06.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବର୍ତ୍ତମାନ ଏହା ତୁମର ଉତଥାନର ସମୟ ଅଟେ, ଭାରତ ଗରିବରୁ ସାହୁକାର ହେବାକୁ ଯାଉଛି, ତେଣୁ ତୁମେ ବାବାଙ୍କଠାରୁ ସତ୍ୟଯୁଗୀ ରାଜ୍ୟପଦର ବର୍ସା ନେଇନିଅ” ।

ପ୍ରଶ୍ନ:-
ବାବାଙ୍କର କେଉଁ ଉପାଧି ଅର୍ଥାତ୍ ମହିମା ଶ୍ରୀକୃଷ୍ଣଙ୍କୁ ଦିଆଯାଇପାରିବ ନାହିଁ?

ଉତ୍ତର:-
ବାବା ହେଉଛନ୍ତି ଗରିବର ବନ୍ଧୁ ଅର୍ଥାତ୍ ଦୀନବନ୍ଧୁ । ଶ୍ରୀକୃଷ୍ଣଙ୍କୁ ଏଭଳି କୁହାଯିବ ନାହିଁ । ସିଏ ତ ବହୁତ ଧନବାନ ଅଟନ୍ତି, ତାଙ୍କ ରାଜ୍ୟରେ ସମସ୍ତେ ସାହୁକାର ଅର୍ଥାତ୍ ଧନୀ ଅଟନ୍ତି । ବାବା ଯେତେବେଳେ ଆସନ୍ତି ସେତେବେଳେ ସବୁଠାରୁ ଗରିବ ଭାରତ ହିଁ ଥାଏ । ଭାରତକୁ ହିଁ ବାବା ସାହୁକାର କରିଥା’ନ୍ତି । ତୁମେମାନେ କହୁଛ ଆମର ଭାରତ ସ୍ୱର୍ଗ ଥିଲା, ଏବେ ନାହିଁ, ପୁନର୍ବାର ହେବାକୁ ଯାଉଛି । ଗରିବ ନିବାଜ ଅର୍ଥାତ୍ ଦୀନବନ୍ଧୁ ବାବା ହିଁ ଭାରତକୁ ସ୍ୱର୍ଗ କରୁଛନ୍ତି ।

ଗୀତ:-
ଆଖିର ୱହ ଦିନ୍ ଆୟା ଆଜ୍‌...

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ପିଲାମାନେ ଏହି ଗୀତ ଶୁଣିଲେ । ଆତ୍ମା ଗୁପ୍ତ ଏବଂ ଶରୀର ପ୍ରତ୍ୟକ୍ଷ ଅଟେ । ଆତ୍ମାକୁ ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ ଅର୍ଥାତ୍ ଗୁପ୍ତ ଅଟେ । ଅଛି ନିଶ୍ଚିତ କିନ୍ତୁ ଏହି ଶରୀରର ଆବରଣ ମଧ୍ୟରେ ଘୋଡିଆ ହୋଇ ରହିଛି, ସେଥିପାଇଁ କୁହାଯାଏ ଆତ୍ମା ଗୁପ୍ତ । ଆତ୍ମା ନିଜେ କହିଥାଏ ମୁଁ ନିରାକାର ଅଟେ, ଏଠାକୁ ସାକାର ଶରୀରରେ ଆସି ମଧ୍ୟ ଗୁପ୍ତ ହୋଇ ରହିଛି । ଆତ୍ମାମାନଙ୍କର ନିରାକାରୀ ଦୁନିଆ ରହିଛି । ସେଠାରେ ତ ଗୁପ୍ତର କଥା ନାହିଁ । ପରମପିତା ପରମାତ୍ମା ମଧ୍ୟ ସେଠାରେ ରୁହନ୍ତି । ତାଙ୍କୁ କୁହାଯାଏ ସୁପ୍ରିମ ଅର୍ଥାତ୍ ପରମ ଯିଏକି ଉଚ୍ଚରୁ ଉଚ୍ଚ ଆତ୍ମା, ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱରେ ରହୁଥିବା ପରମଆତ୍ମା । ବାବା କହୁଛନ୍ତି, ଯେପରି ତୁମେ ଗୁପ୍ତ, ମୋତେ ମଧ୍ୟ ସେହିପରି ଗୁପ୍ତ ରୂପରେ ଆସିବାକୁ ପଡିବ । ମୁଁ ଗର୍ଭଜେଲ୍‌କୁ ଆସେ ନାହିଁ । ମୋର ସେହି ଏକ ଶିବ ନାମ ହିଁ ରହି ଆସିଛି । ମୁଁ ଏହି ଶରୀରରେ ଆସୁଛି ତଥାପି ମଧ୍ୟ ମୋର ନାମ ପରିବର୍ତ୍ତନ ହେଉନାହିଁ । ବ୍ରହ୍ମାଙ୍କର ଆତ୍ମାର ଯେଉଁ ଶରୀର ରହିଛି, ତାର ନାମ ପରିବର୍ତ୍ତନ ହେଉଛି । ମୋତେ ତ ଶିବ ହିଁ କହୁଛନ୍ତି - ମୁଁ ସର୍ବ ଆତ୍ମାମାନଙ୍କର ପିତା । ତେବେ ତୁମେ ଆତ୍ମାମାନେ ଏହି ଶରୀର ମଧ୍ୟରେ ଗୁପ୍ତ ଅଟ, ଏହି ଶରୀର ଦ୍ୱାରା କର୍ମ କରୁଛ । ମୁଁ ମଧ୍ୟ ଗୁପ୍ତ ଅଟେ । ତେବେ ପିଲାମାନଙ୍କୁ ଏହି ଜ୍ଞାନ ଏବେ ପ୍ରାପ୍ତ ହେଉଛି ଯେ, ଆତ୍ମା ଏହି ଶରୀର ଦ୍ୱାରା ଆଚ୍ଛାଦିତ ହୋଇ ରହିଛି । ଆତ୍ମା ଗୁପ୍ତ କିନ୍ତୁ ଶରୀର ପ୍ରତ୍ୟକ୍ଷ ଅଟେ । ମୁଁ ମଧ୍ୟ ଅଶରୀର ଅଟେ । ବାବା ଗୁପ୍ତ ରୂପରେ ଏହି ଶରୀର ଦ୍ୱାରା ଶୁଣାଉଛନ୍ତି । ତୁମେ ମଧ୍ୟ ଗୁପ୍ତ ଅଟ, ଶରୀର ଦ୍ୱାରା ଶୁଣୁଛ । ତୁମେମାନେ ଜାଣିଛ ବାବା ଆସିଛନ୍ତି - ଭାରତକୁ ପୁନର୍ବାର ଗରିବରୁ ସାହୁକାର କରିବା ପାଇଁ । ତୁମେମାନେ କହିବ ଆମର ଭାରତ । ପ୍ରତ୍ୟେକ ନିଜର ରାଜ୍ୟ ପାଇଁ କହିବେ - ଆମର ଗୁଜରାଟ, ଆମର ରାଜସ୍ଥାନ । ଆମର ଆମର କହିବା କାରଣରୁ ନିଜ ରାଜ୍ୟ ପ୍ରତି ମୋହ ରହିଥାଏ । ଆମର ଭାରତ ଗରିବ ଅଟେ । ଏ କଥା ସମସ୍ତେ ମାନୁଛନ୍ତି କିନ୍ତୁ ସେମାନଙ୍କୁ ଏ କଥା ଜଣା ନାହିଁ ଯେ ଆମର ଭାରତ କେବେ ସାହୁକାର ଥିଲା, କିପରି ଥିଲା । ତୁମ ପିଲାମାନଙ୍କୁ ବହୁତ ନିଶା ରହିଛି ଯେ ଆମର ଭାରତ ବହୁତ ଧନୀ ଥିଲା, ଦୁଃଖର ପ୍ରଶ୍ନ ନ ଥିଲା । ସତ୍ୟଯୁଗରେ ଅନ୍ୟ କୌଣସି ଧର୍ମ ନ ଥିଲା । ଗୋଟିଏ ହିଁ ଦେବୀ-ଦେବତା ଧର୍ମ ଥିଲା, ଏକଥା କାହାକୁ ଜଣାନାହିଁ । ଏହି ଯେଉଁ ବିଶ୍ୱର ଇତିହାସ ଭୂଗୋଳ ରହିଛି ସେ ସମ୍ବନ୍ଧରେ କେହି କିଛି ବି ଜାଣିନାହାଁନ୍ତି । ବର୍ତ୍ତମାନ ତୁମେମାନେ ଭଲ ଭାବରେ ବୁଝି ପାରୁଛ ଯେ, ଆମର ଭାରତ ବହୁତ ସାହୁକାର ଥିଲା । ଏବେ ବହୁତ ଗରିବ ହୋଇଯାଇଛି । ଏବେ ପୁଣି ବାବା ଆସିଛନ୍ତି ସାହୁକାର କରିବା ପାଇଁ । ଭାରତ ସତ୍ୟଯୁଗରେ ବହୁତ ସାହୁକାର ଥିଲା ଯେତେବେଳେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା ପୁଣି ସେହି ରାଜ୍ୟ କୁଆଡେ ଚାଲିଗଲା । ଏ କଥା କେହି ଜାଣିନାହାଁନ୍ତି । ଋଷି ମୁନି ଆଦି ମଧ୍ୟ କହୁଥିଲେ ଯେ ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ । ବାବା କହୁଛନ୍ତି ସତ୍ୟଯୁଗରେ ମଧ୍ୟ ଦେବୀଦେବତାମାନଙ୍କୁ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ନ ଥିଲା । ଯଦି ସେମାନଙ୍କୁ ବି ଜଣାଥାନ୍ତା ଯେ, ଆମେ ସିଢିରେ ଖସି ଖସି କଳିଯୁଗକୁ ଚାଲିଯିବୁ ତେବେ ରାଜା ହେବାର ସୁଖ ମଧ୍ୟ ରହି ନ ଥା’ନ୍ତା, ଚିନ୍ତାରେ ପଡିଯାଇଥା’ନ୍ତେ । ଏବେ ତୁମକୁ ଚିନ୍ତା ଲାଗିଛି ଯେ ଆମେ ସତ୍ତ୍ୱପ୍ରଧାନ ଥିଲୁ, ପୁଣି ଆମେ ସତ୍ତ୍ୱପ୍ରଧାନ କିପରି ହେବୁ! ଆମେ ଆତ୍ମାମାନେ ଯିଏକି ନିରାକାରୀ ଦୁନିଆରେ ରହୁଥିଲୁ, ସେଠାରୁ ପୁଣି କିପରି ସୁଖଧାମକୁ ଆସିଲୁ ଏ କଥା ଜାଣିବା ମଧ୍ୟ ଜ୍ଞାନ ଅଟେ । ଏବେ ଆମ ପାଇଁ ଉତ୍‌ଥାନର ସମୟ ଆସିଛି । ଏହା ୮୪ ଜନ୍ମର ସିଢି ଅଟେ । ଡ୍ରାମା