11.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବର୍ତ୍ତମାନ ତୁମମାନଙ୍କୁ ବେହଦର ପବିତ୍ରତାକୁ ଧାରଣ କରିବାକୁ ହେବ, ବେହଦର ପବିତ୍ରତା ଅର୍ଥାତ୍ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେ ପଡୁ ନ ଥିବେ । ’’

ପ୍ରଶ୍ନ:-
ବାବାଙ୍କଠାରୁ ସମ୍ପତ୍ତି ନେବାର ପୂର୍ବର ପୁରୁଷାର୍ଥ ଏବଂ ସମ୍ପତ୍ତି ନେବାର ପରବର୍ତ୍ତୀ ସ୍ଥିତିରେ କ’ଣ ପାର୍ଥକ୍ୟ ରହିଛି?

ଉତ୍ତର:-
ଯେତେବେଳେ ତୁମେମାନେ ବାବାଙ୍କଠାରୁ ସମ୍ପତ୍ତି ନେଉଛ, ସେତେବେଳେ ଦେହର ସବୁ ସମ୍ବନ୍ଧକୁ ଛାଡି ଏକମାତ୍ର ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରୁଛ ଏବଂ ଯେତେବେଳେ ସମ୍ପତ୍ତି ମିଳିଯାଉଛି ସେତେବେଳେ ବାବାଙ୍କୁ ଭୁଲିଯାଉଛ । ଯେହେତୁ ଏବେ ସମ୍ପତ୍ତି ନେବାର ଅଛି, ତେଣୁ ଏବେ ଆଉ କାହା ସହିତ ନୂଆ ସମ୍ବନ୍ଧ ଯୋଡିବାର ନାହିଁ । ନଚେତ୍ ଭୁଲିବା ପାଇଁ କଷ୍ଟକର ହେବ । ତେଣୁ ସବୁ କିଛି ଭୁଲି ଜଣଙ୍କୁ ହିଁ ମନେ ପକାଅ, ତେବେ ସମ୍ପତ୍ତି ମିଳିଯିବ ।

ଗୀତ:-
ୟହ ୱକ୍ତ ଯା ରହା ହେ.....

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ପିଲାମାନଙ୍କୁ ବାବା ବୁଝାଉଛନ୍ତି ଯେ ଜ୍ଞାନୀ ଏବଂ ଅଜ୍ଞାନୀ କାହା-କାହାକୁ କୁହାଯାଉଛି, ଏକଥା କେବଳ ତୁମେ ବ୍ରାହ୍ମଣମାନେ ହିଁ ଜାଣୁଛ । ଜ୍ଞାନ ହେଲା ପାଠପଢ଼ା ଯାହା ଦ୍ୱାରା ତୁମେ ଜାଣିଗଲ ଯେ ଆମେ ଆତ୍ମା ଏବଂ ସିଏ ପରମପିତା ପରମାତ୍ମା । ତୁମେମାନେ ଯେତେବେଳେ ସେଠାରୁ ମଧୁବନକୁ ଆସୁଛ ସେତେବେଳେ ପ୍ରଥମେ ନିଶ୍ଚୟ ନିଜକୁ ଆତ୍ମା ଭାବୁଛ । ଆମେ ଯାଉଛୁ ନିଜ ବାବାଙ୍କ ପାଖକୁ । ବାବା, ଶିବବାବାଙ୍କୁ କହିଥା’ନ୍ତି, ଶିବବାବା ପ୍ରଜାପିତା ବ୍ରହ୍ମାବାବାଙ୍କ ଶରୀରରେ ଅଛନ୍ତି । ତେଣୁ ସେ ମଧ୍ୟ ବାବା ହୋଇଗଲେ । ତୁମେ ଘରୁ ବାହାରିବା ସମୟରେ ଭାବିଥାଅ ଯେ ଆମେ ବାପଦାଦାଙ୍କ ପାଖକୁ ଯାଉଛୁ । ତୁମେ ଚିଠିରେ ମଧ୍ୟ ଲେଖିଥାଅ “ବାପଦାଦା’’ ଶିବବାବା, ବ୍ରହ୍ମାଦାଦା, ଆମେ ବାବାଙ୍କ ପାଖକୁ ଯାଉଛୁ । ବାବା କଳ୍ପ କଳ୍ପ ଆମ ସହିତ ମିଶିଥା’ନ୍ତି । ବାବା ଆମକୁ ବେହଦ ପବିତ୍ର କରି ବେହଦର ସମ୍ପତ୍ତି ଦେଉଛନ୍ତି । ପବିତ୍ରତାରେ ହଦ ଏବଂ ବେହଦ ରହିଛି । ତୁମେମାନେ ବେହଦ ପବିତ୍ର ସତ୍ତ୍ୱପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ । କ୍ରମାନୁସାରେ ତ ଥା’ନ୍ତି । ବେହଦର ପବିତ୍ରତା ଅର୍ଥାତ୍ ଏକମାତ୍ର ବେହଦର ବାବାଙ୍କ ବ୍ୟତୀତ ଆଉ କାହାର ସ୍ମୃତି ନ ଆସିବା । ସେହି ବାବା ବହୁତ ମିଠା ଅଟନ୍ତି । ସିଏ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି ଏବଂ ବେହଦର