10.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜର
ଉନ୍ନତି ପାଇଁ ପ୍ରତିଦିନ ଚାଲିଚଳନର ଚାର୍ଟ ରଖ, ସାରା ଦିନରେ ଚଳଣି କିପରି ରହିଲା, ଚେକ୍ କର -
ମୁଁ ଯଜ୍ଞ ପ୍ରତି ଇମାନଦାର (ସଚ୍ଚୋଟ) ହୋଇ ରହିଛି ।”
ପ୍ରଶ୍ନ:-
କେଉଁ
ପିଲାମାନଙ୍କ ପ୍ରତି ବାବାଙ୍କର ବହୁତ ସମ୍ମାନ ରହିଛି ଏବଂ ତା’ର ଚିହ୍ନ କ’ଣ?
ଉତ୍ତର:-
ଯେଉଁ ପିଲାମାନେ ବାବାଙ୍କ ସହିତ ସଚ୍ଚା ହୋଇ ରହିଥା’ନ୍ତି, ଯଜ୍ଞ ପ୍ରତି ସଚ୍ଚୋଟ ଅଟନ୍ତି, କିଛି
ବି ଲୁଚାନ୍ତି ନାହିଁ, ସେହି ସନ୍ତାନମାନଙ୍କ ପ୍ରତି ବାବାଙ୍କର ବହୁତ ସମ୍ମାନ ରହିଛି । ସମ୍ମାନ
ଥିବା କାରଣରୁ ସ୍ନେହ ଆଦର କରି ସେମାନଙ୍କୁ ଆଗକୁ ବଢ଼ାଇଥା’ନ୍ତି ଏବଂ ସେବା କରିବା ପାଇଁ ମଧ୍ୟ
ପଠାଇ ଦିଅନ୍ତି । ତେଣୁ ପିଲାମାନଙ୍କୁ ସତ ଶୁଣାଇ ବାବାଙ୍କଠାରୁ ଶ୍ରୀମତ ନେବାର ବୁଦ୍ଧି ରହିବା
ଆବଶ୍ୟକ ।
ଗୀତ:-
ମହଫିଲ୍ ମେଁ ଜଲ
ଉଠି ଶମା...
ଓମ୍ ଶାନ୍ତି ।
ଏବେ ଏହି ଗୀତ ତ
ଭୁଲ୍ ଅଟେ କାହିଁକି ନା ପରମାତ୍ମା ତ ଶମା ଅର୍ଥାତ୍ ଅଗ୍ନିଶିଖା ନୁହଁନ୍ତି । ବାସ୍ତବରେ
ପରମାତ୍ମାଙ୍କୁ ଶମା କୁହାଯାଏ ନାହିଁ । ଭକ୍ତମାନେ ଏହିପରି ଅନେକ ନାମ ରଖିଦେଇଛନ୍ତି । ନ ଜାଣିବା
କାରଣରୁ ମଧ୍ୟ କହୁଛନ୍ତି - ନେତି-ନେତି, ଆମେ କିଛି ଜାଣିନାହୁଁ, କାରଣ ନାସ୍ତିକ ଅଟନ୍ତି । ତଥାପି
ଯାହା ଇଚ୍ଛା ହେଉଛି ତାହା କହିଦେଉଛନ୍ତି । ବ୍ରହ୍ମ, ଶମା, ମାଟି, ଗୋଡ଼ିରେ ମଧ୍ୟ ପରମାତ୍ମା
ଅଛନ୍ତି ବୋଲି କହିଦେଉଛନ୍ତି କାହିଁକିନା ଭକ୍ତିମାର୍ଗରେ କେହି ହେଲେ ବି ବାବାଙ୍କୁ ଯଥାର୍ଥ ଭାବରେ
ଚିହ୍ନି ପାରନ୍ତି ନାହିଁ । ତେଣୁ ବାବାଙ୍କୁ ନିଜେ ହିଁ ଆସି ନିଜର ପରିଚୟ ଦେବାକୁ ପଡେ ।
ଶାସ୍ତ୍ର ଆଦି କେଉଁଥିରେ ମଧ୍ୟ ବାବାଙ୍କର ପରିଚୟ ନାହିଁ ସେଥିପାଇଁ ସେମାନଙ୍କୁ ନାସ୍ତିକ
କୁହାଯାଇଥାଏ । ଏବେ ପିଲାମାନଙ୍କୁ ବାବା ନିଜେ ହିଁ ଆସି ନିଜର ପରିଚୟ ଦେଉଛନ୍ତି । ନିଜକୁ ଆତ୍ମା
ନିଶ୍ଚୟ କରି ବାବାଙ୍କୁ ମନେପକାଇବା, ଏଥିରେ ବହୁତ ବୁଦ୍ଧିର କାମ ରହିଛି । ବର୍ତ୍ତମାନ ଆତ୍ମା
ପଥରବୁଦ୍ଧି ହୋଇଯାଇଛି ଏବଂ ଆତ୍ମାରେ ହିଁ ବୁଦ୍ଧି ରହିଛି । କର୍ମେନ୍ଦ୍ରିୟ ଦ୍ୱାରା ଜଣାପଡ଼ିଥାଏ
- ଆତ୍ମାର ବୁଦ୍ଧି ପାରସ ନା ପଥର ଅଟେ? ତେବେ ସମସ୍ତ ଆଧାର ଆତ୍ମା ଉପରେ ରହିଛି । ମନୁଷ୍ୟ ତ
କହିଦେଉଛନ୍ତି ଆତ୍ମା ହିଁ ପରମାତ୍ମା ଅଟେ । ଆତ୍ମା ତ ନିର୍ଲିପ୍ତ ଅଟେ ତେଣୁ ଯାହା ଚାହୁଁଛ ତାହା
କରିଚାଲ । ମନୁଷ୍ୟ ହୋଇ ମଧ୍ୟ ନିଜର ପିତାଙ୍କୁ ହିଁ ଜାଣିନାହାଁନ୍ତି । ବାବା କହୁଛନ୍ତି ମାୟା
ରାବଣ ସମସ୍ତଙ୍କର ପଥରବୁଦ୍ଧି କରିଦେଇଛି । ଆତ୍ମା ଦିନକୁ ଦିନ ଅଧିକ ତମଃପ୍ରଧାନ ହୋଇଚାଲିଛି ।
ବର୍ତ୍ତମାନ ମାୟାର ଶକ୍ତି ବହୁତ ଅଧିକ ଥିବାରୁ କେହି ସୁଧୁରି ପାରୁ ନାହାଁନ୍ତି । ସେଥିପାଇଁ
ପିଲାମାନଙ୍କୁ ବୁଝାଯାଇଛି ରାତିରେ ଶୋଇବା ପୂର୍ବରୁ ସାରା ଦିନର ହିସାବ-କିତାବ ବାହାର କର - କ’ଣ
କ’ଣ କରିଛି? ମୁଁ ଦେବତାମାନଙ୍କ ସଦୃଶ ଭୋଜନ କରିଛି? ମର୍ଯ୍ୟାଦା ଅନୁସାରେ ଚଳଣି ଥିଲା ନା
ନିର୍ବୋଧଙ୍କ ଭଳି? ପ୍ରତ୍ୟହ ନିଜର ଚାର୍ଟ ନ ଲେଖିଲେ ତୁମର ଉନ୍ନତି କେବେ ହେଲେ ହେବ ନାହିଁ ।
ବହୁତଙ୍କୁ ମାୟା ଚାପୁଡ଼ା ଲଗାଇ ଦେଉଛି । ଲେଖୁଛନ୍ତି କି ଆଜି ମୋର ବୁଦ୍ଧିଯୋଗ ଅମୁକ
ବ୍ୟକ୍ତିଙ୍କର ନାମ ରୂପରେ ଆକୃଷ୍ଟ ହେଲା, ଆଜି ଏହି ପାପ କର୍ମ ହେଲା । କୋଟିକରେ ଗୋଟିଏ ଏହିପରି
ସତ୍ୟ ଲେଖିଥା’ନ୍ତି । ବାବା କହୁଛନ୍ତି ମୁଁ ଯେମିତି ଏବଂ ଯେପରି ଅଟେ ସେହିପରି ମୋତେ ବିଲ୍କୁଲ୍
କେହି ବି ଜାଣିନାହାଁନ୍ତି । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେପକାଅ ତେବେ ଯାଇ କିଛି ହେଲେ
ବୁଦ୍ଧିରେ ରହିବ । ବାବା କହୁଛନ୍ତି ଯଦିଓ ଭଲ ଭଲ ସନ୍ତାନମାନେ ରହିଛନ୍ତି, ବହୁତ ଭଲ ଜ୍ଞାନ
ଶୁଣାଉଛନ୍ତି କିନ୍ତୁ ଯୋଗ କିଛି ହେଲେ ନାହିଁ । ବାବାଙ୍କର ସମ୍ପୂର୍ଣ୍ଣ ପରିଚୟ ମଧ୍ୟ ତାଙ୍କଠାରେ
ନାହିଁ । ନିଜେ ବୁଝିପାରୁନାହାଁନ୍ତି ସେଥିପାଇଁ କାହାକୁ ବୁଝାଇ ପାରୁନାହାଁନ୍ତି । ସାରା ଦୁନିଆର
ମନୁଷ୍ୟ ମାତ୍ରକେ ରଚୟିତା ଏବଂ ରଚନାକୁ ବିଲ୍କୁଲ୍ ଜାଣିନାହାଁନ୍ତି, ଅର୍ଥାତ୍ କିଛି
ଜାଣିନାହାଁନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏଭଳି ପୁଣି ବି ହେବ । ୫ ହଜାର
ବର୍ଷ ପରେ ପୁଣି ଏହି ସମୟ ଆସିବ ଏବଂ ମୋତେ ପୁଣି ଆସି ବୁଝାଇବାକୁ ପଡ଼ିବ । ସାରା ବିଶ୍ୱର ରାଜତ୍ତ୍ୱ
ନେବା କିଛି କମ୍ କଥା ନୁହେଁ । ସେଥିପାଇଁ ବହୁତ ମେହେନତ କରିବାକୁ ହେବ । ମାୟା ଭଲ ରୂପେ ଆକ୍ରମଣ
କରୁଛି, ବହୁତ ବଡ ଯୁଦ୍ଧ ଚାଲୁଛି । ବକ୍ସିଙ୍ଗ୍ (ମୁଷ୍ଟିଯୁଦ୍ଧ) ହେଉଛି ନା । ଯେଉଁମାନେ ବହୁତ
ହୁସିଆର ହୋଇଥା’ନ୍ତି, ସେମାନଙ୍କର ହିଁ ମାୟା ସହିତ ବକ୍ସିଙ୍ଗ୍ ଚାଲିଥାଏ । ତଥାପି ବି ଜଣେ
