05.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କୁ ଜ୍ଞାନୀ ତୁ ଆତ୍ମା ସନ୍ତାନମାନେ ହିଁ ପ୍ରିୟ ଅଟନ୍ତି, ସେଥିପାଇଁ ବାବାଙ୍କ ସମାନ ମାଷ୍ଟର ଜ୍ଞାନର ସାଗର ହୁଅ ।”

ପ୍ରଶ୍ନ:-
ଏହି କଲ୍ୟାଣକାରୀ ଯୁଗରେ ବାବା ସମସ୍ତ ସନ୍ତାନମାନଙ୍କୁ କେଉଁ କଥା ସ୍ମରଣ କରାଇ ଦେଉଛନ୍ତି?

ଉତ୍ତର:-
ପିଲାମାନେ ତୁମକୁ ନିଜର ଘର ପରମଧାମକୁ ଛାଡି ଆସିବା ୫ ହଜାର ବର୍ଷ ହୋଇଗଲାଣି । ତୁମେମାନେ ୫ ହଜାର ବର୍ଷ ଭିତରେ ୮୪ ଜନ୍ମ ନେଇସାରିଛ, ଏବେ ଏହା ତୁମର ଅନ୍ତିମ ଜନ୍ମର ବାନପ୍ରସ୍ଥ ଅବସ୍ଥା, ସେଥିପାଇଁ ଏବେ ଘରକୁ ଯିବାର ପ୍ରସ୍ତୁତି କର, ତାପରେ ସୁଖଧାମକୁ ଆସିବାକୁ ହେବ । ଯଦିଓ ଘର ଗୃହସ୍ଥରେ ରହୁଛ, ତେବେ ମଧ୍ୟ ଏହି ଅନ୍ତିମ ଜନ୍ମରେ ପବିତ୍ର ହୋଇ ବାବାଙ୍କୁ ମନେ ପକାଅ ।

ଗୀତ:-
ମହଫିଲ ମେଁ ଜଲ ଉଠି ଶମା...

ଓମ୍ ଶାନ୍ତି ।
ପିଲାମାନେ ଏକଥା ବୁଝିଗଲେଣି ଯେ, ଭଗବାନ ଜଣେ । ଗଡ ଇଜ୍ ୱାନ । ସମସ୍ତ ଆତ୍ମାଙ୍କର ପିତା ଜଣେ, ତାଙ୍କୁ ପରମପିତା ପରମାତ୍ମା କୁହାଯାଏ । ସୃଷ୍ଟିର ରଚୟିତା ମଧ୍ୟ ଜଣେ, ଅନେକ ହୋଇପାରିବେ ନାହିଁ । ଏହି ସିଦ୍ଧାନ୍ତ ଅନୁସାରେ ମନୁଷ୍ୟ ନିଜକୁ ଭଗବାନ ବୋଲି କହିପାରିବ ନାହିଁ । ଏବେ ତୁମେ ଈଶ୍ୱରୀୟ ସେବାର ନିମିତ୍ତ ହୋଇଛ । ଈଶ୍ୱର ନୂଆ ଦୁନିଆ ସ୍ଥାପନ କରୁଛନ୍ତି, ଯାହାକୁ ସତ୍ୟଯୁଗ କୁହଯାଉଛି, ସେଠାକୁ ଯିବା ପାଇଁ ତୁମେମାନେ ଯୋଗ୍ୟ ହେଉଛ । ସତ୍ୟଯୁଗରେ କେହି ପତିତ ନ ଥା’ନ୍ତି । ଏବେ ତୁମେମାନେ ପାବନ ହେଉଛ । ବାବା କହୁଛନ୍ତି, ମୁଁ ହିଁ ପତିତ-ପାବନ ଅଟେ ଏବଂ ମୁଁ ହିଁ ତୁମମାନଙ୍କୁ ଶ୍ରେଷ୍ଠ ମତ ଅର୍ଥାତ୍ ଶ୍ରୀମତ ଦେଉଛି ଯେ, ମୋତେ ମନେ ପକାଅ ଯାହାଦ୍ୱାରା ତୁମେମାନେ ପତିତ ତମୋପ୍ରଧାନରୁ ପାବନ ସତ୍ତ୍ୱପ୍ରଧାନ ହୋଇଯିବ । ଏହି ଯୋଗ ଅଗ୍ନି ଦ୍ୱାରା ତୁମର ପାପ ନାଶ ହୋଇଯିବ । ସାଧୁସନ୍ଥମାନେ ତ କହିଦେଉଛନ୍ତି ଯେ, ଈଶ୍ୱର ସର୍ବବ୍ୟାପୀ । ଗୋଟିଏ ପାର୍ଶ୍ଵରେ କହୁଛନ୍ତି ଭଗବାନ ଜଣେ କିନ୍ତୁ ଏଠାରେ ତ ଅନେକ ଅଛନ୍ତି ଯେଉଁମାନେ ନିଜକୁ ଭଗବାନ ବୋଲି କହୁଛନ୍ତି । ନିଜକୁ ଶ୍ରୀ ଶ୍ରୀ ୧୦୮ ଜଗତଗୁରୁ ବୋଲି କହୁଛନ୍ତି । କିନ୍ତୁ ସାରା ଜଗତର ଗୁରୁ ତ ଏକମାତ୍ର ବାବା ହିଁ ଅଟନ୍ତି । ସାରା ଜଗତର ପାବନକର୍ତ୍ତା ଏକମାତ୍ର ପରମାତ୍ମା ଅଟନ୍ତି, ଯିଏକି ସାରା ଦୁନିଆକୁ ଦୁଃଖରୁ ମୁକ୍ତ କରିଥା’ନ୍ତି । ସିଏ ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ମନୁଷ୍ୟମାନଙ୍କୁ ଏହିଭଳି କୁହାଯାଇପାରିବ ନାହିଁ । ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ । ଏହା ତ ପତିତ ଦୁନିଆ, ଏଠାରେ ସମସ୍ତେ ପତିତ । ପବିତ୍ର ଦୁନିଆରେ ଯଥା ମହାରାଜା-ମହାରାଣୀ ତଥା ପ୍ରଜା । ସତ୍ୟଯୁଗରେ ପୂଜ୍ୟ ମହାରାଜା ମହାରାଣୀମାନେ ଥା’ନ୍ତି । ପୁଣି ସେହିମାନେ ହିଁ ଭକ୍ତିମାର୍ଗରେ ପୂଜାରୀ ହୋଇଯା’ନ୍ତି । ସତ୍ୟଯୁଗରେ ଯେଉଁମାନେ ମହାରାଜା ମହାରାଣୀ ଥା’ନ୍ତି ସେମାନଙ୍କର ଯେତେବେଳେ ଦୁଇ କଳା କମ୍ ହୋଇଯାଏ ସେତେବେଳେ ସେମାନଙ୍କୁ ରାଜା ରାଣୀ କୁହାଯାଏ । ଏସବୁ ହେଲା ବିସ୍ତାରର କଥା । ନଚେତ୍ ଗାୟନ ରହିଛି, ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ବାବା ବୁଝାଉଛନ୍ତି ଗୃହସ୍ଥ ବ୍ୟବହାରରେ ରୁହ କିନ୍ତୁ ଏହି ଅନ୍ତିମ ଜନ୍ମ ପବିତ୍ର ରୁହ । ଏବେ ତୁମମାନଙ୍କର ବାନପ୍ରସ୍ଥ ଅବସ୍ଥା । ବାଣୀରୁ ଉର୍ଦ୍ଧ୍ୱରେ କୁହ ବା ଶାନ୍ତିଧାମ କୁହ, ଏକା କଥା, ସେଠାରେ ଆତ୍ମାମାନେ ବ୍ରହ୍ମତତ୍ତ୍ୱରେ ବାସ କରନ୍ତି ଯାହାକୁ ବ୍ରହ୍ମାଣ୍ଡ କୁହାଯାଏ । ବାସ୍ତବରେ ଆତ୍ମାମାନେ କୌଣସି ଅଣ୍ଡା ସଦୃଶ ନୁହଁନ୍ତି । ଆତ୍ମା ତ ତାରକା ସଦୃଶ । ବାବା ବୁଝାଇଛନ୍ତି, ଯେତେ ବି ଆତ୍ମା ଅଛନ୍ତି ସମସ୍ତେ ଏହି ଡ୍ରାମାରେ ଅଭିନେତା ଅଟନ୍ତି । ଯେପରି ଅଭିନେତାମାନେ ନାଟକରେ ଡ୍ରେସ୍ ବଦଳାଇ, ଭିନ୍ନ ଭିନ୍ନ ପାର୍ଟ କରିଥାନ୍ତି, ସେହିପରି ଏହା ମଧ୍ୟ ଏକ ବେହଦର ନାଟକ । ଆତ୍ମାମାନେ ଏହି ସୃଷ୍ଟି ଉପରେ ୫ ତତ୍ତ୍ୱରେ ତିଆରି ଶରୀରରେ ପ୍ରବେଶ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାର୍ଟ କରିଥା’ନ୍ତି । ପରମାତ୍ମା ଏବଂ ବ୍ରହ୍ମା, ବିଷ୍ଣୁ, ଶଙ୍କର ସମସ୍ତେ ଅଭିନେତା ଅଟନ୍ତି । ନାଟକରେ ପାର୍ଟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଡ୍ରେସ୍ ମିଳିଥାଏ । ନିଜ ଘରେ ଅର୍ଥାତ୍ ପରମଧାମରେ ଆତ୍ମାମାନେ ସବୁ ଶରୀର ରହିତ ଅର୍ଥାତ୍ ଅଶରୀରୀ ଅବସ୍ଥାରେ ଥା’ନ୍ତି । ପୁଣି ଯେତେବେଳେ ୫ ତତ୍ତ୍ୱର ଶରୀର ପ୍ରସ୍ତୁତ ହୋଇଯାଏ, ସେତେବେଳେ ଯାଇ ସେଥିରେ ପ୍ରବେଶ କରିଥା’ନ୍ତି । ୮୪ଟି ଶରୀର ମିଳୁଛି, ତେବେ ସେତିକି ନାମ ମଧ୍ୟ ବଦଳୁଥିବ । କିନ୍ତୁ ଆତ୍ମାର ନାମ ତ ଗୋଟିଏ । ତେବେ ଶିବବାବା ତ ହେଉଛନ୍ତି ହିଁ ପତିତ-ପାବନ, ଯାହାଙ୍କର ନିଜର ଶରୀର ନାହିଁ । ସେଥିପାଇଁ ତାଙ୍କୁ ଶରୀରର ଆଧାର ନେବାକୁ ପଡିଥାଏ । ବାବା କହୁଛନ୍ତି ମୋର ନାମ ଶିବ । ଯଦିଓ ମୁଁ ପୁରୁଣା ଶରୀରରେ ଆସିଛି କିନ୍ତୁ ତାଙ୍କର ନିଜର ଶାରୀରିକ ନାମ ରହିଛି । ତାଙ୍କର ବ୍ୟକ୍ତ (ଲୌକିକ) ନାମ ତ ଅଛି କିନ୍ତୁ ଅବ୍ୟକ୍ତ (ଅଲୌକିକ) ନାମ ବ୍ରହ୍ମା ଦିଆଯାଇଛି । ଯେପରି ଗୋଟିଏ ଧର୍ମର ବ୍ୟକ୍ତି ଯଦି ଅନ୍ୟ ଧର୍ମକୁ ଚାଲିଯାଏ, ତେବେ ତା’ର ନାମ ପରିବର୍ତ୍ତନ ହୋଇଥାଏ । ତୁମେମାନେ ମଧ୍ୟ ଶୁଦ୍ର ଧର୍ମରୁ ପରିବର୍ତ୍ତିତ ହୋଇ ବ୍ରାହ୍ମଣ ଧର୍ମକୁ ଆସିଛ, ତେଣୁ ତୁମର ନାମ ପରିବର୍ତ୍ତନ ହେଉଛି । ତୁମେ ଲେଖୁଛ ଶିବବାବା ଥ୍ରୁ ବ୍ରହ୍ମା । ଶିବବାବା ପରମପିତା ପରମାତ୍ମା ଅଟନ୍ତି, ଯାହାଙ୍କର ନାମ କେବେ ବି ପରିବର୍ତ୍ତନ ହୁଏ ନାହିଁ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି, ଯାହାକି ପ୍ରାୟ ଲୋପ ହୋଇଯାଇଛି । ଯେଉଁମାନେ ପବିତ୍ର ପୂଜ୍ୟ ଥିଲେ, ସେହିମାନେ ହିଁ ପତିତ ପୂଜାରୀ ହୋଇଯାଇଛନ୍ତି, ସେହିମାନେ ହିଁ ୮୪ ଜନ୍ମ ପୁରା କରିଛନ୍ତି । ଏବେ ପୁନର୍ବାର ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଗାୟନ ଅଛି, ପରମପିତା ପରମାତ୍ମା ଆସି ବ୍ରହ୍ମାଙ୍କ ଦ୍ୱାରା ସେହି ଧର୍ମର ପୁନର୍ବାର ସ୍ଥାପନା କରାଉଛନ୍ତି, ତେଣୁ ବ୍ରାହ୍ମଣ ମଧ୍ୟ ନିଶ୍ଚିତ ଆବଶ୍ୟକ । ତେବେ ବ୍ରହ୍ମା ଏବଂ ବ୍ରାହ୍ମଣ କେଉଁଠୁ ଆସିଲେ? ଶିବବାବା ଆସି ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି । କହୁଛନ୍ତି ତୁମେ ସବୁ ମୋର ସନ୍ତାନ । ତେବେ ତୁମେମାନେ ନିଶ୍ଚିତ ଶିବବାବାଙ୍କର ସନ୍ତାନ ତ ଅଟ, କିନ୍ତୁ ବ୍ରହ୍ମାଙ୍କର ସନ୍ତାନ ହେବା କାରଣରୁ ଶିବବାବାଙ୍କର ନାତି ହୋଇଯାଉଛ । ସବୁ ପ୍ରଜାମାନଙ୍କର ପିତା ତ ଜଣେ । ଏତେ ସବୁ ସନ୍ତାନ ତାଙ୍କର କୁମାର-କୁମାରୀ ଅଟନ୍ତି । ସେମାନଙ୍କୁ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି । ଏସବୁ କଥା କ’ଣ ମନୁଷ୍ୟମାନେ ଜାଣିଛନ୍ତି ଯେ, ବାବା ଆସି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି । ଏମିତି ନୁହେଁ ଯେ, ନୂଆ କରି ଆତ୍ମାମାନେ ପାର୍ଟ କରିବା ପାଇଁ ଆସୁଛନ୍ତି । ଯେମିତି ଭକ୍ତିରେ ଦେଖାଇଛନ୍ତି, ପ୍ରଳୟ ହୋଇଗଲା ପୁଣି ଶ୍ରୀକୃଷ୍ଣ ସାଗରରେ ଔଷତ୍‌ଥ ପତ୍ର ଉପରେ ଭାସି-ଭାସି ଆସିଲେ... । ତେବେ ଏସବୁ ତ ହେଲା ମନଗଢା କାହାଣୀ । ସାରା ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଆତ୍ମା ଅମର ଏବଂ ତା ଭିତରେ ଥିବା ପାର୍ଟ ମଧ୍ୟ ଅମର । ପାର୍ଟ କେବେ ଘୋରି ହୋଇଯାଏ ନାହିଁ । ସତ୍ୟଯୁଗରେ ସେହି ଲକ୍ଷ୍ମୀ-ନାରାୟଣଙ୍କର ସୂର୍ଯ୍ୟବଂଶୀ ରାଜଧାନୀ ଚାଲିଆସୁଛି, ଯାହାକି କେବେ ବଦଳୁ ନାହିଁ । ଦୁନିଆ ନୂଆରୁ ପୁରୁଣା ଏବଂ ପୁରୁଣାରୁ ନୂଆ ହୋଇ ଚାଲିଛି । ପ୍ରତ୍ୟେକଙ୍କୁ ଅବିନାଶୀ ପାର୍ଟ ମିଳିଛି ।

ବାବା କହୁଛନ୍ତି, ଭକ୍ତିମାର୍ଗରେ ଭକ୍ତମାନେ ଯେଭଳି ଭାବନାରେ ଭକ୍ତି କରିଥା’ନ୍ତି, ମୁଁ ତାଙ୍କୁ ସେହିଭଳି ସାକ୍ଷାତ୍କାର କରାଇଥାଏ । କାହାକୁ ହନୁମାନଙ୍କର, କାହାକୁ ଗଣେଷଙ୍କର ମଧ୍ୟ ସାକ୍ଷାତ୍‌କାର କରାଇଥାଏ । ସେମାନଙ୍କର ସେହି ଶୁଭଭାବନାକୁ ପୁରଣ କରିଥାଏ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ତେଣୁ ମନୁଷ୍ୟମାନେ ଭାବନ୍ତି ଭଗବାନ ସମସ୍ତଙ୍କ ଭିତରେ ଅଛନ୍ତି, ସେଥିପାଇଁ ସର୍ବବ୍ୟାପୀ କହି ଦେଉଛନ୍ତି । ଭକ୍ତମାନଙ୍କର ମାଳା ମଧ୍ୟ ରହିଛି । ପୁରୁଷମାନଙ୍କ ମଧ୍ୟରେ ନାରଦ ଶିରୋମଣୀ ରୂପରେ, ପୁଣି ନାରୀମାନଙ୍କ ମଧ୍ୟରେ ମୀରାଙ୍କର ଗାୟନ ରହିଛି । ଭକ୍ତମାଳା ଅଲଗା, ଜ୍ଞାନମାଳା ଅଲଗା ଏବଂ ରୁଦ୍ରମାଳା ଅଲଗା । ଭକ୍ତମାନଙ୍କର ମାଳାର କେବେ ପୂଜା ହୁଏ ନାହିଁ । ରୁଣ୍ଡ ମାଳା ଅର୍ଥାତ୍ ବୈଜୟନ୍ତୀ ମାଳାର ପୂଜନ ହୋଇଥାଏ । ଉପରେ ହେଲା ଫୁଲ, ତା’ପରେ ପୁଣି ମେରୁ (ଯୁଗଳଦାନା)... ତାପରେ ହେଲେ ପିଲାମାନେ, ଯେଉଁମାନେ ରାଜଗାଦି ଉପରେ ବସୁଛନ୍ତି । ବୈଜୟନ୍ତୀ ମାଳା ହିଁ ବିଷ୍ଣୁଙ୍କର ମାଳା ଅଟେ । ଭକ୍ତମାନଙ୍କର ମାଳାର କେବଳ ଗାୟନ ହୋଇଥାଏ । ରୁଦ୍ରମାଳାକୁ ତ ସମସ୍ତେ ଗଡାଉଛନ୍ତି । ତୁମେମାନେ ଭକ୍ତ ନୁହେଁ ଜ୍ଞାନୀ ଅଟ । ବାବା କହୁଛନ୍ତି ମୋତେ ଜ୍ଞାନୀ ତୁ ଆତ୍ମା ପ୍ରିୟ ଲାଗିଥା’ନ୍ତି । ବାବା ହିଁ ଜ୍ଞାନର ସାଗର ଅଟନ୍ତି, ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି । ତୁମମାନଙ୍କର ମାଳାର ହିଁ ପୂଜନ ହେଉଛି । ଅଷ୍ଟରତ୍ନଙ୍କର ମଧ୍ୟ ପୂଜନ ହେଉଛି, କାରଣ ସେମାନେ ଜ୍ଞାନୀ ତୁ ଆତ୍ମା ଅଟନ୍ତି । ସେମାନଙ୍କର ଅର୍ଥାତ୍ ସେହି ଅଷ୍ଟରତ୍ନଙ୍କର ମୁଦ୍ରିକା ତିଆରି କରି ପିନ୍ଧିଥା’ନ୍ତି, କାରଣ ସେମାନେ ଭାରତକୁ ସ୍ୱର୍ଗରେ ପରିଣତ କରୁଛନ୍ତି । ସେମାନେ ପାସ ୱିଥ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଛନ୍ତି, ତେଣୁ ସେମାନଙ୍କର ଗାୟନ ହେଉଛି । ନବମ ଦାନା ରୂପରେ ଶିବବାବାଙ୍କୁ ମଝିରେ ରଖିଥା’ନ୍ତି । ତାକୁ ନବରତ୍ନ କହିଥା’ନ୍ତି । ଏହା ହେଲା ବିସ୍ତାରରେ ବୁଝିବାର କଥା । ବାବା ତ କେବଳ ଏତିକି କଥା କହୁଛନ୍ତି ଯେ, ବାବା ଏବଂ ବର୍ସାକୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ଘରକୁ ଫେରିଯିବ । ପତିତ ଆତ୍ମାମାନେ ପାବନ ଦୁନିଆକୁ ଯାଇପାରିବେ ନାହିଁ । ଏଠାରେ ସମସ୍ତେ ପତିତ ଅଟନ୍ତି । ଦେବତାମାନଙ୍କର ଶରୀର ତ ପବିତ୍ର ନିର୍ବିକାରୀ ଅଟେ । ସେମାନେ ହେଲେ ପୂଜ୍ୟ, ଯଥା ରାଜା-ରାଣୀ ତଥା ପ୍ରଜା ସମସ୍ତେ ପୂଜ୍ୟ ଅଟନ୍ତି । ଏଠାରେ ସମସ୍ତେ ହେଲେ ପୂଜାରୀ । ସେଠାରେ ଦୁଃଖର କୌଣସି କଥା ନାହିଁ ତେଣୁ ତାକୁ କୁହାଯାଏ ସ୍ୱର୍ଗ ବା ସୁଖଧାମ । ସେଠାରେ ସୁଖ, ଶାନ୍ତି, ସମ୍ପତ୍ତି ସବୁ କିଛି ଥିଲା । ଏବେ ତ କିଛି ବି ନାହିଁ ସେଥିପାଇଁ ଏହାକୁ ନର୍କ କୁହାଯାଉଛି ଏବଂ ତାକୁ ସ୍ୱର୍ଗ କୁହାଯାଉଛି । ଆମେ ଆତ୍ମାମାନେ ଶାନ୍ତିଧାମର ନିବାସୀ ଅଟୁ । ସେଠାରୁ ପାର୍ଟ କରିବା ପାଇଁ ଏଠାକୁ ଆସୁଛୁ । ଆମକୁ ପୁରା ୮୪ ଜନ୍ମ ଭୋଗ କରିବାକୁ ପଡୁଛି । ଏବେ ହେଲା ଦୁଃଖଧାମ ପୁଣି ଆମେ ଶାନ୍ତିଧାମକୁ ଯାଇ ସୁଖଧାମକୁ ଆସିବା । ବାବା ଆମକୁ ସୁଖଧାମର ମାଲିକ କରିବା ପାଇଁ, ମନୁଷ୍ୟରୁ ଦେବତା କରିବା ପାଇଁ ପୁରୁଷାର୍ଥ କରାଉଛନ୍ତି । ବର୍ତ୍ତମାନ ଏହା ତୁମର ସଂଗମଯୁଗ । ବାବା କହୁଛନ୍ତି ମୁଁ କଳ୍ପର ସଂଗମଯୁଗରେ ଆସୁଛି, ଯୁଗେ ଯୁଗେ ନୁହେଁ । ମୁଁ ସୃଷ୍ଟିକୁ ପରିବର୍ତ୍ତନ କରିବା ପାଇଁ ଥରେ ମାତ୍ର ଏହି ସଂଗମଯୁଗରେ ହିଁ ଆସୁଛି । ପ୍ରଥମେ ସତ୍ୟଯୁଗ ଥିଲା, ଏବେ କଳିଯୁଗ ଅଛି, ପୁଣି ସତ୍ୟଯୁଗ ଆସିବ । ଏହା ହେଲା କଲ୍ୟାଣକାରୀ ସଂଗମଯୁଗ । ଯେଉଁ ସମୟରେ ସମସ୍ତଙ୍କର କଲ୍ୟାଣ ହେବାକୁ ଯାଉଛି, ବାବା ସମସ୍ତଙ୍କୁ ରାବଣର ଜେଲ୍‌ରୁ ମୁକ୍ତ କରୁଛନ୍ତି । ତେଣୁ ତାଙ୍କୁ ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯାଉଛି । ଏଠାରେ ସମସ୍ତେ ଦୁଃଖୀ । ତୁମେ ସୁଖଧାମକୁ ଯିବା ପାଇଁ ପୁରୁଷାର୍ଥ କରୁଛ କିନ୍ତୁ ସୁଖଧାମକୁ ଯିବାକୁ ହେଲେ ପ୍ରଥମେ ଶାନ୍ତିଧାମକୁ ଯିବାକୁ ହେବ । ଆଜିକୁ ୫ ହଜାର ବର୍ଷ ହେବ ତୁମେମାନେ ପାର୍ଟ କରି କରି ଆସିଛ ।

