10.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଆସିଛନ୍ତି ତୁମ ସନ୍ତାନମାନଙ୍କର ଅବିନାଶୀ ଜ୍ଞାନ ରତ୍ନରେ ବୁଦ୍ଧିରୂପୀ ଝୋଲି ଭରିବା ପାଇଁ, ଏହି ଗୋଟିଏ ଗୋଟିଏ ଜ୍ଞାନର ରତ୍ନର ମୂଲ୍ୟ ଲକ୍ଷ-ଲକ୍ଷ ଟଙ୍କା ।”

ପ୍ରଶ୍ନ:-
ଗୁପ୍ତଦାନର ଏତେ ଅଧିକ ମହତ୍ୱ କାହିଁକି ରହିଛି?

ଉତ୍ତର:-
କାହିଁକି ନା ବାବା ଏହି ସମୟରେ ତୁମକୁ ଗୁପ୍ତ ଜ୍ଞାନ ରତ୍ନର ଦାନ ଦେଉଛନ୍ତି, ଏହାକୁ ଦୁନିଆ ଜାଣିନାହିଁ, ପୁଣି ତୁମେମାନେ ଏହି ସବୁ ଜ୍ଞାନରତ୍ନ ଗୁଡିକୁ ଦାନ କରିବା ଦ୍ୱାରା ବିଶ୍ୱର ରାଜତ୍ୱ ପ୍ରାପ୍ତ କରୁଛ । ଏହା ମଧ୍ୟ ଗୁପ୍ତ ଅଟେ, ନା କୌଣସି ଯୁଦ୍ଧ, ନା କୌଣସି ଗୋଳାବାରୁଦ ଆଦି, ନା କୌଣସି ଖର୍ଚ୍ଚ ହେଉଛି । ଗୁପ୍ତ ରୀତିରେ ବାବା ତୁମକୁ ରାଜ୍ୟଭାଗ୍ୟ ଦାନ ଦେଇଛନ୍ତି, ସେଇଥିପାଇଁ ଗୁପ୍ତଦାନର ବହୁତ ମହତ୍ୱ ରହିଛି ।

ଓମ୍ ଶାନ୍ତି ।
ଡବଲ ଓମ୍ ଶାନ୍ତି । ଗୋଟିଏ ଓମ୍ ଶାନ୍ତି ଶିବବାବା କହୁଛନ୍ତି, ଆଉ ଗୋଟିଏ ବ୍ରହ୍ମା ଦାଦା କହୁଛନ୍ତି । ଦୁଇଜଣଙ୍କର ସ୍ୱଧର୍ମ ହେଲା ଶାନ୍ତି । ଦୁଇଜଣଯାକ ଶାନ୍ତିଧାମ ନିବାସୀ ଅଟନ୍ତି । ତୁମେ ସନ୍ତାନମାନେ ମଧ୍ୟ ଶାନ୍ତିଧାମର ନିବାସୀ ଅଟ । ନିରାକାରୀ ଦେଶରେ ରହିଲାବାଲା ସାକାରୀ ଦେଶକୁ ଅଭିନୟ କରିବା ପାଇଁ ଆସିଛ କାରଣ ଏହା ଡ୍ରାମା ଅଟେ ନା । ଉପରୁ ନେଇ ତଳ ପର୍ଯ୍ୟନ୍ତ ତୁମମାନଙ୍କ ବୁଦ୍ଧିରେ ଡ୍ରାମାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଭରି ହୋଇ ରହିଛି । ଉଚ୍ଚରୁ ଉଚ୍ଚ ହେଲେ ଭଗବାନ ତାଙ୍କ ସହିତ ତାଙ୍କର ସନ୍ତାନମାନେ । ଏହିସବୁ କଥାକୁ ଭଲ ଭାବରେ ବୁଝ । ତୁମ ବ୍ୟତୀତ ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ତୁମେ ଈଶ୍ୱରୀୟ ସ୍କୁଲରେ ପାଠ ପଢୁଛ । ଭଗବାନଉବାଚ, ଭଗବାନ ତ ଜଣେ ହିଁ ଅଟନ୍ତି । କୌଣସି ୧୦-୨୦ ଜଣ ଭଗବାନ ନାହାଁନ୍ତି । ଯେତେ ବି ସବୁ ଧର୍ମାବଲମ୍ବୀ ଅଛନ୍ତି, ସେଥିରେ ଯେତେ ଆତ୍ମା ଅଛନ୍ତି, ସମସ୍ତଙ୍କର ପିତା ଜଣେ ହିଁ ଅଟନ୍ତି । ପୁଣି ସେହି ପିତା ଯେତେବେଳେ ସୃଷ୍ଟି ରଚନା କରନ୍ତି, ସେତେବେଳେ ତାଙ୍କୁ କୁହାଯାଏ ପ୍ରଜାପିତା ବ୍ରହ୍ମା । ଶିବଙ୍କୁ ପ୍ରଜାପିତା କୁହାଯିବ ନାହିଁ । ପ୍ରଜା ତ ଜନ୍ମ ମରଣରେ ଆସିଥା’ନ୍ତି । ଆତ୍ମା ସଂସ୍କାର ଆଧାରରେ ଜନ୍ମ ମରଣରେ ଆସିଥାଏ । ପୁଣି ପ୍ରଜାପିତା ବ୍ରହ୍ମା ମଧ୍ୟ ଆବଶ୍ୟକ । ଗାୟନ ରହିଛି - ପରମପିତା ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟିର ରଚନା