ଦୁଇଜଣଙ୍କୁ ବେହୋସ୍ କରିଦେଉଛି ନା । କହୁଛନ୍ତି ବାବା ମାୟାର ବହୁତ ତୋଫାନ ଆସୁଛି, ଏପରି ସବୁ
ହେଉଛି । ପୁଣି ବହୁତ କମ୍ ପିଲା ଅଛନ୍ତି ଯେଉଁମାନେ ସତ୍ୟ କଥା ଲେଖିଥାନ୍ତି । ବହୁତ ଅଛନ୍ତି
ଯେଉଁମାନେ ଲୁଚାଉଛନ୍ତି । ବୁଝିପାରୁନାହାଁନ୍ତି ଯେ ମୋତେ କିପରି ବାବାଙ୍କୁ ସତ୍ୟ ଶୁଣାଇବାକୁ
ହେବ? କେଉଁ ଶ୍ରୀମତ ନେବାକୁ ହେବ? ବର୍ଣ୍ଣନା କରିପାରୁ ନାହାଁନ୍ତି । ବାବା ଜାଣିଛନ୍ତି ମାୟା
ବହୁତ ପ୍ରବଳ । ସତ୍ୟ କହିବାରେ ବହୁତ ଲଜ୍ଜା ଆସିଥାଏ, ତାଙ୍କ ଦ୍ୱାରା ଏପରି କର୍ମ ହୋଇଯାଇଥାଏ
ଯାହାକି କହିବାକୁ ଲଜ୍ଜା ଲାଗିଥାଏ । ବାବା ତ ବହୁତ ରିଗାର୍ଡ (ସମ୍ମାନ) ଦେଇ ଆଗକୁ ବଢ଼ାଉଛନ୍ତି ।
ଇଏ ବହୁତ ଭଲ, ଏହାଙ୍କୁ ଅଲ୍ରାଉଣ୍ଡ (ସବୁପ୍ରକାର) ସେବା ପାଇଁ ପଠାଇ ଦେବି । ବାସ୍ ଦେହ ଅହଂକାର
ଆସିଗଲା, ମାୟାର ଚାପୁଡ଼ା ଖାଇଲେ ଏବଂ ତଳକୁ ଖସିଲେ । ବାବା ତ ଆଗକୁ ବଢ଼ାଇବା ପାଇଁ ମହିମା ଅର୍ଥାତ୍
ପ୍ରଶଂସା ମଧ୍ୟ କରୁଛନ୍ତି । ସ୍ନେହ ଦେଇ ଆଗକୁ ବଢାଉଛନ୍ତି । ତୁମେ ତ ବହୁତ ଭଲ । ସ୍ଥୂଳ ସେବା
ମଧ୍ୟ ବହୁତ ଭଲ କରୁଛ । କିନ୍ତୁ ଯଥାର୍ଥ ଭାବରେ ବାବା ବତାଉଛନ୍ତି ଯେ ଲକ୍ଷ୍ୟ ବହୁତ ଉଚ୍ଚ ଅଟେ ।
ଦେହ ଏବଂ ଦେହର ସମ୍ବନ୍ଧକୁ ଛାଡ଼ି ନିଜକୁ ଅଶରୀରୀ ଆତ୍ମା ଭାବିବା - ଏହି ପୁରୁଷାର୍ଥ କରିବା ହେଉଛି
ବୁଦ୍ଧିର କାମ । ବର୍ତ୍ତମାନ ସମସ୍ତେ ପୁରୁଷାର୍ଥୀ ଅଟନ୍ତି । କେତେ ବଡ଼ ରାଜତ୍ତ୍ୱର ସ୍ଥାପନା
ହେଉଛି । ସମସ୍ତେ ବାବାଙ୍କର ସନ୍ତାନ ଅଟନ୍ତି, ବିଦ୍ୟାର୍ଥୀ ଅଟନ୍ତି ଏବଂ ଅନୁଗାମୀ ମଧ୍ୟ ଅଟନ୍ତି
। ଇଏ ସାରା ଦୁନିଆର ପିତା ଅଟନ୍ତି । ସମସ୍ତେ ସେହି ଜଣଙ୍କୁ ହିଁ ଡାକୁଛନ୍ତି । ସେ ନିଜେ ଆସି
ପିଲାମାନଙ୍କୁ ବୁଝାଉଛନ୍ତି । କିନ୍ତୁ ତାଙ୍କୁ ସେତିକି ସମ୍ମାନ ଦେଉ ନାହାଁନ୍ତି । ଦୁନିଆର ଯଦି
କେହି ବଡ଼ ବଡ ଲୋକ ଆସିଥା’ନ୍ତି, ତେବେ କେତେ ସମ୍ମାନର ସହିତ ତାଙ୍କର ଦାୟିତ୍ୱ ନେଇଥା’ନ୍ତି ।
ସେମାନଙ୍କର କେତେ ଆକର୍ଷଣ ରହିଥାଏ । ବର୍ତ୍ତମାନ ତ ସମସ୍ତେ ପତିତ ହୋଇଯାଇଛନ୍ତି । କିନ୍ତୁ ନିଜକୁ
ଏପରି ଭାବୁନାହାଁନ୍ତି । ମାୟା ବିଲ୍କୁଲ୍ ହିଁ ତୁଚ୍ଛ ବୁଦ୍ଧି କରି ଦେଇଛି । କହିଦେଉଛନ୍ତି
ସତ୍ୟଯୁଗର ଆୟୁଷ ଏତେ ଲମ୍ବା, ସେଥିପାଇଁ ବାବା କହୁଛନ୍ତି - ସମସ୍ତେ ୧୦୦ ଶତକଡ଼ା ଅଜ୍ଞାନୀ ହୋଇଗଲେ
ନା । ମନୁଷ୍ୟ ହୋଇ କି କି କାମ ସବୁ କରୁଛନ୍ତି । ୫ ହଜାର ବର୍ଷର କଥାକୁ ଲକ୍ଷ ଲକ୍ଷ ବର୍ଷ
