07.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ଅଟ, ତୁମକୁ ହିଁ ବାବାଙ୍କ ଦ୍ୱାରା ଜ୍ଞାନର ତୃତୀୟ
ନେତ୍ର ମିଳିଛି, ତୁମେମାନେ ଏବେ ଈଶ୍ୱରୀୟ କୋଳରେ ଅଛ ।”
ପ୍ରଶ୍ନ:-
ଅଦ୍ୱୈତ ରାଜ୍ୟ
ଅର୍ଥାତ୍ ଯେଉଁଠାରେ ଅନ୍ୟ କୌଣସି ଧର୍ମ ନାହିଁ, ସେହି ରାଜ୍ୟର ସ୍ଥାପନାର ଆଧାର କ’ଣ?
ଉତ୍ତର:-
ଯୋଗବଳ । ବାହୁବଳ ଦ୍ୱାରା କେବେହେଲେ ଅଦ୍ୱୈତ ରାଜ୍ୟର ସ୍ଥାପନା ହୋଇପାରିବ ନାହିଁ । ଏବେ ମଧ୍ୟ
ଖ୍ରୀଷ୍ଟିୟାନମାନଙ୍କ ପାଖରେ ଏତେ ଶକ୍ତି ଅଛି ଯେ ସେମାନେ ଯଦି ପରସ୍ପର ସହିତ ମିଶିଯିବେ ତେବେ
ସାରା ବିଶ୍ୱ ଉପରେ ରାଜତ୍ୱ କରିପାରିବେ, କିନ୍ତୁ ନିୟମ ଏଭଳି କହୁନାହିଁ । ସାରା ବିଶ୍ୱରେ ଗୋଟିଏ
ରାଜ୍ୟର ସ୍ଥାପନା କରିବା - ଏହା ବାବାଙ୍କର ହିଁ କାମ ।
ଗୀତ:-
ଛୋଡ ଭୀ ଦେ
ଆକାଶ ସିଂହାସନ....
ଓମ୍ ଶାନ୍ତି ।
ପିଲାମାନଙ୍କୁ ଓମ୍ ଶାନ୍ତିର ଅର୍ଥ ତ ବହୁତ ଥର ବୁଝାଇଛି । ଓମ୍ ଅର୍ଥାତ୍ ମୁଁ କିଏ? ମୁଁ ଆତ୍ମା
। ଏହି ଶରୀର ମୋର କର୍ମେନ୍ଦ୍ରିୟ । ମୁଁ ଆତ୍ମା ପରମଧାମର ନିବାସୀ ଅଟେ । ଭାରତବାସୀ ଡାକୁଛନ୍ତି
ଯେ ହେ ଦୂର ଦେଶର ନିବାସୀ ଆସ, କାହିଁକି ନା ଭାରତରେ ବର୍ତ୍ତମାନ ବହୁତ ଧର୍ମଗ୍ଳାନି ଦୁଃଖ
ଅଶାନ୍ତି ବ୍ୟାପି ଗଲାଣି । ଆପଣ ପୁନର୍ବାର ଆସି ଗୀତାର ଉପଦେଶ ଶୁଣାନ୍ତୁ । ଗୀତା ପାଇଁ ହିଁ
କହୁଛନ୍ତି - ଶିବବାବା ଆସନ୍ତୁ କାରଣ ସିଏ ହିଁ ସମସ୍ତଙ୍କର ପିତା ଅଟନ୍ତି । କହୁଛନ୍ତି
ଭାରତବାସୀଙ୍କ ଉପରେ ପୁନର୍ବାର ମାୟାରୂପୀ ରାବଣର ଛାୟା ପଡିଯାଇଛି, ସେଥିପାଇଁ ସମସ୍ତେ ଦୁଃଖୀ
ପତିତ ହୋଇଯାଇଛନ୍ତି । ଡାକୁଛନ୍ତି ମଧ୍ୟ ରୂପ ବଦଳାଇ ଆସନ୍ତୁ ଅର୍ଥାତ୍ ମନୁଷ୍ୟ ରୂପରେ ଆସନ୍ତୁ ।
ତେଣୁ ମୁଁ ମନୁଷ୍ୟ ରୂପରେ ଆସୁଛି । ମୋର ଆସିବା ଦିବ୍ୟ ଏବଂ ଅଲୌକିକ ଅଟେ । ମୁଁ ଗର୍ଭରେ ଆସୁନାହିଁ,
ମୁଁ ଏକ ସାଧାରଣ ବୃଦ୍ଧ ଶରୀରରେ ହିଁ ଆସୁଛି ।
ତୁମେ ପିଲାମାନେ ଜାଣିଛ ମୁଁ କଳ୍ପ କଳ୍ପ ନିଜର ନିରାକାରୀ ରୂପକୁ ପରିବର୍ତ୍ତନ କରିଆସୁଛି ।
ଜ୍ଞାନର ସାଗର ତ ପରମପିତା ପରମାତ୍ମା ହିଁ ଅଟନ୍ତି । ଶ୍ରୀକୃଷ୍ଣଙ୍କୁ କେବେ ବି ଏହା
କୁହାଯାଇପାରିବ ନାହିଁ । ବାବା କହୁଛନ୍ତି ମୁଁ ଏହି ସାଧାରଣ ଶରୀରରେ ଆସି ତୁମକୁ ପୁନର୍ବାର ସହଜ
ରାଜଯୋଗର ଶିକ୍ଷା ଦେଉଛି । ଯେତେବେଳେ ଦୁନିଆ ପତିତ ହୋଇଯାଉଛି, ସେତେବେଳେ ମୋତେ ଆସିବାକୁ ପଡୁଛି