ପିତା ଅଟନ୍ତି । ସିଏ ସମସ୍ତଙ୍କର ପିତା । ଏ କଥା ତୁମେମାନେ ହିଁ ଜାଣିଛ । ବେହଦର ପିତା ସବୁବେଳେ ଭାରତରେ ହିଁ ଆସିଥା’ନ୍ତି । ଏଠାକୁ ଆସି ବେହଦର ସନ୍ନ୍ୟାସ କରାଇଥା’ନ୍ତି । ସନ୍ନ୍ୟାସ ମଧ୍ୟ ମୁଖ୍ୟ ଅଟେ ନା ଯାହାକୁ ବୈରାଗ୍ୟ କୁହାଯାଉଛି । ବାବା ସମଗ୍ର ପୁରୁଣା ଛି-ଛି ଦୁନିଆରୁ ବୈରାଗ୍ୟ କରାଉଛନ୍ତି । କହୁଛନ୍ତି ପିଲାମାନେ ଏହି ପୁରୁଣା ଦୁନିଆରୁ ବୁଦ୍ଧିର ଯୋଗ ହଟାଇ ଦିଅ । ଏହାର ନାମ ହିଁ ହେଉଛି ନର୍କ ଦୁଃଖଧାମ । କେହି ମରିଗଲେ ନିଜେ ମଧ୍ୟ କହିଥା’ନ୍ତି, ସ୍ୱର୍ଗବାସୀ ହେଲା, ତେବେ ନିଶ୍ଚିତ ନର୍କରେ ଥିଲା ନା । ଏବେ ତୁମେମାନେ ବୁଝିପାରୁଛ ଯେ ଏମାନେ ଯାହା କହୁଛନ୍ତି ତାହା ସବୁ ଭୁଲ୍ । ବାବା ସ୍ୱର୍ଗବାସୀ ହେବା ପାଇଁ ଯଥାର୍ଥ କଥା କହୁଛନ୍ତି, ସେଥିପାଇଁ ଏବେ ହିଁ ପୁରୁଷାର୍ଥ କରିବାକୁ ହୋଇଥାଏ । ସ୍ୱର୍ଗବାସୀ ହେବା ପାଇଁ ମଧ୍ୟ ବାବାଙ୍କ ବ୍ୟତୀତ ଆଉ କେହି ପୁରୁଷାର୍ଥ କରାଇ ପାରିବେ ନାହିଁ । ତୁମେମାନେ ଏବେ ପୁରୁଷାର୍ଥ କରୁଛ ଆମେମାନେ ୨୧ ଜନ୍ମ ପାଇଁ କିପରି ସ୍ୱର୍ଗବାସୀ ହେବୁ । କରିଲାବାଲା ହେଉଛନ୍ତି ବାବା । ତାଙ୍କୁ କୁହାଯାଉଛି ସ୍ୱର୍ଗୀୟ ଈଶ୍ୱର ପିତା । ସିଏ ନିଜେ ଆସି କହୁଛନ୍ତି ପିଲାମାନେ - ମୁଁ ପ୍ରଥମେ ତୁମକୁ ଶାନ୍ତିଧାମକୁ ନେଇଯିବି । ମାଲିକ ଅଟ ନା । ତେଣୁ ପ୍ରଥମେ ଶାନ୍ତିଧାମ ଯାଇ ପୁଣି ସୁଖଧାମକୁ ଅଭିନୟ କରିବା ପାଇଁ ଆସିବ । ଆମେ ଶାନ୍ତିଧାମକୁ ଗଲେ ସବୁଧର୍ମର ଆତ୍ମାମାନେ ମଧ୍ୟ ଶାନ୍ତିଧାମକୁ ଯିବେ । ବୁଦ୍ଧିରେ ପୁରା ଏହି ଡ୍ରାମାର ଚକ୍ରକୁ ମନେ ରଖିବାକୁ ହେବ । ଆମେ ସବୁ ଯିବା ଶାନ୍ତିଧାମକୁ ପୁଣି ଆମେ ହିଁ ପ୍ରଥମେ ଆସି ବାବାଙ୍କଠାରୁ ସମ୍ପତ୍ତି ପାଇଥାଉ । ତେବେ ଯାହାଙ୍କ ଠାରୁ ସମ୍ପତ୍ତି ପାଇବାର ଥିବ ତାଙ୍କୁ ସ୍ମରଣ ନିଶ୍ଚିତ କରିବାକୁ ହେବ । ପିଲାମାନେ ଜାଣିଥା’ନ୍ତି ଯେ ସମ୍ପତ୍ତି ମିଳିଗଲେ ପୁଣି ବାବାଙ୍କର ସ୍ମୃତି ଭୁଲି ହୋଇଯିବ । ସମ୍ପତ୍ତି ତ ବହୁତ ସହଜ ଉପାୟରେ ମିଳିଥାଏ । ବାବା ସମ୍ମୁଖରେ କହୁଛନ୍ତି - ମଧୁର ସନ୍ତାନମାନେ ତୁମର ଯାହା କିଛି ଦେହର ସମ୍ବନ୍ଧ ଅଛି, ସେ ସବୁକୁ ଭୁଲିଯାଅ । ବର୍ତ୍ତମାନ କୌଣସି ବି ନୂଆ ସମ୍ବନ୍ଧ ଯୋଡ ନାହିଁ । ଯଦି କୌଣସି ସମ୍ବନ୍ଧ ଯୋଡିବ, ତେବେ ପୁଣି ତାକୁ ଭୁଲିବାକୁ ପଡିବ । ଧରିନିଅ ପୁଅ କିମ୍ବା ଝିଅ ଜନ୍ମ ହେଲେ ତେବେ ତାହା ମଧ୍ୟ ଜଞ୍ଜାଳ ହେଲା । ଅଧିକଙ୍କୁ ମନେ ପକାଇବାକୁ ପଡିଲା ନା । ବାବା କହୁଛନ୍ତି ସମସ୍ତଙ୍କୁ ଭୁଲି କେବଳ ଜଣଙ୍କୁ ହିଁ ମନେ ପକାଅ । ସେ ହିଁ ଆମର ମାତା, ପିତା, ଟୀଚର, ଗୁରୁ ଆଦି ସବୁ କିଛି ଅଟନ୍ତି, ଜଣେ ପିତାଙ୍କର ସନ୍ତାନ ଆମେ ଭାଇ-ଭଉଣୀ ଅଟୁ । ଆମର କକା, ମାମୁଁ ଆଦିର କୌଣସି ସମ୍ବନ୍ଧ ନାହିଁ । ଏହା ଏଭଳି ଏକ ସମୟ ଅଟେ, ଯେଉଁ ସମୟରେ କେବଳ ଭାଇ-ଭଉଣୀର ସମ୍ବନ୍ଧ ହିଁ ରହିଥାଏ । ବ୍ରହ୍ମାଙ୍କର ସନ୍ତାନ ହେଲେ ପୁଣି ଶିବବାବାଙ୍କର ମଧ୍ୟ ସନ୍ତାନ ହେଲେ, ତେଣୁ ନାତି-ନାତୁଣୀ ହେଲେ ନା । ଏକଥା ତ’ ପୁରୁଷାର୍ଥର କ୍ରମ ଅନୁସାରେ ପକ୍କା ବୁଦ୍ଧିରେ ମନେ ରହିଥାଏ । ତୁମେ ପିଲାମାନେ ଚାଲିବା-ବୁଲିବା ସମୟରେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ହେଉଛ ।

ତୁମେମାନେ ଏହି ସମୟରେ ଚୈତନ୍ୟ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଅଟ । ତୁମର ଗୋଟିଏ ଆଖିରେ ମୁକ୍ତିଧାମ, ଅନ୍ୟ ଆଖିରେ ଜୀବନମୁକ୍ତିଧାମ ରହିଛି । ସେ ଲାଇଟ୍‌ ହାଉସ୍ ତ ଜଡ, କିନ୍ତୁ ତୁମେମାନେ ଚୈତନ୍ୟ ଅଟ । ତୁମକୁ ଜ୍ଞାନର ନେତ୍ର ମିଳିଛି । ତୁମେ ଜ୍ଞାନବାନ ହୋଇ ସମସ୍ତଙ୍କୁ ରାସ୍ତା ଦେଖାଉଛ । ବାବା ତୁମମାନଙ୍କୁ ପାଠ ପଢାଉଛନ୍ତି । ତୁମେମାନେ ଏବେ ଜାଣୁଛ ଯେ ଏହା ଦୁଃଖଧାମ ଅଟେ । ଆମେ ବର୍ତ୍ତମାନ ସଂଗମଯୁଗରେ ଅଛୁ । ବାକି ସମଗ୍ର ଦୁନିଆ କଳିଯୁଗରେ ଅଛି । ସଂଗମଯୁଗରେ ବାବା ପିଲାମାନଙ୍କ ସହିତ ବସି କଥାବାର୍ତ୍ତା ହେଉଛନ୍ତି ଏବଂ ପିଲାମାନେ ହିଁ ଏଠାକୁ ଆସୁଛନ୍ତି । କେହି-କେହି ଲେଖିଥା’ନ୍ତି ବାବା ଅମୁକକୁ ନେଇ ଆସିବି? ସିଏ ବହୁତ ଭଲ ପିଲା, ଗୁଣ ଗ୍ରହଣ କରିବ, ହୁଏ ତ ତୀର ଲାଗିଯିବ । ତେଣୁ ବାବାଙ୍କୁ ମଧ୍ୟ ଦୟା ଆସିଥାଏ, ହୋଇପାରେ କଲ୍ୟାଣ ହୋଇଯିବ । ତୁମେମାନେ ଜାଣୁଛ ଯେ ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ । ଏହି ସମୟରେ ହିଁ ତୁମେ ପୁରୁଷୋତ୍ତମ ହେଉଛ । କଳିଯୁଗରେ ସମସ୍ତେ କନିଷ୍ଠ ପୁରୁଷ, ଯିଏକି ଉତ୍ତମ ପୁରୁଷ ଲକ୍ଷ୍ମୀ-ନାରାୟଣଙ୍କୁ ନମସ୍କାର କରୁଛନ୍ତି । ସତ୍ୟଯୁଗରେ କେହି ବି କାହାକୁ ନମସ୍କାର କରି ନ ଥା’ନ୍ତି । ଏଠାକାର ଏହି ସବୁ କଥା ସେଠାରେ ହୋଇ ନ ଥାଏ । ଏ କଥା ମଧ୍ୟ ବାବା ବୁଝାଉଛନ୍ତି - ଯଦି ଭଲ ଭାବରେ ବାବାଙ୍କର ସ୍ମୃତିରେ ରହି ସେବା କରିବ, ତେବେ ଆଗକୁ ଗଲେ ତୁମକୁ ସାକ୍ଷାତ୍‌କାର ମଧ୍ୟ ହେବ । ତୁମେ କାହାର ହେଲେ ଭକ୍ତି ଆଦି କରୁ ନାହିଁ । ବାବା କେବଳ ତୁମମାନଙ୍କୁ ପାଠ ପଢାଉଛନ୍ତି । ଘରେ ବସିଥାଇ ମଧ୍ୟ ସ୍ୱତଃ ସାକ୍ଷାତ୍‌କାର ଆଦି ହୋଇଯାଉଛି । ଅନେକଙ୍କୁ ବ୍ରହ୍ମାଙ୍କର ସାକ୍ଷାତ୍‌କାର ହୋଇଥାଏ, ତାଙ୍କର ସାକ୍ଷାତ୍‌କାର ପାଇଁ କୌଣସି ପୁରୁଷାର୍ଥ ଆଦି କରି ନଥା’ନ୍ତି । ତେବେ ବେହଦର ପିତା ୟାଙ୍କ ଦ୍ୱାରା ସାକ୍ଷାତ୍‌କାର କରାଇଥା’ନ୍ତି । ଭକ୍ତି ମାର୍ଗରେ ଯିଏ ଯାହାଙ୍କ ପ୍ରତି ଯେପରି ଭାବନା ରଖିଥା’ନ୍ତି, ସେହି