11.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ ଏହି
ନାଟକ ଶେଷ ହେବାକୁ ଯାଉଛି, ତୁମମାନଙ୍କୁ ଘରକୁ ଫେରିବାକୁ ହେବ, ତେଣୁ ଏହି ଦୁନିଆରୁ ମୋହ ତୁଟାଇ
ଦିଅ, ନିଜ ଘରକୁ ଏବଂ ନୂଆ ରାଜ୍ୟକୁ ମନେ ପକାଅ ।”
ପ୍ରଶ୍ନ:-
ଦାନର ମହତ୍ୱ
କେତେବେଳେ ଥାଏ ଏବଂ ଏହାର ପ୍ରତିଦାନ କେଉଁ ପିଲାମାନଙ୍କୁ ମିଳିଥାଏ?
ଉତ୍ତର:-
ଦାନର ମହତ୍ୱ ସେତେବେଳେ ରହିଥାଏ ଯେତେବେଳେ ଦାନ କରାଯାଇଥିବା ଜିନିଷ ପ୍ରତି ମୋହ ନ ଥାଏ । ଯଦି
ଦାନ କରିବା ପରେ ପୁଣି ମନେ ପଡିଲା ତେବେ ତାହା ବଦଳରେ କୌଣସି ଫଳ ମିଳି ପାରିବ ନାହିଁ । ପ୍ରକୃତରେ
ପରବର୍ତ୍ତୀ ଜନ୍ମ ପାଇଁ ହିଁ ଦାନ କରାଯାଇଥାଏ, ସେଥିପାଇଁ ଏହି ଜନ୍ମରେ ତୁମ ପାଖରେ ଯାହା କିଛି
ଅଛି ସେଥିରୁ ମମତ୍ୱ ତୁଟାଇ ଦିଅ ଏବଂ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ସମ୍ଭାଳ । ଏଠାରେ ତୁମେ
ଯାହା କିଛି ଈଶ୍ୱରୀୟ ସେବାରେ ଲଗାଉଛ, ହସ୍ପିଟାଲ ବା କଲେଜ ଖୋଲୁଛ ତାହା ଦ୍ୱାରା ଅନେକଙ୍କର
କଲ୍ୟାଣ ହୋଇଥାଏ, ତାହାର ପ୍ରତିଦାନରେ ତୁମକୁ ୨୧ ଜନ୍ମ ପାଇଁ ମିଳିଯାଇଥାଏ ।
ଓମ୍ ଶାନ୍ତି ।
ପିଲାମାନଙ୍କୁ
ନିଜର ଘର ଏବଂ ନିଜ ରାଜଧାନୀ ମନେ ଅଛି? ଏଠାରେ ଯେତେବେଳେ ବସୁଛ ବାହାରର କଥା ଘରଦ୍ୱାର, କାମଧନ୍ଦା
ଆଦି ମନେ ପଡିବା ଉଚିତ୍ ନୁହେଁ । ବାସ୍ ନିଜର ଘର (ପରମଧାମ) ହିଁ ମନେ ପଡିବା ଉଚିତ୍ । ଏବେ ଏହି
ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଫେରିବାର ସମୟ, କାରଣ ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ ।
ସବୁକିଛି ଅଗ୍ନିରେ ସ୍ୱାହା ହୋଇଯିବ । ମିତ୍ର ସମ୍ବନ୍ଧୀ ଆଦି ଯେଉଁମାନଙ୍କୁ ଏହି ଆଖିରେ ଦେଖୁଛ
ସେସବୁ ବିନାଶ ହୋଇଯିବେ । ଏହି ଜ୍ଞାନ ବାବା ହିଁ ଆତ୍ମାମାନଙ୍କୁ ବୁଝାଉଛନ୍ତି । ପିଲାମାନେ ଏବେ
ନିଜର ଘରକୁ ଫେରିବାକୁ ହେବ । ନାଟକ ଶେଷ ହେବାକୁ ଯାଉଛି । ଏହା ହେଉଛି ୫ ହଜାର ବର୍ଷର ଚକ୍ର ।
ଦୁନିଆ ତ ରହିଛି, କିନ୍ତୁ ଏହାକୁ ଥରେ ସମ୍ପୂର୍ଣ୍ଣ ରୂପେ ଘୂରିବା ପାଇଁ ପୂରା ୫ ହଜାର ବର୍ଷ
ଲାଗୁଛି । ଯେତେ ସବୁ ଆତ୍ମାମାନେ ଅଛନ୍ତି ଏବେ ସମସ୍ତେ ଘରକୁ ଫେରି ଯିବେ । ଏହି ପୁରୁଣା ଦୁନିଆ
ହିଁ ଶେଷ ହୋଇଯିବ । ବାବା ସବୁ କଥା ଭଲ ଭାବରେ ବୁଝାଉଛନ୍ତି । କେହି କେହି ହତଭାଗା ଥା’ନ୍ତି
ଯିଏକି ତୁଚ୍ଛାଟାରେ ନିଜର ସମ୍ପତ୍ତି ହରେଇ ଦେଇଥାଆନ୍ତି । ଭକ୍ତିମାର୍ଗରେ ଦାନପୁଣ୍ୟ ତ
କରିଥା’ନ୍ତି ନା । ଯଦି କେହି ଧର୍ମଶାଳା ତିଆରି କରିଥା’ନ୍ତି ବା କେହି ହସ୍ପିଟାଲ ତିଆରି
କରିଥାନ୍ତି, ତେବେ ବୁଦ୍ଧିରେ ଥାଏ କି ଏହାର ଫଳ ଆର ଜନ୍ମରେ ମିଳିବ । କୌଣସି ଆଶା ନ ରଖି
ଅନାସକ୍ତ ହୋଇ କେହି କିଛି ବି କରୁନାହାଁନ୍ତି । ଏମିତି ତ’ ବହୁତ କହିଥା’ନ୍ତି ଯେ ଫଳର ଇଚ୍ଛା ଆମେ
ରଖୁନାହୁଁ । କିନ୍ତୁ ନା, ଫଳ ତ ନିଶ୍ଚୟ ମିଳିଥାଏ । ମନେ କର କାହା ପାଖରେ ପଇସା ଅଛି, ସେଥିରୁ
ଯଦି ସିଏ ଧର୍ମ କାର୍ଯ୍ୟରେ ଲଗାଇଲେ ତେବେ ବୁଦ୍ଧିରେ ରହିଥାଏ କି ମୋତେ ଆର ଜନ୍ମରେ ମିଳିବ । ଯଦି
ମମତ୍ୱ ରହିଲା ଯେ ଏହି ଜିନିଷ ମୋର, ତେବେ ଏପରି ଭାବିଲେ ପରଜନ୍ମରେ କିଛି ବି ମିଳିବ ନାହିଁ ।
ଦାନ ପରବର୍ତ୍ତୀ ଜନ୍ମ ପାଇଁ କରାଯାଏ । ଯଦି ଆର ଜନ୍ମରେ ମିଳିବ ତେବେ ଏହି ଜନ୍ମରେ ମମତ୍ୱ
କାହିଁକି ରଖୁଛ, ସେଥିପାଇଁ ବାବା ତୁମକୁ ନିମିତ୍ତ କରାଇଥା’ନ୍ତି ଯାହାଦ୍ୱାରା ନିଜର ମମତ୍ୱ
ତୁଟିଯିବ । ଯଦି କେହି ବଡ ସାହୁକାରଙ୍କ ଘରେ ଜନ୍ମ ନେଇଥା’ନ୍ତି ତେବେ କୁହାଯାଏ ସିଏ ଭଲ କର୍ମ
କରିଛନ୍ତି । କେହି କେହି ରାଜାରାଣୀଙ୍କ ପାଖରେ ମଧ୍ୟ ଜନ୍ମ ନେଇଥା’ନ୍ତି କାହିଁକି ନା ସେମାନେ
ବହୁତ ଦାନ ପୁଣ୍ୟ କରିଛନ୍ତି କିନ୍ତୁ ତାହା ହେଉଛି ଅଳ୍ପ କାଳ ପାଇଁ, ଗୋଟିଏ ଜନ୍ମ ପାଇଁ । ଏବେ ତ
ତୁମେ ଏହି ପାଠ ପଢୁଛ । ଜାଣୁଛ ଏହି ପାଠ ଦ୍ୱାରା ଆମଙ୍କୁ ଏହିପରି ହେବାକୁ ହେବ, ତେଣୁ ଦିବ୍ୟଗୁଣ
ଧାରଣ କରିବା ଦରକାର । ଏଠାରେ ଯାହା ଦାନ କରୁଛ ତାହା ଦ୍ୱାରା ଏହି ଆତ୍ମିକ ବିଶ୍ୱବିଦ୍ୟାଳୟ,
ଡାକ୍ତରଖାନା ଖୋଲାଯାଉଛି । ତେବେ ଦାନ ଦେଲା ପରେ ସେଥିରୁ ମମତ୍ୱ ତୁଟାଇ ଦେବା ଦରକାର କାହିଁକି
ନା ତୁମେ ଜାଣିଛ ଆମେ ଭବିଷ୍ୟତ ୨୧ ଜନ୍ମ ପାଇଁ ବାବାଙ୍କଠାରୁ ନେଉଛୁ । ଏହି ବାବା ତୁମମାନଙ୍କ
ପାଇଁ ଘର ଆଦି ତିଆରି କରୁଛନ୍ତି । ଏହା ତ ଅସ୍ଥାୟୀ ଅଟେ । ନଚେତ୍ ଏତେ ସବୁ ପିଲା କେଉଁଠାରେ
ରହିବେ । ସବୁ କିଛି ଶିବବାବାଙ୍କୁ ଦେଉଛନ୍ତି । ସିଏ ହିଁ ଧନୀ ଅର୍ଥାତ୍ ମାଲିକ ଅଟନ୍ତି । ସେ