। କଳିଯୁଗକୁ ସତ୍ୟଯୁଗରେ ପରିଣତ କରୁଛି । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ଚିତ୍ର ମଧ୍ୟ ରହିଛି ।
ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ ଏବଂ ବିଷ୍ଣୁଙ୍କ ଦ୍ୱାରା ପାଳନା । ଏହି
ଲକ୍ଷ୍ମୀ-ନାରାୟଣ ବିଷ୍ଣୁଙ୍କର ଦୁଇଟି ରୂପ ଅଟନ୍ତି । ଏକଥା ତୁମେ ପିଲାମାନେ ଜାଣିଛ । ବାବା
ପୁନର୍ବାର ରୂପ ପରିବର୍ତ୍ତନ କରି ଆସିଛନ୍ତି । ସିଏ ଆମର ପରମପିତା ଅଟନ୍ତି, ପରମ ଶିକ୍ଷକ ମଧ୍ୟ
ଅଟନ୍ତି ଏବଂ ପରମ ସଦ୍ଗୁରୁ ମଧ୍ୟ ଅଟନ୍ତି । ଅନ୍ୟଗୁରୁମାନଙ୍କୁ ପରମ କୁହାଯାଏ ନାହିଁ । ଇଏ ତ
ପିତା, ଶିକ୍ଷକ, ଗୁରୁ ତିନି ଜଣ ହିଁ ଏକ ଅଟନ୍ତି । ଲୌକିକ ପିତା ତ ସନ୍ତାନର ପାଳନା କରି ପୁଣି
ତାକୁ ସ୍କୁଲକୁ ପଠାଇ ଦେଇଥା’ନ୍ତି । ଏମିତି ତ କେହି କ୍ୱଚିତ୍ ଥିବେ ଯେଉଁଠାରେ ପିତା ଶିକ୍ଷକ
ମଧ୍ୟ ହୋଇଥିବେ । ଏଭଳି କେହି କହିପାରିବେ ନାହିଁ । ସବୁ ଆତ୍ମାମାନେ ମୋତେ ଡାକୁଛନ୍ତି, ଗଡ ଫାଦର
(ଈଶ୍ୱର ପିତା) କହୁଛନ୍ତି ଅର୍ଥାତ୍ ସେ ଆତ୍ମାର ପିତା ହୋଇଗଲେ । ଏହି ଗୀତ ମଧ୍ୟ ଭକ୍ତିମାର୍ଗର
ଅଟେ । ସତ୍ୟଯୁଗରେ ତ ମାୟା ହିଁ ନ ଥାଏ ଯେଉଁଥିପାଇଁ ଡାକିବାକୁ ପଡିବ । ସେଠାରେ ତ ସୁଖ ହିଁ ସୁଖ
ଥାଏ । ତୁମେ ଜାଣିଛ ଯେ ଏହା ପାଞ୍ଚ ହଜାର ବର୍ଷର ଚକ୍ର ଅଟେ । ଅଧାକଳ୍ପ ସତ୍ୟଯୁଗ-ତ୍ରେତାଯୁଗ
ଦିନ, ଅଧାକଳ୍ପ ଦ୍ୱାପର-କଳିଯୁଗ ରାତି । ତୁମେ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ଅଟ ।
ବ୍ରହ୍ମାଙ୍କର ଅଥବା ତୁମ ବ୍ରାହ୍ମଣ ମାନଙ୍କର ହିଁ ରାତି-ଦିନର ଗାୟନ କରାଯାଉଛି । ଦିନ ଏବଂ
ରାତିର ଜ୍ଞାନ ମଧ୍ୟ ତୁମ ପିଲାମାନଙ୍କ ପାଖରେ ହିଁ ରହିଛି । ଲକ୍ଷ୍ମୀ-ନାରାୟଣଙ୍କର ଏହି ଜ୍ଞାନ
ନାହିଁ । ଏବେ ତୁମେ ସଂଗମରେ ଅଛ । ଜାଣିଛ ଏବେ ଭକ୍ତିମାର୍ଗର ଅନ୍ଧାର ଶେଷ ହୋଇ ଦିନ ଉଦୟ ହେବାକୁ
ଯାଉଛି । ଏହି ଜ୍ଞାନ ଏବେ ତୁମକୁ ବାବାଙ୍କ ଦ୍ୱାରା ମିଳିଛି । କଳିଯୁଗରେ ବା ସତ୍ୟଯୁଗରେ ଏହି
ଜ୍ଞାନ କାହା ପାଖରେ ବି ନ ଥାଏ, ସେଥିପାଇଁ ଗାୟନ ରହିଛି ବ୍ରହ୍ମାଙ୍କର ଦିନ ବ୍ରହ୍ମାଙ୍କର ରାତି
। ତୁମେ ଏବେ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ରାଜ୍ୟ ପାଇବାର ପୁରୁଷାର୍ଥ କରୁଛ । ପୁଣି ଅଧାକଳ୍ପ ପରେ