ଅନୁସାରେ ପ୍ରତ୍ୟେକ ଅଭିନେତା କ୍ରମାନୁସାରେ ନିଜ ନିଜ ସମୟରେ ଆସି ଅଭିନୟ କରିବେ । ଏବେ ତୁମେ ପିଲାମାନେ ଜାଣୁଛ ଯେ ଗରିବର ବନ୍ଧୁ କାହାକୁ କୁହାଯାଉଛି, ଏ କଥା ଦୁନିଆକୁ ଜଣା ନାହିଁ । ଗୀତରେ ମଧ୍ୟ ଶୁଣିଲ - ଆଖିର ୱହ ଦିନ୍ ଆୟା ଆଜ୍ ଅର୍ଥାତ୍ ଶେଷରେ ସେହିଦିନ ଆଜି ଆସିଛି ଯେଉଁ ଦିନକୁ ଅପେକ୍ଷା କରିଥିଲୁ.... ସବୁ ଭକ୍ତମାନେ ଅପେକ୍ଷା କରିଥିଲେ । ଭଗବାନ କେବେ ଆସି ଆମ ଭକ୍ତମାନଙ୍କୁ ଏହି ଭକ୍ତିମାର୍ଗରୁ ମୁକ୍ତ କରି ସଦ୍‌ଗତିକୁ ନେଇଯିବେ - ଏ କଥା ଏବେ ବୁଝିଲ । ବାବା ପୁନର୍ବାର ଏହି ଶରୀରକୁ ଆସିଯାଇଛନ୍ତି । ଶିବଜୟନ୍ତୀ ମଧ୍ୟ ପାଳନ ହେଉଛି, ତେବେ ନିଶ୍ଚିତ ଆସୁଛନ୍ତି । ଏପରି ବି କହୁ ନାହାଁନ୍ତି ଯେ ମୁଁ ଶ୍ରୀକୃଷ୍ଣଙ୍କ ଶରୀରରେ ଆସୁଛି । ନା । ବାବା କହୁଛନ୍ତି, ଶ୍ରୀକୃଷ୍ଣଙ୍କର ଆତ୍ମା ତ ୮୪ ଜନ୍ମ ନେଇଛି । ତାଙ୍କର ବହୁତ ଜନ୍ମର ଶେଷର ଏହା ଅନ୍ତିମ ଜନ୍ମ ଅଟେ । ଯିଏ ପ୍ରଥମ ନମ୍ବରରେ ଥିଲା ସିଏ ଏବେ ଶେଷରେ ଅଛି, ତତ୍ ତ୍ୱମ୍ । ମୁଁ ତ ସାଧାରଣ ଶରୀରରେ ହିଁ ଆସୁଛି । ତୁମକୁ ଆସି ବତାଉଛି - ତୁମେ କିପରି ୮୪ ଜନ୍ମ ଭୋଗ କରିଛ । ସର୍ଦ୍ଦାର (ଶିଖ୍‌) ମାନେ ମଧ୍ୟ ଭାବୁଛନ୍ତି ଏକ ଓଁକାର ପରମପିତା ପରମାତ୍ମା ବାବା ଅଟନ୍ତି । ନିଶ୍ଚିତ ଭାବରେ ସିଏ ହିଁ ମନୁଷ୍ୟରୁ ଦେବତା କରିଥା’ନ୍ତି । ତେବେ ଆମେ କାହିଁକି ଦେବତା ନ ହେବା । ଯେଉଁମାନେ ଦେବତା ହୋଇଥିବେ ସେମାନେ ପୁଣି ପୁରୁଷାର୍ଥ କରିବାରେ ଲାଗିପଡିବେ । ଦେବୀ-ଦେବତା ଧର୍ମର ବୋଲି ତ କେହି ଜଣେ ହେଲେ ବି ନିଜକୁ ଭାବୁନାହାଁନ୍ତି । ଅନ୍ୟ ଧର୍ମ ଗୁଡିକର ଇତିହାସ ବହୁତ ଛୋଟ । କାହାର ୫୦୦ ବର୍ଷର ତ କାହାର ୧୨୫୦ ବର୍ଷର । ତୁମର ଇତିହାସ ହେଉଛି ୫ ହଜାର ବର୍ଷର । ଦେବତା ଧର୍ମ ବାଲା ହିଁ ସ୍ୱର୍ଗରେ ଆସିବେ । ଅନ୍ୟ ଧର୍ମ ସବୁ ତ ପରେ ଆସିଥା’ନ୍ତି । ଦେବତା ଧର୍ମର ଆତ୍ମାମାନେ ମଧ୍ୟ ଏବେ ଡ୍ରାମା ଅନୁସାରେ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି । ପୁଣି ବି ପରିବର୍ତ୍ତିତ ହେବେ ଏବଂ ପୁନର୍ବାର ନିଜ ନିଜ ଧର୍ମକୁ ଫେରିଆସିବେ ।

ବାବା ବୁଝାଉଛନ୍ତି - ପିଲାମାନେ, ତୁମେ ତ ବିଶ୍ୱର ମାଲିକ ଥିଲ । ତୁମେ ମଧ୍ୟ ବୁଝୁଛ ଯେ, ବାବା ସ୍ୱର୍ଗ ସ୍ଥାପନା କରିବାକୁ ଯାଉଛନ୍ତି ତେବେ ଆମେ କାହିଁକି ସ୍ୱର୍ଗକୁ ନ ଯିବୁ, ବାବାଙ୍କଠାରୁ ଆମେ ବର୍ସା ନିଶ୍ଚିତ ନେବୁ - ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ ଇଏ ଆମ ଧର୍ମର ଅଟନ୍ତି । ଯିଏ ଏହି ଧର୍ମର ହୋଇ ନ ଥିବ ସିଏ ଏଠାକୁ ଆସିବ ହିଁ ନାହିଁ । କହିବେ ଅନ୍ୟ ଧର୍ମକୁ ଆମେ କାହିଁକି ଯିବୁ । ତୁମେ ପିଲାମାନେ ଜାଣିଛ ସତ୍ୟଯୁଗ ନୂଆ ଦୁନିଆରେ ଦେବତାମାନଙ୍କର ବହୁତ ସୁଖ ଥିଲା । ସୁନାର ମହଲ ଥିଲା । ସୋମନାଥଙ୍କର ମନ୍ଦିରରେ କେତେ ସୁନା ଥିଲା । ଏଭଳି ଅନ୍ୟ କୌଣସି ଧର୍ମ ନାହିଁ । ସୋମନାଥ ମନ୍ଦିର ଭଳି ଏତେ ଧନଶାଳୀ ମନ୍ଦିର କେଉଁଠି ନ ଥିବ । ସେହି ମନ୍ଦିରରେ ବହୁତ ହୀରାନୀଳା ଆଦି ଥିଲା । ବୁଦ୍ଧ ଆଦିଙ୍କର କୌଣସି ହୀରା ନୀଳାର ମହଲ ତ ନ ଥିଲା । ତୁମ ପିଲାମାନଙ୍କୁ ଯେଉଁ ବାବା ଏତେ ଉଚ୍ଚ କରିଛନ୍ତି ତୁମେ ତାଙ୍କର କେତେ ଇଜ୍ଜତ ରଖିଛ! ଇଜ୍ଜତ ତ ରଖିବାକୁ ପଡିବ ନା । ଭାବୁଛନ୍ତି ସିଏ ନିଶ୍ଚିତ କିଛି ଭଲ କର୍ମ କରିଯାଇଛନ୍ତି । ଏବେ ତୁମେ ଜାଣୁଛ ସବୁଠାରୁ ଭଲ କର୍ମ ପତିତ ପାବନ ବାବା ହିଁ କରିଯାଇଥାନ୍ତି । ତୁମେ ଆତ୍ମାମାନେ କହୁଛ ଯେ ସବୁଠାରୁ ଉତ୍ତମରୁ ଉତ୍ତମ ସେବା ବେହଦର ବାବା ଆସି କରିଥା’ନ୍ତି । ଆମକୁ ଗରିବରୁ ଧନୀ, ଭିକାରୀରୁ ରାଜକୁମାର କରିଦେଉଛନ୍ତି । ଯିଏ ଭାରତକୁ ସ୍ୱର୍ଗରେ ପରିଣତ କରୁଛନ୍ତି, ଏବେ ତାଙ୍କୁ କେହି ସମ୍ମାନ ଦେଉନାହାଁନ୍ତି । ତୁମେ ଜାଣିଛ ଯାହାର ସର୍ବଶ୍ରେଷ୍ଠ ମନ୍ଦିର ରୂପରେ ଗାୟନ ରହିଛି ତାକୁ କିପରି ଲୁଟି ନେଲେ । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରକୁ କେବେ କେହି ଲୁଟି ନାହାଁନ୍ତି । ସୋମନାଥଙ୍କର ମନ୍ଦିରକୁ ଲୁଟିଛନ୍ତି । ଭକ୍ତିମାର୍ଗରେ ମଧ୍ୟ ବହୁତ ଧନବାନ ଥା’ନ୍ତି । ରାଜାମାନଙ୍କ ଭିତରେ ମଧ୍ୟ ବଡ ସାନ ଥା’ନ୍ତି ନା । ଯେଉଁମାନେ ଉଚ୍ଚପଦର ଅଧିକାରୀ ହୋଇଥା’ନ୍ତି ତାଙ୍କୁ ଛୋଟ ରାଜାମାନେ ସମ୍ମାନ ଦେଇଥା’ନ୍ତି । ରାଜ ଦରବାରରେ ମଧ୍ୟ କ୍ରମ ଅନୁସାରେ ବସିଥା’ନ୍ତି । ବାବା ତ ଅନୁଭବୀ ଅଟନ୍ତି ନା । ଏହା ତ ପତିତ ରାଜାମାନଙ୍କର ଦରବାର ଅଟେ । ତେବେ ପାବନ ରାଜାମାନଙ୍କର ଦରବାର କିପରି ହୋଇଥିବ । ଯେବେକି ସେମାନଙ୍କ ପାଖରେ ଏତେ ଧନ ସମ୍ପତ୍ତି ଥିଲା ତେବେ ସେମାନଙ୍କର ଘର ମଧ୍ୟ ସେତିକି ସୁନ୍ଦର ହୋଇଥିବ । ଏବେ ତୁମେ ଜାଣୁଛ ଯେ ବାବା ଆମକୁ ରାଜଯୋଗର ପାଠ ପଢାଉଛନ୍ତି । ସ୍ୱର୍ଗର ସ୍ଥାପନା କରାଉଛନ୍ତି । ଆମେ ସ୍ୱର୍ଗର ମହାରାଜା-ମହାରାଣୀ ହେଉଛୁ ପୁଣି ଆମେ ତଳକୁ ଖସି ଖସି ଯେତେବେଳେ ଭକ୍ତ ହୋଇଯିବା ସେତେବେଳେ ପ୍ରଥମେ ପ୍ରଥମେ ଶିବବାବାଙ୍କର ପୂଜାରୀ ହେବା । ଯିଏ ସ୍ୱର୍ଗର ମାଲିକ କରିଥିଲେ ତାଙ୍କର ହିଁ ପୂଜା କରିବା । ସିଏ ଆମକୁ ବହୁତ ଧନବାନ କରୁଛନ୍ତି । ଏବେ ଭାରତ କେତେ ଗରିବ ହୋଇଯାଇଛି, ଯେଉଁ ଜମି ୫୦୦ ଟଙ୍କାରେ କିଣିଥିଲେ ତାର ମୂଲ୍ୟ ଆଜି ୫ ହଜାରରୁ ଅଧିକ ହୋଇଗଲାଣି । ଏ ସବୁ ହେଲା କୃତ୍ରିମ ମୂଲ୍ୟ । ସେଠାରେ ତ ଭୂମିର ମୂଲ୍ୟ ନ ଥାଏ, ଯାହାକୁ ଯେତେ ଦରକାର ନେଇଯିବେ । ବହୁତ ବହୁତ ଜମି ପଡିରହିଥିବ । ମଧୁର ନଦୀମାନଙ୍କର କୂଳରେ ତୁମର ମହଲ ହେବ । ମନୁଷ୍ୟ ବହୁତ କମ୍ ଥିବେ । ପ୍ରକୃତି ତୁମର ଦାସୀ ଭଳି କାର୍ଯ୍ୟ କରିବ । ଫଳ ଫୁଲ ବହୁତ ସୁନ୍ଦର ସୁନ୍ଦର ମିଳୁଥିବ । ଏବେ ତ କେତେ ମେହନତ କଲା ପରେ ବି ଯଥେଷ୍ଟ ଅନ୍ନ ମିଳୁନାହିଁ । ମନୁଷ୍ୟ ବହୁତ ଭୋକ ଉପାସରେ ମରୁଛନ୍ତି । ତେବେ ଏହି ଗୀତ ଶୁଣି ତୁମର ଲୋମ ଟାଙ୍କୁରି ଉଠିବା ଦରକାର । ବାବାଙ୍କୁ ଗରିବର ବନ୍ଧୁ କୁହାଯାଏ । ଗରୀବ ନିବାଜର ଅର୍ଥ ବୁଝିଲ ନା! କାହାକୁ ସାହୁକାର କରୁଛନ୍ତି? ନିଶ୍ଚିତ ଯେଉଁଠାକୁ ଆସିବେ ସେହିମାନଙ୍କୁ ହିଁ ସାହୁକାର କରିବେ ନା । ତୁମେ ପିଲାମାନେ ଜାଣିଛ ଆମକୁ ପାବନରୁ ପତିତ ହେବା ପାଇଁ ୫ ହଜାର ବର୍ଷ ଲାଗୁଛି । ଏବେ ପୁଣି କ୍ଷଣିକ ସମୟ ମଧ୍ୟରେ ବାବା ପତିତରୁ ପାବନ କରିଦେଉଛନ୍ତି । ଉଚ୍ଚରୁ ଉଚ୍ଚ କରିଦେଉଛନ୍ତି, ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଯାଉଛି । କହୁଛନ୍ତି ବାବା ମୁଁ ଆପଣଙ୍କର ଅଟେ । ବାବା କହୁଛନ୍ତି ପିଲାମାନେ ତୁମେ ବିଶ୍ୱର ମାଲିକ ଅଟ । ଯେପରି ପୁଅ ଜନ୍ମ ହେବା ମାତ୍ରେ ତୁରନ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଯାଏ । ସମସ୍ତେ କେତେ ଖୁସି ହୋଇଥାଆନ୍ତି । ଝିଅକୁ ଦେଖି ମୁହଁ ଶୁଖିଯାଏ । ଏଠାରେ ତ ସବୁ ଆତ୍ମାମାନେ ସନ୍ତାନ ଅଟନ୍ତି । ଏବେ ଜଣାପଡିଲା ଯେ ଆମେ ୫ ହଜାର ବର୍ଷ ପୂର୍ବରୁ ସ୍ୱର୍ଗର ମାଲିକ ଥିଲେ । ବାବା ହିଁ ଆମକୁ ଏହିପରି କରିଥିଲେ । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ସିଏ କେବେ ଆସିଥିଲେ । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା - ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ଜୟନ୍ତୀ ପାଳନ କରି କେବଳ ଶିବଲିଙ୍ଗର ବଡ ବଡ ମନ୍ଦିର ତିଆରି କରୁଛନ୍ତି । କିନ୍ତୁ ସିଏ କିପରି ଆସିଲେ, ଆସି କ’ଣ କଲେ, କିଛି ବି ଜାଣିନାହାଁନ୍ତି । ଏହାକୁ କୁହାଯାଏ ଅନ୍ଧବିଶ୍ୱାସ, ଅନ୍ଧଶ୍ରଦ୍ଧା । ସେମାନଙ୍କୁ ଏ କଥା ଜଣା ହିଁ ନାହିଁ ଯେ ଆମର ଧର୍ମ କ’ଣ, କେବେ ସ୍ଥାପନ ହୋଇଥିଲା । ଅନ୍ୟ ଧର୍ମବାଲାଙ୍କୁ ଜଣାଅଛି, ବୁଦ୍ଧ କେବେ ଆସିଥିଲେ, ତିଥି ତାରିଖ ମଧ୍ୟ ଅଛି । ଶିବବାବାଙ୍କର, ଲକ୍ଷ୍ମୀ-ନାରାୟଣଙ୍କର କୌଣସି ତିଥି ତାରିଖ ନାହିଁ । ୫ ହଜାର ବର୍ଷର କଥାକୁ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖି ଦେଇଛନ୍ତି । ଲକ୍ଷ ଲକ୍ଷ ବର୍ଷର କଥା କ’ଣ କାହାର ମନେ ରହିପାରିବ? ଭାରତରେ ଦେବୀ-ଦେବତା ଧର୍ମ କେବେ ଥିଲା, ଏ କଥା ବୁଝୁନାହାଁନ୍ତି । ଲକ୍ଷ-ଲକ୍ଷ ବର୍ଷ ହିସାବରେ ତ ଭାରତର ଲୋକସଂଖ୍ୟା ସବୁଠାରୁ ଅଧିକ ହେବା ଦରକାର । ଭାରତର ଭୂମିର ଆୟତନ ମଧ୍ୟ ସବୁଠାରୁ ବଡ ହେବା ଦରକାର । ଲକ୍ଷ-ଲକ୍ଷ ବର୍ଷରେ କେତେ ମନୁଷ୍ୟ ଜନ୍ମ ହୋଇଥିବେ, ତେବେ ତ ଅଗଣିତ ମନୁଷ୍ୟ ହୋଇଯିବେ । କିନ୍ତୁ ଏତେ ତ ନାହାଁନ୍ତି, ଆହୁରି ବି କମିଯାଇଛନ୍ତି । ଏହି କଥା ସବୁ ବାବା ଆସି ବୁଝାଉଛନ୍ତି । ମନୁଷ୍ୟ ଏକଥା ଶୁଣି କହୁଛନ୍ତି ଆମେ ତ ଏସବୁ କେବେ ଶୁଣି ନ ଥିଲୁ ନା କୌଣସି ଶାସ୍ତ୍ରରେ ପଢିଥିଲୁ । ଏସବୁ ତ ବହୁତ ଆଶ୍ଚର୍ଯ୍ୟଜନକ କଥା ।

ଏବେ ତୁମେ ପିଲାମାନଙ୍କ ବୁଦ୍ଧିରେ ସାରା ସୃଷ୍ଟିଚକ୍ରର ଜ୍ଞାନ ରହିଛି । ଏହି ବ୍ରହ୍ମା ବହୁତ ଜନ୍ମର ଶେଷ ଜନ୍ମର ଶେଷରେ ଏବେ ପତିତ ଅଟନ୍ତି, ଯିଏ ସତ୍ତ୍ୱପ୍ରଧାନ ଥିଲା ସିଏ ଏବେ ତମୋପ୍ରଧାନ ହୋଇଯାଇଛି । ପୁଣି ଏବେ ସତ୍ତ୍ୱପ୍ରଧାନ ହେବାକୁ ଯାଉଛି । ତୁମ ଆତ୍ମାମାନଙ୍କୁ ଏବେ ଏହି ଶିକ୍ଷା ମିଳୁଛି । ଆତ୍ମା କାନ ଦ୍ୱାରା ଶୁଣିବା ସମୟରେ ଶରୀର ମଧ୍ୟ ଝୁଲୁଥାଏ କାରଣ ଆତ୍ମା ଶୁଣୁଥାଏ ନା । ନିଶ୍ଚିତ ଭାବରେ ଆମେ ଆତ୍ମାମାନେ ୮୪ ଜନ୍ମ ନେଉଛୁ । ତେଣୁ ୮୪ ଜନ୍ମରେ ୮୪ ମାତାପିତା ନିଶ୍ଚିତ ମିଳିଥିବେ । ଏହାର ମଧ୍ୟ ହିସାବ ଅଛି ନା । ଏବେ ବୁଦ୍ଧିରେ ଆସୁଛି ଯେ ଆମେ ୮୪ ଜନ୍ମ ନେଉଛୁ । ପୁଣି କମ ଜନ୍ମବାଲା ମଧ୍ୟ ଥିବେ । ସମସ୍ତେ କ’ଣ ୮୪ ଜନ୍ମ ନେବେ କି? ବାବା ଆସି ବୁଝାଉଛନ୍ତି ଶାସ୍ତ୍ରରେ କ’ଣ କ’ଣ ସବୁ ଲେଖି ଦେଇଛନ୍ତି । ତୁମପାଇଁ ତ ପୁଣି ବି ୮୪ ଜନ୍ମ କହୁଛନ୍ତି, ମୋ ପାଇଁ ତ ଅଗଣିତ, ଅସଂଖ୍ୟ ଜନ୍ମ କହି ଦେଉଛନ୍ତି । ଅଣୁ ପରମାଣୁ ମଧ୍ୟରେ, ମାଟିଗୋଡି ଭିତରେ ଭର୍ତ୍ତି କରି ଦେଇଛନ୍ତି । ବାସ୍ ଯେଉଁଠି ଦେଖୁଛି ତୁ ହିଁ ତୁ । କୃଷ୍ଣ ହିଁ କୃଷ୍ଣ ଅଛନ୍ତି । ମଥୁରା, ବୃନ୍ଦାବନରେ ଏହିଭଳି କହିଥା’ନ୍ତି । କୃଷ୍ଣ ହିଁ ସର୍ବବ୍ୟାପୀ ଅଟନ୍ତି । ରାଧାପନ୍ଥିବାଲା ପୁଣି କହିବେ ସବୁ ଆଡେ ରାଧା ହିଁ ରାଧା । ତୁମେ ବି ରାଧା ମୁଁ ବି ରାଧା ।

ବାସ୍ତବରେ ଏକମାତ୍ର ବାବା ହିଁ ଗରିବ ନିବାଜ ଅର୍ଥାତ୍ ଦୀନବନ୍ଧୁ ଅଟନ୍ତି । ଭାରତ ଯିଏକି ସବୁଠାରୁ ଧନବାନ ଥିଲା, ଏବେ ସବୁଠାରୁ ଗରିବ ହୋଇଯାଇଛି ସେଥିପାଇଁ ମୋତେ ଭାରତରେ ହିଁ ଆସିବାକୁ ପଡୁଛି । ଏହା ପୂର୍ବପ୍ରସ୍ତୁତ ଡ୍ରାମା ଅଟେ, ଏଥିରେ ଟିକିଏ ହେଲେ ବି ଫରକ ହୋଇପାରିବ ନାହିଁ । ଡ୍ରାମାରେ ଯାହା ସୁଟିଂ ହୋଇଯାଇଛି ତାହାର ହିଁ ଅବିକଳ ପୁନରାବୃତ୍ତି ହୁଏ । ଏଥିରେ ତିଳେମାତ୍ର ଫରକ ହୋଇପାରିବ ନାହିଁ । ତୁମ ଭିତରେ ଡ୍ରାମାର ଜ୍ଞାନ ମଧ୍ୟ ରହିବା ଦରକାର । ଡ୍ରାମା ଅର୍ଥାତ୍ ଡ୍ରାମା । ସେସବୁ ହେଲା ହଦର ଡ୍ରାମା, ଏହା ହେଲା ବେହଦର ଡ୍ରାମା । ଏହି ବେହଦର ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ କେହି ଜାଣିନାହାଁନ୍ତି । ତେବେ ଗରିବ ନିବାଜ ବୋଲି ନିରାକାର ଭଗବାନଙ୍କୁ ହିଁ ମାନିବେ, ଶ୍ରୀକୃଷ୍ଣଙ୍କୁ ମାନିବେ ନାହିଁ । କୃଷ୍ଣ ତ ସତ୍ୟଯୁଗର ରାଜକୁମାର, ଯିଏକି ବହୁତ ଧନବାନ ହୋଇଥା’ନ୍ତି । ଭଗବାନଙ୍କର ତ ନିଜର ଶରୀର ନାହିଁ । ସିଏ ଆସି ତୁମ ସନ୍ତାନମାନଙ୍କୁ ଧନବାନ କରୁଛନ୍ତି, ତୁମକୁ ରାଜଯୋଗର ଶିକ୍ଷା ଦେଉଛନ୍ତି । ଯେପରି ପାଠପଢା ଦ୍ୱାରା ବାରିଷ୍ଟର ଆଦି ହୋଇ ରୋଜଗାର କରିଥା’ନ୍ତି । ସେହିପରି ବାବା ମଧ୍ୟ ତୁମକୁ ଏବେ ପାଠ ପଢାଉଛନ୍ତି । ଯାହାଦ୍ୱାରା ତୁମେ ଭବିଷ୍ୟତରେ ନରରୁ ନାରାୟଣ ହେଉଛ । ତୁମର ଜନ୍ମ ତ ହେବ ନା । ଏମିତି ତ ନୁହେଁ ସ୍ୱର୍ଗ କୌଣସି ସମୁଦ୍ରରୁ ବାହାରି ଆସିବ । ଶ୍ରୀକୃଷ୍ଣ ମଧ୍ୟ ଜନ୍ମ ନେଇଛନ୍ତି ନା । କଂସପୁରୀ ଇତ୍ୟାଦି ତ ସେତେବେଳେ ନ ଥିଲା । ଶ୍ରୀକୃଷ୍ଣଙ୍କର ନାମର କେତେ ଗାୟନ ହେଉଛି । ତାଙ୍କର ପିତାଙ୍କର ଗାୟନ ହିଁ ନାହିଁ । ତାଙ୍କର ପିତା କେଉଁଠି ଅଛନ୍ତି? ନିଶ୍ଚିତ ଭାବରେ ଶ୍ରୀକୃଷ୍ଣ କାହାର ପୁତ୍ର ହୋଇଥବେ ନା । ଯେତେବେଳେ କୃଷ୍ଣ ଜନ୍ମ ହୁଅନ୍ତି, ସେତେବେଳେ ଅଳ୍ପ କିଛି ପତିତ ମଧ୍ୟ ଥାଆନ୍ତି । ଯେତେବେଳେ ସେମାନେ ଅର୍ଥାତ୍ ପତିତମାନେ ବିଲକୁଲ୍ ସମାପ୍ତ ହୋଇଯା’ନ୍ତି, ସେତେବେଳେ ଶ୍ରୀକୃଷ୍ଣ ରାଜଗଦିରେ ବସନ୍ତି । ନିଜର ରାଜ୍ୟ ନେଇଥା’ନ୍ତି, ସେବେଠାରୁ ହିଁ ତାଙ୍କର ସମ୍ବତ୍ ଆରମ୍ଭ ହୋଇଥାଏ । ଲକ୍ଷ୍ମୀ-ନାରାୟଣଙ୍କ ଠାରୁ ହିଁ ସମ୍ବତ ଆରମ୍ଭ ହୋଇଥାଏ । ତୁମେ ପୁରା ହିସାବ ଲେଖୁଛ । ଏହାଙ୍କର ରାଜ୍ୟ ଏତେ ସମୟ, ପୁଣି ୟାଙ୍କର ଏତେ ସମୟ, ତେବେ ଲୋକମାନେ ବୁଝିବେ ଯେ ଏହି କଳ୍ପର ଆୟୁଷ ବଡ ହୋଇପାରିବ ନାହିଁ । ୫ ହଜାର ବର୍ଷର ପୁରା ହିସାବ ରହିଛି । ଏ ସବୁ ତୁମ ପିଲାମାନଙ୍କର ବୁଦ୍ଧିରେ ଆସୁଛି ନା । ଆମେ କାଲି ସ୍ୱର୍ଗର ମାଲିକ ଥିଲେ । ବାବା ହିଁ ସ୍ୱର୍ଗର ମାଲିକ କରିଥିଲେ, ସେଥିପାଇଁ ତ ଆମେ ତାଙ୍କର ଶିବଜୟନ୍ତୀ ପାଳନ କରୁଛୁ । ତୁମେମାନେ ସମସ୍ତଙ୍କୁ ଜାଣିଛ । ଖ୍ରୀଷ୍ଟ, ଗୁରୁନାନକ ଆଦି ପୁଣି କେବେ ଆସିବେ, ଏକଥା ମଧ୍ୟ ତୁମକୁ ଜଣାଅଛି । ବିଶ୍ୱର ଇତିହାସ ଭୂଗୋଳର ଅବିକଳ ପୁନରାବୃତ୍ତି ହେଉଛି । ଏହି ପାଠପଢା କେତେ ସହଜ । ତୁମେ ସ୍ୱର୍ଗକୁ ଜାଣିଛ, ନିଶ୍ଚିତ ଭାବେ ଭାରତ ସ୍ୱର୍ଗ ଥିଲା । ଭାରତ ଅବିନାଶୀ ଖଣ୍ଡ ଅଟେ । ଭାରତ ଭଳି ମହିମା ଆଉ କାହାର ହୋଇପାରିବ ନାହିଁ । ସମସ୍ତଙ୍କୁ ପତିତରୁ ପାବନ କଲାବାଲା ଏକମାତ୍ର ବାବା ହିଁ ଅଟନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଡ୍ରାମାର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ବୁଦ୍ଧିରେ ରଖି ସବୁ ଚିନ୍ତାକୁ ତ୍ୟାଗ କରିବାକୁ ହେବ । କେବଳ ସତ୍ୱପ୍ରଧାନ ହେବାର ଚିନ୍ତା ରଖିବାକୁ ହେବ ।

(୨) ଗରିବ ନିବାଜ ବାବା ଭାରତକୁ ଗରିବରୁ ସାହୁକାର କରିବା ପାଇଁ ଆସିଛନ୍ତି, ତାଙ୍କର ପୁରା ପୁରା ସହଯୋଗୀ ହେବାକୁ ପଡିବ । ନିଜର ନୂଆ ଦୁନିଆକୁ ମନେ ପକାଇ ସର୍ବଦା ଖୁସିରେ ରହିବାକୁ ହେବ ।

ବରଦାନ:-
ଦିଲ୍ ଭିତରେ ସର୍ବଦା ଏକମାତ୍ର ରାମଙ୍କୁ ବସାଇ ସଚ୍ଚା ସେବା କରୁଥିବା ମାୟାଜିତ୍ ବିଜୟୀ ଭବ ।

ହନୁମାନର ଏହି ବିଶେଷତା ଦେଖାଇଛନ୍ତି ଯେ ସେ ସର୍ବଦା ସେବାଧାରୀ ଏବଂ ମହାବୀର ଥିଲା ସେଥିପାଇଁ ସେ ନିଜେ ଜଳିଲା ନାହିଁ କିନ୍ତୁ ଲାଞ୍ଜ ଦ୍ୱାରା ଲଙ୍କାକୁ ଜଳାଇଦେଲା । ସେହିପରି ଏଠାରେ ମଧ୍ୟ ଯେଉଁମାନେ ସର୍ବଦା ସେବାଧାରୀ ଅଟନ୍ତି ସେହିମାନେ ହିଁ ମାୟାର ଅଧିକାରକୁ ସମାପ୍ତ କରିପାରିବେ! କିନ୍ତୁ ଯେଉଁମାନେ ସେବାଧାରୀ ନୁହଁନ୍ତି ସେମାନେ ମାୟାର ରାଜ୍ୟକୁ ଜଳାଇ ପାରିବେ ନାହିଁ । ତେବେ ହନୁମାନର ଦିଲ୍ ଭିତରେ ସର୍ବଦା ଏକମାତ୍ର ରାମ ହିଁ ବାସ କରୁଥିଲେ, ତେଣୁ ତୁମମାନଙ୍କର ଦିଲ୍ ଭିତରେ ମଧ୍ୟ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ନ ରୁହନ୍ତୁ, ନିଜର ଦେହର ସ୍ମୃତି ମଧ୍ୟ ନ ରହୁ ତେବେ ଯାଇ ମାୟାଜିତ୍ ବିଜୟୀ ହୋଇପାରିବ ।

ସ୍ଲୋଗାନ:-
ଯେପରି ଆତ୍ମା ଏବଂ ଶରୀର ଯୁଗଳ ଅଟନ୍ତି, ସେହିପରି ଆପଣ ବାବାଙ୍କ ସହିତ ଯୁଗଳ ହୋଇ ରୁହନ୍ତୁ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ସଂଗଠନ ଭିତରେ ପ୍ରତ୍ୟେକଙ୍କର ବିଶେଷତାକୁ ଦେଖିବା, ବିଶେଷତାକୁ ହିଁ ଗ୍ରହଣ କରିବା ଏବଂ ଦୁର୍ବଳତାଗୁଡିକୁ ସମାପ୍ତ କରିବା ପାଇଁ ଚେଷ୍ଟା କରିବା - ଏହା ହିଁ ହେଉଛି ଏକତାର ସଂଗଠନକୁ ମଜବୁତ କରିବାର ବିଧି । ଯେପରି ତୁମ ସମସ୍ତଙ୍କର ଉଠିବା, କଥା କହିବା, ଚାଲିବା ଏକାଭଳି ଅଟେ ବା ସମସ୍ତଙ୍କର ଏକାଭଳି କଥା, ଏକା ପ୍ରକାରର ଗତି, ଏକମାତ୍ର ରୀତି, ଗୋଟିଏ ହିଁ ନୀତି, ସେହିପରି ତୁମର ସଂସ୍କାର ମଧ୍ୟ ସମାନ ଦେଖାଯାଉ । ଭିନ୍ନତା ଥିଲେ ମଧ୍ୟ ପରସ୍ପର ପ୍ରତି ବିଶ୍ୱାସ ରଖି ସମସ୍ତଙ୍କର ବିଚାରକୁ ସତ୍କାର ଦିଅ - ଏହା ହିଁ ହେଉଛି ଏକତାର ଆଧାର ।