24.11.19 Avyakt Bapdada Odia Murli
12.03.85 Om Shanti Madhuban
ଆଜି ସତ୍ୟପିତା, ସତ୍ୟ
ଶିକ୍ଷକ, ସତଗୁରୁ ନିଜର ସତ୍ୟତାର ଶକ୍ତି ସ୍ୱରୂପ ପିଲାମାନଙ୍କୁ ଦେଖୁଛନ୍ତି । ସତ୍ୟଜ୍ଞାନ ବା
ସତ୍ୟତାର ଶକ୍ତି କେତେ ମହାନ ତୁମେମାନେ ହିଁ ତା’ର ଅନୁଭବୀ ଅଟ । ସମସ୍ତ ଦୂରଦେଶ ନିବାସୀ
ପିଲାମାନେ ଭିନ୍ନ ଭିନ୍ନ ଧର୍ମ, ଭିନ୍ନ ଭିନ୍ନ ମାନତ୍ୟ, ଭିନ୍ନ ପ୍ରକାରର ପ୍ରଥା-ପରମ୍ପରା ଭିତରେ
ରହୁଥିଲେ ମଧ୍ୟ ଏହି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପ୍ରତି ବା ରାଜଯୋଗ ପ୍ରତି କାହିଁକି ଆକର୍ଷିତ
ହୋଇଛନ୍ତି ? କାରଣ ସେମାନଙ୍କୁ ସତ୍ୟପିତାଙ୍କର ସତ୍ୟ ପରିଚୟ ମିଳିଛି, ସଚ୍ଚା ପରିବାର ମିଳିଛି,
ସଚ୍ଚା ସ୍ନେହ ମିଳିଛି, ସଚ୍ଚା ପ୍ରାପ୍ତିର ଅନୁଭବ ହୋଇଛି ସେଥିପାଇଁ ସେମାନେ ସତ୍ୟତାର ଶକ୍ତି
ପ୍ରତି ଆକର୍ଷିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ଜୀବନ ଥିଲା, ପ୍ରାପ୍ତି ମଧ୍ୟ ଥିଲା, ଯଥା ଶକ୍ତି
ଜ୍ଞାନ ମଧ୍ୟ ଥିଲା, କିନ୍ତୁ ସତ୍ୟ ଜ୍ଞାନ ନଥିଲା, ସେଥିପାଇଁ ସତ୍ୟତାର ଶକ୍ତି ସେମାନଙ୍କୁ ସତ୍ୟ
ପିତାଙ୍କର କରିଦେଲା ।
ଏଠାରେ ସତ୍ ଶବ୍ଦର ଦୁଇଟି ଅର୍ଥ ରହିଛି - ସତ୍ ଅର୍ଥ ସତ୍ୟତା ମଧ୍ୟ ଅଟେ ଏବଂ ସତ୍ ଅର୍ଥ ଅବିନାଶୀ
ମଧ୍ୟ ଅଟେ । ତେଣୁ ସତ୍ୟତାର ଶକ୍ତି ଅବିନାଶୀ ମଧ୍ୟ ଅଟେ, ସେଥିପାଇଁ ତୁମକୁ ଅବିନାଶୀ ପ୍ରାପ୍ତି,
ଅବିନାଶୀ ସମ୍ବନ୍ଧ, ଅବିନାଶୀ ସ୍ନେହ, ଅବିନାଶୀ ପରିବାର ମିଳିଛି । ଏହି ପରିବାରର ସଦସ୍ୟମାନେ ୨୧
ଜନ୍ମ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ନାମ-ରୂପ ଧାରଣ କରି ଭିନ୍ନ ଭିନ୍ନ ସମ୍ବନ୍ଧରେ ମିଶିବେ କିନ୍ତୁ
ଜାଣିପାରିବେ ନାହିଁ । ଏବେ ଜାଣିଛ ଯେ ଆମେମାନେ ହିଁ ଭିନ୍ନ ଭିନ୍ନ ସମ୍ବନ୍ଧରେ ପରିବାର ଭିତରେ
ଆସିବୁ । ଏହି ଅବିନାଶୀ ପ୍ରାପ୍ତି, ଅବିନାଶୀ ପରିଚୟ ଦୂରଦେଶରେ ରହୁଥିଲେ ମଧ୍ୟ ନିଜର ସତ୍ୟ
ପରିବାର, ସତ୍ୟ ପିତା, ସତ୍ୟ ଜ୍ଞାନ ପ୍ରତି ଆକର୍ଷିତ କରିନେଲା! ଯେଉଁଠି ସତ୍ୟତା ମଧ୍ୟ ଥିବ ଏବଂ
ଅବିନାଶୀ ମଧ୍ୟ ହୋଇଥିବ, ତାହା ହିଁ ହେଉଛି ପରମାତ୍ମାଙ୍କ ପରିଚୟ । ତେବେ ତୁମେମାନେ ଯେପରି ଏହି
ବିଶେଷତା ଆଧାରରେ ଆକର୍ଷିତ ହୋଇ ଆସିଯାଇଛ ସେହିଭଳି ସତ୍ୟତାର ଶକ୍ତିକୁ ସତ୍ୟ ଜ୍ଞାନକୁ ସାରା
ବିଶ୍ୱରେ ପ୍ରତ୍ୟକ୍ଷ କରିବାକୁ ହେବ । ୫୦ ବର୍ଷ ପର୍ଯ୍ୟନ୍ତ ଧରଣୀ ପ୍ରସ୍ତୁତ କରିଲ, ସ୍ନେହର
ଅନୁଭୂତି କରାଇଲ, ସମ୍ପର୍କରେ ଆଣିଲ, ରାଜଯୋଗ ଦ୍ୱାରା ଆକର୍ଷିତ କରିଲ, ଶାନ୍ତିର ଅନୁଭୂତି ଦ୍ୱାରା
ମଧ୍ୟ ଆକର୍ଷିତ କରିଲ, ଏବେ ଆଉ ବାକି କ’ଣ ରହିଲା ? ଯେପରି ପରମାତ୍ମା ଏକ ବୋଲି ସମସ୍ତ ଭିନ୍ନ
ଭିନ୍ନ ଧର୍ମାବଲମ୍ବୀମାନେ ମଧ୍ୟ ସ୍ୱୀକାର କରୁଛନ୍ତି, ସେହିପରି ଯଥାର୍ଥ ଏବଂ ସତ୍ୟ ଜ୍ଞାନ
ଏକମାତ୍ର ପରମପିତାଙ୍କର ହିଁ ଅଟେ ଅଥବା ଏହା ଗୋଟିଏ ହିଁ ରାସ୍ତା, ଏହି ସନ୍ଦେଶ ଯେପର୍ଯ୍ୟନ୍ତ
ସାରା ବିଶ୍ୱରେ ବ୍ୟାପ୍ତ ନହୋଇଛି ସେପର୍ଯ୍ୟନ୍ତ ଆତ୍ମାମାନଙ୍କର ଅନେକ ପ୍ରକାରର କୁଟାଖିଆ ଭଳି
ସାହାରା ପ୍ରତି ଆକର୍ଷିତ ହେବା ବନ୍ଦ ହେବ ନାହିଁ । ଏବେ ସେମାନେ ଭାବୁଛନ୍ତି ଏହା ମଧ୍ୟ ଏକ
ରାସ୍ତା ବା ମାଧ୍ୟମ ଏବଂ ବହୁତ ଭଲ ରାସ୍ତା ବୋଲି ମଧ୍ୟ କହୁଛନ୍ତି କିନ୍ତୁ ଏହା ହିଁ ଏକମାତ୍ର
ପିତାଙ୍କର ଏକମାତ୍ର ପରିଚୟ ଏବଂ ଏକମାତ୍ର ରାସ୍ତା ଏକଥା ଜାଣିପାରୁ ନାହାଁନ୍ତି । ତେବେ ଅନେକତାର
ଭ୍ରାନ୍ତି ସମାପ୍ତ ହେବା ହିଁ ବିଶ୍ୱ ଶାନ୍ତିର ଆଧାର, ଏହି ସତ୍ୟ ପରିଚୟର ବା ସତ୍ୟ ଜ୍ଞାନର
ଶକ୍ତିଶାଳୀ ତରଙ୍ଗ ଯେପର୍ଯ୍ୟନ୍ତ ଚାରିଆଡେ ବ୍ୟାପି ନାହିଁ ସେପର୍ଯ୍ୟନ୍ତ ପ୍ରତ୍ୟକ୍ଷତାର ପତାକା
ତଳେ ସର୍ବ ଆତ୍ମାମାନେ ସାହାର ପାଇପାରିବେ ନାହିଁ । ତେବେ ସୁବର୍ଣ୍ଣ ଜୟନ୍ତୀ ଅବସରରେ ଯେବେକି
ବାବାଙ୍କ ଘରକୁ ବିଶେଷ ନିମନ୍ତ୍ରଣ ଦେଇ ଅତିଥିମାନଙ୍କୁ ଡାକୁଛ, ଯେଉଁଠାରେ ଷ୍ଟେଜ ମଧ୍ୟ ନିଜର,
ବାତାବରଣ ମଧ୍ୟ ଶ୍ରେଷ୍ଠ, ସ୍ୱଚ୍ଛ ବୁଦ୍ଧିର ପ୍ରଭାବ ମଧ୍ୟ ରହିଛି, ସ୍ନେହ ସମ୍ପନ୍ନ ଧରଣୀ ସହିତ
ପବିତ୍ର ପାଳନା ମଧ୍ୟ ମିଳୁଛି - ଏହିଭଳି ବାତାବରଣ ଭିତରେ ନିଜର ସତ୍ୟ ଜ୍ଞାନକୁ ପ୍ରସିଦ୍ଧ କରିବା
ହିଁ ପ୍ରତ୍ୟକ୍ଷତାର ଶୁଭାରମ୍ଭ ହେବା । ଯେତେବେଳେ ପ୍ରଦର୍ଶନୀ ମାଧ୍ୟମରେ ବିହଙ୍ଗମାର୍ଗର ସେବାର
ଆରମ୍ଭ ହୋଇଥିଲା ସେତେବେଳେ କ’ଣ କରୁଥିଲ, ମନେ ଅଛି ? ମୁଖ୍ୟ ମୁଖ୍ୟ ଜ୍ଞାନର ପ୍ରଶ୍ନାବଳୀର ଫର୍ମ
ପୂରଣ କରାଉଥିଲ ନା । ପରମାତ୍ମା ସର୍ବବ୍ୟାପୀ କି ନୁହେଁ ? ଗୀତାର ଭଗବାନ କିଏ ? ଏହିଭଳି ଫର୍ମ
ପୂରଣ କରାଉଥିଲ ନା । ସେମାନଙ୍କୁ ମତାମତ ମଧ୍ୟ ଲେଖାଉଥିଲ । ରହସ୍ୟଭରା ପ୍ରଶ୍ନ ପଚାରୁଥିଲ । ତେବେ
ପ୍ରଥମେ ଏହିଭଳି ଆରମ୍ଭ କରିଥିଲ କିନ୍ତୁ ଏହିଭଳି ଚାଲୁ ଚାଲୁ ଏହିସବୁ ଜ୍ଞାନକୁ ଗୁପ୍ତ ରୂପରେ
ଦେବା ସହିତ ସ୍ନେହପୂର୍ଣ୍ଣ ସମ୍ପର୍କ ଦ୍ୱାରା ନିକଟକୁ ଆଣିଲ । ତେଣୁ ଏଥର ମଧ୍ୟ ଯେବେକି
ବାବାଙ୍କର ଏହି ଭୂମିକୁ ଆସୁଛନ୍ତି ସେମାନଙ୍କୁ ସତ୍ୟ ଏବଂ ସ୍ପଷ୍ଟ ପରିଚୟ ଦିଅ । ଏହା ମଧ୍ୟ ଭଲ
ସଂସ୍ଥା, ଏଭଳି କହିବା ତ ମନ ଖୁସି କରିବା ଭଳି କଥା ହୋଇଗଲା, କିନ୍ତୁ ଏକମାତ୍ର ପିତାଙ୍କର
ଏକମାତ୍ର ଯଥାର୍ଥ ପରିଚୟ ସ୍ପଷ୍ଟ ଭାବରେ ସେମାନଙ୍କ ବୁଦ୍ଧିରେ ଧାରଣ ହୋଇଯାଉ, ଏହି ସମୟକୁ ମଧ୍ୟ
ଏବେ ନିକଟକୁ ଆଣିବାକୁ ପଡିବ । କେବଳ ସିଧା ସିଧା କହିଚାଲିଛ ଯେ ପରମପିତା ପରମାତ୍ମା ଏହି ଜ୍ଞାନ
ଦେଇଛନ୍ତି ବା ପରମାତ୍ମା ପିତା ଆସି ଯାଇଛନ୍ତି କିନ୍ତୁ ସେମାନେ କ’ଣ ଏକଥା ସ୍ୱୀକାର କରୁଛନ୍ତି
ଯେ ଏହା ହିଁ ପରମାତ୍ମାଙ୍କର ଜ୍ଞାନ ? ବା ବର୍ତ୍ତମାନ ହିଁ ପରମାତ୍ମାଙ୍କର କର୍ତ୍ତବ୍ୟ ଚାଲିଛି ?