କରିଥା’ନ୍ତି । ତାଙ୍କୁ ଡାକିଥା’ନ୍ତି ହିଁ ହେ ପତିତ-ପାବନ ଆସ । ଯେତେବେଳେ ଦୁନିଆ ପତିତ ହୋଇଯାଏ ଏବଂ ତାର ଶେଷ ସମୟ ଆସିଯାଏ, ସେତେବେଳେ ହିଁ ବାବା ଆସିଥାନ୍ତି ପତିତରୁ ପାବନ କରିବା ପାଇଁ । ଏବେ ତୁମେ ଜାଣିଗଲଣି - ବାବା କଳ୍ପରେ ଥରେ ମାତ୍ର ଆସିଥା’ନ୍ତି ଆଉ କେବେ ଆସି ହିଁ ନ ଥା’ନ୍ତି । ଏବେ ତୁମକୁ ସାରା ଜ୍ଞାନ ମିଳିଯାଇଛି । ତୁମେମାନେ ଡ୍ରାମାର ଅଭିନେତା ଅଟ ନା । ଡ୍ରାମାର ଅଭିନେତାମାନଙ୍କୁ ସମସ୍ତଙ୍କର ଅଭିନୟ ବିଷୟରେ ଜ୍ଞାନ ରହିବା ଦରକାର ଯେ କ’ଣ-କ’ଣ ଅଭିନୟ ସବୁ ରହିଛି । ସେଗୁଡିକ ହେଲା ଅଳ୍ପ ସମୟର ଛୋଟ ଛୋଟ ପାର୍ଟ (ଡ୍ରାମା), ସେମାନଙ୍କର ଅଭିନୟ ତ ସମସ୍ତଙ୍କୁ ଜଣାପଡିଯାଏ । ତୁମେ ମଧ୍ୟ ଡ୍ରାମା ଦେଖି କରି ଆସୁଛ । ଯଦି ଚାହିଁବ ତେବେ ତାକୁ ଲେଖି ପାରିବ, ମନେ ପକାଇ ପାରିବ । ତାହା ତ ଛୋଟିଆ ଡ୍ରାମା ହୋଇଥାଏ । ଏହା ତ ବହୁତ ବଡ ବେହଦର ଡ୍ରାମା ଅଟେ, ଯାହାକୁ ତୁମେ ସତ୍ୟଯୁଗଠାରୁ ନେଇ କଳିଯୁଗ ଅନ୍ତ ପର୍ଯ୍ୟନ୍ତ ଜାଣିଛ । ଏବେ ତୁମେ ପିଲାମାନେ ଜାଣିଛ ଆମକୁ ବେହଦ ପିତାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି । ପୁଣି ହଦର ପିତାଙ୍କଠାରୁ ହଦର ବର୍ସା, ହଦର ପ୍ରପର୍ଟି ମିଳୁଛି । ବାବା ବୁଝାଇଥିଲେ ଦ୍ୱାପର-କଳିଯୁଗରେ ଯେଉଁମାନେ ରାଜା ହେଉଛନ୍ତି ସେମାନେ ପୂର୍ବ ଜନ୍ମରେ ଦାନପୁଣ୍ୟ ଆଦି କରିବା ଦ୍ୱାରା ଗୋଟିଏ ଜନ୍ମ ପାଇଁ ରାଜା ହୋଇଥାନ୍ତି । ଏପରି ନୁହେଁ ଯେ ସେମାନେ ପରବର୍ତ୍ତୀ ଜନ୍ମରେ ମଧ୍ୟ ରାଜା ହେବେ । ତୁମେମାନେ ଯିଏକି ସତ୍ୟଯୁଗରେ ରାଜା ମହାରାଜା ଥିଲ । ଏପରି ଭାବ ନାହିଁ ଯେ ତୁମର ରାଜତ୍ୱ କୁଆଡେ ଚାଲିଯାଇଥାଏ । ପୁଣି ଯେତେବେଳେ ଭକ୍ତିମାର୍ଗ ଆରମ୍ଭ ହୋଇଥାଏ ସେତେବେଳେ ମଧ୍ୟ ସେମାନେ ଯଦି ଅଧିକ ଦାନପୁଣ୍ୟ କରିଥା’ନ୍ତି, ତେବେ ସେମାନେ ମଧ୍ୟ ରାଜ୍ୟ ଭାଗ୍ୟ ପ୍ରାପ୍ତ କରିଥାନ୍ତି । କିନ୍ତୁ ସେମାନେ ପୁଣି ବିକାରୀ ରାଜା ହୋଇଯାଆନ୍ତି । ତୁମେମାନେ ହିଁ ଯେଉଁମାନେ କି ପୂଜ୍ୟ ଥିଲ ସେହିମାନେ ହିଁ ପୁଣି ପୂଜାରୀ ହୋଇଯାଇଛ । ତଥାପି ବି ସୁଖ ତ ରହିଥାଏ । ଦୁଃଖ ତ କେବଳ ବର୍ତ୍ତମାନ ହିଁ ମିଳୁଛି । ଏବେ ତମୋପ୍ରଧାନ ଅବସ୍ଥାରେ ମଧ୍ୟ ତୁମକୁ ସୁଖ ମିଳୁଛି, ଏଠାରେ କୌଣସି ଲଢେଇ-ଝଗଡାର କଥା ନାହିଁ । ଏସବୁ ତ ପରେ ହୋଇଥାଏ ଯେତେବେଳେ ଲକ୍ଷ-ଲକ୍ଷ ସଂଖ୍ୟାରେ ହୋଇଯାଇଥାଆନ୍ତି ସେତେବେଳେ ଲଢେଇ ଆଦି ଆରମ୍ଭ ହୋଇଯାଇଥାଏ । ତୁମ ସନ୍ତାନମାନଙ୍କୁ ତ ସତ୍ୟଯୁଗ, ତ୍ରେତା, ଦ୍ୱାପରରେ ମଧ୍ୟ ସୁଖ ମିଳିଥାଏ । ଯେତେବେଳେ ତମୋପ୍ରଧାନ ଅବସ୍ଥା ଆରମ୍ଭ ହୋଇଥାଏ, ସେତେବେଳେ କିଛି କିଛି ଦୁଃଖ ଅନୁଭବ ହୋଇଥାଏ । ଏବେ ତ ତମୋପ୍ରଧାନ ଅବସ୍ଥା ହିଁ ଅଟେ । ବାବା ବୁଝାଉଛନ୍ତି ଏହା ତ ତମୋପ୍ରଧାନ ଦୁନିଆ । ତୁମେ ଜାଣିଛ ଏହା ବେହଦର ଡ୍ରାମା ଅଟେ, ଏଥିରୁ କେହି ବି ମୁକୁଳି ପାରିବେ ନାହିଁ । ମନୁଷ୍ୟ ଯେତେବେଳେ ଦୁଃଖରେ ବିବ୍ରତ ହୋଇଯାଆନ୍ତି ସେତେବେଳେ କହିଥାଆନ୍ତି ଭଗବାନ ଏପରି ଖେଳ କାହିଁକି ରଚନା କରିଛନ୍ତି । ଯଦି ଭଗବାନ ରଚନା କରି ନ ଥାନ୍ତେ ତେବେ ଦୁନିଆ ହିଁ ନ ଥାନ୍ତା । କିଛି ବି ନ ଥାଆନ୍ତା । ରଚୟିତା ଏବଂ ରଚନା ତ ଅଛନ୍ତି ନା । ସେ ବିଷୟରେ ବିସ୍ତୃତ ଜ୍ଞାନ ମଧ୍ୟ ରହିଛି, ସତ୍ୟଯୁଗ ଠାରୁ ନେଇ କଳିଯୁଗ ଅନ୍ତ ପର୍ଯ୍ୟନ୍ତ ଆଉ ଅଳ୍ପ ଦିନ ବାକି ଅଛି । ତୁମେମାନେ ମଧ୍ୟ ବାସ୍ତବରେ ଦେଖିବ । ସମୟ ପୂର୍ବରୁ ତ ଦେଖାଇବି ନାହିଁ । ୫ ହଜାର ବର୍ଷର ଚକ୍ର ଶେଷ ହେବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି । ସେତେବେଳର ଦୃଶ୍ୟ ଏବେଠାରୁ ତ ଦେଖିବାକୁ ଦିଆଯିବ ନାହିଁ, ଯେତେବେଳେ ହେବ ସେତେବେଳେ ତାକୁ ସାକ୍ଷୀ ହୋଇ ଦେଖିବ । ଯାହା ହେବାର ଅଛି ତାହା କଳ୍ପ ପୂର୍ବ ସଦୃଶ ହେବ । ଏହା ତ ତୁମେ ଦେଖୁଛ ଯେ କିପରି ସବୁ ପ୍ରସ୍ତୁତି ଚାଲିଛି । ବିନାଶ ତ ନିଶ୍ଚିତ ହେବ । ସବୁ ପ୍ରକାରର ପ୍ରସ୍ତୁତି ଚାଲିଛି । ସେଗୁଡିକ ପ୍ରଥମରୁ ହିଁ ଡ୍ରାମାରେ ନିଧାର୍ଯ୍ୟ ରହିଛି । ବିନାଶ ନିଶ୍ଚିତ ହେବ । ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି - ତୁମମାନଙ୍କର ଆତ୍ମା ଯାହାକି ତମୋପ୍ରଧାନ ହୋଇଯାଇଛି, ତାକୁ ମଧ୍ୟ ଏହିଠାରେ ସତ୍ତ୍ୱପ୍ରଧାନ କରିବାକୁ ହେବ । ଏକଥା ତୁମେ ବର୍ତ୍ତମାନ ବୁଝୁଛ ।

ବାବା ଗୁପ୍ତ ରୂପରେ ଆସୁଛନ୍ତି ଗୁପ୍ତ ରୂପରେ ହିଁ ତୁମକୁ ଜ୍ଞାନ ଦେଉଛନ୍ତି । ଦୁନିଆରେ କେହି ଏକଥା ଜାଣିନାହାଁନ୍ତି । ଗୁପ୍ତ ରୀତିରେ ବିଶ୍ୱର ରାଜ୍ୟ ନେଉଛ, ସେଥିରେ କୌଣସି ପ୍ରକାରର ଗଣ୍ଡଗୋଳ ହେଉନାହିଁ । ବିଲକୁଲ୍ ହିଁ ଗୁପ୍ତ ଦାନ କୁହାଯାଏ ନା । ବାବା ଆସି ପିଲାମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନର ଗୁପ୍ତ ଦାନ ଦେଉଛନ୍ତି, ବାବା ମଧ୍ୟ କେତେ ଗୁପ୍ତ ଅଟନ୍ତି, ତାଙ୍କୁ କେହି ଜାଣିନାହାଁନ୍ତି । ଏମାନେ ସବୁ କୁଆଡେ ଯାଉଛନ୍ତି, ବ୍ରହ୍ମାକୁମାର-କୁମାରୀମାନେ କ’ଣ କରୁଛନ୍ତି କେହି କିଛି ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣିଛ ବାବା କେତେ ଗୁପ୍ତ ଅଟନ୍ତି । ତୁମ ସନ୍ତାନମାନଙ୍କୁ ଗୁପ୍ତରେ ବିଶ୍ୱର ମାଲିକ କରୁଛନ୍ତି । ନା କୌଣସି ଲଢେଇ, ନା କୌଣସି ଗୋଳା ବାରୁଦ, ନା କୌଣସି ଖର୍ଚ୍ଚ । ଏଠାରେ ତ ଗୋଟିଏ ଛୋଟ ଗାଁ କୁ ଦଖଲ କରିବା ପାଇଁ ହିଁ କେତେ ଝଗଡା, ମାଡଗୋଳ ହୋଇଯାଉଛି । ତେବେ ବାବା ଆସି ଗୁପ୍ତ ଦାନ ଦେଉଛନ୍ତି । ଅବିନାଶୀ ଜ୍ଞାନରତ୍ନରେ ତୁମର ଝୋଲୀ ଭରି ଦେଉଛନ୍ତି । କହୁଛନ୍ତି ହେ ଶିବ ଭୋଳାଭଣ୍ଡାରୀ ଆମର ଝୋଲୀ ଭରିଦିଅ ।

ତୁମେ ଜାଣିଛ ଶିବବାବା ଆମର ଅବିନାଶୀ ଜ୍ଞାନ ରତ୍ନରେ ବୁଦ୍ଧିରୂପୀ ଝୁଲାମୁଣୀ ଭରି ଦେଉଛନ୍ତି । ତେବେ ଗୋଟିଏ ଗୋଟିଏ ରତ୍ନ ଲକ୍ଷ-ଲକ୍ଷ ଟଙ୍କାର ମୂଲ୍ୟ ଅଟେ । ତୁମେ କେତେ ରତ୍ନ ଦାନ କରୁଛ । ପୁଣି ତୁମେମାନେ କେତେ ଦାନୀ ହେଉଛ । ତାହା ମଧ୍ୟ ଗୁପ୍ତ ଅଟେ । ଦେବତାମାନଙ୍କୁ କେତେ ଅସ୍ତ୍ର-ଶସ୍ତ୍ର, କେତେ ଭୂଜା ସବୁ ଦେଇଦେଇଛନ୍ତି । ବାସ୍ତବରେ ସେସବୁ କିଛି ବି ନାହିଁ । ସତ୍ୟଯୁଗରେ ଦେବତାମାନଙ୍କର ଏତେ ଗୁଡିଏ ହାତ ତ ନ ଥାଏ । କଳିଯୁଗରେ କେତେ ପ୍ରକାରର ଅସ୍ତ୍ର-ଶସ୍ତ୍ର ଦେଇ ଦେଇଛନ୍ତି । ବିନାଶ ପାଇଁ ତ ବମ୍ ସବୁ ଅଛି ତେବେ ପୁଣି ଖଣ୍ଡା, ଧନୁଶର ଆଦି କ’ଣ କରିବେ । ତୁମେ କହୁଛ ଜ୍ଞାନର ଖଡ୍‌ଗ, ଜ୍ଞାନର ତରବାରୀ ତେଣୁ ସେମାନେ ଏହାକୁ ଅସ୍ତ୍ର-ଶସ୍ତ୍ର ବୋଲି ବୁଝି ନେଇଛନ୍ତି । ବାସ୍ତବରେ ସେସବୁ କିଛି ବି ନୁହେଁ । ତୁମକୁ ତ ଗୁପ୍ତ ଦାନ ମିଳୁଛି । ପୁଣି ତୁମେ ସମସ୍ତଙ୍କୁ ଗୁପ୍ତଦାନ ଦେଉଛ । ତୁମେ ଜାଣିଛ ବାବା ଆମକୁ ଶ୍ରୀମତ ଦେଉଛନ୍ତି, ଶ୍ରୀମତ କେବଳ ଭଗବାନଙ୍କର ହିଁ ଅଟେ । ତୁମେ ଜାଣିଛ ଆମେ ନରରୁ ନାରାୟଣ ହେବା ପାଇଁ ଆସିଛୁ । ତାଙ୍କୁ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ଦୈବୀଗୁଣଧାରୀ କୁହାଯାଏ । ଦୈବୀଗୁଣ କେବଳ ସେହି ଦେବୀ-ଦେବତାମାନଙ୍କ ପାଖରେ ଥାଏ, ପୁଣି ଧୀରେ ଧୀରେ କଳା କମି କମିଯାଏ । ଯେପରି ପୂର୍ଣ୍ଣ ଚନ୍ଦ୍ରମାର ଆଲୋକ ବହୁତ ଭଲ ଥାଏ ପୁଣି ଧୀରେ ଧୀରେ କମିଯାଏ । କମି କମି ଚାଲିଥାଏ । ବାକି ଏକଦମ୍ ପତଳା ରେଖା ସଦୃଶ ରହିଥାଏ । ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଏ ନାହିଁ । ଗାର ଭଳି ନିଶ୍ଚିତ ରହିଥାଏ ଯାହାକୁ ଅମାବାସ୍ୟା କୁହାଯାଏ । ଏବେ ତୁମର ହେଲା ବେହଦର କଥା । ତୁମେ ୧୬ କଳା ସମ୍ପୂର୍ଣ୍ଣ ହେଉଛ । ଦେଖାଉଛନ୍ତି କୃଷ୍ଣଙ୍କ ମୁଖରେ ମାତାମାନେ ଚନ୍ଦ୍ରମା ଦେଖିଥିଲେ । ଏସବୁ ହେଲା ସାକ୍ଷାତ୍‌କାରର କଥା, ଯାହାର ଜ୍ଞାନ ବାବା ଆସିଦେଉଛନ୍ତି । ଏବେ ତୁମକୁ ସମ୍ପୂର୍ଣ୍ଣ ହେବାର ଅଛି । ମାୟାର ସମ୍ପୂର୍ଣ୍ଣ ଗ୍ରହଣ ଲାଗିଯାଇଛି । ବାକି ଯାଇ ଧାରଟିଏ ରହିଥାଏ, ସିଢିରେ ଖସି ଖସି ଆସିଛ । ବାକି ସିଢିରେ ଖସିବାକୁ ହେବ, ତେବେ ଯାଇ ପୁଣି ସମସ୍ତଙ୍କୁ ଫେରିଯିବାକୁ ହେବ । ତୁମେ ତ ଏବେ ଅଳ୍ପ ସଂଖ୍ୟାରେ ଅଛ । ଆସ୍ତେ ଆସ୍ତେ ତୁମର ବୃଦ୍ଧି ହେବ । ପାଠପଢାରେ ବହୁତ ପିଲା ପାସ୍ ହୋଇ ନ ଥା’ନ୍ତି । ତୁମର ସେଣ୍ଟର ଗୁଡିକ ମଧ୍ୟ ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ କରି ଚାଲିଛନ୍ତି, ଯେତେବେଳେ ସମୟ ନିକଟତର ହୋଇଯିବ ସେତେବେଳେ ଯାଇ ବୁଝିବେ ଏମାନଙ୍କ ପାଖରେ କ’ଣ ଅଛି ଯେ ଦିନକୁ ଦିନ ବୃଦ୍ଧି ପ୍ରାପ୍ତ ହୋଇ ଚାଲିଛି । ଏବେ କହୁଛନ୍ତି ଆମେ ଭାବିଥିଲୁ ଏମାନଙ୍କ ସଂସ୍ଥା ଆଉ କେତେ ଦିନ ପର୍ଯ୍ୟନ୍ତ ଚାଲିବ, ବନ୍ଦ ହୋଇଯିବ । ଆରମ୍ଭ ସମୟରେ ଏହି ଭୟରେ ବହୁତ ପିଲା ପଳାଇଗଲେ । କିଏ ଜାଣେ କ’ଣ ହେବ! ନା ଏଠିକାର ହେବୁ, ନା ସେଠିକାର ହେବୁ, ଏହା ଅପେକ୍ଷା ପଳାଇ ଯିବା ଭଲ । ସେତେବେଳେ ଚାଲିଗଲେ ପୁଣି ସେମାନଙ୍କ ଭିତରୁ କେହି କେହି ଏବେ ଆସୁଛନ୍ତି । ବାବା ଆସି କେତେ ସହଜ ରୀତିରେ ବୁଝାଉଛନ୍ତି । ଏହି ଅବଳାମାନଙ୍କୁ, ଅହଲ୍ୟାମାନଙ୍କୁ କୌଣସି କଷ୍ଟ ଦେଉ ନାହାଁନ୍ତି । ଏମାନଙ୍କର ମଧ୍ୟ ଉଦ୍ଧାର ତ ହେବାର ଅଛି ନା । କହୁଛନ୍ତି ବାବା ଆମେ ତ କିଛି ଲେଖାପଢା କରିନାହୁଁ । ବାବା କହୁଛନ୍ତି ଯଦି କିଛି ନ ପଢିଛ, ତେବେ ବହୁତ ଭଲ । ଶାସ୍ତ୍ର ଆଦି ଯାହା କିଛି ବି ପଢିଛ ସେ ସବୁକୁ ଭୁଲିଯାଅ । ମୁଁ କିଛି ଅଧିକ ପାଠପଢାଉ ନାହିଁ । କେବଳ କହୁଛି - ମୋତେ ମନେ ପକାଅ ତେବେ ବିଶ୍ୱର ରାଜ୍ୟଭାଗ୍ୟ ତୁମର । ବାସ୍ ତୁମର ନଉକା ପାର ହୋଇଯିବ । ପୁତ୍ର ଜନ୍ମ ହେଲା ପରେ ବାପା ବୋଲି କହିଥାଏ । ବାସ୍ ସମ୍ପତ୍ତିର ହକଦାର ହୋଇଯାଇଥାଏ । ଏଠାରେ ମଧ୍ୟ ତୁମେ ହକଦାର ହୋଇଯାଉଛ । ବାପଦାଦାଙ୍କୁ ୟାଦ କଲ ଏବଂ ରାଜଧାନୀ ତୁମର ହୋଇଗଲା ସେଥିପାଇଁ ଗାୟନ ଅଛି - ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ସାହୁକାର ଲୋକମାନଙ୍କର ଶେଷ ସମୟରେ ପାର୍ଟ ରହିଛି । ପ୍ରଥମେ ଗରିବମାନଙ୍କର ପାଳି । ସେମାନେ ତୁମ ପାଖକୁ ଆପେ ଆପେ ଆସିବେ । ଦଳିତମାନଙ୍କର ମଧ୍ୟ ଉଦ୍ଧାର ହେବାର ଅଛି । ଶବରୀର ମଧ୍ୟ ଗାୟନ ରହିଛି । କହୁଛନ୍ତି ରାମ ଶବରୀର କୋଳି ଖାଇଥିଲେ । ବାସ୍ତବରେ ରାମ ବି ନୁହଁନ୍ତି କି ଶିବବାବା ବି ନୁହଁନ୍ତି । ହଁ ହୋଇପାରେ ଏହି ବ୍ରହ୍ମାଙ୍କୁ ଖାଇବାକୁ ପଡିପାରେ । ଶବରୀ ଆଦି ଆସିବେ । ଧରିନିଅ ଟୋଲୀ ଆଦି କିଛି ଶ୍ରଦ୍ଧାରେ ନେଇଆସିଲେ ତେବେ ମନା କିପରି କରିବା । ଶବରୀ ବେଶ୍ୟା ଇତ୍ୟାଦି ଯଦି ଶ୍ରଦ୍ଧା ପୂର୍ବକ କିଛି ନେଇଆସନ୍ତି, ତେବେ ତୁମେ ମଧ୍ୟ ଖାଇବ । ଶିବବାବା କହୁଛନ୍ତି ମୁଁ ତ ଖାଇବି ନାହିଁ, ମୁଁ ତ ଅଭୋକ୍ତା ଅଟେ । ତୁମ ପାଖକୁ ସମସ୍ତେ ଆସିବେ । ସରକାର ମଧ୍ୟ ସାହାଯ୍ୟ କରିବ ଯେ ଏମାନଙ୍କର ଉଦ୍ଧାର କର । ତୁମକୁ ମଧ୍ୟ ଆପେ ଆପେ ପ୍ରେରଣା ଆସିବ । ବାବା ଗରିବର ବନ୍ଧୁ ଅଟନ୍ତି, ତେଣୁ ଆମେ ମଧ୍ୟ ଗରିବଙ୍କୁ ବୁଝାଇବା । ଶବରୀମାନଙ୍କ ଭିତରୁ ମଧ୍ୟ କେହି କେହି ବାହାରିବେ । ଏତେ ବଡ ବୃକ୍ଷ, ଏଥିରେ କେହି ଜଣେ ବି ଦେବୀ-ଦେବତା ଧର୍ମର ହୋଇ ନାହାଁନ୍ତି ଏବଂ ସମସ୍ତେ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି ।

ଏବେ ବାବା କହୁଛନ୍ତି ଯେଉଁମାନେ ଭକ୍ତ ଆତ୍ମା ଅଛନ୍ତି ସେମାନଙ୍କୁ ବୁଝାଅ । ତୁମେ ଦେଖୁଛ ଦେବୀ-ଦେବତା ଧର୍ମର ଚାରା କିପରି ଲାଗୁଛି । ବ୍ରାହ୍ମଣ କିପରି ହେଉଛନ୍ତି । ଯେଉଁମାନେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଦେବତା ହୋଇଥିବେ ସେହିମାନେ ଆସିବାକୁ ଲାଗିବେ । ଯଦି ଥରେ ମାତ୍ର ବି ଶୁଣିଲେ, ତେବେ ସ୍ୱର୍ଗରେ ନିଶ୍ଚିତ ଆସିବେ । ବାବା ତ କାଶୀ କଲବଟର ଦୃଷ୍ଟାନ୍ତ ମଧ୍ୟ ଶୁଣାଇଛନ୍ତି । ଶିବଙ୍କ ଉପରେ ଯାଇ ବଳି ଚଢୁଥିଲେ । ସେମାନଙ୍କୁ ମଧ୍ୟ କିଛି ତ ମିଳିବା ଦରକାର । ତୁମେ ମଧ୍ୟ ବଳି ଚଢୁଛ । ରାଜତ୍ୱ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରୁଛ । ଭକ୍ତିମାର୍ଗରେ ତ ରାଜତ୍ୱ କରିବାର ନ ଥାଏ । ଘରକୁ କେହି ବି ଫେରି ଯାଇପାରିବେ ନାହିଁ । ତେଣୁ କ’ଣ ହୁଏ, ସେମାନେ ଯେଉଁ ପାପ କରିଥା’ନ୍ତି ତାର ଦଣ୍ଡ କାଶୀକଲବଟରେ ଭୋଗ କରି ଚୁକ୍ତ କରିଦେଇଥାଆନ୍ତି । ପୁଣି ନୂଆ କରି ଜନ୍ମ ମିଳିଥାଏ । ପୁଣି ନୂଆ କରି ପାପ ଆରମ୍ଭ ହୋଇଥାଏ । ବାକି ସମସ୍ତଙ୍କୁ ତ ଏହିଠାରେ ହିଁ ରହିବାକୁ ପଡିବ । ନମ୍ବର ୱାନରେ ତୁମେ ହିଁ ଅଛ । ତୁମେ ହିଁ ୮୪ ଜନ୍ମ ଭୋଗ କରୁଛ । ସମସ୍ତଙ୍କୁ ସତ୍ୱ, ରଜୋ, ତମୋରେ ଆସିବାକୁ ପଡିଥାଏ । ବାବା କହୁଛନ୍ତି ଏହି ସମୟରେ ସାରା ମନୁଷ୍ୟ ସୃଷ୍ଟି ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ମନୁଷ୍ୟ ତ ବିଲ୍‌କୁଲ୍ ଘୋର ଅନ୍ଧକାର ଭିତରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । ଗୋଟିଏ କୁମ୍ଭକର୍ଣ୍ଣ ନୁହେଁ, ଅନେକ ଅଛନ୍ତି । ତୁମେ କେତେ ବି