07.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଅବିନାଶୀ ଜ୍ଞାନ ରତ୍ନକୁ ଧାରଣ କରି ଏବେ ତୁମକୁ ଫକୀରରୁ ଅମୀର ଅର୍ଥାତ୍ ଭିକାରୀରୁ ଧନବାନ ହେବାକୁ ପଡିବ, ତୁମେମାନେ ହେଉଛ ରୂପ-ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ଆତ୍ମା ଅଟ ।’’

ପ୍ରଶ୍ନ:-
କେଉଁ ଶୁଭଭାବନା ରଖି ପୁରୁଷାର୍ଥରେ ସର୍ବଦା ତତ୍ପର ରହିବାକୁ ହେବ?

ଉତ୍ତର:-
ସର୍ବଦା ଏହି ଶୁଭଭାବନା ରଖିବାକୁ ହେବ ଯେ ମୁଁ ଆତ୍ମା ସତ୍ତ୍ୱପ୍ରଧାନ ଥିଲି, ମୁଁ ହିଁ ବାବାଙ୍କଠାରୁ ଶକ୍ତିରୂପୀ ସମ୍ପତ୍ତି ନେଇଥିଲି ଏବେ ପୁନର୍ବାର ନେଉଛି । ଏହି ଶୁଭଭାବନା ରଖି ପୁରୁଷାର୍ଥ କରି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏପରି ଭାବିବା ଉଚିତ୍ ନୁହେଁ ଯେ ସମସ୍ତେ କ’ଣ ସତ୍ତ୍ୱପ୍ରଧାନ ହୋଇପାରିବେ । ନା, ୟାଦର ଯାତ୍ରାରେ ରହିବା ପାଇଁ ପୁରୁଷାର୍ଥ କରିବାକୁ ହେବ, ସେବା ଆଧାରରେ ବାବାଙ୍କଠାରୁ ଶକ୍ତି ନେବାକୁ ହେବ ।

ଗୀତ:-
ଇସ୍ ପାପ କୀ ଦୁନିଆ ସେ...

ଓମ୍ ଶାନ୍ତି ।
ଏହା ହେଉଛି ପାଠପଢା । ପ୍ରତ୍ୟେକ କଥାକୁ ବୁଝିବା ଉଚିତ୍ ଆଉ ଯେଉଁ ସବୁ ସତ୍‌ସଙ୍ଗ ଆଦି ଅଛି, ସେ ସବୁ ଭକ୍ତିମାର୍ଗର ଅଟେ । ଭକ୍ତି କରି-କରି ଭିକାରୀ ହୋଇଯାଇଛନ୍ତି । ଦୁନିଆର ଭିକାରୀ ଅଲଗା, ଆଉ ତୁମେ ଅନ୍ୟ ପ୍ରକାରର ଭିକାରୀ ଅଟ । ତୁମେ ଅମୀର ଥିଲ, ଏବେ ଭିକାରୀ ହୋଇଯାଇଛ । ଏକଥା କାହାକୁ ଜଣା ନାହିଁ ଯେ ଆମେ ଅମୀର ଥିଲୁ, ତୁମେ ବ୍ରାହ୍ମଣ ହିଁ ଜାଣିଛ - ଆମେ ବିଶ୍ୱର ମାଲିକ ଅମୀର ଥିଲୁ । ଅମୀରଚନ୍ଦରୁ ଫକୀରଚନ୍ଦ ହୋଇଛୁ । ବର୍ତ୍ତମାନ ଏହା ହେଉଛି ପାଠପଢା, ଯାହାକୁ ଭଲ ଭାବରେ ପଢି, ଧାରଣ କରି ଅନ୍ୟକୁ ଧାରଣ କରାଇବାକୁ ଚେଷ୍ଟା କରିବା ଉଚିତ୍ । ଅବିନାଶୀ ଜ୍ଞାନ ରତ୍ନ ଧାରଣ କରିବାକୁ ହେବ । ଆତ୍ମା ହେଉଛି ରୂପ ବସନ୍ତ ନା । ଆତ୍ମା ହିଁ ଧାରଣ କରୁଛି, ଶରୀର ତ ବିନାଶୀ ଅଟେ । ଯେଉଁ ଜିନିଷ କାମର ଯୋଗ୍ୟ ନୁହେଁ, ତାକୁ ଜଳାଇ ଦିଆଯାଇଥାଏ । ଶରୀର ମଧ୍ୟ ଯେତେବେଳେ କୌଣସି କାମର ନ ରୁହେ ତାକୁ ନିଆଁରେ ଜଳାଯାଇଥାଏ । ଆତ୍ମାକୁ ତ ଜଳାଉ ନାହାଁନ୍ତି । ଆମେ ହେଉଛୁ ଆତ୍ମା । ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୋଇଛି ସେବେଠାରୁ ମନୁଷ୍ୟ ଦେହ-ଅଭିମାନରେ ଆସିଯାଇଛି । ମୁଁ ହେଉଛି ଶରୀର, ଏହା ପକ୍କା ନିଶ୍ଚୟ ହୋଇଯାଇଛି । ଆତ୍ମା ତ ହେଉଛି ଅମର । ଅମରନାଥ ବାବା ଆସି ଆତ୍ମାମାନଙ୍କୁ ଅମର କରାଉଛନ୍ତି । ସେଠାରେ ତ ଠିକ୍ ସମୟରେ ନିଜ ଇଚ୍ଛାରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେବେ କାହିଁକି ନା ଆତ୍ମା ମାଲିକ ଅଟେ । ଯେବେ ଚାହିଁବ ଶରୀର ଛାଡିବ । ସେଠାରେ ଦୀର୍ଘାୟୁ ହୋଇଥାନ୍ତି । ସର୍ପର ଉଦାହରଣ ରହିଛି । ଏବେ ତୁମେ ଜାଣୁଛ ଏହା ତୁମର ବହୁତ ଜନ୍ମର ଶେଷ ଜନ୍ମର ପୁରୁଣା ଶରୀର । ସମ୍ପୂର୍ଣ୍ଣ ୮୪ ଜନ୍ମ ନେଇଛ । କାହାର ୬୦-୭୦ ଜନ୍ମ ମଧ୍ୟ ରହିଛି । କେହି ପୁଣି ୫୦ ଜନ୍ମ ମଧ୍ୟ ନେଉଛନ୍ତି । ତ୍ରେତାରେ ନିଶ୍ଚୟ ଆୟୁ କିଛି ନା କିଛି କମ୍ ହୋଇଯାଉଛି । ସତ୍ୟଯୁଗରେ ପୂର୍ଣ୍ଣ ଆୟୁଷ ରହିବ । ଏବେ ପୁରୁଷାର୍ଥ କରିବାକୁ ହେବ ଯେ ଆମେ ପ୍ରଥମେ ସତ୍ୟଯୁଗକୁ ଆସିବୁ । ସେଠାରେ ଶକ୍ତି ଭରି ହୋଇ ରହିଥିବାରୁ ଅକାଳମୃତ୍ୟୁ ହେବ ନାହିଁ । ଶକ୍ତି କମ୍ ହୋଇଗଲେ ଆୟୁ ମଧ୍ୟ କମ୍ ହୋଇଯାଉଛି । ଏବେ ବାବା ତାଙ୍କ ପରି ତୁମ ଆତ୍ମାକୁ ମଧ୍ୟ ଶକ୍ତିବାନ୍ କରାଉଛନ୍ତି । ପ୍ରଥମତଃ ପବିତ୍ର ହୋଇ ବାବାଙ୍କ ସ୍ମୃତିରେ ରହିବାକୁ ହେବ ତେବେ ଶକ୍ତି ମିଳିବ ବାବାଙ୍କଠାରୁ ଶକ୍ତିରେ ସମ୍ପନ୍ନ ହେଉଛ । ପାପ-ଆତ୍ମାମାନେ ତ ଶକ୍ତି ନେଇପାରିବେ ନାହିଁ । ପୂଣ୍ୟାତ୍ମା ହେଲେ ଶକ୍ତି ମିଳିଥାଏ । ଏହି ଖିଆଲ କର - ଆମ୍ଭମାନଙ୍କର ଆତ୍ମା ସତ୍ତ୍ୱପ୍ରଧାନ ଥିଲା । ସର୍ବଦା ଶୁଭଭାବନା ରଖିବା ଦରକାର । ଏପରି ନୁହେଁ ଯେ ସମସ୍ତେ ସତ୍ତ୍ୱପ୍ରଧାନ ହେବେ । କେହି ତ ସତ୍ତ୍ୱ ମଧ୍ୟ ହେବେ ନା । ନା, ନିଜେ ବୁଝିବା ଦରକାର ଯେ ଆମେ ପ୍ରଥମେ ସତ୍ତ୍ୱପ୍ରଧାନ ଥିଲୁ । ନିଶ୍ଚୟ ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହେବୁ । ଏପରି ଭାବ ନାହିଁ ଯେ ଆମେ କିପରି ସତ୍ତ୍ୱପ୍ରଧାନ ହୋଇପାରିବୁ । ଏହା ଭାବିଲେ ଅବସ୍ଥା ଅଧୋଗତି ହୋଇଯାଇଥାଏ । ୟାଦର ଯାତ୍ରାରେ ରହୁନାହାଁନ୍ତି । ଯେତେ ସମ୍ଭବ ପୁରୁଷାର୍ଥ କରିବା ଉଚିତ୍ । ନିଜକୁ ଆତ୍ମା ଭାବି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବର୍ତ୍ତମାନ ସମୟରେ ସମସ୍ତ ମନୁଷ୍ୟ ମାତ୍ରକେ ତମୋପ୍ରଧାନ ଅଟନ୍ତି । ତୁମ ଆତ୍ମା ମଧ୍ୟ ତମୋପ୍ରଧାନ ହୋଇ ଯାଇଛି । ବାବାଙ୍କ ସ୍ମୃତି