ତୁମେ ରାଜ୍ୟ ହରାଇ ବସୁଛ । ଏହି ଜ୍ଞାନ ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ନାହିଁ
। ତୁମେମାନେ ଦେବତା ହୋଇଗଲେ ଏହି ଜ୍ଞାନ ଆଉ ରହିବ ନାହିଁ । ଏବେ ହେଉଛି ରାତ୍ରି । ଶିବରାତ୍ରୀର
ମଧ୍ୟ ଗାୟନ ହେଉଛି । ଶ୍ରୀକୃଷ୍ଣଙ୍କର ମଧ୍ୟ ରାତ୍ରି କହୁଛନ୍ତି କିନ୍ତୁ ତା’ର ଅର୍ଥ
ଜାଣିନାହାଁନ୍ତି । ଶିବଙ୍କର ଜୟନ୍ତୀ ଅର୍ଥାତ୍ ଶିବଙ୍କର ପୁନଃ ଅବତରଣ ହେଉଛି । ଏହିଭଳି
ପିତାଙ୍କର ଜନ୍ମଦିବସ ଅତିକମ୍ରେ ଏକମାସ ପର୍ଯ୍ୟନ୍ତ ପାଳନ କରିବା ଦରକାର । ଯିଏ ସାରା ସୃଷ୍ଟିକୁ
ପତିତରୁ ପବିତ୍ର କରୁଛନ୍ତି, ତାଙ୍କର ଜନ୍ମ ଦିନକୁ ଛୁଟି ଦିନ ରୂପେ ମଧ୍ୟ ପାଳନ କରୁନାହାଁନ୍ତି ।
ବାବା କହୁଛନ୍ତି ମୁଁ ସମସ୍ତଙ୍କର ମୁକ୍ତିଦାତା, ପଥ ପ୍ରଦର୍ଶକ ହୋଇ ସମସ୍ତଙ୍କୁ ସାଥୀରେ ନେଇଯାଉଛି
।
ଏବେ ତୁମେ ରାଜଯୋଗ ଶିକ୍ଷା କରିବା ପାଇଁ ପୁରୁଷାର୍ଥ କରୁଛ । ବାବା ତୁମକୁ ଜ୍ଞାନର ତୃତୀୟନେତ୍ର
ଦେଉଛନ୍ତି । ଆତ୍ମାର ରୂପ କ’ଣ - ଏହା ମଧ୍ୟ କାହାକୁ ଜଣାନାହିଁ । ବାବା କହୁଛନ୍ତି ତୁମେ
ଆତ୍ମାମାନେ ନା ଅଙ୍ଗୁଷ୍ଟ ଅର୍ଥାତ୍ ବୃଦ୍ଧ ଅଙ୍ଗୁଳି ସଦୃଶ ନା ଅଖଣ୍ଡ ଜ୍ୟୋତି ସଦୃଶ ଅଟ, ତୁମେ
ତ ତାରକା ଅଟ, ବିନ୍ଦୁ ସଦୃଶ ଅଟ । ମୁଁ ମଧ୍ୟ ଆତ୍ମା ବିନ୍ଦୁ ଅଟେ, କିନ୍ତୁ ମୁଁ ପୁନର୍ଜନ୍ମରେ
ଆସୁନାହିଁ । ମୋର ମହିମା ହିଁ ଅଲଗା । ମୁଁ ପରମ ଆତ୍ମା ହେବା କାରଣରୁ ଜନ୍ମ ମରଣ ଚକ୍ରରେ ଆସୁନାହିଁ
। ତୁମେ ଆତ୍ମାମାନେ ଶରୀର ଧାରଣ କରୁଛ, ତେଣୁ ୮୪ ଜନ୍ମ ନେଉଛ, ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ
କରୁଛି । ଏହା ତ ମୋର ଉଧାର ନେଇଥିବା ଶରୀର ଅଟେ । ବାବା ବୁଝାଉଛନ୍ତି ତୁମେ ମଧ୍ୟ ଆତ୍ମା ଅଟ ।
କିନ୍ତୁ ତୁମେ ଅନୁଭବ କରିପାରୁ ନାହଁ ଯେ ମୁଁ ଆତ୍ମା ଅଟେ, ଆତ୍ମା ହିଁ ବାବାଙ୍କୁ ମନେ ପକାଉଛି ।
ସବୁବେଳେ ଦୁଃଖ ସମୟରେ ମନେ ପକାଇଥା’ନ୍ତି, ହେ ଭଗବାନ, ଦୟାର ସାଗର ପ୍ରଭୁ ଦୟା କର । ଦୟା
ମାଗିଥାନ୍ତି କାରଣ ବାବା ହିଁ ଜ୍ଞାନର ସାଗର, ଆନନ୍ଦର ସାଗର, ପବିତ୍ରତାର ସାଗର ଅଟନ୍ତି ।
ଜ୍ଞାନରେ ମଧ୍ୟ ସମ୍ପୂର୍ଣ୍ଣ ଅଟନ୍ତି । ଜ୍ଞାନର ଭଣ୍ଡାର ଅଟନ୍ତି । କୌଣସି ମନୁଷ୍ୟକୁ ଏହି ମହିମା
ଦେଇପାରିବା ନାହିଁ । ସାରା ଦୁନିଆକୁ ଆଶୀର୍ବାଦ କରିବା, ଏହା ବାବାଙ୍କର କର୍ତ୍ତବ୍ୟ । ସେ
ହେଉଛନ୍ତି ରଚୟିତା ବାକି ସବୁ ହେଲେ ରଚନା । ରଚୟିତା ରଚନାକୁ ସୃଷ୍ଟି କରିଥାନ୍ତି । ପ୍ରଥମେ
ସ୍ତ୍ରୀକୁ ପୋଷ୍ୟ କରିଥାଆନ୍ତି ବା ଗ୍ରହଣ କରିଥା’ନ୍ତି । ତାପରେ ତାଙ୍କ ଦ୍ୱାରା ସନ୍ତାନ ରଚନା
କରିଥା’ନ୍ତି, ପୁଣି ସେମାନଙ୍କର ପାଳନା ମଧ୍ୟ କରିଥା’ନ୍ତି, କିନ୍ତୁ ବିନାଶ କରି ନ ଥାନ୍ତି । ଏହି
ବେହଦର ପିତା ଆସି ସ୍ଥାପନା, ପାଳନା, ବିନାଶ କରାଉଛନ୍ତି । ଆଦି ସନାତନ ଦେବୀ ଦେବତା ଧର୍ମର ପାଳନା
କରାଉଛନ୍ତି । ସତ୍ୟଯୁଗ ଆରମ୍ଭରେ ତୁରନ୍ତ ରାଜଧାନୀ ସ୍ଥାପନ ହୋଇଯାଇଥାଏ ଏବଂ ଅନ୍ୟ ଧର୍ମସ୍ଥାପକ
ତ କେବଳ ନିଜ ନିଜର ଧର୍ମ ସ୍ଥାପନ କରିଥା’ନ୍ତି, ପୁଣି ଯେତେବେଳେ ସେମାନଙ୍କର ସଂଖ୍ୟା ଲକ୍ଷ ଲକ୍ଷ
, କୋଟି କୋଟିକୁ ବୃଦ୍ଧି ପାଇଥାଏ ସେତେବେଳେ ସେମାନେ ରାଜତ୍ୱ କରିଥାନ୍ତି । ଏବେ ତୁମେ ରାଜଧାନୀର
ସ୍ଥାପନା କରୁଛ । ଯୋଗବଳ ଦ୍ୱାରା ତୁମେ ସାରା ବିଶ୍ୱର ମାଲିକ ହେଉଛ, ବାହୁବଳ ଦ୍ୱାରା କେବେ କେହି
ସାରା ବିଶ୍ୱ ଉପରେ ରାଜତ୍ୱ କରିପାରିବେ ନାହିଁ । ବାବା ବୁଝାଉଛନ୍ତି, ଖ୍ରୀଷ୍ଟିୟାନମାନଙ୍କ ପାଖରେ
ଏତେ ଶକ୍ତି ରହିଛି ସେମାନେ ଯଦି ପରସ୍ପର ମିଶିଯିବେ ତେବେ ସାରା ବିଶ୍ୱ ଉପରେ ରାଜତ୍ୱ କରିପାରିବେ
। କିନ୍ତୁ ବାହୁବଳ ଦ୍ୱାରା ବିଶ୍ୱ ଉପରେ ରାଜ୍ୟ କରିବା, ଏଭଳି ନିୟମ ନାହିଁ । ଡ୍ରାମାରେ ଏଭଳି
ନିୟମ ନାହିଁ ଯାହାକି ବାହୁବଳରେ ବିଶ୍ୱର ମାଲିକ ହୋଇ ପାରିବେ ।
ବାବା ବୁଝାଉଛନ୍ତି - ବିଶ୍ୱର ବାଦଶାହୀ ଯୋଗବଳ ଆଧାରରେ ମୋ ଦ୍ୱାରା ହିଁ ମିଳିପାରିବ । ସେଠାରେ
କୌଣସି ପାର୍ଟିସନ୍ ବା ବିଭାଜନ ରହିବ ନାହିଁ । ପୃଥିବୀ, ଆକାଶ ସବୁ କିଛି ତୁମର ହିଁ ହେବ । ତୁମକୁ
କେହି ଛୁଇଁ ପାରିବେ ନାହିଁ । ତାକୁ କୁହାଯାଏ ଅଦ୍ୱୈତ ରାଜ୍ୟ ଏଠାରେ ହେଉଛି ଅନେକ ରାଜ୍ୟ । ବାବା
ବୁଝାଉଛନ୍ତି - ୫ ହଜାର ବର୍ଷ ପରେ ମୁଁ ତୁମକୁ ଏହି ରାଜଯୋଗ ଶିଖାଉଛି । ଶ୍ରୀକୃଷ୍ଣଙ୍କର ଆତ୍ମା
ଏବେ ଶିକ୍ଷା ଗ୍ରହଣ କରୁଛି । ଶ୍ରୀକୃଷ୍ଣ ପ୍ରଥମ ନମ୍ବରର ରାଜକୁମାର ଥିଲେ, ସିଏ ହିଁ ବର୍ତ୍ତମାନ
୮୪ ଜନ୍ମର ଶେଷରେ ଆସି ବ୍ରହ୍ମା ହୋଇଛନ୍ତି । ଏହି କଥା ପିଲାମାନଙ୍କୁ ମଧ୍ୟ ବୁଝାଯାଇଛି ଯେ
ସୃଷ୍ଟି ଚକ୍ର କିପରି ଘୁରୁଛି । ବାବା ପୁନର୍ବାର ସ୍ୱର୍ଗର ସ୍ଥାପନା କରୁଛନ୍ତି । ଅନେକ ଧର୍ମର
