24.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଏହା
ସେହି ସଂଗମଯୁଗ ଯେତେବେଳେ କି ଆତ୍ମା ଏବଂ ପରମାତ୍ମାଙ୍କର ସଂଗମ(ମିଳନ) ହୋଇଥାଏ, ସତ୍ଗୁରୁ ଥରେ
ମାତ୍ର ଆସି ପିଲାମାନଙ୍କୁ ସତ୍ୟ ଜ୍ଞାନ ଦେଇ ସତ୍ୟ କହିବା ଶିଖାଉଛନ୍ତି ।”
ପ୍ରଶ୍ନ:-
କେଉଁ
ପିଲାମାନଙ୍କର ଅବସ୍ଥା ବହୁତ ଫାଷ୍ଟକ୍ଲାସ ରହିଥାଏ?
ଉତ୍ତର:-
ଯେଉଁମାନଙ୍କର ବୁଦ୍ଧିରେ ରହିଥାଏ, ଏସବୁ କିଛି ବାବାଙ୍କର ଅଟେ । ପ୍ରତି ପାଦରେ ଶ୍ରୀମତ ନେଉଥିବା,
ପୁରା ତ୍ୟାଗ କରୁଥିବା ପିଲାମାନଙ୍କର ଅବସ୍ଥା ବହୁତ ଫାଷ୍ଟକ୍ଲାସ ରହିଥାଏ । ତୁମର ଯାତ୍ରା ବହୁତ
ଲମ୍ବା ସେଥିପାଇଁ ଶ୍ରେଷ୍ଠ ବାବାଙ୍କର ଶ୍ରେଷ୍ଠ ମତ ଅନୁସାରେ ସର୍ବଦା ଚାଲିବାକୁ ହେବ ।
ପ୍ରଶ୍ନ:-
ମୁରଲୀ ଶୁଣିବା
ସମୟରେ ଅପାର ସୁଖ କେଉଁ ପିଲାମାନଙ୍କୁ ଅନୁଭବ ହୋଇଥାଏ?
ଉତ୍ତର:-
ଯେଉଁମାନେ ଭାବିଥାଆନ୍ତି ଆମେ ଶିବବାବାଙ୍କର ମୁରଲୀ ଶୁଣୁଛୁ । ଏହି ମୁରଲୀ ଶିବବାବା
ବ୍ରହ୍ମାଙ୍କର ଶରୀର ମାଧ୍ୟମରେ ଶୁଣାଇଛନ୍ତି । ପରମପ୍ରିୟ ବାବା ଆମକୁ ସଦା ସୁଖି, ମନୁଷ୍ୟରୁ
ଦେବତା କରିବା ପାଇଁ ଏହି କଥା ଶୁଣାଉଛନ୍ତି । ମୁରଲୀ ଶୁଣିବା ସମୟରେ ଏହି କଥା ସ୍ମୃତିରେ ରହିଲେ
ସୁଖର ଅନୁଭୂତି ହୋଇଥାଏ ।
ଗୀତ:-
ପ୍ରୀତମ ଆନ ମିଲୋ.....
ଓମ୍ ଶାନ୍ତି ।
ଦୁଃଖୀ
ଆତ୍ମାମାନେ ଦୁଃଖଧାମରେ ଏବଂ ସୁଖୀ ଜୀବ ଆତ୍ମାମାନେ ସୁଖଧାମରେ ରୁହନ୍ତି । ସବୁ ଭକ୍ତମାନଙ୍କର
ପ୍ରୀୟତମ ହେଉଛନ୍ତି ଜଣେ, ଯାହାଙ୍କୁ ହିଁ ସମସ୍ତେ ମନେପକାଇଥାଆନ୍ତି । ସେଥିପାଇଁ ତାଙ୍କୁ
ପ୍ରୀତମ ବୋଲି କୁହାଯାଉଛି । ଯେତେବେଳେ ଦୁଃଖ ଆସେ, ସେତେବେଳେ ହିଁ ମନେ ପକାଇଥାଆନ୍ତି । ଏକଥା
କିଏ ବୁଝାଉଛନ୍ତି? ସଚ୍ଚା ସଚ୍ଚା ପ୍ରୀତମ । ସଚ୍ଚା ବାବା, ସଚ୍ଚା ଶିକ୍ଷକ, ସଚ୍ଚା ସତଗୁରୁ...
