09.11.25 Avyakt Bapdada Odia Murli 30.11.2007 Om Shanti Madhuban
“ସତ୍ୟତା ଏବଂ
ପବିତ୍ରତାର ଶକ୍ତିକୁ ସ୍ୱରୂପରେ ଆଣିବା ସହିତ ବାଳକ ଏବଂ ମାଲିକ ପଣିଆର ସନ୍ତୁଳନ ରଖ”
ଆଜି ସତ୍ୟ ପିତା, ସତ୍ୟ
ଶିକ୍ଷକ, ସତ୍ଗୁରୁ ନିଜର ଚାରିଆଡର ସତ୍ୟତା ସ୍ୱରୂପ, ଶକ୍ତି ସ୍ୱରୂପ ପିଲାମାନଙ୍କୁ ଦେଖୁଛନ୍ତି
କାହିଁକିନା ସତ୍ୟତାର ଶକ୍ତି ସର୍ବଶ୍ରେଷ୍ଠ ଶକ୍ତି ଅଟେ । ଏହି ସତ୍ୟତାର ଶକ୍ତିର ଆଧାର ହେଲା -
ସମ୍ପୂର୍ଣ୍ଣ ପବିତ୍ରତା । ମନ-ବଚନ-କର୍ମ, ସମ୍ବନ୍ଧ-ସମ୍ପର୍କ ତଥା ସ୍ୱପ୍ନରେ ମଧ୍ୟ ଅପବିତ୍ରତାର
ଚିହ୍ନ-ବର୍ଣ୍ଣ ନ ରହୁ । ଏହିଭଳି ପବିତ୍ରତାର ପ୍ରତ୍ୟକ୍ଷ ସ୍ୱରୂପ କ’ଣ ଦେଖାଯାଏ? ଏହିଭଳି
ପବିତ୍ର ଆତ୍ମାର ଚାଲିଚଳନ ଏବଂ ଚେହେରାରେ ଦିବ୍ୟତା ସ୍ପଷ୍ଟ ରୂପରେ ଦେଖାଯାଉଥାଏ । ସେମାନଙ୍କର
ନୟନରେ ଆତ୍ମିକ ଚମକ ଏବଂ ଚେହେରାରେ ସର୍ବଦା ସ୍ମିତହାସ୍ୟ ତଥା ଚାଲିଚଳନରେ ପ୍ରତିପାଦରେ
ବ୍ରହ୍ମାବାବାଙ୍କ ସମାନ କର୍ମଯୋଗୀ ସ୍ଥିତି । ସତ୍ୟ ପିତାଙ୍କ ଦ୍ୱାରା ବର୍ତ୍ତମାନ ସମୟରେ
ତୁମେମାନେ ଏହିଭଳି ସତ୍ୟବାଦୀ ହେଉଛ । ଦୁନିଆରେ ମଧ୍ୟ ଅନେକ ଆତ୍ମା ନିଜକୁ ସତ୍ୟବାଦୀ ବୋଲି
କହୁଛନ୍ତି, ସତ୍ୟ ମଧ୍ୟ କହୁଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ପବିତ୍ରତା ହିଁ ସଚ୍ଚା ସତ୍ୟତାର ଶକ୍ତି
ଅଟେ । ଯାହାକି ବର୍ତ୍ତମାନ ଏହି ସଂଗମଯୁଗରେ ତୁମେମାନେ ହେଉଛ । ତେବେ ଏହି ସଂଗମ ଯୁଗର ଶ୍ରେଷ୍ଠ
ପ୍ରାପ୍ତି ହେଲା - ସତ୍ୟତାର ଶକ୍ତି ଏବଂ ପବିତ୍ରତାର ଶକ୍ତି । ଯାହାର ପ୍ରାପ୍ତି ହେଉଛି
ସତ୍ୟଯୁଗରେ ତୁମେ ସମସ୍ତେ ବ୍ରାହ୍ମଣରୁ ଦେବତା ହୋଇ ଆତ୍ମା ଏବଂ ଶରୀର ଉଭୟ ରୂପରେ ପବିତ୍ର ହେଉଛ
। ସାରା ସୃଷ୍ଟି ଚକ୍ର ଭିତରେ ଅନ୍ୟ କେହି ବି ଆତ୍ମା ଏବଂ ଶରୀର ଦୁଇଟି ଯାକରେ ପବିତ୍ର ହେଉ
ନାହାଁନ୍ତି । ଆତ୍ମା ହିସାବରେ ପବିତ୍ର ହେଉଛନ୍ତି କିନ୍ତୁ ଶରୀର ପବିତ୍ର ମିଳୁନାହିଁ । ତେଣୁ
ଏହିଭଳି ସମ୍ପୂର୍ଣ୍ଣ ପବିତ୍ରତାକୁ ବର୍ତ୍ତମାନ ସମୟରେ ତୁମେମାନେ ଧାରଣ କରୁଛ ଏବଂ ନିଶାର ସହିତ
କହୁଛ, ମନେ ଅଛି କ’ଣ କହୁଛ? ମନେ ପକାଅ । ସମସ୍ତେ ଦିଲ୍ର ସହିତ ଏବଂ ଅନୁଭବର ସହିତ କହୁଛ
ପବିତ୍ରତା ତ ଆମର ଜନ୍ମ ସିଦ୍ଧ ଅଧିକାର । ତେବେ ଜନ୍ମ ସିଦ୍ଧ ଅଧିକାରକୁ ପ୍ରାପ୍ତ କରିବା ମଧ୍ୟ
ସହଜ ହୋଇଥାଏ କାହିଁକିନା ପବିତ୍ରତା ବା ସତ୍ୟତାକୁ ପ୍ରାପ୍ତ କରିବା ପାଇଁ ତୁମେ ସମସ୍ତେ ପ୍ରଥମେ
ନିଜର ସତ୍ୟ ସ୍ୱରୂପ ଆତ୍ମାକୁ ଜାଣିଯାଇଛ, ସତ୍ୟ ପିତା, ସତ୍ୟ ଶିକ୍ଷକ, ସତ୍ୟଗୁରୁଙ୍କୁ ଚିହ୍ନି
ପାରିଛ ଏବଂ ପାଇଯାଇଛ । ତେଣୁ ଯେତେ ଦିନ ପର୍ଯ୍ୟନ୍ତ କୌଣସି ଆତ୍ମା ନିଜର ସତ୍ୟ ସ୍ୱରୂପକୁ ବା
