05.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ସାରା ଦୁନିଆ ରୋଗୀମାନଙ୍କର ଏକ ବଡ ଡାକ୍ତରଖାନା ଅଟେ, ବାବା ଆସିଛନ୍ତି ସାରା ଦୁନିଆକୁ ନିରୋଗୀ
କରିବା ପାଇଁ ।”
ପ୍ରଶ୍ନ:-
କେଉଁ ସ୍ମୃତି
ରହିଲେ କେବେ ବି ଝାଉଁଳି ପଡିବ ନାହିଁ କିମ୍ବା ଦୁଃଖର ଲହଡି ଆସିପାରିବ ନାହିଁ?
ଉତ୍ତର:-
ବର୍ତ୍ତମାନ ଆମେ ଏହି ପୁରୁଣା ଦୁନିଆ, ପୁରୁଣା ଶରୀରକୁ ଛାଡି ଘରକୁ ଯିବୁ ପୁଣି ନୂଆ ଦୁନିଆରେ
ପୁନର୍ଜନ୍ମ ନେବୁ । ଆମେ ଏବେ - ରାଜତ୍ତ୍ୱ କରିବା ପାଇଁ ରାଜଯୋଗ ଶିଖୁଛୁ । ବାବା ଆମମାନଙ୍କ ପାଇଁ
ଆତ୍ମିକ ରାଜସ୍ଥାନ ସ୍ଥାପନ କରୁଛନ୍ତି, ଏହି ସ୍ମୃତି ରହିଲେ ଦୁଃଖର ଲହଡି ଆସିପାରିବ ନାହିଁ ।
ଗୀତ:-
ତୁହ୍ମି ହୋ ମାତା...
ଓମ୍ ଶାନ୍ତି ।
ଏହି ସବୁ ଗୀତ ତୁମମାନଙ୍କ ପାଇଁ ନୁହେଁ, ଏ ସବୁ ହେଲା ନୂଆମାନଙ୍କୁ ବୁଝାଇବା ପାଇଁ । ଏମିତି ବି
ନୁହେଁ ଯେ ଏଠାରେ ସମସ୍ତେ ବୁଦ୍ଧିମାନ ଅଛନ୍ତି । ନା, ଏବେ ବାବା ତୁମମାନଙ୍କୁ ବୁଦ୍ଧିମାନ
କରୁଛନ୍ତି । ପିଲାମାନେ ଜାଣୁଛନ୍ତି ଯେ, ଆମେ କେତେ ଅବୁଝା ହୋଇଯାଇଥିଲୁ, ଏବେ ବାବା ଆମକୁ
ବୁଦ୍ଧିମାନ କରୁଛନ୍ତି । ଯେପରି ସ୍କୁଲ୍ରେ ପାଠପଢ଼ି ପିଲାମାନେ ବହୁତ ବୁଦ୍ଧିମାନ ହୋଇଥା’ନ୍ତି ।
ପ୍ରତ୍ୟେକ ନିଜ ନିଜର ବୁଦ୍ଧି ଦ୍ୱାରା ବାରିଷ୍ଟର, ଇଞ୍ଜିନିୟର ଆଦି ହୋଇଥା’ନ୍ତି । ଏଠାରେ ମଧ୍ୟ
ଆତ୍ମାକୁ ବୁଦ୍ଧିମାନ କରିବାକୁ ହେବ । ଆତ୍ମା ଶରୀର ଦ୍ୱାରା ପାଠ ପଢ଼ୁଛି । କିନ୍ତୁ ବାହାରେ ଯେଉଁ
ଶିକ୍ଷା ମିଳୁଛି, ତାହା ଅଳ୍ପକାଳ ଶରୀର ନିର୍ବାହ ଅର୍ଥେ । କେହି କେହି ଧର୍ମାନ୍ତରଣ ମଧ୍ୟ
କରୁଛନ୍ତି, ହିନ୍ଦୁମାନଙ୍କୁ ଖ୍ରୀଷ୍ଟିୟାନ କରିଦେଉଛନ୍ତି - କାହିଁକି? ଅଳ୍ପକାଳର ସୁଖ ପାଇବା
ପାଇଁ, ପଇସା, ଚାକିରୀ ଆଦି ସହଜରେ ମିଳିବା ପାଇଁ, ନିଜର ଆଜିବିକା ପାଇଁ । ଏବେ ତୁମେମାନେ ଜାଣିଛ
ଆମକୁ ପ୍ରଥମେ ପ୍ରଥମେ ଆତ୍ମ-ଅଭିମାନୀ ହେବାକୁ ପଡିବ । ଏହା ହେଉଛି ମୁଖ୍ୟ କଥା, କାହିଁକିନା ଏହା
ହେଉଛି ରୋଗୀ ଦୁନିଆ । ଏଠାରେ ଏପରି କୌଣସି ମନୁଷ୍ୟ ନାହାଁନ୍ତି ଯିଏକି ରୋଗୀ ହେଉନାହାନ୍ତି ।
କିଛି ନା କିଛି ରୋଗ ନିଶ୍ଚିତ ହୋଇଥାଏ । ବର୍ତ୍ତମାନ ଏହି ସାରା ଦୁନିଆ ହେଉଛି ସବୁଠାରୁ ବଡ
ଡାକ୍ତରଖାନା, ଯେଉଁଠି ସବୁ ମନୁଷ୍ୟମାନେ ପତିତ ରୋଗୀ । ଆୟୁଷ ମଧ୍ୟ ବହୁତ କମ୍ ରହୁଛି ।
ଅକାଳମୃତ୍ୟୁ ହୋଇଯାଉଛି । ସମସ୍ତେ କାଳର ଅଧୀନରେ ଆସିଯାଉଛନ୍ତି । ଏକଥା ମଧ୍ୟ ତୁମେ ପିଲାମାନେ
ଜାଣିଛ । ତୁମେ ପିଲାମାନେ କେବଳ ଭାରତର ନୁହେଁ, ସାରା ବିଶ୍ୱର ସେବା ଗୁପ୍ତ ରୂପରେ କରୁଛ । ମୂଳ
କଥା ହେଉଛି ବାବାଙ୍କୁ କେହି ଜାଣିନାହାଁନ୍ତି । ମନୁଷ୍ୟ ହୋଇ ମଧ୍ୟ ପାରଲୌକିକ ପିତାଙ୍କୁ
ଜାଣିନାହାନ୍ତି, ତାଙ୍କୁ ସ୍ନେହ କରୁନାହାନ୍ତି । ବର୍ତ୍ତମାନ ବାବା କହୁଛନ୍ତି ମୋ ସହିତ ସ୍ନେହ
ରଖ । ମୋ ସହିତ ସ୍ନେହ ରଖି ରଖି ତୁମକୁ ମୋ ସହିତ ଘରକୁ ଫେରିବାକୁ ପଡିବ । ଯେ ପର୍ଯ୍ୟନ୍ତ ଘରକୁ
ନ ଯାଇଛ ସେ ପର୍ଯ୍ୟନ୍ତ ଏହି ଛି ଛି ଦୁନିଆରେ ରହିବାକୁ ପଡିବ । ପ୍ରଥମେ ଦେହ-ଅଭିମାନୀରୁ
ଦେହୀ-ଅଭିମାନୀ ହୁଅ ତେବେ ତୁମେ ଧାରଣା କରିପାରିବ ଏବଂ ବାବାଙ୍କୁ ସ୍ମରଣ କରିପାରିବ । ଯଦି
ଦେହୀ-ଅଭିମାନୀ ହୋଇ ରହୁ ନାହଁ ତେବେ ତୁମେ କୌଣସି କାମର ନୁହଁ । ବର୍ତ୍ତମାନ ସମସ୍ତେ
ଦେହ-ଅଭିମାନୀ ଅଟନ୍ତି । ତୁମେମାନେ ମଧ୍ୟ ବୁଝିପାରୁଛ ଯେ, ଆମେ ଆତ୍ମ-ଅଭିମାନୀ ହୋଇନାହୁଁ,
ବାବାଙ୍କୁ ସ୍ମରଣ କରୁନାହୁଁ ତେଣୁ ଆମେ ପୂର୍ବଭଳି ହିଁ ରହିଛୁ । ମୂଳକଥା ହେଉଛି ଦେହୀ-ଅଭିମାନୀ
ହେବା । ନାଁ କି କେବଳ ରଚନାକୁ ଜାଣିବା । ଗାୟନ ମଧ୍ୟ ରହିଛି, ରଚୟିତା ଏବଂ ରଚନାର ଜ୍ଞାନ ।
ଏମିତି ନୁହେଁ ଯେ, ପ୍ରଥମେ ରଚନା ପରେ ରଚୟିତାର ଜ୍ଞାନ କୁହାଯିବ । ନା, ପ୍ରଥମେ ରଚୟିତା ଏବଂ
ସିଏ ହିଁ ଆମର ବାବା ଅଟନ୍ତି । ହେ ଈଶ୍ୱରୀୟ ପିତା ବୋଲି ମଧ୍ୟ ତାଙ୍କୁ ହିଁ କୁହାଯାଇଥାଏ । ସେ
ଆସି ତୁମକୁ ନିଜ ସମାନ କରୁଛନ୍ତି । ବାବା ତ ସର୍ବଦା ଆତ୍ମ-ଅଭିମାନୀ ତେଣୁ ସେ ସୁପ୍ରିମ୍ ଅଟନ୍ତି
। ବାବା କହୁଛନ୍ତି ମୁଁ ତ ଆତ୍ମ ଅଭିମାନୀ ଅଟେ । ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରିଛି ତାଙ୍କୁ
ମଧ୍ୟ ଆତ୍ମ-ଅଭିମାନୀ କରାଉଛି । ଏହାଙ୍କୁ ପରିବର୍ତ୍ତନ କରିବା ପାଇଁ ୟାଙ୍କ ଶରୀରରେ ପ୍ରବେଶ
କରୁଛି କାହିଁକିନା ଇଏ ମଧ୍ୟ ଦେହ-ଅଭିମାନୀ ଥିଲେ । ମୁଁ ଏହାଙ୍କୁ ମଧ୍ୟ କହୁଛି ନିଜକୁ ଆତ୍ମା
ନିଶ୍ଚୟ କରି ମୋତେ ଯଥାର୍ଥ ଭାବରେ ମନେ ପକାଅ । ଏପରି ବହୁତ ମନୁଷ୍ୟ ଭାବୁଛନ୍ତି ଆତ୍ମା ଅଲଗା ଏବଂ
ଜୀବ ଅଲଗା, ଆତ୍ମା ଦେହରୁ ବାହାରିଯାଏ ତେଣୁ ଦୁଇଟି ଜିନିଷ ହେଲା ନା । ବାବା ବୁଝାଉଛନ୍ତି ତୁମେ
ହେଉଛ ଆତ୍ମା । ଆତ୍ମା ହିଁ ପୁନର୍ଜନ୍ମ ନେଉଛି । ଆତ୍ମା ହିଁ ଶରୀର ଧାରଣ କରି ପାର୍ଟ କରୁଛି ।
ବାବା ବାରମ୍ବାର ବୁଝାଉଛନ୍ତି ନିଜକୁ ଆତ୍ମା ଭାବ, ଏଥିରେ ବହୁତ ପରିଶ୍ରମ ଆବଶ୍ୟକ । ଯେପରି
ଛାତ୍ରମାନେ ପଢ଼ିବା ପାଇଁ ଏକାନ୍ତରେ, ବଗିଚା ଆଦିରେ ଯାଇ ପଢ଼ିଥା’ନ୍ତି । ପାଦ୍ରୀମାନେ ମଧ୍ୟ
ବୁଲିବାକୁ ଯିବା ସମୟରେ ଏକଦମ୍ ଶାନ୍ତ ରହିଥା’ନ୍ତି । କିନ୍ତୁ ସେମାନେ କୌଣସି ଆତ୍ମ-ଅଭିମାନୀ
ହୋଇ ରହି ନ ଥା’ନ୍ତି । କେବଳ ଖ୍ରୀଷ୍ଟଙ୍କର ସ୍ମୃତିରେ ରହିଥା’ନ୍ତି । ଘରେ ରହି ମଧ୍ୟ ଯୋଗ
କରିପାରିବେ କିନ୍ତୁ ଖାସ୍ ଏକାନ୍ତକୁ ଯାଇଥା’ନ୍ତି ଖ୍ରୀଷ୍ଟଙ୍କୁ ମନେ ପକାଇବା ପାଇଁ, ସେମାନେ ଆଉ
କେଉଁ ଆଡକୁ ଦେଖନ୍ତି ନାହିଁ । ଯେଉଁମାନେ ଭଲ ହୋଇଥା’ନ୍ତି, ସେମାନେ ଭାବନ୍ତି ଯେ ଆମେ
ଖ୍ରୀଷ୍ଟଙ୍କୁ ସ୍ମରଣ କରି କରି ତାଙ୍କ ପାଖକୁ ଚାଲିଯିବୁ । ଖ୍ରୀଷ୍ଟ ସ୍ୱର୍ଗରେ ଅଛନ୍ତି, ଆମେ
ମଧ୍ୟ ସ୍ୱର୍ଗକୁ ଚାଲିଯିବୁ । ଏକଥା ମଧ୍ୟ ଭାବୁଛନ୍ତି ଯେ ଖ୍ରୀଷ୍ଟ ଈଶ୍ୱର ପିତାଙ୍କ ପାଖକୁ
ସ୍ୱର୍ଗକୁ ଚାଲିଯାଇଛନ୍ତି । ଆମେ ମଧ୍ୟ ସ୍ମରଣ କରି କରି ତାଙ୍କ ପାଖକୁ ଯିବୁ । ତେବେ
ଖ୍ରୀଷ୍ଟିୟାନମାନେ ମଧ୍ୟ ସେହି ଜଣଙ୍କର ହିଁ ସନ୍ତାନ ଅଟନ୍ତି । ତାଙ୍କ ପାଖରେ କିଛି ଜ୍ଞାନ ଠିକ୍
ଅଛି । କିନ୍ତୁ ଖ୍ରୀଷ୍ଟଙ୍କର ଆତ୍ମା ତ ଉପରକୁ ଯାଇ ହିଁ ନାହାଁନ୍ତି । ଖ୍ରୀଷ୍ଟ ନାମଟି ଶରୀରର,
ଯାହାଙ୍କୁ ଫାଶୀରେ ଚଢ଼ାଇଥିଲେ । ଆତ୍ମା ତ ଫାଶୀ ଉପରେ ଚଢି ନ ଥାଏ । ବାସ୍ତବରେ ଖ୍ରୀଷ୍ଟଙ୍କର
ଆତ୍ମା ଈଶ୍ୱର ପିତାଙ୍କ ପାଖକୁ ଗଲେ, ଏକଥା କହିବା ମଧ୍ୟ ଭୁଲ୍ । ମଝିରୁ କେହି କିପରି ଘରକୁ ଫେରି
ଯାଇପାରିବେ? ପ୍ରତ୍ୟେକଙ୍କୁ ସ୍ଥାପନା ଏବଂ ପାଳନା ମଧ୍ୟ ନିଶ୍ଚିତ କରିବାକୁ ପଡିଥାଏ । ଯେପରି
ନିଜର ରହିବା ଘରକୁ ମରାମତି, ରଙ୍ଗ ଇତ୍ୟାଦି କରାଯାଇଥାଏ, ଏହାକୁ ମଧ୍ୟ ପାଳନା କୁହାଯିବ ନା ।
ବର୍ତ୍ତମାନ ତୁମେ ବେହଦର ବାବାଙ୍କୁ ମନେ ପକାଅ । ଏହି ଜ୍ଞାନ ବେହଦ ବାବାଙ୍କ ବିନା ଆଉ କେହି
ଦେଇପାରିବେ ନାହିଁ । ଏବେ ନିଜର କଲ୍ୟାଣ କରିବାକୁ ହେବ । ରୋଗୀରୁ ନୀରୋଗୀ ହେବାକୁ ପଡିବ । ଏହା
ରୋଗୀମାନଙ୍କର ବଡ ଡାକ୍ତରଖାନା । ସାରା ବିଶ୍ୱ ବର୍ତ୍ତମାନ ରୋଗୀମାନଙ୍କର ଡାକ୍ତରଖାନା ଅଟେ ।
ରୋଗୀମାନେ ନିଶ୍ଚିତ ଜଲ୍ଦି ମରିଯିବେ, ତେଣୁ ବାବା ଆସି ସାରା ବିଶ୍ୱକୁ ନୀରୋଗୀ କରାଉଛନ୍ତି ।
ଏପରି ନୁହେଁ ଯେ, ଏହିଠାରେ ହିଁ ନୀରୋଗୀ ହେବେ । ବାବା କହୁଛନ୍ତି - ନୂଆ ଦୁନିଆରେ ନୀରୋଗୀ ରହିବେ
