08.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ସଭାରେ ବାହ୍ୟମୁଖୀ ହୋଇ ବସିବାର ନାହିଁ, ବାବାଙ୍କ ସ୍ମୃତିରେ ରହିବାର ଅଛି, ମିତ୍ର-ସମ୍ବନ୍ଧୀ ଅଥବା କାମ-ଧନ୍ଦା ଆଦିକୁ ମନେପକାଇବା ଦ୍ୱାରା ବାୟୁମଣ୍ଡଳରେ ବିଘ୍ନ ପଡିଥାଏ ।”

ପ୍ରଶ୍ନ:-
ତୁମ ସନ୍ତାନମାନଙ୍କର ରୁହାନୀ ଡ୍ରିଲ୍‌ର ବିଶେଷତା କ’ଣ ଯାହାକୁ ମନୁଷ୍ୟ କରିପାରିବେ ନାହିଁ?

ଉତ୍ତର:-
ତୁମର ରୁହାନୀ ଡ୍ରିଲ୍ ବୁଦ୍ଧିର ଅଟେ, ତାର ବିଶେଷତା ଏହା ଯେ ତୁମେ ଆଶିକ (ପ୍ରେମିକା) ହୋଇ ନିଜର ମାଶୁକ (ପ୍ରେମିକଙ୍କୁ) ୟାଦ କରୁଛ । ଏହି କଥାର ଈଶାରା ଗୀତାରେ ମଧ୍ୟ ଦିଆଯାଇଛି - ମନମନାଭବ । କିନ୍ତୁ ମନୁଷ୍ୟ ନିଜର ପ୍ରେମିକ ପରମାତ୍ମାଙ୍କୁ ଜାଣି ହିଁ ନାହାଁନ୍ତି, ତେଣୁ ଡ୍ରିଲ୍ କିପରି କରିପାରିବେ । ସେମାନେ ତ ପରସ୍ପରକୁ ଶାରୀରିକ ଡ୍ରିଲ୍ ଶିଖାଇଥା’ନ୍ତି ।

ଓମ୍ ଶାନ୍ତି ।
ପିଲାମାନେ ବି ଜାଣିଛନ୍ତି ଏବଂ ବାବା ବି ଜାଣିଛନ୍ତି ଯେ ପିଲାମାନେ (ଯୋଗ କରାଇଲାବାଲା ପିଲାମାନେ) ଏଠାରେ କ’ଣ କରୁଛନ୍ତି! ଯୋଗ ଯାତ୍ରାର ଡ୍ରିଲ୍ (ଅଭ୍ୟାସ) କରାଉଛନ୍ତି । ମୁଖରେ କିଛି ବି କହିବାର ନାହିଁ । ତେବେ କାହାର ସ୍ମୃତି? ପରମପିତା ପରମାତ୍ମା ଶିବବାବାଙ୍କର । ତାଙ୍କ ୟାଦରେ ରହିବା ଦ୍ୱାରା ଆମର ଯେଉଁ ସବୁ ବିକର୍ମ ରହିଛି ତାହା ଭସ୍ମ ହୋଇଯିବ ଏବଂ ବିକର୍ମାଜିତ୍ ହୋଇଯିବୁ, ତେବେ ଯେତେ ଯିଏ ୟାଦର ଡ୍ରିଲ୍ କରିପାରିବ । ଏହା ଆତ୍ମାର ଡ୍ରିଲ୍‌, ଶରୀରର ନୁହେଁ । ଭାରତରେ ଯେଉଁ ଡ୍ରିଲ୍ ବି ଶିଖାଉଛନ୍ତି, ତାହା ସବୁ ହେଲା ଶାରୀରିକ, ଏହା ହେଉଛି ରୁହାନୀ ଡ୍ରିଲ୍ । ଏହି ରୁହାନୀ ଡ୍ରିଲ୍‌କୁ ତୁମ ପିଲାମାନଙ୍କ ବ୍ୟତୀତ ଆଉ କେହି ଜାଣି ହିଁ ନାହାଁନ୍ତି ।

ରୁହାନୀ ଡ୍ରିଲ୍‌ର ଈଶାରା ନିଶ୍ଚିତ ଗୀତାରେ ଅଛି । ଭଗବାନୁବାଚ ଅଥବା ଭଗବାନଙ୍କର ପିଲାମାନଙ୍କର ମଧ୍ୟ ବାଚ (କଥା) ରହିଛି । ତୁମେ ଏବେ ଭଗବାନ ଶିବବାବାଙ୍କର ସନ୍ତାନ ହୋଇଛ ନା । ପିଲାମାନଙ୍କୁ ଆଦେଶ ମିଳିଛି - କେବଳ ମୋତେ ମନେ ପକାଅ । ବାବା ମଧ୍ୟ ଡ୍ରିଲ୍ ଶିଖାଉଛନ୍ତି । ପିଲାମାନେ ମଧ୍ୟ ଏହି ଡ୍ରିଲ୍ ଶିଖାଉଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ବାବା ଏହି କଥା କହିଥିଲେ ଯେ କେବଳ ମୋତେ ମନେ ପକାଅ । ଏଥିରେ ବାରମ୍ବାର କହିବାର ଆବଶ୍ୟକତା ନାହିଁ, କିନ୍ତୁ କହିବାକୁ ପଡୁଛି । ଏଠାରେ ବସି