ଅନୁସାରେ ତାଙ୍କର ସାକ୍ଷାତ୍‌କାର ହୋଇଥାଏ । ଏବେ ତୁମର ଭାବନା ସବୁଠାରୁ ଉଚ୍ଚରୁ ଉଚ୍ଚ ବାବାଙ୍କଠାରେ ରହିଛି । ତେଣୁ ବିନା ପରିଶ୍ରମରେ ବାବା ସାକ୍ଷାତ୍‌କାର କରାଉଛନ୍ତି । ଆରମ୍ଭରେ କେତେ ସବୁ ଧ୍ୟାନରେ ଚାଲି ଯାଉଥିଲେ, ଏକତ୍ର ବସିଥିବା ସମୟରେ ଆପେ ଆପେ ଧ୍ୟାନରେ ଚାଲିଯାଉଥିଲେ । କିଛି ଭକ୍ତି ଆଦି କରୁ ନ ଥିଲେ ପିଲାମାନେ କ’ଣ କେବେ ଭକ୍ତି କରନ୍ତି? ସେତେବେଳେ ଏହା ଯେପରି ଏକ ଖେଳ ହୋଇଯାଇଥିଲା, ଚାଲ ବୈକୁଣ୍ଠକୁ ଯିବା । ଜଣେ ଅନ୍ୟ ଜଣଙ୍କୁ ଦେଖି ଚାଲିଯାଉଥିଲେ, ତେବେ ଯାହା କିଛି ଘଟିଯାଇଛି, ତାହା ପୁଣି ପୁନରାବୃତ୍ତି ହେବ । ତୁମେମାନେ ଜାଣୁଛ ଯେ ଆମେ ହିଁ ଏହି ଧର୍ମର ଥିଲୁ । ସତ୍ୟଯୁଗରେ ପ୍ରଥମେ-ପ୍ରଥମେ ଏହି ଧର୍ମ ଥିଲା, ଏହି ଧର୍ମରେ ବହୁତ ସୁଖ ଅଛି । ପୁଣି ଧିରେ ଧିରେ କଳା କମ୍ ହୋଇଯାଇଥାଏ । ଯେଉଁ ସୁଖ ନୂଆ ଘରେ ହୋଇଥାଏ ତାହାର ପୁରୁଣାରେ ନଥାଏ । ଅଳ୍ପ ସମୟ ପରେ ସେ ଚମକ କମ୍ ହୋଇଯାଇଥାଏ । ସ୍ୱର୍ଗ ଏବଂ ନର୍କ ଭିତରେ ତ ବହୁତ ଫରକ ଅଛି ନା । କେଉଁଠି ସେହି ସ୍ୱର୍ଗ, କେଉଁଠି ଏହି ନର୍କ! ତୁମେମାନେ ଖୁସୀରେ ରହୁଛ, ଏକଥା ମଧ୍ୟ ଜାଣୁଛ ଯେ ବାବାଙ୍କର ସ୍ମୃତି ମଧ୍ୟ ପକ୍କା ରହିବ । ମୁଁ ଆତ୍ମା - ଏକଥା ଭୁଲିଯାଉଛ ତେଣୁ ଦେହ-ଅଭିମାନରେ ଆସୁଛ । ଏଠାରେ ବସିଥିଲେ ମଧ୍ୟ ଚେଷ୍ଟା କରି ନିଜକୁ ଆତ୍ମା ନିଶ୍ଚୟ କର । ତେବେ ବାବାଙ୍କର ସ୍ମୃତି ମଧ୍ୟ ରହିବ । ଦେହର ସ୍ମୃତି ଆସିଲେ ଦେହର ସବୁ ସମ୍ବନ୍ଧ ମନେ ପଡିବ । ଏହା ଏକ ନିୟମ ଅଟେ । ତୁମେମାନେ ଗାୟନ ମଧ୍ୟ କରିଥାଅ ମୋର ତ ଏକମାତ୍ର ଶିବବାବା ଆଉ ଦ୍ୱିତୀୟ କେହି ନୁହେଁ । ବାବା ମୁଁ ସମର୍ପିତ ହୋଇଯିବି । ତାହା ହେଲା ବର୍ତ୍ତମାନର ସମୟ, କେବଳ ଜଣଙ୍କୁ ହିଁ ମନେ ପକାଇବାକୁ ହେବ । ଆଖିରେ କାହାକୁ ବି ଦେଖ, ବୁଲ ଚାଲ କିନ୍ତୁ ଆତ୍ମାକୁ କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କରିବାକୁ ହେବ । ପରନ୍ତୁ ହାତରେ କାମ କରୁଥିଲେ ମଧ୍ୟ ହୃଦୟରେ ବାବାଙ୍କର ସ୍ମୃତି ରହୁ । ଆତ୍ମାକୁ ନିଜର ପ୍ରେମିକ ଶିବବାବାଙ୍କୁ ହିଁ ମନେ ପକାଇବାକୁ ହେବ । କାହାର କୌଣସି ସଖୀ ସହିତ ପ୍ରୀତି ହୋଇଗଲେ ପୁଣି ତାହାର ସ୍ମୃତି ରହିଯାଇଥାଏ । ପୁଣି ସେହି ମୋହ ତୁଟିବା ବଡ ମୁସ୍କିଲ୍ ହୋଇଥାଏ । ତେବେ ବାବାଙ୍କୁ ପଚାରୁଛନ୍ତି ବାବା, ଏ କ’ଣ! ଆରେ, ତୁମେ ନାମ-ରୂପରେ କାହିଁକି ବାନ୍ଧି ହୋଇଯାଉଛ । ପ୍ରଥମତଃ ତୁମେ ଦେହ-ଅଭିମାନୀ ହେଉଛ ଏବଂ ଦ୍ୱିତୀୟତଃ ତୁମର କୌଣସି ଅତୀତର ହିସାବ-କିତାବ ରହିଛି, ତାହା ଧୋକା ଦେଉଛି । ବାବା କହୁଛନ୍ତି, ଏହି ଆଖିରେ ଯାହା କିଛି ଦେଖୁଛ ସେଥିରେ ବୁଦ୍ଧି ନ ଯାଉ । ତୁମ ବୁଦ୍ଧିରେ ଏ କଥା ରହୁ ଯେ, ଆମକୁ ଶିବବାବା ପାଠ ପଢାଉଛନ୍ତି । ଏପରି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଏଠାରେ ବସିଥିଲେ ମଧ୍ୟ ବାବାଙ୍କୁ କେବେ ମନେ ପକାନ୍ତି ନାହିଁ । କେହି କେହି ତ ଏଠାରେ ବସିଥିଲେ ବାବାଙ୍କ ସ୍ମୃତିରେ ରହିପାରନ୍ତି ନାହିଁ । ତେବେ ନିଜକୁ ଦେଖିବା ଦରକାର - ମୁଁ କେତେ ଶିବବାବାଙ୍କୁ ମନେ ପକାଇଲି? ନଚେତ୍ ଚାର୍ଟରେ ବିଶୃଙ୍ଖଳା ହୋଇଯିବ ।

ଭଗବାନ କହୁଛନ୍ତି ମଧୁର ସନ୍ତାନମାନେ - ମୋତେ ମନେ ପକାଅ । ନିଜ ପାଖରେ ନୋଟ୍ ରଖ, ଯେତେବେଳେ ଇଚ୍ଛା ହେଉଛି ସେତେବେଳେ ଯୋଗରେ ବସିଯାଅ । ଭୋଜନ କରି ସାରି ୧୦-୧୫ ମିନିଟ୍‌ ଆସି ଯୋଗରେ ବସିଯାଅ କାହିଁକି ନା ଏଠି କୌଣସି କର୍ମ ଜଞ୍ଜାଳ ତ ନାହିଁ । ତଥାପି ମଧ୍ୟ ଯେଉଁ କାମଧନ୍ଦା ଆଦି ଛାଡି ଆସିଛ, ତାହା କାହାର କାହାର ବୁଦ୍ଧିରେ ଆସିଯାଉଛି । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ, ତେଣୁ ବାବା କହିଥା’ନ୍ତି ନିଜର ଯାଞ୍ଚ କର । ଏହା ତୁମର ଅତି ମୂଲ୍ୟବାନ ସମୟ । ଭକ୍ତିମାର୍ଗରେ ତୁମେ କେତେ ସମୟ ନଷ୍ଟ କରିଛ । ଦିନକୁ ଦିନ କେବଳ ତଳକୁ ହିଁ ଖସି ଆସିଲ । କୃଷ୍ଣଙ୍କର ସାକ୍ଷାତ୍‌କାର ହେଲେ, ବହୁତ ଖୁସୀ ହୋଇଥା’ନ୍ତି । କିନ୍ତୁ ତା’ଦ୍ୱାରା କିଛି ମିଳି ନ ଥାଏ । ବାବାଙ୍କର ସମ୍ପତ୍ତି ତ ଥରେ ମାତ୍ର ମିଳିଥାଏ, ଏବେ ବାବା କହୁଛନ୍ତି ଯେ ମୋ ସ୍ମୃତିରେ ରୁହ, ତେବେ ତୁମର ଜନ୍ମ-ଜନ୍ମାନ୍ତରର ପାପ ଭସ୍ମ ହେବ । ସ୍ୱର୍ଗର ପାସ୍‌ପୋର୍ଟ ସେହି ସନ୍ତାନମାନଙ୍କୁ ମିଳିଥାଏ, ଯେଉଁମାନେ ଯୋଗଯୁକ୍ତ ହୋଇ ନିଜର ବିକର୍ମକୁ ବିନାଶ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥା’ନ୍ତି । ନଚେତ୍ ବହୁତ ଦଣ୍ଡ ଖାଇବାକୁ ପଡିଥାଏ । ବାବା ଆହୁରି ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ଯେ ନିଜର ମୁକୁଟ ଏବଂ ସିଂହାସନର ଫଟୋ ନିଜ ପକେଟ୍‌ରେ ରଖ ତେବେ ମନେ ରହିବ । ଏହାଦ୍ୱାରା ଆମେ ଏହିଭଳି ହେଉଛୁ । ଫଟୋକୁ ଯେତେ ଦେଖିବ ସେତେ ମନେ ପଡିବ । ପୁଣି ସେହିଥିରେ ହିଁ ମୋହ ହୋଇଯିବ । ମୁଁ ଏହିଭଳି ହେବାକୁ ଯାଉଛି - ନରରୁ ନାରାୟଣ, ଚିତ୍ର ଦେଖି ଖୁସି ଲାଗିବ । ଶିବବାବା ମନେ ପଡିବେ ଏ ସବୁ ପୁରୁଷାର୍ଥର ଉପାୟ ଅଟେ । କାହାକୁ ମଧ୍ୟ ତୁମେ ପଚାର ସତ୍ୟ ନାରାୟଣ କଥା ଶୁଣିଲେ କ’ଣ ହୋଇଥାଏ? ଆମର ବାବା ଆମକୁ ସତ୍ୟନାରାୟଣର କଥା ଶୁଣାଉଛନ୍ତି । ସେମାନେ କିପରି ୮୪ ଜନ୍ମ ନେଇଛନ୍ତି, ତାର ମଧ୍ୟ ହିସାବ ତ ଦରକାର ନା । ସମସ୍ତେ ତ ୮୪ ଜନ୍ମ ନେବେ ନାହିଁ । ଦୁନିଆକୁ ତ କିଛି ବି ଜଣା ନାହିଁ । ଏମିତି କେବଳ ମୁହଁରେ କହିଦେଇଥା’ନ୍ତି - ଏହାକୁ ହିଁ କୁହାଯାଇଥାଏ ପୋଥି ବିଦ୍ୟା । ଏହା ତ ତୁମର ବାସ୍ତବ କଥା । ଏବେ ଯାହା ହେଉଛି ତାହାର ପୁଣି ଭକ୍ତିମାର୍ଗରେ ପୁସ୍ତକ ଆଦି ତିଆରି ହେବ । ତୁମେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ବିଷ୍ଣୁପୁରୀରେ ଯାଇ ଜନ୍ମ ନେଉଛ । ଏହା ନୂଆ କଥା ଅଟେ । ରାବଣ ରାଜ୍ୟ ମିଥ୍ୟାଖଣ୍ଡ ପୁଣି ସତ୍ୟଖଣ୍ଡ ରାମରାଜ୍ୟ ହେବ । ଏ କଥା ଚିତ୍ରରେ ବହୁତ ସ୍ପଷ୍ଟ ରୂପେ ରହିଛି । ଏବେ ଏହା ପୁରୁଣା ଦୁନିଆର ଶେଷ ସମୟ ଅଟେ, ୫ ହଜାର ବର୍ଷ ପୂର୍ବେ ମଧ୍ୟ ବିନାଶ ହୋଇଥିଲା । ଯେଉଁ ବୈଜ୍ଞାନିକମାନେ ଅଛନ୍ତି ତାଙ୍କ ବୁଦ୍ଧିରେ ଆସୁଛି ଯେ ଯାହା ସବୁ ଆମେ କରୁଛୁ ଆମକୁ କେହି ଜଣେ ପ୍ରେରଣା ଦେଉଛି । ସେମାନେ ଏକଥା ମଧ୍ୟ ଜାଣିଥା’ନ୍ତି, ଆମେ ଏହିଭଳି ତିଆରି କରିବୁ ଯାହା ଦ୍ୱାରା ସବୁ ସମାପ୍ତ ହୋଇଯିବ । କିନ୍ତୁ ସେମାନେ ପରବଶ ଅଟନ୍ତୁ ଡରୁଛନ୍ତି । ଜାଣିଥା’ନ୍ତି ଯେ ଘରେ ବସି ଗୋଟିଏ ବମ୍ ଛାଡିବୁ ତ ସବୁ ସମାପ୍ତ କରିଦେବୁ । ଏରୋପ୍ଲେନ୍‌, ପେଟ୍ରୋଲ୍ ଆଦିର ମଧ୍ୟ ଦରକାର ପଡିବ ନାହିଁ । ତେବେ ବିନାଶ ତ ନିଶ୍ଚିତ ହେବ । ନୂଆ ଦୁନିଆ ସତ୍ୟଯୁଗ ଥିଲା, ଯୀଶୁଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବେ ସ୍ୱର୍ଗ ଥିଲା ଏବେ ପୁଣି ସେହି ସ୍ୱର୍ଗର ସ୍ଥାପନା ହେଉଛି । ଆଗକୁ ଗଲେ ସବୁକିଛି ବୁଝିପାରିବେ - ତୁମେ ଜାଣୁଛ ଯେ ସ୍ଥାପନା ନିଶ୍ଚିତ ହେବ । ଏଥିରେ ତ’ ପାଇ ପଇସାର ମଧ୍ୟ ସନ୍ଦେହ ନାହିଁ । ଏହି ଡ୍ରାମା କଳ୍ପ ପୂର୍ବ ଭଳି ଅତିକ୍ରାନ୍ତ ହୋଇ ଚାଲିଛି । ତେବେ ଡ୍ରାମା ନିଶ୍ଚିତ ତୁମମାନଙ୍କୁ ପୁରୁଷାର୍ଥ କରାଇବ । ଏପରି ମଧ୍ୟ ନୁହେଁ, ଯାହା ଡ୍ରାମାରେ ଥିବ ତାହା ହେବ... ପଚାରିଥା’ନ୍ତି ପୁରୁଷାର୍ଥ ବଡ ନା ପ୍ରାରବ୍ଧ ବଡ? ପୁରୁଷାର୍ଥ ବଡ କାହିଁକି ନା ପୁରୁଷାର୍ଥରୁ ହିଁ ପ୍ରାରବ୍ଧ ମିଳିବ । ପୁରୁଷାର୍ଥ ବ୍ୟତୀତ କେବେ କେହି ରହିପାରିବ ନାହିଁ । ତୁମେମାନେ ଏବେ ପୁରୁଷାର୍ଥ କରୁଛ ନା । କେଉଁ କେଉଁ ସ୍ଥାନରୁ ପିଲାମାନେ ଆସୁଛନ୍ତି, ପୁରୁଷାର୍ଥ କରୁଛନ୍ତି । କହୁଛନ୍ତି ବାବା ଆମେ ଭୁଲିଯାଉଛୁ । ଆରେ, ଶିବବାବା ତୁମକୁ କହୁଛନ୍ତି ଯେ ମୋତେ ମନେ ପକାଅ, କାହାକୁ କହୁଛନ୍ତି? ମୋ ଆତ୍ମାକୁ କହୁଛନ୍ତି । ବାବା ଆତ୍ମାମାନଙ୍କ ସହିତ ହିଁ କଥାବାର୍ତ୍ତା ହେଉଛନ୍ତି । ଶିବବାବା ହିଁ ପତିତପାବନ ଅଟନ୍ତି, ଏହାଙ୍କର ଆତ୍ମା ମଧ୍ୟ ତାଙ୍କଠାରୁ ଶୁଣୁଛି । ତୁମମାନଙ୍କୁ ଏ କଥା ପକ୍କା ନିଶ୍ଚୟ ରହିବା ଦରକାର ଯେ, ବେହଦର ପିତା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ସେ ଉଚ୍ଚରୁ ଉଚ୍ଚ, ମିଠାରୁ ମିଠା