ଏହା ନୂଆ ଜ୍ଞାନ ବୋଲି ଅନୁଭବ କରୁଛନ୍ତି ? ଏହିଭଳି କର୍ମଶାଳା ବା ଆଲୋଚନା ଚକ୍ର କେବେ କରିଛ ?
ଯେଉଁଥିରେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି ବା ନୁହେଁ ? କଳ୍ପରେ ଥରେ ମାତ୍ର ଆସନ୍ତି ବା
ବାରମ୍ବାର ଆସନ୍ତି ? ଏହିଭଳି ସ୍ପଷ୍ଟ ପରିଚୟ ସେମାନଙ୍କୁ ମିଳିଯାଉ ଯାହା ଦ୍ୱାରା ସେମାନେ
ଜାଣିଯିବେ ଯେ ଦୁନିଆରେ ଯାହା ସବୁ ଶୁଣିନଥିଲୁ ତାହା ଏହିଠାରେ ଶୁଣିଲୁ । ଏହିଭଳି ଯେଉଁମାନେ
ବିଶେଷ ଭାବରେ ବକ୍ତା ହୋଇ ଆସୁଛନ୍ତି, ସେମାନଙ୍କ ସହିତ ଏହି ସବୁ ଜ୍ଞାନର ରହସ୍ୟ ଗୁଡିକ ବିଷୟରେ
ଆଲୋଚନା କରିବା ଦ୍ୱାରା ସେମାନଙ୍କ ବୁଦ୍ଧିରେ ଆସିବ । ତା’ ସହିତ ଯେଉଁ ସବୁ ଭାଷଣ କରୁଛ ସେଥିରେ
ମଧ୍ୟ ନିଜର ପରିବର୍ତ୍ତନର ଅନୁଭବ ଶୁଣାଇ ଜଣେ ଜଣେ ବକ୍ତା ଗୋଟିଏ ଗୋଟିଏ ଜ୍ଞାନର ନୂଆ କଥାକୁ
ସ୍ପଷ୍ଟ କରିପାରିବ । ଏମିତି ସିଧା ସିଧା ପରମାତ୍ମା ସର୍ବବ୍ୟାପୀ ନୁହେଁ ବୋଲି କୌଣସି ଟପିକ୍ ନ
ରଖିଲେ ଭଲ କିନ୍ତୁ ପରମାତ୍ମା ଜଣେ ଅଟନ୍ତି ଏବଂ ତାଙ୍କର ରୂପ ମଧ୍ୟ ଗୋଟିଏ, ଏକଥା ଜାଣିବା ଦ୍ୱାରା
କ’ଣ କ’ଣ ସବୁ ବିଶେଷ ପ୍ରାପ୍ତି ମିଳିଛି, ସେହି ପ୍ରାପ୍ତି ଗୁଡିକୁ ଶୁଣାଇବା ସହିତ ସର୍ବବ୍ୟାପୀର
ଜ୍ଞାନକୁ ମଧ୍ୟ ସ୍ପଷ୍ଟ କରିପାରିବ । ପରମାତ୍ମାଙ୍କୁ କେବଳ ପରମଧାମ ନିବାସୀ ମନେ କରି ମନେ ପକାଇବା
ଦ୍ୱାରା ବୁଦ୍ଧି କିପରି ଏକାଗ୍ର ହୋଇଯାଉଛି ବା ପିତା ସମ୍ବନ୍ଧରେ କ’ଣ କ’ଣ ପ୍ରାପ୍ତି ହେଉଛି,
ଏହାକୁ ସତ୍ୟତା ଏବଂ ନିରହଂକାରୀତା ଭାବରେ ପ୍ରମାଣିତ କରିପାରିବ, ଯାହା ଦ୍ୱାରା ସେମାନଙ୍କୁ
ଅଭିମାନ ମଧ୍ୟ ନ ଆସୁ ଯେ ଏମାନେ ନିଜର ମହିମା କରୁଛନ୍ତି । ନମ୍ରତା ଏବଂ ଦୟାର ଭାବନା ଅଭିମାନର
ଅନୁଭବ ହେବାକୁ ଦେଇନଥାଏ । ଯେପରି ମୁରଲୀକୁ ଶୁଣିବା ସମୟରେ କେହି ବି ଅଭିମାନ ବୋଲି କହିବେ ନାହିଁ
। ଅଥୋରିଟୀର ସହିତ ଅର୍ଥାତ୍ ସମ୍ପୂର୍ଣ୍ଣ ନିଶ୍ଚୟର ସହିତ କହୁଛନ୍ତି, ଏହି କଥା କହିବେ । ଯଦିଓ
ଶବ୍ଦ କେତେ ବି କଡା ହୋଇଥାଉ କିନ୍ତୁ ଅଭିମାନ ବୋଲି କହିବେ ନାହିଁ । କେବଳ ଅଥୋରିଟୀର ଅନୁଭବ
କରିଥା’ନ୍ତି । ତେବେ ଏଭଳି କାହିଁକି ହେଉଛି ? କାରଣ ସେଥିରେ ଯେତିକି ଅଥୋରିଟୀ ଅଛି ସେତିକି
