08.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ତୁମେମାନେ ଶୁଦ୍ରକୁଳରୁ ବାହାରି ବ୍ରାହ୍ମଣ କୁଳକୁ ଆସିଛ, ବାବା ହିଁ ବ୍ରହ୍ମା ମୁଖ ଦ୍ୱାରା ତୁମମାନଙ୍କୁ ପୋଷ୍ୟ କରିଛନ୍ତି - ତେଣୁ ଏହି ଖୁସିରେ ରୁହ । ”

ପ୍ରଶ୍ନ:-
କେଉଁ ଗହନ ରହସ୍ୟକୁ ବ୍ରାହ୍ମଣ କୁଳର ପିଲାମାନେ ହିଁ ବୁଝିପାରିବେ?

ଉତ୍ତର:-
ନିରାକାର ଶିବବାବା ଆମର ପିତା ଏବଂ ବ୍ରହ୍ମା ଆମର ମାତା ଅଟନ୍ତି । ନିରାକାର ଭଗବାନ କିପରି ମାତା-ପିତା, ବନ୍ଧୁ-ସଖା ହେଉଛନ୍ତି, ଏହି ଗୁହ୍ୟ ଏବଂ ଗୁପ୍ତ ରହସ୍ୟକୁ କେବଳ ବ୍ରାହ୍ମଣ କୁଳର ପିଲାମାନେ ହିଁ ବୁଝିପାରିବେ । ସେମାନଙ୍କ ଭିତରେ ମଧ୍ୟ ଯେଉଁମାନେ ଦୈବୀକୁଳରେ ଉଚ୍ଚ ପଦ ପାଇବେ, ସେହିମାନେ ହିଁ ଏହି ରହସ୍ୟକୁ ଯଥାର୍ଥ ଭାବରେ ବୁଝିପାରିବେ ।

ଓମ୍ ଶାନ୍ତି ।
ପିଲାମାନେ ବସିଛନ୍ତି ଏବଂ ଜାଣୁଛନ୍ତି ଯେ ବାପଦାଦା ଆସିଛନ୍ତି । ବାପା ତ ଦାଦାଙ୍କ ସହ ଏକତ୍ର ହୋଇଯାଉଛନ୍ତି, ତେଣୁ କୁହାଯାଉଛି ବାପଦାଦା ଆସିଛନ୍ତି । ସିଏ ଶିକ୍ଷକ ମଧ୍ୟ ଅଟନ୍ତି । ବାବା, ଦାଦାଙ୍କ ବିନା ତ କିଛି ଶୁଣାଇ ପାରିବେ ନାହିଁ । ବୁଦ୍ଧି ଖେଳାଇବାକୁ ପଡିବ କାହିଁକିନା ଏହା ନୂଆ କଥା । ଅଜ୍ଞାନ କାଳରେ ଜଣଙ୍କୁ ହିଁ ମନେ ପକାଇଥା’ନ୍ତି । କହିବେ ଆମର ଗୁରୁ ଅମୁକ ଜାଗାରେ ଅଛନ୍ତି । ତାଙ୍କର ଶରୀରର ନାମକୁ ଜାଣିଥାଆନ୍ତି । ପୁଣି କୁହନ୍ତି ମୋର ପିତା, ମୋର ମାତା ଅମୁକ ଜାଗାରେ ଅଛନ୍ତି । ସେମାନଙ୍କର ନାମ ରୂପ ସବୁ କିଛି ରହିଛି । ମନୁଷ୍ୟମାନେ ପୁଣି ସଂକ୍ଷେପରେ ଲେଖିଦେଇଛନ୍ତି । ମନୁଷ୍ୟମାନେ ଯାହା କିଛି ରଚନା କରିଛନ୍ତି, ସେଥିରେ କିଛି ନା କିଛି ଭୁଲ ରହିଯାଇଛି । ଯଦିଓ ଗାୟନ ରହିଛି ତ୍ୱମେବ ମାତାଶ୍ଚ ପିତା... ଏହା ଜଣଙ୍କ ପାଇଁ ହିଁ ଗାୟନ ହେଉଛି । ବ୍ରହ୍ମାଙ୍କ ପାଇଁ ମଧ୍ୟ ଗାୟନ ହେଉନାହିଁ । ତାଙ୍କର ନାମ ରୂପ ବୁଦ୍ଧିରେ ହିଁ ଆସୁନାହିଁ, ନା ବିଷ୍ଣୁଙ୍କର, ନା ଶଙ୍କରଙ୍କର । ଗାୟନ କରୁଛନ୍ତି ତୁମେ ମାତାପିତା ଆମେ ତୁମର ସନ୍ତାନ, ତାହେଲେ ବୁଦ୍ଧି ମଧ୍ୟ ଉପରକୁ ଯିବ । ଶ୍ରୀକୃଷ୍ଣଙ୍କୁ କେହି ମନେ ପକାଇବେ ନାହିଁ । ନିରାକାରଙ୍କୁ ହିଁ ମନେ ପକାଇବେ, କାରଣ ସବୁ ମହିମା ତାଙ୍କର । ତେଣୁ ବାବା ବୁଝାଉଛନ୍ତି - ଏଠାରେ ଯେତେବେଳେ ବସୁଛ ତେବେ ଲୌକିକ ସମ୍ବନ୍ଧଠାରୁ ବୁଦ୍ଧିର ସମ୍ପର୍କ ତୁଟାଇ ପାରଲୌକିକ ବାବାଙ୍କୁ ସ୍ମରଣ କର କାରଣ ବର୍ତ୍ତମାନ ସିଏ ସମ୍ମୁଖରେ ଅଛନ୍ତି । ଭକ୍ତିମାର୍ଗରେ ଗାୟନ କରିଲା ବେଳେ ଆଖି ଉପରକୁ କରି କୁହନ୍ତି - ତୁମ ମାତ୍ ପିତା.... ହେ ଭଗବାନ ବୋଲି କହି ସ୍ମରଣ କରନ୍ତି । ଯେତେବେଳେ ଭଗବାନ ବୋଲି କହୁଛନ୍ତି ସେତେବେଳେ ଶିବଲିଙ୍ଗକୁ ମଧ୍ୟ ମନେ ପକାଉ ନାହାଁନ୍ତି । ଶୁଆ ଭଳି କିଛି ନ ବୁଝି ଡାକି ଚାଲିଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କ ପାଇଁ ମଧ୍ୟ ସେଭଳି କହିପାରିବେ ନାହିଁ କାରଣ ସିଏ ତ ମହାରାଜା ମହାରାଣୀ ଅଟନ୍ତି । ତାଙ୍କର ସନ୍ତାନ ହିଁ ତାଙ୍କୁ ମାତା-ପିତା ବୋଲି କହିବେ, ବନ୍ଧୁ କହି ପାରିବେ ନାହିଁ । ଭକ୍ତମାନେ ଗାୟନ କରୁଛନ୍ତି ହେ ପତିତ-ପାବନ, କିନ୍ତୁ ବୁଦ୍ଧିରେ ଶିବଲିଙ୍ଗ ଆସୁନାହିଁ, ଏମିତି ଖାଲି କହିଦେଉଛନ୍ତି ହେ ଭଗବାନ! ହେ ଭଗବାନ କିଏ କହିଲା, କାହାକୁ କହିଲା? କିଛି ବି ଜଣା ନାହିଁ । ଯଦି ଏହି ଜ୍ଞାନ ଜଣାଥା’ନ୍ତା ଯେ ମୁଁ ଆତ୍ମା ତାଙ୍କୁ ଡାକୁଛି ତେବେ ଏକଥା ମଧ୍ୟ ଜାଣିଥାନ୍ତେ ଯେ ସିଏ ନିରାକାର ପରମାତ୍ମା ହିଁ ଅଟନ୍ତି ଓ ତାଙ୍କର ରୂପ ଜ୍ୟୋତିର୍ଲିଙ୍ଗ ଅଟେ । ଯଥାର୍ଥ ଭାବରେ କେହି ବାବାଙ୍କୁ ମନେ ପକାଉ ନାହାଁନ୍ତି । ତାଙ୍କଠାରୁ କ’ଣ ପ୍ରାପ୍ତି ହେବ, କେବେ ହେବ - ଏକଥା କିଛି ବି ଜାଣିନାହାଁନ୍ତି । ତୁମେ ବି ଜାଣି ନ ଥିଲ । ଏବେ ବାବାଙ୍କର ହୋଇଛ । ତୁମେ ଜାଣିଛ ଆମକୁ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ନିଜର ସନ୍ତାନ କରିଛନ୍ତି । ବ୍ରହ୍ମା ମା ଅଟନ୍ତି । ଏହି ବ୍ରହ୍ମା ମାତାଙ୍କ ଦ୍ୱାରା ଶିବବାବା ଆମକୁ ପୋଷ୍ୟ କରିଛନ୍ତି । ବର୍ତ୍ତମାନ ତୁମେ ଭଲ ଭାବରେ ଜାଣିଛ ଆମେ ଶିବ ବାବାଙ୍କର ସନ୍ତାନ ଅଟୁ । ସାକାରରେ ପୁଣି ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ । ଶିବବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟିର ରଚନା କରୁଛନ୍ତି । ଏମିତି ନୁହେଁ କି କୌଣସି ନୂତନ ସୃଷ୍ଟି ରଚନା କରୁଛନ୍ତି? ନା, ବର୍ତ୍ତମାନ ଆସି କୋଳକୁ ନେଇଛନ୍ତି । ପୋଷ୍ୟ କରୁଛନ୍ତି । ଏବେ ମାତାପିତା କହୁଛୁ ତେଣୁ ଶିବ ହେଲେ ପିତା ଏବଂ ବ୍ରହ୍ମା ହେଲେ ମାତା । ତାଙ୍କୁ କୁହାଯାଉଛି ମାତ-ପିତା । ପିତା ଶିବବାବା ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି ତୁମେ ଆତ୍ମାମାନେ ମୋର ସନ୍ତାନ ଅଟ । ପୁଣି ଆତ୍ମାମାନଙ୍କୁ ପରିଚୟ ଦେଉଛନ୍ତି ଯେ ଆତ୍ମା କ’ଣ? କହୁଛନ୍ତି ମଧ୍ୟ ଭ୍ରୃକୁଟୀ ମଝିରେ ନିବାସ କରୁଛି, ତାରକା ସଦୃଶ ଅଟେ, ଆଉ କିଛି ଜାଣିନାହାଁନ୍ତି । ଏକଥା କହିପାରିବେ ନାହିଁ ଯେ ଆତ୍ମା ୮୪ ଜନ୍ମ ଭୋଗ କରୁଛି । ଆତ୍ମା ଶରୀର ଦ୍ୱାରା ଅଭିନୟ କରୁଛି । ଭିନ୍ନ-ଭିନ୍ନ ନାମ, ରୂପ, ଦେଶ, କାଳରେ ଆତ୍ମା ଗୋଟିଏ ଶରୀର ଛାଡିଲେ ତାହାର ସାରା ପରିବାର ହିଁ ବଦଳିଯାଉଛି । ଯେମିତି କେହି ଯଦି ପୋଷ୍ୟ କରିଥା’ନ୍ତି ତେବେ ତା’ର ପରିବାର ହିଁ ବଦଳି ଯାଇଥାଏ । ଯେଉଁ ମାତା ପିତା ଜନ୍ମ ଦେଇଛନ୍ତି ତାଙ୍କୁ ଜାଣିଥାଏ ମାତ୍ର ଯିଏ ପୋଷ୍ୟ କରି ନେଇଥା’ନ୍ତି ତାଙ୍କ ଘରର ହୋଇଯାଇଥା’ନ୍ତି । ଏବେ ତୁମେ ଶୁଦ୍ର କୁଳରୁ ଆସି ବ୍ରାହ୍ମଣ କୁଳର ହୋଇଛ । ବ୍ରହ୍ମାଙ୍କ ଶରୀର ଦ୍ୱାରା ତୁମକୁ ପୋଷ୍ୟ କରିଛନ୍ତି । ତୁମେ ତ ବ୍ରାହ୍ମଣ କୁଳକୁ ଆସିଗଲ । ଏହି ସବୁ କଥା ଶାସ୍ତ୍ରରେ ଲେଖାଯାଇ ନାହିଁ, ଏହା ତୁମକୁ ବୁଝାଯାଉଛି । ଲେଖିବା ଦ୍ୱାରା କେହି ବୁଝିପାରୁ ନାହାଁନ୍ତି ।

ଏବେ ତୁମେ ପିଲାମାନେ ହିଁ ଜାଣିଛ - ଆମେ ପରମପିତା ପରମାତ୍ମାଙ୍କର ସନ୍ତାନ ହୋଇଛୁ । ଇଏ ବ୍ରହ୍ମା ହେଲେ ମା’ । ବ୍ରହ୍ମାଙ୍କୁ ପ୍ରଜାପିତା ହିଁ କୁହାଯାଏ । ଏହାଙ୍କ ଦ୍ୱାରା ତୁମମାନଙ୍କୁ ପୋଷ୍ୟ କରୁଛି - ଏ ସବୁ ଗୁପ୍ତ କଥା । ସମ୍ମୁଖକୁ ନ ଆସିଲେ ଏକଥା କେହି ବୁଝିପାରିବେ ନାହିଁ । ଯିଏ ଏହି ବ୍ରାହ୍ମଣ କୁଳର ହୋଇଥିବେ ଏବଂ ଦେବତା କୁଳରେ ଉଚ୍ଚ ପଦ ପ୍ରାପ୍ତ କରିଥିବେ ସେହିମାନେ ହିଁ ବୁଝିବେ । ନୂଆମାନଙ୍କ ବୁଦ୍ଧିରେ ଏହି କଥା ଧାରଣ ହେବ ନାହିଁ । ନା ତାଙ୍କ ବୁଦ୍ଧିରେ ଧାରଣ ହେବ, ନା ସେମାନେ କାହାକୁ ବୁଝାଇ ପାରିବେ । ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ବୁଦ୍ଧିରେ ଧାରଣା କରୁଛନ୍ତି । ଗାୟନ ହେଉଛି ତ୍ୱମେବ ମାତାଶ୍ଚ ପିତା... ଶିବ ବାବାଙ୍କୁ ହିଁ ମନେ ପକାଉଛନ୍ତି । ପୁଣି କହୁଛନ୍ତି ତୁମେ ମାତା ପିତା । ଜଣେ ପିତା ପୁଣି ମାତା ପିତା ଉଭୟ କିପରି ହେଉଛନ୍ତି? ଏହି କଥା ଆଉ କେହି ବୁଝାଇ ପାରିବେ ନାହିଁ । ଯେପରି ଶାସ୍ତ୍ରରେ ବ୍ୟାସ ଦେବ ଯାହା ଲେଖିଯାଇଛନ୍ତି ତାକୁ ଲୋକମାନେ ମୁଖସ୍ତ କରିଦେଇଛନ୍ତି, ସେହିପରି ତୁମକୁ ମଧ୍ୟ କହିବେ, ତୁମକୁ କେହି ଶୁଣାଇଛନ୍ତି ଓ ତୁମେମାନେ ତାକୁ ମୁଖସ୍ତ କରିଦେଇଛ । ନୂଆ ଲୋକଙ୍କ ପାଇଁ ବୁଝିବା ବଡ ମୁଶକିଲ୍ । ଏଠାରେ ଯେଉଁମାନେ ରହୁଛନ୍ତି ସେମାନଙ୍କ ଭିତରୁ କେହି କେହି ମଧ୍ୟ କାହାକୁ ଏତିକି କଥା ବୁଝାଇପାରିବେ ନାହିଁ ଯେ ତୁମେ ଗୋଟିଏ ଆତ୍ମା ଏବଂ ତୁମର ପିତା ପରମପିତା ପରମାତ୍ମା ଅଟନ୍ତି । ସେହି ଅବିନାଶୀ ପିତା ହିଁ ଅବିନାଶୀ ସମ୍ପତ୍ତି ଦେଉଛନ୍ତି । ପୂର୍ବରୁ ସମ୍ପତ୍ତି ଦେଇଥିଲେ, ପୁନର୍ଜନ୍ମ ନେଇ ନେଇ ୮୪ ଜନ୍ମ ପୂର୍ଣ୍ଣ ହେଲା, ଏବେ ବାବା ପୁନର୍ବାର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ଏହି କଥା କାହାକୁ ବୁଝାଇବା କେତେ ସହଜ ଅଟେ । ତୁମେ ମାତା-ପିତା ବୋଲି କାହାକୁ କୁହାଯାଉଛି - ଏହା ବିଚାର କରିବାର କଥା ନା । ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି ତେଣୁ ମା ମଧ୍ୟ ନିଶ୍ଚିତ ଦରକାର । ତେବେ ଯିଏ ଅନନ୍ୟ କନ୍ୟା ଅଟନ୍ତି, ଡ୍ରାମା ପ୍ଲାନ ଅନୁସାରେ ତାଙ୍କୁ ହିଁ ଜଗତ-ଅମ୍ବାର ଉପାଧି ଦିଆଯାଇଛି । ପୁରୁଷକୁ ଜଗତଅମ୍ବା କହିପାରିବା ନାହିଁ, ତାଙ୍କୁ ଜଗତପିତା କୁହାଯିବ । ତାଙ୍କର ପ୍ରଜାପିତା ନାମ ବିଖ୍ୟାତ ଅଟେ । ଆଚ୍ଛା! ପ୍ରଜା ମାତା କୁଆଡେ ଗଲେ? ତେଣୁ ମାତାଙ୍କୁ (ମମ୍ମାଙ୍କୁ) ପୋଷ୍ୟ କରାଯାଉଛି । ଆଦିଦେବ ତ ଅଛନ୍ତି ପୁଣି ଆଦି ଦେବୀକୁ ନିଧାର୍ଯ୍ୟ କରାଯାଉଛି । ଜଗତଅମ୍ବା ତ କେବଳ ଜଣେ ହିଁ ଅଟନ୍ତି - ତାଙ୍କର ମହିମା କରାଯାଉଛି । ଜଗତଅମ୍ବାଙ୍କ ମନ୍ଦିରରେ କେତେ ମେଳା ଲାଗୁଛି । କିନ୍ତୁ ତାଙ୍କର କର୍ତ୍ତବ୍ୟ ବିଷୟରେ କେହି ବି ଜାଣିନାହାଁନ୍ତି । କଲିକତାରେ କାଳୀଙ୍କର ମନ୍ଦିର ଅଛି । ବମ୍ବେରେ ମଧ୍ୟ ଜଗତଅମ୍ବାଙ୍କର ମନ୍ଦିର ରହିଛି । କିନ୍ତୁ ଚେହେରା ଅଲଗା ଅଲଗା । ଜଗତଅମ୍ବା କିଏ? ଏକଥା କେହି ଜାଣିନାହାଁନ୍ତି । ତାଙ୍କୁ ମଧ୍ୟ ଭଗବତୀ ବୋଲି କହୁଛନ୍ତି । ବର୍ତ୍ତମାନ ଜଗତଅମ୍ବାଙ୍କୁ ଭଗବତୀ କହିପାରିବ ନାହିଁ କାରଣ ସିଏ ତ ବ୍ରାହ୍ମଣୀ ଅଟନ୍ତି, ଜ୍ଞାନ-ଜ୍ଞାନେଶ୍ୱରୀ ଅଟନ୍ତି, ତାଙ୍କୁ ବାବାଙ୍କଠାରୁ ଜ୍ଞାନ ମିଳିଛି । ତୁମେ ସବୁ ଜଗତଅମ୍ବାଙ୍କର ସନ୍ତାନ ଅଟ । ନିଜେ ଜ୍ଞାନକୁ ଶୁଣି ପୁଣି ଅନ୍ୟମାନଙ୍କୁ ଶୁଣାଉଛ । ଏହା ତୁମର ଧନ୍ଦା । ତୁମକୁ ଈଶ୍ୱର ପାଠ ପଢାଉଛନ୍ତି, କୌଣସି ମନୁଷ୍ୟ ପଢାଉନାହାଁନ୍ତି । ଏହି ବ୍ରହ୍ମା ମଧ୍ୟ ମନୁଷ୍ୟ ଅଟନ୍ତି । ମନୁଷ୍ୟ କାହାକୁ ବି ପବିତ୍ର କରିପାରିବେ ନାହିଁ । ମନୁଷ୍ୟଙ୍କର ବୁଦ୍ଧି ଏତେ ଦୁର୍ବଳ ହୋଇଯାଇଛି ଯେ କିଛି ବି ବୁଝିପାରୁନାହାଁନ୍ତି । ପତିତପାବନ ତ ଏକମାତ୍ର ଶିବବାବା ଅଟନ୍ତି । ସିଏ ପତିତମାନଙ୍କୁ ପବିତ୍ର କରିବା ପାଇଁ ହିଁ ଆସୁଛନ୍ତି । ବର୍ତ୍ତମାନ ସାରା ଦୁନିଆ ତମୋପ୍ରଧାନ ଅଟେ, ଏଠାରେ ସମସ୍ତେ ପତିତ ଅଟନ୍ତି । ନୂଆ ଦୁନିଆ ପବିତ୍ର, ପୁରୁଣା ଦୁନିଆ ପତିତ ଅଟେ । ପୁରୁଣା ଦୁନିଆରେ ନର୍କବାସୀ ମନୁଷ୍ୟ ଅଛନ୍ତି, ନୂଆ ଦୁନିଆରେ ସ୍ୱର୍ଗବାସୀ ମନୁଷ୍ୟ ଥାନ୍ତି । ବିବେକ କହୁଛି ଯେ ସତ୍ୟଯୁଗରେ କେବଳ ଭାରତବାସୀ ଦେବୀ ଦେବତାମାନେ ହିଁ ଥିବେ ଆଉ କେହି ନ ଥିବେ । ଏବେ ତୁମ ପିଲାମାନଙ୍କୁ ଏହି ଜ୍ଞାନ ମିଳିଛି । ନୂଆ ଦୁନିଆରେ ପ୍ରଥମେ ସୂର୍ଯ୍ୟବଂଶୀ ଦେବତାମାନେ ଥିଲେ ପରେ ଚନ୍ଦ୍ରବଂଶୀମାନେ ଆସିଲେ ତେଣୁ ସୂର୍ଯ୍ୟବଂଶୀମାନଙ୍କର ରାଜ୍ୟ ଅତୀତ ହୋଇଗଲା । ଚନ୍ଦ୍ରବଂଶୀମାନଙ୍କ ପରେ ପୁଣି ବୈଶ୍ୟବଂଶୀ... ଆସିଥା’ନ୍ତି । ତେବେ ନିଶ୍ଚିତ ଭାବରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଆଚ୍ଛା ତାଙ୍କ ପୂର୍ବରୁ କ’ଣ ଥିଲା ଏକଥା କେହି ବୁଝିପାରୁ ନାହାଁନ୍ତି । ତୁମ ପିଲାମାନଙ୍କୁ ବାବା ହିଁ ଚକ୍ରର ରହସ୍ୟ ବୁଝାଇ ଦେଇଛନ୍ତି ଯେ ଦ୍ୱାପର ଯୁଗରେ ବୈଶ୍ୟବଂଶୀ ଓ କଳିଯୁଗରେ ଥା’ନ୍ତି ଶୁଦ୍ରବଂଶୀ ।

ଏବେ ତୁମେ ଜାଣିଛ - ଆମେ ଏବେ ବ୍ରାହ୍ମଣ ହୋଇଛୁ । ତୁମକୁ ବାବା ଆସି ନିଜର କରିଛନ୍ତି ଅର୍ଥାତ୍ ଶୁଦ୍ର ଧର୍ମରୁ ଦେବତା ଧର୍ମକୁ ପରିବର୍ତ୍ତନ କରୁଛନ୍ତି । ଏବେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ତ ନାହାଁନ୍ତି, ନା ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଅଛି, ନା ରାମରାଜ୍ୟ ଅଛି । ଏବେ ହେଲା କଳିଯୁଗର ଶେଷ ସମୟ । କଳିଯୁଗ ପରେ ନିଶ୍ଚିତ ସତ୍ୟଯୁଗ ଆସିବ । କଳିଯୁଗରେ ପୁରୁଣା ପତିତ ଦୁନିଆ ହୋଇଯାଇଥିବାରୁ ଏଠାରେ ସମସ୍ତେ ମହାନ ଦୁଃଖୀ ହୋଇଯାଇଛନ୍ତି, ସେଥିପାଇଁ ଦେବତାମାନଙ୍କ ପାଖରେ ଯାଇ ମହିମା ଗାନ କରୁଛନ୍ତି, ମୁଣ୍ଡ ନୁଆଁଉଛନ୍ତି । ଆଚ୍ଛା ଲକ୍ଷ୍ମୀ-ନାରାୟଣଙ୍କୁ ଏହି ରାଜ୍ୟ କିଏ ଦେଇଥିଲେ? କେହି ଅଛନ୍ତି ଯିଏ ଏକଥା କହିପାରିବ । କାହାରି ବିଚାରରେ ଏ କଥା ନ ଥିବ କାରଣ ସେମାନଙ୍କ ବୁଦ୍ଧିରେ ଅଛି କଳିଯୁଗ ଏବେ ବାଳୁତ ଅବସ୍ଥାରେ ଅଛି । ଆହୁରି ୪୦ ହଜାର ବର୍ଷ ବାକି ରହିଛି ସେଥିପାଇଁ ଏହି ବିଚାର ଆସୁ ହିଁ ନାହିଁ । ଏବେ ତୁମକୁ ଏହି ବିଚାର ଆସୁଛି । କେତେକ ପିଲା କହୁଛନ୍ତି ମୋର ମନେ ରହୁ ନାହିଁ । କାହିଁକି