07.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବୁଦ୍ଧିରେ ଏକମାତ୍ର ବାବାଙ୍କର ସ୍ମୃତି ସ୍ଥାୟୀ ଭାବରେ ରହିବା ମଧ୍ୟ ଅହୋ ସୌଭାଗ୍ୟ ଅଟେ” ।

ପ୍ରଶ୍ନ:-
ଯେଉଁ ପିଲାମାନଙ୍କର ସେବା କରିବାର ସଉକ ଥିବ ସେମାନଙ୍କର ଲକ୍ଷଣ କିପରି ହୋଇଥିବ?

ଉତ୍ତର:-
ସେମାନେ ମୁଖରେ ଜ୍ଞାନ ଶୁଣାଇବା ବିନା ରହିପାରିବେ ନାହିଁ । ସେମାନେ ଆତ୍ମିକ ସେବାରେ ନିଜର ହଡ୍ଡି-ହଡ୍ଡି ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିଦେବେ । ସେମାନଙ୍କୁ ରୁହାନୀ ନଲେଜ ଅର୍ଥାତ୍ ଆତ୍ମିକ ଜ୍ଞାନ ଶୁଣାଇବାରେ ବହୁତ ଖୁସି ମିଳିବ । ଖୁସିରେ ହିଁ ନାଚୁଥିବେ । ସେମାନେ ନିଜଠାରୁ ବଡମାନଙ୍କୁ ବହୁତ ସମ୍ମାନ ଦେଉଥିବେ ଏବଂ ସେମାନଙ୍କଠାରୁ ଶିଖୁଥିବେ ।

ଗୀତ:-
ବଦଲ ଯାଏ ଦୁନିଆ.....

ଓମ୍ ଶାନ୍ତି ।
ପିଲାମାନେ କବିତାର ଦୁଇଟି ଧାଡି ଶୁଣିଲେ । ଏହା ପ୍ରତିଜ୍ଞାର କବିତା ଅଟେ, ଯେପରି କାହାର ନିର୍ବନ୍ଧ ହେଉଥିଲେ ସେମାନେ ପ୍ରତିଜ୍ଞା କରିଥାନ୍ତି ଯେ ସ୍ତ୍ରୀ-ପୁରୁଷ କେବେ ପରସ୍ପରକୁ ଛାଡିବେ ନାହିଁ । କାହା କାହାର ପରସ୍ପର ମଧ୍ୟରେ ସମ୍ପର୍କ ଭଲ ନ ରହିଲେ ଛାଡି ମଧ୍ୟ ଦେଉଛନ୍ତି । ଏଠାରେ ତୁମେ ପିଲାମାନେ କାହା ସହିତ ପ୍ରତିଜ୍ଞା କରୁଛ? ଈଶ୍ୱରଙ୍କ ସହିତ । ଯାହାଙ୍କ ସହିତ ତୁମ ପିଲାମାନଙ୍କର ବା ଆତ୍ମା ରୂପୀ ପ୍ରେମିକାମାନଙ୍କର ନିର୍ବନ୍ଧ ହୋଇଛି । କିନ୍ତୁ ଏଭଳି ବାବା ଯିଏକି ବିଶ୍ୱର ମାଲିକ କରୁଛନ୍ତି, ତାଙ୍କୁ ବି ଛାଡି ଦେଉଛନ୍ତି । ଏଠାରେ ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ ଏବଂ ଜାଣିଛ ଯେ ଏବେ ବେହଦର ବାପଦାଦା ଆସିଛନ୍ତି । ତୁମର ଏହିଭଳି ଯେଉଁ ଅବସ୍ଥା ଏହିଠାରେ ଅର୍ଥାତ୍ ମଧୁବନରେ ରହୁଛି, ସେହି ଅବସ୍ଥା ତ ବାହାରର ସେଣ୍ଟରମାନଙ୍କରେ ରହିପାରିବ ନାହିଁ । ଏଠାରେ ତୁମେ ଜାଣୁଛ ଯେ ବାପଦାଦା ଆସିଲେ କି ଆସିଲେ । ବାହାରର ସେଣ୍ଟରମାନଙ୍କରେ ଭାବିବେ ଯେ ବାବାଙ୍କ ଦ୍ୱାରା ଶୁଣାଯାଇଥିବା ମୁରଲୀ ଆସିଲା କି ଆସିଲା । ଏଠିକାର ଏବଂ ସେଠିକାର ସ୍ଥିତିରେ ବହୁତ ଫରକ ରହିଥାଏ କାରଣ ଏଠାରେ ତୁମେ ବେହଦର ବାପଦାଦାଙ୍କ ସମ୍ମୁଖରେ ବସିଛ । ସେଠାରେ ତ ସମ୍ମୁଖରେ ନ ଥାଅ । ଚାହାଁନ୍ତି ସମ୍ମୁଖକୁ ଯାଇ ମୁରଲୀ ଶୁଣିବି । ଏଠାରେ ପିଲାମାନଙ୍କର ବୁଦ୍ଧିରେ ଆସୁଛି ବାବା ଆସିଲେ କି ଆସିଲେ । ଯେପରି ଅନ୍ୟ ସବୁ ସତସଙ୍ଗ ରହିଛି ସେଠାରେ ସେମାନେ ଭାବିଥାନ୍ତି ଅମୁକ ସ୍ୱାମୀଜୀ ଆସିବେ । କିନ୍ତୁ ଏହିଭଳି ବିଚାର ମଧ୍ୟ ସମସ୍ତଙ୍କର ଏକାଭଳି ଆସି ନ ଥାଏ । କାହା କାହାର ବୁଦ୍ଧି ତ ଅନ୍ୟ ଆଡେ ଘୂରି ବୁଲୁଥାଏ । କାହାର ପତି ମନେ ପଡିଥାଏ, ତ କାହାର ସମ୍ପର୍କୀୟମାନେ ମନେ ପଡିଥା’ନ୍ତି । ବୁଦ୍ଧିର ଯୋଗ ଏକମାତ୍ର ଗୁରୁଙ୍କ ସାଥୀରେ ମଧ୍ୟ ରହିପାରେ ନାହିଁ । କ୍ୱଚିତ କେହିଥିବେ ଯିଏକି ସ୍ୱାମୀଙ୍କର ସ୍ମୃତିରେ ବସିଥିବେ । ଏଠାରେ ମଧ୍ୟ ସେହିଭଳି ଅଛନ୍ତି । ଏମିତି ନୁହେଁ ଯେ ସମସ୍ତେ ଶିବବାବାଙ୍କର ସ୍ମୃତିରେ ରହୁଛନ୍ତି । ବୁଦ୍ଧି କୁଆଡେ ନା କୁଆଡେ ଦୌଡି ଚାଲିଥାଏ । ମିତ୍ର-ସମ୍ବନ୍ଧି ଇତ୍ୟାଦି ମନେପଡିବେ । ସାରା ସମୟ ଏକମାତ୍ର ଶିବବାବାଙ୍କ ସ୍ମୃତିରେ ରହିପାରିବା ତ ଅହୋ ସୌଭାଗ୍ୟ । ସ୍ଥାୟୀ ଭାବରେ ଯୋଗଯୁକ୍ତ ସ୍ଥିତିରେ କେହି କ୍ୱଚିତ୍ ରହିଥା’ନ୍ତି । ଏଠାରେ ଅର୍ଥାତ୍ ମଧୁବନରେ ବାବାଙ୍କ ସମ୍ମୁଖରେ ରହିବା ଦ୍ୱାରା ତ ବହୁତ ଖୁସି ମିଳିଥାଏ । କହନ୍ତି - ଅତିନ୍ଦ୍ରିୟ ସୁଖ ଗୋପି ବଲ୍ଲଭଙ୍କର ଗୋପ-ଗୋପୀମାନଙ୍କୁ ପଚାର, ଏହି କଥା ଏଠାକାର ପାଇଁ ହିଁ ଗାୟନ ଅଟେ । ଏଠାରେ ତୁମେ ବାବାଙ୍କର ସ୍ମୃତିରେ ବସିଛ, ଜାଣିଛ ଏବେ ଆମେ ଈଶ୍ୱରଙ୍କ କୋଳରେ ଅଛୁ ପୁଣି ଦୈବୀ କୋଳକୁ ଯିବୁ । ଯଦିଓ କାହା କାହା ବୁଦ୍ଧିରେ ସେବାର ବିଚାର ବି ଚାଲିଛି - ଏହି ଚିତ୍ରରେ ଏହିଭଳି ସଂଶୋଧନ କରିବା ବା ଏହି କଥା ଲେଖିବା । କିନ୍ତୁ ଯେଉଁମାନେ ଭଲ ଭଲ ସନ୍ତାନ ଅଛନ୍ତି, ସେମାନେ ଭାବିବେ ଏବେ ତ ବାବାଙ୍କଠାରୁ ମୁରଲୀ ଶୁଣିବାର ଅଛି । ଅନ୍ୟ କୌଣସି ସଂକଳ୍ପ ଆସିବାକୁ ଦେବେ ନାହିଁ । ବାବା ଜ୍ଞାନ ରତ୍ନରେ ତୁମର ଝୁଲା ମୁଣିକୁ ଭରିବା ପାଇଁ ଆସିଛନ୍ତି, ତେଣୁ ବାବାଙ୍କ ସହିତ ବୁଦ୍ଧିର ଯୋଗ ଲଗାଇବାକୁ ହେବ । ଜ୍ଞାନକୁ ଧାରଣ କରିବାରେ ତ କ୍ରମାନୁସାରେ ଅଛନ୍ତି । କେହି ତ ଭଲ ଭାବରେ ଶୁଣି ପୁଣି ଧାରଣ ମଧ୍ୟ କରିଥା’ନ୍ତି । କେହି କମ୍ ଧାରଣ କରିଥା’ନ୍ତି । ବୁଦ୍ଧିଯୋଗ ଅନ୍ୟଆଡକୁ ଦୌଡୁଥିଲେ ଜ୍ଞାନର ଧାରଣା ହେବ ନାହିଁ । କଞ୍ଚା ହୋଇ ରହିଯିବ । ଥରେ ଦୁଇଥର ମୁରଲୀ ଶୁଣିଲେ, ଧାରଣା ଯଦି ନ ହେଲା ତେବେ ସେହି ଅଭ୍ୟାସ ପକ୍କା ହୋଇଯିବ । ପୁଣି ଆଉ ଯେତେ ବି ଶୁଣିଲେ ଧାରଣା ହେବ ନାହିଁ, କାହାକୁ ଶୁଣାଇ ବି ପାରିବ ନାହିଁ । ଯାହାର ଜ୍ଞାନର ଧାରଣା ହୋଇଥିବ ତାଙ୍କର ସେବା କରିବାର ସଉକ ମଧ୍ୟ ରହିଥିବ । ସିଏ ସର୍ବଦା ଖୁସିରେ ଉଛୁଳୁଥିବେ, ସେମାନେ ଭାବିବେ କି ମୁଁ ଯାଇ ଜ୍ଞାନ ଧନ ଦାନ କରିବି କାରଣ ଏହି ଧନ କେବଳ ବାବାଙ୍କ ବ୍ୟତୀତ ଆଉ କାହା ପାଖରେ ହିଁ ନାହିଁ । ବାବା ଏ କଥା ମଧ୍ୟ ଜାଣିଛନ୍ତି, ସମସ୍ତଙ୍କର ଧାରଣା ହୋଇପାରିବ ନାହିଁ । ସମସ୍ତେ ଏକାଭଳି ଉଚ୍ଚପଦ ପାଇପାରିବେ ନାହିଁ । ସେଥିପାଇଁ ବୁଦ୍ଧି ଅନ୍ୟ ଆଡେ ଘୂରିବୁଲୁଥାଏ । ଭବିଷ୍ୟତରେ ତାଙ୍କର ଭାଗ୍ୟ ସେତେ ଉଚ୍ଚ ହୋଇପାରେ ନାହିଁ । କେହି ତ ପୁଣି ସ୍ଥୁଳ ସେବାରେ ହାଡଭଙ୍ଗା ପରିଶ୍ରମ କରିଥାନ୍ତି । ସମସ୍ତଙ୍କୁ ସନ୍ତୁଷ୍ଟ କରିଥା’ନ୍ତି । ଯେପରି ଭୋଜନ ପ୍ରସ୍ତୁତ କରି ଖୁଆନ୍ତି । ଏହା ମଧ୍ୟ ଗୋଟିଏ ବିଷୟ ଅଟେ ନା । ଯାହାକୁ ସେବାର ସଉକ ଥିବ ସିଏ ଜ୍ଞାନ ନ ଶୁଣାଇ ରହିପାରିବ ନାହିଁ । ପୁଣି ବି ବାବା ଦେଖିଥା’ନ୍ତି - ଏହାଙ୍କ ଭିତରେ ଦେହ ଅଭିମାନ ନାହିଁ ତ? ବଡମାନଙ୍କୁ ସମ୍ମାନ ଦେଉଛନ୍ତି ନା ନାହିଁ? ବଡ ବଡ ମହାରଥୀମାନଙ୍କୁ ତ ସମ୍ମାନ ଦେବାକୁ ପଡିବ । ହଁ କେହି କେହି ସାନ ମଧ୍ୟ ଅଧିକ ଯୋଗ୍ୟ ହୋଇଯାଇଥାଆନ୍ତି, ତେବେ ହୁଏତ ବଡମାନଙ୍କୁ ମଧ୍ୟ ତାଙ୍କୁ ସମ୍ମାନ ଦେବାକୁ ପଡିଥାଏ କାହିଁକି ନା ତାଙ୍କର ବୁଦ୍ଧି ଶୀଘ୍ର ଏବଂ ଅଧିକ ଜ୍ଞାନକୁ ଧାରଣା କରିଥାଏ । ସେବାର ସଉକ ଥିବା ଦେଖି ବାବା ତ ଖୁସି ହେବେ ନା, କହିବେ ଇଏ ଭଲ ସେବା କରିପାରିବ । ସାରା ଦିନ ପ୍ରଦର୍ଶନୀ ଉପରେ ବୁଝାଇବାର ଅଭ୍ୟାସ କରିବା ଦରକାର । ପ୍ରଜା ତ ଅନେକ ହୁଅନ୍ତି ନା । ପ୍ରଜା ତିଆରି କରିବାର ଆଉ ତ କୌଣସି ଉପାୟ ନାହିଁ । ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜା, ରାଣୀ, ପ୍ରଜା ସମସ୍ତେ ଏହିଠାରେ ହିଁ ହେବେ । ତେଣୁ କେତେ ସେବା କରିବା ଦରକାର । ପିଲାମାନଙ୍କ ବୁଦ୍ଧିରେ ଏ କଥା ତ ଅଛି ଯେ - ଏବେ ଆମେ ବ୍ରାହ୍ମଣ ହୋଇଛୁ । ଘର ଗୃହସ୍ଥରେ ରହିବା ଦ୍ୱାରା ପ୍ରତ୍ୟେକଙ୍କର ଅବସ୍ଥା ତ ଅଲଗା ଅଲଗା ରହିଥାଏ ନା । ଘର ଦ୍ୱାର ତ ଛାଡିବାର ନାହିଁ । ବାବା କହୁଛନ୍ତି ଘରେ ପଛେ ରୁହ କିନ୍ତୁ ବୁଦ୍ଧିରେ ଏହି ନିଶ୍ଚୟ କରିବାକୁ ହେବ ଯେ, ଏହି ପୁରୁଣା ଦୁନିଆ ତ ବିନାଶ ହେଲା କି ହେଲା । ଆମର ଏବେ ବାବାଙ୍କ ସହିତ କାମ ରହିଛି । ଏକଥା ମଧ୍ୟ ଜାଣିଛ, କଳ୍ପ ପୂର୍ବରୁ ଯେଉଁମାନେ ଜ୍ଞାନ ନେଇଥିଲେ ସେହିମାନେ ହିଁ ନେବେ । ପ୍ରତି ସେକେଣ୍ଡରେ ଡ୍ରାମାର ଅବିକଳ ପୁନରାବୃତ୍ତି ହେଉଛି । ଆତ୍ମାରେ ଜ୍ଞାନ ରହିଥାଏ ନା । ବାବାଙ୍କ ପାଖରେ ମଧ୍ୟ ଜ୍ଞାନ ରହିଥାଏ । ତୁମ ସନ୍ତାନମାନଙ୍କୁ ମଧ୍ୟ ବାବାଙ୍କ ଭଳି ହେବାକୁ ପଡିବ । ଜ୍ଞାନର ପଏଣ୍ଟକୁ ଧାରଣ କରିବାକୁ ହେବ । ଏକାଥରକରେ ସବୁ ପଏଣ୍ଟ ବୁଝାଯାଏ ନାହିଁ । ବିନାଶ ମଧ୍ୟ ସମ୍ମୁଖରେ ଦଣ୍ଡାୟମାନ । ଏହା ସେହି ମହାଭାରୀ ଲଢେଇ, ସତ୍ୟଯୁଗ ତ୍ରେତା ଯୁଗରେ ତ କୌଣସି ଲଢେଇ ହୁଏ ନାହିଁ । ତାହା ତ ପରେ ଯେତେବେଳେ ଅନେକ ଧର୍ମ ହୋଇଯା’ନ୍ତି, ସୈନ୍ୟବାହିନୀ ଆଦି ତିଆରି