26.07.20    Avyakt Bapdada     Odia Murli     27.02.86     Om Shanti     Madhuban


କଳ୍ପ କଳ୍ପର ବିଜୟୀ ଆତ୍ମିକ ସେନା


ସମସ୍ତ ଆତ୍ମିକ ଶକ୍ତିସେନା ଏବଂ ପାଣ୍ଡବ ସେନା ସର୍ବଦା ବିଜୟର ନିଶ୍ଚୟ ଏବଂ ନିଶାରେ ରହୁଛ ନା । ଅନ୍ୟ କୌଣସି ବି ସେନା ଯେତେବେଳେ କାହା ସହିତ ଲଢେଇ କରିଥାନ୍ତି ସେତେବେଳେ ବିଜୟର କୌଣସି ଗ୍ୟାରେଣ୍ଟି ନଥାଏ । ସେମାନଙ୍କ ଭିତରେ ନିଶ୍ଚୟ ନଥାଏ ଯେ ଆମର ବିଜୟ ସୁନିଶ୍ଚିତ ଅଟେ । କିନ୍ତୁ ତୁମେ ଆତ୍ମିକ ସେନା ବା ଶକ୍ତିସେନା ସର୍ବଦା ଏହି ନିଶ୍ଚୟର ନିଶାରେ ରହୁଛ ଯେ ଆମେ କେବଳ ବର୍ତ୍ତମାନର ବିଜୟୀ ନୁହେଁ କିନ୍ତୁ କଳ୍ପ କଳ୍ପର ବିଜୟୀ । ନିଜର କଳ୍ପ ପୂର୍ବର ବିଜୟର କାହାଣୀ ମଧ୍ୟ ଭକ୍ତିମାର୍ଗରେ ଶୁଣୁଛ । ପାଣ୍ଡବମାନଙ୍କର ବିଜୟର ସ୍ମାରକୀର କାହାଣୀ ଏବେ ମଧ୍ୟ ଶୁଣୁଛ ନା । ନିଜର ବିଜୟର ଚିତ୍ର ଏବେ ବି ଦେଖୁଛ । ଭକ୍ତିମାର୍ଗରେ ଏହାକୁ ଅହିଂସକ ପରିବର୍ତ୍ତେ ହିଂସକ ରୂପରେ ଦେଖାଇ ଦେଇଛନ୍ତି ଏବଂ ଆତ୍ମିକ ସେନାକୁ ଶାରୀରିକ ବା ଲୌକିକ ସାଧାରଣ ସେନା ରୂପରେ ଦେଖାଇ ଦେଇଛନ୍ତି । ତେବେ ନିଜର ବିଜୟର ଗାୟନ ଏବେ ମଧ୍ୟ ଭକ୍ତମାନଙ୍କ ଦ୍ୱାରା ଶୁଣି ହର୍ଷିତ ହେଉଛ । ଏକଥା ମଧ୍ୟ ଗାୟନ ମଧ୍ୟ ହେଉଛି - ପ୍ରଭୁଙ୍କ ସହିତ ପ୍ରୀତବୁଦ୍ଧି ଆତ୍ମାଙ୍କର ବିଜୟ । ବିପରୀତ ବୁଦ୍ଧିଙ୍କର ବିନାଶ । ତେବେ ତୁମମାନଙ୍କର କଳ୍ପ ପୂର୍ବର ଗାୟନ କେତେ ପ୍ରସିଦ୍ଧ! ତୁମର ବିଜୟ ନିଶ୍ଚିତ ହୋଇଥିବା କାରଣରୁ ତୁମେମାନେ ନିଶ୍ଚୟବୁଦ୍ଧି ବିଜୟୀ ଅଟ ସେଥିପାଇଁ ତୁମମାନଙ୍କର ସ୍ମାରକୀର ମାଳାକୁ ମଧ୍ୟ ବିଜୟମାଳା କହୁଛନ୍ତି କାରଣ ତୁମ ଭିତରେ ନିଶ୍ଚୟ ଏବଂ ନିଶା ଉଭୟ ରହିଛି ନା । କେହି ବି ତୁମକୁ ପଚାରିଲେ ତୁମେ ନିଶ୍ଚୟର ସହିତ କହିବ ଯେ ବିଜୟ ତ ସୁନିଶ୍ଚିତ ଅଟେ । ସ୍ୱପ୍ନରେ ମଧ୍ୟ ଏହି ସଂକଳ୍ପ ଉଠିପାରିବ ନାହିଁ ଯେ କିଏ ଜାଣେ ବିଜୟ ହେବ କି ନାହିଁ । ନା, ବିଜୟ ତ ହୋଇସାରିଛି । ପୂର୍ବ କଳ୍ପକୁ ମଧ୍ୟ ଜାଣିଛ ଏବଂ ଭବିଷ୍ୟତକୁ ମଧ୍ୟ ଜାଣିଛ । ତ୍ରିକାଳଦର୍ଶୀ ହୋଇ ସେହି ନିଶାରେ ରହି କହୁଛ । ଏଥିରେ ସମସ୍ତେ ପକ୍କା ଅଟ ନା । ଯଦି କେହି ତୁମକୁ କହିବ - ଟିକିଏ ଚିନ୍ତା କର, ଦେଖ, ତେବେ ତୁମେ କଣ କହିବ ? ଅନେକ ଥର ଦେଖି ସାରିଛୁ । ଯଦି କିଛି ନୂଆ କଥା ହୋଇଥାନ୍ତା ତେବେ ଭାବିଥାନ୍ତୁ ବା ଦେଖିଥାନ୍ତୁ । ଏହା ତ ଅନେକ ଥର ହୋଇସାରିଥିବା କଥା ଏବେ କେବଳ ପୁନରାବୃତ୍ତି କରୁଛୁ । ତେବେ ଏହିଭଳି ନିଶ୍ଚୟବୁଦ୍ଧି ଜ୍ଞାନୀ ତୁ ଆତ୍ମା ବା ଯୋଗୀ ତୁ ଆତ୍ମା ଅଟ ନା!

ଆଜି ଆଫ୍ରିକା ଗ୍ରୃପର ପାଳି ଅଛି । ଏମିତି ତ ସମସ୍ତେ ଏବେ ମଧୁବନ ନିବାସୀ ଅଟ । ସ୍ଥାୟୀ ଠିକଣା ତ ମଧୁବନ ଅଟେ ନା । ତାହା ତ ତୁମର ସେବାସ୍ଥାନ ଅଟେ । ତେଣୁ ସେବା ସ୍ଥାନକୁ ଅଫିସ କୁହାଯିବ, କିନ୍ତୁ ଘର ତ ମଧୁବନ ଅଟେ ନା । ସେବା କରିବା ପାଇଁ ଆଫ୍ରିକା, ୟୁ.କେ. ପ୍ରଭୃତି ଚାରିଆଡକୁ ଯାଇଛ । ଚାହେଁ ଧର୍ମ ପରିବର୍ତ୍ତନ କରିଛ, ଚାହେଁ ଦେଶ ପରିବର୍ତ୍ତନ କରିଛ କିନ୍ତୁ ସେବା କରିବା ପାଇଁ ହିଁ ଯାଇଛ । ତେବେ କେଉଁ ଘର ଅଧିକ ମନେ ପଡୁଛି । ମଧୁବନ ନା ପରମଧାମ । ସେବାସ୍ଥାନରେ ସେବା କରୁଥିଲେ ମଧ୍ୟ ମଧୁବନ ଏବଂ ମୁରଲୀ ଏହା ହିଁ ସ୍ମୃତିରେ ରହୁଛି ନା । ଆଫ୍ରିକାକୁ ମଧ୍ୟ ସେବା ଅର୍ଥେ ଯାଇଛ ନା । ସେବା ହିଁ ତୁମକୁ ଜ୍ଞାନ ଗଙ୍ଗା କରିଦେଇଛି । ତୁମଭଳି ଜ୍ଞାନ ଗଙ୍ଗାମାନଙ୍କରେ ଜ୍ଞାନ ସ୍ନାନ କରି ଆଜି କେତେ ଆତ୍ମା ପବିତ୍ର ହୋଇଯାଇଛନ୍ତି! ପିଲାମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ସେବା କରୁଥିବାର ଦେଖି ବାପଦାଦା ଭାବୁଛନ୍ତି ଯେ କିପରି କିପରି ସ୍ଥାନରେ ସେବା କରିବା ପାଇଁ କେତେ ନିର୍ଭୟ ହୋଇ ବଡ ଲଗନର ସହିତ ରହିଛନ୍ତି । ଆଫ୍ରିକୀୟ ଲୋକମାନଙ୍କର ବାତାବରଣ, ସେମାନଙ୍କର ଖାଦ୍ୟ-ପେୟ, ଆଚାର-ବ୍ୟବହାର କିପରି ଅଟେ, ପୁଣି ବି ସେବା କରିବା ପାଇଁ ସେଠାରେ ରହିଛ । ସେବାର ବଳ ମଧ୍ୟ ମିଳିବାରେ ଲାଗିଛି । ସେବାର ପ୍ରତ୍ୟକ୍ଷ ଫଳ ମିଳିଯାଉଛି, ସେହି ବଳ ହିଁ ତୁମକୁ ନିର୍ଭୟ କରିଦେଉଛି । କେତେବେଳେ ବିଚଳିତ ହୋଇଯାଉନାହଁ ତ! ଏବଂ ବିଧିପୂର୍ବକ ନିମନ୍ତ୍ରଣ ତ ପ୍ରଥମେ ଏହିଠାରୁ ହିଁ ମିଳିଥିଲା । ବିଦେଶ ସେବାର ନିମନ୍ତ୍ରଣ ମିଳିବା କାରଣରୁ ଏହିଭଳି ଦେଶମାନଙ୍କରେ ପହଞ୍ଚିଗଲ । ନିମନ୍ତ୍ରଣ ଆଧାରରେ ସେବା କରିବାର ମୂଳଦୁଆ ପ୍ରଥମେ ଏହିଠାରୁ ହିଁ ପଡିଥିଲା । ସେବାର ଉମଙ୍ଗ-ଉତ୍ସାହର ପ୍ରତ୍ୟକ୍ଷ ଫଳ ଏଠିକାର (ଆଫ୍ରିକାର) ପିଲାମାନେ ହିଁ ଦେଖାଇଛନ୍ତି । ଏହାର ନିମିତ୍ତ ହୋଇଥିବା ସେହି ଜଣଙ୍କର ହିଁ ସବୁ ମହାନତା ଯାହାକି କେତେ ଭଲ ଭଲ ଲୁଚି ରହିଥିବା ରତ୍ନ ବାହାରି ପଡିଲେ । ଏବେ ତ ବହୁତ ବୃଦ୍ଧି ହୋଇଗଲାଣି । ଏବେ ସେହି ଆତ୍ମା ଲୁଚିଗଲା ଏବଂ ତୁମେମାନେ ପ୍ରତ୍ୟକ୍ଷ ହୋଇଗଲ । ନିମନ୍ତ୍ରଣ କାରଣରୁ ହିଁ ତାର ନମ୍ବର ଆଗରେ ରହିଗଲା । ତେଣୁ ଆଫ୍ରିକାର ପିଲାମାନଙ୍କୁ ବାପଦାଦା ଆଫ୍ରିନ୍ ଅର୍ଥାତ୍ ଅଭିନନ୍ଦନ ପାଇବାର ଯୋଗ୍ୟ ବୋଲି କହୁଛନ୍ତି ଏବଂ ଆଫ୍ରିକାକୁ ଅଭିନନ୍ଦନ ପାଇବାର ସ୍ଥାନ ମଧ୍ୟ କହୁଛନ୍ତି କାରଣ ସେଠିକାର ବାତାବରଣ ଅଶୁଦ୍ଧ ଅଟେ ଏବଂ ସେହି ଅଶୁଦ୍ଧ ବାତାବରଣ ଭିତରେ ବି ବୃଦ୍ଧି ହୋଇ ଚାଲିଛି ସେଥିପାଇଁ ଅଭିନନ୍ଦନର ଯୋଗ୍ୟ କହୁଛନ୍ତି ।

ତେବେ ଶକ୍ତିସେନା ଏବଂ ପାଣ୍ଡବସେନା ଉଭୟ ଶକ୍ତିଶାଳୀ ଅଟନ୍ତି, ଏମାନଙ୍କ ଭିତରେ ଅଧିକାଂଶ ଭାରତୀୟ ମଧ୍ୟ ଅଛନ୍ତି । କିନ୍ତୁ ଭାରତରୁ ଦୂରେଇ ଯାଇଛନ୍ତି, ହେଲେ ବି ନିଜର ଅଧିକାରକୁ ତ ଛାଡିପାରିବେ ନାହିଁ । ସେଠାରେ ମଧ୍ୟ ବାବାଙ୍କର ପରିଚୟ ମିଳିଗଲା । ବାବାଙ୍କର ହୋଇଗଲେ । ନୈରୋବୀ (ଏକ ଆଫ୍ରିକୀୟ ଦେଶ)ରେ ତ କୌଣସି ପରିଶ୍ରମ କରିବାକୁ ପଡି ନାହିଁ । ସହଜରେ ବିଛୁଡିଯାଇଥିବା ଆତ୍ମାମାନେ ଆସି ପହଞ୍ଚିଗଲେ ଯେଉଁମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଗୁଜରାଟୀ ଏବଂ ଗୁଜୁରାଟୀ ମାନଙ୍କର ଏହା ମଧ୍ୟ ଏକ ବିଶେଷ ସଂସ୍କାର । ଯେପରି ସେମାନଙ୍କର ପ୍ରଥା ରହିଛି - ସମସ୍ତେ ମିଶି ଗର୍ବା ରାସ କରିଥାନ୍ତି, ଏକା ଏକା କରନ୍ତି ନାହିଁ । ଛୋଟ ହୋଇଥାଉ ବା ମୋଟା ହୋଇଥାଉ, ସମସ୍ତେ ମିଶି ଗର୍ବା ରାସ ନିଶ୍ଚିତ କରିବେ । ଏହା ସେମାନଙ୍କର ସଂଗଠନର ପ୍ରତୀକ । ସେବାରେ ମଧ୍ୟ ଦେଖାଯାଇଛି ଯଦି ଗୁଜୁରାଟ ସଂଗଠନର କେହି ଜଣେ ହିଁ ଆସନ୍ତି ତେବେ ୧୦ ଜଣଙ୍କୁ ନିଶ୍ଚିତ ନେଇ ଆସିବେ । ସେମାନଙ୍କ ଭିତରେ ଏହିଭଳି ସଂଗଠନରେ ରହିବାର ଚଳଣୀ ମଧ୍ୟ ବହୁତ ଭଲ ସେଥିପାଇଁ ଶୀଘ୍ର ଶୀଘ୍ର ବୃଦ୍ଧି ହୋଇ ଚାଲିଛି । ସେବାର ବୃଦ୍ଧି ଏବଂ ବିସ୍ତାର ମଧ୍ୟ ହେଉଛି । ଏହିଭଳି ସ୍ଥାନମାନଙ୍କରେ ଶାନ୍ତିର ଶକ୍ତି ଦେବା, ଭୟ ପରିବର୍ତ୍ତେ ଖୁସିର ଅନୁଭବ କରାଇବା ହିଁ ଶ୍ରେଷ୍ଠ ସେବା । ଏହିଭଳି ସ୍ଥାନରେ ସେବାର ଆବଶ୍ୟକତା ରହିଛି । ଯେହେତୁ ତୁମେମାନେ ବିଶ୍ୱ କଲ୍ୟାଣକାରୀ ଅଟ ତେଣୁ ବିଶ୍ୱର ସବୁ ସ୍ଥାନରେ ସେବା ନିଶ୍ଚିତ ବୃଦ୍ଧି ପାଇବ ଏବଂ ତୁମମାନଙ୍କୁ ନିମିତ୍ତ ହେବା ପାଇଁ ହିଁ ପଡିବ । ଯଦି କୌଣସି କୋଣ ବି ବାକି ରହିଯିବ ତେବେ ସେମାନେ ଅଭିଯୋଗ କରିବେ । ତେବେ ବହୁତ ଭଲ ସେବା ମଧ୍ୟ କରୁଛ କାରଣ ପିଲାମାନଙ୍କର ସାହସ ଆଧାରରେ ବାବା ସହଯୋଗ ଦେବା ପାଇଁ ବନ୍ଧାୟମାନ ଅଟନ୍ତି । ସହଯୋଗୀ ସେବାଧାରୀମାନେ ମଧ୍ୟ ସେହିଠାରୁ ବାହାରୁଛନ୍ତି ଏବଂ ସେବା କରୁଛନ୍ତି । ଏହା ମଧ୍ୟ ଏକ ସହଯୋଗ ହେଲା ନା । ନିଜେ ବି ଜାଗି ଉଠିଛ - ଏହା ବି ବହୁତ ଭଲ କଥା କିନ୍ତୁ ନିଜେ ଜାଗି ଅନ୍ୟମାନଙ୍କୁ ଜଗାଇବାରେ ମଧ୍ୟ ନିମିତ୍ତ ହେଉଛ, ଏହା ତ ଡବଲ ଫାଇଦା ହେଲେ ନା । ଅଧିକରୁ ଅଧିକ ସହଯୋଗୀ ସେବାସାଥୀମାନେ ତ ସେଠିକାର ହିଁ ଅଟନ୍ତି । ଏହି ବିଶେଷତା ମଧ୍ୟ ବହୁତ ଭଲ । ବିଦେଶ ସେବାରେ ପ୍ରାୟ ଅଧିକାଂଶ ସେବାଧାରୀ ସେହିଠାରୁ ବାହାରି ସେହିଠାରେ ହିଁ ସେବାର ନିମିତ୍ତ ହୋଇଯାଉଛନ୍ତି । ବିଦେଶ ଭାରତକୁ କୌଣସି ସେବାଧାରୀ ଦେଇ ନାହିଁ କିନ୍ତୁ ଭାରତ ବିଦେଶକୁ ଦେଇଛି । ଭାରତ ମଧ୍ୟ ବହୁତ ବଡ । ଏଠାରେ ମଧ୍ୟ ଅଲଗା ଅଲଗା ଜୋନ୍ ବା କ୍ଷେତ୍ର ରହିଛି । ସ୍ୱର୍ଗ ତ ଭାରତକୁ ହିଁ ହେବାର ଅଛି । ବିଦେଶ ତ ପିକ୍ନିକ୍ କରିବାର ସ୍ଥାନ ହୋଇଯିବ । ତେଣୁ ସମସ୍ତେ ଏଭରରେଡି ଅର୍ଥାତ୍ ସଦାପ୍ରସ୍ତୁତ ଅଟ ନା! ଆଜି ଯଦି କାହାକୁ କେଉଁ ଆଡକୁ ପଠାଯିବ ତେବେ ପ୍ରସ୍ତୁତ ଅଛ ନା! ଯେତେବେଳେ ତୁମେ ସାହସ କରିବ ସେତେବେଳେ ସାହାଯ୍ୟ ମଧ୍ୟ ମିଳିବ । ସେଥିପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ କାରଣ ଆଗକୁ ଯେତେବେଳେ ସେହିଭଳି ସମୟ ଆସିବ ସେତେବେଳେ ଏହିଭଳି ଆଦେଶ ତ ଦେବାକୁ ହିଁ ହେବ । ବାବାଙ୍କ ଦ୍ୱାରା ଆଦେଶ ତ ନିଶ୍ଚିତ ମିଳିବ । କେବେ ଆଦେଶ ଦିଆଯିବ ସେହି ତାରିଖ ପୂର୍ବରୁ କୁହାଯିବ ନାହିଁ । ଯଦି ତାରିଖ କହିଦିଆଯିବ ତେବେ ତ ସମସ୍ତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଯିବେ । ଏଠାରେ ତ ଅଚାନକ ଭାବରେ ଗୋଟିଏ ହିଁ ପ୍ରଶ୍ନ ଆସିବ ଯାହାର କୌଣସି ନିର୍ଦ୍ଧାରିତ ତାରିଖ ନଥିବ! ସେଥିପାଇଁ ପ୍ରସ୍ତୁତ ଅଛ ତ! ଯଦି କୁହାଯିବ ଏହିଠାରେ ହିଁ ବସିଯାଅ ତେବେ ପିଲା-ଛୁଆ, ଘର-ସଂସାର ମନେ ପଡିବନି ତ ? ସୁଖର ସାଧନ ଗୁଡିକ ତ ସବୁ ସେଠାରେ ରହିବ କିନ୍ତୁ ସ୍ୱର୍ଗ ଦୁନିଆ ତ ଏହିଠାରେ ହିଁ ତିଆରି ହେବ ନା । ତେଣୁ ସର୍ବଦା ଏଭରରେଡି ରହିବା ହିଁ ବ୍ରାହ୍ମଣ ଜୀବନର ବିଶେଷତା । ତା ସହିତ ନିଜର ବୁଦ୍ଧିର ଲାଇନ୍ କ୍ଲିୟର ଅର୍ଥାତ୍ ସ୍ୱଚ୍ଛ-ନିର୍ମଳ ରହିବା ଦରକାର । ସେବା କରିବା ପାଇଁ ନିମିତ୍ତ ମାତ୍ର ସ୍ଥାନ ବାବା ଦେଇଛନ୍ତି । ତେଣୁ ନିମିତ୍ତ ହୋଇ ସେବାରେ ଉପସ୍ଥିତ ଅଛ । ପୁଣି ଯେତେବେଳେ ବାବାଙ୍କର ଇଙ୍ଗିତ ମିଳୁଛି ସେତେବେଳେ କିଛି ବି ଭାବିବାର ଆବଶ୍ୟକତା ନାହିଁ । ନିର୍ଦ୍ଦେଶ ଅନୁସାରେ ତ ବହୁତ ଭଲ ସେବା ମଧ୍ୟ କରୁଛ, ସେଥିପାଇଁ ସବୁଥିରୁ ନ୍ୟାରା ଏବଂ ବାବାଙ୍କର ପ୍ୟାରା ଅଟ । ଆଫ୍ରିକା ମଧ୍ୟ ବହୁତ ଭଲ ବୃଦ୍ଧି କରିଛି । ଭି.ଆଇ.ପି. ମାନଙ୍କର ସେବା ବହୁତ ଭଲ ହେଉଛି । ସରକାର ସହିତ ମଧ୍ୟ ଭଲ ସମ୍ପର୍କ ଅଛି । ଏହା ମଧ୍ୟ ଏକ ବିଶେଷତା ଯାହାକି ସବୁ ବର୍ଗର ଆତ୍ମାମାନଙ୍କର ସମ୍ପର୍କ କୌଣସି ନା କୌଣସି ସମୟରେ ସରକାରୀ ଲୋକଙ୍କ ନିକଟକୁ ନେଇ ଆସୁଛି । ଆଜି ସମ୍ପର୍କରେ ଅଛନ୍ତି କାଲି ସମ୍ବନ୍ଧକୁ ଆସିଯିବେ । କେବଳ ମଝିରେ ମଝିରେ ସେମାନଙ୍କୁ ଜଣାଇବା ଦରକାର । ନଚେତ୍ ଟିକିଏ ଆଖି ଖୋଲି ଦେଇ ପୁଣି ଶୋଇଯିବେ । କୁମ୍ଭକର୍ଣ୍ଣ ତ ଅଟନ୍ତି ନା । ନିଦର ନିଶା ଥିଲେ କିଛି ବି ଖାଇ ପିଇ ଦେଲାପରେ ପୁଣି ଭୁଲିଯିବେ । କୁମ୍ଭକର୍ଣ୍ଣ ମଧ୍ୟ ଏଭଳି ଯାହାକି