ମନେ ରହୁ ନାହିଁ? କାରଣ ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସି ଧାରଣା କରୁନାହଁ । ନିଜେ ବୁଝୁଛନ୍ତି କିନ୍ତୁ କାହାକୁ ବୁଝାଇ ପାରୁ ନାହାଁନ୍ତି । ଏମିତି ତ ନିଶ୍ଚିତ ହେବ । ସମସ୍ତେ ତ ଏକାଭଳି ବୁଦ୍ଧିମାନ ହୋଇପାରିବେ ନାହିଁ । ଏଠାରେ ବୁଦ୍ଧିମାନ ବି ଆବଶ୍ୟକ ଏବଂ ନିର୍ବୁଦ୍ଧିଆ ମଧ୍ୟ ଆବଶ୍ୟକ । ବହୁତ ବୁଦ୍ଧିମାନ ହେଲେ ଯାଇ ରାଜା ରାଣୀ ହେବେ । ଯେତେ ଅଧିକ ଯିଏ ବୁଝୁଛନ୍ତି ଏବଂ ବୁଝାଉଛନ୍ତି ସେମାନଙ୍କର ନାମ ବିଖ୍ୟାତ ହେଉଛି । କେଉଁଠାରେ ଯେବେ ପ୍ରଦର୍ଶନୀ ଲାଗୁଛି, ତେବେ ବାବାଙ୍କ ପାଖକୁ ପତ୍ର ଲେଖୁଛନ୍ତି ବାବା ଅମୁକଙ୍କୁ ପଠାନ୍ତୁ । ବାବା କହୁଛନ୍ତି କ’ଣ ତୁମେ ବୁଝାଇପାରିବ ନାହିଁ? ଉତ୍ତରରେ କହୁଛନ୍ତି, ବାବା ତାଙ୍କର ଭଲ ଅଭ୍ୟାସ ରହିଛି । ବୁଝାଇବାରେ ଆମେ ଟିକିଏ ଦୁର୍ବଳ ଅଛୁ । ବାବା ନିଜେ ବି କହୁଛନ୍ତି - ଯଦି କେଉଁଠାରୁ ନିମନ୍ତ୍ରଣ ମିଳୁଛି, ତେବେ ଲେଖି ଜଣାଇଦିଅ ଯେ କିଏ କିଏ ସେଠାରେ ଅଛନ୍ତି ତେବେ ମୁଁ ଦେଖିବି କେଉଁମାନଙ୍କୁ ପଠାଇବା ଉଚିତ୍ । କୌଣସି ସନ୍ନ୍ୟାସୀଙ୍କୁ ସେଠାକୁ ନିମନ୍ତ୍ରଣ ଦିଆଯାଇଛି କି? ତେବେ ବହୁତ ଭଲ ବ୍ରହ୍ମାକୁମାରୀଙ୍କୁ ପଠାଇବାକୁ ହେବ । ଆଚ୍ଛା, କୁମାରକା (ପ୍ରକାଶମଣୀ) ଅଛନ୍ତି, ମନୋହର ଅଛନ୍ତି, ଗଙ୍ଗେ ଅଛନ୍ତି - ଏମାନଙ୍କ ଭିତରୁ କାହାକୁ ବି ପଠାଇ ଦିଅନ୍ତୁ । ସନ୍ତାନ ତ ଅନେକ ଅଛନ୍ତି । ଜଗଦୀଶଙ୍କୁ ପଠାଇ ଦିଅନ୍ତୁ, ରମେଶଙ୍କୁ ପଠାଇ ଦିଅନ୍ତୁ । ତୁମେ ବି ଜାଣିଛ ଏମାନେ ଜଣେ ଜଣଙ୍କ ଠାରୁ ବଳି ଯୋଗ୍ୟ ଅଟନ୍ତି । ଯେପରି ଜଜ୍ ମାଜିଷ୍ଟ୍ରେଟ୍ ଥା’ନ୍ତି । ଜଣେ ଅନ୍ୟଜଣଙ୍କଠାରୁ ଯୋଗ୍ୟ ହୋଇଥାନ୍ତି । ସରକାରଙ୍କୁ ଜଣା ଥାଏ ଯେ ଏମାନେ ଜଣେ ଅନ୍ୟ ଜଣଙ୍କଠାରୁ ଯୋଗ୍ୟ ଅଟନ୍ତି । ସେଥିପାଇଁ ତ ମକଦ୍ଦମା ଗୁଡିକ ଗୋଟିଏ କୋର୍ଟରୁ ଉପର କୋର୍ଟକୁ ଯାଉଛି ତା’ଠାରୁ ମଧ୍ୟ ଉପରକୁ ହାଇକୋର୍ଟକୁ ଯାଇ ତା’ଠାରୁ ଉପରକୁ ଯାଇଥାଆନ୍ତି । ସିଏ ବି ଯଦି ଠିକ୍ ଭାବରେ ନ୍ୟାୟ ନ କରିପାରିଲେ ତେବେ ତା ଉପର କୋର୍ଟକୁ ମଧ୍ୟ ଯିବେ । ଗୁହାରୀ ଶୁଣାଇବେ ଯେ ୟାଙ୍କ ଉପରେ ଦୟା କରନ୍ତୁ । ଏବେ ଏପରି କଥା ସବୁ ଏହିଠାରେ ହେଉଛି । ସତ୍ୟଯୁଗ-ତ୍ରେତା ଯୁଗରେ ହୋଇ ନ ଥାଏ । ପୁଣି ଦ୍ୱାପର ଯୁଗରେ ରାଜାରାଣୀଙ୍କର ରାଜ୍ୟ ଚାଲେ । ସେଠାରେ ତ ମହାରାଜା-ମହାରାଣୀ ହିଁ ମକଦ୍ଦମାର ବିଚାର କରିଥାନ୍ତି । ମକଦ୍ଦମା ମଧ୍ୟ ବହୁତ କମ୍ ଥାଏ । ଏବେ ତମୋପ୍ରଧାନ ପତିତ ହୋଇଯାଇଛନ୍ତି । ତେଣୁ ବାଦଶାହଙ୍କ ପାଖକୁ ମକଦ୍ଦମା ଗଲେ ଅଳ୍ପ କିଛି ଦଣ୍ଡ ଦେଇଦେଇଥା’ନ୍ତି । ଗୁରୁତର ଅପରାଧ ହୋଇଥିଲେ ଅଧିକ ଦଣ୍ଡ ଦେବେ । ଏଠାରେ ତ ଅନେକ ଜଜ୍ ଓକିଲ ଆଦି ଅଛନ୍ତି । ଦ୍ୱାପରଯୁଗର ଏବଂ ଏଠାକାର କାରବାର ଭିତରେ କେତେ ପ୍ରଭେଦ ରହିଛି, ସତ୍ୟଯୁଗରେ କ’ଣ ହୁଏ ଏକଥା କାହାକୁ ଜଣାନାହିଁ । ଏବେ ବାବା ଆସି ବୁଝାଉଛନ୍ତି - କାହାକୁ ବି ପଚାର, ଲକ୍ଷ୍ମୀ-ନାରାୟଣଙ୍କୁ ଜାଣିଛ? ଯେମିତି ବିରଳା ଅଛନ୍ତି । ବହୁତ ମନ୍ଦିର ତିଆରି କରି ଚାଲିଛନ୍ତି, ତେବେ ଯଦି କେହି ବୁଦ୍ଧିମାନ ପିଲା ଅଛନ୍ତି ତାଙ୍କୁ ଚିଠି ଲେଖନ୍ତୁ । ତୁମେ ତ ବହୁତ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରୁଛ କିନ୍ତୁ ଏମାନଙ୍କୁ ଏହି ରାଜଧାନୀ କିପରି ମିଳିଲା? ଯେବେ କି ସତ୍ୟଯୁଗ ପୂର୍ବରୁ କଳିଯୁଗ ଥିଲା? କଳିଯୁଗରେ ତ କିଛି ବି ନାହିଁ । ଦେବତାମାନେ ତ କାହା ସହିତ ଲଢେଇ କରି ନ ଥିବେ । ଯୁଦ୍ଧ ଦ୍ୱାରା କେହି ବିଶ୍ୱର ମାଲିକ ହୋଇପାରିବେ ନାହିଁ । ଯିଏ ବିଶ୍ୱର ମାଲିକ ଥିଲେ, ସେହି ଲକ୍ଷ୍ମୀ-ନାରାୟଣଙ୍କର ମୂର୍ତ୍ତି ରଖାଯାଇଛି । ଏବେ ତ ହେଉଛି କଳିଯୁଗ । ଏଠାରେ ତ ଅସ୍ତ୍ରଶସ୍ତ୍ରରେ ଲଢେଇ ଚାଲିଛି । ବାବା ବୁଝାଉଛନ୍ତି - ଖ୍ରୀଷ୍ଟିୟାନଧର୍ମବଲମ୍ବୀମାନେ ଯଦି ପରସ୍ପର ଭିତରେ ମିଶିଯିବେ, ପରସ୍ପର ସହିତ ଭଲ ସମ୍ପର୍କ ରଖିବେ ତେବେ ବିଶ୍ୱର ମାଲିକ ହୋଇପାରିବେ । କିନ୍ତୁ ବିଶ୍ୱର ମାଲିକ ତ ଲକ୍ଷ୍ମୀ-ନାରାୟଣ ହିଁ ହେଉଛନ୍ତି । ବିବେକ କହୁଛି ଏମାନେ ଯଦି ପରସ୍ପର ମିଶିଯିବେ ତେବେ ବିଶ୍ୱର ମାଲିକ ହୋଇପାରିବେ କିନ୍ତୁ ସତ୍ୟଯୁଗରେ ରାଜା-ରାଣୀ ତ କେହି ହୋଇପାରିବେ ନାହିଁ । ଡ୍ରାମା ହିଁ ଏହିଭଳି ରଚନା ହୋଇଛି । ଏବେ ଆମେ ପୁନର୍ବାର ଯୋଗବଳ ଦ୍ୱାରା ସ୍ୱର୍ଗର ସମ୍ପତ୍ତି ନେଉଛୁ । ତୁମେ ଜଣାଇ ପାରିବ - କଳ୍ପ ପୂର୍ବରୁ ମଧ୍ୟ ସଂଗମଯୁଗରେ ବାବାଙ୍କଠାରୁ ଏହି ପଦ ପାଇଥିଲୁ, ଏବେ ୮୪ ଜନ୍ମ ଶେଷ ହେଲା, ତେଣୁ ପୁନର୍ବାର ସେହି ସମ୍ପତ୍ତି ନେଉଛୁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜ ଭିତରେ ଧାରଣା କରିବା ଏବଂ ଅନ୍ୟମାନଙ୍କୁ କରାଇବା ପାଇଁ, ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସିବାକୁ ହେବ । ନିଜେ ଯାହା କିଛି ବୁଝିଛ ତାକୁ ଅନ୍ୟମାନଙ୍କୁ ବୁଝାଇବାର ଅଭ୍ୟାସ କରିବାକୁ ହେବ ।

(୨) ଲୌକିକ ସମ୍ବନ୍ଧଠାରୁ ବୁଦ୍ଧିଯୋଗ ତୁଟେଇ ଏକମାତ୍ର ପାରଲୌକିକ ପିତାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କଠାରୁ ଯେଉଁ ଜ୍ଞାନ ମିଳୁଛି, ତାହାକୁ ଶୁଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ । ଏହା ହିଁ ତୁମର ଧନ୍ଦା ଅଟେ ।

ବରଦାନ:-
ସମାହିତ କରିବାର ଶକ୍ତି ଦ୍ୱାରା ଏକମତର ବାତାବରଣ ସୃଷ୍ଟି କରୁଥିବା ଦୃଷ୍ଟାନ୍ତ ରୂପ ହୁଅ ।

ଯେଉଁମାନେ ଏକାଭଳି ଦାନା ଅଟନ୍ତି, ଜଣଙ୍କର ଲଗନରେ ମଗ୍ନ ଏବଂ ଏକରସ ସ୍ଥିତିରେ ସ୍ଥିତ ରହିଛନ୍ତି ତଥା ଜଣଙ୍କର ମତ ଅନୁସାରେ ଚାଲୁଛନ୍ତି, ପରସ୍ପର ଭିତରେ ସଂକଳ୍ପରେ ମଧ୍ୟ ଏକମତ ଅଟନ୍ତି, ସେହିମାନେ ହିଁ ମାଳାରେ ଗୁନ୍ଥା ହୋଇଥାଆନ୍ତି । କିନ୍ତୁ ଏକମତର ବାତାବରଣ ସେତେବେଳେ ସୃଷ୍ଟି ହେବ, ଯେତେବେଳେ ତୁମ ଭିତରେ ସମାହିତ କରିବାର ଶକ୍ତି ଥିବ । ଯଦି ବି କୌଣସି କଥାରେ ଭିନ୍ନତା ହୋଇଯାଉଛି, ତେବେ ସେହି ଭିନ୍ନତାକୁ ନିଜ ଭିତରେ ସମାହିତ କରିନିଅ, ତେବେ ଯାଇ ପରସ୍ପର ଭିତରେ ଏକତାର ସହିତ ସମ୍ବନ୍ଧରେ ନିକଟତା ରହିବ ଏବଂ ସମସ୍ତଙ୍କ ଆଗରେ ଦୃଷ୍ଟାନ୍ତ ରୂପ ହୋଇଯିବ ।

ସ୍ଲୋଗାନ:-
ଯଦି ପ୍ରତ୍ୟେକ ସଂକଳ୍ପରେ, ବାଣୀରେ ଏବଂ କର୍ମରେ ଆତ୍ମ ଅଭିମାନୀ ସ୍ଥିତିକୁ ଧାରଣ କରିବ ତେବେ ସେବା କ୍ଷେତ୍ରରେ ଚମକ ଆସିଯିବ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ଯେ କୌଣସି ଦୁଃଖଦାୟୀ ଦୃଶ୍ୟ ଦେଖୁଥିଲେ ମଧ୍ୟ ନଥିଙ୍ଗ୍ ନିଉ ଅର୍ଥାତ୍ କିଛି ନୂଆ କଥା ନୁହେଁ, ଯେଉଁମାନଙ୍କର ଏହିଭଳି ନଥିଙ୍ଗ୍ ନ୍ୟୁର ଜ୍ଞାନ ପକ୍କା ମନେ ରହିଥିବ ସେମାନେ କେବେ ବି କୌଣସି ପରିସ୍ଥିତିରେ ବିଚଳିତ ହେବେ ନାହିଁ । କ’ଣ ହେଲା, କିପରି ହେଲା, ଏପରି ହେଲା, ସେପରି ହେଲା.... ଏହିଭଳି ସମାଚାର ଶୁଣୁଥିଲେ ବା ଦେଖୁଥିଲେ ମଧ୍ୟ ଡ୍ରାମାର ପୂର୍ବ ନିର୍ଦ୍ଧାରିତ ନିଧାର୍ଯ୍ୟକୁ ଶକ୍ତିଶାଳୀ ସ୍ଥିତିରେ ରହି ଦେଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶକ୍ତି ଦେଇଚାଲ । ଦୁନିଆର ଲୋକମାନେ ବିଚଳିତ ହେଉଥିବେ କିନ୍ତୁ ତୁମେମାନେ ଏକରସ ସ୍ଥିତିରେ ସ୍ଥିତ ରହି ସେମାନଙ୍କ ଭିତରେ ଶକ୍ତି ଭରୁଥିବ । ତେଣୁ ଯେଉଁମାନେ ବି ତୁମ ସମ୍ପର୍କରେ ଆସୁଛନ୍ତି, ସେମାନଙ୍କୁ ଶକ୍ତିର ଏବଂ ଶାନ୍ତିର ଦାନ ଦେଇଚାଲ ।