କହିଦେଉଛନ୍ତି! ଏକଥା ମଧ୍ୟ ବାବା ଆସି ବୁଝାଉଛନ୍ତି । ୫ ହଜାର ବର୍ଷ ପୂର୍ବରୁ ଏହି
ଲକ୍ଷ୍ମୀ-ନରାୟଣଙ୍କର ରାଜ୍ୟ ଥିଲା । ଏମାନେ ଦୈବୀ ଗୁଣଧାରୀ ମନୁଷ୍ୟ ଥିଲେ ସେଥିପାଇଁ ତାଙ୍କୁ
ଦେବତା କୁହାଯାଉଥିଲା, ଆସୁରୀ ଗୁଣଧାରୀମାନଙ୍କୁ ଅସୁର କୁହାଯାଉଥିଲା । ଅସୁର ଏବଂ ଦେବତାମାନଙ୍କ
ଭିତରେ ରାତି-ଦିନର ଫରକ ରହିଛି । କେତେ ଲଢେଇ ଝଗଡ଼ା ଇତ୍ୟାଦି ହେଉଛି । ସେଥିପାଇଁ ଖୁବ୍
ପ୍ରସ୍ତୁତି ଚାଲିଛି । ଏହି ଯଜ୍ଞରେ ସମଗ୍ର ଦୁନିଆ ସ୍ୱାହା ହେବାକୁ ଯାଉଛି । ଏଥିପାଇଁ ଏହି ସବୁ
ପ୍ରସ୍ତୁତି ଆବଶ୍ୟକ ନା । ଥରେ ବୋମା ତିଆରି ହୋଇଗଲା ତେବେ ଆଉ ବନ୍ଦ ହୋଇପାରିବ ନାହିଁ । ଅଳ୍ପ
ସମୟ ଭିତରେ ସମସ୍ତଙ୍କ ପାଖରେ ଢ଼େର ବୋମା ପ୍ରସ୍ତୁତ ହୋଇଯିବ, କାହିଁକି ନା ବିନାଶ ତ ଫଟାଫଟ୍ ହେବା
ଦରକାର ନା । ପୁଣି ଡାକ୍ତରଖାନା ଆଦି ରହିବ ନାହିଁ । କାହାକୁ ଜଣା ମଧ୍ୟ ପଡିବ ନାହିଁ । ଏହା
କୌଣସି ମାଉସୀ ଘର କଥା ନୁହେଁ । ବିନାଶର ସାକ୍ଷାତ୍କାର କରିବା କିଛି ସାଧାରଣ କଥା ନୁହେଁ । ସାରା
ଦୁନିଆର ଅଗ୍ନିକାଣ୍ଡ ତୁମେ ଏହି ଆଖିରେ ଦେଖିବ! ସାକ୍ଷାତ୍କାର ହୋଇଥାଏ - ଚାରିଆଡ଼େ କେବଳ ନିଆଁ
ହିଁ ନିଆଁ । ସାରା ଦୁନିଆ ସମାପ୍ତ ହୋଇଯିବ । କେତେ ବଡ଼ ଦୁନିଆ । ଆକାଶରେ ତ ନିଆଁ ଲାଗିବ ନାହିଁ
। ଏହିଠାରେ ଯାହା କିଛି ବି ଅଛି ସବୁର ବିନାଶ ହୋଇଯିବ । ସତ୍ୟଯୁଗ ଏବଂ କଳିଯୁଗ ମଧ୍ୟରେ ରାତି
ଦିନର ଫରକ ରହିଛି । ଏଠାରେ କେତେ ସଂଖ୍ୟାରେ ମନୁଷ୍ୟ ଅଛନ୍ତି, ଜୀବଜନ୍ତୁ ଓ ସାମଗ୍ରୀମାନ ରହିଛି
। ଏହା ମଧ୍ୟ ପିଲାମାନଙ୍କ ବୁଦ୍ଧିରେ ମୁସ୍କିଲ୍ରେ ଧାରଣ ହେଉଛି । ବିଚାର କର - ଏହା ୫ ହଜାର
ବର୍ଷର କଥା । ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା ନା! କେତେ ଅଳ୍ପ ମନୁଷ୍ୟ ଥିଲେ । ଏବେ କେତେ
ମନୁଷ୍ୟ ଅଛନ୍ତି । ବର୍ତ୍ତମାନ ହେଉଛି କଳିଯୁଗ, ଏହାର ବିନାଶ ନିଶ୍ଚୟ ହେବ ।
ଏବେ ବାବା ଆତ୍ମାମାନଙ୍କୁ
କହୁଛନ୍ତି ମୋତେ ହିଁ ମନେ ପକାଅ କିନ୍ତୁ ତାଙ୍କୁ ଭଲ ଭାବରେ ଜାଣି ମନେପକାଇବାକୁ ହେବ । ଏପରି ତ
ବହୁତ ଲୋକ ଶିବ ଶିବ କହୁଛନ୍ତି । ଛୋଟପିଲାମାନେ ମଧ୍ୟ କହି ଦେଉଛନ୍ତି କିନ୍ତୁ ବୁଦ୍ଧିରେ ଜ୍ଞାନ
କିଛି ନାହିଁ । ଅନୁଭବର ଆଧାରରେ କହୁନାହାଁନ୍ତି ଯେ ସେ ବିନ୍ଦୁ ଅଟନ୍ତି । ମୁଁ ମଧ୍ୟ ସେହିପରି