କହିବେ ପୁଣି ଆସିବୁ, ଏକଥା କରିବୁ, ସେକଥା କରିବୁ କିନ୍ତୁ ପରେ ଯଦି ପଚାରିବ ତେବେ କହିବେ ମନେ ରହିଲା ନାହିଁ, ସେଥିପାଇଁ ସେମାନଙ୍କୁ ବାରମ୍ବାର ଉଠାଇବାକୁ ପଡିବ । ତେବେ ଗୁଜୁରାଟୀ ପିଲାମାନେ ବାବାଙ୍କର ହେବାରେ, ଶରୀର, ମନ, ଧନ ସହିତ ନିଜକୁ ସେବାରେ ଲଗାଇବାରେ ଭଲ ନମ୍ବର ରଖିଛନ୍ତି । ସେମାନେ ଖୁବ୍ ସହଜରେ ସହଯୋଗୀ ହୋଇ ଯାଆନ୍ତି । ଏହାକୁ ମଧ୍ୟ ଭାଗ୍ୟ କୁହାଯିବ । ଗୁଜୁରାଟୀ ମାନଙ୍କର ସଂଖ୍ୟା ବହୁତ ଭଲ ଅଛି । ବାବାଙ୍କର ହେବାର ଲଟେରୀ ପାଇବା କିଛି କମ୍ କଥା ନୁହେଁ । ସବୁ ସ୍ଥାନରେ କେହି ନା କେହି ବାବାଙ୍କର ବିଛୁଡି ଯାଇଥିବା ସନ୍ତାନ ନିଶ୍ଚିତ ଅଛନ୍ତି । ଯେଉଁଠାରେ ବି ପିଲାମାନେ ପାଦ ପକାଉଛନ୍ତି ସେଠାରୁ କେହି ନା କେହି ବାହାରି ଆସୁଛନ୍ତି । ବେପରୁଆ ହୋଇ, ନିର୍ଭୟ ହୋଇ ସେବାରେ ଲଗନର ସହିତ ଆଗକୁ ବଢି ଚାଲିଛନ୍ତି ତେଣୁ ପଦ୍ମାଗୁଣା ସହଯୋଗ ମଧ୍ୟ ମିଳୁଛି । ବିଧିପୂର୍ବକ ନିମନ୍ତ୍ରଣ ଦେବା ତ ଏହିଠାରୁ ହିଁ ଆରମ୍ଭ ହୋଇଛି । ପୁଣି ବି ସେବାର ଭାଗ୍ୟ ତ ଜମା ହୋଇଛି ନା । ସେହି ଜମା ଖାତା ସମୟ ଅନୁସାରେ ନିଶ୍ଚିତ ପୁଣି ଆକର୍ଷିତ କରିବ । ତେଣୁ ସମସ୍ତେ ନମ୍ବରୱାନ ତୀବ୍ର ପୁରୁଷାର୍ଥୀ ଅଭିନନ୍ଦନ ପାଇବାର ଯୋଗ୍ୟ ଅଟ ନା । ନମ୍ବରୱାନ ସମ୍ବନ୍ଧ ରକ୍ଷା କରୁଥିବା, ନମ୍ବରୱାନ ସେବାରେ ପ୍ରମାଣ ଦେଖାଉଥିବା, ଅର୍ଥାତ୍ ସବୁଥିରେ ନମ୍ବରୱାନ ନିଶ୍ଚିତ ହେବାକୁ ହିଁ ପଡିବ, ତେବେ ଯାଇ ତ ଅଭିନ୍ଦନ୍ଦନ ମିଳିବ ନା । ତେଣୁ ଅଭିନନ୍ଦନ ପରେ ଅଭିନନ୍ଦନ ନେଇଚାଲ । ସମସ୍ତଙ୍କର ସାହାସ ଅର୍ଥାତ୍ ଉମଙ୍ଗ-ଉତ୍ସାହକୁ ଦେଖି ବାପଦାଦା ମଧ୍ୟ ଖୁସି ହେଉଛନ୍ତି । ଅନେକ ଆତ୍ମାଙ୍କୁ ବାବାଙ୍କର ସାହାରା ପ୍ରାପ୍ତ କରାଇବା ପାଇଁ ନିମିତ୍ତ ହୋଇଛ । ବହୁତ ଭଲ ଭଲ ପୂରା ପରିବାର ହିଁ ସେବାରେ ଲାଗିଯାଇଛନ୍ତି । ସମ୍ପୂର୍ଣ୍ଣ ପରିବାରକୁ ବାବା ଫୁଲତୋଡା କହୁଛନ୍ତି । ଏହା ମଧ୍ୟ ଭଲ ବିଶେଷତା । ଏମିତି ତ ସବୁ ସ୍ଥାନ ବ୍ରାହ୍ମଣମାନଙ୍କର ହିଁ ଅଟେ । ଯଦି କେହି ନୈରୋବୀ ଯିବେ ବା କେଉଁଠାକୁ ବି ଯିବେ ତେବେ ବି ଆମ ସେଣ୍ଟର ବୋଲି ତ କହିବେ ବା ବାବାଙ୍କର ସେଣ୍ଟର ବୋଲି କହିବେ । ଆମର ହିଁ ପରିବାର । ତେଣୁ କେତେ ଭାଗ୍ୟବାନ ହୋଇଗଲ! ବାପଦାଦା ପ୍ରତ୍ୟେକ ରତ୍ନକୁ ଦେଖି ଖୁସି ହେଉଛନ୍ତି । ଚାହେଁ ଯେଉଁ ସ୍ଥାନର ହୋଇଥାନ୍ତୁ ନା କାହିଁକି ବାବାଙ୍କର ହିଁ ଅଟନ୍ତି ଏବଂ ବାବା ମଧ୍ୟ ପିଲାମାନଙ୍କର ହିଁ ଅଟନ୍ତି । ସେଥିପାଇଁ ବ୍ରାହ୍ମଣ ଆତ୍ମା ବାବାଙ୍କୁ ଅତିପ୍ରିୟ ଅଟନ୍ତି ଏବଂ ବିଶେଷ ମଧ୍ୟ ଅଟନ୍ତି ଏବଂ ପରସ୍ପର ଠାରୁ ଅଧିକ ପ୍ରିୟ ମଧ୍ୟ ଲାଗୁଛନ୍ତି । ଆଚ୍ଛା!