ଯଦି କେହି ନିଜର ମିତ୍ର ସମ୍ବନ୍ଧୀମାନଙ୍କୁ, କର୍ମଧନ୍ଦାକୁ ମନେ ପକାଉଛନ୍ତି ତେବେ ସେମାନେ ବାୟୁମଣ୍ଡଳରେ ବିଘ୍ନ ପକାଉଛନ୍ତି । ବାବା କହୁଛନ୍ତି ଯେପରି ତୁମେ ଏଠାରେ ଯୋଗରେ ବସିଛ ସେହିପରି ଚାଲିବୁଲି, କର୍ମ କରି ମଧ୍ୟ ଯୋଗରେ ରହିବାକୁ ହେବ । ଯେପରି ପ୍ରେମିକା-ପ୍ରେମିକ ପରସ୍ପରକୁ ମନେ ପକାଇଥାଆନ୍ତି । ସେମାନଙ୍କର ସ୍ମୃତି ହେଲା ଶାରୀରିକ । ତୁମର ହେଲା ଆତ୍ମିକ ସ୍ମୃତି । ଆତ୍ମାମାନେ ଭକ୍ତିମାର୍ଗରେ ମଧ୍ୟ ପରମପିତା ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟନ୍ତି । କିନ୍ତୁ ନିଜର ପ୍ରେମିକଙ୍କୁ ଜାଣିନାହାଁନ୍ତି, ନା ନିଜର ଆତ୍ମାକୁ ଜାଣିଛନ୍ତି । ପ୍ରେମିକ ପିତା ଏବେ ଆସିଯାଇଛନ୍ତି । ଭକ୍ତିମାର୍ଗଠାରୁ ଆରମ୍ଭ କରି ଆତ୍ମାମାନେ ପରମାତ୍ମାଙ୍କର ପ୍ରେମିକା ହୋଇଛନ୍ତି । ଏହା ହିଁ ହେଉଛି ଆତ୍ମାମାନଙ୍କର ଏବଂ ପରମାତ୍ମାଙ୍କର କଥା । ବାବା ପିଲାମାନଙ୍କୁ ସମ୍ମୁଖରେ କହୁଛନ୍ତି - ତୁମେ ପ୍ରେମିକାମାନେ ମୋତେ (ପ୍ରେମିକଙ୍କୁ) ମନେ ପକାଉଛ ଯେ ବାବା ଆସ । ଏଠାକୁ ଆସି ଆମକୁ ଦୁଃଖରୁ ମୁକ୍ତ କର ଏବଂ ନିଜ ସାଥୀରେ ଶାନ୍ତିଧାମକୁ ନେଇଚାଲ । ତୁମେ ଜାଣିଛ ଏବେ ଏହି ଦୁଃଖଧାମ, ମୃତ୍ୟୁଲୋକର ବିନାଶ ହେବାକୁ ଯାଉଛି । ଅମର ଲୋକ ଜିନ୍ଦାବାଦ୍‌, ମୃତ୍ୟୁଲୋକ ମୁର୍ଦ୍ଦାବାଦ୍ । ତୁମେ ଏବେ ବ୍ରାହ୍ମଣ ସନ୍ତାନ ହୋଇଛ, ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ଅଛନ୍ତି । ତୁମେ ପିଲାମାନଙ୍କୁ ସମ୍ପୂର୍ଣ୍ଣ ନିଶ୍ଚୟ ହେବା ଉଚିତ୍ ଯେ ଆମେ ଏବେ ନର୍କବାସୀରୁ ସ୍ୱର୍ଗବାସୀ ୨୧ ଜନ୍ମ ପାଇଁ ହେଉଛୁ । ଏଠାରେ ଯଦି କେହି ମରିଯାଆନ୍ତି, ତେବେ କହନ୍ତି ସ୍ୱର୍ଗବାସୀ ହେଲା । କିନ୍ତୁ କେତେ ସମୟ ପାଇଁ ସ୍ୱର୍ଗବାସୀ ହେଲା... ଏକଥା କେହି ବି ଜାଣିନାହାଁନ୍ତି । ଏବେ ତୁମେ ପୁରୁଷାର୍ଥ କରୁଛ - ସ୍ୱର୍ଗବାସୀ ହେବା ପାଇଁ । ତୁମକୁ ଏହି ନିଶ୍ଚୟ କିଏ କରାଉଛନ୍ତି! ସିଏ ହେଲେ ଗୀତାର ଭଗବାନ । କିନ୍ତୁ ସିଏ ତ ଏକମାତ୍ର ନିରାକାର ଅଟନ୍ତି । ମନୁଷ୍ୟ ଭାବୁଛନ୍ତି - ନିରାକାର ତ ନିରାକାର ହିଁ ଅଟନ୍ତି । ସିଏ କିପରି ଏଠାକୁ ଆସି ଶିଖାଇବେ? ବାବାଙ୍କୁ ନ ଜାଣିଥିବା କାରଣରୁ ଡ୍ରାମା ଅନୁସାରେ କୃଷ୍ଣଙ୍କର ନାମ ଭୁଲ୍‌ରେ ଲେଖି ଦେଇଛନ୍ତି । ଶ୍ରୀକୃଷ୍ଣ ଏବଂ ଶିବଙ୍କର ସମ୍ବନ୍ଧ ଏହି ସମୟରେ ପାଖାପାଖି ଅଟେ । ଶିବଜୟନ୍ତୀ ସଂଗମଯୁଗରେ ହିଁ ହୋଇଥାଏ । ପୁଣି କାଲି ହେବ ଶ୍ରୀକୃଷ୍ଣ ଜୟନ୍ତୀ । ଶିବଜୟନ୍ତୀ ହୋଇଥାଏ ରାତ୍ରି ସମୟରେ, ଶ୍ରୀକୃଷ୍ଣଜୟନ୍ତୀ ହୁଏ ସକାଳ ସମୟରେ, ଯାହାକୁ ପ୍ରଭାତ (ସତ୍ୟଯୁଗ) କୁହାଯିବ । ଯେତେବେଳେ ଶିବରାତ୍ରୀ ଶେଷ ହୋଇଥାଏ, ସେତେବେଳେ ଯାଇ କୃଷ୍ଣଜୟନ୍ତୀ ହୁଏ । ଏହି ସବୁ କଥା ପିଲାମାନେ ହିଁ ବୁଝିପାରିବେ, ଏଠିକାର ନିୟମ ହେଲା - ଏହି ସଭାରେ କେହି ବାହ୍ୟମୁଖୀ ହେବେ ନାହିଁ । ବାବାଙ୍କ ସ୍ମୃତିରେ ରହିବାକୁ ହେବ । ମନୁଷ୍ୟମାନେ ମଧ୍ୟ ଡାକୁଛନ୍ତି ହେ ପତିତ-ପାବନ ଆସ, ଏଠାକୁ ଆସି ଆମକୁ ପାବନ କର । କିନ୍ତୁ ଡ୍ରାମା ଅନୁସାରେ ପଥରବୁଦ୍ଧି ମନୁଷ୍ୟ କିଛି ବି ବୁଝିପାରୁନାହାଁନ୍ତି । ଯଦି ଜାଣିଥାନ୍ତେ ତେବେ କହି ଦିଅନ୍ତେ । ସେମାନଙ୍କୁ ଏକଥା ମଧ୍ୟ ଜଣାନାହିଁ ଯେ ଏବେ କଳିଯୁଗର ଅନ୍ତ ସମୟ ଅଟେ, ପୁଣି ଯେତେବେଳେ ବାବା ଆସି ଯାଆନ୍ତି, ସେତେବେଳେ ଆଦି ସମୟ ହୋଇଯାଏ । ମନୁଷ୍ୟ ତ ବିଲ୍‌କୁଲ୍ ଘୋର ଅନ୍ଧକାର ମଧ୍ୟରେ ଅଛନ୍ତି । ଲୋକମାନେ ଭାବୁଛନ୍ତି କଳିଯୁଗ ବର୍ତ୍ତମାନ ୪୦,୦୦୦ ବର୍ଷ ବାକି ଅଛି । ବେହଦର ପିତା ବୁଝାଉଛନ୍ତି ଯେ ହଦର (ଲୌକିକ) ପିତା ତ ପତିତ-ପାବନ ହୋଇପାରିବେ ନାହିଁ । ବାପୁ ନାମ ତ ବହୁତଙ୍କର ରଖିଦେଇଛନ୍ତି । ବୃଦ୍ଧମାନଙ୍କୁ ମଧ୍ୟ ବାପୁ ଅଥବା ପିତା ବୋଲି କହିଥାଆନ୍ତି । ଏହି ରୁହାନୀ ପିତାଶ୍ରୀ ତ ଜଣେ ହିଁ ଅଟନ୍ତି, ଯିଏକି ପତିତ-ପାବନ ଜ୍ଞାନର ସାଗର ଅଟନ୍ତି । ପିଲାମାନଙ୍କୁ ପାବନ ହେବା ପାଇଁ ଜ୍ଞାନ ଆବଶ୍ୟକ । ପାଣିରେ ସ୍ନାନ କରିବା ଦ୍ୱାରା କେହି କ’ଣ ପବିତ୍ର ହୋଇପାରିବ । ତୁମେ ଜାଣିଛ ଶିବବାବା ଆମ ସମ୍ମୁଖରେ ଏହି ଶରୀରରେ ପ୍ରତ୍ୟକ୍ଷ ରୂପରେ ଅଛନ୍ତି । ବ୍ରହ୍ମା ଦ୍ୱାରା ବ୍ରାହ୍ମଣମାନଙ୍କୁ ରାଜଯୋଗ ଶିଖାଉଛନ୍ତି । ସେମାନେ ତ କହିଦେଉଛନ୍ତି, ଭଗବାନ ଅର୍ଜୁନଙ୍କୁ ଶିକ୍ଷା ଦେଇଥିଲେ । ବ୍ରାହ୍ମଣମାନଙ୍କର ଚିହ୍ନ-ବର୍ଣ୍ଣ ନାହିଁ । ଗାୟନ କରାଯାଏ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ ଦ୍ୱାରା ପାଳନା । ସ୍ଥାପନା ତ ବ୍ରହ୍ମାଙ୍କ ଦ୍ୱାରା ହିଁ କରିବେ, ନା କି ବିଷ୍ଣୁଙ୍କ ଦ୍ୱାରା, ନା ଶଙ୍କରଙ୍କ ଦ୍ୱାରା । ତୁମ ସନ୍ତାନମାନଙ୍କୁ ଏହି ଜ୍ଞାନ ଏବେ ମିଳିଛି । ବାବାଙ୍କୁ ଏହିଠାକୁ ହିଁ ଆସିବାକୁ ପଡିଥାଏ, କାରଣ କେହି ବି ଆତ୍ମା ଫେରିଯାଇପାରିବେ ନାହିଁ । ଯେଉଁମାନେ ବି ଆସିଥାନ୍ତି