ସୂକ୍ଷ୍ମ ବିନ୍ଦୁ ଅଟେ । ଏହିପରି ଜ୍ଞାନଯୁକ୍ତ ଭାବରେ ମନେପକାଇବାକୁ ହେବ । ପ୍ରଥମେ ତ ମୁଁ ହେଉଛି
ଆତ୍ମା - ଏ କଥା ପକ୍କା କରି ପୁଣି ବାବାଙ୍କ ପରିଚୟକୁ ବୁଦ୍ଧିରେ ଭଲ ଭାବରେ ଧାରଣ କର ।
ଅନ୍ତର୍ମୁଖୀ ସନ୍ତାନମାନେ ହିଁ ଭଲ ଭାବରେ ବୁଝିପାରିବେ କି ମୁଁ ଆତ୍ମା ବିନ୍ଦୁ ଅଟେ । ମୋ
ଆତ୍ମାକୁ ଏବେ ଜ୍ଞାନ ମିଳୁଛି ଯେ ମୋଠାରେ ୮୪ ଜନ୍ମର ପାର୍ଟ କିପରି ଭରି ହୋଇ ରହିଛି, ପୁଣି କିପରି
ଆତ୍ମା ସତ୍ତ୍ୱପ୍ରଧାନ ହେଉଛି । ଏସବୁ କଥାକୁ ବହୁତ ଅନ୍ତର୍ମୁଖୀ ହୋଇ ବୁଝିବାକୁ ହେବ । ଏଥିରେ
ହିଁ ସମୟ ଲାଗିଥାଏ । ପିଲାମାନେ ଜାଣିଛନ୍ତି ଏହା ହେଉଛି ଆମର ଅନ୍ତିମ ଜନ୍ମ । ଏବେ ଆମେ ଘରକୁ
ଯିବା । ସେଥିପାଇଁ ବୁଦ୍ଧିରେ ପକ୍କା ନିଶ୍ଚୟ ରହିବା ଉଚିତ୍ ଯେ ମୁଁ ଆତ୍ମା ଅଟେ । ଶରୀରର
ଅଭିମାନ କମ୍ ହେଲେ କଥାବାର୍ତ୍ତାରେ ପରିବର୍ତ୍ତନ ଆସିବ । ନଚେତ୍ ଚଳଣି ବିଲ୍କୁଲ୍ ନିକୃଷ୍ଟ
ହୋଇଯାଉଛି କାହିଁକିନା ଶରୀରଠାରୁ ଅଲଗା ହେଉନାହାଁନ୍ତି । ଦେହ ଅଭିମାନରେ ଆସି କିଛି ନା କିଛି
କହିଦେଉଛନ୍ତି । ଯଜ୍ଞ ପ୍ରତି ବହୁତ ସଚ୍ଚୋଟ ରହିବା ଉଚିତ୍ । ଏବେ ତ ବହୁତ ଅଲବେଲା (ଖାମଖିଆଲ୍)
ହେଉଛନ୍ତି । ଖାଦ୍ୟ, ପାନୀୟ, ବାତାବରଣ କିଛି ହେଲେ ସୁଧୁରିନାହିଁ । ସେଥିପାଇଁ ବହୁତ ସମୟ ଦରକାର
। ତେବେ ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କୁ ହିଁ ବାବା ମନେପକାଇଥା’ନ୍ତି ଏବଂ ପଦ ମଧ୍ୟ ସେହିମାନେ
ପାଇଥାଆନ୍ତି । ଅଯଥାରେ ଏପରି ନିଜକୁ ଖୁସି କରିବା, ଏହା ତ ଚଣା ଚୋବାଇବା ସହିତ ସମାନ ହୋଇଗଲା ।
ଏଥିରେ ବହୁତ ଅନ୍ତର୍ମୁଖତା ଆବଶ୍ୟକ । ବୁଝାଇବା ପାଇଁ ମଧ୍ୟ ଯୁକ୍ତି ଦରକାର । ପ୍ରଦର୍ଶନୀରେ କେହି
ହେଲେ ଯଥାର୍ଥ ଭାବରେ ବୁଝାଉନାହାଁନ୍ତି । ସେବା ପାଇଁ ସେମାନେ କେବଳ କହିଦେଉଛନ୍ତି ଯେ ତୁମ କଥା
ସବୁ ଠିକ୍ । ଏଠାରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । କେବଳ ନିଶ୍ଚୟ ରହିଛି ଯେ ଆମେ ବାବାଙ୍କର
ସନ୍ତାନ ହୋଇଛୁ, ବାବାଙ୍କଠାରୁ ସ୍ୱର୍ଗର ବର୍ସା (ସମ୍ପତ୍ତି) ମିଳୁଛି । ଆମର ଧନ୍ଦା ହେଲା ଆମକୁ
ବାବାଙ୍କର ପୂରା ସେବା କରିବା ଦରକାର । ସାରା ଦିନ ବିଚାର ସାଗର ମନ୍ଥନ ଚାଲିଥିବ । ଏହି
ବ୍ରହ୍ମାବାବା ମଧ୍ୟ ବିଚାର ସାଗର ମନ୍ଥନ କରୁଥିବେ ନା । ନଚେତ୍ ଇଏ ଉଚ୍ଚପଦ କିପରି ପାଇ ପାରିବେ!