ବିନାଶ ନିଶ୍ଚିତ ହେବ । ଗୋଟିଏ ଧର୍ମର ସ୍ଥାପନା ହୋଇଯିବ । ଭାରତ ହିଁ ଶତ ପ୍ରତିଶତ ଧନବାନ, ଧର୍ମ
ଶ୍ରେଷ୍ଠ ଥିଲା । ଦେବତାମାନଙ୍କର କର୍ମ ମଧ୍ୟ ଶ୍ରେଷ୍ଠ ଥିଲା । ସେହିମାନଙ୍କର ହିଁ ମହିମାର ଗାୟନ
ହେଉଛି - ସର୍ବଗୁଣ ସମ୍ପନ୍ନ... ପ୍ରଥମେ ପବିତ୍ର ଥିଲେ ଏବେ ପତିତ ହୋଇଯାଇଛନ୍ତି, ପୁନର୍ବାର ବାବା
ଆସି ସ୍ତ୍ରୀ ପୁରୁଷ ଉଭୟଙ୍କୁ ପବିତ୍ର କରୁଛନ୍ତି । ରକ୍ଷାବନ୍ଧନ ଉତ୍ସବକୁ ଏତେ କାହିଁକି ପାଳନ
କରୁଛନ୍ତି ସେକଥା କାହାକୁ ବି ଜଣା ନାହିଁ । ବାବା ହିଁ ଆସି ଏହି ଅନ୍ତିମ ଜନ୍ମରେ ଉଭୟଙ୍କୁ
ପବିତ୍ର ରହିବା ପାଇଁ ପ୍ରତିଜ୍ଞା କରାଇଥିଲେ । ସନ୍ନ୍ୟାସୀମାନଙ୍କର ଧର୍ମ ହିଁ ଅଲଗା ଅଟେ ।
ଜ୍ଞାନ ଭକ୍ତି ଏବଂ ବୈରାଗ୍ୟ - ଏହା ତୁମମାନଙ୍କ ପାଇଁ ପ୍ରଯୁଯ୍ୟ । ତୁମେମାନେ ଦେଖିଥିବ ପାଦ୍ରୀ
ବା ଖ୍ରୀଷ୍ଟିୟାନମାନଙ୍କର ଗୁରୁମାନେ ଯେତେବେଳେ ରାସ୍ତାରେ ଚାଲୁଥାନ୍ତି, ସେତେବେଳେ ତାଙ୍କର
ଦୃଷ୍ଟି ଗୋଟିଏ ଦିଗକୁ ରହିଥାଏ ଆଉ କାହା ଆଡକୁ ଦେଖି ନ ଥା’ନ୍ତି । ନନ୍ସମାନେ ଯୀଶୁଖ୍ରୀଷ୍ଟଙ୍କୁ
ମନେ ପକାଇଥା’ନ୍ତି । କୁହନ୍ତି - ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କର ସନ୍ତାନ ଥିଲେ । ତୁମର ଶ୍ୱେତବସ୍ତ୍ର
ଆଦି ସହିତ କୌଣସି ସମ୍ପର୍କ ନାହିଁ । ତୁମେ ତ ଆତ୍ମା ଅଟ । ନନ୍ ବଟ ୱାନ୍ ଅର୍ଥାତ୍, ସେହି
ଜଣଙ୍କ ବ୍ୟତୀତ ଆଉ କାହାକୁ ମନେ ପକାଇବାର ନାହିଁ । ପ୍ରକୃତ ନନ୍ସ ତ ତୁମେମାନେ ହିଁ ଅଟ । ତୁମକୁ
ସେହି ବାବାଙ୍କଠାରୁ ସମ୍ପତ୍ତି ମିଳୁଛି, ତାଙ୍କୁ ସ୍ମରଣ କଲେ ଯାଇ ବିକର୍ମ ବିନାଶ ହେବ, ସେଥିପାଇଁ
ବାବାଙ୍କର ଆଦେଶ ହେଲା - କେବଳ ମୋତେ ମନେ ପକାଅ । ଆତ୍ମା ଜ୍ଞାନ ନ ଥିବା କାରଣରୁ ସେହି ନନ୍ସମାନେ
ଯୀଶୁ ଖ୍ରୀଷ୍ଟଙ୍କୁ ମନେ ପକାଉଛନ୍ତି । ଈଶ୍ୱର କିଏ - ଏକଥା ଜାଣିନାହାଁନ୍ତି । ଭାରତବାସୀ
ଯେଉଁମାନେ କି ପ୍ରଥମେ ସତ୍ୟଯୁଗରେ ଆସୁଛନ୍ତି ସେମାନେ ତ ଜାଣିନାହାଁନ୍ତି । ଲକ୍ଷ୍ମୀ-ନାରାୟଣଙ୍କୁ
ଏହି ସୃଷ୍ଟିର ଜ୍ଞାନ ହିଁ ନାହିଁ, ନା ସେମାନେ ତ୍ରିକାଳଦର୍ଶୀ ଥିଲେ । ତୁମେ ବ୍ରାହ୍ମଣମାନେ ହିଁ
ତ୍ରିକାଳଦର୍ଶୀ ହେଉଛ । ତୁମମାନଙ୍କୁ ବାବା ଆସି କଉଡିରୁ ହୀରାତୁଲ୍ୟ କରୁଛନ୍ତି । ଏବେ ତୁମେ
ଈଶ୍ୱରୀୟ କୋଳରେ ଅଛ । ତୁମର ଏହି ଅନ୍ତିମ ଜନ୍ମ ବହୁତ ମୂଲ୍ୟବାନ ଅଟେ । ସାଧାରଣତଃ ବିଶ୍ୱର ଏବଂ
ବିଶେଷ କରି ଭାରତର ତୁମେ ଆତ୍ମିକ ସେବା କରୁଛ । ବାକି ସେମାନେ ତ ହେଲେ ଶାରୀରିକ ସମାଜ ସେବୀ,
ତୁମେ ହେଲ ରୁହାନୀ ଅର୍ଥାତ୍ ଆତ୍ମିକ ସେବାଧାରୀ । ତୁମର ଶିକ୍ଷକ ପରମାତ୍ମା ଅଟନ୍ତି । ପ୍ରତ୍ୟେକ
ଆତ୍ମାକୁ କୁହ - ବାବାଙ୍କୁ ସ୍ମରଣ କର । ବାବାଙ୍କ ନିମନ୍ତେ ହିଁ ପତିତ ପାବନ ବୋଲି ଗାୟନ ହେଉଛି
। ତୁମକୁ ତଳକୁ ଖସିବା ପାଇଁ ୮୪ ଜନ୍ମ ଲାଗୁଛି ଏବଂ ଉପରକୁ ଉଠିବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି
। ଏହା ତୁମର ମୃତ୍ୟୁଲୋକର ଅନ୍ତିମ ଜନ୍ମ ଅଟେ, ମୃତ୍ୟୁଲୋକ ମୁର୍ଦ୍ଦାବାଦ୍, ଅମରଲୋକ ଜିନ୍ଦାବାଦ୍
ହେବାକୁ ଯାଉଛି । ଏହାକୁ ଅମରକଥା କୁହାଯାଉଛି । ଅମର ବାବା ଆସି ତୁମ ଅମର ଆତ୍ମାମାନଙ୍କୁ
ଅମରଯୁଗକୁ ନେଇଯିବା ପାଇଁ ଅମରକଥା ଶୁଣାଉଛନ୍ତି । ବାବା କହୁଛନ୍ତି ଯଦି ଅନ୍ୟସବୁ କଥା ଭୁଲିଯାଉଛ,
ତେବେ କେବଳ ନିଜକୁ ଆତ୍ମା ଭାବି ମୋତେ ବା ନିଜର ପିତାଙ୍କୁ ମନେପକାଅ । ବୁଦ୍ଧିର ଯୋଗ ମୋ ସହିତ
ଲଗାଅ ତେବେ ତୁମର ପାପ ଭସ୍ମ ହେବ ଏବଂ ତୁମେ ପୁଣ୍ୟଆତ୍ମା ହୋଇଯିବ । ତୁମେ ମନୁଷ୍ୟରୁ ଦେବତା
ହେଉଛ, ଏହା କୌଣସି ନୂଆ କଥା ନୁହେଁ । ୫ ହଜାର ପରେ ବାବା ଆସି ତୁମକୁ ସମ୍ପତ୍ତି ଦେଉଛନ୍ତି,
ରାବଣ ପୁଣି ଅଭିଶାପ ଦେଉଛି - ଏହା ହିଁ ଖେଳ ଅଟେ । ଏହା ଭାରତର କାହାଣୀ ଅଟେ । ଏହି ସବୁ କଥା
ବାବା ହିଁ ବୁଝାଉଛନ୍ତି, କୌଣସି ବେଦଶାସ୍ତ୍ର ଆଦିରେ ଏ କଥା ନାହିଁ ସେଥିପାଇଁ ଈଶ୍ୱର ପିତାଙ୍କୁ
ହିଁ ଜ୍ଞାନର ସାଗର, ଶାନ୍ତିର ସାଗର, ଆନନ୍ଦର ସାଗର ବୋଲି କୁହାଯାଉଛି । ସେ ତୁମକୁ ମଧ୍ୟ ନିଜ
ସମାନ କରୁଛନ୍ତି । ତୁମେ ମଧ୍ୟ ପୂଜ୍ୟ ଥିଲ ପୁଣି ପୂଜାରୀ ହେଉଛ, ନିଜେ ହିଁ ପୂଜ୍ୟ, ନିଜେ ହିଁ
ପୂଜାରୀ । ଏହି କଥା ଭଗବାନଙ୍କ ପାଇଁ ଗାୟନ ହେଉନାହିଁ । ତୁମ ଭାରତବାସୀମାନଙ୍କର କଥା, ତୁମେମାନେ
ପ୍ରଥମେ ପ୍ରଥମେ କେବଳ ଏକ ଶିବଙ୍କର ହିଁ ଭକ୍ତି କରୁଥିଲ । ପ୍ରଥମେ ଅବ୍ୟଭିଚାରୀ ଭକ୍ତି କରୁଥିଲ
ପୁଣି ପରେ ଦେବୀ ଦେବତା ମାନଙ୍କର ଭକ୍ତି ଆରମ୍ଭ କଲ, ତାପରେ ତଳକୁ ତଳକୁ ଖସି ଖସି ଆସିଲ । ଏବେ
ପୁନର୍ବାର ତୁମେ ଦେବୀ ଦେବତା ହେଉଛ, ଯେଉଁମାନେ ଅଳ୍ପ ଜ୍ଞାନ ଆହରଣ କରୁଛନ୍ତି ସେମାନେ ଯାଇ ପ୍ରଜା
