05.11.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ତୁମମାନଙ୍କୁ ସାଇଲେନ୍ସ ଅର୍ଥାତ୍ ନିରବରେ ରହି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ, ଏଥିରେ ଘଣ୍ଟ ଆଦି ବଜାଇବାର ଆବଶ୍ୟକତା ନାହିଁ ।”

ପ୍ରଶ୍ନ:-
କେଉଁ କଥାରେ ବାବାଙ୍କ ଭଳି ହୋଇଗଲେ ସବୁ କାମ ସିଦ୍ଧ ହୋଇଯିବ?

ଉତ୍ତର:-
ଯେପରି ବାବା ସ୍ନେହର ସାଗର ଅଟନ୍ତି, ସେହିପରି ବହୁତ-ବହୁତ ସ୍ନେହୀ ହୁଅ । କ୍ରୋଧ କରିବା ଦ୍ୱାରା କାମ ବିଗିଡିଯାଏ, ଠିକ୍ ହୁଏ ନାହିଁ, ସେଥିପାଇଁ ଆଖି ଦେଖାଇବା, ଜୋରରେ କହିବା, ଗରମ ହେବା - ଏହାର ଆବଶ୍ୟକତା ନାହିଁ । ଶାନ୍ତ ରହିବା ବହୁତ-ବହୁତ ଭଲ । ସ୍ନେହ ଆଧାରରେ ବହୁତ କାର୍ଯ୍ୟ ସିଦ୍ଧ ହୋଇପାରିବ ।

ଗୀତ:-
ତୁହ୍ମି ହୋ ମାତା ପିତା...

ଓମ୍ ଶାନ୍ତି ।
ଏହି ମହିମା ଜଣଙ୍କର ହିଁ ଅଟେ । କିନ୍ତୁ ଭକ୍ତିମାର୍ଗରେ କେବଳ ଜଣଙ୍କର ମହିମା ଗାଇବା ଦ୍ୱାରା ଭକ୍ତିର ପ୍ରଦର୍ଶନ ହୋଇ ନ ଥାଏ ସେଥିପାଇଁ ଭକ୍ତିରେ ଅନେକଙ୍କର ମହିମା ଗାନ କରିଥାଆନ୍ତି । ସେଠାରେ ଧ୍ୱନି ମଧ୍ୟ ବହୁତ ହୋଇଥାଏ । ଭକ୍ତିମାର୍ଗରେ ଘଣ୍ଟ ମୃଦଙ୍ଗ, ବାଜା, ଗୀତ-ଭଜନ, କନ୍ଦା-କଟା ଇତ୍ୟାଦି ଚାଲିଥାଏ । ଭିନ୍ନ-ଭିନ୍ନ ପ୍ରକାରର ଶବ୍ଦ ମନ୍ତ୍ର-ଯନ୍ତ୍ର, ସ୍ତୁତି ଆଦି ଗାନ କରିଥା’ନ୍ତି । ଜ୍ଞାନମାର୍ଗରେ ରହିଛି ସାଇଲେନ୍ସ ବା ନିରବତା । ଏଠାରେ କେବଳ ଈଶାରା ଦିଆଯାଇଥାଏ, ଶବ୍ଦ କିଛି ହୋଇ ନ ଥାଏ । ଭକ୍ତିରେ କେତେ ଧୂମ୍‌ଧାମ୍ ରହିଛି । ସବୁଠାରୁ ଅଧିକ ଘଣ୍ଟ ଶିବ ମନ୍ଦିରରେ ବାଜିଥାଏ, ଯେଉଁଠି ଦେଖ ଘଣ୍ଟ ହିଁ ଘଣ୍ଟ ରହିଛି । କାହାକୁ ନିଦରୁ ଉଠାଇବା ପାଇଁ ଘଣ୍ଟ ବଜାଯାଇ ନ ଥାଏ । ଶିବବାବା ଆସି ମନୁଷ୍ୟମାନଙ୍କୁ କୁମ୍ଭକର୍ଣ୍ଣର ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରିଛନ୍ତି, କିନ୍ତୁ ବାବା କୌଣସି ଘଣ୍ଟ ବଜାଉ ନାହାଁନ୍ତି । ଶାନ୍ତିପୂର୍ବକ ଦୁଇଟି ଅକ୍ଷରରେ ହିଁ ବୁଝାଉଛନ୍ତି । ଯେଉଁମାନେ ବୁଦ୍ଧିବାନ୍ ହୋଇଥାନ୍ତି ସେମାନେ ଦୁଇଟି ଅକ୍ଷରରେ ହିଁ ବୁଝିଯାଇଥାନ୍ତି । ବାବା କହୁଛନ୍ତି ପିଲାମାନେ - ମୋତେ ମନେ ପକାଅ । ତୁମ୍ଭେମାନେ ହିଁ ମୋତେ ଡାକିଛ ଯେ ହେ ପତିତ-ପାବନ ଆସ । ଏବେ ମୁଁ ଆସି ତୁମମାନଙ୍କୁ ରାସ୍ତା ବତାଉଛି । ତୁମକୁ କ’ଣ ପତିତ ହୋଇ ଏହି ଦୁନିଆରେ ହିଁ ରହିବାର ଅଛି! ତୁମେମାନେ ତ ପବିତ୍ର ଦୁନିଆରେ ରହିବାକୁ ଚାହୁଁଛ ନା । ପବିତ୍ର ଦୁନିଆ ସ୍ୱର୍ଗକୁ କୁହାଯାଏ । କହୁଛନ୍ତି ମଧ୍ୟ ହେ ପତିତ-ପାବନ, ତେବେ ବୁଝିବା ଦରକାର ନା ପତିତ-ପାବନ ଆସି କ’ଣ କରିବେ? ନିଶ୍ଚିତ ନର୍କରୁ ସ୍ୱର୍ଗକୁ ନେଇଯିବେ । କିଛି ନ ବୁଝି ଏମିତି ହିଁ ଡାକୁଛନ୍ତି, ତାଳି ବଜାଉଛନ୍ତି । କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ଯଦି ବାବା ଆସିବେ ତେବେ ଆସି କ’ଣ କରିବେ? ବାସ୍ତବରେ ଏହା ମନୁଷ୍ୟରୁ ଦେବତା ହେବା ପାଇଁ ବିଶ୍ୱ ବିଦ୍ୟାଳୟ ମଧ୍ୟ ଅଟେ, ସେଥିପାଇଁ ଗାଉଛ ମନୁଷ୍ୟକୁ ଦେବତା କଲେ... ଏଥିରେ ଶାସ୍ତ୍ର ଆଦି କିଛି ପଢିବାର ନାହିଁ । ଭକ୍ତିମାର୍ଗରେ ବହୁତ ଶାସ୍ତ୍ର ଆଦି ପଢିଥାନ୍ତି, ଅନେକ ଭାଷଣ ଆଦି ହୋଇଥାଏ । ମାସ-ମାସ ଧରି ମଣ୍ଡପ ତିଆରି କରି ଭାଷଣ କରିଥାନ୍ତି । ଏଠାରେ କେତେ ଶାନ୍ତିରେ ବାବା ବସି ବୁଝାଉଛନ୍ତି । ଦେଖ, ତୁମକୁ ବାବା ଆସି ପବିତ୍ର କରାଇ, ପବିତ୍ର ଦୁନିଆର ମାଲିକ କରୁଛନ୍ତି । ଏହି ପାଠପଢା ମଧ୍ୟ କେତେ ସହଜ । ତୁମେ ପ୍ରଥମେ ପବିତ୍ର ଥିଲ, ସ୍ୱର୍ଣ୍ଣିମ ଯୁଗରେ ଥିଲ । ପୁଣି ୮୪ ଜନ୍ମ ନେଇ ଲୌହଯୁଗରେ ତମୋପ୍ରଧାନ ହୋଇଯାଇଛ । ଏବେ ତୁମମାନଙ୍କୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ସେଥିପାଇଁ ମୋତେ ମନେ ପକାଅ । ତାହା ମଧ୍ୟ ଅଜପାଜପ । ଯେପରି କନ୍ୟାର ଯେତେବେଳେ ବିବାହ ହୋଇଥାଏ ତେବେ କ’ଣ ସିଏ ସ୍ୱାମୀର ନାମକୁ ଜପ କରିଥାଏ କି? ସିଏ ତାଙ୍କୁ ମନେ ପକାଇଥାଏ । ତୁମେମାନେ ବି ସମସ୍ତେ ଶିବବାବାଙ୍କର ପତ୍ନୀ ଅଟ, ଶିବବାବା ପତିମାନଙ୍କର ପତି ଅଟନ୍ତି । ପରମାତ୍ମାଙ୍କ ସହିତ ତୁମର ନିର୍ବନ୍ଧ ହୋଇଛି । ଯେବେ ନିର୍ବନ୍ଧ ହୋଇଗଲା ତେବେ ବାବାଙ୍କ ସ୍ମୃତି ବୁଦ୍ଧିରେ ରହିଗଲା । ଥରେ ବୁଦ୍ଧିରେ ରହିଗଲା ଯେ ମୁଁ ନିର୍ବନ୍ଧ କରିନେଲି । ତାପରେ ଜଣେ ଅନ୍ୟ ଜଣଙ୍କୁ ମନେ ପକାଇଥା’ନ୍ତି । ତୁମମାନଙ୍କୁ ମଧ୍ୟ ବାବା କହୁଛନ୍ତି ଯେ ଏବେ ତୁମ ବୁଦ୍ଧିରେ ନିଶ୍ଚୟ ଆସିଗଲା କି ଆମେ ଏକମାତ୍ର ବାବାଙ୍କର ସନ୍ତାନ ପରସ୍ପର ମଧ୍ୟରେ ଭାଇ-ଭାଇ ଅଟୁ । ଭାଇମାନଙ୍କୁ ସମ୍ପତ୍ତି ମିଳିଥାଏ - ଏକମାତ୍ର ପିତାଙ୍କଠାରୁ, ସେଥିପାଇଁ ତାଙ୍କୁ ଡାକୁଛନ୍ତି । ଯଦିଓ ଆତ୍ମା ମନୁଷ୍ୟ ଶରୀର ଧାରଣ କଲା ପରେ ଭାଇ-ଭଉଣୀ ହୋଇଯାଉଛନ୍ତି, କିନ୍ତୁ ଆତ୍ମା ହିଁ ଡାକୁଛି ନା । ଆତ୍ମା ଭାଇ ଡାକୁଛି ଯେ ହେ ପତିତ-ପାବନ ବାବା ଆସ । ବାବା କହୁଛନ୍ତି - ମୋତେ ମନେ ପକାଇଲେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ପବିତ୍ରକୁ ସତ୍ତ୍ୱପ୍ରଧାନ, ପତିତକୁ ତମୋପ୍ରଧାନ କୁହାଯାଏ । ଏହି କଥା ବାବା ସଂଗମଯୁଗରେ ହିଁ ବୁଝାଉଛନ୍ତି । ଏହା ହେଉଛି ଗୀତା ପାଠଶାଳା । ଏହି ପାଠଶାଳାରେ ବାବା ଆସି ରାଜଯୋଗ ଶିଖାଉଛନ୍ତି, ନରରୁ ନାରାୟଣ କରୁଛନ୍ତି । ସ୍କୁଲମାନଙ୍କରେ ଶିକ୍ଷକ ତ ସମ୍ମୁଖରେ ବସି ପାଠ ପଢାଇଥାନ୍ତି, ତେଣୁ ତାଙ୍କୁ ସମସ୍ତେ ଦେଖିପାରିଥାଆନ୍ତି । କିନ୍ତୁ ଏଠାରେ ବାବା ହେଲେ ଗୁପ୍ତ । ତେବେ ଏହି ଶିକ୍ଷକଙ୍କୁ ମଧ୍ୟ ବୁଦ୍ଧିଯୋଗ ଦ୍ୱାରା ଅନୁଭବ କରିବାକୁ ପଡିଥାଏ । ଇଏ ନିରାକାର ପତିତ-ପାବନ ବାବା ଅଟନ୍ତି । ବାବା ହିଁ ଆମକୁ ମନେ ପକାଇ ଦେଉଛନ୍ତି ଯେ କଳ୍ପ ପୂର୍ବରୁ ମଧ୍ୟ ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଇଥିଲି । ସେଥିପାଇଁ କୁହାଯାଉଛି ମନମନାଭବ, ପବିତ୍ର ହୁଅ ତେବେ ଏହିପରି ଲକ୍ଷ୍ମୀ-ନାରାୟଣ ହୋଇଯିବ । ଏଥିରେ ଘଣ୍ଟ ମୃଦଂଗ ଇତ୍ୟାଦି ବଜାଇବା ଦରକାର ନାହିଁ । ବାବା ନିଜେ ଆସି ଜାଗ୍ରତ କରାଉଛନ୍ତି । ମନମନାଭବର ଅର୍ଥ ହେଉଛି ସାଇଲେନ୍ସ ବା ନିରବତା ନିଜକୁ ଆତ୍ମା ଭାବ । ବାସ୍‌, ଏବେ ଆମକୁ ନିଜର ଘରକୁ ଯିବାକୁ ହେବ । ବାବାଙ୍କୁ ହିଁ ସମସ୍ତେ କହୁଛନ୍ତି ଯେ ଦୁଃଖରୁ ମୁକ୍ତ କର । ସନ୍ନ୍ୟାସୀମାନେ କେବଳ ବ୍ରହ୍ମକୁ ମନେ ପକାଇଥା’ନ୍ତି । ବ୍ରହ୍ମତତ୍ତ୍ୱ ତ ହେଉଛି ଆମର ଘର । ସେମାନେ ଘରକୁ ସ୍ମରଣ କରୁଛନ୍ତି, ଏଠାରେ ତ ବାବାଙ୍କୁ ମନେ ପକାଇବାକୁ ହେବ । ଯଦି କେବଳ ଘରକୁ ମନେ ପକାଇବ, ତେବେ ସନ୍ନ୍ୟାସୀଙ୍କ ପରି ହୋଇଯିବ । ବ୍ରହ୍ମତତ୍ତ୍ୱ ତ ଭଗବାନ ନୁହେଁ ।

ବାବା ବସି ବୁଝାଉଛନ୍ତି - ମୋତେ ମନେ ପକାଇଲେ ତୁମେ ନିର୍ବାଣଧାମକୁ ଚାଲିଯିବ । ପୁଣି ସେଠାରୁ ସ୍ୱର୍ଗକୁ ଆସିବ । ଏଠାରୁ ମୁଁ ତୁମମାନଙ୍କୁ ସାଥିରେ ନେଇଯିବି । ତୁମେ ଜାଣିଛ ପଙ୍ଗପାଳମାନଙ୍କର ଦଳ କେତେ ବଡ ହୋଇଥାଏ । ସେମାନଙ୍କ ଭିତରେ ଏକତା ଥାଏ । ପ୍ରଥମରେ ଆଗରେ ଉଡୁଥିବା ପତଙ୍ଗ ଯଦି ବସିଯିବ ତେବେ ସମସ୍ତେ ବସିଯିବେ । ମହୁମାଛିମାନଙ୍କର ମଧ୍ୟ ଏହିଭଳି ହୋଇଥାଏ । ଯଦି ରାଣୀ ମହୁମାଛି ଘର ଛାଡି ଦେଲା, ତେବେ ସମସ୍ତେ ତା’ ପଛରେ ଯାଇଥାନ୍ତି । ରାଣୀ ମହୁମାଛି ଯେପରି ସେମାନଙ୍କର ପ୍ରଭୁ । ସେମାନଙ୍କ ଭିତରେ ପୁଣି ରାଣୀ ହିଁ ସାଥୀମାନଙ୍କ ଉପରେ ରାଜ୍ୟ କରିଥାଏ । ଶାସ୍ତ୍ରରେ ମଧ୍ୟ ରହିଛି ଆତ୍ମାମାନେ ମଶା ସଦୃଶ ଘରକୁ ଯିବେ । ଅଗଣିତ ଆତ୍ମା ଅଛନ୍ତି । ସେହି ମହୁମାଛିମାନେ ପ୍ରତ୍ୟେକ ଋତୁରେ ନିଜର ରାଣୀଙ୍କ ପଛରେ ଉଡି ଚାଲିଥାନ୍ତି । ତୁମକୁ ତ ଥରେ ମାତ୍ର ବାବାଙ୍କ ସହିତ ଯିବାକୁ ହେବ । ଏବେ ସବୁ ଆତ୍ମାମାନଙ୍କୁ ମୂଳବତନକୁ ଯିବାକୁ ହେବ । ତୁମର କୌଣସି ବି ଶବ୍ଦ ନାହିଁ, ସେଥିପାଇଁ ବାବା ଉଦାହରଣ ଦେଉଛନ୍ତି । ଶୋରିଷ ଦାନା ସଦୃଶ ସମସ୍ତେ ପେଷି ହୋଇଯିବେ । ବାବା ମଧ୍ୟ ବିନ୍ଦୁ, ଶୋରିଷ ଦାନା ଭଳି ଅଟନ୍ତି । ପୋସ୍ତକ ଦାନା ମଧ୍ୟ ବହୁତ ଛୋଟ । ପରମାତ୍ମା ମଧ୍ୟ ବିନ୍ଦୁ ଅଟନ୍ତି । ତାଙ୍କୁ ଦିବ୍ୟ ଦୃଷ୍ଟି ବିନା ଦେଖି ହୁଏ ନାହିଁ । ଅତ୍ୟନ୍ତ ଛୋଟ ତାରକା ସଦୃଶ ଅଟନ୍ତି । ଗୀତାରେ ଦେଖାଇଛନ୍ତି ଅଖଣ୍ଡ ଜ୍ୟୋତିର ସାକ୍ଷାତ୍‌କାର ହେଲା, ତେବେ ଏଠାରେ ମଧ୍ୟ ଯଦି ଅଖଣ୍ଡ ଜ୍ୟୋତିର ସାକ୍ଷାତ୍‌କାର ହେବ ତେବେ ବୁଝିବେ ଯେ ସାକ୍ଷାତ୍କାର ହେଲା । କିନ୍ତୁ ଯଦି ବିନ୍ଦୁର ସାକ୍ଷାତ୍‌କାର ହେଲା ତେବେ ଇଏ ପରମାତ୍ମା ଅଟନ୍ତି ବୋଲି ବୁଝିପାରିବେ ନାହିଁ । ଗୀତାରେ ଲେଖାଯାଇଛି - ଅର୍ଜୁନଙ୍କୁ ବହୁତ ତେଜମୟ ରୂପର ସାକ୍ଷାତ୍‌କାର ହେଲା । ଭକ୍ତିର କଥା ସେମାନଙ୍କ ବୁଦ୍ଧିରେ ଭର୍ତ୍ତି ହୋଇ ରହିଛି । ଭକ୍ତିମାର୍ଗ ଏବଂ ଜ୍ଞାନମାର୍ଗ ମଧ୍ୟରେ ରାତି-ଦିନର ପାର୍ଥକ୍ୟ ରହିଛି । ତୁମେମାନେ ଜାଣିଛ ଯେ ଆମେମାନେ ୬୩ ଜନ୍ମରେ ଏହି ଶରୀର ଦ୍ୱାରା କେତେ ନୃତ୍ୟ କରିଛୁ । ଆମେ ୬୩ ଜନ୍ମ ଭକ୍ତିମାର୍ଗର କେତେ ହଙ୍ଗାମା ଦେଖିଛୁ । ସେଥିରେ ମଧ୍ୟ ପ୍ରଥମେ ଯେବେ ସତ୍ତ୍ୱପ୍ରଧାନ ଭକ୍ତି ଥିଲା ସେତେବେଳେ ଏକମାତ୍ର ଶିବବାବାଙ୍କର ଭକ୍ତି କରୁଥିଲୁ । ଏହି ଗଙ୍ଗା ସ୍ନାନ ଆଦି ପରେ ଆରମ୍ଭ ହୋଇଛି । ପ୍ରଥମେ ଅବ୍ୟଭିଚାରୀ ଭକ୍ତି ହୋଇଥାଏ, ପୁଣି ପରେ ଏହାର ବୃଦ୍ଧି ହୋଇଥାଏ । ଏଠାରେ ତ ସମ୍ପୂର୍ଣ୍ଣ ସାଇଲେନ୍ସ ଅର୍ଥାତ୍ ନିରବରେ ବାବାଙ୍କୁ ମନେ ପକାଉଛନ୍ତି । ବିନା କଉଡି ଖର୍ଚ୍ଚରେ ତୁମେ ବିଶ୍ୱର ମାଲିକ ହୋଇଯାଉଛ । ମମ୍ମା ବିନା ପଇସାରେ ଆସିଥିଲେ ଏବଂ ବିଶ୍ୱର ମହାରାଣୀ ହୋଇଗଲେ । ଇଏ ସାଧାରଣ ଏବଂ ଗରୀବ ଘରର ଥିଲେ ପୁଣି ବିନା କଉଡି ଖର୍ଚ୍ଚରେ ଦେଖ କ’ଣ ହେଉଛନ୍ତି । ମମ୍ମା ବହୁତ ସେବା କରୁଥିଲେ । ଅନ୍ୟମାନଙ୍କୁ ଯାଇ ବୁଝାଉଥିଲେ ଯେ ବାବା କହୁଛନ୍ତି ଯେ ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ ଏବଂ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ଏଥିରେ ଖର୍ଚ୍ଚର କୌଣସି କଥା ହିଁ ନାହିଁ । ଯଦି କେହି କିଛି ଖର୍ଚ୍ଚ କରୁଛନ୍ତି, ତେବେ ତାହା ନିଜ ପାଇଁ । ଯେପରି କ୍ଷେତରେ ଦୁଇମୁଠା ଧାନ ବୁଣିବା ଦ୍ୱାରା କେତେ ଢେର ଧାନ ହୋଇଥାଏ । ଫସଲ କେତେ ଅଧିକ ଅମଳ ହୋଇଥାଏ । ଏଠାରେ ମଧ୍ୟ ୨୧ ଜନ୍ମ ପାଇଁ ତୁମର କେତେ ଆମଦାନୀ ହେଉଛି । ମନୁଷ୍ୟରୁ ଦେବତା ହେବା କେତେ ସହଜ ଅଟେ । ଏହା ଗୋଟିଏ ସେକେଣ୍ଡର କଥା । ଦେଖ କେତେ ସାଧାରଣ ଭାବରେ ବସିଛନ୍ତି । ଯଦି କେହି ବସି ପାରୁନାହାଁନ୍ତି ତେବେ ବାବା କହୁଛନ୍ତି ଶୋଇ ରହି ମଧ୍ୟ ମୁରଲୀ ଶୁଣ । ଏହା ହେଉଛି ଧାରଣାର କଥା । ମନ ଭିତରେ ବାବା ଏବଂ ଚକ୍ରକୁ ମନେ ପକାଅ । ବାବାଙ୍କ ସ୍ମୃତିରେ ରହି ଏହି ଶରୀର ତ୍ୟାଗ କରିବାକୁ ହେବ । ମୁଖରେ ଗଙ୍ଗା ଜଳ ଢାଳିବାର କୌଣସି କଥା ନାହିଁ । ଗୁରୁ ଗୋସାଇଁମାନେ ତ ଡରାଇଥାନ୍ତି ଯେ ଯଦି ତୁମେ ଏହି ନିୟମ ଭାଙ୍ଗିବ, ଭକ୍ତି ନ କରିବ, ତେବେ ଏହିପରି ଅଘଟଣ ଘଟିବ । ଧରିନିଅ କାହାର ଗୋଡ ଭାଙ୍ଗିଗଲା ଅଥବା କିଛି କ୍ଷତି ହେଲା ତେବେ କହିବେ ତୁମେ ଭକ୍ତି କରିବା ଛାଡିଦେଲ, ତେଣୁ ଏହି ଫଳ ମିଳିଲା, ଏହିପରି ଭାବି ସିଏ ଡରିଯାଇଥାନ୍ତି । ଏଠାରେ ତ ସେସବୁ କିଛି କରିବାର ନାହିଁ, କେବଳ ବାବାଙ୍କୁ ସ୍ମୃତିରେ ଆଣିବାକୁ ହେବ । ଚକ୍ରର ରହସ୍ୟ ବୁଝାଇବାକୁ ହେବ । ବର୍ତ୍ତମାନ କଳିଯୁଗ ପରେ ସତ୍ୟଯୁଗ ଆସିବ, ବିନାଶ ନିଶ୍ଚୟ ହେବ, ସେଥିପାଇଁ ଏହି ମହାଭାରତ ଲଢେଇ ଲାଗିବ । ଭଗବାନ ଆସି ରାଜଯୋଗ ଶିଖାଇ ନରରୁ ନାରାୟଣ କରୁଛନ୍ତି । ଏହା ରାଜଯୋଗ ଅଟେ, ପ୍ରଜାଯୋଗ ନୁହେଁ । ସମସ୍ତଙ୍କୁ ଶୁଭକଥା କହିବା ଉଚିତ୍ । ପିଲାମାନଙ୍କୁ ବହୁତ ମିଠା ସ୍ୱଭାବଯୁ୍‌କ୍ତ ହେବାର ଅଛି । ବାବା ମିଠା ଅଟନ୍ତି ନା । କ୍ରୋଧ ଆଦି ସବୁ ବିକାର ବାବା ଦାନରେ ନେଇଯାଉଛନ୍ତି । ବାବା କହୁଛନ୍ତି - ମୁଁ ସ୍ନେହର ସାଗର ଅଟେ, ତୁମେ ମଧ୍ୟ ସେହିପରି ହୁଅ । ବାବା ବହୁତ ସ୍ନେହର ସହିତ ବୁଝାଉଛନ୍ତି । ନଚେତ୍ ପିଲାମାନେ ବହୁତ ଗଣ୍ଡଗୋଳ କରୁଛନ୍ତି କାରଣ ମାୟା ମୁଣ୍ଡ ଖରାପ କରିଦେଉଛି, ସେଥିପାଇଁ ଖିଆଲ ଆସୁଛି ଯେ କେବେ ବି କାହାକୁ କିଛି କଡା କଥା କହିବାର ନାହିଁ । ସ୍ନେହର ସହିତ ବୁଝାଇବାକୁ ହେବ । ଆଖି ଦେଖାଇବା, ଗରମ ହେବା, ଜୋରରେ କହିବା, ଏହାର ଆବଶ୍ୟକତା ନାହିଁ । ଏହା ଦ୍ୱାରା କାମ ବିଗିଡିଯାଇଥାଏ । ଶାନ୍ତ ରହିବା ବହୁତ ଭଲ । ବିକାର ଗୁଡିକୁ ଦାନ ଦେଇ ଯଦି ପୁଣି ଫେରାଇ ନେବ, ତେବେ ନିଜର ପଦ ହରାଇବ । ବାବାଙ୍କର ସନ୍ତାନ ହୋଇଗଲ ଅର୍ଥାତ୍ ୫ ବିକାରଗୁଡିକର ଦାନ ଦେଇ ଦେଲ । କହିଥାନ୍ତି ଦାନ ଦେଲେ ଦଶା କଟିଯିବ । ତଥାପି ବାବା ପଣ୍ଡା ଅଟନ୍ତି ନା, ପଣ୍ଡା ବ୍ରାହ୍ମଣ ହୋଇଥାନ୍ତି । ଶିବବାବା ବି ରୁହାନୀ ପଣ୍ଡା ଅଟନ୍ତି । ତୁମେ ବି ପଣ୍ଡା ଅଟ । ବାବା ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି, ତେଣୁ ଇଏ ମଧ୍ୟ ବ୍ରାହ୍ମଣ ହେଲେ । ବାବା ଏହାଙ୍କ ଶରୀରର ଭ୍ରୃକୁଟୀ ମଧ୍ୟରେ ବସିଛନ୍ତି, ତାଙ୍କର ମହିମା ଗାଉଛନ୍ତି ତୁମେ ମାତ-ପିତା..... ଆଉ କାହାର ଏହି ମହିମା ନାହିଁ । ତାଙ୍କର କର୍ତ୍ତବ୍ୟ ଏହିଭଳି ଅଟେ । ଏହା ପାଠଶାଳା । ବାବା ଏଠାରେ ପାଠ ପଢାଉଛନ୍ତି । ଏକଥା ପିଲାମାନଙ୍କର ମନେ ରହିବା ଦରକାର । ଏଠାକାର ଲକ୍ଷ୍ୟ ହିଁ ହେଉଛି ବିଶ୍ୱର ବାଦଶାହୀ ନେବା । ତେଣୁ ଏପରି ଶିକ୍ଷକଙ୍କୁ ଭଲ ଭାବରେ ମନେ ପକାଇବା ଆବଶ୍ୟକ । ସ୍କୁଲରେ ଯେଉଁ ପିଲାମାନେ ପରୀକ୍ଷାରେ ପାସ୍ ହୋଇଥାନ୍ତି ତେବେ ବର୍ଷ-ବର୍ଷ ଧରି ଶିକ୍ଷକଙ୍କ ପାଖକୁ ଉପହାର ପଠାଇଚାଲିଥାନ୍ତି । ଏହି ପର୍ବପର୍ବାଣୀ ଆଦି ସବୁ ବର୍ତ୍ତମାନ ସମୟର ଅଟେ, କିନ୍ତୁ ଏହାର ମହତ୍ୱକୁ କେହି ଜାଣିନାହାଁନ୍ତି ।

ବାବା ହେଉଛନ୍ତି ଜ୍ଞାନର ସାଗର । ସିଏ ଆସୁଛନ୍ତି ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେବା ପାଇଁ । ତେଣୁ ସିଏ ମାଟି-ଗୋଡି ଭିତରେ କିପରି ଆସିବେ? ଜଣେ ଡାକ୍ତର ସିଦ୍ଧ କରି କହିଥିଲେ ଯେ ପ୍ରତ୍ୟେକ ଜିନିଷରେ ଆତ୍ମା ଅଛି । ସିଏ ପରମାତ୍ମା ଅଛନ୍ତି ବୋଲି କହିନଥିଲେ । ପୁଣି ଏମାନେ କହିଦେଉଛନ୍ତି - ଈଶ୍ୱର ସର୍ବବ୍ୟାପୀ । ସେମାନେ କହିଲେ ସମସ୍ତଙ୍କ ଭିତରେ ଆତ୍ମା ଅଛି, କିନ୍ତୁ ସନ୍ନ୍ୟାସୀମାନେ କହୁଛନ୍ତି ଯେ ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି । ଏଥିରେ କେତେ ରାତି-ଦିନର ପାର୍ଥକ୍ୟ ରହିଛି । ସିଏ ତ ଅବିନାଶୀ ବାବା ଅଟନ୍ତି । ସିଏ ସମସ୍ତଙ୍କ ଠାରୁ ବୁଦ୍ଧିଯୋଗ ତୁଟାଇ ନିଜ ସହିତ ଯୋଡୁଛନ୍ତି । ସେମାନେ ଅର୍ଥାତ୍ ବ୍ରହ୍ମଜ୍ଞାନୀମାନେ କହୁଛନ୍ତି ଆତ୍ମା ପାଣିଫୋଟକା ସଦୃଶ, ସାଗରରୁ ବାହାରିଛି ପୁଣି ସାଗରରେ ଲୀନ ହୋଇଯିବ । ଏହା ମଧ୍ୟ କୁହନ୍ତି - ଛୋଟ ଜ୍ୟୋତି ବଡ ଜ୍ୟୋତିରେ ଲୀନ ହୋଇଯାଏ, ପୁଣି ନୂଆ ଉତ୍ପତ୍ତି ହୋଇଥାଏ । ବାବା ବୁଝାଉଛନ୍ତି ଏଇ ଭକ୍ତି କରିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ମୁଁ ମଧ୍ୟ ଡ୍ରାମାର ନିର୍ଦ୍ଧାରିତ ସମୟ ଅନୁସାରେ ତୁମମାନଙ୍କୁ ଆସି ବୁଝାଉଛି । ତୁମେ ୮୪ ଜନ୍ମର ଯେଉଁ ଚକ୍ର ଲଗାଉଛ, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ଯାହା କିଛି ହେଉଛି ସବୁ ଡ୍ରାମାରେ ନିହିତ ହୋଇ ରହିଛି । କେହି କେହି ଏହାର ଗାୟନ ମଧ୍ୟ କରୁଛନ୍ତି, କେହି ପୁଣି ବିଘ୍ନ ମଧ୍ୟ ପକାଉଛନ୍ତି ।

ତୁମମାନଙ୍କୁ ଶିବବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । ସିଏ ଆସୁଛନ୍ତି ସମସ୍ତ ଆତ୍ମାଙ୍କୁ ନେଇଯିବା ପାଇଁ । ବାବା କାହାରି ଶରୀରର ନାମ ମଧ୍ୟ ନେଉ ନାହାଁନ୍ତି । ମୁଁ ଶରୀର ସହିତ କାହାକୁ ନେବାକୁ ଆସି ନାହିଁ । ମୋତେ ତ କହୁଛନ୍ତି ହେ ମୁକ୍ତିଦାତା ଆସ । ଆମକୁ ଦୁଃଖରୁ ମୁକ୍ତ କରି ଅନ୍ୟ ସ୍ଥାନକୁ ନେଇଚାଲ । ଯେଉଁଠାରେ ଆରାମ, ସୁଖ-ଶାନ୍ତି ପାଇବୁ । ତେଣୁ ସମସ୍ତଙ୍କର ଶରୀରକୁ ଏହିଠାରେ ହିଁ ତ୍ୟାଗ କରାଇ, ମୁଁ ଆତ୍ମାମାନଙ୍କୁ ଘରକୁ ନେଇଯିବି । ତେଣୁ ମୁଁ କାଳର କାଳ ଅର୍ଥାତ୍ ମହାକାଳ ହେଲି ନା । ମୁଁ ସମସ୍ତଙ୍କୁ ଏକାଠି ନେଇଯିବି । ବାବା କେତେ ଆଶ୍ଚର୍ଯ୍ୟଜନକ କଥା ବୁଝାଉଛନ୍ତି । ଯଦି କେଉଁଠାରେ କୌଣସି କଥା ବୁଝିପାରୁନାହଁ, ତେବେ କୁହ ଏହି କଥା ତ ବାବା ବର୍ତ୍ତମାନ ବୁଝାଇ ନାହାଁନ୍ତି । ଯେବେ ବୁଝାଇବେ ତେବେ ଆପଣଙ୍କୁ ଶୁଣାଇବୁ ଏହିଭଳି କହି ନିଜକୁ ସେଠାରୁ ଦୂରେଇ ନେବା ଦରକାର । ପିଲାମାନେ ଜାଣିଛନ୍ତି ବାବା ଜ୍ଞାନର ସାଗର ଅଟନ୍ତି । ପ୍ରତ୍ୟହ ନୂଆ ନୂଆ କଥା ଶୁଣାଉଛନ୍ତି । ବିଶ୍ୱର ଇତିହାସ-ଭୂଗୋଳ ଶୁଣାଇଲାବାଲା ରଚୟିତା ବାବା ଅଟନ୍ତି, ଯିଏକି ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ତୁମେମାନେ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଏବଂ ସ୍ୱଦର୍ଶନ ଚକ୍ରଧାରୀ ଅଟ । କିନ୍ତୁ ମାୟା ତୁମକୁ ଭୁଲାଇ ଦେଉଛି । ସେଥିପାଇଁ ଅଣନିଶ୍ୱାସୀ ହୋଇଯାଉଛ । କିଛି ନା କିଛି ପ୍ରଭାବ ତ ପଡିଯାଉଛି । କର୍ମର ହିସାବ କିତାବ ରହିଛି ନା । ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ନ ହୋଇଛି କିଛି ନା କିଛି ବିଘ୍ନ ପଡି ଚାଲିବ । ହିସାବ-କିତାବ ସମାପ୍ତ ହେବା ମାତ୍ରେ ଶରୀର ଛାଡି ଦେବ, ପୁଣି ଲଢେଇ ଆରମ୍ଭ ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିକାର ଗୁଡିକୁ ଦାନ ଦେଇ ପୁଣି ଫେରାଇ ନେବାର ନାହିଁ । ମୁଖ ଦ୍ୱାରା ଶୁଭ କଥା ହିଁ କହିବାକୁ ହେବ । ବହୁତ-ବହୁତ ମିଠା ହେବାକୁ ପଡିବ । ବାବାଙ୍କ ସମାନ ସ୍ନେହର ସାଗର ହୋଇ ରହିବାକୁ ହେବ ।

(୨) ସାଇଲେନ୍ସରେ (ଶାନ୍ତ ଚିତ୍ତ ଅବସ୍ଥାରେ) ରହି ବିନା ପଇସା ଖର୍ଚ୍ଚରେ ବିଶ୍ୱର ବାଦଶାହୀ ନେବାକୁ ହେବ । ବାବାଙ୍କର ସ୍ମୃତିରେ ଅଳ୍ପ ବହୁତ ଖର୍ଚ୍ଚ କରି ୨୧ ଜନ୍ମ ପାଇଁ ଆମଦାନୀ କରିବାକୁ ହେବ ।

ବରଦାନ:-
ତ୍ରିକାଳଦର୍ଶୀ ସ୍ଥିତି ଦ୍ୱାରା ମାୟାର ଆକ୍ରମଣଠାରୁ ସୁରକ୍ଷିତ ରହୁଥିବା ଅତିନ୍ଦ୍ରୀୟ ସୁଖର ଅଧିକାରୀ ଭବ ।

ସଂଗମଯୁଗର ବିଶେଷ ବରଦାନ ବା ବ୍ରାହ୍ମଣ ଜୀବନର ବିଶେଷତା ହେଲା - ଅତିନ୍ଦ୍ରୀୟ ସୁଖ । ଏହି ଅନୁଭବ ଅନ୍ୟ କୌଣସି ବି ଯୁଗରେ ହୋଇ ନ ଥାଏ । କିନ୍ତୁ ଏହି ସୁଖର ଅନୁଭୂତି କରିବା ପାଇଁ ତ୍ରିକାଳଦର୍ଶୀ ସ୍ଥିତି ଦ୍ୱାରା ମାୟାର ଆକ୍ରମଣଠାରୁ ସୁରକ୍ଷିତ ରୁହ । ଯଦି ବାରମ୍ବାର ମାୟାର ଆକ୍ରମଣ ହୋଇ ଚାଲିଥିବ ତେବେ ଇଚ୍ଛା କଲେ ମଧ୍ୟ ଅତିନ୍ଦ୍ରୀୟ ସୁଖର ଅନୁଭବ କରିପାରିବ ନାହିଁ । ଯେଉଁମାନେ ଅତିନ୍ଦ୍ରୀୟ ସୁଖର ଅନୁଭବ କରିନିଅନ୍ତି ସେମାନଙ୍କୁ ଇନ୍ଦ୍ରିୟ ସୁଖ ଆକର୍ଷିତ କରିପାରିବ ନାହିଁ, ଜ୍ଞାନୀ ହୋଇଥିବା କାରଣରୁ ସେମାନେ ତାକୁ ତୁଚ୍ଛ ମନେ କରିବେ ।

ସ୍ଲୋଗାନ:-
କର୍ମ ଦ୍ୱାରା ସେବା ଏବଂ ସଂକଳ୍ପ ଦ୍ୱାରା ସେବା, ଉଭୟର ସନ୍ତୁଳନ ରହିଥିଲେ ଶକ୍ତିଶାଳୀ ବାୟୁମଣ୍ଡଳ ନିର୍ମାଣ କରିପାରିବ ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ଯେମିତି ବି ଅଛୁ, ଯେମିତିକା ପରିସ୍ଥିତି ଆମ ସାମନାରେ ଅଛି, ସେହି ସବୁ ପରିସ୍ଥିତି ଭିତରେ ରହି ଏହି ଶରୀରରେ ହିଁ ମୋତେ ସମ୍ପୂର୍ଣ୍ଣ ହେବାକୁ ପଡିବ, ଏହି ଲକ୍ଷ୍ୟ ରଖ । ତୁମମାନଙ୍କର ସଂଗମଯୁଗୀ ସମ୍ପୂର୍ଣ୍ଣ ସ୍ୱରୂପର ଗାୟନ ଶକ୍ତି ରୂପରେ ଏବଂ ପାଣ୍ଡବ ରୂପରେ ହେଉଛି । ଯେତେବେଳେ ତୁମେମାନେ ଏହି ସ୍ୱରୂପରେ ସ୍ଥିତ ହେବ ସେତେବେଳେ ଯାଇ ଜାଣିପାରିବ ଯେ ମୋ’ର ଭକ୍ତ କେଉଁମାନେ ଅଟନ୍ତି ଏବଂ ପ୍ରଜା କେଉଁମାନେ ଅଟନ୍ତି । ଯେଉଁମାନେ ପ୍ରଜା ହୋଇଥିବେ ସେମାନେ ପାଖକୁ ଆସିବେ ଏବଂ ଯେଉଁମାନେ ଭକ୍ତ ହୋଇଥିବେ ସେମାନେ ଶେଷ ସମୟରେ ପାଦ ତଳେ ମୁଣ୍ଡ ନୁଆଇଁବେ ।