ପିଲାମାନଙ୍କୁ ଉଭୟ ବ୍ରହ୍ମାବାବା ଓ ଶିବବାବା ଏକତ୍ର ବୁଝାଉଛନ୍ତି । ବ୍ରହ୍ମାବାବାଙ୍କୁ ଦୁଇଟି
ଇଞ୍ଜିନ୍ ମିଳିଛି କାହିଁକିନା ବହୁତ ଉଚ୍ଚକୁ ଚଢ଼ିବାର ଅଛି ନା । ଯେପରି ପାହାଡ଼ ଉପରକୁ ଚଢିବା ପାଇଁ
ହେଲେ ଗାଡ଼ିରେ ଦୁଇଟି ଇଞ୍ଜିନ୍ ଲଗାଇଥାନ୍ତି । କେବେ କେବେ ଚାଲୁ ଚାଲୁ ଗାଡ଼ି ଛିଡ଼ା ହୋଇ ପୁଣି
ତଳକୁ ଖସିଆସେ । ଆମ ପିଲାମାନଙ୍କର ମଧ୍ୟ ଏହିପରି ଅବସ୍ଥା ହେଉଛି । ଚଢ଼ୁ-ଚଢୁ, ମେହନତ କରୁ କରୁ
ଆଉ ଉଚ୍ଚକୁ ଚଢ଼ି ପାରୁନାହାଁନ୍ତି । ମାୟାର ଗ୍ରହଣ ବା ତୋଫାନ ଲାଗିବା ଦ୍ୱାରା ଏକଦମ୍ ତଳକୁ
ଖସିପଡ଼ି ଖଣ୍ଡ-ଖଣ୍ଡ ହୋଇଯାଉଛନ୍ତି । ଟିକିଏ ସେବା କରିଲେ ଅହଂକାର ଆସିଯାଇଥାଏ ଏବଂ ତଳକୁ
ପଡ଼ିଯାଇଥା’ନ୍ତି । ବୁଝୁନାହାଁନ୍ତି ଯେ ଇଏ ପିତା ଅଟନ୍ତି, ତା’ ସହ ପୁଣି ଧର୍ମରାଜ ମଧ୍ୟ ଅଟନ୍ତି
। ଯଦି ଏପରି କିଛି କରିବୁ ତେବେ ଆମକୁ ବହତୁ ଦଣ୍ଡ ଭୋଗିବାକୁ ପଡ଼ିବ । ଏହା ଅପେକ୍ଷା ବାହାରେ
ରହିବା ବହୁତ ଭଲ । ବାବାଙ୍କର ହୋଇ ତାଙ୍କଠାରୁ ସମ୍ପତ୍ତି ନେବା, ମାଉସୀ ଘର କଥା ନୁହେଁ ।
ବାବାଙ୍କର ହୋଇ ପୁଣି ଏପରି ଭୁଲ୍ କର୍ମ କରୁଛନ୍ତି ଯାହାଦ୍ୱାରା ବାବାଙ୍କର ନାମ ବଦନାମ
କରିଦେଉଛନ୍ତି, ଯାହା ଫଳରେ ବହୁତ ବଡ ଆଘାତ ଲାଗୁଛି । ଉତ୍ତରାଧୀକାରୀ ହେବା କୌଣସି ମାଉସୀ ଘର କଥା
ନୁହେଁ । ପ୍ରଜାରେ ମଧ୍ୟ କେହି-କେହି ଏତେ ଧନବାନ ହେଉଛନ୍ତି, ସେ କଥା ନ କହିଲେ ଭଲ । ଅଜ୍ଞାନ
କାଳରେ ମଧ୍ୟ କେହି କେହି ବହୁତ ଭଲ ପିଲା ଥା’ନ୍ତି, ତ ଆଉ କେହି ଆଉ କେମିତି ଥା’ନ୍ତି! ଅଯୋଗ୍ୟ
ସନ୍ତାନଙ୍କୁ ତ କୁହାଯାଏ ସାମନାରୁ ହଟିଯାଅ । ଏଠାରେ ତ ଜଣେ ଦୁଇଜଣ ସନ୍ତାନଙ୍କର କଥା ନୁହେଁ ।
ଏହି ମାୟା ମଧ୍ୟ ବହୁତ ଶକ୍ତିଶାଳୀ ଅଟେ । ଏଥିରେ ପିଲାମାନଙ୍କୁ ବହୁତ ଅନ୍ତର୍ମୁଖୀ ହେବାକୁ ପଡ଼ିବ,
ତେବେ ଯାଇ ତୁମେ କାହାକୁ ବୁଝାଇପାରିବ । ତୁମ ଉପରେ ସମର୍ପଣ ହୋଇଯିବେ ଏବଂ ପୁଣି ବହୁତ ପଶ୍ଚାତାପ
ମଧ୍ୟ କରିବେ ଯେ ଆମେ ବାବାଙ୍କୁ ଏତେ ଗାଳି ଦେଇଆସିଛୁ । ଯେଉଁମାନେ ଭଗବାନଙ୍କୁ ସର୍ବବ୍ୟାପୀ
କହୁଛନ୍ତି ଅଥବା ନିଜକୁ ଈଶ୍ୱର କହୁଛନ୍ତି ତାଙ୍କୁ କ’ଣ କମ୍ ଦଣ୍ଡ ମିଳିବ । ଏମିତି କ’ଣ ବିନା
ଦଣ୍ଡରେ ଚାଲିଯିବେ । ସେମାନଙ୍କ ପାଇଁ ତ ଆହୁରି ବିପଦ ରହିଛି । ସମୟ ଆସିଲେ ବାବା ଏ
ସମସ୍ତଙ୍କଠାରୁ ହିସାବ ନେବେ । ମହାବିନାଶ ସମୟରେ ସମସ୍ତଙ୍କର ହିସାବ-କିତାବ ଚୁକ୍ତ ହୋଇଥାଏ ନା,
ଏଥିରେ ବହୁତ ବିଶାଳ ବୁଦ୍ଧି ଦରକାର ।
ମନୁଷ୍ୟମାନଙ୍କୁ ଦେଖ
କାହାକୁ-କାହାକୁ ଶାନ୍ତିର ପୁରସ୍କାର ଦେଉଛନ୍ତି । ତେବେ ବାସ୍ତବରେ ଶାନ୍ତିର ସ୍ଥାପନକର୍ତ୍ତା ତ