ଏହାଙ୍କ ଦ୍ୱାରା ଅର୍ଥାତ୍ ବ୍ରହ୍ମାଙ୍କ ଦ୍ୱାରା ଏହା କରାଉଛନ୍ତି । ଶିବବାବା ତ ରାଜତ୍ୱ
କରୁନାହାଁନ୍ତି । ସିଏ ତ’ ଦାତା ଅଟନ୍ତି । ତାଙ୍କର ପୁଣି ମମତ୍ୱ କେଉଁଥିରେ ରହିବ! ଏବେ ବାବା
ଶ୍ରୀମତ ଦେଉଛନ୍ତି କି ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ପୂର୍ବରୁ ତୁମେ ଯେତେବେଳେ କାହାକୁ
ଜ୍ଞାନ ଦେଉଥିଲ ତେବେ ମୃତ୍ୟୁର କିଛି କଥା କହୁ ନ ଥିଲ ଏବେ ବାବା ଆସିଛନ୍ତି ତେଣୁ ପୁରୁଣା
ଦୁନିଆର ନିଶ୍ଚୟ ବିନାଶ ହେବ । ବାବା କହୁଛନ୍ତି ମୁଁ କେବଳ ଆସିଛି ଏହି ପୁରୁଣା ଦୁନିଆକୁ ବିନାଶ
କରିବା ପାଇଁ । ଏହି ରୁଦ୍ର ଯଜ୍ଞରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯିବ । ଏଠାରେ ଯାହା କିଛି
ନିଜ ପାଇଁ ଜମା କରିବ ତାହା ନୂଆ ଦୁନିଆରେ ମିଳିବ । ନଚେତ୍ ଏଠାରେ ସବୁ କିଛି ଶେଷ ହୋଇଯିବ । କେହି
ନା କେହି ଖାଇଯିବେ । ଆଜିକାଲି ମନୁଷ୍ୟ ଉଧାରରେ ମଧ୍ୟ ଦେଉଛନ୍ତି । ବିନାଶ ହେଲେ ତ ସବୁକିଛି ଶେଷ
ହୋଇଯିବ । କେହି କାହାକୁ କିଛି ଦେବେ ନାହିଁ, ସବୁ ଏହିଠାରେ ହିଁ ରହିଯିବ । ଆଜି ଭଲ ଅଛନ୍ତି,
କାଲି ଦେବାଳିଆ ହୋଇଯାଉଛନ୍ତି । କାହାକୁ ମଧ୍ୟ କିଛି ପଇସା ମିଳିବାର ନାହିଁ । କାହାକୁ ଦେଲ, ଯଦି
ସିଏ ମରିଗଲେ, ପୁଣି କିଏ ତାକୁ ଫେରାଇବ । ତେବେ କ’ଣ କରିବା ଦରକାର? ତେଣୁ ଭାରତର ୨୧ ଜନ୍ମର
କଲ୍ୟାଣ ପାଇଁ ଏବଂ ପୁଣି ନିଜର ୨୧ ଜନ୍ମର କଲ୍ୟାଣର କାର୍ଯ୍ୟରେ ଲଗାଇ ଦେବା ଦରକାର । ତୁମେ
ଯାହାକିଛି ବି କରୁଛ କେବଳ ନିଜ ପାଇଁ ହିଁ କରୁଛ । ଜାଣୁଛ ଶ୍ରୀମତ ଦ୍ୱାରା ଆମେ ଉଚ୍ଚ ପଦ ପାଉଛୁ
। ଯାହା ଦ୍ୱାରା ୨୧ ଜନ୍ମ ପର୍ଯ୍ୟନ୍ତ ସୁଖ ଶାନ୍ତି ମିଳିବ । ଏହାକୁ କୁହାଯାଉଛି ଅବିନାଶୀ
ବାବାଙ୍କର ଆତ୍ମିକ ହସ୍ପିଟାଲ ଏବଂ ୟୁନିଭରସିଟି, ଯେଉଁଠାରୁ ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ଖୁସି
ମିଳୁଛି । କିନ୍ତୁ ଏଠାରେ ଯଦି କାହାର ସ୍ୱାସ୍ଥ୍ୟ ଅଛି କିନ୍ତୁ ଧନ ନାହିଁ ତେବେ ସିଏ ଖୁସିରେ
ରହିପାରିବ ନାହିଁ । ଯଦି ଉଭୟ ଥିବ ତେବେ ଖୁସିରେ ରହିବେ । ବାବା ତୁମକୁ ୨୧ ଜନ୍ମ ପାଇଁ
ସ୍ୱାସ୍ଥ୍ୟ ଓ ସମ୍ପତ୍ତି ଉଭୟ ଦେଉଛନ୍ତି । ତାହା ମଧ୍ୟ ୨୧ ଜନ୍ମ ପାଇଁ ଜମା କରିବାକୁ ହେବ ।