। ଏହି ପୁରୁଣା ଦୁନିଆରେ ନୀରୋଗୀ ରହିପାରିବେ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି
ସମ୍ପୂର୍ଣ୍ଣ ନିରୋଗୀ, ସଦା ସୁସ୍ଥ । ସେଠାରେ ଦୀର୍ଘାୟୁ ମଧ୍ୟ ରହିବେ, ବିକାରୀମାନେ ରୋଗୀ
ହୋଇଥା’ନ୍ତି । ନିର୍ବିକାରୀମାନେ ରୋଗୀ ହୋଇ ନଥା’ନ୍ତି । ସେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ
ରହିଥା’ନ୍ତି । ବାବା ନିଜେ କହୁଛନ୍ତି ବର୍ତ୍ତମାନ ସମୟରେ ସାରା ବିଶ୍ୱ, ସ୍ୱତନ୍ତ୍ର ରୂପେ ଭାରତ
ରୋଗୀ ହୋଇଯାଇଛି । ପ୍ରଥମେ ତୁମେମାନେ ନୀରୋଗୀ ଦୁନିଆକୁ ଆସୁଛ, ଯୋଗର ଯାତ୍ରା ଦ୍ୱାରା ନୀରୋଗୀ
ହେଉଛ । ୟାଦ ଦ୍ୱାରା ତୁମେମାନେ ନିଜ ଶାନ୍ତିଧାମକୁ ଚାଲିଯିବ । ଏହା ମଧ୍ୟ ଏକ ଯାତ୍ରା । ଆତ୍ମାର
ପିତା ପରମାତ୍ମାଙ୍କ ପାଖକୁ ଯିବା ପାଇଁ ଏହା ଏକ ଯାତ୍ରା ଅଟେ । ଏହା ହେଉଛି ଆଧ୍ୟାତ୍ମିକ ଯାତ୍ରା
। ଏହି କଥାକୁ କେହି ବୁଝିପାରିବେ ନାହିଁ । ତୁମେ ମଧ୍ୟ କ୍ରମାନୁସାରେ ଜାଣିଛ, କିନ୍ତୁ ଭୁଲିଯାଉଛ
। ଏହା ହେଉଛି ମୂଳକଥା । ବୁଝାଇବା ମଧ୍ୟ ବହୁତ ସହଜ । କିନ୍ତୁ ଯେଉଁମାନେ ନିଜେ ଏହି ଆଧ୍ୟାତ୍ମିକ
ଯାତ୍ରାରେ ରହୁଥିବେ ସେହିମାନେ ହିଁ ବୁଝାଇପାରିବେ । ଯଦି ନିଜେ ଯୋଗର ଯାତ୍ରାରେ ନ ରହି କେବଳ
ଅନ୍ୟକୁ କହିବ ତେବେ ତୀର ଲାଗିବ ନାହିଁ । ଏଥିରେ ସତ୍ୟତାର ଧାର ଆବଶ୍ୟକ । ଆମେ ବାବାଙ୍କୁ ଏତିକି
ଯୋଗ କରୁଛୁ ବାସ୍ । ସ୍ତ୍ରୀ ସ୍ୱାମୀକୁ କେତେ ମନେ ପକାଇଥାଏ । ଇଏ ହେଲେ ପତିଙ୍କର ପତି,
ପିତାଙ୍କର ପିତା, ଗୁରୁଙ୍କର ଗୁରୁ । ଗୁରୁମାନେ ମଧ୍ୟ ସେହି ବାବାଙ୍କୁ ହିଁ ମନେ ପକାଇଥା’ନ୍ତି ।
ଖ୍ରୀଷ୍ଟ ମଧ୍ୟ ବାବାଙ୍କୁ ସ୍ମରଣ କରୁଥିଲେ । କିନ୍ତୁ ତାଙ୍କୁ କେହି ଜାଣିନାହାଁନ୍ତି । ବାବା
ଏଠାକୁ ଆସିଲେ ହିଁ ନିଜର ପରିଚୟ ଦେବେ । ଭାରତବାସୀଙ୍କୁ ହିଁ ବାବାଙ୍କ ବିଷୟରେ ଜଣାନାହିଁ, ତେବେ
ଅନ୍ୟମାନେ କିପରି ଜାଣିବେ । ଯୋଗ ଶିଖିବା ପାଇଁ ବିଦେଶରୁ ମଧ୍ୟ ଏଠାକୁ ଆସୁଛନ୍ତି । ଭାବୁଛନ୍ତି
ପ୍ରାଚୀନ ଯୋଗ ଭଗବାନ ଶିଖାଇଥିଲେ । ଏହା ହେଉଛି ଭାବନା । ବାବା ବୁଝାଉଛନ୍ତି ମୁଁ ପ୍ରତି କଳ୍ପରେ
ଥରେ ମାତ୍ର ଆସି ପ୍ରକୃତ ଯୋଗ ଶିଖାଉଛି । ମୁଖ୍ୟ କଥା ହେଉଛି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ
ପକାଅ, ଏହାକୁ ହିଁ ଆଧ୍ୟାତ୍ମିକ ଯୋଗ କୁହାଯାଉଛି । ବାକି ସମସ୍ତଙ୍କର ହେଉଛି ଶାରୀରିକ ଯୋଗ ।
ବ୍ରହ୍ମ ସହିତ ଯୋଗ ରଖୁଛନ୍ତି । କିନ୍ତୁ ସିଏ ତ ପିତା ନୁହଁନ୍ତି ନା । ତାହା ହେଲା ମହତତ୍ତ୍ୱ,
ରହିବାର ସ୍ଥାନ । ତେବେ ଏକମାତ୍ର ବାବା ହିଁ ସତ୍ୟ । ଏକମାତ୍ର ବାବାଙ୍କୁ ହିଁ ସତ୍ୟ କୁହାଯାଉଛି
। ଏକଥା ଭାରତବାସୀମାନଙ୍କୁ ଜଣାନାହିଁ ଯେ ବାବା କିପରି ସତ୍ୟ ଅଟନ୍ତି । ସେ ସତ୍ୟଖଣ୍ଡର ସ୍ଥାପନା
କରୁଛନ୍ତି । ସତ୍ୟଖଣ୍ଡ ଏବଂ ମିଥ୍ୟାଖଣ୍ଡ । ଯେତେବେଳେ ସତ୍ୟଖଣ୍ଡ ଥାଏ ସେତେବେଳେ ରାବଣ ରାଜ୍ୟ
ହିଁ ନ ଥାଏ । ଅଧାକଳ୍ପ ପରେ ରାବଣ ରାଜ୍ୟ ମିଥ୍ୟାଖଣ୍ଡ ଆରମ୍ଭ ହୁଏ । ସତ୍ୟଯୁଗକୁ ପୁରା
ସତ୍ୟଖଣ୍ଡ କୁହାଯିବ । ପୁଣି ମିଥ୍ୟା ଖଣ୍ଡ ହେଉଛି ପୁରା କଳିଯୁଗର ଅନ୍ତିମ ସମୟ ପର୍ଯ୍ୟନ୍ତ ଚାଲେ
। ଏବେ ତୁମେମାନେ ସଙ୍ଗମଯୁଗରେ ଅଛ । ନା ଏଠାରେ, ନା ସେଠାରେ । ତୁମେମାନେ ଏବେ ଯାତ୍ରା କରୁଛ ।
ତେବେ ଆତ୍ମା ଯାତ୍ରା କରୁଛି, ଶରୀର ନୁହେଁ । ବାବା ଆସି ଯାତ୍ରା କରାଇବା ଶିଖାଉଛନ୍ତି ।
ତୁମମାନଙ୍କୁ ଏଠାରୁ ସେଠାକୁ ଯିବାକୁ ହେବ । ବାବା ତୁମମାନଙ୍କୁ ଏହିକଥା ଶିଖାଉଛନ୍ତି । ସେମାନେ
ତ ଚନ୍ଦ୍ର ତାରା ଆଡକୁ ଯାତ୍ରା କରୁଛନ୍ତି । ଏବେ ତୁମେ ଜାଣୁଛ ଏଥିରେ କିଛି ଫାଇଦା ନାହିଁ । ଏହା
ଦ୍ୱାରା ସବୁ ବିନାଶ ହୋଇଯିବ । ବାକି ଯେଉଁ ପରିଶ୍ରମ କରୁଛନ୍ତି ସେ ସବୁ ବ୍ୟର୍ଥ । ତୁମେ ଜାଣିଛ
ବିଜ୍ଞାନ ଦ୍ୱାରା ଯେଉଁ ସବୁ ଜିନିଷ ତିଆରି ହେଉଛି ସେସବୁ ଭବିଷ୍ୟତରେ ତୁମର ହିଁ କାମରେ ଆସିବ ।
ଏହି ଡ୍ରାମା ପୂର୍ବ ନିର୍ମିତ । ବେହଦର ବାବା ଆସି ପାଠ ପଢ଼ାଉଛନ୍ତି ତେଣୁ ତାଙ୍କର କେତେ ରିଗାର୍ଡ
(ସମ୍ମାନ) ରଖିବା ଦରକାର । ଏମିତି ବି ବିଦ୍ୟାର୍ଥୀମାନେ ଶିକ୍ଷକଙ୍କର ବହୁତ ରିଗାର୍ଡ ରଖିଥା’ନ୍ତି
। ଟିଚର ନିର୍ଦ୍ଦେଶ ଦେଇଥା’ନ୍ତି - ଭଲ ଭାବରେ ପାଠପଢ଼ି ପାସ୍ ହୋଇଯାଅ । ଯଦି ନିର୍ଦ୍ଦେଶକୁ ନ
ମାନିବ ତେବେ ଫେଲ୍ ହୋଇଯିବ । ବାବା ମଧ୍ୟ କହୁଛନ୍ତି ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରିବା
ପାଇଁ ପାଠ ପଢାଉଛି । ଏହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ମାଲିକ । ଯଦିଓ ପ୍ରଜା ମଧ୍ୟ ମାଲିକ
ଅଟନ୍ତି, କିନ୍ତୁ ପଦ ତ’ ବହୁତ ରହିଛି ନା । ସମସ୍ତ ଭାରତବାସୀ ମଧ୍ୟ କହୁଛନ୍ତି ନା - ଆମେ ମାଲିକ
ଅଟୁ । ଗରିବ ମଧ୍ୟ ନିଜକୁ ଭାରତର ମାଲିକ ବୋଲି ଭାବିବ । କିନ୍ତୁ ରାଜା ଏବଂ ତାଙ୍କ ଭିତରେ କେତେ