ସମସ୍ତଙ୍କର ପ୍ରୀତମ ସେହି ଜଣେ ହିଁ ଅଟନ୍ତି । କିନ୍ତୁ ପ୍ରୀତମ କେବେ ଆସୁଛନ୍ତି, ଏକଥା କେହି ବି
ଜାଣିନାହାଁନ୍ତି । ପ୍ରୀତମ ନିଜେ ଆସି ନିଜର ଭକ୍ତମାନଙ୍କୁ, ନିଜର ପିଲାମାନଙ୍କୁ କହୁଛନ୍ତି ଯେ,
ମୁଁ ଥରେ ମାତ୍ର ଏହି ସଂଗମଯୁଗରେ ହିଁ ଆସୁଛି । ମୋର ଆସିବା ଏବଂ ଯିବାର ମଧ୍ୟବର୍ତ୍ତୀ ସମୟକୁ
ସଂଗମ ବୋଲି କୁହାଯାଏ । ଅନ୍ୟ ସବୁ ଆତ୍ମାମାନେ ତ ବହୁତ ଥର ଜନ୍ମ ମରଣରେ ଆସିଥାନ୍ତି, କିନ୍ତୁ
ମୁଁ ଥରେ ମାତ୍ର ଆସେ । ମୁଁ ଏକମାତ୍ର ସତଗୁରୁ ମଧ୍ୟ ଅଟେ । ବାକି ଗୁରୁ ତ ଅନେକ ରହିଛନ୍ତି ।
ତେବେ ସେମାନଙ୍କୁ ସତଗୁରୁ ବୋଲି କୁହାଯିବ ନାହିଁ କାହିଁକି ନା ସେମାନେ କୌଣସି ସତ୍ୟ କଥା
କହୁନାହାଁନ୍ତି, କାରଣ ସେମାନେ ସତ୍ୟ ପରମାତ୍ମାଙ୍କୁ ହିଁ ଜାଣି ନାହାଁନ୍ତି । ଯିଏ ସତ୍ୟକୁ
ଜାଣିଯାଆନ୍ତି ସିଏ ସର୍ବଦା ସତ୍ୟ କଥା ହିଁ କହିଥା’ନ୍ତି । ଏହି ସତଗୁରୁ ହେଉଛନ୍ତି ସତ୍ୟ
କହିଲାବାଲା ସଚ୍ଚା ସତଗୁରୁ । ସଚ୍ଚା ବାବା, ସଚ୍ଚା ଶିକ୍ଷକ ନିଜେ ଆସି କହୁଛନ୍ତି ଯେ, ମୁଁ
ସଂଗମଯୁଗରେ ଆସୁଛି । ଯେତିକି ସମୟ ମୁଁ ଆସୁଛି, ମୋର ଆୟୁଷ ସେତିକି ହିଁ ଅଟେ । ମୁଁ ଆସି
ପତିତମାନଙ୍କୁ ପବିତ୍ର କରି ଚାଲିଯାଉଛି । ଯେବେଠାରୁ ମୋର ଜନ୍ମ ହୋଇଛି, ସେବେଠାରୁ ମୁଁ ସହଜ
ରାଜଯୋଗ ଶିଖାଇବା ଆରମ୍ଭ କରିଛି ପୁଣି ଯେବେ ଶିଖାଇବା ଶେଷ କରୁଛି, ତେବେ ପତିତ ଦୁନିଆର ବିନାଶ
ହେଉଛି ଏବଂ ମୁଁ ଚାଲିଯାଉଛି । ବାସ୍ ମୁଁ ଏତିକି ସମୟ ହିଁ ଆସୁଛି । ଶାସ୍ତ୍ରରେ ତ କୌଣସି ସମୟ
ବିଷୟରେ ଲେଖାନାହିଁ । ଶିବବାବା କେତେବେଳେ ଜନ୍ମ ନେଉଛନ୍ତି, କେତେ ଦିନ ଭାରତରେ ରହୁଛନ୍ତି, ଏହି
କଥା ବାବା ନିଜେ ବସି କହୁଛନ୍ତି ଯେ, ମୁଁ ଏହି ସଂଗମଯୁଗରେ ହିଁ ଆସୁଛି । ସଂଗମଯୁଗର ଆରମ୍ଭ,
ସଂଗମଯୁଗର ଶେଷ ଅର୍ଥାତ୍ ମୋର ଆସିବାର ଆରମ୍ଭ ଏବଂ ଯିବାର ଅନ୍ତ ଅଟେ । ବାକି ମଧ୍ୟ ସମୟରେ ବସି
ମୁଁ ରାଜଯୋଗ ଶିଖାଉଛି । ବାବା ନିଜେ କହୁଛନ୍ତି ଯେ, ମୁଁ ବ୍ରହ୍ମାଙ୍କର ବାନପ୍ରସ୍ଥ ଅବସ୍ଥାରେ
ଆସୁଛି - ଅନ୍ୟର ଦେଶରେ ଏବଂ ଅନ୍ୟର ଶରୀରରେ ଆସୁଛି ତେଣୁ ମୁଁ ଅତିଥି ହେଲି ନା । ମୁଁ ଏହି
ରାବଣର ଦୁନିଆରେ ଅତିଥି ଅଟେ । ଏହି ସଂଗମଯୁଗର ମହିମା ବହୁତ ଜବରଦସ୍ତ ଅଟେ । ବାବା ରାବଣ ରାଜ୍ୟର
ବିନାଶ କରି ରାମରାଜ୍ୟର ସ୍ଥାପନା କରିବା ପାଇଁ ଆସୁଛନ୍ତି । କିନ୍ତୁ ଶାସ୍ତ୍ରରେ ବହୁତ ମନଗଢା
କାହାଣୀ ଲେଖିଦେଇଛନ୍ତି । ରାବଣକୁ ସବୁ ବର୍ଷ ଜଳାଇ ଆସୁଛନ୍ତି । ସାରା ସୃଷ୍ଟି ବର୍ତ୍ତମାନ ସମୟରେ
ଯେପରି ଲଙ୍କା ଅଟେ । କେବଳ ଶ୍ରୀଲଙ୍କାକୁ ଲଙ୍କା ବୋଲି କୁହାଯାଉନାହିଁ । ଏହି ସାରା ସୃଷ୍ଟି
ରାବଣର ରହିବାର ସ୍ଥାନ ଶୋକବାଟିକା ଅଟେ । ଏଠାରେ ସମସ୍ତେ ଦୁଃଖୀ । ବାବା କହୁଛନ୍ତି - ମୁଁ ଏହାକୁ
ଅଶୋକ ବାଟିକା ଅଥବା ସ୍ୱର୍ଗ କରିବାକୁ ଆସୁଛି । ସ୍ୱର୍ଗରେ ସବୁ ଧର୍ମ ତ ରହିବ ନାହିଁ । ସେଠାରେ
ଗୋଟିଏ ଧର୍ମ ଥିଲା, ଯାହାକି ବର୍ତ୍ତମାନ ନାହିଁ । ଏବେ ମୁଁ ପୁନର୍ବାର ତୁମକୁ ଦେବତା କରିବା ପାଇଁ
ରାଜଯୋଗ ଶିଖାଉଛି । ଯାହାକୁ କି ସମସ୍ତେ ଶିଖିବେ ନାହିଁ । ମୁଁ କେବଳ ଭାରତରେ ହିଁ ଆସୁଛି । ଏହି
ଭାରତରେ ହିଁ ସ୍ୱର୍ଗ ହୋଇଥାଏ । ଖ୍ରୀଷ୍ଟିୟାନମାନେ ମଧ୍ୟ ସ୍ୱର୍ଗକୁ ମାନୁଛନ୍ତି । କହୁଛନ୍ତି
ଯେ, ସିଏ ସ୍ୱର୍ଗକୁ ଗଲା, ଈଶ୍ୱର ପିତାଙ୍କ ପାଖକୁ ଗଲା । ବାକି ସେମାନେ କ’ଣ ସ୍ୱର୍ଗକୁ
ଜାଣିଛନ୍ତି! ସ୍ୱର୍ଗ ତ ଅଲଗା ଜିନିଷ । ବାବା ଏବେ ବୁଝାଉଛନ୍ତି, ମୁଁ କେବେ ଏବଂ କିପରି ଆସୁଛି ।
ଆସି ତୁମକୁ ତ୍ରିକାଳଦର୍ଶୀ କରୁଛି । ତ୍ରିକାଳଦର୍ଶୀ ଆଉ କେହି ନାହାଁନ୍ତି । ସୃଷ୍ଟିର
ଆଦି-ମଧ୍ୟ-ଅନ୍ତକୁ କେବଳ ମୁଁ ହିଁ ଜାଣିଛି । ଏବେ କଳିଯୁଗର ବିନାଶ ହେବ । ଏହାର ଲକ୍ଷଣ ମଧ୍ୟ
ଦେଖିବାକୁ ମିଳୁଛି । ଏହା ସେହି ସଂଗମର ସମୟ ଅଟେ । ନିର୍ଦ୍ଦିଷ୍ଟ ସମୟ କିଛି କୁହାଯାଇପାରିବ ନାହିଁ
। ବାକି ହଁ ପୂରା ରାଜଧାନୀ ସ୍ଥାପନ ହୋଇଯିବ । ପିଲାମାନଙ୍କର ଯେତେବେଳେ କର୍ମାତୀତ ଅବସ୍ଥା ହେବ
ସେତେବେଳେ ଏହି ଜ୍ଞାନ ଶେଷ ହୋଇଯିବ । ଲଢେଇ ମଧ୍ୟ ଆରମ୍ଭ ହୋଇଯିବ । ମୁଁ ମଧ୍ୟ ମୋର ପବିତ୍ର
କରିବାର ଅଭିନୟ ଶେଷ କରି ଚାଲିଯିବି । ଦେବୀ-ଦେବତା ଧର୍ମ ସ୍ଥାପନା କରିବା ଏହା ହିଁ ମୋର ପାର୍ଟ
ଅଟେ । ଭାରତବାସୀ ଏକଥା କିଛି ବି ଜାଣିନାହାଁନ୍ତି । ଯେହେତୁ ଶିବରାତ୍ରୀ ପାଳନ କରୁଛନ୍ତି ତେବେ
ଶିବବାବା ନିଶ୍ଚିତ କୌଣସି କାର୍ଯ୍ୟ କରି ଯାଇଥିବେ । କିନ୍ତୁ ସେମାନେ କୃଷ୍ଣଙ୍କର ନାମ ଲେଖି
ଦେଇଛନ୍ତି । ଏହିସବୁ ସାଧାରଣ ଭୁଲ୍ ଦେଖିବାକୁ ମିଳୁଛି । ଶିବ ପୁରାଣ ଆଦି କୌଣସି ଶାସ୍ତ୍ରରେ
ମଧ୍ୟ ଏକଥା ନାହିଁ ଯେ, ଶିବବାବା ଆସି ରାଜଯୋଗ ଶିଖାଉଛନ୍ତି । ବାସ୍ତବରେ ପ୍ରତ୍ୟେକ ଧର୍ମର
ଗୋଟିଏ ଗୋଟିଏ ଶାସ୍ତ୍ର ରହିଛି । ତେବେ ଦେବତା ଧର୍ମର ମଧ୍ୟ ଗୋଟିଏ ଶାସ୍ତ୍ର ରହିବା ଦରକାର ।
କିନ୍ତୁ ତାର ରଚୟିତା କିଏ! ଏହି କଥାରେ ହିଁ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି ।
ବାବା ବୁଝାଉଛନ୍ତି ଯେ,
ମୋତେ ନିଶ୍ଚିତ ବ୍ରହ୍ମାଙ୍କ ମାଧ୍ୟମରେ ବ୍ରାହ୍ମଣ ଧର୍ମର ରଚନା କରିବାକୁ ପଡିବ । ବ୍ରହ୍ମାଙ୍କର
ମୁଖ ବଂଶାବଳୀ ହିଁ ବ୍ରହ୍ମାକୁମାର କୁମାରୀ ଅଟନ୍ତି । ପ୍ରଥମେ ବହୁତଙ୍କର ନାମ ପରିବର୍ତ୍ତନ
କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଅନେକ ପଳାଇଗଲେ । ପୂର୍ବରୁ ଯେଉଁ ଅବସ୍ଥାରେ ଥିଲେ ସେହି
ଅବସ୍ଥାକୁ ଚାଲିଗଲେ । ତେଣୁ ଦେଖାଗଲା ଯେ, ନାମ ରଖିବା ଦ୍ୱାରା କୌଣସି ଲାଭ ହେଉ ନାହିଁ । ସେମାନେ
ତ ଏହାକୁ ଭୁଲି ମଧ୍ୟ ଯାଉଛନ୍ତି । ବାସ୍ତବରେ ତୁମକୁ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ ।
ଶରୀରର ହିଁ ନାମ ରଖାଯାଇଥାଏ, ଆତ୍ମାର ତ କୌଣସି ନାମ ହିଁ ନାହିଁ । ଆତ୍ମା ୮୪ ଜନ୍ମ ନେଇଥାଏ ଏବଂ
ପ୍ରତ୍ୟେକ ଜନ୍ମରେ ତା’ର ନାମ ରୂପ ଦେଶ କାଳ ସବୁ ବଦଳିଯାଏ । ଡ୍ରାମାରେ ଯଦି କାହାକୁ ଗୋଟିଏ
ପାର୍ଟ ଥରେ ଅଭିନୟ ମିଳିଛି, ସେହି ରୂପରେ ପୁଣି ସିଏ ଆଉ କେବେ ବି ଅଭିନୟ କରିପାରିବ ନାହିଁ ।
ସେହି ଅଭିନୟ ପୁଣି ୫ ହଜାର ବର୍ଷ ପରେ ହିଁ କରିବ । ଏପରି ନୁହେଁ ଯେ, କୃଷ୍ଣଙ୍କର ସେହି ନାମ
ରୂପରେ ଆଉ କେହି ଆସିଯିବ । ନା । ଏକଥା ତ ଜାଣିଛ ଯେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର
ନେଇଥାଏ । ଜଣକର ଚେହେରା ଅନ୍ୟ ଜଣକ ସହିତ ମିଶିପାରିବ ନାହିଁ । ୫ ତତ୍ତ୍ୱ ଅନୁସାରେ ଚେହେରା
ବଦଳିଯାଇଥାଏ । ତେବେ କେତେ ପ୍ରକାରର ଚେହେରା ରହିଛି । କିନ୍ତୁ ଏସବୁ ପୂର୍ବରୁ ହିଁ ଡ୍ରାମାରେ
ନିର୍ଦ୍ଧାରିତ ହୋଇ ରହିଛି । ନୂଆ କିଛି ହେଉନାହିଁ । ବର୍ତ୍ତମାନ ଶିବରାତ୍ରୀ ପାଳନ କରାଯାଉଛି ।
ତେବେ ନିଶ୍ଚିତ ଶିବ ଆସିଥିବେ । ସିଏ ହିଁ ସାରା ଦୁନିଆର ପ୍ରୀତମ ଅଟନ୍ତି । ଲକ୍ଷ୍ମୀ-ନାରାୟଣ
ଅଥବା ରାଧା-କୃଷ୍ଣ କିମ୍ବା ବ୍ରହ୍ମା ବିଷ୍ଣୁ ଆଦି କେହି ପ୍ରୀତମ ନୁହଁନ୍ତି । ଏକମାତ୍ର ଈଶ୍ୱର
ପିତା ହିଁ ପ୍ରୀତମ ଅଟନ୍ତି । ବାବା ତ ବର୍ସା ନିଶ୍ଚିତ ଦେଉଛନ୍ତି, ସେଥିପାଇଁ ବାବା ସମସ୍ତଙ୍କର
ପ୍ରିୟ ଅଟନ୍ତି । ବାବା କହୁଛନ୍ତି - ମୋତେ ମନେ ପକାଅ କାହିଁକି ନା ମୋଠାରୁ ତୁମକୁ ବର୍ସା
ପାଇବାର ଅଛି । ପିଲାମାନେ ଜାଣିଛନ୍ତି ଯେ, ଏହି ପାଠପଢା ଦ୍ୱାରା ସୂର୍ଯ୍ୟବଂଶୀ ଦେବତା ଅଥବା
ଚନ୍ଦ୍ରବଂଶୀ କ୍ଷତ୍ରୀୟ ହୋଇପାରିବ । ବାସ୍ତବରେ ସମସ୍ତ ଭାରତବାସୀଙ୍କର ଧର୍ମ ଗୋଟିଏ ହେବା ଦରକାର
। କିନ୍ତୁ ଦେବତା ଧର୍ମର ନାମ ବଦଳାଇ ହିନ୍ଦୁ ନାମ ରଖିଦେଇଛନ୍ତି କାହିଁକି ନା ସେହିପରି ଦୈବୀଗୁଣ
ବର୍ତ୍ତମାନ ନାହିଁ । ଏବେ ବାବା ଆସି ସେହି ଗୁଣକୁ ଧାରଣ କରାଉଛନ୍ତି । କହୁଛନ୍ତି, ନିଜକୁ ଆତ୍ମା
ନିଶ୍ଚୟ କରି ଅଶରୀରୀ ହୋଇଯାଅ । ତୁମେ କୌଣସି ପରମାତ୍ମା ନୁହଁ । ପରମାତ୍ମା ତ ଏକମାତ୍ର ଶିବ ହିଁ
ଅଟନ୍ତି । ସିଏ ସମସ୍ତଙ୍କର ପ୍ରୀତମ, ଯିଏକି ଥରେ ମାତ୍ର ଏହି ସଂଗମଯୁଗରେ ଆସୁଛନ୍ତି । ଏହି
ସଂଗମଯୁଗ ବହୁତ ଛୋଟ । ବର୍ତ୍ତମାନ ସମସ୍ତ ଧର୍ମର ବିନାଶ ହେବ । ଏହି ବ୍ରାହ୍ମଣ କୁଳ ମଧ୍ୟ ନିଜର
ଶାନ୍ତିଧାମ ଘରକୁ ଯିବ କାହିଁକି ନା ସେମାନଙ୍କୁ ପୁଣି ପରିବର୍ତ୍ତିତ ହୋଇ ଏହି ଦୈବୀକୁଳକୁ
ଆସିବାକୁ ହେବ । ବାସ୍ତବରେ ଏହା ପାଠପଢା ଅଟେ । କେବଳ ଏହାକୁ ପରସ୍ପର ସହିତ ତୁଳନା କରାଯାଉଛି ।
ଏହି ବିଷୟ ବିକାର ଜହର ଅଟେ । ଏହି ଜ୍ଞାନ ହେଉଛି ଅମୃତ । ଏହା ତ ମନୁଷ୍ୟକୁ ଦେବତା କରିବାର
ପାଠଶାଳା ଅଟେ । ଆତ୍ମାରେ ଖାଦ ପଡିଛି, ତେଣୁ ତାହା ଏକଦମ୍ ନକଲି ହୋଇଯାଇଛି । ଯାହାକୁ ବାବା ଆସି
ହୀରାତୁଲ୍ୟ କରୁଛନ୍ତି । ସେଥିପାଇଁ ଶିବରାତ୍ରୀ ବୋଲି କହୁଛନ୍ତି । କାରଣ ରାତ୍ରିରେ ହିଁ ଶିବ
ଆସିଥିଲେ । କିନ୍ତୁ କିପରି ଆସିଥିଲେ, କାହାର ଗର୍ଭରେ ଆସିଥିଲେ? ଅଥବା କାହାର ଶରୀରରେ ପ୍ରବେଶ
କରିଥିଲେ? କାହା ଗର୍ଭରେ ତ ସିଏ ଆସୁନାହାଁନ୍ତି । ତାଙ୍କୁ ଶରୀରର ଆଧାର ନେବାକୁ ପଡିଥାଏ । ସିଏ
ନିଶ୍ଚିତ ଆସି ନର୍କକୁ ସ୍ୱର୍ଗ କରିବେ । କିନ୍ତୁ କେବେ ଏବଂ କିପରି ଆସୁଛନ୍ତି, ଏକଥା କେହି ଜାଣି
ନାହାଁନ୍ତି । ଶାସ୍ତ୍ର ତ ବହୁତ ପଢୁଛନ୍ତି କିନ୍ତୁ ମୁକ୍ତି-ଜୀବନମୁକ୍ତି ତ କାହାକୁ ମିଳୁନାହିଁ
ବରଂ ଆହୁରି ତମଃପ୍ରଧାନ ହୋଇଯାଉଛନ୍ତି । ତେବେ ତମଃପ୍ରଧାନ ତ ସମସ୍ତଙ୍କୁ ନିଶ୍ଚିତ ହେବାକୁ ପଡିବ
। ସବୁ ମନୁଷ୍ୟମାନଙ୍କୁ ଏହି ରଙ୍ଗମଞ୍ଚରେ ନିଶ୍ଚିତ ହାଜିର ହେବାକୁ ପଡିବ । ବାବା ଏହି ଅନ୍ତିମ
ସମୟରେ ହିଁ ଆସୁଛନ୍ତି । ତାଙ୍କର ମହିମା ସମସ୍ତେ ଗାୟନ କରୁଛନ୍ତି । କହୁଛନ୍ତି - ତୁମର ଗତି ମତି
ତୁମେ ହିଁ ଜାଣ । ତୁମ ପାଖରେ କି ଜ୍ଞାନ ଅଛି, କିପରି ତୁମେ ସଦ୍ଗତି କରୁଛ ତାହା ତୁମେ ହିଁ
ଜାଣିଛ । ସେଥିପାଇଁ ସେ ଶ୍ରୀମତ ଦେବାକୁ ନିଶ୍ଚିତ ଆସିବେ ନା! କିନ୍ତୁ କିପରି ଆସୁଛନ୍ତି, କାହା
ଶରୀରରେ ଆସୁଛନ୍ତି ଏକଥା କେହି ଜାଣିନାହାଁନ୍ତି । ବାବା ନିଜେ କହୁଛନ୍ତି ଯେ, ମୋତେ ସାଧାରଣ
ଶରୀରରେ ଆସିବାକୁ ପଡୁଛି । ମୋତେ ବ୍ରହ୍ମା ନାମ ମଧ୍ୟ ନିଶ୍ଚିତ ରଖିବାକୁ ପଡିବ । ନଚେତ୍
ବ୍ରାହ୍ମଣ କିପରି ସୃଷ୍ଟି ହେବେ! ପୁଣି ବ୍ରହ୍ମା କେଉଁଠାରୁ ଆସିଲେ? ଉପରୁ ତ ଆସିବେ ନାହିଁ ।
ସିଏ ହେଉଛନ୍ତି ସୂକ୍ଷ୍ମଲୋକ ନିବାସୀ ଅବ୍ୟକ୍ତ, ସଂପୂର୍ଣ୍ଣ ବ୍ରହ୍ମା । ଏଠାରେ ତ ନିଶ୍ଚିତ
ବ୍ୟକ୍ତରେ ଆସି ରଚନା କରିବାକୁ ପଡିବ ନା । ମୁଁ ନିଜର ଅନୁଭବରୁ କହିପାରିବି । ଏତିକି ସମୟ
ଆସୁଛନ୍ତି ଏବଂ ଯାଉଛନ୍ତି । ବାବା କହୁଛନ୍ତି - ମୁଁ ମଧ୍ୟ ଡ୍ରାମାରେ ବନ୍ଧା ହୋଇଛି ଏବଂ ମୋର
ପାର୍ଟ ମଧ୍ୟ ଥରେ ମାତ୍ର ରହିଛି । ଦୁନିଆରେ ବହୁତ ଉପଦ୍ରବ ହୋଇଚାଲିଛି, ଏହି ସମୟରେ କେତେ
ଈଶ୍ୱରଙ୍କୁ ଡାକୁଛନ୍ତି । କିନ୍ତୁ ମୋତେ ତ ନିଜ ସମୟରେ ହିଁ ଆସିବାକୁ ପଡିବ ଏବଂ ମୁଁ ବାନପ୍ରସ୍ଥ
ଅବସ୍ଥାରେ ହିଁ ଆସୁଛି । ଏହି ଜ୍ଞାନ ତ ବହୁତ ସହଜ । କିନ୍ତୁ ନିଜର ଅବସ୍ଥାକୁ ମଜବୁତ କରିବା ପାଇଁ
ପରିଶ୍ରମ କରିବାକୁ ପଡୁଛି । ସେଥିପାଇଁ କହୁଛନ୍ତି, ଏହି ଲକ୍ଷ୍ୟ ବହୁତ ଉଚ୍ଚ ଅଟେ । ବାବା
ଜ୍ଞାନର ସାଗର, ତେଣୁ ନିଶ୍ଚିତ ସିଏ ପିଲାମାନଙ୍କୁ ଜ୍ଞାନ ଦେଇଛନ୍ତି ସେଥିପାଇଁ ତ ତାଙ୍କର ଗାୟନ
ରହିଛି ଯେ - ତୁମର ଗତି ମତି ତୁମେ ହିଁ ଜାଣ ।
ବାବା କହୁଛନ୍ତି - ମୋ
ପାଖରେ ଯେଉଁ ସୁଖ-ଶାନ୍ତିର ସମ୍ପତ୍ତି ଅଛି ତାହା ମୁଁ ପିଲାମାନଙ୍କୁ ଦେଉଛି । ମାତାମାନଙ୍କ ଉପରେ
ଯେଉଁ ଅତ୍ୟାଚାର ଆଦି ହେଉଛି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି, ତେବେ ଯାଇ ତ ପାପର ଘଡା
ପୂରିବ । କଳ୍ପ-କଳ୍ପ ଏହିପରି ହିଁ ପୁନରାବୃତ୍ତି ହୋଇଥାଏ । ଏକଥା ମଧ୍ୟ ତୁମେ ବର୍ତ୍ତମାନ ହିଁ
ଜାଣୁଛ ପରେ ପୁଣି ଭୁଲିଯିବ । ଏହି ଜ୍ଞାନ ସତ୍ୟଯୁଗରେ ରହିବ ନାହିଁ । ଯଦି ଥାନ୍ତା ତେବେ
ପରମ୍ପରାରୁ ଚାଲି ଆସୁଥାନ୍ତା । ସେଠାରେ ତ ପ୍ରାରବ୍ଧ ରହିଛି ଯାହା ତୁମେ ବର୍ତ୍ତମାନର
ପୁରୁଷାର୍ଥ ଅନୁସାରେ ପାଉଛ । ଏଠିକାର ପୁରୁଷାର୍ଥୀ ଆତ୍ମା ସେଠାରେ ରହିବେ, ଅନ୍ୟ କୌଣସି ଆତ୍ମା
ସେଠାରେ ରହିପାରିବେ ନାହିଁ, ଯେଉଁମାନଙ୍କୁ ଜ୍ଞାନର ଆବଶ୍ୟକତା ରହିଥିବ । ତୁମେମାନେ ମଧ୍ୟ ଏକଥା
ଜାଣିଛ ଯେ, କ୍ୱଚିତ୍ କେହି କେହି ବାହାରିବେ, ଯେଉଁମାନେ ଏହି ଜ୍ଞାନକୁ ବହୁତ ଭଲ-ଭଲ ବୋଲି ମଧ୍ୟ
କହିବେ । ଧରିନିଅ ବିଦେଶରେ କେହି ବହୁତ ବଡ ଲୋକ ବାହାରିଲେ, ଜ୍ଞାନ ବୁଝିଲେ । କିନ୍ତୁ ଭଟ୍ଟୀରେ