ହେବେ । ଯେଉଁମାନେ ଭଲ ଭାବରେ ପଢୁଛନ୍ତି ଏବଂ ଅନ୍ୟକୁ ପଢାଉଛନ୍ତି ସେମାନେ ରାଜ ପରିବାରରେ ଆସିବେ
। ପ୍ରଜା ତ ବହୁତ ହେବେ । ଜଣେ ଜଣେ ମହାରାଜାଙ୍କର ଲକ୍ଷ ଲକ୍ଷ କୋଟି କୋଟି ସଂଖ୍ୟାରେ ପ୍ରଜା ହେବେ
। ତୁମେମାନେ କଳ୍ପ ପୂର୍ବ ଭଳି ପୁରୁଷାର୍ଥ କରୁଛ । ପୁରୁଷାର୍ଥରୁ ହିଁ ଜଣାପଡିଯାଉଛି ଯେ କିଏ
କିଏ ୧୦୮ ମାଳାର ଦାନା ହେବେ । ପ୍ରଜାମାନଙ୍କ ଭିତରେ ମଧ୍ୟ କେହି ଗରିବ, କେହି ଧନୀ ହେବେ ।
ଭକ୍ତିମାର୍ଗରେ ଈଶ୍ୱର ଅର୍ଥେ ଦାନ କରିଥାନ୍ତି । ତେବେ କ’ଣ ଈଶ୍ୱରଙ୍କ ପାଖରେ ଧନ ନାହିଁ? ନଚେତ୍
କହୁଛନ୍ତି, କୃଷ୍ଣ ଅର୍ପଣମ୍ । କିନ୍ତୁ ବାସ୍ତବରେ ହେଉଛି ଈଶ୍ୱର ଅର୍ପଣମ୍ । ମନୁଷ୍ୟ ଯାହା କିଛି
ବି କରୁଛନ୍ତି ତା’ର ଫଳ ପରବର୍ତ୍ତୀ ଜନ୍ମରେ ମିଳୁଛି । ଗୋଟିଏ ଜନ୍ମ ପାଇଁ ମିଳିଯାଉଛି । ଏବେ
ବାବା କହୁଛନ୍ତି - ମୁଁ ଆସିଛି ତୁମକୁ ୨୧ ଜନ୍ମର ସମ୍ପତ୍ତି ଦେବା ପାଇଁ । ମୋ ଉଦ୍ଦେଶ୍ୟରେ
ସିଧାସଳଖ ତୁମେ ଯାହା କିଛି କରୁଛ ତା’ର ପ୍ରାପ୍ତି ତୁମକୁ ୨୧ ଜନ୍ମ ପାଇଁ ହୋଇଯାଉଛି । ପରୋକ୍ଷ
ଭାବରେ ଭକ୍ତିମାର୍ଗରେ କଲେ ଗୋଟିଏ ଜନ୍ମ ପାଇଁ ଅଳ୍ପକାଳର ସୁଖ ମିଳୁଛି । ବାବା ବୁଝାଉଛନ୍ତି
ତୁମର ସବୁ କିଛି ମାଟିରେ ମିଶିଯିବ, ସେଥିପାଇଁ ଏହାକୁ ସଫଳ କରିଦିଅ । ତୁମେ ଏହି ଆତ୍ମିକ
ଡାକ୍ତରଖାନା ସହିତ ବିଶ୍ୱ ବିଦ୍ୟାଳୟ ଖୋଲି ଚାଲ, ଯେଉଁଠାରେ ସମସ୍ତେ ସର୍ବଦା ସୁସ୍ଥ, ସର୍ବଦା
ନିରୋଗୀ ହେବେ, ଏହାଦ୍ୱାରା ବହୁତ ଆୟ ହୋଇଥାଏ । ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ମିଳିଥାଏ ଏବଂ ଚକ୍ରର
ଜ୍ଞାନ ଜାଣିବା ଦ୍ୱାରା ସମ୍ପତ୍ତି ମିଳିଥାଏ । ତେଣୁ ଘରେ ଘରେ ଏହିଭଳି ଡାକ୍ତରଖାନା ସହ ବିଶ୍ୱ
ବିଦ୍ୟାଳୟ ଖୋଲି ଚାଲ । ଧନୀଲୋକ ହୋଇଥିଲେ ବଡ ବଡ ସେବାକେନ୍ଦ୍ର ସ୍ଥାପନ କର ଯେଉଁଠାକୁ ବହୁତ ଲୋକ
ଆସିପାରିବେ । ବୋର୍ଡରେ ଲେଖିଦିଅ । ଯେପରି ନେଚର କିୟୋର ସେଣ୍ଟର ଲୋକମାନେ ଲେଖୁଛନ୍ତି । ବାବା
ସାରା ଦୁନିଆର ପ୍ରକୃତିକୁ ପରିବର୍ତ୍ତନ କରି ପବିତ୍ର କରିଦେଉଛନ୍ତି । ବର୍ତ୍ତମାନ ସବୁ କିଛି
ଅପବିତ୍ର ଅଟେ । ସାରା ଦୁନିଆକୁ ସର୍ବଦା ସୁସ୍ଥ, ସର୍ବଦା ସମ୍ପତ୍ତିବାନ ବାବା ହିଁ କରାନ୍ତି,