ବର୍ତ୍ତମାନ ନିଜର ଆତ୍ମିକ ବ୍ୟକ୍ତିତ୍ୱ ଦ୍ୱାରା ସେବା କର (ଅବ୍ୟକ୍ତ ମୁରଲୀରୁ ସଂଗୃହୀତ ମହାବାକ୍ୟ)
(୧) ତୁମ ବ୍ରାହ୍ମଣମାନଙ୍କ ଭଳି ଆତ୍ମିକ ପର୍ସନାଲିଟୀ ଅର୍ଥାତ୍ ବ୍ୟକ୍ତିତ୍ୱ ସାରା କଳ୍ପ ଭିତରେ ଆଉ କାହାର ବି ନାହିଁ କାହିଁକି ନା ତୁମମାନଙ୍କର ବ୍ୟକ୍ତିତ୍ୱକୁ ନିର୍ମାଣ କରିବାବାଲା ଉଚ୍ଚରୁ ଉଚ୍ଚ ସ୍ୱୟଂ ପରମାତ୍ମା ଅଟନ୍ତି । ତୁମମାନଙ୍କର ସବୁଠାରୁ ବଡରୁ ବଡ ବ୍ୟକ୍ତିତ୍ୱ ହେଲା - ସ୍ୱପ୍ନ ବା ସଂକଳ୍ପରେ ମଧ୍ୟ ସମ୍ପୂର୍ଣ୍ଣ ପବିତ୍ରତା । ଏହି ପବିତ୍ରତା ସାଥୀରେ ମୁଖମଣ୍ଡଳରେ ଏବଂ ଚାଲି-ଚଳଣିରେ ଆତ୍ମ-ଅଭିମାନୀ ସ୍ଥିତିର ମଧ୍ୟ ବ୍ୟକ୍ତିତ୍ୱ ରହିଛି । ଯଦି ନିଜର ଏହି ବ୍ୟକ୍ତିତ୍ୱରେ ସଦାସର୍ବଦା ସ୍ଥିତ ରହିବ ତେବେ ସେବା ଆପେ ଆପେ ହୋଇଯିବ । କେହି କେତେ ବି ଦୁଃଖୀ-ଅଶାନ୍ତ ଆତ୍ମା ହୋଇଥାନ୍ତୁ କିନ୍ତୁ ତୁମର ଆତ୍ମିକ ବ୍ୟକ୍ତିତ୍ୱର ଚମକ ଏବଂ ପ୍ରସନ୍ନତାର ଦୃଷ୍ଟି ସେମାନଙ୍କୁ ମଧ୍ୟ ପ୍ରସନ୍ନ କରିଦେବ । ସେମାନେ ତୁମର ଦୃଷ୍ଟି ଦ୍ୱାରା କୃତାର୍ଥ ହୋଇଯିବେ । ବର୍ତ୍ତମାନ ସମୟର ସମୀପତା ଅନୁସାରେ ଦୃଷ୍ଟିଦ୍ୱାରା କୃତାର୍ଥ କରିବାର ସେବା କରିବାର ସମୟ ଅସିଯାଇଛି । ତୁମମାନଙ୍କର ଗୋଟିଏ ଦୃଷ୍ଟିରେ ସେମାନେ ପ୍ରସନ୍ନଚିତ୍ତ ହୋଇଯିବେ, ମନର ସବୁ ଆଶାପୂର୍ଣ୍ଣ ହୋଇଯିବ ।

ଯେପରି ବ୍ରହ୍ମାବାବାଙ୍କର ଚେହେରାରେ ଏବଂ ଚରିତ୍ରରେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଝଲକ ଥିଲା ସେଥିପାଇଁ ତ ତୁମେମାନେ ଆକର୍ଷିତ ହୋଇ ଆସିଗଲ, ସେହିଭଳି ନିଜର ପିତାଙ୍କୁ ଅନୁକରଣ କର । ସର୍ବପ୍ରାପ୍ତିର ତାଲିକାକୁ ବୁଦ୍ଧିରେ ଜାଗ୍ରତ କରି ରଖ ତେବେ ଯାଇ ଚେହେରାରେ ଏବଂ ଚାଲି-ଚଳଣରେ ପ୍ରସନ୍ନତା ପୂର୍ଣ୍ଣ ବ୍ୟକ୍ତିତ୍ୱ ଦେଖାଯିବ ଏବଂ ସେହି ବ୍ୟକ୍ତିତ୍ୱ ପ୍ରତ୍ୟେକଙ୍କୁ ଆକର୍ଷିତ କରିବ । ତେବେ ଆତ୍ମିକ ବ୍ୟକ୍ତିତ୍ୱ ଆଧାରରେ ସେବା କରିବା ପାଇଁ ନିଜର ମୁଡ୍ ଅର୍ଥାତ୍ ମନୋସ୍ଥିତିକୁ ସର୍ବଦା ଚିୟରଫୁଲ୍ ଏବଂ କେୟାରଫୁଲ୍ ରଖ ଅର୍ଥାତ୍ ପ୍ରସନ୍ନ ରହିବା ସହିତ ସତର୍କ ମଧ୍ୟ ରୁହ । ବାରମ୍ବାର ମୁଡ୍ ବଦଳିବା ଉଚିତ୍ ନୁହେଁ । କାରଣ ଯାହା ବି ହୋଇଥାଉ ତାର ନିବାରଣ କର । ସର୍ବଦା ପ୍ରସନ୍ନତାପୂର୍ଣ୍ଣ ବ୍ୟକ୍ତିତ୍ୱରେ ରୁହ । କାରଣ ପ୍ରସନ୍ନଚିତ୍ତ ରହିବା ଦ୍ୱାରା ବହୁତ ଭଲ ଅନୁଭବ ମଧ୍ୟ କରିପାରିବ ଏବଂ ପ୍ରସନ୍ନଚିତ୍ତ ଆତ୍ମାଙ୍କ ସଂଗରେ ରହିବା, ସେମାନଙ୍କ ସହିତ କଥାବାର୍ତ୍ତା କରିବା, ବସିବା ସମସ୍ତଙ୍କୁ ଭଲ ଲାଗେ, ତେଣୁ ସର୍ବଦା ଏହି ଲକ୍ଷ୍ୟ ରଖ ଯେ ମୋତେ ପ୍ରଶ୍ନଚିତ୍ତ ନୁହେଁ କିନ୍ତୁ ପ୍ରସନ୍ନଚିତ୍ତ ରହିବାର ଅଛି ।

ତୁମମାନଙ୍କର ବ୍ୟକ୍ତିତ୍ୱ ବାହ୍ୟ ରୂପରେ ଯଦିଓ ସାଧାରଣ କିନ୍ତୁ ଆଧ୍ୟାତ୍ମିକ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଅଟେ । ତୁମମାନଙ୍କର ଚେହେରାରେ ଏବଂ ଚାଲି-ଚଳଣରେ ପବିତ୍ରତାର ବ୍ୟକ୍ତିତ୍ୱ ରହିଛି । ଯେତେ ଯେତେ ଯିଏ ପବିତ୍ର ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ କେବଳ ଦେଖିବାରେ ନୁହେଁ କିନ୍ତୁ ଅନୁଭବ ମଧ୍ୟ ସେହିଭଳି କରାଇଥାଏ ଏବଂ ସେହି ବ୍ୟକ୍ତିତ୍ୱ ହିଁ ସେବା କରିଥାଏ । ଯେଉଁମାନେ ଉଚ୍ଚ ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମା ହୋଇଥାନ୍ତି ସେମାନଙ୍କର ଦୃଷ୍ଟି କେଉଁଠାରେ ବି, କାହା ପ୍ରତି ବି ଆକର୍ଷିତ ହୋଇନଥାଏ । କାହିଁକି ନା ସେମାନେ ସର୍ବପ୍ରାପ୍ତିରେ ସମ୍ପନ୍ନ ହୋଇଥାନ୍ତି । ସେମାନେ କେବେ ବି ନିଜର ପ୍ରାପ୍ତିର ଭଣ୍ଡାରରେ କୌଣସି ପ୍ରକାରର ଅପ୍ରାପ୍ତିର ଅନୁଭବ କରିନଥାନ୍ତି । ସେମାନେ ସର୍ବଦା ମନ ଭିତରେ ଭରପୁର ରହୁଥିବା କାରଣରୁ ସନ୍ତୁଷ୍ଟ ରହିଥାନ୍ତି । ଏହିଭଳି ସନ୍ତୁଷ୍ଟ ଆତ୍ମା ହିଁ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ।

ତେବେ ଯାହାର ପବିତ୍ରତା ଯେତିକି ତାର ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱର ମୂଲ୍ୟ ମଧ୍ୟ ସେତିକି, ଯଦି ପବିତ୍ରତା କମ୍ ତେବେ ବ୍ୟକ୍ତିତ୍ୱ ମଧ୍ୟ କମ୍ । ଏହି ପବିତ୍ରତାର ବ୍ୟକ୍ତିତ୍ୱ ସେବାରେ ମଧ୍ୟ ସହଜରେ ସଫଳତା ପ୍ରାପ୍ତ କରାଇଥାଏ । କିନ୍ତୁ ଯଦି ଗୋଟିଏ ବି ବିକାର ଅଂଶମାତ୍ରାରେ ମଧ୍ୟ ରହିଥିବ ତେବେ ଅନ୍ୟ ସାଥୀମାନେ ମଧ୍ୟ ତା ସହିତ ନିଶ୍ଚିତ ଥିବେ । ଯେପରି ପବିତ୍ରତାର ସୁଖ-ଶାନ୍ତି ସହିତ ନିବିଡ ସମ୍ବନ୍ଧ ରହିଛି ସେହିଭଳି ଅପବିତ୍ରତାର ମଧ୍ୟ ୫ ବିକାର ସହିତ ନିବିଡ ସମ୍ବନ୍ଧ ରହିଛି ସେଥିପାଇଁ ତୁମ ଭିତରେ କୌଣସି ବିକାରର ଅଂଶମାତ୍ର ମଧ୍ୟ ନ ରହୁ ତେବେ କୁହାଯିବ ପବିତ୍ରତାର ବ୍ୟକ୍ତିତ୍ୱ ଦ୍ୱାରା ସେବା କରୁଥିବା ଆତ୍ମା ।

ଆଜିକାଲି ଦୁଇ ପ୍ରକାରର ବ୍ୟକ୍ତିତ୍ୱର ଗାୟନ ହେଉଛି - ଗୋଟିଏ ହେଲା ଶାରୀରିକ ବ୍ୟକ୍ତିତ୍ୱ, ଦ୍ୱିତୀୟରେ ଉଚ୍ଚ ପଦ ବା ପ୍ରତିଷ୍ଠାର ବ୍ୟକ୍ତିତ୍ୱ । ବ୍ରାହ୍ମଣ ଜୀବନରେ ଯେଉଁ ବ୍ରାହ୍ମଣ ଆତ୍ମା ଭିତରେ ସନ୍ତୁଷ୍ଟତା ରୂପକ ମହାନତା ରହିଛି ତାଙ୍କ ଚେହେରାରେ ମଧ୍ୟ ସନ୍ତୁଷ୍ଟତା ଏବଂ ଶ୍ରେଷ୍ଠ ସ୍ଥିତିର ବ୍ୟକ୍ତିତ୍ୱ ଦେଖାଯାଇଥାଏ ଏବଂ ଯେଉଁମାନଙ୍କର ଦୃଷ୍ଟି, ବୃତ୍ତିରେ, ଚେହେରାରେ, ଚାଲି-ଚଳଣରେ ସନ୍ତୁଷ୍ଟତାର ବ୍ୟକ୍ତିତ୍ୱ ଦେଖାଯାଏ ସେହିମାନେ ହିଁ ପ୍ରକୃତ ତପସ୍ୱୀ । ସେମାନଙ୍କର ଚିତ୍ତ ସର୍ବଦା ପ୍ରସନ୍ନ ରହୁଥିବ, ମନ-ବୁଦ୍ଧି ସର୍ବଦା ଆରାମରେ, ସୁଖ-ଶାନ୍ତିର ସ୍ଥିତିରେ ରହୁଥିବ, କେବେ ବି ଅଶାନ୍ତ ହେଉନଥିବ । ସେମାନେ ନିଜର ପ୍ରତ୍ୟେକ ବାଣୀ ଏବଂ କର୍ମ ଦ୍ୱାରା, ଦୃଷ୍ଟି ଏବଂ ବୃତ୍ତି ଦ୍ୱାରା ଆତ୍ମିକ ବ୍ୟକ୍ତିତ୍ୱ ଏବଂ ରାଜକୀୟତାର ଅନୁଭବ କରାଇପାରିବେ । ବିଶେଷ ଆତ୍ମାମାନଙ୍କୁ ବା ମହାନ ଆତ୍ମାମାନଙ୍କୁ ଦେଶର ବା ବିଶ୍ୱର ଗୌରବ କୁହାଯାଏ । ତେବେ ପବିତ୍ରତାର ଗୌରବମୟ ବ୍ୟକ୍ତିତ୍ୱ ଅର୍ଥାତ୍ ପ୍ରତ୍ୟେକ କର୍ମରେ ମହାନତା ଏବଂ ବିଶେଷତା । ଆତ୍ମିକ ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ ନିଜର ଶକ୍ତି, ସଂକଳ୍ପ ଏବଂ ସମୟକୁ ବ୍ୟର୍ଥରେ ନଷ୍ଟ କରିନଥାନ୍ତି, ସଫଳ କରିଥାନ୍ତି । ଏହିଭଳି ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ ନିଜର