କେବଳ ଜଣେ ଅଟନ୍ତି ନା! ପିଲାମାନେ ଲେଖିବା ଉଚିତ୍ - ଦୁନିଆରେ ପବିତ୍ରତା, ଶାନ୍ତି ଏବଂ ସମୃଦ୍ଧି
ଭଗବାନଙ୍କର ଶ୍ରୀମତ ଆଧାରରେ ସ୍ଥାପନ ହେଉଛି । ଶ୍ରୀମତ ତ ପ୍ରସିଦ୍ଧ ଅଟେ । ଶ୍ରୀମତ ଭଗବତ ଗୀତାକୁ
କେତେ ସମ୍ମାନ ଦେଉଛନ୍ତି । କେହି ଯଦି କାହାର ଶାସ୍ତ୍ର ଅଥବା ମନ୍ଦିରକୁ କିଛି କ୍ଷତି
କରିଦେଉଛନ୍ତି ତେବେ କେତେ ଲଢ଼େଇ ଝଗଡା କରୁଛନ୍ତି । ଏବେ ତୁମେ ଜାଣୁଛ ଏହି ସାରା ଦୁନିଆ ଜଳିପୋଡି
ଭସ୍ମ ହୋଇଯିବ । ଏମାନେ ତ ମନ୍ଦିର-ମସ୍ଜିଦ୍ ଆଦିକୁ ଜଳାଇ ଚାଲିବେ । ଏ ସବୁ ହେବା ପୂର୍ବରୁ ଆମକୁ
ପବିତ୍ର ହେବାକୁ ପଡ଼ିବ । ବର୍ତ୍ତମାନ ତୁମର କେବଳ ଏହି ଚିନ୍ତା ଲାଗି ରହିବା ଉଚିତ୍ । ନିଜର ଘର
ସଂସାରର ଦାୟିତ୍ୱ ମଧ୍ୟ ନେବାକୁ ହେବ । ଏଠାକୁ ତ ବହୁତ ସଂଖ୍ୟାରେ ଆସୁଛନ୍ତି । କିନ୍ତୁ ଏଠାରେ
ଛେଳି ସଦୃଶ ତ’ କାହାକୁ ରଖାଯିବ ନାହିଁ ନା କାହିଁକି ନା ଏହା ହେଉଛି ଅମୂଲ୍ୟ ଜୀବନ, ଏହାକୁ ତ
ବହୁତ ଯତ୍ନରେ ରଖିବାକୁ ହେବ । ଛୋଟ ପିଲାମାନଙ୍କୁ ଏଠାକୁ ଆଣିବା ବନ୍ଦ କରିବାକୁ ହେବ । ଏତେ
ପିଲାମାନଙ୍କର ଏତେ ଦାୟିତ୍ୱ କିଏ ନେବ । ପିଲାମାନଙ୍କୁ ଛୁଟି ମିଳିଲେ ଭାବୁଛନ୍ତି ଆଉ କୁଆଡ଼େ ଯିବା,
ଚାଲ ମଧୁବନ ବାବାଙ୍କ ପାଖକୁ ଯିବା । ତେବେ ତ ଏଠାରେ ଯେପରି କି ଧର୍ମଶାଳା ହୋଇଯିବ । ତେବେ ଏହାକୁ
ବିଶ୍ୱ ବିଦ୍ୟାଳୟ କିପରି କୁହାଯିବ! ବାବା ଯାଞ୍ଚ କରୁଛନ୍ତି ପୁଣି କେତେବେଳେ ଆଦେଶ ଦେଇଦେବେ -
କେହି ପିଲାମାନଙ୍କୁ ଆଣନ୍ତୁ ନାହିଁ । ଏହି ବନ୍ଧନ ମଧ୍ୟ କମ୍ ହୋଇଯିବ । ମାତାମାନଙ୍କ ଉପରେ ଦୟା
ଆସୁଛି । ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ଶିବବାବା ତ ହେଉଛନ୍ତି ଗୁପ୍ତ । ଏହାଙ୍କ (ବ୍ରହ୍ମାବାବାଙ୍କ)
ପ୍ରତି ମଧ୍ୟ କାହାର କାହାର ସମ୍ମାନ ରହୁ ନାହିଁ । ଭାବୁଛନ୍ତି ଆମର ତ ଶିବବାବାଙ୍କ ସହିତ
ସମ୍ପର୍କ ରହିଛି । ଏତିକି ମଧ୍ୟ ବୁଝୁନାହାଁନ୍ତି ଯେ - ଶିବବାବା ତ ଏହାଙ୍କ ଦ୍ୱାରା ହିଁ
ବୁଝାଉଛନ୍ତି ନା । ମାୟା ନାକରୁ ଧରି ଓଲଟା କାମ କରାଇ ଦେଉଛି, କାହାକୁ ଛାଡୁ ନାହିଁ । ରାଜଧାନୀରେ
ତ ସବୁ ଦରକାର ନା । ଏହିସବୁର ସାକ୍ଷାତ୍କାର ଶେଷ ସମୟରେ ହେବ । ଦଣ୍ଡର ମଧ୍ୟ ସାକ୍ଷାତ୍କାର
ହେବ । ପିଲାମାନଙ୍କୁ ପୂର୍ବରୁ ମଧ୍ୟ ଏହିସବୁ ସାକ୍ଷାତ୍କାର ହୋଇଛି । ତଥାପି ବି କେହି କେହି
ପାପ କରିବା ଛାଡ଼ୁନାହାଁନ୍ତି । କେତେକ ସନ୍ତାନ ତ ଯେପରି ଗଣ୍ଠି ପକାଇ ଦେଇଛନ୍ତି ଯେ ଆମେ ତୃତୀୟ
ଶ୍ରେଣୀରେ ହିଁ ଆସିବୁ, ସେଥିପାଇଁ ପାପ କରିବା ଛାଡ଼ୁ ନାହାଁନ୍ତି । ଆହୁରି ଭଲ ଭାବରେ ନିଜ ପାଇଁ
