02.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- କେବେ ହେଲେ ଥକିଯାଇ ଯୋଗର ଯାତ୍ରାକୁ ଛାଡିବାର ନାହିଁ, ସର୍ବଦା ଦେହୀ-ଅଭିମାନୀ ସ୍ଥିତିରେ ରହିବା ପାଇଁ ଚେଷ୍ଟା କର, ବାବାଙ୍କ ଠାରୁ ସ୍ନେହ ପାଇବା ପାଇଁ ଅଥବା ମଧୁର ସ୍ୱଭାବଯୁକ୍ତ ହେବା ପାଇଁ ଯୋଗଯୁକ୍ତ ହୋଇ ରୁହ । ’’

ପ୍ରଶ୍ନ:-
୧୬ କଳା ସମ୍ପୂର୍ଣ୍ଣ ଅଥବା ପରଫେକ୍ଟ ହେବା ପାଇଁ କେଉଁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ?

ଉତ୍ତର:-
ଯେତେ ଦୂର ସମ୍ଭବ ନିଜକୁ ଆତ୍ମା ମନେ କର । ସ୍ନେହର ସାଗର ବାବାଙ୍କୁ ମନେ ପକାଇଲେ ଫରଫେକ୍ଟ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇଯିବ । ଜ୍ଞାନ ତ ବହୁତ ସହଜ କିନ୍ତୁ ୧୬ କଳା ସମ୍ପୂର୍ଣ୍ଣ ହେବା ପାଇଁ ଯୋଗ ଦ୍ୱାରା ଆତ୍ମାକୁ ପରଫେକ୍ଟ କରିବାକୁ ହେବ । ନିଜକୁ ଆତ୍ମା ଭାବିବା ଦ୍ୱାରା ସ୍ୱଭାବ ମିଠା ହୋଇଯିବ । ସବୁ ପ୍ରକାରର ଖିଟ୍‌ପିଟ୍ ସମାପ୍ତ ହୋଇଯିବ ।

ଗୀତ:-
ତୁ ପ୍ୟାର କା ସାଗର ହେ...

ଓମ୍ ଶାନ୍ତି ।
ସ୍ନେହର ସାଗର ବାବା ନିଜର ସନ୍ତାନମାନଙ୍କୁ ମଧ୍ୟ ଏହିପରି ସ୍ନେହର ସାଗର କରାଉଛନ୍ତି । ପିଲାମାନଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ହିଁ ହେଉଛି ଆମେ ଏହିପରି ଲକ୍ଷ୍ମୀ-ନାରାୟଣ ସଦୃଶ ହେବୁ । ଏମାନଙ୍କୁ ସମସ୍ତେ କେତେ ଶ୍ରଦ୍ଧା କରୁଛନ୍ତି । ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ଏହାଙ୍କ ପରି ମଧୁର କରାଉଛନ୍ତି । ଏହିଠାରେ ହିଁ ମଧୁର ହେବାକୁ ପଡିବ ଏବଂ ବାବାଙ୍କ ସ୍ମୃତି ଦ୍ୱାରା ହେବ । ଭାରତୀୟ ଯୋଗର ଗାୟନ ରହିଛି, ଏହା ହେଉଛି ବାବାଙ୍କର ସ୍ମୃତି । ଏହି ଯୋଗବଳ ଦ୍ୱାରା ହିଁ ତୁମେ ଲକ୍ଷ୍ମୀ-ନାରାୟଣଙ୍କ ଭଳି ବିଶ୍ୱର ମାଲିକ ହେଉଛ । ପିଲାମାନଙ୍କୁ ଏହି ମେହନତ କରିବାକୁ ହେବ । ତୁମେ କେବେହେଲେ ଗର୍ବ କର ନାହିଁ ଯେ ମୋ ପାଖରେ ବହୁତ ଜ୍ଞାନ ରହିଛି । ମୂଳ କଥା ହେଉଛି ଯୋଗଯୁକ୍ତ ହେବା । ବାବାଙ୍କ ସ୍ମୃତି ଦ୍ୱାରା ହିଁ ସ୍ନେହ ମିଳୁଛି । ଯଦି ବହୁତ ମଧୁର, ବହୁତ ସ୍ନେହୀ ହେବାକୁ ଚାହୁଁଛ, ଉଚ୍ଚ ପଦ ପାଇବାକୁ ଚାହୁଁଛ ତେବେ ମେହନତ କର । ନଚେତ୍ ବହୁତ ପଶ୍ଚାତାପ କରିବ । କାହିଁକି ନା ବହୁତ ସନ୍ତାନ ଅଛନ୍ତି ଯାହାଙ୍କର ସ୍ମୃତି ବାବାଙ୍କ ନିକଟରେ ପହଞ୍ଚୁ ନାହିଁ, ଥକିଯିବାରୁ ଛାଡି ଦେଉଛନ୍ତି । ପ୍ରଥମତଃ ଦେହୀ-ଅଭିମାନୀ ହେବା ପାଇଁ ବହୁତ ପ୍ରଯତ୍ନ କର । ନଚେତ୍ ବହୁତ ନୀଚ୍ଚ ପଦ ପାଇବ । ଏତେ ମଧୁର କେବେ ହେଲେ ହୋଇପାରିବ ନାହିଁ । ବହୁତ କମ୍ ସନ୍ତାନ ଅଛନ୍ତି ଯେଉଁମାନେ ଆକର୍ଷିତ କରୁଛନ୍ତି କାହିଁକି ନା ସେମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି । କେବଳ ବାବାଙ୍କର ସ୍ମୃତି ହିଁ ଆବଶ୍ୟକ । ଯେତେ ୟାଦ କରିବ ସେତେ ବହୁତ ମଧୁର ହୋଇଯିବ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ପୂର୍ବଜନ୍ମରେ ବହୁତ ୟାଦ କରିଥିଲେ । ତା’ ଦ୍ୱାରା ହିଁ ଏତେ ମଧୁର ହୋଇଛନ୍ତି । ସତ୍ୟଯୁଗରେ ସୂର୍ଯ୍ୟବଂଶୀ ପ୍ରଥମ ନମ୍ବରରେ ରହିବେ, ଚନ୍ଦ୍ରବଂଶୀ ତ ଦ୍ୱିତୀୟ ନମ୍ବର ହୋଇଗଲା । ଏହି ଲକ୍ଷ୍ମୀ-ନାରାୟଣ ସମସ୍ତଙ୍କୁ ବହୁତ ପ୍ରିୟ ଲାଗିଥାନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କ ଚେହେରା ଏବଂ ରାମ-ସୀତାଙ୍କର ଚେହେରାରେ ବହୁତ ଫରକ ରହିଛି । ଲକ୍ଷ୍ମୀ-ନାରାୟଣଙ୍କ ଉପରେ କେବେ କେହି କଳଙ୍କ ଲଗାଇ ନାହାଁନ୍ତି । ଭୁଲ୍‌ରେ ଶ୍ରୀକୃଷ୍ଣଙ୍କ ଉପରେ କଳଙ୍କ ଲଗାଇଛନ୍ତି ଏବଂ ରାମ-ସୀତାଙ୍କ ଉପରେ ମଧ୍ୟ ଲଗାଇଛନ୍ତି ।

ବାବା କହୁଛନ୍ତି ନିଜକୁ ଆତ୍ମା ଭାବିଲେ ବହୁତ ମଧୁର ହୋଇଯିବ । ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବହୁତ ମଜା ଲାଗିବ । ଯେତେ ମନେ ପକାଇବ ସେତେ ସତ୍ତ୍ୱପ୍ରଧାନ ୧୬ କଳା ସମ୍ପୂର୍ଣ୍ଣ ହେବ । ୧୪ କଳା ହେବା ଅର୍ଥାତ୍ ତ୍ରୁଟିପୂର୍ଣ୍ଣ ହେବା । ଏହା ପରେ ପୁଣି ଧୀରେ ଧୀରେ ଆହୁରି ତ୍ରୁଟିପୂର୍ଣ୍ଣ ହୋଇ ଚାଲିଲା । ଏବେ ୧୬ କଳା ସମ୍ପୂର୍ଣ୍ଣ ହେବାକୁ ପଡିବ । ଜ୍ଞାନ ତ ବିଲ୍‌କୁଲ୍ ସହଜ ଅଟେ । ଯାହାକୁ କେହି ବି ଶିଖିଯିବେ । କଳ୍ପ-କଳ୍ପ ୮୪ ଜନ୍ମ ନେଇ ଆସିଛ । ଯେ ପର୍ଯ୍ୟନ୍ତ ପୂରା ପବିତ୍ର ନ ହୋଇଛନ୍ତି ଏବେ କେହି ତ ଘରକୁ ଫେରି ଯାଇପାରିବେ ନାହିଁ, ନଚେତ୍ ଦଣ୍ଡ ଭୋଗ କରିବାକୁ ପଡିବ । ବାବା ବାରମ୍ବାର ବୁଝାଉଛନ୍ତି, ଯେତେ ସମ୍ଭବ ପ୍ରଥମେ ଏହି ଗୋଟିଏ କଥାକୁ ପକ୍କା କର ଯେ ମୁଁ ହେଉଛି ଆତ୍ମା । ଆମେ ଆତ୍ମା ଘରେ ରହୁଥିବା ସମୟରେ ସତ୍ତ୍ୱପ୍ରଧାନ ରହିଥାଉ ପୁଣି ଏଠାରେ ଜନ୍ମ ନେଉଛୁ । କିଏ କେତେ ଜନ୍ମ ନେଉଛନ୍ତି, ତ କିଏ ଆଉ କେତେ ଜନ୍ମ ନେଉଛନ୍ତି । ଶେଷ ସମୟରେ ତମୋପ୍ରଧାନ ହେଉଛନ୍ତି । ଦୁନିଆର ଇଜ୍ଜତ କମ୍ ହୋଇଯାଇଥାଏ । ନୂଆ ଘରେ କେତେ ଆରାମ ମିଳିଥାଏ । ପୁଣି ଧୀରେ ଧୀରେ ତ୍ରୁଟି ଆସିଯାଇଥାଏ, କଳା କମ୍ ହୋଇଯାଏ । ତୁମେ ପିଲାମାନେ ଯଦି ତ୍ରୁଟିଶୂନ୍ୟ ଦୁନିଆକୁ ଯିବାକୁ ଚାହୁଁଛ ତେବେ ତ୍ରୁଟିଶୂନ୍ୟ ହେବାକୁ ପଡିବ । କେବଳ ଜ୍ଞାନକୁ ତ୍ରୁଟିଶୂନ୍ୟ କୁହାଯିବ ନାହିଁ । ଆତ୍ମାକୁ ତ୍ରୁଟିଶୂନ୍ୟ ହେବାକୁ ପଡିବ । ଯେତେ ସମ୍ଭବ ଚେଷ୍ଟା କର - ମୁଁ ଆତ୍ମା, ବାବାଙ୍କର ସନ୍ତାନ ଅଟେ । ଆନ୍ତରିକ ଖୁସି ବହୁତ ରହିବା ଉଚିତ୍ । ମନୁଷ୍ୟ ନିଜକୁ ଦେହଧାରୀ ଭାବି ଖୁସି ହେଉଛନ୍ତି । ମୁଁ ଅମୁକର ସନ୍ତାନ ଅଟେ... ତାହା ହେଉଛି ଅଳ୍ପକାଳର ନିଶା । ଏବେ ତୁମ ସନ୍ତାନମାନଙ୍କୁ ବାବାଙ୍କ ସହିତ ପୂରା ବୁଦ୍ଧିଯୋଗ ଲଗାଇବାକୁ ହେବ, ଏଥିରେ ଝାଉଁଳିଯିବା ଅନୁଚିତ୍ । ବିଦେଶ ଆଦି ଯେଉଁଠାକୁ ଗଲେ ମଧ୍ୟ କେବଳ ଗୋଟିଏ କଥା ସ୍ମୃତିରେ ରଖ ଯେ, ବାବାଙ୍କୁ ମନେପକାଇବାକୁ ହେବ । ବାବା ସ୍ନେହର ସାଗର ଅଟନ୍ତି । ଏହି ମହିମା କୌଣସି ମନୁଷ୍ୟର ନୁହେଁ । ଆତ୍ମା ନିଜ ପିତାଙ୍କର ମହିମା କରୁଛି । ଆତ୍ମାମାନେ ପରସ୍ପର ମଧ୍ୟରେ ଭାଇ-ଭାଇ ଅଟନ୍ତି । ସମସ୍ତଙ୍କର ପିତା ହେଲେ ଏକ । ବାବା ସମସ୍ତଙ୍କୁ କହୁଛନ୍ତି - ପିଲାମାନେ, ତୁମେ ସତ୍ତ୍ୱପ୍ରଧାନ ଥିଲ ଏବେ ତମୋପ୍ରଧାନ ହୋଇଯାଇଛ । ତମୋପ୍ରଧାନ ହେବା ଦ୍ୱାରା ତୁମେ ଦୁଃଖୀ ହୋଇପଡିଛ । ଏବେ ଆତ୍ମାକୁ ପରମାତ୍ମା ପିତା କହୁଛନ୍ତି ତୁମେ ପ୍ରଥମେ ତ୍ରୁଟିଶୂନ୍ୟ ଥିଲ । ସବୁ ଆତ୍ମାମାନେ ସତ୍ୟଯୁଗରେ ତ୍ରୁଟିଶୂନ୍ୟ ଅଟନ୍ତି । ଯଦିଓ ଅଭିନୟ ଭିନ୍ନ କିନ୍ତୁ ତ୍ରୁଟିଶୂନ୍ୟ ତ ଅଟନ୍ତି ନା । ପବିତ୍ରତା ବିନା ତ ସେଠାକୁ କେହି ଯାଇପାରିବେ ନାହିଁ । ସୁଖଧାମରେ ତୁମ ପାଖରେ ଶାନ୍ତି, ସୁଖ ଉଭୟ ଥିଲା, ସେଥିପାଇଁ ତୁମର ଧର୍ମ ସବୁଠାରୁ ସର୍ବୋଚ୍ଚ ଅଟେ । ଅସରନ୍ତି ସୁଖ ରହିଥାଏ । ବିଚାର କର ଆମେ କ’ଣ ହେଉଛୁ । ସ୍ୱର୍ଗର ମାଲିକ ହେଉଛୁ । ତାହା ହେଉଛି ହୀରା ତୁଲ୍ୟ ଜନ୍ମ । ଏବେ ତ କଉଡି ତୁଲ୍ୟ ଜନ୍ମ ହୋଇଯାଇଛି । ଏବେ ବାବା ଯୋଗଯୁକ୍ତ ହୋଇ ରହିବାର ଈଶାରା ଦେଉଛନ୍ତି । ତୁମେ ଡାକୁଛ ଯେ ଆପଣ ଆସି ଆମକୁ ପତିତରୁ ପବିତ୍ର କରାନ୍ତୁ । ସତ୍ୟଯୁଗ ହେଉଛି ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ । ରାମ-ସୀତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ବୋଲି କୁହାଯିବ ନାହିଁ । ସେମାନେ ସେକେଣ୍ଡ ଗ୍ରେଡ୍‌କୁ ଚାଲିଗଲେ । ଯୋଗର ଯାତ୍ରାରେ ପାସ୍ ହେଲେ ନାହିଁ । ନଲେଜ୍‌ରେ କେତେ ବି ତୀକ୍ଷ୍‌ଣ ହୋଇଥିଲେ ମଧ୍ୟ, ଯୋଗ ନ ଥିଲେ କେବେ ହେଲେ ବାବାଙ୍କୁ ସ୍ନେହୀ ଲାଗିବେ ନାହିଁ । ବାବାଙ୍କ ସ୍ମୃତିରେ ରହିଲେ ହିଁ ମଧୁର ହେବେ । ପୁଣି ବାବା ମଧ୍ୟ ତୁମକୁ ମଧୁର ଲାଗିବେ । ପାଠପଢା ତ ବିଲ୍‌କୁଲ୍ ସାଧାରଣ ଅଟେ, ପବିତ୍ର ହୋଇ ବାବାଙ୍କ ସ୍ମୃତିରେ ରହିବାକୁ ହେବ । ଏହାକୁ ଭଲ-ଭାବରେ ନୋଟ୍ କରିଦିଅ ତେବେ ଯେଉଁଠାରେ ଖିଟ୍‌-ପିଟ୍ ହେଉଛି, ଅହଂକାର ଆସିଯାଉଛି, ୟାଦର ଯାତ୍ରାରେ ରହିଲେ ଏପରି କେବେ ହେବ ନାହିଁ । ମୂଳକଥା ହେଲା ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଦୁନିଆରେ ମନୁଷ୍ୟ କେତେ ଲଢେଇ ଝଗଡା କରୁଛନ୍ତି । ଜୀବନକୁ ଯେପରି ବିଷ ସଦୃଶ କରି ଦେଉଛନ୍ତି । ଏହି ଅକ୍ଷର ସବୁ ସତ୍ୟଯୁଗରେ ରହିବ ନାହିଁ । ଆଗକୁ ଗଲେ ତ ମନୁଷ୍ୟମାନଙ୍କର ଜୀବନ ଆହୁରି ଜହର ପରି ହୋଇଯିବ । ଏହା ହେଉଛି ହିଁ ବିଷୟ ସାଗର । ରୌରବ ନର୍କରେ ସମସ୍ତେ ପଡିଛନ୍ତି, ବହୁତ ଆବର୍ଜନା ରହିଛି । ଦିନକୁ ଦିନ ଦୁର୍ଗନ୍ଧ ବଢି ଚାଲିଛି । ଏହାକୁ ବିକାରୀ ଦୁନିଆ କୁହାଯାଉଛି । ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି, କାହିଁକି ନା ଦେହ-ଅଭିମାନର ଭୂତ ରହିଛି । କାମର ଭୂତ ରହିଛି । ବାବା କହୁଛନ୍ତି ଏହି ଭୂତଗୁଡିକୁ ଦୂର କର । ଏହି ଭୂତ ହିଁ ତୁମର ମୁହଁ କଳା କରିଦେଇଛନ୍ତି । କାମାଗ୍ନି ଦ୍ୱାରା କଳା ହୋଇଯାଉଛନ୍ତି ସେଥିପାଇଁ ବାବା କହୁଛନ୍ତି ପୁଣି ମୁଁ ଆସି ଜ୍ଞାନ ଅମୃତର ବର୍ଷା କରୁଛି । ଏବେ ତୁମେ କ’ଣ ହେଉଛ! ସେଠାରେ ତ ହୀରାର ମହଲ ହେବ, ସବୁପ୍ରକାରର ବୈଭବ ରହିବ । ଏଠାରେ ସବୁ ଭେଜାଲ୍ ଜିନିଷ ଅଟେ । ଗାଈମାନଙ୍କର ଖାଦ୍ୟକୁ ଦେଖ, ସବୁଥିରୁ ପୌଷ୍ଟିକତା ବାହାର କରି, ବାକି ଯାହା ରହିଗଲା ତାକୁ ଦେଉଛନ୍ତି । ଗାଈକୁ ମଧ୍ୟ ଠିକ୍ ଭାବେ ଖାଦ୍ୟ ମିଳୁନାହିଁ । ଶ୍ରୀକୃଷ୍ଣଙ୍କର ଗାଈକୁ ଦେଖ କିପରି ସୁନ୍ଦର କରି ଦେଖାଇଛନ୍ତି । ସତ୍ୟଯୁଗରେ ଗାଈ ଏପରି ହେବେ ଯେ ସେ କଥା ନ କହିଲେ ଭଲ । ଦେଖିଲେ ଖୁସି ଆସିଯିବ । ଏଠାରେ ତ ପ୍ରତ୍ୟେକ ଜିନିଷରୁ ସାରତତ୍ତ୍ୱ ବାହାର କରିଦେଉଛନ୍ତି । ଏହା ବହୁତ ଛି-ଛି ଆବର୍ଜନାମୟ ଦୁନିଆ ଅଟେ । ତୁମକୁ ଏଥିରେ ମନ ଲଗାଇବା ଅନୁଚିତ୍ । ବାବା କହୁଛନ୍ତି ତୁମେ କେତେ ବିକାରୀ ହୋଇଯାଇଛ । ଲଢେଇରେ କିପରି ପରସ୍ପରକୁ ମାରୁଛନ୍ତି । ଏଟୋମିକ୍ ବମ୍ ପ୍ରସ୍ତୁତକାରୀଙ୍କର ମଧ୍ୟ କେତେ ସମ୍ମାନ କରୁଛନ୍ତି, ଏହାଦ୍ୱାରା ସମସ୍ତଙ୍କର ବିନାଶ ହୋଇ ଯାଉଛି । ବାବା ବସି ବତାଉଛନ୍ତି - ଆଜିର ମନୁଷ୍ୟ କ’ଣ, କିପରି ଅଟନ୍ତି ଓ କାଲି କ’ଣ ହେବେ । ଏବେ ତୁମେ ସଂଗମରେ ଅଛ । ସଙ୍ଗ ଉଦ୍ଧାର କରେ କୁସଙ୍ଗ ଖରାପ କରିଥାଏ । ତୁମେ ପୁରୁଷୋତ୍ତମ ହେବା ପାଇଁ ବାବାଙ୍କର ହାତ ଧରୁଛ । କେହି ପହଁରା ଶିଖୁଥିଲେ ଶିଖାଉଥିବା ବ୍ୟକ୍ତିର ହାତ ଧରିବାକୁ ପଡିଥାଏ । ନଚେତ୍ ଅଣନିଶ୍ୱାସୀ ହୋଇଯିବେ, ଏଥିରେ ମଧ୍ୟ ହାତ ଧରିବାକୁ ପଡିଥାଏ । ନଚେତ୍ ମାୟା ଟାଣି ନେବାର ସମ୍ଭାବନା ରହିଛି । ତୁମେ ଏହି ସାରା ବିଶ୍ୱକୁ ସ୍ୱର୍ଗ କରୁଛ । ନିଜର ନିଶା ବଢାଇବା ଉଚିତ୍ । ଆମେ ଶ୍ରୀମତ ଆଧାରରେ ନିଜର ରାଜତ୍ୱ ସ୍ଥାପନ କରୁଛୁ । ସମସ୍ତ ମନୁଷ୍ୟ ମାତ୍ରକେ ଦାନ ତ କରୁଛନ୍ତି । ଫକୀରଙ୍କୁ ଦେଉଛନ୍ତି । ତୀର୍ଥଯାତ୍ରାରେ ପଣ୍ଡାଙ୍କୁ ଦାନ ଦେଇଥାନ୍ତି, ଚାଉଳ ମୁଠାଏ ମଧ୍ୟ ଦାନ ନିଶ୍ଚୟ କରିବେ । ସେ ସବୁ ଭକ୍ତି ମାର୍ଗରେ ଚାଲି ଆସୁଛି । ଏବେ ବାବା ଆମକୁ ଡବଲ ଦାନୀ କରାଉଛନ୍ତି । ବାବା କହୁଛନ୍ତି ତିନି ପାଦ ଭୂମିରେ ତୁମେ ଏହି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଈଶ୍ୱରୀୟ ଚିକିତ୍ସାଳୟ ଖୋଲ ଯେଉଁଠି ମନୁଷ୍ୟ ୨୧ ଜନ୍ମ ନିମନ୍ତେ ଆସି ସ୍ୱାସ୍ଥ୍ୟବାନ ହେବେ । ଏଠାରେ ତ ବିଭିନ୍ନ ପ୍ରକାର ରୋଗ ଆଦି ହେଉଛି । ବେମାରୀରେ କେତେ ସଢୁଛନ୍ତି । ଡାକ୍ତରଖାନାକୁ ଯାଇ ଦେଖିଲେ ଘୃଣା ଆସିବ । କର୍ମଭୋଗ କେତେ ରହିଛି । ଏସବୁ ଦୁଃଖରୁ ମୁକ୍ତ ହେବା ପାଇଁ ବାବା କହୁଛନ୍ତି - କେବଳ ମୋତେ ମନେ ପକାଅ ଅନ୍ୟ କୌଣସି କଷ୍ଟ ତୁମକୁ ଦେଉ ନାହିଁ । ବାବା ଜାଣିଛନ୍ତି ପିଲାମାନେ ବହୁତ କଷ୍ଟ ଦେଖିଛନ୍ତି । ବିକାରୀ ମନୁଷ୍ୟର ଚେହେରା ହିଁ ବଦଳି ଯାଇଥାଏ । ଏକଦମ୍ ଯେପରି ମୁର୍ଦ୍ଦା ପରି ହୋଇଯାଇଥାଏ । ଯେପରି ମଦୁଆ ମଦ ବିନା ରହିପାରେ ନାହିଁ । ମଦ ପିଇଲେ ବହୁତ ନିଶା ଚଢିଥାଏ କିନ୍ତୁ ଅଳ୍ପକାଳ ନିମନ୍ତେ । ଏହାଦ୍ୱାରା ବିକାରୀ ମନୁଷ୍ୟମାନଙ୍କର ଆୟୁ କେତେ ଛୋଟ ହୋଇଯାଇଥାଏ । ନିର୍ବିକାରୀ ଦେବତାମାନଙ୍କର ଆୟୁ ପ୍ରାୟତଃ ୧୨୫-୧୫୦ ବର୍ଷ ହୋଇଥାଏ । ସଦା ନିରୋଗୀ ରହିଲେ ଆୟୁ ତ ବଢିବ ନା । ନିରୋଗୀ କାୟା ହୋଇଯାଇଥାଏ । ବାବାଙ୍କୁ ଅବିନାଶୀ ସର୍ଜନ ମଧ୍ୟ କୁହାଯାଉଛି । ଜ୍ଞାନ ଇଞ୍ଜେକ୍‌ସନ୍ ସତ୍‌ଗୁରୁ ଦେଲେ ଅଜ୍ଞାନ ଅନ୍ଧକାର ବିନାଶ । ବାବାଙ୍କୁ ଜାଣି ହିଁ ନାହାଁନ୍ତି ସେଥିପାଇଁ ଅଜ୍ଞାନ ଅନ୍ଧକାର କୁହାଯାଉଛି, ଏହା ଭାରତବାସୀଙ୍କର ହିଁ କଥା ଅଟେ । ଖ୍ରୀଷ୍ଟଙ୍କୁ ତ ଜାଣିଛନ୍ତି ଅମୁକ ସଂବତରେ ଆସିଥିଲେ । ସେ ସବୁର ତାଲିକା ରହିଛି । କିପରି କ୍ରମଅନୁସାରେ ପୋପ୍‌ମାନେ ଗଦି ଉପରେ ବସୁଛନ୍ତି । ଏକ ଭାରତ ହିଁ ଅଟେ ଯିଏକି କାହାର ଜୀବନ କାହାଣୀକୁ ଜାଣି ନାହିଁ । ଡାକୁଛନ୍ତି ମଧ୍ୟ ହେ ଦୁଃଖହର୍ତ୍ତା ସୁଖକର୍ତ୍ତା ପରମାତ୍ମା, ମାତା-ପିତା... ଆଚ୍ଛା, ମାତା-ପିତାଙ୍କର ଜୀବନକାହାଣୀ ବିଷୟରେ ତ ବତାଅ । କିଛି ହେଲେ ବି ଜଣା ନାହିଁ ।