ଫରକ ରହିଛି । ଜ୍ଞାନ ଆଧାରରେ ପଦର ଫରକ ହୋଇଥାଏ । ଜ୍ଞାନକୁ ବୁଝିବାରେ ମଧ୍ୟ ବୁଦ୍ଧିମାନ ହେବା
ଆବଶ୍ୟକ । ପବିତ୍ରତା ମଧ୍ୟ ଜରୁରୀ ତା’ ସହିତ ସ୍ୱାସ୍ଥ୍ୟ-ସମ୍ପତ୍ତି ମଧ୍ୟ ଦରକାର । ସ୍ୱର୍ଗରେ
ସବୁକିଛି ରହିଛି ନା । ବାବା ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ବୁଝାଉଛନ୍ତି, ଦୁନିଆରେ ଆଉ
କାହାରି ବୁଦ୍ଧିରେ ଏହି ଲକ୍ଷ୍ୟ ନାହିଁ । ତୁମେ ତୁରନ୍ତ କହୁଛ, ଆମେ ଏହିପରି ହେଉଛୁ । ସାରା
ବିଶ୍ୱରେ ଆମର ରାଜଧାନୀ ହେବ । ବର୍ତ୍ତମାନ ତ ପଞ୍ଚାୟତି ରାଜ୍ୟ ଚାଲିଛି । ପ୍ରଥମେ ଥିଲେ ଦ୍ୱି
ମୁକୁଟଧାରୀ ପୁଣି ଗୋଟିଏ ମୁକୁଟଧାରୀ ହେଲେ ଏବେ ମୁକୁଟବିହୀନ ହୋଇଯାଇଛନ୍ତି । ବାବା ମୁରଲୀରେ
କହିଥିଲେ - ଏହି ଚିତ୍ର ମଧ୍ୟ ରହୁ - ଡବଲ ମୁକୁଟଧାରୀ ରାଜାମାନଙ୍କ ଆଗରେ ଗୋଟିଏ ମୁକୁଟଧାରୀ
ରାଜାମାନେ ନତମସ୍ତକ ହେଉଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ମୁଁ ତୁମକୁ ରାଜାମାନଙ୍କର ରାଜା
ଦ୍ୱିମୁକୁଟଧାରୀ କରୁଛି । ତାହା ହେଲା ଅଳ୍ପକାଳର, ଏହା ତ ୨୧ ଜନ୍ମର କଥା । ପ୍ରଥମ ଏବଂ ମୁଖ୍ୟ
କଥା ହେଉଛି ପବିତ୍ରତା । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଏଠାକୁ ଆସି ପତିତରୁ ପାବନ କର । ଏପରି
କହୁନାହାଁନ୍ତି ଯେ ରାଜା କରାଅ । ଏବେ ତୁମର ହେଉଛି ବେହଦର ସନ୍ନ୍ୟାସ । ଏହି ଦୁନିଆରୁ ନିଜ ଘରକୁ
ଚାଲିଯିବ । ପୁଣି ସ୍ୱର୍ଗରେ ଆସିବ । ତେଣୁ ଭିତରେ ଖୁସି ରହିବା ଉଚିତ୍ ଯେହେତୁ ଜାଣୁଛ ଯେ ଆମେ
ଘରକୁ ଯାଇ ପୁଣି ରାଜତ୍ୱ କରିବା ପାଇଁ ଆସିବା ପୁଣି ଝାଉଁଳିଯିବା, ଦୁଃଖୀ ହେବା କ’ଣ ଦରକାର । ଆମେ
ଆତ୍ମାମାନେ ଘରକୁ ଯାଇ ପୁଣି ନୂଆ ଦୁନିଆରେ ପୁର୍ନଜନ୍ମ ନେବୁ । ତେବେ ପିଲାମାନଙ୍କର କାହିଁକି
ସ୍ଥାୟୀ ଖୁସି ରହୁନାହିଁ? କାରଣ ମାୟାର ବହୁତ ଅପୋଜିସନ୍ ଅର୍ଥାତ୍ ବିରୋଧ ହେଉଛି ତେଣୁ ଖୁସି କମ୍
ହୋଇଯାଉଛି । ସ୍ୱୟଂ ପତିତ-ପାବନ କହୁଛନ୍ତି, ମୋତେ ସ୍ମରଣ କରିଲେ ତୁମର ଜନ୍ମ-ଜନ୍ମାନ୍ତରର ପାପ
ଭସ୍ମ ହୋଇଯିବ । ତୁମେମାନେ ଏବେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ଜାଣିଛ ଆମେ ପୁଣି ଥରେ ନିଜର
ରାଜସ୍ଥାନକୁ ଚାଲିଯିବୁ । ଏଠାରେ ଭିନ୍ନ ଭିନ୍ନ ପ୍ରକାରର ରାଜାମାନେ ଅଛନ୍ତି, ଏବେ ପୁଣି ରୁହାନୀ