ଦଣ୍ଡ ଏକାଠି କରିଛନ୍ତି । ତେବେ ଏ ସବୁ କଥା ବୁଝାଇବାକୁ ତ ପଡ଼ୁଛି ନା । ଏପରି ଗଣ୍ଠି ପକାଅ ନାହିଁ
ଯେ ମୋତେ ତ ତୃତୀୟ ଶ୍ରେଣୀର ହିଁ ହେବାକୁ ହେବ । ବର୍ତ୍ତମାନ ଗଣ୍ଠି ପକାଅ ଅର୍ଥାତ୍ ଦୃଢ ସଂକଳ୍ପ
କର ଯେ ଆମକୁ ଏହିପରି ଲକ୍ଷ୍ମୀ-ନାରାୟଣ ହେବାକୁ ପଡିବ । କେହି କେହି ତ ଭଲ ଭାବରେ ଗଣ୍ଠି
ପକାଉଛନ୍ତି, ଚାର୍ଟ ଲେଖୁଛନ୍ତି ଯେ - ଆଜି ଦିନରେ ମୁଁ କୌଣସି ଭୁଲ୍ କାମ କରିନାହିଁ ତ! ଏହିପରି
ଚାର୍ଟ ମଧ୍ୟ ବହୁତ ରଖୁଥିଲେ, ସେମାନେ ଆଜି ନାହାଁନ୍ତି । ମାୟା ବହୁତଙ୍କୁ ହଇରାଣ କରିଦେଉଛି ।
ଅଧାକଳ୍ପ ମୁଁ ସୁଖ ଦେଉଛି, ତେବେ ମାୟା ପୁଣି ଅଧାକଳ୍ପ ଦୁଃଖ ଦେଉଛି । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅନ୍ତର୍ମୁଖୀ
ହୋଇ ଶରୀରର ଅଭିମାନରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ କରିବାକୁ ହେବ । ଖାଦ୍ୟ-ପାନୀୟ,
ଚାଲି-ଚଳଣିକୁ ସୁଧାରିବାକୁ ପଡ଼ିବ । କେବଳ ନିଜକୁ ଖୁସି କରି ବେପରୁଆ ହେବା ଉଚିତ୍ ନୁହେଁ ।
(୨) ତୁମମାନଙ୍କୁ ବହୁତ
ଉଚ୍ଚକୁ ଚଢ଼ିବାକୁ ହେବ, ସେଥିପାଇଁ ବହୁତ ବହୁତ ସାବଧାନ ହୋଇ ଚାଲିବାକୁ ହେବ । ଯେ କୌଣସି କର୍ମ
ସାବଧାନତା ପୂର୍ବକ କରିବାକୁ ହେବ । କୌଣସି ପ୍ରକାରର ଅହଂକାର କରିବାର ନାହିଁ । ଓଲଟା ସୋଲଟା
କର୍ମ କରି ଦଣ୍ଡକୁ ଆହ୍ୱାନ କରିବାର ନାହିଁ । ପଣତରେ ଗଣ୍ଠି ବାନ୍ଧିବାକୁ ହେବ ଅର୍ଥାତ୍ ଦୃଢ଼
ସଂକଳ୍ପ କରିବାକୁ ହେବ ଯେ ମୋତେ ଏହି ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ ହେବାକୁ ପଡ଼ିବ ।
ବରଦାନ:-
ଆତ୍ମ ଅଭିମାନୀ
ପଣିଆର ଶ୍ରେଷ୍ଠ ସ୍ଥିତି ଦ୍ୱାରା ବାତାବରଣକୁ ଆଧ୍ୟାତ୍ମିକ କରୁଥିବା ସହଜ ପୁରୁଷାର୍ଥୀ ହୁଅ ।
ନିଜର ଆତ୍ମ ଅଭିମାନୀ
ସ୍ଥିତି ଦ୍ୱାରା ସେବାକେନ୍ଦ୍ରର ବାତାବରଣକୁ ଏଭଳି ଆଧ୍ୟାତ୍ମିକ କରିଦିଅ ଯାହାଦ୍ୱାରା ନିଜର ତଥା
ସେଠାକୁ ଆସୁଥିବା ଆତ୍ମା ମାନଙ୍କର ସହଜରେ ଉନ୍ନତି ହୋଇପାରିବ କାହିଁକି ନା ଯେଉଁମାନେ ବି ବାହାରର
ବାତାବରଣରୁ କ୍ଳାନ୍ତ ହୋଇ ସେଠାକୁ ଆସୁଛନ୍ତି ସେମାନଙ୍କୁ କିଛି ଅତିରିକ୍ତ ସହଯୋଗର ଆବଶ୍ୟକତା
ଥାଏ, ସେଥିପାଇଁ ସେମାନଙ୍କୁ ଏକ ଆଧ୍ୟାତ୍ମିକ ବାତାବରଣର ସହଯୋଗ ଦିଅ । ନିଜେ ସହଜ ପୁରୁଷାର୍ଥୀ
ହୁଅ ଏବଂ ଅନ୍ୟମାନଙ୍କୁ କର । ସେଠାକୁ ଆସୁଥିବା ପ୍ରତ୍ୟେକ ଆତ୍ମା ଅନୁଭବ କରନ୍ତୁ ଯେ ଏହି ସ୍ଥାନ
ସହଜରେ ଉନ୍ନତି ପ୍ରାପ୍ତ କରିବାର ସ୍ଥାନ ଅଟେ ।
ସ୍ଲୋଗାନ:-
ବରଦାନୀ ଆତ୍ମା
ହୋଇ ଶୁଭଭାବନା ଏବଂ ଶୁଭକାମନାର ବରଦାନ ଦେଇଚାଲ ।