ସତ୍ୟ ପିତାଙ୍କୁ ଜାଣିନାହିଁ ସେତେ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପବିତ୍ରତା ଏବଂ ସତ୍ୟତାର ଶକ୍ତି
ଆସିପାରିବ ନାହିଁ ।
ତେଣୁ ତୁମେ ସମସ୍ତେ
ସତ୍ୟତା ଏବଂ ପବିତ୍ରତାର ଶକ୍ତିର ଅନୁଭବୀ ଅଟ ନା! କ’ଣ କହୁଛ, ଅନୁଭବୀ ଅଟ ତ? ସେମାନେ ତ ଚେଷ୍ଟା
ବହୁତ କରୁଛନ୍ତି କିନ୍ତୁ ଯଥାର୍ଥ ରୂପରେ ନା ନିଜର ସ୍ୱରୂପକୁ, ନା ସତ୍ୟ ପିତାଙ୍କର ଆଦି ସ୍ୱରୂପକୁ
ଜାଣିପାରୁଛନ୍ତି । କିନ୍ତୁ ତୁମେ ସମସ୍ତେ ବର୍ତ୍ତମାନ ସମୟର ଅନୁଭବ ଦ୍ୱାରା ପବିତ୍ରତାକୁ ଏଭଳି
ସହଜ ରୀତିରେ ଆପଣାଇ ନେଇଛ ଯାହାକି ଏହି ସମୟର ପ୍ରାପ୍ତିର ପ୍ରାରବ୍ଧ ରୂପରେ ଦେବତାମାନଙ୍କର ନେଚର
ପବିତ୍ରତା ମଧ୍ୟ ଅଟେ ଏବଂ ସ୍ୱାଭାବିକ ମଧ୍ୟ ଅଟେ । ତେବେ ଏହିଭଳି ସ୍ୱାଭାବିକ ନେଚରର ଅନୁଭବ
ତୁମେମାନେ ଏବେ ହିଁ ପ୍ରାପ୍ତ କରୁଛ । ତେଣୁ ଚେକ୍ କର ଯେ ପବିତ୍ରତା ବା ସତ୍ୟତାର ଶକ୍ତି ମୋ’ର
ସ୍ୱାଭାବିକ ନେଚରରେ ପରିଣତ ହେଲାଣି ତ? କ’ଣ ଭାବୁଛ? ତେବେ ଯେଉଁମାନେ ଭାବୁଛନ୍ତି ଯେ ପବିତ୍ରତା
ଆମର ଜନ୍ମସିଦ୍ଧି ଅଧିକାର ଅଟେ, ସେମାନେ ହାତ ଉଠାଅ । କ’ଣ ଜନ୍ମ ସିଦ୍ଧ ଅଧିକାର ଅଟେ, ନା ମେହନତ
କରିବାକୁ ପଡୁଛି? ମେହନତ କରିବାକୁ ତ ପଡୁ ନାହିଁ ନା! ସହଜ ଅଟେ ନା! କାହିଁକିନା ଜନ୍ମ ସିଦ୍ଧ
ଅଧିକାର ସହଜରେ ପ୍ରାପ୍ତ ହୋଇଥାଏ । ମେହନତ କରିବାକୁ ପଡି ନ ଥାଏ । ଦୁନିଆର ଲୋକମାନେ ତ ଏହାକୁ
ଅସମ୍ଭବ ମନେ କରୁଛନ୍ତି କିନ୍ତୁ ତୁମେମାନେ ଅସମ୍ଭବକୁ ସମ୍ଭବ ଏବଂ ସହଜ କରିଦେଇଛ । ଯେଉଁ ସବୁ
ନୂଆ ନୂଆ ପିଲାମାନେ ଆସିଛନ୍ତି ଏବଂ ପ୍ରଥମ ଥର ଆସିଛନ୍ତି ସେମାନେ ହାତ ଉଠାଅ । ଆଚ୍ଛା, ନୂଆ କରି
ପ୍ରଥମ ଥର ପାଇଁ ଆସିବାବାଲାଙ୍କୁ ଅଭିନନ୍ଦନ କାହିଁକିନା ବାପଦାଦା କହୁଛନ୍ତି ଯଦିଓ ବିଳମ୍ବରେ
ଆସିଛ କିନ୍ତୁ ଅତି ବିଳମ୍ବ ହେବା ପୂର୍ବରୁ ଆସିଯାଇଛ । ଏହା ବ୍ୟତୀତ ନୂଆ ପିଲାମାନଙ୍କୁ
ବାପଦାଦାଙ୍କଠାରୁ ବରଦାନ ମିଳିଛି ଯେ ଲାଷ୍ଟରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରି ପ୍ରଥମ
ଶ୍ରେଣୀରେ ଆସିପାରିବେ । ପ୍ରଥମ ନମ୍ବର ନୁହେଁ କିନ୍ତୁ ପ୍ରଥମ ଶ୍ରେଣୀ ଅର୍ଥାତ୍ ଫାଷ୍ଟ ଡିଭିଜନ୍ରେ
ଆସିପାରିବେ । ତେବେ ନୂଆ ପିଲାମାନଙ୍କ ଭିତରେ ଏତିକି ସାହସ ଅଛି ତ? ଯେଉଁମାନେ ପ୍ରଥମ ଶ୍ରେଣୀରେ
ଆସିବ ସେମାନେ ହାତ ଉଠାଅ । ଦେଖ ଟି.ଭି.ରେ ତୁମମାନଙ୍କର ହାତ ଦେଖାଯାଉଛି । ଆଚ୍ଛା! ଏମାନେ
ସାହାସୀ ଅଟନ୍ତି । ତେବେ ସାହସ ପାଇଁ ଅଭିନନ୍ଦନ । ଯଦି ସାହସ ଅଛି ତେବେ ବାବାଙ୍କର ସହଯୋଗ ମଧ୍ୟ
ନିଶ୍ଚିତ ରହିଛି, ତା’ ସହିତ ବ୍ରାହ୍ମଣ ପରିବାରର ଶୁଭଭାବନା, ଶୁଭକାମନା ମଧ୍ୟ ତୁମ ସାଥୀରେ ଅଛି
। ସେଥିପାଇଁ ଯେଉଁ ନୂଆ ପିଲାମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନଙ୍କ ପ୍ରତି ବାପଦାଦା ଏବଂ