ଦ୍ୱାରା ଆତ୍ମାକୁ ଏବେ ସତ୍ତ୍ୱପ୍ରଧାନ କରିବାକୁ ହେବ । ତା’ ସହିତ ସେବା ମଧ୍ୟ କଲେ ଶକ୍ତି ମିଳିବ । ଭାବ କେହି ସେବାକେନ୍ଦ୍ର ଖୋଲିଲେ, ବହୁତଙ୍କର ଆଶୀର୍ବାଦ ତାଙ୍କୁ ମିଳିବ । ମନୁଷ୍ୟ ଧର୍ମଶାଳା ତିଆରି କରିଥାଏ ଯେ କେହି ଯାତ୍ରୀ ଆସିଲେ ବିଶ୍ରାମ ନେବେ । ଆତ୍ମା ଖୁସି ହେବ ନା । ରହିବା ବ୍ୟକ୍ତିକୁ ଆରାମ ମିଳିଲେ ତାଙ୍କର ଆଶୀର୍ବାଦ ଧର୍ମଶାଳା ଯିଏ ତିଆରି କରିଥା’ନ୍ତି ତାଙ୍କୁ ହିଁ ମିଳିଥାଏ । ପୁଣି ପରିଣାମ କ’ଣ ହେବ? ପରଜନ୍ମରେ ସେ ସୁଖୀ ରହିବ । ଭଲ ଘର ମିଳିବ । ଘରର ସୁଖ ମିଳିବ । ଏପରି ନୁହେଁ ଯେ କେବେ ରୋଗରେ ପଡିବେ ନାହିଁ । କେବଳ ଭଲ ଘର ମିଳିବ । ଡାକ୍ତରଖାନା ଖୋଲିଥିଲେ ଭଲ ସ୍ୱାସ୍ଥ୍ୟ ମିଳିବ । ବିଶ୍ୱ ବିଦ୍ୟାଳୟ ଖୋଲିଥିଲେ ଭଲ ପାଠ ପଢିବେ । ସ୍ୱର୍ଗରେ ଡାକ୍ତରଖାନା ଆଦି ରହିବ ନାହିଁ । ଏଠାରେ ତୁମେ ପୁରୁଷାର୍ଥ ଦ୍ୱାରା ୨୧ ଜନ୍ମ ପାଇଁ ପ୍ରାରବ୍ଧ ଗଢୁଛ । ବାକି ସେଠାରେ ଡାକ୍ତରଖାନା, କୋର୍ଟ, ପୋଲିସ ଆଦି କିଛି ରହିବ ନାହିଁ । ଏବେ ତୁମେ ସୁଖଧାମକୁ ଯାଉଛ । ସେଠାରେ ମନ୍ତ୍ରୀ ମଧ୍ୟ ରହିବେ ନାହିଁ । ସର୍ବୋଚ୍ଚ ହେଉଛନ୍ତି ସ୍ୱୟଂ ମହାରାଜା-ମହାରାଣୀ, ସେମାନେ କ’ଣ ମନ୍ତ୍ରୀର ରାୟ ନେବେ । ରାୟ ସେତେବେଳେ ମିଳିଥାଏ ଯେବେ ନିର୍ବୁଦ୍ଧିଆ ହୋଇଯାଇଥାନ୍ତି, ବିକାରୀ ହୋଇଥାନ୍ତି । ରାବଣ ରାଜ୍ୟରେ ବିଲ୍‌କୁଲ୍ ବୁଦ୍ଧିହୀନ ତୁଚ୍ଛ ବୁଦ୍ଧି ହୋଇଯାଇଥା’ନ୍ତି । ଏଥିପାଇଁ ବିନାଶର ରାସ୍ତା ଖୋଜୁଛନ୍ତି । ନିଜେ ଭାବୁଛନ୍ତି ଆମେ ବିଶ୍ୱକୁ ଶ୍ରେଷ୍ଠ କରୁଛୁ କିନ୍ତୁ ଆହୁରି ତଳକୁ ଖସିଚାଲିଛନ୍ତି । ଏବେ ବିନାଶ ସମ୍ମୁଖରେ ଠିଆ ହୋଇଛି ।

ତୁମେ ସନ୍ତାନମାନେ ଜାଣିଛ ଆମକୁ ଘରକୁ ଯିବାକୁ ହେବ । ଆମେ ଭାରତର ସେବା କରି ଦୈବୀ ରାଜ୍ୟ ସ୍ଥାପନ କରୁଛୁ । ପୁଣି ଆମେ ରାଜତ୍ୱ କରିବୁ । ଗାୟନ ମଧ୍ୟ ରହିଛି ଫଲୋ ଫାଦର । ପିତା ପୁତ୍ରକୁ ଓ ପୁତ୍ର ପିତାଙ୍କୁ ପ୍ରତ୍ୟକ୍ଷ କରିଥାଆନ୍ତି । ପିଲାମାନେ ଜାଣିଛନ୍ତି - ବର୍ତ୍ତମାନ ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସି ଆମକୁ ପଢାଉଛନ୍ତି । ଏହିପରି ବୁଝାଇବା ଦରକାର । ଆମେ ବ୍ରହ୍ମାଙ୍କୁ ଭଗବାନ ଅଥବା ଦେବତା ମାନୁନାହୁଁ । ଇଏ ତ ପତିତ ଥିଲେ, ବାବା ପତିତ ଶରୀରରେ ପ୍ରବେଶ କରିଛନ୍ତି । କଳ୍ପ ବୃକ୍ଷରେ ଦେଖ ଉପର ଭାଗରେ ଚୁଟି ଛିଡା ହୋଇଛନ୍ତି ନା । ପତିତ ହୋଇଯାଇଛନ୍ତି ପୁଣି ତଳେ ପାବନ ହେବା ପାଇଁ ତପସ୍ୟା କରୁଛନ୍ତି ପରେ ଦେବତା ହେଉଛନ୍ତି । ବ୍ରାହ୍ମଣମାନେ ତପସ୍ୟା କରୁଛନ୍ତି । ତୁମେ ସବୁ ବ୍ରହ୍ମାକୁମାର-କୁମାରୀମାନେ ରାଜଯୋଗ ଶିଖୁଛ । କେତେ ସ୍ପଷ୍ଟ ଭାବେ ରହିଛି । ଏଥିପାଇଁ ଭଲ ଯୋଗଯୁକ୍ତ ସ୍ଥିତି ଦରକାର । ବାବାଙ୍କର ସ୍ମୃତିରେ ନ ରହିଲେ ମୁରଲୀରେ ମଧ୍ୟ ସେହି ଶକ୍ତି ରହିବ ନାହିଁ । ଶିବବାବାଙ୍କ ସ୍ମୃତି ଦ୍ୱାରା ଶକ୍ତି ମିଳିବ । ଯୋଗବଳ ଦ୍ୱାରା ସତ୍ତ୍ୱପ୍ରଧାନ ହୋଇପାରିବ ନ ହେଲେ ଦଣ୍ଡ ପାଇ ପୁଣି କମ୍ ପଦ ପାଇବୁ । ମୂଳ କଥା ହେଉଛି ୟାଦ, ଯାହାକୁ ଭାରତର ପ୍ରାଚୀନ ଯୋଗ କୁହାଯାଉଛି । ଜ୍ଞାନ ବିଷୟରେ କାହାକୁ ଜଣା ନାହିଁ । ପୂର୍ବରୁ ଋଷି-ମୁନିମାନେ କହୁଥିଲେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଆମେ ଜାଣିନାହୁଁ । ତୁମେ ମଧ୍ୟ ଆଗରୁ କିଛି ଜାଣିନଥିଲ । ଏହି ୫ ବିକାର ହିଁ ତୁମକୁ ବିଲ୍‌କୁଲ୍ ମୂଲ୍ୟହୀନ କରିଦେଇଛି । ବର୍ତ୍ତମାନ ଏହି ପୁରୁଣା ଦୁନିଆ ବିଲ୍‌କୁଲ୍ ଜଳି ସମାପ୍ତ ହୋଇଯିବ । କିଛି ହେଲେ ରହିବ ନାହିଁ । ତୁମେ ସବୁ ପୁରୁଷାର୍ଥର କ୍ରମ ଅନୁସାରେ ଭାରତକୁ ସ୍ୱର୍ଗ କରିବା ନିମନ୍ତେ ତନ-ମନ-ଧନ ଦ୍ୱାରା ସେବା କରୁଛ । ପ୍ରଦର୍ଶନୀରେ ମଧ୍ୟ ତୁମକୁ କେହି ପଚାରିଲେ କୁହ ଆମେ ବି.କେ ନିଜର ତନ-ମନ-ଧନ ଦ୍ୱାରା ଶ୍ରୀମତ ଆଧାରରେ ସେବା କରି ରାମରାଜ୍ୟ ସ୍ଥାପନ କରୁଛୁ । ଗାନ୍ଧିଜୀ ଏପରି କହୁନଥିଲେ ଯେ ଶ୍ରୀମତ ଦ୍ୱାରା ଆମେ ରାମରାଜ୍ୟ ସ୍ଥାପନ କରୁଛୁ । ଏଠାରେ ତ ୟାଙ୍କ ଭିତରେ ଶ୍ରୀ ଶ୍ରୀ ୧୦୮, ବାବା ବସିଛନ୍ତି । ୧୦୮ର ମାଳା ମଧ୍ୟ ତିଆରି କରୁଛନ୍ତି । ମାଳା ତ ବଡ ହେଉଛି । ସେଥିରେ ୮-୧୦୮ ଭଲ ପରିଶ୍ରମ କରୁଛନ୍ତି । କ୍ରମାନ୍ୱୟରେ ତ ବହୁତ ଅଛନ୍ତି, ଯେଉଁମାନେ କି ଭଲ ପରିଶ୍ରମ କରୁଛନ୍ତି । ରୁଦ୍ର ଯଜ୍ଞ ହେଲେ ଶାଳଗ୍ରାମର ମଧ୍ୟ ପୂଜା ହୋଇଥାଏ । ନିଶ୍ଚିତ କିଛି ସେବା କରିଛନ୍ତି ସେଥିପାଇଁ ପୂଜା ହେଉଛି । ତୁମେ ବ୍ରାହ୍ମଣ ହେଉଛ ଆତ୍ମିକ ସେବାଧାରୀ । ସମସ୍ତ ଆତ୍ମାମାନଙ୍କୁ ଜାଗ୍ରତ କରୁଛ । ମୁଁ ଆତ୍ମା, ଏହି କଥା ଭୁଲିଯିବା ଦ୍ୱାରା ଦେହ-ଅଭିମାନ ଆସିଯାଉଛି । ଭାବୁଛନ୍ତି ମୁଁ ହେଉଛି ଅମୁକ । କାହାକୁ ହେଲେ ଏକଥା