ପିଲାମାନଙ୍କର କାମ ହେଲା ଉପାୟ ବାହାର କରିବା । ବାବାଙ୍କର ଆସିବା ଦ୍ୱାରା ଗରିବ ପିଲାମାନଙ୍କର
ଭାଗ୍ୟ ଖୋଲିଯାଉଛି । ବାବା ହିଁ ଗରିବର ବନ୍ଧୁ ଅଟନ୍ତି । ସାହୁକାରଙ୍କର ଭାଗ୍ୟରେ ହିଁ ଏ କଥା
ନାହିଁ । ଏହି ସମୟରେ ଭାରତ ସବୁଠାରୁ ଗରିବ ହୋଇଯାଇଛି । ଯିଏ ସାହୁକାର ଥିଲା ସେ ହିଁ ଗରିବ
ହୋଇଯାଇଛି । ଏହି ସମୟରେ ସମସ୍ତେ ପାପ ଆତ୍ମା ହୋଇ ଯାଇଛନ୍ତି । ଯେଉଁଠାରେ ପୁଣ୍ୟ ଆତ୍ମାମାନେ
ଥା’ନ୍ତି ସେଠାରେ କେହି ଜଣେ ହେଲେ ବି ପାପ ଆତ୍ମା ନ ଥା’ନ୍ତି । ତାହା ହେଉଛି ସତ୍ୟଯୁଗ
ସତ୍ତ୍ୱପ୍ରଧାନ ଦୁନିଆ, ଏହା ହେଉଛି କଳିଯୁଗ ତମଃପ୍ରଧାନ ଦୁନିଆ । ତୁମେ ଏବେ ସତ୍ତ୍ୱପ୍ରଧାନ ହେବା
ପାଇଁ ପୁରୁଷାର୍ଥ କରୁଛ । ବାବା ତୁମମାନଙ୍କୁ ସ୍ମୃତି ଦେଉଛନ୍ତି ତେଣୁ ତୁମେ ଜାଣୁଛ ଯେ ଆମେ ହିଁ
ସ୍ୱର୍ଗବାସୀ ଥିଲୁ । ପୁଣି ଆମେ ହିଁ ୮୪ ଜନ୍ମ ନେଇଛୁ । ବାକି ୮୪ ଲକ୍ଷ ଯୋନିର କଥା ତ ଗପ ଅଟେ ।
କ’ଣ ଏତେ ଜନ୍ମ ପଶୁ ଯୋନିରେ ରହିଲ! ତେବେ କ’ଣ ଏହି ଶେଷ ଜନ୍ମରେ ମନୁଷ୍ୟ ଜନ୍ମ ମିଳୁଛି? କ’ଣ ଏବେ
ଘରକୁ ଫେରିବାକୁ ହେବ?
ଏବେ ବାବା ବୁଝାଉଛନ୍ତି
- ମୃତ୍ୟୁ ସମ୍ମୁଖରେ ଛିଡା ହୋଇଛି । ଆଉ ୪୦-୫୦ ହଜାର ବର୍ଷ ନାହିଁ । ମନୁଷ୍ୟ ତ ବିଲ୍କୁଲ୍ ଘୋର
ଅନ୍ଧକାରରେ ଅଛନ୍ତି, ସେଥିପାଇଁ କୁହାଯାଉଛି ପଥରବୁଦ୍ଧି । ଏବେ ତୁମେ ପଥରବୁଦ୍ଧିରୁ ପାରସ ବୁଦ୍ଧି
ହେଉଛ । ଏହି କଥା କୌଣସି ସନ୍ନ୍ୟାସୀ ଆଦି କହିପାରିବେ ନାହିଁ । ଏବେ ତୁମକୁ ବାବା ସ୍ମୃତି
ଦେଉଛନ୍ତି ଯେ, ତୁମମାନଙ୍କୁ ଏବେ ଘରକୁ ଫେରିଯିବାକୁ ହେବ । ତେଣୁ ଯେତେ ଦୂର ସମ୍ଭବ ନିଜର ବ୍ୟାଗ୍-ବ୍ୟାଗେଜ୍
ଅର୍ଥାତ୍ ଜିନିଷପତ୍ର ସ୍ଥାନାନ୍ତର କରିଦିଅ । ବାବା ଏ ସବୁ କିଛି ନିଅ ଆମେ ସତ୍ୟଯୁଗରେ ୨୧ ଜନ୍ମ
ପାଇଁ ପାଇଯିବୁ । ଏହି (ବ୍ରହ୍ମା) ବାବା ମଧ୍ୟ ଦାନ ପୁଣ୍ୟ କରୁଥିଲେ । ଦାନପୁଣ୍ୟରେ ତାଙ୍କର
ବହୁତ ସଉକ ଥିଲା । ବ୍ୟବସାୟୀମାନେ ଦୁଇ ପଇସା ଧର୍ମ କାର୍ଯ୍ୟ ନିମନ୍ତେ ରଖି ଦେଇଥା’ନ୍ତି ନା ।
ବାବା ମଧ୍ୟ ପ୍ରତିଦିନ ଗୋଟିଏ ଅଣା ଧର୍ମ କାର୍ଯ୍ୟ ପାଇଁ ବାହାର କରୁଥିଲେ । କେହି ବି ଆସିଲେ ଆମ
ଦୁଆରୁ ଖାଲି ହାତରେ ନ ଯାଉ । ଏବେ ଭଗବାନ ସମ୍ମୁଖକୁ ଆସିଛନ୍ତି, ଏ କଥା କାହାକୁ ଜଣା ନାହିଁ ।
ମନୁଷ୍ୟ ଦାନ ପୁଣ୍ୟ କରି କରି ଯଦି ମରିଗଲେ ପୁଣି କେଉଁଠି ମିଳିବ? ପବିତ୍ର ହେଉନାହାଁନ୍ତି,
ବାବାଙ୍କ ସହ ପ୍ରୀତି ରଖୁନାହାଁନ୍ତି । ବାବା ବୁଝାଉଛନ୍ତି ଯାଦବ ଏବଂ କୌରବଙ୍କର ହେଉଛି ବିନାଶ
କାଳେ ବିପରୀତ ବୁଦ୍ଧି । ପାଣ୍ଡବଙ୍କର ହେଲା ବିନାଶକାଳେ ପ୍ରୀତବୁଦ୍ଧି । ୟୁରୋପବାସୀ ସମସ୍ତେ
ଯାଦବ ଅଟନ୍ତି, ଯିଏକି ମୁଶଳ (କ୍ଷେପଣାସ୍ତ୍ର) ଆଦି ତିଆରି କରୁଛନ୍ତି । ଶାସ୍ତ୍ରରେ ତ କ’ଣ କ’ଣ
ସବୁ ଲେଖି ଦେଇଛନ୍ତି । ଡ୍ରାମା ପ୍ଲାନ୍ ଅନୁଯାୟୀ ଢେର ଶାସ୍ତ୍ର ତିଆରି ହୋଇଛି । ଏଥିରେ ପ୍ରେରଣା
ଆଦିର କିଛି କଥା ନାହିଁ । ପ୍ରେରଣା ଅର୍ଥାତ୍ ବିଚାର । ବାକି ଏମିତି ନୁହେଁ କି ବାବା ପ୍ରେରଣା
ଦ୍ୱାରା ପାଠ ପଢାଉଛନ୍ତି । ବାବା ବୁଝାଉଛନ୍ତି ଇଏ ମଧ୍ୟ ଜଣେ ବ୍ୟବସାୟୀ ଥିଲେ । ତାଙ୍କର ବହୁତ
ଖ୍ୟାତି ଥିଲା । ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ । ବାବାଙ୍କର ପ୍ରବେଶତା ହେଲା ପରେ ତାଙ୍କର
ଗାଳି ଖାଇବା ଆରମ୍ଭ ହେଲା । ୟାଙ୍କର ବ୍ୟବସାୟରେ ଭଲ ନାଁ ଥିଲା । ତାଙ୍କୁ ସମସ୍ତେ ସମ୍ମାନ
ଦେଉଥିଲେ । ବାବା ପ୍ରବେଶ କଲେ ଏବଂ ଏହାଙ୍କର ଗାଳି ଖାଇବା ଆରମ୍ଭ ହୋଇଗଲା । ଶିବବାବାଙ୍କୁ ତ
କେହି ଜାଣି ନାହାଁନ୍ତି, ନା ତାଙ୍କୁ ଗାଳି ଦେଇପାରିବେ । ଗାଳି ଇଏ ଖାଉଛନ୍ତି । କୃଷ୍ଣ କହିଥିଲେ
- ନା ମୁଁ ଲହୁଣୀ ଖାଇନାହିଁ । ଇଏ ମଧ୍ୟ କହୁଛନ୍ତି କର୍ତ୍ତବ୍ୟ ତ ସବୁ ଶିବବାବାଙ୍କର ମୁଁ କିଛି
କରୁନାହିଁ । ଯାଦୁଗର ତ ସିଏ, ମୁଁ ନୁହେଁ । ଅଯଥାରେ ଏହାଙ୍କୁ ଗାଳି ଦେଉଛନ୍ତି । ମୁଁ କ’ଣ
କାହାକୁ ଭଗାଇ ନେଇ ଆସିଛି କି? କାହାକୁ ମଧ୍ୟ କହିନାହିଁ କି ତୁମେ ଘରଦ୍ୱାର ଛାଡି ଚାଲିଆସ । ମୁଁ
ତ ସେଠାରେ (କରାଚିରେ) ଥିଲି, ଏମାନେ ଆପେ ଆପେ ପଳାଇ ଆସିଲେ । ଖାଲିଟାରେ ମୋତେ ଦୋଷ ଦେଇଦେଲେ ।
କେତେ ଗାଳି ଖାଇଲି । କ’ଣ କ’ଣ କଥା ସବୁ ଶାସ୍ତ୍ରରେ ଲେଖିଦେଇଛନ୍ତି । ବାବା କହୁଛନ୍ତି ଏ ସବୁ
ପୁଣି ବି ହେବ । ଏ ସବୁ ହେଉଛି ଜ୍ଞାନର କଥା । କେହି ମନୁଷ୍ୟ କ’ଣ ଏ କଥା କରିପାରିବ । ତାହା ବି
ପୁଣି ବ୍ରିଟିଶ୍ ସରକାରଙ୍କର ରାଜ୍ୟ, ସେ ସମୟରେ କାହା ପାଖରେ ଏତେ ମାତା କନ୍ୟା ଆସି ରହିପାରିବେ!