ବାବା ଅଟନ୍ତି । ଭକ୍ତିମାର୍ଗରେ ଆମେମାନେ ତାଙ୍କୁ ହିଁ ମନେ ପକାଉଥିଲେ, ଗାୟନ ମଧ୍ୟ କରୁଛନ୍ତି ଯେ ତୁମର ଗତି-ମତି ଭିନ୍ନ ଅଟେ । ତେଣୁ ନିଶ୍ଚିତ ମତ ଦେଇଥିଲେ । ଏବେ ତୁମ ବୁଦ୍ଧିରେ ଅଛି - ଏତେ ସବୁ ମନୁଷ୍ୟ ସମସ୍ତେ ଘରକୁ ଫେରିବେ । ବିଚାର କର କେତେ ଆତ୍ମା ଅଛନ୍ତି, ସମସ୍ତଙ୍କର ସମ୍ପ୍ରଦାୟ ଅଛି । ସବୁ ଆତ୍ମାମାନେ ପୁଣି କ୍ରମାନୁସାରେ ପରମଧାମରେ ଯାଇ ବସିବେ । ସ୍କୁଲରେ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଲେ ନମ୍ବର ଅନୁଯାୟୀ ବସିଥା’ନ୍ତି ନା । ତୁମେ ମଧ୍ୟ ନମ୍ବର ଅନୁସାରେ ଯାଉଛ । ଛୋଟ ବିନ୍ଦୁ ଆତ୍ମା ନମ୍ବର ଅନୁସାରେ ଯାଇ ସେଠାରେ ବସିବ, ପୁଣି ନମ୍ବର ଅନୁସାରେ ପାର୍ଟ କରିବା ପାଇଁ ଆସିବ । ଏହା ରୁଦ୍ରମାଳା ଅଟେ । ବାବା କହୁଛନ୍ତି ଏତେ କୋଟି ଆତ୍ମାମାନଙ୍କର ମାଳା ଅଛି । ଉପରେ ମୁଁ ଫୁଲ ଅଛି । ଅଭିନୟ କରିବା ପାଇଁ ସମସ୍ତେ ଏଠାକୁ ହିଁ ଆସିଥା’ନ୍ତି । ଏହିଭଳି ଡ୍ରାମା ତିଆରି ହୋଇଛି । କୁହାଯାଇଛି ଯେ ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । କିପରି ଏହି ଡ୍ରାମା ଚାଲୁଛି ତାହା ତୁମେମାନେ ଜାଣିଛ । ତୁମେମାନେ ସମସ୍ତଙ୍କୁ ଏକଥା ଜଣାଅ ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ, ପୁଣି ତୁମେମାନେ ଘରକୁ ଚାଲିଯିବ । ଏହା କେତେ ମେହନତର କଥା । ସମସ୍ତଙ୍କୁ ରାସ୍ତା ଦେଖାଅ, ଏହା ହିଁ ତୁମର କର୍ତ୍ତବ୍ୟ । ତୁମେ କୌଣସି ଦେହଧାରୀଙ୍କ ପ୍ରତି କାହାକୁ ଆକର୍ଷିତ କରାଉ ନାହଁ । ବାବା ତ କହୁଛନ୍ତି ମୋତେ ମନେ ପକାଅ ତେବେ ପାପ ଭସ୍ମ ହୋଇଯିବ । ବାବା ଯାହା ନିର୍ଦ୍ଦେଶ ଦେଉଛନ୍ତି ତାହା ତ କରିବାକୁ ପଡିବ । ଏଥିରେ ପଚାରିବାରେ କ’ଣ ଅଛି । କେମିତି ବି ହେଉ ବାବାଙ୍କୁ ସ୍ମରଣ ନିଶ୍ଚିତ କର, ଏଥିରେ ବାବା କୃପା କ’ଣ କରିବେ । ଯୋଗ ତ ତୁମକୁ କରିବାକୁ ହେବ । ସମ୍ପତ୍ତି ତୁମକୁ ନେବାକୁ ହେବ । ବାବା ସ୍ୱର୍ଗର ରଚୟିତା ଅଟନ୍ତି ତେବେ ନିଶ୍ଚିତ ସ୍ୱର୍ଗର ସମ୍ପତ୍ତି ମିଳିବ । ଏବେ ତୁମେମାନେ ଜାଣୁଛ ଯେ ଏହି ବୃକ୍ଷ ପୁରୁଣା ହୋଇ ଗଲାଣି, ସେଥିପାଇଁ ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ହେଉଛି । ଏହାକୁ କୁହାଯାଇଛି ବେହଦର ବୈରାଗ୍ୟ । ସେହି ହଠଯୋଗୀମାନଙ୍କର ହେଲା ହଦର ବୈରାଗ୍ୟ । ସେମାନେ ବେହଦର ବୈରାଗ୍ୟ ଶିଖାଇ ପାରିବେ ନାହିଁ । ବେହଦର ବୈରାଗୀମାନେ ପୁଣି ହଦର ବୈରାଗ୍ୟ କିପରି ଶିଖାଇବେ । ଏବେ ବାବା କହୁଛନ୍ତି ସିକିଲଧେ ପିଲାମାନେ, ତୁମେମାନେ ମଧ୍ୟ କହୁଛ ଆପଣ କେତେ ଦିନ ପରେ ମିଳିଥିବା ବାବା ଅଟନ୍ତି । ୬୩ ଜନ୍ମ ବାବାଙ୍କୁ ସ୍ମରଣ କଲି, ବାସ୍ ମୋର ତ ଏକମାତ୍ର ବାବା ଅନ୍ୟ କେହି ନୁହେଁ । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସ୍ୱର୍ଗକୁ ଯିବାର ପାସ୍‌ପୋର୍ଟ ନେବା ପାଇଁ ବାବାଙ୍କୁ ମନେ ପକାଇ ନିଜର ବିକର୍ମକୁ ବିନାଶ କରି କର୍ମାତୀତ ସ୍ଥିତିକୁ ଯିବାକୁ ହେବ । ଦଣ୍ଡରୁ ମୁକ୍ତି ପାଇବାର ପୁରୁଷାର୍ଥ କରିବାକୁ ହେବ ।