ଯିଏକି ତୁମମାନଙ୍କୁ ଏବେ ପାଠ ପଢାଉଛନ୍ତି । ତୁମେମାନେ ହେଲ ଅତି ମଧୁର ସନ୍ତାନ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର ଏହି
ଅମୂଲ୍ୟ ଜୀବନକୁ ଆତ୍ମିକ ସେବାରେ ଲଗାଇବାକୁ ହେବ । ବିଶେଷ ଭାବରେ ଭାରତ ସହିତ ସାରା ଦୁନିଆର ସେବା
କରିବାକୁ ହେବ ।
(୨) ନିଜର ସବୁ କିଛି
ସଫଳ କରିବା ପାଇଁ ସିଧାସଳଖ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବାକୁ ହେବ । ଆତ୍ମିକ ଡାକ୍ତରଖାନା
ଏବଂ ବିଶ୍ୱବିଦ୍ୟାଳୟ ଖୋଲିବାକୁ ହେବ ।
ବରଦାନ:-
ଏକରସ ସ୍ଥିତି
ଦ୍ୱାରା ଅତୀନ୍ଦ୍ରିୟ ସୁଖର ଅନୁଭୂତି କରୁଥିବା ସର୍ବ ଆକର୍ଷଣ ମୁକ୍ତ ଭବ ।
ଯେତେବେଳେ ଇନ୍ଦ୍ରିୟ
ଗୁଡିକର ଆକର୍ଷଣଠାରୁ ଏବଂ ସମ୍ବନ୍ଧୀମାନଙ୍କର ଆକର୍ଷଣଠାରୁ ମୁକ୍ତ ହୋଇଯିବ ସେତେବେଳେ ଯାଇ
ଅତୀନ୍ଦ୍ରିୟ ସୁଖର ଅନୁଭୂତି କରିପାରିବ । କୌଣସି ବି କର୍ମେନ୍ଦ୍ରିୟର ବଶୀଭୂତ ହେବା ଦ୍ୱାରା ଯେଉଁ
ସବୁ ଭିନ୍ନ ଭିନ୍ନ ଆକର୍ଷଣ ସୃଷ୍ଟି ହୋଇଥାଏ ତାହା ଅତୀନ୍ଦ୍ରିୟ ସୁଖର ଅନୁଭୂତି କରିବାରେ ବା
ହର୍ଷିତ ରହିବାରେ ବନ୍ଧନ ସୃଷ୍ଟି କରିଥାଏ । କିନ୍ତୁ ତୁମର ବୁଦ୍ଧି ଯେତେବେଳେ ସର୍ବ ଆକର୍ଷଣ
ଗୁଡିକଠାରୁ ମୁକ୍ତ ହୋଇ ଗୋଟିଏ ହିଁ ଲକ୍ଷ୍ୟ ସ୍ଥଳରେ ସ୍ଥିତ ହୋଇଯାଏ, ବୁଦ୍ଧିର ହଲଚଲ୍ ସମାପ୍ତ
ହୋଇଯାଏ, ସେତେବେଳେ ତୁମର ଅବସ୍ଥା ଏକରସ ହୋଇ ଯିବା କାରଣରୁ ଅତୀନ୍ଦ୍ରିୟ ସୁଖର ଅନୁଭୂତି ହୋଇଥାଏ
।
ସ୍ଲୋଗାନ:-
ଯଦି ନିଜର
ବୁଦ୍ଧିର ଲାଇନ୍ ସର୍ବଦା କ୍ଲିୟର ଅର୍ଥାତ୍ ସ୍ୱଚ୍ଛ ରଖିବ, ତେବେ ପରସ୍ପରର ମନର ଭାବକୁ
ଜାଣିପାରିବ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଯେ କୌଣସି ପ୍ରକାରର ହଲ୍ଚଲ୍ରେ
ଅଚଳ ରହିବା ହିଁ ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନଙ୍କର ଲକ୍ଷଣ ଅଟେ । ଦୁନିଆ ପଛକେ ହଲଚଲ୍ ଭିତରେ
ରହିଥାଉ କିନ୍ତୁ ତୁମେ ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନେ ହଲଚଲ୍ରେ ଆସିପାରିବ ନାହିଁ । କାହିଁକି
ଜାଣିଛ? ତୁମେ ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ଜାଣିଛ । ନଲେଜଫୁଲ ଏବଂ ପାୱାରଫୁଲ ଆତ୍ମାମାନେ
ସର୍ବଦା ସ୍ୱତଃ ହିଁ ଅଚଳ ରହିଥାଆନ୍ତି । ତେଣୁ କେବେ ବି କୌଣସି ପ୍ରକାରର ବାୟୁମଣ୍ଡଳକୁ ଦେଖି
ବିଚଳିତ ହୁଅ ନାହିଁ, ସର୍ବଦା ନିର୍ଭୟ ହୋଇ ରୁହ ।