କେହି କିଛି କରିପାରିଲେ ନାହିଁ । ଯଦି କାହାର ସମ୍ବନ୍ଧୀ ଆସୁଥିଲେ ତ ପିଲାମାନେ ତାଙ୍କୁ ଏକଦମ୍
ବିଦା କରି ଦେଉଥିଲେ । ବାବା ତ କହୁଥିଲେ ତୁମେ ତାଙ୍କୁ ବୁଝାଇ ସୁଝାଇ ନେଇଯାଇପାରିଲେ ନେଇଯାଅ ।
ମୁଁ କ’ଣ ମନା କରୁଛି କିନ୍ତୁ କାହାର ସାହସ ହେଉ ନ ଥିଲା । ଶିବବାବାଙ୍କର ଶକ୍ତି ଥିଲା ନା । ଏହା
କିଛି ନୂଆ କଥା ନୁହେଁ । ଏ ସବୁ ପୁଣି ବି ହେବ । ଗାଳି ମଧ୍ୟ ଖାଇବାକୁ ପଡିବ । ଦ୍ରୌପଦୀଙ୍କର
ମଧ୍ୟ କଥା ରହିଛି । ଏମାନେ ସବୁ ଦ୍ରୌପଦୀ ଏବଂ ଦୁଃଶାସନ ଅଟନ୍ତି, ଏହା ଜଣଙ୍କର କଥା ନୁହେଁ ।
ଶାସ୍ତ୍ରରେ ଏହିସବୁ କାହାଣୀ ସବୁ କିଏ ଲେଖିଥିଲା? ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ପାର୍ଟ
ରହିଛି । ଆତ୍ମାର ଜ୍ଞାନ କାହା ପାଖରେ ନାହିଁ, ବିଲ୍କୁଲ୍ ଦେହ ଅଭିମାନୀ ହୋଇଯାଇଛନ୍ତି ।
ଦେହୀ-ଅଭିମାନୀ ହେବାରେ ମେହନତ ଲାଗୁଛି । ରାବଣ ବିଲ୍କୁଲ୍ ଓଲଟା କରିଦେଇଛି । ଏବେ ବାବା ସିଧା
କରୁଛନ୍ତି ।
ଦେହୀ ଅଭିମାନୀ ହେବା
ଦ୍ୱାରା ସ୍ୱତଃ ସ୍ମୃତି ଆସିଥାଏ କି ମୁଁ ଆତ୍ମା ଅଟେ ଏହି ଦେହ ଯେପରି ଏକ ବାଜା ଅଟେ, ଯାହାକି
ବଜାଇବା ପାଇଁ ମିଳିଛି । ଯଦି ଏହି ସ୍ମୃତି ବି ଥାନ୍ତା ତେବେ ଦିବ୍ୟଗୁଣ ଆସିଯାଇଥାନ୍ତା । ତୁମେ
କାହାକୁ ଦୁଃଖ ବି ଦେଇପାରି ନ ଥାନ୍ତ । ଭାରତରେ ହିଁ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ।
ଏହା ୫ ହଜାର ବର୍ଷର କଥା । ଯଦି କେହି ଲକ୍ଷ ଲକ୍ଷ ବର୍ଷ ବୋଲି କହୁଛନ୍ତି ତେବେ ସିଏ ଘୋର
ଅନ୍ଧକାରରେ ଅଛନ୍ତି । ଡ୍ରାମାନୁଯାୟୀ ଯେତେବେଳେ ସମୟ ପୂରା ହେଉଛି ସେତେବେଳେ ବାବା ଆସୁଛନ୍ତି ।
ଏବେ ବାବା କହୁଛନ୍ତି ମୋର ଶ୍ରୀମତରେ ଚାଲ । ମୃତ୍ୟୁ ସମ୍ମୁଖରେ ଠିଆ ହୋଇଛି । ପୁଣି ମନରେ ଯାହା
କିଛି ଆଶା ରହିଛି ତାହା ସବୁ ବାକି ରହିଯିବ । ମୃତ୍ୟୁ ତ ସୁନିଶ୍ଚିତ । ଏହା ସେହି ମହାଭାରତ ଲଢେଇ
ଅଟେ । ତେଣୁ ଯେତେ ନିଜର କଲ୍ୟାଣ କରିପାରିବ ସେତେ ଭଲ । ନଚେତ୍ ତୁମେ ଖାଲି ହାତରେ ଯିବ । ସାରା
ଦୁନିଆ ଖାଲି ହାତରେ ଯିବ । କେବଳ ତୁମେ ପିଲାମାନେ ହାତ ଭରପୁର କରି ଅର୍ଥାତ୍ ଧନବାନ ହୋଇଯାଉଛ ।
ଏ ସବୁ କଥା ବୁଝିବା ପାଇଁ ବିଶାଳ ବୁଦ୍ଧି ଦରକାର । ଏଠାରେ କେତେ ଧର୍ମର ମନୁଷ୍ୟ ରହିଛନ୍ତି,
ଏଠାରେ ପ୍ରତ୍ୟେକଙ୍କର ନିଜ ନିଜର ଅଭିନୟ ଚାଲିଛି । ଜଣଙ୍କର ପାର୍ଟ ଆଉ ଜଣଙ୍କ ସହ ମିଶିପାରିବ
ନାହିଁ । ପ୍ରତ୍ୟେକଙ୍କର ଚେହେରା ଭିନ୍ନ ଭିନ୍ନ ଅଟେ । କେତେ ଢେର ଚେହେରା ରହିଛି, ଏ ସବୁ