ସେମାନଙ୍କୁ ସତ୍ତ୍ୱ, ରଜୋ, ତମୋ ଅବସ୍ଥା ଦେଇ ଗତି କରିବାକୁ ପଡିଥାଏ । ଶ୍ରୀକୃଷ୍ଣ ମଧ୍ୟ ପୂରା ୮୪ ଜନ୍ମ ନେଉଛନ୍ତି ଏବଂ ପୁରା ୫ ହଜାର ବର୍ଷ ପାର୍ଟ କରିଛନ୍ତି । ଯେତେବେଳେ ଆତ୍ମା ଗର୍ଭରେ ଥାଏ ତେବେ ବି ଜନ୍ମ ତ ହେବ ନା । ଶ୍ରୀକୃଷ୍ଣଙ୍କର ଆତ୍ମା ଯେତେବେଳେ ସତ୍ୟଯୁଗକୁ ଆସେ, ଗର୍ଭରେ ପ୍ରବେଶ କରେ ସେବେଠାରୁ ନେଇ ୫ ହଜାର ବର୍ଷରେ ୮୪ ଜନ୍ମର ପାର୍ଟ କରିବାକୁ ପଡିଥାଏ । ଯେପରି ଶିବଜୟନ୍ତୀ ପାଳନ କରୁଛନ୍ତି, ତେବେ ବାବା ୟାଙ୍କ ଭିତରେ ଅଛନ୍ତି ନା । ଶ୍ରୀକୃଷ୍ଣଙ୍କର ଆତ୍ମା ମଧ୍ୟ ଗର୍ଭକୁ ଆସିବା ମାତ୍ରେ ଗର୍ଭରେ ହଲଚଲ ହେବା ଆରମ୍ଭ ହୋଇଯାଏ, ତେବେ ସେହି ସମୟଠାରୁ ୫ ହଜାର ବର୍ଷର ହିସାବ ଆରମ୍ଭ ହୋଇଥାଏ । ଯଦି କମ୍ ବେଶି ହେବ ତେବେ ପୁଣି ୫ ହଜାର ବର୍ଷରୁ କମ୍ ହୋଇଯିବ । ଏହା ବଡ ସୂକ୍ଷ୍ମରେ ବୁଝିବାର କଥା । ପିଲାମାନେ ଜାଣିଛନ୍ତି, ଶ୍ରୀକୃଷ୍ଣଙ୍କର ଆତ୍ମା ପୁନର୍ବାର ଏହି ଜ୍ଞାନ ନେଉଛନ୍ତି, ପୁଣି ଶ୍ରୀକୃଷ୍ଣ ହେବା ପାଇଁ । ତୁମେମାନେ ମଧ୍ୟ କଂସପୁରୀରୁ କୃଷ୍ଣପୁରୀକୁ ଯାଉଛ । ଏହିସବୁ କଥା ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି ।

ବାବା କହୁଛନ୍ତି ମାୟା ବଡ ଦୁସ୍ତର ଅର୍ଥାତ୍ ଶକ୍ତିଶାଳୀ ଅଟେ । ଭଲ ଭଲ ମହାରଥୀଙ୍କୁ ମଧ୍ୟ ହରାଇ ଦେଉଛି । ଜ୍ଞାନ ଶିକ୍ଷା କରୁ କରୁ କେଉଁଠି ମାୟା ରୂପୀ ଗ୍ରହର ପ୍ରଭାବ ମଧ୍ୟ ପଡିଯାଉଛି । ଆଶ୍ଚର୍ଯ୍ୟ ଭାବରେ ମୋର ହୁଅନ୍ତି, ଜ୍ଞାନ ଶୁଣାନ୍ତି... ଅହୋ ମାୟା ପୁଣି ବି ଭାଗନ୍ତି ହୋଇଯାଆନ୍ତି । ରୋଜଗାରରେ ଗ୍ରହଚାରୀର ପ୍ରଭାବ ପଡିଯାଏ ଅର୍ଥାତ୍ ବିଘ୍ନ ପଡିଯାଏ । ରାହୁର ଗ୍ରହଣ ସମସ୍ତଙ୍କୁ ଲାଗିଯାଇଛି । ଏବେ ତୁମ ଉପରେ ବୃହସ୍ପତିର ଦଶା ପଡିଛି ପୁଣି ଚାଲୁ-ଚାଲୁ କାହା କାହା ଉପରେ ରାହୁର ଗ୍ରହଣ ଲାଗିଯାଇଥାଏ, ସେଥିପାଇଁ କୁହାଯାଏ ଯଦି ଏହି ଦୁନିଆରେ ମହାମୁର୍ଖ ଦେଖିବାର ଅଛି ତେବେ ଏହିଠାରେ ଆସି ଦେଖ । ତୁମର ଆତ୍ମା କହୁଛି - ମୁଁ ବାବାଙ୍କଠାରୁ ସଦା ସୁଖର ସମ୍ପତ୍ତି ନେଉଛି । ବାବା ଆପଣଙ୍କଠାରୁ କଳ୍ପ ପୂର୍ବରୁ ମଧ୍ୟ ଏହି ବର୍ସା ନେଇଥିଲି । ଆମେ ପୁନର୍ବାର ଏବେ ବାବାଙ୍କ ପାଖକୁ ଆସିଛୁ । ବାବା ବୁଝାଇଛନ୍ତି - ବାହାରେ ତୁମର ସେଣ୍ଟର ମାନଙ୍କରେ ଏହି ଜ୍ଞାନକୁ ବୁଝିବା ପାଇଁ ବହୁତ ଲୋକ ଆସିବେ । ଏଠାରେ ଏହା ହେଉଛି ଇନ୍ଦ୍ରସଭା । ଇନ୍ଦ୍ର ଶିବବାବା ଅଟନ୍ତି ନା, ଯିଏକି ଜ୍ଞାନର ବର୍ସା କରୁଛନ୍ତି । ତେଣୁ ଏଭଳି ସଭାକୁ କେହି ପତିତ ଆସିପାରିବେ ନାହିଁ । ସବୁଜପରୀ, ପୁଖରାଜପରୀ ନାମ ମଧ୍ୟ ରହିଛି । ଯେଉଁ ବ୍ରାହ୍ମଣୀମାନେ ପଣ୍ଡା ହୋଇ ଆସୁଛନ୍ତି ସେମାନଙ୍କୁ କୁହାଯାଉଛି - କେହି ବି ବିକାରରେ ଯାଉଥିବା ବ୍ୟକ୍ତିକୁ ନିଜ ସହିତ ନେଇ ଆସି ପାରିବ ନାହିଁ । ନଚେତ୍ ଦୁଇଜଣ ଯାକ ଦାୟୀ ହେବ । ଯଦି କୌଣସି ବିକାରୀକୁ ସାଥୀରେ ନେଇ ଆସିଲେ ତେବେ ତାଙ୍କ ଉପରେ ବହୁତ ଦାଗ (ପାପ) ଲାଗିଯିବ । ପୁଣି ବହୁତ ବଡ ଦଣ୍ଡ ମିଳିବ । ପରୀମାନଙ୍କ ଉପରେ ବହୁତ ଉତ୍ତରଦାୟିତ୍ୱ ରହିଛି । କହିଥା’ନ୍ତି - ମାନ ସରୋବରରେ ସ୍ନାନ କରିବା ଦ୍ୱାରା ପରୀ ହୋଇଯାଇଥାନ୍ତି । ବାସ୍ତବରେ ଏହା ହେଉଛି ଜ୍ଞାନ ମାନସରୋବର । ବାବା ମନୁଷ୍ୟ ଶରୀରରେ ଆସି ଜ୍ଞାନର ବର୍ଷା ବରଷୁଛନ୍ତି । ଜ୍ଞାନର ସାଗର ଅଟନ୍ତି ନା । ତୁମେ ନଦୀ ବି ଅଟ, ସରୋବର (ପୋଖରୀ) ମଧ୍ୟ ଅଟ । ଜ୍ଞାନର ସାଗର ୟାଙ୍କ ମଧ୍ୟରେ ବସି ପିଲାମାନଙ୍କୁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ କରୁଛନ୍ତି । ସ୍ୱର୍ଗରେ ଶ୍ରୀଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ । ଏହା ହେଉଛି ପ୍ରବୃତ୍ତିମାର୍ଗର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । କହୁଛନ୍ତି ଆମେ ଉଭୟ ଜ୍ଞାନ ଚିତା ଉପରେ ବସି ଲକ୍ଷ୍ମୀ-ନାରାୟଣ ହେବାକୁ ଯାଉଛୁ । ଉଚ୍ଚ ପଦ ପାଇବାର ଅଛି ନା । ଅଧାକଳ୍ପ ଆତ୍ମାମାନେ ଯନ୍ତ୍ରଣା ପାଇଥାନ୍ତି । ଡାକିଥା’ନ୍ତି ବାବା ଆସ ଏଠାକୁ ଆସି ଆମକୁ ରାଜଯୋଗ ଶିଖାଇ ପବିତ୍ର କର । ବାବା ଈଶାରା ଦେଉଛନ୍ତି । ଭାରତବାସୀ ଯେଉଁମାନେ ଦେବୀ-ଦେବତାଙ୍କୁ ମାନିଥା’ନ୍ତି ସେମାନେ ନିଶ୍ଚିତ ୮୪ ଜନ୍ମ ଭୋଗ କରିଛନ୍ତି । ଯେଉଁମାନେ ଦେବୀ-ଦେବତାମାନଙ୍କର ଭକ୍ତ ଅଛନ୍ତି, ଚେଷ୍ଟା କରି ସେହିମାନଙ୍କୁ ବୁଝାଅ । ବାବା କିପରି ଆସି ତିନିଟି ଧର୍ମ ସ୍ଥାପନ କରୁଛନ୍ତି । ବ୍ରାହ୍ମଣ, ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ତିନିଟି ଯାକ ଧର୍ମ ବାବା ସ୍ଥାପନ କରୁଛନ୍ତି । ଅଧାକଳ୍ପ ଆଉ କୌଣସି ଧର୍ମର ସ୍ଥାପନା ହୋଇ ନ ଥାଏ । ପୁଣି ଆଉ ଅଧାକଳ୍ପରେ କେତେ ମଠ ପନ୍ଥ ଆଦି ଅନେକ ଅନେକ ଧର୍ମ ସ୍ଥାପନ ହୋଇଥାଏ । କେଉଁଠି ଅଧାକଳ୍ପରେ ଗୋଟିଏ ଧର୍ମ, ତାହା ବି ମଧ୍ୟ ସଂଗମଯୁଗରେ ଭବିଷ୍ୟତ ପାଇଁ ରାଜଧାନୀର