କରନ୍ତି, ତେବେ ଯାଇ ଲଢେଇ ଆରମ୍ଭ ହୁଏ । ପ୍ରଥମେ ପ୍ରଥମେ ଆତ୍ମାମାନେ ସତ୍ତ୍ୱପ୍ରଧାନ ଅବସ୍ଥାରୁ ତଳକୁ ଖସିଥାଆନ୍ତି ପୁଣି ସତ୍ତ୍ୱ, ରଜୋ, ତମୋ ଅବସ୍ଥା ଆସିଥାଏ । ତେବେ ଏ ସବୁ କଥା ମଧ୍ୟ ବୁଦ୍ଧିରେ ରଖିବାକୁ ହେବ ଯେ କିପରି ରାଜଧାନୀ ସ୍ଥାପନ ହେଉଛି । ଏଠାରେ ଯେତେବେଳେ ବସୁଛ ସେତେବେଳେ ବୁଦ୍ଧିରେ ରଖିବାକୁ ହେବ ଯେ ଶିବବାବା ଆସି ଆମକୁ ସମ୍ପତ୍ତି ଦେଉଛନ୍ତି ଯାହାକୁ ବୁଦ୍ଧିରେ ଧାରଣ କରିବାକୁ ହେବ । ଭଲ ଭଲ ପିଲାମାନେ ମୁରଲୀକୁ ନୋଟ୍ କରିଥା’ନ୍ତି । ଲେଖିବା ତ ଭଲ କଥା । ଲେଖିବା ଦ୍ୱାରା ଜ୍ଞାନର ବିଷୟବସ୍ତୁ ସବୁ ବୁଦ୍ଧିରେ ଆସିବ । ଆଜି ଏହି ଟପିକ୍ ଉପରେ ବୁଝାଇବି । ବାବା କହୁଛନ୍ତି ମୁଁ ତୁମକୁ କେତେ ସମ୍ପତ୍ତି ଦେଇଥିଲି । ସତ୍ୟଯୁଗ ତ୍ରେତା ଯୁଗରେ ତୁମ ପାଖରେ ଅସରନ୍ତି ସମ୍ପତ୍ତି ଥିଲା । ପୁଣି ବାମମାର୍ଗରେ ଯିବା ଦ୍ୱାରା ତାହା କମି କମି ଗଲା ଏବଂ ଖୁସି ମଧ୍ୟ କମିବାରେ ଲାଗିଲା । କିଛି ନା କିଛି ବିକର୍ମ ମଧ୍ୟ ହୋଇଚାଲିଲା । ତଳକୁ ଖସି ଖସି କଳା କମି କମି ଚାଲିଲା । ସମସ୍ତଙ୍କର ଅବସ୍ଥା ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜୋ, ତମୋ ଦେଇ ଗତି କରିଥାଏ ନା । ସମସ୍ତେ ସତ୍ତ୍ୱରୁ ରଜୋକୁ ଆସିଥା’ନ୍ତି କିନ୍ତୁ ଏମିତି ନୁହେଁ ଯେ ତୁରନ୍ତ ଆସିଯାଇଥାଆନ୍ତି । ଧୀରେ ଧୀରେ ତଳକୁ ଖସିଥା’ନ୍ତି । ତମୋପ୍ରଧାନ ଅବସ୍ଥାରେ ମଧ୍ୟ ଧୀରେ ଧୀରେ ସିଢି ଓହ୍ଲାଇଥାଅ, କଳା କମି କମି ଯାଇଥାଏ । ଦିନକୁ ଦିନ କଳା କମି କମି ଚାଲିଥାଏ । ଏବେ ଉପରକୁ ଉଠିବାକୁ ହେବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଅଛି, ସେଥିପାଇଁ ସମୟ ମଧ୍ୟ ଦରକାର । ଗାୟନ ମଧ୍ୟ ଅଛି - ଚଢିଲେ ଚାଖିବ ବୈକୁଣ୍ଠ ରସ... । କିନ୍ତୁ କାମ ବିକାରର ଚାପୁଡା ଲାଗିଗଲେ ଏକଦମ୍ ଚକନାଚୁର ହୋଇଯାଇଥାନ୍ତି । ହାଡ-ଗୋଡ ଭାଙ୍ଗି ଯାଇଥାଏ ଅର୍ଥାତ୍ ସତ୍ୟାନାଶ ହୋଇଯାଇଥାଏ । କେହି କେହି ମନୁଷ୍ୟ ନିଜର ଜୀବଘାତ ମଧ୍ୟ କରିଥା’ନ୍ତି, ତାହା ଆତ୍ମଘାତ ଅର୍ଥାତ୍ ଆତ୍ମହତ୍ୟା ନୁହେଁ, ଜୀବଘାତ କୁହାଯାଏ । ଏଠାରେ ତ ବାବାଙ୍କଠାରୁ ବର୍ସା ପାଇବାକୁ ହେବ । ବାବାଙ୍କୁ ମନେ ପକାଇବାକୁ ହେବ କାହିଁକି ନା ବାବାଙ୍କଠାରୁ ରାଜପଦ ମିଳିଥାଏ । ତେଣୁ ନିଜକୁ ପଚାରିବା ଦରକାର, ମୁଁ ବାବାଙ୍କୁ ମନେ ପକାଇ ଭବିଷ୍ୟତ ପାଇଁ କେତେ ରୋଜଗାର କରିଛି? କେତେ ଅନ୍ଧମାନଙ୍କର ଲାଠି ହୋଇଛି? ଘରେ ଘରେ ଏହି ସନ୍ଦେଶ ଦେବାକୁ ହେବ ଯେ, ଏହି ପୁରୁଣା ଦୁନିଆ ବଦଳିବାକୁ ଯାଉଛି । ବାବା ନୂଆ ଦୁନିଆ ପାଇଁ ରାଜଯୋଗ ଶିଖାଉଛନ୍ତି । ସିଢି ଚିତ୍ରରେ ଏ ସବୁର ସ୍ପଷ୍ଟିକରଣ ରହିଛି । ଏହି ଚିତ୍ର ସବୁ ତିଆରି କରିବା ପାଇଁ ପରିଶ୍ରମ କରିବାକୁ ପଡିଥାଏ । ସାରାଦିନ ବିଚାର ଚାଲିଥାଏ, କିଭଳି ଏପରି ସହଜ କରି ତିଆରି କରିବି ଯାହାଦ୍ୱାରାକି କେହି ବି ବୁଝି ପାରିବେ । ସାରା ଦୁନିଆ ତ ଏଠାକୁ ଆସିବ ନାହିଁ । ଦେବୀ-ଦେବତା ଧର୍ମର ଆତ୍ମାମାନେ ହିଁ ଆସିବେ । ତୁମର ସେବା ତ ବହୁତ ଚାଲିବ । ତୁମେ ତ ଜାଣିଛ ଆମର ଏହି କ୍ଳାସ୍ ଅର୍ଥାତ୍ ପାଠପଢା କେବେ ପର୍ପ୍ୟନ୍ତ ଚାଲିବ । ସେମାନେ ତ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି ଭାବୁଛନ୍ତି । ତେଣୁ ଶାସ୍ତ୍ର ଆଦି ଶୁଣାଇ ଚାଲିଛନ୍ତି । ଭାବୁଛନ୍ତି ଯେତେବେଳେ ଶେଷ ସମୟ ଆସିବ ସେତେବେଳେ ସମସ୍ତଙ୍କର ସଦ୍‌ଗତି ଦାତା ଆସିବେ ଏବଂ ଯେଉଁମାନେ ଆମର ଚେଲା ହୋଇଥିବେ ସେମାନଙ୍କର ମୁକ୍ତି ହୋଇଯିବ ପୁଣି ଆମେ ମଧ୍ୟ ଯାଇ ଜ୍ୟୋତିରେ ମିଶିଯିବୁ । କିନ୍ତୁ ଏମିତି ତ ହେବ ନାହିଁ । ତୁମେ ଏବେ ଜାଣିଛ ଆମେ ଆମର ବାବାଙ୍କ ଦ୍ୱାରା ସଚ୍ଚା ସଚ୍ଚା ଅମରକଥା ଶୁଣୁଛୁ । ତେଣୁ ସେହି ଅମର ବାବା ଯାହା କଥା କହୁଛନ୍ତି ତାହା ମାନିବାକୁ ମଧ୍ୟ ପଡିବ, ବାବା କେବଳ ଏତିକି କଥା କହୁଛନ୍ତି - ମୋତେ ମନେ ପକାଅ, ପବିତ୍ର ହୁଅ । ନଚେତ୍ ଦଣ୍ଡ ମଧ୍ୟ ବହୁତ ଭୋଗ କରିବାକୁ ପଡିବ, ପଦ ମଧ୍ୟ କମ୍ ମିଳିବ । ତେଣୁ ସେବାରେ ମେହନତ କରିବାକୁ ହେବ । ଯେପରି ଦଧିଚି ଋଷିଙ୍କର ଉଦାହରଣ ରହିଛି । ସିଏ ନିଜର ହାଡ ମଧ୍ୟ ସେବାରେ ଦେଇଦେଲେ । ନିଜର ଶରୀରର ମଧ୍ୟ ଚିନ୍ତା ନ କରି ସାରା ଦିନ ସେବାରେ ରହିବା, ତାକୁ କୁହାଯାଏ ସେବାରେ ହାଡ ଦେବା ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିବା । ଗୋଟିଏ ହେଲା ଶାରୀରିକ ପରିଶ୍ରମର ସେବା ଆଉ ଗୋଟିଏ ହେଲା କଠିନ ଆତ୍ମିକ ସେବା । ଆତ୍ମିକ ସେବାଧାରୀମାନେ ଆତ୍ମିକ ଜ୍ଞାନ ହିଁ ଶୁଣାଉଥିବେ, ଜ୍ଞାନର ଧନ ଦାନ କରି ଖୁସିରେ ନାଚୁଥିବେ । ଦୁନିଆରେ ମନୁଷ୍ୟ ଯେଉଁ ସେବା କରୁଛନ୍ତି ତାହା ସବୁ ହେଲା ଶାରୀରିକ ସେବା । ଶାସ୍ତ୍ର ଶୁଣାଉଛନ୍ତି, ତାହା ତ କୌଣସି ଆତ୍ମିକ ସେବା ନୁହେଁ । ଆତ୍ମିକ ସେବା ତ କେବଳ ବାବା ହିଁ ଆସି ଶିଖାଉଛନ୍ତି । ଆତ୍ମିକ ପିତା ହିଁ ଆତ୍ମିକ ସନ୍ତାନମାନଙ୍କୁ ପାଠ ପଢାଉଛନ୍ତି ।

ତୁମେ ପିଲାମାନେ ଏବେ ସତ୍ୟଯୁଗ ନୂଆ ଦୁନିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଛ । ସେଠାରେ ତୁମ ଦ୍ୱାରା କୌଣସି ବିକର୍ମ ହେବ ନାହିଁ । ତାହା ହେଉଛି ହିଁ ରାମରାଜ୍ୟ । ସେଠାରେ ତ ବହୁତ କମ ଲୋକ ରହିବେ । ଏବେ ତ ରାବଣ ରାଜ୍ୟରେ ସବୁ ଦୁଃଖି ଅଟନ୍ତି ନା । ଏହି ଜ୍ଞାନ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ପୁରୁଷାର୍ଥର କ୍ରମଅନୁସାରେ ରହିଛି । ଏହି ସିଢିର ଚିତ୍ରରେ ହିଁ ସାରା ଜ୍ଞାନ ଆସି ଯାଉଛି । ବାବା କହୁଛନ୍ତି ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ, ତେବେ ପବିତ୍ର ଦୁନିଆର ମାଲିକ ହେବ । ତୁମକୁ ଏଭଳି ବୁଝାଇବାକୁ ହେବ ଯେ ଯାହାଦ୍ୱାରା ମନୁଷ୍ୟମାନଙ୍କୁ ଜଣାପଡିବ ଯେ ଆମେ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛୁ ପୁଣି ଏହି ଯୋଗର ଯାତ୍ରା ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହେବୁ । ଦେଖିଲେ ହିଁ ବୁଦ୍ଧିରେ ଆସିବ, ଏହି ଜ୍ଞାନ କାହା ପାଖରେ ନାହିଁ । ପଚାରିବେ ଏହି ସିଢି ଚିତ୍ରରେ ଅନ୍ୟ ଧର୍ମର ସମାଚାର ବା ବିବରଣୀ କାହିଁ? ତା’ର ସବୁ ବିବରଣୀ ଏହି ସୃଷ୍ଟିଚକ୍ରର ଚିତ୍ରରେ ଲେଖାଯାଇଛି । ଅନ୍ୟ ଧର୍ମର ଆତ୍ମାମାନେ ତ ନୂଆ ଦୁନିଆରେ ଆସୁ ନାହାଁନ୍ତି । ସେମାନଙ୍କୁ ଶାନ୍ତି ମିଳିଯାଉଛି ଅର୍ଥାତ୍ ସେମାନେ ଶାନ୍ତିଧାମକୁ ଚାଲିଯାଉଛନ୍ତି । ଭାରତବାସୀ ହିଁ ସ୍ୱର୍ଗରେ ଥିଲେ ନା । ବାବା ମଧ୍ୟ ଭାରତକୁ ଆସି ରାଜଯୋଗ ଶିଖାଉଛନ୍ତି, ସେଥିପାଇଁ ଭାରତର ପ୍ରାଚୀନ ଯୋଗ ସମସ୍ତେ ଶିଖିବାକୁ ଚାହୁଁଛନ୍ତି । ଏହି ସବୁ ଚିତ୍ରରୁ ସେମାନେ ନିଜେ ନିଜେ ବୁଝିଯିବେ ଯେ ବାସ୍ତବରେ ନୂଆ ଦୁନିଆରେ କେବଳ ଭାରତ ହିଁ ଥିଲା । ନିଜର ଧର୍ମକୁ ମଧ୍ୟ ବୁଝିଯିବେ । ଯଦିଓ ଯିଶୁଖ୍ରୀଷ୍ଟ ଧର୍ମ ସ୍ଥାପନ କରିବା ପାଇଁ ଆସିଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସିଏ ମଧ୍ୟ ତମୋପ୍ରଧାନ ଅଟନ୍ତି । ଏହା ରଚୟିତା ଏବଂ ରଚନାର କେତେ ବିଶାଳ ଜ୍ଞାନ ଅଟେ ।

ତୁମେ କହିପାରିବ ଆମକୁ କାହାର ଟଙ୍କା ପଇସାର ଆବଶ୍ୟକତା ନାହିଁ । ଆମେ ପଇସା କ’ଣ କରିବୁ । ତୁମେ ମଧ୍ୟ ଶୁଣ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାଅ । ଏହି ଚିତ୍ର ଆଦି ଛପାଅ । ଏହି ଚିତ୍ର ମାଧ୍ୟମରେ ସେବା କରିବାର ଅଛି । ହଲ ତିଆରି କରିଦିଅ, ଯେଉଁଠି ଏହି ଜ୍ଞାନ ଶୁଣାଯାଇପାରିବ । ବାକି ଆମେ ପଇସା ନେଇ କ’ଣ କରିବୁ । ତୁମର ହିଁ ଘରର କଲ୍ୟାଣ ହେଉଛି । ତୁମେ କେବଳ ବ୍ୟବସ୍ଥା କର । ବହୁତ ଲୋକ ଆସି କହିବେ ଯେ ଏଠାରେ ଯେଉଁ ରଚୟିତା ଏବଂ ରଚନାର ଜ୍ଞାନ ମିଳୁଛି, ତାହା ତ ବହୁତ ଭଲ । ଏହି କଥାକୁ ମନୁଷ୍ୟମାନେ ହିଁ ବୁଝିବା ଦରକାର । ବିଦେଶୀମାନେ ଏହି ଜ୍ଞାନ ଶୁଣିବାକୁ ବହୁତ ପସନ୍ଦ କରିବେ । ବହୁତ ଖୁସି ହେବେ । ଭାବିବେ ଆମେ ମଧ୍ୟ ବାବାଙ୍କ ସହିତ ଯୋଗ ଲଗାଇବୁ ତେବେ ଆମର ବିକର୍ମ ବିନାଶ ହେବ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ସମୟ ଆସିବ ସମସ୍ତେ ବୁଝିପାରିବେ ଯେ ଏହି ଜ୍ଞାନ ତ ଈଶ୍ୱରଙ୍କ ବିନା କେହି ଦେଇପାରିବେ ନାହିଁ । କହୁଛନ୍ତି ଖୁଦା (ଭଗବାନ) ହିଁ ବହିସ୍ଥ ଅର୍ଥାତ୍ ସ୍ୱର୍ଗ ସ୍ଥାପନ କରିଛନ୍ତି । କିନ୍ତୁ ସିଏ କିପରି ଆସନ୍ତି ଏକଥା କାହାକୁ ଜଣା ନାହିଁ । ତୁମମାନଙ୍କର କଥା ଶୁଣି ଖୁସି ହେବେ ଏବଂ ପୁରୁଷାର୍ଥ କରି ଯୋଗ ଶିଖିବେ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ପୁରୁଷାର୍ଥ କରିବେ । ସେବା କରିବା ପାଇଁ ତ ବହୁତ ବିଚାର ଚାଲିବା ଦରକାର । ଭାରତ ଭିତରେ ଯୋଗ୍ୟତା ଦେଖାଇଲେ ବାବା ବାହାରକୁ ମଧ୍ୟ ପଠାଇବେ । ଏହି ମିଶନ ଅର୍ଥାତ୍ ସେବାର ସଂଗଠନ ବାହାରକୁ ମଧ୍ୟ ଯିବ । ଏବେ ତ ସମୟ ଅଛି ନା । ନୂଆ ଦୁନିଆ ତିଆରି ହେବାରେ କ’ଣ ଡେରି ଲାଗିବ କି । ଯଦି କେଉଁଠି ଭୂମିକମ୍ପ ଆଦି ହେଉଛି, ସେଠାରେ ଦୁଇ ତିନି ବର୍ଷ ଭିତରେ ପୁଣି ଏକଦମ ନୂଆ ଘର ଆଦି ତିଆରି କରିଦେଉଛନ୍ତି । ଯଦି କାରୀଗର ବହୁତ ଥିବେ, ସବୁ ଜିନିଷ ପ୍ରସ୍ତୁତ ଥିବ ତେବେ ନୂଆ ଘର ତିଆରି କରିବା ପାଇଁ କ’ଣ ଡେରି ହେବ କି! ବିଦେଶରେ ଘର ସବୁ କିପରି ତିଆରି ହୁଏ - ମିନିଟ୍ ମୋଟର ଅର୍ଥାତ୍ ନିମିଷକ ମଧ୍ୟରେ (ଖୁବ କମ୍ ସମୟ ଭିତରେ) ତିଆରି ହୋଇଯାଏ । ତେବେ ସ୍ୱର୍ଗ ଦୁନିଆରେ କେତେ ଶୀଘ୍ର ତିଆରି ହେଉଥିବ । ସୁନା ରୁପା ଆଦି ତୁମକୁ ବହୁତ ମିଳିଯାଉଛି । ଖଣିମାନଙ୍କରୁ ତୁମକୁ ସୁନା, ଚାନ୍ଦି ଆଦି ବହୁତ ମିଳିଯାଇଥାଏ । ଯାହାର କଳା-କୌଶଳ ସବୁ ଏବେ ଶିଖୁଛନ୍ତି । ବିଜ୍ଞାନର କେତେ ଅହଂକାର ଚାଲିଛି । ଏହି ବିଜ୍ଞାନ ପୁଣି ସେଠାରେ କାମରେ ଆସିବ । ଯେଉଁମାନେ ଏଠାରେ ଶିଖୁଛନ୍ତି ସେମାନେ ସେଠାରେ ଜନ୍ମ ନେଇ ଏହି ବିଦ୍ୟାକୁ କାର୍ଯ୍ୟରେ ଲଗାଇବେ । ସେହି ସମୟରେ ତ ସାରା ଦୁନିଆ ନୂଆ ହୋଇଯାଇଥାଏ, ରାବଣ ରାଜ୍ୟ ସମାପ୍ତ ହୋଇଯାଇଥାଏ । ୫ ତତ୍ତ୍ୱ ମଧ୍ୟ ନିୟମ ପ୍ରମାଣେ ସେବା କରିଥାନ୍ତି । ଦୁନିଆ ସ୍ୱର୍ଗରେ ପରିଣତ ହୋଇଯାଇଥାଏ । ସେଠାରେ ଏଭଳି କୌଣସି ଉପଦ୍ରବ ହୁଏ ନାହିଁ କାରଣ ରାବଣ ରାଜ୍ୟ ହିଁ ନଥାଏ, ସବୁ କିଛି ସତ୍ତ୍ୱପ୍ରଧାନ ଥାଏ ।

ସବୁଠାରୁ ଭଲ କଥା ହେଲା ଯେ ତୁମ ପିଲାମାନଙ୍କର ବାବାଙ୍କ ସହିତ ବହୁତ ସ୍ନେହ ରହିବା ଦରକାର । ବାବା ଜ୍ଞାନ ରୂପକ ସମ୍ପତ୍ତି ଦେଉଛନ୍ତି, ଯାହାକୁ ଧାରଣ କରି ଅନ୍ୟମାନଙ୍କୁ ଦାନ ଦେବାକୁ ହେବ । ଯେତେ ଦାନ ଦେବ, ସେତେ ସମ୍ପତ୍ତି ବଢି ବଢି ଚାଲିବ । ଯଦି ସେବା ନ କରିବ, ତେବେ ଧାରଣା କିପରି ହେବ? ବୁଦ୍ଧିରେ ସେବାର ବିଚାର ଚାଲିବା ଦରକାର । ସେବା ତ ବହୁତ ବହୁତ ହୋଇପାରିବ । ଦିନକୁ ଦିନ ଉନ୍ନତି ହୋଇ ହୋଇ ଚାଲିବ । ନିଜର ମଧ୍ୟ ଉନ୍ନତି କରିବାକୁ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି ରୁହାନୀ ସେବାରେ ତତ୍‌ପର ରହିବାକୁ ହେବ । ଜ୍ଞାନ ଧନ ଦାନ କରି ଖୁସିରେ ନାଚିବାକୁ ହେବ । ନିଜେ ଧାରଣ କରିବା ସହିତ ଅନ୍ୟକୁ ମଧ୍ୟ ଧାରଣ କରାଇବାକୁ ହେବ ।

(୨) ବାବା ଯେଉଁ ଜ୍ଞାନର ସମ୍ପତ୍ତି ଦେଉଛନ୍ତି, ସେଥିରେ ନିଜର ବୁଦ୍ଧିରୂପୀ ଝୁଲା ଭରିବାକୁ ହେବ । ଜ୍ଞାନର ପଏଣ୍ଟ ଗୁଡିକୁ ନୋଟ୍ କରି ବିଭିନ୍ନ ଟପିକ୍ ଅର୍ଥାତ୍ ବିଷୟ ଉପରେ ବୁଝାଇବାକୁ ହେବ । ଜ୍ଞାନ ଧନର ଦାନ କରିବା ପାଇଁ ସର୍ବଦା ବ୍ୟଗ୍ର ରହିବାକୁ ହେବ ।

ବରଦାନ:-
ସତ୍ୟତାର ମହାନତା ଦ୍ୱାରା ସଦାସର୍ବଦା ଖୁସିର ଝୁଲଣାରେ ଝୁଲୁଥିବା ଅଧିକାରୀ ସ୍ୱରୂପ ଭବ ।

ସତ୍ୟତାର ଅଧିକାରୀ ସ୍ୱରୂପ ପିଲାମାନଙ୍କର ଗାୟନ ହେଲା - “ସଚ ତୋ ବିଠୋ ନଚ, ଅର୍ଥାତ୍ ସତ୍ୟରେ ଅଛ ତେବେ ଖୁସିରେ ନାଚ । ସତ୍ୟତାର ନାବ ଟଳମଳ ହେବ କିନ୍ତୁ ବୁଡି ପାରିବ ନାହିଁ । ତୁମମାନଙ୍କୁ ମଧ୍ୟ ଯିଏ ଯେତେ ବି ହଲଚଲ୍ କରିବା ପାଇଁ ଚେଷ୍ଟା କରୁ କିନ୍ତୁ ତୁମେ ସତ୍ୟତାର ମହାନତା ଦ୍ୱାରା ଆହୁରି ଅଧିକ ଖୁସିର ଝୁଲଣାରେ ଝୁଲୁଛ । ସେମାନେ ତୁମକୁ ହଲଚଲ୍ କରୁ ନାହାଁନ୍ତି ବରଂ ତୁମର ଝୁଲଣାକୁ ଝୁଲାଉଛନ୍ତି । ଏହା ହଲାଇବା ନୁହେଁ, ଝୁଲାଇବା ଅଟେ, ସେଥିପାଇଁ ତୁମେ ସେମାନଙ୍କୁ ଧନ୍ୟବାଦ ଦିଅ ଯେ ତୁମେ ଏହିଭଳି ଝୁଲାଉଥାଅ, ଆମେ ବାବାଙ୍କ ସହିତ ଝୁଲୁଥାଉ ।

ସ୍ଲୋଗାନ:-
ଯଦି ସର୍ବଶକ୍ତିର ଲାଇଟ୍ ସର୍ବଦା ସାଥୀରେ ରହିଥିବ ତେବେ ମାୟା ନିକଟକୁ ଆସିପାରିବ ନାହିଁ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ଏକଥା, ସ୍ୱଚ୍ଛତା, ସୂକ୍ଷ୍ମତା, ମଧୁରତା ଏବଂ ମନ-ବାଣୀ-କର୍ମରେ ମହାନତା - ଏହି ପାଞ୍ଚୋଟିଯାକ କଥା ସମସ୍ତଙ୍କ ଭିତରେ ପ୍ରତି ପାଦରେ ଦେଖାଯାଉ, ତେବେ ସହଜରେ ବାବାଙ୍କର ପ୍ରତ୍ୟକ୍ଷତା ହୋଇଯିବ । ଏବେ ପର୍ଯ୍ୟନ୍ତ ସଂସ୍କାରରେ ଯେଉଁଭଳି ଭିନ୍ନତା ଦେଖାଯାଉଛି ସେଗୁଡିକୁ ଏକତାକୁ ଆଣିବାକୁ ହେବ । ତେଣୁ ଏକତା ଆଣିବା ପାଇଁ ହେଲେ ପରସ୍ପରର ମତକୁ ସମ୍ମାନ ଦିଅ, ଆଜ୍ଞା ହଁ, ଆଜ୍ଞା ହଁ କହିବା ସହିତ ନିଜର ବିଚାର ମଧ୍ୟ ନିଶ୍ଚିତ ଦିଅ, ତା’ପରେ ଏକତାର ବନ୍ଧନରେ ବାନ୍ଧି ହୋଇଯାଅ, ଏହିଭଳି ଏକତା ହିଁ ସଫଳତାର ଆଧାର ଅଟେ ।