29.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପ୍ରକୃତ ପରିଚୟ ଦେଇ ଗୀତାର ଭଗବାନଙ୍କୁ ପ୍ରମାଣିତ କର ତେବେ ଯାଇ ତୁମର ନାମ ପ୍ରସିଦ୍ଧ ହେବ ।

ପ୍ରଶ୍ନ:-
ତୁମେ ପିଲାମାନେ ଚାରିଯୁଗରେ ଚକ୍ର ଲଗାଇଛ, ତାର ସ୍ମାରକୀ ରୂପରେ ଭକ୍ତିରେ ମଧ୍ୟ ପ୍ରଥା ରଖୁଛନ୍ତି, ତାହା କଣ ?

ଉତ୍ତର:-
ତୁମେ ପିଲାମାନେ ଚାରିଯୁଗରେ ଚକ୍ର ଲଗାଇଛ ସେଥିପାଇଁ ସେମାନେ ମଧ୍ୟ ସବୁ ଶାସ୍ତ୍ର, ଚିତ୍ର ଆଦିକୁ ଗାଡିରେ ରଖି ଚତୁର୍ଦ୍ଦିଗରେ ପରିକ୍ରମା ଲଗାଉଛନ୍ତି । ପୁଣି ଘରକୁ ଆସି ସେଗୁଡିକୁ ରଖି ଦେଉଛନ୍ତି । ତୁମେମାନେ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛ । ଏହି ଚକ୍ରକୁ ପ୍ରଦର୍ଶନ କରିବା ବଦଳରେ ସେମାନେ ପରିକ୍ରମା କରାଇବା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟ ଏକ ପ୍ରଥା ଅଟେ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଯେତେବେଳେ କାହାକୁ ବୁଝାଉଛ ତେବେ ପ୍ରଥମେ ଏକଥା ସ୍ପଷ୍ଟ ବୁଝାଅ ଯେ ବାବା ଜଣେ ଅଟନ୍ତି, ପଚାରିବାର ନାହିଁ ଯେ ବାବା ଜଣେ ନା ଅନେକ ଅଟନ୍ତି । ଏପରି ତ ପୁଣି ଅନେକ କହିଦେବେ । କହିବାକୁ ହେବ ଯେ ରଚୟିତା ଈଶ୍ୱର ପିତା ଜଣେ ଅଟନ୍ତି । ସେ ସମସ୍ତ ଆତ୍ମାଙ୍କର ପିତା । ପ୍ରଥମେ ପ୍ରଥମେ ଏପରି କହିବା ଅନୁଚିତ୍ ଯେ ସେ ବିନ୍ଦୁ ଅଟନ୍ତି, ଏହା କହିବା ଦ୍ୱାରା ଦ୍ୱନ୍ଦରେ ପଡିଯିବେ । ପ୍ରଥମେ ଏହି କଥାକୁ ଭଲ ଭାବରେ ବୁଝାଅ ଯେ ଆମର ପିତା ଦୁଇ ଜଣ ଲୌକିକ ଏବଂ ପାରଲୌକିକ । ପ୍ରତ୍ୟେକଙ୍କର ଲୌକିକ ପିତା ଅଛନ୍ତି । କିନ୍ତୁ ପାରଲୌକିକ ପିତାଙ୍କୁ କେହି ଖୁଦା, କେହି ଗଡ୍ କହୁଛନ୍ତି । ସିଏ ଜଣେ ହିଁ ଅଟନ୍ତି । ସମସ୍ତେ ଜଣଙ୍କୁ ହିଁ ମନେ ପକାଉଛନ୍ତି । ପ୍ରଥମେ ଏହା ପକ୍କା ନିଶ୍ଚୟ କରାଅ ଯେ ପିତା ହେଉଛନ୍ତି ସ୍ୱର୍ଗର ରଚୟିତା । ସେ ଏଠାକୁ ଆସିଥାନ୍ତି ସ୍ୱର୍ଗର ମାଲିକ କରାଇବା ପାଇଁ, ସେହି ଦିନକୁ ଶିବଜୟନ୍ତୀ ମଧ୍ୟ କୁହାଯାଉଛି । ଏକଥା ମଧ୍ୟ ତୁମେମାନେ ଜାଣିଛ ସ୍ୱର୍ଗର ରଚୟିତା ଭାରତରେ ହିଁ ସ୍ୱର୍ଗ ରଚନା କରୁଛନ୍ତି, ଯେଉଁଠି ଦେବୀ ଦେବତାମାନଙ୍କର ହିଁ ରାଜ୍ୟ ହେଉଛି । ତେଣୁ ପ୍ରଥମେ ବାବାଙ୍କର ହିଁ ପରିଚୟ ଦେବାକୁ ହେବ । ତାଙ୍କର ନାମ ହେଉଛି ଶିବ । ଗୀତାରେ ଭଗବାନୁବାଚ ଶବ୍ଦ ରହିଛି ନା । ପ୍ରଥମେ ପ୍ରଥମେ ଏହା ନିଶ୍ଚୟ କରାଇ ଲେଖାଇନେବା ଉଚିତ୍ । ଗୀତାରେ ଅଛି ଭଗବାନୁବାଚ ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି ଅର୍ଥାତ୍ ନରରୁ ନାରାୟଣ କରାଉଛି । ଏହା କିଏ କରିପାରିବେ ? ନିଶ୍ଚୟ ବୁଝାଇବାକୁ ହେବ । ଭଗବାନ କିଏ ପୁଣି ଏକଥା ମଧ୍ୟ ବୁଝାଇବାକୁ ପଡିବ । ସତ୍ୟଯୁଗରେ ପ୍ରଥମ ନମ୍ବରରେ ଯେଉଁ ଲକ୍ଷ୍ମୀ ନାରାୟଣ ଅଛନ୍ତି, ନିଶ୍ଚୟ ସେ ୮୪ ଜନ୍ମ ନେଉଥିବେ । ପଛରେ ପୁଣି ଅନ୍ୟ ଧର୍ମାବଲମ୍ବୀ ଆସୁଛନ୍ତି । ସେମାନଙ୍କର ଏତେ ଜନ୍ମ ହୋଇପାରିବ ନାହିଁ । ପ୍ରଥମେ ଆସୁଥିବା ଆତ୍ମମାନେ ହିଁ ୮୪ ଜନ୍ମ ନେଉଛନ୍ତି । ସତ୍ୟଯୁଗରେ କିଛି ଶିଖିବେ ନାହିଁ । ନିଶ୍ଚୟ ସଙ୍ଗମରେ ହିଁ ଶିଖୁଛନ୍ତି । ତେଣୁ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ଯେପରି ଆତ୍ମାକୁ ଦେଖି ହେଉନାହିଁ, ଅନୁଭବ କରିହେଉଛି, ସେହିପରି ପରମାତ୍ମାଙ୍କୁ ମଧ୍ୟ ଦେଖିପାରିବ ନାହିଁ । ବୁଦ୍ଧି ଦ୍ୱାରା ଜାଣୁଛନ୍ତି ସେ ଆମ ଆତ୍ମାମାନଙ୍କର ପିତା ଅଟନ୍ତି । ତାଙ୍କୁ କୁହାଯାଉଛି ପରମ ଆତ୍ମା । ସେ ସଦା ପବିତ୍ର ଅଟନ୍ତି । ତାଙ୍କୁ ଆସି ପତିତ ଦୁନିଆକୁ ପବିତ୍ର କରିବାକୁ ପଡୁଛି । ତେଣୁ ପ୍ରଥମ କଥା ହେଲା ବାବା ଜଣେ ଅଟନ୍ତି, ଏହାକୁ ପ୍ରମାଣିତ କରି ବତାଇବା ଦ୍ୱାରା ଗୀତାର ଭଗବାନ କୃଷ୍ଣ ନୁହଁନ୍ତି, ଏହା ମଧ୍ୟ ପ୍ରମାଣିତ ହୋଇଯିବ । ତୁମମାନଙ୍କୁ ପ୍ରମାଣିତ କରି ବତାଇବାକୁ ହେବ ଯେ, ଏକ ବାବାଙ୍କୁ ହିଁ ସତ୍ୟ ବୋଲି କୁହାଯାଏ । ବାକି କର୍ମକାଣ୍ଡ ଅଥବା ତୀର୍ଥ ଆଦିର କଥା ସବୁ ଭକ୍ତିର ଶାସ୍ତ୍ରରେ ଅଛି । ଜ୍ଞାନରେ ଏହାର ତ କୌଣସି ବର୍ଣ୍ଣନା ନାହିଁ । ଏଠାରେ କୌଣସି ଶାସ୍ତ୍ର ନାହିଁ । ବାବା ଆସି ସମସ୍ତ ରହସ୍ୟ ବୁଝାଉଛନ୍ତି । ପ୍ରଥମେ ତୁମେମାନେ ଏହି କଥା ଉପରେ ବିଜୟ ପ୍ରାପ୍ତ କରିବ ଯେ ଭଗବାନ ଏକ ନିରାକାର ଅଟନ୍ତି, ଶରୀରଧାରୀ ନୁହଁନ୍ତି । ପରମପିତା ପରମାତ୍ମା ଶିବ ଭଗବାନୁବାଚ, ଜ୍ଞାନର ସାଗର ସମସ୍ତଙ୍କର ସେ ପିତା ଅଟନ୍ତି । ଶ୍ରୀକୃଷ୍ଣ ସମସ୍ତଙ୍କର ପିତା ହୋଇପାରିବେ ନାହିଁ ସେ କାହାକୁ କହିପାରିବେ ନାହିଁ ଯେ ଦେହର ସବୁ ଧର୍ମ ଛାଡି ମୋତେ ମନେ ପକାଅ । ଏହା ବହୁତ ସହଜ କଥା । କିନ୍ତୁ ମନୁଷ୍ୟ ଶାସ୍ତ୍ର ଆଦି ପଢ଼ି ଭକ୍ତିରେ ପକ୍କା ହୋଇଗଲେଣି । ଆଜିକାଲି ଶାସ୍ତ୍ର ଆଦିକୁ ଗାଡିରେ ରଖି ପରିକ୍ରମା କରୁଛନ୍ତି । ଚିତ୍ର, ଗ୍ରନ୍ଥ ଆଦିର ମଧ୍ୟ ପରିକ୍ରମା କରାଉଛନ୍ତି ପୁଣି ଘରକୁ ଆଣି ରଖି ଦେଉଛନ୍ତି । ଏବେ ତୁମେ ଜାଣୁଛ ଆମେ ଦେବତାରୁ କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ହୋଇ, ଏହିଭଳି ଚକ୍ର ଲଗାଉଛୁ । ଚକ୍ର ବଦଳରେ ସେମାନେ ପୁଣି ପରିକ୍ରମା କରାଇ ଘରେ ରଖି ଦିଅନ୍ତି । ସେମାନେ ପରିକ୍ରମା କରାଇବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ରଖିଥାନ୍ତି ତେଣୁ ପ୍ରଥମେ ଏହା ପ୍ରମାଣିତ କରି ବତାଇବାକୁ ହେବ ଯେ ଶ୍ରୀକୃଷ୍ଣ ଭଗବାନୁବାଚ ଠିକ୍ ନୁହେଁ, ଶିବ ଭଗବାନୁବାଚ । ଶିବ ହିଁ ପୁନର୍ଜନ୍ମ ରହିତ, ସେ ଆସୁଛନ୍ତି ନିଶ୍ଚୟ, କିନ୍ତୁ ତାଙ୍କର ଦିବ୍ୟ ଜନ୍ମ ହେଉଛି । ଭାଗୀରଥଙ୍କ ଶରୀରରେ ଆସି ସବାର ହେଉଛନ୍ତି । ପତିତମାନଙ୍କୁ ଆସି ପବିତ୍ର କରାଉଛନ୍ତି । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି, ଯେଉିଁ ଜ୍ଞାନ ଆଉ କେହି ଜାଣନ୍ତି ନାହିଁ । ବାବାଙ୍କୁ ନିଜେ ଆସି ନିଜର ପରିଚୟ ଦେବାକୁ ପଡୁଛି । ମୁଖ୍ୟ କଥା ହେଉଛି ବାବାଙ୍କର ପରିଚୟ ଦେବା । ସେ ହିଁ ଗୀତାର ଭଗବାନ ଅଟନ୍ତି, ଏହାକୁ ତୁମେ ଯଦି ପ୍ରମାଣିତ କରି ବତାଇବ ତେବେ ତୁମର ବହୁତ ନାମ ପ୍ରସିଦ୍ଧ ହୋଇଯିବ । ତେଣୁ ଏପରି ପର୍ଚ୍ଚା ତିଆରି କରି ସେଥିରେ ଚିତ୍ର ଆଦି ଲଗାଇ ଉଡାଜାହାଜରୁ ପକାଇବା ଉଚିତ୍ । ବାବା ମୁଖ୍ୟ ମୁଖ୍ୟ କଥା ବୁଝାଉଛନ୍ତି । ତୁମର ମୁଖ୍ୟ ଗୋଟିଏ କଥାରେ ବିଜୟ ପ୍ରାପ୍ତ ହେଲେ ତୁମେ ବିଜୟ ହୋଇଯିବ । ଏଥିରେ ତୁମର ବହୁତ ନାମ ପ୍ରସିଦ୍ଧ ହେଉଛି, ଏଥିରେ କେହି ଖିଟ୍ପିଟ୍ କରିବେ ନାହିଁ । ଏହା ବହୁତ ସ୍ପଷ୍ଟ କଥା । ବାବା କହୁଛନ୍ତି ମୁଁ ସର୍ବବ୍ୟାପୀ କିପରି ହୋଇପାରିବି । ମୁଁ ଆସି ପିଲାମାନଙ୍କୁ ଜ୍ଞାନ ଶୁଣାଉଛି । ଡାକୁଛନ୍ତି ମଧ୍ୟ ଆସି ପାବନ କରାଅ । ରଚୟିତା ଏବଂ ରଚନାର ଜ୍ଞାନ ଶୁଣାଅ । ମହିମା ମଧ୍ୟ ବାବାଙ୍କର ଅଲଗା ଏବଂ କୃଷ୍ଣଙ୍କର ଅଲଗା, ଏପରି ନୁହେଁ ଶିବବାବା ଆସି ପୁଣି କୃଷ୍ଣ ଅଥବା ନାରାୟଣ ହେଉଛନ୍ତି, ୮୪ ଜନ୍ମରେ ଆସୁଛନ୍ତି! ନାହିଁ । ତୁମମାନଙ୍କର ବୁଦ୍ଧି ଏହି ସମସ୍ତ କଥା ବୁଝାଇବାରେ ଲାଗି ରହିବା ଉଚିତ୍ । ମୁଖ୍ୟ ହେଉଛି ଗୀତା । ଭଗବାନୁବାଚ କୁହାଯାଇଛି, ନିଶ୍ଚୟ ଭଗବାନଙ୍କର ମୁଖ ଦରକାର ନା । ଭଗବାନ ହେଉଛନ୍ତି ନିରାକାର । ଆତ୍ମା ମୁଖ ବିନା କଥା କହିବ କିପରି । ସେଥିପାଇଁ କହୁଛନ୍ତି ମୁଁ ସାଧାରଣ ଶରୀରର ଆଧାର ନେଉଛି । ଯିଏ ପ୍ରଥମେ ଲକ୍ଷ୍ମୀ ନାରାୟଣ ହେଉଛନ୍ତି, ସେମାନେ ହିଁ ୮୪ ଜନ୍ମ ନେଇ ନେଇ ପଛକୁ ଆସୁଛନ୍ତି ପୁଣି ତାଙ୍କରି ଶରୀରରେ ବାବା ଆସୁଛନ୍ତି । ସିଏ କୃଷ୍ଣଙ୍କ ବହୁତ ଜନ୍ମର ଅନ୍ତିମ ଜନ୍ମରେ ଆସୁଛନ୍ତି । ଏହିପରି ବିଚାର ସାଗର ମନ୍ଥନ କର, କାହାକୁ କିପରି ବୁଝାଇବୁ । ଗୋଟିଏ କଥାରେ ତୁମମାନଙ୍କର ନାମ ପ୍ରସିଦ୍ଧ ହୋଇଯିବ । ରଚୟିତା ବାବାଙ୍କ ବିଷୟରେ ସମସ୍ତଙ୍କୁ ଜଣାପଡିଯିବ । ପୁଣି ତୁମମାନଙ୍କ ପାଖକୁ ବହୁତ ଆସିବେ । ତୁମମାନଙ୍କୁ ଡାକିବେ ଯେ ଏଠାରେ ଆସି ଭାଷଣ କର । ସେଥିପାଇଁ ପ୍ରଥମେ ଭଗବାନ କିଏ ଏକଥା ସିଦ୍ଧ କର । ତୁମେ ସନ୍ତାନମାନେ ଜାଣିଛ ବାବାଙ୍କଠାରୁ ଆମେ ସ୍ୱର୍ଗର ବର୍ସା ନେଉଛୁ । ବାବା ପ୍ରତ୍ୟେକ ୫ ହଜାର ବର୍ଷ ପରେ ଭାରତକୁ ହିଁ ଭାଗ୍ୟଶାଳୀ ରଥରେ ଆସୁଛନ୍ତି । ଇଏ ହେଉଛନ୍ତି ସୌଭାଗ୍ୟଶାଳୀ, ଯେଉଁ ରଥରେ ଭଗବାନ ଆସି ବସୁଛନ୍ତି । ଏହା କଣ କମ୍ କଥା । ଭଗବାନ ୟାଙ୍କ ଶରୀରରେ ପ୍ରବେଶ କରି ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ ମୁଁ ବହୁତ ଜନ୍ମର ଶେଷରେ ୟାଙ୍କ ଶରୀରରେ ପ୍ରବେଶ କରୁଛି । ଇଏ ଶ୍ରୀକୃଷ୍ଣଙ୍କ ଆତ୍ମାର ରଥ ନା । ସେ ନିଜେ କୃଷ୍ଣ ତ ନୁହଁନ୍ତି । ଏହା ତାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ପ୍ରତ୍ୟେକ ଜନ୍ମରେ ଚେହେରା, ବୃତ୍ତି ଆଦି ବଦଳିଯାଏ । ବହୁତ ଜନ୍ମର ଅନ୍ତିମ ଜନ୍ମରେ ଯାହାଙ୍କ ଭିତରେ ପ୍ରବେଶ କରୁଛି ସେ ପୁଣି କୃଷ୍ଣ ହେଉଛନ୍ତି । ସଙ୍ଗମଯୁଗରେ ହିଁ ବାବା ଆସୁଛନ୍ତି । ଆମେ ମଧ୍ୟ ବାବାଙ୍କର ହୋଇ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ବାବା ପାଠ ପଢ଼ାଇ ସାଥିରେ ନେଇଯାଉଛନ୍ତି ଆଉ କୌଣସି ଅସୁବିଧାର କଥା ନାହିଁ । ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ତେଣୁ ଭଲ ଭାବେ ବିଚାର କରିବା ଦରକାର ଯେ କିପରି ଲେଖିବୁ । ଏହା ହେଉଛି ମୁଖ୍ୟ ଭୁଲ୍ ଯେଉଁ କାରଣରୁ ଭାରତ ଅସତ୍ୟ, ଅଧର୍ମୀ, ଦରିଦ୍ର ହୋଇଛି । ବାବା ପୁଣି ଆସି ରାଜଯୋଗ ଶିଖାଉଛନ୍ତି, ଭାରତକୁ ସଚରିତ୍ର ଆଉ ଧନବାନ କରୁଛନ୍ତି । ସାରା ଦୁନିଆକୁ ଧନବାନ କରୁଛନ୍ତି । ସେ ସମୟରେ ସାରା ବିଶ୍ୱର ମାଲିକ ତୁମେମାନେ ହିଁ ହେବ । ଯେପରି କହିଥାନ୍ତି ୱିସ୍ ୟୁ ଲଙ୍ଗ୍ ଲାଇଫ୍ ଏଣ୍ଡ୍ ପ୍ରସ୍ପରିଟି ଅର୍ଥାତ୍ ଦୀର୍ଘାୟୁ ଏବଂ ସମୃଦ୍ଧିର ଆଶୀର୍ବାଦ କରୁଛି । ବାବା ଆଶୀର୍ବାଦ ଦେଉନାହାନ୍ତି ଯେ ସଦା ଦୀର୍ଘାୟୁ ହୁଅ । ସାଧୁମାନେ କହୁଛନ୍ତି ଅମର ରୁହ । ତୁମେମାନେ ଏବେ ବୁଝୁଛ ଯେ ଅମର ନିଶ୍ଚୟ ଅମରପୁରୀରେ ହିଁ ହେବେ । ମୃତ୍ୟୁଲୋକରେ ପୁଣି ଅମର କିପରି କହିବେ । ତେଣୁ ସନ୍ତାନମାନେ ଯେତେବେଳେ ସଭା ଆଦି କରିଥାନ୍ତି ବାବାଙ୍କୁ ମତ ପଚାରିଥାନ୍ତି । ବାବା ଆଗୁଆ ମତ ଦେଉଛନ୍ତି ସବୁ ନିଜ ନିଜର ମତ ଲେଖି ପଠାଅ, ଯଦିଓ ସଭା ଏକାଠି ହୋଇଥାଉ । ମୁରଲୀରେ ମତ ଲେଖିଲେ ସମସ୍ତଙ୍କ ପାଖରେ ପହଞ୍ଚିପାରିବ । ୨-୩ ହଜାର ଟଙ୍କାର ଖର୍ଚ୍ଚରୁ ବଞ୍ଚିଯିବ । ଏହି ୨-୩ ହଜାର ଟଙ୍କାରେ ୨-୩ଟି ସେଣ୍ଟର ଖୋଲିପାରିବ । ଚିତ୍ର ଆଦି ନେଇ ଗାଁ ଗାଁକୁ ଯିବା ଦରକାର ।