ଜଣାନାହିଁ - ମୁଁ ଆତ୍ମା, ଏହି ଶରୀରର ନାମ ଅମୁକ । ଆମେ ଆତ୍ମା କେଉଁଠାରୁ ଆସୁଛୁ - ଏହି ଖିଆଲ ଟିକିଏ ବି କାହାର ନାହିଁ । ଏଠାରେ ଅଭିନୟ କରି କରି ଶରୀରର ଅଭିମାନ ପକ୍କା ହୋଇଗଲାଣି । ବାବା ବୁଝାଉଛନ୍ତି - ପିଲାମାନେ, ଏବେ ଭୁଲ୍ କରିବା ଛାଡ । ମାୟା ବହୁତ ଶକ୍ତିଶାଳୀ ଅଟେ, ତୁମେ ଯୁଦ୍ଧ ଭୂମିରେ ରହିଛ । ତୁମେ ଆତ୍ମ-ଅଭିମାନୀ ହୁଅ । ଏହା ହେଉଛି ଆତ୍ମାମାନଙ୍କ ସହିତ ପରମାତ୍ମାଙ୍କର ମେଳା । ଗାୟନ ରହିଛି ଆତ୍ମା-ପରମାତ୍ମା ଅଲଗା ରହିଲେ ବହୁକାଳ । ଏହାର ଅର୍ଥ ମଧ୍ୟ ସେମାନେ ଜାଣି ନାହାଁନ୍ତି । ତୁମେ ଏବେ ଜାଣୁଛ - ଆମେ ଆତ୍ମାମାନେ ବାବାଙ୍କ ସାଥିରେ ରହିଥାଉ । ତାହା ହେଉଛି ଆତ୍ମାମାନଙ୍କର ଘର । ବାବା ମଧ୍ୟ ସେଠାରେ ଅଛନ୍ତି, ତାଙ୍କର ନାମ ହେଉଛି ଶିବ । ଶିବ ଜୟନ୍ତୀର ମଧ୍ୟ ଗାୟନ କରାଯାଉଛି, ଅନ୍ୟ କୌଣସି ନାମ ଦେବା ଅନୁଚିତ୍ । ବାବା କହୁଛନ୍ତି - ମୋର ଅସଲ ନାମ ହେଉଛି କଲ୍ୟାଣକାରୀ ଶିବ । କଲ୍ୟାଣକାରୀ ରୁଦ୍ର କୁହାଯିବ ନାହିଁ । କଲ୍ୟାଣକାରୀ ଶିବ କହିଥା’ନ୍ତି । କାଶୀରେ ମଧ୍ୟ ଶିବଙ୍କର ମନ୍ଦିର ରହିଛି ନା । ସେଠାକୁ ଯାଇ ସାଧୁସନ୍ଥମାନେ ମନ୍ତ୍ର ଜପିଥା’ନ୍ତି - ଶିବକାଶୀ ବିଶ୍ୱନାଥ ଗଙ୍ଗା । ଏବେ ବାବା ବୁଝାଉଛନ୍ତି ଯେଉଁ ଶିବଙ୍କୁ କାଶୀ ମନ୍ଦିରରେ ବସାଇଛନ୍ତି, ତାଙ୍କୁ ବିଶ୍ୱନାଥ କହୁଛନ୍ତି । ମୁଁ ତ ବାସ୍ତବରେ ବିଶ୍ୱନାଥ ନୁହେଁ । ବିଶ୍ୱର ନାଥ ତୁମେ ହେଉଛ । ମୁଁ ହେଉ ନାହିଁ । ବ୍ରହ୍ମତତ୍ତ୍ୱର ନାଥ ମଧ୍ୟ ତୁମେ ହେଉଛ । ତାହା ହେଉଛି ତୁମର ଘର । ସ୍ୱର୍ଗ ତ ହେଉଛି ରାଜଧାନୀ । ମୋର ଏକମାତ୍ର ଘର ହେଉଛି ବ୍ରହ୍ମତତ୍ତ୍ୱ । ମୁଁ ସ୍ୱର୍ଗକୁ ଯିବି ନାହିଁ । ନାଁ ମୁଁ ନାଥ ହେଉଛି । ମୋତେ ଶିବବାବା କହୁଛନ୍ତି । ମୋର ଅଭିନୟ ହେଉଛି ପତିତମାନଙ୍କୁ ପାବନ କରାଇବା । ଶିଖ୍ ଲୋକେ ମଧ୍ୟ କହିଥାନ୍ତି ମୂତ ପଲିତୀ କପଡ ଧୋଏ... କିନ୍ତୁ ଅର୍ଥ ବୁଝି ନାହାଁନ୍ତି । ମହିମା ମଧ୍ୟ ଗାନ କରୁଛନ୍ତି ଏକ ଓଁକାର... ଅଜୋନୀ ଅର୍ଥାତ୍ ଶରୀର ଧାରଣ କରନ୍ତି ନାହିଁ । ମୁଁ ତ ୮୪ ଜନ୍ମ ନେଉ ନାହିଁ । ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି । ମନୁଷ୍ୟମାନେ ୮୪ ଜନ୍ମ ନେଇଥା’ନ୍ତି । ଏହାଙ୍କ ଆତ୍ମା ଜାଣିଛି - ବାବା ମୋ ସହିତ ଏକତ୍ର ବସିଛନ୍ତି ତଥାପି ଘଡି ଘଡି ସ୍ମୃତି ଭୁଲିଯାଉଛନ୍ତି । ଏହି ଦାଦାଙ୍କ ଆତ୍ମା କହୁଛି ମୋତେ ବହୁତ ମେହନତ କରିବାକୁ ପଡୁଛି । ଏପରି ନୁହେଁ ଯେ ମୋ ସହିତ ଶିବବାବା ବସିଥିବାରୁ ଭଲ ସ୍ମୃତି ରହୁଛି । ନା । ଏକଦମ୍ ଏକତ୍ର ରହିଛନ୍ତି । ଜାଣୁଛି ମଧ୍ୟ ମୋ ପାଖରେ ଅଛନ୍ତି । ଏହି ଶରୀରର ଯେପରି ସେ ମାଲିକ ଅଟନ୍ତି । ତଥାପି ଭୁଲିଯାଉଛି । ବାବାଙ୍କୁ ଏହି ଶରୀର ରୂପୀ ଘର ଦେଇଛି ରହିବା ପାଇଁ । ବାକି ଗୋଟିଏ କୋଣରେ ମୁଁ ବସିଛି । ଶିବବାବା ମୁରବି ହେଲେ ନା । ବିଚାର କରୁଛି, ପାଖରେ ମାଲିକ ବସିଛନ୍ତି । ଏହି ରଥ ହେଉଛି ତାଙ୍କର । ସେ ଏହାଙ୍କୁ ସମ୍ଭାଳୁଛନ୍ତି । ମୋତେ ଶିବବାବା ଖୁଆଉଛନ୍ତି । ମୁଁ ହେଉଛି ତାଙ୍କର ରଥ । କିଛି ହେଲେ ତ ଖାତିରୀ କରିବେ । ଏହି ଖୁସିରେ ଖାଉଛି । ଦୁଇ-ଚାରି ମିନିଟ୍ ପରେ ଭୁଲିଯାଉଛି, ତେବେ ବୁଝିପାରୁଛି ଯେ ପିଲାମାନଙ୍କୁ କେତେ ପରିଶ୍ରମ କରିବାକୁ ପଡୁଥିବ । ସେଥିପାଇଁ ବାବା ବୁଝାଉଛନ୍ତି - ଯେତେ ସମ୍ଭବ ବାବାଙ୍କୁ ମନେ ପକାଅ । ବହୁତ-ବହୁତ ଫାଇଦା ହେବ । ଏଠାରେ ଅଳ୍ପ କଥାରେ ବିରକ୍ତି ହୋଇ ପାଠପଢାକୁ ଛାଡିଦେଉଛନ୍ତି । ବାବା-ବାବା କହି ଛାଡପତ୍ର ଦେଇ ଦେଉଛନ୍ତି । ବାବାଙ୍କୁ ନିଜର କରନ୍ତି ଜ୍ଞାନ ଶୁଣାନ୍ତି, ପରନ୍ତୁ ଦିବ୍ୟ ଦୃଷ୍ଟି ଦ୍ୱାରା ସ୍ୱର୍ଗ ଦେଖୁଛନ୍ତି, ରାସ କରୁଛନ୍ତି, ଅହୋ ମାୟା ମୋତେ ଛାଡପତ୍ର ଦେଇ, ପଳାଉଛନ୍ତି, ଯିଏ ବିଶ୍ୱର ମାଲିକ କରାଉଛନ୍ତି ତାଙ୍କୁ ଛାଡପତ୍ର ଦେଇ ଦେଉଛନ୍ତି । ବରିଷ୍ଠ ବରିଷ୍ଠ ଭାଇ-ଭଉଣୀମାନେ ମଧ୍ୟ ଛାଡପତ୍ର ଦେଇ ଦେଉଛନ୍ତି ।

ଏବେ ତୁମକୁ ରାସ୍ତା ବତାଯାଉଛି । ଏପରି ନୁହେଁ ଯେ ହାତରେ ଧରି ନେଇଯିବେ । ଏହି ସ୍ଥୁଳ ଆଖିରେ ତ ଅନ୍ଧ ନୁହଁନ୍ତି, ହଁ ଜ୍ଞାନର ତୃତୀୟ ନେତ୍ର ତୁମକୁ ମିଳୁଛି । ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ଏହି ୮୪ ଚକ୍ର ବୁଦ୍ଧିରେ ଘୂରିବା ଦରକାର । ତୁମର ନାମ ହେଉଛି ସ୍ୱଦର୍ଶନ ଚକ୍ରଧାରୀ । ଏକ ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଦ୍ୱିତୀୟ କାହାର ମଧ୍ୟ ୟାଦ ନ ରହୁ । ଅନ୍ତ ସମୟରେ ଏହି ଅବସ୍ଥା ରହୁ । ଯେପରି ସ୍ତ୍ରୀର ପୁରୁଷ ପ୍ରତି ସ୍ନେହ ରହିଥାଏ, ତାହା ହେଉଛି ଶାରିରୀକ ସ୍ନେହ, ଏଠାରେ ତୁମର ଆତ୍ମିକ ସ୍ନେହ ରହିଛି । ତୁମକୁ ଉଠିବା-ବସିବା ସମୟରେ ପତିମାନଙ୍କର ପତି, ପିତାମାନଙ୍କର ପିତାଙ୍କୁ ମନେ ପକାଇବାକୁ ହେବ । ଦୁନିଆରେ ଏପରି ବହୁତ ଘର ରହିଛି ଯେଉଁଠି ସ୍ତ୍ରୀ-ପୁରୁଷ ତଥା ପରିବାରରେ ସମସ୍ତେ ପରସ୍ପର ମଧ୍ୟରେ ବହୁତ ସ୍ନେହର ସହ ରହିଥାନ୍ତି । ଘର ଯେପରି ସ୍ୱର୍ଗ ହୋଇଥାଏ । ୫-୬ ପିଲା ଏକତ୍ର ରହିଥା’ନ୍ତି, ସକାଳୁ ଜଲ୍‌ଦି ଉଠି ପୂଜାରେ ବସିଥା’ନ୍ତି, କୌଣସି ଝଗଡା ଆଦି ଘରେ ହୋଇ ନ ଥାଏ । ଏକରସ ରହିଥା’ନ୍ତି । କେଉଁଠି ପୁଣି ଗୋଟିଏ ଘରେ କେହି ରାଧା ସ୍ୱାମୀଙ୍କର ଶିଷ୍ୟ ହୋଇଥିବେ ତ କେହି ପୁଣି ଧର୍ମକୁ ମାନୁ ନ ଥିବେ । ଅଳ୍ପ କଥାରେ ରାଗିଯାଉଛନ୍ତି । ତେଣୁ ବାବା କହୁଛନ୍ତି - ଏହି ଅନ୍ତିମ ଜନ୍ମରେ ପୂରା ପୁରୁଷାର୍ଥ କରିବାକୁ ହେବ । ନିଜର ପଇସା ବି ସଫଳ କରି ନିଜର କଲ୍ୟାଣ କର । ତେବେ ଭାରତର ମଧ୍ୟ କଲ୍ୟାଣ ହେବ । ତୁମେ ଜାଣିଛ - ଆମେ ନିଜର ରାଜଧାନୀ ଶ୍ରୀମତ ଆଧାରରେ ପୁନର୍ବାର ସ୍ଥାପନ କରୁଛୁ । ବାବାଙ୍କ ସ୍ମୃତି ଦ୍ୱାରା ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିବା ଦ୍ୱାରା ହିଁ ଆମେ ଚକ୍ରବର୍ତ୍ତୀ ରାଜା ହୋଇଯିବୁ ପରେ ଖସିବା ଆରମ୍ଭ ହେବ । ଶେଷରେ ବାବାଙ୍କ ପାଖକୁ ଆସିଯିବେ । ଶ୍ରୀମତ ପାଳନ କଲେ ହିଁ ଉଚ୍ଚ ପଦ ପାଇବ । ବାବା କୌଣସି ଫାଶୀ ଉପରେ ଚଢାଉ ନାହାଁନ୍ତି । ପ୍ରଥମତଃ କହୁଛନ୍ତି ପବିତ୍ର ହୁଅ ଏବଂ ବାବାଙ୍କୁ ମନେ ପକାଅ । ସତ୍ୟଯୁଗରେ କେହି ପତିତ ରହିବେ ନାହିଁ । ଦେବୀ-ଦେବତାମାନେ ମଧ୍ୟ ବହୁତ କମ୍ ରହିବେ । ପୁଣି ଧିରେ ଧିରେ ବୃଦ୍ଧି ହେବ । ଦେବତାମାନଙ୍କର ବୃକ୍ଷ ହେଉଛି ଛୋଟ । ପୁଣି କେତେ ବୃଦ୍ଧି ହୋଇଯାଉଛି । ଉପରୁ ଆତ୍ମା ସବୁ ଆସୁଛନ୍ତି, ଏହା ପୂର୍ବପ୍ରସ୍ତୁତ ଖେଳ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମିକ ସେବାଧାରୀ ହୋଇ ଆତ୍ମାମାନଙ୍କୁ ଜାଗ୍ରତ କରାଇବାର ସେବା କରିବାକୁ ହେବ । ତନ-ମନ-ଧନ ଦ୍ୱାରା ସେବା କରି ଶ୍ରୀମତ ଆଧାରରେ ରାମରାଜ୍ୟ ସ୍ଥାପନା କରିବା ପାଇଁ ନିମିତ୍ତ ହେବାକୁ ପଡିବ ।

(୨) ସ୍ୱଦର୍ଶନ ଚକ୍ରଧାରୀ ହୋଇ ୮୪ ଜନ୍ମର ଚକ୍ରକୁ ବୁଦ୍ଧିରେ ଘୂରାଇବାକୁ ହେବ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ବାବାଙ୍କ ବ୍ୟତୀତ ଅନ୍ୟ କାହାର ବି ସ୍ମୃତି ନ ରହୁ । କେବେ ବି କୌଣସି କଥାରେ ବିରକ୍ତ ହୋଇ ପାଠପଢାକୁ ଛାଡିବା ଅନୁଚିତ୍ ।