ସ୍ଥାପନା କରୁଛନ୍ତି । ଆଉ ସମସ୍ତେ ପୁରୁଣା ଦୁନଆରେ ହିଁ ନିଜର ଧର୍ମ ସ୍ଥାପନ କରିଥାନ୍ତି । ଏଠାରେ ବାବା ଅଧାକଳ୍ପ ପାଇଁ ଗୋଟିଏ ଧର୍ମର ସ୍ଥାପନା କରୁଛନ୍ତି । ଆଉ କାହା ଭିତରେ ଏହିଭଳି ଶକ୍ତି ନାହିଁ । ବାବା ତୁମକୁ ନିଜର ସନ୍ତାନ କରି, ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ କୁଳର ସ୍ଥାପନା କରି ବାକି ସମସ୍ତଙ୍କର ବିନାଶ କରାଇ ଦେଇଥା’ନ୍ତି । ସବୁ ଆତ୍ମାମାନେ ଶାନ୍ତିକୁ ଚାଲି ଯାଇଥା’ନ୍ତି । ତୁମେ ଯେତେବେଳେ ସୁଖକୁ ଆସୁଛ, ସେତେବେଳେ କୌଣସି ଦୁଃଖ ନ ଥାଏ, ଯାହାକି ଭଗବାନଙ୍କୁ ମନେ ପକାଇବେ । ଏହି ଜ୍ଞାନ ମଧ୍ୟ ତୁମ ବୁଦ୍ଧିରେ ଅଛି । ତୁମେ ଜାଣିଛ - ବାବା ଯିଏକି ଜ୍ଞାନର ସାଗର ଅଟନ୍ତି, ସିଏ ଆସି ଜ୍ଞାନ ଦେଉଛନ୍ତି । ସାଗର ତ ଜଣେ ହିଁ ଅଟନ୍ତି । ତୁମେ ନିଜକୁ ସାଗର ବୋଲାଇବ ନାହିଁ । ତୁମେ ତାଙ୍କର ସହଯୋଗୀ ହେଉଛ ସେଥିପାଇଁ ତୁମର ନାମ ହେଉଛି ଜ୍ଞାନ ଗଙ୍ଗା । ବାକି ସେଗୁଡିକ ହେଲେ ପାଣିର ନଦୀ । ବାବା କହୁଛନ୍ତି ମୋର (ସାଗରର) ସନ୍ତାନ ତୁମେମାନେ କାମ ଚିତାରେ ବସି ଜଳି ମରିଯାଇଛ ଅର୍ଥାତ୍ ପତିତ ହୋଇ ଯାଇଛ । ଏବେ ପୁଣି ମୋତେ ମନେ ପକାଇବା ଦ୍ୱାରା ତୁମେ ପାବନ ହୋଇଯିବ । ଏହି ସୃଷ୍ଟିର ଚକ୍ର ୫ ହଜାର ବର୍ଷର ଅଟେ । ଏକଥା ମଧ୍ୟ କାହାକୁ ଜଣାନାହିଁ । ସୃଷ୍ଟିର ଚକ୍ର ସମ୍ପୂର୍ଣ୍ଣ ଚାରି ଭାଗରେ ବିଭକ୍ତ । ଚାରିଟି ଯୁଗ ଅଛି ନା । ଏହି ସଂଗମଯୁଗ ହେଲା କଲ୍ୟାଣକାରୀ ଯୁଗ, କୁମ୍ଭ ବୋଲି କୁହାଯାଏ ନା । କୁମ୍ଭ କୁହାଯାଏ ମେଳାକୁ । ନଦୀ ଆସି ସାଗର ସହିତ ମିଶିଥାଏ । ଆତ୍ମା ଆସି ପରମାତ୍ମାଙ୍କ ସହିତ ମିଶିଥାଏ, ଏହାକୁ କୁମ୍ଭ କୁହାଯାଏ । ଆତ୍ମା ଏବଂ ପରମାତ୍ମାଙ୍କର ମେଳା ମଧ୍ୟ ତୁମେ ଦେଖୁଛ । ତୁମେମାନେ ପରସ୍ପର ସହିତ ମିଶୁଛ, ଆଲୋଚନା କରୁଛ, ଏହାକୁ କୁମ୍ଭ କୁହାଯିବ ନାହିଁ । ସାଗର ତ ନିଜ ଯାଗାରେ ରହିଛନ୍ତି । ଏହି ଶରୀରରେ ଅଛନ୍ତି ନା । ଯେଉଁଠି ୟାଙ୍କର ଶରୀର ସେଠାରେ ଜ୍ଞାନର ସାଗର ଉପସ୍ଥିତ, ବାକି ତୁମେ ପରସ୍ପର ଭିତରେ ଜ୍ଞାନ ଗଙ୍ଗାମାନେ ମିଶୁଛ । ନଦୀମାନେ ଛୋଟ ବଡ ତ ଥା’ନ୍ତି ନା । ଲୋକମାନେ ସେଠାକୁ ସ୍ନାନ କରିବା ପାଇଁ ଯାଆନ୍ତି । ଗଙ୍ଗା, ଯମୁନା, ସରସ୍ୱତୀ ଆଦି ତ ଅଛନ୍ତି । ଦିଲ୍ଲୀ ଯମୁନାର କୂଳ - ସ୍ୱର୍ଗ ଅଟେ । ଦିଲ୍ଲୀ ପାଇଁ କୁହାଯାଏ - ପରିସ୍ତାନ ଥିଲା, ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏମିତି ନୁହେଁ ଯେ ଶ୍ରୀକୃଷ୍ଣଙ୍କର ରାଜ୍ୟ ଥିଲା । ରାଧା କୃଷ୍ଣ ଯୁଗଳ (ପତି-ପତ୍ନୀ) ହେଲେ ତ ଯାଇ ରାଜ୍ୟ କରିପାରିବେ ।