ପରିବାର ତରଫରୁ ଆଉ ଥରେ ପଦ୍ମଗୁଣା ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ତୁମେ ପ୍ରଥମ ଥର ଆସିଥିବା
ପିଲାମାନଙ୍କୁ ମଧ୍ୟ ଖୁସି ଲାଗୁଛି ନା! ବିଛୁଡି ଯାଇଥିବା ପିଲାମାନେ ପୁନର୍ବାର ନିଜର ପରିବାରରେ
ପହଞ୍ଚି ଯାଇଛନ୍ତି । ତେଣୁ ବାପଦାଦା ମଧ୍ୟ ଖୁସି ହେଉଛନ୍ତି ଏବଂ ତୁମେମାନେ ମଧ୍ୟ ଖୁସି ହେଉଛ ।
ବାପଦାଦା ବତନରେ
ଦାଦୀଙ୍କ ସାଥୀରେ ବସି ଗୋଟିଏ ଫଳାଫଳ ଦେଖୁଥିଲେ । କ’ଣ ଦେଖିଲେ ଜାଣିଛ? ତୁମେ ସମସ୍ତେ ଜାଣିଛ ଏବଂ
ମାନୁଛ ଯେ ଆମେ ସମସ୍ତେ ବାଳକ ହିସାବରେ ମାଲିକ ଅଟୁ । କ’ଣ ଅଟ ତ! ତେବେ ମାଲିକ ମଧ୍ୟ ଅଟ, ବାଳକ
ମଧ୍ୟ ଅଟ । କ’ଣ ସମସ୍ତେ ଅଟ ତ? ହାତ ଉଠାଅ । ଭାବିଚିନ୍ତି ହାତ ଉଠାଅ, ସେମିତି ନୁହେଁ । ହିସାବ
ନିଆଯିବ ନା! ଆଚ୍ଛା, ହାତ ତଳକୁ କର । ବାପଦାଦା ଦେଖିଲେ ଯେ ପିଲାମାନଙ୍କ ଭିତରେ ବାଳକ ପଣିଆର
ନିଶ୍ଚୟ ଏବଂ ନିଶା ତ ସହଜରେ ଆସିଯାଉଛି କାହିଁକି ନା ଯେହେତୁ ନିଜକୁ ବ୍ରହ୍ମାକୁମାର ଏବଂ
ବ୍ରହ୍ମାକୁମାରୀ ବୋଲି କହୁଛ ତେଣୁ ବାଳକ ତ ନିଶ୍ଚିତ ଅଟ, ସେଥିପାଇଁ ତ କହୁଛ ନା ଏବଂ ସାରା ଦିନ
ମେରା ବାବା, ମେରା ବାବା ଶବ୍ଦ ମଧ୍ୟ ସ୍ମୃତିରେ ଆଣୁଛ, ପୁଣି ଭୁଲି ବି ଯାଉଛ କିନ୍ତୁ ମଝିରେ
ମଝିରେ ମନେ ପଡିଯାଉଛି । ସେବା କରିବା ସମୟରେ ମଧ୍ୟ ବାବା, ବାବା ଶବ୍ଦ ସ୍ୱାଭାବିକ ଭାବରେ ମୁଖରୁ
ବାହାରୁଛି । ଯଦି ବାବା ଶବ୍ଦ ନ ବାହାରୁ ଥାଆନ୍ତା ତେବେ ଜ୍ଞାନର କୌଣସି ପ୍ରଭାବ ପଡୁ ନ ଥାଆନ୍ତା
। ତେଣୁ ଯାହାବି ସେବା କରୁଛ, ଭାଷଣ କରୁଛ, କୋର୍ସ କରାଉଛ, ଭିନ୍ନ ଭିନ୍ନ ଟପିକ୍ ଉପରେ କୋର୍ସ
କରାଉଛ, ତେବେ ପ୍ରକୃତ ସେବାର ପ୍ରତ୍ୟକ୍ଷ ସ୍ୱରୂପ ବା ପ୍ରତ୍ୟକ୍ଷ ପ୍ରମାଣ ହେଉଛି ଶୁଣିବା ବାଲା
ମଧ୍ୟ ଅନୁଭବ କରିବ ଯେ ମୁଁ ମଧ୍ୟ ବାବାଙ୍କର ଅଟେ । ସେମାନଙ୍କ ମୁଖରୁ ମଧ୍ୟ ବାବା ଶବ୍ଦ ବାହାରୁ
। ଏମିତି ନ କୁହନ୍ତୁ ଯେ ଏହା କୌଣସି ଶକ୍ତି ଅଟେ, ବା ଏହା ବହୁତ ଭଲ କଥା, କିନ୍ତୁ ଅନୁଭବ କରନ୍ତୁ
ଯେ ମୁଁ ମଧ୍ୟ ବାବାଙ୍କର ସନ୍ତାନ ତେବେ କୁହାଯିବ ସେବାର ପ୍ରତ୍ୟକ୍ଷ ଫଳ ମିଳିଲା । ତେବେ ବାଳକ
ପଣିଆର ନିଶ୍ଚୟ ଏବଂ ନିଶା କମ୍ ବେଶୀ ହିସାବରେ ରହୁଛି । ବାଳକ ପଣିଆର ସ୍ମୃତି ଦ୍ୱାରା ମାଲିକ
ପଣିଆର ବାସ୍ତବିକତାର ନିଶା ତୁମର ଚାଲିଚଳନ ଏବଂ ଚେହେରା ଦ୍ୱାରା କେବେ ଅଧିକ କେବେ କମ୍
ଦେଖାଯାଉଛି । ବାସ୍ତବରେ ତୁମେମାନେ ଡବଲ ମାଲିକ ଅଟ, ଗୋଟିଏ ହେଲା ବାବାଙ୍କର ସମ୍ପତ୍ତିର ମାଲିକ
ଯାହାକି ତୁମେ ସମସ୍ତେ ତ ଅଟ ନା? ଏବଂ ବାବା ମଧ୍ୟ ସମସ୍ତଙ୍କୁ ଏକାଭଳି ସମ୍ପତ୍ତି ଦେଇଛନ୍ତି ।
କାହାକୁ ଲକ୍ଷେ, କାହାକୁ ହଜାରେ ତାହା ନୁହେଁ । ସମସ୍ତଙ୍କୁ ସର୍ବ ସମ୍ପତ୍ତି ଅସରନ୍ତି ମାତ୍ରାରେ
ଦେଇଛନ୍ତି କାହିଁକି ନା ବାବାଙ୍କ ନିକଟରେ ସର୍ବ ସମ୍ପତ୍ତି ବେହଦ ମାତ୍ରରେ ରହିଛି, କମ୍ ନାହିଁ ।
ତେଣୁ ବାପଦାଦା ସମସ୍ତଙ୍କୁ ସର୍ବ ସମ୍ପତ୍ତି ଏକାଭଳି ଏବଂ ଏକା ପରିମାଣରେ ହିଁ ଦେଇଛନ୍ତି ।
ଦ୍ୱିତୀୟରେ ହେଲା - ସ୍ୱରାଜ୍ୟର ମଧ୍ୟ ମାଲିକ ଅଟ । ସେଥିପାଇଁ ବାପଦାଦା ନିଶାର ସହିତ ବା ଗର୍ବର
ସହିତ କହୁଛନ୍ତି ମୋ’ର ପ୍ରତ୍ୟେକ ସନ୍ତାନ ରାଜା ଅଟେ । ତେଣୁ ରାଜା ସନ୍ତାନ ଅଟ! ପ୍ରଜା ତ ନୁହେଁ
ନା! କ’ଣ ରାଜଯୋଗୀ ଅଟ, ନା ପ୍ରଜାଯୋଗୀ ଅଟ? ରାଜଯୋଗୀ ଅଟ ନା! ତେଣୁ ସ୍ୱରାଜ୍ୟର ମଧ୍ୟ ମାଲିକ ଅଟ
। କିନ୍ତୁ ବାପଦାଦା ଦାଦୀଙ୍କ ସହିତ ଏହି ଫଳାଫଳ ଦେଖିଲେ ଯେ - ବାଳକ ପଣିଆର ନିଶା ଯେତିକି ରହୁଛି,
ମାଲିକ ପଣିଆର ନିଶା ତା’ ଠାରୁ କମ୍ ରହୁଛି । କାହିଁକି ଜାଣିଛ? ଯଦି ମାଲିକ ପଣିଆର ନିଶା ସବୁବେଳେ
ରହୁଥାଆନ୍ତା ତେବେ ମଝିରେ ମଝିରେ ଯେଉଁ ସବୁ ସମସ୍ୟା ବା ବିଘ୍ନ ଆସୁଛି, ସେଗୁଡିକ ଆସିପାରନ୍ତା
ନାହିଁ । ଏମିତି ଦେଖିବାକୁ ଗଲେ ସମସ୍ୟା ବା ବିଘ୍ନର ଆସିବାର ମୁଖ୍ୟ ଆଧାର ବିଶେଷ କରି ତୁମର ମନ
ଅଟେ । ମନ ହିଁ ହଲଚଲ୍ ହୋଇଯାଉଛି । ସେଥିପାଇଁ ବାପଦାଦାଙ୍କର ମହାମନ୍ତ୍ର ମଧ୍ୟ ମନମନାଭବ ଅଟେ ।
ତନମନାଭବ ବା ଧନମନାଭବ ନୁହେଁ, ମନମନାଭବ । ତେଣୁ ଯଦି ତୁମେ ସ୍ୱରାଜ୍ୟର ମାଲିକ ଅଟ ତେବେ ତୁମର
ମନ ମାଲିକ ନୁହେଁ, ମନ ତ ତୁମର କର୍ମଚାରୀ ଅଟେ, ରାଜା ନୁହେଁ । ରାଜା ଅର୍ଥାତ୍ ଅଧିକାରୀ ।
ଅଧୀନବାଲାକୁ ରାଜା କୁହାଯିବ ନାହିଁ । ତେବେ ଫଳାଫଳ କ’ଣ ଦେଖିଲେ? ମୁଁ ରାଜ୍ୟ ଅଧିକାରୀ ମାଲିକ
ଅଟେ, ମନର ମଧ୍ୟ ମାଲିକ ଅଟେ - ଏହି ସ୍ମୃତି ବା ଏହି ଆତ୍ମିକ ସ୍ଥିତି ସର୍ବଦା ରହୁ ନାହିଁ, କମ୍
ସମୟ ରହୁଛି । କିନ୍ତୁ ଏହା ତୁମର ପ୍ରଥମ ପାଠ ଅଟେ, ମନେ ଅଛି ତ, ତୁମେମାନେ ପ୍ରଥମ ପାଠରେ କ’ଣ
ପଢିଥିଲ? ମୁଁ ଆମା ଅଟେ । ପରମାତ୍ମାଙ୍କ ବିଷୟରେ ଦ୍ୱିତୀୟ ପାଠରେ ଜାଣିଲ, କିନ୍ତୁ ପ୍ରଥମ ପାଠରେ
ମୁଁ “ଆତ୍ମା ରାଜା, ଏହି ସବୁ କର୍ମେନ୍ଦ୍ରିୟମାନଙ୍କର ମାଲିକ ଅଧିକାରୀ ଅଟେ, ଶକ୍ତିଶାଳୀ ଆତ୍ମା
ଅଟେ । ସର୍ବଶକ୍ତିଗୁଡିକ ଆତ୍ମାର ନିଜସ୍ୱ ଗୁଣ ବା ଶକ୍ତି ଅଟନ୍ତି । ତେବେ ବାପଦାଦା ଦେଖିଲେ ଯେ
ମୁଁ ଯିଏ ଅଟେ, ଯେପରି ଅଟେ, ତା'ର ସ୍ୱଭାବିକ ସ୍ୱରୂପର ସ୍ମୃତିରେ ଚାଲିବା, ରହିବା, ଚେହେରାରେ
ଅନୁଭବ ହେବା, ସମସ୍ୟାଗୁଡ଼ିକଠାରୁ ମୁକ୍ତ ରହିବା - ଏଥିରେ ଆହୁରି ଧ୍ୟାନ ଦେବାର ଆବଶ୍ୟକତା ରହିଛି
। କେବଳ ମୁଁ ଆତ୍ମା ନୁହେଁ, କିନ୍ତୁ ମୁଁ କେଉଁ ଆତ୍ମା, ଯଦି ଏହି ସ୍ମୃତି ସର୍ବଦା ରହିବ ତେବେ
ମାଷ୍ଟର-ସର୍ବଶକ୍ତିବାନ୍ ଆତ୍ମା ଆଗରେ ବିଘ୍ନର ବା ସମସ୍ୟାଗୁଡ଼ିକର କୌଣସି ଶକ୍ତି ନାହିଁ ଯାହାକି
ସମ୍ମୁଖକୁ ଆସିପାରିବ । ଏବେ ମଧ୍ୟ ଫଳାଫଳ ରୂପରେ କୌଣସି ନା କୌଣସି ସମସ୍ୟା ବା ବିଘ୍ନ ଦେଖିବାକୁ