ଡ୍ରାମାରେ ନିଧାର୍ଯ୍ୟ ରହିଛି । କେତେ ଆଶ୍ଚର୍ଯ୍ୟର କଥା ନା । ଏବେ ବାବା କହୁଛନ୍ତି ନିଜକୁ ଆତ୍ମା
ମନେକର । ମୁଁ ଆତ୍ମା ୮୪ ଜନ୍ମର ଚକ୍ର ଲଗାଉଛି, ମୁଁ ଆତ୍ମା ଏହି ଡ୍ରାମାର ଅଭିନେତା ଅଟେ, ଏଥିରୁ
ଆମେ ବାହାରି ଯାଇପାରିବା ନାହିଁ, ମୋକ୍ଷ ପାଇପାରିବା ନାହିଁ । ତେଣୁ ଚେଷ୍ଟା କରିବା ମଧ୍ୟ ବୃଥା
ଅଟେ । ବାବା କହୁଛନ୍ତି ଏହି ଡ୍ରାମାରୁ କେହି ମୁକ୍ତ ହୋଇଯିବେ ଏବଂ ଆଉ କେହି ଆସି ମିଶିଯିବେ -
ଏହା ହୋଇପାରିବ ନାହିଁ । ଏତେ ସବୁ ଜ୍ଞାନ ସମସ୍ତଙ୍କ ବୁଦ୍ଧିରେ ରହିପାରିବ ନାହିଁ । ତୁମମାନଙ୍କୁ
ସାରା ଦିନ ଏହିପରି ଜ୍ଞାନରେ ରମଣ କରିବାକୁ ହେବ । ଏକ ଘଡି, ଅଧା ଘଡି... ଏହିପରି ବାବାଙ୍କ
ସ୍ମୃତିରେ ରୁହ ପୁଣି ଏହି ଅଭ୍ୟାସକୁ ବଢାଇ ଚାଲ । ଭଲେ ୮ ଘଣ୍ଟା ସ୍ଥୂଳ ସେବା କର, ଆରାମ ମଧ୍ୟ
କର, କିନ୍ତୁ ଏହି ଆଧ୍ୟାତ୍ମିକ ଗଭର୍ଣ୍ଣମେଣ୍ଟର ସେବାରେ ମଧ୍ୟ ସମୟ ଦିଅ । ତୁମେ ନିଜର ହିଁ ସେବା
କରୁଛ, ଏହା ହେଉଛି ମୁଖ୍ୟ କଥା । ଯୋଗର ଯାତ୍ରାରେ ରୁହ, ବାକି ଜ୍ଞାନ ଦ୍ୱାରା ଉଚ୍ଚ ପଦ ପାଇବାକୁ
ହେବ । ନିଜର ଯୋଗର ପୂରା ଚାର୍ଟ ରଖ, ଜ୍ଞାନ ତ ସହଜ ଅଟେ । ଯେପରି ବାବାଙ୍କର ବୁଦ୍ଧିରେ ରହିଛି
ଯେ ମୁଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟେ, ଏହାର ଆଦି-ମଧ୍ୟ-ଅନ୍ତକୁ ଜାଣିଛି । ଆମେ ମଧ୍ୟ
ବାବାଙ୍କର ସନ୍ତାନ ଅଟୁ । ବାବା ଏକଥା ବୁଝାଇଛନ୍ତି ଯେ କିପରି ଏହି ସୃଷ୍ଟିଚକ୍ର ଘୁରୁଛି । ସେହି
ରୋଜଗାର ପାଇଁ ତ ତୁମେ ୮-୧୦ ଘଣ୍ଟା ସମୟ ଦେଉଛ ନା । ଭଲ ଗ୍ରାହକ ମିଳିଗଲେ ରାତିରେ ମଧ୍ୟ ହାଇ (ନିଦ)
ଆସି ନ ଥାଏ । ଯଦି ହାଇ ମାରିଲ ତେବେ ଜଣାଯିବ ଯେ ଇଏ ଥକି ଯାଇଛନ୍ତି କିମ୍ବା ବୁଦ୍ଧି କେଉଁଠି
ବାହାରେ ଘୂରିବୁଲୁଛି । ସେବାକେନ୍ଦ୍ରମାନଙ୍କରେ ମଧ୍ୟ ବଡ ସାବଧାନତାର ସହିତ ରହିବା ଦରକାର । ଯେଉଁ
ପିଲାମାନେ ପରଚିନ୍ତନ ନ କରି, ନିଜ ପାଠପଢାରେ ହିଁ ମସ୍ତ ରହିଥାନ୍ତି ତାଙ୍କର ସର୍ବଦା ଉନ୍ନତି
ହୋଇଥାଏ । ତୁମକୁ ଅନ୍ୟର ଚିନ୍ତନ କରି ନିଜର ପଦ ଭ୍ରଷ୍ଟ କରିବାର ନାହିଁ । ଖରାପ କଥା ଶୁଣ ନାହିଁ,
ଖରାପ କଥା ଦେଖ ନାହିଁ... । କେହି ଯଦି ଭଲ କଥା କହୁ ନାହାଁନ୍ତି, ତେବେ ଗୋଟିଏ କାନରେ ଶୁଣି
ଅନ୍ୟ କାନରେ ବାହାର କରିଦିଅ । ସର୍ବଦା ନିଜକୁ ଦେଖିବା ଦରକାର ଅନ୍ୟକୁ ନୁହେଁ । ନିଜର ପାଠପଢା
ଛାଡିବା ଉଚିତ୍ ନୁହେଁ । ବହୁତ ଋଷି ଯାଉଛନ୍ତି । ଆସିବା ବନ୍ଦ କରିଦେଉଛନ୍ତି, ପୁଣି ଆସୁଛନ୍ତି ।
ନ ଆସିଲେ ଯିବେ କୁଆଡେ? ସ୍କୁଲ୍ ତ ଗୋଟିଏ । ନିଜ ଗୋଡରେ ନିଜେ କୁରାଢି ମାରିବା ଉଚିତ୍ ନୁହେଁ ।