ରାଜସ୍ଥାନ ହେବ । ତୁମେମାନେ ସ୍ୱର୍ଗର ମାଲିକ ହୋଇଯିବ । ଖ୍ରୀଷ୍ଟିୟାନମାନେ ସ୍ୱର୍ଗର ଅର୍ଥକୁ
ମଧ୍ୟ ବୁଝନ୍ତି ନାହିଁ । ସେମାନେ ମୁକ୍ତିଧାମକୁ ସ୍ୱର୍ଗ କହିଦେଉଛନ୍ତି । ଏପରି ନୁହେଁ ଯେ ହେଭେନ୍ଲୀ
ଗଡ୍ ଫାଦର କୌଣସି ହେଭେନ୍ରେ ରହୁଛନ୍ତି । ସେ ତ ଶାନ୍ତିଧାମରେ ରହୁଛନ୍ତି । ଏବେ ତୁମେ ସ୍ୱର୍ଗକୁ
ଯିବା ପାଇଁ ପୁରୁଷାର୍ଥ କରୁଛ । ଏହି ଅନ୍ତରକୁ ବତାଇବାକୁ ହେବ । ଈଶ୍ୱରୀୟ ପିତା ହେଲେ
ମୁକ୍ତିଧାମର ବାସିନ୍ଦା । ସ୍ୱର୍ଗ ନୂଆ ଦୁନିଆକୁ କୁହାଯାଉଛି । ବାବା ହିଁ ଆସି ସ୍ୱର୍ଗ ସ୍ଥାପନା
କରୁଛନ୍ତି । ତୁମେ ଯାହାକୁ ଶାନ୍ତିଧାମ କହୁଛ ତାକୁ ସେମାନେ ସ୍ୱର୍ଗ ବୋଲି ଭାବୁଛନ୍ତି । ଏସବୁ
ବୁଝିବାର କଥା । ବାବା କହୁଛନ୍ତି - ଜ୍ଞାନ ତ ବହୁତ ସହଜ । ଏହା ପବିତ୍ର ହେବାର ଜ୍ଞାନ,
ମୁକ୍ତି-ଜୀବନମୁକ୍ତିକୁ ଯିବାର ଜ୍ଞାନ, ଯାହାକି ବାବା ହିଁ ଦେଇପାରିବେ । ଫାଶୀ ଦିଆଯିବା ସମୟରେ
ମନରେ ଏହି କଥା ଆସିଥାଏ ଯେ ଆମେ ଭଗବାନଙ୍କ ପାଖକୁ ଯାଉଛୁ । ଫାଶୀ ଦେଉଥିବା ବ୍ୟକ୍ତି ମଧ୍ୟ
କହନ୍ତି ଯେ ଗଡ୍ (ଭଗବାନ)ଙ୍କୁ ସ୍ମରଣ କର । କିନ୍ତୁ ଉଭୟ ଗଡ୍ଙ୍କୁ ଜାଣି ନ ଥା’ନ୍ତି । ତାଙ୍କର
ତ ସେ ସମୟରେ ମିତ୍ର-ସମ୍ବନ୍ଧୀ ଆଦି ମନେ ପଡିଥା’ନ୍ତି । ଗାୟନ ମଧ୍ୟ ରହିଛି ଅନ୍ତିମ କାଳରେ ଯିଏ
ସ୍ତ୍ରୀକୁ ସ୍ମରଣ କରେ... କେହି ନା କେହି ନିଶ୍ଚୟ ମନେ ରହିଥା’ନ୍ତି । କେବଳ ସତ୍ୟଯୁଗରେ ହିଁ
ସମସ୍ତେ ମୋହଜିତ୍ ହୋଇଥା’ନ୍ତି । ସେଠାରେ ଜାଣିଥା’ନ୍ତି ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ
କରିବୁ । ସେଠାରେ ସ୍ମରଣ କରିବାର ଆବଶ୍ୟକତା ହିଁ ନାହିଁ । ସେଥିପାଇଁ କୁହାଯାଏ ଦୁଃଖରେ ସମସ୍ତେ
ସ୍ମରଣ କରନ୍ତି... ଏଠାରେ ଦୁଃଖ ଅଛି । ସେଥିପାଇଁ ସ୍ମରଣ କରୁଛନ୍ତି, ଭଗବାନଙ୍କଠାରୁ କିଛି ମିଳୁ
। ସେଠାରେ ତ ସବୁ କିଛି ମିଳିବ । ତୁମେମାନେ ଅନ୍ୟମାନଙ୍କୁ କହିପାରିବ ଆମର ଉଦ୍ଦେଶ୍ୟ ହେଉଛି
ମନୁଷ୍ୟମାନଙ୍କୁ ଆସ୍ତିକ ଏବଂ ସନାଥ କରାଇବା । ବର୍ତ୍ତମାନ ସମସ୍ତେ ହେଉଛନ୍ତି ଅନାଥ । ଆମେ ସନାଥ
ହେଉଛୁ । ସୁଖ, ଶାନ୍ତି, ସମ୍ପତ୍ତିର ବର୍ସା ବାବା ହିଁ ଦେଇଥା’ନ୍ତି । ଏହି ଲକ୍ଷ୍ମୀ-ନାରାୟଣ
କେତେ ଦୀର୍ଘାୟୁ ଥିଲେ । ଏକଥା ମଧ୍ୟ ଜାଣିଛନ୍ତି ପ୍ରଥମେ ଭାରତବାସୀମାନେ ଦୀର୍ଘାୟୁ ଥିଲେ । ଏବେ
ଆୟୁଷ କମ୍ ହୋଇଯାଇଛି । କାହିଁକି କମ୍ ହୋଇଯାଇଛି - ଏକଥା କେହି ବି ଜାଣି ନାହାଁନ୍ତି । ତୁମ ପାଇଁ