ମିଳୁଛି । ଯଦିଓ ଜାଣିଛ କିନ୍ତୁ ଚାଲିଚଳନରେ ଏବଂ ଚେହେରାରେ ନିଶ୍ଚୟର ପ୍ରତ୍ୟକ୍ଷ ସ୍ୱରୂପ
ଆତ୍ମିକ ନିଶା ଆହୁରି ଅଧିକ ପ୍ରତ୍ୟକ୍ଷ ରୂପରେ ଦେଖାଯିବା ଦରକାର । ସେଥିପାଇଁ ମାଲିକପଣିଆର
ନିଶାକୁ ବାରମ୍ବାର ଚେକ୍ କର । ତାହା ମଧ୍ୟ ଗୋଟିଏ ସେକେଣ୍ଡର କଥା । କର୍ମ କରିବା ସମୟରେ ଯେ
କୌଣସି କର୍ମ ଆରମ୍ଭ କରୁଛ, ସେତେବେଳେ ଚେକ୍ କର – ମାଲିକପଣିଆର ଅଧିକାର ସହିତ
କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଉଥିବା ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର
ଶକ୍ତି ସମ୍ପନ୍ନ ଆତ୍ମା ମନେକରି କାର୍ଯ୍ୟ ଆରମ୍ଭ କରିଛି ନା ସାଧାରଣ ସ୍ଥିତିରେ କର୍ମ ଆରମ୍ଭ
କରିଛି? ସ୍ମୃତି ସ୍ୱରୂପ ହୋଇ କର୍ମ ଆରମ୍ଭ କରିବା ଏବଂ ସାଧାରଣ ସ୍ଥିତିରେ ରହି କର୍ମ ଆରମ୍ଭ
କରିବାରେ ବହୁତ ଫରକ ରହିଛି । ଯେପରି ବିନାଶୀ ପଦବୀବାଲା ଯେତେବେଳେ ନିଜର କାର୍ଯ୍ୟ ଆରମ୍ଭ
କରୁଛନ୍ତି ପ୍ରଥମେ ନିଜର ଆସନ ଉପରେ ବସନ୍ତି, ତା' ପରେ କାର୍ଯ୍ୟ ଅରମ୍ଭ କରନ୍ତି । ସେହିପରି
ତୁମେମାନେ ମଧ୍ୟ ନିଜର ମାଲିକପଣିଆର ସ୍ୱରାଜ୍ୟ ଅଧିକାରୀର ଆସନ ଉପରେ ସ୍ଥିତ ହୋଇ ସବୁ କାର୍ଯ୍ୟ
କର । ଏହିଭଳି ମାଲିକପଣିଆର ଅଧିକାରୀ ସ୍ଥିତିର ଚେକିଙ୍ଗ୍କୁ ତୁମକୁ ଆହୁରି ଅଧିକ ବଢ଼ାଇବାକୁ ହେବ
। ତେବେ ଏହାର ଲକ୍ଷଣ ହେଲା ସବୁବେଳେ ସବୁ କାର୍ଯ୍ୟରେ ଡବଲ୍ ଲାଇଟ୍ ସ୍ଥିତି ତଥା ଖୁସିର ଅନୁଭୁତି
ହେଉଥିବ ଯାହାର ଫଳ ସ୍ୱରୂପ ସଫଳତା ମଧ୍ୟ ସହଜ ଅନୁଭବ ହେଉଥିବ । କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ
ତୁମେମାନେ କେଉଁଠି କେଉଁଠି ହେବା ଅଧିକାରୀ ପରିବର୍ତ୍ତେ ଅଧୀନ ହୋଇଯାଉଛ । ତେଣୁ ଅଧୀନତାର ଲକ୍ଷଣ
କ'ଣ ଦେଖାଯାଉଛି? ଯାହାକି ବାରମ୍ବାର କହୁଛ - ମୋ ସଂସ୍କାର ହିଁ ଏହିଭଳି, ମୁଁ ଚାହୁଁନାହିଁ
କିନ୍ତୁ ମୋ’ର ସଂସ୍କାର ଏହିଭଳି, ମୋର ନେଚର ଏହିଭଳି..... । ବାପ୍ଦାଦା ପୂର୍ବରୁ ମଧ୍ୟ
ଶୁଣାଇଛନ୍ତି ଯେ ଯେତେବେଳେ କହୁଛ ମୋ'ର ସଂସ୍କାର ଏହିଭଳି, ମୋର ନେଚର ଏହିଭଳି, ତେବେ କ'ଣ ଏହିଭଳି
ଦୁର୍ବଳ ସଂସ୍କାର ତୁମର ଅଟେ? କ’ଣ ଏହା ମୋ’ର ସଂସ୍କାର? ଏହା ତ ମଝି ସମୟର ରାବଣର ସଂସ୍କାର ବା
ରାବଣର ଦାନ ଅଟେ । ତେଣୁ ତାକୁ ମୋ’ର କହିବା ହିଁ ଭୁଲ କଥା । ତୁମର ସଂସ୍କାର ତ ବାବାଙ୍କର
ସଂସ୍କାର ସହିତ ସମାନ । ତେଣୁ ସେତେବେଳେ ଚିନ୍ତା କର ତା’କୁ ମୋର ମୋର କହିବା ଦ୍ୱାରା ସେହି
ସଂସ୍କାରଗୁଡ଼ିକର ଅଧିକାରୀ ହୋଇଯାଉଛନ୍ତି ଏବଂ ତୁମେ ଅଧୀନ ହୋଇଯାଉଛ । ଯଦି ବାବାଙ୍କ ସହିତ ସମାନ
ହେବାକୁ ଚାହୁଁଛ ତେବେ ତାହା ମୋର ସଂସ୍କାର ନୁହେଁ, ଯାହା ବାବାଙ୍କର ସଂସ୍କାର ତାହା ମୋର