ତୁମେ ଜାଣିଛ - ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଆମେ ଏବେ ପୁରୁଷୋତ୍ତମ ହେଉଛୁ ତେଣୁ ସମ୍ପୂର୍ଣ୍ଣ ପଢିବା ଦରକାର । ଲୋକ-ଲାଜ କୂଳ ମର୍ଯ୍ୟାଦାରେ ମଧ୍ୟ ବହୁତ ଛନ୍ଦି ହୋଇ ରହୁଛନ୍ତି । ଏହି ବାବା ତ କୌଣସି କଥାର ଚିନ୍ତା କରି ନ ଥିଲେ । କେତେ ଗାଳି ଆଦି ଖାଇଲେ, ଏ କଥା ନା ମନରେ ଥିଲା ନା ଚିତ୍ତରେ ଥିଲା । ରାସ୍ତାରେ ଚାଲୁ ଚାଲୁ ବ୍ରାହ୍ମଣ ଛନ୍ଦି ହୋଇଗଲା । ବାବା ବ୍ରାହ୍ମଣ କରାଇଲେ ତେଣୁ ଗାଳି ଖାଇଲେ । ସାରା ପଞ୍ଚାୟତ ଗୋଟିଏ ପଟେ, ଦାଦା ଅନ୍ୟ ପଟେ ଥିଲେ । ସାରା ସିନ୍ଧି ପଞ୍ଚାୟତ କହିଲେ ଯେ ଏ ସବୁ କ’ଣ କରୁଛ! ଆରେ ଗୀତାରେ ଭଗବାନୁବାଚ ଅଛି ନା- କାମ ମହାଶତ୍ରୁ, ଏହା ଉପରେ ବିଜୟ ପ୍ରାପ୍ତ କଲେ ବିଶ୍ୱର ମାଲିକ ହେବ । ଏହା ତ ହେଉଛି ଗୀତାର ଅକ୍ଷର । ମୋ ଦ୍ୱାରା କେହି କୁହାଉଛନ୍ତି ଯେ କାମ ବିକାରକୁ ଜିତିବା ଦ୍ୱାରା ଜଗତ୍‌ଜିତ୍ ହେବ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ବିଜୟ ପ୍ରାପ୍ତ କରିଛନ୍ତି ନା । ଏଥିରେ ଲଢେଇ ଆଦିର କୌଣସି କଥା ହିଁ ନାହିଁ । ତୁମକୁ ସ୍ୱର୍ଗର ବାଦଶାହୀ ଦେବାକୁ ଆସିଛି । ଏବେ ପବିତ୍ର ହୋଇ ବାବାଙ୍କୁ ୟାଦ କର । ସ୍ତ୍ରୀ କହୁଛି ମୁଁ ପବିତ୍ର ହେବି, ସ୍ୱାମୀ କହୁଛି ମୁଁ ହେବି ନାହିଁ, ଜଣେ ହଂସ ଜଣେ ବଗ ହୋଇଯାଉଛନ୍ତି । ବାବା ଆସି ଜ୍ଞାନ ରତ୍ନ ଧାରଣା କରୁଥିବା ହଂସ କରାଉଛନ୍ତି । କିନ୍ତୁ ଜଣେ ହଂସ ହେଉଛି, ଅନ୍ୟ ଜଣେ ନ ହେଲେ ଝଗଡା ହେଉଛି । ଆରମ୍ଭରେ ବହୁତ ଶକ୍ତି ଥିଲା । ବର୍ତ୍ତମାନ ଏତେ ଶକ୍ତି କାହା ପାଖରେ ନାହିଁ । ଯଦିଓ କହୁଛନ୍ତି ଯେ ଆମେ ଉତ୍ତରାଧିକାରୀ ଅଟୁ, କିନ୍ତୁ ଉତ୍ତରାଧିକାରୀ ହେବାର କଥା ଅଲଗା । ଆରମ୍ଭରୁ ତ ଚତ୍ମକାର ହେଉଥିଲା । ବଡ-ବଡ ଘର ଲୋକେ ତୁରନ୍ତ ଘର ଛାଡି ଆସୁଥିଲେ ସମ୍ପତ୍ତି ପାଇବା ପାଇଁ । ତେଣୁ ସେମାନେ ଯୋଗ୍ୟ ହୋଇଗଲେ । ପ୍ରଥମେ ଯେଉଁମାନେ ଆସିଥିଲେ ସେମାନେ ତ ଚତ୍ମକାର କରିଥିଲେ । ବର୍ତ୍ତମାନ ବିରଳ କେହି ଏପରି ବାହାରିବେ । ଲୋକ-ଲାଜ ବହୁତ ରହିଛି । ପ୍ରଥମେ ଯେଉଁମାନେ ଆସିଥିଲେ ସେମାନେ ବହୁତ ସାହାସ ଦେଖାଇଥିଲେ । ବର୍ତ୍ତମାନ କେହି ଏପରି ସାହସ ରଖିବା - ବହୁତ ମୁସ୍କିଲ୍ ଅଟେ । ହଁ, ଗରୀବ ସାହସ ରଖିପାରିବେ । ମାଳାର ଦାନା ହେବାକୁ ହେଲେ ପୁରୁଷାର୍ଥ କରିବାକୁ ପଡିବ । ମାଳା ତ ବହୁତ ବଡ ଅଟେ । ୮ ରହିଛି, ୧୦୮ ରହିଛି, ୧୬୧୦୮ର ମଧ୍ୟ ମାଳା ରହିଛି । ବାବା ନିଜେ କହୁଛନ୍ତି ବହୁତ-ବହୁତ ମେହନତ କର । ନିଜକୁ ଆତ୍ମା ବୋଲି ଭାବ । ସତ୍ୟ ବତାଉ ନାହାଁନ୍ତି । ଯେଉଁମାନେ ନିଜକୁ ଭଲ ଭଲ ସନ୍ତାନ ବୋଲି ଭାବୁଛନ୍ତି, ତାଙ୍କ ଦ୍ୱାରା ମଧ୍ୟ ବିକର୍ମ ହୋଇଯାଉଛି । ଯଦିଓ ଜ୍ଞାନୀ ଆତ୍ମା ବି ଅଟନ୍ତି, ଜ୍ଞାନ ଭଲ ବୁଝାଉଛନ୍ତି କିନ୍ତୁ ଯୋଗ ନାହିଁ, ତେଣୁ ହୃଦୟ ସିଂହାସନର ଅଧିକାରୀ ହେଉ ନାହାଁନ୍ତି । ଯୋଗଯୁକ୍ତ ହୋଇ ରହୁ ନ ଥିବାରୁ ହୃଦୟରେ ରହିପାରିବେ ନାହିଁ । ବାବାଙ୍କୁ ମନେ ପକାଇଲେ ବାବା ମଧ୍ୟ ଆମକୁ ମନେ ପକାଇବେ ନା । ଆରମ୍ଭରେ ତୁରନ୍ତ ସମର୍ପଣ ହୋଇଗଲେ । ଏବେ ସମର୍ପଣ ହେବା ମାଉସୀ ଘର କଥା ନୁହେଁ । ମୂଳକଥା ହେଉଛି ଯୋଗ, ତେବେ ଯାଇ ଖୁସିର ନିଶା ଚଢିବ । ଯେତେ କଳା କମ୍ ହୋଇଚାଲିଲା ସେତେ ଦୁଃଖ ବଢି ଚାଲିଲା । ଏବେ ଯେତେ କଳା ବଢିବ ସେତେ ଖୁସିର ନିଶା ମଧ୍ୟ ଚଢିବ । ପଛକୁ ତୁମକୁ ସବୁର ସାକ୍ଷାତ୍‌କାର ହେବ । ଅଧିକ ଯୋଗଯୁକ୍ତ ହେଲେ କି ପଦ ମିଳିବ ଏସବୁ ପଛରେ ସାକ୍ଷାତ୍‌କାର ହେବ । ବିନାଶ ହେଲେ ତୁମେ ସ୍ୱର୍ଗର ସାକ୍ଷାତ୍‌କାରର ହାଲୁଆ ଖାଇବ । ବାବା ବାରମ୍ବାର ବୁଝାଉଛନ୍ତି - ଯୋଗର ସ୍ଥିତିକୁ ବଢାଅ । କାହାକୁ ଅଳ୍ପ କିଛି ବୁଝାଇଦେଲ ଏଥିରେ ବାବା ଖୁସି ହେଉ ନାହାଁନ୍ତି । ଜଣେ ପଣ୍ଡିତର କଥା ମଧ୍ୟ ରହିଛି ନା । କହିଲେ ରାମ-ରାମ କହିଲେ ସାଗର ପାର ହୋଇଯିବ । ଏହା ଦେଖାଉଛନ୍ତି ଯେ - ନିଶ୍ଚୟରେ ହିଁ ବିଜୟ ହୋଇଥାଏ । ବାବାଙ୍କଠାରେ ସଂଶୟ ଆସିବା ଦ୍ୱାରା ବିନାଶ ହୋଇଯାଉଛନ୍ତି । ବାବାଙ୍କ ୟାଦ ଦ୍ୱାରା ହିଁ ପାପ କଟୁଛି, ରାତି-ଦିନ ଚେଷ୍ଟା କରିବା ଦରକାର । ପୁଣି କର୍ମେନ୍ଦ୍ରିୟର ଚଞ୍ଚଳତା ବନ୍ଦ ହୋଇଯିବ । ଏଥିରେ ବହୁତ ମେହନତ ରହିଛି । ବହୁତ ଅଛନ୍ତି ଯିଏକି ୟାଦର ଚାର୍ଟ ରଖୁ ନାହାଁନ୍ତି ଅର୍ଥାତ୍ ମୂଳଦୁଆ ହିଁ ନାହିଁ । ଯେତେ ସମ୍ଭବ ଯେପରି ହେଲେ ବି ବାବାଙ୍କୁ ମନେ ପକାଇବା ଉଚିତ୍ ତେବେ ଯାଇ ସତ୍ତ୍ୱପ୍ରଧାନ, ୧୬ କଳା ହୋଇପାରିବ । ପବିତ୍ରତା ସହିତ ଯୋଗର ଯାତ୍ରା ମଧ୍ୟ ଦରକାର । ପବିତ୍ର ରହିବା ଦ୍ୱାରା ହିଁ ବାବାଙ୍କ ସ୍ମୃତିରେ ରହିପାରିବ । ଏହି ପଏଣ୍ଟକୁ ଭଲ ଭାବରେ ଧାରଣ କର । ବାବା କେତେ ନିରହଂକାରୀ ଅଟନ୍ତି । ଆଗକୁ ଗଲେ ତୁମ ଚରଣରେ ସମସ୍ତେ ନଇଁବେ । କହିବେ ବାସ୍ତବରେ ଏହି ମାତାମାନେ ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି । ଯୋଗର ସ୍ଥିତି ଏବେ କମ୍ ଅଛି । କୌଣସି ବି ଦେହଧାରୀକୁ ୟାଦ କରିବା ଅନୁଚିତ୍ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାରେ ହିଁ ମେହନତ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ପତିତ ଛି-ଛି ଦୁଃଖଦାୟୀ ଦୁନିଆରେ ମନ ଲଗାଇବାର ନାହିଁ । ଏକମାତ୍ର ବାବାଙ୍କର ହାତ ଧରି ଏଥିରୁ ପାରି ହେବାକୁ ପଡିବ ।

