11.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ଏବେ ତୁମକୁ ସମ୍ପୂର୍ଣ୍ଣ ହେବାକୁ ପଡିବ କାରଣ ଘରକୁ ଫେରିବାକୁ ହେବ ଏବଂ ପୁଣି ପବିତ୍ର ଦୁନିଆକୁ ଆସିବାକୁ ହେବ ।

ପ୍ରଶ୍ନ:-
ସମ୍ପୂର୍ଣ୍ଣ ପବିତ୍ର ହେବାର ଉପାୟ କଣ?

ଉତ୍ତର:-
ଯଦି ସମ୍ପୂର୍ଣ୍ଣ ପବିତ୍ର ହେବାକୁ ଚାହୁଁଛ ତେବେ ସମ୍ପୂର୍ଣ୍ଣ ନିସ୍ୱ ହୋଇଯାଅ, ଦେହ ସହିତ ସବୁ ସମ୍ବନ୍ଧକୁ ଭୁଲ ଏବଂ ମୋତେ ମନେ ପକାଅ ତେବେ ଯାଇ ପବିତ୍ର ହେବ । ଏବେ ତୁମେମାନେ ଏହି ଆଖିରେ ଯାହା ସବୁ ଦେଖୁଛ ତାହା ସବୁ ବିନାଶ ହେବାକୁ ଯାଉଛି, ସେଥିପାଇଁ ଧନ, ସମ୍ପତ୍ତି, ବୈଭବ ଆଦି ସବୁ କିଛି ଭୁଲି ନିସ୍ୱ ହୋଇଯାଅ । ଏହିଭଳି ନିସ୍ୱ ବା ଭିକାରୀ ହିଁ ରାଜକୁମାର ହେବେ ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି । ପିଲାମାନେ ଏ କଥା ତ ଭଲ ଭାବରେ ବୁଝୁଛନ୍ତି ଯେ ପ୍ରତ୍ୟେକ ଆତ୍ମା ଆରମ୍ଭରେ ପବିତ୍ର ଥାନ୍ତି । ଆମେ ହିଁ ପବିତ୍ର ଥିଲୁ । ପତିତରୁ ପାବନ ଶବ୍ଦ ଆତ୍ମା ପାଇଁ ହିଁ କୁହାଯାଇଥାଏ । ଆତ୍ମା ପବିତ୍ର ଥିବା ସମୟରେ ସର୍ବଦା ସୁଖୀ ରହିଥାଏ । ତେବେ ବୁଦ୍ଧିରେ ରହୁଛି ଯେ ଆମେ ପବିତ୍ର ହେଲେ ପବିତ୍ର ଦୁନିଆର ମାଲିକ ହେବୁ । ଏଇଥି ପାଇଁ ହିଁ ପୁରୁଷାର୍ଥ କରୁଛନ୍ତି । ୫ ହଜାର ବର୍ଷ ପୂର୍ବରୁ ପବିତ୍ର ଦୁନିଆ ଥିଲା । ସେଠାରେ ଅଧାକଳ୍ପ ତୁମେ ପବିତ୍ର ଥିଲ, ବାକି ରହିଲା ଅଧାକଳ୍ପ । ଏକଥା ଆଉ କେହି ବୁଝିପାରିବେ ନାହିଁ । ତୁମେ ଜାଣିଛ, ପତିତ ଓ ପାବନ, ସୁଖ ଓ ଦୁଃଖ, ଦିନ ଓ ରାତି ଅଧା ଅଧା । ଯିଏ ବହୁତ ବୁଦ୍ଧିମାନ, ବହୁତ ଭକ୍ତି କରିଛନ୍ତି ସିଏ ଏହି କଥାକୁ ଭଲ ଭାବରେ ବୁଝିବେ । ବାବା କହୁଛନ୍ତି ମଧୁର ସନ୍ତାନମାନେ, ତୁମେ ପବିତ୍ର ଥିଲ । ନୂଆ ଦୁନିଆରେ କେବଳ ତୁମେ ହିଁ ଥିଲ । ବାକି ସମସ୍ତ ଆତ୍ମାମାନେ ଶାନ୍ତିଧାମରେ ଥିଲେ । ପ୍ରଥମେ ପ୍ରଥମେ ଆମେ ଅଳ୍ପ ସଂଖ୍ୟକ ଆତ୍ମା ଥିଲେ ଓ ପବିତ୍ର ଥିଲେ ପୁଣି କ୍ରମାନୁଯାୟୀ ମନୁଷ୍ୟ ସୃଷ୍ଟିର ବୃଦ୍ଧି ହେଲା । ବର୍ତ୍ତମାନ ତୁମ ମଧୁର ସନ୍ତାନମାନଙ୍କୁ କିଏ ବୁଝାଉଛନ୍ତି? ବାବା ଆତ୍ମାମାନଙ୍କୁ ପରମାତ୍ମା ପିତା ବୁଝାଉଛନ୍ତି, ଏହାକୁ ସଂଗମ କୁହାଯାଉଛି ଏବଂ ଏହାକୁ ହିଁ କୁମ୍ଭ ମେଳା କୁହାଯାଉଛି । ମନୁଷ୍ୟମାନେ ଏହି ସଂଗମଯୁଗକୁ ଭୁଲିଯାଇଛନ୍ତି । ବାବା ବୁଝାଇଛନ୍ତି - ୪ଟି ଯୁଗ ଥାଏ, ପଞ୍ଚମଟି ହେଉଛି ଏହି ଛୋଟ ଏବଂ ଲିପ୍ ସଂଗମଯୁଗ । ଏହାର ଆୟୁ ସବୁଠାରୁ କମ୍ । ବାବା କହୁଛନ୍ତି ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମର ବାନପ୍ରସ୍ଥ ଅବସ୍ଥାରେ ପ୍ରବେଶ କରୁଛି । ତେବେ ପିଲାମାନେ ଏହାଙ୍କୁ ସମ୍ମାନ ଦେଉଛନ୍ତି ନା । ବାବା ଏହାଙ୍କ (ବ୍ରହ୍ମାଙ୍କ) ଭିତରେ ପ୍ରବେଶ କରିଛନ୍ତି, ଏହାଙ୍କର ଜୀବନ କାହାଣୀକୁ ମଧ୍ୟ ଶୁଣାଉଛନ୍ତି । ବାବା କହୁଛନ୍ତି ମୁଁ ଆତ୍ମାମାନଙ୍କ ସହ ହିଁ ବାର୍ତ୍ତାଳାପ କରୁଛି । ଆତ୍ମା ଏବଂ ଶରୀର ଉଭୟଙ୍କର ଏକତ୍ର ଅଭିନୟ ହୋଇଥାଏ । ଏହାକୁ ଜୀବାତ୍ମା କୁହାଯାଏ । ପବିତ୍ର ଜୀବାତ୍ମା ଓ ଅପବିତ୍ର ଜୀବାତ୍ମା । ତୁମମାନଙ୍କ ବୁଦ୍ଧିରେ ରହିଛି ଯେ ସତ୍ୟଯୁଗରେ ବହୁତ କମ୍ ସଂଖ୍ୟକ ଦେବୀ ଦେବତା ଥାନ୍ତି । ପୁଣି ନିଜ ପାଇଁ ମଧ୍ୟ କହିବେ - ଆମେ ଯେଉଁ ଜୀବାତ୍ମାମାନେ ସତ୍ୟଯୁଗରେ ଥିଲୁ, ପବିତ୍ର ଥିଲୁ ପୁଣି ୮୪ ଜନ୍ମ ପରେ ପତିତ ହୋଇଯାଇଛୁ । ପତିତରୁ ପବିତ୍ର, ପବିତ୍ରରୁ ପତିତ - ଏହି ଚକ୍ର ଘୂରି ଚାଲିଛି । ସେହି ପତିତ-ପାବନ ବାବାଙ୍କୁ ହିଁ ସମସ୍ତେ ମନେ ପକାଇଥାନ୍ତି । ପ୍ରତି ୫ ହଜାର ବର୍ଷ ପରେ ବାବା ଆସନ୍ତି, ଆସି ସ୍ୱର୍ଗର ସ୍ଥାପନା କରିଥାନ୍ତି । ଭଗବାନ ହେଉଛନ୍ତି ଏକ, ନିଶ୍ଚିତ ରୂପେ ସିଏ ହିଁ ପୁରୁଣା ଦୁନିଆକୁ ନୂଆ କରିବେ । ତେବେ ନୂଆକୁ ପୁରୁଣା କିଏ କରୁଛି? ରାବଣ, କାହିଁକି ନା ରାବଣ ହିଁ ସମସ୍ତଙ୍କୁ ଦେହ-ଅଭିମାନୀ କରୁଛି । ତେବେ ଶତ୍ରୁର କୁଶ ପୁତ୍ତଳିକା ଦାହ କରାଯାଇଥାଏ, ମିତ୍ରର ଦାହ କରାଯାଏ ନାହିଁ । ସମସ୍ତଙ୍କର ମିତ୍ର ହେଉଛନ୍ତି ଏକ ବାବା ଯିଏକି ସମସ୍ତଙ୍କର ସଦ୍‌ଗତି କରିଥାନ୍ତି । ତାଙ୍କୁ ସମସ୍ତେ ମନେ ପକାଇଥାନ୍ତି, କାହିଁକି ନା ସେ ହିଁ ହେଉଛନ୍ତି ସମସ୍ତଙ୍କର ସୁଖଦାତା । ତେବେ ନିଶ୍ଚିତ ଦୁଃଖଦାତା ମଧ୍ୟ କେହି ଥିବେ । ୫ ବିକାର ରୂପି ରାବଣ ହିଁ ଦୁଃଖଦାତା ଅଟେ । ଅଧାକଳ୍ପ ରାମରାଜ୍ୟ, ଅଧାକଳ୍ପ ରାବଣ ରାଜ୍ୟ । ସ୍ୱସ୍ଥିକ ଚିହ୍ନ ଦେଇଥାନ୍ତି ନା । ଏହାର ଅର୍ଥ ମଧ୍ୟ ବାବା ବୁଝାଉଛନ୍ତି । ସେଥିରେ ପୁରା ସମାନ ସମାନ ୪ ଭାଗ ରହିଥାଏ । ଟିକିଏ ବି କମ୍ ବେଶି ହୋଇ ନ ଥାଏ । ଏହି ଡ୍ରାମା ବହୁତ ନିର୍ଭୁଲ ଭାବେ ତିଆରି ହୋଇଛି । କେହି କେହି ଭାବୁଛନ୍ତି ଏହି ଡ୍ରାମାରୁ ମୁକ୍ତି ମିଳି ଗଲେ ଭଲ, କାରଣ ଏଥିରେ ବହୁତ ଦୁଃଖ ରହିଛି ବରଂ ଏହା ଅପେକ୍ଷା ତ ଜ୍ୟୋତି ସହ ମିଶିଯିବା ବା ବ୍ରହ୍ମରେ ଲୀନ ହୋଇଯିବା ଶ୍ରେୟସ୍କର । କିନ୍ତୁ କେହି ହେଲେ ମଧ୍ୟ ଏହି ଡ୍ରାମାରୁ ମୁକ୍ତ ହୋଇପାରିବେ ନାହିଁ । କିଭଳି କିଭଳି ଅଜବ ସଂକଳ୍ପ ସବୁ କରୁଛନ୍ତି । ଭକ୍ତିମାର୍ଗରେ ଏଥିପାଇଁ ଭିନ୍ନ ଭିନ୍ନ ପ୍ରକାରର ପ୍ରଯତ୍ନ କରିଥାନ୍ତି । ସନ୍ନ୍ୟାସୀ ଦେହତ୍ୟାଗ କଲେ କେବେହେଲେ କୁହନ୍ତି ନାହିଁ ଯେ ସେ ସ୍ୱର୍ଗ ବା ବୈକୁଣ୍ଠବାସୀ ହେଲେ । କେବଳ ପ୍ରବୃତ୍ତିମାର୍ଗୀମାନେ ହିଁ କୁହନ୍ତି ଯେ, ସ୍ୱର୍ଗବାସୀ ହେଲେ । ଆତ୍ମାମାନଙ୍କୁ ସ୍ୱର୍ଗର ସ୍ମୃତି ତ ରହିଛି ନା । ସ୍ୱର୍ଗର ସ୍ମୃତି ତ ତୁମମାନଙ୍କର ସବୁଠାରୁ ଅଧିକ ରହିଛି । ତୁମକୁ ଉଭୟର ଇତିହାସ ଭୂଗୋଳ ଜଣା ଅଛି । ଅନ୍ୟ କାହାକୁ ଜଣାନାହିଁ । ତୁମକୁ ମଧ୍ୟ ଜଣା ନ ଥିଲା । ବାବା ବସି ପିଲାମାନଙ୍କୁ ସମସ୍ତ ରହସ୍ୟ ବୁଝାଉଛନ୍ତି ।

ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପି ବୃକ୍ଷ । ବୃକ୍ଷର ନିଶ୍ଚିତ ରୂପେ ବୀଜ ମଧ୍ୟ ରହିବା ଦରକାର । ବାବା ବୁଝାଉଛନ୍ତି ପବିତ୍ର ଦୁନିଆ କିଭଳି ପତିତ ହେଉଛି ପୁଣି ମୁଁ ଆସି ତାକୁ କିଭଳି ପବିତ୍ର କରୁଛି । ପବିତ୍ର ଦୁନିଆକୁ ସ୍ୱର୍ଗ କୁହାଯାଏ । ସ୍ୱର୍ଗ ଆଜି ଅତୀତ ହୋଇଯାଇଛି ପୁଣି ନିଶ୍ଚିତ ତାହାର ପୁନରାବୃତ୍ତି ହେବ । ତେଣୁ କୁହାଯାଉଛି ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇଥାଏ ଅର୍ଥାତ୍ ବିଶ୍ୱ ପୁରୁଣାରୁ ନୂଆ ଓ ନୂଆରୁ ପୁରୁଣା ହୋଇଥାଏ । ପୁନରାବୃତ୍ତି ଅର୍ଥାତ୍ ଡ୍ରାମା । ଡ୍ରାମା ଅକ୍ଷର ବହୁତ ଭଲ, ଶୋଭା ପାଉଛି । ଚକ୍ର ଅବିକଳ ପୂର୍ବ ଭରି ଘୁରି ଚାଲିଛି । ନାଟକକୁ ଅବିକଳ କୁହାଯିବ ନାହିଁ । ଦୁନିଆର ନାଟକରେ କେହି ରୋଗଗ୍ରସ୍ତ ହେଲେ ଛୁଟି ନେଇଥାନ୍ତି । ତୁମମାନଙ୍କ ବୁଦ୍ଧିରେ ରହିଛି ଆମେ ପୂଜ୍ୟ ଦେବତା ଥିଲୁ ପୁଣି ପୂଜାରୀ ହେଲୁ । ବାବା ଆସି ପତିତରୁ ପବିତ୍ର ହେବାର ଉପାୟ କହୁଛନ୍ତି ଯାହାକି ୫ ହଜାର ବର୍ଷ ପୂର୍ବରୁ କହିଥିଲେ । କେବଳ କହୁଛନ୍ତି ପିଲାମାନେ ମୋତେ ମନେ ପକାଅ । ବାବା ପ୍ରଥମେ ପ୍ରଥମେ ତୁମକୁ ଆତ୍ମ-ଅଭିମାନୀ କରାଉଛନ୍ତି । ପ୍ରଥମ ଶିକ୍ଷା ଦେଉଛନ୍ତି - ପିଲାମାନେ ତୁମେ ନିଜକୁ ଆତ୍ମ ନିଶ୍ଚୟ କର ଏବଂ ବାବାଙ୍କୁ ମନେ ପକାଅ । ତୁମକୁ ଏତେ ଥର ସ୍ମୃତି ଚାରଣ କରାଉଛି, ତଥାପି ତୁମେ ଭୁଲିଯାଉଛ । ଡ୍ରାମାର ଅନ୍ତିମ ସମୟ ପର୍ଯ୍ୟନ୍ତ ଭୁଲୁଥିବ । ଅନ୍ତିମ ବିନାଶ ସମୟରେ ତୁମର ପାଠପଢା ଶେଷ ହେବ ପୁଣି ତୁମେ ଶରୀର ତ୍ୟାଗ କରିଦେବ । ଯେପରି ସର୍ପ ମଧ୍ୟ ପୁରୁଣା କାତି ଛାଡି ଦେଇଥାଏ ନା । ତେଣୁ ବାବା ମଧ୍ୟ ବୁଝାଉଛନ୍ତି ତୁମେ ବସିବା, ଉଠିବା, ଚାଲିବା, ବୁଲିବା ସମୟରେ ଦେହୀ-ଅଭିମାନୀ ହୋଇ ରୁହ । ପୂର୍ବରୁ ତୁମର ଦେହ-ଅଭିମାନ ଥିଲା । ଏବେ ବାବା କହୁଛନ୍ତି ଆତ୍ମ-ଅଭିମାନୀ ହୁଅ । ଦେହ-ଅଭିମାନୀ ହେବା ଦ୍ୱାରା ତୁମକୁ ୫ ବିକାର ଅଧିନ କରିଦେଉଛି । ଆତ୍ମ-ଅଭିମାନୀ ହେବା ଦ୍ୱାରା କୌଣସି ବିକାର ଅଧୀନ କରିପାରିବ ନାହିଁ । ଦେହୀ-ଅଭିମାନୀ ହୋଇ ବାବାଙ୍କୁ ବହୁତ ସ୍ନେହର ସହ ମନେ ପକାଅ । ଏହି ସଂଗମଯୁଗରେ ଆତ୍ମାମାନଙ୍କୁ ପରମାତ୍ମା ପିତାଙ୍କର ସ୍ନେହ ମିଳୁଛି । ଏହି ସମୟରେ ପିତା ଓ ପୁତ୍ରଙ୍କର ମିଳନ ହେଉଛି, ତେଣୁ ଏହାକୁ କଲ୍ୟାଣକାରୀ ସଂଗମଯୁଗ କୁହାଯାଇଥାଏ । ତୁମେ ଆତ୍ମାମାନେ ଶରୀର ଧାରଣ କରିଛ । ବାବା ମଧ୍ୟ ଶରୀରର ଆଧାର ନେଇ ତୁମକୁ ଆତ୍ମା ନିଶ୍ଚୟ କରାଉଛନ୍ତି । ବାବା କଳ୍ପରେ ଥରେ ମାତ୍ର ଆସି ସମସ୍ତଙ୍କୁ ଘରକୁ ଫେରାଇ ନେଉଛନ୍ତି । ଏକଥା ମଧ୍ୟ ବୁଝାଉଛନ୍ତି ଯେ ମୁଁ ତୁମକୁ କିପରି ଘରକୁ ଫେରାଇ ନେଉଛି । ତୁମେ ନିଜେ ମଧ୍ୟ କହୁଛ ଆମେ ସମସ୍ତେ ଅପବିତ୍ର, ଆପଣ ପବିତ୍ର ଅଟନ୍ତି । ଆପଣ ଆସି ଆମକୁ ପବିତ୍ର କରନ୍ତୁ । ତୁମମାନଙ୍କୁ ଜଣା ନ ଥିଲା କି ବାବା କିଭଳି ପବିତ୍ର କରିବେ । ଯେ ପର୍ଯ୍ୟନ୍ତ ପବିତ୍ର କରି ନାହାଁନ୍ତି ସେ ପର୍ଯ୍ୟନ୍ତ କଣ ଜାଣିବେ । ଏ କଥା ମଧ୍ୟ ତୁମେ ବୁଝୁଛ ଯେ ଆତ୍ମା ଛୋଟ ତାରକା ସଦୃଶ । ବାବା ମଧ୍ୟ ସୂକ୍ଷ୍ମ ତାରକା ସଦୃଶ କିନ୍ତୁ ସେ ଜ୍ଞାନର ସାଗର, ଶାନ୍ତିର ସାଗର । ତୁମକୁ ମଧ୍ୟ ତାଙ୍କ ସମାନ କରୁଛନ୍ତି । ଏହି ଜ୍ଞାନ ତୁମ ସନ୍ତାନମାନଙ୍କ ପାଖରେ ଅଛି ଯାହା ତୁମେ ଅନ୍ୟମାନଙ୍କୁ ବୁଝାଉଛ । କଣ ତୁମେ ସତ୍ୟଯୁଗରେ ଥିବା ସମୟରେ ଏହି ଜ୍ଞାନ ଶୁଣାଇବ? ନା । ଜ୍ଞାନର ସାଗର ବାବା ତ ଜଣେ ଅଟନ୍ତି ଯିଏ ତୁମକୁ ବର୍ତ୍ତମାନ ହିଁ ଆସି ପଢାଉଛନ୍ତି । ସମସ୍ତଙ୍କର ଜୀବନ କାହାଣୀ ତ ରହିବା ଦରକାର ନା । ତୁମର ମାୟା ସହିତ ଯୁଦ୍ଧ ଚାଲିଛି । ତୁମେ ଅନୁଭବ କରୁଛ ଯେ ଆମେ ବାବାଙ୍କୁ ମନେ ପକାଉଛୁ, ପୁଣି ଭୁଲିଯାଉଛୁ । ବାବା କହୁଛନ୍ତି ମାୟା ହିଁ ତୁମର ଶତ୍ରୁ ଅଟେ, ଯିଏକି ତୁମକୁ ବାବାଙ୍କର ସ୍ମୃତି ଭୁଲାଇ ଦେଉଛି ଅର୍ଥାତ୍ ବାବାଙ୍କଠାରୁ ବିମୁଖ କରାଇ ଦେଉଛି । ତୁମେମାନେ କଳ୍ପରେ ଥରେ ମାତ୍ର ବାବାଙ୍କ ସମ୍ମୁଖକୁ ଆସୁଛ । ବାବା ମଧ୍ୟ କଳ୍ପରେ ଥରେ ମାତ୍ର ଆସି ସମ୍ପତ୍ତି ଦେଇଥାଆନ୍ତି । ଏହା ପରେ ପୁଣି ବାବାଙ୍କର ସମ୍ମୁଖକୁ ଆସିବାର ଆବଶ୍ୟକତା ହିଁ ନାହିଁ । ପାପାତ୍ମାରୁ ପୁଣ୍ୟାତ୍ମା, ସ୍ୱର୍ଗର ମାଲିକ କରାଇଲେ । ବାସ୍ । ତା ପରେ ଆସି ପୁଣି କଣ କରିବେ । ତୁମେ ମୋତେ ଡାକିଲ ଏବଂ ମୁଁ ନିର୍ଦ୍ଧିଷ୍ଟ ସମୟରେ ଆସି ପହଞ୍ଚିଗଲି । ପ୍ରତି ୫ ହଜାର ବର୍ଷ ପରେ ମୁଁ ମୋର ନିର୍ଦ୍ଧିଷ୍ଟ ସମୟରେ ହିଁ ଆସିଥାଏ । ଏହା କାହାକୁ ମଧ୍ୟ ଜଣା ନାହିଁ । ଶିବରାତ୍ରୀ କାହିଁକି ପାଳନ କରୁଛନ୍ତି, ସେ ଆସି କଣ କରିଥିଲେ? ଏକଥା କାହାକୁ ମଧ୍ୟ ଜଣା ନାହିଁ, ତେଣୁ ଶିବରାତ୍ରୀକୁ ଛୁଟି ଦିନ ରୂପେ ଘୋଷଣା କରୁନାହାଁନ୍ତି । ଅନ୍ୟ ସମସ୍ତଙ୍କ ପାଇଁ ଛୁଟି ଦିନ ପାଳନ କରୁଛନ୍ତି କିନ୍ତୁ ଶିବବାବା ଆସି ଏତେ ଶ୍ରେଷ୍ଠ କର୍ତ୍ତବ୍ୟ କରୁଛନ୍ତି, ତାଙ୍କ ବିଷୟରେ କାହାକୁ ମଧ୍ୟ ଜଣା ନାହିଁ । ଏହାର ଅର୍ଥ ହିଁ ଜାଣିନାହାଁନ୍ତି । ଭାରତରେ କେତେ ଅଜ୍ଞାନତା ରହିଛି ।

ତୁମେ ପିଲାମାନେ ଜାଣିଛ କି ଶିବବାବା ହିଁ ସର୍ବୋଚ୍ଚ ଅଟନ୍ତି ତେଣୁ ନିଶ୍ଚିତ ରୂପେ ସେ ମନୁଷ୍ୟମାନଙ୍କୁ ମଧ୍ୟ ଉଚ୍ଚରୁ ଉଚ୍ଚ କରିବେ ନା । ବାବା କହୁଛନ୍ତି ମୁଁ ଏହାଙ୍କୁ ଜ୍ଞାନ ଓ ଯୋଗ ଶିକ୍ଷା ଦେଇ ନରରୁ ନାରାୟଣ କରାଇଲି । ସେମାନେ ଏହି ଜ୍ଞାନ ଶୁଣିଛନ୍ତି । ଏହି ଜ୍ଞାନ ତୁମ ପାଇଁ ହିଁ ଉଦ୍ଦିଷ୍ଟ । ଅନ୍ୟ କାହା ପାଇଁ ଏହି ଜ୍ଞାନ ଶୋଭା ପାଇବ ନାହିଁ । ତୁମକୁ ପୁନଃ ନରରୁ ନାରାୟଣ ହେବାର ଅଛି ଅନ୍ୟ କେହି ହେବେ ନାହିଁ । ଏହା ହେଉଛି ନରରୁ ନାରାୟଣ ହେବାର କଥା । ଅନ୍ୟ ଧର୍ମ ସ୍ଥାପକମାନେ ସମସ୍ତେ ପୁନର୍ଜନ୍ମ ନେଇ ନେଇ ତମଃପ୍ରଧାନ ହୋଇଯାଇଛନ୍ତି, ପୁନଃ ସେମାନଙ୍କୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ସେହି ପଦବୀ ଅନୁସାରେ ପୁଣି ନିଜର ଅଭିନୟର ପୁନରାବୃତ୍ତି କରିବାକୁ ହେବ । ଶ୍ରେଷ୍ଠ ଅଭିନେତା ହେବା ପାଇଁ ତୁମେ କେତେ ପୁରୁଷାର୍ଥ କରୁଛ । କିଏ ପୁରୁଷାର୍ଥ କରାଉଛନ୍ତି? ବାବା । ତୁମେ ଶ୍ରେଷ୍ଠ ହୋଇଯିବା ପରେ ବାବାଙ୍କୁ ମନେ ପକାଉ ନାହଁ । ତୁମେ ସ୍ୱର୍ଗରେ ବାବାଙ୍କୁ ମନେ ପକାଇବ କି! ବାବା ସର୍ବୋଚ୍ଚ ଅଟନ୍ତି, ତେଣୁ ପିଲାମାନଙ୍କୁ ମଧ୍ୟ ଉଚ୍ଚ ପଦ ଦେଉଛନ୍ତି । ନାରାୟଣଙ୍କ ପୂର୍ବରୁ ତ ଶ୍ରୀକୃଷ୍ଣ ହୋଇଥାନ୍ତି । ତେବେ ତୁମେ ଏପରି କାହିଁକି କହୁଛ ଯେ ନରରୁ ନାରାୟଣ ହେବୁ? କାହିଁକି କହୁନାହଁ ଯେ ନରରୁ କୃଷ୍ଣ ହେବୁ? ପ୍ରଥମେ ନାରାୟଣ ହୋଇପାରିବ କି? ପ୍ରଥମେ ତ ରାଜକୁମାର ଶ୍ରୀକୃଷ୍ଣ ହେବ ନା । ଛୋଟ ପିଲା ତ ଫୁଲ ସମାନ ପବିତ୍ର ହୋଇଥାଆନ୍ତି, ନାରାୟଣ ତ ବିବାହ ପରେ ଯୁଗଳ ମୂର୍ତ୍ତି ହୋଇଯାଇଥାନ୍ତି । ବ୍ରହ୍ମାଚାରୀମାନଙ୍କର ମହିମା ହୋଇଥାଏ । ଛୋଟ ପିଲାଙ୍କୁ ସତ୍ତ୍ୱପ୍ରଧାନ କୁହାଯାଏ । ତୁମର ସ୍ମୃତିରେ ରହିବା ଉଚିତ୍ ଯେ - ଆମେ ପ୍ରଥମେ ପ୍ରଥମେ ରାଜକୁମାର ହେବୁ । ଗାୟନ ମଧ୍ୟ ରହିଛି - ଗରିବରୁ ରାଜକୁମାର । ଗରିବ କାହାକୁ କୁହାଯାଏ? ଆତ୍ମା ଶରୀର ସହିତ ଥିବା ସମୟରେ ଗରିବ ବା ସାହୁକାର କୁହାଯାଇଥାଏ । ତୁମେ ଜାଣିଛ ଏହି ସମୟରେ ସମସ୍ତେ ଗରୀବ ହୋଇ ଯାଇଥାନ୍ତି । ସବୁ ଧନ ସମ୍ପତ୍ତି ଖାଲି ହୋଇଯାଇଛି । ତୁମକୁ ଏହି ସମୟରେ ଶରୀର ସହିତ ଗରୀବ ହେବାର ଅଛି । ଯାହା ଅଳ୍ପ କିଛି ଧନ ସମ୍ପତ୍ତି ରହିଛି ତାହା ମଧ୍ୟ ବିନାଶ ହୋଇଯିବ । ଆତ୍ମାକୁ ନିସ୍ୱ ହେବାକୁ ପଡିବ, ସବୁ କିଛି ତ୍ୟାଗ କରିବାକୁ ହେବ । ପୁଣି ତୁମେ ସେଠାରେ ଯାଇ ରାଜକୁମାର ହେବ । ତୁମେ ଜାଣିଛ ଧନ ସମ୍ପତ୍ତି ଆଦି ସବୁ କିଛି ତ୍ୟାଗ କରି ନିସ୍ୱ ହୋଇ ଆମେ ଘରକୁ ଯିବା । ପୁନଃ ନୂଆ ଦୁନିଆକୁ ରାଜକୁମାର ହୋଇ ଆସିବା । ଯାହା କିଛି ବି ଅଛି, ସବୁ କିଛି ତ୍ୟାଗ କରିବାକୁ ହେବ । ଏହି ପୁରୁଣା ଜିନିଷ କୌଣସି କାମର ନୁହେଁ । ଆତ୍ମା ପବିତ୍ର ହୋଇଗଲେ ପୁଣି କଳ୍ପ ପୂର୍ବ ଭଳି ପୁନଃ ଏଠାକୁ ଅଭିନୟ କରିବାକୁ ଆସିବ । ତୁମେ ଯେତେ ଯେତେ ଅଧିକ ଧାରଣା କରିବ ସେତେ ସେତେ ଉଚ୍ଚ ପଦ ମିଳିବ । ଯଦିଓ ବର୍ତ୍ତମାନ ସମୟରେ କାହା ପାଖରେ ୫ କୋଟି ଟଙ୍କା ବି ଅଛି କିନ୍ତୁ ସବୁ ବିନାଶ ହୋଇଯିବ । ଆମେ ପୁନଃ ଆମର ନୂଆ ଦୁନିଆକୁ ଯାଉଛେ । ଏଠାକୁ ତୁମେ ନୂଆ ଦୁନିଆକୁ ଯିବା ପାଇଁ ଆସିଛ । ଅନ୍ୟ କୌଣସି ସତସଙ୍ଗ ନାହିଁ, ଯେଉଁଠାରେ କି ଭାବୁଥିବେ ଯେ ଆମେ ନୂଆ ଦୁନିଆ ପାଇଁ ପାଠ ପଢୁଛୁ । ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଅଛି ଯେ - ବାବା ପ୍ରଥମେ ଆମକୁ ଗରିବ କରୁଛନ୍ତି ଓ ପୁଣି ଗରିବରୁ ସାହୁକାର କରୁଛନ୍ତି । ଏବେ ତୁମେ ଯଦି ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରିଲ ତେବେ ଭିକାରୀ ହେଲ ନା । କିଛି ହେଲେ ବି ନିଜର ନୁହେଁ । ବର୍ତ୍ତମାନ ଭାରତରେ ତ କିଛି ବି ନାହିଁ । ଭାରତ ଏବେ ଗରୀବ, ଧନ ହୀନ ହୋଇଯାଇଛି । ପୁଣି ଧନଶାଳୀ ହେବ । କିଏ ଧନଶାଳୀ ହେଉଛି । ଆତ୍ମା ଶରୀର ଦ୍ୱାରା ହେଉଛି । ବର୍ତ୍ତମାନ ରାଜା ରାଣୀ ବି ନାହାଁନ୍ତି । ସେମାନେ ମଧ୍ୟ ଧନ ହୀନ ହୋଇଯାଇଛନ୍ତି, ତାଙ୍କର ରାଜମୁକୁଟ ମଧ୍ୟ ନାହିଁ । ନା ପବିତ୍ରତାର ମୁକୁଟ ଅଛି ନା ରତ୍ନ ଜଡିତ ମୁକୁଟ ଅଛି । ଏହା ହେଉଛି ଅନ୍ଧକାରମୟ ଦୁନିଆ, ଭଗବାନ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି ଅର୍ଥାତ୍ ସମସ୍ତଙ୍କ ମଧ୍ୟରେ ଭଗବାନ ଅଛନ୍ତି । ତେବେ ସମସ୍ତେ ସମାନ ହୋଇଗଲେ । କୁକୁର, ବିଲେଇ ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି, ଏହାକୁ କୁହାଯାଉଛି ଅନ୍ଧାର ନଗରୀ.... । ବର୍ତ୍ତମାନ ତୁମ ବ୍ରାହ୍ମଣମାନଙ୍କର ରାତି ଥିଲା । ଏବେ ତୁମେ ବୁଝୁଛ ଜ୍ଞାନ ଦିନ ଆସୁଛି । ସତ୍ୟଯୁଗରେ ସମସ୍ତଙ୍କର ଜ୍ୟୋତି ଜାଗ୍ରତ ଥାଏ । ଏବେ ଦୀପ ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଭାରତରେ ହିଁ ଦୀପ ଜଳାଇବାର ପ୍ରଥା ରହିଛି । ଅନ୍ୟ କୌଣସି ଦେଶରେ ଦୀପ ଜଳାଇ ନ ଥାନ୍ତି । ତୁମର ଜ୍ୟୋତି ଏବେ ତେଜହୀନ ହୋଇଯାଇଛି । ତୁମେ ସତ୍ତ୍ୱପ୍ରଧାନ ଆତ୍ମା ବିଶ୍ୱର ମାଲିକ ଥିଲ, ପୁଣି ଶକ୍ତି କ୍ଷୀଣ ହୋଇ ହୋଇ ଏବେ ପୂର୍ଣ୍ଣ ରୂପେ ଶକ୍ତିହୀନ ହୋଇଯାଇଛ । ଏବେ ବାବା ଆସିଛନ୍ତି ତୁମକୁ ଶକ୍ତି ଦେବା ପାଇଁ । ବ୍ୟାଟେରୀ ଚାର୍ଜ ହେଉଛି । ଆତ୍ମାକୁ ପରମାତ୍ମା ପିତାଙ୍କର ସ୍ମୃତି ରହିବା ଦ୍ୱାରା ଆତ୍ମା ରୂପୀ ବ୍ୟାଟେରୀ ଭରପୂର ହୋଇଯାଇଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏବେ ନାଟକ ଶେଷ ହେବାକୁ ଯାଉଛି, ଆମକୁ ଘରକୁ ଫେରିଯିବାକୁ ହେବ, ସେଥିପାଇଁ ବାବାଙ୍କର ସ୍ମୃତି ଆଧାରରେ ଆତ୍ମାକୁ ନିଶ୍ଚିତ ସତ୍ତ୍ୱପ୍ରଧାନ, ପବିତ୍ର କରିବାକୁ ହେବ । ବାବାଙ୍କ ଭଳି ଜ୍ଞାନର ସାଗର, ଶାନ୍ତିର ସାଗର ଏବେ ହିଁ ହେବାକୁ ପଡିବ ।

(୨) ଏହି ଦେହଠାରୁ ମଧ୍ୟ ସମ୍ପୂର୍ଣ୍ଣ ନିସ୍ୱ ହେବା ପାଇଁ ବୁଦ୍ଧିରେ ରହୁ ଯେ ଏହି ଆଖିରେ ଯାହା କିଛି ବି ଦେଖୁଛୁ ତାହା ସବୁ ବିନାଶ ହୋଇଯିବ । ମୋତେ ନିସ୍ୱରୁ ରାଜକୁମାର ହେବାର ଅଛି । ଆମେ ନୂଆ ଦୁନିଆ ପାଇଁ ହିଁ ପାଠ ପଢୁଛୁ ।

ବରଦାନ:-
କୌଣସି ପ୍ରକାରର ଚମତ୍କାର ଦେଖାଇବା ପରିବର୍ତ୍ତେ ଅବିନାଶୀ ଭାଗ୍ୟର ଚମକୁଥିବା ତାରକା ସଦୃଶ ସିଦ୍ଧି ସ୍ୱରୂପ ହୁଅ ।

ଆଜିକାଲି ଯେଉଁ ସବୁ ଅଳ୍ପକାଳର ସିଦ୍ଧି ପ୍ରାପ୍ତ କରିଥିବା ଆତ୍ମାମାନେ ଅଛନ୍ତି ସେମାନେ ସୃଷ୍ଟିର ଶେଷ ସମୟରେ ଉପରୁ ଆସିଥିବା କାରଣରୁ ନିଜ ନିଜର ସତଃପ୍ରଧାନ ସ୍ଥିତି ଅନୁସାରେ ପବିତ୍ରତାର ଫଳ ସ୍ୱରୂପ ଅଳ୍ପକାଳର ଚମତ୍କାରୀ ଦେଖାଉଛନ୍ତି କିନ୍ତୁ ସେମାନଙ୍କର ସିଦ୍ଧି ସଦାକାଳର ନୁହେଁ, କାହିଁକି ନା ଅଳ୍ପ ସମୟ ଭିତରେ ହିଁ ସେମାନଙ୍କୁ ସତ୍ତ୍ୱ, ରଜଃ, ତମଃ ସ୍ଥିତିକୁ ଅତିକ୍ରମ କରିବାକୁ ପଡିବ, କିନ୍ତୁ ତୁମେ ପବିତ୍ର ଆତ୍ମାମାନେ ସଦାକାଳର ସିଦ୍ଧି ସ୍ୱରୂପ ଅଟ, କୌଣସି ଚମତ୍କାର ଦେଖାଇବା ପରିବର୍ତ୍ତେ ସମସ୍ତଙ୍କୁ ଚମକୁଥିବା ଜ୍ୟୋତି ସ୍ୱରୂପ ଆତ୍ମା କରିଦେଉଛ, ଅବିନାଶୀ ଭାଗ୍ୟର ଚମକୁଥିବା ତାରକା କରିଦେଉଛ, ସେଥିପାଇଁ ସମସ୍ତେ ତୁମ ନିକଟକୁ ହିଁ ଆଞ୍ଜୁଳି ନେବା ପାଇଁ ଆସିବେ ।

ସ୍ଲୋଗାନ:-
ଯଦି ବାୟୁମଣ୍ଡଳ ବେହଦର ବୈରାଗ୍ୟ ବୃତ୍ତିର ହୋଇଥିବ ତେବେ ସହଯୋଗୀ ଆତ୍ମାମାନେ ସହଜଯୋଗୀ ହୋଇଯିବେ ।