ବାବା ବୁଝାଉଛନ୍ତି, ତୁମକୁ ନିଜର ଘରକୁ ଛାଡିବାର ୫ ହଜାର ବର୍ଷ ହୋଇଗଲାଣି । ଏହା ମଧ୍ୟରେ ତୁମେ ଭାରତବାସୀମାନେ ୮୪ ଜନ୍ମ ନେଇ ସାରିଛ । ଏବେ ତୁମର ଅନ୍ତିମ ଜନ୍ମ ଅଟେ ଏବଂ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ତେଣୁ ସମସ୍ତଙ୍କୁ ଯିବାକୁ ହେବ । ଗାୟନ ମଧ୍ୟ ଅଛି ଜ୍ଞାନର ସାଗର ବା ରୁଦ୍ର । ଏହା ହେଲା ଶିବବାବଙ୍କର ଜ୍ଞାନ ଯଜ୍ଞ । ଶିବବାବା ହିଁ ପତିତ-ପାବନ, ପରମପିତା ଅଟନ୍ତି । ରୁଦ୍ର ନାମ ତ ଭକ୍ତମାନେ ଦେଇଛନ୍ତି । ତାଙ୍କର ପ୍ରକୃତ ନାମ କେବଳ ଗୋଟିଏ, ଶିବ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛନ୍ତି । ବ୍ରହ୍ମା ମଧ୍ୟ ଜଣେ ହିଁ ଅଟନ୍ତି । ଏହି ପତିତ ହିଁ ପବିତ୍ର ବ୍ରହ୍ମା ହୁଅନ୍ତି ପୁଣି ଶେଷରେ ଫରିସ୍ତା ହୋଇଯା’ନ୍ତି । ଯାହାଙ୍କୁ ସୂକ୍ଷ୍ମଲୋକରେ ଦେଖାଉଛନ୍ତି, ସିଏ ଅନ୍ୟ କେହି ନୁହଁନ୍ତି, ବ୍ରହ୍ମା ତ ଜଣେ କିନ୍ତୁ ଇଏ ବ୍ୟକ୍ତ ସିଏ ଅବ୍ୟକ୍ତ । ଇଏ ସମ୍ପୂର୍ଣ୍ଣ ପବିତ୍ର ହୋଇଗଲା ପରେ ୟାଙ୍କୁ ହିଁ ତୁମେ ସୂକ୍ଷ୍ମଲୋକରେ ଦେଖିବ । ସେଠାରେ ହାଡ-ମାଂସର ଶରୀର ନ ଥାଏ ।

ବାବା ବୁଝାଇଥିଲେ - ଯେଉଁ ଆତ୍ମାକୁ ଶରୀର ମିଳେ ନାହିଁ ସିଏ ଏତେତେଣେ ଘୂରି ବୁଲିଥାଏ, ଯାହାକୁ ଭୂତ କୁହାଯାଏ । ଯେ ପର୍ଯ୍ୟନ୍ତ ଶରୀର ନ ମିଳିଛି, ସେ ପର୍ଯ୍ୟନ୍ତ ଏଣେତେଣେ ଘୂରି ବୁଲୁଥାଏ । ସେମାନଙ୍କ ଭିତରେ କେହି କେହି ଭଲ ଆତ୍ମା ଥା’ନ୍ତି ଆଉ କେହି ଖରାପ ଆତ୍ମା ମଧ୍ୟ ଥା’ନ୍ତି । ତେବେ ବାବା ପ୍ରତ୍ୟେକ କଥାର ଜ୍ଞାନ ଦେଉଛନ୍ତି । କାରଣ ସିଏ ଜ୍ଞାନର ସାଗର ଅଟନ୍ତି, ତେଣୁ ନିଶ୍ଚିତ ଭାବରେ ଜ୍ଞାନ ବୁଝାଇବେ । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ବାବା ଏବଂ ବର୍ସାକୁ ମନେ ପକାଇଲେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ବର୍ସା ମିଳିଯିବ । ଏହା କେତେ ସହଜ । ନାମ ହିଁ ସହଜ ରାଜଯୋଗ । ସେମାନେ ଅର୍ଥାତ୍ ସନ୍ନ୍ୟାସୀମାନେ ଭାବୁଛନ୍ତି, ଏହା ହିଁ ଭାରତର ପ୍ରାଚୀନ ଯୋଗ କିନ୍ତୁ ତାହା ସେମାନଙ୍କର ହଠଯୋଗ ଅଟେ । ରାଜଯୋଗ ତ ବିଲ୍‌କୁଲ୍ ସହଜ ଅଟେ । ଯୋଗ ଅର୍ଥାତ୍ ସ୍ମରଣ । ସେମାନଙ୍କର ହେଲା ହଠଯୋଗ । ଏହା ହେଲା ସହଜ ଯୋଗ । ବାବା କହୁଛନ୍ତି, ମୋତେ ଏହିଭଳି ମନେ ପକାଅ । କୌଣସି ଲକେଟ୍ ବା ପଦକ ଆଦି ଗଳାରେ ପିନ୍ଧିବାର ଆବଶ୍ୟକତା ନାହିଁ । ତୁମେମାନେ ତ ସେହି ପିତାଙ୍କର ସନ୍ତାନ ଅଟ । କେବଳ ତାଙ୍କୁ ମନେ ପକାଅ । ତୁମେ ଏଠାକୁ ପାର୍ଟ କରିବା ପାଇଁ ଆସିଛ । ଏବେ ସମସ୍ତଙ୍କୁ ଘରକୁ ଫେରି ଯିବାକୁ ହେବ । ପୁଣି ଏଠାକୁ ଆସି ସେହି ପାର୍ଟ କରିବାକୁ ହେବ । ଭାରତବାସୀ ହିଁ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ ଏବଂ ଶୁଦ୍ରବଂଶୀ ହୋଇଥାନ୍ତି । ମଝିରେ ଅନ୍ୟ ଧର୍ମାବଲମ୍ବୀ ମଧ୍ୟ ଆସିଥା’ନ୍ତି । ତୁମେ ଏଠାରେ ୮୪ ଜନ୍ମ ନେଉଛ । ପୁଣି ତୁମକୁ ହିଁ ନମ୍ବରୱାନରେ ଯିବାକୁ ହେବ । ପୁଣି ତୁମେମାନେ ସତ୍ୟଯୁଗକୁ ଆସିବ ଏବଂ ଅନ୍ୟ ସମସ୍ତେ ଶାନ୍ତିଧାମରେ ଥିବେ । ସେତେବେଳେ ଅନ୍ୟ ସବୁ ଧର୍ମବାଲା ନ ଥିବେ । ଅନ୍ୟ ଧର୍ମାବଲମ୍ବୀଙ୍କର କୌଣସି ବର୍ଣ୍ଣ ନାହିଁ । ବର୍ଣ୍ଣ ତ କେବଳ ଭାରତବାସୀଙ୍କର ହିଁ ହୋଇଥାଏ । ତୁମେମାନେ ହିଁ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ହୋଇଥିଲ । ଏବେ ବ୍ରହ୍ମାବଂଶୀ ବ୍ରାହ୍ମଣ ବର୍ଣ୍ଣରେ ଅଛ । ଏହି ସବୁ କଥା ବାବା ଆସି ବୁଝାଉଛନ୍ତି । ଯେଉଁମାନଙ୍କ ବୁଦ୍ଧିରେ ଜ୍ଞାନର ଧାରଣା ହୋଇପାରୁ ନାହିଁ, ବାବା ସେମାନଙ୍କୁ କହୁଛନ୍ତି, ତୁମେ କେବଳ ବାବାଙ୍କୁ ମନେ ପକାଅ । ଯେପରି ପିତାଙ୍କୁ ଜାଣିବା ଦ୍ୱାରା ପୁତ୍ରକୁ ସମ୍ପତ୍ତି ବିଷୟରେ ଜଣା ପଡିଯାଏ ଯେ, ଏହା ମୋ ପିତାଙ୍କର ସମ୍ପତ୍ତି । ଝିଅକୁ ତ ସମ୍ପତ୍ତି ମିଳି ନ ଥାଏ । ଏଠାରେ ତୁମେ ସମସ୍ତେ ପୁତ୍ର, ତେଣୁ ସମ୍ପତ୍ତିରେ ସମସ୍ତଙ୍କର ଅଧିକାର ଅଛି । ପୁରୁଷ ହୁଅନ୍ତୁ ବା ନାରୀ ସମସ୍ତଙ୍କର ବାବାଙ୍କର ସମ୍ପତ୍ତିରେ ଅଧିକାର ଅଛି । ସମସ୍ତଙ୍କୁ ଶିଖାଇବାକୁ ହେବ ଯେ, ଶିବବାବାଙ୍କୁ ମନେ ପକାଅ । ତାଙ୍କୁ ଯେତେ ମନେ ପକାଇବ ସେତେ ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇଯିବ । ନଚେତ୍ ଆତ୍ମାରେ ଯେଉଁ ଖାଦ ଅର୍ଥାତ୍ ବିକାର ମିଶି ଯାଇଛି ତାହା ବାହାରିବ କିପରି? ବାବା କହୁଛନ୍ତି ଯୋଗ ଦ୍ୱାରା ହିଁ ତୁମର ଖାଦ ସମାପ୍ତ ହେବ । ଏହି ପତିତ ଶରୀରକୁ ତ ଏହିଠାରେ ହିଁ ଛାଡି ଯିବାକୁ ହେବ । ଆତ୍ମାମାନେ ଯେତେବେଳେ ପବିତ୍ର ହୋଇଯିବେ ସବୁ ଆତ୍ମା ମଶାମାନଙ୍କ ଭଳି ଘରକୁ ଉଡି ଯିବେ । ବୁଦ୍ଧି ମଧ୍ୟ କହୁଛି, ସତ୍ୟଯୁଗରେ ବହୁତ କମ ମନୁଷ୍ୟ ରହିବେ । ଏହି ବିନାଶରେ କେତେ ମନୁଷ୍ୟ ମରିବେ । ବାକି ଅଳ୍ପ ରହିବେ । ସତ୍ୟଯୁଗରେ ରାଜାମାନେ ତ ଅଳ୍ପ ସଂଖ୍ୟାରେ ରହିବେ ବାକି ୯ ଲକ୍ଷ ପ୍ରଜା ଥା’ନ୍ତି । ଏହା