ନମ୍ରତା ଏବଂ ଦୟାଭାବ ମଧ୍ୟ ଅଛି । ଏମିତି ତ ବାବା ପିଲାମାନଙ୍କୁ ସମ୍ମୁଖରେ ହିଁ କହୁଛନ୍ତି
କିନ୍ତୁ ତୁମେମାନେ ଏହି ବିଶେଷତା ଦ୍ୱାରା ଷ୍ଟେଜ ଉପରେ ମଧ୍ୟ ଏହି ଉପାୟରେ ସତ୍ୟ ଜ୍ଞାନକୁ
ସ୍ପଷ୍ଟ କରିପାରିବ । ଯେପରି ଶୁଣାଇଲି ନା, ସେହିପରି ସର୍ବବ୍ୟାପୀର ଜ୍ଞାନର ଗୋଟିଏ ଟପିକ୍ ରଖ,
ଦ୍ୱିତୀୟରେ ପରମାତ୍ମା ନାମ ରୂପରୁ ଅଲଗା ନୁହଁନ୍ତି, ଏହା ଉପରେ ଟପିକ୍ ରଖ, ତୃତୀୟରେ ଡ୍ରାମାର
ଜ୍ଞାନକୁ ବୁଦ୍ଧିରେ ରଖିବା ଏବଂ ଆତ୍ମାର ନୂଆ ବିଶେଷତା ଗୁଡିକୁ ବୁଦ୍ଧିରେ ରଖିବା ବିଷୟରେ ଶୁଣାଅ
। ଯାହାବି ସବୁ ବିଶେଷ ଟପିକ୍ ରହିଛି ଅର୍ଥାତ୍ ଭାଷଣର ବିଷୟବସ୍ତୁ ରହିଛି, ସେଗୁଡିକୁ ଲକ୍ଷ୍ୟରେ
ରଖି ଅନୁଭବ ଏବଂ ପ୍ରାପ୍ତି ଆଧାରରେ ସ୍ପଷ୍ଟ କରି କରି ଚାଲ ଯାହା ଦ୍ୱାରା ସେମାନେ ଜାଣିପାରିବେ
ଯେ ଏହି ସତ୍ୟ ଜ୍ଞାନ ଦ୍ୱାରା ହିଁ ସତ୍ୟଯୁଗର ସ୍ଥାପନା ହେଉଛି । ଭଗବାନଉବାଚରେ କ’ଣ ବିଶେଷତା
ରହିଛି ଯାହାକୁ ଭଗବାନଙ୍କ ବ୍ୟତୀତ ଅନ୍ୟ କେହି ଶୁଣାଇ ପାରିବେ ନାହିଁ । ସେଥିରେ ବିଶେଷ ସ୍ଲୋଗାନ୍
ଗୁଡିକ ମଧ୍ୟ ରହିଛି ଯାହାକୁ ତୁମେମାନେ ସିଧା ଶବ୍ଦରେ କହୁଛ - ଯେପରି ମନୁଷ୍ୟ କେବେହେଲେ
ମନୁଷ୍ୟର ସତ୍ ପିତା, ସତଗୁରୁ ହୋଇପାରିବ ନାହିଁ । ମନୁଷ୍ୟ ପରମାତ୍ମା ହୋଇ ପାରିବ ନାହିଁ ।
ଏହିଭଳି ବିଶେଷ ଜ୍ଞାନର ପଏଣ୍ଟ ଗୁଡିକୁ ତ ବହୁତ ସମୟରୁ ଶୁଣି ଆସୁଛ କିନ୍ତୁ ଏବେ ସେଗୁଡିକୁ
ଶୁଣାଇବାର ରୂପରେଖା ପ୍ରସ୍ତୁତ କର, ଯାହା ଦ୍ୱାରା ସତ୍ୟ ଜ୍ଞାନ ସ୍ପଷ୍ଟ ହୋଇପାରିବ । ନୂଆ ଦୁନିଆ
ପାଇଁ ଏହା ନୂଆ ଜ୍ଞାନ, ତା ସହିତ ନବୀନତା ଏବଂ ସତ୍ୟତା ଉଭୟ ଅନୁଭବ ହେଉ । ଯେପରି ତୁମେମାନେ
ସମ୍ମିଳନୀ ଇତ୍ୟାଦି କରୁଛ ସେଥିରେ ମଧ୍ୟ ଭଲ ସେବା ହେଉଛି । ସମ୍ମିଳନୀ କରିବା ପରେ ଯାହା କିଛି
ବି ଉପାୟ କରୁଛ, କେତେବେଳେ ତା’ର ସନନ୍ଦ ପତ୍ର ବାହାର କରୁଛ, କେତେବେଳେ ଆଉ କ’ଣ କରୁଛ, ତାହା
ଦ୍ୱାରା ମଧ୍ୟ ସମ୍ପର୍କକୁ ଆଗକୁ ବତାଇବାର ଉପାୟ କରୁଛ । ଏହା ମଧ୍ୟ ଏକ ଭଲ ଉପାୟ କାହିଁକି ନା
ପରବର୍ତ୍ତୀ ସମୟରେ ସେମାନଙ୍କ ସହିତ ମିଶିବାର ସୁଯୋଗ ମିଳୁଛି । କିନ୍ତୁ ଯେପରି ଏବେ ଯିଏବି
ଆସୁଛନ୍ତି କହୁଛନ୍ତି - ହଁ, ଏହା ବହୁତ ଭଲ କଥା । ଏହା ଏକ ଭଲ ଯୋଜନା, ପରବର୍ତ୍ତୀ ଆଲୋଚନା କରିବା
ମଧ୍ୟ ଭଲ, ସେବାର ବିଧି ମଧ୍ୟ ଭଲ । ସେହିଭଳି ଏକଥା ମଧ୍ୟ ସ୍ୱୀକାର କରିଯାଆନ୍ତୁ ଯେ ଆଜି ଗୋଟିଏ
ନୂଆ ଜ୍ଞାନ ସ୍ପଷ୍ଟ ହେଲା ବା ଜାଣିବାକୁ ମିଳିଲା । ଏହିଭଳି ଯଦି ୫-୬ ଜଣଙ୍କୁ ମଧ୍ୟ ପ୍ରସ୍ତୁତ
କରିଦେଲ ତେବେ ବି ବହୁତ ଭଲ କାହିଁକି ନା ସମସ୍ତଙ୍କ ଭିତରେ ତ ଏହିଭଳି ଆଲୋଚନା ହୋଇପାରିବ ନାହିଁ
। କିନ୍ତୁ ବିଶେଷ ଭାବରେ ଯେଉଁମାନେ ଆସୁଛନ୍ତି ବା ତୁମେ ଟିକେଟ ଦେଇ ଯାହାଙ୍କୁ ସବୁ ଆଣୁଛ, ଏଠାରେ
ସେମାନଙ୍କୁ ବିଶେଷ ପାଳନା ମଧ୍ୟ ମିଳୁଛି, ସେମାନଙ୍କ ଭିତରୁ ଯେଉଁମାନେ ନାମୀଗ୍ରାମୀ ଅଟନ୍ତି
ସେମାନଙ୍କ ସହିତ ଏହିଭଳି ଆଲୋଚନା କରି ସେମାନଙ୍କ ବୁଦ୍ଧିରେ ସ୍ପଷ୍ଟ ଭାବରେ ଏହି ସବୁ ଜ୍ଞାନକୁ
ନିଶ୍ଚିତ ଭରିବା ଉଚିତ୍ । ତେବେ ଏଭଳି କୌଣସି ଯୋଜନା ପ୍ରସ୍ତୁତ କର ଯାହା ଦ୍ୱାରା ସେମାନଙ୍କୁ
ଏଭଳି ନ ଲାଗୁ ଯେ ଏମାନଙ୍କ ଭିତରେ ବହୁତ ଅଭିମାନ ରହିଛି, ବରଂ ସତ୍ୟତା ଅନୁଭବ ହେଉ । ଏହାକୁ ହିଁ
କୁହାଯାଏ ତୀର ଲାଗିବ କିନ୍ତୁ କଷ୍ଟ ହେବ ନାହିଁ, ଚିତ୍କାର କରିବ ନାହିଁ ବରଂ ଖୁସିରେ ନାଚିବ ।
ତେଣୁ ଭାଷଣର ରୂପରେଖାକୁ ମଧ୍ୟ ନୂଆ କର । ବିଶ୍ୱ ଶାନ୍ତି ବିଷୟରେ ତ ବହୁତ ଭାଷଣ କରିସାରିଲଣି ବା
ବର୍ତ୍ତମାନ ଆଧ୍ୟାତ୍ମିକତାର ଆବଶ୍ୟକତା ରହିଛି, ଆଧ୍ୟାତ୍ମିକ ଶକ୍ତି ବିନା କିଛି ହୋଇପାରିବ ନାହିଁ,
ଏହା ତ ଖବରକାଗଜରେ ମଧ୍ୟ ବାହାରୁଛି କିନ୍ତୁ ଆଧ୍ୟାତ୍ମିକ ଶକ୍ତି କ’ଣ ? ଆଧ୍ୟାତ୍ମିକ ଜ୍ଞାନ କ’ଣ!
ଏହାର ଉତ୍ସ ବା ସ୍ରୋତ କିଏ ? ଏବେ ସେ ପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି । ଏବେ ଏହିକଥା ବୁଝନ୍ତୁ
ଯେ ବର୍ତ୍ତମାନ ହିଁ ଭଗବାନଙ୍କର କାର୍ଯ୍ୟ ଚାଲିଛି । ଏବେ କହୁଛନ୍ତି ମାତାମାନେ ବହୁତ ଭଲ
କାର୍ଯ୍ୟ କରୁଛନ୍ତି । କାରଣ ସମୟ ଅନୁସାରେ ଏଭଳି ଧାରଣା ମଧ୍ୟ ଲୋକମାନଙ୍କ ଭିତରେ ସୃଷ୍ଟି କରାଇବା
ପାଇଁ ପଡୁଛି । ଯେପରି ଗାୟନ ଅଛି - ପୁତ୍ର ପୁତାକୁ ପ୍ରତ୍ୟକ୍ଷ କରିଥାଏ, ସେହିପରି ଏବେ ପିତା
ଦ୍ୱାରା ପୁତ୍ର ଅର୍ଥାତ୍ ବାବାଙ୍କ ଦ୍ୱାରା ପିଲାମାନେ ପ୍ରତ୍ୟକ୍ଷ ହେଉଛନ୍ତି । ତେବେ ଏହିଭଳି
ଧାରଣା ବା ଖବର ଯେତେବେଳେ ଚାରିଆଡେ ବ୍ୟାପୀଯିବ ସେତେବେଳେ ପ୍ରତ୍ୟକ୍ଷତାର ପତାକା ଉଡିବାକୁ
ଲାଗିବ । ବୁଝିଲ!
ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ କ’ଣ କରିବାକୁ ହେବ, ବୁଝିଗଲ ନା! ଅନ୍ୟ ଅନ୍ୟ ସ୍ଥାନମାନଙ୍କରେ
ପୁଣି ବି ବାତାବରଣକୁ ଦେଖିବାକୁ ପଡୁଛି କିନ୍ତୁ ବାବାଙ୍କ ଘରେ ଅର୍ଥାତ୍ ନିଜ ଘରେ, ନିଜ ଷ୍ଟେଜରେ
ପ୍ରତ୍ୟକ୍ଷତାର ଶବ୍ଦକୁ ଶକ୍ତିଶାଳୀ କରିପାରିବ ଅର୍ଥାତ୍ ସତ୍ୟ ଜ୍ଞାନକୁ ନିର୍ଭିକ ଭାବରେ
ଶୁଣାଇପାରିବ । ଏହିଭଳି ଭାବରେ ଯଦି ଅଳ୍ପ କେତେ ଜଣ ମଧ୍ୟ ତୁମ କଥାରେ ନିଶ୍ଚୟବୁଦ୍ଧି ହୋଇଯିବେ
ତେବେ ସେହିମାନେ ହିଁ ଅନ୍ୟମାନଙ୍କୁ ଦୃଢତା ପୂର୍ବକ ଶୁଣାଇବେ । ତେବେ ଏବେ ପର୍ଯ୍ୟନ୍ତ ସେବାର
ଫଳାଫଳ କ’ଣ ମିଳିଛି ? ସ୍ନେହ ଏବଂ ସମ୍ପର୍କ ଥିବା କାରଣରୁ ନିଜେ ଏପର୍ଯ୍ୟନ୍ତ ଆସୁଛନ୍ତି କାରଣ
ଅନ୍ୟମାନଙ୍କୁ ମଧ୍ୟ ତୁମମାନଙ୍କ ସହିତ ସ୍ନେହ ସମ୍ପର୍କରେ ଆଣୁଛନ୍ତି, ଏତିକି ସେବା କରୁଛନ୍ତି ।
ନିଜେ ଯେତିକି ହୋଇଛନ୍ତି ସେତିକି ସେବା କରୁଛନ୍ତି । ଏହାକୁ ମଧ୍ୟ ସଫଳତା କୁହାଯିବ ନା, କିନ୍ତୁ
ଏବେ ଆହୁରି ଆଗକୁ ବଢନ୍ତୁ । ଏବେ ତୁମର ନାମର ବଦନାମୀ ସମାପ୍ତ ହୋଇଯାଇଛି । ତେଣୁ ଆସିବାକୁ
ଚାହୁଁଛନ୍ତି କିନ୍ତୁ ପୂର୍ବରୁ ଭୟ କରୁଥିଲେ । ଏତିକି ତ ଫରକ ଆସିଛି ନା । ପୂର୍ବରୁ ତୁମର ନାମ
ଶୁଣିବାକୁ ଚାହୁଁନଥିଲେ, ଏବେ ନାମ ଶୁଣାଇବା ପାଇଁ ଇଚ୍ଛା କରୁଛନ୍ତି । ଏତିକି ସଫଳତା ୫୦ବର୍ଷରେ
ପ୍ରାପ୍ତ କରିଛ । କାରଣ ଧରଣୀ ପ୍ରସ୍ତୁତ କରିବା ପାଇଁ ହିଁ ସମୟ ଲାଗିଥାଏ ତେଣୁ ଏପରି ଭାବ ନାହିଁ
ଯେ ୫୦ ବର୍ଷ ତ ଏହିଥିରେ ଲାଗିଗଲା ପୁଣି ଆଗକୁ କ’ଣ ହେବ! ପ୍ରଥମେ ଧରଣୀକୁ ହଳ ହେବା ଯୋଗ୍ୟ କରିବା
ପାଇଁ ମଧ୍ୟ ସମୟ ଲାଗିଥାଏ କିନ୍ତୁ ସେଥିରେ ମଞ୍ଜି ବୁଣିବା ପାଇଁ ସମୟ ଲାଗେ ନାହିଁ । ଶକ୍ତିଶାଳୀ
ବୀଜରୁ ଫଳ ମଧ୍ୟ ଶକ୍ତିଶାଳୀ ମିଳିଥାଏ, ତେବେ ଏବେ ପର୍ଯ୍ୟନ୍ତ ଯାହାସବୁ ହୋଇଛି ତାହା ହିଁ ହେବାର
ଥିଲା ଏବଂ ତାହା ହିଁ ଯଥାର୍ଥ ଅଟେ । ବୁଝିଲ! (ବିଦେଶୀ ପିଲାମାନଙ୍କୁ ଦେଖି) ଏମାନେ ଭଲ ଚାତ୍ରକ
ଅଟନ୍ତି । ବ୍ରହ୍ମାବାବା ବହୁତ ସମୟର ଆବାହନ ପରେ ତୁମମାନଙ୍କୁ ଜନ୍ମ ଦେଇଛନ୍ତି । ତେଣୁ ବିଶେଷ
ଆବାହନ ଦ୍ୱାରା ଜନ୍ମ ହୋଇଛ । ନିଶ୍ଚିତ ଭାବରେ ଡେରି କରିଛ କିନ୍ତୁ ହୃଷ୍ଟପୃଷ୍ଟ ହୋଇ ଜନ୍ମ ନେଇଛ
। ବ୍ରହ୍ମାବାବାଙ୍କର ଡାକରା ତୁମ ନିକଟରେ ପହଞ୍ଚୁଥିଲା କିନ୍ତୁ ଯେତେବେଳେ ସମୟ ଆସିଲା ସେତେବେଳେ
ଏଠାକୁ ଆସିଲ । ସେଥିପାଇଁ ବ୍ରହ୍ମାବାବା ବିଶେଷ ଭାବରେ ଖୁସି ହେଉଛନ୍ତି । ତେବେ ପିତା ଖୁସି ହେଲେ
ସନ୍ତାନମାନେ ତ ନିଶ୍ଚିତ ଖୁସି ହେବେ କିନ୍ତୁ ବ୍ରହ୍ମାବାବାଙ୍କର ବିଶେଷ ସ୍ନେହ ଥିବା କାରଣରୁ
ଅଧିକାଂଶ ସନ୍ତାନ ବ୍ରହ୍ମାବାବାଙ୍କୁ ନ ଦେଖିଥିଲେ ମଧ୍ୟ ଏପରି ଅନୁଭବ କରୁଛ ଯେପରି ପୂର୍ବରୁ
ଦେଖିଛ । ଚିତ୍ରରେ ମଧ୍ୟ ଚୈତନ୍ୟତାର ଅନୁଭବ କରୁଛ । ଏହା ହିଁ ବିଶେଷତା ଅଟେ ।
ବ୍ରହ୍ମାବାବାଙ୍କର ବିଶେଷ ସହଯୋଗ ତୁମମାନଙ୍କ ପ୍ରତି ରହିଛି । ଏଥିରେ ଭାରତବାସୀ ପିଲାମାନେ
ପ୍ରଶ୍ନ କରିପାରନ୍ତି କେବଳ ବ୍ରହ୍ମାବାବା କାହିଁକି ବା କେବଳ ସେହିମାନଙ୍କ ପ୍ରତି ଅଧିକ କାହିଁକି....
କିନ୍ତୁ ବିଦେଶୀ ପିଲାମାନେ ଆସିବା ମାତ୍ରକେ ବ୍ରହ୍ମାବାବାଙ୍କର ଆକର୍ଷଣ ଦ୍ୱାରା ସ୍ନେହର ସୂତ୍ରରେ
ବାନ୍ଧି ହୋଇ ଯାଆନ୍ତି । ତେଣୁ ସେମାନଙ୍କ ପାଇଁ ଏହା ବିଶେଷ ସହଯୋଗର ବରଦାନ ମିଳିଛି ସେଥିପାଇଁ ନ
ଦେଖିଥିଲେ ମଧ୍ୟ ଅଧିକ ପାଳନାର ଅନୁଭବ କରୁଛ ହୃଦୟର ସହିତ କହୁଛ ବ୍ରହ୍ମାବାବା । ତେଣୁ ଏହିଭଳି
ସୂକ୍ଷ୍ମ ସ୍ନେହର ସମ୍ପର୍କ ରହିଛି । ଏମିତି ନୁହେଁ ଯେ ବ୍ରହ୍ମାବାବା ଭାବୁଛନ୍ତି ଯେ ଏମାନେ ମୋ
ପରେ କାହିଁକି ଆସିଲେ! ନା ତୁମେମାନେ ଏପରି ଭାବୁଛ, ନା ବ୍ରହ୍ମାବାବା ଏପରି ଭାବୁଛନ୍ତି । କାରଣ
ସମ୍ମୁଖରେ ହିଁ ଅନୁଭବ କରୁଛ । ଆକାରୀ ଫରିସ୍ତା ରୂପରେ ମଧ୍ୟ ସାକାର ଭଳି ପାଳନା ଦେଉଛନ୍ତି ।
ଏହିଭଳି ଅନୁଭବ କରୁଛ ନା! ଏତେ କମ ସମୟ ମଧ୍ୟରେ କେତେ ଭଲ ଭଲ ଟୀଚରମାନେ ପ୍ରସ୍ତୁତ ହୋଇଗଲେଣି!
ଏବେ ବିଦେଶ ସେବାକୁ କେତେ ବର୍ଷ ହେଲା ? କେତେ ଟୀଚର୍ସ ବାହାରି ଗଲେଣି ? ବହୁତ ଭଲ; ବାପଦାଦା
ପିଲାମାନଙ୍କର ସେବାର ଲଗନକୁ ଦେଖୁଛନ୍ତି କାହିଁକି ନା ବିଶେଷ ସୂକ୍ଷ୍ମ ପାଳନା ମିଳୁଛି ନା! ଯେପରି
ବ୍ରହ୍ମାବାବାଙ୍କର ବିଶେଷ ସଂସ୍କାର କ’ଣ ଦେଖୁଥିଲ! ସେବା ନକରି ରହିପାରୁଥିଲେ ? ତେଣୁ ବିଦେଶରେ
ଅର୍ଥାତ୍ ଦୂରରେ ରହୁଥିବା ପିଲାମାନଙ୍କୁ ଏହିଭଳି ବିଶେଷ ପାଳନାର ସହଯୋଗ ମିଳୁଥିବା କାରଣରୁ
ତାଙ୍କ ଭିତରେ ସେବା କରିବାର ଉମଙ୍ଗ ଉତ୍ସାହ ଅଧିକ ରହିଛି ।
ତେବେ ସୁବର୍ଣ୍ଣ ଜୟନ୍ତୀ ଅର୍ଥାତ୍ ଗୋଲ୍ଡେନ୍ ଜୁବଲୀ ଅବସରରେ ଆଉ କ’ଣ ସବୁ କରିଛ ? ନିଜେ ମଧ୍ୟ
ଗୋଲଡେନ୍ ଏବଂ ଜୁବଲୀ ମଧ୍ୟ ଗୋଲଡେନ୍ । ବହୁତ ଭଲ, ସନ୍ତୁଳନ ରଖିବାର ଧ୍ୟାନ ନିଶ୍ଚିତ ଦେବାକୁ
ହେବ । ନିଜର ଏବଂ ସେବାର ଅର୍ଥାତ୍ ସ୍ୱଉନ୍ନତି ଏବଂ ସେବାର ଉନ୍ନତି । ଏଥିରେ ସନ୍ତୁଳନ ରଖିବା
ଦ୍ୱାରା ନିଜ ସହିତ ଅନେକ ଆତ୍ମାଙ୍କୁ ବାବାଙ୍କର ଆଶୀର୍ବାଦ ଦେବାରେ ନିମିତ୍ତ ହୋଇଯିବ । ବୁଝିଲ!
ସେବାର ଯୋଜନା କରିବା ପୂର୍ବରୁ ପ୍ରଥମେ ସ୍ୱସ୍ଥିତିର ଧ୍ୟାନ ରଖ ତେବେ ଯାଇ ସେବାର ଯୋଜନାରେ ଶକ୍ତି
ଭରିବ । ଯୋଜନାକୁ ବୀଜ କୁହାଯାଉଛି, ଯଦି ବୀଜରେ ହିଁ ଶକ୍ତି ନଥିବ ତେବେ ଯେତେ ବି ମେହନତ କର
ସେଥିରୁ ଶ୍ରେଷ୍ଠ ଫଳ ମିଳିପାରିବ ନାହିଁ, ସେଥିପାଇଁ ସେବାର ଯୋଜନା କରିବା ସହିତ ସେଥିରେ
ସ୍ୱସ୍ଥିତିର ଶକ୍ତି ନିଶ୍ଚିତ ଭାବରେ ଭରିଚାଲ । ବୁଝିଲ! ଆଚ୍ଛା!
ଏହିଭଳି ସତ୍ୟତାକୁ ପ୍ରତ୍ୟକ୍ଷ କରୁଥିବା, ସର୍ବଦା ସତ୍ୟତା ଏବଂ ନିର୍ମାଣତାର ସନ୍ତୁଳନ ରଖୁଥିବା,
ନିଜର ପ୍ରତ୍ୟେକ ବାଣୀ ଦ୍ୱାରା ଏକମାତ୍ର ପିତାଙ୍କର ପ୍ରକୃତ ପରିଚୟକୁ ପ୍ରମାଣିତ କରୁଥିବା,
ସର୍ବଦା ସ୍ୱଉନ୍ନତି ଦ୍ୱାରା ସଫଳତାକୁ ପ୍ରାପ୍ତ କରୁଥିବା, ସେବାରେ ପ୍ରତ୍ୟକ୍ଷତାର ପତାକା
ଉଡାଉଥିବା, ସତଗୁରୁଙ୍କର ତଥା ସତ୍ ପିତାଙ୍କର ସତ୍ ସନ୍ତାନମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ
ନମସ୍ତେ ।
ବିଦାୟ ସମୟରେ ଦାଦୀଜୀ
ଭୋପାଳ ଯିବା ପାଇଁ ଅନୁମତି ନେଉଛନ୍ତି :-
ଯିବାରେ ମଧ୍ୟ ସେବା
ହେଉଛି, ରହିବାରେ ମଧ୍ୟ ସେବା ହେଉଛି । ସେବାରେ ନିମିତ୍ତ ହୋଇଥିବା ପିଲାମାନଙ୍କର ପ୍ରତ୍ୟେକ
ସଂକଳ୍ପରେ, ପ୍ରତି ମୁହୂର୍ତ୍ତରେ ସେବା ହେଉଛି । ତୁମକୁ ଦେଖି ଯେତିକି ଉମଙ୍ଗ-ଉତ୍ସାହ ବଢିବ
ସେତିକି ବାବାଙ୍କୁ ମନେ ପକାଇବେ, ସେବାରେ ମଧ୍ୟ ଆଗକୁ ବଢିବେ ସେଥିପାଇଁ ସଫଳତା ତୁମ ସହିତ
ସଦାସର୍ବଦା ସାଥୀରେ ଅଛି । ବାବାଙ୍କୁ ମଧ୍ୟ ସାଥୀରେ ନେଇ ଯାଉଛ ଏବଂ ସଫଳତାକୁ ମଧ୍ୟ ସାଥୀରେ
ନେଇଯାଉଛ । ଯେଉଁ ସ୍ଥାନକୁ ବି ଯିବ ସେଠାରେ ସଫଳତା ମିଳିବ । (ମୋହିନୀ ଭଉଣୀଙ୍କୁ) ସେବାର
ପରିକ୍ରମା କରିବା ପାଇଁ ଯାଉଛ । ପରିକ୍ରମା କରିବାକୁ ଯିବା ଅର୍ଥାତ୍ ଅନେକ ଆତ୍ମାଙ୍କୁ
ସ୍ୱଉନ୍ନତିର ସହଯୋଗ ଦେବା । ତା’ ସହିତ ଯଦି ମଞ୍ଚ ଉପରକୁ ଯିବାର ସୁଯୋଗ ମିଳୁଛି ତେବେ କିଛି ନା
କିଛି ନୂଆ ଭାଷଣ କରି ଆସିବ । ପ୍ରଥମେ ତୁମେ ଆରମ୍ଭ କରିଦେବ ତେବେ ନମ୍ବରୱାନ ହୋଇଯିବ । ଯେଉଁଆଡେ
ବି ଯିବ, ସମସ୍ତେ କ’ଣ କହିବେ! ବାପଦାଦାଙ୍କର ୟାଦପ୍ୟାର ସାଥୀରେ ଆଣିଛ ? ତେଣୁ ବାପଦାଦା ଯେପରି
ସ୍ନେହର, ସହଯୋଗର ଶକ୍ତି ଦେଉଛନ୍ତି ସେହିପରି ତୁମେ ମଧ୍ୟ ବାବାଙ୍କଠାରୁ ନେଇଥିବା ସ୍ନେହ ଏବଂ
ସହଯୋଗର ଶକ୍ତି ଦେଇଚାଲ । ସମସ୍ତଙ୍କୁ ଉମଙ୍ଗ ଉତ୍ସାହରେ ଉଡାଇବା ପାଇଁ କୌଣସି ନା କୌଣସି କଥା
ଔଷଧ ରୂପରେ ଶୁଣାଇ ଦିଅ ତେବେ ସମସ୍ତେ ଖୁସିରେ ନାଚିବାକୁ ଲାଗିବେ । ଆତ୍ମିକ ଭାବର ଖୁସିରେ
ସମସ୍ତଙ୍କୁ ନଚାଇବା ଏବଂ ମନୋରଞ୍ଜନ ରୀତିରେ ଖୁସି ଖୁସିରେ ପୁରୁଷାର୍ଥରେ ଆଗକୁ ବଢିବା ସମସ୍ତଙ୍କୁ
ଶିଖାଇଦେବ । ଆଚ୍ଛା!
ରଦାନ:-
ନିଜର ଚକ୍ରକୁ
ଅର୍ଥାତ୍ ପାର୍ଟକୁ ଜାଣି ଜ୍ଞାନୀ ଆତ୍ମା ହୋଇ ପ୍ରଭୁଙ୍କର ପ୍ରିୟ ହୁଅ ।
ଆତ୍ମାର ଏହି ସୃଷ୍ଟିଚକ୍ରରେ କ’ଣ କ’ଣ ପାର୍ଟ ରହିଛି, ତାହାକୁ ଜାଣିବା ଅର୍ଥାତ୍ ସ୍ୱଦର୍ଶନ
ଚକ୍ରଧାରୀ ହେବା । ସମ୍ପୂର୍ଣ୍ଣ ଚକ୍ରର ଜ୍ଞାନକୁ ବୁଦ୍ଧିରେ ଯଥାର୍ଥ ଭାବରେ ଧାରଣ କରିବା ହିଁ
ସ୍ୱଦର୍ଶନ ଚକ୍ର ଚଲାଇବା, ତେବେ ସ୍ୱ-ର ଚକ୍ରକୁ ଜାଣିବା ଅର୍ଥାତ୍ ଜ୍ଞାନୀ ଆତ୍ମା ହେବା । ଏହିଭଳି
ଜ୍ଞାନୀ ଆତ୍ମା ହିଁ ପ୍ରଭୁଙ୍କର ପ୍ରିୟ ଅଟନ୍ତି, ସେମାନଙ୍କ ସମ୍ମୁଖରେ ମାୟା ତିଷ୍ଠିପାରିନଥାଏ
ଏବଂ ଏହି ସ୍ୱଦର୍ଶନ ଚକ୍ର ହିଁ ଭବିଷ୍ୟତରେ ଚକ୍ରବର୍ତ୍ତୀ ରାଜା କରିଦେଇଥାଏ ।
ସ୍ଲୋଗାନ:-
ଯଦି ପ୍ରତ୍ୟେକ
ସନ୍ତାନ ବାବାଙ୍କର ପ୍ରତ୍ୟକ୍ଷ ପ୍ରମାଣ ହୋଇ ଯିବେ ତେବେ ଶୀଘ୍ର ଶୀଘ୍ର ପ୍ରଜା ତିଆରି ହୋଇଯିବେ ।