ବୁଝାଉଛ, ଶୁଣୁ ହିଁ ନାହାଁନ୍ତି । ଯେଉଁମାନଙ୍କର ଅଭିନୟ ସ୍ୱର୍ଗ ଦୁନିଆରେ ରହିଛି, ସେହିମାନେ ହିଁ ପୁରୁଷାର୍ଥ କରୁଛନ୍ତି ଏବଂ ସେହିମାନେ ହିଁ ମାତା-ପିତାଙ୍କର ହୃଦୟରେ ସ୍ଥାନ ପାଉଛନ୍ତି । ସିଂହାସନର ଅଧିକାରୀ ମଧ୍ୟ ସେହିମାନେ ହିଁ ହେବେ । କେତେକ ମାତାମାନେ ପଚାରୁଛନ୍ତି, ବାବା ପିଲାମାନଙ୍କୁ ଆକଟ କରିବାକୁ ପଡୁଛି । ବାବା କହୁଛନ୍ତି - ଏଥିରେ ସେତେ କିଛି ଦୋଷ ନାହିଁ । ତୁମେମାନେ ଡାକୁଛ ଆମ ପତିତ ମାନଙ୍କୁ ଆସି ପାବନ କର । ବାବା ମଧ୍ୟ କହୁଛନ୍ତି - କାମ ବିକାର ମହାଶତ୍ରୁ ଅଟେ । ଏମିତି କୁହାଯାଏ ନାହିଁ ଯେ କ୍ରୋଧ ଶତ୍ରୁ ଅଟେ । ମାତାମାନଙ୍କ ଭିତରେ ସେତେଟା କ୍ରୋଧ ନ ଥାଏ, ପୁରୁଷମାନେ ବହୁତ ଲଢେଇ କରିଥା’ନ୍ତି । ଏବେ ବାବା ତୁମ ମାତାମାନଙ୍କୁ ଆଗରେ ରଖିଛନ୍ତି । ବନ୍ଦେ ମାତରମ୍ । ନଚେତ୍ ମାତାମାନଙ୍କୁ କହିଥା’ନ୍ତି - ପତି ହିଁ ତୁମର ଗୁରୁ ଈଶ୍ୱର ଅଟନ୍ତି । ତାଙ୍କ ମତରେ ଚାଲିବାର ଅଛି । ହସ୍ତଗଣ୍ଠି ପଡିଲା ମାତ୍ରେ ତୁରନ୍ତ ପତିତ ହୋଇଯାଇଥା’ନ୍ତି । ତେବେ କ’ଣ ତାଙ୍କୁ ଏହିଭଳି ଈଶ୍ୱର ମିଳିଲେ! ବର୍ତ୍ତମାନ ରାମରାଜ୍ୟର ସ୍ଥାପନା ହେଉଛି, ବାକି ସମସ୍ତେ ମରି ଚାଲିବେ । ବାବା ବୁଝାଉଛନ୍ତି - ବିନାଶ କାଳରେ ବିପରୀତ ବୁଦ୍ଧି । ବିନାଶ କାଳରେ ପ୍ରୀତି ବୁଦ୍ଧି । ତୁମମାନଙ୍କର ପରମପିତା ପରମାତ୍ମାଙ୍କ ସହିତ ପ୍ରୀତି ବୁଦ୍ଧି ରହିଛି । ତୁମର ଆତ୍ମା ଜାଣିଛି ଯେ ଶିବବାବା ୟାଙ୍କ ଶରୀରରେ ଆସୁଛନ୍ତି, ୟାଙ୍କ ଦ୍ୱାରା ଆମେ ଶୁଣୁଛୁ । ଏତେ ଛୋଟ ବିନ୍ଦୁ ଅଟନ୍ତି । ଶିବବାବାଙ୍କର ଇଏ ଅସ୍ଥାୟୀ ରଥ ଅଟନ୍ତି, ୟାଙ୍କ ଦ୍ୱାରା ବାବା ଏହି ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଛନ୍ତି । ଯାହାକି ବଢି ବଢି ଚାଲିବ, ପିଲାମାନଙ୍କର ବୁନ୍ଦା ବୁନ୍ଦା ସହଯୋଗରେ ପୋଖରୀ ଭରି ଚାଲିଛି । ପିଲାମାନେ ନିଜର ସବୁ କିଛି ସଫଳ କରି ଚାଲିଛନ୍ତି କାରଣ ଜାଣିଛନ୍ତି - ଏ ସବୁ ତ ମାଟିରେ ମିଶିଯିବ । କିଛି ବି ରହିବାର ନାହିଁ । ଅତି କମ୍‌ରେ ଏତିକି ତ ସଫଳ ହୋଇଯାଉ । ସୁଦାମାର ମଧ୍ୟ ଦୃଷ୍ଟାନ୍ତ ଅଛି ନା । ମାତାମାନେ ବାବାଙ୍କୁ ପାଖକୁ ଚାଉଳ ମୁଠାଏ ବା ୬-୮ ଟଙ୍କା ପଠାଇ ଦେଉଛନ୍ତି । ବାବା କହୁଛନ୍ତି ବାଃ ଝିଅ! ବାବା ତ ଦୀନବନ୍ଧୁ ଅଟନ୍ତି ନା । ଏ ସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ପୁଣି ବି ହେବ । ବନ୍ଧନଯୁକ୍ତ ମାତାମାନେ ଅଛନ୍ତି । ବାବା କହୁଛନ୍ତି ତୁମେ ଭାଗ୍ୟଶାଳୀ ଅଟ - ଶିବବାବାଙ୍କ ହାତ ତ ମିଳିଛି ନା । ଗୋଟିଏ ସମୟ ଆସିବ ଯେତେବେଳେ ସବୁ ଆର୍ଯ୍ୟ ସମାଜୀ ମଧ୍ୟ ସମସ୍ତେ ଆସିବେ । ଯିବେ କୁଆଡେ? ମୁକ୍ତି ଜୀବନମୁକ୍ତିର ହାଟ ତ ଗୋଟିଏ । ଦଣ୍ଡ ଭୋଗ କରି ସମସ୍ତଙ୍କୁ ମୁକ୍ତିଧାମକୁ ଯିବାର ଅଛି । ଏହା ହେଉଛି ଅନ୍ତିମ ମହାବିନାଶର ସମୟ । ସମସ୍ତେ ଘରକୁ ଫେରିବେ । ଏହା ହେଉଛି ସାଜନଙ୍କର ବରଯାତ୍ରୀ । କିପରି ବରଯାତ୍ରୀ ଯିବେ, ଏହାର ମଧ୍ୟ ସାକ୍ଷାତ୍‌କାର ହେବ । ତୁମ ବ୍ୟତୀତ ଆଉ କେହି ଏହା ଦେଖି ପାରିବେ ନାହିଁ । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ଦ୍ୱାରା ଜ୍ଞାନର ଯେଉଁ ଗୁପ୍ତ ଦାନ ମିଳିଛି, ତାର ମୂଲ୍ୟକୁ ବୁଝି ନିଜର ବୁଦ୍ଧିରୂପୀ ଝୁଲାମୁଣୀକୁ ଜ୍ଞାନରତ୍ନରେ ଭରପୁର କରିବାକୁ ହେବ । ସମସ୍ତଙ୍କୁ ଗୁପ୍ତ ଦାନ ଦେଇ ଚାଲିବାକୁ ହେବ ।

(୨) ଏହା ମହାବିନାଶର ସମୟ ଯେତେବେଳେ କି ଘରକୁ ଫେରିବାର ଅଛି, ତେଣୁ ନିଜର ସବୁ କିଛି ସଫଳ କରିବାର ଅଛି । ପ୍ରୀତି ବୁଦ୍ଧି ହେବାର ଅଛି । ମୁକ୍ତି ଏବଂ ଜୀବନମୁକ୍ତିର ରାସ୍ତା ସମସ୍ତଙ୍କୁ ଦେଖାଇବାର ଅଛି ।

ବରଦାନ:-
ଭୋଳା ପଣିଆ ସହିତ ମାଷ୍ଟର ସର୍ବଶକ୍ତିମାନ ହୋଇ ମାୟାକୁ ସମ୍ମୁଖୀନ କରୁଥିବା ଶକ୍ତି ସ୍ୱରୂପ ଭବ ।

କେବେ କେବେ ଭୋଳାପଣିଆ ବହୁତ ବଡ କ୍ଷତି କରିଦେଇଥାଏ । ସରଳତା, ଭୋଳାରୂପ ଧାରଣ କରିନିଏ, କିନ୍ତୁ ଏଭଳି ଭୋଳା ମଧ୍ୟ ହୁଅ ନାହିଁ, ଯାହାକି କୌଣସି କଥାକୁ ସମ୍ମୁଖୀନ କରିପାରୁ ନଥିବ । ସରଳତା ସହିତ ସମାହିତ କରିବାର ଏବଂ ସହନ କରିବାର ମଧ୍ୟ ଶକ୍ତି ଦରକାର । ଯେପରି ବାବା ଭୋଳାନାଥ ହୋଇଥିଲେ ମଧ୍ୟ ଅଲମାଇଟୀ ଅଥୋରିଟୀ ଅର୍ଥାତ୍ ସର୍ବଶକ୍ତିମାନ ମଧ୍ୟ ଅଟନ୍ତି, ସେହିପରି ତୁମେମାନେ ମଧ୍ୟ ଭୋଳାପଣିଆ ସହିତ ଶକ୍ତି ସ୍ୱରୂପ ମଧ୍ୟ ହୁଅ ଯାହା ଫଳରେ ମାୟାର ଗୋଳା ଅର୍ଥାତ୍ ଆଘାତ ଲାଗିବ ନାହିଁ । ମାୟା ସମ୍ମୁଖୀନ କରିବା ପରିବର୍ତ୍ତେ ନମସ୍କାର କରିବ ।

ସ୍ଲୋଗାନ:-
ନିଜର ଦିଲ୍ ଭିତରେ ଯଦି ଯୋଗର ପତାକା ଉଡାଇବ, ତେବେ ପ୍ରତ୍ୟକ୍ଷତାର ପତାକା ଉଡିବାକୁ ଲାଗିବ ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ବିଶେଷ କରି ଯୋଗର ଯାତ୍ରାକୁ ଶକ୍ତିଶାଳୀ କର, ଜ୍ଞାନ ସ୍ୱରୂପର ଅନୁଭବୀ ହୁଅ । ତୁମଭଳି ଶ୍ରେଷ୍ଠ ଆତ୍ମାମାନଙ୍କର ଶୁଭ ବୃତ୍ତି ବା କଲ୍ୟାଣର ବୃତ୍ତି ଏବଂ ଶକ୍ତିଶାଳୀ ବାତାବରଣ ଅନେକ ଛଟପଟ ହେଉଥିବା, ଏଣେ ତେଣେ ଭଟକୁଥିବା ତଥା ଚିତ୍କାର କରୁଥିବା ଆତ୍ମାମାନଙ୍କୁ ଆନନ୍ଦ, ଶାନ୍ତି ଏବଂ ଶକ୍ତିର ଅନୁଭୂତି କରାଇବ ।