ଏବେ ତୁମେ ପିଲାମାନେ କେତେ ଖୁସିରେ ଅଛ । ମାୟାର ତୋଫାନ ତ ବହୁତ ଆସିବ । ତୁମର ବେହଦର ବକ୍ସିଂ ଚାଲିଛି । ପ୍ରତ୍ୟେକଙ୍କର ୫ ବିକାର ସହିତ ଯୁଦ୍ଧ ଚାଲିଛି । ଆମେ ଚାହୁଁଛେ ବାବାଙ୍କୁ ନିରନ୍ତର ମନେପକାଇବାକୁ କିନ୍ତୁ ମାୟା ଆମର ଯୋଗକୁ ଭାଙ୍ଗି ଦେଉଛି । ଯେପରି ଗୋଟିଏ ଖେଳ ଦେଖାଇଥାନ୍ତି, ପରମାତ୍ମା ନିଜ ଆଡକୁ ଟାଣୁଛନ୍ତି, ମାୟା ତା ଆଡକୁ ଟାଣୁଛି । ଏହିଭଳି ଗୋଟିଏ ନାଟକ ତିଆରି କରିଛନ୍ତି । ବାଇସ୍କୋପ (ସିନେମା) ଦେଖିବାର ଫେସନ ଏବେ ବାହାରିଛି । ଡ୍ରାମା ଅନୁସାରେ ତୁମକୁ ବାଇସ୍କୋପ ଉପରେ ହିଁ ବୁଝାଇବାର ଥିଲା । ନାଟକରେ ତ ଅଦଳ ବଦଳ ହୋଇଥାଏ । ଏହା ତ ଅନାଦି ଅବିନାଶୀ ପୂର୍ବ ପ୍ରସ୍ତୁତ (ତିଆରି ହୋଇ ରହିଥିବା) ଡ୍ରାମା ଅଟେ । ଯାହା ପୂର୍ବରୁ ହୋଇଥିଲା ତାହା ବର୍ତ୍ତମାନ ମଧ୍ୟ ହେଉଛି... ଅମୁକ ମରିଗଲା ତା’ର ଏତିକି ହିଁ ପାର୍ଟ ଥିଲା, ଆମେ ଚିନ୍ତା କାହିଁକି କରିବା । ଡ୍ରାମା ଅଟେ ନା । ଶରୀର ଛାଡିଦେଲା ଆଉ କ’ଣ ଫେରିପାରିବ । କାନ୍ଦିବାରେ ଲାଭ କ’ଣ? ଏହାର ତ ନାମ ହିଁ ହେଲା ଦୁଃଖଧାମ । ସତ୍ୟଯୁଗରେ ମୋହଜିତ୍ ରାଜାମାନେ ଥାନ୍ତି । ଏହା ଉପରେ ଗୋଟିଏ କାହାଣୀ ମଧ୍ୟ ଅଛି । ସତ୍ୟଯୁଗରେ ମୋହର କୌଣସି କଥା ନ ଥାଏ । ଏଠାରେ ତ ମନୁଷ୍ୟଙ୍କର କେତେ ମୋହ ରହିଛି । ଯଦି କାହାକୁ କାନ୍ଦ ମାଡୁ ନ ଥିବ ତେବେ ଅନ୍ୟମାନେ କାନ୍ଦି କାନ୍ଦି ତାକୁ ମଧ୍ୟ କନ୍ଦେଇ ଦେବେ । ଯାହାଦ୍ୱାରା କି ବୁଝାପଡିବ ଯେ ଇଏ ଅବସୋସ କରୁଛନ୍ତି । ନ ହେଲେ ନିନ୍ଦା ହୋଇଯିବ । ଭାରତରେ ହିଁ ଏହି ସବୁ ପ୍ରଥା ରହିଛି । ଭାରତରେ ହିଁ ସୁଖ, ଭାରତରେ ହିଁ ବହୁତ ଦୁଃଖ ହୋଇଥାଏ । ଭାରତରେ ଭଗବାନ ଭଗବତୀ (ଲକ୍ଷ୍ମୀ-ନାରାୟଣ) ରାଜ୍ୟ କରୁଥିଲେ । ବିଦେଶୀ ଲୋକମାନେ ଭାରତର ପୁରୁଣା ଚିତ୍ରଗୁଡିକୁ ବଡ ଖୁସିରେ ନେଇଥା’ନ୍ତି । ପୁରୁଣା ଜିନିଷର ମାନ ରହିଥାଏ । ସବୁଠାରୁ ପୁରୁଣା ଶିବବାବା ତ ଏହିଠାକୁ ଆସିଥିଲେ ନା, ତାଙ୍କର କେତେ ପୂଜା କରୁଛନ୍ତି । ଏବେ ତ ଶିବବାବା ଆସିଛନ୍ତି, ତୁମେମାନେ ପୂଜା କରିବ ନାହିଁ । ଯେହେତୁ ସିଏ ଏଠାକୁ ଆସିଥିଲେ, ସେଇଥିପାଇଁ ତାଙ୍କର ପୂଜା କରିଚାଲିଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଡ୍ରାମାର ଜ୍ଞାନକୁ ବୁଦ୍ଧିରେ ରଖି ନିଶ୍ଚିନ୍ତ ହୋଇ ରହିବାର ଅଛି । କୌଣସି ବି ପ୍ରକାରର ଚିନ୍ତା କରିବାର ନାହିଁ କାହିଁକି ନା ଆମେ ଜାଣିଛେ ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ, ସେଥିପାଇଁ ନିର୍ମୋହୀ ହେବାର ଅଛି ।

(୨) ଯେବେ କି ବାବାଙ୍କ ଦ୍ୱାରା ଆମ ଉପରେ ବୃହସ୍ପତିର ଦଶା ଚାଲିଛି, ସେଥିପାଇଁ ସତର୍କ ହୋଇ ରହିବାକୁ ହେବ, ଯେପରି ରାହୁର ଗ୍ରହଣ ଲାଗି ନ ଯିବ । ଯଦି ନିଜ ଉପରେ କୌଣସି ଖରାପ ଗ୍ରହର ପ୍ରଭାବ ରହିଛି, ତେବେ ଜ୍ଞାନ ଦାନ କରି ତାକୁ ସମାପ୍ତ କରିବାକୁ ହେବ ।

ବରଦାନ:-
ନିଜର ଟେନ୍‌ଶନ୍ ଉପରେ ଆଟେନ୍‌ଶନ୍ ଅର୍ଥାତ୍ ଧ୍ୟାନ ଦେଇ ବିଶ୍ୱର ଟେନ୍‌ଶନ୍‌କୁ ସମାପ୍ତ କରୁଥିବା ବିଶ୍ୱ କଲ୍ୟାଣକାରୀ ଭବ ।

ଯେତେବେଳେ ଅନ୍ୟମାନଙ୍କ ପ୍ରତି ଅଧିକ ଆଟେନ୍‌ଶନ୍ ଦେଉଛ, ସେତେବେଳେ ନିଜ ଭିତରେ ଟେନ୍‌ଶନ୍ ସୃଷ୍ଟି ହୋଇଥାଏ, ସେଥିପାଇଁ ବିସ୍ତାର କରିବା ପରିବର୍ତ୍ତେ ସାର ସ୍ୱରୂପରେ ସ୍ଥିତ ହୋଇଯାଅ, କ୍ୱାଣ୍ଟିଟୀ ଅର୍ଥାତ୍ ଅଧିକ ପରିମାଣର ସଂକଳ୍ପକୁ ସମାହିତ କରି କ୍ୱାଲିଟୀବାଲା ଅର୍ଥାତ୍ ଉଚ୍ଚମାନର ସଂକଳ୍ପ କର । ପ୍ରଥମେ ନିଜର ଟେନ୍‌ଶନ୍ ଉପରେ ଆଟେନ୍‌ଶନ୍ ଦିଅ ତେବେ ଯାଇ ବିଶ୍ୱରେ ଯେଉଁ ସବୁ ଅନେକ ପ୍ରକାରର ଟେନ୍‌ଶନ୍ ରହିଛି ସେଗୁଡିକୁ ସମାପ୍ତ କରି ବିଶ୍ୱ କଲ୍ୟାଣକାରୀ ହୋଇପାରିବ । ପ୍ରଥମେ ନିଜେ ନିଜକୁ ଦେଖ, ନିଜର ସେବା ପ୍ରଥମେ କର, ଯଦି ନିଜର ସେବା କରିଲ ତେବେ ଅନ୍ୟମାନଙ୍କର ସେବା ସ୍ୱତଃ ହିଁ ହୋଇଯିବ ।

ସ୍ଲୋଗାନ:-
ଯୋଗର ଅନୁଭୂତି କରିବାକୁ ହେଲେ ଦୃଢତାର ଶକ୍ତି ଦ୍ୱାରା ମନକୁ ନିୟନ୍ତ୍ରଣ କର ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ସ୍ଥାପନାର ନିମିତ୍ତ ହୋଇଥିବା ଆତ୍ମାମାନେ ଯେତେଯେତେ ଜ୍ୱାଳାସ୍ୱରୂପ ସ୍ଥିତିରେ ରହିବେ ସେହି ଅନୁସାରେ ହିଁ ବିନାଶର ଜ୍ୱାଳା ପ୍ରତ୍ୟକ୍ଷ ହେବ । ସଂଗଠିତ ରୂପରେ ଜ୍ୱାଳା ସ୍ୱରୂପର ଯୋଗ ବିଶ୍ୱର ବିନାଶର କାର୍ଯ୍ୟକୁ ସମ୍ପନ୍ନ କରିବ । ଏଥିପାଇଁ ପ୍ରତ୍ୟେକ ସେବାକେନ୍ଦ୍ରରେ ବିଶେଷ ଭାବରେ ଯୋଗର କାର୍ଯ୍ୟକ୍ରମ ଚାଲୁ ରହିବା ଦରକାର ଯାହା ଦ୍ୱାରା ବିନାଶ ଜ୍ୱାଳାକୁ ପବନ ମିଳିଯିବ ଏବଂ ଯୋଗ ଅଗ୍ନି ଦ୍ୱାରା ବିନାଶର ଅଗ୍ନି ପ୍ରଜ୍ୱଳିତ ହେବ, ଜ୍ୱାଳା ଦ୍ୱାରା ଜ୍ୱାଳା ପ୍ରଜ୍ୱଳିତ ହେବ ।