(୨) ଜ୍ଞାନବାନ ଆତ୍ମା ହୋଇ ସମସ୍ତଙ୍କୁ ରାସ୍ତା ଦେଖାଇବାକୁ ହେବ, ଚୈତନ୍ୟ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ହେବାକୁ ପଡିବ । ସର୍ବଦା ଗୋଟିଏ ଆଖିରେ ଶାନ୍ତିଧାମ ଏବଂ ଅନ୍ୟ ଆଖିରେ ସୁଖଧାମକୁ ଦେଖିବାକୁ ହେବ । ଏହି ଦୁଃଖଧାମକୁ ଭୁଲିଯିବାକୁ ହେବ ।

ବରଦାନ:-
ପ୍ରତ୍ୟେକ ଆତ୍ମାକୁ ଉଚ୍ଚକୁ ଉଠାଇବାର ଭାବନା ରଖି ସମ୍ମାନ ଦେଉଥିବା ଶୁଭଚିନ୍ତକ ଭବ ।

ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଭାବନା ଅର୍ଥାତ୍ ଉଚ୍ଚକୁ ଉଠାଇବାର ବା ଆଗକୁ ବଢାଇବାର ଭାବନା ରଖିବା ଅର୍ଥ ଶୁଭଚିନ୍ତକ ହେବା । ନିଜର ଶୁଭ ବୃତ୍ତି ଦ୍ୱାରା, ଶୁଭଚିନ୍ତକ ସ୍ଥିତି ଦ୍ୱାରା ଅନ୍ୟମାନଙ୍କର ଅବଗୁଣକୁ ମଧ୍ୟ ପରିବର୍ତ୍ତନ କରିଦେବା । କାହାର ବି ଦୁର୍ବଳତାକୁ ନିଜର ଦୁର୍ବଳତା ମନେ କରି ତାକୁ ବର୍ଣ୍ଣନା କରିବା ବା ଚାରିଆଡେ ଖେଳାଇବା ପରିବର୍ତ୍ତେ ନିଜ ଭିତରେ ରଖିଦେବା ଏବଂ ପରିବର୍ତ୍ତନ କରିଦେବା ହିଁ ସମ୍ମାନ ଦେବା ଅଟେ । ବଡ କଥାକୁ ଛୋଟ କରିବା, ଭାଙ୍ଗି ପଡିଥିବା ଆତ୍ମାକୁ ଶକ୍ତିଶାଳୀ କରିଦେବା, ତାଙ୍କର ସଙ୍ଗର ରଙ୍ଗରେ ନ ଆସି ସର୍ବଦା ତାଙ୍କୁ ଉମଙ୍ଗ-ଉତ୍ସାହ ପ୍ରଦାନ କରିବା - ଏହାକୁ ହିଁ କୁହାଯାଏ ସମ୍ମାନ ଦେବା । ଏହିଭଳି ସମ୍ମାନ ଦେବାବାଲା ହିଁ ଶୁଭଚିନ୍ତକ ଅଟନ୍ତି ।

ସ୍ଲୋଗାନ:-
ପୁରୁଣା ସ୍ୱଭାବ-ସଂସ୍କାର ହିଁ ତ୍ୟାଗର ଭାଗ୍ୟକୁ ସମାପ୍ତ କରି ଦେଇଥାଏ, ସେଥିପାଇଁ ଏହାକୁ ମଧ୍ୟ ତ୍ୟାଗ କର ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଯେପରି ବ୍ରହ୍ମାବାବା ଏକାନ୍ତପ୍ରିୟ ହୋଇଥିବା କାରଣରୁ ସର୍ବଦା ଅନ୍ତର୍ମୁଖୀ ସ୍ଥିତିରେ ରହୁଥିଲେ ମୁଁ ଆତ୍ମା ଅଟେ, ମୁଁ ଆତ୍ମା ଅଟେ.... ଏହି ପାଠକୁ ପକ୍କା କରିଥିଲେ, ଯେଉଁ କାରଣରୁ ସେ ନିଜେ ମଧ୍ୟ ସର୍ବଦା ଶାନ୍ତି ଏବଂ ସୁଖର ସାଗରରେ ବୁଡି ରହୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜର ଶୁଦ୍ଧ ସଂକଳ୍ପ ଏବଂ ଶୁଦ୍ଧ ପ୍ରକମ୍ପନ ଦ୍ୱାରା, ମନର ବୃତ୍ତି ଏବଂ ବାଣୀ ଦ୍ୱାରା, ସମ୍ବନ୍ଧ-ସମ୍ପର୍କ ଦ୍ୱାରା ଶାନ୍ତିର ବା ସୁଖର ଅନୁଭୂତି କରାଇ ଚାଲିଥିଲେ, ଏହିଭଳି ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁସରଣ କର ।