02.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଆସିଛନ୍ତି ତୁମକୁ ଏଭଳି ଶ୍ରେଷ୍ଠ କର୍ମ ଶିଖାଇବା ପାଇଁ ଯାହା ଦ୍ୱାରା ତୁମେ ୨୧ ଜନ୍ମର ବାଦଶାହୀ ଅଥବା ରାଜତ୍ୱର ସମ୍ପତ୍ତି ନେଇପାରିବ, ଅଟଳ ଅଖଣ୍ଡ ରାଜ୍ୟର ମାଲିକ ହୋଇପାରିବ ।”

ପ୍ରଶ୍ନ:-
ଗୃହସ୍ଥି ଏବଂ ସନ୍ନ୍ୟାସୀମାନଙ୍କ ମଧ୍ୟରେ କେଉଁ ଏକ ସିଦ୍ଧାନ୍ତରେ ବହୁତ ବଡ ଅନ୍ତର ରହିଛି?

ଉତ୍ତର:-
ଗୃହସ୍ଥୀମାନଙ୍କର ସିଦ୍ଧାନ୍ତ ହେଲା ଯେ ଭଗବାନ ନିଶ୍ଚୟ କୌଣସି ନା କୌଣସି ରୂପରେ ଆସିବେ ଏବଂ ସନ୍ନ୍ୟାସୀମାନଙ୍କର ସିଦ୍ଧାନ୍ତ ହେଉଛି ଯେ ବ୍ରହ୍ମକୁ ସ୍ମରଣ କରି କରି ବ୍ରହ୍ମରେ ଲୀନ ହୋଇଯିବୁ । ଏବେ ବାବା ବୁଝାଉଛନ୍ତି ଯେ ବ୍ରହ୍ମରେ କେହି ଲୀନ ହୁଅନ୍ତି ନାହିଁ । ଆତ୍ମା ତ ଅମର ଅଟେ, ସିଏ ଲୀନ କିପରି ହେବ । ଭଗବାନ ଯଦି ଆସିବେ ତେବେ ସିଏ ଶିକ୍ଷକ ହୋଇ ଶିକ୍ଷା ଦେବେ । ପ୍ରେରଣାରେ ତ ଜ୍ଞାନ ଦେବେ ନାହିଁ ନା ।

ଗୀତ:-
ତୁହ୍ମେ ପାକେ ହମନେ....

ଓମ୍ ଶାନ୍ତି ।
ମିଠା ମିଠା ରୁହାନୀ ସନ୍ତାନମାନେ ଗୀତ ଶୁଣିଲେ । କେବଳ ରୁହାନୀ ପିଲାମାନେ ହିଁ ବାବା କହିଥାନ୍ତି । ପିଲାମାନେ ଜାଣିଛନ୍ତି ଏହି ଅନାଦି ଅବିନାଶୀ ପିତା ହିଁ ଅବିନାଶୀ ସୁଖ ଦେଲାବାଲା ଅର୍ଥାତ୍ ସିଏ ସମସ୍ତଙ୍କର ପିତା, ତାଙ୍କୁ ସବୁ ବେହଦର ସନ୍ତାନମାନେ ଅର୍ଥାତ୍ ଆତ୍ମାମାନେ ସ୍ମରଣ କରୁଛନ୍ତି । କୌଣସି ନା କୌଣସି ପ୍ରକାରରେ ସ୍ମରଣ କରୁଛନ୍ତି କିନ୍ତୁ ସେମାନଙ୍କୁ ଜଣାନାହିଁ ଯେ ଆମକୁ ସେହି ପରମପିତା ପରମାତ୍ମାଙ୍କ ଠାରୁ ରାଜ୍ୟ ଅଧିକାର ନେବାର ଅଛି । ତୁମେମାନେ ଜାଣିଛ ବାବା ଆମକୁ ଯେଉଁ ସତ୍ୟଯୁଗୀ ବିଶ୍ୱର ବାଦଶାହୀ ଦେଉଛନ୍ତି ତାହା ଅଟଳ, ଅଖଣ୍ଡ, ସ୍ଥିର ଅଟେ । ଆମର ସେହି ରାଜତ୍ୱ ୨୧ ଜନ୍ମ ପର୍ଯ୍ୟନ୍ତ କାଏମ ରହିବ । ସାରା ବିଶ୍ୱ ଉପରେ ଆମର ରାଜତ୍ୱ ଚାଲିବ, ଯାହାକୁ କେହି ଛଡେଇ ନେଇ ପାରିବେ ନାହିଁ କି ଲୁଟି ନେଇ ପାରିବେ ନାହିଁ । ଆମର ରାଜତ୍ୱ ସେଠାରେ ସ୍ଥିର ରହିବ କାରଣ ସେଠାରେ ଗୋଟିଏ ହିଁ ଧର୍ମ ରହିବ, ଦ୍ୱୈତ ଧର୍ମ ନଥିବ । ତାହା ହେଉଛି ଅଦ୍ୱୈତ୍ୟ ରାଜ୍ୟ । ପିଲାମାନେ ଯେତେବେଳେ ଗୀତ ଶୁଣୁଛନ୍ତି ତେବେ ନିଜର ରାଜତ୍ୱ କରିବାର ଉଲ୍ଲାସ ଅନୁଭବ ହେବା ଉଚିତ୍ । ଏହିଭଳି ଗୀତ ସବୁ ଘରେ ରଖିବା ଉଚିତ୍ ଯେଉଁଥିରୁ ବାବା ଏବଂ ସମ୍ପତ୍ତିର ସ୍ମୃତି ତୁରନ୍ତ ଆସୁଥିବ । ବାବାଙ୍କ ସ୍ମୃତିରେ ତଲ୍ଲୀନ ହୋଇ ରହିବାର ଗୀତ ପାଖରେ ରଖିବା ଉଚିତ୍ । ତୁମର ସବୁ କିଛି ଗୁପ୍ତ । ବିଶିଷ୍ଟ ବ୍ୟକ୍ତିମାନଙ୍କର ତ ବହୁତ ଆଡମ୍ବର ଥାଏ, ତୁମର କୌଣସି ଆଡମ୍ବର ନାହିଁ । ତୁମେ ଦେଖୁଛ ଯାହାଙ୍କ ଶରୀରରେ ବାବା ପ୍ରବେଶ କରିଛନ୍ତି ତାଙ୍କର ମଧ୍ୟ କୌଣସି ଆଡମ୍ବରର ଚିହ୍ନ ନାହିଁ । ବସ୍ତ୍ର ଆଦି ସବୁ କିଛି ସାଧାରଣ । ତୁମେ ବୁଦ୍ଧି ଦ୍ୱାରା ଜାଣୁଛ ଯେ ବାବା ହିଁ ୟାଙ୍କ ଭିତରେ - ଆମକୁ ରାଜ୍ୟ ଭାଗ୍ୟ ଦେବା ପାଇଁ ପ୍ରବେଶ କରିଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ସାରା ସୃଷ୍ଟିରେ ବର୍ତ୍ତମାନ ଯିଏବି ମନୁଷ୍ୟମାତ୍ର ଅଛନ୍ତି, ସମସ୍ତେ ଦେହ ଅଭିମାନରେ ଆସି ଅନ୍ୟାୟ, ଅନୀତି କର୍ମ କରୁଛନ୍ତି, ସେଥିପାଇଁ ସେମାନଙ୍କୁ ନିର୍ବୋଧ କୁହାଯାଉଛି । ସମସ୍ତଙ୍କ ବୁଦ୍ଧିରେ ତାଲା ପଡିଯାଇଛି । ତୁମେମାନେ କେତେ ବୁଦ୍ଧିମାନ, ବିଶ୍ୱର ମାଲିକ ଥିଲ । ଏବେ ମାୟା ଏକଦମ୍ ବୁଦ୍ଧିହୀନ କରିଦେଇଛି, ଯାହାକି କୌଣସି କାମକୁ ଯୋଗ୍ୟ ନୁହଁ । ବାବାଙ୍କ ପାଖକୁ ଯିବା ପାଇଁ ଯଜ୍ଞ-ତପ ଇତ୍ୟାଦି ବହୁତ କରୁଛନ୍ତି କିନ୍ତୁ କିଛିହେଲେ ମିଳୁନାହିଁ । ତୁଚ୍ଛାଟାରେ ଏଣେ-ତେଣେ ଧକ୍କା ଖାଇବାରେ ଲାଗିଛନ୍ତି । ପରମାତ୍ମାଙ୍କୁ କେହି ଜାଣିନାହାଁନ୍ତି, ସର୍ବବ୍ୟାପୀ କହିଦେଉଛନ୍ତି, ଏହା ମଧ୍ୟ କେତେ ଭୁଲ୍ ହୋଇଯାଉଛି । ପିତା ଶବ୍ଦ ବୁଦ୍ଧିକୁ ଆସୁନାହିଁ । ଯଦିଓ କେହି କେହି କହୁଛନ୍ତି ମଧ୍ୟ ତାହା କେବଳ ଶବ୍ଦ ଉଚ୍ଚାରଣ କରୁଛନ୍ତି । ଯଦି ପରମପିତା ବୋଲି ଭାବିବେ ତେବେ ବୁଦ୍ଧି ଏକଦମ୍ ଚମକି ଉଠିବ । ବାବା ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି, ସିଏ ହେଲେ ସ୍ୱର୍ଗୀୟ ଈଶ୍ୱର ପିତା ତେବେ ଆମେ କଳିଯୁଗୀ ନର୍କରେ କାହିଁକି ପଡିଛୁ! ଏବେ ଆମେ ମୁକ୍ତି ଜୀବନମୁକ୍ତି କିପରି ପାଇପାରିବା ଏକଥା କାହା ବୁଦ୍ଧିରେ ଆସୁନାହିଁ । ଏବେ ତୁମକୁ ଜ୍ଞାନ ମିଳିଛି । ବାବା ଆମକୁ ଏହି କଥା ସ୍ମରଣ କରାଇ ଦେଇଛନ୍ତି ଯେ ଯେତେବେଳେ ନୂଆ ଦୁନିଆ, ନୂଆ ଭାରତ ଥିଲା ସେତେବେଳେ ଆମର ରାଜ୍ୟ ଥିଲା । ଗୋଟିଏ ମତ ଗୋଟିଏ ଭାଷା, ଜଣେ ହିଁ ମହାରାଜା-ମହାରାଣୀ ଥିଲେ । ସତ୍ୟଯୁଗରେ ମହାରାଜା-ମହାରାଣୀ, ତ୍ରେତାରେ ରାଜା-ରାଣୀ କୁହାଯାଏ । ପୁଣି ଦ୍ୱାପରଯୁଗ ଠାରୁ ବାମମାର୍ଗ ଅର୍ଥାତ୍ ବିକାରୀମାର୍ଗ ଆରମ୍ଭ ହେବା ପରେ ପ୍ରତ୍ୟେକଙ୍କର କର୍ମ ଉପରେ ସବୁ ନିର୍ଭର କରିଥାଏ । କର୍ମ ଅନୁସାରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇ ଥାଆନ୍ତି । ଏବେ ବାବା କହୁଛନ୍ତି ମୁଁ ତୁମକୁ ଏଭଳି କର୍ମ ଶିଖାଉଛି ଯାହାଦ୍ୱାରା ୨୧ ଜନ୍ମ ରାଜ୍ୟ ପଦ ହିଁ ପାଉଥିବ । ଯଦିଓ ସେଠାରେ ଲୌକିକ ଦେହଧାରୀ ପିତା ବି ମିଳିବେ କିନ୍ତୁ ସେଠାରେ ଏହି ଜ୍ଞାନ ନ ଥାଏ ଯେ ଏହି ରାଜତ୍ୱର ସମ୍ପତ୍ତି ଅନାଦି ଅବିନାଶୀ ପିତା ଶିବବାବାଙ୍କ ଦ୍ୱାରା ମିଳିଛି । ପୁଣି ଦ୍ୱାପରଯୁଗଠାରୁ ରାବଣ ରାଜ୍ୟ ଆରମ୍ଭ ହେବା ପରେ ବିକାରୀ ସମ୍ବନ୍ଧ ହୋଇଯାଏ । ତାପରେ ଯେପରି କର୍ମ, ସେହିପରି ଫଳ ମିଳିଥାଏ, ଦେବତାମାନେ ବାମମାର୍ଗରେ ଚାଲିଯାଆନ୍ତି । ପୁଣି ସତ୍ୟଯୁଗର ସବୁ କିଛି ସମାପ୍ତ ହୋଇଯାଏ, ତାପରେ କର୍ମ ଅନୁସାରେ ଜନ୍ମ ନେଇଥାନ୍ତି । ଭାରତରେ ପୂଜ୍ୟ ରାଜାମାନେ ଥିଲେ ଏବଂ ପୂଜାରୀ ରାଜାମାନେ ମଧ୍ୟ ଥିଲେ । ସତ୍ୟଯୁଗରେ ରାଜାରାଣୀ ଏବଂ ପ୍ରଜା ସମସ୍ତେ ପୂଜ୍ୟ ଅଟନ୍ତି । ପୁଣି ଯେତେବେଳେ ଦ୍ୱାପରଯୁଗରେ ଭକ୍ତି ଆରମ୍ଭ ହୁଏ ସେତେବେଳେ ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ପୂଜାରୀ ହୋଇଯାଆନ୍ତି । ମହାନ ରାଜାମାନେ ଯେଉଁମାନେ ସୂର୍ଯ୍ୟବଂଶୀ ଥିଲେ ସେହିମାନେ ହିଁ ପୂଜାରୀ ହୋଇଯାଆନ୍ତି ଏବଂ ବୈଶ୍ୟବଂଶୀ ହୋଇଯାଆନ୍ତି । ଏବେ ତୁମେ ନିର୍ବିକାରୀ ହେଉଛ । ତାର ପ୍ରାରବ୍ଧ ପୁଣି ୨୧ ଜନ୍ମ ପର୍ଯ୍ୟନ୍ତ ଚାଲିବ ତାପରେ ଭକ୍ତିମାର୍ଗ ଆରମ୍ଭ ହେବ । ଯେଉଁମାନେ ପୂଜ୍ୟ ଦେବୀ ଦେବତା ହୋଇଥିଲେ, ସେମାନଙ୍କର ମନ୍ଦିର ତିଆରି କରି ସେମାନଙ୍କୁ ପୂଜା କରିଥାନ୍ତି । ଏପରି କେବଳ ଭାରତରେ ହିଁ ହୋଇଥାଏ । ଏହି ୮୪ ଜନ୍ମର କାହାଣୀ ଯାହାକୁ ବାବା ବୁଝାଉଛନ୍ତି, ଏହା ମଧ୍ୟ ଭାରତବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟ ଧର୍ମାବଲମ୍ବୀମାନେ ତ ପରେ ଆସୁଛନ୍ତି ଏବଂ ସଂଖ୍ୟା ବୃଦ୍ଧି ହୋଇ ହୋଇ ଅନେକାନେକ ହୋଇଯାଉଛନ୍ତି । ଦେବୀ-ଦେବତାମାନଙ୍କର ଭିନ୍ନ-ଭିନ୍ନ ପ୍ରକାରର ପ୍ରଥା-ପରମ୍ପରା ଥିଲା, ତାହା କୌଣସି ଭାରତର ଗୁରୁମାନଙ୍କର ନୁହେଁ । ଅଧାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେବା ଯୋଗୁଁ ସାରା ପ୍ରଥା ପରମ୍ପରା ହିଁ ବଦଳି ଯାଇଥାଏ ଏବଂ ସେମାନେ ପୂଜ୍ୟରୁ ପୂଜାରୀ ହୋଇଯାଆନ୍ତି । ପୂଜା ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ଏକମାତ୍ର