ମନ ବୁଦ୍ଧିକୁ କେବେ ବି ଛୋଟ ଛୋଟ କଥାରେ ବ୍ୟସ୍ତ ରଖିନଥାନ୍ତି । ଆତ୍ମିକ ବ୍ୟକ୍ତିତ୍ୱ ସମ୍ପନ୍ନ ବିଶେଷ ଆତ୍ମାମାନଙ୍କର ଦୃଷ୍ଟି, ବୃତ୍ତି, ବାଣୀ.... ସବୁଥିରେ ଅଲୌକିକତା ଥାଏ, ସାଧାରଣତା ନୁହେଁ । ସାଧାରଣ କାର୍ଯ୍ୟ କରିବା ସମୟରେ ମଧ୍ୟ ସେମାନେ ଶକ୍ତିଶାଳୀ କର୍ମଯୋଗୀ ସ୍ଥିତିର ଅନୁଭୂତି କରାଇଥାନ୍ତି । ଯେପରି ତୁମେମାନେ ବ୍ରହ୍ମାବାବାଙ୍କୁ ଦେଖିଥିଲ - ଚାହେଁ ପିଲାମାନଙ୍କ ସାଥୀରେ ପରିବା ମଧ୍ୟ କାଟୁଥିବେ, ଖେଳ ଖେଳୁଥିବେ କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ସର୍ବଦା ଆକର୍ଷିତ କରି ଚାଲିଥିବ । ସେହିପରି ନିଜର ପିତାଙ୍କୁ ଅନୁକରଣ କର ।

ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ହେଲା ପ୍ରସନ୍ନତା । ଏହି ବ୍ୟକ୍ତିତ୍ୱକୁ ନିଜେ ଅନୁଭବ କର ଏବଂ ଅନ୍ୟମାନଙ୍କୁ ମଧ୍ୟ ଅନୁଭବୀ କରାଅ । ସର୍ବଦା ଶୁଭ-ଚିନ୍ତନ ଦ୍ୱାରା ନିଜେ ପ୍ରସନ୍ନ ରୁହ ଏବଂ ଶୁଭଚିନ୍ତକ ହୋଇ ସମସ୍ତଙ୍କୁ ସ୍ନେହୀ ଏବଂ ସହଯୋଗୀ କରାଅ । କେବଳ ଶୁଭଚିନ୍ତକ ଆତ୍ମା ହିଁ ସର୍ବଦା ନିଜର ପ୍ରସନ୍ନତା ସମ୍ପନ୍ନ ବ୍ୟକ୍ତିତ୍ୱ ଆଧାରରେ ବିଶ୍ୱ ସମ୍ମୁଖରେ ବିଶେଷ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବ । ଆଜିକାଲିର ଉଚ୍ଚ ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ କେବଳ ନାମୀଗ୍ରାମୀ ହୋଇଯାଉଛନ୍ତି ଅର୍ଥାତ୍ ସେମାନଙ୍କର କେବଳ ନାମ ପ୍ରଖ୍ୟାତ ହୋଇଯାଉଛି କିନ୍ତୁ ତୁମେ ଆତ୍ମିକ ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ କେବଳ ନାମୀଗ୍ରାମୀ ଅର୍ଥାତ୍ ଗାୟନ ଯୋଗ୍ୟ ହେଉନାହିଁ କିନ୍ତୁ ପୂଜନ ଯୋଗ୍ୟ ମଧ୍ୟ ହେଉଛ । କେତେ ବି ବଡ ବଡ ଧାର୍ମିକ କ୍ଷେତ୍ରରେ, ରାଜ୍ୟ କରିବା କ୍ଷେତ୍ରରେ, ବିଜ୍ଞାନ କ୍ଷେତ୍ରରେ, ଉଚ୍ଚ ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ ପ୍ରସିଦ୍ଧ ହୋଇଛନ୍ତି କିନ୍ତୁ ତୁମମାନଙ୍କର ଆତ୍ମିକ ବ୍ୟକ୍ତିତ୍ୱର ସମକକ୍ଷ ହୋଇ କେହି ବି ୬୩ ଜନ୍ମ ପୂଜନୀୟ ହୋଇ ନାହାଁନ୍ତି ।

ରଦାନ:-
ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ଶ୍ରେଷ୍ଠ ସ୍ଥିତିର ଆସନରେ ସ୍ଥିତ ରହୁଥିବା ସଦା ସମ୍ପନ୍ନ ଆତ୍ମା ହୁଅ ।

ସଂଗମଯୁଗରେ ଶିବଶକ୍ତିର ଯୁଗଳ ସ୍ୱରୂପର ସ୍ମୃତିରେ ରହିବା ଦ୍ୱାରା ପ୍ରତ୍ୟେକ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଯାଏ । ଏହା ହିଁ ସର୍ବଶ୍ରେଷ୍ଠ ସ୍ୱରପ । ଏହି ସ୍ୱରୂପରେ ସ୍ଥିତ ରହିବା ଦ୍ୱାରା ସମ୍ପନ୍ନ ଭବର ବରଦାନ ମିଳିଯାଇଥାଏ । ବାପଦାଦା ପିଲାମାନଙ୍କୁ ସର୍ବଦା ସୁଖଦାୟୀ ସ୍ଥିତିର ଆସନ ଦେଉଛନ୍ତି । ଯଦି ସର୍ବଦା ଏହି ଆସନ ଉପରେ ବିରାଜମାନ ରହିବ ତେବେ ଅତିନ୍ଦ୍ରୀୟ ସୁଖର ଝୁଲଣାରେ ଝୁଲିବାକୁ ଲାଗିବ, ସେଥିପାଇଁ କେବଳ ବିସ୍ମୃତିର ସଂସ୍କାରକୁ ସମାପ୍ତ କର ।

ସ୍ଲୋଗାନ:-
ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ଆତ୍ମାମାନଙ୍କୁ ଯୋଗ୍ୟ ଏବଂ ଯୋଗୀ କରିଦିଅ ।