(୨) ମାଳାର ଦାନା ହେବା ପାଇଁ ବହୁତ ସାହାସ ରଖି ପୁରୁଷାର୍ଥ କରିବାକୁ ହେବ । ଜ୍ଞାନ ରତ୍ନକୁ ହିଁ ଗ୍ରହଣ କରୁଥିବା ହଂସ ହେବାକୁ ପଡିବ । କୌଣସି ପ୍ରକାରର ବିକର୍ମ କରିବାର ନାହିଁ ।

ବରଦାନ:-
ନିମିତ୍ତ ଭାବ ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ଶ୍ରେଷ୍ଠ ସେବାଧାରୀ ଭବ ।

ନିମିତ୍ତ ଭାବ - ସେବାରେ ସ୍ୱତଃ ହିଁ ସଫଳତା ପ୍ରାପ୍ତ କରାଇଥାଏ । ଯଦି ନିମିତ୍ତ ଭାବ ନାହିଁ ତେବେ ସଫଳତା ମଧ୍ୟ ନାହିଁ । ଶ୍ରେଷ୍ଠ ସେବାଧାରୀ ଅର୍ଥାତ୍ ପ୍ରତିଟି ପାଦ ବାବାଙ୍କର ପାଦ ଚିହ୍ନ ଉପରେ ରଖି ଚାଲୁଥିବା ଏବଂ ପ୍ରତି ପଦକ୍ଷେପକୁ ଅର୍ଥାତ୍ ପ୍ରତ୍ୟେକ କର୍ମକୁ ଶ୍ରେଷ୍ଠ ମତ ଅନୁସାରେ ଶ୍ରେଷ୍ଠ କରୁଥିବା ଆତ୍ମା । ଯେତେ ଯେତେ ସେବାରେ ଏବଂ ସ୍ୱଉନ୍ନତିରେ ବ୍ୟର୍ଥ ସମାପ୍ତ ହୋଇ ଚାଲିଥିବ, ସେହି ଅନୁସାରେ ସମର୍ଥ ହୋଇ ଚାଲିଥିବ ଏବଂ ସମର୍ଥ ଆତ୍ମା ପ୍ରତି ପଦକ୍ଷେପରେ ସଫଳତାକୁ ପ୍ରାପ୍ତ କରିଥାଆନ୍ତି । ତେବେ ଶ୍ରେଷ୍ଠ ସେବାଧାରୀ ତାଙ୍କୁ କୁହାଯିବ ଯେଉଁମାନେ ନିଜେ ସର୍ବଦା ଉମଙ୍ଗ-ଉତ୍ସାହରେ ରହୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉମଙ୍ଗ-ଉତ୍ସାହ ଦେଉଥିବେ ।

ସ୍ଲୋଗାନ:-
ଈଶ୍ୱରୀୟ ସେବା କରିବା ପାଇଁ ଯଦି ନିଜ ଆଡୁ ପ୍ରସ୍ତାବ ଦେବ ତେବେ ସର୍ବଦା ପୁରସ୍କାର ପ୍ରାପ୍ତ କରିଚାଲିବ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ପରମାତ୍ମ ସ୍ନେହର ଏହି ଡୋର ଦୂର ଦୂରାନ୍ତରୁ ନିଜ ଆଡକୁ ଟାଣି ଆଣିଥାଏ । ଏହା ଏଭଳି ସୁଖଦାୟୀ ସ୍ନେହ ଯାହାକି ତୁମେ ଯଦି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଏହି ସ୍ନେହରେ ହଜିଯିବ ତେବେ ସହଜରେ ଅନେକ ଦୁଃଖ ଭୁଲି ହୋଇଯିବ ଏବଂ ସଦାକାଳ ପାଇଁ ସୁଖର ଝୁଲଣାରେ ଝୁଲିବାକୁ ଲାଗିବ, କାହିଁକି ନା ବାବାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ଅଛି ଯାହାକି ଜୀବନର ସୁଖ-ଶାନ୍ତିର ସବୁ ମନୋକାମନାଗୁଡିକୁ ପୂର୍ଣ୍ଣ କରିଦିଅନ୍ତି, ତେବେ ବାବା କେବଳ ସୁଖ ଦିଅନ୍ତି ନାହିଁ ବରଂ ସୁଖର ଭଣ୍ଡାରର ମାଲିକ କରିଦିଅନ୍ତି ।