ଶିବଙ୍କର କରିଥାନ୍ତି । ପ୍ରଥମେ ତାଙ୍କର ଅର୍ଥାତ୍ ଶିବ ମନ୍ଦିର ତିଆରି କରିଥାନ୍ତି ତାପରେ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରନ୍ତି । ଜଣେ ଯଦି ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କଲା ତେବେ ଅନ୍ୟମାନେ ମଧ୍ୟ ତିଆରି କରିବେ । ତାପରେ ରାମ ସୀତାଙ୍କର ମନ୍ଦିର ମଧ୍ୟ ତିଆରି କରିଥାନ୍ତି । ପୁଣି କଳିଯୁଗରେ ଦେଖ କିପରି ହନୁମାନ, ଗଣେଶ, ଚଣ୍ଡିକା ଦେବୀ ଇତ୍ୟାଦି ଅନେକ ଦେବୀମାନଙ୍କର ଚିତ୍ର ତଥା ମୂର୍ତ୍ତି ତିଆରି କରିଚାଲିଛନ୍ତି । ଭକ୍ତିମାର୍ଗ ପାଇଁ ସାମଗ୍ରୀ ମଧ୍ୟ ଦରକାର ନା । ଯେପରି ବୀଜ କେତେ ଛୋଟ କିନ୍ତୁ ସେଥିରୁ ବାହାରୁଥିବା ବୃକ୍ଷ କେତେ ବଡ ହୋଇଥାଏ, ସେହିପରି ଭକ୍ତିର ବିସ୍ତାର ହୋଇଯାଇଥାଏ । ଅନେକ ଶାସ୍ତ୍ର ରଚନା କରାଯାଏ । ବାବା ଏବେ ପିଲାମାନଙ୍କୁ କହୁଛନ୍ତି - ଭକ୍ତିମାର୍ଗର ଏହିସବୁ ସାମଗ୍ରୀ ଏବେ ବିନାଶ ହୋଇଯିବ । ଏବେ ମୋତେ ମନେ ପକାଅ । ଭକ୍ତିର ପ୍ରଭାବ ମଧ୍ୟ ବହୁତ ରହିଛି ନା । କେତେ ମନମୁଗ୍ଧକର ଅଟେ । ନାଚ-ତାମସା, ଗାୟନ-କୀର୍ତ୍ତନ ପ୍ରଭୃତିରେ କେତେ ପ୍ରକାରର ଖର୍ଚ୍ଚ କରୁଛନ୍ତି । ଏବେ ବାବା କହୁଛନ୍ତି ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ । ଆଦି ସନାତନ ଧର୍ମକୁ ମନେ ପକାଅ । ଅନେକ ପ୍ରକାରର ଭକ୍ତି ତୁମେ ଜନ୍ମ ଜନ୍ମାନ୍ତର କରି ଆସିଛ । ଗୃହସ୍ଥଧର୍ମବାଲା ହିଁ ଭକ୍ତି ଆରମ୍ଭ କରାଇଥା’ନ୍ତି । ସନ୍ନ୍ୟାସୀମାନଙ୍କୁ ତ ଭକ୍ତି କରିବାର ନାହିଁ, ଯଜ୍ଞ-ତପ, ଦାନ-ପୁଣ୍ୟ, ତୀର୍ଥ ଭ୍ରମଣ ଆଦି ସବୁ କିଛି ଗୃହସ୍ଥିମାନଙ୍କର କାମ, ସନ୍ନ୍ୟାସୀମାନଙ୍କର ନୁହେଁ । ସେମାନେ ହେଲେ ନିବୃତ୍ତିମାର୍ଗର । ସେମାନଙ୍କର ନିୟମ ହେଲା ଘରଦ୍ୱାର ଛାଡି ଜଙ୍ଗଲରେ ଯାଇ ରହିବା ଏବଂ ବ୍ରହ୍ମତତ୍ତ୍ୱକୁ ସ୍ମରଣ କରିବା । ସେମାନେ ହେଲେ ତତ୍ତ୍ୱଜ୍ଞାନୀ, ବ୍ରହ୍ମଜ୍ଞାନୀ । ତତ୍ତ୍ୱ ଅଥବା ବ୍ରହ୍ମକୁ ହିଁ ଈଶ୍ୱର କହିଦେଉଛନ୍ତି । ଯେପରି ଭାରତବାସୀ ମୂଳତଃ ଦେବୀ-ଦେବତା ଧର୍ମର ଅଟନ୍ତି । କିନ୍ତୁ ହିନ୍ଦୁସ୍ତାନରେ ରହିଥିବା କାରଣରୁ ନିଜର ଧର୍ମକୁ ହିନ୍ଦୁ ବୋଲି ଭାବି ଦେଇଛନ୍ତି । ସେହିଭଳି ସନ୍ନ୍ୟାସୀମାନେ ମଧ୍ୟ ଆତ୍ମାମାନଙ୍କର ରହିବା ସ୍ଥାନ ବ୍ରହ୍ମତତ୍ତ୍ୱକୁ ପରମାତ୍ମା ଭାବି ନେଇଛନ୍ତି । ବ୍ରହ୍ମ ବା ତତ୍ତ୍ୱକୁ ହିଁ ମନେ ପକାଉଛନ୍ତି । ବାସ୍ତବରେ ସନ୍ନ୍ୟାସୀମାନେ ଯେତେବେଳେ ସତ୍ତ୍ୱପ୍ରଧାନ ଥିଲେ, ସେତେବେଳେ ଜଙ୍ଗଲରେ ଯାଇ ଶାନ୍ତିରେ ରହୁଥିଲେ । ଏମିତି ନୁହେଁ କି ସେମାନଙ୍କୁ ବ୍ରହ୍ମରେ ଯାଇ ଲୀନ ହୋଇଯିବାର ଅଛି । ବାବା କହୁଛନ୍ତି - ଏହା ସେମାନଙ୍କର ମିଥ୍ୟା ଜ୍ଞାନ । ଲୀନ କେହି ହୋଇପାରିବେ ନାହିଁ । ଆତ୍ମା ତ ଅବିନାଶୀ ଅଟେ ନା, ସିଏ କିପରି ଲୀନ ହୋଇପାରିବ । ଭକ୍ତିମାର୍ଗରେ କେତେ ପରିଶ୍ରମ କରୁଛନ୍ତି, ପୁଣି କହୁଛନ୍ତି ଭଗବାନ କୌଣସି ନା କୌଣସି ରୂପରେ କେବେ ଆସି ଆମକୁ ପ୍ରାପ୍ତ ହେବେ । ତେବେ କେଉଁ କଥା ସତ୍ୟ । ସେମାନେ କହୁଛନ୍ତି ବ୍ରହ୍ମ ସହିତ ଯୋଗ ଲଗାଇ ବ୍ରହ୍ମରେ ଲୀନ ହୋଇଯିବୁ । ଗୃହସ୍ଥୀମାନେ କହୁଛନ୍ତି ଯେ ଭଗବାନ କୌଣସି ନା କୌଣସି ରୂପରେ ଆସିବେ । ପତିତମାନଙ୍କୁ ପାବନ କରିବେ । ଏମିତି ନୁହେଁ ଯେ ଉପରେ ରହି ପ୍ରେରଣା ଦ୍ୱାରା ହିଁ ଶିଖାଇବେ । ଶିକ୍ଷକ ଘରେ ବସି ପ୍ରେରଣା ଦେବେ କି! ପ୍ରେରଣା ଶବ୍ଦ ହିଁ ନାହିଁ । ପ୍ରେରଣା ଦ୍ୱାରା କୌଣସି କାର୍ଯ୍ୟ ହୁଏ ନାହିଁ । ଯଦିଓ ଶଙ୍କରଙ୍କର ପ୍ରେରଣାରେ ବିନାଶ ହୁଏ ବୋଲି କଥିତ ଅଛି, କିନ୍ତୁ ଏହା ଡ୍ରାମାର ନିଧାର୍ଯ୍ୟ ଅଟେ । ସେମାନଙ୍କୁ ଏହି ମୂସଳ ବା ମିସାଇଲ୍ ଆଦି ତିଆରି କରିବାର ହିଁ ଅଛି । ପ୍ରେରଣାର କିଛି କଥା ହିଁ ନାହିଁ । ମନୁଷ୍ୟ ତ କହିଦେଉଛନ୍ତି ଯେ ଭଗବାନଙ୍କର ପ୍ରେରଣାରେ ସବୁ କିଛି ହେଉଛି ବା କହୁଛନ୍ତି ଯେ ଶଙ୍କର ଆଖି ଖୋଲିବା ଦ୍ୱାରା ପ୍ରଳୟ ହୋଇଗଲା । ଏସବୁ ହେଲା କାହାଣୀ, ଏହାର ଅର୍ଥ କିଛି ବି ବୁଝୁ ନାହାଁନ୍ତି । କୌଣସି ମନ୍ଦିରକୁ ଗଲେ କହିବେ ଅଚ୍ୟୁତମ୍‌, କେଶବମ୍‌.... ଅର୍ଥ କିଛି ହେଲେ ବୁଝି ନାହାଁନ୍ତି । କେହି ନିଜର ପୂର୍ବଜ ମାନଙ୍କର ମହିମାକୁ ଜାଣି ନାହାଁନ୍ତି । ଧର୍ମସ୍ଥାପକଙ୍କୁ ଗୁରୁ କହିଦେଉଛନ୍ତି । ବାସ୍ତବରେ ସେମାନଙ୍କୁ ଗୁରୁ କହିବା ଭୁଲ୍ । ଯୀଶୁ ଖ୍ରୀଷ୍ଟ କ’ଣ ଗୁରୁ ଅଟନ୍ତି କି । ସିଏ ତ କେବଳ ଧର୍ମସ୍ଥାପନ କରୁଛନ୍ତି । ଗୁରୁ ତାଙ୍କୁ କୁହାଯିବ ଯିଏ ସଦ୍‌ଗତି କରିପାରିବେ । ସେମାନେ ତ ଧର୍ମ ସ୍ଥାପନ କରିବା ପାଇଁ ଆସୁଛନ୍ତି । ତାଙ୍କ ପଛେ ପଛେ ତାଙ୍କର ବଂଶାବଳୀ ଅର୍ଥାତ୍ ସେହି ଧର୍ମର ଆତ୍ମାମାନେ ଆସିଥାନ୍ତି । ସେମାନେ ତ କାହାର ସଦ୍‌ଗତି କରନ୍ତି ନାହିଁ । ତେବେ ତାଙ୍କୁ ଗୁରୁ କିପରି କହିବା । ଗୁରୁ ତ ଜଣେ ମାତ୍ର