ସଂସ୍କାର । ତେବେ ବାବାଙ୍କର ସଂସ୍କାର କ’ଣ? ବିଶ୍ୱ କଲ୍ୟାଣକାରୀ ଏବଂ ଶୁଭଭାବନା, ଶୁଭକାମନାଧାରୀ
। ତେଣୁ ସେହି ସମୟରେ ବାବାଙ୍କର ସଂସ୍କାରକୁ ସମ୍ମୁଖକୁ ଆଣ, ତେବେ ଲକ୍ଷ୍ୟ ତ ରଖିଛ ବାବାଙ୍କ
ସମାନ ହେବାର କିନ୍ତୁ ଲକ୍ଷଣ ସବୁ ରାବଣର ରହିଛି । ତେଣୁ ମିଶାମିଶି ହୋଇଯାଉଛି, କିଛି ମୋ’ର
ପୁରୁଣା ସଂସ୍କାର ଆଉ କିଛି ବାବାଙ୍କର ଭଲ ସଂସ୍କାର, ଦୁଇଟି ଯାକ ଏକାଠି ରହିବା କାରଣରୁ ଖିଟ୍
ଖିଟ୍ ହୋଇଯାଉଛି । ତେବେ ଏହି ସଂସ୍କାର ମଧ୍ୟ କିପରି ତିଆରି ହୁଏ ତାହା ତ ସମସ୍ତେ ଯାଣିଛ ନା! ମନ
ଏବଂ ବୁଦ୍ଧିର ସଂକଳ୍ପ ତଥା କାର୍ଯ୍ୟ ଦ୍ୱାରା ସଂସ୍କାର ତିଆରି ହୋଇଥାଏ । ପ୍ରଥମେ ମନ ସଂକଳ୍ପ କରେ,
ବୁଦ୍ଧି ତାକୁ ସହଯୋଗ ଦିଏ ଯାହା ଦ୍ୱାରା ଭଲ ବା ମନ୍ଦ ସଂସ୍କାର ତିଆରି ହୋଇଥାଏ । ତେବେ ବାପ୍ଦାଦାଙ୍କ
ଦାଦୀଙ୍କ ସହିତ ଏହି ଫଳାଫଳ ଦେଖିଲେ ଯେ ମାଲିକପଣିଆର ନିଶା ସ୍ୱଭାବିକ ନେଚର ରୂପରେ ରହିବା, ଏବେ
ମଧ୍ୟ ବାଳକପଣିଆର ନିଶା ତୁଳନାରେ କମ୍ ରହିଛି । ସେଥିପାଇଁ ବାପ୍ଦାଦା ଦେଖୁଛନ୍ତି ଯେ ସମାଧାନ
କରିବା ପାଇଁ ପୁଣି ଯୁଦ୍ଧ କରିବାରେ ଲାଗିପଡୁଛନ୍ତି । ବ୍ରାହ୍ମଣ ହୋଇ ମଧ୍ୟ ମଝିରେ ମଝିରେ
କ୍ଷତ୍ରିୟ ହୋଇଯାଉଛନ୍ତି । ତେଣୁ ତୁମକୁ କ୍ଷତ୍ରିୟ ହେବାର ନାହିଁ, ବ୍ରାହ୍ମଣରୁ ଦେବତା ହେବାର
ଅଛି । କ୍ଷତ୍ରିୟ ହେବା ପାଇଁ ତ’ ଆଗକୁ ବହୁତ ଆସିବେ, ଯେଉଁମାନେ କି ବହୁତ ପଛରେ ଆସିବେ, କିନ୍ତୁ
ତୁମେମାନେ ତ’ ଅଧିକାରୀ ଆତ୍ମା ଅଟ । ତେଣୁ ଫଳାଫଳ କ’ଣ ଜାଣିଲ ତ! ସେଥିପାଇଁ ବାରମ୍ବାର ସ୍ମୃତିରେ
ଆଣ ଯେ ମୁଁ କିଏ? କେବଳ ଭାବ ନାହିଁ ଯେ ମୁଁ ଏଇଆ ଅଟେ, କିନ୍ତୁ ସେହି ସ୍ମୃତିକୁ ସର୍ବଦା
ସ୍ୱରୂପରେ ଆଣ । କ’ଣ ଠିକ୍ କଥା ନା! ଆଚ୍ଛା ଫଳାଫଳ ମଧ୍ୟ ଶୁଣାଇଦେଲୁ । ଏବେ ସମସ୍ୟାର ନାମ,
ବିଘ୍ନର ନାମ, ହଲଚଲ୍ର ନାମ, ବ୍ୟର୍ଥ ସଂକଳ୍ପର ନାମ, ବ୍ୟର୍ଥ କର୍ମର ନାମ, ବ୍ୟର୍ଥ ସମ୍ବନ୍ଧର
ନାମ, ବ୍ୟର୍ଥ ସ୍ମୃତିର ନାମକୁ ସମାପ୍ତ କର ଏବଂ କରାଅ । କ’ଣ ଠିକ୍ କଥା ନା! କରିବ ତ? ଯଦି କରିବ
ତେବେ ଦୃଢ ସଂକଳ୍ପର ହାତ ଉଠାଅ । ଏହିଭଳି ହାତ ଉଠାଇବା ତ ସାଧାରଣ କଥା ହୋଇଗଲାଣି ସେଥିପାଇଁ ଆଉ
ହାତ ଉଠା କରାଉ ନାହୁଁ, ତେଣୁ ମନ ଭିତରେ ଦୃଢ ସଂକଳ୍ପର ହାତ ଉଠାଅ । ଶରୀରର ହାତ ଉଠାଅ ନାହିଁ,
ତାକୁ ବହୁତ ଦେଖିସାରିଲୁଣି । ଯେତେବେଳେ ସମସ୍ତଙ୍କର ଦୃଢ ସଂକଳ୍ପର ହାତ ମିଳିତ ଭାବରେ ଉଠିବ
ସେତେବେଳେ ହିଁ ବିଶ୍ୱର କୋଣ ଅନୁକୋଣରେ ସମସ୍ତଙ୍କ ହାତ ଖୁସିରେ ଉଠିଯିବ ଏବଂ କହିବେ - ଆମର
ସୁଖଦାତା, ଶାନ୍ତିଦାତା ବାବା ଆସିଗଲେ ।
ତୁମେମାନେ ତ ବାବାଙ୍କୁ
ପ୍ରତ୍ୟକ୍ଷ କରିବାର ଦାୟିତ୍ୱ ନେଇଛ ନା! ନେଇଛ ତ! ପକ୍କା? କ’ଣ ଟୀଚରମାନେ ଦାୟିତ୍ୱ ନେଇଛ ତ?