ତ’ ବୁଝିବା ଏବଂ ବୁଝାଇବା ବହୁତ ସହଜ, ତାହା ପୁଣି କ୍ରମ ଅନୁସାରେ । ବୁଝାଇବା ସମସ୍ତଙ୍କର ନିଜସ୍ୱ
ରହିଛି, ଯିଏ ଯେପରି ଧାରଣ କରନ୍ତି ସେହିପରି ବୁଝାଇଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଯେପରି
ସର୍ବଦା ଆତ୍ମ-ଅଭିମାନୀ ଅଟନ୍ତି, ସେହିପରି ଆତ୍ମ-ଅଭିମାନୀ ହୋଇ ରହିବାର ପୂରା-ପୂରା ପୁରୁଷାର୍ଥ
କରିବାକୁ ହେବ । ଏକମାତ୍ର ବାବାଙ୍କୁ ହୃଦୟର ସହିତ ସ୍ନେହ କରି-କରି ତାଙ୍କ ସହିତ ଘରକୁ ଯିବାକୁ
ହେବ ।
(୨) ବେହଦର ବାବାଙ୍କର
ପୂରା-ପୂରା ସମ୍ମାନ ରଖିବାକୁ ହେବ ଅର୍ଥାତ୍ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ ।
ବାବାଙ୍କର ପ୍ରଥମ ନିର୍ଦ୍ଦେଶ ହେଉଛି - ପିଲାମାନେ ଭଲ ଭାବରେ ପାଠପଢି ପାସ୍ ହୋଇଯାଅ । ଏହି
ନିର୍ଦ୍ଦେଶକୁ ପାଳନ କରିବାକୁ ହେବ ।
ବରଦାନ:-
ଶକ୍ତିଶାଳୀ ସେବା
ଦ୍ୱାରା ନିର୍ବଳ ଭିତରେ ବଳ ଭରୁଥିବା ସଚ୍ଚା ସେବାଧାରୀ ଭବ ।
ସଚ୍ଚା ସେବାଧାରୀର
ବାସ୍ତବିକ ବିଶେଷତା ହେଲା - ନିର୍ବଳ ଭିତରେ ବଳ ଭରିବାର ନିମିତ୍ତ ହେବା । ସେବା ତ ସମସ୍ତେ
କରୁଛନ୍ତି କିନ୍ତୁ ସଫଳତା ପ୍ରାପ୍ତ କରିବାରେ ଯେଉଁ ପାର୍ଥକ୍ୟ ଦେଖାଯାଉଛି ତା’ର କାରଣ ହେଲା
ସେବାର ଆଧାର ଗୁଡିକରେ ଶକ୍ତିର କମୀ । ଯେପରି ଖଣ୍ଡାରେ ଯଦି ଧାର ନ ଥିବ ତେବେ ତାହା ଖଣ୍ଡାର କାମ
କରିପାରିବ ନାହିଁ, ସେହିପରି ସେବାର ସାଧନ ବା ବିଧି ରୂପୀ ଖଣ୍ଡାରେ ଯଦି ଯୋଗ ଶକ୍ତିର ଧାର ନ ଥିବ
ତେବେ ସଫଳତା ମିଳିପାରିବ ନାହିଁ, ସେଥିପାଇଁ ଶକ୍ତିଶାଳୀ ସେବାଧାରୀ ହୁଅ, ନିର୍ବଳ ଭିତରେ ବଳ ଭରି
କରି ସୁଯୋଗ୍ୟ ଆତ୍ମାମାନଙ୍କୁ ବାହାର କର, ତେବେ କୁହାଯିବ ସଚ୍ଚା ସେବାଧାରୀ ।
ସ୍ଲୋଗାନ:-
ପ୍ରତ୍ୟେକ
ପରିସ୍ଥିତିକୁ ଉଡିବା କଳାର ଆଧାର ମନେ କରି ସର୍ବଦା ଉଡୁଥାଅ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ଏମିତି ତ ଅଶରୀରୀ ହେବା
ସହଜ କଥା କିନ୍ତୁ ଯେଉଁ ସମୟରେ କୌଣସି ସମସ୍ୟା ଭିତରେ ଥିବ, ସେବାର ହଲଚଲ୍ ଭିତରେ ଥିବ, ସ୍ଥିତିକୁ
ଟଳମଳ କରିବା ଭଳି କୌଣସି ପରିସ୍ଥିତି ଆସିଥିବ, ସେହିଭଳି ସମୟରେ ଭାବିବା ମାତ୍ରକେ ଅଶରୀରୀ
ହୋଇଯିବା, ଏଥିପାଇଁ ବହୁତ ସମୟର ଅଭ୍ୟାସ ଦରକାର । ଭାବିବା ଏବଂ କରିବା ଯଦି ଏକାଠି ହେଉଥିବ ତେବେ
ଯାଇ ଅନ୍ତିମ ପରୀକ୍ଷାରେ ପାସ୍ ହୋଇପାରିବ ।