ହିଁ ଅଟନ୍ତି, ଯାହାଙ୍କୁ ସମସ୍ତଙ୍କର ସଦଗତି ଦାତା କୁହାଯାଏ । ଭଗବାନ ପିତା ହିଁ ଆସି ସମସ୍ତଙ୍କର ସଦ୍‌ଗତି କରିଥାନ୍ତି । ମୁକ୍ତି ଜୀବନମୁକ୍ତି ଦେଇଥାଆନ୍ତି । ତାଙ୍କ ସ୍ମୃତି ବିନା କେହି ରହିପାରିବେ ନାହିଁ । ମନୁଷ୍ୟ ହେ ଭଗବାନ, ହେ ଈଶ୍ୱର କହି ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିଥାନ୍ତି କାହିଁକି ନା ସିଏ ହେଲେ ସମସ୍ତଙ୍କର ସଦଗତିଦାତା । ବାବା ବୁଝାଉଛନ୍ତି ଏମାନେ ସମସ୍ତେ ମୋର ରଚନା ଅଟନ୍ତି । ରଚୟୀତା ପିତା ମୁଁ ହିଁ ଅଟେ - ସମସ୍ତଙ୍କୁ ସୁଖ ଦେଲାବାଲା, ସମ୍ପତ୍ତି ଦେବାବାଲା ଏକମାତ୍ର ବାବା ଅଟନ୍ତି । ଭାଇ-ଭାଇକୁ ସମ୍ପତ୍ତି ଦେଇ ପାରିବେ ନାହିଁ । ସମ୍ପତ୍ତି ସର୍ବଦା ପିତାଙ୍କଠାରୁ ହିଁ ମିଳିଥାଏ । ମୁଁ ସମସ୍ତ ବିଶ୍ୱର ସନ୍ତାନମାନଙ୍କୁ ଅବିନାଶୀ ସମ୍ପତ୍ତି ଦେଉଛି, ସେଥିପାଇଁ ହିଁ ମୋତେ ମନେ ପକାଉଛନ୍ତି ଏବଂ କହୁଛନ୍ତି ହେ ପରମାତ୍ମା କ୍ଷମା କର । ଟିକିଏ ହେଲେ ବି କିଛି ବୁଝୁ ନାହାଁନ୍ତି ।

ବାବା କହୁଛନ୍ତି - ମୁଁ ଏମାନଙ୍କର ଡାକରା ଦ୍ୱାରା ଆସି ନାହିଁ । ଏହା ତ ଡ୍ରାମାରେ ନିଧାର୍ଯ୍ୟ ଅଛି । ଡ୍ରାମାରେ ମୋର ଆସିବାର ଅଭିନୟ ମଧ୍ୟ ନିଧାର୍ଯ୍ୟ ଅଛି । ଅନେକ ଧର୍ମର ବିନାଶ ଗୋଟିଏ ଧର୍ମର ସ୍ଥାପନା ବା କଳିଯୁଗର ବିନାଶ, ସତ୍ୟଯୁଗର ସ୍ଥାପନା କରିବାକୁ ପଡିଥାଏ । ମୁଁ ନିଜ ସମୟ ଅନୁସାରେ ସ୍ୱୟଂ ଆସିଥାଏ । ଏହି ଭକ୍ତିମାର୍ଗ ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ବର୍ତ୍ତମାନ ଯେବେକି ଭକ୍ତିମାର୍ଗର ଅଭିନୟ ଶେଷ ହେବାକୁ ଯାଉଛି ତେବେ ଯାଇ ମୁଁ ଆସୁଛି । କଳ୍ପ ପୂର୍ବରୁ ମଧ୍ୟ ବାବା ଆପଣ ବ୍ରହ୍ମାଙ୍କ ଶରୀରରେ ଆସିଥିଲେ । ଏହି ଜ୍ଞାନ ଏବେ ତୁମକୁ ମିଳୁଛି । ଆଉ କେବେ ମିଳିବ ନାହିଁ । ଏହା ହେଉଛି ଜ୍ଞାନ, ତାହା ହେଲା ଭକ୍ତି । ଜ୍ଞାନର ପ୍ରାରବ୍ଧ ହେଲା ଉନ୍ନତିର କଳା । କୁହାଯାଏ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । କୁହାଯାଏ ରାଜା ଜନକ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପ୍ରାପ୍ତ କରିଥିଲେ, ତେବେ କ’ଣ କେବଳ ଏକମାତ୍ର ରାଜା ଜନକ ହିଁ ଜୀବନମୁକ୍ତି ପ୍ରାପ୍ତ କରିଥିଲେ? ଜୀବନମୁକ୍ତି ତ ସମସ୍ତଙ୍କୁ ପ୍ରାପ୍ତ ହେଉଛି ନା । ସାରା ବିଶ୍ୱ ପ୍ରାପ୍ତ କରୁଛି । ସଦ୍‌ଗତି ବା ଜୀବନମୁକ୍ତି ଗୋଟିଏ କଥା । ଜୀବନମୁକ୍ତି ଅର୍ଥାତ୍ ଜୀବନକୁ ମୁକ୍ତ କରିଥା’ନ୍ତି - ଏହି ରାବଣ ରାଜ୍ୟରୁ । ବାବା ଜାଣିଛନ୍ତି ପିଲାମାନଙ୍କର କେତେ ଦୁର୍ଗତି ହୋଇଯାଇଛି, ସମ୍ପୂର୍ଣ୍ଣ ଦୁଃଖୀ ହୋଇଯାଇଛନ୍ତି । ସେମାନଙ୍କର ପୁଣି ସଦ୍‌ଗତି ହେବାକୁ ଯାଉଛି । ପ୍ରଥମେ ମୁକ୍ତିକୁ ଯାଇ ପୁଣି ଜୀବନମୁକ୍ତିରେ ଆସିବେ । ଶାନ୍ତିଧାମରୁ ପୁଣି ସୁଖଧାମକୁ ଆସିବେ । ଏହି ସୃଷ୍ଟିଚକ୍ରର ରହସ୍ୟ ବାବା ହିଁ ବୁଝାଇଛନ୍ତି । ବାବା କହୁଛନ୍ତି ଏହି ସମୟରେ ସାରା ସୃଷ୍ଟି ରୂପୀ ବୃକ୍ଷ ଜୀର୍ଣ୍ଣ-ଶୀର୍ଣ୍ଣ, ତମୋପ୍ରଧାନ ହୋଇଯାଇଛି, ସେଥିପାଇଁ କେହିହେଲେ ନିଜକୁ ଆଦି ସନାତନ ଦେବୀ ଦେବତା ଧର୍ମର ଭାବୁନାହାଁନ୍ତି । ତୁମେମାନେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ କାରଣ ଦେବତାମାନେ ପବିତ୍ର ଥିଲେ । ଆମେ ଅପବିତ୍ର ପତିତ ନିଜକୁ ଦେବତା କିପରି ବୋଲାଇବୁ ସେଥିପାଇଁ କୁହାଯାଏ - ଏହି ସବୁ ବିକାର ଗୁଡିକୁ ତ୍ୟାଗ କର । ଏହି ବିକାର ଗୁଡିକ ଅଧାକଳ୍ପରୁ ରହି ଆସିଛି । ବର୍ତ୍ତମାନ ଗୋଟିଏ ଜନ୍ମରେ ସେଗୁଡିକୁ ଛାଡିବା ପାଇଁ କଷ୍ଟ ଲାଗୁଛି । ପରିଶ୍ରମ ବିନା କ’ଣ ବିଶ୍ୱର ମାଲିକ ହୋଇପାରିବ । ଯଦି ବାବାଙ୍କୁ ମନେ ପକାଇବ ତେବେ ଯାଇ ତୁମେ ନିଜକୁ ରାଜତିଳକ ଦେଇପାରିବ ଅର୍ଥାତ୍ ରାଜ୍ୟ କରିବାର ଅଧିକାରୀ ହୋଇପାରିବ । ଯେତେ ଅଧିକ ମନେ ପକାଇବ, ଶ୍ରୀମତରେ ଚାଲିବ ତେବେ ତୁମେ ରାଜାମାନଙ୍କର ରାଜା ହେବ । ଶିକ୍ଷାଦାତା ଶିକ୍ଷକ ତ ପଢାଇବା ପାଇଁ ଆସିଛନ୍ତି । ଏହି ପାଠଶାଳା ହିଁ ହେଉଛି ମନୁଷ୍ୟରୁ ଦେବତା ହେବା ପାଇଁ । ନରରୁ ନାରାୟଣ ହେବାର କଥା ବା ଜ୍ଞାନ ଶୁଣାଉଛନ୍ତି । ଏହି କଥା କେତେ ପ୍ରସିଦ୍ଧ । ଏହାକୁ ଅମରକଥା, ସତ୍ୟନାରାୟଣ କଥା, ତିଜରୀ ଅର୍ଥାତ୍ ତୃତୀୟନେତ୍ରର କଥା ମଧ୍ୟ କୁହାଯାଏ ।

ଦେଖ ଏହି ଗୀତ କେତେ ସୁନ୍ଦର । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି, ଯେଉଁ ମାଲିକ ପଣିଆକୁ କେହି ଲୁଟି ପାରିବେ ନାହିଁ, ଭୂମିକମ୍ପ ଆଦି ହେବ ନାହିଁ । ସେଠାରେ ବିଘ୍ନର କୌଣସି କଥା ନାହିଁ । ଏହିଭଳି ଅଟଳ, ଅଖଣ୍ଡ, ପବିତ୍ରତା ସୁଖ-ଶାନ୍ତିର ରାଜ୍ୟ ପ୍ରାପ୍ତ କରୁଛ । କଳ୍ପ ପୂର୍ବ ପରି ପ୍ରତି ପାଞ୍ଚ ହଜାର ବର୍ଷ ପରେ ଭାରତ ସ୍ୱର୍ଗ ହୋଇଥାଏ । ତୁମେ ଜାଣିଛ ଆମେ ହିଁ ଦେବତା ଥିଲୁ ତା’ପରେ ୮୪ ଜନ୍ମ ନେଇ ଏହିପରି ହୋଇଯାଇଛୁ । ପୁନର୍ବାର ଆମେ ହିଁ ଦେବତା ହେବୁ । ଏହାକୁ ହିଁ କୁହାଯାଏ, ସ୍ୱଦର୍ଶନ ଚକ୍ରଧାରୀ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜେ ନିଜକୁ ରାଜ୍ୟ ଅଧିକାରର ତିଳକ ଦେବା ପାଇଁ ବାବାଙ୍କୁ ମନେ ପକାଇବାର ପରିଶ୍ରମ କରିବାକୁ ହେବ । ସମସ୍ତ ବିକାରକୁ ଛାଡିବାକୁ ହେବ ।