ଉପରେ ଗାୟନ ମଧ୍ୟ ଅଛି ନା - ୯ ଲକ୍ଷ ତାରା, ଅର୍ଥାତ୍‌ ପ୍ରଜା । ସୃଷ୍ଟିରୂପୀ ବୃକ୍ଷ ପ୍ରଥମେ ଛୋଟ ହୋଇଥାଏ, ପରେ ପୁଣି ବୃଦ୍ଧି ପ୍ରାପ୍ତ ହୋଇଥାଏ । ଏବେ ତ ବହୁତ ଆତ୍ମା ଅଛନ୍ତି । ବାବା ଆସି ସମସ୍ତଙ୍କର ଗାଇଡ୍ ହୋଇ ସାଙ୍ଗରେ ନେଇଯାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗ ଅଗ୍ନି ଦ୍ୱାରା ବିକର୍ମର ଖାଦକୁ ଭସ୍ମ କରି ପବିତ୍ର ହେବାର ଅଛି । ଏବେ ତୁମମାନଙ୍କର ବାନପ୍ରସ୍ଥ ଅବସ୍ଥା, ତେଣୁ ଘରକୁ ଫେରିଯିବା ପାଇଁ ସମ୍ପୂର୍ଣ୍ଣ ସତ୍ତ୍ୱପ୍ରଧାନ ହେବାକୁ ପଡିବ ।

(୨) ଏହି କଲ୍ୟାଣକାରୀ ଯୁଗରେ ବାବାଙ୍କ ଭଳି ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାକୁ ପଡିବ ।

ବରଦାନ:-
ସର୍ବଦା କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ମୁଶକିଲ୍ କାର୍ଯ୍ୟକୁ ସହଜ କରୁଥିବା ଡବଲ ଲାଇଟ୍ ଭବ ।

ଯେଉଁ ପିଲାମାନେ ନିରନ୍ତର ଯୋଗଯୁକ୍ତ ସ୍ଥିତିରେ ରହିଥାଆନ୍ତି ସେମାନେ ସର୍ବଦା ବାବାଙ୍କ ସଙ୍ଗର ଅନୁଭବ କରିଥାଆନ୍ତି । ତାଙ୍କ ସମ୍ମୁଖରେ ଯଦି କୌଣସି ବି ସମସ୍ୟା ଆସିଥାଏ, ତେବେ ସେମାନେ ନିଜକୁ ବାବାଙ୍କ ସହିତ କମ୍ବାଇଣ୍ଡ ଅନୁଭବ କରିଥାଆନ୍ତି, ତେଣୁ ବିଚଳିତ ହୁଅନ୍ତି ନାହିଁ । ଏହିଭଳି କମ୍ବାଇଣ୍ଡ ସ୍ୱରୂପର ସ୍ମୃତି ଯେ କୌଣସି କଷ୍ଟକର କାର୍ଯ୍ୟକୁ ମଧ୍ୟ ସହଜ କରିଦେଇଥାଏ । ତେଣୁ କେବେ ଯଦି କୌଣସି ବଡ ସମସ୍ୟା ସମ୍ମୁଖକୁ ଆସିଥାଏ ତେବେ ନିଜର ବୋଝକୁ ବାବାଙ୍କ ଉପରେ ରଖି ଦେଇ ନିଜେ ଡବଲ ଲାଇଟ୍ ହୋଇଯାଅ, ତେବେ ଫରିସ୍ଥାମାନଙ୍କ ଭଳି ଦିନରାତି ମନେ ମନେ ଖୁସିରେ ନାଚ କରୁଥିବେ ।

ସ୍ଲୋଗାନ:-
ଯେ କୌଣସି କାରଣକୁ ନିବାରଣ କରି ସର୍ବଦା ସନ୍ତୁଷ୍ଟ ରହୁଥିବା ଆତ୍ମାମାନେ ହିଁ ସନ୍ତୁଷ୍ଟମଣୀ ଅଟନ୍ତି ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ଯଦି ପ୍ରତ୍ୟେକ ପାଦ ଶ୍ରୀମତ ଅନୁସାରେ ଚାଲୁଥିବ, ତେବେ ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହିବ ଏବଂ ନିଶ୍ଚିନ୍ତ ସ୍ଥିତିରେ ରହୁଥିବା ଆତ୍ମା ସର୍ବଦା ଯଥାର୍ଥ ନିର୍ଣ୍ଣୟ କରିଥାଏ, ଏବଂ ଯାହାର ନିର୍ଣ୍ଣୟ ଯଥାର୍ଥ ହୋଇଥାଏ ସେ ସର୍ବଦା ବିଜୟୀ ହୋଇଥାଏ । ତେବେ ତ୍ରିକାଳଦର୍ଶୀ ଆତ୍ମା ସଦା ସର୍ବଦା ନିଶ୍ଚିନ୍ତରେ ରହିଥାଏ କାହିଁକିନା ନିଶ୍ଚୟ ରହିଥାଏ ଯେ ମୋ’ର ବିଜୟ ସୁନିଶ୍ଚିତ ଅଟେ ।