କେଉଁଠାରେ ରହିବେ, କ’ଣ ବୁଝିବେ! କହିବେ ଏକଥା ତ ଠିକ୍ କିନ୍ତୁ ପବିତ୍ର ରହିପାରିବୁ ନାହିଁ । ଆରେ
ତାଙ୍କୁ କୁହ ଏତେ ସବୁ ପବିତ୍ର ରହୁଛନ୍ତି । ଯେଉଁମାନେ ବିବାହ କରି ଏକତ୍ର ରହି ମଧ୍ୟ ପବିତ୍ର
ରହୁଛନ୍ତି ସେମାନଙ୍କୁ ବହୁତ ପୁରସ୍କାର ମଧ୍ୟ ମିଳୁଛି । ଏହା ମଧ୍ୟ ଏକ ଦୌଡ ପ୍ରତିଯୋଗିତା ଅଟେ ।
ଦୁନିଆରେ ହେଉଥିବା ପ୍ରତିଯୋଗିତାରେ ପ୍ରଥମ ନମ୍ବର ହେଲେ ୪-୫ ଲକ୍ଷ ମିଳିବ । ଏଠାରେ ତ ତୁମକୁ ୨୧
ଜନ୍ମ ପାଇଁ ପୂରା ରାଜତ୍ୱ ମିଳୁଅଛି । ଏହା କ’ଣ କମ୍ କଥା! ଏହି ମୁରଲୀ ତ ସବୁ ପିଲାମାନଙ୍କ ପାଖକୁ
ଯିବ । ଟେପ୍ ଦ୍ୱାରା ମଧ୍ୟ ଶୁଣିବେ । ତେବେ କହିବେ ଯେ ଶିବବାବା ବ୍ରହ୍ମାଙ୍କ ଶରୀର ଦ୍ୱାରା
ମୁରଲୀ ଶୁଣାଉଛନ୍ତି ଅଥବା ଯଦି କନ୍ୟାମାନେ ଶୁଣାଇବେ ତେବେ କହିବେ ଯେ ଶିବବାବାଙ୍କର ମୁରଲୀ
ଶୁଣାଉଛନ୍ତି । ତେବେ ବୁଦ୍ଧି ଏକଦମ୍ ପରମଧାମକୁ ଚାଲିଯିବା ଦରକାର । ସେହି ସୁଖ, ଅନ୍ତରରେ ଅନୁଭବ
ହେବା ଦରକାର । ସବୁଠାରୁ ପ୍ରିୟ ବାବା ଆମକୁ ସର୍ବଦା ସୁଖୀ ମନୁଷ୍ୟରୁ ଦେବତା କରୁଛନ୍ତି, ତେଣୁ
ତାଙ୍କୁ ବହୁତ ୟାଦ କରିବା ଉଚିତ୍ । କିନ୍ତୁ ମାୟା ସ୍ଥାୟୀ ଯୋଗ ରହିବାକୁ ଦେଉନାହିଁ ।
ସଂପୂର୍ଣ୍ଣ ତ୍ୟାଗ ମଧ୍ୟ ରହିବା ଦରକାର । ଏସବୁ କିଛି ବାବାଙ୍କର ଅଟେ, ଅବସ୍ଥା ବହୁତ
ଫାଷ୍ଟକ୍ଲାସ ରହିବା ଉଚିତ୍ । ଏମିତି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ କି ସର୍ବଦା ଶ୍ରୀମତ
ଅନୁସାରେ ଚାଲନ୍ତି । ଶ୍ରୀମତ ଅନୁସାରେ ଚାଲିଲେ ନିଶ୍ଚିତ କଲ୍ୟାଣ ହିଁ ହେବ । ଏହି ମତ ମଧ୍ୟ
ବହୁତ ଶ୍ରେଷ୍ଠ ଅଟେ ଏବଂ ଯାତ୍ରା ମଧ୍ୟ ଲମ୍ବା ଅଟେ । ତୁମେମାନେ ଆଉ ଏହି ମୃତ୍ୟୁଲୋକକୁ ଆସିବ
ନାହିଁ । ସତ୍ୟଯୁଗ ତ ଅମରଲୋକ ଅଟେ ।
ସେଦିନ ବାବା ବହୁତ
ସୁନ୍ଦର ଭାବରେ ବୁଝାଇଥିଲେ ଯେ, ସେଠାରେ ତୁମର ମୃତ୍ୟୁ ହେବ ନାହିଁ । ତୁମେମାନେ ଖୁସି ଖୁସିରେ
ପୁରୁଣା ଶରୀର ଛାଡି ନୂଆ ନେବ । ସର୍ପର ଉଦାହରଣ ମଧ୍ୟ ତୁମ ପାଇଁ ଉଦ୍ଧିଷ୍ଟ । ଭ୍ରମରୀର ଉଦାହରଣ
ମଧ୍ୟ ତୁମପାଇଁ ହିଁ ରହିଛି । କଇଁଛର ଉଦାହରଣ ମଧ୍ୟ ତୁମ ପାଇଁ ଉଦ୍ଦିଷ୍ଟ । ସନ୍ନ୍ୟାସୀମାନେ ତ
ଏହାର କେବଳ ନକଲ କରିଛନ୍ତି । ଭ୍ରମରୀର ଉଦାହରଣ ମଧ୍ୟ ବହୁତ ଭଲ । ବିଷ୍ଠାର କୀଟକୁ ଅର୍ଥାତ୍
ପତିତ ଆତ୍ମାକୁ ଜ୍ଞାନର ଭୁଁ-ଭୁଁ କରି ସ୍ୱର୍ଗର ପରୀ କରି ଦେଉଛ । ଏବେ ତୁମକୁ ଭଲ ଭାବରେ