(୨) ବ୍ରହ୍ମାବାବାଙ୍କ ଭଳି ସାଧାରଣ ଏବଂ ଗୁପ୍ତ ରହିବାକୁ ହେବ । ବାହାରର ଆଡମ୍ବର ଆଦି ଦେଖାଇବାର ନାହିଁ । ନିଜର ଭବିଷ୍ୟତ ରାଜପଦର ନିଶାରେ ରହିବାକୁ ହେବ ।

ବରଦାନ:-
ନିଜର ଚଞ୍ଚଳ ମନୋବୃତ୍ତିକୁ ପରିବର୍ତ୍ତନ କରି ସତୋପ୍ରଧାନ ବାତାବରଣ ସୃଷ୍ଟି କରିବାର ଦାୟିତ୍ୱ ସମ୍ପନ୍ନ ଶ୍ରେଷ୍ଠ ଆତ୍ମା ଭବ ।

ଯେଉଁ ପିଲାମାନେ ନିଜର ଚଞ୍ଚଳ ମନୋବୃତ୍ତିକୁ ପରିବର୍ତ୍ତନ କରିଦେଇଥିବେ ସେହିମାନେ ହିଁ ସତୋପ୍ରଧାନର ବାୟୁମଣ୍ଡଳ ସୃଷ୍ଟି କରିପାରିବେ କାହିଁକିନା ମନର ବୃତ୍ତି ଦ୍ୱାରା ହିଁ ବାୟୁମଣ୍ଡଳ ନିର୍ମାଣ ହୋଇଥାଏ । ତେବେ ମନର ବୃତ୍ତି ମଧ୍ୟ ଚଞ୍ଚଳ ସେତେବେଳେ ହୋଇଥାଏ ଯେତେବେଳେ ଏତେ ବଡ ବିଶାଳ କାର୍ଯ୍ୟର ସ୍ମୃତି ଭୁଲି ହୋଇଯାଇଥାଏ । ଯଦି କୌଣସି ଅତି ଚଞ୍ଚଳ ପିଲାଟିଏ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଥିଲେ ମଧ୍ୟ ଚଞ୍ଚଳତା ଛାଡେ ନାହିଁ ତେବେ ତାକୁ ବାନ୍ଧି ଦେଇଥାଆନ୍ତି । ସେହିପରି ଯଦି ଜ୍ଞାନ ଯୋଗରେ ବ୍ୟସ୍ତ ରହୁଥିଲେ ମଧ୍ୟ ବୃତ୍ତିରେ ଚଞ୍ଚଳତା ରହୁଛି ତେବେ ଏକମାତ୍ର ବାବାଙ୍କ ସହିତ ସର୍ବ ସମ୍ବନ୍ଧର ବନ୍ଧନରେ ବୃତ୍ତିକୁ ବାନ୍ଧି ଦିଅ, ଯାହାଦ୍ୱାରା ଚଞ୍ଚଳତା ସହଜରେ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ଅବହେଳା ପଣିଆର ଅଭ୍ୟାସକୁ ସମାପ୍ତ କରିବାର ଆଧାର ହେଲା ବେହଦର ବୈରାଗ୍ୟ ବୃତ୍ତି ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ଦାତାପଣିଆର ସଂସ୍କାରକୁ ଜାଗ୍ରତ କରି ସଂକଳ୍ପ ଦ୍ୱାରା ପୁଣ୍ୟର ଖାତା ଜମା କର, ବାଣୀ ଦ୍ୱାରା ଦୁର୍ବଳ ଆତ୍ମାମାନଙ୍କୁ ଖୁସି ଦିଅ, ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ଗର୍ବିତ ହେବା ଭଳି ସ୍ମୃତି ଦିଅ, ନିରାଶ ଆତ୍ମାମାନଙ୍କୁ ଉମଙ୍ଗ ଉତ୍ସାହର ସ୍ମୃତି ଦିଅ, ସେହିପରି ନିଜର ସମ୍ବନ୍ଧ-ସମ୍ପର୍କ ଦ୍ୱାରା ଆତ୍ମାମାନଙ୍କୁ ନିଜର ଶ୍ରେଷ୍ଠ ସଂଗର ରଂଗ ଅନୁଭବ କରାଅ, ତାହା ହେଲେ ପୁଣ୍ୟର ଖାତା ଜମା ହୋଇଚାଲିବ ।