ବରଦାନ:-
ସଂଗଠନ ଭିତରେ ରହି ନିଜର ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରୁଥିବା ସଦା ଶକ୍ତିଶାଳୀ ଆତ୍ମା ହୁଅ ।

ସଂଗଠନ ଭିତରେ ପରସ୍ପରକୁ ଦେଖି ଉମଙ୍ଗ-ଉତ୍ସାହ ମଧ୍ୟ ଆସିଥାଏ ଏବଂ ଅବହେଳା ପଣିଆ ମଧ୍ୟ ଆସିଥାଏ । ଭାବନ୍ତି ଇଏ ବି କରୁଛନ୍ତି ମୁଁ ଯଦି କରିଲି କ’ଣ ଅସୁବିଧିା ହେଲା! ସେଥିପାଇଁ ସଂଗଠନ ଠାରୁ ଶ୍ରେଷ୍ଠ ହେବାର ସହଯୋଗ ନିଅ । ପ୍ରତ୍ୟେକ କର୍ମ କରିବା ପୂର୍ବରୁ ଏହି ବିଶେଷ ଧ୍ୟାନ ଦିଅ ବା ଲକ୍ଷ୍ୟ ରଖ ଯେ ମୋତେ ନିଜକୁ ସମ୍ପନ୍ନ କରି ସାମ୍ପୁଲ ଅର୍ଥାତ୍ ଦୃଷ୍ଟାନ୍ତ ହେବାର ଅଛି । ମୁଁ ନିଜେ କରିବି ଏବଂ ଅନ୍ୟମାନଙ୍କୁ କରାଇବି । ପୁଣି ବାରମ୍ବାର ଏହି ଲକ୍ଷ୍ୟକୁ ବୁଦ୍ଧିରେ ଜାଗ୍ରତ କରୁଥାଅ । ଲକ୍ଷ୍ୟ ସହିତ ଲକ୍ଷଣକୁ ଯଦି ମିଶାଇ ଚାଲିଥିବ ତେବେ ଶକ୍ତିଶାଳୀ ହୋଇଯିବ ।

ସ୍ଲୋଗାନ:-
ଶେଷ ସମୟରେ ଆସି ଯଦି ତୀବ୍ରବେଗ ଆଡକୁ ଯିବାକୁ ଚାହୁଁଛ ତେବେ ସାଧାରଣ ଏବଂ ବ୍ୟର୍ଥ ସଂକଳ୍ପରେ ସମୟ ନଷ୍ଟ କର ନାହିଁ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ଯିଏ ଅତି ପ୍ରିୟ ହୋଇଥାଏ ତାକୁ ମନେ ପକାଇବାକୁ ପଡେ ନାହିଁ, ତା’ର ସ୍ମୃତି ଆପେ ଆପେ ଆସିଥାଏ କେବଳ ଦିଲ୍‌ର ସ୍ନେହ ଥିବା ଦରକାର । ସଚ୍ଚା ଏବଂ ନିସ୍ୱାର୍ଥ ହୋଇଥିବା ଦରକାର । ଯେବେକି କହୁଛ ମେରାବାବା ପ୍ୟାରା ବାବା - ତେବେ ପ୍ୟାରେ ଅର୍ଥାତ୍ ପ୍ରିୟ ସାଥୀକୁ କେବେ ବି ଭୁଲି ହୁଏ ନାହିଁ, ଏବଂ ନଃସ୍ୱାର୍ଥ ସ୍ନେହ କେବଳ ବାବାଙ୍କ ବ୍ୟତୀତ ଅନ୍ୟ କାହାଠାରୁ ବି ମିଳିପାରିବ ନାହିଁ । ସେଥିପାଇଁ କେବେ ବି ସ୍ୱାର୍ଥକୁ ଆଗରେ ରଖି ମନପକାଅ ନାହିଁ, ନିଃସ୍ୱାର୍ଥ ସ୍ନେହରେ ଲବଲୀନ ହୁଅ ।

ବିଶେଷ ସୂଚନା:- ବାବାଙ୍କର ଶ୍ରୀମତ ଅନୁସାରେ ମୁରଲୀ କେବଳ ବାବାଙ୍କର ପିଲାମାନଙ୍କ ପାଇଁ ହିଁ ଉଦ୍ଧିଷ୍ଟ, ନୁହେଁ କି ଯେଉଁମାନେ ରାଜଯୋଗର କୋର୍ସ ମଧ୍ୟ କରିନାହାଁନ୍ତି । ସେଥିପାଇଁ ସମସ୍ତ ନିମିତ୍ତ ଟୀଚର୍ସ ଏବଂ ଭାଇଭଉଣୀମାନଙ୍କୁ ବିନମ୍ର ନିବେଦନ କରାଯାଉଛି ଯେ ସାକାର ମୁରଲୀର ଅଡିଓ ବା ଭିଡିଓକୁ, ୟୁଟ୍ୟୁବ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ବା କୌଣସି ବି ହ୍ୱାଟସପ୍ ଗ୍ରୃପରେ ପୋଷ୍ଟ କରନ୍ତୁ ନାହିଁ ।