ପାଣ୍ଡବମାନେ ନେଇଛ ତ? ପକ୍କା? ଆଚ୍ଛା କୌଣସି ତାରିଖ ନିଧାର୍ଯ୍ୟ କରିଛ, ନା ନାହିଁ? ଆଉ କେତେ
ସମୟ ଦରକାର? ଏକ ବର୍ଷ ଦରକାର, ନା ଦୁଇ ବର୍ଷ ଦରକାର? କେତେ ବର୍ଷ ଦରକାର? ବାପଦାଦା ତ କହିଥିଲେ
ଯେ ସମସ୍ତେ ନିଜ ନିଜର ଯଥା ଶକ୍ତି ପୁରୁଷାର୍ଥ ଅନୁସାରେ, ନିଜର ଆଗକୁ ବଢିବାର ବା ଉଡିବାର ବିଧିକୁ
ଦୃଷ୍ଟିରେ ରଖି ନିଜର ସମ୍ପନ୍ନ ହେବାର ତିଥି ନିଜେ ହିଁ ନିଧାର୍ଯ୍ୟ କର । ବାପଦାଦା ତ କହୁଛନ୍ତି
ଏବେ କର, କିନ୍ତୁ ନିଜର ଯଥା ଶକ୍ତି ପୁରୁଷାର୍ଥ ଅନୁସାରେ ନିଜ ପାଇଁ ତାରିଖ ଫିକ୍ସ କର ଏବଂ ମଝିରେ
ମଝିରେ ତାକୁ ଚେକ୍ କର ଯେ ସମୟ ଅନୁସାରେ ମୋ’ର ମାନସୀକ ସ୍ଥିତି, ବାଣୀର ସ୍ଥିତି ଏବଂ
ସମ୍ବନ୍ଧ-ସମ୍ପର୍କର ସ୍ଥତିରେ ଉନ୍ନତି ହେଉଛି ତ? କାହିଁକି ନା ତାରିଖ ନିଧାର୍ଯ୍ୟ କରିବା ଦ୍ୱାରା
ସେଥିପ୍ରତି ଆପେ ଆପେ ଧ୍ୟାନ ଯାଇଥାଏ ।
ତେବେ ସବୁଆଡୁ ସନ୍ଦେଶ
ମଧ୍ୟ ଆସିଛି ଏବଂ ଇମେଲ୍ ମଧ୍ୟ ଆସିଛି । କିନ୍ତୁ ତୁମର ଇମେଲ ବା ସନ୍ଦେଶ ଏଠାରେ ପହଞ୍ଚିବା
ପୂର୍ବରୁ ବାପଦାଦାଙ୍କ ପାଖରେ ପହଞ୍ଚିଯାଉଛି କାହିଁକି ନା ଆନ୍ତରିକ ସଂକଳ୍ପର ଇମେଲ୍ର ବେଗ ବହୁତ
ତୀବ୍ର ଗତିଶୀଳ ହୋଇଥାଏ । ତେଣୁ ତାହା ବହୁତ ପୂର୍ବରୁ ପହଞ୍ଚି ଯାଇଥାଏ । ତେବେ ଯେଉଁମାନେ ବି
ଶୁଭେଚ୍ଛାବାର୍ତ୍ତା ବା ନିଜର ସ୍ଥିତିର ବା ସେବାର ସମାଚାର ପଠାଇଛନ୍ତି ସେଗୁଡିକୁ ବାପଦାଦା
ସ୍ୱୀକାର କରିଛନ୍ତି ଏବଂ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ସମସ୍ତେ ବହୁତ ଉମଙ୍ଗ-ଉତ୍ସାହର ସହିତ ଲେଖି
ପଠାଇଛନ୍ତି । ତେବେ ବାପଦାଦା ସେହି ସମସ୍ତ ପିଲାମାନଙ୍କୁ ଚାହେଁ ବିଦେଶର ହୋଇଥାଆନ୍ତୁ ବା ଦେଶ
ଭିତରର ହୋଇଥାଆନ୍ତୁ ସେମାନଙ୍କର ଶୁଭେଚ୍ଛାବାର୍ତ୍ତାର ପ୍ରତ୍ୟୁତ୍ତରରେ ଆନ୍ତରିକ ଆଶୀର୍ବାଦ ସହିତ
ସ୍ନେହ ଏବଂ ଶକ୍ତିର ସକାଶ ଦେଉଛନ୍ତି । ଆଚ୍ଛା!
ଏବେ ସବୁ କଥା ତ ଶୁଣିଲ
କିନ୍ତୁ ଶୁଣିବାକୁ ଯେପରି ସହଜ ଲାଗୁଛି ସେହିପରି ଶୁଣିବାର ସ୍ଥିତିଠାରୁ ଉର୍ଦ୍ଧ୍ୱରେ ମଧୁର
ଶାନ୍ତିର ସ୍ଥିତି ମଧ୍ୟ ଅନୁଭବ ହେବା ଦରକାର । ଯେବେ ଇଚ୍ଛା, ଯେତେ ସମୟ ଇଚ୍ଛା ସେତେ ସମୟ
ପର୍ଯ୍ୟନ୍ତ ମାଲିକ ସ୍ଥିତିରେ ରହି, ପ୍ରଥମେ ତ ବିଶେଷ କରି ମନର ମାଲିକ ହେବାକୁ ପଡିବ, ସେଥିପାଇଁ
ଗାୟନ ରହିଛି ମନକୁ ଜିତିଲେ ଜଗତକୁ ଜିତିବ ତେଣୁ ଏବେ ଏବେ ଶୁଣିଲ, ଏବେ ଏବେ ଦେଖିଲ ଏବଂ ଏବେ ଏବେ
ଆତ୍ମା ରାଜା ହୋଇ ମନ-ବୁଦ୍ଧି-ସଂସ୍କାରକୁ ନିଜର ଅଧୀନ କରିପାରିବ? ଏବେ ମନ-ବୁଦ୍ଧି-ସଂସ୍କାର
ତିନୋଟି ଯାକର ମାଲିକ ହୋଇ ସେମାନଙ୍କୁ ଆଦେଶ ଦିଅ । ସ୍ୱୀଟ୍ ସାଇଲେନ୍ସ ଅର୍ଥାତ୍ ମଧୁର ଶାନ୍ତିର
ସ୍ଥିତିରେ ସ୍ଥିତ ହୋଇ ଯାଅ, ତା’ପରେ ଅନୁଭବ କର ଯେ ଆଦେଶ କରିବା ପରେ ବା ଅଧିକାରୀ ହେବା ଦ୍ୱାରା
ଏହି ତିନୋଟିଯାକ ଶକ୍ତି ମୋ’ର ଆଦେଶ ମୁତାବକ ଚାଲୁଛନ୍ତି ତ? ତେଣୁ ଏବେ ଏବେ ଅଧିକାରୀ ସ୍ଥିତିରେ
ସ୍ଥିତ ହୋଇଯାଅ । (ବାପଦାଦା ଡ୍ରିଲ୍ କରାଇଲେ) ଆଚ୍ଛା!