ତୁମମାନଙ୍କବ ମଧ୍ୟରେ ଅଧିକା ଜିଜ୍ଞାସା ସୂକ୍ଷ୍ମବତନର ନ ରହିବା ଦରକାର । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ଚିତ୍ର ଉପରେ ଅଳ୍ପ ବୁଝାଯାଇଥାଏ । ଏମାନଙ୍କର ମଝିରେ ଅଳ୍ପ ପାର୍ଟ ଅଛି । ତୁମେମାନେ ଯାଉଛ, ମିଶୁଛ ବାକି ଆଉ କିଛି ନାହିଁ । ସେଥିପାଇଁ ଏଥିରେ ଅଧିକା ଜିଜ୍ଞାସା ରଖାଯାଏ ନାହିଁ । ଏଠାକୁ ଆତ୍ମାକୁ ଡକାଯାଇଥାଏ, ତାଙ୍କୁ ଦେଖାଇଥାନ୍ତି । କେହି କେହି ଆସି କାନ୍ଦିଥାନ୍ତି । କେହି ସ୍ନେହର ସହ ମିଶିଥାନ୍ତି । କେହି ଦୁଃଖର ଲୁହ ଗଡାଇଥାନ୍ତି । ଏସବୁ ଡ୍ରାମାରେ ପାର୍ଟ ଅଛି, ଯାହାକୁ କଥୋପକଥନ କୁହାଯାଏ । ଦୁନିଆରେ ତ ବ୍ରାହ୍ମଣ ଶରୀରରେ କାହାର ଆତ୍ମାକୁ ଡାକିଥାନ୍ତି ପୁଣି ତାଙ୍କୁ କପଡା ଆଦି ପିନ୍ଧାଇଥାନ୍ତି । ତେବେ ଶରୀର ତ ଶେଷ ହୋଇଗଲା, ବାକି ପିନ୍ଧିବ କିଏ ? ତୁମମାନଙ୍କର ସେହି ପ୍ରଥା ନାହିଁ । କାନ୍ଦିବାର କୌଣସି କଥା ହିଁ ନାହିଁ । ସର୍ବୋଚ୍ଚ ହେବାକୁ ପଡିବ ତେବେ ଏହା କିପରି ହେବ । ନିଶ୍ଚୟ ମଝିରେ ସଙ୍ଗମଯୁଗ ରହିଛି ଯେଉଁଥିରେ ପବିତ୍ର ହେଉଛନ୍ତି । ତୁମେମାନେ ଗୋଟିଏ କଥା ପ୍ରମାଣିତ କରି ଦେଖାଇଲେ କହିବେ ଏମାନେ ବିଲ୍କୁଲ୍ ଠିକ୍ ବତାଉଛନ୍ତି । ଭଗବାନ କେବେ ମିଛ କୁହନ୍ତି ନାହିଁ । ପୁଣି ବହୁତଙ୍କର ସ୍ନେହ ମଧ୍ୟ ହେବ, ବହୁତ ଆସିବେ । ଠିକ୍ ସମୟରେ ପିଲାମାନଙ୍କୁ ସବୁ ପଏଣ୍ଟ୍ସ୍ ମଧ୍ୟ ମିଳିଥାଏ । ପଛକୁ କଣ କଣ ହେବ, ତାହା ମଧ୍ୟ ଦେଖିବ, ଲଢ଼େଇ ଲାଗିବ, ବମ୍ ପଡିବ । ପ୍ରଥମେ ବିନାଶ ବିଦେଶରୁ ଆରମ୍ଭ ହେବ । ଏଠାରେ ରକ୍ତ ନଦୀ ବହିବ ପୁଣି ଘିଅ ଦୁଧର ନଦୀ ବହିବ । ପ୍ରଥମେ ପ୍ରଥମେ ଗଣ୍ଡଗୋଳର ସୂତ୍ରପାତ ବିଲାତରୁ ବାହାରିବ । ସେହିଠାରେ ଡରର ଆଶଙ୍କା ରହିଛି । କେତେ ବଡ ବଡ ବମ୍ ତିଆରି କରୁଛନ୍ତି । କଣ ସବୁ ସେଥିରେ ପକାଉଛନ୍ତି, ଯାହା ଏକଦମ୍ ସହରକୁ ସମାପ୍ତ କରିଦେଉଛି । ଏହା ମଧ୍ୟ କହିବାକୁ ହେବ, କିଏ ସ୍ୱର୍ଗର ରାଜତ୍ତ୍ୱ ସ୍ଥାପନ କରୁଛନ୍ତି । ସ୍ୱର୍ଗୀୟ ଈଶ୍ୱର ପିତା ନିଶ୍ଚୟ ସଙ୍ଗମରେ ଆସୁଛନ୍ତି । ତୁମେମାନେ ଜାଣିଛ ବର୍ତ୍ତମାନ ହେଉଛି ସଙ୍ଗମଯୁଗ । ତୁମମାନଙ୍କୁ ବାବାଙ୍କ ସ୍ମୃତିରେ ରହିବାର ମୁଖ୍ୟ କଥା ବୁଝାଯାଉଛି, ଯାହା ଦ୍ୱାରା ହିଁ ପାପ କଟିବ । ଭଗବାନ ଯେତେବେଳେ ଆସିଥିଲେ କହିଥିଲେ ଯେ କେବଳ ମୋତେ ମନେ ପକାଅ ତେବେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ମୁକ୍ତିଧାମକୁ ଯିବ । ପୁଣି ପ୍ରଥମରୁ ଆରମ୍ଭ କରି ଚକ୍ରର ପୁନରାବୃତ୍ତି ହେବ । ଦୈବୀ ଧର୍ମ, ଇସ୍ଲାମୀ ଧର୍ମ, ବୌଦ୍ଧ ଧର୍ମ.... ତୁମେ ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ଏହି ସମସ୍ତ ନଲେଜ୍ ରହିବା ଉଚିତ୍ । ଖୁସି ରହୁଛି, ଆମେ କେତେ ରୋଜଗାର କରୁଛୁ, ଏହି ଅମର କଥା ଅମର ବାବା ତୁମମାନଙ୍କୁ ହିଁ ଶୁଣାଉଛନ୍ତି । ତୁମମାନଙ୍କର ଅନେକ ନାମ ରଖିଦେଇଛନ୍ତି । ପ୍ରଥମେ ଦୈବୀ ଧର୍ମ, ପୁଣି ତାପରେ ସମସ୍ତଙ୍କର ବୃଦ୍ଧି ହୋଇ ହୋଇ ବୃକ୍ଷ ବଢ଼ିଚାଲିଛି । ଅନେକ ଧର୍ମ, ଅନେକ ମତ ହୋଇଯାଉଛି । ଏହା ଏକମାତ୍ର ଧର୍ମ ଯାହାକି ଏକମାତ୍ର ଶ୍ରୀମତ ଦ୍ୱାରା ସ୍ଥାପନ ହେଉଛି । ଏଥିରେ ଅନ୍ୟ କାହାରି ଶ୍ରୀମତର କଥା ନୁହେଁ । ଏହି ରୁହାନୀ ଜ୍ଞାନ, ରୁହାନୀ ବାବା ବସି ତୁମ ସନ୍ତାନମାନଙ୍କୁ ବୁଝାଉଛନ୍ତି । ତେଣୁ ତୁମମାନଙ୍କୁ ଖୁସିରେ ମଧ୍ୟ ରହିବା ଦରକାର ।

ତୁମେମାନେ ଜାଣୁଛ ବାବା ଆମକୁ ପଢ଼ାଉଛନ୍ତି, ତୁମେମାନେ ମଧ୍ୟ ଅନୁଭବରୁ କହୁଛ ଯେ ଏହି ଶୁଦ୍ଧ ଅହଂକାର ରହିବା ଉଚିତ୍ ଭଗବାନ ଆମକୁ ପଢ଼ାଉଛନ୍ତି ତେବେ ଆଉ କଣ ଦରକାର! ଯାହାକି ଆମେ ବିଶ୍ୱର ମାଲିକ ହେଉଛନ୍ତି ତେଣୁ ଖୁସି କାହିଁକି ରହୁ ନାହିଁ ଅଥବା ନିଶ୍ଚୟରେ କେଉଁଠି ସଂଶୟ ରହୁଛି । ବାବାଙ୍କ ପ୍ରତି ସଂଶୟ ଆଣିବା ଅନୁଚିତ୍ । ମାୟା ସଂଶୟରେ ଆଣି ଭୁଲାଇ ଦେଉଛି । ବାବା ବୁଝାଉଛନ୍ତି ମାୟା ଆଖି ଦ୍ୱାରା ବହୁତ ଧୋକା ଦେଉଛି । ଭଲ ଜିନିଷ ଦେଖିଲେ ଖାଇବା ପାଇଁ ମନ ଚଞ୍ଚଳ ହେଉଛି ଆଖି ଦ୍ୱାରା ଦେଖିବାରୁ ମାରିବା ପାଇଁ କ୍ରୋଧ ଆସୁଛି । ନଦେଖିଲେ ମାରିବେ କିପରି । ଆଖି ଦ୍ୱାରା ଦେଖିବାରୁ ଲୋଭ, ମୋହ ମଧ୍ୟ ଆସୁଛି । ମୁଖ୍ୟ ଧୋକା ଆଖି ଦେଉଛି । ଏହା ଉପରେ ପୂରା ନଜର ରଖିବାକୁ ହେବ । ଆତ୍ମାକୁ ଜ୍ଞାନ ମିଳୁଛି, ତେଣୁ ବିକାର ପଣିଆ ଛାଡିଯାଉଛି, ଏପରି ନୁହେଁ ଯେ ଆଖିକୁ ବାହାର କରିଦେବା । ତୁମମାନଙ୍କୁ ତ ବିକାରୀ ଦୃଷ୍ଟିକୁ ନିର୍ବିକାରୀ କରିବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଦା ଏହି ନିଶା ବା ଖୁସିରେ ରହିବାକୁ ହେବ ଯେ ଆମକୁ ଭଗବାନ ପାଠ ପଢ଼ାଉଛନ୍ତି । କୌଣସି କଥାରେ ସଂଶୟ ବୁଦ୍ଧି ହେବାର ନାହିଁ । ମନ ଭିତରେ ଶୁଦ୍ଧ ଅହଂକାର ରଖିବାକୁ ହେବ ।

(୨) ସୂକ୍ଷ୍ମବତନ ବିଷୟରେ ଅଧିକ ଆଗ୍ରହ ରଖିବାର ନାହିଁ । ଆତ୍ମାକୁ ସତ୍ତ୍ୱପ୍ରଧାନ କରିବା ପାଇଁ ପୂରା ପୂରା ପୁରୁଷାର୍ଥ କରିବାକୁ ହେବ । ପରସ୍ପର ମଧ୍ୟରେ ବିଚାର-ବିମର୍ଶ କରି ସମସ୍ତଙ୍କୁ ବାବାଙ୍କର ପ୍ରକୃତ ପରିଚୟ ଦେବାକୁ ହେବ ।

ବରଦାନ:-
ସଂଗମଯୁଗର ମହତ୍ୱକୁ ଜାଣି ଗୋଟିଏର ଅଗଣିତ ଥର ପ୍ରତିଦାନ ପ୍ରାପ୍ତ କରୁଥିବା ସର୍ବପ୍ରାପ୍ତି ସମ୍ପନ୍ନ ଆତ୍ମା ହୁଅ ।

ସଂଗମ ଯୁଗରେ ବାପଦାଦାଙ୍କର ପ୍ରତିଜ୍ଞା ହେଲା ଗୋଟିଏ ଦିଅ ଲକ୍ଷେ ନିଅ । ଯେପରି ସର୍ବଶ୍ରେଷ୍ଠ ସମୟ, ସର୍ବଶ୍ରେଷ୍ଠ ଜନ୍ମ, ସର୍ବଶ୍ରେଷ୍ଠ ଉପାଧି ବର୍ତ୍ତମାନ ସମୟରେ ମିଳିଛି ସେହିପରି ସର୍ବପ୍ରାପ୍ତିର ଅନୁଭବ ମଧ୍ୟ ବର୍ତ୍ତମାନ ହିଁ ମିଳୁଛି । ବର୍ତ୍ତମାନ ଗୋଟିଏର କେବଳ ଲକ୍ଷେ ଗୁଣା ପ୍ରାପ୍ତି ହେଉନାହିଁ କିନ୍ତୁ ଯେତେବେଳେ ଚାହିଁବ, ଯେପରି ଚାହିଁବ ଏବଂ ଯାହା ଚାହିଁବ ତାହା ପ୍ରାପ୍ତ କରାଇବା ପାଇଁ ସ୍ୱୟଂ ଭଗବାନ ସେବାଧାରୀ ରୂପରେ ବନ୍ଧା ହୋଇଛନ୍ତି । ଗୋଟିଏ ମାତ୍ର ସହଯୋଗ ବଦଳରେ ଅଗଣିତ ଥର ସହଯୋଗ ମିଳିଯାଉଛି କାହିଁକି ନା ବର୍ତ୍ତମାନ ସମୟରେ ବରଦାତା ହିଁ ତୁମର ହୋଇଯାଇଛନ୍ତି । ଯେବେକି ବୀଜ ହିଁ ତୁମ ହାତରେ ଅଛନ୍ତି ତେଣୁ ବୀଜ ଦ୍ୱାରା ଯାହା ଚାହିଁବ ତାହା ଗୋଟିଏ ସେକେଣ୍ଡରେ ପ୍ରାପ୍ତ କରି ସର୍ବପ୍ରାପ୍ତି ସମ୍ପନ୍ନ ହୋଇପାରିବ ।

ସ୍ଲୋଗାନ:-
ପରିସ୍ଥିତି ଯେପରି ବି ହୋଇଥାଉ, ତେବେ ପରିସ୍ଥିତି ଚାଲିଯାଉ କିନ୍ତୁ ଖୁସି ନଯାଉ ।