍କର ଘର ଅଟେ । ବାସ୍ ଆଉ କିଛି ସମ୍ବନ୍ଧ ନାହିଁ । ଭାଇ-ଭଉଣୀଙ୍କର ସମ୍ବନ୍ଧ ସେତେବେଳେ ହେଉଛି ଯେତେବେଳେ ତୁମେମାନେ ପ୍ରଜାପିତା ବ୍ରହ୍ମାଙ୍କର ହେଉଛ । ନଚେତ୍ ଆତ୍ମାର ସମ୍ବନ୍ଧରେ ତ ତୁମେ ଭାଇ-ଭାଇ ଅଟ । ତୁମକୁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ଆତ୍ମା ଜାଣିଛି ଯେ ଆମର ବାବା ଆସିଛନ୍ତି । ତୁମେମାନେ ଏହି ବ୍ରହ୍ମାଣ୍ଡର ମାଲିକ ଥିଲ । ବାବା ମଧ୍ୟ ବ୍ରହ୍ମାଣ୍ଡର ମାଲିକ ଅଟନ୍ତି ନା! ଯେପରି ଆତ୍ମା ନିରାକାର, ସେହିପରି ପରମାତ୍ମା ମଧ୍ୟ ନିରାକାର ଅଟନ୍ତି । ତାଙ୍କର ନାମ ହିଁ ହେଉଛି ପରମପିତା ପରମାତ୍ମା ଅର୍ଥାତ୍ ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱରେ ରହୁଥିବା ଆତ୍ମା । ପରମ ଆତ୍ମାର ଅର୍ଥ ହେଉଛି ପରମାତ୍ମା । ଏଠାରେ ପିତାଙ୍କଠାରୁ ସମ୍ପତ୍ତି ମିଳିଥାଏ । ଏଠାରେ କୌଣସି ସାଧୁ-ସନ୍ଥ ମହାତ୍ମା ଆଦି ନାହାଁନ୍ତି । କେବଳ ପିଲାମାନେ ହିଁ ଅଛନ୍ତି, ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ନେଉଛନ୍ତି ଆଉ କେହି ଏହିଭଳି ସମ୍ପତ୍ତି ଦେଇପାରିବେ ନାହିଁ । ବାବା ହେଉଛନ୍ତି - ସ୍ଥାପନକର୍ତ୍ତା । ବାବା ସର୍ବଦା ସୁଖ ହିଁ ଦେଉଛନ୍ତି । ଏପରି ନୁହେଁ ଯେ ସୁଖ ଦୁଃଖ ବାବା ହିଁ ଦେଉଛନ୍ତି । ଏହିପରି ନିୟମ ହିଁ ନାହିଁ । ବାବା ନିଜେ କହୁଛନ୍ତି - ମୁଁ ତୁମ ପିଲାମାନଙ୍କୁ ପୁରୁଷାର୍ଥ କରାଉଛି, ତେଣୁ ୨୧ ଜନ୍ମ ପାଇଁ ତୁମେ ଦେବତା ହୁଅ । ତେଣୁ ବାବା ସୁଖଦାତା ହେଲେ ନା, ସିଏ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ଏବେ ତୁମେମାନେ ଜାଣୁଛ ଯେ, ଦୁଃଖ କିଏ ଦେଉଛି? ରାବଣ । ଏହାକୁ ବିକାରୀ ଦୁନିଆ ବୋଲି କୁହାଯାଏ । ଏଠାରେ ସ୍ତ୍ରୀ ପୁରୁଷ ଉଭୟ ବିକାରୀ ହେଉଛନ୍ତି । ସତ୍ୟଯୁଗରେ ଉଭୟ ନିର୍ବିକାରୀ ଥିଲେ । ସେଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ସେଠାରେ କାଇଦା ଅନୁସାରେ ରାଜ୍ୟ ଚାଲିଥାଏ । ପ୍ରକୃତି ତୁମର ନିର୍ଦ୍ଦେଶ ଅନୁସାରେ ଚାଲିଥାଏ । କୌଣସି ଉପ୍ରଦବ ହୋଇନଥାଏ । ତୁମେ ପିଲାମାନେ ସ୍ଥାପନାର ସାକ୍ଷାତ୍କାର କରିଛ । ବିନାଶ ମଧ୍ୟ ନିଶ୍ଚିତ ହେବ, ହୋଲିକାରେ ନାଟକ କରିଥାନ୍ତି ନା । ପଚାରନ୍ତି ଯେ - ଏହାଙ୍କର ପେଟରୁ କଣ ବାହାରିବ? କୁହନ୍ତି ମୁସଳ ବାହାରିବ । ତେବେ ସଠିକ୍ କଥା ତ ତୁମେମାନେ ଜାଣିଛ । ସେମାନଙ୍କର ବିଜ୍ଞାନର କ୍ଷମତା କେତେ ଶକ୍ତିଶାଳୀ । ଏହା ମଧ୍ୟ ବୁଦ୍ଧିର କାମ ଅଟେ ନା? ବୈଜ୍ଞାନିକ ମାନଙ୍କର କେତେ ଗର୍ବ ରହିଛି । ସୁଖ ପାଇଁ କେତେ ପ୍ରକାର ଜିନିଷ, ଉଡାଜାହାଜ ଆଦି ତିଆରି କରୁଛନ୍ତି । ପୁଣି ଏହି ଜିନିଷ ଦ୍ୱାରା ବିନାଶ ମଧ୍ୟ କରିବେ । ଶେଷ ସମୟରେ ନିଜ କୂଳର ହିଁ ବିନାଶ କରିବେ । ତୁମେ ତ ଗୁପ୍ତ । ତୁମର କାହା ସହିତ ଲଢେଇ କରିବାର ନାହିଁ, ତୁମେ କାହାକୁ ଦୁଃଖ ଦେଉନାହଁ । ବାବା କହୁଛନ୍ତି ମନ-ବଚନ-କର୍ମରେ କାହାକୁ ବି ଦୁଃଖ ଦିଅ ନାହିଁ । ବାବା କଣ କେବେ କାହାକୁ ଦୁଃଖ ଦେଉଛନ୍ତି କି? ସିଏ ତ ସୁଖଧାମର ମାଲିକ କରୁଛନ୍ତି । ତେଣୁ ତୁମେମାନେ ମଧ୍ୟ ସମସ୍ତଙ୍କୁ ସୁଖ ଦିଅ । ବାବା ବୁଝାଇଛନ୍ତି ଯେ - କେହି କିଛି ବି କହୁ, ଶାନ୍ତ ଏବଂ ହର୍ଷିତ ମୁଖ ରହିବାକୁ ହେବ । ଯୋଗରେ ରହି ହର୍ଷିତ ହେବା ଦରକାର । ତେବେ ତୁମର ଯୋଗବଳ ଦ୍ୱାରା ସେମାନେ ମଧ୍ୟ ଶାନ୍ତ ହୋଇଯିବେ । ସ୍ୱତନ୍ତ୍ର ରୂପେ ଟିଚରଙ୍କର ଚାଲି ଚଳଣି ବହୁତ ଭଲ ହେବା ଦରକାର । କାହା ପ୍ରତି ଘୃଣାର ଭାବନା ନ ରହୁ । ବାବା କହୁଛନ୍ତି - ମୋର କଣ କାହା ପ୍ରତି ଘୃଣାର ଭାବନା ଅଛି । ବାବା ଜାଣିଛନ୍ତି, ଏବେ ସମସ୍ତେ ପତିତ, ଏହିପରି ଡ୍ରାମା ତିଆରି ହୋଇଛି । ମୁଁ ଜାଣିଛି - ଏମାନଙ୍କର ଚାଲିଚଳନ ହିଁ ଏହିପରି । ଖାଇବା-ପିଇବା ମଧ୍ୟ କେତେ ମ୍ଲେଚ୍ଛଙ୍କ ସଦୃଶ, ଯାହା ଆସୁଛି ତାହା ଖାଇ ଚାଲିଛନ୍ତି । ଜୀବନ ସମସ୍ତଙ୍କୁ ପ୍ରିୟ ଲାଗିଥାଏ । ଜୀବନ ମୋତେ ମଧ୍ୟ ବହୁତ ପ୍ରିୟ ଲାଗିଥାଏ । ଜାଣିଛି ଯେ, ଏହା ଦ୍ୱାରା ମୋତେ ବାବାଙ୍କଠାରୁ ସମ୍ପତ୍ତି ପାଇବାକୁ ହେବ । ଯୋଗଯୁକ୍ତ ହୋଇ ରହିବା ଦ୍ୱାରା ତୁମର ଆୟୁଷ ବଢିବ, ବିକର୍ମ ମଧ୍ୟ କମ୍ ହେବ । ଭବିଷ୍ୟତ ୨୧ ଜନ୍ମ ପାଇଁ ଆୟୁଷ ବଡ ହୋଇଯିବ । ବର୍ତ୍ତମାନର ପୁରୁଷାର୍ଥ ଦ୍ୱାରା ହିଁ ପ୍ରାଲବ୍ଧ ତିଆରି ହୋଇଥାଏ । ଯୋଗବଳ ଦ୍ୱାରା ଆମେ ସର୍ବଦା ସୁସ୍ଥ ହୋଇଥାଉ ଏବଂ ଜ୍ଞାନ ଦ୍ୱାରା ସମ୍ପତ୍ତିବାନ୍ ହୋଇଥାଉ । ଯଦି ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଅଛି ତେବେ ସୁଖ ମଧ୍ୟ ରହିଛି । ଯଦି କେବଳ ସମ୍ପତ୍ତି ଅଛି ସ୍ୱାସ୍ଥ୍ୟ ନାହିଁ, ତେବେ ମଧ୍ୟ ସୁଖରେ ରହିପାରିବ ନାହିଁ । ଏମିତି ବହୁତ ରାଜା, ବହୁତ ବଡ-ବଡ ସାହୁକାରମାନେ ମଧ୍ୟ ଯେଉଁମାନେ ଶାରୀରିକ ଅକ୍ଷମ ଅଥବା ବେମାର ହୋଇଥାନ୍ତି । ତେବେ ସେମାନଙ୍କ ପାଇଁ ମଧ୍ୟ କୁହାଯାଇଥାଏ ଯେ, ଏଭଳି କିଛି ବିକର୍ମ କରିଛନ୍ତି ଯାହାର ଫଳ ମିଳିଛି । ବାବା ତୁମକୁ ତ ବହୁତ କଥା ଶୁଣାଉଛନ୍ତି । କିନ୍ତୁ ଏପରି ନୁହେଁ ଯେ, ବାହାରକୁ ଚାଲିଗଲା ପରେ ଏଠାକାର କଥା ଏହିଠାରେ ହିଁ ରହିଯିବ । ଏପରି ତ ହେବା ଉଚିତ୍ ନୁହେଁ । ପକ୍କା ଧାରଣା କରିବାକୁ ହେବ, କିଛି ବି ଯେପରି ମନେ ନ ପଡୁ । କେବଳ ଶିବବାବା ମନେ ପଡୁଥାଉ । ଅନ୍ତରରେ ବହୁତ ଗୁପ୍ତ ମହିମା କରିବାକୁ ହେବ । ବାବା ଏକଥା ମନ-ଚିତ୍ତରେ ମଧ୍ୟ ନଥିଲା ଯେ ଆପଣ ଆସି ଆମକୁ ପାଠ ପଢାଇବେ! ଏକଥା କୌଣସି ଶାସ୍ତ୍ରରେ ମଧ୍ୟ ନାହିଁ ଯେ, ନିରାକାର ପରମପିତା ପରମାତ୍ମା ଆସି ପାଠ ପଢାଉଛନ୍ତି । ବାବା ଏବେ ଆମେମାନେ ଜାଣିଯାଇଛୁ । କିନ୍ତୁ ବାବାଙ୍କ ନାମ ବଦଳରେ କୃଷ୍ଣଙ୍କର ନାମ ଲେଖିଦେଇଛନ୍ତି, ତେଣୁ ଗୀତା ଖଣ୍ଡନ ହୋଇଯାଇଛି । ଏହାକୁ ତ କୃଷ୍ଣଙ୍କର ଚରିତ୍ର ବୋଲି କୁହାଯାଇପାରିବ ନାହିଁ । ଗୀତା ହେଉଛି ଏହି ସଂଗମଯୁଗର ଶାସ୍ତ୍ର । କିନ୍ତୁ ମନୁଷ୍ୟମାନେ ଏହାକୁ ଦ୍ୱାପରରେ ଦେଖାଇଛନ୍ତି । ତେଣୁ ବାବା କହୁଛନ୍ତି - ପିଲାମାନେ ଏବେ ଏହି ସବୁ କଥାକୁ ଛାଡି ପାଠପଢା ପ୍ରତି ଧ୍ୟାନ ରଖିବାକୁ ହେବ । ଯଦି ଯୋଗଯୁକ୍ତ ହୋଇ ନ ରହିବ ଏବଂ ପାଠପଢାରେ ମସ୍ତ ନ ରହିବ ତେବେ ସମୟ ନଷ୍ଟ ହୋଇଯିବ । ତୁମର ସମୟ ବହୁତ ମୂଲ୍ୟବାନ, ସେଥିପାଇଁ ଏହି ସଂଗମଯୁଗୀ ସମୟକୁ ନଷ୍ଟ କରିବା ଉଚିତ୍ ନୁହେଁ । ଯଦିଓ ଶରୀର ନିର୍ବାହ କର, ବାକି ଫାଲତୁ ଖିଆଲରେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ତୁମମାନଙ୍କର ଗୋଟିଏ-ଗୋଟିଏ ସେକେଣ୍ଡ ହୀରାତୁଲ୍ୟ ମୂଲ୍ୟବାନ ଅଟେ । ସେଥିପାଇଁ ବାବା କହୁଛନ୍ତି ମନମନାଭବ । ବାସ୍ ସେହି ସମୟ ହିଁ ଲାଭଦାୟକ ଅଟେ, ବାକି ସବୁ ସମୟ ନଷ୍ଟ ହୋଇଯାଉଛି । ଚାର୍ଟ ରଖ, ଆମେ କେତେ ସମୟ ବ୍ୟର୍ଥରେ ନଷ୍ଟ କରିଦେଉଛୁ? କେବଳ ଗୋଟିଏ ଶବ୍ଦ - ମନମନାଭବ । ଅଧାକଳ୍ପ ଜୀବନମୁକ୍ତି ଥିଲା ପୁଣି ଅଧାକଳ୍ପ ଜୀବନବନ୍ଧନରେ ଆସିଲୁ । ସତ୍ତ୍ୱପ୍ରଧାନ ସତ୍ତ୍ୱ ରଜୋ ତମୋରେ ଆସିଲୁ ପୁଣି ଆମେ ଜୀବନମୁକ୍ତ ହେବାକୁ ଯାଉଛୁ । ଆମକୁ ଏହିଭଳି ବାବା ହିଁ କରିଛନ୍ତି । ଏଠାରେ ସମସ୍ତଙ୍କୁ ଜୀବନମୁକ୍ତି ମିଳିଥାଏ । ସମସ୍ତେ ନିଜ-ନିଜର ଧର୍ମ ଅନୁସାରେ ପ୍ରଥମେ-ପ୍ରଥମେ ସୁଖ ଦେଖିବେ ପୁଣି ଦୁଃଖ । ନୂଆ ନୂଆ ଆତ୍ମାମାନେ ଯିଏକି ପ୍ରଥମେ ଏଠାକୁ ଆସନ୍ତି, ସେମାନେ ସୁଖ ଭୋଗ କରନ୍ତି । କେତେ ଜଣଙ୍କର ବହୁତ ମହିମା ମଧ୍ୟ ହୋଇଥାଏ କାହିଁକି ନା ନୂଆ ଆତ୍ମା ହୋଇଥିବା କାରଣରୁ ତାଙ୍କ ପାଖରେ ଶକ୍ତି ରହିଥାଏ । ଏବେ ତୁମ ଭିତରେ ଖୁସିର ବାଜା ବାଜିବା ଉଚିତ୍ । ଆମେମାନେ ବାପଦାଦାଙ୍କର ସମ୍ମୁଖରେ ବସିଛୁ । ଏବେ ନୂଆ ରଚନା ହେଉଛି । ତୁମମାନଙ୍କର ବର୍ତ୍ତମାନ ସମୟର ମହିମା ସତ୍ୟଯୁଗଠାରୁ ମଧ୍ୟ ବହୁତ ଶ୍ରେଷ୍ଠ । ଜଗତଅମ୍ବା, ଅନ୍ୟ ଦେବୀମାନେ ମଧ୍ୟ ସମସ୍ତେ ସଂଗମଯୁଗରେ ହିଁ ଥିଲେ । ସେମାନେ ବ୍ରାହ୍ମଣ ହିଁ ଥିଲେ । ତୁମେମାନେ ଜାଣିଛ ଯେ, ଆମେମାନେ ଏବେ ବ୍ରାହ୍ମଣ ହୋଇଛୁ ପୁଣି ପୂଜ୍ୟ ଦେବତା ହେବୁ । ପୁଣି ତୁମର ସ୍ମାରକୀ ମନ୍ଦିର ମଧ୍ୟ ତିଆରି ହେବ । ତୁମେମାନେ ଚୈତନ୍ୟରେ ଦେବୀ ହେଉଛ । ସେମାନେ ତ ଜଡ । ସେମାନଙ୍କୁ ପଚାର ଯେ, ଏମାନେ ଦେବୀ କିପରି ହେଲେ? ଯଦି କେହି ଏହି କଥା ପଚାରୁଛନ୍ତି ତେବେ ତାଙ୍କୁ ବୁଝାଅ ଯେ, ଆମେମାନେ ହିଁ ବ୍ରାହ୍ମଣ ଥିଲୁ ପୁଣି ଦେବତା ହେଉଛୁ । ତୁମେ ଏବେ ଚୈତନ୍ୟରେ ଅଛ । ତୁମେ କହୁଛ ଯେ, ଏହି ଜ୍ଞାନ କେତେ ଫାଷ୍ଟକ୍ଲାସ । ବାସ୍ତବରେ ତୁମେମାନେ ହିଁ ଏହାର ସ୍ଥାପନା କରୁଛ । ପିଲାମାନେ କହୁଛନ୍ତି ବାବା ଆମେ ଲକ୍ଷ୍ନୀ-ନାରାୟଣଙ୍କ ଠାରୁ କମ୍ ପଦ ନେବୁ ନାହିଁ । ଆମେ ତ ସଂପୂର୍ଣ୍ଣ ବର୍ସା ନେବୁ । ଏହି ସ୍କୁଲ ହିଁ ଏହିପରି ଅଟେ । ଏଠାରେ ସମସ୍ତେ କହିବେ ଯେ, ଆମେ ପ୍ରାଚୀନ ରାଜଯୋଗ ଶିଖିବା ପାଇଁ ଆସିଛୁ । ଯୋଗବଳ ଆଧାରରେ ଆମେ ଦେବୀ-ଦେବତା ହେବାକୁ ଯାଉଛୁ । ଏବେ ତ ତୁମେମାନେ ଶୂଦ୍ରରୁ ବ୍ରାହ୍ମଣ ହୋଇଛ । ପୁଣି ବ୍ରାହ୍ମଣରୁ ଦେବତା ହେବ । ତେବେ ମୂଳକଥା ହିଁ ହେଉଛି ଯୋଗବଳ । ଯୋଗରେ ହିଁ ମାୟା ବିଘ୍ନ ପକାଇଥାଏ । ତୁମେ ଯୋଗଯୁକ୍ତ ହୋଇ ରହିବା ପାଇଁ ବହୁତ ଚେଷ୍ଟା କରିବ, ତଥାପି ବୁଦ୍ଧି କୁଆଡେ ନା କୁଆଡେ ଚାଲିଯିବ । ଏଥିରେ ହିଁ ସମସ୍ତ ପରିଶ୍ରମ ରହିଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କ ସମାନ ସୁଖଦାତା ହେବାକୁ ପଡିବ । ମନ-ବଚନ-କର୍ମରେ କାହାକୁ ବି ଦୁଃଖ ଦେବାର ନାହିଁ । ସର୍ବଦା ଶାନ୍ତଚିତ୍ତ ଏବଂ ହର୍ଷିତମୁଖ ରହିବାକୁ ହେବ ।

(୨) ଫାଲତୁ ଚିନ୍ତନରେ ନିଜର ସମୟ ନଷ୍ଟ କରିବାର ନାହିଁ । ଭିତରେ ଭିତରେ ବାବାଙ୍କର ମହିମା କରିବାକୁ ହେବ ।

ବରଦାନ:-
ଶ୍ରେଷ୍ଠ ମତ ଅନୁସାରେ କର୍ମଯୋଗୀ ହୋଇ ପ୍ରତ୍ୟେକ କର୍ମ କରୁଥିବା କର୍ମବନ୍ଧନମୁକ୍ତ ହୁଅ ।

ଯେଉଁ ପିଲାମାନେ ଶ୍ରେଷ୍ଠ ମତ ଅନୁସାରେ ପ୍ରତ୍ୟେକ କର୍ମ କରିବା ସହିତ ବେହଦର ନିଶାରେ ରହିଥାଆନ୍ତି, ସେମାନେ କର୍ମ କରୁଥିଲେ ମଧ୍ୟ କର୍ମର ବନ୍ଧନରେ ଆସିନଥାଆନ୍ତି, ସେଥିରୁ ସ୍ୱତନ୍ତ୍ର ରହିଥାଆନ୍ତି । କର୍ମଯୋଗୀ ହୋଇ କର୍ମ କରିବା ଦ୍ୱାରା ସେମାନଙ୍କ ନିକଟକୁ ଦୁଃଖର ଢେଉ ଆସିପାରେ ନାହିଁ, ସେମାନେ ସର୍ବଦା ବନ୍ଧନମୁକ୍ତ ଅବସ୍ଥାରେ ରହିଥାଆନ୍ତି । କୌଣସି ବି କର୍ମର ବନ୍ଧନ ସେମାନଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବ ନାହିଁ ସେମାନେ ସର୍ବଦା ମାଲିକ ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଇ ଥାଆନ୍ତି ସେଥିପାଇଁ ସେମାନଙ୍କୁ ବନ୍ଧନମୁକ୍ତ ସ୍ଥିତିର ଅନୁଭବ ହୋଇଥାଏ । ଏହିଭଳି ଆତ୍ମା ନିଜେ ମଧ୍ୟ ସର୍ବଦା ଖୁସିରେ ରହିଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେଇଥାଏ ।

ସ୍ଲୋଗାନ:-
ଯଦି ଅନୁଭବର ଅଧିକାରୀ ହୋଇଯିବ ତେବେ କେବେ ବି ଧୋକା ଖାଇବ ନାହିଁ ।