ଚାରିଆଡର ସଦା
ସ୍ୱମାନଧାରୀ, ସତ୍ୟତାର ଶକ୍ତିସ୍ୱରୂପ, ପବିତ୍ରତାର ସିଦ୍ଧି ସ୍ୱରୂପ, ସଦା ଅଚଳ-ଅଟଳ ସ୍ଥିତିର
ଅନୁଭବୀ ସ୍ୱପରିର୍ତ୍ତକ ଏବଂ ବିଶ୍ୱ ପରିବର୍ତ୍ତକ, ସର୍ବଦା ନିଜର ଅଧିକାରୀ ସ୍ଥିତି ଦ୍ୱାରା ସର୍ବ
ଆତ୍ମାଙ୍କୁ ବାବାଙ୍କଠାରୁ ଅଧିକାର ପ୍ରାପ୍ତ କରାଉଥିବା ଚାରିଆଡର ବାପଦାଦାଙ୍କର ଭାଗ୍ୟବାନ ଗେହ୍ଲା
ଆତ୍ମାମାନଙ୍କୁ ପରମାତ୍ମା ପିତାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଆନ୍ତରିକ ଆଶୀର୍ବାଦ
ସ୍ୱୀକାର ହେଉ ତା’ ସହିତ ମିଠା ମିଠା ପିଲାମାନଙ୍କୁ ବାପଦାଦାଙ୍କର ନମସ୍ତେ ।
ବରଦାନ:-
ନିଜେ ନିଜକୁ
ପରିବର୍ତ୍ତନ କରି ବିଶ୍ୱର ଆଧାର ମୂରତ ହେଉଥିବା ଶ୍ରେଷ୍ଠ ପଦର ଅଧିକାରୀ ଭବ ।
ଶ୍ରେଷ୍ଠ ପଦ ପାଇବା ପାଇଁ
ବାପଦାଦା ଏହି ଶିକ୍ଷା ଦେଇଛନ୍ତି ଯେ ପିଲାମାନେ - ନିଜକୁ ପରିବର୍ତ୍ତନ କର । ନିଜକୁ ପରିବର୍ତ୍ତନ
କରିବା ପରିବର୍ତ୍ତେ ଯଦି ଅନ୍ୟଆତ୍ମାମାନଙ୍କୁ ବା ପରିସ୍ଥିତିକୁ ପରିବର୍ତ୍ତନ ହେବା ପାଇଁ ଚାହୁଁଛ
ବା ସେହିଭଳି ସଂକଳ୍ପ ଆସୁଛି ଯେ ମୋତେ ଯଦି କିଛି ସାହାଯ୍ୟ ସହଯୋଗ ମିଳିଯାଆନ୍ତା ତେବେ ମୁଁ
ପରିବର୍ତ୍ତନ ହୋଇଯାଆନ୍ତି । ତେବେ ଏହିଭଳି କୌଣସି ଆଧାର ଉପରେ ନିର୍ଭର କରି ପରିବର୍ତ୍ତନ ହେଉଥିବା
ଆତ୍ମାମାନଙ୍କର ପ୍ରାରବ୍ଧ ମଧ୍ୟ କାହାର ଆଧାର ଉପରେ ନିର୍ଭର କରିବ । କାହିଁକି ନା ଏବେ ଯେତେ
ଜଣଙ୍କର ଆଧାର ନେବ ସେହି ଅନୁସାରେ ଭବିଷ୍ୟତର ପ୍ରାରବ୍ଧ ମଧ୍ୟ ଭାଗ ଭାଗ ହୋଇଯିବ, ସେଥିପାଇଁ
ସର୍ବଦା ଏହି ଲକ୍ଷ୍ୟ ରଖ ଯେ ମୋତେ ହିଁ ପରିବର୍ତ୍ତନ ହେବାକୁ ପଡିବ । ମୁଁ ନିଜେ ବିଶ୍ୱର ଆଧାର
ମୂରତ ଅଟେ ।
ସ୍ଲୋଗାନ:-
ସଂଗଠନର
ଉମଙ୍ଗ-ଉତ୍ସାହ ଏବଂ ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ସଫଳତା ସୁନିଶ୍ଚିତ ହୋଇଯାଏ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ । ଯେପରି କେହି ଯଦି ଦୁର୍ବଳ ଥାଏ ତେବେ ତା’
ଭିତରେ ଶକ୍ତି ଭରିବା ପାଇଁ ତାକୁ ଗ୍ଲୁକୋଜ୍ ପିଆଇଥାଆନ୍ତି ସେହିପରି ତୁମେ ଯେତେବେଳେ ନିଜକୁ
ଅଶରୀରୀ ଆତ୍ମା ମନେ କରୁଛ ସେତେବେଳେ ତୁମର ଏହି ସାକ୍ଷୀ ପଣିଆର ସ୍ଥିତି ଆତ୍ମାରେ ଶକ୍ତି ଭରିବାର
କାମ କରିଥାଏ ଏବଂ ଯେତିକି ସମୟ ତୁମର ସାକ୍ଷୀ ସ୍ଥିତି ରହିଥାଏ, ସେତିକି ସମୟ ବାବା ସାଥୀ ରୂପରେ
ସ୍ମୃତିରେ ରହିଥାଆନ୍ତି ଅର୍ଥାତ୍ ସାଥୀରେ ରହିଥାଆନ୍ତି ।