ପୁରୁଷାର୍ଥ କରିବାକୁ ହେବ । ଉଚ୍ଚ ପଦ ଅଥବା ଭଲ ନମ୍ବର ନେବା ପାଇଁ ପରିଶ୍ରମ ମଧ୍ୟ କରିବାକୁ
ପଡିବ । ଯଦିଓ ଧନ୍ଦା ଆଦି କରୁଛ ସେଥିପାଇଁ ସେ ସମୟକୁ ଛାଡିଦିଅ । ତଥାପି ମଧ୍ୟ ବହୁତ ସମୟ ମିଳୁଛି
। ନିଜର ଯୋଗର ଚାର୍ଟ ଦେଖିବା ଉଚିତ୍, କାହିଁକି ନା ମାୟା ବହୁତ ବିଘ୍ନ ପକାଇଥାଏ ।
ବାବା ପିଲାମାନଙ୍କୁ
ବାରମ୍ବାର ବୁଝାଉଛନ୍ତି - ମିଠେ ବଚ୍ଚେ, ଭୁଲ୍ରେ ମଧ୍ୟ ଏପରି ସବୁଠାରୁ ପ୍ରିୟ ବାବାଙ୍କୁ ଅଥବା
ସାଜନଙ୍କୁ କେହି କେବେ ହେଲେ ଛାଡପତ୍ର ଦିଅନାହିଁ, କେବେ ବି କେହି ଏପରି ମହାମୂର୍ଖ ନ ହୁଅନ୍ତୁ ।
କିନ୍ତୁ ମାୟା ଏହିଭଳି କରିଦେଇଥାଏ । ଏବେ ଆଗକୁ ଗଲେ ତୁମେ ଦେଖିବ ଯେଉଁମାନେ ବାବାଙ୍କ ପାଖରେ
ସମର୍ପଣ ହୋଇଥିଲେ, ବହୁତ ଭଲ ସେବା କରୁଥିଲେ ସେମାନଙ୍କର ମଧ୍ୟ ମାୟା କି-କି ଅବସ୍ଥା କରିଦେଉଛି
କାହିଁକି ନା ସେମାନେ ଶ୍ରୀମତକୁ ଛାଡି ଦେଇଥାଆନ୍ତି । ସେଥିପାଇଁ ବାବା କହୁଛନ୍ତି, ଏହିଭଳି ବଡରୁ
ବଡ ମହାମୂର୍ଖ ହୁଅ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ଦ୍ୱାରା ଯେଉଁ ସୁଖ ଶାନ୍ତି ରୂପକ ସମ୍ପତ୍ତି ମିଳୁଛି ସେଗୁଡିକୁ ସମସ୍ତଙ୍କୁ ଦେବାକୁ ହେବ ।
ଜ୍ଞାନ ଆଧାରରେ ନିଜର ଅବସ୍ଥାକୁ ମଜବୁତ କରିବାର ପରିଶ୍ରମ କରିବାକୁ ହେବ ।
(୨) ଦୈବୀଗୁଣ ଧାରଣ
କରିବା ପାଇଁ ଦେହ-ଅଭିମାନକୁ ଭୁଲି ନିଜକୁ ଆତ୍ମା ମନେ କରି ଅଶରୀରୀ ହୋଇ ଏକମାତ୍ର ପ୍ରିୟତମ
ବାବାଙ୍କୁ ସ୍ମରଣ କରିବାକୁ ହେବ ।
ବରଦାନ:-
ବିଶେଷତା ରୂପୀ
ବୀଜ ଦ୍ୱାରା ସନ୍ତୁଷ୍ଟତା ରୂପୀ ଫଳ ପ୍ରାପ୍ତ କରୁଥିବା ବିଶେଷ ଆତ୍ମା ହୁଅ ।
ଏହି ବିଶେଷ ଯୁଗରେ
ବିଶେଷତା ରୂପୀ ବୀଜର ସବୁଠାରୁ ଶ୍ରେଷ୍ଠ ଫଳ ହେଲା “ସନ୍ତୁଷ୍ଟତା” । ନିଜେ ସନ୍ତୁଷ୍ଟ ରହିବା ଏବଂ
ସମସ୍ତଙ୍କୁ ସନ୍ତୁଷ୍ଟ କରିବା - ଏହା ହିଁ ହେଉଛି ବିଶେଷ ଆତ୍ମାର ଚିହ୍ନ, ସେଥିପାଇଁ
ବିଶେଷତାଗୁଡିକର ବୀଜକୁ ଅଥବା ବରଦାନକୁ ସର୍ବଶକ୍ତି ରୂପୀ ଜଳ ଦିଅ ତେବେ ବୀଜ ଫଳଦାୟକ ହୋଇଯିବ ।
ନଚେତ୍ ବିସ୍ତାର ହୋଇ ସାରିଥିବା ବୃକ୍ଷ ମଧ୍ୟ ସମୟ ସମୟରେ ଆସୁଥିବା ତୋଫାନରେ ହଲଚଲ୍ ହେବା ଦ୍ୱାରା
ଭାଙ୍ଗି ପଡିଥାଏ ଅର୍ଥାତ୍ ଆଗକୁ ବଢିବାର ଉମଙ୍ଗ-ଉତ୍ସାହ, ଖୁସି ବା ଆତ୍ମିକ ନିଶା କାୟମ ରହିନଥାଏ
। ତେଣୁ ବିଧିପୂର୍ବକ ଭାବରେ ଶକ୍ତିଶାଳୀ ବୀଜଗୁଡିକୁ ଫଳଦାୟକ କର ।
ସ୍ଲୋଗାନ:-
ନିଜ ଅନୁଭୂତି
ରୂପି ପ୍ରସାଦକୁ ସମସ୍ତଙ୍କୁ ବାଣ୍ଟି ଅସମର୍ଥକୁ ସମର୍ଥ କରିଦେବା ହିଁ ସବୁଠାରୁ ବଡ ପୂଣ୍ୟ ।