ତୁମେ ନିଜର ପାଠପଢାରେ ମସ୍ତ ହୋଇ ରୁହ । ବହୁତ ଖୁସିରେ ରୁହ । ଭଗବାନ ପାଠ ପଢାଉଛନ୍ତି, ବାକି ଆଉ
କ’ଣ ଦରକାର । ଭଗବାନ ଆମର ପିତା, ଶିକ୍ଷକ, ସଦ୍ଗୁରୁ ଅଟନ୍ତି, ତାଙ୍କ ସହିତ ହିଁ ବୁଦ୍ଧିର ଯୋଗ
ଲଗାଇବାକୁ ହେବ । ସେ ହେଉଛନ୍ତି ସାରା ଦୁନିଆର ସର୍ବଶ୍ରେଷ୍ଠ ପ୍ରିୟତମ, ଯିଏକି ତୁମକୁ ପ୍ରଥମ
ନମ୍ବର ବିଶ୍ୱର ମାଲିକ କରୁଛନ୍ତି ।
ବାବା କହୁଛନ୍ତି ତୁମର
ଆତ୍ମା ବହୁତ ପତିତ ହୋଇଯାଇଛି, ତେଣୁ ଉଡି ପାରିବ ନାହିଁ । ପବିତ୍ରତାର ଡେଣା କଟିଯାଇଛି । ରାବଣ
ହିଁ ସବୁ ଆତ୍ମାମାନଙ୍କର ଡେଣା କାଟି ଦେଇଛି । ଶିବବାବା କହୁଛନ୍ତି ମୋ ବିନା କେହି ପାବନ
କରିପାରିବେ ନାହିଁ । ସମସ୍ତ ଅଭିନେତା ଏହିଠାରେ ଅଛନ୍ତି, ବୃଦ୍ଧି ପାଇଚାଲିଛନ୍ତି, ବର୍ତ୍ତମାନ
କେହି ଫେରି ପାରିବେ ନାହିଁ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସ୍ୱଚିନ୍ତନ
ଏବଂ ପାଠପଢାରେ ମଜ୍ଜି ରହିବାକୁ ହେବ, ଅନ୍ୟକୁ ଦେଖିବାର ନାହିଁ । ଯଦି କେହି ଭଲ କଥା
କହୁନାହାଁନ୍ତି, ତେବେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବାର ଅଛି । ଅଭିମାନ କରି
ପାଠପଢାକୁ ଛାଡିବାର ନାହିଁ ।
(୨) ବଞ୍ଚି ଥାଉ ଥାଉ ସବୁ
କିଛି ଦାନ କରି ସେଥିରୁ ନିଜର ମମତ୍ୱ ତୁଟାଇ ଦେବାର ଅଛି । ସମ୍ପୂର୍ଣ୍ଣ ସମର୍ପଣ କରି ନିମିତ୍ତ
ହୋଇ ହାଲୁକା ହୋଇ ରହିବାର ଅଛି । ଦେହୀ ଅଭିମାନୀ ହୋଇ ସମସ୍ତ ଦୈବୀଗୁଣ ଧାରଣ କରିବାର ଅଛି ।
ବରଦାନ:-
ଭିନ୍ନତାକୁ
ସମାପ୍ତ କରି ଏକତା ସୃଷ୍ଟି କରୁଥିବା ସଚ୍ଚା ସେବାଧାରୀ ହୁଅ ।
ବ୍ରାହ୍ମଣ ପରିବାରର
ବିଶେଷତା ହେଲା ଅନେକ ହୋଇଥିଲେ ମଧ୍ୟ ଏକ । ତୁମମାନଙ୍କର ଏକତା ଦ୍ୱାରା ହିଁ ସାରା ବିଶ୍ୱରେ ଏକ
ଧର୍ମ, ଏକ ରାଜ୍ୟର ସ୍ଥାପନା ହେଉଛି ସେଥିପାଇଁ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ଭିନ୍ନତାକୁ ସମାପ୍ତ
କର ଏବଂ ଏକତା ଆଣ ତେବେ କୁହାଯିବ ସଚ୍ଚା ସେବାଧାରୀ । ସେବାଧାରୀ ନିଜ ପାଇଁ ନୁହଁନ୍ତି କିନ୍ତୁ
ସେବା କରିବା ପାଇଁ ଥାଆନ୍ତି । ନିଜର ସବୁ କିଛି ସେବା ପ୍ରତି ସ୍ୱାହା କରିଥାଆନ୍ତି, ଯେପରି
ସାକାର ବାବା ସେବାରେ ହାଡ ମଧ୍ୟ ସ୍ୱାହା କରି ଦେଇଥିଲେ ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିଦେଇଥିଲେ,
ସେହିପରି ତୁମମାନଙ୍କର ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ସେବା ହେଉଥାଉ ।
ସ୍ଲୋଗାନ:-
ଯଦି
ପରମାତ୍ମାଙ୍କର ସ୍ନେହରେ ହଜିଯିବ, ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ ।